Unknown

 

 

 

 

 

 

 

 

 

 

ଓଡ଼ିଆ ସାହିତ୍ୟ ଏକାଡେମୀ

୧୪୯ ଓ ୧୫୦ତମ ସଂଖ୍ୟା କୋଣାର୍କ ୨୦୦୮

 

କୋଣାର୍କ

 

ତ୍ରୈମାସିକ ସାରସ୍ୱତ ମୁଖପତ୍ର

୧୪୯ ଏବଂ ୧୫୦ତମ ସଂଖ୍ୟା କୋଣାର୍କ ୨୦୦୮

 

ସୁବର୍ଣ୍ଣ ଜୟନ୍ତୀ ବିଶେଷ ସଂଖ୍ୟା (ଦ୍ଵିତୀୟ ଭାଗ)

 

ଡାକ୍ତର ହୁସେନ ରବି ଗାନ୍ଧୀ

ସମ୍ପାଦକ

 

ପଣ୍ଡିତ ଦୁଃଖିଶ୍ୟାମ ପଟ୍ଟନାୟକ

ସୌଜନ୍ୟ ସମ୍ପାଦକ

 

ପ୍ରକାଶକ

ସଂସ୍କୃତି ଭବନ,

ଭୁବନେଶ୍ୱର-୭୫୧୦୧୪

ଫୋନ-ଫ୍ୟାକ୍ସ - ୦୬୭୪-୨୪୩୧୮୪୦

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

 

ବିଷୟ ସୂଚୀ

ସମ୍ପାଦକୀୟ

୧.

ନାଗାଯାତ୍ରା ସପ୍ତମ ବର୍ଷ ପ୍ରଥମ ସଂଖ୍ୟା

ଡକ୍ଟର କୁଞ୍ଜବିହାରୀ ଦାଶ

୨.

ଖାରବେଳଙ୍କର ସମୟ ସପ୍ତମ ବର୍ଷ

ଦ୍ୱିତୀୟ ସଂଖ୍ୟା

ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ

୩.

କୁନ୍ତଳାକୁମାରୀଙ୍କ କବିତାର କେତୋଟି

ଦିଗ ୨୮ତମ ସଂଖ୍ୟା

ଡକ୍ଟର ନରେନ୍ଦ୍ରନାଥ ମିଶ୍ର

୪.

ମୋ ଦାସେ ଆପଣେ ୩୩ ତମ ସଂଖ୍ୟା

ଚିନ୍ତାମଣି ମିଶ୍ର

୫.

ବୁଦ୍ଧବତାର ଓ ଭାଗବତ ୪୧ ତମ ସଂଖ୍ୟା

ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ

୬.

ପ୍ରାଚୀନ ଶିଶୁ ପାଠ୍ୟପୁସ୍ତକ ୪୧ ତମ ସଂଖ୍ୟା

ଶ୍ରୀ ରାଜକିଶୋର ରାୟ

୭.

ସାମାଜିକ ପରିବର୍ତ୍ତନରେ ବ୍ୟଙ୍ଗ:ଦୃଶ୍ୟ

କାବ୍ୟ ୪୫ତମ ସଂଖ୍ୟା

ଡକ୍ଟର କ୍ଷେତ୍ରବାସୀ ନାୟକ

୮.

ଓଡ଼ିଶା ଓ ଅର୍ଥବବେଦ ୪୫ତମ ସଂଖ୍ୟା

ସଚ୍ଚିଦାନନ୍ଦ ରାଉତରାୟ

୯.

ଓଡ଼ିଆ ସାହିତ୍ୟରେ ରମ୍ୟ ରଚନାର

ସ୍ୱରୂପ ଓ ବିକାଶ ୪୯ତମ ସଂଖ୍ୟା

ମହାପାତ୍ର ନୀଳମଣି ସାହୁ

୧୦.

ଓଡ଼ିଆ ଶିଶୁ ସାହିତ୍ୟ ୫୫ତମ ସଂଖ୍ୟା

ଶ୍ରୀ ରାମକୃଷ୍ଣ ନନ୍ଦ

୧୧.

ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ :

ଏକ ଆଲୋଚନା ୫୮ତମ ସଂଖ୍ୟା

ଶ୍ରୀ ରାଧାମୋହନ ଗଡ଼ନାୟକ

୧୨.

ଓଡ଼ିଆ ଅନୁବାଦ ସାହିତ୍ୟ :ଏକ

ସମୀକ୍ଷା ୬୬ତମ ସଂଖ୍ୟା

ଶ୍ରୀ ଚିତ୍ତରଞ୍ଜନ ଦାସ

୧୩.

ଯନ୍ତ୍ର (ଲଳିତ ନିବନ୍ଧ) ୭୦ତମ ସଂଖ୍ୟା

ଶାନ୍ତନୁ କୁମାର ଆଚାର୍ଯ୍ୟ

୧୪.

ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସର

ସମସ୍ୟା ୭୩ତମ ସଂଖ୍ୟା

ଶ୍ରୀ ଚନ୍ଦ୍ରଶେଖର ରଥ

୧୫.

ନାରୀ ଜାତିର ସମ୍ମାନ ଓ ସ୍ୱାଧୀକାର ରକ୍ଷା

ଦିଗରେ ଲେଖକର କର୍ତ୍ତବ୍ୟ ୭୮ତମ ସଂଖ୍ୟା

ଡକ୍ଟର ରାଧାନାଥ ରଥ

୧୬.

ଆଧୁନିକ କବିତାର ଆଧୁନିକତା

୭୯ ତମ ସଂଖ୍ୟା

ଶ୍ରୀ ଦାଶରଥି ଦାସ

୧୭.

ଆଦିବାସୀ ସଙ୍ଗୀତ ୮୧ତମ ସଂଖ୍ୟା

ଡକ୍ଟର ସୀତାକାନ୍ତ ମହାପାତ୍ର

୧୮.

ଓଡ଼ିଆ ଶିଶୁ ସାହିତ୍ୟ :

ଗବେଷଣା ଓ ଅଧ୍ୟୟନ ୯୮ତମ ସଂଖ୍ୟା

ଡକ୍ଟର ଜଗନ୍ନାଥ ମହାନ୍ତି

୧୯.

ସ୍ତୁତିଚିନ୍ତାମଣିର କବି ଭୀମଭୋଇ :

ବିରୋଧାଭାସର ବୈଚିତ୍ର୍ୟ ୧୦୨ ତମ ସଂଖ୍ୟା

ଡକ୍ଟର ମଧୁସୂଦନ ପତି

୨୦.

ମୁଁ କାହିଁକି ଲେଖେ ୧୨୮ତମ ସଂଖ୍ୟା

ଡକ୍ଟର ମାୟାଧର ମାନସିଂହ

୨୧.

ଅପରାହ୍ନର ଛାଇ ୧୩୬ତମ ସଂଖ୍ୟା

ବିଜୟ ମିଶ୍ର

୨୨.

ସାମ୍ପ୍ରତିକ ଗୀତି କବିତା:

ଏକ ବିହଙ୍ଗମ ଦୃଷ୍ଟି ୧୩୭ତମ ସଂଖ୍ୟା

ଅଧ୍ୟାପକ ପଠାଣି ପଟ୍ଟନାୟକ

୨୩.

ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତି

୧୩୯ତମ ସଂଖ୍ୟା

ଜଗବନ୍ଧୁ ସିଂହ

୨୪.

ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ

ଆନ୍ଦୋଳନ ୧୪୦ତମ ସଂଖ୍ୟା ଫେବୃଆରୀ

ଲକ୍ଷ୍ମୀନାରାୟଣ ରାୟସିଂହ

୨୫.

ଆଧୁନିକ ଓଡ଼ିଆ କବିତାର ପ୍ରଥମ କାବ୍ୟପୁରୁଷ :

ବିଦ୍ରୋହୀ ମହାକବି ଭୀମଭୋଇ

୧୪୧ତମ ସଂଖ୍ୟା

ହାଡ଼ିବନ୍ଧୁ ମିର୍ଦ୍ଧା

 

'କୋଣାର୍କ' ପତ୍ରିକାର ସୁଯୋଗ୍ୟ ସମ୍ପାଦକ

ନାମତାଲିକା (୧ମ ସଂଖ୍ୟା ୧୯୫୮ ରୁ ୧୪୬ ତମ ସଂଖ୍ୟା -୨୦୦୭ ପର୍ଯ୍ୟନ୍ତ )

'କୋଣାର୍କ' ରେ ପ୍ରକାଶିତ ରଚନା ସୂଚୀ

ନାମତାଲିକା (୧ମ ସଂଖ୍ୟା ୧୯୫୮ ରୁ ୧୪୬ ତମ ସଂଖ୍ୟା -୨୦୦୭ ପର୍ଯ୍ୟନ୍ତ )

***

 

ସମ୍ପାଦକୀୟ

 

ବିଗତ ସଂଖ୍ୟାରେ ୨୫ଟି ଓ ଏ ସଂଖ୍ୟାରେ ୨୫ଟି ପ୍ରବନ୍ଧକୁ ଗତ ପଚାଶ ବର୍ଷରେ ପ୍ରକାଶିତ ‘କୋଣାର୍କ’ର ବିଭିନ୍ନ ସଂଖ୍ୟାମାନଙ୍କରୁ ଅତି ଯତ୍ନ ଓ ପରିଶ୍ରମ ସ୍ୱୀକାର କରି ପୁନଃ ପ୍ରକାଶନ କରିବାର କାରଣ ହେଉଛି, ଆମ ଭାଷା-ସାହିତ୍ୟ ଆଜି ଓଡ଼ିଶାର ଭୌଗୋଳିକ ସୀମାଠାରୁ ବହୁ ଅଧିକ ଦୂରକୁ ସମ୍ପସାରିତ ହୋଇ ସାରିଛି । ବିଗତ ଦୁଇ ଦଶନ୍ଧି ଧରି ଅର୍ଥନୀତିର ବିଶ୍ଵରୂପ ଧାରଣ ସହିତ ତାଳଦେଇ ଓଡ଼ିଆ ଭାଷାଭାଷୀମାନେ ବିଶ୍ଵର ପ୍ରାୟ ପ୍ରତ୍ୟେକ ସମୃଦ୍ଧ ଦେଶରେ ଜୀବିକା ଅନ୍ୱେଷଣରେ ପହଞ୍ଚି ବସତି ସ୍ଥାପନ କରି ସାରିଲେଣି । ଧିରେଧିରେ ସେମାନେ ନିଜ ସଂସ୍କୃତି, ଇତିହାସ ଓ ଭାଷା ସମ୍ପର୍କରେ ସଚେତନ ହେଉଛନ୍ତି । ଭୌଗୋଳିକ ଓଡ଼ିଶାରେ ବସବାସ କରୁଥିବା ଓଡ଼ିଆମାନଙ୍କଠାରୁ ଓଡ଼ିଶା ବାହାରେ ବା ଭାରତ ବାହାରେ ବାସ କରୁଥିବା ଓଡ଼ିଆମାନେ ନିଜ ସମ୍ପର୍କରେ, ନିଜର ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି ଓ ଇତିହାସ ସମ୍ପର୍କରେ ଅଧିକ ସଚେତନ । ଏହା ମୁଁ ମୋର ନିଜସ୍ଵ ଅନୁଭୂତିରୁ କହୁଅଛି, ଅତିରଞ୍ଜିତ କରି କହୁନାହିଁ ବା ପତ୍ର-ପତ୍ରିକା ପଢ଼ି କହୁନାହିଁ ।

 

ସେ ଯା’ବି ହେଉ, ଓଡ଼ିଶା ଭିତରେ ଓ ବାହାରେ ବାସ କରୁଥିବା ଏହି ଶିକ୍ଷିତ, ସମର୍ଥ ଓ ସ୍ଵାଭିମାନୀ ଓଡ଼ିଆ ତଥା ସେମାନଙ୍କର ଉତ୍ତର ପଢ଼ିବା ପାଇଁ ସଂକ୍ଷେପରେ ନିଜର ପରିଚୟ ଜାଣିବା ପାଇଁ ‘କୋଣାର୍କ’ ମାଧ୍ୟମରେ ଆମର ଏ ପ୍ରୟାସ । ସ୍ଵାଧିନତା ପରେ ଆମ ଜାତିର ସଂଜ୍ଞା ନିରୁପଣ କରିବା ପାଇଁ ଯେଉଁ ତେଜସ୍ଵୀ ସାରସ୍ଵତ ସ୍ରଷ୍ଟାମାନେ ନିଜ ତପସ୍ୟା ମାଧ୍ୟମରେ ବରପ୍ରାପ୍ତ ହୋଇଥିଲେ ଏବଂ ଆମକୁ ଆମ ପରିଚୟର ସଂଜ୍ଞା ପ୍ରଦାନ କରିଥିଲେ, ତାହା ଗତ ପଚାଶ ବର୍ଷ ଭିତରେ କୋଣାର୍କର ବିଭିନ୍ନ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଥିଲା । ତାକୁ ଆମେ ଯତ୍ନ ସହକାରେ ଅନୁଧ୍ୟାନ କରି ସେ ଭିତରୁ ପ୍ରାସଙ୍ଗିକ ବିଷୟମାନଙ୍କ ସମ୍ପର୍କରେ ରଚିତ ପ୍ରବନ୍ଧମାନଙ୍କୁ ଚୟନ କରି କୋଣାର୍କର ବିଗତ ସଂଖ୍ୟା (୧୪୭ତମ ସଂଖ୍ୟା) ଓ ଚଳିତ ସଂଖ୍ୟା (୧୪୮ତମ ସଂଖ୍ୟା)ରେ ସନ୍ନିବେଶିତ କରି ପ୍ରକାଶିତ କରୁଛୁଁ । ଫଳରେ ଏଇ ଦୁଇଟି ଯାକ ସଂଖ୍ୟାକୁ ଯେଉଁ ପାଠକ ପାଠ କରିବାର ଶ୍ରମ ସ୍ଵୀକାର କରିବେ, ସେ ନିଜ ଜାତିର ସଂଜ୍ଞା ହାସଲ କରିବାରେ ଅବଶ୍ୟ ସଫଳ ହେବେ, ଏହା ମୁଁ ହଲପ୍‌ କରି କହିପାରେ । କାରଣ ଓଡ଼ିଆ ଜାତିର ପରିଚୟ ପାଇବା ପାଇଁ ବିଭିନ୍ନ ବିଭାଗର ରାଶି ରାଶି ପୁସ୍ତକ ପଢ଼ିବା ପାଇଁ ସମ୍ପ୍ରତି କାହାପାଖରେ ସମୟ ନାହିଁ । ତେଣୁ ଆତ୍ମପରିଚିତି ଲାଭ କରିବା ପାଇଁ ଅଳ୍ପ ସମୟରେ ଅଳ୍ପ ଅଧ୍ୟୟନରେ ଏକ ସୁଯୋଗ ଦେବା ପାଇଁ ‘କୋଣାର୍କ’ ଏହି ମହନୀୟ ଉଦ୍ୟମ କରିଛି ।

 

ବିଗତ ପଚାଶ ବର୍ଷର ଆୟୁକାଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ନିଜର ଅଦମ୍ୟ ଉଦ୍ୟମ ଫଳରେ ଯେଉଁ ଜ୍ଞାନ ବୃକ୍ଷର ଚାରା ରୋପଣ କରିଥିଲା, ଏହି ସଂଖ୍ୟାଦ୍ଵୟ (୧୪୭ତମ ଓ ୧୪୮ତମ) ସେହି ବୃକ୍ଷରେ ଫଳିଥିବା ସୁମିଷ୍ଟ ଫଳ । ଆମର ପ୍ରିୟ ପାଠକଙ୍କ ସାମ୍ନାରେ ପରଶି ଦେଇଛୁ ଶବରୀର ନିଷ୍ଠା, ଭକ୍ତି ଓ ଶ୍ରଦ୍ଧା ଦେଇ ସେଇ ସୁମିଷ୍ଟ ଫଳକୁ । ପାଠକ ଆମ ପାଇଁ ଶ୍ରୀରାମଚନ୍ଦ୍ର । ସହୃଦ ପାଠକମାନେ ଆଶୀର୍ବାଦ ଦେଇ ଏଇ ସୁମିଷ୍ଟଫଳ ଭକ୍ଷଣ କରି ଆମ ଉଦ୍ୟମକୁ ସଫଳ କରାଇବେ ବୋଲି ମନରେ କାମନା ପୋଷଣ କରିଛୁ । ଏହା ଅବଶ୍ୟ ସତ୍ୟ ଯେ, କାମନାର ବିନାଶରେ ଦୁଃଖର ବିନାଶ । ହେଲେ ଆମେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ରେ ବିଶ୍ଵାସକରି ଆମ ଦୁଃଖ ଓ ଅବଶୋଷକୁ ଭ୍ରୁକ୍ଷେପ ନ କରି ଜାତିର ସାରସ୍ୱତ କଲ୍ୟାଣ ଏବଂ ନିର୍ବାଣ ପାଇଁ ଅହରହ ଉଦ୍ୟମ କରି ଚାଲିଛୁ ପ୍ରବୁଦ୍ଧ ଗୌତମଙ୍କ ପରି ।

 

ଏହି ସଂଖ୍ୟାର ପ୍ରବନ୍ଧ ଗୁଡ଼ିକର ଚୟନରେ ବହୁ ଶ୍ରମ ସ୍ୱୀକାର ପୂର୍ବନ ଯେଉଁ ସହଯୋଗ ଦେଇଛନ୍ତି ପ୍ରବୀଣ ଭାଷାବିତ୍‌, ପ୍ରବୁଦ୍ଧ ସ୍ରଷ୍ଟା ବାଗ୍ମୀ-ପଣ୍ତିତ ଦୁଃଖୀଶ୍ୟାମ ପଟ୍ଟନାୟକ, ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

 

ଏ ସଂଖ୍ୟାଟି ଆପଣମାନଙ୍କର ମନକୁ ସନ୍ତୋଷ ଦେଇ ପାରିଲେ ଆମେ ତୃପ୍ତ ହେବୁଁ । ମତାମତ ଦେଇ ଅନୁଗୃହୀତ କରାଇବେ ବୋଲି ଅନୁରେଧ କରୁଛୁଁ ।

 

ପ୍ରେମ ଓ ପ୍ରାର୍ଥନାର ପଚାଶ ବର୍ଷପରେ ସଂକଳ୍ପ ଓ ଶପଥର ପଚାଶ ବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକଟି ସ୍ଵାଭିମାନୀ, ଦେଶପ୍ରେମୀ, ଭାଷା ସଂସ୍କୃତି ପ୍ରେମୀ ଓଡ଼ିଆଙ୍କୁ ମୋର ଆହ୍ଵାନ ଓଡ଼ିଶା ସାହିତ୍ୟ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଏହାହିଁ ଆମର ଧ୍ୟେୟ ହେଉ ।

 

‘‘ବନ୍ଦେ ଉତ୍କଳ ଜଜନୀ’’

(ହୁସେନ ରବିଗାଂଧୀ)

 

ନାଗାଯାତ୍ରା

ଡକ୍ଟର କୁଞ୍ଜବିହାରୀ ଦାଶ

 

ଓଡ଼ିଶାରେ ନାଗାର ବେଶ ଓ ନୃତ୍ୟ ବିଚିତ୍ର ଓ ବିସ୍ମୟକର ! ମୁଣ୍ତରେ ଝୋଟର ତିନିସରି ପାଗ, ପାଗ ଉପରେ ଦୀର୍ଘଚୂଳ, ଚୂଳର ଅଗ୍ରଭାଗରେ ରଙ୍ଗୀନ୍‌ ସୋଲଫୁଲ କିମ୍ବା ମୟୂରଚନ୍ଦ୍ରିକା । ପାଗକୁ ଘୋଡ଼ାଇ ମଣ୍ଡିତ ହୁଏ ନାନା ଅଳଙ୍କାର-ଚନ୍ଦ୍ରହାର, ଗୋଠ, ପାଉଜି, ବେଙ୍ଗପାଟିଆ-ମାଳ, ବାଘନଖୀ !! .ଏସବୁ ଧନୀଘର ସ୍ତ୍ରୀମାନଙ୍କଠାରୁ ମଗା ହୋଇଆସେ ।

 

ନାଗାମୁହଁର ଗାଲମୁଚା ଓ ଦୀର୍ଘନିଶ ଭୀତିପ୍ରଦ । ନାଗା ବୀରଠାଣିରେ ପାହୁଲ ପକାଇଲାବେଳେ ନିଶ ମୋଡ଼େ ! ଆଖି ତା’ର କ୍ରୂର ଓ ଭୟଙ୍କର ହୋଇଉଠେ ! ତା’ର କପାଳରେ ସିନ୍ଦୂରକଲି । ପିନ୍ଧା ପାଟକାଚ୍ଛ, କାନ୍ଧରେ ପରତାଲା (ପାଛୁଡ଼ା ବା ଚାଦର), ଡାହାଣ ପାଦରେ ଘାଗୁଡ଼ି, ଜଙ୍ଘରେ ଘଣ୍ଟି, ପିଠିପଟେ ଗଣ୍ଡା ଚମର ଢାଲ, ତୂଣୀର, କଟିରେ ତରବାରି କଟାରି, ବାଙ୍କଛୁରୀ !! .

 

ତା’ର ଦେହସାରା ରାମରଜ ବୋଳା, . ସୁବର୍ଣ୍ଣମୟ ଦିଶେ ! ଛାତିରୁ ଅଣ୍ଟାଯାଏ ବାଘଛାଲରେ ଆବୃତ, ପୁଷ୍ଠପଟେ ବିପୁଳ ଧେଣୁକ (ଧନୁ) ଏକ ପ୍ରଭା ପରି ଦିଶେ ! ଧେଣୁକରେ ଶର ସବୁ ଖଞ୍ଜା, ଶରମୂନରେ ରଙ୍ଗୀନ୍‌ କନାର ପତାକା ସବୁ !

 

ହାତରେ ଗଣ୍ଠିଆ (ଦେଶୀ ବନ୍ଧୁକ) । ନାଗା ନୃତ୍ୟ ବେଳେ ବନ୍ଧୁକ ଫୁଟାଇ ଦର୍ଶକମାନଙ୍କୁ ଚମକାଇ ଦିଏ !

 

ହାତରେ (ମଣିବନ୍ଧ) ଦର୍ପଣ; ବାହାରେ ଏରା (ଚିଲିକା ହ୍ରଦରେ ସୁଲଭ) ପକ୍ଷୀର ଲାଲ୍‌ପର . ! ନାଗା ତାରୁଣ୍ୟ ଓ ପୌରୁଷର ଏକ ପ୍ରଚଣ୍ଡ ରୂପ, ବୈଦିକ ଶକ୍ତି ଓ ଉନ୍ମାଦନାର ଏକ ବିସ୍ଫୋରଣ । ତା’ର ବୀର ପାହୁଲ ଓ ଦୁର୍ଦ୍ଧର୍ଷଗତି ବୀରତ୍ଵପୂର୍ଣ୍ଣ ପରମ୍ପରା ଦୀର୍ଘ ରଣାଭ୍ୟାସ ଓ କୌଶଳର ସୁପରିଚୟ ଦିଏ !

 

ନାଗାର ନୃତ୍ୟ ସହିତ ଦାମାମା, ଦୁନ୍ଦୁଭି ବାଜେ ନାହିଁ, ବାଜେ ଦେଶୀୟ ଯୋଡ଼ି ନାଗରା .ଡେମ୍ଫ ନାଗରା .। .ତା’ର ସ୍ଵର-

 

‘‘ଧେକ୍‌ ଧାଡ଼ାକ୍‌ ଦାଧାଡ଼ା

ତେକ୍‌ ତାଡ଼ାକ୍‌ ତାତାଡ଼ା

ଧେକ୍‌ ଧାଡ଼ାକ୍‌ . !!!’’

 

କୋଶ କୋଶ ଦୂରବର୍ତ୍ତୀ ସ୍ଥାନ ଏଇ ବାଜାର ସ୍ଵରରେ ଉଛୁଳି ଉଠେ ! ବାଜା ବାଜିଲେ ନାଗାର ପାଦ ଉଠେ, ମନ ଉନ୍‌ମାଦିତ ହୁଏ, . ! ଉଜନ୍‌ଦାର ବେଶ, ପ୍ରଚଣ୍ଡ ଗ୍ରୀଷ୍ମରୌଦ୍ରକୁ ଭ୍ରୂକ୍ଷେପ ନ କରି ସେ ନୃତ୍ୟରେ ଉନ୍ମତ୍ତ ହୋଇଉଠେ !

 

ନାଗା ଯେ ଉତ୍କଳର ଗୌରବୋଜ୍ଜ୍ୱଳ ଦିନର ପ୍ରଚଣ୍ଡ ପାଇକ ବୀର, ଏଥିରେ ତିଳାର୍ଦ୍ଧେ ସନ୍ଦେହ ରହେ ନାହିଁ।

 

ଜଗନ୍ନାଥ କେବଳ ମୈତ୍ରୀର ଦେବତା ନୁହନ୍ତି । ସେ ମହାବୀର, କାଞ୍ଚି ଯୁଦ୍ଧରେ ତାଙ୍କର ବୀରର ଭୂମିକା ପ୍ରତ୍ୟକ୍ଷ । ଭକ୍ତର ମାନ ରକ୍ଷା ଲାଗି ପ୍ରୟୋଜନ ବେଳେ ସେ ଅସ୍ତ୍ରଧାରଣ କରନ୍ତି ! .ତେଣୁ ତାଙ୍କ ନାଗା ବେଶ ବା ପାଇକ ଦେଶ କାଞ୍ଚି ଯୁଦ୍ଧଯାତ୍ରାର ଏକ ସ୍ମାରକ ! ଅବଶ୍ୟ ଜଗନ୍ନାଥ ଓ ବଡ଼ଠାକୁରଙ୍କ ନାଗା ବେଶ ପ୍ରତିବର୍ଷ ହୁଏ ନାହିଁ । ଯେଉଁ ବର୍ଷ ଛଅଦିନିଆ ପଞ୍ଚକ ପଡ଼େ, ସେହି ବର୍ଷ ନାଗା ବା ନାଗାର୍ଜ୍ଜୁନ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଏ । ନାଗା ଧର୍ମ ଏକ ତାନ୍ତ୍ରିକ ଧର୍ମ । ଏହି ଯାଯାବର ସନ୍ନ୍ୟାସୀଙ୍କ ତନ୍ତ୍ରଧର୍ମ କେବେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କଲା, ତାହା ଅନୁସନ୍ଧେୟ !!

 

ଯାତ୍ରାର ପୂର୍ବଦିନ ଦକ୍ଷିଣକାଳୀଙ୍କ ପୂଜା ହୁଏ, ନାଗାମାନଙ୍କର ହାତ ହତିଆର ପୂଜା ହୁଏ-। ନାଗା ନୃସିଂହ ଦେବଙ୍କୁ ଦର୍ଶନ କରେ, ମନ୍ଦିରରୁ ଶାଢ଼ି, ପ୍ରସାଦ ଓ ମାଳା ପାଏ । ନୃସିଂହ ଜନ୍ମ ଦିନ ପୁରୀ ଜିଲ୍ଲାର ନୂଆଶାସନ ଗ୍ରାମରେ ମେଳଣ ନାଗାଯାତ୍ରା ହୁଏ; ଉତ୍ତରସାହି ଓ ଦକ୍ଷିଣସାହି ମଧ୍ୟରେ ନାଗା ପ୍ରତିଯୋଗିତା ହୁଏ । ଜନ ସାଧାରଣ ହି ବିଚାରକ, କେଉଁ ସାହିର ନାଗା ବେଶ ଓ ନୂତ୍ୟ ସରସ ତାହା ଲୋକେ ଉନ୍ମୁକ୍ତ ଭାବେ ପ୍ରକାଶ କରିଥାନ୍ତି ।

 

ହରିପୁର, ବଳଙ୍ଗା, ବାଲିସାହି ଓ ବାଳକାଟି ଗ୍ରାମରେ ଭଉଁରି (ବୈଶାଖ ପୂର୍ଣ୍ଣିମା) ଦିନ ରୂପଦେଈ ପୁରରେ ଚମ୍ପକଦ୍ଵାଦଶୀ ଦିନ ନାଗାଯାତ୍ରା ହୋଇଥାଏ । ନାଗା ପୁରୀର ପ୍ରସିଦ୍ଧ ସାହିଯାତର ଏକ ପ୍ରଧାନ ମଣ୍ଡନ । ସେ ଭଳି ଶକ୍ତିମନ୍ତ ପୁରୁଷ ନ ହେଲେ ନାଗାଭିଡ଼ା ସହି ପାରିବ ନାହିଁ, ନାଗା ନାଚ ନାଚି ପାରିଦ ନାହିଁ । ଭଗବାନଙ୍କ ନୃସିଂହାବତାର ସହିତ ଏହି ନୃତ୍ୟର ଆଙ୍ଗିକ ସାମଞ୍ଜସ୍ୟ ରହିଅଛି । ନୃସିଂହ ସଂସ୍କୃତି ସହିତ ନାଗାର ସମ୍ବନ୍ଧ ମଧ୍ୟ ଅନୁସନ୍ଧେୟ ।

 

ମେଳଣରେ ନାଗାଯାତ୍ରା ଆଗରୁ ପାଲାବାଲା, କେଳାକେଳୁଣୀ, ଶବର ଶବରୁଣୀ, ବାରିକ ବାରିକାଣି, ବିଭାଘରିଆ, ଚକୁଳିଆପଣ୍ଡା, ବୁଢ଼ାବୁଢ଼ୀ, ଗଣେଶ, ବୃଷଭ, କଳାଘୋଡ଼ା, ସୁଆଙ୍ଗ ନାଚ ନୃତ୍ୟର ଏକ ଦାତାବରଣ ତିଆରି କରନ୍ତି । ନାଗାଙ୍କ ଆଗମନର ଅବ୍ୟବହିତ ପୂର୍ବରୁ ନୃତ୍ୟ କରନ୍ତି ସଠରା । ସଠରାର ମୁଣ୍ଡରେ ଟୋପି, ପିନ୍ଧା ଜଙ୍ଘି, ଦେହରେ ରାମରଜ ବୋଳା !! ବାହାରେ ଏରା ପକ୍ଷୀର ପର ବନ୍ଧା । ସେ କାଠ ତାଳି ବଜାଇ ନାଚେ ଓ ନିମ୍ନ ହିନ୍ଦୀଓଡ଼ିଆ ମିଶା ବିକୃତ ଗୀତଟି ବୋଲିଥାଏ -

 

‘‘ଜାଗୋ ମାଈ କାଳିକା ଜଗାଓ ମାୟୀ କାଳିକା

ହସ୍ତେ ଶୋହେ ଖଣ୍ଡା ଖପର ଗଳେ ମୁଣ୍ଡ ମାଳିକା

କଲିକତାରେ ଗଙ୍ଗାତୀରେ ନାମ ବୋଲାଓ କାଲୀ

ବଳିଭୋଜା ସବ୍‌ ରୋଜ୍‌ ପାଓ ପୂଜା କରେ ବଙ୍ଗାଲୀ ।

 

ବାଣପୁରେ ଭଗବତୀ ବିରାଜେ ବାଙ୍କିରେ ଚର୍ଚ୍ଚିକା

ସମ୍ବଲପୁରେ ସମଲାଇ ଆଦିମ ପୁରେ ଭୋକା !

 

ଝଙ୍କଡ଼େ ସାରଳା ନାମ ଯାଜପୁରେ ବିରଜାଇ

ପ୍ରାଚୀ କିନାରେ କାକଟପୁରେ ମଙ୍ଗଳା ମହାମାୟୀ

ଜଗନ୍ନାଥଜୀ କୋ ଧାମ ପରେ ବିଖ୍ୟାତ ବିମଲା

ନାମ ଭଜୋ ଜନକ ପୂଜୋ କବ ନାହିଁ କର ହେଲା ।

 

କହାଁସୁ ଆୟେ ନାନକ ସାଇଁ କାହାଁ ତୁମାରି ଡେରା

କହଁ ତୁମାରା ଗୁରୁକା ଗାଦୀ କୋନ ବେଦିକା ପ୍ୟାରା ?

କନ୍‌ ତୁମାରା ମାତାପିତା କନ୍‌ ଯେ ହାତର ଭେକ

କନ୍‌ ତୀର୍ଥମେ ଲାଓ ତୁମ୍‌ଲୋକ ବୋଲାଓ ଏକ୍‌ଏକ ।

 

କନ୍‌ ଦେହାତର ତପସିମ୍‌, ଟୋପି କନ୍‌ ହାତର ଜରି

କହାଁ ସୁକାଠି କହାଁସୁ ରନ୍ଦକ ଭରି ।

କୋନ୍‌ ଚପକନ୍‌ ଦିଆ ତୁମ୍‌ସେ କୋନ୍‌ ଦିଆ ମିରିଜାଇ

ତସଲା କହାଁସୁ ଆୟେ ଳୋଟା କହାଁସୁ ପାଇ ?

 

ତୁମ୍‌କୁ ଯଦି ନାଇଁ ପଇଛାନା ପିକର ଆୟେ ତାଡ଼ି

ତୁମ୍‌ଶାଳୀ କେ ନାଇଁ ଛୋଡ଼େଙ୍ଗେ ପାଓ ମୋ ଜାଗୋ ବେଢ଼ି ।

ସିକୋ କାଲୀ ସାହେବ ଜ୍ୟାଦେ ସବ୍‌କୋ ଗିରି ଓ କାଲେ

ପିତା ନିରଞ୍ଜନ ମାତା ଆଦିକାଲି ରୂପ୍‌ମେ ମିଲେ ।

 

ଖାନା ବିନା ଆଦି ମର୍‌ଗାୟେ ଗୁରୁ ନାନକଜୀ ଦେଖା

ବ୍ରହ୍ମ ଦଣ୍ତକୋ କାଠକୁଦିଆଁ ଠୁକୋ ମାଗୋ ଭିକ୍ଷା ।

ରୁଦ୍ର କମଳା ଚପକନ ଚୀରା ନାରଦ ଦିଆ ହମ୍‌ସେ

ଦୋପଲାଇ ଦୋ ମିରିଜାଇ ରାମ ଦିଲା ଓ ଖୁସେ ।

 

ଗୁରୁ ହୁକୁମେ ତସଲା ଲୋଟା ଦିଆଏ ଜନନୀ କାଲେ

ଲଙ୍ଘି ସମ୍ବତ୍ସର ଢାଲଦିଲା ଓ ଖପରଟା ପରବାଲେ

ଧ୍ୟାନ ନିରଞ୍ଜନ କରକେ ହାମ୍‌ନେ ଚାରଖୁଣ୍ଟମେ ଫିରା

ଗଙ୍ଗା ଯମୁନାତୀର୍ଥ ଲାଓ ପ୍ରୟାଗରାଜ ହରଦ୍ୱାରା ।

 

ଜମ୍ବୁକା ବଲ କାଶମୀର ଦେଖାଲାଓ ମୁରଜାବାତ୍‌

ପୁରୀ ସହରମେ ଆୟେ ଆମି ଦେଖେ କ୍ଷେତରରାଜ୍‌

ବିଚମେ ଦେଖା ହସ୍ତିନାପୁରୀ ଅମରସହର ପଟିଆଲା

ଜୟପୁର ବିଜିପୁର ଉଦିଆନି ପଟକା ଢାକ୍‌କା ଗୁଆଲାର ଜ୍ୱାଳା ।

 

ଅଉରଲଖନୋ ଉସିପର ବନ୍ଧା ଭରତପୁର ମୁଲତାନ

ଚାନ୍ଦୁସିପୁର ଜୟପୁର ପାଟନା ରାମପୁର ଲହୁଆନ

କାଲିଜରନ୍‌ମେ କାଲୀ ପୂଜେ ଗୋପମଥୁରା ଫିର ଆୟା

ବୃନ୍ଦାବନମେ ଚଉକି କି ୟେ ରାମକୃଷ୍ଣ ଦୋ ଭାୟା ।

 

ରେବା ସରସ୍ୱତୀ ଫାଲ୍‌ଗୁନ୍‌ଗୟା ତୀର୍ଥ ଲାଓ ହାମ୍‌ନୋ

ଅଯୋଧ୍ୟା ଯାବେ ସହର ଜୁଲାଓ ମିଲେ ସୀତା ଶ୍ରୀରାମ ।।’’

 

.ଏହି ଗୀତ ଗୋରେଖ ସମ୍ବାଦ ଅନୁକରଣରେ ଲିଖିତ, ଗୋରେଖ ସଂହିତାର ମତ୍ସ୍ୟେନ୍ଦ୍ର ଗୋରେଖ ଉକ୍ତି ପ୍ରତ୍ୟୁକ୍ତିର ଅନୁରୂପ –

 

‘‘କଉଣ ଦିଆ ଦଣ୍ଡ କମଣ୍ଡଳୁ

କଉଣ ଦିଆ ଆଧାରି

କଉଣ ଦିଆ ତୁମେ ଡୋର କଉପୁନି

କଉଣ ଦିଆ ବ୍ରହ୍ମଚାରୀ ?

 

ବ୍ରହ୍ମା ଦିଆ ଦଣ୍ଡ କମଣ୍ଡଳୁ

ବିଷ୍ଣୁ ଦିଆ ଆଧାରି

ଈଶ୍ଵର ଦିଆ ଡୋର କଉପୁନୀ

ଗୁରୁ ଦିଆ ବ୍ରହ୍ମଚାରୀ ।’’

(ପୃ. ୨୮୪, ଓଡ଼ିଶାର ନାଥ ସମ୍ପ୍ରଦାୟ ଓ ନାଥଧର୍ମ : ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ)

 

ସଠରାମାନେ ସନ୍ନ୍ୟାସୀ, ସେମାନଙ୍କ ତୀର୍ଥାଟନ ଅନୁଭୂତି ଉକ୍ତିରୁ ଭାରତଭୂମିର ଭାରତୀୟ ସଂସ୍କୃତି ଓ ସଭ୍ୟତାର ନିବିଡ଼ ଐକ୍ୟ ପ୍ରତିପାଦିତ ହୋଇଅଛି । ସଠରାମାନେ ହୁଏତ ନାରୀମାନଙ୍କର ଚେଲା ।

 

ଉକ୍ତ ଗୀତ ଓଡ଼ିଶାର ଗାଁ ଗହଳରେ ପ୍ରଚାରିତ । ଏଥିରୁ ପ୍ରମାଣିତ ହୁଏ ଯେ, ଓଡ଼ିଆ ନାଗା ସହିତ ନାଗା ସନ୍ନ୍ୟାସୀର ଧର୍ମଗତ ସମ୍ପର୍କ ରହିଅଛି । ଶକ୍ତିର ସାଧକ ସେ, ଅସ୍ତ୍ରଧାରୀ ! କିନ୍ତୁ ଆକ୍ରମଣ ନୁହେଁ, ଆତ୍ମରକ୍ଷା ହଁ ତାର ଲକ୍ଷ୍ୟ ।

 

ନାଗାଧର୍ମ ସହିତ ଓଡ଼ିଶୀ ପାଇକ ବେଶ ଓ ବୀରନୃତ୍ୟ ପରମ୍ପରା ମିଶି ନାଗାକୁ ହିଂସା, ଅହିଂସା, ବୀରତ୍ୱ ଓ ଶାନ୍ତିର ଭୌତିକତା ଓ ଆଧ୍ୟାତ୍ମିକତାର ସମନ୍ଵୟରେ ଏକ ଅପୁର୍ବ ରୂପଶ୍ରୀ ପ୍ରଦାନ କରିଅଛି । ଲୋକଧର୍ମ ଏକ ସମନ୍ଵୟ ଧର୍ମ । ନାଗାର ଅନୁପ୍ରବେଶ ତାକୁ ବୈଚିତ୍ର୍ୟମୟ କରିଅଛି । ଅଧିକ ଅନୁସନ୍ଧାନ ଆବଶ୍ୟକ ।

***

 

ଖାରବେଳଙ୍କର ସମୟ

ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ

 

କେବଳ ମାତ୍ର ହାତୀଗୁମ୍ଫାର ୧୭ ପଙ୍‌କ୍ତି ବିଶିଷ୍ଟ ଶିଳାଲେଖ ବ୍ୟତୀତ ଖାରବେଳଙ୍କ ସମ୍ପର୍କରେ ଅନ୍ୟ କୌଣସି ଲିଖିତ ଐତିହାସିକ ଉପାଦାନ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହିଁ । ଖଣ୍ଡଗିରି ଓ ଉଦୟଗିରିର ଶିଳ୍ପଭାସ୍କର୍ଯ୍ୟ ସମ୍ପର୍କରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଐତିହାସିକ ଓ ତାତ୍ତ୍ୱିକ ଗବେଷଣା ହୋଇନାହିଁ । ଏଣୁ ଖାରବେଳଙ୍କର ରାଜତ୍ୱର ନିର୍ଦ୍ଧିଷ୍ଟ ସମୟ ନିର୍ଣ୍ଣୟ ପାଇଁ କେବଳ ଶିଳାଲେଖ ଉପରେ ନିର୍ଭର, କରିବା ଛଡା ଅନ୍ୟ ଉପାୟ ନାହିଁ । ଶିଳାଲେଖରେ ଯେଉଁ ସମସ୍ତ ଐତିହାସିକ ବ୍ୟକ୍ତି ଓ ଘଟଣାର ଉଲ୍ଲେଖ ରହିଛି, ତାହାକୁ ଭିତ୍ତିକରି ଗବେଷକବର୍ଗ ଖାରବେଳଙ୍କ କାଳ ସମ୍ପର୍କରେ ବିଭିନ୍ନ ମତ ପ୍ରଦାନ କରିଛନ୍ତି । ସେ ସମସ୍ତ ମତର ସମୀକ୍ଷା କରି ଯେତେଦୂର ସମ୍ଭବ ନିର୍ଦ୍ଦିଷ୍ଟ ସମୟ ନିର୍ଣ୍ଣୟ କରାଯାଇପାରେ ।

 

ଶିଳାଲେଖରେ ଐତିହାସିକ ବ୍ୟକ୍ତି ହିସାବରେ ଚତୁର୍ଥ ପଙ୍‌କ୍ତିରେ ସାତକର୍ଣ୍ଣି (ସାତଂକଣି) ଦ୍ଵାଦଶ ପଙ୍‌କ୍ତିରେ ବୃହସ୍ପତି ମିତ୍ର (ବହସତି ମିତଂ) ଏବଂ ଷଷ୍ଠ ପଙ୍‌କ୍ତିରେ ନନ୍ଦରାଜ-ଏହି ତିନି ରାଜାଙ୍କର ନାମୋଲ୍ଲେଖ ଦେଖାଯାଏ । ସେମାନଙ୍କର ସମୟ ଏବଂ ‘ତି-ବସ୍‌-ସତ’-ଏହି ଶବ୍ଦଟିର ପ୍ରକୃତ ସଂଖ୍ୟା ଆଲୋଚନା କଲେ ଖାରବେଳଙ୍କ ସମ୍ଭାବ୍ୟକାଳ ନିର୍ଚ୍ଚିତ ହୋଇ ପାରିବ ।

 

ଆନ୍ଧ୍ର ସାତବାହାନ ବଂଶର ସାତକର୍ଣ୍ଣି, ମଗଧର ବୃହସ୍ପତି ମିତ୍ର ଏବଂ ଖାରବେଳ ନିଶ୍ଚିତଭାବରେ ସମସାମୟିକ ବ୍ୟକ୍ତି ଥିଲେ । ପୁନଶ୍ଚ ନନ୍ଦରାଜାଙ୍କ ଦ୍ଵାରା ‘ତି-ବସ୍‌-ସତ’ ପୂର୍ବେ ଖୋଦିତ ପ୍ରଣାଳୀକୁ ଖାରବେଳ କଳିଙ୍ଗନଗରୀ ପର୍ଯ୍ୟନ୍ତ ଖୋଳାଇ ଆଣି ଥିବାର ଉଲ୍ଲେଖରୁ ନନ୍ଦରାଜ ଓ ‘ତି-ବସ-ସତ’-ଏହି ଦୁଇଟି ପଦର ଆଲୋଚନା ମଧ୍ୟ ଖାରବେଳଙ୍କର ସମୟ ନିର୍ଣ୍ଣୟର ପ୍ରଧାନ ସହାୟକରୂପେ ଗ୍ରହଣ କରାଯାଇପାରେ ।

 

ଆନ୍ଧ୍ର ସାତବାହନ ବଂଶରେ ଦୁଇଜଣ ସାତକର୍ଣ୍ଣି ଓ ମଗଧ ମିତ୍ର ରାଜବଂଶରେ ମଧ୍ୟ ଦୁଇଜଣ ବୃହସ୍ପତି ମିତ୍ର ରାଜତ୍ଵ କରିଥିଲେ । ଏଣୁ ଶିଳାଲେଖର ସାତକର୍ଣ୍ଣି ଓ ବୃହସ୍ପତିମିତ୍ରଙ୍କ ସମୟକୁ ଧରି ଖାରବେଳଙ୍କର ସମୟ ନିର୍ଣ୍ଣୟ କରିବାକୁ ଯିବା-ନିରାପଦ ନୁହେଁ । କେବଳ ମାତ୍ର ‘ନନ୍ଦରାଜ’ ଓ ‘ତି-ବସ-ସତ’ ପଦଦ୍ୱୟକୁ ଧରି ଖାରବେଳଙ୍କର ସମୟ ନିର୍ଣ୍ଣୟ ସହଜ ଓ ନିର୍ଭରଯୋଗ୍ୟ ହୋଇ ପାରିବ ଏବଂ ସାତକର୍ଣ୍ଣି ଓ ବୃହସ୍ପତିମିତ୍ରଙ୍କ ସମୟ ମଧ୍ୟ ନିର୍ଣୟ କରାଯାଇ ପାରିବ ।

 

ନନ୍ଦରାଜ ଓ ତି-ବସ-ସତ

ଶିଳାଲିପିର ଷଷ୍ଠ ପଙ୍‌କ୍ତିରେ ଦେଖାଯାଏ ପଞ୍ଚମେ ଚ ଦାନି ବସେ ନନ୍ଦରାଜ ତି-ବସ-ସତ ଓ ଘାଟିତଂ ତଉସୁଲିଅବାଟା ପନାଡ଼ିଂ ନଗରଂ ପବେସୟତି (ପଞ୍ଚମେଚେଦାନୀଂ ବର୍ଷେ ନନ୍ଦରାଜେନ ତ୍ରି-ଶତ-ବର୍ଷୀୟାମ୍‌ ଅବଘାଟିତାଂ ପ୍ରଣାଳୀଂ ତୌସୁଲିୟାବାଟାତ୍‌ ନଗରଂ ପ୍ରବେଶୟତି)

 

ମହାରାଜ ଖାରବେଳ ରାଜତ୍ୱର ପଞ୍ଚମବର୍ଷରେ ନନ୍ଦରାଜାଙ୍କ ଦ୍ଵାରା ୩୦୦ (?) ବା ୧୦୩ ବର୍ଷ ପୂର୍ବେ ଖୋଦିତ ପ୍ରଣାଳୀକୁ ତୌସୁଲୀବାଟରେ ନଗରକୁ ଖୋଳାଇ ଆଣିଥିଲେ ।

 

ଡକ୍ଟର ଆରଡ଼ି. ବାନାର୍ଜୀଙ୍କ ମତରେ ଏହି କେନାଲ ପ୍ରଥମ ନନ୍ଦରାଜାଙ୍କ ଦ୍ଵାରା ଖାରବେଳଙ୍କ ରାଜତ୍ୱର ୫ମ ବର୍ଷର ୧୦୩ ବର୍ଷ ପୂର୍ବେ ଖୋଳା ହୋଇଥିଲା, ଅର୍ଥାତ୍‌ ଖାରବେଳଙ୍କ ରାଜତ୍ଵର ୯ ୮ବର୍ଷ ପୂର୍ବେ ଖୋଳାଯାଇଥଲା ।

 

ରାୟଚୌଧୁରୀ ତି-ବସ ସତକୁ ୩୦୦ ବର୍ଷ ବୋଲି ଗ୍ରହଣ କରିଅଛନ୍ତି । ମିଟ୍ଟାଲ ମଧ୍ୟ ଏହାକୁ ୩୦୦ ବର୍ଷ ବୋଲି ଗ୍ରହଣ କରିଅଛନ୍ତି ଏବଂ କେନାଲ ମହାପଦ୍ମନନ୍ଦଙ୍କ ଦ୍ଵାରା ଖୋଳା ହୋଇଥଲା ବୋଲି ମତବ୍ୟକ୍ତ କରିଅଛନ୍ତି (୧) କୁଶଭଦ୍ରାରୁ ଯେଉଁ ଶାଖା ଖାଲ ବାହାରି ଶିଶୁପାଳଗଡ଼ ନିକଟ ଦେଇ ଯାଇଛି, ଯାହାକୁ ଅଧୁନା ଦୟାନଦୀ ବୋଲି ଆଖ୍ୟା ଦିଆଯାଇଛି; ତାହାହି ଶିଳାଲିପି କଥିତ ପ୍ରଣାଳୀ ବୋଲି ପଣ୍ଡିତ କେଦାରନାଥ ମହାପାତ୍ର ମତ ଦେଇଅଛନ୍ତି ।

 

ନନ୍ଦରାଜ- ‘‘ତି-ବସ-ସତ’’ ପୁର୍ବରୁ ‘ନନ୍ଦରାଜ’ ପଦଟି ଲିଖିତ ଅଛି । ଏହି ନନ୍ଦରାଜଙ୍କୁ କେହି ମହାପଦ୍ମନନ୍ଦ କେହି ବା ଅଶୋକ ବୋଲି ଗ୍ରହଣ କରିଅଛନ୍ତି । ଡକ୍ଟର ମହତାବ ତାଙ୍କ ଲିଖିତ ଓଡ଼ିଶା ଇତିହାସର ୧୭ ପୃଷ୍ଠାରେ ନନ୍ଦରାଜାଙ୍କୁ ମହାପଦ୍ମାନନ୍ଦ ବୋଲି ମତବ୍ୟକ୍ତ କରିଥିଲେ ମଧ୍ୟ ୫୨-୫୩ ପୃଷ୍ଠାରେ ଡକ୍ଟର ପାଣିଗ୍ରାହୀଙ୍କ ମତ ଓ ଯୁକ୍ତି ଉଲ୍ଲେଖ କରି ଅଶୋକ ବୋଲି ଗ୍ରହଣ କରିଅଛନ୍ତି । ଡକ୍ଟର ବରୁଆ ରାୟଚୌଧୁରୀ ଓ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଶ୍ଚିତଭାବରେ ଅଶୋକ ବୋଲି ପ୍ରମାଣ କରିଅଛନ୍ତି । ତି-ବସ-ସତରୁ ୩୦୦ ବା ୧୦୩ ବର୍ଷ ଏବଂ ‘ନନ୍ଦରାଜ’ରୁ ମହାପଦ୍ମନନ୍ଦ ବା ଅଶୋକ-ଏହି ଦୁଇଟିର ନିର୍ଣ୍ଣୟ ପରସ୍ପର ସାପେକ୍ଷ । ଯେଉଁମାନେ ୩୦୦ ବର୍ଷ ଗ୍ରହଣ କରନ୍ତି, ସେମାନେ ‘ମହାପଦ୍ମନ’ ଏବଂ ଯେଉଁମାନେ ‘୧୦୩’ ବର୍ଷ ଗ୍ରହଣ କରିଛନ୍ତି ସେମାନେ ‘ଅଶୋକ’ ଗ୍ରହଣ କରିଛନ୍ତି ।

 

ଡକ୍ଟର ପାଣିଗ୍ରାହୀଙ୍କ ମତରେ ଅଶୋକଙ୍କ ପୂର୍ବରୁ କେହି କଳିଙ୍ଗ ବିଜୟ କରି ନିଜ ସାମ୍ରାଜ୍ୟ ସହିତ ମିଶାଇ ପାରି ନଥିଲେ । ଅଶୋକ ଗୀର୍ଣ୍ଣାର ପ୍ରଭୃତି ଅନେକ ସ୍ଥାନରେ ଜଳସେଚନ ପ୍ରଣାଳୀ ଖନନ କରିଥିଲେ । ଏଣୁ ବିଦିତ କଳିଙ୍ଗର ସନ୍ତୋଷ ନିମିତ୍ତ ସେ ଏହି କେନାଲ ଖନନ କରିବା ଅଧିକ ସମ୍ଭବ । ଅଶୋକ ଖ୍ରୀ.ପୂ. ୨୫ରେ ଧଉଳି ଶିଳାଲେଖ ଏବଂ ୨୫୭ରେ ଜଉଗଡ଼ ଶିଳାଲେଖ ଉତ୍‌କୀର୍ଣ୍ଣ କରାଇଥିଲେ । ଶ୍ରୀ ମହାଜନ ମଧ୍ୟ ୨୫୬ରେ ଜଉଗଡ଼ ଶିଳାଲେଖ ଉତ୍‌କୀର୍ଣ୍ଣ ହୋଇଥିବାର ମତ ପ୍ରକାଶ କରିଅଛନ୍ତି (୨) ଅଶୋକଙ୍କ ଦ୍ଵାରା କେନାଲ ଖୋଳା ଓ ଧଉଳୀ ଶିଳାଲେଖ ସମ୍ଭବତଃ ଏକ ସମୟରେ ହୋଇଥିବ । ଏହି ସମୟଠାରୁ ଖାରବେଳଙ୍କ ପଞ୍ଚମ ରାଜତ୍ଵବର୍ଷକୁ ତି-ବସ-ସତ ଦ୍ଵାରା ନିର୍ଣ୍ଣୟ କରା ହୋଇଅଛି । ଏହା ସତ୍ୟହେଲେ ଖାରବେଳଙ୍କ ପଞ୍ଚମ ରାଜତ୍ୱବର୍ଷ ଖ୍ରୀ:ପୂ: ୨୫୭-୧୦୩=୧୫୪ ଅର୍ଥାତ୍‌ ଖାରବେଳ ୧୫୪+୫=୧୫୯ ଖ୍ରୀ:ପୂ: ସିଂହାସନ ଆରୋହଣ କରିଥିବା ସମ୍ଭବ । (ମହତାବ ପୃ-୫୮) ।

 

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଖ୍ରୀ:ପୂ: ୩୨୨ ବା ମତାନ୍ତରେ ୩୨୪ ଅବ୍ଦରେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ପୁର୍ବରୁ ୯ ଜଣ ନନ୍ଦରାଜା ୧୦୦ ବର୍ଷ ରାଜତ୍ୱ କରିଥିବାର ଜଣା ଯାଏ ।

 

ଶିଳାଲେଖର ନନ୍ଦରାଜାଙ୍କୁ ଯଦି ସେ ବଂଶର ପ୍ରସିଦ୍ଧ ରାଜା ମହାପଦ୍ମନନ୍ଦ ବୋଲି ଗ୍ରହଣ କରାଯାଏ ତେବେ ପ୍ରଣାଳୀ ଖୋଳା, ଚନ୍ଦ୍ରଗୁପ୍ତଙ୍କ ସିଂହାସନ ଆରୋହଣ ଖ୍ରୀ:ପୂ: ୩୨୪+ମହାପଦ୍ମନନ୍ଦଙ୍କ ପୁତ୍ରମାନଙ୍କ ରାଜତ୍ୱ ୧୨ ବର୍ଷ-୩୩୬ ଖ୍ରୀ: ପୂ: । ତାହେଲେ ପ୍ରଣାଳୀ ଖୋଳା ସମୟ ତି-ବସ-ସତକୁ ୩୦୦ ବର୍ଷ ଧରିବା ସମ୍ଭବ । କିନ୍ତୁ ଶିଳାଲେଖର ବର୍ଷ ନିର୍ଣ୍ଣୟ ରୀତିରୁ ଏହା ଅସମ୍ଭବ ବୋଲି ମନେହୁଏ । ଶିଳାଲେଖରେ ଏକାଧିକ ସ୍ଥଳରେ ବର୍ଷର ବା ବସ୍ତୁର ସଂଖ୍ୟା ଉଲ୍ଲେଖ କରାଯାଏ ।

 

୧୩

ବର୍ଷ

୧୦୦

୧୧ଶ ପଂକ୍ତି=ତେରସ-ବସ-ସତଂ=୧୧୩ ବର୍ଷ

୧୭

ଲୟଣ

୧୦୦

୧୫ଶ ପଂକ୍ତି=ସତଦଶ-ଲେଣ-ସତଂ=୧୧୭ଟି ଗୁମ୍ଫା

ବର୍ଷ

୧୦୦

୬ଷ୍ଠ ପଂକ୍ତି=ତି-ବସ-ସତଂ=୧୦୩ ବର୍ଷ

(ମତାନ୍ତରେ ୩୦୦ ବର୍ଷ ?)

 

ଶତବର୍ଷ+୧୩

ଶତ ଗୁମ୍ଫା+୧୭

ଶତ ବର୍ଷ +୩

 

ଏହି ରୀତିରେ ଐତିହାସିକ ଓ ଗବେଷକମାନଙ୍କ ପକ୍ଷରେ ତେରସ-ବସ-ସତଂକୁ ୧୧୩ବର୍ଷ ଏବଂ ସତଦଶ-ଲେଖ-ସତଂକୁ ୧୧୭ ଧରିବା ସ୍ଥଳେ ତି-ବସ-ସତଂକୁ ୧୦୩ ବର୍ଷ ଗ୍ରହଣ ନ କରି ୩୦୦ ବର୍ଷ ଗ୍ରହଣ କରିବା ଅବାସ୍ତବ । କାରଣ ତି-ବସ-ସତଂକୁ ଯେଉଁ ବିଚାରରେ ୩୦୦ ବର୍ଷ ଧରାଯିବ, ସେହି ବିଚାରରେ ଗ୍ରହଣ କରିବାକୁ ଗଲେ ତେରସ-ବସ-ସତକୁ ୧୩୦୦ ବର୍ଷ ଏବଂ ସତଦସ-ଲେଣ-ସତଂକୁ ୧୭୦୦ ସଂଖ୍ୟା ଧରିବାକୁ ହେବ ଏବଂ ଏହା ଅସମ୍ଭବ । ଏଣୁ ତି-ବସ-ସତଂର ଅର୍ଥ ୩୦୦ ନ ହୋଇ ୧୦୩ ହେବା ଅଧିକ ଯୁକ୍ତିସମ୍ମତ । ତାହେଲେ ଖାରବେଳଙ୍କ ରାଜତ୍ୱର ପଞ୍ଚମ ବର୍ଷର ୧୦୩ ବର୍ଷ ପୂର୍ବେ ରାଜତ୍ୱ କରୁଥବା ‘ନନ୍ଦରାଜ’ ମହାପଦ୍ମନନ୍ଦ ନହୋଇ ନନ୍ଦବଂଶାନ୍ଵୟ ‘ଅଶୋକ’ ହେବାହିଁ ଅଧିକ ଯୁକ୍ତିସମ୍ମତ । କାରଣ ମହାପଦ୍ମନନ୍ଦ ଓ ଖାରବେଳଙ୍କ ସମୟର ବ୍ୟବଧାନ ମାତ୍ର୧୦୩ ବର୍ଷ ନହୋଇ ତାହାଠାରୁ ଯଥେଷ୍ଟ ଅଧିକ ବେଶୀ ହେବା ସମ୍ଭବ ।

 

ବର୍ତ୍ତମାନ ଖାରବେଳ ଅଶୋକଙ୍କ ନାମୋଲ୍ଲେଖ ନ କରି ଜିନାସନ ଓ ପଲ୍ଲବଭାର କଳ୍ପବୃକ୍ଷ ନେଇଥିବା ବ୍ୟକ୍ତିଙ୍କୁ ଏବଂ ପ୍ରଣାଳୀ ଖୋଳାଇଥିବା ବ୍ୟକ୍ତିଙ୍କୁ କେବଳ ‘ନନ୍ଦରାଜ’ ବୋଲି କାହିଁକି ଉଲ୍ଲେଖ କରିଅଛନ୍ତି ତାହା ବିଚାର୍ଯ୍ୟ ।

 

ଅଶୋକଙ୍କ ଦ୍ଵାରା କଳିଙ୍ଗ ବିଜୟ ପ୍ରାୟ ଖ୍ରୀ:ପୂ: ୨୬୩-୬୨ ଅବ୍ଦରେ ସମ୍ପନ୍ନ ହୋଇଥଲା-। ତାହା ପୂର୍ବରୁ ୨୭୦ ବା ୨୬୯ ଅବ୍ଦରେ ସେ ସିଂହାସନରେ ଅଭିଷିକ୍ତ ହୋଇଥିଲେ (୧) । ଡକ୍ଟର ଆର.ଡ଼ି. ବାନାର୍ଜୀଙ୍କ ମତରେ ଖାରବେଳ ୧୭୪ ଖ୍ରୀ:ପୂ: ଅବ୍ଦରେ ସିଂହାସନ ଆରୋହଣ କରିଥିଲେ । ଜୟସ୍ଵାଲଙ୍କ ମତରେ ୧୮୩ରେ ଖାରବେଳ ଅଭିଷିକ୍ତ ହୋଇଥିଲେ । ପୂର୍ବରୁ ଡକ୍ଟର ପାଣିଗ୍ରାହୀଙ୍କ ମତାନୁସାରେ ହିସାବକରି ଦେଖାଇ ଦିଆହୋଇଛି ଖାରବେଳ ପ୍ରାୟ ୧୫୯ ଖ୍ରୀ:ପୂ ଅବ୍ଦରେ ସିଂହାସନ ଆରୋହଣ କରିଥିଲେ । ଏହାର ୧୦୩ ବର୍ଷ ପୂର୍ବେ ପ୍ରଣାଳୀ ଖନନ କାର୍ଯ୍ୟ ଅଶୋକଙ୍କ ଦ୍ଵାରା ହୋଇଥିବାର ପ୍ରମାଣରୁ ଜଣାଯାଏ । ଅଶୋକଙ୍କ ପରେ ପ୍ରାୟ ମାତ୍ର ଏକ ଶତାବ୍ଦୀ ଅତିକ୍ରମ ହୋଇଥିବା ସମୟରେ ଖାରବେଳଙ୍କର ଯଶକୀର୍ତ୍ତି ସମଗ୍ର କଳିଙ୍ଗରେ ବିସ୍ତୃତ ହୋଇଥିଲା ।

 

ଅଶୋକଙ୍କ ମୃତ୍ୟୁପରେ ବୃହଦ୍ରଥ ପର୍ଯ୍ୟନ୍ତ ଯେଉଁ ୯ ଜଣ ମୌର୍ଯ୍ୟବଂଶୀୟ ରାଜା ରାଜତ୍ୱ କରିଥିଲେ ସେମାନଙ୍କର ରାଜତ୍ୱକାଳ ପ୍ରାୟ ୯୫ ବର୍ଷ (୧) ଏବଂ ଶେଷ ରାଜା ବୃହଦ୍ରଥ ପୁଷ୍ପମିତ୍ର କର୍ତ୍ତୃକ ନିହତ ହୋଇଥିଲେ। (୨) ଅଶୋକ ଓ ଖାରବେଳଙ୍କ ରାଜତ୍ୱ ମଧ୍ୟରେ କିଞ୍ଚତ ଅଧିକ ଏକ ଶତାବ୍ଦୀର ବ୍ୟବଧାନ-ଏଥିପୂର୍ବରୁ ଆଲୋଚିତ ହୋଇଅଛି ।

 

ସୁତରାଂ ଖାରବେଳଙ୍କ ସମୟରେ ଅଶୋକ କର୍ତ୍ତୃକ କଳିଙ୍ଗ ବିଜୟର ବିଭୀଷିକାମୟ ସ୍ମୃତି ଓ ଅନ୍ତର୍ଦାହ କଳିଙ୍ଗ ଅଧିବାସୀଙ୍କ ମନରୁ ନିଶ୍ଚିହ୍ନ ହୋଇଯାଇ ନଥିବ । ହୁଏତ କଳିଙ୍ଗବାସୀ ସେହି ପରାଜୟ ଗ୍ଲାନିର ପ୍ରତିଶୋଧ ନେବାର ସୁଯୋଗ ଅପେକ୍ଷାରେ ଥିଲେ ଏବଂ ଚେଦିବଂଶୀୟ ସମ୍ରାଟ ଖାରବେଳହିଁ କଳିଙ୍ଗବାସୀଙ୍କର ସେବାଞ୍ଛା ପୂରଣ କରିବାକୁ ସମର୍ଥ ହୋଇଥିଲେ । ଅଶୋକଙ୍କ ଦ୍ଵାରା କଳିଙ୍ଗ ବିଜୟର ପରବର୍ତ୍ତୀ ବହୁ ଜନହିତକର ଓ ଧର୍ମପ୍ରଚାର କାର୍ଯ୍ୟ ସତ୍ତ୍ଵେ କଳିଙ୍ଗର ଲକ୍ଷ ଲକ୍ଷ ପ୍ରଜାଙ୍କୁ ହତ୍ୟାକାରୀ ହିସାବରେ ତାଙ୍କ ପ୍ରତି ଔଦାସୀନ୍ୟ ହିଁ କଳିଙ୍ଗ ସମ୍ରାଟ ଖାରବେଳଙ୍କ ଶିଳାଲିପିରେ ପ୍ରତିଫଳିତ । କାରଣ ଶିଳାଲିପିରେ କୌଣସି ସ୍ଥାନରେ ଅଶୋକଙ୍କ କୀର୍ତ୍ତିର ନାମମାତ୍ର ଉଲ୍ଲେଖ ବା ଇଙ୍ଗିତ ନାହିଁ । ଖାରବେଳ ଶିଳାଲିପିରେ ଐତିହାସିକ ଉପାଦାନ ଥିଲେ ମଧ୍ୟ ଏହା କେବଳ ଇତିହାସ ନୁହେଁ, ରାଜଚକ୍ରବର୍ତ୍ତୀ କଳିଙ୍ଗ ସମ୍ରାଟଙ୍କର ରାଜପ୍ରଶସ୍ତି ମଧ୍ୟ । କଳିଙ୍ଗର ଜନପ୍ରିୟ ବିଜୟୀ ସମ୍ରାଟଙ୍କ ରାଜପ୍ରଶସ୍ତିରେ ଅତୀତରେ ସେହି ରାଜ୍ୟର ଏକଦା ସର୍ବନାଶକାରୀ କୌଣସି ବିଦେଶୀ ଓ ବିଜେତା ନୃପତିର କୀର୍ତ୍ତି ବା ନାମୋଲ୍ଲେଖ ନଥିବା ସ୍ଵାଭାବିକ-। ଅଧିକନ୍ତୁ ଖାରବେଳ ପୁନଃ ପୁନଃ ମଗଧ ଆକ୍ରମଣ କରି ରାଜତ୍ୱର ଦ୍ଵାଦଶ ବର୍ଷରେ ମଗଧକୁ ପଦାନତ କରି ଅପହୃତ କଳିଙ୍ଗ ଜିନମୂର୍ତ୍ତି ଓ ପଲ୍ଲବ ଭାର କଳ୍ପବୃକ୍ଷ ଶୋଭାଯାତ୍ରାସହ ଫେରାଇ ଆଣିବା ପରେ ଆଉ ଦିଗ୍‌ବିଜୟ ଯାତ୍ରାରେ ବାହାରିବାର ବିଶେଷ ଉଲ୍ଲେଖ ନାହିଁ । ଏଣୁ ତାଙ୍କ ପକ୍ଷରେ ମଗଧ ବିଜୟ ଅଶୋକ କର୍ତ୍ତୃକ କଳିଙ୍ଗ ବିଜୟର ଏକ ସାର୍ଥିକ ପ୍ରତିଶୋଧରୂପେ ଗ୍ରହଣ କରାଯାଇ ପାରେ ।

 

ପୁନଶ୍ଚ ଚନ୍ଦ୍ରଗୁପ୍ତ ବା ଅଶୋକାଦି ମୌର୍ଯ୍ୟ ନାମରେ ସେ କାଳରେ ଅଭିହିତ ହେବାର ଉଲ୍ଲେଖ ଦେଖାଯାଏ ନାହିଁ । ଅଧିକନ୍ତୁ ସେମାନଙ୍କ ନାମ ପୂର୍ବରୁ ‘ନନ୍ଦବଂଶାନ୍ଵୟ’ ବିଶେଷଣ ଦେଖାଯାଏ । (୩)

 

‘ନନ୍ଦରାଜ’ ଓ ‘ତି-ବସ-ସତ’ର ଉପର୍ଯ୍ୟୁକ୍ତ ଆଲୋଚନାରେ ତି-ବସ-ସତ ୩୦୦ ବର୍ଷ ନହୋଇ ୧୦୩ ବର୍ଷ ଏବଂ ନନ୍ଦରାଜ ମହାପଦ୍ମନନ୍ଦ ନହୋଇ ଅଶୋକ ହେବା ଯୁକ୍ତିସମ୍ମତ ବୋଲି ଦର୍ଶାଇ ଦିଆଯାଇଛି । ସୁତରାଂ ଅନ୍ୟ କୌଣସି ନୂତନ ତଥ୍ୟ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଉଲ୍ଲିଖିତ ନିର୍ଣ୍ଣୀତ କାଳହିଁ ଅଧିକ ନିର୍ଭରଯୋଗ୍ୟ ବୋଲି ଗ୍ରହଣ କରାଯାଇ ପାରିବ ।

 

ଉପର ଲିଖିତ ଆଲୋଚନାକୁ ଭିତ୍ତିକରି ଅନ୍ୟାନ୍ୟ ଗବେଷକମାନଙ୍କର ଉଲ୍ଲିଖିତ ସମୟ ସହିତ ତୁଳନାମୂଳକ ଭାବରେ ଖାରବେଳଙ୍କର ଜନ୍ମ, ଅଭିଷେକ ପ୍ରଭୃତିର କାଳ ନିର୍ଣ୍ଣାୟକ ସୂଚୀ ନିମ୍ନରେ ପ୍ରଦତ୍ତ ହେଲା ।

 

ଖାରବେଳଙ୍କର ସମୟ ନିର୍ଣ୍ଣୟ

ଡକ୍ଟର ମିଟ୍ଟାଲ

ଆର.ଡ଼ି. ବାନାର୍ଜୀ

ଡକ୍ଟର ଜୟସ୍ଵାଲ

ଡକ୍ଟର କୃଷ୍ଣଚନ୍ଦ୍ର

ପାଣିଗ୍ରାହୀଙ୍କ ମତାନୁସାରେ

ଖାରବେଳଙ୍କର ଜନ୍ମ

୪୯ ଖ୍ରୀ:ପୂ:

୧୯୮ ଖ୍ରୀ:ପୂ

୨୦୭ଖ୍ରୀ:ପୂ

୧୮୨ଖ୍ରୀ:ପୂ

ଖାରବେଳଙ୍କର ଯୌବରାଜ୍ୟ

୩୩ଖ୍ରୀ:ପୂ:

୧୮୩ ଖ୍ରୀ:ପୂ

୧୯୨ଖ୍ରୀ:ପୂ:

୧୬୭ଖ୍ରୀ:ପୂ

ଖାରବେଳଙ୍କର ଅଭିଷେକ

୨୫ଖ୍ରୀ:ପୂ:

୧୭୪ ଖ୍ରୀ:ପୂ

୧୮୩ଖ୍ରୀ:ପୂ:

୧୫ ୯ଖ୍ରୀ:ପୂ:

 

(History of Orissa by Dr. H.K Mahatab)

ଅଶୋକଙ୍କ ସିଂହାସନାରୋହଣ-୧୬୦ଖ୍ରୀ:ପୂ:

ପ୍ରଣାଳୀ ସଂସ୍କାର-୧୫୪ଖ୍ରୀ:ପୂ:

ଅଶୋକଙ୍କ କଳିଙ୍ଗ ବିଜୟ-୧୬୨ଖ୍ରୀ:ପୂ:

ଏହାର ୧୦୩ ବର୍ଷ ପୂର୍ବେ ପ୍ରଣାଳୀ

ଅଶୋକଙ୍କ ଧଉଳୀ-ଜଉଗଡ଼ ୧୫୮ଖ୍ରୀ:ପୂ:

ଖୋଳାହେବାର କାଳ-୧୫୭ଖ୍ରୀ:ପୂ:

ଶିଳାଲେଖ ୨୫୭ଖ୍ରୀ:ପୂ:

ଅତଏବ ଧଉଳି ଶିଳାଲେଖ ଓ କେନାଲ

ଖୋଳା ପ୍ରାୟ ସମସାମୟକ

 

ବହସତି ମିତଂ (ବୃହସ୍ପତି ମିତ୍ର)

 

ଶିଳାଲିପିର ଦ୍ଵାଦଶ ପଙ୍‌କ୍ତିରେ ବହସତିମିତଂ ପଦକୁ ବୃହସ୍ପତି ମିତ୍ର ବୋଲି ଗବେଷକମାନେ ସ୍ଥିର କରିଅଛନ୍ତି । ଏହି ବୃହସ୍ପତି ମିତ୍ର ତତ୍‌କାଳରେ ମଗଧର ରାଜା ଥିଲେ । ଖାରବେଳ ତାଙ୍କୁ ପରାଜିତ କରି ପୂର୍ବରୁ ମଗଧର ନନ୍ଦରାଜାଙ୍କ ଦ୍ଵାରା ବିଜୟ ସ୍ମାରକୀରୂପେ ଅପହୃତ ଜିନାସନ ବା ଜିନ ମୂର୍ତ୍ତିକୁ ପୁନର୍ବାର କଳିଙ୍ଗକୁ ଫେରାଇ ଆଣିଥିଲେ । ଡକ୍ଟର ଭି.ଏ. ସ୍ମିଥଙ୍କ ମତରେ ଏହା ୧୬୧ ଖ୍ରୀ:ପୂ: ଅବ୍ଦରେ ଘଟିଥିଲା ।

 

ଡକ୍ଟର ବରୁଆଙ୍କ ମତରେ କଣ୍ଵବଂଶ ପରେ ଖ୍ରୀ:ପୂ: ପ୍ରଥମ ଶତାବ୍ଦୀର ମଧ୍ୟଭାଗରେ ସୁଙ୍ଗବଂଶୀୟ ଇନ୍ଦ୍ରାଗ୍ନି ମିତ୍ର ଓ ତାଙ୍କ ପରେ ବୃହସ୍ପତି ମିତ୍ର ରାଜତ୍ୱ କଲେ ଏବଂ ସେ ଖାରବେଳଙ୍କ ପ୍ରବଳ ପ୍ରତାପ ତୁଳନାରେ ଖୁବ୍‌ ଶକ୍ତିହୀନ ଥିଲେ । ଡକ୍ଟର ବରୁଆଙ୍କ ପ୍ରଦତ୍ତ ମିତ୍ରବଂଶ ରାଜାମାନଙ୍କର ପରମ୍ପରାରେ ବୃହସ୍ପତି ମିତ୍ର-ଇନ୍ଦ୍ରାଗ୍ନିମିତ୍ର-ବ୍ରହ୍ମମିତ୍ର-ଧର୍ମମିତ୍ର-ବିଷ୍ଣୁ ମିତ୍ର-ବୃହସ୍ପତି ମିତ୍ର-ଏହିପରି ଦୁଇଜଣ ବୃହସ୍ପତି ମିତ୍ରଙ୍କ ନାମୋଲ୍ଲେଖ ଦେଖାଯାଏ ।

 

ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ଘୋଷଙ୍କ ମତରେ ମଗଧ ସେନାପତି ପୁଷ୍ୟମିତ୍ର ବୃହଦ୍ରଥଙ୍କୁ ହତ୍ୟାକରି ୧୮୪ ଖ୍ରୀ:ପୂ: ଅବ୍ଦରେ ସିଂହାସନ ଆରୋହଣ କଲେ, ଏବଂ ସେ ସୁଙ୍ଗବଂଶର ପ୍ରଥମ ରାଜା । ପୌରାଣିକ ଉଲ୍ଲେଖ ଅନୁସାରେ ସୁଙ୍ଗବଂଶର ପ୍ରଥମ ରାଜା ପୁଷ୍ୟ ମିତ୍ର ୩୬ ବର୍ଷ ଏବଂ ସୁଙ୍ଗ ରାଜାମାନେ ୧୧୨ ବର୍ଷ ରାଜତ୍ୱ କରିଥିଲେ । (୧)

 

ପୌରାଣିକ ପରମ୍ପରା ଅନୁସାରେ ପୁଷ୍ୟମିତ୍ର- ଅଗ୍ନିମିତ୍ର- ବସୁଜ୍ୟେଷ୍ଠ- ବସୁମିତ୍ର- ଆନ୍ଧ୍ରକ- ପୁଲିନ୍ଦକ- ଘୋକ୍ଷ- ବ୍ରଜ ମିତ୍ର- ଭାଗବତ- ଦେବଭୂତି ଏହି ୧୦ ଜଣଙ୍କ ନାମୋଲ୍ଲେଖ ଦେଖାଯାଏ-। ଡକ୍ଟର ରାୟ ଚୌଧୁରୀଙ୍କ (୨) ମତରେ ଏକମତ ହୋଇ ଡକ୍ଟର ମହତାବ (୩) ଖାରବେଳ ଶିଳାଲିପି କଥିତ ବୃହସ୍ପତି ମିତ୍ରଙ୍କ ପୁଷ୍ୟମିତ୍ର ବୋଲିଗ୍ରହଣ କରି ଅଛନ୍ତି । କିନ୍ତୁ ପୁଷ୍ୟମିତ୍ର ବା ଡକ୍ଟର ବରୁଆଙ୍କ ମତାନୁସାରେ ପ୍ରଥମ ବୃହସ୍ପତି ମିତ୍ର ଏବଂ ଖାରବେଳଙ୍କ ସମସାମୟିକ ବୃହସ୍ପତି ମିତ୍ର ଏକ ବ୍ୟକ୍ତି ହେଲେ ଖାରବେଳଙ୍କ ଶିଳାଲିପିର ‘ତି-ବସ-ସତ’କୁ ୩୦୦ ବର୍ଷ ଗ୍ରହଣ କରିବାକୁ ହେବ, କିନ୍ତୁ ‘ତି-ବସ-ସତ’କୁ ୩୦୦ ବର୍ଷ ଗ୍ରହଣ କରାଯାଇ ନ ପାରେ । ଏହା ଶିଳାଲିପିର ଅଙ୍କସଂଖ୍ୟା ଲିଖନ ପ୍ରଣାଳୀ ଅନୁସାରେ ୧୦୩ବର୍ଷ ବୋଲି ‘ତି-ବସ-ସତ’ର ବିବୃତିରେ ଦର୍ଶାଇ ଦିଆଯାଇଅଛି ।

 

ସେହି କାରଣରୁ ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ଉଲ୍ଲିଖିତ ବୃହସ୍ପତି ମିତ୍ର ପ୍ରଥମ ବୃହସ୍ପତି ମିତ୍ର ବା ପୁଷ୍ୟମିତ୍ର ନହୋଇ ଡକ୍ଟର ବରୁଆଙ୍କ ପ୍ରଦତ୍ତ ସୁଙ୍ଗବଂଶାବଳୀର ଦ୍ୱିତୀୟ ବୃହସ୍ପତି ମିତ୍ର ବା ବ୍ରହ୍ମମିତ୍ରଙ୍କ ପରବର୍ତ୍ତୀ ବୃହସ୍ପତି ମିତ୍ର ବୋଲି ଗ୍ରହଣ କରାଯାଇ ପାରେ ।

 

କାରଣ ଖାରବେଳଙ୍କ ସିଂହାସନ ଆରୋହଣ ୧୫୯ ଖ୍ରୀ:ପୂ: ରେ ସାବ୍ୟସ୍ତ ହେଲେ, ସେତେବେଳେ ଏହି ବୃହସ୍ପତିମିତ୍ରଙ୍କ ରାଜତ୍ଵକାଳ ସମସାମୟିକ । ସୁଙ୍ଗବଂଶର ୪ର୍ଥାନ୍ୱୟ ପୁରାଣୋକ୍ତ ବସୁମିତ୍ର ହିଁ ଏହି ଦ୍ୱିତୀୟ ବୃହସ୍ପତି ମିତ୍ର । ଭି.ଡ଼ି. ମହାଜନଙ୍କ ଲିଖିତ ସୁମିତ୍ର ୧୩୩ ଖ୍ରୀ:ପୂ: ଅବ୍ଦରେ ସିଂହାସନ ଆରୋହଣ କରିଥିଲେ ଏବଂ ଖାରବେଳଙ୍କ ରାଜତ୍ୱର ୧୨ଶ ବର୍ଷ ମଧ୍ୟ ୧୫୯-୧୨=୧୪୭ ଖ୍ରୀ:ପୂ: ଅବ୍ଦ ପଡ଼େ; ଏଣୁ ସୁମିତ୍ର ବା ବସୁମିତ୍ର ବା ବୃହସ୍ପତି ମିତ୍ର ହିଁ ଖାରବେଳ ଶିଳାଲେଖର ବହସତି ମିତଂ ।

 

ସାତକଣ୍‌ଣି (ସାତକର୍ଣ୍ଣି)

 

ମହାରାଜ ଖାରବେଳ ଅଭିଷେକର ଦ୍ଵିତୀୟ ବର୍ଷରେ ସାତକର୍ଣ୍ଣିଙ୍କୁ ଅତିକ୍ରମ କରି ପଶ୍ଚିମ ଦିଗକୁ ସୈନ୍ୟଚାଳନା କରିବାର ଉଲ୍ଲେଖ ଦେଖାଯାଏ ।

 

ଏହି ସାତକର୍ଣ୍ଣି ଆନ୍ଧ୍ର ସାତବାହନ ରାଜବଂଶର ପ୍ରଥମ ସାତକର୍ଣ୍ଣି ବୋଲି କୌଣସି କୌଣସି ଗବେଷକଙ୍କ ମତ(୧) ଏହି ସାତକର୍ଣ୍ଣି ନାନାଘାଟ ଶିଳାଲେଖରେ ଉଲ୍ଲିଖିତ ନୟନିକାଙ୍କ ସ୍ଵାମୀ ଶ୍ରୀ ସାତକର୍ଣ୍ଣିଂ, (୨) ଶ୍ରୀ ରାଖାଲ ଦାସ ବାନାର୍ଜୀ ଲେଖଅଛନ୍ତି ‘‘The Satakarni referred to in the second line of the Hati gumpha Inscription is evidently Sri Satakarni, the third king of Satabahan of the Andhra Dynasty, and the husband of queen Nayanika known to us form the Nanaghatstate and Inscription. There is little duoubt about this identification.(୩)

 

ଡକ୍ଟର ବି.ଜି. ଗୋଖେଲଙ୍କ ବିବରଣୀ ଅନୁସାରେ ସାତବାହନ ବଂଶର ରାଜତ୍ୱ ୨୩୪ ଖ୍ରୀ.ପୂ. ଅଙ୍କରୁ ଆରମ୍ଭ । କାଣ୍ଵବଂଶର ଶେଷରାଜା ସୁଶର୍ମଣ ମନ୍ତ୍ରୀ ସିମୁକଙ୍କ ଦ୍ଵାରା ପରାଜିତ ହୋଇଥିଲେ ଏବଂ ଏହା ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀର ଘଟଣା । ତା’ପରେ ତାଙ୍କ ଭ୍ରାତା କୃଷ୍ଣ ଏବଂ ତାଙ୍କ ପରେ ପ୍ରଥମ ଶ୍ରୀସାତକର୍ଣ୍ଣି ରାଜତ୍ୱ କରିଥିଲେ। ତାଙ୍କ ସ୍ତ୍ରୀ ନୟନିକାଙ୍କ ଦ୍ଵାରା ନାନାଘାଟ ଶିଳାଲେଖ ଉତ୍କୀର୍ଣ୍ଣ ହୋଇଥିବା ଗବେଷକମାନଙ୍କ ଦ୍ଵାରା ସ୍ଵୀକୃତ ।

 

ଶ୍ରୀ ଭି.ଡ଼ି ମହାଜନଙ୍କ ମତରେ ସାତବାହନ ବଂଶର ଦ୍ଵିତୀୟ ସାତକର୍ଣ୍ଣି ଖ୍ରୀ:ପୂ: ୧୬୬ରୁ ୧୧୧ ଅବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଖାରବେଳଙ୍କ ସିଂହାସନ ଆରୋହଣ ସମୟ ଯଦି ୧୪୯ ଖ୍ରୀ:ପୂ: ଧରାଯାଏ, ତେବେ ତାଙ୍କ ଶିଳାଲେଖରେ ଉଲ୍ଲିଖିତ ସାତକର୍ଣ୍ଣି ଏହି ଦ୍ୱିତୀୟ ସାତକର୍ଣ୍ଣି ହେବା ମଧ୍ୟ ସମ୍ଭବ ।

 

ତି-ବସ-ସତକୁ ୧୦୩ ବର୍ଷ ଗ୍ରହଣ କରିବା ଦ୍ଵାରା ଖାରବେଳଙ୍କର ରାଜତ୍ୱର ଯେଉଁକାଳ (ଖ୍ରୀ. ୧୫୯ଅବ୍ଦ+୧୩) ଗଣନା ସାବ୍ୟସ୍ତ ହୁଏ, ତାହା ଦ୍ଵାରା ସାତବାହନ ବଂଶର ୧ମ ସାତକର୍ଣ୍ଣି ବା ନୟନିକାଙ୍କ ସ୍ଵାମୀ ଶ୍ରୀ ସାତକର୍ଣ୍ଣି ଖାରବେଳଙ୍କର ବହୁ ପୂର୍ବବର୍ତ୍ତୀ ବୋଲି ପ୍ରତିପାଦିତ ହୁଅନ୍ତି । କେବଳ ଡକ୍ଟର ଭି.ଡ଼ି. ମହାଜନଙ୍କର ପ୍ରଦତ୍ତ ୨ୟ ସାତକର୍ଣ୍ଣିଙ୍କ ରାଜତ୍ୱ କାଳ ଖ୍ରୀ:ପୂ: (୧୬୬-୧୧୧) ହିଁ ଖାରବେଳଙ୍କର ସମସାମୟିକ ବୋଲି ଗ୍ରହଣଯୋଗ୍ୟ । ତି-ବସ-ସତ କୌଣସି ପ୍ରକାରେ ୩୦୦ ବର୍ଷ ହୋଇ ନ ପାରେ-ଏହା ‘ତି-ବସ-ସତ’ ଶବ୍ଦର ଆଲୋଚନାରେ ପ୍ରମାଣିତ ହୋଇଅଛି । ଡକ୍ଟର ରାଖାଲ ଦାସ ବାନାର୍ଜୀ ତି-ବସ-ସତକୁ ୧୦୩ ବା ୩୦୦ ବର୍ଷ ବୋଲି ଉଲ୍ଲେଖ କରିଛନ୍ତି । ୩୦୦ ବର୍ଷ ଗ୍ରହଣ କଲେ ଖାରବେଳଙ୍କ ସମସାମୟିକ ଶ୍ରୀ ସାତକର୍ଣ୍ଣି ବୋଲି ଗ୍ରହଣ କରାଯାଇ ପାରନ୍ତା; କିନ୍ତୁ ତାହା ଯେହେତୁ ସମ୍ଭବ ନୁହେଁ, ଖାରବେଳଙ୍କ ଶିଳାଲେଖ ଉଲ୍ଲିଖିତ ସାତକର୍ଣ୍ଣ ଶ୍ରୀ ସାତକର୍ଣ୍ଣି (ନୟନିକାଙ୍କ ସ୍ଵାମୀ) ନ ହୋଇ ଦ୍ୱିତୀୟ ସାତକର୍ଣ୍ଣି ହେବା ଅଧିକ ଯୁକ୍ତିଯୁକ୍ତ ।

 

Foot Note

1.

An Early History of Orissa-

2.

Political and cultural History of Ancient India- Page

1.

Age of the Nandas and Mauryas by K.A. Nilakantha Sastri,

1.

Age of the Nandas andMayuras, N. Sastri,

2.

Ashoka and his inscriptions, B.M. Barua,

3.

History of Orissa by Dr. H.K. Mahtab,

1.

Early History of India, by N.N. Ghose,

2.

Political History of Ancient India By H.C. Raychoudhury

3.

History of Orissa. By Dr. Mahatab

1.

An Early History of Orissa, Dr. Mittal.

2.

History of Orissa, Dr. Mahatab,

3.

History of Orissa R.D. Banarjee,

 

***

 

କୁନ୍ତଳାକୁମାରୀଙ୍କ କବିତାର କେତୋଟି ଦିଗ

ଡକ୍ଟର ନରେନ୍ଦ୍ର ନାଥ ମିଶ୍ର

 

କବିତାର ରୂପ ରଚନା ଏକ ମହାନ କଳା । କବି ନିଜର ବିଷୟ ଓ ମନୋଭାବର ଉପଯୁକ୍ତ ଅଭିବ୍ୟକ୍ତି ଲାଗି କବିତାର ନିର୍ଦ୍ଦିଷ୍ଟ ଆକୃତି, ଦାନ ଓ ରୂପରଚନା ଦିଗରେ ପ୍ରୟାସୀ ହୋଇଥାନ୍ତି । ଏହି ପ୍ରୟାସର ସଫଳତା ଉପରେ କବିଙ୍କ କବିତାର ସଫଳତା ବହୁ ପରିମାଣରେ ନିର୍ଭର କରେ ।

 

କବି କୁନ୍ତଳା ମୁଖ୍ୟତଃ ଗୀତିକବି । ଗୀତି କବିତାରେ ଆଧୁନିକ ଯୁଗର କବିମାନେ ଅନେକ ପ୍ରକାର ଆକୃତି, ବୈଚିତ୍ର୍ୟ ଫୁଟାଇବାର ଅବକାଶ ମଧ୍ୟ ପାଇଥାନ୍ତି । ଉଦ୍‌ବୋଧନ ଗୀତି, ଚତୁର୍ଦ୍ଦଶପଦୀ ଶୋକ ଗୀତି, ପ୍ରଣୟଗୀତି ଆଦି ସ୍ଵତନ୍ତ୍ର ଆକୃତିର କବିତା ଆମର ଦୃଷ୍ଟି ଆକର୍ଷଣ କରେ । କୁନ୍ତଳାଙ୍କ କବିତାରେ ଏପରି ଆକୃତି ବୈଚିତ୍ର୍ୟ ଦେଖାଯାଏ ନାହିଁ । ମୁଖ୍ୟତଃ ଭାବଗୀତିମୂଳକ ସଙ୍ଗୀତ ଓ ଉଦ୍‌ବୋଧନ ଗୀତିରେ କୁନ୍ତଳାଙ୍କ ରଚନା ପରିପୂର୍ଣ୍ଣ ।

 

କବିଙ୍କ ବ୍ୟକ୍ତିଗତ ଅନୁଭୂତି ଓ ଆବେଗର ଅକୃତ୍ରିମ ପ୍ରକାଶ ମଧ୍ୟରେ ଭାବଗୀତିର ସାର୍ଥକତା କଳନା କରାଯାଏ । ସ୍ଵଦେଶ ପ୍ରେମ ପ୍ରକୃତି ଓ ଆଧ୍ୟାତ୍ମିକ ଅନୁଭୂତି ଘେନି ରଚିତ କ୍ଷୁଦ୍ର ଭାବଗୀତିଗୁଡ଼ିକ ମଧ୍ୟରେ କବିଙ୍କ ବ୍ୟକ୍ତିକ ଅନୁଭୂତିର ନିବିଡ଼ ଯୋଗ ସର୍ବତ୍ର ସମାନ ଭାବରେ ଘଟ ନାହିଁ । ବିଶେଷତଃ ଦେଶପ୍ରେମମୂଳକ କବିତାଗୁଡ଼ିକ ମଧ୍ୟରେ ସାମୟିକ, ସାମୂହିକ ଉଚ୍ଛ୍ୱ‌ାସ ଯେଉଁ ପରିମାଣରେ ପ୍ରକାଶ ପାଇଛି, କବିଙ୍କ ବ୍ୟକ୍ତିଗତ ଜୀବନର ସ୍ପର୍ଶ ସେହି ପରିମାଣରେ ଅଭିବ୍ୟକ୍ତ ହୋଇପାରି ନାହିଁ । ମାତ୍ର ଏ ଦିଗରୁ କବିଙ୍କ ‘‘ଅଞ୍ଜଳି’’ ଓ ‘‘ଅର୍ଚ୍ଚଚା’’ କବିତା ସଙ୍କଳନର ଭଗବଦ୍‌ପ୍ରେମମୂଳକ କବିତା ଗୁଡ଼ିକ ଅଧିକ ସଫଳ ହୋଇଛି ବୋଲି କୁହାଯାଇପାରେ । ଏହି ପ୍ରସଙ୍ଗରେ ଡଃ ମାୟାଧର ମାନସିଂହଙ୍କ ଉକ୍ତି ସ୍ମରଣୀୟ । ‘‘କବିଙ୍କୁ’ ‘ଅଞ୍ଜଳି’ ଓ ‘ଅର୍ଚ୍ଚନା’ରେ ଭଗବତ୍‌ପ୍ରେମର ସକଳ ବିଭାବର ଲିରିକ୍‌ ରହିଛି । ଆଶା, ନିରାଶା ଅପେକ୍ଷା ଦାବି, ଦମ୍ଭ, ନ୍ୟୂନତା, ବିରାଗ, ବ୍ୟଥା, ଆତୁରତା, ବିରହ, ବିଷାଦ ପ୍ରଭୃତି ସବୁ ପ୍ରକାର ବିଭାବର କବିତା ଏ ଦୁଇ ଗ୍ରନ୍ଥରେ ମିଳେ । ଅନେକ କବିତା ଅତି ମର୍ମସ୍ପର୍ଶୀ ଓ ଉତ୍କୃଷ୍ଟ । କାରଣ କବି ନିରାଡ଼ମ୍ବର ଭାବରେ ନିଜ ହୃଦୟର ଦୁଃଖ ଦୈନ୍ୟ ଅସଙ୍କୋଚରେ ଗାଇ ଯାଇଛନ୍ତି । ଏହା ହିଁ ଉତ୍କୃଷ୍ଟ ଲିରିକ୍‌ର ଜୀବନ ସର୍ବସ୍ଵ-।’’(୧)

 

କଳ୍ପନା, ଭାବଚେତନା ଓ ପ୍ରତୀକାତ୍ମକ ପ୍ରକାଶଭଂଗୀ ଦିଗରୁ କବିଙ୍କ ପ୍ରକୃତିପ୍ରୀତି, ପ୍ରେମ ଓ ସ୍ୱଦେଶ ଭକ୍ତିମୂଳକ କବିତା ମଧ୍ୟରେ କେତେକ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୁଏ । ପ୍ରକୃତି, ପ୍ରଣୟ ଓ ଭଗବତ୍‌ ପ୍ରେମମୂଳକ କବିତା ଗୁଡ଼ିକ ମଧ୍ୟରେ କଳ୍ପନା ମୁଖ୍ୟ, ବାସ୍ତବତା ଗୌଣ । ଏହି କବିତାବଳୀର ରୂପକଳ୍ପ ଗୁଡ଼ିକ ମଧ୍ୟରେ ଏକ ସୂକ୍ଷ୍ମ ରସଚେତନାର ଧାରା ପ୍ରବାହିତ । ଏଠାରେ ପୁଷ୍ପର ସୁରଭି, ବୀଣାର ନିକ୍ୱଣ, ସଙ୍ଗୀତର ଲୟ, ଉଷା, ଗୋଧୂଳି, ଜ୍ୟୋତ୍ସ୍ନା ଆଦି ପ୍ରକୃତିର ସୌନ୍ଦର୍ଯ୍ୟ ଏକ ସ୍ଵପ୍ନିଳ ପରିବେଶ ସୃଷ୍ଟି କରିଛି । କବି ହୃଦୟର ଗଭୀର ବ୍ୟଥା ଓ ବେଦନାର ଗୋପନ କାହାଣୀ ପ୍ରକାଶିତ ହୋଇଅଛି । ଏହି କବିତାବଳୀରେ ଏକ ରସାତୁର ଶିଳ୍ପୀ ମନର ପ୍ରକାଶ ଘଟିଅଛି । ଏଠାରେ କବିତାକୁ କବି ଉପଯୋଗିତାର ଏକ ମାଧ୍ୟମ ଭାବରେ ଗ୍ରହଣ କରି ନାହାନ୍ତି । ପାଠକ ହୃଦୟକୁ ଭୀବାବିଷ୍ଟ କରିବା ସଙ୍ଗେ ସଙ୍ଗେ ମନରେ ଆନନ୍ଦ ଦେବା ଏଠାରେ କବିଙ୍କ କବିତାର ଲକ୍ଷ୍ୟ ।

 

କବିଙ୍କ କବିତାର ଅନ୍ୟ ବିଭାବଟି ହେଉଛି ‘‘ଉଦ୍‌ବୋଧନ ଗୀତି’’ । ଚିନ୍ତାର ଗଭୀରତା ଓ ନିଷ୍ଠା, ପ୍ରକାଶର ସ୍ଵାଭାବିକତା, ଦୃଷ୍ଟିକୋଣର ବ୍ୟାପକତା ସାଧାରଣତଃ ଉଦ୍‌ବୋଧନ ଗୀତିକୁ ସାର୍ଥକ କରେ । ଏ ଦିଗରେ ବହୁ ସ୍ଥଳରେ କବି କେତେକ ପରିମାଣରେ ସଫଳ ହୋଇଛନ୍ତି । ନବ ବର୍ଷ ଉପଲକ୍ଷ୍ୟରେ ରଚିତ କବିତାଗୁଡ଼ିକରେ ଉତ୍କଳୀୟ ଜନଜୀବନର ଆଶା ଓ ଆକାଙ୍‌କ୍ଷାର ଚିତ୍ର ଦେବା ସଙ୍ଗେ ସଙ୍ଗେ ଉତ୍କଳୀୟ ଋତୁଚିତ୍ରର ସୁନ୍ଦର ଅବତାରଣା କରିଛନ୍ତି । ‘‘ଉଚ୍ଛ୍ୱାସ’’ର ପ୍ରକୃତି ଉଦ୍‌ବୋଧନ କବିତା ଗୁଡ଼ିକରେ କବିଙ୍କ ଚିନ୍ତାର ବ୍ୟାପକତା ଲକ୍ଷ୍ୟ କରିହୁଏ । ସଭ୍ୟତାର ସକଳ ସ୍ତରର ମାନବୀୟ ସ୍ଥିତି ପରିସ୍ଥିତିର, ଯୁଗ ଯୁଗାନ୍ତରେ ମାନବ ସଭ୍ୟତାର ପ୍ରଗତିରେ ସହାୟକ ମହାପୁରୁଷଙ୍କ ଜୀବନ ଓ କୃତିର କବି ଏହି କବିତାବଳିରେ ଅବତାରଣା କରିଛନ୍ତି । ମାତ୍ର ଏହିସବୁ କବିତାର ଭାବ ଉଦ୍‌ବୋଧନ କବିତାର ଯୋଗ୍ୟ ସନ୍ନଦ୍ଧ ସଂହତି ଲାଭ କରିନାହିଁ । ଏକ ତରୁଣ ଚିତ୍ତର ଶିଥିଳ ସଂଚରଣ ଏହି କବିତାକୁ କେତେ ପରିମାଣରେ ଲଘୁ କରି ଦେଇଛି । କବିଙ୍କର ଏକମାତ୍ର ଗୀତିନାଟ୍ୟ ବା ସଙ୍ଗୀତ ନାଟିକା ହେଉଛି ‘ପ୍ରେମଚିନ୍ତାମଣି’ । ଆକୃତି ଓ ସଂଯୋଜନା ଦୃଷ୍ଟିରୁ ଏହା କବିଙ୍କ ସୃଷ୍ଟିଧାରାରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହେବାର କଥା । ମାତ୍ର ନାଟକୀୟ ସାର୍ଥକତା ଦିଗରୁ ସଙ୍ଗୀତ ଗୁଡ଼ିକର ଭାଷା, ଭାବ ଓ ବିଷୟ ସକଳ କ୍ଷେତ୍ରରେ ସ୍ଵାଭାବିକ ହୋଇନାହିଁ । ପୁସ୍ତକଟି ଗୀତିନାଟ୍ୟ ରୂପେ ସୁସଜ୍ଜିତ କରିବା କବିଙ୍କ ଉଦ୍ଦେଶ୍ୟ ନ ଥିଲେ ହେଁ, ସ୍ୱାଧୀନ ଓ ସ୍ୱତନ୍ତ୍ର ପରିକଳ୍ପନାରେ ରଚିତ ବିକ୍ଷିପ୍ତ ସଙ୍ଗୀତ ଗୁଡ଼ିକୁ ତାଙ୍କର ଜଣେ ଆଗ୍ରହୀ ବନ୍ଧୁଙ୍କ ଅନୁରୋଧରେ ଏପରି ନାଟ୍ୟରୂପ ଦେଇଥିବା କଥା କବି ନିଜ କଥାରେ ସ୍ୱୀକାର କରିଛନ୍ତି । ‘‘ବହିର ନାୟକ ନାୟିକାଙ୍କୁ ରାଧାକୃଷ୍ଣ ଭାବରେ ଗ୍ରହଣ କରିବା ପାଇଁ ମୋର ଆଦୌ ଇଚ୍ଛା ନ ଥିଲେ ହେଁ ମହାଭାବପୂର୍ଣ୍ଣ ରାଧାକୃଷ୍ଣ ଲୀଳା ଓ ତତ୍‌ସମ୍ବନ୍ଧୀୟ ପୁସ୍ତକମାନଙ୍କ ବିଷୟରେ ମୁଁ ଅନଭିଜ୍ଞ ଥିଲେ ହେଁ, ଚକ୍ରଧରଙ୍କ ସନିର୍ବନ୍ଧ ଅନୁରୋଧ ଉପେକ୍ଷା କରି ନ ପାରି ବହିର ନାମ ପ୍ରେମଚିନ୍ତାମଣି ଓ ନାଟକର ନାୟକ ନାୟିକାଙ୍କୁ ଜଗତ୍‌ବରେଣ୍ୟ ଶ୍ରୀମତି-ଶ୍ରୀକୃଷ୍ଣ ନାମରେ ରଖୁଅଛି ।’’(୨) କବିଙ୍କର ଏହି ସ୍ୱୀକାରୋକ୍ତି ବାସ୍ତବିକ୍‌ ପ୍ରଣିଧାନଯୋଗ୍ୟ । ପ୍ରେମଚିନ୍ତାମଣିକୁ ଏକ ଗୀତିନାଟ୍ୟରୂପେ ଗ୍ରହଣ ନ କରି ଏହାର ସଙ୍ଗୀତକୁ ସ୍ଵତନ୍ତ୍ର ଭାବରେ ବିଚାର କରିବା ସ୍ଫୃହଣୀୟ । ଏହାକୁ କବି ନିଜ କଥାରେ ‘‘ସ୍ଵରବିଶିଷ୍ଟ ଖଣ୍ତ କବିତା’’ ବୋଲି ଆଖ୍ୟାତ କରିଛନ୍ତି ।(୩) ଏହି ଭାବରେ ଏହା ଅଞ୍ଜଳି ବା ଅର୍ଚ୍ଚନାର ସମଶ୍ରେଣୀୟ ସଙ୍ଗୀତର ସମାହାର ମାତ୍ର ।

 

ପ୍ରେମ ଚିନ୍ତାମଣିର ସ୍ଵୀକୃତିରୁ ଜଣାଯାଏ ଯେ ୧୯୨୮ରେ ଏହି ସଙ୍ଗୀତମାନ କବି ନିଜର କଟକ ରହଣୀ କାଳରେ ରଚନା କରିଥିଲେ । ବୋଧହୁଏ ଏହା ହିଁ କବିଙ୍କ ଶେଷ ସୃଷ୍ଟି । ମାତ୍ର ୨୮ ବର୍ଷ ବୟସରେ କବିଙ୍କ ସୃଷ୍ଟି ପ୍ରେରଣାର ଅବସାନ ହୋଇଥିଲା ।

 

କୁନ୍ତଳାଙ୍କ ସମଗ୍ର ରଚନାରେ ଏଥିଲାଗି ତାରୁଣ୍ୟର ଉଚ୍ଛ୍ୱାସ ଓ ଆବେଗ ସ୍ଵତଃ ଉତ୍ସାରିତ ହେବାର କଥା । ମାତ୍ର ତରୁଣର ଅର୍ବାଚୀନ ଲେଖନୀ ଯେପରି ଉଦ୍ଦୀପନାମୟ, ସେହିପରି ଅନୁକରଣ ପ୍ରବଣ । ଏହାର ନିଦର୍ଶନ କୁନ୍ତଳାଙ୍କ ରଚନା ମଧ୍ୟରେ ଅଭାବ ନୁହେଁ ।

 

କବି ଖ୍ରୀଷ୍ଟଧର୍ମ ତ୍ୟାଗ କରି ହିନ୍ଦୁଧର୍ମ ଗ୍ରହଣ କରିଥିଲେ ହେଁ ଖ୍ରୀଷ୍ଟିୟ ଧର୍ମ ପରମ୍ପରା ଓ ବିଶେଷତଃ ଧର୍ମ ଓ ନୈତିକତା ପ୍ରଭାବିତ ଇଂରାଜୀ କବିତା ଦ୍ଵାରା ବିଶେଷ ପ୍ରଭାବିତ ଥିଲେ ବୋଲି ସହଜରେ ଧାରଣା କରାଯାଇପାରେ । ଧର୍ମ ଓ ନୈତିକତାମୂଳକ କବିତା ରଚନା ସଙ୍ଗେ ସଙ୍ଗେ ସେଥିରେ ପ୍ରଣୟ ଅନୁରାଗ ଫୁଟାଇବାର ଆଗ୍ରହ ହୁଏତ କବି ଆମର ବୈଷ୍ଣବୀୟ କବିତାରୁ କେତେକ ପରିମାଣରେ ପାଇ ପାରିଥାନ୍ତି । ମାତ୍ର କବିଙ୍କ ମନ ବିଶେଷ ଭାବରେ ନୈତିକତା, ପ୍ରଣୟାନୁଭୂତି ବର୍ଣ୍ଣନାର ଆଧୁନିକ ଆଦର୍ଶ ସଚେତନ ଥିବାରୁ ବୈଷ୍ଣବୀୟ କବିତା ତାଙ୍କ ଶିଳ୍ପୀ ମନକୁ ପ୍ରଭାବିତ କରିବା ସମ୍ଭବ ନ ଥିଲା, ଅଧିକନ୍ତୁ ଲଙ୍ଗ୍‌ଫେଲୋ, ରବାର୍ଟ ହେରିକ୍‌ ଆଦିଙ୍କ ପ୍ରଭାବ କୁନ୍ତଳାଙ୍କ ଉପରେ ବିଶେଷ ଭାବରେ ଦେଖାଯାଏ । ଅର୍ଚ୍ଚନାର ହସକାନ୍ଦ, କୁସୁମ ବନଫୁଲ, ଉଦ୍ୟାନଫୁଲ, ଛୋଟ ବଡ଼, ଫୁଲତୋଡ଼ା ଆଦି ବହୁ କବିତାର ଭାବ ଏହିସବୁ ପାଶ୍ଚାତ୍ୟ କବିଙ୍କଠାରୁ ଗୃହୀତ, ବିଶେଷ ଭାବେ ରବାର୍ଟହେରିକ୍‌ଙ୍କ ନୋବେଲ୍‌ ନମ୍ବର ପୁସ୍ତିକାରେ ସଙ୍କଳିତ ବହୁ ସାନ ସାନ କବିତା କୁନ୍ତଳା ଏକାବେଳକେ ଅନୁବାଦ ପର୍ଯ୍ୟନ୍ତ କରିଛନ୍ତି । ଅର୍ଚ୍ଚାନାର ‘‘ମେଘର ଗର୍ବ’’ କବିତାଟି ଏହାର ଏକ ଦୃଷ୍ଟାନ୍ତ ।

 

ମେଘ ତ ହରିଲା ଜଳଧି ଜଳ

ବରଷିଲା ପୁଣି କାହା ଉପର ।

ତେବେ ମେଘ ଗର୍ବେ ହୋଇ ଚଞ୍ଚଳ

କହେ କରଇ ମୁଁ ପୂର୍ଣ୍ଣ ସାଗର ।

ଅଞ୍ଜଳିଏ ପାଣି ଘେନି ସାଗରୁ

କରିପାରେ କିଏ ସାଗର ମରୁ ।

ମେଘ ତୁ ଢାଳିଦେ ସବୁ ତ ନୀର

ହ୍ରାସ ବୃଦ୍ଧି ନାହିଁ ପୟୋନିଧିର । (୪)

Gods boundless mercy is (to sinfull man)

Like to the ever-wealthy ocean:

Which through it sends forth thousand

streems, ‘this ne’re

Known, or els seen to be the emptier:

And through it takes all in, this yet no more

Full, and filled full, then when fulfilled before. (୫)

 

ଠିକ୍‌ ଏହିଭାବରେ ରବୀନ୍ଦ୍ରନାଥଙ୍କ ଅନେକ କବିତା ସହ କବିଙ୍କ କବିତାର ଭାବ ସାମ୍ୟ ଦେଖାଯାଏ, ତେବେ ଏସବୁ ଅବଲମ୍ବନ ଓ ଆହରଣ ମଧ୍ୟରେ କୁନ୍ତଳାଙ୍କ ସୃଷ୍ଟିଧାରାର ମହତ୍ତ୍ଵ ଖଣ୍ଡିତ ହୋଇନାହିଁ, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

କୁନ୍ତଳା କୁମାରୀଙ୍କ କେତୋଟି ଦିଗ :

ସବୁପ୍ରକାର କବିତା ମଧ୍ୟରେ ସଙ୍ଗୀତ ବିଶେଷ ଜନପ୍ରିୟ, କବି ଚିତ୍ତର ଆବେଗ ଓ ଅନୁଭବ ସଙ୍ଗୀତର ଲୟ ଓ ଆବେଶ ମଧ୍ୟରେ ଏକୀଭୂତ ହୋଇ ଆତ୍ମପ୍ରକାଶ କରେ । କୁନ୍ତଳାଙ୍କ କବିପ୍ରାଣ ସଙ୍ଗୀତ ଆବେଶରେ ସଦା ଆବିଷ୍ଟ ଥିଲା । ନିଜର ନାନା ଭାବ ଓ ଅନୁଭବ ପ୍ରକାଶର ଏକ ସହଜ ମାଧ୍ୟମ ରୂପେ ସେ ସଙ୍ଗୀତକୁ ହିଁ ଗ୍ରହଣ କରିଛନ୍ତି ।

 

କବିଙ୍କ ଚେତନାରେ ସଙ୍ଗୀତ ଏକ ଲଳିତ ଧ୍ଵନି ବିଶେଷ ନୁହେଁ, ଆବହ, ଲୟ ଓ ଧ୍ଵନି ଶୃଙ୍ଖଳାରେ ସଙ୍ଗୀତର ସହଜ ରୂପ ସ୍ଵତଃ ପ୍ରକାଶିତ ହୋଇଥାଏ । ତାହାର ଗହନ ଆତ୍ମା କବି ଆବିଷ୍କାର କରିଛନ୍ତି । ରକ୍ତ ମାଂସର ଆକୃତି ବିଶିଷ୍ଟ ନାରୀ ଦେହରେ ଯେପରି ନାୟିକାର ସୌନ୍ଦର୍ଯ୍ୟ ସୀମିତ ନୁହେଁ, ଯନ୍ତ୍ର ବା ମଣିଷ କଣ୍ଠର ସ୍ଵର ଲହରୀ ମଧ୍ୟରେ ସଙ୍ଗୀତ ସୀମିତ ନୁହେଁ । ସଙ୍ଗୀତ ଓ ସଙ୍ଗୀତମୟ ବିଷୟର ପ୍ରଭାବ ରୋମଣ୍ଟିକ୍‌ କବି ଶେଲୀଙ୍କ କବିତା ଭଳି କୁନ୍ତଳାଙ୍କ କବିତାରେ ମଧ୍ୟ ଦେଖାଯାଇପାରେ ।

 

ଶେଲୀଙ୍କ ଭଳି କୁନ୍ତଳା ସଙ୍ଗୀତକୁ ଏକ ଶକ୍ତି ରୂପେ ଗ୍ରହଣ କରିଛନ୍ତି । ବିମୂଢ଼ତା, ବିସ୍ମୟ ଓ ଭୟ ଅତିକ୍ରମ କରିବା ଲାଗି ମନୁଷ୍ୟର ଆତ୍ମା ସଙ୍ଗୀତରୁ ଶକ୍ତି ସଞ୍ଚୟ କରିପାରେ । ନିଜର ଗୋଟିଏ କବିତାରେ ଶେଲୀ ସାକ୍ଷାତ୍‌ ମୃତ୍ୟୁ ସମ୍ମୁଖରେ ନିଜର ନାୟକ କଣ୍ଠରେ ଜୀବନ ସଙ୍ଗୀତ ଶୁଣାଇ ଅଛନ୍ତି । ସଙ୍ଗୀତର ଅସୀମ ପ୍ରଭାବ ବିଷୟରେ କୁନ୍ତଳାକୁମାରୀ ଗୋଟିଏ ସ୍ଥଳରେ କହିଛନ୍ତି,

 

‘‘ବୀଣା ବଇଁଶୀର ସ୍ଵରେ ଯେ ବାଜଇ

ସେକି ନ ଝରଇ ନୟନ ନୀରେ ?

ଆନନ୍ଦ ମନ୍ଦିରେ ଯା’ର ପୂଜାବେଦୀ

ସେ ତ ବସେ ମୃତ୍ୟୁ ସରିତ ତୀରେ ।’’ (୬)

 

କବି କୁନ୍ତଳାଙ୍କ କବିତାରେ ନଦୀ, ପର୍ବତ, ଝଞ୍ଜା ମୁଖରେ ରୁଦ୍ର ସଙ୍ଗୀତ ଶୁଣାଯାଏ । ପ୍ରକୃତିର ଉଦାରତା ଶକ୍ତି ଓ ସ୍ୱସ୍ତିର ଭାବ ସଙ୍ଗୀତର ଆତ୍ମାରେ ଉତ୍ସାରିତ ହୁଏ । ନବ ଜୀବନ ବିକାଶ କଥା କହିଲାବେଳେ କବି ନୂତନ ସଙ୍ଗୀତର ରାଗିଣୀ ଶୁଣନ୍ତି ।

 

ଜୀବନରେ ବଞ୍ଚିବାର ଅଧିକାର ଭଳି କବି ଗାଇବାର ଅଧିକାର ସ୍ଵୀକାର କରିଛନ୍ତି । କୋକିଳ ବୀଣାର ତାର ଅଥବା ନଦୀର ହିଲ୍ଲୋଳ ପରି ବିନା ପ୍ରୟାସରେ ବିନା ବାଧାରେ କବି ନିଜର ଜୀବନ ସଙ୍ଗୀତ ଗାନ କରି ଜଗତକୁ ଶୁଣାଇବା କଥା କହିଛନ୍ତି । ଆନନ୍ଦର ଅମୃତ ଲୋକରେ କବି ନିଜ ଜୀବନ ସଙ୍ଗୀତର ବାଣୀ ଖୋଜିଛନ୍ତି । ମାନବ ଜୀବନର ଚିର ସହଚର ଦୁଃଖ, ଅପମାନ ଓ ବିଫଳତା ସମ୍ମୁଖରେ କବି ନିଜ ଜୀବନର ଅମୃତ ଧାରା ବାଣ୍ଟିବାର ଆଶା ପୋଷଣ କରିଛନ୍ତି ।

 

ଶେଲୀଙ୍କ ଅନୁଭବରେ ସଙ୍ଗୀତର କୋମଳ ସ୍ୱର, ଯେତେବେଳେ ନୀରବ ହୋଇଯାଏ ତାହା ସ୍ମୃତିରେ ଝଂକୃତ ହୁଏ । କବି କୁନ୍ତଳାଙ୍କ ଅନୁଭବରେ ଦିଗନ୍ତ ବିସ୍ତାରୀ ପ୍ରଶାନ୍ତ ନିରବତା ମଧ୍ୟରୁ ସଙ୍ଗୀତ ଆତ୍ମପ୍ରକାଶ କରି ପୁଣି ଅସୀମ ନିରବତାରେ ନିମିଳିତ ହୋଇଯାଏ । ସଙ୍ଗୀତର ଶାଶ୍ୱତ ସର୍ବବ୍ୟାପୀ ଅନୁଭୂତି ମଧ୍ୟରେ କବି ବିଭୁ ସତ୍ତାର ପରିଚୟ ଲାଭ କରିଛନ୍ତି । ଗୋଟିଏ କବିତାରେ କବି ନିଜକୁ ଗୋଟିଏ ଭଙ୍ଗା ବୀଣାର ତାର ଓ ତାଙ୍କ ଜୀବନର ସମସ୍ତ ପ୍ରାଣଶକ୍ତିକୁ ସେଥିରେ ଭଗବାନଙ୍କ ଆଙ୍ଗୁଳି ଚାଳନା ବୋଲି ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି –

 

‘‘ଭଙ୍ଗାବୀଣା ତାର ତୁମରି ଆଙ୍ଗୁଳି ଚାଳନେ ବଜାଅ ମଧୁରେ’’ ।(୭)

 

ଆଧୁନିକ ଓଡ଼ିଆ କାବ୍ୟଧାରା : ‘‘ନବଜାଗରଣ ଯୁଗ’’ ପ୍ରକାଶିତ ଚର୍ଚ୍ଚା ନିବନ୍ଧ (ଥେସିସ୍‌)ରୁ ଗୃହୀତ ସୂଚନା :-

୧.

କବି ଓ କବିତା : ଡଃ. ମାୟାଧର ମାନସିଂହ :

୨-୩.

ନିଜ କଥା-ପ୍ରେମଚିନ୍ତାମଣି-କୁନ୍ତଳାକୁମାରୀ ଗ୍ରନ୍ଥାବଳୀ-ପ୍ରଥମ ଖଣ୍ଡ-

୪.

କୁନ୍ତଳା କୁମାରୀ ଗ୍ରନ୍ଥାବଳୀ; ପ୍ରଥମ ଭାଗ-

୫.

Poetical works of Robert Heric-Edited by :

F.W. Moorman, Oxford University Press, 1957

୬.

କୁନ୍ତଳା କୁମାରୀ ଗ୍ରନ୍ଥାବଳୀ, ପ୍ରଥମ ଭାଗ- ପୃ.୧୫୮

୭.

କୁନ୍ତଳା କୁମାରୀ ଗ୍ରନ୍ଥାବଳୀ, ପ୍ରଥମ ଭାଗ – ପୃ.୫୯

 

***

 

ମୋ ଦାସେ ଆପଣେ

ଚିନ୍ତାମଣି ମିଶ୍ର

 

ବସ୍ତୁ ହେଉ ବା ବ୍ୟକ୍ତି ହେଉ, ଦେଖିବା ଲୋକଙ୍କ ଦୃଷ୍ଟିକୋଣର ପାର୍ଥକ୍ୟ ଯୋଗୁଁ, ତାହା ଭିନ୍ନ ଭିନ୍ନ ପ୍ରକାରେ ଦିଶେ । ତେଣୁ ମୋ ଦାସେ ଆପଣେ ମୋତେ ଯେପରି ଦିଶିଛନ୍ତି, ଅନ୍ୟଙ୍କୁ ସେହିପରି ଦିଶିଥିବେ ବା ଦିଶୁଥିବେ ବୋଲି ବିଚାର କରିବା ଭୁଲ ହେବ । ନିଜର ଅଭିଜ୍ଞତାରୁ ତ ଜଣା ପଡ଼ୁଛି, ଆଚାର୍ଯ୍ୟ ହରିହର, ପଣ୍ତିତ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ ଓ ଏବର ଡକ୍ଟର ରାଧାନାଥ ରଥଙ୍କୁ ଦାସେ ଆପଣେ ଭିନ୍ନ ଭିନ୍ନ ରୂପରେ ଦିଶିଛନ୍ତି । ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥିବାରୁ ତାଙ୍କର ପ୍ରିୟ ସଖାମାନେ, ତାଙ୍କ ଛାୟାରେ ବା ତାଙ୍କୁ ପାଦପୀଠ ରୂପେ ବ୍ୟବହାର କରି ନିଜର କାର୍ଯ୍ୟ କରିଛନ୍ତି, ବା ନିଜର ଲକ୍ଷ୍ୟରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି ଓ କରୁଛନ୍ତି ।

 

ଜୀବନର ଶେଷ ବେଳକୁ ପଣ୍ଡିତ ଗୋପବନ୍ଧୁ ପ୍ରାୟ ସଙ୍ଗୀହୀନ ହୋଇ ସତ୍ୟବାଦୀକୁ ବୈଷୟିକ ବିଦ୍ୟାଳୟ ଓ ଦରିଦ୍ରନାରାୟଣ ସେବାସଂଘର କଳ୍ପନାରେ କଟକ ଛାଡ଼ି ଚାଲି ଯାଇଥଲେ, ଏବଂ ସେଇଠାରେ ସଂସାର ଛାଡ଼ିଲେ।

 

ମୋର ପଥ ପ୍ରଦର୍ଶକ

୧୯୨୧ରେ ମୁଁ ଦାସେ ଆପଣଙ୍କୁ ସର୍ବପ୍ରଥମେ ଦେଖିଲି ଏବଂ ତାଙ୍କ ମୃତ୍ୟୁଶଯ୍ୟା ପାଖେ ୧୯୨୮ରେ ବି ଥିଲି । ଏ ଆଠବର୍ଷ କାଳ ମୁଁ ତାଙ୍କ ନିକଟରେ ପ୍ରାୟ ରହିଥିଲି ଏବଂ ବେଳେବେଳେ ଦୂରରେ ଥିଲେ ବି, ସେ ମୋ ପାଖରେ ଅଛନ୍ତି ବୋଲି ଅନୁଭବ କରୁଥିଲି, ଏବେ ବି କରୁଛି । ତାଙ୍କର ଯଥାର୍ଥ ସେବା ମୁଁ ବିଶେଷ ଭାବେ କରି ପାରିନାହ । କିନ୍ତୁ ତାଙ୍କ ଜୀବନ ତମାମ ମୁଁ ତାଙ୍କୁ ଇଷ୍ଟ ଦେବତା ପରି ମାନିଛି । ଆଜି ମୋର ବିପର୍ଯ୍ୟୟ ବେଳେ ମୁଁ ତାଙ୍କୁ ସ୍ମରଣ କରି ମୋ ମନକୁ ବଳ ଆଣୁଛି ।

 

ସଖାମାନଙ୍କ ବିଶ୍ଵାସଘାତକତା ଓ ନିଜ ଆଶା ଆକାଙ୍‌କ୍ଷାର ବିଫଳତାରେ ସେ ବ୍ୟଥିତ ହେବାର ଦେଖୁଛି, ତାଙ୍କ ଆଖିରୁ ଲୁହ ଗଡ଼ି ପଡ଼ିବାର ବି ଦେଖିଛି, କିନ୍ତୁ ଘଡ଼ିଏ ବା ଘଣ୍ଟେ ମାତ୍ର । ତାଙ୍କ ପାଖେ ପାଖେ ରହି ତାଙ୍କ ହୃଦୟର ସରଳତା ଓ ଭାବପ୍ରବଣତା ସଙ୍ଗେ ସଙ୍ଗେ ମନର ଦୃଢ଼ତା ଓ ଧୈର୍ଯ୍ୟ ଦେଖି ମୁଁ ମୋ ଜୀବନରେ କେତେ ଯେ ଦୁଃଖ ଦୁର୍ବିପାକରୁ ଉଦ୍ଧାର ପାଇଛି, ତାହା ଲେଖିଲେ ପ୍ରବନ୍ଧର କଳେବର ବହୁତ ବଢ଼ିଯିବ । ଏତିକି କହିଲେ ଯଥେଷ୍ଟ ହେବ ଯେ, ଜୀବନର ଯାହା ସର୍ବୋତ୍ତମ, ସବୁଠାରୁ ମହୀୟାନ୍‌, ତାହାର ପ୍ରକୃଷ୍ଟ ନିଦର୍ଶନ ମୁଁ ପାଇଛି ତାଙ୍କଠାରେ-ତାଙ୍କୁ ପାଇବା ଦିନଠାରୁ ।

 

ପ୍ରଥମ ସାକ୍ଷାତ

ତାଙ୍କ ସାଙ୍ଗରେ ମୋର ପ୍ରଥମ ସାକ୍ଷାତ ସାକ୍ଷୀଗୋପାଳ ରେଳଷ୍ଟେସନର ପ୍ଲାଟଫର୍ମରେ ମାର୍ଚ୍ଚ ମାସ ଶେଷ ସପ୍ତାହ ବୋଲି ମନେ ପଡ଼ୁଛି । ଖୋର୍ଦ୍ଧା ସ୍କୁଲ ଛାଡ଼ି ମୁଁ ସେଦିନ ଆସିଥାଏ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ନାମ ଲେଖାଇବାକୁ । ପୂର୍ବବର୍ଷ ମୁଁ ପଢ଼ୁଥିଲି ବଲାଙ୍ଗୀର ହାଇସ୍କୁଲରେ । ବଲାଙ୍ଗୀର, ପାଟଣା ଦେଶୀୟ ରାଜ୍ୟର ରାଜଧାନୀ । ସେ ସ୍କୁଲରୁ ପାସ୍‌କଲେ ତ ବୃତ୍ତି ମିଳିବାର ନୁହେଁ ସେ କାଳରେ । ମୋ ଶିକ୍ଷକମାନେ ଆଶା କରୁଥାନ୍ତି ମୁଁ ନିଶ୍ଚୟ ମାଟ୍ରିକ୍‌ପରୀକ୍ଷାରେ ବୃତ୍ତି ପାଇବାକୁ ଯୋଗ୍ୟ ହେବି । ଶେଷ ଦୁଇବର୍ଷ ମୋଗଲବନ୍ଦୀର ସ୍କୁଲରେ ପଢ଼ିଥିବା ଦରକାର । ଏଣେ ମୁଁ ଏତେ ଦୁଃସ୍ଥ ଯେ ଘରୁ ପଇସା ଆଣି ପଢ଼ି ପାରିବି ନାହିଁ । ବଲାଙ୍ଗୀର ତିନିଚାରି ଜଣ ଶିକ୍ଷକ ଆପଣା ଭିତରେ ଚାନ୍ଦା କରି ପ୍ରତି ମାସରେ ଛଅଟଙ୍କା ଲେଖାଏଁ ଦେବାକୁ ବାହାରି ମୋତେ ପଠାଇଥିଲେ ଏ ପାଖେ ପଢ଼ିବାକୁ । ମୁଁ ଏକାଦଶ ଶ୍ରେଣୀକୁ ପ୍ରମୋଶନ ପାଇଥାଏ । ଦ୍ଵାଦଶ ଶ୍ରେଣୀରେ ସେ କାଳେ ମାଟ୍ରିକ୍‌ ସରୁଥିଲା । ମୋର ଦୁଇଜଣ ସଙ୍ଗୀଙ୍କ ସହିତ ମୁଁ ବଲାଙ୍ଗୀରରୁ ସିଧା ଆସିଥିଲି ତିନିମାସ ପୂର୍ବେ, ସତ୍ୟବାଦୀ ହାଇସ୍କୁଲରେ ନାମ ଲେଖାଇବାକୁ । ଆଚାର୍ଯ୍ୟ ହରିହରଙ୍କ ପାଖରେ ଯାଇ ପହଞ୍ଚିବାରେ ସେ କହିଥିଲେ, “ଏଠି କାହିଁକି ପଢ଼ିବ ?” ୟେ ସ୍କୁଲ ‘ଜାତୀୟ’ କରିଦେବାକୁ ଦାସେ ଆପଣେ ଧରି ବସିଛନ୍ତି । କ’ଣ ହେବ କେଜାଣି ? ମୋତେ ଲାଗୁଛି, ଏ ସ୍କୁଲଟି ଭାଙ୍ଗିଯିବ । ତୁମେମାନେ ଯାଅ ଭାରି ।”

 

ହରିବାବୁଙ୍କର ସେତେବେଳେ ଇଚ୍ଛା, ସ୍କୁଲ ଯେମିତି ଅଛି ଥାଉ; ଦାସେ ଆପଣେ ଓ ଆଉ ଯେଉଁ ଶିକ୍ଷକମାନେ ଅସହଯୋଗ ଆନ୍ଦୋଳନରେ ମିଶିବେ ସେମାନେ ଯାଆନ୍ତୁ । ମୁଁ ଗଲି ଖୋର୍ଦ୍ଧା ସ୍କୁଲରେ ନାମ ଲେଖାଇବାକୁ ଏବଂ ମୋ ସଙ୍ଗୀ ଦୁଇଜଣ ଗଲେ ପୁରୀ ଜିଲ୍ଲା ସ୍କୁଲକୁ ।

 

ଖୋର୍ଦ୍ଧା ହାଇସ୍କୁଲରେ ନାମ ଲେଖାଇଥିଲି, ସେହି ଜାନୁୟାରୀ ଦୁଇ ତାରିଖରେ । ହେଡ୍‌ମାଷ୍ଟ୍ରେ ମୋ ହାଲ ହୈକତ ବୁଝି ଭାରି ସହାନୁଭୂତି ଦେଖାଇଲେ । ମୁଁ ମାମୁଁଙ୍କ ବସାରେ ରହିଲି । ମୋର ମାଆ ବାପ ମରି ଯାଇଥିବାରୁ ଏବଂ ଗାଆଁର ମହାଜନ ଦୁଇଜଣ ଆମର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଅପହରଣ କରି ନେଇଥିବାରୁ ମାମୁଁଙ୍କର ମୋ ଠାରେ ଭାରି ଦୟା । ସବୁଠାରୁ ବଡ଼ କାରଣ ମୋ ହାତରେ ପାଠ ହେଉଛି ବୋଲି ମୋ ଟ୍ରାନ୍‌ଫର୍‌ ସାର୍ଟିଫିକେଟ୍‌ର ପଛଆଡ଼େ ବଲାଙ୍ଗୀର ହେଡ୍‌ମାଷ୍ଟ୍ରେ ମୋର ବାର୍ଷିକ ପରୀକ୍ଷା ନମ୍ବର ଲେଖି ଦେଇଥାନ୍ତି । ତାହା ଦେଖି ମାମୁଁ ତାଙ୍କ ଦରମା ପଞ୍ଚତିରିଶ ଟଙ୍କାରେ ମୋତେ ଅଂଶୀଦାର କରିବାକୁ ଆଗ୍ରହୀ ହୋଇଥାନ୍ତି । ତାଙ୍କର ଆଶା ହୋଇଥାଏ କୌଣସି ମତେ ଭଲରେ ମୁଁ ମାଟ୍ରିକ୍‌ଖଣ୍ଡି ପାସ୍‌ କରିଦେଲେ ସେ ମୋତେ ତାଙ୍କ ଅଫିସ୍‌ରେ ପ୍ରୋବେସନର୍‌ କରିଦେବେ । ମାସକୁ ମିଳିବ ଦଶଟଙ୍କା-। ଘର ଚଳାଇ ମୋ ଭାଇମାନଙ୍କୁ ମଣିଷ କରିବାକୁ ଯଥେଷ୍ଟ । ଭାଇମାନେ ହାଇସ୍କୁଲକୁ ଯିବାକୁ ହେଲା ବେଳକୁ ମୁଁ ପଚିଶଟଙ୍କାରେ ଚାକିରିରେ ମୁତୟନ ହୋଇ ସାରିଥିଲି । ପ୍ରୋବେସନର୍‌ରେ ଯେଉଁ ଦଶଟଙ୍କା ମିଳିବ ତା’ର ବଜେଟ୍‌ ସେ ହପ୍ତାକେ ଏତେଥର ଶୁଣାନ୍ତି ଯେ ତାହା ଶୁଣି ଶୁଣି ‘ମୁଁ ଲୋଭାଉଥାଏ ।

 

‘ସମାଜ'ର ପ୍ରଭାବ

ସେ ଲୋଭ ବଳବତ୍ତର ହୋଇଥାନ୍ତା, ଯଦି ଦାସେ ଆପଣଙ୍କ ‘ସମାଜ’ ନ ବାହାରିଥାନ୍ତା ଓ ମାମୁଁ ସେଥିରୁ ଖଣ୍ଡେ ମଗାଉ ନଥାନ୍ତେ; ସାପ୍ତାହିକ ସମାଜ କିଞ୍ଚିତ୍‌ ଛୋଟ ସାଇଜ୍‌ରେ ଆଠପୃଷ୍ଠା । ଆମେ ବଲାଙ୍ଗୀରରେ ଥିବା ବେଳେ ସମାଜ ବାହାରିଥାଏ । ମୋର ସବୁଠାରୁ ବେଶୀ ମାନନୀୟ ଗୁରୁ ‘ପଣ୍ଡିତେ’ ଏଥିରୁ ଖଣ୍ଡେ ଖଣ୍ଡେ ପାଉଥାନ୍ତି । ସେତେବେଳର ସମାଜ ଥିଲା ସମସ୍ତଙ୍କର ପୂଜ୍ୟ-। ଆଜିକାଲି ପରି ଆଖି ବୁଲେଇଦେବା କାଗଜ ଦାସେ ଆପଣଙ୍କ ବେଳେ ବାହାରୁନଥିଲା । ପୁଣି ପାଠକ ପଣ୍ଡିତେ । ସମାଜ ଯେଉଁଦିନ ହାତକୁ ଆସେ, ସେଦିନ ସେତେବେଳେ ସେ ଯେଉଁ କାମ କରୁଥାନ୍ତୁ, ବନ୍ଦ ରହେ ଏବଂ ସେ ସର୍ବପ୍ରଥମେ ସମ୍ପାଦକୀୟରୁ ପଢ଼ା ଆରମ୍ଭ କରି ଦିଅନ୍ତି । ପ୍ରତି ପଦର ସାମାନ୍ୟାର୍ଥ, ବ୍ୟଞ୍ଜିତାର୍ଥ, ଆଶ୍ରୟର ବିଶ୍ଲେଷଣ କରି ପଢ଼ାଯାଏ ଯେ ଗୋଟିଏ ଗୋଟିଏ ପାରାଗ୍ରାଫ୍‌କୁ ଅଧଘଣ୍ଟେ ଲେଖେଁ ଲାଗେ । ତାଙ୍କ ବ୍ୟାକରଣ ଅଳଙ୍କାରକୁ କାନ ନ ଦେଇ ମୁଁ ମନଶ୍ଚକ୍ଷୁରେ ଦେଖୁଥାଏ । ଲେଖକଙ୍କ ଆଲପ୍‌ସ୍‌ ପର୍ବତ ଉପରେ ଠିଆ ହୋଇ ନେପୋଲିୟନ୍‌ ତାଙ୍କ ସୈନ୍ୟଙ୍କୁ ମତାଇଲା ପରି, ବରୁଣେଇ ପାଣ୍ଡବଘରାଠାରେ ଠିଆ ହୋଇ ଜଗନ୍ନାଥଙ୍କ ଆଡ଼କୁ ଚାହିଁ ଆମକୁ ସତେ ତଳୁ ଡାକୁଥାନ୍ତି ପର୍ବତ ଲଂଘିବାକୁ ।

 

ପ୍ରଥମ ଥର ସତ୍ୟବାଦୀ ଆସିଲାବେଳେ ତାଙ୍କୁ ଦେଖିଥିଲେ ମୁଁ ଖୋର୍ଦ୍ଧା ଆଡ଼େ ମୁହାଁଇ ନ ଥାନ୍ତି । ଖୋର୍ଦ୍ଧାରେ ସମାଜ ହାତରେ ପଡ଼ିବା ଦିନୁଁ ମୁଁ ତାଙ୍କ ସମ୍ପାଦକୀୟକୁ ଉଦରସ୍ଥ କରିବାରେ ଓ ପାକୁଳି କରିବାରେ ବହୁତ ସମୟ କଟାଇଲି । ତାଙ୍କ ସମ୍ବାଦ ଲେଖା ମଧ୍ୟ ବିଚିତ୍ର । ପରେ ଦେଖିଲି, ପ୍ରାୟ ପ୍ରତି ସମ୍ବାଦର ଧାଡ଼ିଏ କାଟି, ଧାଡ଼ିଏ ମିଶାଇ, ଶିରୋନାମା ଦେଇ ସେ ଏପରି କରି ଦିଅନ୍ତି ଯେ, ସମ୍ବାଦ ଭିତରେ ସମ୍ପାଦକଙ୍କ ମତ ବ୍ୟଞ୍ଜିତ ହୋଇଯାଏ । ୟା ନାମ ତାଙ୍କ ଭାଷାରେ “ବାଗେଇବା” ସହକାରୀ ସମ୍ପାଦକଙ୍କୁ ବତାନ୍ତି, “ସମ୍ବାଦଗୁଡ଼ାକ ଟିକିଏ ବାଗେଇ ଦେଉନାହଁ ? ଅଲଣା ହୋଇ ଯାଉଛି ।”

 

ସମାଜର ସମ୍ପାଦକୀୟ ପଢ଼ି ଓ ବାଗିଆ ହୋଇଥିବା ସମ୍ବାଦ ଦେଖି ମୁଁ ନେତା ହୋଇଗଲି-। ଏକାଦଶ ଶ୍ରେଣୀର ଛାତ୍ର ହେଲେ ହେଁ ମୁଁ ହୋଇଗଲି ଛାତ୍ରମାନଙ୍କର ମୁଖପାତ୍ର । ମାର୍ଚ୍ଚ ପ୍ରଥମ ସପ୍ତାହରେ ଛାତ୍ରଙ୍କର ସଭା ହୋଇ ସ୍ଥିର ହେଲା, ଉପର ଚାରି କ୍ଲାସର ପ୍ରଥମ ଚାରିଜଣଯାକ ସ୍କୁଲ ଛାଡ଼ି ଅସହଯୋଗରେ ମିଶିବେ । ଯାହାର ମନ ହେବ ସେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ପଢ଼ିବାକୁ ଯିବ; ପଢ଼ିବାକୁ ଯାହାର ମନ ନାହିଁ ସେ ସ୍ଵରାଜ୍ୟ ଆଶ୍ରମରେ ଭର୍ତ୍ତି ହେବ । ଷୋଳଜଣଯାକ ଏକ ସମୟରେ ସ୍କୁଲରୁ ବିଦାୟ ନେଲୁ ହେଡ଼୍‌ମାଷ୍ଟ୍ରଙ୍କୁ କହି ।

 

ମୁଁ ସତ୍ୟବାଦୀ ବାହାରିଲି, ଖଣ୍ତିଏ ବେତ ପେଟରାରେ ମୋର ଯଥା ସର୍ବସ୍ୱ, ମୁଚୁଳା ଓ ପକେଇ ଶୋଇଲା ଚାଦର ପର୍ଯ୍ୟନ୍ତ ଭର୍ତ୍ତିକରି ତାକୁ କାନ୍ଧରେ ଧରି ଆମ ଗାଁ ଷ୍ଟେସନ୍‌କୁ । ଜଟଣୀରେ ଗୁଡ଼ାଏ ବେଳ ପଡ଼ିରହି, ପୁରୀ ଗାଡ଼ି ଧରି ସତ୍ୟବାଦୀ ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମକୁ ଓହ୍ଲାଇ ପଡ଼ିଲି । କାନ୍ଧରେ ପେଟରା । ମୋ ପାଖ କମରାରୁ ଓହ୍ଲାଇଲେ ଘନଶ୍ମଶ୍ରୂରେ ବଡ଼ ଦିଶୁଥିବା ମୁଣ୍ଡ ଓ ଛୋଟ ଛୋଟ ହାତଗୋଡ଼ବାଲା ଜଣେ ମଣିଷ; ତାଙ୍କ ପାଖରେ ଗୋଟିଏ ଛୋଟ ବେଡ଼ିଂ, ସୁତା ଦଉଡ଼ିରେ ନିଖୁଣ ଭାବେ ବନ୍ଧା ଗୋଟିଏ ଛୋଟ ପଶ୍ଚିମା ଢାଳ ବି ଓହଳିଥାଏ ।

 

ଦୈବାତ୍‌ ସେ ମୋତେ ପଚାରିଦେଲେ, “କୁଆଡ଼େ ଯିବ ?”

 

ଏଇ ପଦକର ଉତ୍ତର ସ୍ୱରୂପ ମୁଁ ମିନିଟିଏ କି ଦି’ମିନିଟରେ ମୋର ସମସ୍ତ ବୃତ୍ତାନ୍ତ କହିଦେଲି - ମୁଁ କିମିତି ଖୋର୍ଦ୍ଧା ସ୍କୁଲ ଛାଡ଼ିଲି, ମୋର ଅଭିଭାବକ ଦଦେଇଙ୍କ ଆଦେଶରେ ସ୍ଵରାଜ ଆଶ୍ରମକୁ ନ ଯାଇ ପଢ଼ିବାକୁ ଆସିଛି । ଆମେ ଖୋର୍ଦ୍ଧାରେ ଗୋଟାଏ ପ୍ରସ୍ତାବ ପାସ୍‌କରିଥିଲୁ ଯେ, ଯେ ପଢ଼ା ଛାଡ଼ିବେ ସେ ତାଙ୍କ ଅଭିଭାବକଙ୍କଠାରୁ ଅନୁମତି ଆଣିବାକୁ ହେବ । ମାମୁଁଙ୍କୁ ଅଭିଭାବକ ଭାବେ ଗ୍ରହଣ କରିବାକୁ ଭୟ ହେବାରୁ ମୁଁ ଦଦେଇଙ୍କ ପାଖକୁ ଗଲି । ତାଙ୍କର ସମ୍ମତି ମିଳିଲା, ଏଇ ସର୍ତ୍ତରେ - ୧୫/୧୬ ବର୍ଷରେ ଦାଣ୍ଡକୁ ବାହାରି ନ ପଡ଼ି ଆଗ ଯା ପଢ଼, ଜ୍ଞାନ ହେଉ, ପାଞ୍ଚ କଥା ଦେଖ୍‌, ଜାଣ, ତା’ପରେ ଯାହା ମନ ହେବ କରିବୁ ।

 

ମୋ'ଠାରୁ ସବୁକଥା ସେ ଆଦାୟ କରିସାରିବା ପରେ ଶେଷ ପ୍ରଶ୍ନ କଲେ, “ଏବେ ତୁମେ ଗାନ୍ଧୀକଥାରେ ଖୋର୍ଦ୍ଧାରୁ ବାହାରି ଆସିଛ, ନା ପାଠକୁ ଡରି ?’’

 

ସେତେବେଳଯାଏଁ ମୁଁ ସେ କିଏ ଜାଣି ନ ଥିଲି । ସେତିକିବେଳେ ଜଣେ ପ୍ରୌଢ଼ ଆସି ତାଙ୍କୁ ବିନୀତ ନମସ୍କାର କରି ପଚାରିଦେଲେ, “ଆପଣେ ! କ’ଣ କଟକରୁ ଆସିଲେ ?’’

 

ଉତ୍ତର ମିଳିଲା, “ଆରେ ଚକ୍ରଧରପୁର ବାହାରିଥିଲି ଯେ, କଟକରେ ଅଟକି ଗଲି ।’’

 

ଏଇ ଦାସେ ଆପଣେ, ପଣ୍ଡିତ ଗୋପବନ୍ଧୁ ବୋଲି ସମାଜ-ପାଠକର ବାକି ରହିଲା ନାହିଁ । ତାଙ୍କ ପ୍ରଶ୍ନ ସେ ପାଶୋରି ନ ଥାନ୍ତି । ତାଙ୍କ ସ୍ୱାଭାବିକ ଢଙ୍ଗରେ ମୋ ଆଡ଼କୁ ଚାହିଁ, ହୁଁ ବୋଲି ପଚାରିବାରେ ମିଛ କହିହେଲା ନାହିଁ । ମୁଁ କହିଲି, “ମୁଁ ପାଠକୁ ଡରେ ନାହିଁ ଯେ, ଆମ କ୍ଲାସରେ E. Mardenଙ୍କ ଭୂଗୋଳ ଚଳୁଛି । ମାଷ୍ଟ୍ରେ ଗଡ଼େଇ ଦେଇଛନ୍ତି । ଏଇ ତ୍ରୈମାସିକରେ ଅଶୀପୃଷ୍ଠା ପରୀକ୍ଷା ଦେଇଥାନ୍ତି ରହିଥିଲେ । ବାର୍ଷିକ ପରୀକ୍ଷାରେ ମୁଁ ଯେଉଁ ନମ୍ବର ରଖିଥିଲି ତାହା ପଢ଼ି ଖୋର୍ଦ୍ଧା ହେଡ଼୍‌ମାଷ୍ଟ୍ରେ ସନ୍ଦେହ କରିଥିଲେ, ବଲାଙ୍ଗୀର ହେଡ଼ମାଷ୍ଟ୍ରେ ମିଛ ଲେଖିଛନ୍ତି ବୋଲି । ଆମ ହେଡ଼୍‌ମାଷ୍ଟ୍ରେ ମିଛୁଆ ନୁହନ୍ତି ବୋଲି ମୁଁ ଭାରି ଟାଣରେ କହିଥିଲି । ଏ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲେ ମୋତେ ଲାଜ ମାଡ଼ିଥାନ୍ତା ।’’

 

ଦାସେ ଆପଣେ ତାଙ୍କ ଅପ୍ରତିମ ହସ ହସି କହିଲେ, “ହଉ ହଉ ଆସ, ଡରରେ ପଳାଇ ଆସି ନାହଁ ଯେ ଲାଜରେ ଆସିଛ ଭାରି ।’’

 

ଷ୍ଟେସନ୍‌ରୁ ବାହାରୁ ବାହାରୁ, ମୁଁ ତାଙ୍କ ବେଡିଂ ଧରିବି ବୋଲି ମାଗି, ତାଙ୍କ ପାଖକୁ ଛଡ଼ାଇ ଆଣିଲି । ସେ ପ୍ରତିବାଦ କରି କହିଲେ, “ଏଡ଼େ ପେଟରାଟାଏ ତ ଧରିଛ, ପୁଣି ବୋଝ ଉପରେ ନଳିତାବିଡ଼ା କାହିକି ?” କିନ୍ତୁ ସେତେବେଳକୁ ବେଡିଂ ମୋ ଡାହାଣ କାଖରେ ବାଁ ହାତରେ ବେଷ୍ଟନୀରେ ପେଟରା । ସେ ଆଗେ ଆଗେ ତାଙ୍କ ଚାଲି ଚାଲିଥାନ୍ତି । ସବୁ ନେତା, ସବୁ ମାଷ୍ଟ୍ରଙ୍କର ଚାଲି ମୁଁ ଅନୁସରଣ କରି ଅବଲୟ କରିଛି, କିନ୍ତୁ ଦାସେ ଆପଣଙ୍କୁ ପାରିନାହିଁ । ଚେଷ୍ଟା କରି ନାହିଁ ବୋଲି କହିଲେ ଠିକ୍‌ ହେବ । ତାଙ୍କ ଚାଲି, ତାଙ୍କ କଥା ଓ ଲାସ୍ୟର ଅନୁକରଣ କରି ଦେଖାଇବାରେ ସଙ୍କୋଚ ହୁଏ, କିନ୍ତୁ ମନରେ ସବୁବେଳେ ଆକାଙ୍‌କ୍ଷା, ତାଙ୍କ ପରି କହିପାରନ୍ତି, ତାଙ୍କରି ପରି ଅସାଧ୍ୟ ସାଧନ କରି ପାରନ୍ତି, ତାଙ୍କ ପରି ଶତ୍ରୁକୁ ମିତ୍ର ରୂପେ ଦେଖିବାକୁ ଶିଖି ପାରନ୍ତି-। ତାଙ୍କର ଆଦର୍ଶ ଶିଷ୍ୟ ହେବାକୁ ସବୁବେଳେ ମନ ଥିଲେ ହେଁ ବେଳେ ବେଳେ ଦିଅଁ ଗଢ଼ୁ ଗଢୁ ବାନ୍ଦର ହୋଇଯାଏ । ତାଙ୍କର ଅନୁଗତ ହେବାକୁ ଯାଉ ଯାଉ ବିରୋଧୀ ହୋଇଗଲି ବୋଲି ଜାଣି ପାରିଲେ ଅନୁତପ୍ତ ହୋଇ ଗତି ବଦଳାଏ । ଏତିକି ମତେ ମିଳିଛି, ମୁଁ ଯାହା କରେ ଠିକ୍‌ ହେଲା କି ନାହଁ ସର୍ବଦା ଅନୁଶୋଚନା କରୁଥାଏ । ବାରମ୍ବାର ତାଙ୍କ ମୁହଁରୁ ଶୁଣିଛି ଧର୍ମ ଜିଜ୍ଞାସା ଓ ଧର୍ମ ଏକ-

 

ସେ ମୋତେ ସାଙ୍ଗରେ ଆଣି ପହଞ୍ଚିଲେ ତାଙ୍କ ଦୁଆର ମୁହଁରେ, ଆଚାର୍ଯ୍ୟ ହରିହରଙ୍କ ଆସ୍ଥାନର ନିକଟରେ । ହରିବାବୁଙ୍କୁ ଡାକି କହିଲେ, “ଏ ଟୋକାଟି ଆସିଛି ଆମ ସ୍କୁଲରେ ପଢ଼ିବାକୁ-। ପଢ଼ିବା କଥା ତ କାଲି, ଆଜି କେଉଁଠି ରହିବ ଠିକଣା କର” ।

 

ହରିବାବୁ ମୋତେ ଚାହିଁବା ମାତ୍ରେ କହିଲେ, “ତୁ ପରା ତିନିମାସ ପୂର୍ବେ ଆସିଥିଲୁ ? ତୋ ଘର ଈଶ୍ଵର ରଥଙ୍କ ଗାଁ ବାଜପୁରରେ ଟି ? ସେଦିନ ଆଉ ଯେଉଁ ଦି’ଜଣ ତୋ ସାଙ୍ଗେ ଆସିଥିଲେ ସେ ଚଉଦ ପନ୍ଦର ଦିନ ହେଲା ଆସି ଅଛନ୍ତି, ତିନିନମ୍ବର ଘରେ । ସେହି ବଖରାରେ ଗୋଟିଏ ସିଟ୍‌ ଖାଲି ଅଛି, ସେଇଠି ରହିବୁ ।”

 

ମୋର ଜଣେ ସଙ୍ଗୀ ଆସି ପହଞ୍ଚିଲେ ଓ ମୋତେ ବାଟ କଢ଼ାଇ ନେଇଗଲେ । ତାଙ୍କ ସାକ୍ଷାତ୍‌ ପାଇ ମୁଁ ବୋଡିଂରେ ପୁରୁଣା ପିଲା ହୋଇଗଲି ।

 

ତା ଆରଦିନ ପାଞ୍ଚଟାରେ ଉଠି ଗାଧୋଇ ପାଧୋଇ ଉପାସନା କରି କସରତ କରିବାକୁ ବଉଳ ମୂଳକୁ ଆସିଲା ବେଳେ ଦାସେ ଆପଣେଙ୍କୁ ଦେଖିଲି, ତାଙ୍କ ଘରର ବାରଣ୍ଡାରେ ଗୋଟିଏ ବେତ ଆରାମ ଚୌକି ଉପରେ, ହଗି ବସିଲା ପରି ବସିଛନ୍ତି; ଖଣ୍ଡିରେ ପଟା ଭୁଞ୍ଜା ହୋଇ ପଡ଼ିଛି ଆରାମ ଚୌକିର ଦୁଇ ବାହାରେ । ସେଇ ପଟା ଉପରେ ହାମୁଡ଼ି ପଡ଼ି ତାଙ୍କର ଲାଗିଛି ଲେଖା ଅତି କ୍ଷୀପ୍ର ଭାବରେ । ସଙ୍ଗୀଙ୍କ ଠାରୁ ବୁଝିଲି, ଆଜି ସମାଜ ଲେଖିବା ଦିନ । ଗାଧୋଇ ପାଧୋଇ ସେ ପ୍ରାୟ ଛଅଟାରୁ ବସନ୍ତି ଏକ ଆସନରେ ପ୍ରାୟ ସାଢ଼େ ଗୋଟେ ପର୍ଯ୍ୟନ୍ତ । ପ୍ରେସ୍‌ର ମେନେଜର ରାଧାନାଥ ବାବୁ ସମ୍ବାଦ ଫମ୍ବାଦ ଲେଖିବାରେ ହାତ ବଳାଉଥାନ୍ତି ମାତ୍ର । ପ୍ରାୟ ସମସ୍ତ କାଗଜ ଏଇ ଆଠ ଘଣ୍ଟା ଭିତରେ ପୂରି ଯାଏ । ସମ୍ପାଦକୀୟ, ସମ୍ବାଦ ସଙ୍କେତ, ମିଳିଥବା ସମ୍ବାଦ ମାନଙ୍କର ବାଗିଆ ବାଗିଆ ସବୁ ସରିଯାଏ । ପ୍ରତି ଘଣ୍ଟାରେ ପ୍ରେସ୍‌‌ରୁ ଜଣେ ଡଗର ଆସି ଲେଖା ନେଇ ଯାଉଥାଏ, କମ୍ପୋଜିଟରଙ୍କୁ ଦେବା ପାଇଁ । ତହିଁ ଆରଦିନ ଦିନମଣି ଉଠିଲା ବେଳକୁ ଜଣେ ଛାତ୍ର ‘ଦିନମଣି’, ବୋଡିଂରେ ସମାଜ ବାଣ୍ଟିଦିଏ ଗ୍ରାହକମାନଙ୍କୁ । ସମାଜର ଗ୍ରାହକ ହେବା ଗୋଟାଏ ଗୌରବ ବୋଲି ପିଲେ ମନେ କରୁଥାନ୍ତି । ମୁଁ ଦୁଇ ତିନିମାସ ପରେ ସମାଜର ସ୍ଥାନୀୟ ହକ୍‌କର ହୋଇଯିବାରେ ପାଲିଆପାଲି, ଧମକ ଚମକ ଓ ପେଟ ମୁଣ୍ଡ ଦେଖାଇ ଗ୍ରାହକ ସଂଖ୍ୟା ବହୁତ ବଢ଼ାଇଦେଲି ପ୍ରାୟ ଡବଲ୍‌।

 

ସମାଜ ଲେଖାଦିନ ପଣ୍ତିତ ଗୋପବନ୍ଧୁ ଯେତେ କାଗଜ ଗାରେଇ ଦିଅନ୍ତି ତାକୁ ଥରେ ଛପା କାଗଜରୁ ଗଣି କଳନା କରିଥିଲି ଯେ, ପରୀକ୍ଷାରେ ପିଲେ ଘଣ୍ଟାକୁ ଯେତେ ଲେଖନ୍ତି ଦାସେ ଆପଣେ ତହିଁରୁ ଅଧିକା ଲେଖନ୍ତି । ଗୋଟିଏ ପଦ ବି ଅଯଥା କି ଅପ୍ରାସଙ୍ଗିକ ହୋଇ ନଥାଏ । ମୁଁ ଏପରି ଲେଖିବାକୁ ବେଳେବେଳେ ଚେଷ୍ଟା କରେ, ସେହିଦିନ ଆଜି ପର୍ଯ୍ୟନ୍ତ । ବଳେଇବା କଥା ଦୂରେ ଥାଉ, ଥରେ ବି ତାଙ୍କ ସଙ୍ଗେ ସମାନ ହୋଇପାରି ନାହିଁ । ଆମ ଲେଖା ସବୁ ବାହାରେ କଲମରୁ, ତାଙ୍କର ବାହାରେ ନାଭିସ୍ଥଳରୁ । ଲେଖିଲାବେଳେ ସେ ପିନ୍ଧିଥାନ୍ତି ଖଣ୍ଡେ କରିଆ ପ୍ରାୟେ ହାତେ ପାଞ୍ଚ ପା’ ଓସାରର । କୌପୁନୀଠାରୁ ବେଶୀ ଲଜ୍ଜା ନିବାରଣ କରୁ ନଥାଏ; ଲେଖିଲାବେଳେ ତାଙ୍କର ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ଦୋହଲୁଥାଏ । ପଣ୍ତିତ ଗୋପବନ୍ଧୁ ଛୋଟିଆ ମଣିଷ, ଆମ ସମୟର ଦୀନବନ୍ଧୁ ସାହୁଙ୍କ ସଙ୍ଗେ ସେ ଉଚ୍ଚତାରେ ପ୍ରାୟ ସମାନ । ଲେଖିଲାବେଳେ ତାଙ୍କ ଅଙ୍ଗ ଚାଳନା ଦେଖି ବଡ଼ କୌତୁକ ଲାଗେ - ରୀତିମତ କସରତ, ମାନସିକ ସାଙ୍ଗକୁ ଶାରୀରିକ ।

 

ସତ୍ୟବାଦୀର ପରିବେଶ

ଦିନେ ଦୁଇଦିନ ପୁରୁଣା ହେବା ପରେ ସ୍କୁଲର ସମସ୍ତ ଭୂ-ସମ୍ପତ୍ତି, ଚାରିଟାଯାକ ହଷ୍ଟେଲ, ଦୁଇଟାଯାକ ସ୍କୁଲ ଘର, ଛୁରିଅନା ବଣ, ବଗିଚା ପ୍ରଭୃତି ଆବିଷ୍କାର ତଥା ତଦାରଖ କରିଦେଲି । କେତେ କଥା ଦେଖିଲି, ସେଥିରୁ କେତେ ବର୍ତ୍ତମାନ ପେଟ ଭିତରେ ନାଚୁଛି । ତାଲିକା କରିବାକୁ ବେଳ ନାହିଁ । ସବୁଥିରୁ ବେଶୀ ମନେ ପଡ଼ୁଛି, ଆମରି ବ୍ଲକ୍‌ଭିତରେ ମେଲା ଘରେ ରଖା ହୋଇଥିବା ଫିଟନ୍‌ ଗାଡ଼ିଟା, ସବୁ ଠିକ୍‌ଥାଏ, କେବଳ ସମଗ୍ର ଗାଡ଼ିଟା ଉପରେ ଦି ଆଙ୍ଗୁଳି ଧୂଳି । ଛ’ମାସେ ଖଣ୍ଡେ ଆଗରୁ ଏହା ପରିତ୍ୟକ୍ତ ହୋଇଥାଏ । ଘୋଡ଼ାର ଜିନ୍‌ ହେରିକା ସେହି ଗାଡ଼ି ଉପରେ ପଡ଼ିଥାଏ । ଗାଡ଼ିକୁ ଏଠାରେ ସାଇତିବା ଦିନ ବୋଧହୁଏ ଥୁଆ ହୋଇଥିଲା । ଆମରି ପରି କୌଣସି ଜଣେ ଅଧେ କୃତିଙ୍କ କୃତିଫଳରେ ଗାଡ଼ିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଏ ଗୁଡ଼ିକ ବିଛେଇ ହୋଇ ପଡ଼ିଥାଏ । ପରେ ଦିନେ ମୁଁ ୟାକୁ ସଜାଡ଼ି ଦେଲି । ଆମ ଚମଡ଼ା ତଳେ ଶିରା ପ୍ରଶିରା ବିଞ୍ଚି ହୋଇଥିଲା ପରି । ୟାକୁ ଟାଣିବା ଜନ୍ତୁଟି କିନ୍ତୁ ହେପାଦସ୍ତରେ ଥାଏ । ସ୍କୁଲର ବଗିଚାରେ ବଗିଚା ଜଗୁଆଳି ଜିମା ତା'ର ସହୃଦୟତା ଯୋଗୁଁ ଥରେ ମୁଁ ଘୋଡ଼ା ସବାର ହୋଇଥିଲି, ଜୀବନର ସେଇ ଥରକ । ଖଣ୍ଡେ କଳିଅର କରି ଦେଇଥିଲେ ହୋଇଥାନ୍ତା । ସେହି ଗୋଟିକର ଅଭାବ ଯୋଗୁଁ ଦିହର ଚାରି ପାଞ୍ଚ ଜାଗା ରକ୍ତାକ୍ତ ହୋଇଗଲା । ଯାହା ହେଉ, ରାମବାଚୁ, ବାସୁବାବୁଙ୍କର ଏହା ନଜରରେ ପଡ଼ିଥିଲେ ବି ସେମାନେ ଅସଲ କାରଣ ଜାଣି ପାରି ନାହାନ୍ତି । ଘୋଡ଼ାଟି ଦାନା ପରିବର୍ତ୍ତେ ବେଳେ ବେଳେ କୁଟା ନଡ଼ାରେ ପାଳିତ ହୋଇଥିବାରୁ ମୋ ଦେହରେ ଆଉ ବେଶୀ କ୍ଷତ ହେଲା ନାହିଁ ।

 

ହରିବାବୁଙ୍କ ମୁହଁରୁ ବହୁବାର ଶୁଣିଛି, ଜଗୁଆଳିକୁ ତିଆରିବାର “ହଇରେ ବାୟା ! ଏତେଗୁଡ଼ିଏ ତ ଦାନା ନେଉଛୁ, ପଡ଼ିଆ ଘୋଡ଼ାଟାକୁ କାହିଁକି ସବୁଗୁଡ଼ାକ ଦେଉଛୁ ? କୋଳଥ ଜାଉ କଲେ ତୋ ପିଲେ ହାପୁରନ୍ତେ ନାଇଁ ? ଘୋଡ଼ାକୁ ଘାସ କେରାଟେ କରି ଦେଲେ ତ ହୁଅନ୍ତା-?” ସମସ୍ତଙ୍କର ହସ ଲାଗିଲା । ଦାସେ ଆପଣେ କ’ଣ ଗୋଟାଏ ବିଶ୍ଲେଷଣ କରି ବସିଲେ, ଶ୍ରୋତା ଚାରି/ପାଞ୍ଚ ଜଣ କାହୁଁ କାହୁଁ ଆସି ପହଞ୍ଚି ଯାଆନ୍ତି । ସେ ଦିନ ଜଗୁଆଳି ଠିଆ ହୋଇ ମୁଡୁକି ମୁଡୁକି ହସୁଥିବାର ଦିଶୁଛି ।

 

ତାଙ୍କ ବ୍ୟକ୍ତିତ୍ୱ ନିଶା

ଦାସେ ଆପଣେଙ୍କର ସବୁ କଥା ରହସ୍ୟ, ମନକୁ ଘେନେ । ସେହି କଥା ଓ ତାର ପ୍ରକାଶ ଢଙ୍ଗ ଯୋଗୁ ଆପଣେ ତାଙ୍କ ଗୋଷ୍ଠୀଟି ଗଢ଼ିଥିଲେ । ତାଙ୍କ ପାଖରେ ଜମିଥିବା ଶିକ୍ଷକ, ଛାତ୍ର, ରାମା ଚାକର, ହଜାରୀ ସିଂହ ନାମଧ୍ୟେୟ ସ୍କୁଲ ଚପରାଶୀ, ମେସ୍‌ର ରାନ୍ଧୁଣୀଆମାନେ- ସମସ୍ତେ ତାଙ୍କ କଥାର ନିଶାରେ ମତୁଆଲା ହେଲା ପରି ଜଣା ପଡ଼ୁଥାନ୍ତି ସେକାଳେ । ଶେଷ ବେଳକୁ ତାଙ୍କର ଏ ଶକ୍ତି ବହୁତ ହ୍ରାସ ପାଇଗଲା । କାହିଁକି ହେଲା ବୋଲି ମୁଁ ବହୁତ ଭାବେ । ମଲା ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୫୨ ବର୍ଷ । ଆଜି ମୋଠାରୁ ସେ ସେତେବେଳେ ୨୧ ବର୍ଷ ସାନ । ଆମ ଶକ୍ତି କମିବାର ଚିନ୍ତାର ବିଷୟ ନୁହେଁ । କିନ୍ତୁ ତାଙ୍କର ? ମୁଁ ମନେକରେ, ସଂଗୀମାନଙ୍କର ଚିନ୍ତାଧାରା ଅନ୍ୟ ଦିଗରେ ବହିବାରୁ ଗୋଟି ଗୋଟି କରି ସମସ୍ତେ ତାଙ୍କଠାରୁ ଆଡ଼େଇ ହୋଇଗଲେ । ତାଙ୍କର କିନ୍ତୁ ଗତି ସ୍ଥିର ।

 

‘ଫିଟନ୍‌’ ଗାଡ଼ିରେ ବସି ସତ୍ୟବାଦୀ ସ୍କୁଲରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ଯିବା ଗୋପବନ୍ଧୁଙ୍କୁ ମନରେ ଦେଖିଲି, ଏ ବେଳର ଫଟୋ ଅଛି । ଗଳାବନ୍ଦ, କଲାର ଥବା ଲମ୍ବା କୋର୍ଟ ପିନ୍ଧୁଥିବା ଗୋପବନ୍ଧୁ । ବିହାର କାଉନ୍‌ସିଲ୍‌ର ମେମ୍ବର ପଦ ଛାଡ଼ି ଚରଣଦାସଙ୍କ ଗାଡ଼ିରେ, ବେଡ଼ିଂ କାଖରେ ଜାକି ପାଉଥିବା ଗୋପବନ୍ଧୁଙ୍କ ସାଙ୍ଗରେ ତ ସେଦିନ ଆସିଥିଲି । ଦାଢ଼ିଥାଏ, ଲୁଗା ଆଣ୍ଠୁ ତଳକୁ ଚାରି ଆଙ୍ଗୁଳି ମାତ୍ର .ଲମ୍ବିଥାଏ, ଆଉ କୋର୍ଟ କୁର୍ତ୍ତା ବି ନ ଥାଏ, ବେକରେ ଖଣ୍ଡିଏ ମାତ୍ର ଚାଦର । ଶୁଣିଲି, ପୂର୍ବ ଅପେକ୍ଷା କିନ୍ତୁ ଏତେବେଳେ ତାଙ୍କର ବେଶୀ ରହସ୍ୟ, ମନରେ ବେଶୀ ପ୍ରସନ୍ନତା । ୟା ପରେ ପୁଣି ପୋଷାକ ପାଦେ ଖସିଲା, ବା ଚାଖଣ୍ଡେ ଉଠିଲା । ଦାଢ଼ି ଗଲା, ସମ୍ପୂର୍ଣ୍ଣ ଲଣ୍ଡିତ ମସ୍ତକ । ବିହାର କାଉନ୍‌ସିଲ୍‌ର ସେ ଗୋପବନ୍ଧୁ ସେତେବେଳକୁ ଦିଶୁଥାନ୍ତି, ଚୁଡ଼ା ଦହିକୁ ଯାଉଥିବା ବ୍ରାହ୍ମଣ ପରି । କିନ୍ତୁ ତାଙ୍କ ପ୍ରସନ୍ନତା କମି ନ ଥାଏ । ହୁଏତ ଅନ୍ୟକୁ ପ୍ରଭାବିତ କରିବାର ଶକ୍ତି କମିଗଲା । ମୁଁ ମନେ କରେ ସେ ଦିଗରେ ଚେଷ୍ଟା ନଥିବାରୁ । ନ ହେଲେ ସତ୍ୟବାଦୀ ସ୍କୁଲ ଯେପରି ଅବଲୀଳା କ୍ରମେ ହୋଇଥିଲା ଶେଷ ଯୋଜନା ଲୌକିକ ବିଦ୍ୟାଳୟ ସେହିପରି ବିକଶିତ ହୋଇ ପାରିଥାନ୍ତା ।

 

୧୯୨୧-୨୨ରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଉଥିବା ଗୋପବନ୍ଧୁ, ଛାତ୍ରଙ୍କ ସଭାରେ, ବ୍ଲକ୍‌ ମିଟିଂରେ ମତାଉଥିବା ଗୋପବନ୍ଧୁ ଓ କଂଗ୍ରେସ୍‌ କମିଟିରେ ସହକର୍ମୀମାନଙ୍କୁ ମନ୍ତ୍ରମୁଗ୍‌ଧ କରୁଥିବା ଗୋପବନ୍ଧୁ ୧୯୨୮ ବେଳକୁ ମୌନବ୍ରତ ଅବଲମ୍ବନ କରିଥିଲେ ବୋଲି କହିଲେ ଚଳେ । ୧୯୨୮ର ପ୍ରଥମ ଭାଗରେ ସତ୍ୟବାଦୀ ଯାଇ ସେଠାରେ ଗୋପବନ୍ଧୁଙ୍କୁ ଦେଖିଛି-। କୃପାସିନ୍ଧୁ ହୋତା ଆପଣେ, ଜଗନ୍ନାଥ ରଥେ, ସତ୍ୟବାଦୀ ନନ୍ଦେ, ଲାଲବିହାରୀ ଓ ଦୁଃଖିଶ୍ୟାମ ଦାସଙ୍କ ଦ୍ଵାରା ବେଷ୍ଟିତ ଗୋପବନ୍ଧୁ । ପଞ୍ଚସଖାରୁ କେହି ନ ଥାନ୍ତି । ହରିବାବୁ ମଧ୍ୟ ଏହି ଗୋପବନ୍ଧୁଙ୍କୁ ଛାଡ଼ି ଗୋପବନ୍ଧୁ ଚୌଧୁରୀଙ୍କ ଆଡ଼କୁ ଆଉଜୁ ଥାଆନ୍ତି । ଦାସେ ଆପଣେଙ୍କ ମୁହଁର କିନ୍ତୁ ପରିବର୍ତ୍ତନ ନ ଥାଏ । ଓଲଟି ଅଧିକ ତେଜୀୟାନ ଦିଶୁଥାଏ । ସେତିକିବେଳର ଗୋପବନ୍ଧୁ ଦୃଷ୍ଟିରେ ମହାତ୍ମା । ଏଇଲାଗେ ସେଇ ଆଗରେ ଅଛନ୍ତି ।

 

୧୯୨୧ରେ ୟେ ଥିଲେ କର୍ମଯୋଗୀ । ତାଙ୍କର ପ୍ରତ୍ୟେକ କଥା, କାର୍ଯ୍ୟ ଓ ହାବଭାବ ଆମ୍ଭମାନଙ୍କୁ କର୍ମପ୍ରେରଣା ଦେଉଥିଲା । ଆମେ ଯାହା କରୁଥିଲୁ ସବୁଥିରେ ଥିଲା ତାଙ୍କର ସନ୍ତୋଷ ଓ ଆଶୀର୍ବାଦ । ସେ ପିଲାଙ୍କ ସଙ୍ଗେ ରହସ୍ୟ କରନ୍ତି, କିନ୍ତୁ ସେ ରହସ୍ୟରେ ଥାଏ କର୍ମପ୍ରେରଣା । ଥଟ୍ଟାରେ ଥାଏ ସତର୍କବାଣୀ ।

 

ଗୋପବନ୍ଧୁ ଓ ହରିହର

ଦାସେ ଆପଣେଙ୍କ ଥଟ୍ଟା ପରିହାସ, କଅଁଳିଆ କଥା ସାଙ୍ଗକୁ ଆଚାର୍ଯ୍ୟ ହରିହରଙ୍କ ତାଡ଼ନା, ପଣ୍ଡିତ କୃପାସିନ୍ଧୁଙ୍କ କଡ଼ା ନଜର, ପଣ୍ଡିତ ନୀଳକଣ୍ଠଙ୍କ କଠୋର ଦଣ୍ଡ ଓ ବାସୁବାବୁଙ୍କ ହିତୋପଦେଶ ମିଶି ଯେଉଁ ଖେଚେଡ଼ି ହୋଇଥାଏ ସେଥିରେ ମଧୁର ସମନ୍ଵୟ ହୋଇ ଗୋପବନ୍ଧୁଙ୍କ ଥଟ୍ଟା ପରିହାସରେ ଆମେ ଶୃଙ୍ଖଳିତ ହୋଇ ପାରୁ ନଥାଉ କି ହରିହର କି ନୀଳକଣ୍ଠଙ୍କ କଠୋରତାରେ ଦବି ଯାଉନଥାଉ । ହରିବାବୁ ଥରେ ଦାସେ ଆପଣେଙ୍କର ପିଲାଙ୍କ ପ୍ରତି ନରମ ବ୍ୟବହାର ଉପରେ ମନ୍ତବ୍ୟ ଦେଇ କହିଥିଲେ, ମନେ ଅଛି, “ଆରେ ଅପୂଜା ଦିଅଁଙ୍କ ଉପରେ କୁକୁର ମୂତନ୍ତି । ଆମେ ଯଦି ତମ ଉପରେ ଭଲ କରି ପୂଜା ନ କରୁଥାନ୍ତୁ, ତେବେ ଦାସେ ଆପଣେଙ୍କୁ ତୁମେ ମାନନ୍ତ ?”

 

ଏ କଥାଟି ସେ ଯେଉଁ ପ୍ରସଙ୍ଗରେ କହିଥିଲେ ମନେ ଅଛି । ଯାହା ଯୋଗୁଁ ସେଥର ଧରା ପଡ଼ିଥିଲୁ, ସେ ନଟବର ଆଉ ନାହିଁ, ଅକାଳରେ ଆମ୍ଭମାନଙ୍କୁ ଛାଡ଼ି ଚାଲି ଯାଇଛି । ଗ୍ରୀଷ୍ମ ଛୁଟି ଭିତରର କଥା । ପଣ୍ଡିତ ଗୋପବନ୍ଧୁ ଚକ୍ରଧରପୁର ଯାଇଥାନ୍ତି ଛୁଟିରେ ଯେଉଁ ମାଷ୍ଟ୍ର ଚାରିପାଞ୍ଚଜଣ ଥାନ୍ତି ସେମାନେ ଯାଇଥାନ୍ତି ପ୍ରଚାର କାର୍ଯ୍ୟରେ । ଆମେ ଯେଉଁ ପିଲା ପଂଝାକ ଥାଉ ସେମାନେ ଚାରିଦିନ ପ୍ରଚାରରେ ଗଲେ, ତିନିଦିନ ବୋଡ଼ିଂକୁ ଫେରିଆସୁ ବିଶ୍ରାମ ନେବାକୁ, ପାଠ ପଢ଼ିବାକୁ ବୋଲି ମାଷ୍ଟ୍ରେ କହନ୍ତି । ତହିଁ ପୂର୍ବଦିନ ଆମେ ଫେରିଯାଉ । ସକାଳୁ ନଜର ପଡ଼ିଲା ସ୍କୁଲ ହତାରେ ଥିବା ଗୋପାଳଜୀଙ୍କ ନଡ଼ିଆଗଛ ଗୁଡ଼ିକ ଉପରେ । ଯଥା ସମୟରେ ଗୋପାଳଜୀଙ୍କ ଲୋକ ଆସି ନଡ଼ିଆ ପାରି ଠାକୁରଙ୍କ କୋଠକୁ ନିଅନ୍ତି । ସେଦିନ ଆମର ମନ ହେଲା; ଗଣ୍ଡେ ଦି’ଗଣ୍ଡା ତୋଳି ଆମ କୋଠାରେ ପକାଇବାକୁ । ନଡ଼ିଆ ଗଛରେ ଚଢ଼ିବା ବିଦ୍ୟା ଆମ କାହାରି ନ ଥାଏ । କିନ୍ତୁ ପଣ୍ଡିତେ ତ ପଢ଼ାଇଥାନ୍ତି, “ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥୈଃ ।” ଆଙ୍କୁଡ଼ି ଓ ଟେକା ସାହାଯ୍ୟରେ ଉଦ୍ୟମ କରିବା ଫଳରେ ଅଠର ଗଣ୍ଡା ନଡ଼ିଆ ତଳକୁ ଆସିଲେ ଏବଂ ଅସ୍ୱାଭାବିକ ରୀତିରେ ଉଦରସ୍ଥ ହେଲେ । ରୋଷେଇଆ ଓ ସ୍କୁଲ ଚପରାଶୀଙ୍କୁ କିଛି ମିଳିଲା ପାଟି ନ କରିବାକୁ । କତା ଗୁଡ଼ିକ ସଯତ୍ନେ ରଖିବାକୁ ହେଲା ଅଠର ନମ୍ବର ଘରେ, ସୁବିଧା କ୍ରମେ ସ୍ଥାନାନ୍ତରିତ ହେବାକୁ-

 

ଦୁଇ ଦିନ ଯାଇଛି କି ନାହିଁ, ହରି ବାବୁ ଫେରିଲେ ଏବଂ ଆମେ ସମସ୍ତେ ଧରା ପଡ଼ିଲୁ, ନଟବର ବୋଲି ପିଲାଟି ଯୋଗୁଁ । ତା’ର ସେତେବେଳକୁ ଘୋର ଡାଇରିଆ । ବୋଡ଼ିଂର ଚିକିତ୍ସକ (ହୋମିଓପ୍ୟାଥି) ହରିବାବୁଙ୍କୁ କାହୁଁ କାହୁଁ ଜଣା ପଡ଼ିଲା, ନଟବର ଓଷୁଅ ଦି’ତିନି ପାନରେ ଭଲ ହେଲା ସିନା, ହରିବାବୁଙ୍କ ତଦାରଖରେ ନଡ଼ିଆ କତା ସବୁ ବି ବାହାରିଲେ ଏବଂ ଆମ ଆଖିରୁ ଲୁହ ଗୁଡ଼ାଏ ଲେଖାଁଏ ବାହାରିଲେ । ଏ କଥା ଚାରି ପାଞ୍ଚଦିନ ପରେ ଦାସେ ଆପଣଙ୍କ କାନକୁ ଗଲା । ବ୍ୟସ୍ତ ହେଲେ, ସାକ୍ଷୀଗୋପାଳଙ୍କ ପାଣ୍ଠିରେ ଅଠର ଗଣ୍ଡାର ଦାମ୍‌ଯୋଡ଼ିଏ ଟଙ୍କା ଡିପୋଜିଟ୍‌ କରିଦେବା ପାଇଁ ଅନ୍ୟତମ କମିଟି ମେମ୍ବରଙ୍କ ପାଖକୁ ମୋତେ ପଠାଇଲେ । ଆଚାର୍ଯ୍ୟ ହରିହରଙ୍କ ଶାସନ ଉପରେ ମନ୍ତବ୍ୟ ଦେଲେ, “ହରିହର ! ଏ ଯେଉଁ କାର୍ଯ୍ୟ ଏ ପିଲେ ତ ପୃଥିବୀରେ ସର୍ବପ୍ରଥମ କରି ନାହାନ୍ତି ! ୟାଙ୍କ ଶିକ୍ଷକ ଓ ଅଭିଭାବକମାନେ ନିଜ ନିଜର ପିଲାଦିନ କଥା ଟିକେ ମନେ ପକାଇବା ଉଚିତ ।” ଏହା କହି ତାଙ୍କ ପିଲାଦିନର ଗୋଟିଏ ବିଶେଷ ଘଟଣା ମନେ ପକାଇ ତାର ବିସ୍ତୃତ ବିବରଣ ଆମ ଆଗରେ ଦେଇଦେଲେ । ଆମ ଭିତରୁ କେହି କେହି ଦାନ୍ତ ନେଫେଡ଼ି ଦେବାର ଅନୁମାନ କରି ଆଚାର୍ଯ୍ୟ ହରିହର କହିଥିଲେ ଉପରୋକ୍ତ ମନ୍ତବ୍ୟ ।

 

ପାଠପଢ଼ାର ବିରତି ନ ଥାଏ

ଏହି ସବୁ ନରମ ଗରମ ଭିତରେ ପାଠପଢ଼ା ଖୁବ୍‌ ଚାଲିଥାଏ । ଭୂଗୋଳକୁ ସିନା ଡରକରି ଆସିଥିଲି, ତାମିଲ ମାଷ୍ଟ୍ର ଜଣେ ଥାନ୍ତି ଯେ, ଭୂଗୋଳକୁ ଘୋଷି ନକ୍‌ସା କରି ପଢ଼ିଲେ ଯାଇ ପରମାର୍ଥ ମିଳିବ ବୋଲି ତାଙ୍କର ବିଶ୍ଵାସ । ହରିବାବୁ ଏକାବେଳକେ ଅଙ୍କ ପିଆଇ ଦିଅନ୍ତି । ବାସୁବାବୁଙ୍କର ଏବେ ମୃତ୍ୟୁ ସମ୍ବାଦ ଶୁଣି ତାଙ୍କର ସାହିତ୍ୟ ପଢ଼ାଇବାର ରୂପ ଦିଶିଗଲା । ଗଦ୍ୟକୁ ମଧ୍ୟ ଏପରି ଅଭିନୟ କରି ପଢ଼ାନ୍ତି ଯେ ତାଙ୍କର ଝାଳ ବୋହିଯାଏ । ପଣ୍ଡିତ କୃପାସିନ୍ଧୁ ଖୁବ୍‍ ଭଲ ଇଂରାଜୀ ପଢ଼ାନ୍ତି । ଅବଶ୍ୟ ତାଙ୍କର ଉଚ୍ଚାରଣ ଓ ପଢ଼ିବା ଢଙ୍ଗ ସେତେ ଭଲ ହୁଏ ନାହିଁ । ବର୍ତ୍ତମାନ ଜୀବିତ ନନ୍ଦ ବାବୁ ବି ଭଲ ଇଂରାଜୀ ପଢ଼ାନ୍ତି । ବାସୁବାବୁଙ୍କ ବିଷୟରେ ଲେଖୁ ଲେଖୁ ସତ୍ୟବାଦୀ ସ୍କୁଲର ଶେଷ ଶିକ୍ଷକ ଚାଲିଗଲେ ବୋଲି ଖବର କାଗଜରେ ବାହାରିବାର ପଢ଼ିଲି । ନନ୍ଦବାବୁ ଥିବାର ବୋଧହୁଏ ଏହାର ଲେଖକ ଭୁଲି ଯାଇଛନ୍ତି । ଆମେ ଯେ ତାଙ୍କରି ପାଖରେ ପଢ଼ିଛୁ, ତାଙ୍କୁ ଭୁଲି ପାରିବୁ ନାହିଁ । ସବୁବେଳେ ବେଶୀ ପାଠ ମିଳେ ଗୋପବନ୍ଧୁ ଦାସଙ୍କଠାରୁ । ଶନିବାରମାନଙ୍କ ବ୍ଲକ ମିଟିଂରେ । ସବୁ ଶନିବାର ସେ ସତ୍ୟବାଦୀରେ ନ ଥାନ୍ତି । ଥିଲାବେଳେ ସେ ତାଙ୍କ ମନକୁ ନ ଆସିଲେ, ଆମେ ଯାଇ ନାଳେଇ ପାଳେଇ ତାଙ୍କୁ ଆଣୁ । ତାଙ୍କର କେତୋଟି ବକ୍ତୃତା ଏବେ ବି ଆବୃତ୍ତି କରି ପାରିବି । ଥରେ ସେ କହିଥିଲେ –

 

‘‘ଇଂରେଜ ଅମଳରେ ଆମର ଶିକ୍ଷାର ରୀତି ଖରାପ ହୋଇ ଯାଇଛି । ବର୍ତ୍ତମାନ ଶିକ୍ଷାର ମୂଳ କଥା ଇଂରାଜୀ ଶିଖିବା ଓ ଚାକିରି କରିବା । ଏହା ଫଳରେ ଇଂରାଜୀ ଜାଣିଥିବା ଓ ନ ଜାଣିଥିବା ଦୁଇଗୋଟି ଜାତି ସୃଷ୍ଟି ହୋଇ ଯାଉଛନ୍ତି । ଯେ ଇଂରାଜୀ ପଢ଼ିଛି ସେ ଟିକିଏ ବି ଖରା ବର୍ଷା ଶୀତ ନ ସହି ଖାଲି ଘର ଭିତରେ ଖାଉଛି ଓ ଶୋଉଛି । ଏହା ଫଳରେ ପୋଲାଖିଆ ଇଂରାଜୀ ପଢ଼ୁଆ ଗୁଡ଼ାକ ଅକର୍ମଣ୍ୟ ହୋଇ ମରୁଛନ୍ତି ଓ ନ ପଢ଼ିଥିବା ଲୋକେ ଏମାନଙ୍କ ପାଇଁ ଖଟି ଖଟି ମରୁଛନ୍ତି । ପଚାଶ ବର୍ଷ ପରେ ଏହାରି ଫଳରେ ଦେଶର ଅବସ୍ଥା କ’ଣ ହେବ ବୋଲି ଭାବିଲେ ଆଖିରୁ ଲୁହ ଆସେ ।”

 

ସେ ଏପରି ଆନ୍ତରିକତାର ସହିତ କହୁଥାନ୍ତି ଯେ, “ଆଖିକୁ ଲୁହ ଆସେ” ବୋଲି କହିଲା ବେଳକୁ ତାଙ୍କ ଆଖିରୁ ଝର ଝର ହୋଇ ଲୁହ ଗଡ଼ିପଡ଼େ । ଗୋପବନ୍ଧୁଙ୍କର ଜଣେ ଅନୁକରଣକାରୀ ଏ ବିଦ୍ୟାର ଅଭିନୟ କରିବାର ଦେଖିଛି; କିନ୍ତୁ ଅଭିନୟ ଓ ଅନୁଭୂତି ଅତି ସହଜରେ ଧରା ପଡ଼ିଯାଏ ।

 

ଅଳ୍ପଦିନ ପରେ ଦିନେ ବଢ଼ି ସକାଳଟାରୁ ପୁରୀର ମାଜିଷ୍ଟ୍ରେଟ୍‌ ହର୍ଷଫିଲଡ୍‌ ଓ ପୁଲିସ୍‌ ସୁପରଇନ୍‌ଟେନ୍‌ଡେଣ୍ଟ ଗାଇସ୍‌ ସାହେବ ତାଙ୍କ ଗଣମାନଙ୍କ ସହିତ ଆମ ହତା ଚଢ଼ାଉ କଲେ । ଦାସେ ଆପଣେ ଥାଆନ୍ତି । ବହୁ ତଦାରଖ ହେଲା । ଦାସେ ଆପଣେଙ୍କ ଘରର କାଗଜପତ୍ର ସବୁ ଘଣ୍ଟା ହେଲା । ବେଳ ଦି’ଘଡ଼ିକି ସେମାନେ ଫେରିଲେ । ଆମକୁ ମଉଜ ଲାଗୁଥାଏ । ବାସୁବାବୁଙ୍କ ଯୋଗୁ ପୁଲିସ ଆମ ହତା ଓ ଦାସେ ଆପଣେଙ୍କ ଘର ଘେରଉ କରିଥିବା ବେଳେ ଆମର ଦଣ୍ଡବୈଠକ ଚାଲିଥାଏ । କସରତ ବେଳେ ବାସୁବାବୁଙ୍କ ଆଦେଶ ଶୁଣି ଜଣେ ପୁଲିସ ଚମକି ପଡ଼ିଥିବାର ମୁଁ ଦେଖିଛି ।

 

ସେ ନିଜେ ଗୋଟିଏ ସ୍କୁଲ

ପଣ୍ଡିତ ଗୋପବନ୍ଧୁଙ୍କର ସବୁବେଳେ କାମ । ତାଙ୍କ ମୃତ୍ୟୁର ପାଞ୍ଚ ମିନିଟ୍‌ ପୂର୍ବ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ କରିଛି, ସେ ମୁହୂର୍ତ୍ତେ ନିଷ୍କ୍ରିୟ ହୋଇ ବସନ୍ତି ନାହିଁ । ସବୁ ବେଳେ କାମ ଲାଗିଥାଏ, କାମରେ ଟିକିଏ ବିରତି ହେଲେ ସହକର୍ମୀମାନଙ୍କ ସଙ୍ଗେ କେତେବେଳେ କେମିତି ଆମ ଭିତରୁ ଚାରି ପାଞ୍ଚ ଜଣଙ୍କ ସଙ୍ଗେ ଆଲୋଚନା ହୁଏ । ଦେଉଳ ଦୁଆରେ ସଭା (ସତ୍ୟବାଦୀରେ ଥିବା ବେଳେ) ପ୍ରତି ତିନି ଚାରିଦିନ ବ୍ୟବଧାନରେ ହେଉଥାଏ । ଗୋପାଳଙ୍କ ମନ୍ଦିରକୁ ଯାଇ ଦର୍ଶନ କରନ୍ତି । ଛାଇ ଲେଉଟିବା ପରେ ବକୁଳ ବନ ଓ ସ୍କୁଲ ବଗିଚା ଦେଖିବାକୁ ଯାଆନ୍ତି । ମୁଁ ସବୁବେଳକୁ ଉଣ୍ଡିକରି ଥାଏ, ତାଙ୍କ ବୁଲି ଗଲାବେଳେ ତାଙ୍କ ପଛରେ ଯିବାକୁ । ସବୁଥର ଅନୁମତି ମିଳେ ନାହିଁ । ଯେତେବେଳେ ମିଳେ, ପ୍ରତି ପଦକ୍ଷେପରେ କିଛି ନା କିଛି ଶିଖେ ।

 

ଥରକର ତାଙ୍କ ସଙ୍ଗେ ଯାଇଥିଲି ସ୍କୁଲ ବଗିଚା ପରିଦର୍ଶନରେ । ଜଗୁଆଳିଟି ତ ସବୁବେଳେ ଥାଏ । ଦିନ ମଜୁରିଆ ତିନିଜଣ ବି କାମ କରୁଥାନ୍ତି । ବଗିଚାର ତତ୍ତ୍ଵାବଧାରକ କୁଶି ହୋତା ବି ଥାଆନ୍ତି । ବଗିଚାରେ ବୁଲିଆସି, ସେ ଜଗୁଆଳି ଘରର ଦାଣ୍ଡ ପିଣ୍ଢାରେ ବସିପଡ଼ି କ୍ଷୁଣ୍ଣ ମନରେ କହିଲେ କୁଶି ହୋତାଙ୍କୁ - “ଜାଣିଲୁ କୁଶି, ତେ ହି ନୋ ଦିବସା ଗତାଃ । ଏଇ ବଗିଚା ତା ସମୟରେ କେମିତି ଦିଶୁଥିଲା, ଏବେ କିମିତି ଦିଶୁଛି ?” କୁଶି ହୋତାଙ୍କଠାରୁ ପରେ ଶୁଣି ବୁଝିଲି, ଯାହା ଅମଳ କଥାକୁ ସେ ସେଦିନ ବାହୁନିଲେ ସେ ସ୍ୱର୍ଗତଃ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ବାପା, ନାମ ପାଶୋର ହୋଇ ଗଲାଣି । ସେ ପ୍ରତି ଗଛକୁ ପିଲା ପରି ପାଳୁଥିଲେ ।

 

କୁଶି ହୋତା ଗୁଣୁଗୁଣୁ ହୋଇ କ’ଣ କୈଫିୟତ ଦେଲେ । ଦାସେ ଆପଣେ କହିଲେ, ସେ ଲୋକଙ୍କ ମନ ନେଇ ପାରୁଥିଲେ । ତା କଥାରେ ଲୋକେ କାମ କରୁଥିଲେ । ସେ ଗୁଣ ତ ଆଉ ନାହିଁ, କାମ ହେବ କେମିତି ? ଆଉ ଏ ଯୁଗରେ ଯେଉଁ ପଞ୍ଝାକ ଉତୁରିଛେ ଆମ ଠାରେ ହଲିଲା ପାଣିରେ ଗୋଡ଼ ଦେବାର ସାମର୍ଥ୍ୟ ନାହିଁ, କି ଲୋକଙ୍କୁ କାମ କରାଇବାର ଇଲମ ନାହିଁ ।

 

ପୋଲାଖିଆ ଓ ଖଟିଖିଆ

ଏତିକି କହି ସେ ଲୋକଙ୍କୁ ପାଖକୁ ଡାକି ଆଦେଶ, ଉପଦେଶ ଓ ସାଉଁଳା ପାଉଁଳା କରି ମନ ଲଗାଇ କାମ କରିବାକୁ ପ୍ରବର୍ତ୍ତାଇଲେ । ଫେରିଲା ବେଳେ ମୁଁ ଟିକିଏ ସୁବିଧା ପାଇ ସାହସ କରି କହିଦେଲି, “ଆପଣେ ଲୋକଙ୍କ ସଙ୍ଗେ ଯେପରି କଥାବାର୍ତ୍ତା ହେଲେ, ସେଥିରେ ତ ସେମାନେ ବେଶି ମନୁଆ ହୋଇଯିବେ” । ସେ ମୋ ଆଡ଼କୁ ବୁଲି ପଡ଼ି ବକୁଳ ବନର ଟେନିସ୍‌ ପଡ଼ିଆରେ ମୋତେ ଗୋଟିଏ ଛୋଟିଆ ବକ୍ତୃତା ଦେଲେ, ସେତେବେଳର ମୁହଁ ମନେ ପଡ଼ୁଛି ଏବଂ ତାଙ୍କର ପ୍ରତ୍ୟେକ ପଦ ବି କାନରେ ବାଜୁଛି । ସେ କହିଲେ, “ମନୁଆ ହେଲେ ହୋଇପାରନ୍ତି, କିନ୍ତୁ ଆମର ଉପାୟ କ’ଣ ? ଆମେ ମାସେ ପନ୍ଦର ଦିନରେ ଦଣ୍ଡେ ଘଡ଼ିଏ ତାଙ୍କ ସଙ୍ଗେ ଆମ କଥାବାର୍ତ୍ତା ହେବାକୁ ବେଳ ପାଉ ନଥାଇଁ । ସବୁଦିନ ଆସୁଥାନ୍ତେ, ତାଙ୍କ କାମରେ ଟିକିଏ ମିଶି ଯାଉଥାନ୍ତେ ଯଦି ତେବେ ଆମ କଥାର ଫଳ ହୁଅନ୍ତା । ଆଗ ହେଉଥିଲା । ଆଜିକାଲିର ପାଠ ପଢ଼ା ଯୋଗୁଁ ଆମେ ଖଟୁଥିବା ଲୋକଙ୍କଠାରୁ ଅଲଗା ହୋଇ ଯାଇଥାଇଁ । ପାଠ ପଢ଼ିଲେ ଖରା, କାକର ଓ ପାଣିକୁ ଡର ହୋଇ ଯାଉଛି । ପାଠ ପଢ଼ିଲେ ଚାକିରି ଖଣ୍ଡେ କିପରି ମିଳିବ, ସେଇଥିରେ ରହୁଛି ଧ୍ୟାନ । ଚଉକିରେ ଦିନଯାକ ବସି ଯେଉଁ ଦଶ ତିରିଶ ପାଉଥାଇଁ ତା’ରି ବଳରେ ମୂଲିଆକୁ ଧମକାଇ ଚମକାଇ କାମ କରିବା ଢଙ୍ଗ ଆରମ୍ଭ ହେବାରୁ ଲୋକେ ହେଉଛନ୍ତି ମନୁଆ । ଆମକୁ ଦେଖି ସେମାନେ ବି କର୍ମବିମୁଖ ହୋଇଯାଉଛନ୍ତି । ଦେଶରେ ଦୁଇଟା ଜାତି ଗଢ଼ି ଉଠୁଛି, ପୋଲାଖିଆ ଓ ଖଟିଖିଆ । ଆମ ପାରମ୍ପରିକ ଜାତିଭେଦ ଠାରୁ ୟେ ଆହୁରି ମାରାତ୍ମକ । ଆମ ପୂର୍ବର ବ୍ରାହ୍ମଣ ବିଲକାମରେ ଥିଲେ ବାଉରୀଙ୍କର ସମକକ୍ଷ । ତୁଣ୍ଡରୁ ବାହାରୁ ଥିଲା ପାଠ, ହାତ କରୁଥିଲା କାମ । ଆମ ଘରର ଗୋଟିଏ ହଳିଆ ଥିଲା । ସେ ମୋ ନନାଙ୍କ ଭଳି ପାଠ ଜାଣିଥିଲା । ତାଠାରୁ ଶୁଣିଛି ବିଲ କାମରେ ଆମ ନନା ତାକୁ ବଳି ଯାଉଥିଲେ ।”

 

ମୂଲିଆଙ୍କ ସଙ୍ଗେ ବ୍ୟବହାର ବିଷୟରେ ମଧ୍ୟ ସେଦିନ ମୋତେ ବହୁତ କହିଲେ । ତାଙ୍କ କଥାର ସାର, ମାଡ଼, ଗାଳି, ଧମକ, ଚମକ ହରେକ ରକମ ଦଣ୍ତ ଦିଆଯାଇ କାର୍ଯ୍ୟ ଉଦ୍ଧାର କରିବାର ଉଦ୍ୟମ ହୁଏ ସିନା ଏ ସବୁ ବୃଥା । ମଣିଷର ମନ ଉଦ୍‌ବୁଦ୍ଧ ନ ହେଲା ପର୍ଯ୍ୟନ୍ତ କର୍ମ ପ୍ରେରଣା ଆସିବ ନାହିଁ । ଦଣ୍ଡ ଦ୍ଵାରା ମନରେ କର୍ମ ପ୍ରେରଣା ଆସେ ନାହିଁ । ଆସେ, ପ୍ରତିରୋଧ କରିବାର ପ୍ରବୃତ୍ତି । ଏଇଥିରୁ ଶଗଡ଼ ଉଡ଼ାଇବାର କୌଶଳ ବିଷୟ ଉଠିଲା । ମୁଁ ବିସ୍ମିତ ହୁଏ, ଦାସେ ଆପଣଙ୍କୁ ସବୁ ବିଷୟ ଜଣା ପଡ଼ିଲା କେମିତି ? ବଳଦକୁ କିମିତି ଉଠାଇବ, ପିଲାଙ୍କୁ କିପରି ଚଳାଇବ, ସହକର୍ମୀଙ୍କୁ କିମିତି ମେଳାଇବେ, ଜନ ସାଧାରଣଙ୍କୁ କିମିତି ମତାଇବେ - ଏ ସବୁ ତାଙ୍କୁ ଜଣା । ହଳ କରିବା, ବିଲ ବାଛିବା, ଧାନ କାଟିବା, ଘର ଛପର କରିବା, ଶେଷକୁ ମାଛ କେଳେଇବା ପର୍ଯ୍ୟନ୍ତ ସେ ଯେପରି କହନ୍ତି ସେଥିରୁ ଜଣାଯାଏ, ସତେ ଯେପରି ସେ ଏସବୁ ନିଜେ କରିଛନ୍ତି ।

 

ସେ କହିଲେ, “ଲୋକଙ୍କୁ ଯେପରି କହୁଛି, ତା’ର ବିପରୀତ ଫଳ ହେଉଥିବ ବୋଲି ମୋର ବନ୍ଧୁମାନଙ୍କୁର ଭୟ ହୁଏତ ହୋଇଥିବ; କିନ୍ତୁ ମାଡ଼ ଗାଳିର ବିପରୀତ ଫଳ ତ ସେହିଲାଗି । ଆମ ସଦୁପଦେଶର ସୁଫଳ ହେଉ ନ ହେଉ, କୁଫଳ ତ ହେବା ଅସମ୍ଭବ । ଶେଷରେ କିନ୍ତୁ ନିଶ୍ଚେ ଫଳ ଫଳିବ ।” ଏ କଥା କହିଲା ବେଳ କଥାର କଥା ବୋଲି ଧରି ନେଇଥିଲି । ଭଲ ବୋଲି ବୁଝି ନ ଥିଲି, ତାଙ୍କରି ନିଜ ଠାରେ ଏବେ ବୁଝୁଛି । ଦାସେ ଆପଣେ ସହକର୍ମୀମାନଙ୍କୁ ଯେପରି ଏକ ମେଳି କରିଥାନ୍ତି, ତାହା ତ ସେତେବେଳେ ଦେଖିବାର କଥା । ଆଗରେ କହିଛି, ସମସ୍ତେ ସତେ ଯେପରି ମନ୍ତ୍ରମୁଗ୍‌ଧ ହୋଇ ତାଙ୍କରି ଆଡ଼େ ଚାହିଁଥାନ୍ତି ।

 

ସେ ଭାଗ୍ୟ ବେଶୀଦିନ ରହିଲା ନାହିଁ । ଜାତୀୟ ବିଦ୍ୟାଳୟ ଆରମ୍ଭ ହେବାର ସେହି ବର୍ଷ ମଝିରେ ସେ ଘୋଷରା ହେଲେ ଖୋର୍ଦ୍ଧା କଚେରୀକୁ । ସେତେବେଳେ ଆଇନର ଶାସନ ଆମ ଦେଶରେ ଚାଲୁଥିଲା । ଦାସେ ଆପଣେ ‘ସମାଜ’ର ଗୋଟିଏ ସମ୍ବାଦର ଶିରୋନାମା ଦେଇଥାନ୍ତି - “ସତ୍ୟ ହୋଇଥିଲେ. ସାଂଘାତିକ” । ସମ୍ବାଦଟା ପୋଲିସର ଅତ୍ୟାଚାର ସଂକ୍ରାନ୍ତ । ଦାସେ ଆପଣେ ଧରା ହୋଇଗଲେ । ସେ ଧରା ଯଥାର୍ଥ ଧରା, ହାତରେ ବେଢ଼ି, ଅଣ୍ଟାରେ ଦଉଡ଼ି । ଯୋଡ଼ାଏ ପୋଲିସ୍‌ ଦୁଇ ପାଖରେ ଛିଡ଼ା ହୋଇ ଆଗକୁ ଚଲାଉଥାନ୍ତି । ପଛରେ ଆଉଜଣେ ଦଉଡ଼ିର ଶେଷ ଭାଗ ଧରିଥାଏ । ଦାସେ ଆପଣେ ଜାମିନୀରେ ଛାଡ଼ ପାଇବାକୁ ମନା କରି ଖୋର୍ଦ୍ଧା ଜେଲ୍‌ରେ ରହିଲେ । ତାଙ୍କର ଗୋଟିଏ କବିତାରୁ ଏ ଜେଲ୍‌ଖାନାର ବର୍ଣ୍ଣନା ପଢ଼ିଛି । ସେତେବେଳେ ଆସାମୀଙ୍କ ଭିତରେ ବାଛ ବିଚାର ନ ଥାଏ । ସମସ୍ତଙ୍କର ଏକ ପ୍ରକାର ଖାଇବା ଓ ଶୋଇବା ବ୍ୟବସ୍ଥା ହୋଇଥାଏ । ଦଣ୍ଡ ଦେଲାବେଳେ ହାକିମ କେଉଁ ଶ୍ରେଣୀରେ ଜେଲ୍‌ ଭୋଗିବେ ଠିକଣା କରନ୍ତି । ଆଜି କାଲି ହାଜତି ଅବସ୍ଥାରେ ମଣିଷଙ୍କ ଶ୍ରେଣୀ ବିଚାର ହୋଇଯାଉଛି । ଏଇ ଦୁଇଟାରୁ କେଉଁଟା ନ୍ୟାୟ ଓ କେଉଁଟା ନୁହେଁ, ଆଇନଜ୍ଞମାନେ ବସି ବିଚାର କରିବାର କଥା ।

 

ସେତେବେଳେ ଆଉ ଗୋଟିଏ ବିଧିକୁ ଭଲ କରି ମାନୁଥାନ୍ତି । ଫୌଜଦାରି ମକଦ୍ଦମା ରୁଜୁ ହେଲାଠାରୁ ଛଅମାସ ଭିତରେ ଫଇସାଲା ହେବ । ମାସକ ଭିତରେ ଦାସେ ଆପଣେଙ୍କ ମକଦ୍ଦମା ବିଚାର ହୋଇଯାଇଥିଲା । ସମ୍ବାଦଟିର ଶିରୋନାମାରେ ଯେଉଁ ପ୍ରଶ୍ନବାଚକ ଚିହ୍ନଟି ଥିଲା ତାହାରି ଆଶ୍ରାରେ ଦାସେ ଆପଣେ ଛାଡ଼ ପାଇଗଲେ । ହାକିମ ସୁଭାଷ ବୋଷଙ୍କର ଜଣେ ଭାଇ । ସେ ଯେଉଁ ରାୟ ଦେଲେ ତହିଁରେ ଦାସେ ଆପଣେଙ୍କ ପ୍ରତି ତାଙ୍କର ପକ୍ଷପାତିତା ସୂଚିତ ହେବାରୁ ବୋଧହୁଏ, ଉପରବାଲା କୈଫିୟତ ମାଗିଲେ । ଶ୍ରୀଯୁକ୍ତ ବୋଷ ଇସ୍ତଫା ଦେଇଦେଲେ । ଆମ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ କେତେମାସ ପୂର୍ବରୁ ଇସ୍ତଫା ଦେଲା ପରି ।

 

ୟେ ମକଦ୍ଦମାରୁ ଛାଡ଼ ପାଇ ଦାସେ ଆପଣେ ଲାଗିଗଲେ ତାଙ୍କ ପୂର୍ବ କର୍ମସୂଚୀରେ । ସମାଜ ଲେଖା, ଶିକ୍ଷକ ଓ ଛାତ୍ରମାନଙ୍କ ସାଙ୍ଗେ ଆଲୋଚନା, ବ୍ଲକ୍‌ ମିଟିଂ, ସାଧାରଣ ସଭା ଇତ୍ୟାଦି-। ଯଥାରୀତି ଏ ରୁଟିନ୍‌ ଚାଲିବାର ଅଳ୍ପ ଦିନରେ ଆରମ୍ଭ ହୋଇଗଲା “କନିକା ମକଦ୍ଦମା”-। ଦାସେ ଆପଣେ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଓ ସ୍ୱର୍ଗତଃ ଭାଗିରଥି ମହାପାତ୍ରଙ୍କ ସାଙ୍ଗେ ଗଲେ ହଜାରିବାଗ୍‌କୁ, ଏକାଥରେ ଦୁଇବର୍ଷ ପାଇଁ ।

 

ସବୁ ବଦଳିଗଲା

ଶ୍ରୀକୃଷ୍ଣଙ୍କୁ ହରାଇ ଗୋପ ଗୋପୀଙ୍କର ଯେଉଁ ଦଶା ହୋଇଥିଲା, ଆମର ହେଲା ଠିକ୍‌ ସେଇଆ । ଫରକ୍‌ ଏତିକି ଯେ, କୃଷ୍ଣ ବିରହରେ ଗୋପ ଗୋପୀ ତାଙ୍କ ଆଡ଼କୁ ଅଧିକ ଆକୃଷ୍ଟ ହୋଇଥିଲେ, ଆମର ହେଲା ଠିକ୍‌ ଓଲଟା ଫଳ । ଶିକ୍ଷକମାନଙ୍କର ମେଳ ଫାଟିଗଲା । ତାହାର ପ୍ରାୟଶ୍ଚିତ ହେଲା ସମସ୍ତଙ୍କର ଧନ ପ୍ରତି ଅଧିକ ତୃଷ୍ଣାରେ । ଏମାନେ ସମସ୍ତେ ଦଶଟଙ୍କାରୁ ତିରିଶ ଟଙ୍କା ଭିତରେ ମାସିକ ଦରମା ପାଉଥିଲେ । ହେଡ଼୍‌ମାଷ୍ଟର କୃପାସିନ୍ଧୁ ମିଶ୍ରେ ନେଉଥିଲେ ଦଶଟଙ୍କା, ପଣ୍ଡିତ ନୀଳକଣ୍ଠ ଓ ଲିଙ୍ଗରାଜ ତିରିଶ ଟଙ୍କା ଲେଖାଏଁ । ଇୟେ ଦୁଇବର୍ଷରେ ସମସ୍ତେ ଅନୁଭବ କଲେ, ‘ଆଲୋ ମଉସା ଜଡ଼ ପଇସା’ । ସେତେବେଳେ କିନ୍ତୁ ପୂର୍ବର ଦଶ, ତିରିଶ ଦେବାକୁ ମଧ୍ୟ ସ୍କୁଲର କ୍ଷମତା ନ ଥାଏ ।

 

ମାଷ୍ଟ୍ରମାନଙ୍କ ବିକ୍ଷିପ୍ତ ମନୋବୃତ୍ତିରେ ପିଲାଙ୍କ ପାଠପଢ଼ାରେ ଯତ୍ନ ନ ରହିବା ସ୍ୱାଭାବିକ । ପିଲେ ଏପଟ ସେପଟ ହେବାକୁ ଲାଗିଲେ । ଶେଷକୁ କେତେଜଣ ବାହାରି ଛାତ୍ର ଭାବରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଦେବାକୁ ମଧ୍ୟ ପ୍ରସ୍ତୁତ ହେଲେ । ୨୪ ଖ୍ରୀଷ୍ଟାବ୍ଦରେ ଦାସେ ଆପଣେ ଫେରିଲା ବେଳକୁ ତାଙ୍କ ପ୍ରାଣାଧିକ ଅନୁଷ୍ଠାନଟି ଭାଙ୍ଗିରୁଜି ଯାଇଥାଏ । ସେ ତାଙ୍କ ସ୍ଵାଭାବିକ ଢଙ୍ଗରେ ପୁନର୍ଗଠନ ଆରମ୍ଭ କଲେ । ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସାହାଯ୍ୟରେ ସେ ବମ୍ବେ ଯାଇ ଟଙ୍କା ଆଣିଲେ । ମାଷ୍ଟ୍ରଙ୍କ ବାକି ଦରମା ଦେଲେ । ପୁଣି ଆରମ୍ଭ ହେଲା ଆମ ଅନୁଷ୍ଠାନ ଯଥାରୀତିରେ, ନୂଆ ଉତ୍ସାହରେ ହାଇସ୍କୁଲ ଉପରକୁ ଗୋଟିଏ କଲେଜ ମଧ୍ୟ କଳ୍ପିତ ହୋଇ ଚାଲିଲା । କିନ୍ତୁ ଅଳ୍ପଦିନ ଏକ ରକମ ମୁମୂର୍ଷୁ ଅବସ୍ଥାରେ ।

 

ସଙ୍ଗୀମାନଙ୍କୁ ଆକୃଷ୍ଟ କରିବାର ଯେଉଁ ଗୁଣ ଦାସେ ଆପଣେଙ୍କର ଥିଲା ତାହା ସତେ ଯେପରି ସେ ଛାଡ଼ି ଆସିଥିଲେ ହଜାରିବାଗ୍‌ରେ । ଅସଲ କାରଣ, ସେତେବେଳକୁ ଅସହଯୋଗ ଆନ୍ଦୋଳନର ରୂପ ବଦଳି ଯାଇଥିଲା । ପ୍ରଥମାବସ୍ଥାର ଉନ୍ମାଦନା କମିଯିବା ପରେ ସରକାର ସଙ୍ଗେ ସହଯୋଗ କରିବାର ପ୍ରବୃତ୍ତି ଅଙ୍କୁରି ଯାଇଥାଏ । ନେତାମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଧରିଥାନ୍ତି- କେନ୍ଦ୍ର ଓ ପ୍ରାଦେଶିକ ବ୍ୟବସ୍ଥା ସଭା, ଜିଲ୍ଲା ବୋର୍ଡ, ମ୍ୟୁନିସିପାଲିଟିକୁ ମେମ୍ବର ହୋଇଯିବେ । ତାହା ସହଯୋଗ ନୁହେଁ, ଅସହଯୋଗର ଗୋଟିଏ ଅନୁରୂପ ବୋଲି ଏ ଦଳ କହିଲେ ସିନା, ଅସଲ ମନ ଥାଏ ଗସ୍ତଖର୍ଚ୍ଚା ଓ ଭାତିଆ ଉପରେ । ଯେଉଁମାନେ ଏପରି ବିଚାରିଲେ ସେମାନେ ଲାଗିଗଲେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ । ଯେଉଁମାନେ ଦୃଢ଼ ଧାରଣା କରିଥିଲେ ଯେ, ବିରୋଧ କରିବାକୁ, ବ୍ୟବସ୍ଥା ସଭାକୁ ଯିବା ଅସହଯୋଗ ନୁହେଁ - ସହଯୋଗ, ସେମାନେ ଅଲଗା ହୋଇ ରହିଲେ ଲୋକଙ୍କ ତିଆରିବା ଓ ସେମାନଙ୍କ ଅବସ୍ଥା ଉନ୍ନତ କରିବା ଉଦ୍ୟମରେ । ଦାସେ ଆପଣେ ରହିଲେ ,ଏଇ ମାନଙ୍କ ଗୋଷ୍ଠୀରେ । ବ୍ୟବସ୍ଥା ସଭାରୁ ଅଲଗା ହୋଇ । ତାଙ୍କ ପ୍ରଧାନ ପ୍ରଧାନ ସଂଗୀମାନେ ଢଳିଲେ ବ୍ୟବସ୍ଥା ସଭା ଆଡ଼େ । ଅନ୍ୟମାନେ ମଧ୍ୟମ ପନ୍ଥା ଧରି ଯେଉଁ ଆଡ଼େ ଯିମିତି ଚାକିରି - ଖୋଜିବାରେ ଲାଗିଲେ । ଦାସେ ଆପଣେଙ୍କର ଶେଷ ଚାରିବର୍ଷ ଏକ ପ୍ରକାର ନିଃସଙ୍ଗ ଭାବରେ କଟିଲା ।

 

ବ୍ୟକ୍ତିତ୍ଵର ଉତ୍କର୍ଷ ଓ ମହତ୍ତ୍ଵ

ସେତିକି ବେଳର ଗୋପବନ୍ଧୁ ମୋ ‘ଦାସେ ଆପଣେ’ । ସଙ୍ଗୀମାନେ ଆଡ଼େଇ ହୋଇ ଗଲେ ବୋଲି ସେ ନିରୁତ୍ସାହିତ ହୋଇ ନଥାନ୍ତି । ତାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଥାଏ, କିନ୍ତୁ ତାଙ୍କ କର୍ମପନ୍ଥା ଓ ମନୋବୃତ୍ତିକୁ ସମ୍ପୂର୍ଣ୍ଣ ସ୍ଵୀକାର କରିପାରୁ ନ ଥାନ୍ତି । ତାଙ୍କରି ମତ, ବ୍ୟବସ୍ଥା ସଭାର ବକ୍ତୃତାରେ ସରକାର ଟଳିବେ ନାହିଁ କି ଲୋକେ ଢଳିବେ ନାହିଁ । ଲୋକମଙ୍ଗଳ ଓ ଲୋକ ସଂଗ୍ରହ ହୋଇ ପାରିବ କେବଳ ସରକାରୀ ଅନୁଷ୍ଠାନମାନଙ୍କ ବାହାରେ । ସ୍କୁଲ କଲେଜରେ ଯେ ପଢ଼ିବେ, ତାଙ୍କର ଚିନ୍ତାଧାରା ନିଜର ଗ୍ରାସାଚ୍ଛଦନରେ ବାନ୍ଧି ହୋଇ ‘ବଦ୍ଧ ଗାଡ଼ିଆ’ ହୋଇଯିବ । ପିଲାମାନଙ୍କୁ ପାଠ ପଢ଼ା ସଙ୍ଗେ ସଙ୍ଗେ ଯେ କୌଣସି ବୃତ୍ତିରେ ତାଲିମ୍‌ନ କଲେ କେବଳ ସରକାରଙ୍କର ଗୋଡ଼ାଣିଆ ଗୁଡ଼ିଏ ସ୍କୁଲ କଲେଜରୁ ବାହାରି ପୋଲାଖିଆଙ୍କ ସଂଖ୍ୟା ବଢ଼ାଇବେ । ଶ୍ରମିକମାନଙ୍କ ଉପରେ କାହାରି ଦୃଷ୍ଟି ରହିବ ନାହିଁ । ସେମାନେ ନିସ୍ତେଜ ଓ ନିର୍ବାକ ହୋଇଯିବେ । ସେଦିନ ବେଳର ସମାଜ ସମ୍ପାଦକୀୟ ଏକାଠି କଲେ ଏବଂ ବିଜ୍ଞ ଲୋକମାନଙ୍କ ଦୃଷ୍ଟି ସେଥିରେ ପଡ଼ିଲେ ଜଣା ଯାଆନ୍ତା ଦାସେ ଆପଣେଙ୍କର ସେତିକି ବେଳର ଚିନ୍ତା ଆଜି କାଲିର ପରିସ୍ଥିତିରେ କି ସୁନ୍ଦର ଓ ସହଜ ଭାବରେ ଆମର ଆଧୁନିକ ସମାଜକୁ ବାଟ ଦେଖାନ୍ତା - ସେ ଦିଗ ପ୍ରତି କାହାରି ଲକ୍ଷ୍ୟ ନାହିଁ । କିନ୍ତୁ ଦିନେ ନା ଦିନେ ନିଶ୍ଚୟ ସେଥି ପ୍ରତି ନେତାମାନଙ୍କର ଦୃଷ୍ଟି ପଡ଼ିବ ବୋଲି ମୋର ଦୃଢ଼ ବିଶ୍ଵାସ ।

 

ସଙ୍ଗୀମାନେ ଅନ୍ୟ ଧାଡ଼ି ଧରିବା ପରେ ସେ ହତାଶ ନ ହୋଇ ନୂଆ ସହକର୍ମୀମାନଙ୍କୁ ଖୋଜି, ସେମାନଙ୍କ ସଙ୍ଗେ ଆଲୋଚନା କରି ତାଙ୍କୁ ନିଜ ବାଟରେ ମଡ଼ାଇବାର ଚେଷ୍ଟା ସେତେବେଳେ କରୁଥିବାର ମୁଁ ଲକ୍ଷ୍ୟ କରିଛି । ତାଙ୍କୁ ଦେଖି ପାରୁ ନଥିବା ବନ୍ଧୁମାନଙ୍କର ନିଷ୍ଠୁର ଓ କଟୁ ସମାଲୋଚନାରେ ସେ ତତ୍‌କ୍ଷଣାତ୍‌ ବିବ୍ରତ ହେଲେ ହେଁ ଅତି ଅଳ୍ପ ସମୟରେ ନିଜର ସ୍ଥିର ଲକ୍ଷ୍ୟକୁ ଫେରି ଆସିପାରୁଥାନ୍ତି । ତାଙ୍କର ଏହି ସାମର୍ଥ୍ୟ ମୋତେ ମୋ ଜୀବନରେ ବାଟ କଢ଼ାଉଛି ବୋଲି ମୁଁ ପ୍ରତିଦିନ ଅନୁଭବ କରୁଛି । ଦାସେ ଆପଣେଙ୍କ ସହିବା ଶକ୍ତି ଛୋଟ ଓ ବଡ଼ ସବୁକଥାରେ ମୁଁ ପିଲାଦିନେ ଓ ପ୍ରଥମ ଯୌବନରେ ଦେଖି ଚକିତ ହୋଇଯାଏ ଏବଂ ଏବେ ସେତେବେଳର ସେହି ଶିକ୍ଷାକୁ ଅବିଚଳିତ ଭାବରେ ଗ୍ରହଣ କରିବାକୁ ଚେଷ୍ଟା କରେ ।

 

ଗୋଟିଏ ଦିନର କଥା । ଆଇନ ଅମାନ୍ୟର ତତ୍‌କାଳୀନ ଉପଯୋଗିତା ବିଷୟରେ ଉଚ୍ଚ କଂଗ୍ରେସ କର୍ତ୍ତୃପକ୍ଷ ଗୋଟିଏ କମିଟି ଗଢ଼ିଥାନ୍ତି । ସେ କମିଟି ବିଭିନ୍ନ ପ୍ରଦେଶକୁ ଯାଇ ତଥ୍ୟ ସଂଗ୍ରହ କରୁଥାନ୍ତି । ଯଥାକ୍ରମେ ତାହା ଆମ ପ୍ରଦେଶକୁ ଆସିଲା (ସରକାର ଆମର ସ୍ଵତନ୍ତ୍ର ପ୍ରଦେଶ ଗଢ଼ିବା ବହୁ ପୂର୍ବରୁ କଂଗ୍ରେସ ଆମକୁ ଗୋଟିଏ ପ୍ରଦେଶ ବୋଲି ଗ୍ରହଣ କରିଥାଏ) । ଏ କମିଟି କଟକକୁ ଆସିଲାବେଳେ ମୁଁ ପଣ୍ଡିତ ଗୋପବନ୍ଧୁଙ୍କ ସଙ୍ଗେ ଆସିଥିଲି । ସ୍ଵରାଜ ଆଶ୍ରମର ଗୋଟିଏ ବଖରାରେ କମିଟି ବସିଥାଏ, ଖରାଦିନ । କଟକରେ କଳପାଣି ନ ଥାଏ କି ପଙ୍ଖା ନ ଥାଏ । ସେ ବଖରାର ଗୋଟିଏ କୋଣରେ ଓଦାବାଲି ଉପରେ ମାଠିଆଟିଏ କାଠଯୋଡ଼ି ନଈପାଣି ଅତି ଯତ୍ନରେ ଦାସେ ଆପଣେ ରଖାଇ ଥାଆନ୍ତି । ମାଠିଆ ମଙ୍ଗରେ ‘କତକଲ’ ଘଷା ହୋଇଥାଏ । ପାଣିରେ ନିର୍ମଳା ପଡ଼ିଥାଏ । ସେତେବେଳେ କଟକରେ ତାହା ସର୍ବୋତ୍କୃଷ୍ଟ ପାନୀୟ ଜଳ । ଗୋଟିଏ କାଚ ଗ୍ଲାସ ସୋଡ଼ାରେ ସଫା ହୋଇ ଖଣ୍ଡିଏ ପଟା ଉପରେ ରଖା ଯାଇଥାଏ । ପଣ୍ଡିତ ମୋତିଲାଲ ପିଇବାକୁ ପାଣି ମାଗିଲେ । ମୁଁ ଗ୍ଲାସ୍‌ଟି ପିଛୁଳେଇ ଗ୍ଲାସେ ପାଣି ମାଠିଆରୁ ପାଣି ଢାଳି ଧରିଲା ବେଳକୁ ପଣ୍ଡିତ ଗୋପବନ୍ଧୁ ତାହା ମୋ ହାତରୁ ନେଇ ସସମ୍ମାନରେ ପଣ୍ଡିତ ମୋତିଲାଲଙ୍କ ହାତକୁ ବଢ଼ାଇଦେଲେ ।

 

ତା’ପରର ଉତ୍ପାତଟା ସେତେବେଳେ ମନକୁ ବିଶେଷ ଭାବେ ବିଚଳିତ କରିଦେଇଥିଲା । ଦାସେ ଆପଣେଙ୍କ ନିଷେଧ ନ ପାଇଥିଲେ ପାଟିରୁ କ’ଣ ବାହାରି ଯାଇଥାନ୍ତା, ତାହା ପରେ ଦାସେ ଆପଣେ ବୁଝାଇ ଦେଇଥିଲେ । ସେତେବେଳେ ମନ ବୁଝିଥିଲା ବୋଲି କହି ହେଉନାହିଁ । ଆଜି ବୁଝିଛି ଓ ଦାସେ ଆପଣେଙ୍କୁ ଅତି ନିରପେକ୍ଷ, ନିର୍ବିକାର, ନିରାଶୀ ବୋଲି ପୂଜା କରୁଛି । ପଣ୍ଡିତ ମୋତିଲାଲ ଗିଲାସଟା ଧରିବା ମାତ୍ରେ ନଳା (Drain) ପାଣି ବୋଲି ବିକୃତ ମୁହଁରେ କହି ଗ୍ଲାସଟା ତଳକୁ ଫୋପାଡ଼ି ଦେଲେ; ପଡ଼ିଗଲା ବୋଲି କୁହାଯାଇ ନ ପାରେ । ଦାସେ ଆପଣେ ଅବିକୃତ ମୁହଁରେ ତାଙ୍କ ଆଡ଼କୁ ଚାହିଁଦେଇ ସେହିଲାଗେ ଗୋଟାଏ ପିଲା ପଠାଇଦେଲେ - ରେଳବାଇ ସୋଡ଼ା ଦୁଇଟା ଆଣିବା ପାଇଁ, ନିମଚଉଡ଼ି ଛକରୁ ।

 

ପଣ୍ଡିତ ମୋତିଲାଲ ପ୍ରମୁଖ ତାଙ୍କ କାମ ସାରି ଫେରିଗଲେ । ଆଉ ଦିନେ ଓଳିଏ ପରେ ଆମେ ସତ୍ୟବାଦୀ ଫେରିଲୁ । ରେଳରେ ଏଇ କଥା ପକାଇ ସେ ମୋତେ କହିଲେ, “ହଇରେ ଟୋକା ! ସେତେବେଳେ ତୁ ଯେମିତି ମୁହଁ କଲୁ, ଆଉ ପାଞ୍ଚଦଶ ବର୍ଷ ବଡ଼ ହୋଇଥିଲେ ତୁ ଚାପୁଡ଼ାଟାଏ ପକାଇ ଦେଇଥାନ୍ତୁ ।’’ ମୁଁ କିଛି କହିଲି ନାହିଁ; କିନ୍ତୁ ସେ ଦିନ କଥା ମନେ ପଡ଼ିଯିବାରୁ ମୋର ରାଗ ଚହଟି ଆସିଥାଏ । ସେ ତିଆରିଲେ, “ଟିକକ କଥାରେ ଏମିତି ତାତିଗଲେ ତୁମେ ସବୁ କି ମଣିଷ ହେବ ?”

 

ମୋ ମନ ମାନିଲା ନାହିଁ । ଏତେ ଯତ୍ନରେ ପାଣି ରଖା ହୋଇଥିଲା, ଦାସେ ଆପଣେ ନିଜ ହାତରେ ଗ୍ଲାସ ନେଇ ତାଙ୍କ ହାତକୁ ବଢ଼ାଇ ଦେଲେ । କଅଣ ନା ନଳାପାଣି ! କାଚ ଗ୍ଲାସ୍‌ଟା ଫୋପାଡ଼ି ନ ଦେଇ ଏମିତି କାହିଁ ଦିଶୁଚି ବୋଲି ପଚାରିଥିଲେ ତ ହୋଇଥାନ୍ତା ।

 

ଦାସେ ଆପଣେ ମୋ ଅଭିଯୋଗ ଶୁଣି କହିଲେ, “ହଁ, ଆମେ ବି ତାଙ୍କୁ ବୁଝାଇ ଦେଇଥିଲେ ହୋଇଥାନ୍ତା ଯେ, “କଳୌ ଚିତ୍ରୋତ୍ପଳା ଗଙ୍ଗା”, କହିଥାନ୍ତେ କଟକରେ ଖରାଦିନେ ସର୍ବୋତ୍କୃଷ୍ଟ । ଆରେ ! ସେ କିଏ ଜାଣିଛୁ ? ତା ଲୁଗା ଧୋବ ହେବାକୁ ଜାହାଜରେ ଫ୍ରାନ୍‌ସ ଯାଉଥିଲା । ଗାନ୍ଧୀ କଥାରେ ଭାସିଯାଇ ଜୁନ୍‌ମାସ ଖରାରେ କଟକରେ ଛଟପଟ ହେବାକୁ ଆସିଥିଲା ସିନା ! ସେ କିଏ ଆମେ କିଏ ?”

 

ମୋର ମନ ବୁଝୁ ନଥାଏ । ମୁଁ କହିଲି, “ଖାରିଆ ସୋଡ଼ା ତ କେତେ ଆଗ୍ରହରେ ପିଇଲା-?”

 

ସେ ଉତ୍ତର ଦେଲେ, - “ପିଇଲେ ବୋଲି କହି ହେଉନାହିଁ, ତାଙ୍କର ସୋଡ଼ା ପିଇବା ଅଭ୍ୟାସ । ତା’ ସଙ୍ଗେ ଆଉ ଟିକେ କ’ଣ ପଡ଼ିଥିଲେ ଆହୁରି ଆଗ୍ରହରେ ପିଇଥାନ୍ତେ ।”

 

ଏ ଆଉ କ’ଣଟାର ସ୍ଵରୂପ ୧୯୨୪ରେ ଜାଣିଲି । ପଣ୍ଡିତ ନୀଳକଣ୍ଠ ବିଠଲଭାଇ ପଟେଲ ଓ ମଧ୍ୟପ୍ରଦେଶରେ ଶମ୍ଭୁଦୟାଲ ମିଶ୍ର (ଅତି ଗାନ୍ଧୀବାଦୀ) ପଣ୍ଡିତ ନୀଳକଣ୍ଠଙ୍କ କୋଠିରେ ମୋତିଲାଲଙ୍କ ଖାଦ୍ୟ ଓ ପାନୀୟ ବିଷୟରେ ଚୁଗୁଲି କରୁ କରୁ ମିଶ୍ରେ ଆପଣେ କହିଲେ- “ଏଇମିତି ଲୋକ କଂଗ୍ରେସରେ ଯୋଡ଼ାଏ ପୁଞ୍ଜାଏ ରହିଲେ ତ ମହାତ୍ମାଜୀ ନିହାଲ ହୋଇଯିବେ ।”

 

ଏହା ଦାସେ ଆପଣେ କନିକା ମକଦ୍ଦମାରେ ଯିବା ପୂର୍ବର ଘଟଣା । ଦୁଇବର୍ଷ ପରେ, ସେ ଜେଲ୍‌ରୁ ମୁକୁଳିଲା ବେଳକୁ ଆମ ସ୍କୁଲ ଓ ମାଷ୍ଟ୍ରଙ୍କର ସବୁ ଓଲଟ ପାଲଟ ହୋଇଗଲା । ମାଷ୍ଟ୍ରମାନେ ଯେ ଯୁଆଡ଼େ ଗଲେ । ଅଚଳ ମହାମେରୁ ହୋଇ ପଣ୍ଡିତ କୃପାସିନ୍ଧୁ ରହିଥାନ୍ତେ ଯେ ଯମରାଜ ତାଙ୍କୁ ଆରପୁରକୁ ନେଇଗଲେ । ସତ୍ୟବାଦୀ ପ୍ରେସ୍‌ପୁରୀ ଚାଲିଗଲା । ପୁରୀ ଯିବା ପ୍ରସ୍ତାବ ଅତି କଷ୍ଟରେ ଗ୍ରହଣ କରିବା ଦିନ, ଗୋପାଳଜୀଙ୍କ ଠାରୁ ଦାସେ ଆପଣେ ବିଦାୟ ନେବା ଦୃଶ୍ୟ ମୋ ଆଖି ଆଗରେ ନାଚୁଛି । ମୁଁ ସିଂହାସନ ଆଗରେ ତାଙ୍କ ପଛରେ ଠିଆ ହୋଇଥିଲି । ପୁରୀରେ ଅଳ୍ପ କିଛିଦିନ ରହିବା ପରେ ପ୍ରେସ୍‌ ଆସିଲା କଟକ । ଓଟରା ହୋଇ ଆସିଲା ପରି ଆପଣେ ଆସିଲେ ପୁରୁଣା କଲେଜ ଗଳି ମୁଣ୍ଡକୁ । ପ୍ରେସ୍‌ ପାଇଁ ଘରଟି ଛୋଟ । ଦାସେ ଆପଣେ ତଳ ବାରଣ୍ଡାରେ କାଠପଟା ଘେରାଇ ନିଜ ପାଇଁ ଗୋଟିଏ ଅତି ସଂକୀର୍ଣ୍ଣ ଗୁମ୍ଫି କରାଇ ସେହିଠାରେ ଶୁଆ-ବସା, ଖିଆ-ପିଆ ଓ ଲେଖା-ପଢ଼ା ସବୁ କରୁଥାନ୍ତି । ସେତେବେଳେକୁ ପ୍ରେସ୍‌କୁ ଲାଗିଥିବା ଗୋବିନ୍ଦ ଚନ୍ଦ୍ର ବସାରେ ମୁଁ ରହି କଲେଜରେ ପଢ଼ୁଥାଏ । କଲେଜକୁ ଯିବା ଆସିବା, ଟିଉସନ୍‌ କରିବା ପାଇଁ କାଠଯୋଡ଼ି କୂଳରୁ ମହାନଦୀ କୂଳଯାଏଁ ଧାଁ ଧପଡ଼ କରିବା ଭିତରେ ଟିକିଏ ବେଳ ମିଳିଲେ ମୁଁ ଯାଇ ଦାସେ ଆପଣେଙ୍କ କାଠ ଘର ପାଖେ ନଙ୍ଗପଙ୍ଗ ହେଉଥାଏ । ପାଠ ନ ପଢ଼ି ଏମିତି କାହିଁକି ନସର ପସର ହେଉଛୁ ବୋଲି କେତେବେଳେ ଗାଳି ଦିଅନ୍ତି, କେତେବେଳେ ଚିଠି ଖଣ୍ଡେ ଦି’ଖଣ୍ଡ ଟାଇପ୍‌ କରି ଦେବାକୁ ବରାଦ କରନ୍ତି । ଏମିତି ହେଉ ହେଉ ଗୋଟାଏ ଟିଉସନ୍‌ ଛାଡ଼ି ମୁଁ ତାଙ୍କର ଟାଇପିଷ୍ଟ ହୋଇଗଲି । ମାସକୁ ବାରଟଙ୍କା । ମୁଁ ଯେଉଁ ଟିଉସନ୍‌ଟି ଛାଡ଼ିଥିଲି ସେଥିରୁ ମିଳୁଥିଲା ସେତିକି, ମୋ’ରି କଥାରେ ମୋ’ର ଦରମା ଠିକଣା ହେଲା । ପ୍ରତ୍ୟହ ଖଣ୍ଡିଏ କି ଦି’ଖଣ୍ଡ ଚିଠି ଟାଇପ୍‌ ହୁଏ, କିନ୍ତୁ ମୁଁ ଯେତେ ସମୟ ପାଏ ତାଙ୍କରି ପାଖରେ ରହେ ।

 

ଶେଷ ବେଳ

ସେତେବେଳକୁ ଗୋପବନ୍ଧୁଙ୍କର ଶେଷ ବେଳ, ୧୯୨୭ର କଥା କହୁଛି । ତାଙ୍କର ଜୀବନର ଶେଷ ହେଲା ୧୯୨୮ର ମଧ୍ୟଭାଗରେ ମାତ୍ର ୫୨ ବର୍ଷରେ । ଏଡ଼େ ବେଗେ ତାଙ୍କର ଜୀବନର ଅବସାନ ହେବ ବୋଲି କିଏ ଜାଣିଥିଲା ? କିନ୍ତୁ ତାଙ୍କ ଅନ୍ତେ ମୁଁ ସବୁବେଳେ ଭାବେ, ସତେ ଯେପରି ସେ ତାଙ୍କର କାଳ ପୂରିଗଲା ବୋଲି ଆଗରୁ ଜାଣି ପାରିଥିଲେ । ତାଙ୍କ ଜୀବନର ଉଦ୍ଦାମ ବେଳ ଦେଖିଥିଲି, ୧୯୨୧, ୧୯୨୨ ଖ୍ରୀଷ୍ଟାବ୍ଦରେ । ଜେଲଖାନାରୁ ଫେରିବା ପରେ ତାଙ୍କର ସ୍ୱଭାବ ସମ୍ପୂର୍ଣ୍ଣ ବଦଳି ଥିଲା । ସେ ହେଲେ ‘ସର୍ବସଙ୍ଗ ବିନିର୍ମୁକ୍ତି ଓ ‘ସମଚିତ୍ତ’ । ଦୁଃଖକୁ ଚିନ୍ତା ନ ଥାଏ, ସୁଖର ସ୍ପୃହା ନ ଥାଏ । ସାତ୍ତ୍ୱିକତାର ନିଖୁଣ ଚିତ୍ର ସେତିକିବେଳେ ତାଙ୍କଠାରେ ପ୍ରକଟିତ ହୋଇ ଥିଲା । ଆଜି ଯେଉଁମାନେ ଗୋପବନ୍ଧୁଙ୍କର ସ୍ମୃତି ତର୍ପଣ କରୁଛନ୍ତି, ତାଙ୍କର ସହକର୍ମୀ ବୋଲି ବଡ଼େଇ କରୁଛନ୍ତି, ସେତେବେଳେ ସେଇମାନେ ତାଙ୍କ ଠାରୁ ଆଡ଼େଇ ହୋଇ ରହିଥାନ୍ତି, କିନ୍ତୁ, ଦାସେ ଆପଣେଙ୍କ ମନରେ ବିକାର ନ ଥାଏ ।

 

ଦାସେ ଆପଣେଙ୍କର ଶେଷ କାର୍ଯ୍ୟ ବ୍ରାହ୍ମଣୀ ଓ ବୈତରଣୀ ବଢ଼ିବେଳର ସେବା ଓ ସାହାଯ୍ୟ । ଆଗରୁ ଲେଖିଛି, ୧୯୨୪ରେ ଜେଲ୍‌ରେ ଖଲାସ୍‌ହେବା ପରେ ସେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟ ପାଇଁ ବମ୍ବେ ଯାଇଥିଲେ ଭିକ୍ଷା କରିବାକୁ । ସେଠାରୁ ବହୁ ସେଠ୍‌ଙ୍କର ସେତେବେଳେ ସେ ସ୍ମରଣୀୟ ହୋଇଥିଲେ । ବନ୍ୟା ସାହାଯ୍ୟ ପାଇଁ ତାଙ୍କ ଚିଠି ଯାଇ ପହଞ୍ଚିବାରେ ସେତେବେଳେ ସାହାଯ୍ୟ ଅଜାଡ଼ି ହୋଇପଡ଼ିଲା । ସେତେବେଳକୁ ଚାହିଁଲେ ବହୁତ ଟଙ୍କା । ସମାଜ ପ୍ରେସ୍‌ର ତଳ ମହଲାର ଗୋଟିଏ ବଖରାରେ ଅଫିସ ଖୋଲିଗଲା, କର୍ମୀ ଆସି ପହଞ୍ଚିଗଲେ । ତାଙ୍କ ଭିତରୁ କେହି ଆଜି ଆଖିକୁ ଦିଶୁ ନାହାନ୍ତି । ଲଣ୍ଡିତ ମସ୍ତକ ଆଣ୍ଠୁଯାଏ ଲୁଗା ଖଣ୍ଡିଏ ଓ ଛୋଟ ଚାଦର ଖଣ୍ଡିଏ ପକାଇ ଗୋପବନ୍ଧୁ ସବୁବେଳେ ବଢ଼ି ଅଞ୍ଚଳରେ ବୁଲୁଥାନ୍ତି । ଖର୍ଚ୍ଚ ତନଖି କରିବାକୁ ମଝିରେ ମଝିରେ ଆସି ଦିନେ ଓଳିଏ କଟକରେ ରହି ପୁଣି ବୁଲି ଯାଉଥାନ୍ତି । ସେ ହେଉଛି ଆଜିକୁ ୫୦ ବର୍ଷ ତଳର କଥା । କୋଡ଼ିଏ ବର୍ଷ ପୂର୍ବେ ସେ ଅଞ୍ଚଳକୁ ମୁଁ ଯାଇ ବୟସ୍କ ଲୋକଙ୍କଠାରୁ ତାଙ୍କ ବିଷୟରେ ବହୁତ ଶୁଣିଛି । ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କରୁଥାନ୍ତି ଏବଂ ନିଜେ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ନିଜକୁ ଧନ୍ୟ ମନେ କରୁଥାନ୍ତି ।

 

ଦାସେ ଆପଣେଙ୍କର ଗୋଟିଏ ‘ଦୋଷ’ ଦେଶର ଧନ ଖର୍ଚ୍ଚ କରିବାରେ ସେ ବଡ଼ କୃପଣ-। ବନ୍ୟା ସାହାଯ୍ୟରେ ସେହି କାର୍ପଣ୍ୟ ଲକ୍ଷ୍ୟ କରି କଟକର ବନ୍ଧୁମାନେ ତାଙ୍କୁ ସମାଲୋଚନା କଲେ-। ସ୍ଵାମୀ ବିଚିତ୍ରାନନ୍ଦ ଦାସଙ୍କର ବଦାନ୍ୟତାରେ ଖଣ୍ଡିଏ ଇଂରାଜୀ ସାପ୍ତାହିକ ବାହାରୁଥାଏ, ସେଥିରେ ଦାସେ ଆପଣେଙ୍କୁ କଟାକ୍ଷ କରି ଗୋଟିଏ ଲେଖା ବାହାରିଲା । ସେ ଖଣ୍ଡି ହାତରେ ପଡ଼ିଲା ଦିନ ମନେ ପଡ଼ୁଛି । ବନ୍ଧୁଙ୍କର ଅକୃତଜ୍ଞତାର ପରିଚୟ ପାଇ ତାଙ୍କର ଯେଉଁ କ୍ଷୋଭ ! ପିଲାଙ୍କ ପରି କାନ୍ଦିଲେ । ଘଣ୍ଟେ ଖଣ୍ଡେ ପରେ ମୁହଁ ପୋଛି ବସି ପଡ଼ିଲେ ଓ ‘ସମାଜ’ ପାଇଁ ଗୋଟିଏ ଲେଖା ଲେଖିଲେ । ସମାଜ କର୍ତ୍ତୃପକ୍ଷ ସେହି ଲେଖାଟିର ପୁନରୁଦ୍ଧାର କଲେ ସେତେବେଳର ଗୋପବନ୍ଧୁଙ୍କୁ ଚିହ୍ନନ୍ତେ ।

 

ଗୋପବନ୍ଧୁଙ୍କର ମନ ବଡ଼ ସରଳ । ଟିକକ କଥାରେ ଲୁହ ଗଡ଼ିପଡ଼େ; କିନ୍ତୁ ଅନ୍ୟ ସମୟ ପାଇଁ । ତା’ ପରେ ସେ ଆତ୍ମପରୀକ୍ଷାରେ ଲାଗି ଯାଆନ୍ତି । ଯାହାଙ୍କ କ୍ରୂରତା ଯୋଗୁଁ କାନ୍ଦିଥାନ୍ତି, ତାହା ପାଶୋର ହୋଇଯାଏ । ଆପଣା ମୁଣ୍ତକୁ ଦୋଷ ନେଇଯାଇ ଦୋଷୀକୁ କ୍ଷମା କରି ଦିଅନ୍ତି, ବଡ଼ ଦୋଷ, ସାନ ଦୋଷ ସବୁ ପାଇଁ ଏକ ଔଷଧ । ଗୋଟାଏ ଅତି ଛୋଟ କଥା ମନେ ପଡ଼ୁଛି । ସତ୍ୟବାଦୀ ଯିବାକୁ ଥାଏ । କ’ଣ ଗୋଟାଏ ଲେଖୁଥାନ୍ତି । ସେଇଟା ସରିଲା । ଷ୍ଟେସନ୍‌କୁ ଯିବାକୁ ଘୋଡ଼ାଗାଡ଼ି ଡାକିଲେ । ସେତେବେଳକୁ ଉପରଓଳି । ଗାଡ଼ି କଟକ ଷ୍ଟେସନ୍‌ରୁ ଛାଡ଼ିବା ବେଳ ଗଡ଼ି ଯାଇଥାଏ । ଗାଡ଼ି ମିଳିବ ନାହିଁ ବୋଲି ଆମ୍ଭେମାନେ କହିଲୁ, ଦାସେ ଆପଣେ ଗାଡ଼ିବାଲାକୁ ପଚାରିଲେ, “ହଇରେ ବାଇଆ ! ତିନିଟା ଗାଡ଼ି ମିଳିବ ?” ପାଞ୍ଚଅଣା ପଇସା ଗାଡ଼ି ଭଡ଼ା । ତା’ରି ପ୍ରଲୋଭନରେ ସେ କହିଲା, “ହଁ ଆଜ୍ଞା । କାଲିପରା ଆହୁରି ଉଛୁରରେ ମୁଁ ଜଣେ ବାବୁଙ୍କୁ ନେଇଥିଲି । ଆମେ ପହଞ୍ଚିବାର ଘଣ୍ଟାକ ପରେ ଗାଡ଼ି ଆସିଲା ।” ଦାସେ ଆପଣେ ଘୋଡ଼ା ଗାଡ଼ିରେ ବସି ପଡ଼ିଲେ । ଘଣ୍ଟେ ଖଣ୍ଡେ ପରେ ସେହି ଘୋଡ଼ାଗାଡ଼ିରୁ ଦାସେ ଆପଣେ ପ୍ରେସ୍‌ଦୁଆରେ ଓହ୍ଲାଇଲେ । ଘୋଡ଼ା ଗାଡ଼ିବାଲାଟା ଯିବା ଆସିବା ଗାଡ଼ି ଭଡ଼ା ମାଗିଲା । ଦାସେ ଆପଣେ କହିଲେ, “ତୁ ମୋର ଏତେ ସମୟ ମାରା କଲୁ, ତୋର ମୋତେ ଜୋରିମାନା ଦେବା କଥା ।” ଗାଡ଼ିବାଲା ଦି’ଚାରି ପଦ ପାଟିତୁଣ୍ଡ କରି କହିଲା, “ବାବୁ ! ଆପଣଙ୍କ ପାଖେ ଘଣ୍ଟା ଅଛି, ଆପଣ ଟାଇମ୍‌ ଦେଖି ବାହାରିଲେ ନାହିଁ ? ଗାଡ଼ି ଚାଲିଗଲା ବୋଲି ମୋର ଦୋଷ ?” ଦାସେ ଆପଣେ କହିଲେ, “ ତେବେ ମୋର ଦୋଷ, ନାଇଁ ?” ଏହା କହି ସେ ଆପଣା ଗାଲରେ ଚାପୁଡ଼ା ଦି’ଟା ମାରିଦେଲେ । ମୁଁ ସମ୍ଭାଳେ କେତେ କେ ? ଗାଡ଼ିବାଲାର ବେକ ନୁଆଁଇ ମୁଁ ବାଇଆ ପରି ତା’ ପିଠିରେ ବିଧା ଦୁହାଙ୍ଗୁଥାଏ । ଦାସେ ଆପଣେ ପାଟି କରୁଥାନ୍ତି “ଆରେ ୟେ କ’ଣ ? ୟେ କ’ଣ-? ସେ ତ ଠିକ୍‌ କହିଲା । ଆମେ ଏତେ ଡଛୁରରେ ଯାଉଥିଲେ କାହିଁକି ?” ଦଶ ଅଣା ଜାଗାରେ ତାକୁ ବାରଅଣା ଦେଲେ । ସେ କହୁଥାଏ, “ମୁଁ ତ ଦେହରେ ମୁଣ୍ଡରେ ଭଡ଼ା ପାଇଗଲିଣି, ଆଉ ପଇସା ନେବି କାହିଁକି ?’’ ଦାସେ ଆପଣେ ଆଉ ଚାରିଅଣା ପଇସା ତାକୁ ଦେଇ ତା ଥୋଡ଼ିରେ ହାତ ମାରି କହିଲେ, “ଆରେ ବାଇଆ ! ଯା ଯା, ମୋରି ଯୋଗୁ ତୁ ମାଡ଼ ଗୁଡ଼ାଏ ଖାଇଲୁ । ମୁଁ ତ ଜୋରିମାନା ଦେଲି । ଯା ଯା ।” ଗାଡ଼ୁଆନଟା ଷଣ୍ଢମାର୍କା ଟୋକାଟାଏ । ଦାନ୍ତ ରଗଡ଼ି ମୋ ଆଡ଼କୁ ଏଡ଼େ ଏଡ଼େ ଆଖିରେ ଚାହିଁ ଚାଲିଗଲା ବେଳକୁ ଦୁଃଖିଶ୍ୟାମ ଦାସେ କହିଲେ, “ମିଆଁ ! ଏ ଟୋକାବାବୁଙ୍କୁ ଚିହ୍ନିଥା । ଭୁଲ୍‌ରେ ଆମକୁ କାହାକୁ କୋରଡ଼ାଏ ପିଟିଦେବୁ ନାହିଁଟି, ପ୍ରାଣ ଚାଲିଯିବ-।” ଗାଡୁଆନ୍‌ ହସି ପକାଇଲା । ଦାସେ ଆପଣେ ପାଞ୍ଚ ମିନିଟ୍‌ପରେ ମୋତେ ଗୁଡ଼ାଏ ଗାଳି ଦେଲେ, କୋରଡ଼ା ଏତେ କାଟି ନଥାନ୍ତା ।

 

ଛଅମାସ ଯାଇଛି କି ନାହିଁ, ପୂର୍ଣ୍ଣ ବୋଷଙ୍କଠାରୁ ଚିଠି ଖଣ୍ଡେ ପାଇ ଦାସେ ଆପଣେ କଲିକତା ଗଲେ । ପନ୍ଦରଦିନ ପରେ କଲିକତାରୁ ଫେରିଲେ ଜର ଧରି । ପରେ ଶୁଣିଲି ସେ କଲିକତାରେ କୁଲିଙ୍କ ବସାରେ ରହିଥିଲେ । ସେଠାରେ ରହିବା କେମିତି ମତେ ଜଣା । ସେଠାରେ ଓଡ଼ଶ ଓ ମଶାରେ ରୋଗ ନ ହେବା ଲୋକର ରୋଗ ହେବ । ଔଷଧ ଖାଇବା ଓ ଡାକ୍ତରଙ୍କୁ ଦେଖାଇବା ମଧ୍ୟ ତାଙ୍କର ସ୍ଵଭାବ ବିରୁଦ୍ଧ । କଲିକତାରୁ ଆସି କଟକରେ ଚାରି ପାଞ୍ଚଦିନ ମଧ୍ୟ ନ ରହି ଚାଲିଗଲେ ସତ୍ୟବାଦୀ । ‘ଦରିଦ୍ର ନାରାୟଣ ସେବାସଂଘ’ ବୋଲି ଗୋଟିଏ ଅନୁଷ୍ଠାନ ଗଢ଼ିବାରେ ଖୁବ୍‌ ଲାଗିଥାନ୍ତି । ସେତେବେଳେ ସହକର୍ମୀ ସତ୍ୟବାଦୀ ସ୍କୁଲର କେତେଜଣ ପୁରାତନ ଛାତ୍ର । କୃପାସିନ୍ଧୁ ହୋତେ ଓ ସୁନାମଣି ଦେବୀ ମଧ୍ୟ ଥାଆନ୍ତି । ଆଜିକାଲି ଯେଉଁ ଧନ୍ଦାମୂଳକ ଶିକ୍ଷା (Occupational Education) କଥା ରାଜନୀତିକ ନେତାମାନେ ବିଳିବିଳେଇଲା ପରି ବେଳେବେଳେ କହୁଛନ୍ତି ତାହାକୁ ରୂପ ଦେଇ ଗୋଟିଏ ଶିକ୍ଷାଳୟ ଆରମ୍ଭ ହେଉଥାଏ । ତା’ରି ଭିତରେ ଚାଲିଲା, ଆନ୍ତ୍ରିକ ଜ୍ଵର । ଡାକ୍ତରଖାନାକୁ ଯିବାକୁ ନାହିଁ କଲେ । ପୁରୀ ସିଭିଲ୍‌ ସର୍ଜନ ଥରେ ଦୁଇଥର ଆସି ଦେଖିଯାଇଥିଲେ ମାତ୍ର । ପ୍ରାୟ ୨୦ ଦିନ ଚାଲିଗଲା ।

 

ଜୀବନର ଅବସାନ

ଦିନେ ମୁଁ କଲେଜକୁ ବାହାରୁଛି । ଶୁଣିଲି ଯେ ଦାସେ ଆପଣେଙ୍କ ଅବସ୍ଥା ଖୁବ୍‌ ଖରାପ । ବହିପତ୍ର ବସାରେ ଫୋପାଡ଼ି ଦେଇ ରେଳକୁ ଚାଲିଗଲି । ସେତେବେଳକୁ ସନ୍ଧ୍ୟାବେଳ । ପୁରୀରୁ ଡାକ୍ତର ଆସି ଫେରି ଯାଇଥାନ୍ତି । ଡାକ୍ତରଙ୍କ କଥାରୁ ଜଣାଯାଇଥାଏ ଯେ ଆଉ ଆଶା ନାହିଁ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ରାଧାନାଥବାବୁ, ଲିଙ୍ଗରାଜ ବାବୁ ପ୍ରମୁଖ ବସିଥାନ୍ତି । ଜଗନ୍ନାଥ ରଥେ, ସତ୍ୟବାଦୀ ନନ୍ଦେ ଓ ଲାଲବିହାରୀ ଦାସେ ଥାଆନ୍ତି । ଦାସେ ଆପଣେ ଖଣ୍ଡିଏ ଛୋଟିଆ ଖଟରେ ଶୋଇଥାନ୍ତି, ହରିବାବୁଙ୍କ କୁମ୍ପିଘରେ, ଆଠଫୁଟ × ଛଅଫୁଟରୁ କମ୍‌ ହେବ । ମୁଁ ଯାଇ ମୁଣ୍ଡିଆ ମାରି ଠିଆ ହେଲା ବେଳକୁ ତାଙ୍କ ହାତ ମୋ କୁଞ୍ଚ ଉପରେ ପଡ଼ିଗଲା । କହିଲେ, ‘‘କିରେ, କଅଣ ମିଲ୍‌ ଲୁଗା ପିନ୍ଧିଲୁଣି ?’’ ୧୯୨୧ରୁ ସେହି ଖଣ୍ଡିକ ମୋର ପ୍ରଥମ ମିଲ୍‌ ଲୁଗା । ପାଠ ଭଲ ହେଉଥିବାରୁ ଆଶା ଜାଗ୍ରତ ହୋଇଥାଏ ଡେପୁଟୀ ଚାକିରି ପାଇଁ ପ୍ରାର୍ଥୀ ହେବି । ଖଦଡ଼ ଛାଡ଼ିବା ତ ପ୍ରଥମ ପ୍ରୟୋଜନ, ଖଣ୍ଡି ଖଣ୍ଡି କରି ଖଦଡ଼ ଛାଡ଼ି ମିଲ୍‌ ପିନ୍ଧିବି ବୋଲି ଭାବିଥାଏ ।

 

ପ୍ରିନ୍‌ସପାଲ ସାହେବ ଏବଂ ଦେଶୀ ବିଦେଶୀ ଅଧ୍ୟାପକଙ୍କର ମୋ ଉପରେ ଖୁବ୍‌ ଭଲ ଧାରଣା ଥାଏ । ମୃତ୍ୟୁ ଶଯ୍ୟାରେ ଦାସେ ଆପଣେଙ୍କର ସେହି ପଦକ କଥାରେ ସେତେବେଳର ସୁଖ ସ୍ୱପ୍ନ କୁଆଡ଼େ ଉଭେଇ ଗଲା । ଷୋଳ ବର୍ଷ ପରେ ଦାସେ ଆପଣେଙ୍କର ସେ ନିର୍ଦ୍ଦେଶ ହୁଡ଼ି ମିଲ୍‌ ପିନ୍ଧିଲି । ଏକାଥରକେ ପ୍ୟାଣ୍ଟ, କୋର୍ଟ - କିନ୍ତୁ ପ୍ରତ୍ୟହ ତାଙ୍କର ସେ ପଦକ ମନେପଡ଼ୁଥାଏ । ଚାରିବର୍ଷ ମନକୁ ଭୁଲେଇଲି । ଖଦଡ଼ ସିନା ପିନ୍ଧିନାହିଁ ମନରେ ତ ତାକୁ ପ୍ରତି ମୁହୂର୍ତ୍ତରେ ପୂଜା କରୁଛି । ବାହାର ଠାରୁ ଅନ୍ତର ବଡ଼ ବୋଲି ତ ସେ କହନ୍ତି । ତାଙ୍କରି ତୁଣ୍ଡରୁ ଶୁଣିଥିବା “ବେଣୁଭିର୍ନ ଭବେଦ୍‌ଯତିଃ”ର ବ୍ୟାଖ୍ୟା ମନେ ପକାଏ । ଚାରିବର୍ଷ ସରିଛି କି ନାହିଁ, ଦିନେ ସ୍ୱପ୍ନରେ ତାଙ୍କରି ତୁଣ୍ଡରୁ ଶୁଣିଲି, “ନିସ୍ପୃହତା ଆସିବା ପାଇଁ ଖାଦ୍ୟପେୟ, ପୋଷାକ ପରିଚ୍ଛଦ ଏକାନ୍ତ ପ୍ରୟୋଜନ ନ ହେଲେ ହେଁ “କୌପୁନୀବନ୍ତଃ ଖଳୁ ଭାଗ୍ୟବନ୍ତଃ” - ବାହ୍ୟ ଡଙ୍ଗ ରଙ୍ଗ ମନକୁ ତିଆରିବାରେ ବହୁତ ସାହାଯ୍ୟ କରେ ।” ସେହିଦିନଠାରୁ ଏହା ମାନିବାକୁ ଚେଷ୍ଟା କରି ଆସିଛି ।

 

ମୁଁ ଯାଇ ପହଞ୍ଚିବାର ଘଡ଼ିଏ ଖଣ୍ଡେ ପରେ ପୁରୀରୁ ଜଗବନ୍ଧୁ ବାବୁ ଆସି ପହଞ୍ଚିଗଲେ । ସେ ଆସି ‘ଦାସେ’ ବୋଲି ଭାବବିହ୍ୱଳ ଭାବେ କହି ପାଖରେ ବସି ପଡ଼ିବାରେ ତାଙ୍କ ଜଙ୍ଘରେ ହାତ ଦେଇ ଦାସେ ଆପଣେ କହିଲେ, “ତୁମକୁ ପରା ମୁଁ ଚାହିଁକରି ରହିଛି । ଶେଷ କର୍ତ୍ତବ୍ୟ କରିବାକୁ ହେବ । ଡାକ୍ତର ଯାଇ ତୁମକୁ କହିଲେ ଟି ?” ଜଗବନ୍ଧୁ ବାବୁ କହିଲେ, “ସେ ଯାଇ ପହଞ୍ଚିଲା ବେଳକୁ ମୁଁ ବାହାରୁଥିଲି ।”

 

‘‘ଗୋପାଳ, ଗୋପାଳ” ଦୁଇଥର କହି ସେ ଦୁଇ ହାତ କପାଳ ଉପରେ ରଖି ଟିକିଏ ତୁନି ହୋଇ ରହିଲେ, ତା’ପରେ ଡାକିଦେଲେ ତାଙ୍କରି ଅନ୍ତିମେଚ୍ଛା (Will) । ପ୍ରେସ୍‌ଟି ଲୋକସେବକ ସମାଜକୁ ଦିଆହେଲା । କିଛିଦିନ ପୂର୍ବରୁ ସେ ଲାଲା ଲାଜପତ ରାୟଙ୍କ ପ୍ରତିଷ୍ଠିତ ଲୋକସେବକ ସମାଜର ମେମ୍ବର ଓ ଉପାଧ୍ୟକ୍ଷ ହୋଇଥାନ୍ତି । ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଲୋକସେବକ ସମାଜର ମେମ୍ବର ଓ ରାଧାନାଥ ବାବୁଙ୍କୁ ସହକାରୀ ମେମ୍ବର କରିବାକୁ ସୁପାରିଶ କଲେ । ନିଜର ଯଥାସର୍ବସ୍ଵ ଦରିଦ୍ର ନାରାୟଣ ସେବା ସଂଘକୁ ଦେଇଦେଲେ । କାମ ସରିଲା । ଗୋପାଳ ଗୋପାଳ କହୁ କହୁ ପାଟି ପଡ଼ିଗଲା ।

 

ୟା ପରେ ବହୁବନ୍ଧୁ, ଗୁରୁଜନ ଓ ଆତ୍ମୀୟଙ୍କର ମୃତ୍ୟୁଶଯ୍ୟା ପାଖେ ମୂକ ସାକ୍ଷୀ ହୋଇ ଠିଆ ହୋଇଛି । ମୃତ୍ୟୁକୁ ଏଡ଼େ ପ୍ରସନ୍ନ ମୁହଁରେ ଆଉ କେହି ବରଣ କରିବାର ଦେଖି ନାହିଁ । ତାଙ୍କ ମୁଖକୁ ସେତେବେଳେ ଚାହିଁଲେ ଜଣା ପଡ଼ୁଥାଏ - ସବୁ ପ୍ରକାର ଜଞ୍ଜାଳମୁକ୍ତ ହୋଇ ସେ ତାଙ୍କ ଗୋପାଳଙ୍କ ପାଦପଦ୍ମରେ ଲୀନ ହୋଇଯିବାକୁ ମହାଯାତ୍ରା କରୁଛନ୍ତି । ୟାରି ନା ମୁକ୍ତି ବୋଲି ମୁଁ ବୁଝିଛି ଓ ତାଙ୍କରିଠାରୁ ଶୁଣିଥିବା ପଦଟି ସବୁବେଳେ ମନେ ପକାଏ –

 

“ନାଭିନନ୍ଦେତ ମରଣଂ ନାଭିନନ୍ଦେତ ଜୀବିତଂ

ସଦାକାଳଂ ପ୍ରଣମେତ ସ୍ୱାମିନଂ ଭୂତକୋ ଯଥା ।”

***

 

Unknown

ବୁଦ୍ଧାବତାର ଓ ଭାଗବତ

ପ୍ରଫେସର ପ୍ରହଲ୍ଲାଦ ପ୍ରଧାନ

 

ଭଗବାନଙ୍କର ଅବତାର ହେଉଛି ଅସଂଖ୍ୟ, କିନ୍ତୁ ଦଶ ଅବତାର ହେଉଛି ପ୍ରସିଦ୍ଧ । ଏହି ଦଶ ଅବତାର ହେଲେ-

 

ମତ୍ସ୍ୟାଃ କୁର୍ମୋ ବରାହଶ୍ଚ ନରସିଂହୋଽଥ ବାମନଃ ।

ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧଃ କଳ୍କୀ ଚ ତେ ଦଶ ।।

 

ମତ୍ସ୍ୟ, କୂର୍ମ, ବରାହ, ନୃସିଂହ, ବାମନ, ରାମ (ପର୍ଶୁରାମ), ରାମ (ରାମଚନ୍ଦ୍ର), ରାମ (ବଳରାମ), ବୁଦ୍ଧ ଓ କଳ୍‌କୀ ହେଉଛନ୍ତି ଅବତାର । ଅର୍ଥାତ୍‌ ଅସଂଖ୍ୟ ଅବତାର ଭିତରୁ ଏହି ଦଶ ଅବତାର ହେଉଛନ୍ତି ପ୍ରସିଦ୍ଧ । କିନ୍ତୁ ଭାଗବତରେ ପ୍ରଥମସ୍କନ୍ଧ ତୃତୀୟ ଅଧ୍ୟାୟରେ ୨୨ ଅବତାର କଥା ଉଲ୍ଲେଖ ଅଛି ।

 

୧- ବ୍ରହ୍ମା (କୁମାର), ୨- ବରାହ, ୩- ନାରଦ, ୪- ନରନାରାୟଣ, ୫- କପିଳ, ୬-ଦତ୍ତାତ୍ରେୟ, ୭- ଯଜ୍ଞ, ୮- ଋଷଭଦେବ, ୯- ପୃଥୁ, ୧୦-ମତ୍ସ୍ୟ, ୧୧- କୂର୍ମ, ୧୨- ଧନ୍ୱନ୍ତରୀ, ୧୩- ମୋହିନୀ, ୧୪- ନିୃସିଂହ, ୧୫- ବାମନ, ୧୬- ପର୍ଶୁରାମ, ୧୭- ବେଦବ୍ୟାସ, ୧୮- ରାମ, ୧୯- ବଳରାମ, ୨୦- କୃଷ୍ଣ, ୨୧- ବୁଦ୍ଧ, ୨୨- କଳ୍‌କୀ ।

 

ଏଠାରେ ବ୍ରହ୍ମା ଅବତାରକୁ କେହି କେହି ‘କୁମାର ଅବତାର’ ବୋଲି କହିଛନ୍ତି । ଏହି କୁମାରର ଅର୍ଥ ସନତ୍‌କୁମାରାଦି ଅବତାର । ଶ୍ରୀଧର ସ୍ଵାମୀ ଓ ବିଶ୍ଵନାଥ ଚକ୍ରବର୍ତ୍ତୀ କହିଛନ୍ତି-

 

‘ସନତ୍‌କୁମାରାଦ୍ୟବତାରଂ ତଚ୍ଚରିତ୍ରଂ ଚାହ ସ ଏବେ’ତି ।

ଭାଗବତ, ୧/୩/୬ ଟୀକା

 

ସେହି ଭାଗବତରେ ଦ୍ୱିତୀୟସ୍କନ୍ଧ ୭ମ ଅଧ୍ୟାୟରେ ୨୪ ଅବତାରର ଉଲ୍ଲେଖ ରହିଛି । ସେଠାରେ ୨୪ ଅବତାରରୁ ସମସ୍ତଙ୍କର ନାମତଃ ଉଲ୍ଲେଖ ନାହିଁ, କିନ୍ତୁ ସେମାନଙ୍କର ଚରିତ୍ରର ଉଲ୍ଲେଖ ଥିବାରୁ ସେଥିରେ ୨୪ ଅବତାରଙ୍କ କଥା ଜଣା ପଡ଼ିଯାଉଛି । ଟୀକାକାରମାନେ ମଧ୍ୟ ଏହାକୁ ସ୍ପଷ୍ଟ କରି ଦେଇଛନ୍ତି । ଏହି ୨୪ ଅବତାର ହେଲେ-

 

୧- ବରାହ, ୨- ସୁଯଜ୍ଞ, ୩- କପିଳ, ୪- ଦତ୍ତାତ୍ରେୟ, ୫- ଚତୁଃସନ, ୬- ନରନାରାୟଣ, ୭- ଭଗବତ, ୮- ପୃଥୁ, ୯- ଋଷଭ, ୧୦- ହୟଗ୍ରୀବ, ୧୧- ମତ୍ସ୍ୟ, ୧୨- କୂର୍ମ, ୧୩- ନୃସିଂହ, ୧୪- ହରି, ୧୫- ବାମନ, ୧୬- ହଂସ, ୧୭- ମନୁ ବଂଶଧର, ୧୮- ଧନ୍ୱନ୍ତରୀ, ୧୯- ପର୍ଶୁରାମ, ୨୦- ରାମ, ୨୧- ଶ୍ରୀକୃଷ୍ଣ, ୨୨- ବ୍ୟାସ, ୨୩- ବୁଦ୍ଧ, ୨୪- କଳ୍‌କୀ ।

 

ଏଥିରୁ ୫- ଚତୁଃସନାବତାରକୁ କେହି କେହି ଚତୁଃସନାତନ କହିଛନ୍ତି ଏବଂ କେହି କେହି କୁମାର ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ୭ମ ଅବତାରକୁ କେହି କେହି ‘ଭଗବତ୍‌’ କହିଛନ୍ତି ତ କେହି କେହି ଧ୍ରୁବ (?) ଭାବାର୍ଥ ଦୀପିକାରେ ସ୍ପଷ୍ଟତଃ କୌଣସି ନାମ ଆସୁନାହିଁ । ସେ କହିଛନ୍ତି - “ଚରିତ୍ର୍ୟଣୈବ କମପ୍ୟବତାରଂ ସୂଚୟତି ।” ଚରିତ୍ର ଦ୍ଵାରାହିଁ କୌଣସି ଅବତାରକୁ ସୂଚିତ କରୁଅଛନ୍ତି । ସେହିପରି ୧୭- ମନୁ ବଂଶଧରକୁ କେହି କେହି ମନ୍ଵନ୍ତରର ଅବତାର କହିଛନ୍ତି । କିନ୍ତୁ ମନୁବଂଶଧର (ମନୁଷ୍ୟ) ବା ମନ୍ଵନ୍ତର ଅପେକ୍ଷା କେବଳ ମନୁ କହିଥିଲେ ବେଶି ଯୁକ୍ତସଂଗତ ହୋଇଥାନ୍ତା । ଆହୁରି ମଧ୍ୟ ୨୧- ଶ୍ରୀକୃଷ୍ଣଙ୍କୁ ବଳରାମକୃଷ୍ଣ କୁହାଯାଇପାରେ ।

 

ଭାଗବତର ଦଶମ ସ୍କନ୍ଧ ୪୦ ଅଧ୍ୟାୟ “ଅକ୍ରୁର ସ୍ତୁତି’’ରେ ମଧ୍ୟ କେତୋଟି ଅବତାରର ଉଲ୍ଲେଖ ହୋଇଛି । ସେମାନେ ହେଲେ ୧- କାରଣ ମତ୍ସ୍ୟ, ୨- ହୟଶୀର୍ଷ, ୩- ମଧୁକୈଟଭାରି, ୪- କୂର୍ମ, ୫- ଶୂକର, ୬- ନୃସିଂହ, ୭- ବାମନ, ୮- ଭୃଗୁପତି ପର୍ଶୁରାମ ୯- ରଘୁବର୍ଯ୍ୟ ରାମ, ୧୦- ବାସୁଦେବ-ସଙ୍କର୍ଷଣ-ପ୍ରଦ୍ୟୁମ୍ନର-ଅନିରୁଦ୍ଧ-ଚତୁର୍ବ୍ୟୂହ, ୧୧- ବୁଦ୍ଧ, ୧୨- କଳ୍‌କୀ । ଚତୁର୍ବ୍ୟୂହକୁ ଅଲଗା ଅଲଗା ନେଲେ, ଏମାନେ ହେବେ ୧୫ ଅବତାର ।

 

ଏହି ତିନୋଟି ଯାକ ପ୍ରସଙ୍ଗକୁ ତୁଳନା କଲେ ଦେଖାଯାଉଛି ଯେ ଶେଷରେ ଚତୁର୍ବ୍ୟୂହର ଉଲ୍ଲେଖ ଅଧିକାଂଶରେ ରହିଛି, ଯାହା ପ୍ରଥମ ଦୁଇଟିରେ ନାହିଁ । କିନ୍ତୁ ପ୍ରଥମ ଦୁଇଟିରେ ଅନେକ ପାର୍ଥକ୍ୟ ଆସୁଛି । ପ୍ରଥମ ତାଲିକାର ପ୍ରଥମ ଅବତାର ବ୍ରହ୍ମାବତାରକୁ “କୁମାରାବତାର ରୂପରେ ନିଆଯାଏ । ତେବେ ଏହା ଦ୍ୱିତୀୟ ତାଲିକାର ୫- ଚତୁଃସନ=ଚତୁଃସନାତନ (ସନକ, ସନନ୍ଦନ, ସନାତନ, ସନତ୍‌କୁମାର) ବା କୁମାର ଅବତାର ସହିତ ଏକ ହୋଇପାରେ । ନ ହେଲେ ଏମାନେ ପୃଥକ ପୃଥକ ଅବତାର ହେବେ । ପ୍ରଥମ ତାଲିକାରେ ଥିବା ୩- ନାରଦ ଏବଂ ୧୩- ମୋହିନୀ ଦ୍ୱିତୀୟ ତାଲିକାରେ ନାହିଁ । ଦ୍ୱିତୀୟ ତାଲିକାରେ ଥବା ୭- ଭଗବତ୍‌, ୧୦- ହୟଗ୍ରୀବ, ୧୪- ହରି, ୧୬- ହଂସ, ୧୭- ମନୁବଂଶଧର ଓ ୨୨- ବ୍ୟାସ ଅନ୍ୟ ତାଲିକାରେ ନାହିଁ । ଏ ସମସ୍ତଙ୍କୁ ମିଶାଇଲେ ଭାଗବତରେ ଅବତାର ହେବେ ୨୪+୨+୧ = ୨୭ ଏବଂ ଚତୁର୍ବ୍ୟୂହ ଏବଂ ଚତୁଃସନଙ୍କର ପ୍ରତ୍ୟେକଙ୍କୁ ପୃଥକ୍‌ ପୃଥକ୍‌ ଅବତାର ରୂପରେ ଗ୍ରହଣ କଲେ, ଅବତାର ହେବେ ସଂଖ୍ୟା ୩୩ ।

 

ଭାଗବତରେ ଏହି ଅବତାର ପ୍ରସଙ୍ଗରେ ଲକ୍ଷ୍ୟ କରିବାର କଥା ଯେ କୃଷ୍ଣଙ୍କୁ ଅବତାର ବୋଲି କୁହା ହୋଇଛି ଏବଂ ପ୍ରଥମ ସ୍କନ୍ଧରେ ପ୍ରଥମ ତାଲିକାର ଠିକ୍‌ ପରେ ପରେ କୃଷ୍ଣଙ୍କୁ ଅବତାରୀ ବୋଲି କୁହାଯାଇଛି । ଏହି ପ୍ରସଙ୍ଗରେ ଭାଗବତକାର କହିଛନ୍ତି -

 

ଅବତାରା ହ୍ୟସଂତୋୟା ହରେଃ ସତ୍ତ୍ୱାନିଧେ ର୍ଦ୍ୱିଜାଃ ।

ଯଥାବିଦାସିନଃ କୁଲ୍ୟା ସରସଃ ସ୍ୟୁ ସହସ୍ରଶଃ ।୧/୩/୨୬।

ଋଷୟୋ ମୁନୟୋ ଦେବା ମନୁପୁତ୍ରା ମହୌଜସଃ ।

କଳାଃ ସର୍ବେ ହରେରେବ ସପ୍ରଜା ପତୟସ୍ତଥା ।୨୭ ।

ଏତେ ଚାଂଶକଳାଃ ପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ଵୟମ୍‌। ୨୮ ।

 

ହେ ବ୍ରାହ୍ମଣଗଣ, ସତ୍ତ୍ଵନିଧି ହରିଙ୍କ ଅବତାର ସଂଖ୍ୟା କରାଯାଇ ପାରିବ ନାହିଁ । ଯେପରି ଉପକ୍ଷୟ ରହିତ ସରୋବର ବା ହ୍ରଦରୁ ହଜାର ହଜାର କୁଲ୍ୟା ବା କୃତ୍ରିମ ଛୋଟ ଛୋଟ ନଦୀ (କେନାଲ) ବାହାରେ, ସେହିପରି ମହାତେଜସ୍ଵୀ ଋଷି, ମୁନି, ଦେବ, ପ୍ରଜାପତି ସହିତରେ ମନୁପୁତ୍ରମାନେ ହରିଙ୍କ କଳା ଅଟନ୍ତି । ଏମାନେ (ଆଦି) ପୁରୁଷଙ୍କ ଅଂଶ କଳା, କୃଷ୍ଣ କିନ୍ତୁ ନିଜେ ଭଗବାନ ।

 

ଏଠାରେ ‘ଅଂଶ କଳା’କୁ ଟୀକାକାରମାନେ ଦ୍ୱନ୍ଦ ସମାସରୂପେ ଗ୍ରହଣ କରିଛନ୍ତି ଏବଂ କଳାର ଅର୍ଥ ହେଉଛି ବିଭୂତି । ଅର୍ଥାତ୍‌ ଅବତାରମାନଙ୍କ ଭିତରୁ ଅନେକେ ଅଂଶାବତାର ଏବଂ କେତେକ କଳାବତାର, ଏଣୁ ଏହା ଉପରେ ଭାବାର୍ଥ ଦୀପିକାରେ କୁହା ହୋଇଅଛି –

 

ବିଭୂତୀରାହ ଋଷୟ ଇତି ।୨୭। ତତ୍ର ବିଶେଷ ମାହ-ଏତେ ଚେତି ।୨୮। ପୁଂସଃପରମେଶ୍ୱରସ୍ୟ କେଚିଦଂଶାଃ, କେତି, କଳାଃ ବିଭୂତୟଃ । ତତ୍ର ମତ୍ସ୍ୟାଦୀନାମବତାରତ୍ୱେନ ସର୍ବଜ୍ଞେତ୍ୱେ ସର୍ବଶକ୍ତିମତ୍ତ୍ୱେପି ଯଥୋପଯୋଗମେବ ଜ୍ଞାନକ୍ରିୟାଶକ୍ତ୍ୟା ବିଷ୍କରତାମ୍‌ । କୁମାରନାରଦାଦି ଷ୍ୱାଧିକାରିକେଷୁ ଯଥୋପୟଯୋଗମଂଶକଳାବେଶଃ । ତତ୍ର କୁମାରାଦିଷୁ ଜ୍ଞାନାବେଶଃ । ପୃଥ୍ୱାଦିଷୁ ଶକ୍ତ୍ୟା ବେଶଃ । କୃଷ୍ଣସ୍ତୁ ସାକ୍ଷାତ ଭଗବାନ ନାରାୟଣ ଏବ, ଆବିଷ୍କୃତସର୍ବଶକ୍ତି ମତ୍ତ୍ୱାତ୍‌ ।

 

ବିଭୂତିକୁ ଅର୍ଥାତ୍‌, ବିଭୂତିକୁ ନେଇ ଅବତାର କଥା କହିଲେ, ‘ଋଷୟୋ ମୁନୟୋ ଦେବା’ ଇତ୍ୟାଦି (ଶ୍ଳୋକ ୭) । ଏମାନେ ସମସ୍ତେ ହରିଙ୍କ କଳା ଅର୍ଥାତ୍‌ ବିଭୂତି । ୨୮ ଶ୍ଳୋକର ବ୍ୟାଖ୍ୟା ପ୍ରସଙ୍ଗରେ କହିଲେ - ପୁରୁଷ ପରମେଶ୍ୱରଙ୍କର କେତେକ ଅଂଶ ଏବଂ କେତେକ ହେଉଛନ୍ତି କଳା ଅର୍ଥାତ୍‌ ବିଭୂତି । ଏଣୁ ଜଗନ୍ନାଥ ଦାସ ଏହାର ଅନୁବାଦ କରି କହି ଅଛନ୍ତି –

 

ସେ ସତ୍ୟ (ସତ୍ତ୍ୱ) ନିଧି ମାୟାଧର

ଅସଂଖ୍ୟ କରେ ଅବତାର

ଯଥା ଅକ୍ଷୟ ହ୍ରଦ ଦେହେ

ସହସ୍ର କ୍ଷୁଦ୍ର ନଦୀ ବହେ

ଋଷି ଦେବତା ମନୁ (ମୁନି) ରାଜା

ଯେ ମନୁ ପୁତ୍ରେ ମହାତେଜା

ଏ ଆଦି ଯେତେ ପ୍ରଜାପତି

ବିଷ୍ଣୁର ଅଂଶେ ଜନ୍ମ ହୋନ୍ତି

କେ ଅଂଶେ କେତେକଳା ହୋଇ

ବିଭୂତିଗୁଣେ କେ ଜନ୍ମଇ

ସକଳ ଅବତାର ସାର

କି ଅବା ଦେବା ପଟାନ୍ତର

ନିଜ ମୂରତି ଚକ୍ରଧର

ସ୍ଵୟଂ ଶ୍ରୀକୃଷ୍ଣ ଅବତାର

 

କେବଳ କଳା ବା ଅଂଶ ନୁହେଁ, ଅଂଶାଂଶକୁ ନେଇ ମଧ୍ୟ ଅବତାର ଗ୍ରହଣ କରିବା କଥା ଭାଗବତରେ ରହିଛି ।

 

ଏତନ୍ନାନାବତାରାଣାଂ ନିଧାନଂ ବୀଜମବ୍ୟୟମ୍‌।

ଯସ୍ୟାଂଶାଂଶେନ ସୃଜ୍ୟନ୍ତେ ଦେବ ତିର୍ଯ୍ୟଙ୍‌ନରାଦୟଃ ।୧/୩/୫।

 

ଏହି କୂଟସ୍ଥ ଆଦି ନାରାୟଣ ହେଉଛନ୍ତି ନାନା ଅବତାରମାନଙ୍କର ନିଧାନ ବା କାର୍ଯ୍ୟାବସାନ ପରେ ପ୍ରବେଶ ସ୍ଥାନ, ବୀଜ ବା ଉଦୟ ସ୍ଥାନ ଏବଂ ତାହା ହେଉଛି ଅବ୍ୟୟ । ସେ କେବଳ ଅବତାରମାନଙ୍କର ବୀଜ ନୁହନ୍ତି ସବୁ ପ୍ରାଣୀମାନଙ୍କର ବୀଜଃ ଦେବ ତିର୍ଯ୍ୟକ୍‌ ଏବଂ ନରମାନେ ଏହାଙ୍କଠାରୁ ସ୍ପଷ୍ଟ ହୁଅନ୍ତି । ଏହାଙ୍କର ଅଂଶ ବା ଅଂଶାଂଶରୁ ଅବତାରମାନେ ଆବିର୍ଭୂତ ହୁଅନ୍ତି । ଅର୍ଥାତ୍‌ ଏହାଙ୍କର ଅଂଶ ହେଉଛନ୍ତି ବ୍ରହ୍ମା, ତାଙ୍କର ଅଂଶ ହେଉଛନ୍ତି ମରୀଚି ଆଦି । ଜଗନ୍ନାଥ ଦାସ ଏହାର ଅନୁବାଦ କରି ଲେଖିଛନ୍ତି –

 

ସେ ସୃଷ୍ଟି ମଧ୍ୟେ ମାୟାଧର

ହୁଅନ୍ତି ଯେତେ ଅବତାର

ତାଙ୍କରି ମୂଳବୀଜ ଏହି

ଜଗତେ ବ୍ରହ୍ମ ସେ ବୋଲାଇ

ଯାହାର ଅଂଶାଂଶର ବଳେ

ଗଗନ ପୃଥିବୀ ପାତାଳେ

ଦେବ ମନୁଷ୍ୟ ପଶୁ ଆଦି

ନିଗମ ଗୋଚରେ ସମ୍ପାଦି

 

ଏହି ଆଲୋଚନାରୁ ଜଣାପଡ଼ୁଛି ଯେ ଆଦି ପୁରୁଷ (ବ୍ରହ୍ମ)ଙ୍କ ଅଂଶ, ଅଂଶାଂଶ ଓ କଳା ବା ବିଭୂତିରୁ ଅବତାର ଗ୍ରହଣ କରନ୍ତି, ଶ୍ରୀକୃଷ୍ଣ ହେଉଛି ସମ୍ପୂର୍ଣ୍ଣ କଳା ସେ ସ୍ଵୟଂ ଭଗବାନ ଅର୍ଥାତ୍‌ କୃଷ୍ଣ ହେଉଛନ୍ତି ଅବତାରୀ ଏବଂ ଅନ୍ୟମାନେ ହେଉଛନ୍ତି ଅବତାର, ବୁଦ୍ଧ ମଧ୍ୟ । ବୁଦ୍ଧଙ୍କ ସ୍ଥାନ ଶ୍ରୀକୃଷ୍ଣଙ୍କ ତଳେ, ଅନ୍ୟ ଅବତାରମାନଙ୍କ ଅପେକ୍ଷା ମଧ୍ୟ ଅନେକ ତଳେ ।

 

ଭାଗବତରେ ସବୁ ଅବତାରମାନଙ୍କର ଗୋଟିଏ ଗୋଟିଏ ବିଶିଷ୍ଟ ଉଦ୍ଦେଶ୍ୟ ନର୍ଦ୍ଦିଷ୍ଟ କରା ହୋଇଅଛି, ବୁଦ୍ଧ ଅବତାରର ମଧ୍ୟ । ବୁଦ୍ଧ ଅବତାରର ଉଦ୍ଦେଶ୍ୟ ସମ୍ବନ୍ଧରେ ସେଠାରେ କୁହା ହୋଇଅଛି –

 

ତତଃ କଳୌ ସମ୍ପବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌।

ବୁଦ୍ଧୋ ନାମ୍ନାଞ୍ଜନ ସତଃ କୀକଟେଷୁ ଭବିଷ୍ୟତି ।୧/୩ /୨୪ ।

 

ଏହାପରେ କଳିଯୁଗରେ ସୁରଶତ୍ରୁ ଅର୍ଥାତ୍‌ ଅସୁରମାନଙ୍କର ସଂମୋହ ବା ଚିତ୍ତଭ୍ରମ ପାଇଁ ଅଞ୍ଜନଙ୍କ ପୁତ୍ରରୂପରେ କୀକଟ ଦେଶରେ ବୁଦ୍ଧ ନାମରେ (୨୧ ତମ ଅବତାର ରୂପରେ) ଜନ୍ମଗ୍ରହଣ କରିବେ ।’ ଏଠାରେ ବୁଦ୍ଧ ଅବତାରର ପ୍ରୟୋଜନ ପ୍ରସଙ୍ଗରେ କୁହା ହୋଇଅଛି । “ସଂମୋହାୟ ସୁରଦ୍ୱିଷାମ‌” ବା ସୁରଶତ୍ରୁ ଅସୁରମାନଙ୍କ ମୋହ ବା ଚିତ୍ତଭ୍ରମକରଣ ପାଇଁ ବୁଦ୍ଧ ଅବତାର ଗ୍ରହଣ କରିଥିଲେ । ଏଠାରେ ମନରେ ପ୍ରଶ୍ନ ଉଠେ ଯେ, ଅସୁରମାନଙ୍କୁ ଭୁଲାଇବା ପାଇଁ ବା ସେମାନଙ୍କ ମନରେ ଭ୍ରମ ସୃଷ୍ଟି କରିବା ହେଉଛି ବୁଦ୍ଧ ଅବତାର ଗ୍ରହଣର ପ୍ରୟୋଜନ, ଏହା କ’ଣ ସତ୍ୟ ?

 

ସେହି ଭାଗବତର ଦ୍ଵିତୀୟ ସ୍କନ୍ଦ ୭ମ ଅଧ୍ୟାୟରେ ୨୪ ଅବତାର ପ୍ରସଙ୍ଗରେ ନାମତଃ କୌଣସି ଅବତାରର ଉଲ୍ଲେଖ କରି ନ ଥିଲେ ମଧ୍ୟ ଚରିତ୍ରର ଉଲ୍ଲେଖ କରି କହି ଅଛନ୍ତି -

 

ଦେବଦ୍ୱିଷାଂ ନଗମ ବର୍ତ୍ମନି ନିଷ୍ଠିତାନାଂ

ପୂର୍ତ୍ତିର୍ମୟେନ ବିହାତାଭିର ଦୃଶ୍ୟ ତୂର୍ଭିଃ

ଲୋକାନ୍‌ ଘ୍ନତାଂ ମତିବିମୋହତି ପ୍ରଲୋଭଂ

ବେଷଂ ବିଧାୟ ବହୁ ଭାଷ୍ୟତ ଔପ ଧର୍ମ୍ୟମ୍‌ ୩୨

 

ଏ ଶ୍ଳୋକର ଅର୍ଥ ଏତେ ସ୍ପଷ୍ଟ ହେଉନାହିଁ । କିନ୍ତୁ ଏତିକି ଲକ୍ଷଣୀୟ ଯେ, ଏହା ବୁଦ୍ଧଙ୍କ ବିଷୟରେ କୁହା ହୋଇଅଛି । ଶ୍ରୀଧର ସ୍ଵାମୀ ଏହା ବ୍ୟାଖ୍ୟା କରି କହି ଅଛନ୍ତି - “ବୁଦ୍ଧାବତାରମାହ - ଦେବଦ୍ୱିଷାଂ ଦୈତ୍ୟାନାଂ ନିଗମବର୍ତ୍ମନି ନିଷ୍ଠିତାନାଂ ନିତରାଂ ସ୍ଥିତାନାଂ ତଦ୍‌ବଳେନ ଚ ପୂର୍ତ୍ତି ପୂରୀଭିଃ ଅଦୃଶ୍ୟ ତୂର୍ଭିଃ ଅଲକ୍ଷ୍ୟ ବେଗାଭିଃ । ମତେ ର୍ବିମୋହଃ ଯୋଗ୍ୟତା ତ୍ୟାଗୋ ଯସ୍ମାତ୍‌ମତେଃ ପ୍ରଲୋଭଃ ଅଯୁକ୍ତ ସ୍ଵୀକାରୋ ଯସ୍ମାତ୍‌ତଂ ପାଷଣ୍ଡ ବେଷଂ ବିଧାୟ ତେନ ଔପଧର୍ମ୍ୟଂ, ସ୍ଵାର୍ଥେଷ୍ୟଙ୍‌। ବହୁ ଭାଷିଷିତ୍‌ ଇତ୍ୟର୍ଥଃ ।”

 

ବୁଦ୍ଧାବତାର ସମ୍ବନ୍ଧରେ କହୁଛନ୍ତି - ଦେବଦ୍ଵିଷ୍‌ ଅର୍ଥାତ୍‌ ଦୈତ୍ୟମାନେ ନିଗମବର୍ତ୍ମ ଅର୍ଥାତ୍‌ ବେଦ ମାର୍ଗରେ ନିଶ୍ଚିତ ବା ନିତରାଂ ସ୍ଥିତ ହୋଇ ଥିବାରୁ ତାହାରି ବଳରେ ପୁର୍‌ ଅର୍ଥା୍‌ତ ପୁରୀ ଯାହା ଅଦୃଶ୍ୟତୁର ବା ଅଲକ୍ଷ୍ୟତବେଗା, ସେମାନଙ୍କ ଦ୍ଵାରା । ମତିର ବିମୋହଂ ଅର୍ଥାତ୍‌ ଯୋଗ୍ୟତା ତ୍ୟାଗ ହୁଏ ଯାହାଠାରୁ ଏବଂ ମତିର ପ୍ରଲୋଭ ଅର୍ଥାତ୍‌ ଅଯୁକ୍ତ (ଅନୁଚିତ) ସ୍ଵୀକାର ହୁଏ ଯାହାଠାରୁ, ଏହିପରି ପାଷଣ୍ଡବେଷ ବିଧାନ କରି ତାଙ୍କ ଦ୍ଵାରା (ବୁଦ୍ଧଙ୍କଦ୍ଵାରା ଔପଧର୍ମ୍ୟ ଉପଧର୍ମରୁ ସ୍ୱାର୍ଥରେ ଷ୍ୟଙ୍‌(ୟ) ପ୍ରତ୍ୟୟ ହୋଇ ଔପଧର୍ମ୍ୟ ଶବ୍ଦ ସିଦ୍ଧ ହୋଇଛି) ବା ଉପଧର୍ମ ବହୁତ କୁହାହେବ ।

 

ଏହି ଟୀକାକୁ ନେଇ ଶ୍ଳୋକର ବ୍ୟାଖ୍ୟା କଲେ ଶ୍ଳୋକର ଅର୍ଥ ହେବ - ଦେବଙ୍କ ଶତ୍ରୁ ଦୈତ୍ୟମାନେ ବେଦମାର୍ଗରେ ନିଷ୍ଠିତ ହୋଇଥିବାରୁ ତାହାରି ବଳରେ ମୟଙ୍କଦ୍ଵା ନିର୍ମିତ ଅଲକ୍ଷ୍ୟବେଗ ପୁରୀମାନଙ୍କ ଦ୍ଵାରା ଲୋକମାନଙ୍କୁ ନାଶ କରୁଥିବା ବା ସେମାନଙ୍କ ଅନିଷ୍ଠ କରୁଥିବା ବ୍ୟକ୍ତିମାନଙ୍କର ମତି ବିମୋହନକାରୀ ଏବଂ ମତି ପ୍ରଲୋଭନକାରୀ ବେଷ ଧାରଣ କରି ସେ (ବୁଦ୍ଧ) ଉପଧର୍ମ ବା ନିମ୍ନସ୍ତରର ଧର୍ମ ବହୁତ କହିବେ ବା ଉପଦେଶ ଦେବେ ।

 

ଏହାକୁ ଦେଖିଲେ ଜଣାପଡ଼ୁଛି ଯେ ଦେବବିରୋଧୀ ଲୋକମାନେ ବେଦମାର୍ଗରେ ନିଷ୍ଠିତ ହୋଇ ଲୋକମାନଙ୍କର ଅନିଷ୍ଟ କରୁଥିଲେ ଏବଂ ସେମାନଙ୍କୁ ଭୁଲାଇ ଦେବାକୁ ଭୁଲ ପଥରେ ନେବାକୁ ବୁଦ୍ଧ ଅବତାର ଗ୍ରହଣ କରିଥିଲେ ଏବଂ ସେ ଉପଧର୍ମ ପ୍ରଚାର କରିଥିଲେ । କିନ୍ତୁ ମୟ ନିର୍ମିତ ଅଲକ୍ଷ୍ୟ ବେଗ ପୁରୀର ସାର୍ଥକତା ଏବଂ ଅଭିପ୍ରାୟ କ’ଣ ? “ଅଦୃଶ୍ୟ ତୂର୍ଭିଃ” ର “ଅଲକ୍ଷ୍ୟ ବେଗାଭିଃ” ଅର୍ଥ କରା ହୋଇଅଛି । ଏହି ‘ତୁର’ ଶବ୍ଦ ‘ଞ୍ଜି ତ୍ୱରା ସଂଭ୍ରମେ’ ଧାତୁରୁ ଆସିଛି, ଯେଉଁଥିରୁ ତ୍ୱରା, ତୂର୍ଣ୍ଣ ଆଦି ଶବ୍ଦ ଆସିଛି । ତେବେ ଏହି ଅଦୃଶ୍ୟ ତୁର୍‌ ବା ଅଲକ୍ଷ୍ୟ ବେଗ ପୁରୀର ତାତ୍ପର୍ଯ୍ୟ କ’ଣ ? ଜଗନ୍ନାଥ ଦାସଙ୍କ ଭାଗବତରେ ମଧ୍ୟ ଏହାର ଅର୍ଥ ସ୍ପଷ୍ଟ ହେଉ ନାହିଁ । ଏହି ପ୍ରକରଣରେ ସେ ବୃଦ୍ଧଙ୍କ ନାମ ଉଲ୍ଲେଖ ନ କରି ଅନୁବାଦ କରିଛନ୍ତି ।

 

ଅସୁରେ ତେଜି ବେଦମାର୍ଗେ

ମାୟାବିମାନେ କଳିଯୁଗେ

ତହାଙ୍କ ନିସ୍ତାର ଯେମନ୍ତେ

ଦୃଶ୍ୟ ଅଦୃଶ୍ୟ ଶୂନ୍ୟ ପଥେ

କରିଲେ ବହୁଜନ ହିତ

ସେ କଥା ଜାଣି ଜଗନ୍ନାଥ

କପଟେ ମୟା ମୋହ ପାଶେ।

ପାଷଣ୍ଡ ମାର୍ଗ ଉପଦେଶେ

ଅଜ୍ଞାନ ମାଦେ ନ ବୁଝିବେ

ସୁଜନ ଜନଙ୍କୁ ହିଂସିବେ

 

ଶ୍ରୀଧର ସ୍ୱାମୀଙ୍କ ଦୈତ୍ୟଙ୍କୁ ଏଠାରେ ଅସୁର ବୋଲି କୁହା ହୋଇଅଛି । କିନ୍ତୁ ପୂର୍ବ ଶ୍ଳୋକର ‘ସୁରଦ୍ୱିଷାମ୍‌’କୁ ସେ ‘ପାଷାଣ୍ଡ’ ବୋଲି କହିଅଛନ୍ତି । ସୁରଦ୍ୱିଷାଂ ଓ ଦେବଦିଷାଂର ଅର୍ଥ ଏକ ହେବା କଥା, କିନ୍ତୁ ଅସୁର ଓ ଦୈତ୍ୟ ଏବଂ ପାଷଣ୍ଡ ଏକ ନୁହନ୍ତି । ଆହୁରି ମଧ୍ୟ ମୟ ନିର୍ମିତ ପୁରୀକୁ ଏଠରେ ‘ମାୟବିମାନ’ ବୋଲି କୁହାଯାଇଛି । ଏହା ପ୍ରସଙ୍ଗକୁ ଆହୁରି ଜଟିଳ କରି ଦେଇଛି । ବୁଦ୍ଧଙ୍କର ମାୟା ବିମାନ ସହିତ ସମ୍ବନ୍ଧ କିଛି ବୁଝି ହେଉନାହିଁ । ‘ଅଦୃଶ୍ୟ ତୂର୍ଭି’ର ଅନୁବାଦ ‘ଦୃଶ୍ୟ ଅଦୃଶ୍ୟ ଶୂନ୍ୟପଥ’ କିପରି ହେଲା ଏବଂ ଏହାର ଅର୍ଥ କ’ଣ, ତାହା ମଧ୍ୟ ବୁଝି ହେଉନାହିଁ । ‘କରିଲେ ବହୁ ଜନ ହିତ’ ମୂଳ ଶ୍ଳୋକର କୌଣସି ସୂଚନା ନାହିଁ । ଏଠାରେ ବେଷର ମଧ୍ୟ କୌଣସି ଉଲ୍ଲେଖ ନାହିଁ । ‘ହତ’ ସ୍ଥାନରେ ‘ହିତ’ ଏବଂ ‘ବେଷ’ ସ୍ଥାନରେ ଯଦି ‘ପାଶେ’ ହୋଇ ଯାଇଅଛି, ତାହା ଅନ୍ୟ କଥା । ତଥାପି ‘ଅସୁରେ ତେଜି ବେଦମାର୍ଗେ’ର ‘ତେଜି’ର ମୂଳରେ କୌଣସି ପ୍ରତିଶବ୍ଦ ନାହିଁ । ମୂଳରେ ଅଛି ‘ନିଷ୍ଠିତାନାମ୍‌’ ବା ଭଲଭାବରେ ରହି । ସେ ଯାହହେଉ, ‘ହତ’ ସ୍ଥାନରେ ହିତ ଏବଂ ‘ବେଷେ’ ସ୍ଥାନେ ‘ପାଶେ’ ହୋଇ ଯାଇଅଛି । ତେବେ ଏହାର ଅର୍ଥ ହେବ - ଦେବଦ୍ୱିଷୁ ବା ଅସୁରମାନେ ବେଦ ମାର୍ଗରେ ରହି ଅଲକ୍ଷ୍ୟରେ ବେଗ ବା ଦୃଶ୍ୟ ଅଦୃଶ୍ୟ ମାୟା (ମୟ) ନିର୍ମିତ ବିମାନପୁରୀରେ ଶୂନ୍ୟ ପଥରେ ଆସି ଅନେକ ଜନହତ କରି (ଲୋକାନ୍‌ ଘ୍ନତାମ୍‌) ମତି ବିମୋହ ଓ ମତି ପ୍ରଲୋଭ ବେଷ ଧାରଣ କରି (କପଟେ ମାୟା ମୋହ ପାଶେ) (ବେଷେ) ଔପଧର୍ମ୍ୟ ବା ପାଷଣ୍ଡମାର୍ଗେ ଉପଦେଶ ଦେବେ । ଏହିପରି ଅର୍ଥ କଲେ ମଧ୍ୟ ଜଗନ୍ନାଥ ଦାସଙ୍କର ‘ସୁଜନଜନଙ୍କୁ ହିଂସିବେ’ ଅଧିକା ହୋଇଯାଇଅଛି ।

 

ଏହି ଶ୍ଳୋକର ଏପରି ଅର୍ଥ କରାଯାଇପାରେ । ଏହା ବୁଦ୍ଧାବତାର ପ୍ରସଙ୍ଗରେ ଆସିଛି । ଏଣୁ ବୌଦ୍ଧ ଭିକ୍ଷୁକମାନଙ୍କ ଚର୍ଚ୍ଚା ଆସିବା ମଧ୍ୟ ସ୍ୱାଭାବିକ । ଦେବତାମାନଙ୍କ ଦ୍ଵେଷକର୍ତ୍ତା ବା ଶତ୍ରୁ ହେଇଛନ୍ତି ଅସୁର । ସେହି ଅସୁରମାନେ ନିଗମବରତ୍ମ ବା ବେଦମାର୍ଗରେ ନିଷ୍ଠିତ ହୋଇଅଛନ୍ତି, କିନ୍ତୁ ତହା ବେଦାନୁଯାୟୀ ବ୍ରାହ୍ମଣଧର୍ମାବଲମ୍ୱୀମାନଙ୍କ ପକ୍ଷରେ ସ୍ପୃହଣୀୟ ନା ଗ୍ରହଣୀୟ ନୁହେଁ । ସେମାନେ ହେଉଛନ୍ତି ବୈଦିକ ଯାଗ ଯଜ୍ଞାଦି କରୁଥିବା ବ୍ରାହ୍ମଣମାନଙ୍କ ପରିପନ୍ଥୀ । ସେହି ଅସୁର (? ବୌଦ୍ଧଭିକ୍ଷୁ) ମନେ ମୟ ନିର୍ମିତ ପୁରୀ ବା ବିହାରମାନଙ୍କରେ ବାସ କରନ୍ତି, ଯେଉଁଠାରେ ବାତାବରଣ ହେଉଛି ଶାନ୍ତ ଯେଉଁଠାରେ ଭିକ୍ଷୁମାନେ ଧ୍ୟାନରେ ରତ ଯେଉଁଠାରେ ଯାଗଯଜ୍ଞଦିର ତୁର୍‌ ବା ତ୍ଵରା ବା ଚଳପ୍ରଚଳ ନାହିଁ । ଏହି ଅସୁରମାନେ ସେହି ପୁରୀ ବା ବିହାରମାନଙ୍କରେ ରହି ଯାଗଯଜ୍ଞାଦି ନ କରି ଲୋକମାନଙ୍କ ଅନିଚ୍ଛା ସାଧନ କରୁଛନ୍ତି (ଲୋକାନ୍‌ ଘ୍ନତାମ୍‌) । ଯେଉଁମାନେ ଲୋକମାନଙ୍କ ଅନିଷ୍ଟ ସାଧନ କରୁଛନ୍ତି, ଭୁଲମାର୍ଗରେ ନେଉଛନ୍ତି, ସେମାନଙ୍କୁ ସେ ମୋହଗ୍ରସ୍ତ କରି ରଖିବା ଉଚିତ । ଏଣୁ ଭଗବାନ ବୁଦ୍ଧ ରୂପରେ ଅବତୀର୍ଣ୍ଣ ହୋଇ ସେମାନଙ୍କ ମତି ବିମୋହ ଘଟାଉ ଅଛନ୍ତି ଏବଂ ବେଷଦ୍ୱାରା (ବୌଦ୍ଧ ଭିକ୍ଷୁମାନଙ୍କ ବେଷଦ୍ଵାରା) ସେମାନଙ୍କର ମତିରେ ପ୍ରଲୋଭନ ମଧ୍ୟ ଜାତ କରୁଅଛନ୍ତି । ଏହିପରି ଭାବରେ ସେମାନଙ୍କ ମତରେ ବିମୋହ ଓ ପ୍ରଲୋଭ ଘଟାଇ ଅଥବା ଘଟାଇବାକୁ ଔପଧର୍ମ୍ୟ ବା ନିମ୍ନସ୍ତରର ଧର୍ମ ବା ବେଦବାହ୍ୟ ଧର୍ମ ବହୁଳ ଭାବରେ ଉପଦେଶ ଦେଇଛନ୍ତି ।

 

(ପୂର୍ଭିମୟେନ ବିହାତାଭିଃ) ଅଦୃଶ୍ୟ ତୂର୍ଭିଃ ଏବଂ ‘ମତି ବିମୋହ ମତି ପ୍ରଲୋଭମ୍‌’ର ଆଉ ଗୋଟିଏ ଅର୍ଥ କରାଯାଇପାରେ । ଆଗରୁ କୁହା ହୋଇଅଛି ‘ତୁର୍‌’ ଶବ୍ଦ ‘ଞ୍ଜି’ ତ୍ୱାରା ସଂଭ୍ରମେ’ ଧାତୁରୁ ଅସିଛି, ଯା’ର ଅର୍ଥ ବେଗ ହୋଇପାରେ, ଚଳପ୍ରଚଳ ଚା ଚହଳ ମଧ୍ୟ ହୋଇପାରେ । ଏହି ତୁର୍‌ ଶଦ୍ଦ ‘ତୁର୍ବୀ ହିଂସାୟାମ୍‌’ ଧାତୁରୁ ମଧ୍ୟ ସିଦ୍ଧ ହୋଇପାରେ । ଏହିପରି ହେଲେ ‘ତୁର୍‌’ ଶବ୍ଦର ଅର୍ଥ ହେବ ହିଂସା, ଅର୍ଥାତ୍‌ ସେମାନେ ରହୁଥିବା ପୁରୀ ବା ବିହାରମାନଙ୍କରେ କୌଣସି ପ୍ରକାର ହିଂସା ଦେଖିବାକୁ ମିଳୁ ନଥିଲା, ଯାଗଯଜ୍ଞ ଦି ହେଉ ନଥିଲ କି ଯାଗଯଜ୍ଞାଦି ପାଇଁ ପଶୁବଧ ମଧ୍ୟ ସମ୍ପାଦିତ ହେଉ ନଥିଲା । ଅଦୃଶ୍ୟ ତୂର୍ଭି (ପୂର୍ତ୍ତିଃ)ର ଏହି ଅର୍ଥ କଲେ ଗୀତ ଗୋବିନ୍ଦର ‘‘ନିନ୍ଦସି ଯଜ୍ଞ ବିଧେରହହ ଶ୍ରୁତି ଜାତମ୍‌ । ସଦୟ ହୃଦୟ ଦର୍ଶିତ ପଶୁଘାତମ୍‌’’ ସହିତ ଏହାର ସାମଞ୍ଜସ୍ୟ ରହିବ ।

 

ଆହୁରି ମଧ୍ୟ ‘‘ମତି ବିମୋହ ମତି’’ ପ୍ରଲୋଭଂ’କୁ ‘ମତି ବିମୋହମ୍‌+ଅତି ପ୍ରଲୋଭମ୍‌’ ଏହିପରି ସନ୍ଧିଚ୍ଛେଦ କରାଯାଇପାରେ । ଏହିପରି ସନ୍ଧିଚ୍ଛେଦ କଲେ ‘ଅତି ପ୍ରଲୋଭ’ ବା ‘ଅତି ଲୋଭନୀୟ’ ବେଷର ବିଶ୍ଳେଷଣ ହେବ ଏବଂ ଗୋଟିଏ ‘ଚ’ (ଏବଂ)ର ଅଧ୍ୟାହାର କଲେ ‘ଲୋକାନ୍‌ଘ୍ନତାଂ ମତି ବିମୋହମ୍‌, ଅତି ପ୍ରଲୋଭଂ ବେଷଂ ଚ ବିଧାୟ’’ ହେବ, ଯାହାର ଅର୍ଥ ହେବ ଲୋକ ଅନିଷ୍ଟକାରୀମାନଙ୍କର ଚିତ୍ତ ବିଭ୍ରମ ଏବଂ ଅତି ଲୋଭନୀୟ ବେଷ ସମ୍ପାଦନ କରି (ଉପଧର୍ମ୍ମ ବହୁଳ ଭାବରେ ଉପଦେଶ ଦେଉଛନ୍ତି ବା ଦେବେ) ଅର୍ଥ ହେବ ।

 

ଏହିପରି ଅର୍ଥ କରାଗଲେ ପୂର୍ବୋକ୍ତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟ ୨୪ ଶ୍ଳୋକ ସହିତ ସାମଞ୍ଜସ୍ୟ ମଧ୍ୟ ରହିବ । ସେହି ଶ୍ଳୋକଟି ହେଲା –

 

ତତଃ କଳୌ ସମ୍ପବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌।

ବୁଦ୍ଧେନାମ୍ନାଞ୍ଜନ ସୁତଃ କୀକଟେଷୁ ଭବିଷ୍ୟତି ।

 

ଦ୍ୱିତୀୟ ସ୍କନ୍ଦର ଶ୍ଳୋକରେ ‘‘ଦେବଦ୍ୱିଷାଂ .ଲୋକାନ୍‌ଘ୍ନତାଂ ମତି ବିମୋହଂ ବିଧାୟ’’ ଅଛି ଏବଂ ଏଠାରେ ‘‘ସଂମୋହାୟ ସୁରଦ୍ୱିଷାମ’’ ଅଛି, କିନ୍ତୁ ଅଭିପ୍ରାୟ ଏକ ।

 

ତେବେ ପୂର୍ବୋତ୍‌ଥାପିତ ପ୍ରଶ୍ନକୁ ପୁନରାବୃତ୍ତି କରାଯାଇପାରେ, କ’ଣ ଲୋକ ଅନିଷ୍ଟକାରୀ ସୁରଦ୍ୱିଟ୍‌ ବା ବେବ୍‌ଦ୍ୱିଟ୍‌ ଅସୁରମାନଙ୍କ ମନରେ ସଂମୋହ ବା ଚିତ୍ତ ବିଭ୍ରମ ଘଟାଇବା ପାଇଁ ବୁଦ୍ଧ ଅବତାରର ପ୍ରୟୋଜନ ହୋଇଥିଲା ? ଉପଧର୍ମ୍ମ ପ୍ରଚାର କରି ଲୋକମାନଙ୍କ ଅନିଷ୍ଟ ସାଧନ କରିବାକୁ କି ବୁଦ୍ଧଙ୍କ ଆବିର୍ଭାବ ହୋଇଥିଲା? ବୁଦ୍ଧଙ୍କ ପ୍ରଚାରିତ ଧର୍ମ କ’ଣ ଉପଧର୍ମ ?

 

ବୌଦ୍ଧ ଧର୍ମ ସମ୍ବନ୍ଧରେ ଏହି ସବୁ ମନ୍ତ୍ର ଅସୂୟା ପ୍ରଣୋଦିତ ଏବଂ ଭ୍ରାନ୍ତ ଧାରଣା ଉପରେ ପ୍ରତିଷ୍ଠିତ । ପୂର୍ବୋକ୍ତ ଶ୍ଳୋକକୁ ବିଶ୍ଳେଷଣ କରି ଦେଖିଲେ ଏହା ସ୍ପଷ୍ଟତର ହେବ ।

 

କୀକଟ (କୀକଟେଷୁ ଭବିଷ୍ୟତି)ର ଅର୍ଥ ହେଉଛି ବିହାର ପ୍ରଦେଶ । ଶ୍ରୀଧର ସ୍ୱାମୀ ଏହା ଉପରେ ଟୀକା କରି କହି ଅଛନ୍ତି - ‘କୀକଟେଷୁ ମଧ୍ୟେ ଗୟା ପ୍ରଦେଶେ’ ଅର୍ଥାତ୍‌ କୀକଟ ଦେଷ ଭିତରେ ଗୟା ପ୍ରଦେଶର । କିନ୍ତୁ ଗୌତମ ବୁଦ୍ଧ ଗୟା ପ୍ରଦେଶର ବୋଧଗୟା ଠାରେ ବୁଦ୍ଧତ୍ଵ ପ୍ରାପ୍ତ ହୋଇଥିଲେ । ସେଠାରେ ଜନ୍ମ ଗ୍ରହଣ କରି ନଥିଲେ । ଏହା ବାହାରେ- ବୁଦ୍ଧଙ୍କୁ ସେହି ଶ୍ଲୋକରେ ‘ଅଞ୍ଜନ ସୁତ’ ବୋଲି କୁହା ହୋଇଅଛି । ଭାବାର୍ଥ ଦୀପିକାରେ ଏହାର ବ୍ୟାଖ୍ୟା କରି ଅଞ୍ଜନସ୍ୟ ସୁତଃ’ ଅଞ୍ଜନଙ୍କ ପୁତ୍ର ବେଲି କୁହା ହୋଇଅଛି । ସେହିଠାରେ ପାଠନ୍ତରର ଉଲ୍ଲେଖ କରି ସେ କହିଛନ୍ତି - ‘‘ଅଜିନ ସୁତ ଇତି ପାଠେ ଅଜିନୋଽପି ସଏବ ।’’ ଅର୍ଥାତ୍‌ ଅଞ୍ଜନ ସୁତ ସ୍ଥାନରେ ଅଜିନ ସୁତ ପାଠ ମଧ୍ୟ ଅଛି । ସେହିପରି କଲେ ଅଜିନ ମଧ୍ୟ ସେହି ଲୋକ ଅର୍ଥାତ୍‌ ବୁଦ୍ଧ ହେଉଛନ୍ତି ଅଞ୍ଜନ ଦା ଅଜିନଙ୍କ ପୁତ୍ର । କିନ୍ତୁ ବୁଦ୍ଧଙ୍କ ପିତାଙ୍କ ନାମ ଅଞ୍ଜନ ବା ଅଜିନ ନା ଥିଲା । ଏହା ସର୍ବ ବିଦିତ । ଗୀତା ପ୍ରେସରେ ମୁଦ୍ରିତ ଭଗବତରେ ‘‘ବୁଦ୍ଧନାମ୍ନା ଜନସୁତେ’’ ପାଠ ଅଛି । ବୁଦ୍ଧ ଜନସୁତ ମଧ୍ୟ ନୁହନ୍ତି । ଜଗନ୍ନାଥ ଦାସ ଏହାର ଓଡ଼ିଆ ଅନୁବାଦ କରି କହି ଅଛନ୍ତି-

 

କଳି ଆଗମେ ଭାବଗ୍ରାହୀ

ପାଷଣ୍ଡ ଜନ ମନ ମୋହି

ବୁଦ୍ଧ ନାମରେ ଦ୍ଵିଜ ଘରେ

ଜନ୍ମିଲେ କୀକଟ ନଗରେ

 

ଏଠାରେ ବୁଦ୍ଧଙ୍କ ଦ୍ୱିଜଘରେ ଜନ୍ମଗ୍ରହଣ କରିଥିବା କଥା ଉଲ୍ଲେଖ କରା ହୋଇଅଛି, କିନ୍ତୁ ବୁଦ୍ଧ ଦ୍ୱିଜ ଘରେ ଜନ୍ମ ଗ୍ରହଣ କରି ନଥିଲେ । ଜଗନ୍ନାଥ ଦାସ କେଉଁଠାରୁ ‘ଦ୍ୱିଜଘର’ କଥା ପାଇଲେ, ତାହା ମଧ୍ୟ ବୁଝି ହେଉନାହିଁ । ମୂଳ ଶ୍ଳୋକରେ ଏହାର କୌଣସି ଚର୍ଚ୍ଚା ଆସିନାହିଁ । ଅଞ୍ଜନ ବା ଅଜିନ ଦ୍ୱିଜ ହୋଇ ପାରିଥାନ୍ତି, କିନ୍ତୁ ତା’ର ଅର୍ଥ ‘ଦ୍ଵିଜ’ ନୁହେଁ । ବୋଧହୁଏ ଜଗନ୍ନାଥ ଦାସ ଭାବିନେଲେ ଯେ ଭଗବାନଙ୍କ କୌଣସି ଅବତାର ବ୍ରାହ୍ମଣ ଛଡ଼ା ଅନ୍ୟ ଘରେ ଜନ୍ମଗ୍ରହଣ କରି ନ ପାରନ୍ତି । ଆହୁରି ମଧ୍ୟ ‘ସୁର ଦ୍ୱିଷାମ୍‌’ ର ଅର୍ଥ ‘ପାଷଣ୍ଡ’ ନୁହେଁ, ଅସୁରମାନେ ପାଷଣ୍ଡ ହୋଇଥାଇ ପାରନ୍ତି ।

 

ଦୀନକୃଷ୍ଣ ଦାସ ନାମରତ୍ନ ଗୀତାରେ କହି ଅଛନ୍ତି -

ନବମ ଅବତାର ବଉଦ୍ଧ ରୂପ ଧରି ।

ମାତାଙ୍କର ନାମ ଘେ କରୁଣାବତୀ ନାରୀ ।।

ପିତାଙ୍କର ନାମ ମୋର ଗଙ୍ଗାମଉପାମ ।

ଶୁଣି କରି ଅର୍ଜୁନ ହୋ ସ୍ଥିର କର ମନ ।।

କ୍ଷେତ୍ରବର କଟକ ସେ ନୀଳଗିରି ହୋଇ ।

ଦାରୁରୂପେ ବିଜୟେ ପୁରୁଷୋତ୍ତମେ ଯାଇ ।।

ଗୟାସୁର ଦାନବକୁ ତହିଁ ଥାଇ ମାରି ।

ଗଦାଧର ନାମ ଯେ ବହିଲୁ ତେଣୁ କରି ।

ନାମରତ୍ନ ଗୀତା, ୧୫ ଅଧ୍ୟାୟ, ପୃ-୫୯

 

ଏଠାରେ ଜଗନ୍ନଥ ଓ ବୁଦ୍ଧଙ୍କ ଏକ କରା ହୋଇଅଛି । ବୁଦ୍ଧଙ୍କ ଜନ୍ମ ଓ ଚରିତ୍ର ସମ୍ବନ୍ଧରେ କୁହା ହୋଇଅଛି ଯେ - ତାଙ୍କ ମାତାଙ୍କ ନାମ କରୁଣାବତୀ ଏବଂ ପିତାଙ୍କ ନାମ ଗଙ୍ଗାମଉପାମ (?) ବୁଦ୍ଧ ଭଗବାନ କରୁଣ ଓ ମୈତ୍ରୀ ପ୍ରଚାର କରିଥିଲେ ବୋଲି ତାଙ୍କ ପ୍ରସଙ୍ଗରେ କରୁଣା କଥା ମନକୁ ଆସିପାରେ; କିନ୍ତୁ ‘ଗଙ୍ଗାମଉପାମ’ର ଅର୍ଥ କିଛି ବୁଝି ହେଉନାହିଁ । ଆହୁରି ମଧ୍ୟ କୀକଟକୁ ଗୟା ପ୍ରଦେଶ ଅର୍ଥ କରାହୋଇ ଥିବାରୁ ବୁଦ୍ଧଙ୍କ ଚର୍ଚ୍ଚା ଆସିଲାବେଳେ ଗୟାର ଉଲ୍ଲେଖ ଆସିପାରେ । କିନ୍ତୁ ସେ’ତ ଗୟାସୁରକୁ ମାରି ନଥିଲେ । ଗୟାସୁରକୁ ମାରିଥିଲେ ବିଷ୍ଣୁ । ବିଷ୍ଣୁ ଗଦାଧର, କିନ୍ତୁ ଗୟାସୁରକୁ ବଧକଲେ ବୋଲି ଗଦାଧର କାହିଁକି ହେବେ ?

 

ଏହିପରି ଭାବରେ ବୁଦ୍ଧଙ୍କ ଜନ୍ମବୃତ୍ତାନ୍ତ ଓ ଚରିତ ସମ୍ବନ୍ଧରେ ନାନା ଭ୍ରାନ୍ତ ଧାରଣା ରହିଛି । ପୂର୍ବୋଲ୍ଲିଖିତ ଶ୍ଳୋଳରେ ‘‘ବୃଦ୍ଧୋ ନାମ୍ନାଽଞ୍ଜନସୁତଃ’’ ବା ‘ ‘‘ବୃଦ୍ଧୋନାମ୍ନାଽଜିନସୁତଃ’’ ବା ବୁଦ୍ଧୋନାମ୍ନାଜନସୁତଃ ପ୍ରକୃତରେ ‘‘ବୁଦ୍ଧ ନାମ୍ନା ଜିନସୁତଃ’’ ହେବ । ବମ୍ବେର ଗୋଟିଏ ସଂସ୍କରଣରେ ଏପରି ଦେଖିବାକୁ ମିଳେ ମଧ୍ୟ । ଶକାବ୍ଦ ୧୮୨୬ (ଖ୍ରୀ ୧୯୦୦)ରେ ବମ୍ୱେରୁ ‘ଗଣପତ କୃଷ୍ଣାଜୀ’ ମୁଦ୍ରାଯନ୍ତ୍ରରୁ ଶ୍ରୀଧର ସ୍ଵାମୀଙ୍କ ତତ୍ତ୍ୱାର୍ଥ ଦୀପିକା ଟୀକା ସହିତ ଭାଗବତର ଗୋଟିଏ ସଂସ୍କରଣ ତୃତୀୟ ବାର ମୁଦ୍ରିତ ହୋଇଥିଲା । ସେଠାରେ ପାଠ ହେଲା –

 

ତତଃ କଳୌ ସମ୍ପବୃତ୍ତେ ସଂମୋହାୟ ସୁରଦ୍ୱିଷାମ୍‌ ।

ବୁଦ୍ଧୋ ନାମ୍ନାଃଽଜନସୁତଃ କୀକଟେଷୁ ଭବିଷ୍ୟତେ ।

ବୁଦ୍ଧାବତାରମାହତେ ଇତି । ଅଜନସ୍ୟ ସୁତଃ ।

ଜିନସୁତ ଇତିପାଠେ ଜିନୋଽପିସ ଏବ ।

 

ଅର୍ଥାତ୍‌ ବୁଦ୍ଧ ହେଉଛନ୍ତି ଅଜନଙ୍କର ସୁତ । ‘ଜିନସୁତ’ ଏପରି ପାଠ କଲେ ଜିନ ମଧ୍ୟ ସେହି ବ୍ୟକ୍ତି । ଏହି ଅଜନସୁତ ସମ୍ଭବତଃ ଗୀତା ପ୍ରେସ୍‌ରେ ଜନସୁତ ହୋଇଗଲା । କିନ୍ତୁ ଏହା ସତ୍ୟ ଯେ - ‘‘ଜିନ ସୁତ’’ ଗୋଟିଏ ପାଠ ଥିଲା । ତାଙ୍କୁ ନ ବୁଝି ଅଞ୍ଜନସୁତ, ଅଜିନସୁତ, ଅଜନସୁତ, ଜନ ସୁତ, ଏତେ ପ୍ରକାର ପାଠାନ୍ତର କରାହୋଇଅଛି ।

 

ବୁଦ୍ଧଙ୍କର ଗୋଟିଏ ନାମ ଜିନ ମଧ୍ୟ । ଅମର କୋଷରେ ଅଛି ‘‘ଧର୍ମ ରାଜୌ ଜିନୌ’’, ଯମ ଓ ଜିନଙ୍କୁ ଧର୍ମରାଜ କହନ୍ତି । ଏଠାରେ ‘‘ଜିନ’’ର ଅର୍ଥ ବୁଦ୍ଧ । ବିନୟ ପିଟକ, ଆଦିରେ, ବୁଦ୍ଧ ଭଗବାନ୍‌ ନିଜେ କହିଛନ୍ତି –

 

‘‘ଜିତା ମେ ପାପକାଧମ୍ମା ତସ୍ମାହଂ ଉପକ ଜିନୋ’’ତି

 

ହେ ଉପକ, ମୁଁ ସବୁ ପାପକ, ଧର୍ମକୁ ଜୟ କରିଅଛି; ତେଣୁ ମୁଁ ହେଉଛି ‘ଜିନ୍‌’ (ଜିତ=ଜିନ) ମିଳିନ୍ଦ ପ୍ରଶ୍ନରେ ବୌଦ୍ଧ ଭିକ୍ଷୁମାନଙ୍କୁ ‘ଜିନ ପୁତ୍ତ ବା ଜିନପୁତ୍ର’ କୁହା ହୋଇଅଛି । ଏହି ଜିନପୁତ୍ତ ବା ଜିନପୁତ୍ରରୁ ‘ଜିନ ସୁତ’ ଆସିଥାଇପାରେ ଏବଂ ବୁଦ୍ଧଙ୍କୁ ମଧ୍ୟ ଜିନସୁତ କୁହା ହୋଇଥିବ-

 

ଏହି ସବୁକୁ ଦେଖିଲେ ଜଣା ପଡ଼ୁଛି ଯେ - ଭାଗବତକାର, ତାଙ୍କ ଟୀକାକାର ଏବଂ ତାଙ୍କ ପରବର୍ତ୍ତୀ ଅନୁଯାୟୀମାନେ ବୌଦ୍ଧଧର୍ମ ଓ ବୌଦ୍ଧ ପରମ୍ପରା ବିଷୟରେ ଆଦୌ ଅଭିଜ୍ଞ ନ ଥିଲେ । ଏଣୁ ବୁଦ୍ଧଙ୍କ ପ୍ରଚାରିତ ଧର୍ମକୁ ଔପଧର୍ମ୍ମ ବା ଉପଧର୍ମ କୁହା ହୋଇଅଛି ଏବଂ ଅବତାରର ପ୍ରୟୋଜନ ସମ୍ବନ୍ଧରେ ‘ସଂମୋହାୟ ସୁରଦ୍ଵିଷାମ୍‌’ ବା ‘ଲୋକାନ୍‌ ଘ୍ନତାଂମତତି ବିମୋହମ’, ଅର୍ଥାତ୍‌ ଅସୁରମାନଙ୍କୁ ବା ଲୋକ ଅନିଷ୍ଠକାରୀ ଅସୁରମାନଙ୍କୁ ଭୁଲାଇବା ପାଇଁ ଅବତାର ଗ୍ରହଣ କରିଥିଲେ ବୋଲି କୁହା ହୋଇଅଛି । ଏହାର ମୂଳରେ ସାମ୍ପ୍ରଦାୟିକତା ପ୍ରଣୋଦିତ ଅସୂୟା ରହିଅଛି ଏବଂ ଏଥିରୁ ବୌଦ୍ଧ ଓ ବ୍ରାହ୍ମଣମାନଙ୍କ ସାମ୍ପ୍ରଦାୟିକ କଳହର ସୂଚନା ମିଳେ ।

 

ଏହି ସାମ୍ପ୍ରଦାୟିକ କଳହକୁ ନେଇ ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଦେବତା ଶୁମ୍ଭ-ନିଶୁମ୍ଭ ବା ଶୁମ୍ଭ-ନିଶୁମ୍ଭଙ୍କୁ ଦୁର୍ଗା ସପ୍ତଶତୀ ଚଣ୍ଡୀରେ ଅସୁର କରି ଦେଇଛନ୍ତି । ବୌଦ୍ଧମାନେ ମଧ୍ୟ ଏହି କଳହର ଉର୍ଦ୍ଧ୍ୱରେ ନ ଥିଲେ । ସେମାନେ ମଧ୍ୟ ହିନ୍ଦୁମାନଙ୍କ ଦେବତା ବ୍ରହ୍ମା, ଇନ୍ଦ୍ର ଶିବ, କୃଷ୍ଣ ଆଦିଙ୍କୁ ସେମାନଙ୍କ ମଣ୍ଡଳରେ ବହିରାବଣରେ ଅତ୍ୟନ୍ତ ଗୌରସ୍ଥାନ ଦେଇଅଛନ୍ତି । ଭଗବତକାର ମଧ୍ୟ ସେହି ସାମ୍ପ୍ରଦାୟିକତାରୁ ମୁକ୍ତ ନୁହନ୍ତି । ଏଣୁ ବ୍ରାହ୍ମଣ୍ୟ ଅବତାରମାନଙ୍କ ଭିତରେ ବୁଦ୍ଧଙ୍କୁ ଗୌଣସ୍ଥାନ ଦିଆ ହୋଇଅଛି ଏବଂ ତାଙ୍କ ସମ୍ବନ୍ଧରେ ଭ୍ରାନ୍ତ ଧାରଣା ପ୍ରଚାର କରାଯାଇଅଛି ।

 

***

 

ପ୍ରାଚୀନ ଶିଶୁ ପାଠ୍ୟପୁସ୍ତକ

ଶ୍ରୀ ରାଜକିଶୋର ରାୟ

 

ଢେଙ୍କାନାଳ-କେନ୍ଦୁଝର ମଣ୍ଡଳ ଶିକ୍ଷାନୁଷ୍ଠାନମାନଙ୍କର ପରିଦର୍ଶକ ଥିବା ସମୟରେ ବିଭିନ୍ନ ପାଠାଗାରରେ ଦୁର୍ଲଭ ଶିଶୁ ପାଠ୍ୟପୁସ୍ତକ ମୋ’ ଦୃଷ୍ଟିକୁ ଆସିଥିଲା । ପରିଦର୍ଶନ ସମୟରେ ଏଥିପ୍ରତି ମୋର କୌତୂହଳ ଜାତ ହେବାରୁ କେବଳ ଢେଙ୍କାନାଳ ହାଇସ୍କୁଲର ଅତି ପୁରାତନ ବିବରଣୀରୁ କବିବର ରାଧାନାଥ ରାୟ ଓ ଏଚ୍‌.ଡି.ପି.ଏମ୍‌.ଏ; ଡି.ଏସ୍‌.ଓ; ସି.ଆଇ.ଇ; ବିହାର-ଓଡ଼ିଶା ପ୍ରଦେଶର ପ୍ରାଥମିକ ଓ ବାଳିକା ଶିକ୍ଷାର ବିଶିଷ୍ଟ କର୍ମଚାରୀଙ୍କର ନିଜ ନିଜ ହାତଲେଖା ମନ୍ତବ୍ୟ ଉଦ୍ଧାର କରି ପତ୍ରପତ୍ରିକାରେ ପ୍ରକାଶ କରିଥିଲି । ଏହା ହେଉଛି ୧୯୬୭-୧୯୬୮ ତଳର କଥା । ମୁଁ ସେ ସର୍କଲରୁ ସ୍ଥାନାନ୍ତରିତ ହେବାରେ ମୋଠାରୁ ଦାୟିତ୍ୱ ଗ୍ରହଣ କରିଥିବା ପରିଦର୍ଶକଙ୍କୁ ନିବେଦନ କରିଥିଲି ଏସବୁ ସାରସ୍ଵତ ଅମୂଲ୍ୟ ସମ୍ପଦକୁ ଉଦ୍ଧାର କରି ଲୋକାଲୋଚନକୁ ଆଣିବାକୁ-। କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଏ ସମସ୍ତ ଗବେଷଣା କାର୍ଯ୍ୟ ବ୍ୟକ୍ତିଗତ ରୁଚି ସ ଭାବପ୍ରବଣତା ଉପରେ ନିର୍ଭର କରେ । ସମସ୍ତେ ବା କାହିଁକି ସମୟକ୍ଷେପ କରି ଏଭଳି ଜାତୀୟ କାର୍ଯ୍ୟ ହାତକୁ ନେବେ ?

 

ପୁରାତନ ପାଠାଗାରମାନଙ୍କରେ ଦୁଇଅଣା, ତିନିଅଣା ମୂଲ୍ୟର ଶିଶୁ ପାଠ୍ୟପୁସ୍ତକ ଏବେ ବି ରହିଥିବ । ମୋର ଆଶଙ୍କା, ନୂତନ ପୁସ୍ତକମାନଙ୍କର ଆବିର୍ଭାବ ଓ ଦୌରାତ୍ମ୍ୟରେ ସେମାନଙ୍କୁ ସ୍ଥାନ ଦେବା ଆଳରେ ଗ୍ରନ୍ଥାଗାରିକ ହୁଏତ ସେସବୁ ନଷ୍ଟ କରିଦେଉଥିବେ । ପ୍ରାଚୀନ ପୋଥି ଆମେ ସମୟେ ସମୟେ ଉଦ୍ଧାର କରୁଛୁ, କିନ୍ତୁ ପ୍ରାଚୀନ ପାଠ୍ୟପୁସ୍ତକଗୁଡ଼ିକ କାଳଗର୍ଭରୁ ଉଦ୍ଧାର କରିବାର ପ୍ରୟାସ ଆମର ନାହିଁ ।

 

ଏବର ପାଠ୍ୟପୁସ୍ତକ ସହିତ ତାହାର ତୁଳନା ହୋଇ ନ ପାରେ । ସେଥିରେ ବିଷୟ ସୂଚୀ ପ୍ରାୟ ଈଶ୍ଵର-ବନ୍ଦନା ଓ ଧର୍ମଭିତ୍ତିକ ଥିଲା । ପ୍ରତ୍ୟେକଟି ବିଷୟରେ ଗୋଟିଏ ଆଦର୍ଶ ଜୀବନ ଓ କର୍ମର ଚିତ୍ର ରହିଥିଲା । ଶିଶୁ ମନ ପ୍ରଥମରୁ ସୂର୍ଯ୍ୟ ତାପ-ତାପିତ ଫୁଟିଲା ଫୁଲର ସୌରଭ ଓ ଦୀପ୍ତିରେ ରଞ୍ଜିତ ହୋଇଯାଇଥିଲା ଏହିସବୁ ବିଷୟବସ୍ତୁକୁ ପାଠ କରି । ସେଥିରୁ କେତେଗୁଡ଼ିଏ ଦୃଷ୍ଟାନ୍ତ ଦେଇ ଏ ସମ୍ପର୍କୀୟ ସଂଗ୍ରହ ଓ ଗବେଷଣା ପ୍ରତି ମୁଁ ଦୃଷ୍ଟି ଆକର୍ଷଣ କରୁଛି ।

 

୧୯୮୯ ଖ୍ରୀଷ୍ଟାବ୍ଦରେ କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରା ମୁଦ୍ରିତ ସୀତାନାଥ ରାୟଙ୍କ ଦ୍ଵାରା ଲିଖିତ ଶିଶୁ ପାଠ୍ୟ ‘‘ଚତୁର୍ଥ ପାଠ’’ (ପୃଷ୍ଠା ସଂଖ୍ୟା-୮୧)ର ସୂଚିପତ୍ର ଦେଖନ୍ତୁ । ବହିଟିର ଶେଷ ପୃଷ୍ଠାରେ ଗୋଟିଏ ବିଜ୍ଞାପନ ଅଛି - ‘‘ନିମ୍ନଲିଖିତ ପୁସ୍ତକମାନେ ବାଲେଶ୍ଵର ବାବୁ ସୀତାନାଥ ରାୟଙ୍କ ଏଜେନ୍‌ସିରେ, ଦେ’ଙ୍କ ଉତ୍କଳ ପ୍ରେସ୍‌ରେ; କଟକର ବାବୁ ରାମପ୍ରସନ୍ନ ମୁଖୁର୍ଯ୍ୟା ବାବୁ ଚକ୍ରଧର ଆଚାର୍ଯ୍ୟ ଏବଂ ବାବୁ ଗୌରୀଶଙ୍କର ରାୟଙ୍କଠାରେ ପ୍ରାପ୍ତବ୍ୟ ।’’ ପୁସ୍ତକଗୁଡ଼ିକର ନାମ ହେଲା - ପ୍ରାକୃତି ଭୂଗୋଳ ପାଠ (ସଚିତ୍ର), ନବ ତୃତୀୟ ପାଠ, ଦ୍ୱିତୀୟ ପାଠ, ପ୍ରଥମ ପାଠ । ଭୂଗୋଳ ପାଠ, ସରଳ ଭୁଗୋଳ ପାଠ, ସରଳ ବ୍ୟାକରଣ, ସରଳ ପ୍ରଥମ ପାଠ, ସରଳ ପଦାର୍ଥ ବିଜ୍ଞାନ, ଅଙ୍କ ପାଠ, ମାନସାଙ୍କ ବଜାର ହିସାବ, ରାମାୟଣ ଆଦିକାଣ୍ଡ, ଆରଣ୍ୟକାଣ୍ଡ, ଅଯୋଧ୍ୟାକାଣ୍ଡ, କିସ୍କିନ୍ଧ୍ୟାକାଣ୍ଡ ଓ ସୁନ୍ଦରାକାଣ୍ଡ ।

 

ନିମ୍ନ ମୂଲ୍ୟ ଟ୦୫ଅଣା ଠାରୁ ଆରମ୍ଭ କରି ସର୍ବୋଚ୍ଚ ମୂଲ୍ୟ ବାରଅଣା ଯାଏ ରହିଛି ।

 

‘ଚତୁର୍ଥ ପାଠ’ର ବିଷୟ ସୂଚୀ ହେଉଛି ଆର୍ଯ୍ୟମାନଙ୍କ ପ୍ରାଚୀନ ଅବସ୍ଥା, ଗ୍ରୀକ୍‌ ଜାତି, ସୌର ଜଗତ, ବ୍ରହ୍ମାଣ୍ଡର ଅସୀମତ୍ୱ, ଗରିଲା, ସୂର୍ଯ୍ୟ, ପର୍ଯ୍ୟଟନ, ମାତୃଗୁପ୍ତ, ଫରାସୀ ରାଷ୍ଟ୍ର ବିପ୍ଲବ, ପ୍ରତାପ ସିଂହ, ଆଲେକଜାଣ୍ଡାରଙ୍କ ବାଲ୍ୟୋପାଖ୍ୟାନ, ଅଦ୍ଭୁତ ପ୍ରଭୁଭକ୍ତି ଏବଂ ଆତ୍ମତ୍ୟାଗ, ଆଓରଙ୍ଗଜେବଙ୍କ ଅନ୍ତିମ ପତ୍ର, ମରୀଚିକା, ରବର୍ଟ ବ୍ରୁସ୍‌, ରାଜପୁତମାନଙ୍କର ବଂଶ- ମର୍ଯ୍ୟାଦାର ଆଶ୍ଚର୍ଯ୍ୟ ଉଦାହରଣ, ରାଜପୁତ ଜାତିର ଅପୂର୍ବ ସୌଜନ୍ୟ ଜୀବ ରହସ୍ୟ ଓ ଦସ୍ୟୁ ଓ ଦିଗ୍‌ବିଜୟୀ ।

 

ବହିଟି ଯେତେବେଳେ ‘ଚତୁର୍ଥ ପାଠ’ ଏହା ନିଶ୍ଚିତରେ ତୃତୀୟ ବା ଚତୁର୍ଥ ଶ୍ରେଣୀରେ ପଢ଼ା ହେଉଥିବ । ପଢ଼ୁଥିବା ଶିଶୁମାନଙ୍କ ବୟସ ସହଜରେ ଅନୁମେୟ । ଏହା ପାଠ୍ୟପୁସ୍ତକ ଭାବରେ ଅନୁମୋଦିତ । ‘ବ୍ରହ୍ମାଣ୍ଡର ଅସୀମତ୍ୱ’ରୁ କିଛି ଅଂଶ ଉଦ୍ଧାର କରାଯାଇଛି ।

 

‘‘ସୌରଜଗତ ଏହିପରି ପ୍ରକାଣ୍ଡ ହେଲେ ମଧ୍ୟ ସମଗ୍ର ବ୍ରହ୍ମାଣ୍ଡ ସଙ୍ଗେ ତୁଳନା କଲେ ଏହା ଯତ୍‌ ସାମାନ୍ୟ ଅଟେ । ସୌରଜଗତ ସଙ୍ଗେ ୪୮୫ ସହସ୍ର ପୃଥିବୀ ଯୋଗ ଅବା ବିଯୋଗ କଲେ ଯେପରି କୌଣସି ବିଶେଷ ହ୍ରାସ ବୃଦ୍ଧି ହେବ ନାହିଁ । ସମଗ୍ର ବ୍ରହ୍ମାଣ୍ତ ସଙ୍ଗେ ୪/୫ ଲକ୍ଷ ସୌର ଜଗତ ଯୋଗ ଅବା ବିଯୋଗ କଲେ ବିଶେଷ କ୍ଷତି ବୃଦ୍ଧି ଲକ୍ଷିତ ହେବ ନାହିଁ । ନିର୍ମଳ ରଜନୀରେ ଆକାଶ ପ୍ରତି ଦୃଷ୍ଟିପାତ କଲେ ସହସ୍ର ସହସ୍ର ତାରକା ଦୃଷ୍ଟିପଥରେ ପତିତ ହେବ । ମାତ୍ର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନିରୀକ୍ଷଣ କଲେ କୋଟି କୋଟି ତାରକା ଦୃଷ୍ଟିଗୋଚର ହେବ । ଯାହାକୁ ସାଧାରଣରେ ଛାୟାପଥ ବୋଲି କହନ୍ତି, ଦୂରବୀକ୍ଷଣ ଦ୍ଵାରା ସ୍ତ୍ରୀ ହୋଇଅଛି, ତାହା ବହୁ ଦୂରସ୍ଥ ନକ୍ଷତ୍ରପୁଞ୍ଜ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ନକ୍ଷତ୍ରମାନଙ୍କ ଦୂରତ୍ୱ ବିଷୟ ଚିନ୍ତା କଲେ ମନ ବିସ୍ମୟରେ ଅଭିଭୂତ ହୋଇଯିବ ।’’

 

ଶିଶୁମନର ବିସ୍ମୟାକୁଳ ଭାବ ପ୍ରକଟନରେ ଏ ଲେଖା ସାହାଯ୍ୟ କରୁ ନାହିଁ କି ? ମନେ ରଖିବାକୁ ହେବ ଏ ପୁସ୍ତକ ପ୍ରକାଶିତ ହୋଇଛି ୧୮୮୯ ସାଲରେ । ଆଜିର ପାଠ୍ୟପୁସ୍ତକ ନିର୍ବାଚକଦଳ ଶିହରି ଉଠିବେ ଏହାକୁ ଶିଶୁପାଠ୍ୟ ରୂପେ ଅବଧାରଣା କରିବାରେ । ଆମେ ତ ପୁଣି ଅର୍ଥାତ୍‌ ମୋ ବୟସର ଲୋକ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢ଼ୁଥିଲୁଁ, ‘‘ରେ ଆତ୍ମନ୍‌ ନିଦ୍ରା ପରିହରି, କର କର ନିରୀକ୍ଷଣ - ଇତ୍ୟାଦି’’ । ଶିକ୍ଷକଙ୍କର ଗମ୍ଭୀର କଣ୍ଠଧ୍ୱନି, ଛାନ୍ଦର ସାବଲୀଳତା ଏବଂ ଅନ୍ତର୍ନିହିତ ଅର୍ଥର ଦ୍ୟୋତକ ଯାହା ଗୁରୁଙ୍କର ମୁଖମଣ୍ଡଳରେ ପ୍ରକାଶ ପାଇଥିଲା, ଏସବୁ ଦେଖି, ଶୁଣି ଆମର କୋମଳ ମନରେ ଈଶ୍ଵରପ୍ରୀତି ଓ ଧର୍ମଭାବର ଅନୁରଞ୍ଜନ ଘଟୁ ନଥିଲା କି ? ଆଜି ତ ଏ ‘ରେ ଆତ୍ମନ’ ସ୍ନାତକ ଶ୍ରେଣୀ ପାଠ୍ୟ ହୋଇଛି । ଏହା ପ୍ରଗତି ନା ଅବନତି ?

 

ଶିଶୁଶ୍ରେଣୀ ଏବଂ ୧ମ ଓ ୨ୟ ମାନ ନିମିତ୍ତ ‘‘ପ୍ରକୃତି ପର୍ଯ୍ୟବେକ୍ଷଣ ପାଠ’’ ଶ୍ରୀ ଦ୍ଵାରକାନାଥ ସିଂହଙ୍କ ପ୍ରଣୀତ, Printed by R.T.sen, at the De's Utkal press, 2 Majik Khan Street, Balasore, 1913 - ମୂଲ୍ୟ ଛଅ ପଇସା ମାତ୍ର । ଏହାର ପୃଷ୍ଠ ସଂଖ୍ୟା ୨୬ । ପ୍ରଶ୍ନୋତ୍ତର କ୍ରମରେ ଅବଧାନ ଓ ଚାଟଙ୍କ ମୁହଁରୁ ବାହାରିବା ବଚନିକା ମାଧ୍ୟମରେ ବିଷୟବସ୍ତୁ ହେଉଛି - ମନ୍ଦାରଫୁଲ, ବାଇଗଣ, ପକ୍ଷୀହଂସ, ମାଛ, ଗୃହର ବ୍ୟବହୃତ ପଦାର୍ଥ, ଦୁଗ୍‌ଧ, ବିଭିନ୍ନ ରତୁରେ ସୂର୍ଯ୍ୟର ଅବସ୍ଥାନ, ସୂଯ୍ୟୋଦୟ, ପ୍ରତ୍ୟୁଷ ଓ ସୂଯ୍ୟାସ୍ତ, ଦିବାରାତ୍ରି ଓ ସେମାନଙ୍କ ହ୍ରାସବୃଦ୍ଧ ଛାୟା, ବାୟୁ, ବତାସ ବା ବାୟୁପ୍ରବାହ, ବାଷ୍ପ ଜନ୍ମିବା, ବୃଷ୍ଟି, ଇନ୍ଦ୍ରଧନୁ ଶିଶିର ଓ ସ୍ଥଳ ଉପରେ ଜଳର କାର୍ଯ୍ୟ ।

 

ମାତ୍ର ଛଅ ପଇସା ବ୍ୟୟରେ ଶିଶୁର ପ୍ରକୃତି ପର୍ଯ୍ୟବେକ୍ଷଣର ସୀମା କେତେଦୂର ବ୍ୟାପ୍ତ ଥିଲା, ତାହାର କଳନା କରି ହେଉଛି କି ? ଶିଶୁ ଶ୍ରେଣୀର ପାଠ୍ୟହେବା ଭଳି ଏ ବିଷୟ ଉପସ୍ଥାପନା ବିଶ୍ଵାସଯୋଗ୍ୟ କି ? କିନ୍ତୁ ବହିଟି ବିଭାଗୀୟ ଅନୁମୋଦନ ପାଇଛି ।

 

‘‘ସୂର୍ଯ୍ୟୋଦୟ, ପ୍ରତ୍ୟୁଷ ଓ ସୂର୍ଯ୍ୟାସ୍ତ’’ ବିଷୟ ଉଦ୍ଧାର କରାଯାଇଛି ।

 

ଅବଧାନ - ଖୁବ୍‌ ସକାଳେ ଆମ୍ଭେମାନେ କେଉଁଠି ସୂର୍ଯ୍ୟ ଦେଖୁ ?

 

ଚାଟ - ଆକାଶର ଖୁବ୍‌ ତଳରେ ଅର୍ଥାତ୍‌ ଯେଉଁଠାରେ ଆକାଶ ପୃଥିବୀ ସହିତ ମିଶିଥିବା ପରି ଦେଖାଯାଏ ।

 

ଅ - ସେ ସ୍ଥାନର ନାମ ଚକ୍ରବାଳ । ଆଛା, ସେଠାରେ କଅଣ ସୂର୍ଯ୍ୟ ସବୁବେଳେ ସ୍ଥିର ହୋଇଥାଏ ?

 

ଚା - ନା, କ୍ରମେ କ୍ରମେ ଉପରକୁ ଉଠି ଶେଷରେ ଆମ୍ଭମାନଙ୍କ ମୁଣ୍ଡ ଉପରକୁ ଉଠେ, ପରେ ପୁଣି ତଳକୁ ଖସୁଥାଏ ।

 

ଅ - ଠିକ୍‌ଯେତେବେଳେ ସୂର୍ଯ୍ୟ ଚକ୍ରବାଳ ଉପରେ ଥାନ୍ତି ସେହି ସମୟକୁ ଆମ୍ଭେମାନେ ସୂର୍ଯ୍ୟୋଦୟ କହୁ । ଆଉ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମଧ୍ୟ ଆମ୍ଭେମାନେ ଆଲୁଅ ଦେଖିବାକୁ ପାଉଁ-। ଏହି ସମୟକୁ ଉଷା ବା ପ୍ରତ୍ୟୁଷକାଳ କହନ୍ତି । ପରେ ଠିକ୍‌ବେଳ ୧୨ଟା ସମୟରେ ସୂର୍ଯ୍ୟ ଆମ୍ଭମାନଙ୍କର ମୁଣ୍ତ ଉପରେ, ଆକାଶର ସର୍ବୋଚ୍ଚ ସ୍ଥାନରେ ଆସି ଉପସ୍ଥିତ ହୁଏ । ସେ ସମୟକୁ ଆମ୍ଭେମାନେ ମଧ୍ୟାହ୍ନ ବା ଦୁଇ ପ୍ରହର କହିଥାଉଁ ।

 

ଅ - ସନ୍ଧ୍ୟାବେଳେ ଅର୍ଥାତ୍‌ ଯେତେବେଳେ ଅନ୍ଧକାର ହେବାକୁ ଆରମ୍ଭ ହୁଏ, ସେତେବେଳେ ସୂର୍ଯ୍ୟ କେଉଁଠାରେ ଥାଆନ୍ତି ?

 

ଚା- ସକାଳେ ସୂର୍ଯ୍ୟକୁ ଯେଉଁଠାରେ ଉଦୟ ହେବାର ଦେଖିଥାଉଁ ତାହାର ଓଲଟା ଦିଗରେ ଯେଉଁଠାରେ ଆକାଶ ପୃଥିବୀ ସଙ୍ଗେ ମିଶିବା ପରି ଦେଖାଯାଏ, ସେହିଠାରେ ଦେଖୁଁ ।

 

ଅ - ସୂର୍ଯ୍ୟ ୧୨ଟା ପରେ କ୍ରମେ କ୍ରମେ ତଳକୁ ଖସି ଶେଷରେ ସନ୍ଧ୍ୟାବେଳେ ଚକ୍ରବାଳର ତଳକୁ ଖସିଯାଇ ଅଦୃଶ୍ୟ ହୁଅନ୍ତି ସେହି ସମୟକୁ ଆମ୍ଭେମାନେ ସୂର୍ଯ୍ୟାସ୍ତ କହିଥାଉଁ । ସୂର୍ଯ୍ୟ ଅସ୍ତ ହେଲେ ଆଉ ଆମ୍ଭେମାନେ କୌଣସି ପଦାର୍ଥ ଭଲରୂପେ ଦେଖିବାକୁ ପାଉନା । ଏବେ ଶୁଣ, ସକାଳେ ସୂର୍ଯ୍ୟ ଯେଉଁ ଦିଗରୁ ଉଦିତ ହୁଅନ୍ତି ତାକୁ ପୂର୍ବଦିଗ କହନ୍ତି ସଞ୍ଜବେଳେ ଯେଉଁ ଦିଗରେ ଅସ୍ତ ଯାନ୍ତି ତା’ର ନାମ ପଶ୍ଚିମ ଦିଗ । ଆମ୍ଭେମାନେ ପୂର୍ବଦିଗକୁ ମୁହଁ କରି ଠିଆ ହେଲେ ଆମ୍ଭମାନଙ୍କର ଡାହାଣ ହାତ ଯେଉଁ ଦିଗକୁ ରହିବ ତାହାର ନାମ ଦକ୍ଷିଣଦିଗ ଓ ବାମହସ୍ତ ଯେଉଁ ଦିଗକୁ ରହିବ ତାହାର ନାମ ଉତ୍ତର ଦିଗ । କହ ଦେଖି ସୂର୍ଯ୍ୟୋଦୟ, ପ୍ରତ୍ୟୁଷ ଓ ସୂର୍ଯ୍ୟାସ୍ତ ସମ୍ବନ୍ଧରେ କଅଣ ଶିଖିଲ ?

 

ଚା- ପ୍ରତିଦିନ ସୂର୍ଯ୍ୟ ସକାଳେ ପୂର୍ବଦିଗରେ ଚକ୍ରବାଳ ଉପରେ ଉଦୟ ହୁଅନ୍ତି । ସୂର୍ଯ୍ୟ ଉଦୟ ହେବାର ପୂର୍ବ ସମୟକୁ ପ୍ରତ୍ୟୁଷ ବା ଉଷାକାଳ କହନ୍ତି । ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଦିଗର ଚକ୍ରବାଳ ଉପରେ ସନ୍ଧ୍ୟାବେଳେ ବୁଡ଼ିଯାଆନ୍ତି, ତେତେବେଳେ ସୂର୍ଯ୍ୟାସ୍ତ ବୋଲାଯାଏ ।

 

ବର୍ତ୍ତମାନ ପ୍ରଶ୍ନ : ସେତେବେଳର ଶିଶୁ କଅଣ ବିଶେଷ ମେଧାବିଶିଷ୍ଟ ପ୍ରାଣୀ ଥିଲା ? ଅବା ପାଠ୍ୟପୁସ୍ତକ ପ୍ରଣେତାମାନେ ଶିଶୁ ମନସ୍ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ଥିଲେ ? ଅଥଚ ଏହି ବହିଟି ଥିଲା, ‘‘ନୂତନ ସିଲାବସ୍‌ ଉପଯୋଗୀ ଶିଶୁଶ୍ରେଣୀ ଏବଂ ୧ମ ଓ ୨ୟ ମାନ ନିମିତ୍ତ ପ୍ରକୃତି ପର୍ଯ୍ୟବେକ୍ଷଣ ପାଠ” ଯେଣୁ ଏହା ସିଲାବସ ଅନୁଯାୟୀ ଲିଖିତ, ଏହା ବିଭାଗୀୟ ସମର୍ଥନ ପାଇଛି-। ଏ ପ୍ରସଙ୍ଗରେ ତତ୍‌କାଳୀନ ଶିକ୍ଷକଙ୍କର ଜ୍ଞାନ ଓ ଶିକ୍ଷାଦାନର ପ୍ରଣାଳୀ ନିଶ୍ଚୟ ଉନ୍ନତତର ଥିବ । ଯେଉଁ ନିଷ୍ଠା ଓ ଆନ୍ତରିକତା ଥିଲେ ପ୍ରତ୍ୟେକଟି, କାର୍ଯ୍ୟ ଆନନ୍ଦଦାୟକ ଓ ସାର୍ଥକ ହୁଏ, ସେହି ସଦ୍‌ଗୁଣ ରାଜିରେ ସେତେବେଳେ ଶିକ୍ଷକମଣ୍ଡଳୀ ଭୂଷିତ ଥିଲେ । ଆଜିର ପରିପ୍ରେକ୍ଷୀରେ ପ୍ରାକ୍ତନ ମୂଲ୍ୟବୋଧର ପରୀକ୍ଷା କରିବା ବାଚାଳତା ହେବ ।

 

୧୯୩୧ ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀ ଲିମିଟେଡ଼୍‌ଦ୍ଵାରା ମୁଦ୍ରିତ ଓ ପଣ୍ଡିତ ଶ୍ରୀ ରତ୍ନାକର ଗର୍ଗବଟୁ, କଟକଙ୍କ ଦ୍ଵାରା ପ୍ରକାଶିତ ‘‘ପାଠମଞ୍ଜରୀ’’ - ଶିଶୁ ଶ୍ରେଣୀ ନିମନ୍ତେ ପ୍ରଥମ ଭାଗ ଲେଖକ ଶ୍ରୀ ଭାବଗ୍ରାହୀ ମହାନ୍ତି, ବି.ଏ.ଏଲ୍‌.ଟି ସ୍କୁଲ ସବ୍‌ଇନିସ୍‌ପେକ୍ଟର, କେନ୍ଦୁଝର ଷ୍ଟେଟ୍‌, ମୂଲ୍ୟ ପାଞ୍ଚଅଣା ମାତ୍ର ।

 

ଆଗରୁ ସୂଚିତ ହୋଇଛି ଯେ ତତ୍‌କାଳୀନ ଶିଶୁପାଠ୍ୟପୁସ୍ତକ ଗୁଡ଼ିକରେ ବିଭୁ ବର୍ଣ୍ଣନା ଓ ପ୍ରସଙ୍ଗ ଗୁଡ଼ିକରେ ଜୀବନର ଶାଶ୍ୱତ ଶିକ୍ଷଣୀୟ ମୂଲ୍ୟବୋଧର ଆଭାସ ରହୁଥିଲା ।

 

ଏ ପୁସ୍ତକକୁ ପ୍ରଶଂସା କରିଛନ୍ତି :

 

Copy of D.O. No. 15 dated 16.2.31 from H.Dippie, Esa. D.S.O. M.A (Cantab) Inspector of schools, Orissa Division.

 

I have had your book examined by various officers here and they are of opinion that will be quite useful as reading book in the later stage of class I

 

ପ୍ରଫେସର ରତ୍ନାକର ପତି ଲେଖିଛନ୍ତି :

I have gone through pathamanjari Part 1 in manuscript form by Babu Bhagirathi Mahanty, B.A. L.T. This title book compains more htan 30 lessons in prose and poetry meant for young children reading in the infant class of the primary schools of Orissa. I find the lessons informing, interesting and instructive, considering the language and style of the work. I have no hesitation in opening that it will with shight modification, never fail to benefit the understanding of the young children for whom it is meant as will remove a great need so seriously felt in this respect. Author, as it appeers of me, has not forgotten the psychology of children while composing the work.

 

ମନସ୍ତାତ୍ତ୍ୱିକ ଭିତ୍ତି ଉପରେ ପୁସ୍ତକର ରଚନାଗୁଡ଼ିକ ଆଧାରିତ ବୋଲି ପ୍ରଫେସର ରତ୍ନାକର ପତିଙ୍କର ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । ପ୍ରଥମ ବିଷୟ - ‘‘ବିଭୁ ବନ୍ଦନା’’ ଜଗତ ସାଇଁ । ସେତେବେଳର ରୀତି ଥିଲା ପାଠ୍ୟ ପୁସ୍ତକର ପ୍ରଥମ ରଚନା ପଦ୍ୟ ଓ ତାହା ଈଶ୍ଵର ଚିନ୍ତନ ବିଷୟକ-। ‘ଜଗତ ସାଇଁ କବିତା ଏହିପରି -

 

‘‘ଯାହା ଚାରିଆଡ଼େ ଦେଖଇ ମୁହିଁ

ସବୁ କରିଛନ୍ତି ଜଗତ ସାଇଁ

ରଙ୍ଗଣୀ ଗୋଲାପ କୁସୁମ ଫୁଲ

ଫୁଟନ୍ତି ମାନିଣ ତାଙ୍କରି ବୋଲ ।

ପିଜୁଳି ପଣସ ସପୁରୀ ଜାଣ ।

ଏସବୁ ଅଟଇ ତାଙ୍କ ଭିଆଣ ।

ମଣ୍ଡା ମାଲପୁଆ କାକରା ପୁରି

ତାଙ୍କରି ଦରବେ ସବୁ ତିଆରି ।

ପିତା ମାତା ବନ୍ଧୁ ଭଉଣୀ ଭାଇ

ରଚିଛନ୍ତି ଆମ ସୁବିଧା ପାଇଁ ।

ଏମନ୍ତ ସାଇଁଙ୍କୁ ଭୁଲିବି ନାହିଁ,

ଡାକିବି ଆପଦେ ମନ ଲଗାଇ ।

ତାଙ୍କ ପଦେ ନମି ସଞ୍ଜ ସକାଳେ

କାମେ ଲାଗିଥବି ଆନନ୍ଦ ଭରେ ।’’

 

ଶେଷ ପଦ୍ୟଟି, ମଧ୍ୟ ମାନବର ଚାରିତ୍ରିକ ଉଜ୍ଜ୍ୱଳତାର ପ୍ରତୀକ - ‘‘ସୁନାପୁଅ ।’’

 

‘‘ଶଯ୍ୟା ତେଜି ଅତି ପ୍ରଭାତୁ,

 

ନମି ବିଭୁପୟରେ,

ଚାଣ୍ଡେ ନିତ୍ୟକର୍ମ ସାରିଣ,

 

ଲାଗିଯାଏ ପାଠରେ,

ଗୁରୁଙ୍କ କଥାକୁ ମାନି ମୁଁ

 

କରୁଥାଏ ପଠନ

ଗୁରୁ ମତେ ଦେଲେ ମେଲାଣି

 

ଯାଏ ଗୃହ ବହନ ।

ମାତା ଯାହା ସ୍ନେହେ ଦିଅନ୍ତି

 

ମୋତେ ଖାଇବା ପାଇଁ ।

ଆନନ୍ଦରେ ଭୁଞ୍ଜେ ତାହା ମୁଁ

 

ଦ୍ଵନ୍ଦ୍ୱ ଭିଆଏ ନାହିଁ ।

ପାଠ ବେଳେ ପାଠ ପଢ଼େ ମୁଁ

 

ହୋଇ ଏକାନ୍ତ ମନ

ଖେଳ ବେଳେ ସଙ୍ଗୀ ସଙ୍ଗତେ

 

ଖେଳେ ଯାଇ ବହନ

କେବେ କାହାକୁ ମୁଁ ନ କହେ

 

ମୁଖେ କଟୁ ବଚନ

ମଧୁର ବଚନେ ତୋଷେ ମୁଁ

 

ସବୁ ଲୋକଙ୍କ ମନ ।

ଦିନବେଳେ କାମ ସାରି ମୁଁ

 

ଅତି ପ୍ରଫୁଲ୍ଲ ମନେ

ରାତ୍ର କାଳ ସଦା କଟାଏ

 

ମୁହିଁ ସୁଖ ଶୟନେ;

 

ଏ ଆଲୋଚନାର ପ୍ରାରମ୍ଭରେ ମୋର ବକ୍ତବ୍ୟ ଥିଲା ଏହିଭଳି ପ୍ରାଚୀନ ଶିଶୁପାଠ୍ୟ ପୁସ୍ତକର ପୁନରୁଦ୍ଧାର କରି ସେ ସବୁରେ ବିଷୟବସ୍ତୁର ଶିଶୁ ପକ୍ଷରେ ଗ୍ରହଣୀୟତା ସମ୍ବନ୍ଧରେ ଗବେଣୋତ୍ମକ ବିଚାର କରାଯାଇ ଏଗୁଡ଼ିକର ସଂଗ୍ରହ ମଧ୍ୟ ଆବଶ୍ୟକ । ସେତେବେଳର ପୁସ୍ତକ ସହିତ ଏବର ଶିଶୁ ପାଠ୍ୟପୁସ୍ତକର ତୁଳନାତ୍ମକ ବିଚାର କରାଗଲେ, କେଉଁ ଗୁଡ଼ିକ ଉନ୍ନତ ଓ ଜାତି ଗଠନରେ ସହାୟକ ହୋଇପାରୁଛି, ତାହା ଉପଲବ୍‌ଧ ହେବ ।

 

***

 

ସାମାଜିକ ପରିବର୍ତ୍ତନରେ ବ୍ୟଙ୍ଗ : ଦୃଶ୍ୟକାବ୍ୟ

ଡକ୍ଟର କ୍ଷେତ୍ରବାସୀ ନାୟକ

 

ସାହିତ୍ୟ ଶାସ୍ତ୍ରରେ ଲୋକବୃତ୍ତି-ଅନୁକରଣ ବା ଅବସ୍ଥା ଅନୁକରଣକୁ ନାଟ୍ୟ ଅର୍ଥରେ ଗ୍ରହଣ କରାଯାଇଥାଏ । ଲୋକସାଧାରଣଙ୍କ ସୁଖ ଦୁଃଖ ସମନ୍ଵିତ ଅବସ୍ଥା ଅଭିନୟ କଳା ଦ୍ଵାରା ପ୍ରଦର୍ଶିତ ହେଲେ ଏହାକୁ ନାଟକ କୁହାଯାଏ; ଦୃଶ୍ୟକାବ୍ୟ ଏହାର ନାମାନ୍ତର । ନାଟକ-ଅଭିନୟ କଳାରେ ଜୀବନର ପ୍ରତ୍ୟକ୍ଷମାଣ ଦୃଶ୍ୟ ପ୍ରଦର୍ଶିତ ହେଉଥିବାରୁ ଏ କ୍ଷେତ୍ରରେ ଲୋକ-ବୃତ୍ତି ବା ଅବସ୍ଥାନୁକରଣ କଥାଟିକୁ ପ୍ରୟୋଗ କରାଯାଇଛି । ମାନବ ଜାତିର ନୃତାତ୍ତ୍ୱିକ ଇତିହାସର ସାଂସ୍କୃତିକ ଦିଗ ପ୍ରତି ଦୃଷ୍ଟି ଦେଲେ ଜଣାଯାଏ - ବିଭିନ୍ନ ଧର୍ମ-ଉତ୍ସବ, ସାମାଜିକ ଅନୁଷ୍ଠାନ, ବୀର- ପୂଜା ଇତ୍ୟାଦିର ଆକର୍ଷଣ ଓ ଆବଶ୍ୟକତାରୁ ନାଟକର ଉତ୍ପତ୍ତି ଓ ପ୍ରଚଳନ ହୋଇଥିଲା । ଏଥିରୁ ମନେହୁଏ, ସାମାଜିକ ମଣିଷ ପାଇଁ ନାଟକ ଓ ନାଟ୍ୟ ରଚନା ପୁଣି ସମାଜ ଓ ଜୀବନର ଅନୁକୃତିରେ ଏହାର ଅଙ୍ଗରାଗ ବିକଶିତ । ଏହି କାରଣରୁ ଜୀବନ ସହିତ ନାଟକର ଯୋଗ ଅତି ନିବିଡ଼ । ମଣିଷ ଓ ସମାଜ ଲାଗି ନାଟକ ଓ ଦୃଶ୍ୟକାବ୍ୟର ଆବେଦନ ମଧ୍ୟ ସହଜ ସଞ୍ଚାରୀ । ଯେହେତୁ ଗତିବାନ୍‌ ଜୀବନ, ତାହାର ଚଳନ୍ତିଧାରା କିମ୍ବା ସମ୍ଭାବ୍ୟ ପରିଣାମକୁ ପାତ୍ର ପାତ୍ରୀ ଏବଂ ନାଟକୀୟ କାହାଣୀର ଆଧାରରେ ଏଥିରୁ ଅକ୍ଲେଶରେ ଅନୁଭବ କରାଯାଇପାରେ, ତେଣୁ ଅନେକ ଏହାକୁ ଯୋଗାଯୋଗର ଏକ ଶକ୍ତିଶାଳୀ କଳାତ୍ମକ ମାଧ୍ୟମ ବୋଲି ମନେ କରିଥାନ୍ତି । ଏହା ଏକାଧାରରେ ଲୋକ ମନୋରଞ୍ଜକ, ଆନନ୍ଦ ଉଦ୍‌ବୋଧକ ଓ ସାମାଜିକ ଉଦ୍ଦେଶ୍ୟର ପରିପୂରକ । ଲୋକଶିକ୍ଷା, ରୁଚି ପରିବର୍ତ୍ତନ, ସଂସ୍କାର ଓ ଜୀବନ ଚେତନାର ଉତ୍ତରଣରେ ଏହା ବିଶେଷ ସହାୟକ ହେଉଥବାରୁ ନାଟ୍ୟାଭିନୟରେ ସାମାଜିକ ଅଭିପ୍ରାୟ ସିଦ୍ଧିର ଗୁଣ ନିହିତ ବୋଲି ଅନୁଭବ କରାଯାଇଥାଏ ।

 

ପ୍ରାଚୀନ ଯୁଗରୁ ଅଦ୍ୟାବଧି ବିଭିନ୍ନ ବିଷୟ ଆଧାରରେ ପରିବେଷିତ ଦୃଶ୍ୟକାବ୍ୟ ଗୁଡ଼ିକର ସାମାଜିକ ଉପଯୋଗିତାକୁ ଅସ୍ଵୀକାର କରାଯାଇନାହିଁ । ଅବଶ୍ୟ ଧର୍ମୀୟ ଉପଯୋଗିତା ମେଣ୍ଟାଣ ପାଇଁ ଯେ ନାଟ୍ୟାଭିନୟକୁ ବିନିଯୋଗ କରାଯାଇ ନଥିଲା ତା ନୁହେଁ । କିନ୍ତୁ ଏହା ଏକ ପ୍ରଚଳିତ ଧାରଣା ଯେ, ‘‘ଧର୍ମ ଦିଗରୁ ନୁହେଁ ବରଂ ସାମାଜିକ ଦୃଷ୍ଟିରୁ ନାଟକ ଭାରତ ଭୂମିରେ ଦେଖା ଦେଇଛି ଏବଂ ଜାତୀୟ ଜୀବନ ଉପରେ ଏହା ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇଛି ।’’୧ ତେବେ ଏହାର ଅର୍ଥ ନୁହେଁ ଯେ ଦୃଶ୍ୟକାବ୍ୟର କବି ବା ନାଟ୍ୟକାରଗଣ କେବଳ ଉପଦେଶାତ୍ମକ ଦୃଷ୍ଟିକୋଣ ପୋଷଣ କରି ହିତବାଦୀ ଇଚ୍ଛାର ପରିପୂରଣ ପାଇଁ ନାଟକ ସଂରଚନାରେ ଆତ୍ନ ନିୟୋଗ କରିଛନ୍ତି । ବରଂ ଏହା ସତ ଯେ ଜୀବନର ସଙ୍କେତାତ୍ମକ ଚିତ୍ର ସଂଯୋଜନା ଜରିଆରେ ମାନବ ମନର ସୁପ୍ତ ଆବେଗକୁ ଉଦ୍‌ବୋଧନ କରିବା ଏବଂ ବିକୃତ ଅଭୀପ୍‌ସାକୁ ଦମିତ କରିବାର ଏକ ନିଷ୍ପାପ ଅଭିପ୍ରାୟ ନାଟ୍ୟକାରର ଅନ୍ତର୍ମାନସରେ ବେଶ୍‌ ସକ୍ରିୟ । ଏହି କାରଣରୁ ଦୃଶ୍ୟ କାବ୍ୟ ମାତ୍ରେଇ ଯେ ମାନବ ସମାଜକୁ ଆଶ୍ରୟ କରି ଆପଣା ଲାଗି ଉପାଦାନ ଓ ବିଷୟ ନିର୍ଯ୍ୟାସ ସଂଗ୍ରହ କରିବେ ଏଥିରେ କୌଣସି ସନ୍ଦେହ ନାହିଁ । ନଚେତ୍‌ ଏହା ‘ଲୋକବୃତ୍ତ୍ୟାନ୍ତକରଣ' ବୋଲି ବିବେଚିତ ହେବ କିପରି ?

 

ସମାଜ ଓ ସାମାଜିକ ଜୀବନ ଓ ଜୀବନଯାତ୍ରୀ ମଣିଷ, ସମୟ ଓ ସମସ୍ୟାର ବିବିଧ ପ୍ରବାହ, ସଂକଟ ଓ ସଂଘର୍ଷର ତୀବ୍ରତା, ପାପ ଓ ପୁଣ୍ୟର ହରିତାଳି - ଏ ସବୁର ମୋଟାମୋଟି ଅନ୍ଵୟ କିମ୍ବା ସାଂକେତିକ ମୀମାଂସା ନାଟ୍ୟକାର ଦୃଷ୍ଟି ଓ ରଚନାଲିପିରେ ଆତ୍ମପ୍ରକାଶ କରିବାର ସ୍ୱାଭାବିକ ସମ୍ଭାବନା ଆମେ ଲକ୍ଷ୍ୟ କରିଥାଉଁ । ସମାଜକୁ ଭୁଲି ନାଟ୍ୟକାର ଭିନ୍ନ ଏକ ଚିତ୍ରର ସମ୍ବାଦ ଦୃଶ୍ୟ କାବ୍ୟରେ ସଂଯୋଜିତ କରିବା ବିରଳ କହିଲେ ଚଳେ ।

 

ନାଟ୍ୟାଭିନୟକୁ ଲୋକ ଭାଷାରେ ‘ସମାଜ’ ବୋଲି କହିଥାନ୍ତି । ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହେଉଥିବା ଲୋକନାଟ୍ୟକୁ ଦର୍ଶକମଣ୍ଡଳୀ, ‘ଆଜି କି ସମାଜ ହେଉଛି’ ବୋଲି ପରସ୍ପରରେ ପ୍ରଶ୍ନ ପଚାରୁଥିବାର ଶୁଣାଯାଏ । ଲୋକ ସାଧାରଣଙ୍କର ଅବରୁଦ୍ଧରେ ‘ସମାଜ’ - ଏହି ଶବ୍ଦଟିର ମର୍ମ କୌଣସି ତତ୍ତ୍ଵର ପରିଚାୟକ ନୁହେଁ । ‘‘ସମାଜତତ୍ତ୍ୱ’’ର ଜିଜ୍ଞାସା କିମ୍ବା ଅଭିଧାନିକ ନିର୍ଦ୍ଦେଶ ମଧ୍ୟ ଏଥିରୁ ମିଳେ ନାହିଁ । ଲୋକତୁଣ୍ଡ ଯାହାକୁ ‘ସମାଜ’ ବୋଲି କହେ, ଯେଉଁ ଅଭିନୟ ଓ ଦୃଶ୍ୟ ପଟକୁ ଅର୍ଥବୋଧ ଜରିଆରେ ବୁଝିବାକୁ ଚେଷ୍ଟା କଲେ ତାହାର ସମ୍ପର୍କ ଲୋକବୃତ୍ତ୍ୟାନୁକରଣ ସହିତ ବେଶୀ । ଲୋକ ସମାଜର ପ୍ରତିଫଳନ ଅଭିନୟ ଜରିଆରୁ ସେ ଅନୁଭବ କରିପାରୁଥିବାରୁ ତାହାକୁ ‘ସମାଜ’ ଅର୍ଥରେ ସେ ଗ୍ରହଣ କରିଥାଏ ।

 

ସମାଜର ଐଶ୍ଵର୍ଯ୍ୟ ନୀତିର ଉଚ୍ଚମାନ, ଅବସ୍ଥାର ଆଲୋକମୟ ସ୍ଥିତି, ପାରମ୍ପରିକ ଜୀବନ ପ୍ରଭାବର ଗୌରବାବହ ଘଟଣାର ଉନ୍ମୋଚନ ଇତ୍ୟାଦି ଏହି ଦୃଶ୍ୟ କାବ୍ୟରେ ଅଙ୍ଗୀଭୂତ ହେବା ସଙ୍ଗେ ସଙ୍ଗେ ସାମାଜିକ କାଳିମା, ଅଜ୍ଞତା, ରୁଚିହୀନ ନିଷ୍ଠୁରତା, ଅନ୍ଧାରୀ ମାନସିକତା, ନଗ୍ନ ଅମାନବିକତା ଇତ୍ୟାଦି ସରଳ ବିକୃତି ଓ ଅସଙ୍ଗତିର ଚିତ୍ର ମଧ୍ୟ ଏହାର କୁକ୍ଷିଗତ ହୋଇଥାଏ । ଆଲୋକ-ଅନ୍ଧାର, ପାପ-ପୁଣ୍ୟ, ନୀତି-ଅନୀତି, ବିଜୟ-ପରାଜୟ, ଶୋଷଣ-ପୋଷଣ, ସଂହାର-ସଂରକ୍ଷଣ, - ଉଭୟର ଦ୍ଵୈତକ୍ରୀଡ଼ା ସମାଜର ପ୍ରଶସ୍ତ ଚାରଣ ଭୂମିରେ ନିତ୍ୟ ଅଭିନୀତ ହେଉଥାଏ-। ଏପରି ସ୍ଥଳେ ସୁରୁଚି ଓ ସଙ୍ଗତିବୋଧକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଅସଙ୍ଗତିକୁ ଅପସାରିତ କରିବା ଅଭୀପ୍‌ସା ନଟ-ନଟୀ ବା ନାଟ୍ୟକାରଙ୍କର ମାନସଭୂମିକି ଆଲୋଡ଼ିତ କରିବା ସ୍ଵାଭାବିକ ନୁହେଁ କି ? ଏହି କାରଣରୁ ସମ୍ଭବତଃ ବ୍ୟଙ୍ଗର ସୃଷ୍ଟି !

 

ବ୍ୟଙ୍ଗ ଏକ ଦୃଷ୍ଟିକୋଣ, ଅସଙ୍ଗତି ପ୍ରତି ବିଦ୍ରେଷ ଭାବରୁ ଏହାର ଉତ୍ପତ୍ତି । ସୁନୀତି ଓ ସୁରୁଚିର ପରିପୋଷଣରେ ଯିଏ ବିରୋଧୀ, ମାନବ କଲ୍ୟାଣର ଯିଏ ପରିପନ୍ଥୀ; ତାହାର ସଂସ୍କାର ଓ ଉଚ୍ଛେଦ ପାଇଁ ପ୍ରଯତ୍ନ ହିଁ ଏହାର ମୂଳ ଉଦ୍ଦେଶ୍ୟ । ସମାଜର ଅବକ୍ଷୟ ଓ ଅଧୋଗତି ଅନ୍ତରାଳରେ ଯେଉଁ ପକ୍ରିୟା ପ୍ରଚ୍ଛନ୍ନ ତାହାର ଅପସାରଣ ପାଇଁ ଏକ ପ୍ରକାର କଲ୍ୟାଣକାମୀ ଉଦ୍ଦେଶ୍ୟ ଏଥିରେ ନିହିତ । କିନ୍ତୁ ଏହି ଉଦ୍ଦେଶ୍ୟ ସାମାଜିକ, ମନସ୍ତାତ୍ତ୍ୱିକ ଓ ସାଂସ୍କୃତିକ ସ୍ଥଳରେ କିପରି କାର୍ଯ୍ୟ କରେ, କେଡ଼େ ଚଞ୍ଚଳ ଏହାର ଛାପ ଜୀବନ ଉପରେ ପଡ଼େ ତାକୁ ସୁପ୍ରତ୍ୟକ୍ଷ କରାଇବା କଷ୍ଟ । ଏହି ସମସ୍ୟାର ଉତ୍ତର ମନୋବିଶ୍ଳେଷଣ ବିଦ୍ୟା ସାଂସ୍କୃତିକ ନୂତତ୍ତ୍ଵ ଇତ୍ୟାଦିରୁ ହୁଏତ ମିଳିପାରେ । ତଥାପି ଏହା ସତ ଯେ, ବ୍ୟଙ୍ଗ ଶିଳ୍ପୀର ସାମାଜିକ ପ୍ରେରଣାର ସ୍ଵରୂପ କ’ଣ ତହିଁରୁ ତାହା ସୃଷ୍ଟିର ଉଦ୍ଦେଶ୍ୟ ବୁଝିହୁଏ । ବ୍ୟଙ୍ଗଶିଳ୍ପୀ ଯାହା ଲେଖେ, ତାହାର ଅନ୍ତିମ ଲକ୍ଷ୍ୟ ହେଉଛି ସଂସ୍କାର । ବ୍ୟଙ୍ଗ ଜରିଆରେ ସଂସ୍କାର । ଏହାକୁ କେହି କେହି ଆଘାତଦାୟୀ ଅସ୍ତ୍ରରୂପେ ବିଚାର କରିଥାନ୍ତି । ଇଂରେଜୀ କବି ଶୋପ (୧୬୮୮-୧୭୪୪)- sacred weapons left for truth's defence ବୋଲି କହିଥାନ୍ତି । ସତ୍ୟର ସଂରକ୍ଷା ପାଇଁ ବ୍ୟଙ୍ଗ-ବିଦୁପ ଶକ୍ତିଶାଳୀ ନିଶ୍ଚୟ । କିନ୍ତୁ ଏହାର ଅର୍ଥ ନୁହେଁ ଅନ୍ୟକୁ ଆଘାତ ଦେଇ ନିଜେ ଆନନ୍ଦିତ ହେବା ଲକ୍ଷ୍ୟରେ ବ୍ୟଙ୍ଗର ପୋଷକତା କରାଯାଏ । ବ୍ୟଙ୍ଗ ଦୃଷ୍ଟିକୋଣର ପୋଷକତା କରୁଥିବା ଲେଖକ, ମଣିଷ ସମାଜ ପ୍ରତି ନିର୍ଦ୍ଦୟ ନୁହେଁ, ତା ଚିତ୍ତରେ ସଂବେଦନଶୀଳତା ଓ ସହାନୁଭୂତିର ପ୍ରବାହ ଉତ୍ତରଳ । ବ୍ୟଙ୍ଗ ଲେଖାରେ ବିଦ୍ୱେଷର ଯେଉଁ ସୂଚନା ମିଳେ ତାହା କୌଣସି ବ୍ୟକ୍ତି ପ୍ରତି ନୁହେଁ, ବରଂ ସାମାଜିକ ଆଚାର, ମତବାଦ ଓ ନୀତି ନିୟମ ପ୍ରତି ଉଦ୍ଦିଷ୍ଟ । ତେଣୁ ସାହିତ୍ୟରେ ବ୍ୟଙ୍ଗ ଏକ ଗଠନମୂଳକ ଭୂମିକା ହିଁ ଘେନିଥାଏ । ବ୍ୟଙ୍ଗର ଗଠନମୂଳକତା ସବୁ ସ୍ତରରେ ମଣିଷ ଓ ସମ୍ପାଜର ଅଗ୍ରଗତିର ସହାୟକ ହୋଇଥାଏ । ଏହି ଦୃଷ୍ଟିରୁ ଆମ ଦୃଶ୍ୟକାବ୍ୟରେ ସାମାଜିକ ପରିବର୍ତ୍ତନ ଲାଗି ଉଦ୍ଦିଷ୍ଟ ବ୍ୟଙ୍ଗର ଭୂମିକା ବିଶ୍ଳେଷଣ କରାଯାଇପାରେ ।

 

ପାରମ୍ପରିକ ଦୃଶ୍ୟକାବ୍ୟ ଓ ଆଧୁନିକ ଦୃଶ୍ୟକାବ୍ୟ - ଉଭୟ ଶ୍ରେଣୀର ନାଟ୍ୟ-ରଚନା ଓ ଅଭିନୟାଦିରେ ବ୍ୟଙ୍ଗର ନିଦର୍ଶନ ଆମେ ଲକ୍ଷ୍ୟ କରିଥାଉଁ । ପାରମ୍ପରିକ ଦୃଶ୍ୟକାବ୍ୟ - ଯାହା ଲୋକନାଟ୍ୟ ପର୍ଯ୍ୟାୟର ତହିଁରେ ପ୍ରତିଫଳିତ ବ୍ୟଙ୍ଗ ଅନେକ ସ୍ଥଳରେ ଲଘୁହାସ୍ୟର ସଞ୍ଚାର ଘଟାଇଥାଏ । ଲୋକନାଟ୍ୟର ବିଭିନ୍ନ ବିଭବ - ପାଲା, ଦାସକାଠିଆ, ତାମସା, ସୁଆଙ୍ଗ, ଦାୟିକା, ଲୀଳା, ଯାତ୍ରା, ପ୍ରହସନ-ଫାର୍ସ ଇତ୍ୟାଦିରେ ଉଣା ଅଧିକେ ବ୍ୟଙ୍ଗର ପ୍ରକାଶ ପ୍ରାୟ ଲକ୍ଷିତ ହୁଏ । ଲଘୁହାସ୍ୟ ସୃଷ୍ଟି ଅବସରରେ ସାମାଜିକ ଅନାଚାର ପ୍ରତି ବ୍ୟଙ୍ଗ ପ୍ରଦର୍ଶନ ହେଉଛି ଏହି ନାଟ୍ୟକୃତି ଗୁଡ଼ିକରେ ସଂଯୋଜନିତ ସଂଳାପ ବିଶେଷର ଲକ୍ଷ୍ୟ । ଅନୁରୂପ ଚରିତ୍ରମାନଙ୍କ ଜରିଆରେ ନାଟ୍ୟକାର ଆପଣାର ସାମାଜିକ ଦୃଷ୍ଟିକୋଣ ଓ ବ୍ୟଙ୍ଗ ଭଙ୍ଗୀକି ସ୍ପଷ୍ଟ କରି ଦେଇଥାନ୍ତି ।

 

ସୁଆଙ୍ଗମାନଙ୍କରେ ସନ୍ନିବେଶିତ ‘ଦୁଆରି’ ଚରିତ୍ର ହିଁ ନାଟକୀୟ ବ୍ୟଙ୍ଗର ନାୟକ । ଡକ୍ଟର କୁଞ୍ଜ ବିହାରୀ ଦାଶ ଏ ପ୍ରସଙ୍ଗରେ କହନ୍ତି - ‘‘ସାମାଜିକ ଚରିତ୍ର ମଧ୍ୟରେ ଦୁଆରି ପ୍ରଧାନ । ସେ ସାମାନ୍ୟ ଦ୍ୱାର ଜଗୁଆଳ ମାତ୍ର ହେଲେ ବି ତା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ ଉଚ୍ଚପାହ୍ୟାକୁ ଚାଟୁ କରେ ନାହିଁ । ‘ହିତଂ ମନୋହାରି ଚ ଦୁର୍ଲଭବଂ ବଚଃ’ ରେ ତାର ଗଭୀର ବିଶ୍ଵାସ । ତେଣୁ ମଧୁର ଅସତ୍ୟ କହେ ନାହିଁ । ସେ ତୀକ୍ଷ୍‌ଣବାକ୍‌, ଟିକିଏ ବାଚାଳ । ସେ ରାଜାଙ୍କର ବୟସ୍ୟ ବିଦୂଷକ ନୁହେଁ, ସେ ରଙ୍ଗରସର ଆଧାର, ଜଣେ ହାସ୍ୟରସିକ, ବ୍ୟଙ୍ଗକାରୀ । ସେ ଲୋକ ସମାଜର ଅନାଚାର, ଦେଶର ଦୁଃସ୍ଥିତି ନିଜର ଦୁରବସ୍ତା ଗୀତରେ, ବିଚିତ୍ର ଅଙ୍ଗଭଙ୍ଗୀରେ ଚିତ୍ରଣ କରେ । ତା’ର ଚିତ୍ର କରୁଣ, ଯଦି ବା ବ୍ୟଙ୍ଗାତ୍ମକ । ବ୍ୟଙ୍ଗ ହିଁ କରୁଣତାକୁ ଗଭୀରତର କରେ ।’’୨ ‘ଦୁଆରି ବାହାରିବା’ ଗୀତ ଓ ସଂଳାପରେ କିମ୍ବା ‘ଦୂତର ପ୍ରବେଶ’ ଉକ୍ତିରେ ସାଧାରଣତଃ ହାସ୍ୟ ଓ ବ୍ୟଙ୍ଗର ସଙ୍କେତ ମିଳିଥାଏ; ଯେପରି - ‘ଦୁଆରି ଦୁଆରି କିଏ ଡାକୁଛି, ଦ୍ଵାରେ ଦ୍ଵାରେ ବୁଲି ତଣ୍ଟି ଶୁଖିଛି । ଯିବାକୁ ଝିଆରୀ, ଆସିଛି ସୁଆରି/ଭଣ୍ଡାରିକି ସାଇ ସାଇ ଖୋଜୁଛି । ଭାରିଯା ମୋ ସାକ୍ଷାତେ ଚଣ୍ଡୀ, ମୋତେ ଦେଉଅଛି ସେ ଭଣ୍ଡ । ଦିନରାତି ତା’ର ଗୋଡ଼ ନ ଘଷିଲେ, ପିଠିରେ ଝାଡ଼ୁ ପାହାର ଖାଉଛି । ଦିନେ ତାହା ପାଖକୁ ଗଲି, ମନ କଥା ସବୁ କହିଲି, ଦାନ୍ତ କଡ଼ ମଡ଼ କରି ଦେଲା ମାଡ଼ା ଅଣ୍ଟା ମୋର ଭାଙ୍ଗି ଯାଉଛି ।’’ (କବି ଗୋପାଳ ଦାଶଙ୍କ ବିଲଙ୍କା ରାମାୟଣ ସୁଆଙ୍ଗରୁ ସଂଗୃହୀତ)-। ଗୋପାଳ ଦାଶ, ଧ୍ରୁବ ବାରିକ, ଭିକାରୀ ନାଏକ, ମାଗୁଣି ସାହୁ ପ୍ରଭୃତି ସୁଆଙ୍ଗକାରମାନଙ୍କ ପରି ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି ଜଗନ୍ନାଥ ପାଣି ରଚିତ ସୁଆଙ୍ଗଗୁଡ଼ିକରେ ସନ୍ନିହିତ ଦୂତ, ଡଗର, ଦୁଆରି ପ୍ରଭୃତି ଚରିତ୍ରରେ ଅତିକ୍ରିୟାର ଆଭାସ ଥିଲେ ମଧ୍ୟ ଏମାନେ ହି ମୂଳତଃ ସାମାଜିକ ଦୋଷ ଦୁର୍ବଳତାର ବ୍ୟଙ୍ଗକାର । ବୈଷ୍ଣବ ପାଣି (୧୮୮୨-୧୯୫୬)ଙ୍କର ଦୁଆରି କହୁଛି - ଦେଖି ଯାଉଥାରେ ନାତି, ଏ ଯୁଗ ରୀତିରେ/ ଦେବତା ହେଲେଣି ପରା ମାଇପୀ ଜାତିର/ଏ ପରା ଖୁଣ୍ଟ ବାସେଳୀ, ଦେଖ ଆଙ୍କଠାରୁ ବଳି/ରାଣ୍ତମାନେ ହେଲେ ଗ୍ରାମ ଦେବତୀରେ ଯେବେ କରିବ ଆକଟ-। ଲୋଡ଼ିବେ ଖଲାସ ବାଟ/ଛାଡ଼ି ପଳାଇବେ ପୁଅ ଧନ ସମ୍ପତ୍ତିରେ ।’’ . ଏବଂ ‘‘କ୍ଷିତିକି ଭିତ ହେଲା ପ୍ରବଳ/ପଇସାରେ ପାନ ପାଞ୍ଚଟା ଛଅଟା/ଟଙ୍କାରେ ଦି’ସେରେ ଅଧେ ଚାଉଳ/ଜମିଦାରୀ କରି ବିକିରି ଜମିଦାର କଲେ ଚାକିରୀ/ଚଷାଙ୍କ ହାତରୁ ଚାଷ କେଣେ ଗଲା, ତେଲିଏ ବାନ୍ଧିଲେ ହଳ ଲଙ୍ଗଳ ।’’

 

କବିଗଣ ଦୁଆରି ଚରିତ୍ର ମାଧ୍ୟରେ ସମାଜର ସ୍ତରରେ ଦେଖା ଦେଇଥିବା ଉତ୍ସୃଙ୍ଖଳତା, ନାରୀ-ଚରିତ୍ରର ଅଧୋଗତି ? ପାରିବାରିକ କଷଣ ଏବଂ ଅର୍ଥନୀତିକ ଦୁରବସ୍ଥା, ବୁନିୟାଦିର କ୍ଷୟ, କୁଳ-କର୍ମ ପ୍ରତି ଅନାଦର ପ୍ରଭୃତି ବିବର୍ତ୍ତନ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ଖୁବ୍‌ତୀକ୍ଷ୍‌ଣ ନ ହେଲେ ବି ଅପକର୍ମ ପାଇଁ ଆଘାତପ୍ରଦ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି, ଉଦ୍ଦେଶ୍ୟ ହେଉଛି - ସାମାଜିକ ମୂଲ୍ୟବୋଧର ସଂସ୍ଥାପନ ଓ ସଂସ୍କାର ।

 

ପାଲା, ଦାସକାଠିଆ, ଦାୟିକା ଇତ୍ୟାଦିରେ ମଧ୍ୟେ ମଧ୍ୟେ ବ୍ୟଙ୍ଗାତ୍ମକ ସଂଳାପର ସଂଯୋଜନା ପରିଲକ୍ଷିତ ହୁଏ । ପାଲା ଓ ଦାସକାଠିଆର ପାଳିଆଙ୍କ ତୁଣ୍ଡରେ ଏପରି ସଂଳାପ ଦିଆଯାଇଥାଏ, ଗାୟକଙ୍କୁ କିଛି ସମୟ ପାଇଁ ମୁଖ୍ୟ ବିଷୟ ପରିବେଷଣରୁ ବିରତି ଦେଇ, ଏମାନେ କୌଣସି ନା କୌଣସି ବ୍ୟଙ୍ଗାତ୍ମକ ଗଳ୍ପ ବା ହାସ୍ୟ ଉଦ୍ରେକକାରୀ ପ୍ରସଙ୍ଗ ଉତ୍‌ଥାପନ କରିଥାନ୍ତି । ଲାଳିକାରେ ମଧ୍ୟ ଆପଣା ବକ୍ତବ୍ୟ ପ୍ରକାଶ କରନ୍ତି । ସୁପରିଚିତ କାବ୍ୟମାନଙ୍କରୁ ବ୍ୟଙ୍ଗାତ୍ମକ ପଦ ସଂଗ୍ରହ କରି, ତାହାକୁ ସ୍ଥଳ ବିଶେଷରେ ବ୍ୟବହାର କରିଥାନ୍ତି । ରାଧାନାଥ ରାୟଙ୍କର ‘ଦରବାର’, କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ବ୍ୟଙ୍ଗ କବିତା, ଗଙ୍ଗାଧର ମେହେରଙ୍କର ‘ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର’ ଇତ୍ୟାଦିରୁ ବିଭିନ୍ନ ଅଂଶ କିମ୍ବା ଗୋପବନ୍ଧୁଙ୍କର ରଚନାକୁ ପ୍ୟାରୋଡ଼ି କରି ଏ କାଳର ପାଲା ଓ ଦାସକାଠିଆ ଗାୟକମାନେ ବୋଲୁଥିବା ଶୁଣା ଯାଉଛି; ଯଥା - ଗୋପବନ୍ଧୁଙ୍କ ରଚନାର ଗୋଟିଏ ପ୍ୟାରୋଡ଼ି; ‘ଦେଶବାସୀ ସବୁ ମିଶନ୍ତୁ ମାଟିରେ/ଆମ୍ଭେ ଚାଲିଯିବୁ ତାଙ୍କରି ପିଠିରେ/ଆମ୍ଭ ସ୍ଵାର୍ଥପଥେ ଅଛି ଯେତେ ଗାଡ଼/ପୂରୁ ତହିଁ ପଶି ଜନତାଙ୍କ ହାଡ଼।’ କିମ୍ବା କ୍ଷମତାସୀନ ବ୍ୟକ୍ତି ଓ ରାଜ୍ୟର ଅପଶାସନକୁ ଲକ୍ଷ୍ୟ କରି, ଲକ୍ଷ୍ମୀକାନ୍ତଙ୍କ ରଚନାରୁ ପାଲାର ପାଳିଆମାନେ ବୋଲନ୍ତି - ‘ରାମ ରାଇଜରେ କି ଥିଲା କେଜାଣି/କୃଷ୍ଣ ରାଇଜର ଗୁଣ ଅଶେଷ/ସବୁ ତ ମିଳୁଛି, ମିଳେ ନାହିଁ ଖାଲି/ପେଟ ପାଇଁ ଅନ୍ନ କଟକୀ ବାସ ।’ ଇତ୍ୟାଦି

 

ଏପରି ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ତାଚ୍ଛଲ୍ୟ-ମିଶ୍ରିତ ଏବଂ ଏହାର ପରୋକ୍ଷ ଉଦ୍ଦେଶ୍ୟ ଲୋକ ଚରିତ୍ରର ସଂଶୋଧନ ନିଶ୍ଚୟ । ଚଳନ୍ତି ସମାଜର ଭ୍ରମାତ୍ନକ ଆଚରଣକୁ ସୁଧାରିବା ଲାଗି ଅଭିପ୍ରାୟ ଅଛି, କିନ୍ତୁ ସିଧାସଳଖ କୌଣସି ଗଠନ-ମୂଳକ ପରାମର୍ଶ ଦିଆଯାଇନି । ସ୍ଵାଧୀନତା ପରବର୍ତ୍ତୀ କାଳରେ ରାଜ୍ୟର ଶାସନ ଓ ଉନ୍ନୟନ ମୂଳକ ଯୋଜନାମାନଙ୍କରେ ସାମାଜିକ ଅଗ୍ରଗତି ଲାଗି ବହୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଲକ୍ଷ୍ୟ ରହିଥିଲେ ମଧ୍ୟ, ପାରମ୍ପରିକ ନାଟକ, ଗଣ ଯୋଗାଯୋଗର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିବାରୁ, ଲୋକଶିକ୍ଷା ପାଇଁ ଏହାକୁ ବିନିଯୋଗ କରି, ସମାଜର ପ୍ରଗତିଶୀଳ ପରିବର୍ତ୍ତନ ଉଦ୍ଦେଶ୍ୟର ସ୍ପଷ୍ଟ ମତ ପ୍ରକାଶ କଲେ ସାମାଜିକ ଚଳଣିର ରୂପ ବଦଳିପାରେ । ଏବେ କାର୍ଯ୍ୟକାରୀ ହେଉଥିବା ପରିବାର ଯୋଜନା, ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ, ଗୋତିପ୍ରଥା ବିଲୋପ-ନିୟମ, ସମବାୟ ଆନ୍ଦୋଳନ ଇତ୍ୟାଦିର ଶୁଭଫଳକୁ ସ୍ପଷ୍ଟ ଭାବେ ସୂଚାଇ, ପାରମ୍ପରିକ ସ୍ଥାଣୁ ଚଳଣି ଓ ବିଶ୍ୱାସକୁ ବ୍ୟଙ୍ଗ କରାଗଲେ ଏବଂ ଏହାର ଭୟାବହ କୁ-ପରିଣାମର ସଙ୍କେତ ଚିହ୍ନାଇ ଦେଲେ; ସମାଜର ଲୋକ ସାଧାରଣଙ୍କ ମନକୁ ପରିବର୍ତ୍ତନ ଆଡ଼କୁ ଆକୃଷ୍ଟ କରାଯାଇପାରେ । ପାଲା, ଦାସକାଠିଆ, ସୁଆଙ୍ଗ ଇତ୍ୟାଦିର ନବୀକରଣ ଏ ଦୃଷ୍ଟିରୁ ଏକାନ୍ତ ବାଞ୍ଛନୀୟ ।

 

ଅତୀତରେ ତାମସା, ପ୍ରହସନ ବା ଫାର୍ସ ଶ୍ରେଣୀୟ ପାରମ୍ପରିକ ନାଟ୍ୟାଭିନୟ ଅତ୍ୟନ୍ତ ଲୋକପ୍ରିୟ ଥିଲା । ଏଗୁଡ଼ିକ ପ୍ରାୟ ବ୍ୟଙ୍ଗାତ୍ମକ, ଲଘୁ ନାଟକ ପର୍ଯ୍ୟାୟର କୃତି । ରଙ୍ଗରସ ଓ ବ୍ୟଙ୍ଗ - ଏମାନଙ୍କର ମୂଳଧନ । କବି ବଂଶୀବଲ୍ଲଭ ଗୋସ୍ଵାମୀ (୧୮ଶ ଶତାବ୍ଦୀ)ଙ୍କର ‘ମୋଗଲ ତାମସା’ - ପାରମ୍ପରିକ ଓଡ଼ିଆ ନାଟ୍ୟ କଳାର ଏକ ସ୍ମରଣୀୟ ସଂଯୋଜନା । ହିନ୍ଦୁ ଇସଲାମ ସଂସ୍କୃତିରେ ମୈତ୍ରୀ ଓ ସଂହତି ସ୍ଥାପନରେ ‘ମୋଗଲ ତାମସା’ ବିଶେଷ ସହାୟକ ହୋଇଥିଲା ।୩

 

ମୋଗଲ ଅମଳର ଅପଶାସନ, ଅତିବିଳାସିତା, ଅତ୍ୟାଚାର, ଖିଆଲି ମନୋଭାବ, ଅଦୂରଦର୍ଶୀ ବ୍ୟବସ୍ଥା ମଧ୍ୟ ଓ ଗଣିକା ବିଳାସ ପ୍ରଭୃତି ନୀଚ୍ଚ ବୃତ୍ତି ପ୍ରତି ରାଜ କର୍ମଚାରୀମାନଙ୍କର ନିର୍ବାଧ ଆସକ୍ତର ପ୍ରାଞ୍ଜଳ ଚିତ୍ର ଏଥିରେ ପରିବେଷିତ । ମୋଗଲ ଚୋପଦାରମାନଙ୍କଠାରୁ ଆରମ୍ଭ କରି ନିମ୍ନ ଶ୍ରେଣୀର କର୍ମଚାରୀ - ଭେସ୍ତିବାଲା, ଝାଡ଼ୁବାଲା, ହୁକାୱାଲା ଇତ୍ୟାଦିଙ୍କର କାର୍ଯ୍ୟକଳାପ ଏବଂ ମିଥ୍ୟାଶ୍ରୟୀ ଶୋଷକ ଜମିଦାରଙ୍କର ଅନ୍ତଃସାରଶୂନ୍ୟ ଆଭିଜାତ୍ୟ ପ୍ରତି ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ କବି, ପୋଷଣ କରିଛନ୍ତି । ସ୍ୱୟଂ ମୋଗଲ ସୁବେଦାର ମିର୍ଜା ସାହେବ ମଧ୍ୟଃ ଅତି ବିଳାସିତା ଦୋଷରେ କବିଙ୍କର ବ୍ୟଙ୍ଗ-ଭଙ୍ଗୀର ଶରବ୍ୟ ହୋଇଛନ୍ତି । ଶେଷରେ ଗଉଡ଼ୁଣୀ ତୁଣ୍ଡର ନିର୍ଭୀକ ସଂଳାପ ହିଁ ଏମାନଙ୍କର ଅତିଚାରର ଠିକଣା ଜବାବ ଦେଇଛି । ଅଷ୍ଟାଦଶ ଶତାବ୍ଦୀର ସମାଜ ଓ ଶାସନ ବ୍ୟବସ୍ଥାରେ ଶାସକ, କର୍ମଚାରୀ ଓ ସାଧାରଣ ନିମ୍ନ ଶ୍ରେଣୀର ଲୋକମାନଙ୍କର ଚରିତ୍ର-ଚଳଣି କିପରି ଥିଲା ତାହାର ଆଲେଖ୍ୟ ମୋଗଲ ତାମସା ଅଙ୍କନ କରିବା ସଙ୍ଗେ ସଙ୍ଗେ ମଦ୍ୟ-ଗଣିକା ବିଳାସ, ଜୋରଦାରୀ ଯୌନାଚାର ଓ ଶୋଷଣ-ଲିପ୍‌ସାର ନିଃଶେଷ ଲାଗି ପ୍ରତ୍ୟକ୍ଷ ଇଙ୍ଗିତ ଦେଇଛି, ବ୍ୟଙ୍ଗ ହିଁ ହୋଇଛି ଏହାର ସହାୟକ ।

 

ଅଷ୍ଟାଦଶ ଶତାବ୍ଦୀର ସାମାଜିକ କଳଙ୍କ ସବୁ ଊନବିଂଶ ଶତାବ୍ଦୀର ସମାଜ-ଚଳଣିକୁ ସଂକ୍ରମିତ ହୋଇ ଯାଇଛି । କଳଙ୍କ ନିରାକରଣ ପାଇଁ ହେଉ କିମ୍ବା ନବ୍ୟ ଆଲୋକର ଆଲୋକିତ ଏଇ ପରିଚ୍ଛନ୍ନ ସମାଜର ନବୋନ୍ମେଷ ପାଇଁ ହେଉ, ଉନବିଂଶ ଶତକର ଚିନ୍ତାବିତ୍‌ ଓ ସ୍ରଷ୍ଟାଗଣ ଆପଣା ଆପଣା କୃତିରେ ସାମାଜିକ ପରିବର୍ତ୍ତନ ଲାଗି ଉଦ୍ୟମ କରିଛନ୍ତି । ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ଓ ନାଟ୍ୟାଭିନୟ ଜରିଆରେ ଏହି ଉଦ୍ଦେଶ୍ୟ-ସିଦ୍ଧି ପାଇଁ ଆଶା ପୋଷିଛନ୍ତି । ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ହୁଏତ ଏହାର ସୁଫଳ ଫଳିବ - ଏପରି ସମ୍ଭାବନା ତାଙ୍କ ମନରେ ଯେ ନ ଥିଲା, ଏପରି କହିହେବ ନାହିଁ ।

 

ନାଟ୍ୟକାରଗଣ ‘ପ୍ରହସନ’ ରଚନା ଜରିଆରେ ସାମାଜିକ ଦୋଷ ଦୁର୍ବଳତା ପ୍ରତି ବ୍ୟଙ୍ଗାତ୍ମକ ଆଭିମୁଖ ପୋଷଣ କରିଥିବାର ଦୃଷ୍ଟାନ୍ତ ମିଳେ । କେହି କେହି ଆଲୋଚକ କହନ୍ତି, ‘ବହୁ କାବ୍ୟ କବିତା ରଚନା କରିଥିଲେ ମଧ୍ୟ ଇଂରାଜୀର ସନେଟ ଓ ଓଡ଼ିଆରେ ଚଉତିଶା ରଚନା ନ କରିବା ପର୍ଯ୍ୟନ୍ତ ପ୍ରତିଷ୍ଠିତ କବିମାନଙ୍କର କାବ୍ୟତୃଷା ଯେପରି ପ୍ରଶମିତ ହେଉ ନଥିଲା, ନାଟ୍ୟ-ସାହିତ୍ୟର ପ୍ରକାଶ ଓ ବିକାଶ କାଳର ଆଦି ପର୍ଯ୍ୟାୟରେ ପ୍ରହସନ ସୃଷ୍ଟି ନ କରିବା ପର୍ଯ୍ୟନ୍ତ ପ୍ରବୀଣ ନାଟ୍ୟ ରଚୟିତାଙ୍କ ନାଟ୍ୟ-ସୃଷ୍ଟି ପିପାସା ସେପରି ଚରିତାର୍ଥ ହେଉ ନ ଥିଲା ।’’୪ ଦୃଶ୍ୟକାବ୍ୟ ପରମ୍ପରାରେ ‘ପ୍ରହସନ’ ସମାଦର ଲାଭ କରିଥିଲା, ଲୋକରୁଚିକି ଏହା ସ୍ପର୍ଶ କରିଥିଲା । ଇଉରୋପୀୟ ନାଟ୍ୟ-ସାହିତ୍ୟରେ ‘ମୋଲିୟର’ ରଚନା ପରି, ଆମର ପ୍ରହସନ । ସପ୍ତଦଶ ଶତାବ୍ଦୀର ମୋଲଏର ଏବଂ ଫାର୍ଶ ପ୍ରଭୃତି ନାଟ୍ୟାଭିନୟ, ଅଷ୍ଟାଦଶ ଶତାବ୍ଦୀ ବେଳକୁ ତୀବ୍ର ବିରୋଧ ଓ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲା । ଏହାର ଲଘୁ ଆମୋଦ-ଦାୟକ ପରିବେଷଣ କଳା ହିଁ ଏଥିପାଇଁ ଦାୟୀ । କିନ୍ତୁ ଆମର ସାମାଜିକ ପୃଷ୍ଠଭୂମିରେ ସେପରି ହୋଇନାହିଁ । ଲୋକନାଟ୍ୟାଭିନୟରେ ଏବେ ବି ସ୍ଥାନେ ସ୍ଥାନେ ପ୍ରହସନ ଚଳୁଛି । ଅବଶ୍ୟ ଗତ ଶତାବ୍ଦୀରେ ଏହା ବିଶେଷ ଚଳୁଥିଲା । କୁହାଯାଏ, ‘ଭାରତରେ ଭନବିଂଶ ଶତକରେ ପ୍ରହସନର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଶିକ୍ଷା, ସଂସ୍କୃତି, ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଇଂରେଜମାନଙ୍କର ଗଭୀର ପ୍ରଭାବକୁ ଏହାର କାରଣ ରୂପେ ନିର୍ଦ୍ଦେଶ କରାଯାଇପାରେ । ଏହି ସମୟର ପ୍ରହସନରେ ପ୍ରକଟିତ ହାସ୍ୟରସ ନିତାନ୍ତ ନିମ୍ନଶ୍ରେଣୀର, ବ୍ୟଙ୍ଗ ମଧ୍ୟ ପ୍ରାଣହୀନ ଏବଂ କ୍ଷେତ୍ର ବିଶେଷରେ ବ୍ୟକ୍ତିଗତ ମଧ୍ୟ । ଏଥିରେ କୃତ୍ରିମ ହାସ୍ୟରସର ଦର୍ଶନ ମିଳିଥାଏ ।୫ ପ୍ରାୟ ସେକାଳ ଓ ଏକାଳର ସବୁ ଶ୍ରେଣୀର ପହସନ ସମ୍ପର୍କରେ ଏହା ସତ୍ୟ ନୁହେଁ, କୃତ୍ରିମ ହାସ୍ୟରସ, ନିମ୍ନଶ୍ରେଣୀର ଚରିତ୍ର ବ୍ୟତୀତ, ତୀକ୍ଷ୍‌ଣ ବ୍ୟଙ୍ଗ, ପ୍ରତିଷ୍ଠାପନ୍ନ ବ୍ୟକ୍ତି-ଚରିତ୍ରର ରୂପାୟନ, ବ୍ୟତିକ୍ରମରେ କେତେକ ପ୍ରହସନ ଦେଖାଯାଏ, ଯେପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ; ପରୀକ୍ଷାଫଳ, ‘ଶିକ୍ଷା ନବୀସ ପ୍ରେମିକ’ ପ୍ରଭୃତି ପ୍ରହସନ । ତେବେ ଏହା ସ୍ୱୀକାର୍ଯ୍ୟ ଯେ, ପ୍ରହସନ ଥିଲା ସାମାଜିକ ରୁଚିସଂସ୍କାରର ଏକ ଶକ୍ତିଶାଳୀ ଅବଲମ୍ବନ, ଏକ ପ୍ରକାର ଶିଳ୍ପ-କଳାତ୍ମକ ପ୍ରତିକ୍ରିୟା । ସମାଜ ଜୀବନରେ ଖୁବ୍‌ସହଜରେ ବୃଦ୍ଧି ପାଇଥିବା ମଦ୍ୟପାନ ଅଭ୍ୟାସ, ବେଶ୍ୟା ଗମନ ଲାଳସା, ବୃଦ୍ଧ ଓ ବାଲ୍ୟବିବାହ ଚଳଣି, ବାଈ-ନୃତ୍ୟ, ଉତ୍କୋଚ ଗ୍ରହଣ ଇତ୍ୟାଦି କୁକର୍ମ ଓ ଅନାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରାଯାଇଥିଲା ଏହି ପ୍ରହସନମାନଙ୍କରେ ।

 

ଲାଲା ଜଗନ୍ମୋହନ ରାୟ (୧୮୩୯-୧୯୧୩)ଙ୍କର ‘ବୃଦ୍ଧ ବିବାହ’; ରାମଶଙ୍କର ରାୟ (୧୮୫୭-୧୯୩୧)ଙ୍କର କଳିକାଳ (୧୮୮୩) ବୁଢ଼ାବର, (୧୮୯୨) ରାଜା ବୀରବିକ୍ରମ ସିଂହଦେବ (୧୮୭୪-୧୯୧୧)ଙ୍କର ଉତ୍କଳ ଦୁର୍ଦ୍ଦଶା (୧୯୦୪), ବାଲ୍ୟବିବାହ (୧୯୦୫), ବ୍ୟଭିଚାର ଦୋଷ ପ୍ରଦର୍ଶକ (୧୯୦୬), ବୃଦ୍ଧବିବାହ (୧୯୦୫), ସୁହାସିନୀ ପ୍ରହସନ (୧୯୦୩) ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮ - ୧୯୫୩)ଙ୍କର ‘ଅଫିମ ଲୀଳା’ ‘ପଞ୍ଚାମୃତ’ ଡିମ୍ବକ୍ରେସି ସଭା ପରୀକ୍ଷାଫଳ, ଶିକ୍ଷାନବିଶ ପ୍ରେମିକ ପ୍ରଭୃତି ବ୍ୟଙ୍ଗାତ୍ମକ ପ୍ରହସନ ଓ ନାଟକ-ନାଟିକାମାନଙ୍କରେ ସାମାଜିକ ଜୀବନଧାରାରେ ସେତେବେଳେ ଦେଖାଯାଉଥିବା ଦୁଷ୍କୃତି ଓ ଅନାଚାରର ବିଲକ୍ଷଣ ପ୍ରତି ବ୍ୟଙ୍ଗବିଦ୍ରୂପ ପ୍ରକାଶ କରାଯାଇଛି ।

 

ଊନବିଂଶ ଶତାବ୍ଦୀର ଓଡ଼ିଆ ସମାଜ - ନୂତନ ସଭ୍ୟତା ସ୍ପର୍ଶରେ ଅତିବିଳାସିତା ଓ ଯୌନ ବ୍ୟଭିଚାରର ଶରବ୍ୟ ହୋଇ ପଡ଼ିଥିଲା । ବିଭିନ୍ନ ସଂସ୍କାର-ସଭା ଓ ସାମାଜିକ ଅନୁଷ୍ଠାନ ଜରିଆରେ ଏହାର ଦୂରୀକରଣ ଲାଗି ଯେପରି ଉଦ୍ୟମ ହୋଇଥିଲା, ସେହିପରି ସାହିତ୍ୟ ମାଧ୍ୟମରେ ଏପରି ଜୀବନ-ଚର୍ଯ୍ୟାର କୁପରିଣତି ପ୍ରଦର୍ଶନ କରି ସାମାଜିକ ଆଚରଣ ପରିବର୍ତ୍ତନ ଲାଗି ଚେତନା ଜାଗରଣ ଆବହାୱା ସୃଷ୍ଟି କରାଯାଇଥିଲା । କ୍ରମଶଃ ସମାଜରୁ ବୃଦ୍ଧ-ବିବାହ, ବାଲ୍ୟ-ବିବାହର ମାତ୍ରା କମିଲା, ମଦିରା ପାନ ଓ ବେଶ୍ୟା ଗମନ ପ୍ରବୃତ୍ତି ସମୂଳେ କ୍ଷୟ ହୋଇ ନ ଥିଲେ ବି ଏହାର ଘୃଣ୍ୟ ପ୍ରତିକ୍ରିୟା ପ୍ରତି ସଚେତନତା ବୃଦ୍ଧି ପାଇଥିଲା । ମଦିରା ଓ ନାରୀ ଅନୁରକ୍ତି - ଯାହାକି ସାମନ୍ତ-ସମାଜର ମର୍ଯ୍ୟାଦା ସନ୍ତକ ବୋଲି ଲୋକାଚାରରେ ବିବେଚିତ ହେଉଥିଲା, ତାହା ଆଉ ସେପରି ଗଣ୍ୟ ହେଲା ନାହିଁ । ଏପରିକି ସାମନ୍ତ ପରିବାରର ନାଟ୍ୟକାରଗଣ ଏହି କୁ-ଅଭ୍ୟାସର ବିରୋଧ କରିଥିଲେ ସେମାନଙ୍କ ଲେଖାଲେଖିରେ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ‘ଅଫିମ ଲୀଳା’ ନାଟିକାରେ ଅଫିମଖୋର ଗୃହସ୍ଥ, ଅଫିମିଆ ଭିକାରୀ, ଅଫିମା ଚୋର, ଅଫିମଖୋର ମୌଲବୀ, ଅଫିମା ଇଂରାଜୀ ପଢ଼ୁଆ ଯୁବକ, ଅଫିମା ପଣ୍ଡିତ, ଓକିଲ, ପେସ୍କାର, ଇତ୍ୟାଦିଙ୍କର ଜୀବନର ଦୁରବସ୍ଥା, ଯାହାକି ଅଫିମ ଅଭ୍ୟାସରୁ ଘଟିଛି - ତାର ଏକ ବ୍ୟଙ୍ଗାତ୍ମକ ଚିତ୍ର ଦିଆଯାଇଛି । ଚରିତ୍ର ମୁଖରେ ଅଫିମର ପ୍ରଶଂସା ବ୍ୟଙ୍ଗ ଗର୍ବିତ ଭଙ୍ଗୀରେ ପ୍ରକାଶ କରିଛନ୍ତି ନାଟ୍ୟକାର –

 

‘କଳାରୂପ ତୋର ମନ ମୋହନିଆ, ସୁଆଦଟି ବଡ଼ ମିଠା,

ମଉଜ ତୋହର ପାଇଛି ଯେ ଥରେ, ଲାଗିଯାଏ ତାର ଅଠା,

ପୀରତି ତୋହର ଆରତି ବଢ଼ାଏ, ସରତି ଉଠଇ ପାଟି,

ମୂରତି ଚାହିଁଲେ ଧରତି ହଜଇ, କରତି ପକାଏ ଛାତି,

କଳି କାଳରେ ତୁ ଅମର ଔଷଧ, ଗହନିଆ ତୋର ଭାବ,

ଏ ଭବ ସାଗର ତରିବାକୁ ସିନା, ତୁ ସିଧାସଳଖ ନାବ ।’

 

ପରିଣତିରେ ସମସ୍ତଙ୍କର ମନ ଚେତିଛି, ଅଫିମ-ବିଷର ମାର୍ଜନା କରିଛନ୍ତି । ଅଫିମିଆଙ୍କ ଚିତ୍ତ ସଂସ୍କାର ପାଇଁ ବ୍ୟଙ୍ଗକୁ ନାଟ୍ୟକାର ଏକ ମନ୍ତ୍ରୌଷଧି ରୂପେ ଗ୍ରହଣ କରିଛନ୍ତି । ସେହିପରି ଉତ୍କୋଚ ଗ୍ରହଣ ଘଟଣା ବ୍ରିଟିଶ ରାଜତ୍ୱ ଅମଳରୁ ଆମ ରାଜ୍ୟରେ ବ୍ୟାପି ଯାଇଥିଲା - ରାଜନ୍ୟବଗ୍ର ଓ ସାମନ୍ତ ଜମିଦାରଗଣ ନିଜ ସ୍ୱାର୍ଥରକ୍ଷା ଲାଗି ବ୍ରିଟିଶ ସରକାରଙ୍କ ସହ ବିଭିନ୍ନ ସମସ୍ୟା ଘେନି ସାଲିସ କଲାବେଳେ, ଅଧିକାରୀ, ଦେୱାନମାନଙ୍କ ଜରିଆରେ ‘ଉତ୍କୋଚ’ ବ୍ୟବସ୍ଥାଟିକୁ ପ୍ରୋତ୍ସାହିତ କରିଥିଲେ । ରାଜକର୍ମଚାରୀମାନେ ଏହାର ସୁଯୋଗ ନେଇ ନିରୀହ ପ୍ରଜାମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଅଯଥା ହଇରାଣ କରୁଥିଲେ । ଏହା ଶାସନ-ଶକ୍ତିକି କଳୁଷିତ କଲା, କେତେକଙ୍କୁ ବିତ୍ତବାନ ଓ ପ୍ରତିଷ୍ଠାବାନ କରିବାରେ ସାହାଯ୍ୟ କଲା । ଏଇ ସାମାଜିକ ବ୍ୟାଧି ବିରୁଦ୍ଧରେ ନାଟ୍ୟକାର ରାମଶଙ୍କର ରାୟ; କଳିକାଳ (୧୮୮୩) ପ୍ରହସନରେ ଦୃଢ଼ ସ୍ୱର ଉଚ୍ଚାରଣ କରିଥିଲେ, ଏହାର ଭୟାବହ ଉତ୍କଟତାର ସଙ୍କେତ ମଧ୍ୟ ଦେଇଥିଲେ - ସେକାଳରୁ ଏ କାଳ ଗୋଟିଏ ଶତାବ୍ଦୀ ଶେଷ ହେବାକୁ ବସିଲାଣି, ଉତ୍କୋଚ ବ୍ୟାଧିର ବିସ୍ତାର ବଢ଼ୁଛି, ଲମ୍ବି ଲମ୍ବି ଯାଉଛି ତାର ଶାଖାପ୍ରଶାଖା କିନ୍ତୁ କାହି କେଉଁଠି ଉଣା ହେଉନାହିଁ ତ ? ସେତେବେଳେ ସିନା ପରାଧୀନତାର ଶିକୁଳି ଆମକୁ ଛନ୍ଦି ଦେଇଥିଲା, ଏବେ ତ ତାହା ନାହିଁ; ନିଜ ଦେଶରେ ଆମେ ନିଜେ ଜଣେ ଜଣେ ଖଣ୍ଟ, ଶୋଷକ, ବର୍ଗୀ । ସମାଜ- ସ୍ତରରେ ଏହାର ପରିବର୍ତ୍ତନ ଘଟିନାହିଁ, କିନ୍ତୁ ସଚେତନ ସ୍ରଷ୍ଟାଗଣ ଏହାର ପ୍ରସ୍ଥାନ ପାଇଁ ବ୍ୟଙ୍ଗର ପରିଚର୍ଯ୍ୟାକୁ ଭୁଲି ନାହାଁନ୍ତି ।

 

ବ୍ରିଟିଶ ଶାସନ କାଳରୁ ଓଡ଼ିଶାର ଜନ-ଜୀବନରେ ଯେଉଁ ପରିମାଣରେ ନୈତିକ, ସାମାଜିକ, ଅର୍ଥନୈତିକ ଅଧଃପତନର ଲୀଳା ଚାଲିଲା ତାହାର ପଥରୋଧ ପାଇଁ ନାନା ପ୍ରକାର ଉଦ୍ୟମ କରାଯାଇଥିଲା; ଦୃଶ୍ୟକାବ୍ୟରେ ନାଟ୍ୟକାରଗଣ ଏଇ ଅଧଃପତନର ଚିତ୍ର ଅଙ୍କନ କରିବା ସଙ୍ଗେ ସଙ୍ଗେ, ସୁଧାରିବା ଲାଗି ଉପାୟର ଇଙ୍ଗିତ ମଧ୍ୟ ପ୍ରଦାନ କରିଥିଲେ | ‘ଉତ୍କଳ ଦୁର୍ଦ୍ଦଶା (୧୯୦୪) ନାଟକରେ ରାଜା ବୀରବିକ୍ରମ ସିଂହଦେବ, ଖଡ଼ିଆଳ ପ୍ରାନ୍ତରୁ ସମଗ୍ର ଉତ୍କଳର ଅଭ୍ୟୁଦୟ କଥା ଚିନ୍ତାକରି, ଓଡ଼ିଆଙ୍କ ଜୀବନରେ ଘୋଟି ଯାଇଥିବା ଆଳସ୍ୟ, ମୂର୍ଖତା, ନିର୍ଲଜ୍ଜତା, ଫେସନ-ପ୍ରବଣତା, ଉଦ୍‌ଯୋଗହୀନତା ପ୍ରଭୃତି ସାମାଜିକ ବ୍ୟାଧିର ନିରାକରଣ ପାଇଁ କେତୋଟି ରୂପକାତ୍ମକ ଚରିତ୍ର (ଆଳସ୍ୟ, ସନ୍ତୋଷ, ସ୍ୱାର୍ଥପରତା, ଫେସନ, ଧର୍ମ ପ୍ରଭୃତି) ଜରିଆରେ ବ୍ୟଙ୍ଗାତ୍ମକ ସଂଳାପ ଶୁଣାଇ, ପ୍ରତ୍ୟେକଙ୍କର ଚିତ୍ତ-ସଂସ୍କାର ପ୍ରତି ଦୃଷ୍ଟି ଦେଇଛନ୍ତି । ‘ସନ୍ତୋଷ’ ନାମକ ଚରିତ୍ର ମୁଖରେ ନାଟ୍ୟକାର ପ୍ରକାଶ କରିଛନ୍ତି - “ମୋ ନାମ ଅଟେ ସନ୍ତୋଷ, ଉତ୍କଳକୁ କରିଦେବି ମୁଁ ନାଶ ହେ । ଆଉ ନ ରଖିବି କିଛି ଲେଶ; ସୁଜନେ ହେ । ରାଜା ପ୍ରଜା ହୃଦେ ପଶି, ଖାଇବା ପୂରତ ହେଲେ ମୁଁ ଦୋଷି, ମାତ୍ର ଦେଶୋନ୍ନତି ଦେବି ଧ୍ଵଂସି, ସୁଜନେ ହେ । ରାଜ୍ୟ ନ ଥିଲେ କି ହେଲା, ପେନସନ ତ ମିଳିବ, ବାଣିଜ୍ୟ ନ ହେଲେ ନ ହେଉ, କଳନ୍ତର ତ ଅଛି, ସେ ମଧ୍ୟ ନ ଆସୁ ମୂଳଧନ ତ ଅଛି । ‘‘ସନ୍ତୋଷଂ ପରମଂ ସୁଖଂ’’, ଅନ୍ନକୁ ପ୍ରଶଂସା କରି କରି ଖାଉଥିବି । ଉଦ୍ୟୋଗ ଆଡ଼କୁ କିଛି ଦୃଷ୍ଟିପାତ କରିବି ନାହିଁ ।”୬ ନଅଙ୍କ ଦୁର୍ଭିକ୍ଷ (୧୮୬୬) ପରବର୍ତ୍ତୀ କାଳରୁ ୧୯୨୦/୨୧ ମସିହା ପର୍ଯ୍ୟନ୍ତ ପ୍ରାୟ ଏଇ ଅବସ୍ଥାର କଳାଜହ୍ନ ମାଟିର ଆକାଶରୁ ଘୋଟି ରହିଥିଲା । ୧୯୦୩ ଉତ୍କଳ ସମ୍ମିଳନୀ ସଙ୍ଗଠନ ପରେ ପ୍ରବଳ-ଜାତୀୟବାଦୀ ସଚେତନତାର ପ୍ରଭାବରୁ ଆସ୍ତେ ଆସ୍ତେ ନିରୁଦ୍ୟମ-ନିଷ୍କ୍ରିୟତାର କଳା ଆସ୍ତରଣ ଘୁଞ୍ଚିଗଲା, କହିଲେ ଚଳେ ।

 

ଅପର ପକ୍ଷରେ ରାଜନୈତିକ ଓଡ଼ିଶାରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ହେଲାପରେ ଲୋକଶକ୍ତିକି ଅକ୍ତିଆର କରି ଯେଉଁ ନେତାମାନେ କ୍ଷମତା-କଳହର ବୀଜବପନ କଲେ ଏବଂ ଏଥିଯୋଗୁଁ ସମାଜର ସାଧାରଣ ଚଳଣିରେ ପାରସ୍ପରିକ ଅବିଶ୍ୱାସ, ପ୍ରତାରଣା ଜାଲ ଚାରିଆଡ଼େ ଯେପରି ଛାଇ ହେଇଗଲା-ତାହାର କ୍ଷୟକାରୀ ପରିଣାମ ପ୍ରତି ସଚେତନ କରାଇ ନାଗରିକଙ୍କ ମାନସିକ ପରିବର୍ତ୍ତନ ଲାଗି ଦୃଶ୍ୟକାବ୍ୟର କାବ୍ୟକାରଗଣ ବିଶେଷ ଉଦ୍ୟମ କରିଥିଲେ । ‘ବ୍ୟଙ୍ଗ’ ବିନ୍ୟାସକୁ ଏଥିଲାଗି ଏକ ଉପକରଣ ରୂପେ ବ୍ୟବହାର କରାଯାଇଥିଲା । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ‘ପଞ୍ଚାମୃତ’ (ହାସ୍ୟରସାତ୍ମକ ରାଜନୈତିକ ନାଟିକା), ‘ନବ ରାମାୟଣ’ ‘ଡିମ୍ବେକ୍ରେସି ସଭା’ ପ୍ରଭୃତି ରଚନାରୁ ଏହାର ଆଭାସ ମିଳିଥାଏ । ରାଜନୀତିକ ପ୍ରତାରଣା ପ୍ରତି ବ୍ୟଙ୍ଗ ପ୍ରକାଶ କରି ନାଟ୍ୟକାର ଉଲ୍ଲେଖ କରିଛନ୍ତି - ‘‘ପଲିଟିକ୍‌ସ ରଣ କ୍ଷେତ୍ରେ ଗଲେ ପଶିବାକୁ/କେତେ ମାଡ଼ ଗାଳି ନିନ୍ଦା ସହିବାକୁ ପଡ଼େ/ଏଥେଁ ବିଚଳିତ ହେବା ନୁହଇଁ ଉଚିତ/ପେଟ କଥା ପେଟେ ରଖି ମାରୁଥିବ ପେଞ୍ଚ/ମୁହଁରେ କହିବ ସଦା ମଧୁ ମଧୁ ବୋଲି ସୁଦକ୍ଷର ଏହା ଅଟେ ରାଜନୀତି ଚାଲ-।’’ ୭ ‘ନବରାମାୟଣ’ ନାଟ୍ୟରଚନାରେ ରାମଚନ୍ଦ୍ର, ଚେଲା ହନୁମାନଙ୍କୁ ଏପରି ପରାମର୍ଶ ଦେବା ଅନ୍ତରାଳରେ ରାଜନୀତିକ- ସମାଜର ଗତିବିଧି ପ୍ରତି ଲେଖକଙ୍କର ବ୍ୟଙ୍ଗାତ୍ମକ ଆଭିମୁଖ୍ୟ ପ୍ରକାଶ ଲିପି ବେଶ୍‌ ସ୍ପଷ୍ଟ ।

 

ସେହିପରି ‘ଡିମ୍ବେକ୍ରେସି ସଭା’ ପ୍ରହସନଟିରେ ଗଣତନ୍ତ୍ରର ବିଫଳତା, ଆସକ୍ତ ନେତାମାନଙ୍କର ଅପରାଗତା, ଗୃହବିବାଦ, ସାମ୍ପ୍ରଦାୟିକ ଭାଗବଣ୍ଟା, ହିନ୍ଦୁ ମୁସଲମାନମାନଙ୍କର ଛକା ପଞ୍ଝା ନୀତି ଇତ୍ୟାଦି ସାମାଜିକ କଳଙ୍କ ବିପକ୍ଷରେ ବ୍ୟଙ୍ଗ ପ୍ରକାଶ କରାଯାଇଛି - ‘ମିଆଁଜୀ’ ଙ୍କ ଏକ ସଂଳାପରୁ ଜଣାଯାଏ;

 

‘‘ଜନାବ ମହୋତା ଅଭୀ କଲେ ଯେ ପ୍ରସ୍ତାବ ।

ହମେ ତାହା ଦିଲ୍‌ଭରୀ କରୁଛୁଁ ଦୁତୀୟ,

ଦୋନୋ ଭାଇ ହିନ୍ଦୁ ମୁସଲମାନ-

ଘରମେ ଘରମେ ହମେ ଲାଗିବୁ ଝଗଡ଼ା,

ବିଗିଡ଼ା ବିଗଡ଼ି ହେବୁ ଭାଗବଣ୍ଟା ଘେନି,

ଲେକିନ ମୁଲ୍‌କେ ଯେବେ ପଡ଼େ ମୁସିବତ୍‌

ହାମରା ବାଦ୍‌ସା ଯେବେ ହେବେ ହଇରାନ,

ଜରୁର ସେଦିନ ହାମେ ମିଲାଇବା ହାତ ।

ଜଣେ ମୁସଲମାନ ମନ୍ତ୍ରୀ ନିଆ ହେବେ ଏକା

ଏତିକି ମାତର୍‌ ଭାଇ ଅରଜ ହାମର ।’’୮

 

କୌଣସି ଏକ ଗଣତାନ୍ତ୍ରିକ ସମାଜରେ ଧର୍ମ ନିରପେକ୍ଷତା ଓ ସହାବସ୍ଥାନର ସୁସ୍ଥ ଉପଯୋଗିତା ସପକ୍ଷରେ ଜନମତ ହିଁ ନିଶ୍ଚୟ ଯିବ । କିନ୍ତୁ ତାହାର ବିଧିବଦ୍ଧ ସଂରକ୍ଷଣର ଦାୟିତ୍ୱ ତ ଶାସନ ଶକ୍ତିର । ଏଠି ଯଦି ଅପାରଗତା ପ୍ରକାଶ ପାଏ ତେବେ ସାମାଜିକ ବିଶୃଙ୍ଖଳା ହିଁ ବୃଦ୍ଧି ପାଇବା ସାର ହେବ । ଅବଶ୍ୟ ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସମାଜରୁ ସାମ୍ପ୍ରଦାୟିକ ଭେଦଭାବର ବିଲୋପ ପାଇଁ ସବୁ ସ୍ତରରେ ଯତ୍ନ ହୋଇଛି । ମାନସିକ ସଂସ୍କାର ଜରିଆରେ ଲୋକମନକୁ ଉଦାରମତେ ଉଦବୁଦ୍ଧ କରିବା ଲାଗି ପ୍ରଚାର ପତ୍ର ଠାରୁ ଆରମ୍ଭ କରି ଯୋଗାଯୋଗବାହୀ ବିବିଧ ମାଧ୍ୟମର ଆଶ୍ରୟ ନିଆଯାଇଛି, ନାଟ୍ୟାଭିନୟରେ ବ୍ୟଙ୍ଗୋକ୍ତି ତହିଁରୁ ଅନ୍ୟତମ ।

 

ପାରମ୍ପରିକ ନାଟକ ବ୍ୟତୀତ ଆଧୁନିକ ସାମାଜିକ ନାଟକ ମାନଙ୍କରେ ସାମାଜିକ ପରିବର୍ତ୍ତନ ଲକ୍ଷ୍ୟରେ ଚରିତ୍ର ଓ ସଂଳାପ ମାଧ୍ୟମରେ କିଛିନା କିଛି ସଙ୍କେତ ଦିଆଯାଇଛି । ଏହି କ୍ଷେତ୍ରରେ ବ୍ୟଙ୍ଗୋକ୍ତି ହୋଇଛି ଅନ୍ୟତମ ବଳିଷ୍ଠ ଅବଲମ୍ବନ । ଲାଲା ଜଗନ୍ମୋହନ ରାୟଙ୍କର ‘ବାବାଜୀ’ (୧୮୭୭) ନାଟକରେ ତତ୍‌କାଳୀନ ଓଡ଼ିଶାର ସାମାଜିକ ଅପସଂସ୍କୃତି ବିରୁଦ୍ଧରେ ସ୍ଵର ଉଚ୍ଚାରିତ ହୋଇଛି ଏବଂ ଖୁବ୍‌ତୀକ୍ଷ୍‌ଣ ବ୍ୟଙ୍ଗ ଓ ବିଦ୍ରୂପର ସହାୟତାରେ ନାଟ୍ୟକାର ଆପଣା ମନର ସଂସ୍କାର ପ୍ରବୃତ୍ତି ଚରିତାର୍ଥ କରିଛନ୍ତି । ନାଟ୍ୟକାର ଚାହିଁଥିଲେ - ସମକାଳୀନ ସମାଜରେ ଚଳୁଥିବା ବ୍ୟଭିଚାର, ମଠାଧୀଶମାନଙ୍କର ନାରୀଲିପ୍‌ସା, ବ୍ରାହ୍ମଧର୍ମାଶ୍ରିତ ଲୋକମନର ନଗ୍ନ ବୁଭୁକ୍ଷା, ମଦିରା ଲିପ୍‌ସା, କୁଳାଚାରହୀନ ବ୍ରାହ୍ମଣ ସମାଜର ଅଧଃପତନ, ବୈଷ୍ଣବ ସନ୍ନ୍ୟସୀମାନଙ୍କର ବିଳାସ ପ୍ରିୟତା ଇତ୍ୟାଦି ଯାହାକି ତତ୍‌କାଳୀନ ସାମାଜିକ ମୂଲ୍ୟବୋଧକୁ ଚିହ୍ନିତ କରିଥିଲା; ସେସବୁର ପରିପୂର୍ଣ୍ଣ ସଂସ୍କାର । ବାବାଜୀ, ଆନନ୍ଦ ପଣ୍ଡା, ସୁବଳ ପଟ୍ଟନାୟକ, ବୀରସିଂହ, ରାଧୀ, ଜେମୀ ଇତ୍ୟାଦି ଚରିତ୍ରଙ୍କର ଚରିତ ଲିପିରୁ ତତ୍‌କାଳୀନ ସମାଜ ସତ୍ତାର ସ୍ୱରୂପକୁ ଚିହ୍ନେଇ ଦିଆଯାଇଛି; ଉଦ୍ଦେଶ୍ୟ ଏହାର ପରିବର୍ତ୍ତନ । ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ (୧୮୭୧ -୧୯୬୨)ଙ୍କର ସଂସ୍କାର ଚିତ୍ର (୧୯୧୫), ଯୌତୁକ (୧୯୨୪) ନାଟକ ଦ୍ୱୟ ଏକ ଉତ୍କଟ ସାମାଜିକ ବ୍ୟାଧି - ଯୌତୁକ ପ୍ରଥାର ବିଲୋପ ଘଟାଇ ଉଦୀୟମାନ ତରୁଣ ମନରେ ସୁସ୍ଥ ମାନବୀୟ ମୂଲ୍ୟବୋଧର ଜାଗରଣ ଲାଗି ଯତ୍ନ କରିଛନ୍ତି । ବଙ୍ଗୀୟ ସମାଜରୁ ସଂକ୍ରମିତ ଏହି ଯୌତୁକ ବ୍ୟାଧିର ଜୀବାଣୁ ଓଡ଼ିଆ ସମାଜ ଶକ୍ତିକି କିପରି ନାରଖାର କରିଛି, ତାହାର ଭୟାବୟ ଚିତ୍ର ଅଙ୍କନ ସଙ୍ଗେ ସଙ୍ଗେ ଆନୁଷଙ୍ଗିକ ସାମାଜିକ କଳଙ୍କ ସବୁକୁ ନାଟ୍ୟକାର ‘ଦଶ ନଖରେ ବିଦାରି ପକାଇଛନ୍ତି’ । ବ୍ୟଙ୍ଗ ହେଉଛି ସେହି ବିଦାରଣର ଅସ୍ତ୍ର । ବ୍ୟଙ୍ଗ ସାହାଯ୍ୟରେ ସୁସ୍ଥ ସାମାଜିକ ସଚେତନତାର ଜାଗରଣ ଏବଂ ଫଳତଃ ସାମାଜିକ ପରିବର୍ତ୍ତନର ସୂତ୍ରପାତ ପାଇଁ ଇଚ୍ଛା ପୋଷିଛନ୍ତି ନାଟ୍ୟକାର । କିନ୍ତୁ ଅଦ୍ୟାବଧି ଆଇନର ଶୃଙ୍ଖଳ ସତ୍ତ୍ୱେ ଏହି ବ୍ୟାଧିର ବିଲୋପ ଘଟିନାହିଁ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ( ୧୮୯୭-୧୯୭୮)ଙ୍କର ସାମାଜିକ ନାଟକ ପ୍ରତିଶୋଧ (୧୯୩୭)ରେ ନାରୀଭୋଗ-ଲିପ୍‌ସା ଓ ଏକାଧିକ ବିବାହ ଭଳି ଅନୈତିକ ସାମାଜିକ କଳଙ୍କର ପ୍ରସଙ୍ଗ ଉତ୍‌ଥାପନ କରାଯାଇଛି । ଅବଶ୍ୟ ପୂର୍ବବର୍ତ୍ତୀ ନାଟ୍ୟକାରମାନଙ୍କର ବିଷୟ ସଂଯୋଜନାର ପ୍ରତିଧ୍ଵନି ଏଥରେ ସ୍ପଷ୍ଟ: ବୃଦ୍ଧ ବିବାହ ରୀତି ପ୍ରତି ବ୍ୟଙ୍ଗ ଦୃଷ୍ଟିର ପ୍ରତିଫଳନ ଘଟିଛି; ସଂସ୍କାର ପ୍ରୟାସ ସେହି ଦୃଷ୍ଟିରୁ ଏଥରେ ପ୍ରଚ୍ଛନ୍ନ ସିନା କିନ୍ତୁ ସାମାଜିକ ପରିବର୍ତ୍ତନର ଅଭିପ୍ରାୟ ଏତେ ତୀବ୍ର ନୁହେଁ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର (୧୯୨୧)ଙ୍କର ନରୋତ୍ତମ ଦାସ କହେ (୧୯୬୯) ନାଟକରେ ସ୍ଵାଧୀନତା ପରବର୍ତ୍ତୀ ବର୍ଦ୍ଧିଷ୍ଣୁ ସମାଜର କଳଙ୍କିତ ଚିତ୍ର ପ୍ରଦାନ କରାଯାଇଛି । ଦେଶରେ କର୍ମଜୀବୀ ଅଫିସରଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତା, ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଆଚରଣରେ ବ୍ୟଭିଚାର, କଳାବଜାରୀ, ଉତ୍କୋଚ ନିଶା କିପରି ବୃଦ୍ଧି ପାଉଛି ଏବଂ ଏହା ଆମର ପ୍ରତିଷ୍ଠିତ ସାମାଜିକ ଆଦର୍ଶରେ ଦୃଷ୍ଟିଦାର ହୋଇ କିପରି ସମସ୍ତଙ୍କୁ ଯନ୍ତ୍ରଣା ମଥିତ କରୁଛି - ତାହାର ନଗ୍ନ ରୂପ ଖୋଲିଦେଇ ସମାଜ ପରିବର୍ତ୍ତନ ଉଦ୍ଦେଶ୍ୟରେ ତୀର୍ଯ୍ୟକ୍‌ଦୃଷ୍ଟି ଓ ବ୍ୟଙ୍ଗ ବିଦ୍ରୁପର ତୀକ୍ଷ୍‌ଣ ପ୍ରକାଶକୁ ବରଣ କରିଛନ୍ତି । ମନୋରଞ୍ଜନ ଦାସ (୧୯୨୩)ଙ୍କର ଆଗାମୀଠାରୁ ଅରଣ୍ୟ ଫସଲ, କ୍ଳାନ୍ତ ପ୍ରଜାପତି (୧୯୮୦) ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷାଧର୍ମୀ ନାଟ୍ୟକୃତିରେ ସାମ୍ପ୍ରତିକ ମନୁଷ୍ୟର ମନସ୍ତାତ୍ତ୍ୱିକ ଅବକ୍ଷୟ, ସାଂସ୍କୃତି ସ୍ଖଳନ ଏବଂ ସାମାଜିକ ବିଚ୍ୟୁତିର ଚିତ୍ର ପ୍ରତିଫଳିତ । ସ୍ଥାନ ବିଶେଷରେ ପ୍ରତୀକାତ୍ମକ ବ୍ୟଙ୍ଗୋକ୍ତିରେ ଏହା ପୂର୍ଣ୍ଣ; ଉଦ୍ଦେଶ୍ୟ ହେଉଛି ସମାଜର ବିବର୍ତ୍ତିତ ମୂଲ୍ୟବୋଧର ପ୍ରଭାବ ସତ୍ତ୍ଵେ ଚିର ଅମ୍ଳାନ ‘ମାନବ-ଆତ୍ମା’ର ଉତ୍ତରଣ ଲାଗି ଏବଂ ତଦନୁରୂପ ସମାଜ ସ୍ଥିତିକୁ କଳଙ୍କମୁକ୍ତ କରିବା ଲାଗି ପଥ ଉନ୍ମୋଚନ କରିବା । ନାଟ୍ୟକାର ବିଜୟ ମିଶ୍ର (୧୯୩୬ଙ୍କର ‘ଶବବାହକମାନେ’ ନାଟକରେ ସାମ୍ପ୍ରତିକ ମଣିଷର ଧନଲିପ୍‌ସା ଓ କାମନାଲୋଲତାର ପ୍ରତୀକାତ୍ମକ ଚିତ୍ର ସଂଯୋଜିତ, ଶବସନ୍ଧାନୀ ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଚରିତ୍ର ସୀମାହୀନ ନୈରାଶ୍ୟର ଅନ୍ଧାରକୁ ଜୀବନ ସାଥି କରି ସାମାଜିକ ସ୍ତରରେ ବ୍ୟର୍ଥତାର ଶିକାର ହୋଇଛନ୍ତି ସମାଜ ବି ହୋଇଛି ନିଃସଙ୍ଗ ଶ୍ମଶାନ: ଏଥିରୁ କ’ଣ ମଣିଷର ମୁକ୍ତି ନାହିଁ ? ଏହି ସମସ୍ୟାର ଦ୍ୱନ୍ଦ୍ୱ ଓ ମାନସିକ ବିପର୍ଯ୍ୟୟ ସମାଜର ସ୍ଥିର ସ୍ଥିତି ସ୍ଥାପନର ଏକ ନିରୀହ ଇଚ୍ଛା ନାଟ୍ୟକାର ପୋଷଣ କରିଛନ୍ତି ।

 

ନାଟ୍ୟକାର ରତ୍ନାକର ଚଇନି (୧୯୪୫)ଙ୍କର ‘ପୁନଶ୍ଚ ପୃଥିବୀ’ (୧୯୭୨) ନାଟକର ପରିକଳ୍ପନାରେ ଯେଉଁ ସମାଜ ଓ ଚରିତ୍ରମାନଙ୍କର ଭାବମୂର୍ତ୍ତିର ଚଳନ୍ତି ଛବି ଆମ ଆଖରେ ପଡ଼ିଛି ସେମାନେ ସମସ୍ତେ ଆମ ମହାଭାରତ-ମିଥ୍‌ର ଚରିତ୍ର; କିନ୍ତୁ ବିବର୍ତ୍ତିତ ଆଙ୍ଗିକର ଗୋଟିଏ ଗୋଟିଏ ମଣିଷ । ସାମ୍ପ୍ରତିକ ସମାଜ ତାଙ୍କୁ ଗୋଟିଏ ପରିବାରରେ ଏକାଠି କରିଛି - ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ, ଅଭିମନ୍ୟୁ ଏବଂ ସତିଆ ସମସ୍ତଙ୍କୁ । ଏମାନଙ୍କର ‘ଆତ୍ମିକ ସତ୍ତା’ରେ ଅବକ୍ଷୟ ଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ! ସାମ୍ପ୍ରତିକ ସମାଜରେ ସତ୍ୟ ମୁକ ତେଣୁ ସତିଆର ମୁହଁ ବନ୍ଦ । ଯୁଧିଷ୍ଠିରଙ୍କ ଭଳି ଧର୍ମପୁରୁଷ, ନକୁଳକୁ ପରାମର୍ଶ ଦେଇଛନ୍ତି - ‘ଆଗାମୀ ମଣିଷର ରକ୍ତରେ ତୁ ଗୋଟାକେତେ ଇଂଜେକସନ ଦେଇପାରିବୁ ? ଯେପରି ସେ ଘୃଣା, ବିଦ୍ୱେଷ, ଈର୍ଷା ଆଉ ଅବିଶ୍ୱାସ କରିବାକୁ ଭୁଲିଯିବ । ଭୁଲିଯିବ ଏଇ ସ୍ଵାର୍ଥନ୍ୱେଷୀ ପୃଥିବୀର ମମତାକୁ ।’ (ପୁନଶ୍ଚ ପୃଥିବୀ,) । ଏପରି ସଂଳାପରେ ବିସ୍ମିତ ନକୁଳ ଯେତେବେଳେ ପ୍ରଶ୍ନ କରିଛି, ଯୁଧିଷ୍ଠିର ପୁନଶ୍ଚ ଉତ୍ତର ଦେଇଛନ୍ତି - ‘ମୁଁ ଯେତେବେଳେ ମନୁଷ୍ୟତ୍ୱ‌ ଫେରିପାଏ, ସେତିକିବେଳେ ଏମିତି କଥା କହିବାକୁ ଆରମ୍ଭ କରେ ନକୁଳ ? ଏହାହିଁ ହେଉଛି ଲେଖକଙ୍କର ବ୍ୟଙ୍ଗୋକ୍ତି, ସମାଜରୁ ମାନବିକତାର କ୍ଷୟ ହେତୁ ତାଙ୍କର ଏହି ତୀର୍ଯ୍ୟକ୍‌ ପ୍ରତିବାଦ । ମଣିଷର ବୁନିୟାଦି ସମାଜରେ ମାନବିକତାର ମୂଲ୍ୟବୋଧ ପ୍ରତିଷ୍ଠା ତାଙ୍କର କାମ୍ୟ ନୁହେଁ କି ? ଆଙ୍ଗିକ ପରିବର୍ତ୍ତନ, ସମାଜ ବିବର୍ତ୍ତନର ସ୍ଥାୟୀ ସମ୍ବଳ ନୁହେଁ, ଆତ୍ମିକ ପରିବର୍ତ୍ତନ ହିଁ ସାମାଜିକ ବିବର୍ତ୍ତନର ଶ୍ରେଷ୍ଠ ମୂଳଧନ; ସେଥିପାଇଁ ତାଙ୍କର ଏ ବ୍ୟଙ୍ଗୋକ୍ତି ।

 

ବ୍ୟଙ୍ଗୋକ୍ତିରୁ ଯେଉଁ ଭାବକଳ୍ପ ବା ଚିନ୍ତାସୂତ୍ରର ସଙ୍କେତ ମିଳେ, ତହାର ସଜୀବ ପ୍ରେରଣା ବଳରେ ସମାଜ ପରିବର୍ତ୍ତନର ନକସା ପ୍ରସ୍ତୁତ ହୋଇଯାଏ । ପ୍ରସ୍ତୁତି କ୍ଷେତ୍ର ହେଉଛି ଆମରି ଚେତନାକକ୍ଷ । ‘ମନର ନିଭୃତ ନିଳୟ’ । ମନକୁ ଅନ୍ଧାରମୁକ୍ତ କରିବା ଲାଗି ଲୋଡ଼ା ହୁଏ ଆଲୋକର ପଟୁଆର । ପାଉଁଶ ଭିତରେ ନିଆଁ ପରି ଅନ୍ଧାର ଗର୍ଭରେ ଲୁଚି ରହିଥାଏ ଆଲୋକର ସ୍ଫୁଲିଙ୍ଗ ଆଲୋକ ପାଇଁ ତାକୁ ଉଖାରିବାକୁ ହୁଏ । ସେହିପରି କଳଙ୍କ କାଳିମାର ଚିତ୍ରପଟକୁ ବ୍ୟଙ୍ଗର ଅସ୍ତ୍ରାଘାତରେ ବିଦୀର୍ଣ୍ଣ କରି ଚେତନାର ଆଲୋକପିଣ୍ଡଟିକୁ ଉଦ୍ଧାର କରିବାକୁ ହୁଏ; ଏଇ ଚେତନାର ଆଲୋକବର୍ତ୍ତିକାଟି କୋଟି କୋଟି ଜୀବନର ପଥ ଦିଶାରି, ସମାଜର ଦିକ୍‌ପତି । ସମାଜର ପରିବର୍ତ୍ତନ ଏହି ଚେତନା ବୀଜର ଫୁଟନ୍ତା ଅଙ୍କୁରରୁ ହିଁ ସୂଚିତ ହୋଇଥାଏ । ସେହିଦୃଷ୍ଟରୁ ସମାଜର ପରିବର୍ତ୍ତନରେ ବ୍ୟଙ୍ଗର ଭୂମିକାକୁ ବିବେଚନ କରିବା ସଂଗତ ମନେହୁଏ ।

***

 

ଓଡ଼ିଶା ଓ ଅଥର୍ବବେଦ

ସଚ୍ଚିଦାନନ୍ଦ ରାଉତରାୟ

 

ଓଡ଼ିଶା ଯେ ପ୍ରାଚୀନ ଗ୍ରନ୍ଥମାନଙ୍କର ଏକ ଗନ୍ତାଘର, ଏହି ଆପ୍ତବାକ୍ୟର ସତ୍ୟତା ବହୁ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଓଡ଼ିଶାର ଅଖ୍ୟାତ ପୁରପଲ୍ଲୀରେ ଯେତେ ଲୁପ୍ତ ରତ୍ନ ଲୁକ୍‌କାୟିତ ହୋଇ ରହିଛି, ସେ ସବୁର ଉଦ୍ଧାରକାର୍ଯ୍ୟ ଆହୁରି ଅନେଳ ବାକି ଅଛି । ଯାହା ବା ହୋଇଛି ତାହା ଅତି ଅଳ୍ପ - ଉଭା ଯେତେ ପୋତା ତା’ଠୁ ଢେର ବେଶୀ । ମାତ୍ର କୋଡ଼ିଏ ବର୍ଷ ପୂର୍ବେ କାହାର ଧାରଣା ନ ଥିଲା ଯେ ଓଡ଼ିଶା ଦିନେ ଅଥର୍ବବେଦୀମାନଙ୍କର ଏକ କେନ୍ଦ୍ର ପୀଠ ଥିଲା ଏବଂ ଓଡ଼ିଶାରୁ ହିଁ ଅଥର୍ବବେଦର ପ୍ରାମାଣିକ ପାଠ ଉଦ୍ଧାର କର ଯାଇପାରିବ । ଏପରିକି ଭାରତ ସରକାର ୧୯୫୬ ଖ୍ରୀଷ୍ଟାବ୍ଦରେ ଯେଉଁ ସଂସ୍କୃତ କମିସନ ବସାଇଥିଲେ, ସେମାନେ ସାରା ଓଡ଼ିଶା ବୁଲି ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଏଠାରେ ଅଥର୍ବବେଦର ସନ୍ଧାନ ପାଇପାରି ନ ଥିଲେ । ମାତ୍ର ଗର୍ବ ଓ ଆନନ୍ଦର କଥା କଲିକତା ସଂସ୍କୃତ ମହାବିଦ୍ୟାଳୟର ଗବେଷଣ ବିଭାଗର ବେଦାଧ୍ୟାପକ ପଣ୍ଡିତ ଦୁର୍ଗମୋହନ ଭଟ୍ଟାଚାର୍ଯ୍ୟ ମହାଶୟ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳରୁ ଅଥର୍ବବେଦର ପ୍ରଧାନତମ ଶାଖାର ମୂଳଗ୍ରନ୍ଥ ପୈପ୍‌ପାଳାଦ ସଂହିତା, କେତେକାଂଶରେ ଲୋକମୁଖରୁ ଏବଂ ମୁଖ୍ୟତଃ ଓଡ଼ିଆ ଲିପିରେ ଲିଖିତ ତାଳପତ୍ର ପୋଥିମାନଙ୍କରୁ ଉଦ୍ଧାର କରି, ପ୍ରକାଶ କରିଛନ୍ତି (ଖ୍ରୀ ୧୯୬୪) । ଏହା ସମଗ୍ର ମାନବ ଜାତିକୁ ଓଡ଼ିଶାର ମହନୀୟ ଅବଦାନ ରୂପେ ସ୍ମରଣୀୟ ହେଇ ରହିବ ।

 

ଅଥର୍ବ ବେଦର ନଅଟି ପ୍ରଧାନ ଶାଖା ମଧ୍ୟ ପୈପଜାତିକ ଓ ଶୌନିକ ଶାଖାଦ୍ୱୟ ହିଁ ମୁଖ୍ୟସ୍ଥାନ ଅଧିକାର କରି ଆସିଛନ୍ତି । ଅନ୍ୟ ଶାଖାଗୁଡ଼ିକ ହେଲେ ତୌଡ଼, ମୌଡ଼, ଜାଳନ, କଳଦ, ବ୍ରହ୍ମବାଦ ଓ ଚରଣବୈଦ୍ୟ । ଅଗ୍ନିପୁରାଣ ଶ୍ଳୋକାୟନୀ ନାମକ ଅନ୍ୟ ଏକ ଶାଖା ବା ଉପଶାଖା ଏଥିରେ ଯୋଗ କରିଛନ୍ତି (୨୭୧,୮) । ସ୍କନ୍ଦପୁରାଣ (ନାଗଖଣ୍ଡ, ଅଧ୍ୟାୟ ୧୭୪) ଅନୁସାରେ ଅଥର୍ବବେଦର ଶହେଟି ଶାଖା ଥିବାର କରାଯାଏ । ମୁକ୍ତିକୋନୋପନିଷଦ୍‌ରେ ଶାଖା ସଂଖ୍ୟା ପ୍ରଚାଶ ବୋଲି ଉଲ୍ଲେଖ ଅଛି । (୧.୧୩) । ସେ ଯାହାହେଉ, ଶୌନିକ ସଂହିତା ହିଁ ରଡ଼ଲଫ୍‌ ରୋଥଙ୍କ ଦ୍ୱାରା ପ୍ରଥମେ ଆବିଷ୍କୃତ ହୋଇ ବର୍ଲିନ୍‍ରୁ ୧୮୫୪ ଖ୍ରୀଷ୍ଟାବ୍ଦରେ ସେ ଓ W.D. Whitney ରୋଥ୍‌ଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା । ପୈପ୍‌ପଳାଦ ସଂହିତା ବହୁ ପରେ ପ୍ରକାଶ ପାଇଥିଲା । ମାତ୍ର ରୋଥ୍‌ ଓ ହୁଇଟନୀଙ୍କ ଦ୍ଵାରା ସମ୍ପାଦିତ ଶୌନକ ସଂହିତା ଅତ୍ୟନ୍ତ ଭ୍ରମପ୍ରମାଦପୂର୍ଣ୍ଣ ଥିଲା । ତେଣୁ ରୋଥ୍‌ ଅଥର୍ବ ବେଦର ଶୁଦ୍ଧପାଠ ଖୋଜି ବାହାର କରିବା କାର୍ଯ୍ୟରେ ବ୍ରତୀ ହେଲେ ଏବଂ ଏ ଦିଗରେ ପ୍ରବଳ ଅନୁସନ୍ଧାନ ଚଳାଇଲେ । ସେତେବେଳେ ସମଗ୍ର ୟୁରୋପରେ ଜଣେ ବୈଦିକ ଭାଷାବିଜ୍ଞାନୀ ଭାବରେ ରୋଥ୍‌ ତୁଙ୍ଗ ଆସନରେ ପ୍ରତିଷ୍ଠିତ ଥିଲେ । ତେଣୁ ଭାରତରେ ବ୍ରିଟିଶ୍‌ ସରକାରଙ୍କୁ ପ୍ରବର୍ତ୍ତାଇ ଏ କାର୍ଯ୍ୟରେ ଅଗ୍ରସର ହେବା ତାଙ୍କ ପକ୍ଷରେ ସହଜ ଥିଲା ।

 

ଅକ୍ଳାନ୍ତ ଉଦ୍ୟମ ଫଳରେ ରୋଥ୍‌ କାଶ୍ମୀରରେ ପୈପ୍‌ଳାଦ ସଂହିତାର ଏକ ଜୀର୍ଣ୍ଣ ବିକଳାଙ୍ଗ ଭୁର୍ଜପତ୍ର ଓ ବଳ୍‌କଳ ଉପରେ ଲିଖିତ ପାଣ୍ଡୁଲିପିର ସନ୍ଧାନ ପାଇବାକୁ ସମର୍ଥ ହୁଅନ୍ତି । ଏହି ଆବିଷ୍କାର ସମଗ୍ର ବୈଦିକ ଗବେଷଣା କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଉନ୍ମୋଚନ କଲା । ଏ ଗ୍ରନ୍ଥର ଅସାଧାରଣ ଗୁରୁତ୍ଵ ସମଗ୍ର ବିଶ୍ଵରେ ଏକବାକ୍ୟରେ ସ୍ଵୀକୃତ ହୋଇଥିଲା । ଏହି ପାଣ୍ଡୁଲିପିଟି ୧୯୦୧ ଖ୍ରୀଷ୍ଟାବ୍ଦରେ Chromophotography ମାଧ୍ୟମରେ ପୁନଃମୁଦ୍ରିତ ହୋଇଥିଲା । ଏ ପାଣ୍ଡୁଲିପି ରୋଥ୍‌ କିପରି ଭାବରେ ଉଦ୍ଧାର କଲେ ଏବଂ କେଉଁଠୁ ପାଇଲେ ଏବଂ ଏହାର ଲିପି ଓ ବିଷୟବସ୍ତୁ ଉପରେ ରୋଥ୍‌ Der Atharvaveda in Kashmir ଶୀର୍ଷକ ପ୍ରବନ୍ଧରେ ୧୮୭୫ ଖ୍ରୀଷ୍ଟାବ୍ଦରେ ଉଲ୍ଲେଖ କରିଥିଲେ । ଏ ସମ୍ପର୍କରେ ରୋଥ୍‌ ଏକ ପ୍ରବନ୍ଧ ଫ୍ଳୋରେନ୍‌ସ ଠାରେ ଅନୁଷ୍ଠିତ International Congress of Orientalists ରେ ମଧ୍ୟ (୧୮୭୮ ମସିହା) ପାଠ କରିଥିଲେ ।

 

ସେହିଦିନ ଠାରୁ ସମସ୍ତଙ୍କର ଧାରଣା ଥିଲା ଯେ କାଶ୍କୀର ହିଁ ଅଥର୍ବବେଦର ପୀଠସ୍ଥଳୀ । କାଶ୍ମୀର ବାହାରେ ଅନ୍ୟ କେଉଁଠି ଅଥର୍ବବେଦ ମିଳିପାରେ ଏହା କାହାରି ପକ୍ଷରେ କଳ୍ପନା କରିବା ସମ୍ଭବ ନଥିଲା । କାଶ୍ମୀରରୁ ମିଳିଥିବା ବଲ୍‌କଳ ପାଣ୍ଡୁଲିପିର ପାଠ ଓ ଲିପି-ଅନୁବାଦ ଆମେରିକାନ ଓରିୟେଣ୍ଟାଲ ସୋସାଇଟିର ଜର୍ଣ୍ଣାଲରେ ଏଲ୍‌.ସି.ବ୍ୟାରେଟଙ୍କ ଦ୍ଵାରା ପ୍ରକାଶିତ ହୋଇଥଲା । ଭାରତବର୍ଷରେ ରଘୁବୀର ଦେବନାଗରୀ ଅକ୍ଷରରେ ଏହା ପ୍ରକାଶ କରିଥିଲେ ।

 

ମାତ୍ର କାଶ୍ମୀରରୁ ପ୍ରାପ୍ତ ବଲକଳ ପାଣ୍ଡୁ ଲିପିର ପାଠ ମୂଳରୁ ଶେଷ ଯାଏ ଭ୍ରମପ୍ରମାଦପୂର୍ଣ୍ଣ ଥିଲା । ବହୁ ଶ୍ଳୋକର ଆରମ୍ଭ ଶେଷ ମିଳୁନଥିଲା । ଅଧିକାଂଶ ଶ୍ଳୋକର ଅର୍ଥ ବୁଝାଯାଉ ନଥିଲା । ଏହି ଜୀର୍ଣ୍ଣ ପାଣ୍ଡୁଲିପିର ବହୁ ପୃଷ୍ଠା ମଧ୍ୟ କୀଟଦ୍ରଂଷ୍ଟ ହୋଇ ଯାଇଥଲା । ଫଳରେ ଏହାକୁ ନେଇ ପଣ୍ଡିତ ମାନେ କୌଣସି ଅର୍ଥ କରି ପାରୁ ନଥିଲେ । ସି.ଆର.ଲ୍ୟାନମ୍ୟାନ୍‌ଏହାକୁ ଭୁଲ୍‌ପ୍ରମାଦର ଏକ ରତ୍ନଖଣି ବୋଲି ଥଟ୍ଟା କରି କହିଥିଲେ । ଫଳରେ ଏହି ସଂସ୍କରଣଟି ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା । ଏହାର ମନ୍ତ୍ରଭାଗକୁ ଲକ୍ଷ୍ୟ ବ୍ଳୁମ୍‌ ଫିଲ୍‌ଡ କହିଥିଲେ, ଏହା ‘‘a meaningless Jumble of Senseless words’’ ପଲ ଥିଇମ୍‌ ଲେଖିଥିଲେ - Useless for Philological purpose । ପଲଥିଇମ୍‌ ପୁଣି ମତବ୍ୟକ୍ତ କରିଥିଲେ ଯେ ପୈପ୍‌ଳାଦା ଶାଖା ସୁଦୂର ଉତ୍ତର ଅଞ୍ଚଳରେ ପ୍ରତିଷ୍ଠା ଲାଭ କରିଥିଲା ଏବଂ ଏହାର କ୍ଷେତ୍ର ଉତ୍ତର-ପଶ୍ଚିମ ଭାରତବର୍ଷ । ଅନେକ ମନେକରୁଥିଲେ ଯେ କାଶ୍ମିରରେ ପୈପଳାଦ ସଂହିତାର ସନ୍ଧାନ ପ୍ରଥମେ ମିଳିଥିଲେ ମଧ୍ୟ ପଞ୍ଚଦଶ ଶତକ ପୂର୍ବରୁ ଏହା ସେଠାରେ ପ୍ରବେଶ କରି ପାରି ନଥିଲା । ସେମାନେ ‘‘ରାଜତରଙ୍ଗିଣୀ’’ରୁ (ଖ୍ରୀ-୧୨୬୭-୧୨୭୩) ଉଦ୍ଧାର କରି କହୁଥିଲେ ଯେ ‘‘ଅଥର୍ବ ବେଦ ପାଠ କରି କାଶ୍ମୀରବାସୀ ଏହାର ମହତ୍ୱ ଉପଲବ୍‌ଧି କରିଥିଲେ ଏବଂ ଏହି ବେଦକୁ ନିଜ ମଧ୍ୟରେ ପ୍ରଚଳିତ କରିବାକୁ ସ୍ଥିର କଲେ ।’’ ଦକ୍ଷିଣ ଭାରତରେ ମଧ୍ୟ ଅଥର୍ବବେଦ ପ୍ରସାର ଲାଭ କରିଥିଲା । ଜଣେ କାଶ୍ମୀରବାସୀ ପଣ୍ଡିତ ଯୁଦ୍ଧଭଟ୍ଟ କାଶ୍ମୀରରୁ ପଳାଇଯାଇ କର୍ଣ୍ଣାଟକରେ ଅଥର୍ବବେଦରେ ପାରଦର୍ଶିତା ଲାଭ କରି ସ୍ୱଦେଶକୁ ଫେରି ଆସି ଏହାର ପ୍ରଚଳନ କରିଥିଲେ । ରାଜ ତରଙ୍ଗିଣୀରୁ ଜଣାପଡ଼େ ଯେ ଅଥର୍ବବେଦ ବାହାରୁ ଆସି କାଶ୍ମୀରରେ ପ୍ରବେଶ କରିଥିଲା ।

 

ସେ ଯାହାହେଉ, କଲିକତା ସଂସ୍କୃତ ମହାବିଦ୍ୟାଳୟର ବେଦାଧ୍ୟାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ୟ ବଙ୍ଗଦେଶ ଓ ଓଡ଼ିଶାରେ ଅଥର୍ବବେଦୀମାନେ ଥିବାର ସମ୍ବାଦ ବହୁ ସୂତ୍ରରୁ ପାଇଥିଲେ । ଓଡ଼ିଶାର ପଣ୍ଡିତ ବଳଦେବ ବିଦ୍ୟାଭୂଷଣଙ୍କ (ଖ୍ରୀଷ୍ଟାବ୍ଦ ୧୭ଶ) ‘‘ଗୋପାଳ ତାପିନୀ’’ ଉପନିଷଦ ଭାଷ୍ୟରୁ ଜାଣି ପାରିଥିଲେ ଯେ ଏହି ପନ୍ଥୀମାନେ ଅଥର୍ବ ବେଦର ପୈପ୍‌ଳାଦ ସମ୍ପ୍ରଦାୟ ଭୁକ୍ତ । ଏହି ସମ୍ପ୍ରଦାୟ ଉତ୍କଳୀୟ ଅଥର୍ବବେଦୀମାନଙ୍କର ଏକ ଉପଶାଖା ବୋଲି ବିଦ୍ୟାଭୂଷଣ କହିଛନ୍ତି । (‘ଗୋପାଳ ତାପନୀ ଉପନିଷଦ - ସମ୍ପାଦନା ! ହିରଦାସ ଦାସ ,) କଥାଟି ସମ୍ପୂର୍ଣ୍ଣ ସତ୍ୟ । ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ୟ ବାରିପଦା ଓ ମୟୂରଭଞ୍ଜ ଉପାନ୍ତ ଅଞ୍ଚଳର ବହୁ ପୈପଳାଦିଙ୍କୁ ଭେଟି ସେମାନଙ୍କ ଠାରୁ ପୈପ୍‌ଳାଦ ସଂହିତାର ମନ୍ତ୍ର ଓ ଅନ୍ୟାନ୍ୟ ପାଠ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ଘରେ ଥିବା ପୋଥିଗୁଡ଼ିକ ଓଡ଼ିଆରେ ଲିଖିତ । ଅନେକ କ୍ଷେତ୍ରରେ ସେମାନେ ଶ୍ରୁତି ଆକାରରେ ଏହାକୁ ପୁରୁଷାନୁକ୍ରମେ ଶୁଣି ମନେ ରଖିଛନ୍ତି । ପଣ୍ଡିତ ଭଟ୍ଟାଚାର୍ଯ୍ୟ ଏହିସବୁ ମନ୍ତ୍ର ସେମାନଙ୍କଠାରୁ ସଂଗ୍ରହ କରିଥିଲେ ।

 

ଦାକ୍ଷିଣାତ୍ୟରେ ଏବଂ ଓଡ଼ିଶାରେ ମଧ୍ୟ ପୈପ୍‌ଳାଦିମାନେ ସହଜରେ ନିଜର ପରିଚୟ ଦିଅନ୍ତି ନାହିଁ । ସେମାନେ ବଂଶ ଗୋତ୍ର ପରିଚୟ ଦେବାକୁ ଟିକିଏ କୁଣ୍ଠାବୋଧ କରନ୍ତି । ତା’ର କାରଣ ସମାଜ ସେମାନଙ୍କୁ ଟିକିଏ ନ୍ୟୂନ ଚକ୍ଷୁରେ ଦେଖେ ।

 

ଓଡ଼ିଶାରୁ ମିଳିଥିବା ପୈପ୍‌ଳାଦ ସଂହିତା ପୋଥି ଶୁଦ୍ଧ ଏବଂ ପ୍ରାମାଣିକ ବୋଲି ପଣ୍ଡିତ ଭଟ୍ଟାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି । ଏହି ପୋଥି ଗୁଡ଼ିକ ତାଳପତ୍ର: ଏବଂ ଲୁହା ଲେଖନୀ ସାହାଯ୍ୟରେ ଲିଖିତ ଏହାର ଲିଖିତ ଓଡ଼ିଆ ଲିପି । ପଣ୍ଡିତ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି :

 

‘‘The authencity of the text has since been corroborated from the evidence of the newly acquired palm-leaf manuscripts (of Orissa) now in my possession .’’

 

ଏହି ଓଡ଼ିଶା ପୋଥି ସାହାଯ୍ୟରେ ସେ ଅଥର୍ବ ବେଦର ବହୁ ମନ୍ତ୍ରର ( ଯଥା-

 

‘‘ଶ୍ରିୟଂ’’ ଧାତୁର୍ମୟୀ ଧେହି ଶିୟା । ।

ମାଽଅଧିପତିଂ କୃଣୁ ।

ବିଶାମୀଶାନେ ମଘବାନିଂଦୋ

ମା ଯଶସା ନୟତ୍‌।’’

 

ଏଠାରେ ‘ବିଶ୍ରାମ ଇଶାନୋ’ ଯାହାର ଅର୍ଥ ‘Lord of People’ ଓଡ଼ିଶାରୁ ପୋଥି ହିଁ ସ୍ପଷ୍ଟ ଭାବରେ ଜଣାପଡ଼ିଲା ।

 

ଓଡ଼ିଶାର ଖାଲି ଯେ ପୈପ୍‌ପାଳାଦି ସଂହିତାର ଶୁଦ୍ଧ ପାଠ ଉଦ୍ଧାର କରାଯାଇ ପାରିଛି ତା’ ନୁହେଁ, ଏହାର କ୍ରିୟାକର୍ମାଣି ଓ ଆଚାର ପଦ୍ଧତି ଆଦିର ଶୁଦ୍ଧ ରୂପ ମଧ୍ୟ ଓଡ଼ିଆ ଅଥର୍ବବେଦୀ ବ୍ରାହ୍ମଣମାନଙ୍କଠାରୁ ପଣ୍ଡିତ ଭଟ୍ଟାଚାର୍ଯ୍ୟ ପାଇଛନ୍ତି ବୋଲି ତାଙ୍କ ସମ୍ପାଦନାରେ ପ୍ରକାଶିତ ‘ପୈପ୍‌ପାଳାଦ ସଂହିତା’ ଗ୍ରନ୍ଥର ଭୂମିକାରେ ମୁକ୍ତକଣ୍ଠରେ ସ୍ଵୀକାର କରିଛନ୍ତି । ଏହା ଫଳରେ ପ୍ରାଚୀନ ଭାରତର ସାମାଜିକ ରୀତିନୀତି, ଚଳଣି ଇତ୍ୟାଦି ଉପରେ ଯଥେଷ୍ଟ ଆଲୋକପାତ ହୋଇପାରିବ ବୋଲି ତାଙ୍କର ଦୃଢ଼ ମତ ।

 

ଗ୍ରନ୍ଥସୂଚୀ

୧.

ପୈପ୍‌ପଳାଦ ସଂହିତା - କଲିକତା ସଂସ୍କୃତ ମହାବିଦ୍ୟାଳୟ, ୧୯୬୮

 

ସମ୍ପାଦନା - ଦୁର୍ଗାମୋହନ ଭଟ୍ଟଚାର୍ଯ୍ୟ

୨.

Paul Thieme, Panini and the Veda, 1935

୩.

Archeological Survey of Mayurbhanj by N.N. Basu

୪.

Paippalad and Rigveda - L.C. Barret

୫.

An Inkling of Philosophy Materials in the Paippalad Sanhita - D.

 

Bhattacharya .

୬.

Tangore Catalogue - A.C. Burnell

 

***

 

Unknown

ଓଡ଼ିଆ ସାହିତ୍ୟରେ ରମ୍ୟରଚନାର ସ୍ଵରୂପ ଓ ବିକାଶ

ମହାପାତ୍ର ନୀଳମଣି ସାହୁ

(ପଚିଶବର୍ଷ ପୂର୍ବରୁ ଓ ପରେ)

 

ସ୍ଵାଧୀନତାପର ଓଡ଼ିଆ ସାହିତ୍ୟରେ ଗଳ୍ପ, କବିତା, ଉପନ୍ୟାସ, ନାଟକାଦି ସୃଜନାତ୍ମକ ଓ ଭାବନାତ୍ମକ ବିଭାଗଗୁଡ଼ିକ ଯଥେଷ୍ଟ ସମୃଦ୍ଧି ଲାଭ କରିଥିଲେ ହେଁ, ‘‘ରମ୍ୟରଚନା’’ ଆଶାନୁରୂପ ପ୍ରତିଷ୍ଠା ଲାଭ କରି ନାହିଁ । ତଥାପି ଏଇ ଦଶ ବାରବର୍ଷ ଭିତରେ କେତେକ ସୁଲେଖକ ଏଥରେ ହାତ ଦେବା ଫଳରେ ଆମର ଏଇ ସାହିତ୍ୟ ବିଭାଗଟି କ୍ରମଶଃ ସମୃଦ୍ଧି ପଥରେ ଅଗ୍ରସର ହେଉଅଛି ବୋଲି ଆଶା କରାଯାଇପାରେ ଏବଂ ଆଶ୍ଵାସନାର କଥା ଯେ ପ୍ରବନ୍ଧ ଓ ରମ୍ୟ ରଚନାର ପାଠକ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇ ଚାଲିଛି ।

 

ରମ୍ୟରଚନାର ସଂଜ୍ଞା (ଏସେ)

କିନ୍ତୁ ଦୁଃଖର କଥା ହେଲା - ‘‘ରମ୍ୟରଚନା’’ ଶବ୍ଦଟି ଓଡ଼ିଆ ସାହିତ୍ୟରେ ଆଜିକାଲି ବହୁଳଭାବେ ବ୍ୟବହୃତ ବି ପ୍ରାୟତଃ ଭୁଲ ଅର୍ଥରେ ଇ ବ୍ୟବହୃତ ହେଉଛି । ବହୁ ସମାଲୋଚକଙ୍କ ଧାରଣା ଯେ ରମ୍ୟରଚନା ଅର୍ଥ ହାସ୍ୟାତ୍ମକ ବା ହାସ୍ୟରସାତ୍ମକ ରଚନା; ମାତ୍ର ଏ ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଏକ ବିଶିଷ୍ଟ ବିଦଗ୍‌ଧ ଲେଖକଙ୍କ ରଚିତ ହାସ୍ୟରସାତ୍ମକ ଗଦ୍ୟ ରଚନାଟିଏ ହୁଏତ ରମ୍ୟରଚନା ହୋଇପାରେ । ମାତ୍ର ରମ୍ୟରଚନା କେବଳ ହାସ୍ୟ ରସାତ୍ମକ ଗଦ୍ୟ ରଚନାମାତ୍ରକୁ ବୁଝାଏ ନାହିଁ । ବରଂ ଏହି ରମ୍ୟ ରଚନାକୁ ରସମୟ ଗଦ୍ୟ ରଚନା ବା ବିଦଗ୍‌ଧ-ଗଦ୍ୟରଚନା ବା ବିଦଗ୍ଧ ପ୍ରବନ୍ଧ ବୋଲି କହିଲେ ଅଧିକ ଅର୍ଥପୂର୍ତ୍ତି ଘଟିବ ।

 

ଇଂରାଜୀରେ ଯାହାକୁ ‘‘ଏସେ’’ କୁହାଯାଏ, ଆମେ ତାକୁ ପ୍ରବନ୍ଧ ବା ନିବନ୍ଧ କହୁଛୁ ଏବଂ ଏହି ପ୍ରବନ୍ଧଟି ‘‘ବିଲାତିଆଳୁ ଚାଷ ସମ୍ପର୍କରେ ବା ପରମାଣୁ ତତ୍ତ୍ୱ ସମ୍ପର୍କରେ ବା କର୍ତ୍ତବ୍ୟ ବିରୋଧ ସମ୍ପର୍କରେ ବା ଅଦ୍ୱୈତବାଦ ଉପରେ ଯେମିତି ଲେଖାଯାଇପାରେ, ସେମିତି ଅଳସୁଆଙ୍କ ସପକ୍ଷରେ ବା ଫୁଲ ସମ୍ପର୍କରେ ବା ନାକ ସମ୍ପର୍କରେ ବା କିପରି ସୁନ୍ଦରଭାବେ ବୁଢ଼ା ହୋଇ ହୁଏ, ସେ ସମ୍ପର୍କରେ ଲେଖାଯାଇପାରେ । କିନ୍ତୁ ଭାଷାରେ ଲିଖିତ ସବୁପ୍ରକାର ପ୍ରବନ୍ଧିକୁ ଆମେ ସାହିତ୍ୟିକ ପ୍ରବନ୍ଧ ବା ଲିଟେରାରୀ ଏସେ ବା ରମ୍ୟରଚନା ମଧ୍ୟ ପାଶ୍ଚାତ୍ୟ ସାହିତ୍ୟ ପରମ୍ପରାରୁ ଆମ ସାହିତ୍ୟକୁ ଆସିଛି । ଏହି ‘ଏସେ’ ବା ରମ୍ୟରଚନାର ଏକ ସାଧାରଣ ସଂଜ୍ଞା ଦେବାକୁ ଯାଇ ଡକ୍ଟର ଜନ୍‌ସନ୍‌ କହନ୍ତି –

 

“ଏସେ ହେଉଛି - ବହୁ ବିଷୟରେ ପ୍ରାଜ୍ଞ ଓ ଅନୁଭବୀ ଲେଖକଟିର ଧୀଶକ୍ତିର ଏକ ହାଲୁକା ହୁଗୁଳା ରମ୍ୟ ଅଭିବ୍ୟକ୍ତ । ଏହାର ବିଷୟବସ୍ତୁ ଓ ବାଚନିକଭଙ୍ଗୀ ଯେପରି ଅନିୟମିତ ଓ ଖିଆଲି । ଏହାର ଶେଷକଥା ମଧ୍ୟ ସେହିପରି ମୀମାଂସାହୀନ ଅଥବା ମୃଦୁ ଉଚ୍ଚାରିତ ଏକ ନମନୀୟ ସିଦ୍ଧାନ୍ତ ହୋଇପାରେ । ଏପରି କି ଗୋଟିଏ ରମ୍ୟରଚନାରେ ପରସ୍ପର ବିରୋଧୀ ବିକଳ୍ପାତ୍ମକ ଅଥବା ବିରୋଧାଭାଷୀ ସିଦ୍ଧାନ୍ତ ବା ମତାମତ ରହିପାରେ ।’’

 

କିନ୍ତୁ ଜନ୍‌ସନ୍‌ଙ୍କର ଏହି ସଂଜ୍ଞାକୁ ସମ୍ପୂର୍ଣ୍ଣଭାବେ ଗ୍ରହଣ କରି ହେବ ନାହିଁ । ଗତ ଶହେବର୍ଷ ଭିତରେ ଏହି ‘‘ଏସେ’’ ରମ୍ୟରଚନା ସାରା ବିଶ୍ୱସାହିତ୍ୟରେ ଏକ ବିଶେଷ ସାହିତ୍ୟିକ କୃତି ରୂପେ ପ୍ରତିଷ୍ଠିତ ହୋଇ ସାରିଲାଣି । ତେଣୁ ସେହି ଭାବରେ ଏହାର ସ୍ୱରୂପ, ସ୍ୱଧର୍ମ । ଓ ଆଭିମୁଖ୍ୟର ପରିସର ମଧ୍ୟ ଖୁବ୍‌ ବ୍ୟାପ୍ତ ହୋଇ ଗଲାଣି ଏବଂ ଏହାର ଆଦର ମଧ୍ୟ ସାରା ବିଶ୍ଵରେ କ୍ରମଶଃ ବଢ଼ି ବଢ଼ି ଚାଲିଛି ।

 

ରମ୍ୟରଚନାର ଏହି ଜନପ୍ରିୟତାର ଅସଲ କାରଣ ହେଲା - ଏଥିରେ ଗୀତିକବିତାର ସ୍ଵାନୁଭୂତ ଆବେଗଧର୍ମୀ ଭାବବିଳାସ ଏବଂ କ୍ଷୁଦ୍ରଗଳ୍ପର କଥନଭଙ୍ଗୀ ସହିତ ନାନା ଜଟିଳ ଓ ଦୁରୂହ ତତ୍ତ୍ଵ ଏବଂ ତଥ୍ୟରାଶିର ନାନ୍ଦନିକ ବିଶ୍ଳେଷଣ ଓ ଉପସ୍ଥାପନା । ଏହି ରମ୍ୟରଚନା ଗୁଡ଼ିକର ସାହିତ୍ୟିକ ଲକ୍ଷ୍ୟ ହେଲା ଜୀବନର ବିଭିନ୍ନ ବିଷୟରେ ପାଠକମନରେ ଏକ ବିଶ୍ଳେଷଣାତ୍ମକ ଓ ମନନାତ୍ମକ ଆଗ୍ରହ ସୃଷ୍ଟି କରିବା - ଏବଂ ସେହି ବିଷୟ ବା ସମସ୍ୟା ବା ତତ୍ତ୍ୱଟି ସହିତ ପାଠକର ଆବେଗାତ୍ମକ ସମ୍ପର୍କଟିଏ ସୃଷ୍ଟି କରିଦେବା; କିନ୍ତୁ ଯେ କୌଣସି ବିଷୟ, ସମସ୍ୟା ବା ତତ୍ତ୍ୱ ହେଉନା କାହିଁକି, ରଚନାଟି ନିଶ୍ଚୟ ରମ୍ୟ ଓ ସୁଖପାଠ୍ୟ ହେବା ଉଚିତ ଏବଂ ତା’ର ରଚନାଶୈଳୀ ନିଶ୍ଚିତ ଭାବେ ବିଦଗ୍‌ଧ ହେବା ଉଚିତ । ରମ୍ୟରଚନାର ଲିଖନଶୈଳୀ ସମ୍ପର୍କରେ କହିବାକୁ ଯାଇ ସବୁ ସମାଲୋଚକ ଗୋଟିଏ ସିଦ୍ଧାନ୍ତ ଦେଇଛନ୍ତି । ତା’ ହେଲା ଯେ କୌଣସି ଲେଖକର ଗଦ୍ୟରଚନାର ପରାକାଷ୍ଠା ପ୍ରମାଣିତ ହେବ ତା’ର ରମ୍ୟରଚନା ଗୁଡ଼ିକରୁ । ଏପରିକି ଗଳ୍ପ ଉପନ୍ୟାସ ବା ନାଟକରୁ ନୁହଁ । ନୁହେଁ ମଧ୍ୟ ବିଷୟଧର୍ମୀ (ଅବ୍‌ଜେକ୍ଟିଭ୍‌) ପ୍ରବନ୍ଧ ଗୁଡ଼ିକରୁ । କାରଣ, ଗଜ ଉପନ୍ୟାସର ଭାଷାଶୈଳୀ ମୁଖ୍ୟତଃ ପାତ୍ରପାତ୍ରୀଙ୍କ ଅନୁସାରୀ ହୋଇଥାଏ, ମାତ୍ର ରମ୍ୟରଚନାର ଭାଷାଶୈଳୀ ଲେଖକର ସ୍ଵହୃଦୟନିଃସୃତ ନିଜସ୍ଵ ହେବାକୁ ବାଧ୍ୟ । ବିଷୟଧର୍ମୀ ପ୍ରବନ୍ଧ ଗୁଡ଼ିକର ଭାଷାଶୈଳୀରେ ତଦ୍‌ତଦ୍‌ବିଷୟକ ପାରିଭାଷିକ ଶବ୍ଦ ଗୁଡ଼ିକ ରହିବା ଆବଶ୍ୟକ ଏବଂ ପ୍ରକାଶଭଙ୍ଗୀରେ ଆଦୌ କବିତାଧର୍ମିତା ରହିବା ଉଚିତ ନୁହେଁ । ବରଂ ବିଷୟଧର୍ମୀ ପ୍ରବନ୍ଧ ଗୁଡ଼ିକର ପ୍ରକାଶଙ୍ଗୀ ଯେତେ ସ୍ପଷ୍ଟ ସରଳ ଯୁକ୍ତିସଙ୍ଗତ ଓ ବୈଜ୍ଞାନିକ ପ୍ରଣାଳୀସମ୍ମତ ହେବ ତାହା ସେତେ ସେତେ ସଫଳତା ଲାଭ କରିବ । କିନ୍ତୁ ରମ୍ୟ ରଚନାର ପ୍ରକାଶଭଙ୍ଗୀ ଠିକ୍‌ ଓଲଟା । ଏଥିରେ କବିତାଧର୍ମୀ ଆବେଗ, ପ୍ରବେଶ, ସମ୍ବେଗାଦି ସମ୍ଭୁତ ଭାଷାଶୈଳୀ ରହିବାକୁ ବାଧ୍ୟ ଏବଂ ଏହାର ପ୍ରକାଶଭଙ୍ଗୀ ଏତେ ସରଳ, ସ୍ପଷ୍ଟ ଓ ଯୁକ୍ତି ସଙ୍ଗତ ହେବାକୁ ବାଧ୍ୟ ନୁହେଁ । କାରଣ ରମ୍ୟରଚନା ବ୍ୟାପାରଟି ହେଲା ବହୁ ଅଂଶରେ ଆତ୍ମନିଷ୍ଠ ଓ ସ୍ୱାବେଗାତ୍ମକ ଅନୁଭୂତି- ପ୍ରସୂତ- ଆଲୋଚନା ।

 

ପ୍ରକାଶଥାଉକି, ଏହି ‘‘ଏସେ’’ ବା ‘‘ରମ୍ୟରଚନା’’ ଆମ ଦେଶରେ ଜନ୍ମ ହୋଇନାହିଁ । ଏହାର ମାତୃଭୂମି ହେଲା ଫ୍ରାନ୍‌ସ, କିନ୍ତୁ ଇଂଲଣ୍ଡରେ ଏହା ଲାଳିତ ହୋଇ ସୁସ୍ଥ ଓ ସବଳ ଭାବରେ ବଢ଼ି ଉଠିଲା ଏବଂ ବର୍ତ୍ତମାନ ଏହା ବିଶ୍ଵବିହାରୀ । ଇଂଲଣ୍ଡରେ ପ୍ରଥମେ ବେକନ୍‌ଙ୍କୁ ଓ ଫ୍ରାନ୍‌ସରେ ମଣ୍ଟାଇନ୍‌ଙ୍କୁ ରମ୍ୟରଚନାର ରାଜା ବୋଲି କୁହାଯାଉଥିଲା । ଅଷ୍ଟାଦଶ ଶତାବ୍ଦୀରେ: ଇଂରେଜୀ ସାହିତ୍ୟରେ ସୁଇଫ୍‌ଟ, ଆଡ଼ିସନ୍‌, ଷ୍ଟିଲ୍‌ ଓ ଗୋଲଡସ୍ମିଥ୍‌ ପ୍ରମୁଖ ଲେଖକବର୍ଗ ଏହି ବିଶେଷ ସାହିତ୍ୟିକ ଫର୍ମଟିକୁ ଖୁବ୍‌ ଜନପ୍ରିୟ କରାଇଦେଲେ । କାରଣ ଏହିମାନେ ହିଁ ପ୍ରଥମ କରି ବହୁ ସାମାଜିକ ସମସ୍ୟାକୁ ନେଇ ହାସ, ପରିହାସ, ବ୍ୟଙ୍ଗ, ବିଦ୍ରୁପ ଓ ବୁଦ୍ଧିଦୀପ୍ତ ବାକ୍‌ବୈଦଗ୍‌ଧ୍ୟ ଦ୍ଵାରା ରମ୍ୟରଚନାର ସ୍ଵରୂପକୁ ଆକର୍ଷଣୀୟ କରାଇ ଦେଲେ, କିନ୍ତୁ ବର୍ତ୍ତମାନ, ରମ୍ୟରଚନା ହୋଇ ଉଠିଲାଣି ବହୁରୂପିଣୀ ଓ ବହୁ ଗୁଣଧାରିଣୀ ଏବଂ ଏହା ମଧ୍ୟ ବର୍ତ୍ତମାନ କେବଳ ସାମାଜିକ ବା ରାଜନୈତିକ ସମସ୍ୟାକୁ ନେଇ ଗତି କରୁନାହିଁ । ମଣିଷର ଯେ କୌଣସି ନୈତିକ, ଆଧ୍ୟାତ୍ମିକ, ମନସ୍ତାତ୍ତ୍ୱିକ ସାହିତ୍ୱିକ ଏବଂ ବ୍ୟବହାରିକ ବିଷୟବସ୍ତୁକୁ ନେଇ ଅସଂଖ୍ୟାସଂଖ୍ୟ ରମ୍ୟରଚନା ପୃଥବୀର ବିଭିନ୍ନ ଭାଷାରେ ବୁଦ୍ଧିଦୀପ୍ତ ସୁରସିକ ପ୍ରାଜ୍ଞ ଲେଖକମାନଙ୍କ ଦ୍ଵାରା ଲେଖାହୋଇ ସାରା ବିଶ୍ଵରେ ବହୁପଠିତ ଓ ବହୁଆଦୃତ ହୋଇ ଉଠିଲାଣି ।

 

ରମ୍ୟରଚନାର ଗୁଣକର୍ମ :

ଏହି ‘‘ଏସେ’’ ବା ରମ୍ୟରଚନାର ବିଶେଷ ଧର୍ମଟି ହେଲା - ଏଥିରେ ଲେଖକର ବିଷୟବସ୍ତୁ । ସାଙ୍ଗରେ ଏବଂ ପାଠକ ସାଙ୍ଗରେ ଘନିଷ୍ଠ ସମ୍ପୃକ୍ତ ରହିବ ଏବଂ ଆପଣା ବ୍ୟକ୍ତିତ୍ଵର ମାଧୁର୍ଯ୍ୟ ଓ ଐଶ୍ଵର୍ଯ୍ୟ ଗୁଣ ଏଥି ଭିତରେ ମୁକ୍ତ ଭାବରେ ଲାଭ କରିବ । ଲେଖକର ଜ୍ଞାନାଶ୍ରୟୀ ତଥ୍ୟ ବା ତତ୍ତ୍ୱ ଉପସ୍ଥାପନା ସଙ୍ଗେ ତା’ ନିଜ ପ୍ରକୃତିରେ ନିହିତ ତା’ର ନିଜସ୍ଵ କିଛି କିଛି ଖାମ୍‌ଖ୍ଆଲୀ ଢଙ୍ଗ (ଇଡ଼ିଓ ସିନ୍‌କ୍ରେସି) ମଧ୍ୟ ରହିବା ଉଚିତ । ଏହି ଖାମ୍‌ଖିଆଲି ଢଙ୍ଗଟି ରମ୍ୟରଚକର ଭାଷା ଶୈଳୀକୁ ରସ-ମାଧୁର୍ଯ୍ୟ ଯୋଗାଇଥାଏ ଏବଂ ସମଗ୍ର ରଚନାଟିରେ ଏକ ସ୍ଫୁର୍ତ୍ତି ଭାବ ସୃଷ୍ଟି କରିଥାଏ । ଚିତ୍ତଚମତ୍କାରିତା ମଧ୍ୟ ସୃଷ୍ଟି କରିଥାଏ ।

 

ଏ କଥା ମଧ୍ୟ ଠିକ୍‌ ଯେ ରମ୍ୟରଚନାରେ କଥିତବ୍ୟ ବିଷୟବସ୍ତୁଟି ଆଦୌ ବଡ଼ କଥା ନୁହେଁ । ବଡ଼ କଥା ହେଲା - ତା’ର ରଚନାଶୈଳୀ । ତା’ର ବାଚନଭଙ୍ଗୀର ଆକର୍ଷଣୀୟ ବିଶେଷତ୍ୱ-। ତା’ର ତିଳକୁ ତାଳ ଓ ତାଳକୁ ତିଳ କରିପାରିବାର ରମଣୀୟ ଦକ୍ଷତା - ତା’ର ଆବେଗସମୃଦ୍ଧ ଅଥଚ ସଂଯତ ସୁନ୍ଦର ରସିକ ପ୍ରଗଳ୍‌ଭତା ଓ ପାଠକ ସହିତ ଭାବ ଘେନାଘେନି ଲାଗି ଆନ୍ତରିକ ବ୍ୟାକୁଳତା । ମାଥିଉ ଆର୍‌ନୋଲ୍‌ଡଙ୍କର ନାଗରସୁଲଭ ବାକ୍‌ବୈଦଗ୍‌ଧ୍ୟ ତାଙ୍କର ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ବଳିତ ରଚନାଗୁଡ଼ିକୁ ମଧ୍ୟ ବ୍ୟକ୍ତିଗତ ସମ୍ପର୍କରେ ସୌରଭରେ ସୁରଭିତ କରିଦେଇଛି । ଥମାସ୍‌ ହକସିଲ୍‌ ବିଜ୍ଞାନ, ଶିକ୍ଷା ଓ ପ୍ରୟୋଗ ବିଜ୍ଞାନାଦିକୁ ନେଇ ରଚନାମାନ ଲେଖିଛନ୍ତି । ମାତ୍ର ତାଙ୍କର ପ୍ରକାଶଭଙ୍ଗୀରେ ଏପରି ଏକ ଧରଣର ବ୍ୟକ୍ତିତ୍ୱ- ସଂଜାତ- ସରସତା ରହିଛି - ଯାହା ଯୋଗୁଁ ସେ ପାଠକ ପାଠିକାଙ୍କ ନିକଟରେ ଏତେ ପ୍ରିୟ । ବାର୍ଟାଣ୍ଡ ରସେଲ୍‌ଙ୍କର ବହୁ ପ୍ରବନ୍ଧର ବିଷୟବସ୍ତୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କର ପ୍ରକାଶଭଙ୍ଗୀ ଖୁବ୍‌ ଯୁକ୍ତିସଙ୍ଗତ ଓ ତର୍କସମ୍ମତ - ମାତ୍ର ତାଙ୍କର । ଭାଷାଶୈଳୀଟି ଏତେ ସହଜ, ସରଳ ଓ ଆନ୍ତରିକତାମୟ ଓ ରସିକତାପୂର୍ଣ୍ଣ ଯେ, ତାଙ୍କ ରଚନାଗୁଡ଼ିକୁ ପଢ଼ିଲାବେଳେ, ଆମେ ସତେକି ରସେଲ୍‌ଙ୍କ ଅନ୍ତର ସହିତ ଘନିଷ୍ଠ ଭାବେ ସଂଯୁକ୍ତ ହୋଇଯାଉ । ସେହିପରି ହାଜ୍‌ଲିଟ୍‌, ଚେଷ୍ଟରଟନ୍‌, ଆଲଡସ୍‌ ହକ୍‌ସିଲ ଓ ଚାର୍ଲସଲାମ୍ବଙ୍କ ରଚନାଗୁଡ଼ିକ ମଧ୍ୟ ।

 

ଆମ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧ ଔପନ୍ୟାସିକ ଗୋପୀନାଥ ମହାନ୍ତି ତାଙ୍କର ‘‘କଳାଶକ୍ତି’’ ନାମ ରମ୍ୟରଚନା ପୁସ୍ତକର ମୁଖବନ୍ଧରେ ନିଜର ରଚନା ଗୁଡ଼ିକର ଧର୍ମ ସମ୍ପର୍କରେ ଯାହା ଲେଖିଛନ୍ତି - ତାହା ସାଧାରଣ ଭାବେ ସବୁ ରମ୍ୟରଚନାର ସ୍ଵରୁପ ଓ ସ୍ଵଧର୍ମକୁ ବ୍ୟକ୍ତ କରୁଛି । ଗୋପୀନାଥ କହନ୍ତି –

 

‘‘ବିଂଶ ଶତାବ୍ଦୀରେ ବିଶେଷତଃ ପ୍ରଥମ ମହାଯୁଦ୍ଧ ପରେ ଇଂରେଜୀରେ ଆଧୁନିକ ପ୍ରବନ୍ଧର ବହୁତ ଅଭିବୃଦ୍ଧି ଘଟିଥାଏ । ସେସବୁ ପ୍ରବନ୍ଧମାନଙ୍କର ଦୃଷ୍ଟି ଅତି ଗଭୀର । ବିଶ୍ଳେଷଣ ଅତି ଉନ୍ନତ ଓ ବୌଦ୍ଧିକ - କିନ୍ତୁ ତହିଁରେ ଢମ ନ ଥାଏ, ଆଡ଼ମ୍ବର ନ ଥାଏ । ଗୁରୁ ଗମ୍ଭୀର ଠାଣି ନ ଥାଏ । ଦାନ୍ତ ଚିପା ନ ଥାଏ । ଡୋଳାଖୋଷା/ଭ୍ରୂଲତାଟେକା ନ ଥାଏ । ଅନ୍ତରଙ୍ଗ ବନ୍ଧୁଟିଏ ବାଜେକଥା ଗପିଲାପରି ପ୍ରବନ୍ଧଟିଏ ସେହିଭଳି କଥା ଗପିଯାଏ । ହସି ହସାଇ, କାନ୍ଦି କନ୍ଦାଇ, ତାଆରି ଭିତରୁ ଆପେ ବାହାରି ପଡ଼େ ପଗପଗକେ ପ୍ରବନ୍ଧଟିର ବକ୍ତବ୍ୟ । ଲେଖକ ପାଠକ ଏକା ସାଙ୍ଗକେ ତତ୍ତ୍ୱ ଖୋଜନ୍ତି । ଦୁହେଁ ପାଆନ୍ତି ଆବିଷ୍କାର ସୁଲଭ କୁତୂହଳ ଓ ଆନନ୍ଦ-ଦିହେଁ ସାଙ୍ଗ ହୋଇ ଏକଇ ସିଦ୍ଧାନ୍ତରେ ପହୁଁଚନ୍ତି - ପୁଣି ଏକାଠି ଚାଲିଯାଆନ୍ତି ଆଉ କଥା ଖୋଜିବା ପାଇଁ - ଯାହା ଅନ୍ୟଥା ହୁଅନ୍ତା ଦାନ୍ତଭଙ୍ଗା ଶୁଖିଲା ଆଲୋଚନା । ଓଡ଼ିଆରେ ସେଭଳି ତାତ୍ତ୍ୱିକ ବିଷୟକୁ ଏହି ‘‘କିଛି ନୁହେଁ’’ ସରସ-ସରଳ ଉପାୟରେ ଆଲୋଚନା କରିବାକୁ ମନ ହେବାରୁ ତା’ ପାଇଁ ନୂଆଶୈଳୀ ଖଞ୍ଜି ଏ ପ୍ରବନ୍ଧଗୁଡ଼ିକ ଲେଖିଥିଲି ।’’

 

ରମ୍ୟରଚନାରେ ତାତ୍ତ୍ଵିକ ବିଶ୍ଳେଷଣ ରହିପାରେ ଓ ସେଥିପାଇଁ କେବଳ ପାରମ୍ପାରିକ ଶାସ୍ତ୍ରୀୟ ସାଧୁଭାଷା ଅପରିହାର୍ଯ୍ୟ ନୁହେଁ - ବରଂ ଏ କ୍ଷେତ୍ରରେ ଲେଖକର ମୌଳିକ ଓ ସୃଜନାତ୍ମକ ଭାଷା ହିଁ ଅଧିକ ଉପଯୁକ୍ତ - ଏ ସମ୍ବନ୍ଧେ ମତବ୍ୟକ୍ତ କରିବାକୁ ଯାଇ ଗୋପୀନାଥ ପୁନଶ୍ଚ ସେହି ଭୁମିକାରେ କହିଛନ୍ତି –

 

‘‘ଏହିସବୁ ପ୍ରବନ୍ଧରେ ତାତ୍ତ୍ୱିକ ବିଶ୍ଳେଷଣ ଛଡ଼ା, ଚିତ୍ର ସୃଷ୍ଟି, ଚିତ୍ର ମାଧ୍ୟରେ ଭାବଗୁଡ଼ିକର ଅଭିବ୍ୟକ୍ତି । ରସସୃଷ୍ଟି, କିଞ୍ଚିତ୍‌ ଚରିତ୍ରଚିତ୍ରଣ ମଧ୍ୟ ଉଦ୍ୟମ କରାଯାଇଥିଲା । ନୂତନ ଶୈଳୀଛଡ଼ା ଓଡ଼ିଆ ଭାଷାରେ କିଛି ନୂତନ ପ୍ରୟୋଗ ମଧ୍ୟ ପ୍ରବନ୍ଧମାନଙ୍କର ଆଭିମୁଖ୍ୟ ଥିଲା । ତା’ ପୂର୍ବରୁ ସାଧାରଣତଃ ଗତାନୁଗତିକ ପନ୍ଥା ଥିଲା ଯେ ସଂସ୍କୃତିମୟ ଭାଷା ଓ ପ୍ରୟୋଗ ହି ତାତ୍ତ୍ୱିକ ବିଶ୍ଳେଷଣ ପାଇଁ ଏକମାତ୍ର ପନ୍ଥା । ଏ ନୂଆ ଉଦ୍ୟମର ଉଦ୍ଦେଶ୍ୟ ଥିଲା ଜୀଅନ୍ତା କଞ୍ଚା କଥିତ ଭାଷାରେ ଚିହ୍ନା ଅନୁଭୁତିର ସାହାଯ୍ୟ ନେଇ ଭାବପ୍ରକାଶ କରିବା ଓ ସେଥିପାଇଁ ଭାଷାରେ ନୂଆ ନୂଆ ପ୍ରୟୋଗ ତିଆରି କରିଦେବା ।’’

 

ଗୋପୀନାଥଙ୍କର ଏହି ବକ୍ତବ୍ୟ ଦୁଇଟିରୁ ସ୍ପଷ୍ଟ ସୂଚିତ ହେଉଛି ଯେ ରମ୍ୟରଚନା ଭିତରେ କବିତା ସଦୃଶ ଚିତ୍ରକଳ୍ପ ଓ ବିଭିନ୍ନ ରସ ରହିପାରେ । ଏହା ବୀରରସାନୁକୂଳ ଉଦ୍‌ବୋଧନ ମୂଳକ ବିଶିଷ୍ଟ ବ୍ୟକ୍ତିଙ୍କର ବକ୍ତୃତାଟିଏ ହୋଇପାରେ - ଅଥବା ଜଣେ ଭାବପ୍ରବଣ ବ୍ୟକ୍ତିଗତ କାହାର ମୃତ୍ୟୁରେ ଏକ କରୁଣ ରସାତ୍ମକ ବିଳାପ ମଧ୍ୟ ହୋଇପାରେ ଏବଂ ହୋଇପାରେ ମଧ୍ୟ କୌଣସି କିଛିକୁ ନେଇ କିଛି ହାସ-ପରିହାସ ବା ବ୍ୟଙ୍ଗ ବିଦ୍ରୁପ; କିନ୍ତୁ ସେ ଯାହାହେଉ ପଛେ ରମ୍ୟରଚନା ଭିତରେ ଲେଖକ ଓ ପାଠକ ଭିତରେ ଦୂରତ୍ୱ ରହିବ ନାହିଁ - ଉଚ୍ଚ ନୀଚ ପାହାଚର ସ୍ଥିତି ରହିବ ନାହିଁ-। ରମ୍ୟରଚନା ଯେତେ ମନନଶୀଳ ହେଲେ ହେଉ - ମନା ନାହିଁ; କିନ୍ତୁ ଏହା ପ୍ରାଣବନ୍ତ ହେବା ଚାହି ଏବଂ ସେହି ପ୍ରାଣବାୟୁ ମଧ୍ୟରେ ହିଁ ପାଠକ ଭିତରକୁ ପ୍ରବେଶ କରିବା ଚାହି । ଲେଖକର ଚିଦାକାଶ ଓ ପାଠକର ଚିଦାକାଶ ଭିତରେ ଉଭୟଙ୍କର ପ୍ରାଣବାୟୁ ଏକ ହୋଇ କେବେ ସେ ଦିଗରୁ ଏ ଦିଗକୁ ପ୍ରବାହିତ ହେଉଥବା ଚାହି । ତା’ ନ ହେଲେ - ରମ୍ୟରଚନା ରମ୍ୟ ହୋଇ ପାରିବ ନାହିଁ - କେବଳ ରଚନା ହୋଇ ରହିଯିବ ।

 

ବର୍ତ୍ତମାନ ଆମ ସାହିତ୍ୟରେ ବିଶିଷ୍ଟ କଥାକାର ଓ ରମ୍ୟରଚନାସ୍ରଷ୍ଟା ଚନ୍ଦ୍ରଶେଖର ରଥ ତାଙ୍କର ‘‘ମନ ଅରଣ୍ୟ’’ ରଚନା ସଙ୍କଳନର ମୁଖବନ୍ଧରେ ରମ୍ୟରଚନା ସମ୍ପର୍କରେ କ’ଣ କହୁଛନ୍ତି ଦେଖାଯାଉ –

 

‘‘ମନ ରଞ୍ଜେଇବା ଏହାର ଉଦ୍ଦେଶ୍ୟ ନୁହେଁ - ଆଉ ମଧ୍ୟ ଉଦ୍ଦେଶ୍ୟ ନୁହେଁ, ଭାରି ଗମ୍ଭୀର ମୁଦ୍ରାରେ ନାକ ଆଖି ଚିପି କେବଳ ପ୍ରଣବ ମାଧ୍ୟମରେ ପାଠକକୁ ନିଚ୍ଛକ ଜ୍ଞାନ ‘‘ପିଆଇବା’ ବର୍ଟାଣ୍ଡ ରସେଲଙ୍କ ଭଳି ବହୁ ଜ୍ଞାନୀ ଲୋକଙ୍କୁ ଆଖି ମିଟିକା ମାରି ବେଶ୍‌ବଡ଼ ବଡ଼ କଥା କହିବାର ଯେ ଶୁଣୁଛି, ତା’ର ବଳେବଳେ ବିଶ୍ଵାସ ଜମିଯିବ ଯେ ଜ୍ଞାନ ପାଇଁ ଏତେ ଗମ୍ଭୀର ମୁଦ୍ରାର ପ୍ରୟୋଜନ ନାହିଁ ପରା । ଅତଏବ ନିଷ୍ଠାର ସହିତ ଜୀବନର ବିଭିନ୍ନ ବିଭାବକ୍ତ ମିଞ୍ଜେଇ ଅନୁଭବ କଲାବେଳେ-। ଯଦି କେତେବେଳେ କିଛି (ତତ୍ତ୍ଵ ଫତ୍ତ୍ଵ) ଦିଶିଗଲା - ତେବେ ତାକୁ ନିଜ ଭଙ୍ଗୀରେ ରଚନାଟିଏ ଭିତରେ ପ୍ରକାଶ କରିଦେଲେ ତାକୁ ରମ୍ୟରଚନା କହିବ ତ କୁହ ।’’

 

ରମ୍ୟରଚନାରେ ଲେଖକର ବିଷୟ ସହିତ ସମ୍ପୃକ୍ତ ଓ ପ୍ରାଣପ୍ରତିଷ୍ଠା ସମ୍ପର୍କରେ ଚନ୍ଦ୍ରଶେଖର ପୁନଶ୍ଚ କହନ୍ତି –

 

ନିଜକୁ ବିଷୟ ସହିତ ସଂଶ୍ଳିଷ୍ଟ ନ କଲା ପର୍ଯ୍ୟନ୍ତ ତା ଭିତରେ ନିଜ ପ୍ରାଣର ପ୍ରତିଷ୍ଠା ନ କଲା ପର୍ଯ୍ୟନ୍ତ ସେ କ’ଣ କେବେ ପ୍ରାଣବନ୍ତ ହୁଏ ? ସେ ସମ୍ପୂର୍ଣ୍ଣ ନୈବେକ୍ତିକ ଅସଂପୃକ୍ତ ଦ୍ରଷ୍ଟା, ସେ ଅବିକ୍ରିୟ; ନିଜକୁ ପ୍ରକାଶ କରିବାର ଜ୍ଵାଳାରୁ ମୁକ୍ତ । ଏଣୁ ସେପରି ‘‘ବ୍ରହ୍ମ’’ ହୋଇ ଯାଇଥିବା ବ୍ରହ୍ମବିଦ୍‌କୁ ନେଇ ସାହିତ୍ୟ ବିଚରା କ’ଣ କରିବ ?’’

 

ରମ୍ୟରଚନାର ସର୍ବାଧିକାରୀପଣ ଓ ଉଦାର ବିଶାଳ ବିଚିତ୍ର ପରିସର ଓ ସୀମା ସମ୍ପର୍କରେ ଚନ୍ଦ୍ରଶେଖର ସ୍ପଷ୍ଟ ଭାବେ କହୁଛନ୍ତି –

 

‘‘ରମ୍ୟ ରଚନାରେ କବିତାର ପ୍ରାଣ, ତା’ର ଆଙ୍ଗିକ, ଭାଷା ଓ ଭଙ୍ଗୀ, ଗଳ୍ପର ରଞ୍ଜକତା ଓ ଚାତୁରୀ, ପ୍ରବନ୍ଧର ବୌଦ୍ଧିକତା, ଶାଣିତ ଚିନ୍ତାର ଦୀପ୍ତି ସମୟ ସମୟରେ ନାଟକର ଛଟା ଏବଂ ସଂଳାପ ଥିଲେ ମଧ୍ୟ ଏହା ଏ ସମସ୍ତ ଠାରୁ ଭିନ୍ନ - ନିଜ ଗୋଡ଼ରେ ନିଜେ ଠିଆ ହେଲାଭଳି ଏକ ସ୍ୱତନ୍ତ୍ର ସାହିତ୍ୟିକ ଅଭିବ୍ୟକ୍ତି !

 

ଶ୍ରୀଯୁକ୍ତ ରଥଙ୍କ ମତରେ ଆମେ ଆଉ ବର୍ତ୍ତମାନ ରମ୍ୟରଚନାକୁ ତତ୍‌କାଳୀନ ପାଶ୍ଚାତ୍ୟ ଦେଶୀୟ ‘‘ବେଲ୍‌ସ ଲେଟରର ଏକଦେଶୈ ଅନୁକରଣ ମାତ୍ର’’ ବୋଲି କହି ପାରିବୁ ନାହିଁ । କାରଣ ସେମିତି ପାରିଲା ହାତରେ ପଡ଼ିଲେ, ‘‘ରମ୍ୟଚଚନା’’ କି ଅଦ୍‌ଭୁତ ସାଧନ କରିପାରେ ସ୍ୱୟଂ ଇଂରାଜୀ ସାହିତ୍ୟ ମଧ୍ୟ ତା’ର ଯଥେଷ୍ଟ ପ୍ରମାଣ ଦେଇ ସାରିଛି ।

 

ଶ୍ରୀଯୁକ୍ତ ରଥକ ମତରେ ଆମେ ଆଉ ବର୍ତ୍ତମାନ ରମ୍ୟରଚନାକୁ ତତ୍‌କାଳୀନ ପାଶ୍ଚାତ୍ୟ ଦେଶୀୟ ‘‘ବେଲ୍‌ସ ଲେଟରର ଏକଦେଶିଆ ଅନୁକରଣ ମାତ୍ର’’ ବୋଲି କହି ପାରିବୁ ନାହିଁ । କାରଣ ସେମିତି ପାରିଲା ହାତରେ ପଡ଼ିଲା ‘‘ରମ୍ୟ ରଚନା’’ କି ଅଦ୍‍ଭୂତ ସାଧନ କରିପାରେ ସ୍ୱୟଂ ଇଂରାଜୀ ସାହିତ୍ୟ ମଧ୍ୟ ତା’ର ଯଥେଷ୍ଟ ପ୍ରମାଣ ଦେଇ ସାରିଛନ୍ତି ।

 

ଆମ ସାହିତ୍ୟରେ ସ୍ୱୟଂ ଚନ୍ଦ୍ରଶେଖର ମଧ୍ୟତା’ର ପ୍ରମାଣ ଦେଇ ସାରିଛନ୍ତି ।

 

ମୁକ୍ତ ଆଙ୍ଗିକ (ଓପନ୍‌ ଫର୍ମ)

ତେଣୁ ରମ୍ୟରଚନାକୁ କେହି କେହି ଏତେଦୂର ସ୍ଵାଧୀନତା ଦେଲେଣି ଯେ ତାକୁ କହିଲେଣି - ଏହା ଏକ ‘‘ମୁକ୍ତ ଆଙ୍ଗିକ’’ (ଓପନ୍‌ଫର୍ମ) । ଆଲଫ୍ରେଡ଼୍‌ କଜିନ୍‌ ତାଙ୍କର ବିଖ୍ୟାତ ମାର୍କିନ ରମ୍ୟରଚନା ସଙ୍କଳନର ନାମ ଦେଇଛନ୍ତି ‘‘ଦି ଓପନ୍‌ଫର୍ମ’’ । ଏହି ସଙ୍କଳନଟିରେ ଓପନ୍ୟାସିକ ଡି.ଏଇଚ୍‌ ଲରେନ୍‌ସଙ୍କ ଲିଖିତ ‘‘ଉପନ୍ୟାସର କ’ଣ ଦରକାର ?’’ (ହ୍ଵାଇ ଦି’ ନଭେଲ୍‌ ମାଟରସ୍‌) ପ୍ରବନ୍ଧ ପ୍ରାଲ୍‌ଫ୍ରେଡ୍‌ କଜିନ୍‌ଙ୍କର ‘ମବିଡିକ୍‌’ ଉପନ୍ୟାସର ବିଦଗ୍‌ଧ ସମାଲୋଚନା, ଲରେନ୍‌ ଆଇଜିଲ୍‌ଙ୍କ ‘ଦୁଇ ସଂସ୍କୃତିର ମାୟା’ (ଇଲ୍ୟୁଜନ୍‌ ଅଫ୍‌ ଟୁ କଲ୍‌ଚର୍‌ସ) ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କର ଡନ୍‌କାର୍କ ଆଲାନବୁଲ୍‌କଙ୍କର ‘‘ଏକଛତ୍ର ବାଦୀ’’ (ଦି ଡିକ୍ଟେଟର) ଜର୍ଜ ଅରଞ୍ଜେଲଙ୍କର “ଏ ହାଙ୍ଗିଙ୍ଗ’’ ଇ. ଏମ୍‌.ଫୋରଷ୍ଟଙ୍କର ‘‘ମୁଁ ଯାହା ବିଶ୍ଵାସ କରେ’’ (ହ୍ଵାଟ ଆଇ ବିଲିଭ୍‌) ଏବଂ ଏଦାଦୃଶ ବହୁ ବିଶିଷ୍ଟ ଲେଖକଙ୍କ ଦ୍ଵାରା ଲିଖିତ ବହୁବିଧ, ବହୁ ବିଷୟକ ଓ ବହୁ ବିଚିତ୍ର ଭଙ୍ଗୀରେ ଲିଖିତ ଅଠେଇଶିଟି ଗଦ୍ୟରଚନା ସନ୍ନିବିଷ୍ଟ ହୋଇଛି ଏବଂ ଏହି ବିଖ୍ୟାତ ସଙ୍କଳନର ଭୁମିକାରେ ସ୍ଵୟଂ ଆଲ୍‌ଫେଡ୍‌ କଜିନ୍‌ ପ୍ରବନ୍ଧ ଓ ରମ୍ୟରଚନାର ସଂଜ୍ଞା ବା ଧର୍ମ ସମ୍ବନ୍ଧେ ଆଲୋଚନା କରି କହିଛନ୍ତି –

 

‘‘କୌଣସି ଜୀବନଧର୍ମୀ ପ୍ରାଜ୍ଞ ଅଧ୍ୟାପକଙ୍କର ବା ଜଣେ ଆନ୍ତରିକ ଦେଶସେବକଙ୍କର ଜ୍ଞାନ ବିବେଚନାପୂର୍ଣ୍ଣ ଅଭିଭାଷଣଠାରୁ ଆରମ୍ଭ କରି, ଜଣେ ଦେଶକାଳପାତ୍ର ସଚେତନ ବିଜ୍ଞ ସାମ୍ବାଦିକଙ୍କର ଖବର କାଗଜରେ ସ୍ତମ୍ଭଲେଖ ପର୍ଯ୍ୟନ୍ତ କିମ୍ବା ଜଣେ -ବିଶେଷ ଅନୁଭୂତିଶୀଳ କବିଙ୍କର ଏକ ସୁନ୍ଦର ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନାଠାରୁ ଆରମ୍ଭ କରି - ଏକ ବିଶେଷ ସାମାଜିକ, ନୈତିକ, ରାଜନୈତିକ, ଦାର୍ଶନିକ ଓ ମାନବୀୟ ଅଥବା ନାନ୍ଦନିକ ସମସ୍ୟା ବା ମୂଲ୍ୟ ଉପରେ ଗଭୀର ବ୍ୟକ୍ତିଗତ ଆଲୋଚନା ଅଥବା ସ୍ଵଗତୋକ୍ତି ଅଥବା ବିଶ୍ଳେଷଣାତ୍ମକ ଉପସ୍ଥାପନାକୁ ଆମେ ଏକାଠି ଗୋଟିଏ ସଙ୍କୀର୍ଣ୍ଣ ସଂଜ୍ଞାର ସୀମାଭୁକ୍ତ କରି ଦେଇ ପାରିବା ନାହିଁ । ଏଗୁଡ଼ିକ ସବୁକୁ ଆମେ ‘‘ଏସେ’’ କହିବା - ଏବଂ ମୁକ୍ତ ଆଙ୍ଗିକ ବୋଲି କହିବା ସବୁଠାରୁ ସମୀଚିନ ହେବ । .ଏହି ରଚନାଗୁଡ଼ିକର ସାହିତ୍ୟିକ ମୂଲ୍ୟ ନିର୍ଭର କରେ - ଏ ଗୁଡ଼ିକର କେତେଦୂର ଲେଖକଙ୍କର ବ୍ୟକ୍ତିଗତ ବିଚାରଧାରା ଓ ସ୍ଵକୀୟ ପ୍ରକାଶଭଙ୍ଗୀ ରହିଛି ତା’ ଉପରେ - ଏବଂ ପାଠକମାନଙ୍କ ଚିତ୍ତରେ ଜୀବନ ଓ ସମାଜର ସମସ୍ୟା ଗୁଡ଼ିକ ପ୍ରତି ବୌଦ୍ଧିକ ଆଗ୍ରହ ସୃଷ୍ଟି କରୁଛନ୍ତି - ତାହା ଉପରେ । .ଏହି ରଚନା ଗୁଡ଼ିକର ଆଙ୍ଗିକ କିପରି ହେବ - କେଉଁ ରଚନାଶୈଳୀରେ ଏ ଗୁଡ଼ିକ ପ୍ରକାଶିତ ହେବ - ତାହା ନିର୍ଭର କରିବ ଲେଖାଟିର ବିଷୟବସ୍ତୁ ଉପରେ ଓ ବିଷୟବସ୍ତୁ ପ୍ରତି ଲେଖକର ମନୋଭାବ ଓ ଦୃଷ୍ଟିଭଙ୍ଗୀ ଉପରେ - ଏବଂ ଶେଷରେ ଲେଖକର ସ୍ଵକୀୟ ବ୍ୟକ୍ତିତ୍ଵଟି ଉପରେ । .ଏହିସବୁ କାରଣରୁ ତେଣୁ - ଆମେ ଏହି ରଚନା ଗୁଡ଼ିକ ପାଇଁ ଏକ ସ୍ଵତନ୍ତ୍ର ନିର୍ଦ୍ଧିଷ୍ଟ ଆଙ୍ଗିକ, ରଚନାଶୈଳୀ ବା ବିଷୟବସ୍ତୁର ପର୍ଯ୍ୟାୟ ଠିକ୍‌ କରିଦେଇ ପାରିବା ନାହିଁ । ଯେ, ଯାହା, ଯୋଉ ବିଷୟରେ ରଚନାଟିଏ ଲେଖନ୍ତୁନା କାହିଁକି, ଆମେ ତା’ ଭିତରେ ଲେଖକଙ୍କର ନିଜସ୍ଵ ସ୍ଵରଟିଏ ଶୁଣିବାକୁ ଚାହିଁବୁ । ବାସ୍‌ ସେତିକି । ଏବଂ ଆଉ ସବୁ ପାଇଁ ଏହି ରଚନା ଗୋଟିଏ ମୁକ୍ତ ଆଙ୍ଗିକ ।

 

ଆଲ୍‌ଫ୍ରେଡ୍‌ କଜିନ୍‌ଙ୍କର ଏହି ରୂପ ମନ୍ତବ୍ୟକୁ ସମର୍ଥନ କରି ବିଶିଷ୍ଟ ରମ୍ୟରଚକ ଶ୍ରୀ ଚନ୍ଦ୍ରଶେଖର ରଥ ତାଙ୍କର ‘‘ଦୃଷ୍ଟି ଓ ଦର୍ଶନ’’ ରମ୍ୟ ରଚନା ସଙ୍କଳନର ଭୂମିକାରେ ଖୋଲାଖୋଲି ଭାଷାରେ କହିଛନ୍ତି –

 

‘‘ବାନ୍ଧିଛନ୍ଦି ହେବା ଗୋଟାଏ ଅସ୍ଵସ୍ତିକର ଅବସ୍ଥା । ଏଣୁ ସମସ୍ତ ବର୍ଗୀକରଣକୁ ଭୁଲିଯାଇ ଏବେ ଇଂରାଜୀରେ ଗୋଟାଏ ଖୋଲାରୂପ ଗୃହୀତ ହୋଇଗଲାଣି । ତାକୁ ସେମାନେ ‘‘ଓପ୍ନଫର୍ମ’’ ବୋଲି କହୁଛନ୍ତି । ଏଇଟା ସାହିତ୍ୟିକ ସ୍ଵେଚ୍ଛାଚାର ନୁହେଁ ବା ଉଦ୍ଦେଶ୍ୟହୀନ ବିଦ୍ରୋହ ମଧ୍ୟ ନୁହେଁ । କୌଣସି ଗୋଟିଏ ବର୍ଗରେ ଆବଦ୍ଧ ନ ରହି ଆଉ ଟିକିଏ ବିସ୍ତୃତ ହୋଇଗଲେ, ଟିକିଏ ସ୍ଵାଧୀନ ହୋଇଗଲେ ଦେଖାଯାଉଛି ଯେ କ୍ଷୁଦ୍ରଶିଳ୍ପ ଓ ପ୍ରବନ୍ଧ ମିଶିଯାଇ ବେଶ୍‌ ଗୋଟାଏ ନୂଆ ପ୍ରଦେଶ ଗଠନ କରି ପାରୁଛନ୍ତି । ସେଥିରେ ନାଟକ ପାଇଁ ବାସନ୍ଦ ନାହିଁ ବା କବିତା ପାଇଁ କଟକଣା ନାହିଁ । ସମସ୍ତଙ୍କୁ ଭିଡ଼ିଆଣି ଜବରଦସ୍ତି କାଠବିଡ଼ା ପରି ବାନ୍ଧିବାର ପ୍ରୟାସ ଏଥିରେ ନାହିଁ । ସମସ୍ତଙ୍କର ସ୍ଵତନ୍ତ୍ର ମୂଳରକ୍ଷା କରି କେବଳ ଛନ୍ଦାଛନ୍ଦି ଶାଖାପତ୍ରରେ ଗୋଟିଏ ସବୁଜ ଉପନିବେଶ ମଧ୍ୟ ଏହା ନୁହେଁ । ଏଇଟା ବରଂ ମଞ୍ଜି ମଞ୍ଜି ମିଶି, ବର୍ଣ୍ଣରୂପ ମିଶି ନୂଆ ଗୋଟିଏ ଉଦ୍‌ଭିଦ । ତା’ର ଚେର ଭୂଇଁ ଛୁଇଁ ଗଲାଣି । ତା’ର କେବଳ ନାମକରଣ ହେବା ବାକି ଅଛି - ନିୟମିତ ବର୍ଗୀକରଣ ହେବା ବାକି ଅଛି ।’’

 

ଶ୍ରୀ ରଥ ଏହି ପ୍ରକାରର ସୃଜନଶୀଳ ଗଦ୍ୟରଚନାକୁ ‘‘ରମ୍ୟରଚନା’’ ଆଖ୍ୟା ଦେଇ ନାହାନ୍ତି - କିନ୍ତୁ ଏହାର ବର୍ଗୀକରଣ କେମିତି କେମିତି କୋଉପ୍ରକାରେ ହୋଇ ପାରିବ - ସେ ସମ୍ବନ୍ଧେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇ ନାହାନ୍ତି । କିନ୍ତୁ ମଜାର କଥା ହେଲା - ଶ୍ରୀ ରଥ ଏହି ଧରଣର ରଚନା ସମ୍ପର୍କରେ ନିଜେ ଯାହା ମନ୍ତବ୍ୟ ଦେଇଛନ୍ତି - ସେଥିରୁ ଏହାକୁ ‘‘ରମ୍ୟ ରଚନା’’ କହିବାର ଅଧିକ ଯୁକ୍ତିସଙ୍ଗତ ହେବ - ଯଦିଓ ଏହାର ବର୍ଗୀକରଣ ବ୍ୟାପାରଟି ଗୋଟିଏ ଲମ୍ବ ପ୍ରସ୍ଥ ସମାନ ଥିବା ଗୋଟିଏ ବର୍ଗକ୍ଷେତ୍ର ଭିତରେ ଆବଦ୍ଧ ରହି ନ ପାରେ । ଆମେ ଏ ବିଷୟରେ ଟିକିଏ ପରେ ଅଧିକ ଆଲୋଚନା କରିବା । ତା’ ପୁର୍ବରୁ ୧୯୫୧ ମସିହାରେ ପେଲିକାନ୍‌ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ଏବଂ ଡବଲିଉ. ଇ. ଉଇଲିୟମସ୍‌ଙ୍କ ଦ୍ଵାରା ସଙ୍କଳିତ ‘‘ଏ ବୁକ୍‌ ଅଫ୍‌ ଇଂଲିଶ୍‌ ଏସେ’’ ନାମକ ବିଖ୍ୟାତ ରମ୍ୟ ରଚନା ‘‘ସଙ୍କଳନ ପୁସ୍ତକର ମୁଖବନ୍ଧରେ ଉଇଲିୟମ୍‌ ତାଙ୍କର ଭୂମିକାରେ ଏଇ ‘‘ଏସେ’’ ର ‘‘ସର୍ବସଂକ୍ଷିପ୍ତ ସଂଜ୍ଞା” (ମିନିମମ୍‌ ଡେଫିନିସନ୍‌) ସ୍ଵରୂପ ଯାହା କିଛି କହିଛନ୍ତି ତାହା ଆମେ ଏ ପର୍ଯ୍ୟନ୍ତ ସେ ସମ୍ବନ୍ଧେ ଯାହା କହି ଆସୁଛୁ - ତା’ରି ଅନୁରୂପ ।

 

ଉଇଲିଅମ ପୁନଶ୍ଚ କହନ୍ତି - ‘‘ଏସେ’’ ଲେଖକର ସାଧାରଣ ଭୂମିକା ହେଲା - ସେ ଜଣେ ସମାଜ ସଂସ୍କାରକ, ସମାଲୋଚକ, ବ୍ୟାଖ୍ୟାକାର ଓ ମନ୍ତବ୍ୟଦାତା ଏବଂ ସେ ତା’ର ଦାୟିତ୍ଵ ସମ୍ପାଦନ ପାଇଁ ତା’ର ରଚନାଟି ଭିତରେ ଯେ କୌଣସି ପନ୍ଥା ଅବଲମ୍ବନ କରିପାରେ - ଶୈଳୀ ଓ ଆଙ୍ଗିକ ଗ୍ରହଣ କରିପାରେ ଏବଂ ବିନ୍ଧାଣୀ ପଣ ଦେଖାଇପାରେ । ଏସେ ଲେଖକ ତା’ର ମତାମତକୁ ପ୍ରମାଣ କରିବା ପାଇଁ କେତେକ ଜନଶ୍ରୁତି, କିମ୍ବଦନ୍ତୀ ବା ଆଖ୍ୟାୟିକାର ସାହାଯ୍ୟ ନେଇପାରେ - ଅଥବା ନିଜେ ଦେଖିଥବା ଘଟଣାଟିଏ ବନେଇ ଚୁନେଇ ଲେଖିପାରେ । ଏପିରିକି ସେ ଗୋଟିଏ ଉପନ୍ୟାସର ପୃଷ୍ଠା ବା ପରିଚ୍ଛେଦ ପରି କିଛି ଲେଖିଦେଇପାରେ । କିନ୍ତୁ ତା’ ସତ୍ତ୍ଵେ ବି - ତା’ର କାମ ଗପଟିଏ ବର୍ଣ୍ଣନା କରିବା ନୁହଁ - ମନ୍ତବ୍ୟଟିଏ ଦେବା ଏବଂ ତା’ର ମୂଳ ତତ୍ତ୍ୱ, ତଥ୍ୟ, ପ୍ରସ୍ତାବ ବା ସିଦ୍ଧାନ୍ତଟିକୁ ସପ୍ରମାଣ ପରୋକ୍ଷ ବା ପ୍ରତ୍ୟେ’କ୍ଷ ଭାବେ ଉପସ୍ଥାପିତ କରିବା ।

 

ଆମର ଆଧୁନିକ ଭାରତୀୟ ସାହିତ୍ୟ ବହୁ ଦିଗରୁ ଇଂରାଜୀ ସାହିତ୍ୟ ଦ୍ଵାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିବାରୁ ଏହି ଏସେ ରଚନାରେ ମଧ୍ୟଆମର ଲେଖକମାନେ ଇଂରାଜୀ ଲେଖକମାନଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଛନ୍ତି । ଇଂରାଜୀ ଏସେୟିଷ୍ଟମାନଙ୍କ ମଧ୍ୟରେ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍‌ସିସ୍‌ବେକନ୍‌, ଜୋସେପ୍‌ଆଡ଼ିସନ୍‌, ରିଚାର୍ଡଷ୍ଟିଲ, ଅଲିଭର ଗୋଲଡ୍‌ସ୍ଳିଥ୍‌, ଚାର୍ଲସ୍‌ଲାମ୍ଭ, ଉଇଲିଅମ୍‌ ହାଜ୍‌ଲିଟ୍‌, ଲେ ହଣ୍ଟ । ଏବଂ ଉନବିଂଶ ବିଂଶ ଶତାବ୍ଦୀର ଏସେୟିଷ୍ଟମାନଙ୍କ ମଧ୍ୟରେ ରର୍ବାଟ୍‌ ଲୁଇ ଷ୍ଟିଭେନ୍‌ସନ୍‌, ଜି.କେ. ଚେଷ୍ଟରଟନ, ଇ.ଭି. ଲୁକାସ୍‌, ରର୍ବାଟ୍‌ଲିଣ୍ଡ ଏ.ଏ.ମିଲନେ, ଜେ.ବି. ପ୍ରିଷ୍ଟଲି, ଆଲଡସ୍‌ ହକ୍‌ସଲେ, ଇ.ଏମ୍‌.ଫୋରଷ୍ଟର, ସି.ଇ.ଏମ୍‌ଜୋଡ଼, ଜର୍ଜଅରୱେଲ, ଜନ୍‌ ମିଡିଲଟନ ମୁରେ । ଏ.ଜି. ଗାର୍ଡିନର ଓ ବାର୍ଟାଣ୍ଡରସେଲ୍‌ ପ୍ରମୁଖ ବିଶ୍ୱବିଖ୍ୟାତ ଏସେ-ଲେଖକମାନଙ୍କ ଅଜସ୍ର ବୁଦ୍ଧିଦୀପ୍ତ ଓ ରସଦୀପ୍ତ ରଚନା ଆମ ରମ୍ୟରଚକମାନଙ୍କ ସୃଜନଧର୍ମୀ ଚେତନାକୁ ଉଦ୍ଦୀପ୍ତ ସମୃଦ୍ଧ ଓ ପ୍ରଚୋଦିତ କରିଛି - ଏ ତଥ୍ୟକୁ କଦାପି ଅସ୍ଵୀକାର କରିହେବ ନାହିଁ ।

 

ଏସେ ଲେଖକର ଭୂମିକା :

ବର୍ତ୍ତମାନ ‘‘ଏ ବୁକ୍‌ ଅଫ୍‌ ଇଂଲିଶ୍‌ ଏସେ’’ ସଙ୍କଳନର ମୁଖବନ୍ଧରେ ‘ଉଇଲିୟମସ୍‌’ ‘‘ଏସେ’’ ଲେଖକର ଭୂମିକା ସ୍ଵରୂପ ଯେ କହିଛନ୍ତି - ସେ ଜଣେ ସଂସ୍କାରକ, ସମାଲୋଚକ, ବ୍ୟାଖ୍ୟାକାର ଓ ମନ୍ତବ୍ୟଦାତା - ତାହା ସେହିସବୁ ଉପରୋକ୍ତ ଇଂରାଜୀ ଏସେୟିଷ୍ଟମାନଙ୍କ ରଚନାଗୁଡ଼ିକ ପଢ଼ିଲେ ସତ ବୋଲି ମନେ ହୁଏ । କିନ୍ତୁ ‘‘ସଂସ୍କାରକ’’ ଟିଏ ହେବା ନହେବା ଏସେୟିଷ୍ଟର ମନୋଭାବ ଉପରେ ନିର୍ଭର କରେ । ଏପରି - ‘‘ଏସେ’’ ଲେଖକ ଅଛନ୍ତି ଯେଉଁମାନେ କୌଣସି ସଂସ୍କାର ଉଦ୍ଦେଶ୍ୟରେ ‘‘ଏସେ’’ ଲେଖନ୍ତି ନାହିଁ । ସେମାନେ କେବଳ ନିଜର ‘‘ମୁଡ଼୍‌’’ ‘‘ଫାନ୍‌ସି’’ - ବା ଇଡ଼ିଓକ୍ରେସୀ ଉପରେ ନିର୍ଭର କରି ରମ୍ୟରଚନାଟିଏ ଲେଖନ୍ତି । ଉଦାହରଣ ସ୍ୱରୂପ, ଚାର୍ଲସ୍‌ଲାମ୍ବ ଚେଷ୍ଟରଟନ୍‌ ଓ ଷ୍ଟିଫେନ୍‌ଲିକକ୍‌ ।

 

ଲାମ୍ବଙ୍କର ‘‘ଚିମ୍‌ନି ଝାଡ଼ୁଦାର’’ ରଚନାଟିରେ କେବଳ ତାଙ୍କର ସୁନ୍ଦର କୌତୁକ ଖିଆଲୀ ପ୍ରଗଳ୍‍ଭତା ବ୍ୟତୀତ ବିଷୟବସ୍ତୁ କ’ଣ ଅଛି ? ସଂସ୍କାର ବି କଣ ଅଛି ? ସେମିତି ଷ୍ଟିଭେନ୍‌ସନ୍‌ଙ୍କ ‘‘ଅଳସୁଆଙ୍କ ସପକ୍ଷରେ’’ ଏବଂ ଜି.କେ. ଚେଷ୍ଟରଟନ୍‌ଙ୍କ ‘‘ନିର୍ବୋଧତାର ସପକ୍ଷରେ’’ କିମ୍ବା ‘‘ନିଜ ଟୋପି ପଛରେ ଦୌଡ଼ିବା ଉପରେ’’ - ଏବଂ ଜେ ବି. ପ୍ରିଷ୍ଟଲଙ୍କର କିଛି ନ କରିବା ସମ୍ୱନ୍ଧେ ପ୍ରଭୃତି ରଚନା ଗୁଡ଼ିକରେ କିଛି ଗୋଟାଏ ସମାଜ ସଂସ୍କାର କରିବା ମତଲବ ଆଦୌ ନାହିଁ । କିନ୍ତୁ ଯଥେଷ୍ଟ ପ୍ରାଣୋଚ୍ଛଳ ବିଚାରଧର୍ମୀ ମନୋମୁଗ୍‌ଧକର ଆଳାପନ ରହିଛି । ସେଥିଯୋଗୁଁ ହି ସେଗୁଡ଼ିକ ଖୁବ୍‌ ଲୋକପ୍ରିୟତା ଓ ବୈଶିଷ୍ଟ୍ୟ ଅର୍ଜନ କରିଛନ୍ତି । ଆମର ଯେମିତି ମହାପାତ୍ର ନୀଳମଣିଙ୍କ ଲିଖିତ ଅଧରାତିର ମାୟା’’ କିମ୍ୱା ‘‘ନାକ ଲାଗି ନାକେଦମ୍‌’’ ପ୍ରଭୃତି ରମ୍ୟରଚନା । ସେଥିରେ କେବଳ ଖିଆଲି ରସିକତା କରିବା ଛଡ଼ା ଆଉ କ’ଣ ହୋଇଛି ?

 

ତେବେ ଆଦ୍ୟ ଏସେୟିଷ୍ଟମାନଙ୍କର ଏଇ ସମାଜ ସଂସ୍କାର ଭୂମିକା ସପକ୍ଷରେ ମଧ୍ୟ ଗୋଟାଏ ହେତୁ ଅଛି । ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀ ବେଳକୁ ଇଂଲଣ୍ଡ ଓ ଫ୍ରାନ୍‌ସରେ ଛାପାଖାନାର ପ୍ରସାର ବଢ଼ି ଚାଲିଲା । ତା’ ସହିତ ବହୁ ସମ୍ବାଦପତ୍ର ଓ ପତ୍ରପତ୍ରିକା ମଧ୍ୟପ୍ରକାଶ ପାଇଲା । ସେଗୁଡ଼ିକର ପାଠକପାଠିକା ସଂଖ୍ୟା ମଧ୍ୟ ବଢ଼ି ଚାଲିଲେ । ସେଇ ଗୁଡ଼ିକରେ ପ୍ରଥମେ ପାଠକମାନଙ୍କ ଅବଗତି ଲାଗି କ୍ଷୁଦ୍ରଗଳ୍ପ ଭଳି ‘‘ଏସେ’’ ଲେଖାର ମଧ୍ୟ ପ୍ରସାର ଘଟିଲା । ସେତେବେଳେ ଏହାକୁ ‘‘ଫିଚର’’ ବୋଲି ଆଖ୍ୟା ଦେଉଥିଲେ । ଇଂଲଣ୍ଡର ବିଖ୍ୟାତ ‘‘ସ୍ପେକ୍ଟାଟର’’ କାଗଜଟି କେବଳ ସମ୍ବାଦ ନ ଛାପି - ଦେଶର ବିଭିନ୍ନ ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧାର୍ମିକ ଓ ସାହିତ୍ୟିକ । ସମସ୍ୟାଗୁଡ଼ିକ ଉପରେ ବିଚାର ବିମର୍ଶ ସମ୍ବଳିତ ଅଭିମତାଶ୍ରୟୀ ଫିଚର ଗୁଡ଼ିକ ଛପାଇଲେ । ଏଇଥିରେ ପ୍ରଥମେ ଆଡ଼ିସନ୍‌ ଓ ଷ୍ଟିଲ୍‌ ପ୍ରଭୃତି ସମାଲୋଚକମାନେ ଲେଖୁଥିଲେ ଓ ତା’ରି ଯୋଗୁଁ ଜନପ୍ରିୟ ହେଲେ ।

 

ସେହି ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀରେ ଗୋଟିଏ କାଳ୍ପନିକ ଚରିତ୍ର ଗଠନ କରି ତା’ରି ମାଧ୍ୟମରେ ସାମାଜିକ ଚାଲିଚଳନୀ, ରୀତିନୀତି, କୁସଂସ୍କାର ଓ ସମସ୍ୟାଗୁଡ଼ିକ ଉପରେ ବିଦ୍ରୂପାତ୍ମକ ମତାମତ ପ୍ରକାଶ କରିବାର ଗୋଟିଏ ସାହିତ୍ୟିକ ଚଳନୀ ମଧ୍ୟ ପ୍ରତିଷ୍ଠିତ ହୋଇଥିଲା । ଆଡ଼ିସନ୍‌, ଷ୍ଟିଲ୍‌ ଓ ଗୋଲ୍‌ଡସ୍ମିଥ ପ୍ରଭୃତିଙ୍କ କଳ୍ପନାରୁ ଉଦ୍‌ଭୁତ ହୋଇଥିଲେ, ‘‘ସାର ରୋଜର୍‌ ଡି.କଭରଲି ଅଥବା ବିଉଟିବସ୍‌ଙ୍କ ଭଳି କାଳ୍ପନିକ ଓ ନାନ୍ଦନିକ ବ୍ୟଙ୍ଗ ବିଦ୍ରୂପର ଶରବ୍ୟ ଚରିତ୍ରମାନେ’’ ଆମ ଓଡ଼ିଆ ସାହିତ୍ୟରେ ଗୋପାଳ ପ୍ରହରାଜଙ୍କ ‘‘ବାଇମାହାନ୍ତି’’ ତଦ୍ରୂପ ବିଖ୍ୟାତ ଓ ପ୍ରତିଷ୍ଠିତ କାଳ୍ପନିକ ‘‘ଏସେ-ଚରିତ୍ର’’ ।

 

ପ୍ରବନ୍ଧ ଓ ରମ୍ୟରଚନାର ପାର୍ଥକ୍ୟ :

ଏହି ‘‘ଏସେ’’ କୁ “ ରମ୍ୟରଚନା”ରେ ନାମାନୁବାଦ କରିବା ପୂର୍ବରୁ ଆମକୁ ପ୍ରଥମେ ଆମ ଭାଷାରେ କଥିତ ‘‘ପ୍ରବନ୍ଧ’’ ଠାରୁ ଏହାର ସ୍ଵାତନ୍ତ୍ର୍ୟ ଉପରେ କିଞ୍ଚିତ୍‌ କଥା କହିବା ଉଚିତ ହେବ । ଆମ ଭାଷାରେ ‘‘ପ୍ରବନ୍ଧ’’ ଶବ୍ଦଟି ପୂର୍ବେ ଆଳଙ୍କାରିକ ପରିଭାଷାରେ ‘‘ପଦ୍ୟ’’ରେ ଲିଖିତ କାବ୍ୟକୁ ହିଁ ବୁଝାଉଥିଲା । ପ୍ରବନ୍ଧ ହେଲା - ଯେଉଁ ରଚନାକୁ ପ୍ରକୃଷ୍ଟରୂପେ ବନ୍ଧାଯାଇଥାଏ - ଅର୍ଥାତ୍‌ କ୍ଳାସିକାଲ୍‌ ବା ମାର୍ଗୀୟ ପଦ୍ଧତିରେ ଯାହାକୁ ଉତ୍‌କୃଷ୍ଟ ରୂପେ ଛନ୍ଦୋବଦ୍ଧ କରି ରଚନା କରାଯାଇଥାଏ । ତେଲୁଗୁ ସାହିତ୍ୟରେ ବି ଏହି କାବ୍ୟ ଅର୍ଥରେ ପୂର୍ବେ ପ୍ରବନ୍ଧ ବୁଝାଯାଉଥିଲା । ଏକାଦଶ ଦ୍ଵାଦଶ ଶତବ୍ଦୀରେ କବି ଜୟଦେବ ତାଙ୍କ ବୈଷ୍ଣବକାବ୍ୟ ‘‘ଗୀତ ଗୋବିନ୍ଦ’’କୁ ପ୍ରବନ୍ଧ ନାମରେ ଇ ଖ୍ୟାତ କରିଛନ୍ତି । ‘‘ଶ୍ରୀ ବାସୁଦେବ-ରତି କେଳି ସମତେମେତଂ କରୋତି ଜୟଦେବ କବିଃ ପ୍ରବନ୍ଧ ।’’

 

ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀରେ ବି ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁଙ୍କ ଠାରୁ ଆରମ୍ଭ କରି, ଯଦୁମଣିଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରବନ୍ଧ ଛନ୍ଦ ବଦ୍ଧ ଓ ରାଗରାଗିଣୀ ସମନ୍ଵିତ କାବ୍ୟ ରଚନା ଅର୍ଥରେ ହିଁ ବ୍ୟବହାର କରିଛନ୍ତି । ଯଦୁମଣିଙ୍କ ପ୍ରସିଦ୍ଧ ରୀତିକାବ୍ୟର ନାମ ହେଲା - ‘‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’’ । ଯଦୁମଣିଙ୍କ ଭାଷାରେ ‘‘ଦ୍ୱିବିଧ ପୂର୍ଣ୍ଣଚନ୍ଦ୍ର ସିଦ୍ଧି ନିର୍ବନ୍ଧେ ପ୍ରବନ୍ଧ ହୋଇଲା ଖ୍ୟାତ ଯେ’’ ।

 

କିନ୍ତୁ ଆଶ୍ଚର୍ଯ୍ୟ କଥା - ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଇଂରାଜୀ ସାହିତ୍ୟର ସଂସ୍ପର୍ଶରେ ଆସି ଯେତେବେଳେ ଓଡ଼ିଆ ସାହିତ୍ୟରେ କୌଣସି ବିଷୟ ବସ୍ତୁକୁ ନେଇ ଗଦ୍ୟରେ ଚଚନାଟିଏ ଲେଖିବା ଆରମ୍ଭ ହେଲା - ତାକୁ ରାଧାନାଥ, ମଧୁସୂଦନ, ଫକୀର ମୋହନଙ୍କ ଯୁଗର ସାହିତ୍ୟତତ୍ତ୍ଵବିଦ୍‌ମାନେ ‘‘ପ୍ରବନ୍ଧ’’ ଆଖ୍ୟା ଦେଲେ । କାହିଁକି ଯେ ‘‘ପ୍ରବନ୍ଧ’’ ଶବ୍ଦଟିର ମୌଳିକ ସଂଜ୍ଞାକୁ ଅସ୍ଵୀକାର କରି, ଗଦ୍ୟରେ ଲିଖିତ ରଚନାଟିକୁ ହଠାତ୍‌ ପ୍ରବନ୍ଧ ବୋଲି କୁହାଗଲା ତା’ର ସୂତ୍ର ବା କାରଣ କିଛି ଜଣାପଡ଼ୁ ନାହିଁ । ଯାହା ମନେ ହୁଏ- ସେତେବେଳେ ବଙ୍ଗଳା ସମେତ ଅନ୍ୟାନ୍ୟ ଉତ୍ତର ଭାରତୀୟ ଭାଷାରେ ନୂତନ ରୀତିରେ ଲିଖିତ ଓ ବିଭିନ୍ନ ସମସ୍ୟା ବା ବିଷୟକୁ ନେଇ ତଥ୍ୟ-ତତ୍ତ୍ୱ ସମ୍ବଳିତ ତର୍କସମ୍ମତ ବିଶ୍ଳେଷଣାତ୍ମକ ଗଦ୍ୟ ରଚନାକୁ ପ୍ରବନ୍ଧ ବୋଲି ନାମିତ କରା ସରିଥିଲା । ଓଡ଼ିଆ ସାହିତ୍ୟିକମାନେ ଆଖି ବୁଜି ତାକୁ ଇ ଗ୍ରହଣ କରିନେଲେ । ଏବଂ ଆଜି ପର୍ଯ୍ୟନ୍ତ ତାହା ଚାଲିଛି । ଏବଂ ଏହି ‘‘ପ୍ରବନ୍ଧ’’ ଶବ୍ଦଟି ଆଉ ତା’ର ପୂର୍ବ ସଂଜ୍ଞା ଫେରିପାଇବାର ଆଶା ନାହିଁ । ତେଣୁ ଆମେ ପ୍ରବନ୍ଧ ଅର୍ଥରେ ବର୍ତ୍ତମାନ ସେହି ଗଦ୍ୟ ରଚନାଟିକୁ ବୁଝିବା - ଯେଉଁଥିରେ ଯେ କୌଣସି ବିଷୟବସ୍ତୁ ଉପରେ ତଥ୍ୟ ଓ ତତ୍ତ୍ଵମୂଳକ ବିଶ୍ଳେଷଣାତ୍ମକ ଆଲୋଚନା କରାଯାଇଥାଏ - ଯେଉଁଥିରେ ବିଷୟ ବସ୍ତୁର ଉପସ୍ଥାପନା ଯୁକ୍ତି ଓ ତର୍କସମ୍ମତ ଭଙ୍ଗୀରେ ହୋଇଥାଏ - ଯେଉଁଥିରେ ଲେଖକ ନିଜର ବ୍ୟକ୍ତିଗତ ଅଭିମତ, ଆବେଗ ପ୍ରବେଗ, ଭାବପ୍ରବଣତା, ଖିଆଲ, ମୁଡ୍‌, କୌତୁକବୋଧ, ସ୍ଵପ୍ନ ଓ କଳ୍ପନାର ଅନୁରଞ୍ଜନ ନ ଦେଇ କେବଳ ବିଷୟବସ୍ତୁର ସ୍ପଷ୍ଟ, ସଳଖ, ପରିଚ୍ଛନ୍ନ ଅବତାରଣା କରିଥାନ୍ତି ଏବଂ ଶେଷ ସର୍ତ୍ତଟି ହେଲା - ଉତ୍କୃଷ୍ଟ ଗଦ୍ୟ ପ୍ରବନ୍ଧଟି ଲେଖକଗତ ବ୍ୟାପାର ନ ହୋଇ ବିଷୟଗତ ବ୍ୟାପାର ହେବା ଉଚିତ । ‘‘ବିଲାତି ଆଳୁ’’ ଉପରେ ପ୍ରବନ୍ଧ ଲେଖୁଛ ତ, ସେହି ବିଲାତିଆଳୁ ବସ୍ତୁଟି ଉପରେ ଯାହା ଜାଣ ଲେଖ । ବିଲାତିଆଳୁ ବସ୍ତୁ ପ୍ରସଙ୍ଗରୁ ଯଦି ଜଣେ ଲେଖକ ଅଙ୍କ ପରୀକ୍ଷାରେ ବିଲାତିଆଳୁ ପାଇବା ପ୍ରସଙ୍ଗକୁ ଲେଖା ଭିତରେ ମୁହାଁଇ ଗଲା, ତେବେ ତାହା ଆଉ ପ୍ରବନ୍ଧ ନ ହୋଇ ଆମର ‘‘ରମ୍ୟ ରଚନା’’ ପର୍ଯ୍ୟାୟକୁ ଚାଲି ଆସିବ । ତେଣୁ ଧର୍ମ ଉପରେ, ବିଜ୍ଞାନ ଉପରେ, ଦର୍ଶନ ଉପରେ, ଖେଳ ଉପରେ, ସାହିତ୍ୟ ବା କଳା ଉପରେ, ରାଜନୀତି ବା ସିନେମା ଉପରେ ବା ଯାହାକିଛି ବସ୍ତୁ ଉପରେ ଯଦି ଜଣେ ପ୍ରବନ୍ଧ ଲେଖୁଥାଏ - ତେବେ ତାକୁ ନୈଷ୍ଠିକ ଭାବରେ ବିଷୟନିଷ୍ଠ ହେବାକୁ ପଡ଼ିବ । ବିଷୟନିଷ୍ଠ ଗଦ୍ୟ ରଚନାଟିକୁ ଆମେ ପ୍ରବନ୍ଧ କହିବା; ମାତ୍ର ଆତ୍ମନିଷ୍ଠ ବା ବ୍ୟକ୍ତିଗତ ଗଦ୍ୟ ରଚନାଟିକୁ କହିବା ରମ୍ୟରଚନା । ପ୍ରବନ୍ଧଟି ହେବ ନିରପେକ୍ଷ ସମାଚାର ସନ୍ଦର୍ଭଟିଏ । ଜଣେ ବିଲାତିଆଳୁ ଉପରେ ପ୍ରବନ୍ଧଟିଏ ପଢ଼ିଲେ ସେଥିରେ କେବଳ ବିଲାତିଆଳୁ ଯେମିତି ଦେଖିବ । ଯଦି ମଝିରେ ମଝିରେ ବିଲାତିଆଳୁ ଗଦା ଭିତରୁ ଲେଖକର ମୁହଁ, କି ଆଖି, କି ନାକ, କି ମନ, କି ହୃଦୟରୁ ଟିକିଏ ଦେଖା ପଡ଼ିଯାଏ - ତେବେ ବୁଝିବାକୁ ହେବ ଯେ ଜଣେ ବିଲାତ ଆଳୁ ଉପରେ ପ୍ରବନ୍ଧଟିଏ ପଢ଼ୁନାହିଁ, ବିଲାତିଆଳୁ ଶୀର୍ଷକ ରମ୍ୟରଚଚନାଟିଏ ପଢ଼ୁଛି । ଆମ ସାହିତ୍ୟରେ ମଧୁସୂଦନ ରାଓଙ୍କ ବାରାଣସୀ, ବ୍ରହ୍ମାଣ୍ଡ କି ପ୍ରକାଣ୍ଡ, ପୁରୁଷଭାବ ଏବଂ ନାରୀଭାବ, ପରିଶ୍ରମର ସୁଖ ପ୍ରଭୃତି ଗଦ୍ୟ ରଚନା ଗୁଡ଼ିକ ପ୍ରବନ୍ଧ ମାତ୍ର ରାଧାନାଥ ରାୟଙ୍କର ‘‘ବିବେକୀ’’ ହେଲା ଚମତ୍କାର ରମ୍ୟରଚନା । ଆମର ଆଦ୍ୟ ଓ ବେକନୀୟ ରମ୍ୟରଚନା ।

 

 

‘‘ରମ୍ୟରଚନା’’, ‘‘ଲଘୁ ନିବନ୍ଧ’’ ଓ ‘‘ଲଳିତ ନିବନ୍ଧ’’ - କ’ଣ ଠିକ୍‌?

ଏବେ ଓଡ଼ିଆ ସାହିତ୍ୟରେ ‘‘ରମ୍ୟରଚନା’’ କୁ କେହି କେହି ‘‘ଲଳିତ ନିବନ୍ଧ’’, ଏବଂ ଅନ୍ୟ କେହି ‘‘ଲଘୁ ନିବନ୍ଧ’’ ନାମରେ ବି ଅଭିହିତ କରୁଥିବାର ଦେଖାଯାଏ । ପ୍ରଥମରୁ ‘‘ରମ୍ୟ ରଚନା’’କୁ ‘‘ଲଘୁ ନିବନ୍ଧ’’ ବୋଲି କହିବା ଏକ ଦେଶଦର୍ଶିତା । କାରଣ, ରମ୍ୟରଚନାଟିଏ ଭାଷା ଓ ଭାବରେ କେବେକେବେ ଲଘୁ ବା ହାଲ୍‌କା ହୋଇପାରେ । ମାତ୍ର ରମ୍ୟରଚନା ମାତ୍ରେଇ ଯେ ଲଘୁଗୋତ୍ରୀୟ ତାହା କଦାପି କୁହାଯାଇ ପାରିବ ନାହିଁ । ଆମ ସାହିତ୍ୟରେ ଚନ୍ଦ୍ରଶେଖର ରଥ ଓ ଚିତ୍ତରଞ୍ଜନ ଦାସଙ୍କ ଲିଖିରତ ଉତ୍କୃଷ୍ଟ ରମ୍ୟରଚନା ଗୁଡ଼ିକୁ ଲଘୁ ନିବନ୍ଧ ବୋଲି କିଏ ଆଖ୍ୟା ଦେଇ ପାରିବ ?

 

ସେହିଭଳି ରମ୍ୟରଚନାକୁ ‘‘ଲଳିତ ନିବନ୍ଧ’’ ବୋଲି ମଧ୍ୟ କହି ହେବ ନାହିଁ ଏକଇ କାରଣରୁ । ସବୁ ରମ୍ୟ ରଚନାର ବିଷୟ ବା ଶୈଳୀ ଲଳିତ ନ ହୋଇପାରେ । ରାଧାନାଥଙ୍କ ‘‘ବିବେକୀ’’ ଅଥବା ‘‘ସମାଜ’’ ସମ୍ବାଦ ପତ୍ରରେ ଧାରାବାହିକ ପ୍ରକାଶିତ ‘‘ଝିଟିପିଟି କହେ’’ - ଅଥବା ‘‘ଧରିତ୍ରୀ’’ ସମ୍ବାଦପତ୍ରରେ ଦେବଦାସଙ୍କ ସାପ୍ତାହିକ ପ୍ରସଙ୍ଗ ଗୁଡ଼ିକରେ ଲାଳିତ୍ୟ କୋଉଠି ଅଛି ? ଶରତ କୁମାର ମହାନ୍ତି ଅଥବା ଭୁବନେଶ୍ୱର ବେହେରାଙ୍କ ରମ୍ୟରଚନା ଗୁଡ଼ିକରେ ସରସତା ହୁଏତ ଅଛି - ମାତ୍ର ଲାଳିତ୍ୟ ଅଛି କି ? ଶଶୀଭୂଷଣ ରାୟଙ୍କ ‘‘ଉତ୍କଳର ରତୁଚିତ୍ର’’ କିମ୍ବା । ରାଜକିଶୋର ରାୟଙ୍କର କେତେକ ଭାବପ୍ରବଣ କାବ୍ୟିକ ରମ୍ୟରଚନାରେ ହୁଏତ ଲାଳିତ୍ୟର ସ୍ପର୍ଶ ମିଳିପାରେ । କୌଣସି ବୀରରସପୂର୍ଣ୍ଣ ଉଦ୍‌ବୋଧନ ମୂଳକ ଅଭିଭାଷଣ ବା ଭର୍ତ୍ସନାମୂଳକ ଚା ବିଦ୍ରୂପାତ୍ମକ ଚମତ୍କାର ରମ୍ୟରଚନାଟିରେ ହୁଏତଃ ସରସତା ଥିବ - ମାତ୍ର ଲାଳିତ୍ୟ କୁଆଡ଼ୁ ଆସିବ ? ଅଖିଳ ପଟ୍ଟନାୟକଙ୍କର ‘‘ଅନାଗତ ଫାଲ୍‌ଗୁନ’’ ବା ମାନସୀ ସୁଜାତାକୁ ଚିଠି ଆକାରରେ ଲିଖିତ ରମ୍ୟ ରଚନା ଗୁଡ଼ିକରେ ଅଭିବ୍ୟକ୍ତି ନିଶ୍ଚୟ ଲଳିତ, ମାତ୍ର ତାଙ୍କର ‘‘କଚ୍ଛପୀୟ’’ ରମ୍ୟ ରଚନା ଗୁଡ଼ିକରେ ଲାଳିତ୍ୟ ନାହିଁ । ତେଣୁ ହିନ୍ଦୀ ସାହିତ୍ୟକୁ ଅନୁକରଣ କରି ଆମେ ‘‘ରମ୍ୟ ରଚନା’’ ର ଆଉ ଅଧିକା ନାମଟିଏ ହିସାବରେ ‘‘ଲଳିତ ନିବନ୍ଧ’’କୁ ବ୍ୟବହାର କରିବା ନିଶ୍ଚୟ ଭୁଲ ହେବ । କାରଣ “ରମ୍ୟ ରଚନା”ର ବିଷୟ ଓ ଶୈଳୀର ବିସ୍ତୃତ ପରିସର ଓ ସମ୍ଭାବନାକୁ ଏ ନାମଟି ସଙ୍କୁଚିତ କରି ଆଣୁଛି ।

 

ରମ୍ୟରଚନାର ଆଳଙ୍କାରିକ ପ୍ରମାଣ :

ତେଣୁ ଆମେ ଏ ପର୍ଯ୍ୟନ୍ତ ଏବଂବିଧ ଗଦ୍ୟରଚନାକୁ ଯୋଉ ‘‘ରମ୍ୟରଚନା’’ ନାମରେ ନାମିତ କରୁଛୁ - ତାହାହିଁ ସବୁ ଦୃଷ୍ଟିରୁ ଠିକ୍‌ବୋଲି ସିଦ୍ଧାନ୍ତ ହେବା ଉଚିତ । ପ୍ରଥମେ ବଙ୍ଗସାହିତ୍ୟରେ ‘‘ରମ୍ୟରଚନା’’ ଶବ୍ଦଟି ଏହାର ଯଥାର୍ଥ ସହକାରେ ବ୍ୟବହାର କରାଗଲା ଏବଂ ବଙ୍ଗସାହିତ୍ୟରେ ଉନବିଂଶ ଓ ବିଂଶ ଶତାବ୍ଦୀରୁ ଅଦ୍ୟାବଧି ଇଂରାଜୀ ଓ ଫରାସୀ ରମ୍ୟରଚନା ପ୍ରଭାବରେ ଯେତେ ସଂଖ୍ୟକ ଉତ୍କୃଷ୍ଟ ରମ୍ୟରଚନା ରଚିତ ହୋଇଛି - ସେଗୁଡ଼ିକ ଭାବ ସମ୍ପଦର ବିପୁଳତା ଓ ଶୈଳୀରେ ଅଭୂତପୂର୍ବ ବିଚିତ୍ରତାରେ ସମଗ୍ର ଭାରତୀୟ ସାହିତ୍ୟରେ ଶୀର୍ଷସ୍ଥାନ ଅଧିକାର କରିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ପରା । ବଙ୍କିମଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ବୀରବଲେର ହାଲଖାତା, ପ୍ରମଥ ଚୌଧୁରୀଙ୍କ ପର୍ଯ୍ୟନ୍ତ ଓ ରବୀନ୍ଦ୍ରନାଥଙ୍କ ଠାରୁ ଆରମ୍ଭ କରି ବୁଦ୍ଧଦେବ ବସୁ ଓ ମୁଜଫୋ ଆଲ୍ଲି ପ୍ରମୁଖଙ୍କ ପର୍ଯ୍ୟନ୍ତ ବହୁ ସୁଲେଖକଙ୍କ ଲେଖନୀ ଚାଳନାରେ ବଙ୍ଗଦେଶର ରମ୍ୟରଚନା ସାହିତ୍ୟ ଅପୂର୍ବ ଶ୍ରୀ ଓ ସମ୍ପଦ ଲାଭ କରି ଧନ୍ୟ ହୋଇଛି । ଏଇ ବଙ୍ଗଭାଷାରେ ‘‘ରମ୍ୟରଚନା’’ ନାମଟି ଖୁବ୍‌ ଭାବିଚିନ୍ତି ଦିଆଯାଇଛି ବୋଲି ମନେହୁଏ । ଏହି ଧରଣର ଗଦ୍ୟ ରଚନା ପଛରେ ‘‘ରମ୍ୟରଚନା’’ ବିଶେଷଣଟିର ପ୍ରୟୋଗ ନିଶ୍ଚିତ ଭାବେ ଆମର ସଂସ୍କୃତ ଆଳଙ୍କାରିକ ସିଦ୍ଧାନ୍ତ ପରମ୍ପରା ଦ୍ଵାରା ସମର୍ଥିତ ହୋଇଛି । କିପରି ହୋଇଛି – ଦେଖାଯାଉ-

 

ରମ୍ୟ ଓ ରମ୍ୟାର୍ଥ :

ଆମ ଆଳଙ୍କାର ଶାସ୍ତ୍ରରେ ‘‘ରମ୍ୟ’’ ଶବ୍ଦଟି ଓ ‘‘ରମ୍ୟାର୍ଥ’’ ଶବ୍ଦଟି ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ବର୍ତ୍ତମାନ ରମ୍ୟ ଓ ରମ୍ୟାର୍ଥର ସଠିକ ଆଳଙ୍କାରିକ ବ୍ୟାଖ୍ୟା କରାଯାଉ ।

 

ଆମର ବାହ୍ୟ-ଜଗତର ବସ୍ତୁଗୁଡ଼ିକ ହେଲେ କାବ୍ୟ ଜଗତର ବିଭାବ । ଏହି ବିଭାବ ବସ୍ତୁଟି ଯେଉଁ ପ୍ରକାରେ ଚିତ୍ତର ବାସନାଲୋକକୁ ଆଲୋଡ଼ିତ କରି ଚିତ୍ତଭୂମିରେ ରୂପ ପରିଗ୍ରହଣ କରେ, ତଦନୁଯାୟୀ ତାର ଦୁଇଟି ବିଶିଷ୍ଟ ଧର୍ମ ପରିଲକ୍ଷିତ ହୁଏ । ବସ୍ତୁ ମାତ୍ରେଇ ତାର ଦୁଇଟି ଧର୍ମ-। ଭାବଧର୍ମ ଓ ଅର୍ଥଧର୍ମ । ଚିତ୍ତରେ ଭାବ ସଞ୍ଚାରିତ ହେଲେ ବସ୍ତୁ ହୋଇଉଠେ ଭାବମୟ । ଏବଂ ଚିତ୍ତରେ ଯଦି ଅର୍ଥ ପ୍ରସ୍ଫୁଟିତ ହୁଏ ତେବେ ବସ୍ତୁ ହୋଇଉଠେ ଅର୍ଥମୟ । ଏହି ‘‘ଭାବ’’କୁ ଇଂରାଜୀ ଭାଷାରେ ସେଣ୍ଟିମେଣ୍ଟ, ଇମୋସନ, ପାସନ, ଫିଲିଙ୍ଗ ଓ ରିୟଲାଇଜେସନ ଇତ୍ୟାଦି ଶବ୍ଦ ଦ୍ଵାରା ବୁଝାଯାଇଥାଏ । ଆମେ କହୁ - ଅନୁଭୂତି, ଭାବାବେଗ, ଭାବ-ସମ୍ୱେଗ, ଉପଲବ୍‍ଧି ଇତ୍ୟାଦି ଇତ୍ୟାଦି । ଏବଂ ଏଇ ‘‘ଅର୍ଥ’’ ହେଉଛି - ଇଂରାଜୀରେ ଯାହାକୁ କହନ୍ତି ଥଟ, ମିନିଙ୍ଗ ବା କାରେକ୍ଟର-

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି - କାବ୍ୟରେ ବା ସାହିତ୍ୟରେ ଏଇ ‘‘ଅର୍ଥ’’ ବ୍ୟାପାରଟି କଣ ବୁଝାଏ-? ଦର୍ଶନ ଓ ବିଜ୍ଞାନ ମଧ୍ୟବସ୍ତୁର ଅର୍ଥ ବାହାର କରେ ନାହିଁ କି ? ତା’ ହେଲେ ବିଜ୍ଞାନ ଓ ଦର୍ଶନ ପ୍ରତିପାଦିତ ରଚନାକୁ କ’ଣ ଆମେ ସାହିତ୍ୟିକ ରଚନା କହିପାରିବା ? ନା - କହିପାରିବା ନାହିଁ । କାରଣ, ରମ୍ୟରଚନା ବା ସାହିତ୍ୟିକ ରଚନାଟିଏ ବସ୍ତୁର ବା ବିଷୟର ଯେଉଁ ଅର୍ଥ (ଏଠାରେ ତଥ୍ୟ ବା ତତ୍ତ୍ଵ ବିଶ୍ଳେଷଣ ବା ଉପସ୍ଥାପନା) ଫୁଟାଏ, ତାହା ହେଲା କବି- କଚ୍ଛିତ ଅର୍ଥ । ଅଥବା ଅନ୍ୟ ଭାଷାରେ କାବ୍ୟାର୍ଥ ବା ରମ୍ୟାର୍ଥ । ଏହି ରମ୍ୟାର୍ଥକୁ ଇଂରାଜୀରେ ଏସ୍‌ଥେଟିକ୍‌ ମିନିଙ୍ଗ କୁହାଯାଏ । ଆମ ପରିଭାଷାରେ ତାହା ହେଲା - ‘‘ନାନ୍ଦନିକାର୍ଥ’’ । ନାନ୍ଦନିକ ଓ ରମ୍ୟ ହେଲେ ଏକାର୍ଥବୋଧକ ଶବ୍ଦ ଏବଂ ଏହି ନାନ୍ଦନିକତା ବା ରମ୍ୟତା ହେଲା ସମୁଦାୟ କଳାର ହିଁ ଧର୍ମ । ବୈଜ୍ଞାନିକ ଚିନ୍ତା ବିଶ୍ଳେଷଣାତ୍ମକ ଓ ଦାର୍ଶନିକ ଚିନ୍ତା ବିଚାର ବିମର୍ଶାତ୍ମକ । କିନ୍ତୁ କବି ବା ସାହିତ୍ୟକର ଚିନ୍ତା କବିର ରମ୍ୟୋପଲବ୍‌ଧି ଜନିତ ନାନ୍ଦନିକ । ଆଳଙ୍କାରିକ କୁନ୍ତକ ତାଙ୍କର ‘‘ବକ୍ରୋକ୍ତି ଜୀବିତ’’ ଗ୍ରନ୍ଥରେ କହନ୍ତି - କାବ୍ୟାର୍ଥର ଲକ୍ଷଣ ହେଲା - ‘‘ଅର୍ଥାଃ ସହୃଦୟାହ୍ଲାଦକାରୀ ସ୍ଵସ୍ପନ୍ଦସୁନ୍ଦରଃ’’ । ଅର୍ଥାତ୍‌ ଏହି ସହୃଦୟ ସାମାଜିକ ପାଠକର ଆହ୍ଲାଦଦାୟକ ଓ ସ୍ଵସ୍ପନ୍ଦସୁନ୍ଦର ଅର୍ଥଟି ହେଲା କାବ୍ୟ ବା ସାହିତ୍ୟର ରମ୍ୟାର୍ଥ ।

 

କିନ୍ତୁ ଅପରପକ୍ଷରେ ଭାବ ଓ ଅର୍ଥ କ’ଣ ପୃଥକ୍‌ଗାମିନୀ କି ? ନା - ସେ ଦୁହେଁ ହେଲେ ନିତ୍ୟ ସହଚରୀ ? ସେପରି ଦେଖଲେ ସାହିତ୍ୟରେ ଭାବହୀନ କେବଳ ଅର୍ଥ ନାହିଁ - କି ଅର୍ଥହୀନ କେବଳ ଭାବ ନାହିଁ । ତେଣୁ ଏହି କଥାଟି ସୂଷ୍ମଭାବରେ ବୁଝିବା ଉଚିତ ଯେ, ରମ୍ୟାର୍ଥ ଦୀପ୍ତ ଚିତ୍ତରେ ଆତ୍ମାନନ୍ଦର ପ୍ରକାଶ ହେଉଛି ରମ୍ୟବୋଧ ବା ବୋଧମୟ ରମଣୀୟତ୍ୱ । କବି ଓ ପାଠକ ଉଭୟଙ୍କ ଚିତ୍ତର ଏକ ରସ-ତନ୍ମୟ ଅବସ୍ଥା ରହିଛି । ସେହିପରି ମଧ୍ୟ ଏକ ରମ୍ୟାର୍ଥ ତନ୍ମୟ ଅବସ୍ଥା ରହିଛି । ଏଇଠି ବୁଝିବାର ଅଛି ଯେ, ଭାବରୁ ଯେପରି ରସ ଜନ୍ମଲାଭ କରେ, ସେହିପରି ଅର୍ଥରୁ ହିଁ ଜନ୍ମେ ରମ୍ୟବୋଧ । ଆଳଙ୍କାରିକମାନେ କାବ୍ୟ ବା ସାହିତ୍ୟକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି । ପ୍ରଥମ ଭାଗଟି ହେଲା ରସ, ଭାବ ଓ ସ୍ୱଭାବୋକ୍ତି ପ୍ରଧାନ ଦ୍ରୁତି କାବ୍ୟ ଏବଂ ଦ୍ୱିତୀୟ ଭାଗଟିରେ ରହିଲା ଗୌରବୋକ୍ତି ଓ ବକ୍ରୋକ୍ତି-ପ୍ରଧାନ ଦୀପ୍ତି କାବ୍ୟ । ଆମର ରମ୍ୟରଚନା ହେଲା ଏହି ଦୀପ୍ତିକାବ୍ୟର ଅନ୍ତର୍ଗତ ଏବଂ କାବ୍ୟ ବିଚାରରେ ବକ୍ରୋକ୍ତିଭାଗର ଅଧୀନ । ଫେର୍‌ ଏହି ବକ୍ରୋକ୍ତି ପୁଣି ଅର୍ଥ ବକ୍ରୋକ୍ତି ଓ ଅଳଙ୍କାର ବକ୍ରୋକ୍ତି ଭେଦରେ ଦୁଇପ୍ରକାର । ରମ୍ୟରଚନା ହେଉଛି - ଅର୍ଥ ବକ୍ରୋକ୍ତିମୂଳକ ସାହିତ୍ୟିକ ରଚନା । ମୋଟ କଥା ହେଲା ଯେଉଁ ରଚନାରେ ଭାବ ହୁଏ ପ୍ରଧାନ, ତାହା ହେଲା ରସରଚନା । ଏବଂ ଯେଉଁ ରଚନାରେ ଏଇ ରମ୍ୟାର୍ଥ ହୁଏ ପ୍ରଧାନ - ତାହାହିଁ ପରିଣାମରେ ରମ୍ୟ ରଚନା ନାମରେ କଥିତ ହେବା ସମୀଚିନ ।

 

ରମଣୀୟତା, ଚମତ୍କାରିତା, ସୌନ୍ଦର୍ଯ୍ୟସ୍ପନ୍ଦନ :

ଏହି ରମଣୀୟତାର ଅପର ନାମ ହେଉଛି ଚିତ୍ତଚମତ୍କାରିତା ବା ସୈନ୍ଦର୍ଯ୍ୟସ୍ପନ୍ଦନ । ଏହା ମୁଖ୍ୟତଃ ନିର୍ଭରକରେ ଲେଖକର ସ୍ଵତନ୍ତ୍ର ସୃଜନଧର୍ମୀ ବାକ୍‌ଭଙ୍ଗୀ ବାକ୍-ବୈଦଗ୍‌ଧ୍ୟ ଓ କଳ୍ପନା ସଞ୍ଚାରୀ ସ୍ଵକୀୟ ଭାଷାଶୈଳୀ ଉପରେ । ଆମ ଆଳଙ୍କାରିକମାନଙ୍କର ଏହି ସିଦ୍ଧାନ୍ତ ସହିତ ଇଂରାଜୀ ‘‘ଏସେ’’ର ଲକ୍ଷଣ ସିଦ୍ଧାନ୍ତ ପ୍ରାୟ ମିଳି ଯାଉଛି । ତେଣୁ ରମ୍ୟ ରଚନା ସମ୍ପର୍କରେ ଶେଷ କଥାଟି ହେଲା - ଏହା ଏପରି ଏକ ଗଦ୍ୟ ରଚନା ଯେଉଁଥିରେ ଲେଖକ ତା’ର ବିଷୟଜ୍ଞାନ ଓ ବସ୍ତୁ ଅର୍ଥକୁ ସ୍ଵାନୁଭବରେ ରସାଣିତ କରି ବିଶ୍ଳେଷଣ, ସଂଶ୍ଳେଷଣ, ଉପସ୍ଥାପନ ଏବଂ ସୁବିନ୍ୟାସ ପକ୍ରିୟା ଦ୍ଵାରା ବିଶେଷ ଧରଣର ବିଦଗ୍‌ଧ ବାକ୍‌ଭଙ୍ଗୀରେ ରମ୍ୟତା ସଞ୍ଚରଣ କରି ପାଠକର ଚିତ୍ତରେ ଏକ ଚମତ୍କୃତି ସୃଷ୍ଟିକରେ ଏବଂ ଏହି ରମ୍ୟରଚନା ବିଭିନ୍ନ ଭାବ ଓ ଅର୍ଥକୁ ଆଶ୍ରୟ କରି ବିଭିନ୍ନ ରୂପରେ ଆତ୍ମପ୍ରକାଶ କରିପାରେ । ଏହା ହାସ୍ୟ-ପରିହାସମୂଳକ ହୋଇପାରେ - ଦାର୍ଶନିକ ଭାବାପନ୍ନ ହୋଇପାରେ ଏବଂ ଏହା ମଧ୍ୟ କରୁଣ, ଶୁଙ୍ଗାର, ଅଦ୍ଭୁତ ବୀଭତ୍ସ ଓ ବୀରରସାଦିଗର୍ଭିତ ହୋଇ ‘‘ନବନବରସ ରୁଚିର’’ ହୋଇପାରେ ! ଏହା ମଧ୍ୟ କେବଳ ସ୍ଵଭାବୋକ୍ତି ହୋଇପାରେ, ଯେପରି ଶଶୀଭୂଷଣ ରାୟଙ୍କର ଉତ୍କଳ ‘‘ରତୁଚିତ୍ର’’ କିମ୍ବା ଏହା ମଧ୍ୟ ଉଦ୍‌ବୋଧନମୟ ହୋଇପାରେ - ଯେପରି ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନାର କେତେକ ଅଂଶ । ଏପରି କି ପ୍ରିୟଜନର ମୃତ୍ୟୁରେ ଏହା ଏକ ଏଲିଜି କବିତାଭଳି ଶୋକୋଚ୍ଛ୍ୱାସ ପରିପୂର୍ଣ୍ଣ ଆବେଗଧର୍ମୀ ଗଦ୍ୟ ରଚନା ବି ହୋଇପାରେ । ଯେପରି ମହାପାତ୍ର ନୀଳମଣି ସାହୁଙ୍କର ମାୟାଧର ମାନସିଂଙ୍କ ମୃତ୍ୟୁ ପରେ ଲିଖିତ ‘‘ଗୁଣସୁମରି ହୁଅନ୍ତି ବିକଳ’’ । ଏହା କେବଳ କୌତୁକ ଭାବ ବା ହାସପରିହାସ ମଧ୍ୟ ବ୍ୟକ୍ତ କରିପାରେ । ଯେପରି ଚୌଧୁରୀ ହେମକାନ୍ତଙ୍କ ‘‘ଭୈରବ ମୁଣ୍ତିଆ ଏକ ଗବେଷଣା’’ । ଏବଂ ଏହା କେବଳ ସାମାଜିକ ବହୁ ସମସ୍ୟା ଓ ମୂଲ୍ୟବୋଧ ଗୁଡ଼ିକ ଉପରେ ଏକ ସମାଲୋଚନାତ୍ମକ ତୀବ୍ର ଓ ବିଦ୍ରୂପାତ୍ମକ ବିଶ୍ଳେଷଣ ମଧ୍ୟ ହୋଇପାରେ । ଯେପରି ଚିତ୍ତରଞ୍ଜନ ଦାସଙ୍କର ‘‘ଜାତିରେ ମୁଁ ଯବନ-।’’

 

ବ୍ୟକ୍ତିନିଷ୍ଠତା ଓ ‘‘ମୁଁକାର’’ ଧର୍ମିତା :

ଯେହେତୁ ରମ୍ୟରଚନା ହେଲା ତା’ର ଶିଳ୍ପଧର୍ମରେ ସ୍ଵାତ୍ମନିଷ୍ଠ ବା ସବ୍‌ଜେକ୍‌ଟିଭ ଏକ କଳାକୃତି ସେଥିରେ ତେଣୁ ଲେଖକର ଆତ୍ମପ୍ରୀତି ବା ଅହଂବାଦ (ଇଗୋଇସିଜିମ୍‌) ରହିବ ଇ ରହିବ । ଏଥିରେ ଲେଖକ କେତେ ପରିମାଣରେ ନିଜ ଢୋଲ ନିଜେ ମଧ୍ୟ ବଜାଇପାରେ । ଅନ୍ୟମାନଙ୍କ ସ୍ଵର (ଭଏସ୍‌)କୁ ଅତିକ୍ରମ କରି ନିଜର ସ୍ଵରକୁ ଉଚ୍ଚକିତ କରି ଶୁଣାଇପାରେ । ଏହା ତାର ଦୋଷ ନୁହେଁ । ବରଂ ରମ୍ୟରଚନାରେ ଲେଖକର ଏହି ‘‘ମୁଁକାର’’ ଧର୍ମିତା ରଚନାଟିର ଗୁଣବୃଦ୍ଧିରେ ଅନେକ କ୍ଷେତ୍ରରେ ଅନେକ ପରିମାଣରେ ସାହାଯ୍ୟ କରେ । କିନ୍ତୁ କୌଣସି ପ୍ରକାର ଅନମନୀୟ ମତାନ୍ଧତା (ଡଗ୍‌ମା) ରଚନାଟିରେ ପ୍ରକାଶ ପାଇଲେ ରଚନାଟିର ରମ୍ୟାର୍ଥ ନଷ୍ଟ ହୋଇଯାଏ । କିମ୍ବା ଭ୍ରଷ୍ଟ ହୋଇଯାଏ । କାରଣ ହେଲା - ରମ୍ୟରଚନାରେ ଲେଖକ ନିଜେ ନିଜକୁ ଯେତେ ପ୍ରକାଶ କରିବ କରୁ ପଛେ - ତାକୁ ପାଠକ ସହିତ ସମାନ ଆସନରେ ବସିବାକୁ ହେବ - ମୁହାଁମୋହି ବସିବାକୁ ହେବ - ଏବଂ ପାଠକ ସହିତ ତାକୁ ଭାବାଳାପ କରବାକୁ ପଡ଼ିବ ବାକ୍‌ବିଳାସ କରିବାକୁ ପଡ଼ିବ - ବନ୍ଧୁଭାବରେ । ଗୁରୁଶିଷ୍ୟ ଭାବରେ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସଖ୍ୟସମ୍ପର୍କଟାଇ ମୁଖ୍ୟ ହେବା ଚାହି । ଯେମିତି କୃର୍ଷ୍ଣାର୍ଜୁନ ସମ୍ପର୍କ ବା ରାମକୃଷ୍ଣ- ବିବେକାନନ୍ଦ ସମ୍ପର୍କ - ଏବଂ ପୁରାଣ ଯୁଗରେ ଉପନୀଷଦୀୟ ସମ୍ପର୍କ । ଆମ ଉପନିଷଦଗୁଡ଼ିକ ବୋଧହୁଏ ବୈଦିକ ଯୁଗର ପରବର୍ତ୍ତୀ ସଂସ୍କୃତ ରମ୍ୟରଚନା । ଉପନିଷଦର ଅର୍ଥ ବି ସେଇଆ । ପାଖକୁ ପାଖ ଲାଗି ବସି ବିଭିନ୍ନ ବିଷୟରେ ଆଳାପ ବା ସଂଳାପ କରିବା । ତାହା ଇସୋପନିଷଦ ହେଉ ବା ମାଣ୍ଡୁକ୍ୟୋପନିଷଦ ହେଉ ।

 

କେତେ ରୂପରେ ରମ୍ୟରଚନା :

ରମ୍ୟରଚନା ସମ୍ପର୍କରେ ତା’ର ଗୁଣ, ଧର୍ମ ଓ ପରିସରାଦି ଏତେ ଆଲୋଚନା କଲା ପରେ ବି ସାହିତ୍ୟର ବିଭିନ୍ନ ଗଦ୍ୟରଚନା ଭିତରୁ ଯଥାର୍ଥ ରମ୍ୟରଚନାଟିକୁ ବାଛି ଜାଣିବାରେ ବେଳେବେଳେ ରମ୍ୟରଚନାର ପାର୍ଥକ୍ୟ ଜଣାପଡ଼େ ନାହିଁ - ସେମିତି କ୍ଷୁଦ୍ରଗଳ୍ପଗୁଡ଼ିକ ସହିତ ମଧ୍ୟ ବେଳେବେଳେ ରମ୍ୟରଚନାଟିଏ ଲୁଚି ରହିଥାଏ । ତାକୁ ଖୋଜି ଚିହ୍ନି ବାହାର କରିବା ସାଧାରଣ ସାହିତ୍ୟ-ଜରୁରୀ ପକ୍ଷରେ କଷ୍ଟକର ହୋଇପଡ଼େ । ସେହିପରି ମଧ୍ୟ ସାମ୍ବାଦିକ ରଚନାଗୁଡ଼ିକ ସହିତ ବହୁବେଳରେ ରମ୍ୟରଚନାଟିଏ ଲୁଚି ରହିଥାଇପାରେ ।

 

ଏଭଳି ହେବାର କାରଣ ହେଲା - ବେଳେବେଳେ ଲେଖକ ରମ୍ୟ ରଚନା ଲେଖୁଲେଖୁ ଗଳ୍ପଟିଏ ଆପଣାଛାଏଁ ଲେଖି ହୋଇଯାଏ । ଯେମିତି ଚନ୍ଦ୍ରଶେଖର ରଥଙ୍କର ‘‘ଆମ ସାର୍‌’’ ।

 

ବିପରୀତରେ ବି କେହି ଲେଖକ ଗଳ୍ପଟିଏ ଲେଖୁ ଲେଖୁ ତାହା କେତେବେଳେ ରମ୍ୟରଚନାକୁ ଧର୍ମାନ୍ତରିତ ହୋଇ ଯାଇଥାଏ । ଯେମିତ ବାମାଚରଣ ମିତ୍ରଙ୍କର ‘‘ମିମିର ସାହିତ୍ୟ ଶିକ୍ଷା’’ ।

 

ସେମିତି ମଧ୍ୟ ବେଳଳେବେଳେ କୋଉ କୋଉ ଲେଖକର ସମ୍ବାଦିକୀ ଫିଚରଟିଏ ରମ୍ୟରଚନାର ରୂପ ଓ ଗୁଣ ଧାରଣ କରିଥାଏ । ଯେମିତି ମନୋଜ ଦାସଙ୍କ ‘‘କେତେ ଦିଗନ୍ତ “ ଓ ହରେକୃଷ୍ଣ ମହତାବଙ୍କର କେତୋଟି ‘‘ଗାଁ ମଜ୍‌ଲିସ୍‌’’ ।

 

ସେହିଭଳି କେହି ବିଦଗ୍‌ଧ ସୃଜନଶୀଳ କଥାକାର ବା କବିଙ୍କ ଲିଖିତ ସାହିତ୍ୟିକ ସମାଲୋଚନାଟିଏ ରମ୍ୟରଚନା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଇଥାଏ । ଯେମିତି ଗୋପୀନାଥ ମହାନ୍ତିଙ୍କର ‘‘ବାଇଆକକ’’ ବା ‘‘ଭଙ୍ଗାଛାତି’’, ଚନ୍ଦ୍ରଶେଖର ରଥଙ୍କର ‘‘ନରକିନ୍ନର” ବା “ପରଜା ଏବଂ ମହାପାତ୍ର ନୀଳମଣି ସାହୁଙ୍କ ‘‘ରାଣ୍ଡୀପୁଅ ଅନନ୍ତା’’ ଓ ‘‘ରେବତୀ’’ ପ୍ରଭୃତି । ଶଶୀଭୂଷଣ ରାୟଙ୍କକର । ‘‘କାଳ ବାଟେ କଥା ଚାଲେ’’ - ମଧ୍ୟ ଜାତୀୟ ରମ୍ୟରଚନା ।

 

ଗୋଟିଏ ପରିଚିତ ବା ଅପରିଚିତ ବା କାଳ୍ପନିକ ବ୍ୟକ୍ତିଟିର ଚରିତ୍ରଚିତ୍ରଣ, ତାହା ଯଦି ଲେଖକର ମୁଖପାତ୍ର ହିସାବରେ ଲେଖକର ବକ୍ତବ୍ୟକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରୁଥାଏ - ତାକୁ ମଧ୍ୟ ରମ୍ୟରଚନା କୁହାଯାଇପାରେ । ଯଥା - ଗୋପାଳ ପ୍ରହରାଜଙ୍କ ‘‘ବାଇ ମାହାନ୍ତିଙ୍କ ପାଞ୍ଜି” ।

 

ଏହି ରୀତିରେ ବେଳେ ବେଳେ ରସିକ ସମ୍ପାଦକଙ୍କ ଲିଖିତ ଛୋଟ ସମ୍ପାଦକୀୟଟିଏ ମଧ୍ୟ ଉତ୍‌କୃଷ୍ଟ ରମ୍ୟରଚନାର ସ୍ଵାଦ ଦେଇଥାଏ । ଯେପରି ସୁରେନ୍ଦ୍ର ମହାନ୍ତିଙ୍କ ‘‘ପ୍ରଥମାଷ୍ଟମୀ’’ ‘‘କାଗଜ ଡଙ୍ଗା’’ ପ୍ରଭୃତି ।

 

ସେହିପରି ଦେଶ ଓ ଜାତିକୁ ପ୍ରାଣଭରି ଭଲ ପାଉଥବା ବିଶିଷ୍ଟ ଦେଶ ସେବକ ଓ ଜାତିର ନିର୍ମାତାମାନଙ୍କ ମୁଖ୍ୟ ବା ଲେଖନୀ ନିଃସ୍ପତ ଗଭୀର, ଆନ୍ତରିକ, ଆବେଗପୂର୍ଣ୍ଣ ଅଭିଭାଷଣଗୁଡ଼ିକ ମଧ୍ୟ ଅନେକ କ୍ଷେତ୍ରରେ ରମ୍ୟରଚନାର ସାହିତ୍ୟିକ ମର୍ଯ୍ୟାଦା ଅର୍ଜନ କରିଥାନ୍ତି । ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସଙ୍କ ଜାତୀୟତା ଉଦ୍‌ବୋଧନମୂଳକ ଅଭିଭାଷଣ ଗୁଡ଼ିକ ଏ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ ।

 

ବେଳେବେଳେ କୌଣସି ଭ୍ରମଣକାହାଣୀ ବା ଜୀବନୀ ରଚନା ମଧ୍ୟ ରମ୍ୟରଚନାର ରଚନା ଶୈଳୀ ଧାରଣ କରି ତା’ର ନିଜ ପରିସର ଲଙ୍ଘନ କରିଥାଏ । ଯେମିତି ଚିତ୍ତରଞ୍ଜନ ଦାସଙ୍କର ‘‘ଶିଳା ଓ ଶାଳଗ୍ରାମ’’ ଅଥବା ମନୋଜ ଦାସଙ୍କ ‘‘ଦୂର ଦୂରାନ୍ତର’’ ଏବଂ ଶରତ ମହାନ୍ତିଙ୍କର ‘ଛତ୍ରପତି ବିବେକାନନ୍ଦ’ ।

 

କୌଣସି କୌଣସି ସ୍ଥଳେ, ବିଷୟନିଷ୍ଠ ଅଥଚ ମନ୍ମୟ ଏବଂ କାବ୍ୟିକ ଶୈଳୀରେ ଲିଖିତ ନିଚ୍ଛକ ପ୍ରବନ୍ଧଟିଏ ମଧ୍ୟ ତାର ଅନ୍ତର୍ନିହିତ ଧର୍ମରେ ରମ୍ୟରଚନା ହୋଇ ପାଠକ ଆଗରେ କେବଳ ତତ୍ତ୍ଵ ବା ତଥ୍ୟଗୁଡ଼ିଏ ବ୍ୟାଖ୍ୟାନ କରେ ନାହିଁ - ବରଞ୍ଚ ତା’ର ହୃଦୟରେ କିଞ୍ଚିତ ଭାବାନୁଭୂତି ବା ଭାବାବେଶ ସୃଷ୍ଟି କରିଥାଏ । ଯେମିତି କପିଳେଶ୍ଵର ଦାସଙ୍କର ‘‘ଅସୀମର ଆହ୍ୱାନ’’ ଅଥବା କୃପାସିନ୍ଧୁ ମିଶ୍ରଙ୍କ ‘‘କା’’ ଏବଂ ବିଶିଷ୍ଟ ପ୍ରାବନ୍ଧିକ ନୀଳକଣ୍ଠ ଦାସଙ୍କ ଲିଖିତ ‘‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା ଏବଂ ବାସୁଦେବ ମହାପାତ୍ରଙ୍କ ‘‘ପ୍ରାଣପାଚୁର୍ଯ୍ୟ’’ ଶରତ କୁମାର ମହାନ୍ତିଙ୍କର ‘‘ ଅପସଂସ୍କୃତିର ଇସ୍ତାହାର’’ ଅଥବା ‘‘ଧର୍ମ ସଙ୍କଟ’’ ବା ‘‘ସଂସ୍କୃତି ସଙ୍କଟ’’ ଭଳି ପ୍ରବନ୍ଧ ।

 

ଏହିପରି ଭାବରେ ଦେଖିଲେ ବୁଝାଯିବ ଯେ ଆଲ୍‌ଫ୍ରେଡ୍‌ କଜିନ୍‌ ଏହି ପ୍ରବନ୍ଧ ବା ରମ୍ୟରଚନାକୁ ଯେଉଁ ‘‘ଓପ୍ନଫର୍ମ’’ ବା ମୁକ୍ତ ଆଙ୍ଗିକ ନାମରେ ନାମିତ କରିଥିଲେ - ତାହା ବହୁ ଦୃଷ୍ଟିରୁ ସମୀଚୀନ ବୋଲି ପ୍ରମାଣିତ ହୋଇଯିବ । କାରଣ, ବର୍ତ୍ତମାନ ରମ୍ୟରଚନାକୁ ଆଉ ଗୋଟିଏ ନିର୍ଦ୍ଦିଷ୍ଟ ସୀମିତ ସାହିତ୍ୟିକ ବିଭାଗ ଭିତରେ ସଂଜ୍ଞାବଦ୍ଧ କରି ରଖି ହେବ ନାହିଁ । ରମ୍ୟରଚନାର ସାମାନ୍ୟତମ ଧର୍ମଗୁଣ ବା ରୂପ ପରିଗ୍ରହ କରି ସୁଚାରୁରୂପେ ଉତୁରି ଯାଇଥିବା ଯେ କୌଣସି ଗଦ୍ୟ ରଚନା ବା ପ୍ରବନ୍ଧ ନିବନ୍ଧକୁ ଆମେ ମୁକ୍ତ କଣ୍ଠରେ ଏଣିକି ‘‘ରମ୍ୟ ରଚନା’’ କହିବାରେ ଆଉ କାହାର ଆପତ୍ତି ରହିବା ଉଚିତ ନୁହଁ । କାରଣ ରମ୍ୟରଚନା ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ବଡ଼ଦାଣ୍ଡରେ ଆସି ଠିଆ ହୋଇଗଲାଣି । ସେ ସେଠି ଶୁଖୁଆବାଲୀଙ୍କଠାରୁ ନିର୍ମାଲ୍ୟ ବିକ୍ରେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ଲଗାଲଗି ଓ ଘେନାଘେନି ହୋଇ ମୁକ୍ତ ପୁରୁଷ ଭଳି ମହାନନ୍ଦରେ ଓ ମହାଗର୍ବରେ ବୁଲୁଅଛି । ତାର ସ୍ୱରରେ କେତେବେଳେ ‘‘ଓଁରେ ହରିଧ୍ଵନି’’ ତ କେତେବେଳେ ପୁଣି ‘‘ଶୁଖୁଆ ନବ ଶୁଖୁଆ ?’’ ଚିତ୍କାର ।

 

ଓଡ଼ିଆ ସାହିତ୍ୟରେ ରମ୍ୟରଚନାର ବିକାଶ :

ରମ୍ୟରଚନାର ଜନ୍ମ ଓ ବିକାଶ ୟୁରୋପରେ ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀରୁ ଆରମ୍ଭ ହୋଇଯାଇଥିଲେ ହେଁ ଆମ ଭାରତୀୟ ସାହିତ୍ୟରେ ବିଶେଷତଃ ଓଡ଼ିଆ ସାହିତ୍ୟରେ ତାର ବିକାଶ ପରମ୍ପରା ଏଇ ଗତ ଦ୍ଵିତୀୟ ବିଶ୍ଵଯୁଦ୍ଧଠାରୁ ଆରମ୍ଭ ହୋଇଥିଲା କହିଲେ ଚଳେ । ଅବଶ୍ୟ, ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗନିର୍ମାତା ରାଧାନାଥ ରାୟଙ୍କୁ ଆମେ ଆମ ରମ୍ୟରଚନାର ଜନକ ବୋଲି ନିବିବାଦରେ କହିପାରିବା । ରାଧାନାଥଙ୍କର ‘‘ବିବେକୀ’’ ରଚନାଟି ରମ୍ୟରଚନାର ପ୍ରଥମ ସଫଳ ଓ ଉତ୍କୃଷ୍ଟ ଉଦାହରଣ । ‘‘ବିବେକୀ’’ ଗୋଟିଏ ତତ୍ତ୍ଵସମୃଦ୍ଧ ପ୍ରବନ୍ଧ ମାତ୍ର ନୁହେଁ । ମନୁଷ୍ୟର ନୈତିକ ଓ ମନସ୍ତାତ୍ତ୍ୱିକ କେତେକ ଆଚରଣଗତ ସମସ୍ୟାକୁ ରାଧାନାଥ ଚମତ୍କାର କ୍ଳାସିକାଲ ଗଦ୍ୟଶୈଳୀରେ ବିଶ୍ଳେଷଣ କରି ଉପସ୍ଥାପନ କରିଛନ୍ତି । ଏବଂ ତାହା ପ୍ରବନ୍ଧ ଭଳି ତୃତୀୟପୁରୁଷର ନୈର୍ବ୍ୟକ୍ତିକ ବସ୍ତୁନିଷ୍ଠ ଉକ୍ତିମାତ୍ର ନୁହେଁ । ଏଥିରେ ଲେଖକ ପାଠକ ସହିତ ସମ୍ବନ୍ଧ ସ୍ଥାପନ କରି ଓ ପାଠକକୁ ସମ୍ବୋଧନ କରି ଆଳାପଛଳରେ ଏବଂ ଘରୋଇ ଢଙ୍ଗରେ କେତେକ ବିଚାରବନ୍ତ ମନ୍ତବ୍ୟ ପ୍ରକାଶ କରିଛନ୍ତି । ଏଥିରେ ସୁଭଗମନ୍ୟତା, ତ୍ରିତାପ ଦୁଃଖ, କୁମ୍ଭାବାଦ, ଅପରିପକ୍ଵତା, ବୋଝ ବୋହିବା ଇତ୍ୟାଦି ସମ୍ବନ୍ଧେ ବିବେକପ୍ରସୂତ ବିଚାରବିମର୍ଶ ରହିଅଛି ।

 

‘‘ବିବେକୀ’’ର ରଚନାଶୈଳୀର ସାମାନ୍ୟ ନମୁନା ଏହିପରି –

 

‘‘ଏଇ ଦେଖ ପାଠକ ! ଉପମା ଅଳଙ୍କାର ଲୋଡ଼ୁ ଲୋଡ଼ୁ ବାଟବଣା ହୋଇଥିଲି । ହଁ ଆମ୍ଭର ଆପଦ ଆମ୍ଭଙ୍କୁ ବିସ୍ତାର ଜ୍ଞାନ ଶିଖାଏ । ଏଣୁ ଆପଦ ଆମ୍ଭର ଉପକାରକ- ଏଡ଼େ ଉପକାରକ, ଏଡ଼େ ସ୍ପଷ୍ଟବାଦୀ ଉପକାରକ ଆଉ ନାହିଁ । ବିପଦରୁ ଯେଉଁ ଜ୍ଞାନ ମିଳେ, ଅନେକ ବ୍ୟୟରେ ମିଳେ । ଏମନ୍ତ ଜ୍ଞାନକୁ ଆମ୍ଭର ବିତ୍ତ ଅଂଶ ମଣିବାର ଉଚିତ । ଜ୍ଞାନୀଲୋକ ସର୍ବଦା ନମ୍ରହୋଇ ଅବସର ପ୍ରତୀକ୍ଷା କରିବ । ସବୁ ବିଷୟରେ ନମ୍ର ଥିବାର ଭଲ, ଆପଣା ଲଘିମା ସବୁବେଳେ ସ୍ମରଣ କରିବାର ଭଲ । ପ୍ରବୀଣ ସେନାପତି ପ୍ରାୟ ଉଚ୍ଚଭୂମି ଅନ୍ୱେଷଣ କରିବ ।’’

 

ପ୍ରକାଶ ଥାଉକି, ବିବେକୀ ହେଲା ବିଜ୍ଞବାଣୀ ବା ପ୍ରାଜ୍ଞଭକ୍ତିପୂର୍ଣ୍ଣ ରମ୍ୟରଚନାର ଏକ ପୁଷ୍କଳ ନିଦର୍ଶନ ।

 

କିନ୍ତୁ ରାଧାନାଥଙ୍କର ପଟ୍ଟଶିଷ୍ୟ ଭକ୍ତକବି ମଧୁସୂଦଦନ ବହୁ ପ୍ରଚନ୍ଧର କୁଶଳୀ ରଚୟିତା ହେଲେ ହେଁ ଯଥାର୍ଥରେ ରମ୍ୟରଚନାର ଗୁଣକର୍ମ ଧର୍ମ ସେଥିରେ ପ୍ରାୟତଃ ମିଳେ ନାହିଁ । ମଧୁସୂଦନ ଆମର ପ୍ରବନ୍ଧ ସାହିତ୍ୟର ଜନକ ଏହା ଅବିସମ୍ବାଦିତ ସତ୍ୟ-ମାତ୍ର ତାଙ୍କର କୌଣସି ପ୍ରବନ୍ଧରେ ‘‘ବିବେକୀ’’ ଭଳି ରମ୍ୟରଚନାର ସ୍ପର୍ଶ ନାହିଁ । କିନ୍ତୁ ଫକୀରମୋହନ ରମ୍ୟରଚନାରେ ହାତ ଦେଇଛନ୍ତି । ତାଙ୍କ ‘‘ନନାଙ୍କ ପାଞ୍ଜି’’ ସେକାଳର ଏକ ଉତ୍କୃଷ୍ଟ ରମ୍ୟରଚନା ସଙ୍କଳନ । ଫକୀରମୋହନ ଥିଲେ ସମାଜ ସଂସ୍କାରକ ପ୍ରୟାସୀ ଲେଖକ । ତାଙ୍କ ଗଳ୍ପ ଉପନ୍ୟାସଠାରୁ ରମ୍ୟରଚନା ଯାଏ ସର୍ବତ୍ର ଏଇ ମନୋଭାବ ସ୍ପଷ୍ଟ । କିନ୍ତୁ ରଚନାଶୈଳୀରେ ତାଙ୍କର ଶିଶୁସୁଲଭ ଚପଳତା, ସରଳତା, ସଜୀବତା ଓ ନିର୍ଭୀକ ସ୍ଵାଧୀନତା ଲକ୍ଷ୍ୟ କରିବାର କଥା –

 

‘‘ଉପେନ୍ଦ୍ରର ଭଞ୍ଜ ଚନ୍ଦ୍ରଉଦିଆ ଆଲୁଅର ଭାରି ଯମକ, ଭାରି ତେଜ, ମାତ୍ର ଭାରି ଧୂଆଁ । ସେ ଧୂଆଁ ବାବୁମାନଙ୍କ ନାକରେ ପଶିବାରୁ ନାକ ବୁଜିଧରି କହିଲେ ଛି ଛି - ଗନ୍ଧ - ଗନ୍ଧ - ଗନ୍ଧ - ଅଁଶ୍ଳୀଂଳଂ । ବାବୁମାନେ ନିର୍ଧୂମ ଗ୍ୟାସ ଆଲୁଅ, ହରିକେନ୍‌ ଲଣ୍ଠନ ଆଲୁଅ ଦେଖିଲେଣି । ଚନ୍ଦ୍ରଉଦିଆରେ ମନ କିଆଁ ରସିବ ? କିନ୍ତୁ ବିଦେଶୀ କାବ୍ୟ ନଭେଲ ଲଣ୍ଠନ ଭିତରେ କିରୋସିନି ଗନ୍ଧ ଅଛି । ବାବୁମାନଙ୍କର ତେତେ ଗହୀରକୁ ଚାଷ କାହିଁ ? ହେଲା ଏବେ - ଗ୍ୟାସ ଲଣ୍ଠନ ଭଲ ନିଧୁମ ଆଲୁଅ । ମାତ୍ର ସେଥିରେ ତୁମ୍ଭର କ’ଣ ବାବୁ ? ପର ଲୁଗା ପିନ୍ଧି ହାଟକୁ ଯାଇ ଲୋକେ ପଚାରିଲେ ମୁଣ୍ଡ ହଲାଇ ।’’

 

ରାଧାନାଥ ଫକୀରମୋହନଙ୍କ ପରେ ସତ୍ୟବାଦୀଯୁଗ ପର୍ଯ୍ୟନ୍ତ ଓଡ଼ିଆ ଗଦ୍ୟରେ ବହୁ ପ୍ରବନ୍ଧ ହୁଏତ ଲେଖା ଯାଇଛି । ମାତ୍ର ‘‘ରମ୍ୟରଚନା’’ ବା ତାଦୃଶ ଗଦ୍ୟରଚନା ଦିଗରେ କୌଣସି ପ୍ରତିଭାଶାଳୀ ଲେଖକ ହାତ ଦେଇ ନ ଥିବାର ମନେହୁଏ । ସତ୍ୟବାଦୀ ଯୁଗରେ ପଣ୍ଡିତ ନୀଳକଣ୍ଠ କେତେକ ସମାଜ ସଂସ୍କାରମୂଳକ ରମ୍ୟରଚନା ଲେଖିଥିଲେ । ତାଙ୍କର ‘‘ମୋ ନିଶ’’ ଭଳି ରମ୍ୟରଚନା ସେତେବେଳେ ଖୁବ୍‌ ଖ୍ୟାତି ଲାଭ କରିଥିଲା । ‘‘ଯୌବନର ପ୍ରଭାବ ଓ ପ୍ରତିଷ୍ଠା’’, ‘‘ଅଛୁଁ ଓ ହେବୁ’’ ପ୍ରଭୃତି ପ୍ରବନ୍ଧଗୁଡ଼ିକରେ ଏକ ମୌଳିକ ସାହିତ୍ୟିକ ଶୈଳୀ ଓ ଚିନ୍ତାପ୍ରଣାଳୀର ଅଭିବ୍ୟକ୍ତି ଘଟିଥିବାରୁ ଏବଂ ସେଗୁଡ଼ିକ - ପାଠକ - ଉଦ୍ଦେଶ୍ୟରେ ଆବେଗପୂର୍ଣ୍ଣ ଭାବରେ ସମ୍ଭାର୍ଷିତ ହୋଇ ଥିବାରୁ ସେଗୁଡ଼ିକୁ ରମ୍ୟରଚନାର ପରିସର ଭିତରକୁ ଅଣାଯାଇ ପାରେ । ଗୋଟିଏ ଦୃଷ୍ଟିରୁ ଦେଖିଲେ ନୀଳକଣ୍ଠଙ୍କ ରଚିତ ‘‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’’ ଗ୍ରନ୍ଥ ଦୁଇଟି ଏକ ଧାରାବାହିକ ଓଡ଼ିଆ ସାହିତ୍ୟର ଇତିହାସ ନୁହଁ । ଏଥିରେ ନୀଳକଣ୍ଠ ଅନ୍ୟ ସହିତ ଗଳ୍ପ କଲାଭଳି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଚାହାଣୀ ଓ ଚମକ ଉପରେ ବଡ଼ ରସାଳ ଓ ହୃଦ୍ୟରୀତିରେ ଆଲୋଚନା କରିଛନ୍ତି । ଏହାକୁ ଏକ ରମ୍ୟରଚନା ମଧ୍ୟ କୁହାଯାଇପାରେ । ତାଙ୍କ ରଚନାରେ କିୟଦଂଶ ଦେଖନ୍ତୁ-

 

‘‘ଓଡ଼ିଶାରେ ସଂସ୍କୃତି ଓ ସାହିତ୍ୟ କଥା ଭାବିଲା ବେଳେ ଖାଲି ଜାତି-ପ୍ରୀତିରେ ମୁହ୍ୟମାନ ହୋଇ ବର୍ତ୍ତମାନକୁ ଚାହିଁଲେ ଭ୍ରାନ୍ତିରେ ବାଟବଣା ହେବା ସ୍ଵାଭାବିକ । ସେଥିରେ ପୁଣି ଆମର ପ୍ରତିସ୍ପର୍ଦ୍ଧା । ତାଙ୍କ ସିଦ୍ଧମାନେ ଯେବେ ସ୍ୱର୍ଗୁ ଯାଇ ଯମକୁ ଜବତ୍‌ କରୁଥିଲେ, ତେବେ ଆମର ତହୁଁବଳି ବ୍ରହ୍ମାଙ୍କୁ ଧରିଆଣି ଗୋରୁ ତୋରାଣି ଦିଆଉଥିଲେ - କିମ୍ବା ସେ ସମସେ ତାଙ୍କର ନୁହନ୍ତି -ଆମର ‘‘ହାଡ଼ିପା’’ଙ୍କଠାରୁ ଜୟଦେବଙ୍କ ଯାଏ ସମସ୍ତେ ଆମର ।’’

 

ସତ୍ୟବାଦୀୟ ଯୁଗର ସମସାମୟିକ ବିଶିଷ୍ଟ ପ୍ରାବନ୍ଧିକମାନେ ହେଲେ ରତ୍ନାକର ପତି, ବିପିନ ବିହାରୀ ରାୟ, ମୋହନୀମୋହନ ସେନାପତି ଓ ଶଶୀଭୂଷଣ ରାୟ । ସେମାନେ ଦାର୍ଶନିକ ଓ ନୈତିକ ବହୁ ବିଷୟ ଉପରେ ଚିନ୍ତାଶୀଳ ପ୍ରବନ୍ଧମାନ ଲେଖଛନ୍ତି । କିନ୍ତୁ ‘‘ରମ୍ୟ ରଚନା’’ କୁହାଯାଇ ପାରିବ ନାହିଁ । କାରଣ, ସେଗୁଡ଼ିକ ହେଲେ ସମ୍ପୂର୍ଣ୍ଣ ଭାବେ ଯୁକ୍ତିସିଦ୍ଧ ବିଷୟମୁଖୀ ରଚନା-। ସେଗୁଡ଼ିକରେ ଲେଖକର ଭାବାବେଗ ବା ଭାବାବେଶ ଲେଶମାତ୍ର ନାହିଁ । ନିଜସ୍ଵ ଅନୁଭୂତି ବା ଅଭିଜ୍ଞତାର ରମ୍ୟ-ଅଭିବ୍ୟକ୍ତି ନାହିଁ । ବରଂ ଏମାନଙ୍କ ମଧ୍ୟରେ ଶଶୀଭୂଷଣ ରାୟଙ୍କର ‘‘ଉତ୍କଳ ପ୍ରକୃତି’’ ଓ ‘‘ଉତ୍କଳ ରତୁଚିତ୍ର’’ରେ କେତେକ କ୍ଷୁଦ୍ର ବୃହତ୍‌ ଆବେଗଧର୍ମୀ ଗଦ୍ୟରଚନାକୁ ଆମେ ରମ୍ୟରଚନାର ପାଖାପାଖି ବୋଲି କହି ପାରିବା । ଶଶୀଭୂଷଣଙ୍କ ‘‘ଉତ୍କଳ ପ୍ରକୃତି’’ ରଚନାର କିୟଦଂଶ ଏହିପରି –

 

‘‘ବିନ୍ଦୁ ସରୋବର ମଧ୍ୟସ୍ଥିତ ପ୍ରକାଣ୍ଡ ଦ୍ଵୀପଦଣ୍ତୀ ଉପରେ ଶତଶତ ପକ୍ଷୀ ବିଶ୍ରାମର ଆୟୋଜନ ସ୍ପୃହାରେ ଉପବିଷ୍ଟ ଏବଂ ଏମାନଙ୍କ ଉପବେଶନ ରୀତିରେ ସମସ୍ତ ଦ୍ଵୀପଦଣ୍ଡୀ ସଜ୍ଜୀକୃତ ଓ ଶୋଭାନ୍ୱିତ । ବିନ୍ଦୁ ସରୋବରର ଘଟଣାଗୁଡ଼ିକ ଉପରେ ମହାରାଷ୍ଟ୍ର ଭାମିନୀ, ତ୍ରୈଲଙ୍ଗ ସୀମନ୍ତିନୀ, କାନ୍ୟକୁବ୍‌ଜବାସିନୀ, ବିହାର ବିହାରିଣୀ, ଏବଂ ବଙ୍ଗୋତ୍କଳ କାମିନୀ ପ୍ରଭୃତି ବିଭିନ୍ନ ବେଶ-ଭାଷା-ସୌନ୍ଦର୍ଯ୍ୟ ଜ୍ଞାପକ ଦେଶ ସମୂହର ରୁଚିପ୍ରଚାର କରୁ ଅଛନ୍ତି । ଅସ୍ତମିତ ସୂର୍ଯ୍ୟକିରଣର ପାଟଳିମାରେ ଓ ବିଭିନ୍ନ ବେଶ ସୌନ୍ଦର୍ଯ୍ୟ ପ୍ରତିବିମ୍ବରେ ବିନ୍ଦୁ ସରୋବର ଉଜ୍ୱଳ-କିନ୍ତୁ ପୂର୍ବ ଗୌରବ ଭାବନାରେ ଉଦାସ । ସରୋବରତୀରସ୍ଥ ପ୍ରସ୍ତର- ପାବଚ୍ଛ ସମୂହ ଜୀର୍ଣ୍ଣ ଭଗ୍ନ, ଓ ଲୁପ୍ତ ।’’

 

ଶଶୀଭୂଷଣଙ୍କର ଏବଂବିଧ ବାଣଭଟ୍ଟୀୟ ସନ୍ଧି- ସମାସ- ସମନ୍ଵିତ ସାଧୁଭାଷାରେ ବର୍ଣ୍ଣନାତ୍ମକ ରଚନାରେ ଗୋଟିଏ ସୌନ୍ଦର୍ଯ୍ୟ ନିଶ୍ଚୟ ରହିଛି ।

 

ଏହିକାଳରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଲିଖିତ ଆତ୍ମଜୀବନୀମୂଳକ କେତୋଟି ରଚନା ମଧ୍ୟ ରମ୍ୟ ରଚନାର ସୌନ୍ଦର୍ଯ୍ୟ ଓ ଭାବରେ ପରିପୁଷ୍ଟ । ତାଙ୍କର ଶୈଶବ ସ୍ମୃତି, ବାଲ୍ୟସ୍ମୃତି, ନିଦାଘେ ଶାଳନ୍ଦୀ, ଶ୍ରାବଣେ ଶାଳନ୍ଦୀ, ଶରଦେ ଶାଳନ୍ଦୀ ପ୍ରଭୃତି ରଚନାଗୁଡ଼ିକ କାବ୍ୟରେ ଆବେଗାତ୍ମକ ଭାବସମ୍ପଦ ଧାରଣ କରି ପାଠକର ଚିତ୍ତକୁ ଦ୍ରବୀଭୂତ କରିଥାଏ । ଉଦାହରଣଟିଏ ଦେଖନ୍ତୁ ।

 

‘‘ମୁଁ ସେହି କରାଳକାଳର କଠୋର ପେଷଣରେ ନିଷ୍ପୀଡ଼ିତ ହୋଇ, ନିର୍ମମ ସଂସାରର କଠିଣ ପ୍ରହାରରେ ଜର୍ଜରିତ ହୋଇ ତୋହାରି ଶୀତଳ ବକ୍ଷରେ ସକଳଜ୍ୱାଳା ନିବାରଣ କରିବାପାଇଁ ଧାଇଁ ଆସିଥିଲି ମୋର ଏବେ କ’ଣ ହେବ ମା ? ସ୍ନେହ-ମମତାଶୁନ୍ୟ ସ୍ୱାର୍ଥାନ୍ଧମାନବ ସମାଜରୁ ଚିରକାଳ ଲାଗି ବିତାଡ଼ିତ ହୋଇ କାହା ଆଶ୍ରୟରେ ଏହି ବ୍ୟର୍ଥ ଜୀବନର ବାକୀ ଦିନ କେତୁଟା କଟାଇ ଦେବି ମା ? ମାତୃକୋଳ ଛଡ଼ା ସନ୍ତାନର ଅନ୍ୟଗତି କଅଣ ଅଛି ମା ? ତୋର ବିଶାଳ ବକ୍ଷରେ ଏ ପାପୀପାଇଁ କ’ଣ ଟିକିଏ ବି ସ୍ଥାନ ନାହିଁ ?

 

ବାମଣ୍ଡାର ବିଶିଷ୍ଟ ଜ୍ଞାନୀ ପ୍ରାବନ୍ଧିକ ଜଳନ୍ଧର ଦେବ ଅନେକ ଗୁଡ଼ିଏ ତାତ୍ତ୍ୱିକ ପ୍ରବନ୍ଧ ଲେଖିଛନ୍ତି । ତା’ ଭିତରେ କେତୋଟି ରମ୍ୟରଚନାର ଆସ୍ଵାଦ ମଧ୍ୟ ଦେଇଥାଏ । ଉଦାହରଣ ସ୍ୱରୂପ ତାଙ୍କର କନ୍ୟାର ମୃତ୍ୟୁପରେ ସେ ଯେଉଁ ଶୋକୋଚ୍ଛ୍ୱାସ ଗୋଟିଏ ରଚନାରେ ପ୍ରକାଶ କରିଛନ୍ତି - ତାହା ପଢ଼ିଲେ ହୃଦୟ ଆପ୍ଳୁତ ହୋଇଯାଏ । ଶଂସିତ ରଚନାରେ ମୃତା କନ୍ୟାର ଆତ୍ମା ତାର କନ୍ୟାଗତ ପ୍ରାଣ ଶୋକସନ୍ତପ୍ତ ପିତାର ଏକ ବିଶେଷ ଭାବାଚ୍ଛନ୍ନ ମୁହୂର୍ତ୍ତରେ ତା’ ସମ୍ମୁଖରେ ଠିଆ ହୋଇ କହୁଛି –

 

‘‘ବାବା ! ତୁମର ହୃଦୟ ମୋର ସ୍ଵର୍ଗ । ମୋର ମାଆର ହୃଦୟ ମୋର ସ୍ୱର୍ଗ । ମୁଁ ଭାବି ଦେଖୁଅଛି ଯେ, ମୁଁ ଜୀବିତ ଥିଲାବେଳେ ତୁମେ ଯେତିକି ସୁଖ ପାଉଥିଲ, ତଦ୍‌ପେକ୍ଷା ଅଧିକ ସୁଖ ପାଇବ । ମୋ ପ୍ରତି ଅଧିକ ସ୍ନେହଭାବ ବହିବ । ମୋର ଛବି ଦେଖି ଜୀବନଯାକ ଲୋତକ ବର୍ଷଣ କରୁଥିବ । ଏଇ ଚିନ୍ତା ତ ମୋର ସ୍ଵର୍ଗ ! ତୁମମାନଙ୍କ ହୃଦୟରେ ମୋର ସ୍ଵର୍ଗସୁଖ ଭାବି ମୁଁ ଏଡ଼େ ସୁଖୀ !!’’

 

ଏହି କାଳରେ ଜଣେ ବିଶିଷ୍ଟ ପ୍ରଭାବଶାଳୀ ରମ୍ୟରଚକ ହେଲେ ଗୋବିନ୍ଦ ତ୍ରିପାଠୀ । ବହୁ ରମ୍ୟରଚନାର ସ୍ରଷ୍ଟା ଭାବରେ ସେ ସୁପ୍ରତିଷ୍ଠିତ । ତାଙ୍କ ଲିଖିତ ‘‘ବଟୁଆ’’, ‘‘କଖାରୁ ଫୁଲ’’ ‘‘କଦଳୀ’’, ‘‘ଓଡ଼ିଆର ଆ’’ ପ୍ରଭୃତି ରମ୍ୟରଚନା ଓଡ଼ିଆ ସାହିତ୍ୟରେ ତାର ଭାବ ଓ ଭାଷାଶୈଳୀ ଯୋଗୁଁ ଅମର ହୋଇ ରହିବେ । ତାଙ୍କର ରଚନାଶୈଳୀ ଅପୂର୍ବ । ଫକୀରମୋହନ ଓ ଗୋପାଳ ପ୍ରହରାଜଙ୍କ ସହିତ ଭାଷାଶୈଳୀରେ ସେ ସମପର୍ଯ୍ୟାୟଭୁକ୍ତ ହେଲେ ହେଁ - ତ୍ରିପାଠୀଙ୍କ ଭାଷାଶୈଳୀ ଓ ବିଷୟ ଉପସ୍ଥାପନାରେ ସ୍ୱାତନ୍ତ୍ରୀ ରହିଛି । ପରିହାସାତ୍ମକ ବାଚାଳତା ସହିତ ଶିଳ୍ପୀ ସୁଲଭ ବାକ୍‌ସଂଯମ ଓ ସଂକ୍ଷିପ୍ତ ଟିପ୍‌ପଣୀ ତାଙ୍କର ବିଶେଷତ୍ଵ । କଥିତ ଭାଷାରେ ପାଠକ ସହିତ ସେ ଆଳାପ ଢଙ୍ଗରେ ଲେଖନ୍ତି । ପ୍ରଥମେ ଉତ୍‌ଥାପନ କରନ୍ତି ସାମାନ୍ୟ କଥାଟିଏ । ଏଇଧର - ‘‘ବଟୁଆ” ବା ‘‘କଦଳୀ” । କିନ୍ତୁ ସେଇଥିରୁ ତାଙ୍କର ଅସାମାନ୍ୟ ମନନଶୀଳତାର ପୁଷ୍ପିତ ଡାଳ ମେଲି ଯାଏ - ଢେଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ସାମାଜିକ କେତେ କେତେ ପ୍ରସଙ୍ଗ, କେତେ ତଥ୍ୟ, କେତେ ତତ୍ତ୍ୱ ସେ ହାଲୁକା ଢଙ୍ଗରେ ବିଶ୍ଳେଷଣ କରି ଚାଲନ୍ତି । ଲଘୁ ସ୍ଵରରେ ଖୁବ୍‌ ଗୁରୁଗମ୍ଭୀର ବିଷୟଗୁଡ଼ିକୁ ଗପି ଯାଆନ୍ତି । ସାଧାରଣ ଗାଉଁଲି ଢଗଢମାଳୀଠାରୁ ବଡ଼ ବଡ଼ କବି ମନୀଷୀଙ୍କର ବାକ୍ୟ ପ୍ରବଚନମାନ କଥା ମଝି ମଝିରେ ଉଦ୍ଧୃତି ଦେଇ ଯାଉଥାନ୍ତି । କେତେବେଳେ ଶିଷ୍ଟ ସାଧୁ ଭାଷାରେ କଥା କହୁଛନ୍ତି ତ - କେତେବେଳେ ଗାଁ ଗହଳର ସାଧାରଣ ସ୍ତ୍ରୀ ଲୋକଙ୍କ କଥିତ ଭାଷା ତାହା ସହିତ ମିଶାଇ ଦେଉଛନ୍ତି । ଖିଆଲୀ ଗପୁଡ଼ୀ ଲୋକ ଭଳି ଗପି ଚାଲନ୍ତି । କିନ୍ତୁ ଗୋଟିଏ ବାକ୍ୟ ବି ନୁହଁ ଅବାନ୍ତର । ଥଟ୍ଟା କରନ୍ତି - ମାତ୍ର କର୍କଶ ସ୍ଵରରେ ନୁହଁ । ନୀରସ ଭାଷାରେ ନୁହେଁ । ତାଙ୍କ ଲେଖା ପଢ଼ିଲେ ମନେହୁଏ ଆପଣାର ଲୋକଟିଏ - ମରମୀ ବନ୍ଧୁଟିଏ - ଦେଶ ଓ ଜାତିକୁ ଭଲ ପାଉଥିବା ଲୋକଟିଏ - ଜୀବନର ରସକୁ ଭଲଭାବେ ଚାଖି ଆହ୍ଲାଦ ପାଇଥିବା ଓ କଷଣ ପାଇଥିବା ରସିକ ଓ ଚତୁର ଲୋକଟିଏ ଏବଂ ବହୁଦର୍ଶୀ ସ୍ମାର୍ଟ ଲୋକଟିଏର ମୁହଁରୁ ସତେକି ହୃଦୟର କଥା ଶୁଣୁଛୁ । କଥା ଆରମ୍ଭ କରିବେ ‘‘ବଟୁଆ” ବା ‘‘କଖାରୁ ଫୁଲ’’ ଭଳି ତୁଚ୍ଛ ସାମାନ୍ୟ ଗୋଟାଏ ବିଷୟରୁ । ମାତ୍ର ସେହି ଆପାତତଃ ତୁଚ୍ଛ ସାମାନ୍ୟ ‘‘ବଟୁଆ’’ ଟି ଭିତରେ ପୁଣି ଏତେକଥା ଅଛି ? ଏତେ ତତ୍ତ୍ଵ ଅଛି ? ଏତେ ତଥ୍ୟ ଅଛି ଜାଣିବାକୁ, ବୁଝିବାକୁ ଓ କରିବାକୁ ? ବଟୁଆ ସହିତ ଓଡ଼ିଆ ଜାତୀୟତାର ସମ୍ପର୍କ ରହିଛି - ଏ କଥାଟି ଗୋବିନ୍ଦ ତ୍ରିପାଠୀଙ୍କ ମୁହଁରୁ ଶୁଣି ନ ଥିଲେ ଆମେ ଜାଣି ନଥାନ୍ତୁ କି ବିଶ୍ଵାସ ବି କରି ନଥାନ୍ତୁ । ସାଧାରଣ ଲୋକ ଭଳି କଥା କହିବେ । କିନ୍ତୁ କଥାର କି ଶକ୍ତିଶାଳୀ ପ୍ରଭାବ । କି ଜ୍ଞାନ ! କି ପ୍ରଜ୍ଞା ! ପରିହାସାତ୍ମକ ଢଙ୍ଗରେ କଥା କହିବେ - କିନ୍ତୁ କି ଆନ୍ତରିକତା ! ଆଉ କି ପ୍ରୀତିଛଳଛଳ ଆବେଗମୟତା ! ତା’କଥା । ସେ ଯୁଗର ରମ୍ୟରଚନା ସାହିତ୍ୟରେ ଗୋବିନ୍ଦ ତ୍ରିପାଠୀଙ୍କୁ ରମ୍ୟରଚନାର ରାଜା କହିଲେ ଅତ୍ୟୁକ୍ତି ହେବ ନାହିଁ-। ତାଙ୍କ ‘‘କଖାରୁ ଫୁଲ” ରଚନାରୁ କେତୋଟି ଧାଡ଼ି ହେଲା-

 

‘‘କଥାଟା କଣ କି ତୁମକୁ ଏଇ ନୂତନତ୍ୱର ଭୂତ ଲାଗିଛି । ନୂଆ ନାଗରୀଟିଏ ପାଇଲେ କବି ଯେପରି କାଳନାଗୁଣୀ ଠାରୁ ଆରମ୍ଭ କରି କଳାଭଅଁର, କଳାକୋଇଲି ପର୍ଯ୍ୟନ୍ତ ଡାଳିମ୍ବ ଠାରୁ ଆରମ୍ଭ କରି ପାଟଳି ଗଛ ପର୍ଯ୍ୟନ୍ତ ସବୁଥିରେ ତା’ରି ରୂପ ଓ ଗନ୍ଧ ଦେଖୁଥାଏ - ନୂଆ ନୂଆ ନାଗରଟିଏ ପାଇ ଗୋପୀମାନେ ଯେପରି ବୃନ୍ଦାବନର କଣ୍ଟାବୁଦା ଠାରୁ ଆରମ୍ଭ କରି କଦମ୍ବ ଗଛ ପର୍ଯ୍ୟନ୍ତ ସବୁଥିରେ କୃଷ୍ଣଙ୍କ ଅଙ୍ଗସୁଖ ପାଇଯାଉ ଥିଲେ, କଂସର ଦନ୍ତାହାତୀଟା ମଧ୍ୟ ପ୍ରାଣଭୟରେ ଯୁଆଡ଼େ ଚାହେଁ, ତେଣେ କୃଷ୍ଣଙ୍କୁ ଦେଖେ-ଯେପରି-ଆମେ ସେମିତିକା ହୋଇ ଯାଇଛୁ । ନୂଆ କଥାଟିଏ ବାହାରିଲା - ଆମକୁ ଲାଗିଗଲା ତା’ରି ନଟ । କିନ୍ତୁ ଆମର ଏ ନଟ ପଛରେ କ’ଣ ଅଛି-? ସୁବଳ ହାତୀର ଭୟ ଭେଳିକି, ନା ଗୋପୀମାନଙ୍କର ପ୍ରେମ ଭେଳିକି ?”

 

‘‘ବଟୁଆ” ରଚନାରୁ ମଧ୍ୟ କେତୋଟି ଧାଡ଼ି ଦେଖନ୍ତୁ ଜାତିପ୍ରୀତିରୁ ଉଦ୍‍ଭୂତ ବିଦ୍ରୂପାତ୍ମକ ଭର୍ତ୍ସନା ବାକ୍ୟର କି ଚମତ୍କାର ପ୍ରଭାବଶାଳୀତା !

 

‘‘ତୁମର ଆଖି ଅଛି - ସେ କିନ୍ତୁ ଖେଳ କୁଣ୍ଢେଇର ଆଖି । ତୁମର ବୁଦ୍ଧି ଅଛି - ସେ କିନ୍ତୁ କାଉଁରୀ ମନ୍ତ୍ରଭୁଲା ବୁଦ୍ଧି । ତୁମର ଶିକ୍ଷା ଅଛି - ସେ କିନ୍ତୁ ପୋଷା ଶୁଆର ଶିକ୍ଷା - ‘‘ଯାହା ପଢ଼ାଇଛି ଜଟାଧାରୀରେ ବରାଙ୍ଗୀ !”

 

ଏହି ସମୟର ଅନ୍ୟତମ ବିଶିଷ୍ଟ ରମ୍ୟରଚକ ହେଲେ ‘‘ଗୋପାଳ ପ୍ରହରାଜ’’ । ତାଙ୍କର ‘‘ବାଇ ମାହାନ୍ତି ଟୁଙ୍ଗୀ” ‘‘ନନାଙ୍କ ବସ୍ତାନୀ” ‘‘ଆମଘରର ହାଲଚାଲ’’ ଏକାଧାରରେ ଯେପରି ହାସ୍ୟଭାବର ଉଦ୍ରେକକାରୀ - ସେହିପରି ମଧ୍ୟ ଉତ୍କୃଷ୍ଟ ରମ୍ୟରଚନା ରୂପେ ଆମ ସାହିତ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି । ପ୍ରହରାଜ ‘‘ସାର୍‌ ରୋଜର’’ଙ୍କ ଅନୁକରଣରେ ‘‘ବାଇ ମାହାନ୍ତି” ନାମକ ଏକ କାଳ୍ପନିକ ଚରିତ୍ର ସୃଷ୍ଟି କରି ତାରି ମାଧ୍ୟମରେ ହସ, ପରିହାସ ଓ ରସିକତା ମାଧ୍ୟମରେ ତତ୍‌କାଳୀନ ଓଡ଼ିଆ ସମାଜର ନାନାଦି କୁସଂସ୍କାର ଓ ରୀତିନୀତିକୁ ବିଶ୍ଳେଷଣ କରିଛନ୍ତି । ତାଙ୍କର ଭାଷା ଶୈଳୀଟି ଅପୂର୍ବ । ଗାଉଁଲୀ ଭାଷାର ସମସ୍ତ ସ୍ଥୂଳତାକୁ ଚାଞ୍ଛିଚୁଞ୍ଛି ମାର୍ଜିତ ଓ ରସାପ୍ଲୁତ କରି ସେ ଆଳାପଛଳରେ ତାଙ୍କ ବକ୍ତବ୍ୟ ଉପସ୍ଥାପିତ କରିଛନ୍ତି । କେବଳ ସାମାଜିକ ସମାଜ ନୁହେଁ” ମନୁଷ୍ୟ ଜୀବନର ଅନେକ ସାର୍ବଜନୀନ ଓ ମୌଳିକ ପ୍ରସଙ୍ଗ ଭିତରେ ବି ସେ ତାଙ୍କ ଢଙ୍ଗରେ ପ୍ରବେଶ କରିଛନ୍ତି । ପ୍ରକାଶ ଭଙ୍ଗୀରେ ସେ ବୈଠକରୀତିକୁ ହିଁ ଗ୍ରହଣ କରିଛନ୍ତି । ବାକ୍ୟ ସବୁ ଗୋବିନ୍ଦ ତ୍ରିପାଠୀଙ୍କ ଭଳି ସଂକ୍ଷିପ୍ତ, କ୍ଷିପ୍ର ଓ ତୀକ୍ଷ୍‍ଣ ନୁହେଁ । ପ୍ରାୟତଃ ଖୁବ୍‌ ଜଟିଳ, ବିଳମ୍ବିତ ଏବଂ କେତେକାଂଶରେ ଖିଆଲୀ ଓ ପ୍ରଗଳ୍‌ଭ ମଧ୍ୟ । ତାଙ୍କର ‘ଘରଣୀ’ ପ୍ରବନ୍ଧରୁ ଉଦାହରଣଟିଏ ଦେଖନ୍ତୁ-। ତେଜସ୍ଵିନୀ ଘରଣୀର ରୀତି ହେଲା –

 

‘‘ପଦପଦକେ ନିଆଁ ଖପରା - ପଦପଦକେ ଡରାଣ - ମୁଁ ଫାସୀ ଲଗାଇ ଦେବି - ପାଣିକି ଡେଇଁ ପଡ଼ିବି । କିନ୍ତୁ ଏ ଶ୍ରେଣୀର ଘରଣୀମାନେ କେତେଥର ଏ କାର୍ଯ୍ୟ କରନ୍ତି ? ତାହା ଈଶ୍ଵରଙ୍କୁ ଜଣା । ବାଇ ମାହାନ୍ତି କହନ୍ତି - ‘‘କହେ ଯେ କରେ ନାହିଁ - କରେ ଯେ କହେ ନାହିଁ ।’’

 

ନନାଙ୍କ ବସ୍ତାନୀରୁ ଗୋଟିଏ ପାରା ଦେଖନ୍ତୁ ।

 

‘‘ତୁମେମାନେ ଆପଣା କାମ ହାସଲ କରିବାକୁ ନ କରୁଛ କ'ଣ ? ଖୋସାମଦ, ମିଥ୍ୟା, ପଞ୍ଚମକାର ଉପାସନା, ଶ୍ରୀ ସୁନ୍ଦରୀ ପୂଜା, ପରଶ୍ରୀକାତରତା, ଅହଙ୍କାର, ଆସ୍ଫାଳନ, ପରଚ୍ଛିଦ୍ରାନ୍ଵେଷଣ, କପଟଚାର, ଏସବୁ ତୁମମାନଙ୍କର ଯାହା ଅଛି- ଆମ ବୁଢ଼ାଙ୍କ ଠେଇଁ ଏଥିରେ କାଣିଚାଏ ନାହିଁ । ଆମ ସାଙ୍ଗେ ବସିଲାବେଳକୁ ପଇତାଟି ସଫା କରି, ନଅ ଦଉଡ଼ିଆ କରି ପକାଇ ଊର୍ଦ୍ଧ୍ୱପୁଣ୍ତ୍ରକାଟି ଚୁର୍‌କୀରେ କୁଶଗଣ୍ଠିଟିମାନ ପକାଇ ବାହାରୁଛ - ଏଣେ ସାହେବସୁବାଙ୍କ ପାଖକୁ ଗଲାବେଳକୁ ପଇତାଟିକୁ ଘଣ୍ଟା ଚେନ୍‌ ଓ ଚାବି ଝୁଲାଇବା ସୂତା କରୁଛ । ଊର୍ଦ୍ଧ୍ୱପୁଣ୍ଡ୍ରଟିକୁ ରୁମାଲ ପ୍ରସାଦରୁ ଅନ୍ତର୍ହିତ କରୁଛ .ଇତ୍ୟାଦି ।’’

 

ଏମାନଙ୍କ ପରେ ଆମେ ଓଡ଼ିଆ ଗଦ୍ୟ ସାହିତ୍ୟ ଦେଖିବା କାଳିନ୍ଦୀ ଚରଣ ପାଣିଗ୍ରାହୀ, ରାଜକିଶୋର ରାୟ, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର, ଚିନ୍ତାମଣି ମିଶ୍ର ପ୍ରମୁଖ ବିଶିଷ୍ଟ କଥା-ସାହିତ୍ୟ ପ୍ରଣେତା ଓ ପ୍ରାବନ୍ଧିକମାନଙ୍କୁ । ଏମାନେ ଗଳ୍ପ ଉପନ୍ୟାସ ରଚନାରେ ଖ୍ୟାତି ଅର୍ଜନ କରିବା ସାଙ୍ଗେ ସାଙ୍ଗେ ପ୍ରବନ୍ଧ ଓ ରମ୍ୟରଚନା ସୃଷ୍ଟି କରିବାରେ ମଧ୍ୟ ଅପୂର୍ବ ପାଟବ ପ୍ରଦର୍ଶନ କରିଛନ୍ତି ।

 

କାଳିନ୍ଦୀ ଚରଣଙ୍କ ‘‘ନେତୃତ୍ୱ ଓ ନେତୃତ୍ୱ’’, ‘‘ଉତ୍ତରାଧିକାର’’ , ‘‘ସିଂହଭୂମିରେ ଶୃଗାଳ’’, ‘‘କହିପୁଛି ଜାଣେ ଯେ”, ‘‘ନାରୀ ଏବଂ ସୃଷ୍ଟିସ୍ଥିତି’’, ‘‘ଦୁଃଖ କହିବି କି ସୁଖ କହିବି” ପ୍ରଭୃତି ସାମାଜିକ ଓ ରାଜନୈତିକ ବିଷୟ ଉପରେ ଆଧାରିତ ପ୍ରବନ୍ଧ ଗୁଡ଼ିକ ରମ୍ୟରଚନା ଶ୍ରେଣୀରେ ପାଖାପାଖି ମନେ ହୁଏ । କାରଣ ସେଗୁଡ଼ିକରେ ଲେଖକ କେଳବ ତଥ୍ୟ ତତ୍ତ୍ଵାଦି ଉପସ୍ଥାପନ କରି ନାହାନ୍ତି - ଲେଖକଙ୍କର ସ୍ଵକୀୟ ଭାବପୂର୍ଣ୍ଣ ଭାଷାଶୈଳୀ ଏବଂ ଉଚ୍ଚାରଣରେ ଆନ୍ତରିକତା ସେଗୁଡ଼ିକୁ କେବଳ ନୀରସ ଯୁକ୍ତିସମ୍ମତ ବିଷୟନିଷ୍ଠ ପ୍ରବନ୍ଧମାତ୍ରରେ ସୀମାବଦ୍ଧ କରିନାହିଁ । କାଳିନ୍ଦୀବାବୁଙ୍କ ମାର୍ଜିତ ନାଗରିକ ଚିତ୍ତସୁଲଭ ରସିକତା ମଧ୍ୟ ତାଙ୍କର ଅନେକ ରଚନାରେ ଲକ୍ଷଣୀୟ । ‘‘ନାରୀ ଓ ସୃଷ୍ଟି ସ୍ଥିତି’’ ଭଳି ସାର୍ବଜନୀନ ଜୀବନ ସମସ୍ୟା ସମ୍ବଳିତ ରଚନାଟିର ଅୟମାରମ୍ଭ କଥନ ଭଙ୍ଗୀଟିକୁ ଲକ୍ଷ୍ୟ କରନ୍ତୁ –

 

‘‘ଏ ପ୍ରବନ୍ଧ ଆରମ୍ଭ କରିବା ବେଳେ ଲେଖକର ପୁରାପୁରି ଚୈତନ୍ୟ ଅଛି ଯେ, ସେ ନାରୀ ନୁହଁ - ପୁରୁଷ । ନାରୀ ବିଷୟରେ ଭାବିବା ବେଳେ ବା କହିଲା ବେଳେ ଆଜି ଅନେକପୁରୁଷଙ୍କର ଏହି ଲିଙ୍ଗ-ଚେତନା ଜନ୍ମିଥାଏ । କାରଣ ପୁରୁଷର ଦୃଷ୍ଟି ଆକର୍ଷଣ ପାଇଁ ନାରୀ କେବେଳ ଚାବିକାଠି କାନିରେ ନ ବାନ୍ଧି ରୀତିମତ ଚାବୁକ୍‌ ସାହାଯ୍ୟରେ ତାହା ଚୈତନ୍ୟ ଉଦୟ କରି ଦେଉଅଛି.’’ ଯଥାର୍ଥରେ ଆଜି ଦେଖିବାକୁ ଗଲେ ଦାନ୍ତୋଙ୍କର ‘‘ଭିଜନ୍‌’’ କିମ୍ବା କାଳିଦାସଙ୍କ ‘‘ମେଘଦୂତ’’ରେ ‘‘ବିଏଟ୍ରିସ୍‌” କିମ୍ବା ଯକ୍ଷପତ୍ନୀ, କିମ୍ବା କଳ୍ପନାର ଗୋଟିଏ ଗୋଟିଏ ଖୋଳପିନ୍ଧି ଦୁଷ୍‌ପ୍ରାପ୍ୟ ହୋଇ ପଡ଼ିଛନ୍ତି । ପୁଣି ରୋମାଣ୍ଟିକ୍‌ ଜୀବନର ଦାରୁଣ ବ୍ୟର୍ଥତାକୁ ଅଧିକ ପରିସ୍ଫୁଟ କରି ଦେଉଛନ୍ତି ।” ସେହିପରି ତାଙ୍କ ‘‘ଉତ୍ତରାଧିକାର’’ ରଚନାରୁ କେତୋଟି ପ୍ରବଚନଧର୍ମୀ ବିଦଗ୍‌ଧ ବାକ୍ୟ ଦେଖନ୍ତୁ –

 

‘‘ଗାନ୍ଧୀ-ଜୀବନଠାରୁ ଗାନ୍ଧି ମରଣ ଅଳ୍ପ ଗୌରବମୟ ହୋଇନାହିଁ । ଗାନ୍ଧି-ଜୀବନର ଆଲୋକ ପ୍ରଧାନତଃ ଭାରତକୁ ଆଲୋକିତ କରିଥିଲା । ଗାନ୍ଧିମରଣ ଆଜି ସମଗ୍ର ପୃଥିବୀକୁ ପ୍ରତିଭାତ କଲା ।’’

 

ଏଠାରେ ଲକ୍ଷ୍ୟ କରିବାର ଅଛି ଯେ, ଫକୀର ମୋହନ, ଗୋପାଳ ପ୍ରହରାଜ ଓ ଗୋବିନ୍ଦ ତ୍ରିପାଠୀଙ୍କ ଗାଉଁଲୀ କଥକତାର ବୈଠକୀ ଭାଷାଶୈଳୀର ରସିକତା କ୍ରମଶଃ ନଗରସୁଲଭ ବାଜ- ବୈଦଗ୍‌ଧ୍ୟ ଆଡ଼କୁ ଢଳି ଆସୁଛି ।

 

ବର୍ତ୍ତମାନ ଏଇ ପରିପ୍ରେକ୍ଷୀରେ ନିତ୍ୟାନନ୍ଦ ମହାପାତ୍ରଙ୍କର ‘‘ପତ୍ର ଓ ପ୍ରତିମା’’ ଭଳି ଆମ ସାହିତ୍ୟରେ ଏକ ଜୀବନଧର୍ମୀ ଅମର ରମ୍ୟରଚନା ଗ୍ରନ୍ଥ ସମ୍ପର୍କରେ ଦେଖାଯାଉ । ‘‘ପତ୍ର ଓ ପ୍ରତିମା’’ରେ ଲେଖକ ତାଙ୍କର କଳ୍ପିତ ନାୟିକା ବା ମାନସୀ ପାଖକୁ କେତେକ ପତ୍ର ଲେଖିଛନ୍ତି । ମାତ୍ର ସେହି ପତ୍ରଗୁଡ଼ିକ ଭିତରେ ଲେଖକ ନିଜର ବ୍ୟକ୍ତିଗତ ଅନୁଭୂତି ଗୁଡ଼ିକୁ କାବ୍ୟିକ ଶୈଳୀରେ ପ୍ରକାଶ କରୁ କରୁ ଜୀବନର ବହୁ ମୌଳିକ ବିଷୟ ଉପରେ ଆପଣାର ମନନଶୀଳ ଉପଲବ୍‌ଧିଗୁଡ଼ିକ ବଡ଼ ତନ୍ମୟ ଓ ମନ୍ୟ ଭାଷାଶୈଳୀରେ ଉପସ୍ଥାପିତ କରିଛନ୍ତି । ସେଥିରେ ‘‘ଭକ୍ତି” ‘‘ସ୍ଵଧର୍ମ” ‘‘ବିଶ୍ୱାସ”, ‘‘ସମନ୍ୱୟ’' ‘‘ସଭ୍ୟତା”, ସଂସ୍କୃତି, ସାହିତ୍ୟ, ବିବାହ, ଭ୍ରମଣ, ନାୟକ ନାୟିକା ଓ ପ୍ରେମପ୍ରୀତି ସମ୍ପର୍କରେ ବହୁ ହାର୍ଦ୍ଦିକ କଥା କୁହାଯାଇଛି । ନିତ୍ୟାନନ୍ଦଙ୍କର ଦାର୍ଶନିକ ଚିନ୍ତା ବୌଦ୍ଧିକ ତତ୍ତ୍ଵ ବିଶ୍ଲେଷଣ ଓ କାବ୍ୟ କଳାତ୍କକ ଭାଷାଶୈଳୀ ‘‘ପତ୍ର ଓ ପ୍ରତିମା’’କୁ ରମ୍ୟରଚନା ସାହିତ୍ୟରେ ଏକ ବିଶିଷ୍ଟ ଆସନର ଅଧିକାରୀ କରିଅଛି । ‘‘ଅଶ୍ରୁ” ସମ୍ବନ୍ଧୀୟ ପତ୍ରଟିରୁ କେତୋଟି ଧାଡ଼ି ଦେଖନ୍ତୁ-

 

‘‘ଅନ୍ଧାରରେ ଯେଉଁ କ୍ରନ୍ଦନ ତାହାହିଁ ଆତ୍ମାର ଅଶାନ୍ତ ଅବସ୍ଥା । ଆଲୋକରେ କ୍ରନ୍ଦନ ଭୋଗବିଳାସୀ ଲାଳସୀମନର କାତର ପ୍ରାର୍ଥନା । ତଥାପି ଆଖିପାଣି, ଅଶ୍ରୁକଣା, କେବେ ବ୍ୟର୍ଥ ନୁହେଁ । ତୀର୍ଥଜଳ କଳୁଷିତ ହୋଇପାରେ । ମାତ୍ର ଆଖିପାଣି କେବେ କଳୁଷିତ ହୋଇପାରେ ନାହିଁ-। ମୋର ଦୁଃଖ ମୁଁ ଆପ୍ରାଣ କାନ୍ଦିପାରୁ ନାହିଁ । ମନବୋଧ କରି କାନ୍ଦିପାରୁ ନାହିଁ । କାନ୍ଦଣାର ସେ ସପନପୁରୀର ଆଭାସ ମାତ୍ର ପାଇଛି । ପ୍ରବେଶ ପଥ ପାଇ ପାରିନାହିଁ ।’’

 

ଏହି ପତ୍ର ଆକାରରେ ‘‘ରମ୍ୟ ରଚନା”ରେ ଆଉ ଦୁଇଟି ଉଦାହରଣ ହେଲା - ଚିତ୍ତରଞ୍ଜନ ଦାସଙ୍କ ‘‘ଶିଳା ଓ ଶାଳଗ୍ରାମ'” ଏବଂ ଅଖିଳ ପଟ୍ଟନାୟକଙ୍କର ‘‘ଅନାଗତ ଫାଲ୍‌ଗୁନ” ।

 

ଗୋପୀନାଥ ମହାନ୍ତିଙ୍କର ‘‘କଳାଶକ୍ତି” ଗ୍ରନ୍ଥଟି ବିଭିନ୍ନ ସାହିତ୍ୟିକ ବିଷୟ ଉପରେ କେତୋଟି ରମ୍ୟ ରଚନାର ଏକ ମନୋଜ୍ଞ ସଙ୍କଳନ । ଅଧ୍ୟାପକ ଯତୀନ୍ଦ୍ର ମୋହନ ମହାନ୍ତି ତାଙ୍କ ‘‘ନୂତନ ସମାଲୋଚନା” ଗ୍ରନ୍ଥରେ ‘‘କଳାଶକ୍ତି’’ର ପ୍ରବନ୍ଧଗୁଡ଼ିକ ଉପରେ ମତ ଦେଇ କହନ୍ତି .... ‘‘ଏ ହିଁ ପ୍ରବନ୍ଧଗୁଡ଼ିକର ଲେଖାର ଢଙ୍ଗ ଏପରି ଯେ ଏଗୁଡ଼ିକୁ ସୁନ୍ଦର ରମ୍ୟ ରଚନାର ପର୍ଯ୍ୟାୟଭୁକ୍ତ କରାଯାଇପାରେ । କେବଳ ନାମକରଣରେ ନୁହେଁ - ଲେଖର ଶୈଳୀ ସୃଷ୍ଟିଶୀଳ । ପ୍ରବନ୍ଧଗୁଡ଼ିକ ସୁନ୍ଦର ଗଳ୍ପ ପରି ସୁଖପାଠ୍ୟ । .ଆପାତତଃ ଦୃଷ୍ଟିରେ ମନେ ହେବ, ଲେଖକ ସତେ ଯେପରି ତତ୍ତ୍ଵର ଆଲୋଚନାରେ ବିଶେଷ ଆଗ୍ରହୀ ନୁହନ୍ତି । ତତ୍ତ୍ଵର ଦ୍ୱାହି ଦେଇ ସତେ ଯେପରି ନିଜ ସୃଷ୍ଟିର ଲାଳସା ପରିତୃପ୍ତ କରିବାକୁ ଚାହାନ୍ତି ! .ଏହି ପ୍ରବନ୍ଧ ଗୁଡ଼ିକରେ ପଶ୍ଚିମ-ସମାଲୋଚନାର ବିଶ୍ଳେଷଣାତ୍ମକ ବୁଦ୍ଧି ସହିତ ସ୍ଥାନୀୟ ଜୀବନ ଓ ଭାଷାର ଘନିଷ୍ଠତା ଓତପ୍ରୋତଃ ଭାବରେ ମିଳିତ ହୋଇ ରହିଛି ।

 

ରଚନାଗୁଡ଼ିକର ନାମ ହେଲା - ବାଇଆକକ (ଆଶ୍ଚର୍ଯ୍ୟବୋଧ) ଭଙ୍ଗାଛାତି (ରୋମଣ୍ଟିସିଜିମ୍‌) ଲୋକହସା (ହାସ୍ୟରସ) କାରୁଣ୍ୟ (ଟ୍ରାଜେଡୀ) କିମ୍ଭୂତ (ଉଦ୍‌ଭଟ) ଇତ୍ୟାଦି । ସେହି ଗ୍ରନ୍ଥର ‘‘ପତର ଚକି” ରଚନାରୁ କେତୋଟି ଧାଡ଼ି ପଢ଼ନ୍ତୁ –

 

‘‘ତେବେ ‘‘ଡେଙ୍ଗା” (ବାରବୁଲା ଚରିତ୍ର) କଣ କେବେ ମରିପାରେ ? ତାର ମଲାବେଳେ ଦେଶ ହୁଲ୍‌ସ୍ଥୁଲ୍‌ କମ୍ପିବ ନାହିଁ ଯେମିତି, ସେ ମଧ୍ୟ ନ୍ୟାୟତଃ ମରିବ ନାହିଁ ସେମିତି । ଏ ଆଲୁଅ, ଏ ଅନ୍ଧାର ଏ ପବନର ଗୋଟାଏ ଅଙ୍ଗ ହୋଇଗଲାଣି ସେ । ଜହ୍ନ ରାତିର ଛାପି ଛାପିକା ଆଲୁଅରେ ସେ ଆସିବ - ସକାଳର କାକରମିଶା ରଙ୍ଗ ଶିଉଳୀ ଫୁଲରେ ତାର ଅତୀତର ଜମାଟ ବନ୍ଧା ଲୁହ ଝରିବ । ସଜବେଙ୍ଗ, ବୁଢ଼ୀ, ଝାମୁରୀ, କବାଡ଼ି ଖେଳିଲା ବେଳେ ସୁଲୁସୁଲିଆ ବାଆରେ ତାଙ୍କୁ ଛୁଇଁଦେଇ ହସି ହସି ମେଞ୍ଚାଏ ରଙ୍ଗିଣୀ ଆଲୁଅ ତାଙ୍କ ଉପରେ ବିଞ୍ଚି ଦେଇ ସେ ଚାଲିଯିବ- ମଶାଣୀ ବରଗଛ ଭିତରେ - ନ ହେଲେ ଅନ୍ଧାରିଆ ବାଉଁଶ ବୁଦା ଭିତରେ ସେଇ ପୁରୁଣା ଆଇଡିଆଲ (ଆଦର୍ଶ) ଖୋଜିବାକୁ । ରାତି ଅଧରେ ବଣତୋଟା ଭିତରେ ଯେତେବେଳେ ଶବ୍ଦ ହେବ, କେଁ କେଁ କଟ୍‌କଟ୍‌, ମଟ୍‌ମଟ୍‌, ସେତେବେଳେ ଆମ ମିନି, ଧୂନି ହେରିକା ଚିରଚିରେଇ ଉଠିଲେ ଦେହରେ ଧଳା ଦାଢ଼ୀ ଆଉଁସି ମୁଢ଼କବି କହିବେ ‘‘ଛି-ଛି-ଶୋଇପଡ଼-ସେ ପରା ଆମ ଡେଙ୍ଗା !”

 

ସାହିତ୍ୟିକ ସମାଲୋଚନାତ୍ମକ ରମ୍ୟରଚନା ହିସାବରେ ‘‘କଳାଶକ୍ତି” ଆମ ସାହିତ୍ୟରେ ଏକ ଅମୂଲ୍ୟ ଗ୍ରନ୍ଥ ନିଶ୍ଚୟ ।

 

ଏହି ବିଶିଷ୍ଟ ରମ୍ୟରଚକମାଙ୍କୁ ଛାଡ଼ି ଦେଲେ ଏହି କାଳରେ ଆମେଆଉ କେତେକ ଲେଖକଙ୍କୁ ରମ୍ୟରଚନା ଭଳି କେତେକ ସୁଖପାଠ୍ୟ ପ୍ରବନ୍ଧ ଲେଖିଥିବାର ଦେଖୁଁ । ଏହି ସମୟରେ ଓଡ଼ିଆ ଭାଷାରେ କ୍ରମଶଃ ବହୁ ପତ୍ରପତ୍ରିକା ଓ ସମ୍ବାଦପତ୍ର ପ୍ରକାଶିତ ହୁଏ । ଏବଂ ସେ ସବୁରେ ଫିଚର୍‌, ପେପର୍‌, ସ୍ତମ୍ଭଲେଖ, ଅଗ୍ରଲେଖ, ହିସାବରେ ବହୁ ଲେଖା ପ୍ରକାଶ ପାଏ, ଯେଉଁଗୁଡ଼ିକ କି ତତ୍କାଳୀନ ରାଜନୀତି, ଶାସନନୀତି ଓ ସାମାଜିକ ସମସ୍ୟା ଗୁଡ଼ିକ ଉପରେ ଆଲୋକପାତ କରେ । ସମାଜ ସମ୍ବାଦପତ୍ରର ‘‘ଝିଟିପିଟି କହେ” - ‘‘ପ୍ରଜାତନ୍ତ୍ର’’ର ‘‘ଗାଁ ମଜଲିସ୍‌” - ମାତୃଭୂମିର ‘‘ବୁଲାଫକୀରର ଝୁଲାମୁଣି” ଓ ଧରିତ୍ରୀର ଦେବଦାସଙ୍କ ଲିଖିତ ‘‘ସାପ୍ତାହିକୀ” ଓ ମନୋଜଦାସଙ୍କ ଲିଖିତ ଧାରାବାହିକ ‘‘କେତେ ଦିଗନ୍ତ’’ର ରଚନାଗୁଡ଼ିକୁ ଆମେ ସାମ୍ବାଦିକୀ ରମ୍ୟରଚନାର ଆଖ୍ୟା ଦେଇ ପାରିବା । ଏହିକାଳ ଭିତରେ ସାମ୍ବାଦିକ ଶୀହର୍ଷ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ଓ ଅଧ୍ୟାପକ ଗୋଲକ ଧଳ ପ୍ରମୁଖ ସାମ୍ବାଦିକ ଅଧ୍ୟାପକମାନଙ୍କ ଲେଖନୀରୁ ସାମ୍ବାଦିକୀ ଶୈଳୀରେ ଲିଖିତ ଚମତ୍କାର ରମ୍ୟରଚନା ଗୁଡ଼ିଏ ସୃଷ୍ଟି ହୋଇଛି । ଅଧ୍ୟାପକ ଗୋଲକ ବିହାରୀ ଧଳଙ୍କ ‘‘ଲଣ୍ଡନ ଚିଠି” ପୁସ୍ତକର କେତେକ ଅଧ୍ୟାୟର ନାମକରଣ ହେଲା - ସାହେବୀ ଶିଷ୍ଟାଚାର, ନାଁ କଟକିଆଣୀ, ରନ୍ତଲେଇ, ବିଚରା ମାଷ୍ଟର, ବିଲାତିରାଜା, ବୈଦେହୀ ପଶ୍ୟ ଇତ୍ୟାଦି । ଗୋଲକ ଧଳଙ୍କ ରଚନା ଶୈଳୀର ନମୁନା ମଧ୍ୟ ଏହପରି କେତୋଟି ଧାଡ଼ିରୁ ଦେଖନ୍ତୁ –

 

‘‘ଆମ ଦେଶରେ ଭାରି ଟେକ ଯେ ଗୋରାଲୋକଙ୍କ ପରି କିଏ ସଫା ସୁତରା ହେବ ? କିରେ ବାବୁ ! ପର ହାଣିଲା କୋଡ଼ି ପାଣି ପରି ବହି ଯାଉଥିଲା । ସାଇବଙ୍କ କୁକୁର ରଖିବା ପାଇଁ ତ ପୁଞ୍ଜାପୁଞ୍ଜା ଲୋକ ଖଟିଥିଲେ । ସାଇବ ସଫା ହୁଅନ୍ତେ ନାଇଁ କାହିଁକି ? ମାତ୍ର ଏଠିତ (ବିଲାତରେ) ଲଙ୍କାରେ ସବୁଠୁଁ ସାନ ଯେ ସେ ଷାଠିଏ ହାତ ! ଚାକର ମିଳିବେ କେଉଁଠୁ ?’’

 

କିଛି କିଛି ସାମ୍ବାଦିକତା, କିଛି କିଛି ସାହିତ୍ୟିକ ରଚନାଶୈଳୀ, କିଛି କିଛି ବୌଦ୍ଧିକ ଚାତୁର୍ଯ୍ୟ, କିଛି କିଛି ହାସ ପରିହାସ, ରସିକତାପୂର୍ଣ୍ଣ ମନ୍ତବ୍ୟ ଏବଂ କିଛି କିଛି ବିଦଗ୍‌ଧ ଆଳାପ ସଂଳାପରେ ସୁଖାପାଠ୍ୟ ରମ୍ୟ ରଚନା ଲେଖି ଏ ଯୁଗରେ ଯେଉଁମାନେ ଯଶସ୍ଵୀ ହୋଇଛନ୍ତି - ସେମାନଙ୍କ ମଧ୍ୟରେ ଚିନ୍ତାମଣି ମିଶ୍ର, ରାଜକିଶୋର ରାୟ, ଅଖିଳ ମୋହନ ପଟ୍ଟନାୟକ, ମନୋଜ ଦାସ ଗୋବିନ୍ଦ ଦାସ, କୃଷ୍ଣଚରଣ ବେହେରା, କୃଷ୍ଣ ପ୍ରସାଦ ମିଶ୍ର ଓ କୁଞ୍ଜବିହାରୀ ଦାଶ ପ୍ରଧାନ । ଚିନ୍ତାମଣି ମିଶ୍ରଙ୍କର ‘‘ପଞ୍ଚପତ୍ରୀ” ହେଲା ପୁତ୍ର ନିକଟକୁ ପିତାଙ୍କର ଲିଖିତ ପାଞ୍ଚଟି ଚିଠି । ସେହିପରି ମନୋଜଙ୍କ ଦୂର ଦୂରାନ୍ତର, କୃଷ୍ଣପ୍ରସାଦଙ୍କ କାନେଡା ଡାଏରୀ, ଗୋବିନ୍ଦ ଦାସଙ୍କ ଦେଶେ ଦେଶେ ଓ ଭଗ୍ନାଂଶ, ମାୟାଧର ମାନସିଂଙ୍କ ପଶ୍ଚିମ ପଥିକ ଏବଂ କୁଞ୍ଜବିହାରୀଙ୍କ କାଶ୍ମୀର ଭ୍ରମଣ ଓ ସୁରେନ୍ଦ୍ର ମହାନ୍ତିଙ୍କ ‘‘ପେକିଙ୍ଗ ଡାଏରୀ ଆକୃତିରେ ଭ୍ରମଣ କାହାଣୀ ହେଲେ ବି - ସେଗୁଡ଼ିକ ରମ୍ୟ ରଚନା ରୀତିରେ ହିଁ ଲିଖିତ । ଗୋବିନ୍ଦଙ୍କ ଭଗ୍ନାଂଶ ପୁସ୍ତକର କେତୋଟି ଧାଡ଼ି ଦେଖନ୍ତୁ –

 

‘‘ସେ ପାର୍ଟିରେ ପ୍ରେମକଥା ସବୁ ପଡ଼ିଲା । କିଏ କେତେ ପ୍ରକାର କହିଲା । ଜାମେ କହିଲା- ଜୀବନରେ ମୁଁ ଅନେକ ପ୍ରେମ କରିଛି - କିନ୍ତୁ ଜୁଲୀ ପରି ଉନ୍ମାଦନା ମୁଁ କୋଉଠି ପାଇନାହିଁ-। ଜୁଲୀ ପକ୍ଷରେ ପ୍ରେମ କୌଣସି ସୂକ୍ଷ୍ମ ଝରଣା ନୁହେଁ । ଏହା ଏକ ଦୁର୍ବାର ଜଳପ୍ରପାତ । ଏଥିଭିତରେ ତୁମେ ଲୀନ ହୋଇ ଭସ୍ମ ହେବାରେ ବି ଗୌରବ । ଜୁଲୀ କହିଲା - ମୁଁ ଅନେକ ପ୍ରେମ କରିଛି - କିନ୍ତୁ ଜାମେ ପରି ପ୍ରସ୍ତରଖଣ୍ଡ ମୁଁ ଜୀବନରେ ଦେଖିନାହିଁ । ଅସୁନ୍ଦର ରୂପ ମୁଁ ସହ୍ୟ କରିପାରେ କିନ୍ତୁ ଏପରି ଅଜ୍ଞତା ମୁଁ ବରଦାସ୍ତ କରିପାରେ ନାହିଁ । ଜାମେ କବିତା ବୁଝେ ନାହିଁ ।’’

 

‘‘ବର୍ତ୍ତମାନ ଅଖିଳ ପଟ୍ଟନାୟକଙ୍କ ଲିଖତ ‘‘ନିଶା ନିବାରଣ” ‘‘ଉଷ୍ଟ୍ର ଉପାଖ୍ୟାନ” ‘‘ଶୁଭ ପରିଣୟ” ଇତ୍ୟାଦି ‘‘ମୁଁ କି ଜାଣେ ଟଙ୍କା ଫଙ୍କା !’’ ‘‘ବାଦାବାଦ” ‘‘ଜନନୀ ଜନ୍ମ ଭୂମିଶ୍ଚ” ପ୍ରଭୃତି ସୁବିଖ୍ୟାତ କଚ୍ଛପୀୟ ସ୍ତମ୍ଭ (ସମାବେଶ ପତ୍ରିକାରେ) ସେ ପ୍ରକାଶିତ ରମ୍ୟରଚନା ଗୁଡ଼ିକର ‘‘ଶୁଭ ପରିଣୟ ଇତ୍ୟାଦି” ରଚନାରୁ ଗୋଟିଏ ଉଦାହରଣ ଦେଖାଯାଉ-

 

‘‘ମୁଁ ବିଚରା ଗହଳି ଭିତରେ ନ ପଶି ଯୋଉଠି ଠିଆ ହୋଇ ରହିଥିଲି, ସେଠି ଥୁଆ ହୋଇ ରହିଥିଲା ପାଞ୍ଚଶହ ପର୍ଯ୍ୟନ୍ତ ଜୋତା, ଚଟି, ହାଫ୍‌ସୁ ଇତ୍ୟାଦି । ଜୋତାର ସ୍ତୂପକୁ ଅନୁଶୀଳନ କରି ଦେଖୁଥିଲି - ପ୍ରତ୍ୟେକ ଜୋତାର ଏକ ନିର୍ଦ୍ଦିଷ୍ଟ ଚରିତ୍ର ଅଛି ଯାହା ସେ ତାର ଅଧିକାରୀ ପାଇଥାଏ । ଯଥା ମୁଁ ବାଜିମାରି କହିପାରେ - ଏହି ଆପାତତଃ ଜୀର୍ଣ୍ଣ ଜୋତା ହଳକ ହେଡ଼୍‌ଆସିଷ୍ଟାଣ୍ଟ ବାବୁଙ୍କର - ଯାହାଙ୍କର ଦୁଇଟି ବିବାହ ଯୋଗ୍ୟା କନ୍ୟା ତଥାପି ବିବାହ କରି ପାରି ନାହାନ୍ତି ଏ ଯୋଡ଼ାଟି ବୋଧେ ବାଣୀବିହାର ଛାତ୍ରଟିର, ଯେ କି ଅନେକ ଲମ୍ବା କଲି ଓ ବାଳ ରଖିଛି ଓ ପ୍ରାୟତଃ ଫେଲ ହୋଇଥାଏ ଓ ଅନ୍ୟ ଚଟି ହଳକ ସେଇ ସରଳ, ସ୍ମିତହାସୀ, ନିରାଡ଼ମ୍ବର, ମନ୍ତ୍ରୀ ମହୋଦୟଙ୍କର - ଯାହାଙ୍କର ପୁତୁରା, ଦାଦା ଓ ମାମୁମାନେ ବ୍ୟବସାୟ କରି ଅନେକ ବିତ୍ତଶାଳୀ ହେବା ସତ୍ତ୍ଵେ ମଧ୍ୟ ସରଳ ଜୀବନଯାପନ କରୁଛନ୍ତି ଯଦି ମୋର କେବେ, ସୁବିଧା ହୁଏ, ତାହାହେଲେ ମୁଁ ଗୋଟାଏ ଯୋତାର ଲାଇବ୍ରେରୀ କରିବି ବୋଲି ସେଇଦିନ ହିଁ ସିଦ୍ଧାନ୍ତ ନେଲି ।’’ ମନୋଜ ଦାସଙ୍କ ‘‘ଦୂରଦୂରାନ୍ତର”ରୁ ସେକ୍‌ସପିଅରଙ୍କ ସମାଧି ଦର୍ଶନ ପ୍ରସଙ୍ଗରେ ମନୋଜ ଦାସଙ୍କର ଗୋଟିଏ ବିଦଗ୍‌ଧ ବକ୍ତବ୍ୟ ଦେଖନ୍ତୁ –

 

‘‘ସେକ୍‌ସପିଅରଙ୍କ ନାଟକ ଶହ ଶହ ବର୍ଷ ଧରି ସମାନ ଉତ୍ସାହରେ ଅଭିନୀତ ହେଉଛି - ଏହା ଏକ ବିରାଟ ବିସ୍ମୟ । ଅବଶ୍ୟ ଥରେ ଥରେ ପ୍ରୟୋଜନ ଓ ନିର୍ଦ୍ଦେଶକମାନଙ୍କ ଉତ୍ସାହ ଟିକିଏ ମାରାତ୍ମକ ଭାବରେ ବେଶୀ ହୋଇଯାଏ - ନ ହେଲେ ଭଲ ହୁଅନ୍ତା । ଉଦାହାଣ ସ୍ୱରୂପ - ଏ ଲେଖକ ଯେତେବେଳେ ସ୍କଟଲାଣ୍ଡରେ ଥିଲା, ସେତେବେଳେ ଏଡିନ୍‌ବରାର ଜଣେ ସ୍ଵନାମଧନ୍ୟ ନିର୍ଦ୍ଦେଶକ ‘‘ଓଥେଲୋ” ନାଟକର ଏକ ଦୃଶ୍ୟର ନାୟିକା ଡେସ୍‌ଡିମୋନଙ୍କୁ ଉଲଗ୍ନଭାବରେ ଦେଖାଇବାକୁ ଜିଦ୍‌ଧରି ବସିଲେ । ତାଙ୍କର ମନ୍ତବ୍ୟ - ସେକ୍‌ସିପଅର ସ୍ଵୟଂ ସେ ଦୃଶ୍ୟରେ ତାହାହିଁ କରିଥିବେ ତାଙ୍କର ସମୟରେ ।

 

ହାୟ ! ଉତ୍ସାହର ସେହି ପ୍ରାବଲ୍ୟ ଭିତରେ ଭଦ୍ରଲୋକ ଭୁଲି ଯାଇଥିଲେ ଯେ ସେକ୍‌ସପିଅରଙ୍କ ସମୟରେ ନାରୀ ଭୂମିକାରେ ଯେଉଁ ଅଭିନେତୃବର୍ଗ ଅବତୀର୍ଣ୍ଣ ହେଉଥିଲେ ସେମାନେ ଥିଲେ ନିପଟ ପୁରୁଷ ।

 

ବର୍ତ୍ତମାନ କୃଷ୍ଣପ୍ରସାଦଙ୍କ ‘‘କାନେଡା ଡାଏରୀ”ରୁ କିଛି ଅଂଶ ଦେଖନ୍ତୁ –

 

‘‘ସେତେବେଳେ ଶୁକ୍ଳପକ୍ଷର ଅଦ୍‌ଭୁତ ଚନ୍ଦ୍ର ମରୁଭୂମିର ଆକାଶରେ ସଦ୍ୟଧ୍ଵସ୍ତ ଗାଁ ଚାଳ ଉପରେ କୌଣସି ଶିଶୁର ହଳଦିଆ ବେଲୁନ୍‌ପରି ଦିଶେ ଉଦାସ, ନିଷ୍ପ୍ରଭ, ବିବର୍ଣ୍ଣ । ଚନ୍ଦ୍ରକୁ ଚାହୁଁ ଚାହୁଁ ନିଜକୁ ପ୍ରାଗୈତିହାସିକ ଜୀବ ପରି ଲାଗେ - କେତେ ହଜାର ବର୍ଷେତଳର କୌଣସି ଜୀବ ମୁଁ ଯେପରି - ମରୁଭୂମିର ବାଲୁକା ବିବର ଭିତରୁ ମୁହଁ ଟେକି ପ୍ରଥମ କରି ଚନ୍ଦ୍ରକୁ ଦେଖୁଛି । ଚନ୍ଦ୍ରକୁ ଚାହିଁ ଚାହିଁ ନ ହେଲେ ସପ୍ତର୍ଷିଙ୍କୁ ଗଣୁ ଗଣୁ ଆଖି ଲାଗି ଆସିଲା ବେଳକୁ । ମୁଁ ବେଳେବେଳେ ରେଡ୍‌ ଇଣ୍ଡିଆନ୍‌ମାନଙ୍କ କୁହାଟ, ସେମାନଙ୍କ ଅଶ୍ଵଖୁରାର ଶବ୍ଦ ଶୁଣିବାକୁ ପାଏ । କିନ୍ତୁ ନିଦ ଭାଜିଯିବା ପରେ କେଉଁଠି ହେଲେ ମୁଁ ସେମାନଙ୍କୁ ଦେଖିବାକୁ ପାଏ ନାହିଁ । ବୋଧେ ମେଟ୍ରୋ ଗୋଲ୍‌ଡେନ୍‌ ମେୟରର କୌଣସି ସିନେମାର ଦୃଶ୍ୟ, ଢୁଳାଉ ଢୁଳାଉ ମନରେ ଆବୃତ୍ତି କରିଦେଇଥାଏ ମୁଁ ।

 

ଏହିସବୁ ଉଦାହରଣ ଗୁଡ଼ିକରୁ ଆମେ ଲକ୍ଷ୍ୟ କରି ପାରିବା ମନୋଜଙ୍କ ଚଟୁଳ ବୌଦ୍ଧିକ ବାକ୍‌ଭଙ୍ଗୀ, ଗୋବିନ୍ଦ ଦାସଙ୍କର ମୁକ୍ତ ସରସ ବାସ୍ତବତା, ଅଖିଳଙ୍କ ରୋମାଣ୍ଟିକ୍‌ ଖିଆଲୀ ବାକ୍‌ବୈଦ୍‌ଗଧ୍ୟ ଏବଂ କୃଷ୍ଣପ୍ରସାଦଙ୍କର କଳ୍ପନା ଓ ବାସ୍ତବର ସମନ୍ୱୟତା । କିନ୍ତୁ ସମସ୍ତ ରଚନାରେ ଗୋଟିଏ ବିଶେଷଧର୍ମ ବିଭିନ୍ନ ଭାବରେ ପ୍ରକଟିତ ହୋଇଛି । ତା’ ହେଲା- ରସିକତା ଓ ମନ୍ମୟ ବାଗ୍ମିତା । ସବୁ ତତ୍ତ୍ଵ ଓ ତଥ୍ୟ ଭିତରେ ସେତିକି ହେଲା ରମ୍ୟ ।

 

ଚିଠି ବା ପତ୍ରଲେଖାର ମାଧ୍ୟମରେ ଆମ ସାହିତ୍ୟରେ ଯେତୋଟି ଉତ୍କୃଷ୍ଟ ରମ୍ୟରଚନା ଲେଖା ହୋଇଛି - ସେଥିଭିତରୁ ରାଜକିଶୋର ପଟ୍ଟନାୟକ, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର ଓ ପଣ୍ଡିତ ନୀଳକଣ୍ଠ ଏକାଠି ମିଶି ‘‘ପ୍ରେମର ନିୟତି” ନାମରେ ଯେଉଁ ବହିଟି ଲେଖିଛନ୍ତି - ତାହା ଆମ ସାହିତ୍ୟରେ ଏକ ଅତୁଳନୀୟ ରଚନାଗ୍ରନ୍ଥ । ଏହି ପ୍ରତିଭାବାନ ଲେଖକମାନେ ପରସ୍ପରକୁ ଚିଠି ଦେବା ଛଳରେ ଓ ଉତ୍ତରଦେବା ଛଳରେ ‘‘ପ୍ରେମ ପ୍ରୀତି’’ ଉପରେ ଖୁବ୍‌ ସରସ ଓ ବୌଦ୍ଧିକ ଆଲୋଚନା କରିଛନ୍ତି ।

 

ପତ୍ରଛଳରେ ରମ୍ୟରଚନାରେ ଦ୍ଵିତୀୟ ଉଲ୍ଲେଖନୀୟ ଗ୍ରନ୍ଥ ହେଲା ଅଖିଳ ପଟ୍ଟନାୟକଙ୍କର ‘‘ଅନାଗତ ଫାଲ୍‌ଗୁନ” ବା ସୁଜାତାକୁ ଟିଠି । ସୁଜାତା ହେଲା ଅଖିଳ ମୋହନଙ୍କର କଳ୍ପନା ବା ବାସ୍ତବର ମାନସୀ । ତା’ରି ପାଖକୁ ଚିଠିପରେଚିଠି ଲେଖିଛନ୍ତି ଲେଖକ । ପ୍ରୀତି ଛଳ ଛଳ ଆବେଗାତ୍ମକ ରୋମାଣ୍ଟିକ୍‌ ଚିଠିଗୁଡ଼ିକ ଭିତରେ ବିଦେହୀ ପ୍ରେମାନୁଭୂତି ସମ୍ଭୂତ ଅନେକ ଖିଆଲ ଭାବନା, ଅନୁଭୂତିର ସ୍ୱପ୍ନିଳ ଅଭିବ୍ୟକ୍ତି । ଗୋଟିଏ ଉଦାହରଣ ଦେଖନ୍ତୁ –

 

‘‘ସୁଜାତା ! ଏଇତ ସ୍ଵପ୍ନ । ଜୀବନରେ ଅନେକ ସ୍ଵପ୍ନ ଦେଖିଛି । ଖାଲି ଏତିକି ନୁହେଁ । ମୋ ଘରେ ଅନେକ ସ୍ୱପ୍ନର ଚାରା ଲଗେଇଛି । ତାହା ପୁଣି ସ୍ୱପ୍ନ ହୋଇ ଫୁଟିବ । ଆଉ ଯଦି କେବେ, ଧୁ’ ଧୁ’ ଦ୍ୱିପ୍ରହରରେ କାହାକୁ ଦେଖ ଡାକି ଡାକି ଚାଲିଛି- ‘‘ସ୍ଵପ୍ନ ନବ ସ୍ଵପ୍ନ ?” - ତାହେଲେ ପରିଷ୍କାର ବୁଝିବ ସୁଜାତା ! ମୁଁ ହେଉଛି - ସେଇ ସ୍ୱପ୍ନର ଫେରିବାଲା ।’’

 

କ୍ଷୁଦ୍ର କ୍ଷୁଦ୍ର ରମ୍ୟରଚନା ଲେଖିବାରେ ମନୋଜ ଦାସଙ୍କ ପରି ସୁରେନ୍ଦ୍ର ମହାନ୍ତି ମଧ୍ୟ ଖୁବ୍‌ ଦକ୍ଷତା ଦେଖାଇଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କର ଓଡ଼ିଆଙ୍କ ନିଦ, ପ୍ରଥାମଷ୍ଟମୀ,ଓ ମଦ୍ୟ ଓ ବନ୍ୟା, ମେଦବହୁଳ ସମାଜ, କଫି ଗବେଷଣା ପ୍ରଭୃତି ଚମତ୍କାର ଚୁଟ୍‌କୀ ରମ୍ୟରଚନା । ତାଭ୍‌କର ‘‘କାଗଜ ଡଙ୍ଗା” ରଚନାରୁ କେତୋଟି ପଂକ୍ତି ଦେଖନ୍ତୁ –

 

‘‘ଅବିଶ୍ଵାସର କଠୋର ମଧ୍ୟାହ୍ନରେ ତଥାପି ଯେଉଁମାନଙ୍କର ସ୍ଵପ୍ନବିଳାସ ଓ ଗଭୀର ବିଶ୍ଵାସବୋଧ ଆଜି ବି ରଙ୍ଗୀନ୍‌ କାଗଜ ଡଙ୍ଗାରେ ବାତ୍ୟାବିକ୍ଷୁବ୍‌ଧ ମହାସାଗର ଅତିକ୍ରମ କରିବା ପାଇଁ ପାଲ ମେଲିଥିଲା - ଫୁଲଝରୀଗୁଡ଼ିକୁ ଯେଉଁମାନଙ୍କ ପାଇଁ ଦୀପସ୍ତମ୍ଭର ଆଲୋକରି ଜଳି ଉଠିଥିଲା - ମୁଁ ସେମାନଙ୍କ ସହିତ ମିଶି ମୋର ରଙ୍ଗୀନ୍‌ ବୋଇତଟି ନ ମେଲୁଣୁ ସ୍ରୋତର ଆଘାତରେ ତାହା ଓଲଟି ପଡ଼ିଲା । ସେ ବୋଇତରେ ସ୍ୱପ୍ନର ପଣ୍ୟ ନ ଥିଲା କିମ୍ବା ବିଶ୍ଵାସର ଇନ୍ଧନ ନ ଥିଲା । ତାହା ଗୋଟିଏ ସାମାନ୍ୟ କାଗଜ ତିଆରି ଡଙ୍ଗା ମାତ୍ର ।”

 

ଏ ଯୁଗର ଅନ୍ୟତମ ବିଶିଷ୍ଟ ରମ୍ୟରଚନାକାରୀ ହେଲେ ବାମାଚରଣ ମିତ୍ର । ତାଙ୍କର ଜ୍ଞାନର ବ୍ୟାପକତା ଓ ଗଭୀରତା, (କ୍ରିକେଟ୍‌ ଖେଳ ଠାରୁ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ପର୍ଯ୍ୟନ୍ତ) ତାଙ୍କର ସୂକ୍ଷ୍ମତା ବୋଧ, ହାସ ପରିହାସ ପରାୟଣତା, ସଙ୍ଗତ ବିଚାର ବିଶ୍ଲେଷଣ, ନିଃସ୍ଖଳ ହୃଦୟବତ୍ତା, ତୀକ୍ଷ୍ମ ଧୀ ଶକ୍ତିର ଖେଳାଲୀଳା ଓ ବିଦ୍‌ଗଧ ପ୍ରଗଳ୍‌ଭତା ସବୁ. ମିଶି ତାଙ୍କର ରମ୍ୟ ଚରନା ଗୁଡ଼ିକୁ ଯେପରି ଲୋକପ୍ରିୟ କରିଛି - ସେହିପରି ବିଶିଷ୍ଟ କରି ମଧ୍ୟ ଗଢ଼ି ତୋଳିଛି । ତାଙ୍କର ବ୍ୟକ୍ତିତ୍ଵଟି ମଧ୍ୟ ଥିଲା ଜଣେ କୁଶଳୀ ରମ୍ୟରଚକର ବ୍ୟକ୍ତିତ୍ୱ । ସେଥିପାଇଁ ତାଙ୍କର ଉତ୍କୃଷ୍ଟ ଗଳ୍ପଗୁଡ଼ିକ ମଧ୍ୟ ବହୁବେଳରେ ରମ୍ୟରଚନାଧର୍ମୀ ବୋଲି ସମାଲୋଚକମାନେ କହିଥାନ୍ତି । ତାଙ୍କର ସାହିତ୍ୟ ସମାଜ ସଂସ୍କୃତି ସମ୍ବନ୍ଧୀୟ ସମାଲୋଚନାତ୍ମକ ପ୍ରବନ୍ଧଗୁଡ଼ିକ ମଧ୍ୟ ରମ୍ୟରଚନାଧର୍ମୀ ହୋଇଥିବା ହେତୁ ପାଠକର ମସ୍ତିଷ୍କ ପାଇଁ ବହୁ ତଥ୍ୟ ଓ ତତ୍ତ୍ଵ ପରିବେଷଣ କରିବା ସଙ୍ଗେ ସଙ୍ଗେ ହୃଦୟକୁ ମଧ୍ୟ ରସାର୍ଦ୍ର କରିଥାଏ । ତେବେ ତାଙ୍କର ‘‘ଏଣୁଶ୍ଚ ତେଣୁଶ୍ଚ’’ ହେଲା ଓଡ଼ିଆ ରମ୍ୟରଚନା ସାହିତ୍ୟ କ୍ଷେତ୍ରରେ ଏକ ଅମୂଲ୍ୟ ଗ୍ରନ୍ଥ । ଏଥିରେ ଥିବା ଶୋକ ସମ୍ବାଦ, ଖୋସାମଦ ସପକ୍ଷରେ, ଯାଦୁକରର ଖେଳ, ଭଡ଼ାଟିଆ, ଗୋଟିଏ ବାକ୍ୟ ରଚନା, କାହିଁକି କେଜାଣି, ଅପାଂକ୍ତେୟ ସାହିତ୍ୟ ଓ ଫୈୟାଜ ଖାଁ ଶୀର୍ଷକ ରଚନାଗୁଡ଼ିକ ଆମ ସାହିତ୍ୟରେ ହେଲା - ସେ କଥକତା କରନ୍ତି । ଗୋଟିଏ କଥା କହୁ କହୁ ପଚାଶ କଥାର ଅବତାରଣା କରନ୍ତି । ତା ଭିତରେ ଥାଏ କେତେ ତତ୍ତ୍ୱ, କେତେ ତଥ୍ୟ ଏବଂ ତାକୁ ସବୁ ପରିପୁଷ୍ଟ କରିବା ପାଇଁ କେତେ ଆଖ୍ୟାୟିକା, କେତେ କିମ୍ବଦନ୍ତୀ ଆଉ କେତେ ଦେଶ ବିଦେଶର ଜ୍ଞାନଗ୍ରନ୍ଥମାନଙ୍କରୁ କେତେ କେତେ ମୂଲ୍ୟବାନ ଉଦ୍ଧୃତିମାନ । ତାଙ୍କର ‘‘ଶୋକ ସମ୍ବାଦ” ରଚନାଟିରୁ ଉଦାହରଣଟିଏ ଦେଖନ୍ତୁ –

 

‘‘ସେମିତି ଶୋକସଭାର କଥା । ଏ ସଭାରେ ମୃତବ୍ୟକ୍ତିର ଏପରି ଗୁଣସବୁ ବକ୍ତାମାନେ ବର୍ଣ୍ଣନା କରନ୍ତି, ଯାହା କେବଳ ବୁଦ୍ଧ, ଯୀଶୁ, ଚୈତନ୍ୟ ଆଦି ଯୁଗାବତାରମାନଙ୍କଠାରେ ସମ୍ଭବ କିମ୍ବା ଅସମ୍ଭବ ମଧ୍ୟ । ଆଉ ପ୍ରତ୍ୟେକ ନିଜ ସହିତ ମୃତବ୍ୟକ୍ତିର ସମ୍ପର୍କ ଏପରି ଭାବରେ ଚିତ୍ରଣ କରନ୍ତି ଯେ, ଧାରଣା ଜନ୍ମେ- ମୃତବ୍ୟକ୍ତି କେବଳ ବକ୍ତାଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ବିଶ୍ଵାସ କରୁ ନ ଥିଲେ ବା ଖାତିର କରୁ ନ ଥିଲେ । କେହି କେହି ବକ୍ତା ମଝିରେ ମଝିରେ କାନ୍ଦି ମଧ୍ୟ ପକାନ୍ତି । କହନ୍ତି ନାହିଁ ? ‘‘ନଦେଲୁ ତୁଣ୍ଡେ, ଦେଲୁ ବେଣାମୁଣ୍ଡେ” ସେଇଆ । ଥରେ ତ ଏପରି ଏକ ସଭାରେ ଏକ ମର୍ମନ୍ତୁଦ ଘଟଣା ଘଟିଗଲା । କୁମାରୀ ହିମାଳୟଙ୍କ ଶୋକନୃତ୍ୟ ପରେ କୁମାରୀ ସାହାଡାସୁନ୍ଦରୀ ଆଧୁନିକ ଶୋକ ସଙ୍ଗୀତ ଗାନ କଲେ - ‘‘ହାୟ ! ତୁମେ ମରିଛ .ମରିଛ .ମରିଛ - ଏବଂ ଆମେ ଶୋକକରି ଚାଲିଛୁ .ଚାଲିଛୁ, ଚାଲିଛୁ .’’

 

ଏହିଭଳି ହାସ ପରିହାସମୟ ଦୃଷ୍ଟାନ୍ତ ଭିତରେ ଭିତରେ ପୁଣି ବାମାଚରଣ ଗୋଟିଏ ଦାର୍ଶନିକ ତତ୍ତ୍ଵର ମଧ୍ୟ ପ୍ରତିଷ୍ଠା କରିଦିଅନ୍ତି । ଯଥା –

 

‘‘ମୃତ୍ୟୁ ଏମିତି ନାନା କ୍ଷେତ୍ରରେ ନାନା ଭାବରେ କାର୍ଯ୍ୟ କରେ । ବ୍ୟାଧି ମୃତ୍ୟୁର ଏକମାତ୍ର କାରଣ ବା ସହଯୋଗୀ ନୁହେଁ । ଇନ୍ଦ୍ରିୟବଦ୍ଧ ମନ ଯେତେବେଳେ ନିଜର କାମନାକୁ ପ୍ରାଧାନ୍ୟ ଦିଏ, ସେତେବେଳେ ସେ ନିଜକୁ ଜୀବନ ପ୍ରବାହରୁ ବିଚ୍ଛିନ୍ନ କରି ଦେଖେ । ସେତେବେଳେ ମୃତ୍ୟୁ ତା’ ପକ୍ଷରେ ମହାଭୟର କାରଣ ହୁଏ ।’’

 

ଏ ଯୁଗର ଆଉ ଜଣେ ଲୋକପ୍ରିୟ ରମ୍ୟରଚନାକାର ହେଲେ ବସନ୍ତକୁମାର ଶତପଥୀ । ସେ ଖ୍ୟାତନାମା ଗାଳ୍ପିକ - କିନ୍ତୁ ସେ ଇଂରାଜୀ ରମ୍ୟରଚନା ଅନୁବାଦ କରିଛନ୍ତି ଓ ତାଙ୍କର ନିଜ ଲିଖିତ ‘‘ଆଧୁନିକ କେଶବିନ୍ୟାସ ଗୃହ’’ ‘‘ବୁଢ଼ାବାବୁ” ଓ ‘‘ପାନ’’ ପ୍ରଭୃତି ରଚନାଗୁଡ଼ିକ ପାଠକମାନଙ୍କ ଦ୍ଵାରା ଖୁବ୍‌ ସମାଦୃତ ହୋଇଛି ।

 

କବି ମାୟାଧର ମାନସିଂହଙ୍କ ରଚିତ ‘‘ଜୀବନପଥ”, କବି ସୀତାକାନ୍ତ ମହାପାତ୍ରଙ୍କର ‘‘ଅନେକ ଶରତ” ଓ କବି ପ୍ରମୋଦ ମହାନ୍ତିଙ୍କ ରଚିତ ‘‘କୋଣାର୍କ” ଏବଂ ଏକ ‘‘ରୂପସୀ ସମ୍ପର୍କ’’ରେ ପ୍ରଭୃତି ରଚନାଗୁଡ଼ିକ ଆମ ସାହିତ୍ୟରେ ଏକାଧାରରେ ଉତ୍କୃଷ୍ଟ ପ୍ରବନ୍ଧ ଓ ରମ୍ୟରଚନା ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି ।

 

ଏ ଯୁଗର ଅନ୍ୟତମ ବିଶିଷ୍ଟ ପ୍ରାବନ୍ଧିକ ହେଉଛନ୍ତି ଚିତ୍ତରଞ୍ଜନ ଦାସ ତାଙ୍କର ପ୍ରବନ୍ଧ ଗୁଡ଼ିକର ବିଷୟବସ୍ତୁର ପରିସର ଖୁବ୍‌ ବିସ୍ତୃତ ଏବଂ ସେ ଗୁଡ଼ିକରେ ଲେଖକଙ୍କର ଗଭୀର ତଥ୍ୟ ଓ ତତ୍ତ୍ୱଜ୍ଞାନ, ସୂକ୍ଷ୍ମ ମନନଶୀଳ ବିଶ୍ଳେଷଣ ସହ ଯୁକ୍ତିସଙ୍ଗତ ସିଦ୍ଧାନ୍ତମାନ ହେଲା ବିଶେଷତ୍ୱ କିନ୍ତୁ ତାଙ୍କର ‘‘ଡେନ୍‌ମାର୍କ ଚିଠି’’ ‘‘ଶିଳା ଓ ଶାଳଗ୍ରାମ” ‘‘ଜାତିରେ ମୁଁ ଯବନ” ଏବଂ ‘‘ଜୀବନ ବିଦ୍ୟାଳୟ’’ ଗ୍ରନ୍ଥଗୁଡ଼ିକ ଚମତ୍କାର ରମ୍ୟରଚନା ଧର୍ମୀ ପ୍ରବନ୍ଧ ଓ ସନ୍ଦର୍ଭରେ ସମୃଦ୍ଧ ହୋଇ, ଆମ ସାହିତ୍ୟରେ ଚିରନ୍ତନ ମୂଲ୍ୟ ଦାବୀ କରନ୍ତି । ସାମାଜିକ, ନୈତିକ, ମନସ୍ତାତ୍ତ୍ଵିକ, ସାହିତ୍ୟିକ ନୃତାତ୍ଵିକ ଦାର୍ଶନିକ ଓ ଧାର୍ମିକ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକ ଉପରେ ତାଙ୍କର ରଚନାଗୁଡ଼ିକ ଆଧାରିତ । ପ୍ରତ୍ୟେକ ସମସ୍ୟାର ବୁଦ୍ଧିପ୍ରଖର ବିଶ୍ଳେଷଣରେ ଚିତ୍ତରଞ୍ଜନ ଯଥେଷ୍ଟ ବିଦ୍ରୂପ ପରାୟଣ । ତାଙ୍କ ଲେଖାରେ ହାସ ପରିହାସ ନାହିଁ - ଖେଳ କୌତୁକ ନାହିଁ - ଥଟ୍ଟା ତାମ୍‌ସା ନାହିଁ - କି ସାମାନ୍ୟତମ ଖିଆଲ୍‌ବାଜି (ଇଡିଓସିନ୍‌କ୍ରେସୀ) ମଧ୍ୟ ନାହିଁ । କିନ୍ତୁ ପରିପୂର୍ଣ୍ଣଭାବେ ଥାଏ ବ୍ୟଙ୍ଗ ବିଦ୍ରୂପ ଆଉ ତୀବ୍ର ଭର୍ତ୍ସନା । ଏବଂ ଏଥିରେ ହିଁ ତାଙ୍କର ବ୍ୟକ୍ତିଗତ ଆନ୍ତରିକତା ଫୁଟିଉଠେ ତାଙ୍କର ବକ୍ତବ୍ୟର ସ୍ଵରଟି ହେଲା - କ୍ରୋଧ ଆଉ ବିରକ୍ତିର । ଅସହିଷ୍ଣୁତା ଆଉ ସାଲିସହୀନତାର । ତାଙ୍କର ‘‘ଭଗବାନ ଓ ଓଡ଼ିଆଜାତି” ରୁ ଉଦାହରଣଟିଏ ଦେଖନ୍ତୁ –

 

      ‘‘ଆପଣା ଘରେ ଆମେ ଓଡ଼ିଆ ଜାତି ମଧ୍ୟ ଭଗବାନଙ୍କୁ ଆପଣାର କରି ଖଟେଇବାରେ କିଛି କମ୍‌ କରାମତି ଦେଖାଇନାହୁଁ । ନବମ ଅବତାରରୁ ତ ନିଜେ ଭଗବାନ ଏଇ ଓଡ଼ିଶା ଭୂଇଁରେ ଆପଣାର ସ୍ଥାୟୀ ଘର କରି ରହିଲେଣି । ଗଉଡ଼ମାନେ ଏକାଠି ହେଲେ ଆପଣା ଗାଈର ପ୍ରଶଂସା କରନ୍ତି । ଘରଣୀମାନେ ଏକାଠି ହେଲେ ଆପଣା ଆପଣା ଗୃହସ୍ଥ‌ଓ ଗହଣାର ପ୍ରଶଂସା କରନ୍ତି । ଆମ ଘରେ ଭୋଗ ଖାଇ ଆମରି କାମପାଇଁ ବନ୍ଧାହୋଇ ରହିଥିବା ଦେବତା ଯେ ଅନ୍ୟସବୁ ଦେବତାଙ୍କଠାରୁ ବଡ଼, ଏକଥା ପ୍ରମାଣ କରିବାକୁ ଆମେ କୌଣସି କ୍ଷେତ୍ରରେ ହାତ ନ ମାରି ଛାଡ଼ିଥିଲା ପରି ଜଣାଯାଏ ନାହିଁ ।’’

 

ଚିତ୍ତବାବୁଙ୍କ ରଚନାଗୁଡ଼ିକରେ ସେ ଯୋଉ କଥା କହନ୍ତି - ତାହା ଅନ୍ୟକୁ କୁତୁକୁତୁ କରେ ନାହିଁ । ବରଂ ତାକୁ ଚିଡ଼ାଏ । ଏବଂ ବହୁବେଳେ ଚିତ୍ତବାବୁ ତାଙ୍କର ଦନ୍ଥରା ବାକ୍ୟ ତେଣ୍ଟାରେ ଭୁସି ପକାନ୍ତି । ସେଥିରେ ଭୁସା ଖାଉଥିବା ଲୋକ ହୁଏତ ମରେ ନାହିଁ, ମାତ୍ର ଛଟପଟ ହୁଏ - ସନ୍ତୁଳି ହୁଏ-

 

କିନ୍ତୁ ତାଙ୍କର ‘‘ଜୀବନ ବିଦ୍ୟାଳୟ” ଗ୍ରନ୍ଥ ଏକ ସ୍ୱତନ୍ତ୍ର ସୃଷ୍ଟି । ଏଥିରେ ସେ ଜଣେ ସ୍ନେହୀ ଛାତ୍ରବତ୍ସଳ ଶିକ୍ଷକ, ଦାର୍ଶନିକ ଏବଂ ଏପରିକି ଜଣେ ମରମୀ ସଖାଭଳି କଥା କହନ୍ତି । ଏବଂ ସେ କଥା ଗୁଡ଼ିକ ସାମାନ୍ୟ ଭାଷାମାତ୍ର ନୁହଁ । ସେଗୁଡ଼ିକ ହେଲେ ଗଭୀର ଜୀବନ-ବାଣୀ-ଜୀବନ-ବେଦ ଅଥବା ଧ୍ୟାନସ୍ଥ ପୁରୁଷର ପ୍ରବଚନ ସଦୃଶ । ଜୀବନ ବିଦ୍ୟାଳୟରୁ କେତୋଟି ଧାଡ଼ି ଶୁଣନ୍ତୁ । ଏହା ପ୍ରତିଦିନର ଡାଏରୀ ଭଳି ଓ ଚମ୍ପତ୍ତିମୁଣ୍ଡା ମୌଳିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତିଦିନର ବକ୍ତବ୍ୟର ଦିନପଞ୍ଜୀ ।

 

୧୯୫୬-୫୭ରେ ଦଳେଇଘାଈ ଭାଙ୍ଗିଯିବାରେ ଯୋଉ ଦାରୁଣ ବିପର୍ଯ୍ୟୟ ଘଟିଥିଲା ତା’ ଉପରେ କହୁ କହୁ ତା ୨୭-୯-୫୭ରେ ସେ ଯାହା କହିଲେ ତାର କିୟଦଂଶ ଏହିପରି –

 

‘‘ମଣିଷର ଦୁଃଖରେ ଏପରି ସାମୟିକ ଭାବରେ ଉତ୍ତେଜିତ ନ ହୋଇ ଦୁଃଖକୁ ଅନୁଭବ କରି ଶିଖିବାକୁ ସେତେବେଳେ ମୁଁ ଅନେକଥର କହିଥିଲି । ସଂସାରର ଦୁଃଖ ଓ ଦୁଃଖୀ ମଣିଷଙ୍କ ଲାଗି ଆମ ହୃଦୟରେ ଏକ ସ୍ଥାୟୀ ସ୍ଥାନ ରଖିବାକୁ ହେବ । ତା’ ନ ହେଲେ କୌଣସି ସାମୟିକ ଘଟଣାର ଉତ୍ତେଜନା ଚାଲିଗଲେ, ଆମେ ଦୁଃଖୀ ମଣିଷର କଥା ଭୁଲି ଯିବା ।’’

 

‘‘ଧର୍ମର ସାରକଥା”ରୁ କେତୋଟି ଧାଡ଼ି ଦେଖନ୍ତୁ –

 

‘‘କୌଣସି ପ୍ରକାର ମାନସିକ ସମ୍ମୋହନ ବା କାୟକୃଚ୍ଛଦ୍ଵାରା ଇଚ୍ଛାଶକ୍ତିକୁ ଜଡ଼ପ୍ରାୟ କରିଦେଇ ମଣିଷ ଘଡ଼ିଏ ଦି’ ଘଡ଼ିପାଇଁ ଯେଉଁ ବିସ୍ମୃତି ବା ଅଭିଭୂତତା ଅନୁଭବ କରେ, ପରମାର୍ଥ ଉପଲବ୍‌ଧିକୁ ତାହା ସହିତ ଏକାଠି ଘାଣ୍ଟି ଦେଲେ ଆମେ ଭାରି ଭୁଲ କରିବା । ପ୍ରକୃତ ଧର୍ମରେ ଯାଦୁ ବା କିମିୟାର କୌଣସି ଗନ୍ଧନାହିଁ । ଧର୍ମ ହେଉଛି ଏକ ପରିପୂର୍ଣ୍ଣ ଜୀବନ ଭିତରେ ଭଗବାନଙ୍କର ସାତ୍ତ୍ୱତ ଅନୁଭୂତି । ହଠାତ୍‌ ଚାପରେ ଅଙ୍ଗଉପସର୍ଗ ସହିତ ଧର୍ମୋପଲବ୍‌ଧିର ତୁଳନା କରାଯାଇ ପାରିବ ନାହିଁ । ରୁଗ୍‌ଣମନ କୌଣସି ଧର୍ମ ଅର୍ଜନ କରି ପାରିବ ନାହିଁ ।’’

 

ଆଧୁନିକ କାଳର ଆଉ ଜଣେ ବିଶିଷ୍ଟ ପ୍ରାବନ୍ଧିକ ହେଲେ ଶରତ କୁମାର ମହାନ୍ତି । ତାଙ୍କର ‘‘ବୈଜ୍ଞାନିକ ମନୋବୃତ୍ତି’’ - ‘‘ଛତ୍ରପତି ବିବେକାନନ୍ଦ” ଗ୍ରନ୍ଥଦ୍ଵୟ ଏଚଂ ଅପସଂସ୍କୃତିର ଇସ୍ତାହାର, ସଂସ୍କୃତି ସଙ୍କଟ ନା ଧର୍ମ ସଙ୍କଟ” ‘‘ଭିନ୍ନ ପୃଥିବୀ ଏବଂ ସେହିଭଳି ରଚନା ଗୁଡ଼ିକ ନିଶ୍ଚିନ୍ତଭାବେ ରମ୍ୟରଚନା ପର୍ଯ୍ୟାୟଭୁକ୍ତ ହେବ । ତାର କାରଣ ହେଲା - ଶରତ କୁମାରଙ୍କର ସରଳ, ସହଜ ଆନ୍ତରିକତାପୂର୍ଣ୍ଣ ବିଦଗ୍‌ଧ ରଚନା ଶୈଳୀ । ସୂକ୍ଷ୍ମ ଓ ସୁକୁମାର ବଚନ ବିନ୍ୟାସ ସହିତ ମୃଦୁ, ଭଦ୍ର ଓ ସଂହତଶାଳୀନ ହାସ୍ୟ ପରିହାସ ଏବଂ ତଥ୍ୟ ଓ ତତ୍ତ୍ୱଗୁଡ଼ିକକର ସୁଯୁକ୍ତି ପରିଚାଳିତ ଉପସ୍ଥାପନା ତାଙ୍କୁ ନିଶ୍ଚିନ୍ତ ଭାବେ ଆମର ରମ୍ୟ ପ୍ରବନ୍ଧ ସାହିତ୍ୟରେ ଏକ ବିଶିଷ୍ଟ ଆସନର ଅଧିକାରୀ କରାଇ ପାରିଛି । କେହି କେହି ତାଙ୍କର ରଚନାଶୈଳୀ ପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟରେ ବାର୍ଟାଣ୍ଡରସେଲଙ୍କ ଯଥାର୍ଥ ଅନୁସରଣକାରୀ ବୋଲି ପ୍ରଶଂସାବାଦ କରିଥାନ୍ତି । ତାଙ୍କର ‘‘ଅପସଂସ୍କୃତିର ସେନାବାହିନୀ’’ ରଚନାରୁ କେତୋଟି ଧାଡ଼ି ଦେଖନ୍ତୁ ।

 

‘‘ଧୂଳିରେ ଗଡ଼ା ହେଉଥିବା ପଦ୍ମଫୁଲର କି ଦଶା ହେଲାଣି, ଯୁଆଡ଼େ ଚାହିଁଲେ ଆମେ ତାର ଦୃଷ୍ଟାନ୍ତ ଦେଖିବାକୁ ପାଉ । ପାଶୁପତକୁ ଗାଣ୍ଡୀବରେ ଯୋଚି, ଯଦି ମଧ୍ୟ ପାଣ୍ଡବ ବିନ୍ଧନ୍ତି, ତେବେ ତ୍ରିଲୋକ ବିଜୟୀ ମଧ୍ୟ ଟଳି ପଡ଼େ, କିନ୍ତୁ କୁନା ଯଦି ବାଉଁଶବାଡ଼ି ଧନୁଟିଏ ଗୋଟିଏ ଚଢ଼େଇ ଉପରେ ପାଶୁପତ ପ୍ରୟୋଗ କରେ, ତେବେ ଉଡ଼ି ପଳେଇବା ଜରୁରୀ ବୋଲି ଚଢ଼େଇ ଅନୁଭବ କରେ ନାହିଁ । ଆମ ଦେଶରେ ମହାନ ମନ୍ତ୍ର ବାକ୍ୟ ଗୁଡ଼ିକ କୁନା ହାତରେ ପାଶୁପତ କରି ବ୍ୟବହୃତ ହୁଅନ୍ତି ।’’

 

‘‘ .ସିନେମା ଟିକେଟ ପାଇଁ ଦୁଇଘଣ୍ଟା ଧାଡ଼ି ଦେଇ ନିରାଶ ହୋଇଥିବା ଲୋକଟି ଭାବୁଛି - ଦୁଷ୍ଟମାନଙ୍କର ବିନାଶର ବେଳ ଆସିଗଲା । ଧାଡ଼ି ଭାଙ୍ଗୁଥିବା ସିନେମାଖୋର ଗୁଣ୍ଡା ଓ ଟିକେଟ୍‌ କଳାବଜାରୀକୁ ସଂହାର କରିବା ପାଇଁ ଭଗବାନ ନିକଟରେ ଅବତୀର୍ଣ୍ଣ ହେବେ । ଯଦି ନ ହୁଅନ୍ତି - ତେବେ ସେ କି ଭଗବାନ ? ‘‘ସମ୍ଭବାମି ଯୁଗେ ଯୁଗେ ଘୋଷୁଥିବା ଲୋକମାନେ କିନ୍ତୁ ଆମକୁ ଧର୍ମର ଗ୍ଲାନି ଦେଖାଇ ଦେବାକୁ ଅକ୍ଷମ । ବରଂ ସେଇମାନଙ୍କୁ ଦେଖି ଦେଖି ଆମେ ବୁଝୁଛୁ ଯେ ଧର୍ମର ଗ୍ଲାନି ସିନେମା - ଟିକେଟ୍‌ କଳାବଜାରୀ ଏବଂ ଓଜନରେ ଏକଡ଼ ସେକଡ଼ କରି ଦେଉଥିବା ପରିବା ବିକାଳୀ ଦ୍ଵାରା ହିଁ ଘଟୁଛି ।

 

ବର୍ତ୍ତମାନ ଯୁଗର ରମ୍ୟରଚନା ସାହିତ୍ୟରେ ପରିମାଣାତ୍ମକ ଓ ଗୁଣାତ୍ମକ ଉକର୍ଷ ସମାନ ଭାବରେ ଅର୍ଜନ କରିଥିବା ଲେଖକମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ରଥ ହିଁ ସର୍ବଶ୍ରେଷ୍ଠ ଆସନ ଅଧିକାର କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ଲିଖିତ ମନଅରଣ୍ୟ, ଅଶ୍ରୁତ ସ୍ଵର, ମୁଁ ସତ୍ୟଧର୍ମା କହୁଛି, ଦୃଷ୍ଟି ଓ ଦର୍ଶନ, ମଧୁସନ୍ଧାନ ପ୍ରଭୃତି ସାତଖଣ୍ଡି ଗ୍ରନ୍ଥରେ ସେ ଅନ୍ତତଃ ଅନ୍ୟୂନ ଏକଶତାଧିକ ରଚନା ଲେଖିଛନ୍ତି । ଚନ୍ଦ୍ରଶେଖର ଅତି ଗୂଢ଼ ଦାର୍ଶନିକ ନୈତିକ ଓ ଆଧ୍ୟାତ୍ମିକ ବିଷୟବସ୍ତୁର ଅବତାରଣା କରନ୍ତି । ମାତ୍ର ସେଗୁଡ଼ିକର ଭାଷାଶୈଳୀ ଏତେ ହୃଦ୍ୟ ଆଉ କବିତାମୟ ଯେ ପାଠକ ସେଗୁଡ଼ିକ ପଢ଼ିଲାବେଳେ ଲେଖକର ଅନୁଭୂତିମୟ ବ୍ୟକ୍ତିତ୍ୱ ସଙ୍ଗେ ପ୍ରୀତି ବିଭୋରତାରେ ମିଶିଯିବା ଭଳି ଅନୁଭବ କରେ । ତାଙ୍କ ବକ୍ତବ୍ୟରେ ଚଟୁଳ ପରିହାସ ବା ନାଗରସୁଲଭ ରସିକତା ହୁଏତ ନାହିଁ - କିନ୍ତୁ ତାଙ୍କ ରଚନାଗୁଡ଼ିକ ତାଙ୍କ ଅନ୍ତରର ପାସୋନେଟ୍‌ ଭାବାବେଗରେ ଖୁବ୍‌ ତୀକ୍ଷ୍ମ, ତୀବ୍ର, ଉଚ୍ଛ୍ବାସମୟ ଓ ପ୍ରଭାବଶାଳୀ । ସୂକ୍ଷ୍ମ ଓ ସୁକୁମାର ଅନ୍ତର୍ଦୃଷ୍ଟି ଓ ପ୍ରଦୀପ୍ତ ବୋଧି-ନିଃସୃତ ତାଙ୍କର ବାକ୍ୟ ଗୁଡ଼ିକ ଆଷାଢ଼ ଆକାଶରୁ ଘନ ଘନ ବର୍ଷା ଭଳି ଝରି ପଢ଼ୁଥାଏ । ପାହାଡ଼ରୁ ନିମ୍ନ ଆଡ଼କୁ ବହି ଯାଉଥିବା ଝରଣା ପରି ଖଳଖଳ ଛଳଛଳ ହୋଇ ବହି ଯାଉଥାଏ । ସାମାଜିକ ବିଷୟର ହେଉ ବା ଆତ୍ମିକ ଦାର୍ଶନିକ ବିଷୟର ହେଉ - ସେ ତାଙ୍କ ରଚନା ଭିତରକୁ ନିଜେ ଢାଲ ତଲବାରୀ ଧରି ବା ଦଣ୍ଡକମଣ୍ଡଳୁ ଓ ପୋଥିଗ୍ରନ୍ଥମାନ ଧରି ବା ଖୋଳ କରତାଳ ଧରି ଖୁବ୍‌ ଭାବାବେଗରେ ଓହ୍ଲାଇ ଆସନ୍ତି, ତାପରେ ଅନର୍ଗଳ ଯାହା କହିବାକୁ ଚାହାନ୍ତି - କହିଯାନ୍ତି । ତାଙ୍କୁ ବୁଲେଇ ବାଙ୍କେଇ କହି ଆସେନାହିଁ - ଚାରିଆଡ଼ୁ ଜଗିରଖି କହି ଆସେନାହିଁ । ତଥାପି ଯଦି କୌଣସି କ୍ଷେତ୍ରରେ ସାମାନ୍ୟ ହାସ୍ୟ ପରିହାସର ସୁଯୋଗ ଆସେ, ତା’ହେଲେ ସେତକ ସେ ଅତି ସନ୍ତର୍ପଣରେ ଉଚ୍ଚାରଣ କରିଦେଇ ଆପଣା ଜିଭ ଆପେ କାମୁଡ଼ି ପକାନ୍ତି । ସେ ଖୁବ୍‌ପ୍ରତ୍ୟକ୍ଷ ବାଦୀ, ଅପ୍ରିୟ ସତ୍ୟବାଦୀ । ଗଦ୍‌ଗଦ୍‌କଣ୍ଠରେ ଆବେଗ ହୋଇ ନ କହିଲେ ସେ ଥୟ ପଡ଼ନ୍ତି ନାହିଁ । ସେ ଭର୍ତ୍ସନା କରିବେ ତ ଭର୍ତ୍ସନା କରିବେ - ବିଶ୍ଳେଷଣ କରିବେ ତ ନିର୍ମାୟା ହୋଇ କରିବେ - କାନ୍ଦିବେ ତ ଗାଁ ଦାଣ୍ଡ ହେଉ କି ବଡ଼ଦାଣ୍ଡ ହେଉ - ଧୂଳିରେ ଗଡ଼ି କାନ୍ଦିବେ । ତାଙ୍କର ଶତାଧିକ ରମ୍ୟରଚନା ଭିତରୁ ‘‘ରଥ ସପ୍ତକ” ଶୀର୍ଷକ ସାତୋଟି ଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କୀୟ ଭାକ୍ତିକ ରଚନା ଆମ ସାହିତ୍ୟରେ ସମୁଜ୍ଜ୍ୱଳ ମଣି ଓ ମୁକ୍ତା ସଦୃଶ ଚିର ଜାଜ୍ଜ୍ୱଲ୍ୟମାନ ରହିବେ । ଏବେ ତାଙ୍କର ‘‘ଅଗ୍ନି ମୋହର ନିଜ ଗୁରୁ” ରଚନାରୁ କେତୋଟି ବାକ୍ୟ ଦେଖନ୍ତୁ –

 

‘‘ତା’ପରେ ହଠାତ୍‌ ଶୁଭିଲା –

 

ଶିଖା ମୋର ପ୍ରକାଶ । କିନ୍ତୁ ମୁଁ ତା’ଠାରୁ ଭିନ୍ନ । ଜ୍ୱାଳା ମୋର ଗୁଣ- କିନ୍ତୁ ମୁଁ ଗୁଣ ନୁହେଁ-। ମୁଁ ସମସ୍ତ ଭକ୍ଷଣ କରେ, ଶୋଧନ କରେ । ତାହା ମୋର କର୍ମ - କିନ୍ତୁ ମୁଁ ତାହାଠାରୁ ଭିନ୍ନ-। ମୁଁ ପ୍ରକାଶ ରୂପରେ ସୂର୍ଯ୍ୟମଣ୍ଡଳରେ ଥାଏ । ପ୍ରଚ୍ଛନ୍ନ ହୋଇ ପୃଥିବୀର କେନ୍ଦ୍ରରେ ଥାଏ । ସଂଘର୍ଷରୁ ମୋର ଜନ୍ମ । ତୁମ ଜଠରରେ ମୁଁ ସୂକ୍ଷ୍ମ ରୂପରେ ବିଦ୍ୟମାନ । ତୁମର ସମସ୍ତ ଆକାଂକ୍ଷା ମୁଁ । ସମସ୍ତ ଚିନ୍ତା, ସମସ୍ତ ଜ୍ଞାନ, ସମସ୍ତ ପ୍ରେମ ମୁଁ । ତୁମ କାମନା ମୋର ଶିଖା । ହତାଶା ମୋର ଧୂମ । ତୁମ ଶରୀର ମୋର ସମୀଧ । ବୟସ ଆଦ୍ୟ । ପ୍ରତି ମୁହୂର୍ତ୍ତର ପ୍ରାଣ ବାୟୁ ମୋର ଘୃତାହୁତି-।’’

 

ଏବେ ତାଙ୍କର ସୁବିଖ୍ୟାତ ରଥସପ୍ତକରେ ‘‘ହୋ ଭଗତେ” ରଚନାର କେତୋଟି ବାକ୍ୟ ଦେଖନ୍ତୁ ।

 

‘‘ହେ ମୋର ପରାଭୂତ ସ୍ନାୟୁମଣ୍ଡଳ । ଆଉ କିଛି ସମୟ ଏ ବସ୍ତୁ-ତୋରଣକୁ ତୋଳିଧର-। ଶିଥିଳ ଅଙ୍ଗ ଗୁଡ଼ିକରେ ମନ୍ଦୀଭୂତ ରକ୍ତ ପ୍ରବାହ, ଆଉ କିଛିକାଳ ପ୍ରବାହିତ ହୁଅ । ନଇଁ ଆସୁଥିବା ଘନ ତମିସ୍ରାର ପଲକ ଯୋଡ଼ିକୁ ତୋଳିଧର ଭଗତେ । ଏ ଚକ୍ଷୁ ଗୋଲକକୁ କିଛି ଜ୍ୟୋତିଦାନ କର-। ମୁଁ ଦେଖେଁ - ସେ କଲ୍ୟାଣତମ ପୁରୁଷଙ୍କ ରୂପ । ବେଢ଼ି ରହିଛନ୍ତି ଚିହ୍ନା ଅଚିହ୍ନା ଅନେକ ଭକ୍ତ । ଦେଶ ଦେଶାନ୍ତରରୁ ଆଗତ କାଳକାଳାନ୍ତରରୁ ସମାଗତ ଅକଳନୀୟ ଭକ୍ତସମୁଦ୍ର ଆନ୍ଦୋଳିତ ହେଉଛି । ଆନ୍ଦୋଳିତ ହେଉଛି ଅନ୍ତରୀକ୍ଷ, ଦ୍ୟାବ୍ୟା ଏବଂ ପୃଥିବୀ । ମୁହୂର୍ତ୍ତକରେ ମୋତେ କହିଦିଅ ଭଗତେ । ଏ ବିଶାଳ ମନ୍ଥନର କେନ୍ଦ୍ରରେ ସେ କିଏ ? ସେ କ’ଣ ସେଇ ? ସେଇ ପରମ ବିସ୍ମୟ ? ଦୟାକର ଭଗତେ ! ‘‘ହଁ” ବୋଲି କହନାଇଁ - ସମୁଦ୍ରରେ ବୁଡ଼ିଯିବି । ‘‘ନା’’ ବେଲି କହନାଇଁ ଭଗତେ । ନିର୍ବାକ ଶୂନ୍ୟରେ ଛାତି ଫାଟିଯିବ । ତୁନି ପଡ଼ିଯାଅ ଭଗତେ । ତୁନିପଡ଼ିଯାଅ - ତୁନି ପଡ଼ିଯାଅ ।’’

 

ଚୌଧୁରୀ ହେମକାନ୍ତଙ୍କ ରଚନାଗୁଡ଼ିକ ହାସ୍ୟରସାତ୍ମକ । ଖୁବ୍‌ସାମାନ୍ୟ ବିଷୟଟିକୁ ସେ ତାଙ୍କର ଅପୂର୍ବ ହାସ୍ୟୋଦ୍ଦୀପକ ବର୍ଣ୍ଣନା ପାଟବତାରେ ଅସାମାନ୍ୟ କରି ଦିଅନ୍ତି । ତିଳକୁ ତାଳ କରି ଓ ତାଳକୁ ତିଳ କରି ନିଛକ ହାସ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ପରୋକ୍ଷଭାବେ ସେ ଆମ ଅବଚେତନର କେତେକ ଦ୍ଵାର ଖୋଲିଦେଇ ହସାଇ ହସାଇ ଲୋକହସା ବି କରି ଦିଅନ୍ତି । ତାଙ୍କର ‘‘ଅଘଟନ ସଙ୍କଳନ’ ସ୍ଥ ‘‘ସ୍ଵନାମଧନ୍ୟ” ‘‘ଅଲୌକିକ’’ ‘‘ଧାତବ ସନ୍ତୋଷ ଯାତ୍ରା’’ ‘‘ସାଧୁସଙ୍ଗ’’ ‘‘ପ୍ରସଙ୍ଗ କ୍ରମେ ମର୍କଟତ୍ରୟୀ” ପ୍ରଭୃତି ରଚନାମାନ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି । ହେମକାନ୍ତ ବହୁ ହାସ୍ୟରସାତ୍ମକ ରମ୍ୟରଚନାର ଲେଖକ । ଭାଷାଶୈଳୀକୁ ଜାଣିଜାଣି ଅଯଥା ଜଟିଳ କରି ଓ ଖୁବ୍‌ ଗୁରୁଗମ୍ଭୀର ସାଧୁଶବ୍ଦମାନ ବ୍ୟବହାର କରି ସତେକି ସେ ଖୁବ୍‌ ବଡ଼ ଗୋଟାଏ ତତ୍ତ୍ଵ ବଖାଣିବାକୁ ଯାଉଛନ୍ତି - ଏହିପରି କହିବେ; ଏବଂ ତାହାହିଁ ହାସ୍ୟ ସୃଷ୍ଟିକରି ପାଠକକୁ ଏକ ଅପୂର୍ବ ଆମୋଦ ଦାନ କରିଥାଏ ।

 

ତାଙ୍କର ‘‘ଧାତବ ସନ୍ତୋଷ ଯାତ୍ରା’’ ରୁ ଗୋଟିଏ ହାସ୍ୟୋଦ୍ଦୀପକ ଅଯଥା ଗୁରୁଗମ୍ଭୀର ଭାଷାରୀତିର ନମୁନା ଦେଖନ୍ତୁ –

 

‘‘ଆଧୁନିକ ମନୁଷ୍ୟ ଏକପ୍ରକାର ଧାତବ ସନ୍ତୋଷ ପଛରେ ସତେ ଧାବମାନ ହେଉଅଛି -ଏହା ଅଧ୍ୟାପକ ଭର୍ତ୍ତୃହରି ବେହେରାଙ୍କ ଅଭିମତ । ସେ କହନ୍ତି - ଏଇ ଉକ୍ତିର ଅର୍ଥ ଆଧ୍ୟାତ୍ମିକତାଠାରୁ । ଆଧିଭୌତିକତା ଆଡ଼େ ସ୍ଖଳନ କିମ୍ବା ଆହୁରି ସରଳ କରି ବୁଝାଇ କହିଲେ - ଆତ୍ମକୈନ୍ଦ୍ରିକ ଅବିଚ୍ଛିନ୍ନ ତୈଳଧାରସମ ପ୍ରଫୁଲ୍ଲତାଠାରୁ ବ୍ୟକ୍ତିକୈନ୍ଦ୍ରିକ ଆପେକ୍ଷିକ ଆତ୍ମପ୍ରତିଷ୍ଠାଗତ ଚିରକାମନାବିଦ୍ଧ ଈର୍ଷାଜଡ଼ିତ ଜାଡ୍ୟ ଆଡ଼କୁ ଅଧୋଗତି !’’

 

କହିବା ବାହୁଲ୍ୟ ଯେ, ଚଉଧୁରୀ ହେମକାନ୍ତ ଆମର ହାସ୍ୟ ରସାତ୍ମକ ରମ୍ୟ ରଚନା କ୍ଷେତ୍ରରେ ସୁବିପୁଳ ସିଦ୍ଧିର ଅଧିକାରୀ ।

 

ଏ ଯୁଗର ଅନ୍ୟତମ ରମ୍ୟରଚନା ଲେଖକ ହେଲେ ମହାପାତ୍ର ନୀଳମଣି ସାହୁ । ତାଙ୍କର ସାତୋଟି ପ୍ରବନ୍ଧ ସଙ୍କକଳନରେ ସେ ପ୍ରାୟ ଶତାଧିକ ପ୍ରବନ୍ଧ ଲେଖଛନ୍ତି - ସେଥି ମଧ୍ୟରୁ ‘‘ସ୍ଵପ୍ନ ସ୍ଵପ୍ନ ଅନେକ ସ୍ଵପ୍ନ” - ‘‘ଧ୍ଵନି ଧ୍ଵନି ପ୍ରତିଧ୍ଵନି” ‘‘ଆମେ ଓଡ଼ିଆ, ଓଡ଼ିଆ କିଏ ?” ପ୍ରଭୃତି ସଙ୍କଳନ ଗୁଡ଼ିକ ବହୁ ରମ୍ୟରଚନାରେ ସମୃଦ୍ଧ । ବିଶେଷତଃ ତାଙ୍କର ‘‘ଷାଠିଏ ଟପିଗଲା” ଜ୍ଞାନ ତ ଜ୍ଞାନ କାଣ୍ଡଜ୍ଞାନ, ମିଛ ମିଛ- ସାମାନ୍ୟ ମିଛ, ରାଜଧାନୀ ଓ ଜନରବ ପ୍ରସଙ୍ଗ, ପ୍ରଭୃତି ରଚନା ଆମ ସାହିତ୍ୟରେ ଉତ୍କୃଷ୍ଟ ରମ୍ୟରଚନାର ଦୃଷ୍ଟାନ୍ତ ହୋଇ ରହିଥିଲା । ‘‘ଷାଠିଏ ଟପିଗଲା ରଚନା କେତୋଟି ଧାଡ଼ି ଦେଖନ୍ତୁ –

 

‘‘ମନର ବି କଣ ଊଣା ଦାବୀ ? ମନ କହୁଥିଲା ଏ ଘୋଡ଼ାରୁ ଓହ୍ଲାଇବି - ଏବଂ ସେ ଘୋଡ଼ାରେ ଚଢ଼ିବି । ଏହାକୁ ମାରିବି - ପୁଣି ତାହାକୁ ତାରିବି । ଏତେକ ଭାଙ୍ଗିବି - ପୁଣି ସେତେକ ଗଢ଼ିବି । ୟାକୁ କାଟିବି - ତାକୁ ଯୋଡ଼ିବି । ତାକୁ ଧରିବି- ୟାକୁ ଛାଡ଼ିବି । ଏ ମିତ୍ର ନୁହଁ ଶତ୍ରୁ - ସେ ଶତ୍ରୁ ନୁହଁ ମିତ୍ର । ସେ ଏମିତି ପାଞ୍ଚୁଛି - ମୁଁ ସେମିତି ପାଞ୍ଚିବି, ସେ ଡାଳେ ଡାଳେ ଯାଉଛି - ମୁଁ ପତ୍ରେ ପତ୍ରେ ଯିବି । ଏମନ୍ତ ସେ ଯୁବାକାଳ ଦୂରନ୍ତ ଦୂର୍ମଦ । ଏମନ୍ତ ସେ ଯୁବାକାଳ ମନ ଆଉ ଇନ୍ଦ୍ରିୟଙ୍କ ଦାଉରେ ଅଶାନ୍ତ ଅସ୍ଥିର ଆଉ ଅମରମତ୍ତା ! !”

 

ମହାପାତ୍ର ନୀଳମଣିଙ୍କ ଭଳି ଭୁବନେଶ୍ୱର ବେହେରା ମଧ୍ୟ ବହୁ ରମ୍ୟ ରଚନା ଲେଖି ଆମ ସାହିତ୍ୟକୁ ଧନ୍ୟ କରିଛନ୍ତି । ତାଙ୍କର ‘‘ଶୁଣ ପରୀକ୍ଷ” ଓ ‘‘ପଶ୍ଚିମ ଆଫ୍ରିକାରେ ଓଡ଼ିଆଢେଙ୍କି” ପ୍ରଭୃତି ଗ୍ରନ୍ଥରେ ରମ୍ୟରଚନାର ପରିହାସାତ୍ମକ ଓ ବିଦଗ୍‌ଧ ବର୍ଣ୍ଣନା ଶୈଳୀର ସ୍ଵାଦ ଅନୁଭୂତ ହୋଇଥାଏ । ତାଙ୍କ ରଚନାର କେତୋଟି ଧାଡ଼ି ଏହିପରି ‘‘ଆଉ ଆସିଲେ ! ଦିଲ୍ଲୀରେ କାହିଁକି କେଜାଣି ମୋତେ ଅଣନିଃଶ୍ଵାସୀ ଲାଗେ - କେମିତି ଗୋଟାଏ ‘‘ହେଇ ଆସିଗଲା - ହେଇ ଆସିଗଲା’’ ଭାବ ! ସତେ କି ଯେମିତି କେହି ମହମ୍ମଦଘୋରୀ, ମହମ୍ମଦ ଗଜନୀ, କି ମହମ୍ମଦ ଟୋଗଲକ୍‌ ଗୋଟାଏ ହାତେ ଲମ୍ବର ଦାଢ଼ୀ ଆଉ ହାତେ ଲମ୍ବର ଛୁରୀ ଧରି ପଛରେ ଛପି ଛପି ଚାଲିଛି ! ଆଉ କେହି ଜଣେ କାନ ପାଖରେ ଫୁସ୍‌ଫୁସ୍‌ କହୁଛି - ‘‘ହୋସିଆର - ହୋସିଆର” । ଭଲହେଉ, ମନ୍ଦହେଉ, କଲିକତାକୁ ବୁଝିହୁଏ । ଦିଲ୍ଲୀରେ କିନ୍ତୁ ମନେହୁଏ ସତେକି ସହର ଓ ତାର ଅଧିବାସୀ ଗୋଟିଏ ଗୋଟିଏ ମୁଖା ପିନ୍ଧିଛନ୍ତି ।

 

ଦ୍ୱିତୀୟ ମହାଯୁଦ୍ଧ ପର ଓଡ଼ିଆସାହିତ୍ୟରେ ହୁଏତ ଆହୁରି ଅନେକ ଲେଖକ ମଧ୍ୟେ ମଧ୍ୟେ କିଛି କିଛି ରମ୍ୟରଚନା ବା ତାଦୃଶ ରଚନା କୌଣସି କୌଣସି ପତ୍ରପତ୍ରିକା ପ୍ରକାଶ କରିଥାଇ ପାରନ୍ତି । ମାତ୍ର ସେସବୁକୁ ଆହରଣ କରି ଯଥାଯଥ ବିଶ୍ଲେଷଣ ଓ ମୂଲ୍ୟାୟନ କରିବା ପାଇଁ ଯଥେଷ୍ଟ ସମୟ ସୁଯୋଗ ଓ ଅଧ୍ୟବସାୟ ଆବଶ୍ୟକ । ତେବେ ୧୯୫୦ରୁ ୫୭-୫୮ ପର୍ଯ୍ୟନ୍ତ ଝଙ୍କାର ପତ୍ରିକାରେ ଧାରାବାହିକ ଭାବେ ନାଟ୍ୟକାର କୃଷ୍ଣପ୍ରସାଦ ବସୁ ଯେଉଁ ‘‘ଆଖଡ଼ାଘର ବୈଠକ” ଲେଖୁଥିଲେ ଏବଂ ‘‘ନବଜୀବନ” ପତ୍ରିକାରେ ଚିନ୍ତାମଣି ମିଶ୍ର ଯେଉଁ ସବୁ ବ୍ୟଙ୍ଗ ବିଦ୍ରୂପାତ୍ମକ ପ୍ରବନ୍ଧ ସବୁ ଲେଖୁଥିଲେ ସେଗୁଡ଼ିକ ଆମ ସାହିତ୍ୟରେ ନିଶ୍ଚିନ୍ତଭାବେ ଉଚ୍ଚକୋଟିର ରମ୍ୟରଚନା ।

 

ସାମ୍ପ୍ରତିକ କାଳରେ ଆମ ଭାଷାରେ ଆହୁରି ଅନେକ ସମ୍ବାଦପତ୍ର ଓ ପତ୍ରପତ୍ରିକା ପ୍ରକାଶ ପାଇଲାଣି - ଏବଂ ସେଥିରେ ବହୁ ପ୍ରତିଭାଶାଳୀ ନବୀନଲେଖକ ବହୁ ବିଷୟ ଉପରେ ନାନା ବିଚିତ୍ର ଶୈଳୀରେ ବହୁ ରମ୍ୟରଚନା ଲେଖା ଆରମ୍ଭ କରିଛି । ଏହା ନିଶ୍ଚୟ ଖୁବ୍‌ଆଶାର କଥା । ତା ଛଡ଼ା ବର୍ତ୍ତମାନ ବହୁ କଲେଜ ପ୍ରତିଷ୍ଠିତ ହେବା ଫଳରେ ଏବଂ ବିଷୟରେ ଅସଂଖ୍ୟ ଛାତ୍ର ଛାତ୍ରୀ ଶିକ୍ଷା ପାଇବା ଫଳରେ ଆମର ଶିକ୍ଷିତ ଉଚ୍ଚଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବଂ ତଦନୁଯାୟୀ ବିଭିନ୍ନ ବିଷୟରେ ପ୍ରବନ୍ଧ ଓ ରମ୍ୟରଚନା ଲେଖିବାର ପ୍ରବୃତ୍ତି ଓ ଉତ୍ସାହ ମଧ୍ୟ ସୃଷ୍ଟି ହୋଇଛି । ଆସନ୍ତା ପଚିଶବର୍ଷ ଭିତରେ ଆମ ସାହିତ୍ୟରେ ଅନ୍ୟାନ୍ୟ ବିଭାଗ ଭଳି ଏହି ଏସେ, ବା ରମ୍ୟରଚନା ବିଭାଗଟି ନିଶ୍ଚିନ୍ତଭାବେ ଖୁବ୍‌ ସମୃଦ୍ଧ ହୋଇ ଉଠିବ - ଏଥିରେ ସନ୍ଦେହର ଅବକାଶ ନାହିଁ । ଏକଥା ମନେ ରଖିବାର ଅଛି ଯେ - ଗୋଟିଏ ଭାଷାର ସଜୀବତା, ଗତିଶୀଳତା ଭାବ ଓ ଚିନ୍ତା ବିଶ୍ଳେଷଣର କ୍ଷମତା ଓ ଶୈଳୀରେ ନବନବ ନାନ୍ଦନିକ ରୂପମୟତା ରମ୍ୟରଚନା ଭିତରେ ହିଁ ସର୍ବାଧିକ ଫୁଟି ଉଠିଥାଏ ।

 

***

 

ଓଡ଼ିଆ ଶିଶୁ ସାହିତ୍ୟ

ଶ୍ରୀ ରାମକୃଷ୍ଣ ନନ୍ଦ

 

ମାନନୀୟ ସଭାପତି ଶ୍ରୀ ଗଡ଼ନାୟକ, ଓଡ଼ିଆ ସାହିତ୍ୟ ଏକାଡେମୀର ସମ୍ପାଦକ, ଅଧ୍ୟାପକ ଶ୍ରୀ ବେହେରା, ପ୍ରାବନ୍ଧିକ ଶ୍ରୀ ଷଡ଼ଙ୍ଗୀ ଓ ସମବେତ ସୁଧୀବୃନ୍ଦ !

 

ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଶିଶୁ ସାହତ୍ୟ ସମ୍ପର୍କରେ ଏକ ଦୁଇ ଦିନିଆ ଆଲୋଚନା ଚକ୍ର ପାଇଁ ଓଡ଼ିଶାର ପ୍ରାୟ କେନ୍ଦ୍ରସ୍ଥଳରେ ଅବସ୍ଥିତ, ମନୋରମ ଅରଣ୍ୟ ପରିବେଷ୍ଟିତ ଏବଂ ମୁକ୍ତିସଂଗ୍ରାମର ସ୍ମାରକ ସ୍ଥଳୀ ଏହି ଅନୁଗୁଳକୁ ନିର୍ବାଚନ କରି ଅଛନ୍ତି । ପ୍ରାୟ ତିନିବର୍ଷ ତଳେ ପୂଜ୍ୟ ନବକୃଷ୍ଣ ଚୌଧୁରୀ ଏବଂ ଶ୍ରୀମତୀ ମାଳତୀଦେବୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ମୁଁ ଏଠାକୁ ଆସିଥିଲି । ପୁଣି ଥରେ ଆସିବାକୁ ସୁଯୋଗ ମିଳିବ, ଏ କଳ୍ପନା ମୋର ନ ଥିଲା । ଯାହାହେଉ, ଆଜି ଏ ସାରସ୍ଵତ ସମାରୋହ ଉପଲକ୍ଷ୍ୟେ ଆପଣମାନଙ୍କ ଗହଣରେ ଏହି ଉତ୍ସବ ଉଦ୍‌ଘାଟନ କରିବାକୁ ମୋତେ ସୁଯୋଗ ଦେଇଥୁବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷଙ୍କୁ ମୋର ଅନ୍ତରର କୃତଜ୍ଞତା ଜଣାଉଅଛି ।

 

ପୃଷ୍ଠଭୂମି :

ଏହି ଅଳ୍ପ କେତେବର୍ଷ ହେଲା ଶିଶୁ କଲ୍ୟାଣ କାର୍ଯ୍ୟକ୍ରମମାନ ଦେଶବିଦେଶରେ ଅନୁଷ୍ଠିତ ହେଉଥିବାର ଆପଣମାନେ ଲକ୍ଷ୍ୟ କରୁଥିବେ । ମୋ ପିଲାଦିନେ ଏ ସବୁର ନାମଗନ୍ଧ ନ ଥିଲା । ଆନ୍ତର୍ଜାତିକ ସ୍ତରରେ ଶିଶୁ ସମ୍ବତ୍ସର ପାଳନ, ଆମ ଭାରତରେ ବାର୍ଷିକ ଶିଶୁଦିବସ, ଶିଶୁମେଳା ଓ ପ୍ରତିଯୋଗିତା ପ୍ରଭୃତି କାହିଁକି ଏବେ ଏତେ ଅନୁଷ୍ଠିତ ହେଉଛି ? ଏଥିମଧ୍ୟରେ କି ପରିବର୍ତ୍ତନ ଘଟିଲା ଯେ ଏସବୁର ଆବଶ୍ୟକତା ଅନୁଭୂତ ହେଲା ? ଏହାର ଉତ୍ତର ପାଇବା ପାଇଁ ଆମକୁ ଦୁଇଶହ ବର୍ଷ ତଳକୁ ଫେରିଯିବାକୁ ହେବ, ଯେତେବେଳେ ସମାଜରେ ଶିଶୁର ଗୁରୁତ୍ୱ କେହି ଉପଲବ୍‌ଧି କରୁ ନ ଥିଲେ, ପଶୁପକ୍ଷୀ ଶାବକଙ୍କ ପରି ସେ ଥିଲା ଛୋଟିଆ ମଣିଷ ମାତ୍ର । ତା’ ପିଛା ଧନ ବା ମୁଣ୍ଡ ଖଟାଇଲେ ଭବିଷ୍ୟତରେ କିଛି ଲାଭ ମିଳିବ, ଏ କଥା କେହି ଭାବୁ ନ ଥିଲେ ।

 

ଦେଶ ଆବିଷ୍କାର, ଶିଳ୍ପ ବିପ୍ଲବ, ବିଜ୍ଞାନର ଦ୍ରୁତ ଅଗ୍ରଗତି ଏବଂ ଦେଶ-ଦେଶ ମଧ୍ୟରେ କ୍ଷମତାଲାଗି ବିବାଦ ଡାକିଆଣିଲା ଦୁଇଟି ବିଶ୍ୱଯୁଦ୍ଧ । ଏହାପରେ ସଭ୍ୟ ମାନବ ମନରେ ଆସିଲା ଚେତନା । ଶିଶୁମାନଙ୍କୁ ଉତ୍ତମ ନାଗରିକ ରୂପେ ଗଢ଼ିବା ପାଇଁ ମିଳିତ ଜାତିସଂଘ ୧୯୫୯ରେ ଶିଶୁର ଅଧିକାର ବିଷୟକ ଘୋଷଣାନାମା ପ୍ରଚାର କଲା । ଏହା ଫଳରେ ସମସ୍ତ ସଭ୍ୟ ଦେଶରେ ଶିଶୁ ପାଇଁ ସ୍ୱତନ୍ତ୍ର ବିଚାର ଉପରେ ଗୁରୁତ୍ଵ ଦିଆଯାଉଛି । ଶିଶୁ ସାହିତ୍ୟର ବିକାଶ ପାଇଁ ଆମର ଏହି ଯେଉଁ ଉଦ୍ୟମ, ତାହା ସେହି କାର୍ଯ୍ୟକ୍ରମର ଏକ ଅଙ୍ଗ ।

 

ଓଡ଼ିଆ ଶିଶୁ ସାହିତ୍ୟର ଅତୀତ ଓ ବର୍ତ୍ତମାନ :

ଆଧୁନିକ ଶିଶୁ- ସାହିତ୍ୟ ବୋଲି ଆମେ ଯାହାକୁ କହୁଛୁ, ତା’ର ମୂଳ ଉତ୍ସ ହେଲା ଦୁଇଟି - ପ୍ରାଚୀନ କାଳର ଅଲିଖିତ ଲୋକ ସାହିତ୍ୟ ଏବଂ ଇଂରେଜ ଶାସନ କାଳର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ବ୍ୟବହୃତ ସାହିତ୍ୟ ପାଠ୍ୟପୁସ୍ତକ । ଏ ଦୁଇଟି ପୃଥିବୀର ସବୁ ଦେଶରେ ଆଧୁନିକ ଶିଶୁ ସାହିତ୍ୟର ଜନକ ।

 

ଲୋକଗୀତ, ଲୋକ-କାହାଣୀ ଏବଂ ଛାନ୍ଦ, ଚଉତିଶା, କୋଇଲି ପ୍ରଭୃତି ପ୍ରକୃତରେ ଶିଶୁ ସାହିତ୍ୟ ନୁହେଁ । ତା’ର ସାହିତ୍ୟିକ ଓ ସାଙ୍ଗୀତିକ ମୂଲ୍ୟ ସତ୍ତ୍ଵେ ଶିଶୁର ମାନସିକ ବିକାଶରେ ତାହା ବିଶେଷ ସାହାଯ୍ୟ କରୁ ନଥିଲା ।

 

କୋକବାୟା ନନାରେ ବାଡ଼ି ପନ୍ଦାଡ଼େ ଥା

କୁନିଆ କନା ମୋଚିମୋଚିକା ପୁନିଆ କାନ ଖା ।

 

ଶିଶୁକୁ କୋକମିନାର ଭୟ ଦେଖାଇ ଶୁଆଇ ପକାଇବା ଆଦୌ ବିଜ୍ଞାନସମ୍ମତ ନୁହେଁ । ସେଥିପାଇଁ ଇଂରାଜୀ, ରୁଷୀୟ ପ୍ରଭୃତି ଭାଷାରେ ପୂର୍ବକାଳର Nrusery Song ଗୁଡ଼ିକୁ ବାଛି ଏବଂ ନୂଆ ଛାଞ୍ଚରେ ପକାଇ ନର୍ସରୀ ଓ କିଣ୍ଡରଗାର୍ଟନ ସ୍କୁଲମାନଙ୍କରେ ଆବୃତ୍ତି କରାଯାଉଛି । କାହାଣୀରେ ଥିବା ଅସୁର-ଅସୁରୁଣୀ କଥା, ଦେବତା ଓ ରାକ୍ଷସମାନଙ୍କ କଳି ଏବଂ ଷଡ଼ଯନ୍ତ୍ର ବିଷୟ, ଭୂତ ପ୍ରେତାଦିର ଗଳ୍ପ ଆଧୁନିକ ଶିକ୍ଷାନୀତି ଦ୍ଵାରା ଅନୁମୋଦିତ ନୁହେଁ । ଛାନ୍ଦ, ଚଉତିଶା, କୋଇଲି ସେହିପରି ରଚିତ ହୋଇଥିଲା ବୟସ୍କମାନଙ୍କ ପାଇଁ । ଅନ୍ୟ କିଛି ନ ଥିବାରୁ ପିଲାମାନେ ତାକୁ ଆବୃତ୍ତି କରୁଥିଲେ ।

 

ଏହାର ପରବର୍ତ୍ତୀ କାଳରେ ଯେତେବେଳେ ଇଂରେଜମାନେ ଆସି ନୂଆ ଧରଣର ପାଠଶାଳାମାନ ବସାଇଲେ ଏବଂ ଛାପାକଳ ଦ୍ଵାରା ବହି ଛପାହେଲା, ସେତେବେଳେ ବିଭିନ୍ନ ବୟସର ଶିଶୁମାନଙ୍କ ପାଇଁ ନୂଆ ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଗଲା । ମୋ ପିଲାଦିନେ ଏହାହିଁ ଥିଲା ଆମ ସହିତ୍ୟ ଅଧ୍ୟୟନର ସର୍ବସ୍ଵ । ପାଠ୍ୟପୁସ୍ତକ ବାହାରେ ଅଳ୍ପ ଯେଉଁ କେତେଖଣ୍ଡ ଶିଶୁପୁସ୍ତକ ସେତେବେଳେ ମିଳୁଥିଲା, ତାକୁ ଆଧୁନିକ ବିଚାରର ମାପକାଠିରେ ଶିଶୁ ଉପଯୋଗୀ କୁହାଯାଇ ପାରିବ ନାହିଁ ।

 

ଶିଶୁ ସାହିତ୍ୟର ଏହି ମାପକାଠିଟି କ’ଣ, ସେ ବିଷୟରେ କୌଣସି ତାତ୍ତ୍ୱିକ ଆଲୋଚନା କରିବାକୁ ମୁଁ ଇଚ୍ଛା କରୁନାହିଁ, କାରଣ ଆପଣମାନଙ୍କ ଭିତରୁ ଅଧିକାଂଶ ଶିକ୍ଷାବିତ୍‌ ଓ ସାହିତ୍ୟିକ, ତେଣୁ ସେ ବିଷୟରେ ଊଣା ଅଧିକେ ନିଶ୍ଚୟ ଅବହିତ ଥିବେ । ତେବେ ଠିକେ ଠିକେ ଏ ପ୍ରସଙ୍ଗରେ ଦୁଇ ଚାରି କଥା କହିଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

ଆଙ୍ଗିକ ଓ ଆତ୍ମିକ- ବହିର ଚେହେରା ଓ ବିଷୟବସ୍ତୁ ଏ ଦୁଇଟିଯାକ ଶିଶୁ-ସାହତ୍ୟ ସମ୍ପର୍କରେ ବିଚାର୍ଯ୍ୟ । ଛୋଟ ପିଲାମାନେ ପ୍ରଥମେ ରୂପରେ ଆକୃଷ୍ଟ ହୁଅନ୍ତି । ତେଣୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବହିକୁ ରଙ୍ଗୀନ ଛବି, ଚକଚକିଆ ମଲାଟ, ଭଲ କାଗଜ, ଶୁଦ୍ଧ ଓ ପରିଷ୍କାର ମୁଦ୍ରଣ ଏବଂ ଦୃଢ଼ ବନ୍ଧେଇ ଦ୍ଵାରା ଆକର୍ଷଣୀୟ କରାଯିବା ଉଚିତ । ଉପର ବୟସ ସୀମାପାଇଁ ଅର୍ଥାତ୍‌ କିଶୋରମାନଙ୍କ ପାଇଁ ଆଙ୍ଗିକର ଚାକଚକ୍ୟ ସେତେ ଆବଶ୍ୟକ ନୁହେଁ । କିନ୍ତୁ ଶୁଦ୍ଧ ଓ ପରିଷ୍କାର ମୁଦ୍ରଣ ସବୁ ସ୍ତରରେ ଅପରିହାର୍ଯ୍ୟ କାରଣ ତାହା ସୁରୁଚି ଓ ସୌନ୍ଦର୍ଯ୍ୟବୋଧର ସହାୟକ । ଶୁଦ୍ଧ ଭାଷା ସେହିପରି ସୁସାହିତ୍ୟିକ ପରିଚ୍ଛଦ ।

 

ଶିଶୁ ପୁସ୍ତକର ବିଷୟବସ୍ତୁ ବାଛିବା ପାଇଁ ବ୍ୟାପକ କ୍ଷେତ୍ର ରହିଛି । ଶିଶୁ ତା’ ଚାରିପଟେ ଦେଖୁଛି ବୈଚିତ୍ର୍ୟମୟ ପୃଥିବୀକୁ ଏବଂ ତାକୁ ବୁଝିବାକୁ ଚେଷ୍ଟା କରୁଛି । ସାହିତ୍ୟ ତାକୁ ସେ ଦିଗରେ ସାହାଯ୍ୟ କରିବା ଉଚିତ୍‌ । ଜୀବଜନ୍ତୁ, ତରୁଲତା, ଆକାଶରେ ମେଘ, ସୂର୍ଯ୍ୟ, ଚନ୍ଦ୍ର, ତାରା ପ୍ରଭୃତି ପ୍ରକୃତିର ଅନନ୍ତ ବିଭବକୁ ସହଜ ଗଳ୍ପଛଳରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଦେଇ ପିଲାମାନଙ୍କ ନିକଟରେ ପରିଚିତ କରାଇବା ଆବଶ୍ୟକ । ଏହାକୁ ଇଂରାଜୀରେ Nature Stories ବା ପ୍ରକୃତି ଗଳ୍ପ ଆଖ୍ୟା ଦିଆଯାଇଛି । ଦୁଃଖର କଥା, ଓଡ଼ିଆ ଶିଶୁ-ସାହିତ୍ୟରେ ଏ ଜାତୀୟ ଗଳ୍ପର ବିଶେଷ ଅଭାବ ଦେଖାଯାଏ ।

 

ଅଧୁନା ପ୍ରକାଶିତ ଶିଶୁପୁସ୍ତକର ବିଷୟବସ୍ତୁ ଉପରେ ଆଖି ବୁଲାଇଲେ ଦେଖାଯିବ ପୁରାଣ, ଜାତକ, ପଞ୍ଚତନ୍ତ୍ର ଆଦି ନୀତି କଥା, ଦେଶବିଦେଶର ଲୋକ-କାହାଣୀ ଓ କିମ୍ବଦନ୍ତୀରୁ ଗୃହୀତ ଗଳ୍ପ ମହାପୁରୁଷ ଜୀବନୀ, ଆବିଷ୍କାର ଓ ଉଦ୍ଭାବନ ଗଳ୍ପ, ଗୁଇନ୍ଦା ଗଳ୍ପ ଏବଂ କେତେକ କବିତା ଅଧିକାଂଶ ପୁସ୍ତକର ସାମଗ୍ରୀ । ଯେଉଁ ନିତ୍ୟ ପରିବର୍ତ୍ତନଶୀଳ ପରିବେଶରେ ଆଜିର ଶିଶୁ ଚଳପ୍ରଚଳ ହେଉଛି, ତା’ର ନିତିଦିନିଆ ଅନୁଭୂତି ତା ମନରେ ଯେଉଁ ଆନନ୍ଦ, ଦୁଃଖ ବା ସମସ୍ୟା ସୃଷ୍ଟି କରୁଛି, ତାକୁ ଆଧାର କରି କୌଣସି ମୌଳିକ ରଚନା ଉପରେ ଆମର ଲେଖକମାନେ ଏ ପର୍ଯ୍ୟନ୍ତ ଲେଖନୀ ଚଳାଇ ନାହାନ୍ତି । ତା’ର ପିତାମାତା, ସାଙ୍ଗ-ସାଥୀ ଓ ସମାଜର ଲୋକମାନଙ୍କ ଆଚରଣ ସମ୍ପର୍କରେ ତା’ ମନରେ ଯେଉଁ ପ୍ରତିକ୍ରିୟା ଜାତ ହେଉଛି, ସାହିତ୍ୟରୁ ସେ ତା’ର ଉତ୍ତର ପାଇବା ଆବଶ୍ୟକ । ସବୁ କ୍ଷେତ୍ରରେ ସୁକର୍ମର ପୁରସ୍କାର ଏବଂ ଦୁଷ୍କର୍ମର ଶାସ୍ତି ତା’ ଆଖିରେ ପଡ଼ିଲେ ସେ ତଦନୁସାରେ ନିଜ ଆଚରଣକୁ ସଂଶୋଧନ କରିବାକୁ ଚେଷ୍ଟା କରିବ । ରବୀନ୍ଦ୍ର ନାଥଙ୍କ କାବୁଲିୱାଲା, Home Coming ପ୍ରଭୃତି ଗଳ୍ପ ଏହାର ସୁନ୍ଦର ଦୃଷ୍ଟାନ୍ତ । ଏ ପ୍ରକାର ଗ୍ରନ୍ଥ ଲେଖିବା ଅପେକ୍ଷାକୃତ କଷ୍ଟକର ହେଲେ ହେଁ ବର୍ତ୍ତମାନ ଯୁଗରେ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି ।

 

ଓଡ଼ିଆ ଶିଶୁ ସାହିତ୍ୟରେ ଅନୁବାଦ ସାହିତ୍ୟର ବିଶେଷ ଅଭାବ ଦେଖାଯାଏ । ଗୋଟିଏ ଭାଷାରେ ଯେଉଁ ବହିଟି ପିଲାଙ୍କ ପାଇଁ ଭଲ, ତାହା ସବୁ ଦେଶର ପିଲାଙ୍କ ପାଇଁ ଭଲ । ସେଥିପାଇଁ ପଞ୍ଚତନ୍ତ୍ର ଗଳ୍ପ ଓ Aesop's Fables ପୃଥିବୀର ସବୁ ଉନ୍ନତ ଭାଷାରେ ଅନୁଦିତ ହୋଇଛି । ଲେଖକର ଅଧ୍ୟୟନ ଓ ଉଭୟ ଭାଷା ଉପରେ ଦକ୍ଷତା ନ ଥିଲେ ଅନୁବାଦ ସୁପାଠ୍ୟ ହୋଇପାରେ ନାହିଁ । ନେହେରୁ ବାଳ ପୁସ୍ତକାଳୟ ଖଣ୍ଡିଏ ଖଣ୍ଡିଏ ମୂଳ ବହି ପ୍ରସ୍ତୁତ କରି ତାକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଉଛନ୍ତି । ଏ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ ନିଶ୍ଚୟ । କିନ୍ତୁ ମୁଁ ଯାହା ଦେଖିଛି, ସମ୍ପାଦନା ଦୋଷରୁ ଅଧିକାଂଶ ଓଡ଼ିଆ ଅନୁବାଦ ସଫଳ ହୋଇ ପାରିନାହିଁ । ଲେଖକ ଓ ପ୍ରକାଶକମାନେ ଉତ୍ତମ ଶିଶୁ ପୁସ୍ତକର ଅନୁବାଦ ଉପରେ ଧ୍ୟାନ ଦେବା ଆବଶ୍ୟକ ।

 

ଓଡ଼ିଶା ବାହାରୁ ଅନୁବାଦିତ ହୋଇ ଆସୁଥିବା ଏକମାତ୍ର ଓଡ଼ିଆ ଶିଶୁପତ୍ରିକା ‘ଚାନ୍ଦମାମା’ ବା ‘ଜହ୍ନମାମୁଁ’ କଥା ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ । ଏହା ୧୩ଟି ଭାରତୀୟ ଭାଷାରେ ଅନୂଦିତ ହୋଇ ପ୍ରକାଶିତ ହୁଏ । ଓଡ଼ିଶାରେ ଏହାର କାଟ୍‌ତି ବହୁତ ବେଶି । ମାତ୍ର ଏହାର ଉପଯୋଗିତା ବିଷୟ କେହି ଭାବନ୍ତି କି ? ଲେଖିକା ଇନ୍ଦିରା ଅନାଥକ୍ରିଷ୍ଣନ୍‌ ତାମିଲ୍‌ଶିଶୁ ପତ୍ରିକା ଗୁଡ଼ିକର ସମୀକ୍ଷା କରି Writers & Illustrators for Children ନାମକ ପତ୍ରିକାର ୧୯୨୮ ଅକ୍ଟୋବର-ଡିସେମ୍ବର ସଂଖ୍ୟାରେ ‘ଚାନ୍ଦମାମା’ ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ପ୍ରଣିଧାନଯୋଗ୍ୟ । ସେ ଲେଖିଛନ୍ତି - ଏହାର ବିଷୟବସ୍ତୁରେ ନୂତନତ୍ୱ ନାହିଁ । ପ୍ରଧାନତଃ ଭାରତୀୟ ପୁରାଣ କାହାଣୀ ଓ ଲୋକକଥାରୁ ସଂଗୃହୀତ କେତେକ ଗଳ୍ପ ସେଥିରେ ଥାଏ । ଏହା ଜଣାଶୁଣା କଥା ଯେ ଏ ଜାତୀୟ ସମସ୍ତ ଗପ ପିଲାଙ୍କ ଉପଯୋଗୀ ନୁହେଁ । ଏହାଛଡ଼ା ସେଥିରେ ଥାଏ ଗୋଟାଏ ଅଧେ ଭ୍ରମଣ କାହାଣୀ, କେତେକ ଶ୍ଳୋକ । ଫଟୋଚିତ୍ର ପ୍ରତିଯୋଗିତା, ବ୍ୟଙ୍ଗଚିତ୍ର - ଏଇ ହେଲା ତା’ର ସମସ୍ତ ବିଷୟ । ମାସ ମାସ, ବର୍ଷ ବର୍ଷ ଧରି ଏହିପରି ଚାଲିଛି ତେଣୁ ତା’ର ବିଷୟସୂଚୀ ସମୀକ୍ଷା କଷ୍ଟକର ନୁହେଁ । .ତାପରେ ସେ କହିଛନ୍ତି, This magagine makes light reading with nothing much to be remembered or reproduced ଅର୍ଥାତ୍‌ ଏଥିରେ ଥିବା ସାମଗ୍ରୀ ସବୁ ହାଲୁକା, ମନେ ରଖିଲାଭଳି ବା ଭବିଷ୍ୟତରେ ବ୍ୟବହାର କଲାଭଳି ଏଥିରେ ବିଶେଷ କିଛି ନାହିଁ ।’ ଏହାର ଓଡ଼ିଆ ଭାଷା ବିଷୟରେ ସେ ଅବଶ୍ୟ କିଛି କହିନାହାନ୍ତି । ତେବେ ଏ ଅନୁବାଦ କେତେଦୂର ସ୍ଵାଭାବିକ ହେଉଛି, ଆପଣମାନେ ତା’ର ଭାଷାକୁ ପରୀକ୍ଷା କଲେ ନିଜେ ଜାଣିପାରିବେ ।

 

ଦୀର୍ଘକାଳର ଅଜ୍ଞତା ଆମ ସମାଜକୁ କୁସଂସ୍କାର, ଜାତିଆଣ ବିଭେଦ ଓ ଧର୍ମାନ୍ଧତାରେ ବୁଡ଼ାଇ ରଖିଛି । ଅଶିକ୍ଷିତ ପିତାମାତାଙ୍କଠାରୁ ଶିଶୁ ଏହି ବ୍ୟାଧି ଗୁଡ଼ିକ ଗ୍ରହଣ କରିବା ସ୍ଵାଭାବିକ । ମାର୍ଜିତ ବିଚାର ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଜାଗ୍ରତ କରାଇଲା ଭଳି ଲେଖା ଶିଶୁ ପୁସ୍ତକ ଓ ପତ୍ରପତ୍ରିକାଦିରେ ପ୍ରକାଶ ପାଇବା ଉଚିତ । ବର୍ତ୍ତମାନ ଯୁଗର ପରିପ୍ରେକ୍ଷୀରେ ଏହା ଅତ୍ୟନ୍ତ ଜରୁରୀ ମନେ ହୁଏ ।

 

ଶିଶୁ ସାହିତ୍ୟର ଗୁରୁତ୍ୱ ବୁଝି ତାକୁ ସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ସ୍ଵୀକୃତି ଦେବା ଏବଂ କୃତୀ ସାହିତ୍ୟିକମାନଙ୍କୁ ସମ୍ମାନିତ କରିବା ଏକ ଉତ୍ତମ ପରମ୍ପରା । ବୁଦ୍ଧିଜୀବୀ ଓ ଜନନାୟକମାନେ ଆଉ କେଉଁଦିନ ବୁଝିବେ - ଶିଶୁମାନଙ୍କ ଉପରେ ଧ୍ୟାନଦେବା ଅର୍ଥ ଦେଶର ଭବିଷ୍ୟତ ଉପରେ ଧ୍ୟାନ ଦେବା । ଏବେ ମଧ୍ୟ ଶିଶୁ ସାହିତ୍ୟିକ ତା’ର ସାମାଜିକ ମର୍ଯ୍ୟାଦା ପାଇଁ ନାହିଁ । ଏଇ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଁ ଆଉ ଗୋଟିଏ କଥା ସୂଚାଇଥିଲି । ଏ ଅବସରରେ ମୁଁ ତା’ର ପୁନରାବୃତ୍ତି କରିବାକୁ ଇଚ୍ଛା କରୁଛି । କ୍ଷେତରୁ ଅଧିକ ଫସଲ ପାଇବା ପାଇଁ ଆମେ ଏବେ ସାର ପ୍ରୟୋଗ କରୁଛୁ ଏବଂ ତା’ ସଙ୍ଗେ ସଙ୍ଗେ କୀଟନାଶକ ଔଷଧ ମଧ୍ୟ ଆବଶ୍ୟକ ସ୍ଥଳେ ପ୍ରୟୋଗ କରୁଛୁ । ପୁରସ୍କାର ସମ୍ମାନ ସମ୍ବର୍ଦ୍ଧନା ସାରସଦୃଶ ଲେଖକମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବ । ଏହା ଅବଶ୍ୟ କରଣୀୟ । କିନ୍ତୁ ଯେଉଁ ସବୁ କାରଣରୁ ଶିଶୁ-ସାହିତ୍ୟ ଆଶାନୁରୂପ ଉନ୍ନତି କରିପାରୁ ନାହିଁ, ନିମ୍ନମାନର ହୋଇଯାଉଛି, ତା’ର ନିରାକରଣ ଦିଗରେ ଦୃଷ୍ଟି ନ ଦେଲେ ଆମର ଏ ସମସ୍ତ ଉଦ୍ୟମ କେଳବ ତାତ୍ତ୍ୱିକ ଆଲୋଚନାରେ ହିଁ ପର୍ଯ୍ୟବସିତ ହେବ । ତେଣୁ ମୁଁ ଆପଣମାନଙ୍କ ଆଗରେ ଶିଶୁ- ସାହିତ୍ୟର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କେତେକ ବିଷୟ ଉପସ୍ଥାପିତ କରୁଛି । ମୋର ଅନୁରୋଧ, ଆପଣମାନେ ଏହାକୁ ଆଲୋଚନା ଚକ୍ର ପରିସରରେ ସ୍ଥାନ ଦେବେ ।

 

ଛାତ୍ର ସମାଜରେ ବିଶୃଙ୍ଖଳା ବଢ଼ୁଥିବା କଥା ଆଜି ଆମେ ସବୁଠାରେ ଶୁଣିବାକୁ ପାଉଛୁ । ପିଲାମାନଙ୍କ ଚରିତ୍ର ଗଠନରେ ସାହିତ୍ୟର ଭୂମିକା କ’ଣ ତାହା ସଫଳ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଯଦି ନ ହେଉଛି କାହିଁକି ହୋଇପାରୁନାହିଁ, ଲେଖକମାନେ ସେ ଦିଗରେ କ’ଣ କରିପାରିବେ ତାହା ଆମର ବିଚାର୍ଯ୍ୟ ।

 

ସାଧାରଣତଃ ପିତାମାତା ଓ ପରିବେଶ ଶିଶୁ ଜୀବନକୁ ପ୍ରଭାବିତ କରନ୍ତି । ସ୍କୁଲକୁ ଯାଉଥିବା ପିଲାମାନଙ୍କ ଉପରେ ଆଉ ଦୁଇଟିର ପ୍ରଭାବ ମଧ୍ୟ ପଡ଼େ । ସେ ଦୁଇଟି ହେଲା - ବିଦ୍ୟାଳୟ ଏବଂ ଶିଶୁ ସାହିତ୍ୟ, ଅର୍ଥାତ୍‌ ସେମାନେ ପଢ଼ୁଥିବା ପୁସ୍ତକ ଓ ପତ୍ରପତ୍ରିକା । ଏହି ଶେଷୋକ୍ତ ବିଷୟଟି ଆମର ଆଲୋଚ୍ୟ ବିଷୟ ଥିଲେ ହେଁ ଅନ୍ୟଗୁଡ଼ିକ ମଧ୍ୟ ଏଥି ସହିତ ସଂପୃକ୍ତ ଥିବା ହେତୁ ତାହାକୁ ବିଚାର ପରିସିରରୁ ପୂରାପୂରି ବାଦ୍‌ଦିଆଯାଇ ନ ପାରେ ।

 

ଉଦାହରଣ ଦେଲେ କଥାଟି ସ୍ପଷ୍ଟତର ହେବ । ଧରନ୍ତୁ ଉପାଦେୟ ଶିଶୁପୁସ୍ତକଗୁଡ଼ିଏ ପ୍ରସ୍ତୁତ କରାଗଲା । କିନ୍ତୁ ପିତାମାତା ତାହାକୁ କିଣି ପିଲାଙ୍କ ହାତରେ ନ ଦେଲେ ଲାଭ କଣ ? ଓଡ଼ିଆରେ ଯେଉଁ କେତୋଟି ଭଲ ବହି ଓ ପତ୍ରିକା ପିଲାଙ୍କ ପାଇଁ ପ୍ରକାଶ ପାଉଛି, କେତେଜଣ ପିତାମାତା ତାକୁ କିଣିବାକୁ ଆଗ୍ରହୀ ? ବିବାହ, ବ୍ରତ ଆଦି ଉତ୍ସବମାନଙ୍କରେ ମୁଦି, ଜାମାପ୍ୟାଣ୍ଟ ଓ ପ୍ଲାଷ୍ଟିକ୍‌ଜିନିଷ ବଦଳରେ ପୁସ୍ତକ ଉପହାର ଦେବାକୁ କେତେଜଣ ପିତାମାତା ପସନ୍ଦ କରନ୍ତି ? ମୋ ମତରେ ଶିକ୍ଷିତ ଓଡ଼ିଆ ପିତାମାତାମାନେ ଏ ଦୋଷରେ ବେଶୀ ଦୋଷୀ । ଇଂରାଜୀ ଭାଷା ଓ ଚାଲିଚଳନର ମୋହ ସେମାନଙ୍କୁ ଏବେ ଗ୍ରାସ କରି ରହିଛି । ଥିଲାବାଲାଙ୍କ ପିଲାମାନେ Public Schoolରେ ମାତୃଭାଷା ନ ଶିଖୁଣୁ ‘Jack and Jill went up the hill’ ପ୍ରଥମେ ଆବୃତ୍ତି କରୁଛନ୍ତି, ଘରେ Daddy, Mummy ଡାକିଲେ ବାପ ମାଆ ଆନନ୍ଦ ପାଉଛନ୍ତି । ଯେଉଁମାନଙ୍କର ଶିଶୁପୁସ୍ତକ କିଣିବାର ସାମର୍ଥ୍ୟ ଅଛି, ସେମାନଙ୍କର ତ ଏ ଅବସ୍ଥା, ଅନ୍ୟମାନଙ୍କ କଥା କ’ଣ କହିବା ? ପୃଥିବୀର କେଉଁ ସଭ୍ୟ ଦେଶରେ ଶିଶୁମାନେ ପ୍ରଥମେ ମାତୃଭାଷାରେ ଲେଖିପଢ଼ି ନ ଶିଖୁଣୁ ବିଦେଶୀ ଭାଷାର ବର୍ଣ୍ଣମାଳା ଶିଖନ୍ତି ।

 

ତା’ପରେ ବିଦ୍ୟାଳୟ କଥା । ସେଠାକୁ ଚାଲନ୍ତୁ ଦେଖିବେ ଲାଇବ୍ରେରୀ ଅଛି ତ ବହି ନାହିଁ-। ବହି ଥିଲେ ଲାଇବ୍ରେରୀ ନାହିଁ; ଯେଉଁଠି ଏ ଦୁଇଟି ଅଛି, ସେଠି ନାମକୁ ମାତ୍ର ଜଣେ ଶିକ୍ଷକ ଦାୟିତ୍ୱରେ ଅଛନ୍ତି । କି କି ବହି କିଣାଯିବ ବା କି ପତ୍ରପତ୍ରିକା କମନ୍‌ରୁମ୍‌କୁ ଆସିବ, ତାକୁ ବାଛିବାରେ ତାଙ୍କର ହାତ ନାହିଁ । ବହୁ ଉପରୁ ସେ ବିଷୟରେ ନିର୍ଦ୍ଦେଶ ଆସୁଛି । ସରକାରୀ ହାକିମ ଜାଣନ୍ତି ନାହିଁ କି ସ୍କୁଲର ପ୍ରଧାନଶିକ୍ଷକ ଜାଣନ୍ତି ନାହିଁ । ମଝିରେ ବହୁ କାରସାଦି ଚାଲେ । ପ୍ରଧାନଶିକ୍ଷକ କେବଳ ବାର୍ଷିକ ବିବରଣୀରେ ପଢ଼ନ୍ତି - ଆମ ଲାଇବ୍ରେରୀରେ ବହି ସଂଖ୍ୟା ଏତେ । ତେଣୁ ସ୍କୁଲ ଲାଇବ୍ରେରୀ କଥା ଭାବିଲେ ମନରେ ପ୍ରଶ୍ନ ଉଠେ - ପିଲାଙ୍କର ଯାହା ଦରକାର ଆମେ ସେ ବହି ପଢ଼ିବାକୁ ଦେଉଛୁ ନା ଆମେ ଯାହା ଦେଉଛୁ, ସେମାନେ ପଢ଼ୁଛନ୍ତି ?

 

ପରିବେଶ :

ଶିଶୁର ପଢ଼ିବା କଥା ବର୍ତ୍ତମାନ ବିଚାର କରାଯାଉ । ଶିଶୁ ସାହିତ୍ୟର ପ୍ରସାର ମୁଖ୍ୟତଃ ପିଲାଙ୍କ ପଢ଼ାଇବା ଅଭ୍ୟାସ ଉପରେ ନିର୍ଭର କରେ । ପିଲାମାନେ ଯେ ପଢ଼ିବାକୁ ଭଲପାନ୍ତି, ଏଥିରେ ସନ୍ଦେହ ନାହିଁ । ମୁଁ ପାଠ୍ୟପୁସ୍ତକ କଥା କହୁନାହିଁ । ପାଠ୍ୟପୁସ୍ତକ ପଠନସ୍ପୃହା ବଢ଼ାଇବାରେ ବିଶେଷ ସାହାଯ୍ୟ କରେ ନାହିଁ । ଅନ୍ୟାନ୍ୟ ଶିଶୁପୁସ୍ତକ ଓ ଶିଶୁପତ୍ରିକା କଥା କହୁଛି । କିନ୍ତୁ ତା ମଧ୍ୟ ପରିବେଶ ଦ୍ଵାରା ଭୀଷଣଭାବେ ବାଧାପ୍ରାପ୍ତ ହେବାକୁ ବସିଲାଣି । ବିଜ୍ଞାନର ସଦ୍ୟତମ ଅବଦାନ ଟି.ଭି, ଭିଡିଓ ଏବଂ Comics ଆସିବା ଫଳରେ ଶିଶୁର ପଠନସ୍ପୃହା ଦିନକୁଦିନ କମିଯାଉଛି । ପଢ଼ିକରି ଜାଣିବା ଅପେକ୍ଷା ଦେଖିକରି ଜାଣିବା ସହଜ । କିନ୍ତୁ ସେମାନେ ଜାଣୁଛନ୍ତି କ’ଣ ? ଟି ଭି.ରେ ଶିକ୍ଷଣୀୟ ବିଷୟ କେତେ ଘଣ୍ଟା ପ୍ରଦର୍ଶିତ ହେଉଛି ? ଶିଶୁ କାର୍ଯ୍ୟକ୍ରମ ସେଥିରୁ କେତେ ଭାଗ ? ପ୍ରତି ସପ୍ତାହରେ ଦିଲ୍ଲୀରୁ ୩ଟି ସମ୍ପୂର୍ଣ୍ଣ ଚିତ୍ର ସାଙ୍ଗକୁ ୨ଟି ଚିତ୍ରାହାର ଏବଂ ଗୋଟିଏ ଚିତ୍ରମାଳା ଘଣ୍ଟା ଘଣ୍ଟା ଧରି ପ୍ରଦର୍ଶିତ ହେଉଛି । କୋମଳମତି ବାଳକବାଳିକାମାନଙ୍କୁ ଏହି ଦୂରଦର୍ଶନ ଯନ୍ତ୍ର ଏତେ ପାଗଳ କରିଛି ଯେ ଚିତ୍ରହାର ସରିଲେ ସେମାନେ ଟି.ଭି. ବନ୍ଦ କରିଦେଉଛନ୍ତି ।

 

ଦିଲ୍ଲୀ ଦୂରଦର୍ଶନ ନିର୍ଦ୍ଦେଶାଳୟ କାର୍ଯ୍ୟକ୍ରମର ଏକ ସର୍ଭେରୁ ଜଣାଯାଇଛି ଯେ କେଳବ ମାତ୍ର ଶତକଡ଼ା ୩୮ ପିଲା ଏହା ଦେଖନ୍ତି । ଶସ୍ତା ଫିଲ୍‌ମ ବଦଳରେ ଶିକ୍ଷାମୂଳକ ଚିତ୍ର ଅଧିକ ଦେଖାଇଲେ କ’ଣ କ୍ଷତି ହୁଅନ୍ତା ? ଇଂଲଣ୍ଡ, ଡେନମାର୍କ, ସୁଇଡେନ୍‌ ପ୍ରଭୃତି ଦେଶରେ ଟି.ଭି.ର ବିକଳ୍ପ ରୂପେ ରେଡିଓଭିଜନ ପ୍ରବର୍ତ୍ତନ କରାଯାଇଛି । ପିଲାମାନେ ରେଡ଼ିଓରୁ ଯାହା ଶୁଣୁଛନ୍ତି, ଫ୍ଲାସକାର୍ଡ, ପୋଷ୍ଟର, ରଙ୍ଗୀନ୍‌ଚିତ୍ର ଇତ୍ୟାଦି Visuals ବା ଦୃଶ୍ୟଚିତ୍ର ମାଧ୍ୟମରେ ତାହା ଦେଖୁଛନ୍ତି-। ତେଣୁ ଏହା ଅଧିକ ଉପଭୋଗ୍ୟ ଏବଂ ଫଳପ୍ରଦ ହେଉଛି ।

 

ଟି.ଭି. ସିନେମାର ପ୍ରଭାବ ପିଲାଙ୍କ ମନ ଉପରେ ଗଭୀର ରେଖାପାତ ରେ । ଜଣେ ଆମେରିକାନ ଶିକ୍ଷାବିତ୍‌ ଏକ ସମୀକ୍ଷା ରିପୋର୍ଟ ଉଦ୍ଧାର କରି କହିଛନ୍ତି - ଅର୍ଦ୍ଧେକ ବାଳ-ଅପରାଧୀ ଗୁଣ୍ଡାମୀ ଏବଂ ଅକାର୍ଯ୍ୟ କରିବାକୁ ସିନେମାରୁ ପ୍ରେରଣା ପାଆନ୍ତି ।

 

ବର୍ତ୍ତମାନ ଇଂରାଜୀ ପଢ଼ୁଆ ପିଲାଙ୍କର ଆଉ ଏକ ନିଶା କମିକ୍‌ ପଢ଼ିବା । ଓଡ଼ିଆରେ ଏଭଳି ବହି ତିଆରି ହୋଇ ନ ଥିଲେ ହେଁ ବଜାରରେ ଇଂରାଜୀ କମିକ୍‌ ଯଥେଷ୍ଟ ମିଳୁଛି । ଅଳ୍ପଦିନ ତଳେ କଟକରେ ଅନୁଷ୍ଠିତ ହୋଇଥିବା ଏକ ପୁସ୍ତକ ପ୍ରଦର୍ଶିନୀରୁ ଜଣେ ବାରବର୍ଷର ଛାତ୍ର ୨୨ ଟଙ୍କା ମୂଲ୍ୟର ଖଣ୍ଡେ ଆମେରିକାନ୍‌ କମିକ୍‌ କିଣିବାର ମୁଁ ସ୍ଵଚକ୍ଷୁରେ ଦେଖିଛି । ଅଫ୍‌ସେଟ୍‌ ମୁଦ୍ରଣ ପଦ୍ଧତିରେ ପ୍ରସାର ଏହି କମିକ୍‌ ପ୍ରକାଶନକୁ ଜନ୍ମ ଦେଇଛି । ଏ ଗୁଡ଼ିକରେ ଥାଏ ଶତକଡ଼ା ୯୦ ଭାଗ ରଙ୍ଗୀନ୍‌ ଚିତ୍ର ଏବଂ ଗପର ଖିଅ ଧରିବା ପାଇଁ ଦୁଇ ଚାରିପଦ ପାଠ । ତେଣୁ ପଢ଼ିବା ଅପେକ୍ଷା ଦେଖିବା ବେଶୀ । କମିକ୍‌ ବହି ସାହିତ୍ୟ ନୁହେଁ । ଏହା ମୁଖ୍ୟତ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ । ଏଗୁଡ଼ିକ ଶିକ୍ଷାମୂଳକ ହେବା ଉଚିତ । ଅଧିକ ବିକ୍ରି ଆଶାରେ ବ୍ୟବସାୟୀମାନେ ଅର୍ଦ୍ଧନଗ୍ନ ନରନାରୀ ଓ ବୀଭତ୍ସ ଚିତ୍ରରେ ଏହାର ପୃଷ୍ଠା ପୂର୍ଣ୍ଣ କରୁଛନ୍ତି । ଏହି କମିକ୍‌ ଗୁଡ଼ିକର ଅନିଷ୍ଠକାରିତା ହୃଦୟଙ୍ଗମ କରି ଆମେରିକା ସରକାର Comic Authority Code ପ୍ରଣୟନ କରିବାକୁ ବାଧ୍ୟ ହେଲେ । ଆମ ସରକାର ଏଇଦିନୁ ଅବାଞ୍ଛନୀୟ କମିକ୍‌ ପ୍ରକାଶନ ଉପରେ କଟକଣା ପ୍ରୟୋଗ କରିବା ଉଚିତ ନୁହେଁ କି ?

 

ପରିବେଶର କୁପ୍ରଭାବ ସମ୍ପର୍କରେ ସବୁକଥା କହିବାକୁ ଏଠାରେ ବେଳ ନାହିଁ । ଖଜୁରୀ ଗଛର କିସ ବାହୁନିବି . ? ଯେଉଁସବୁ କାରଣରୁ ଶିଶୁର ପଠନସ୍ପୃହା ବ୍ୟାହତ ହେଉଛି, ମୁଁ କେବଳ ଏଠାରେ ସେଇ କେତୋଟି ବିଷୟର ଅବତାରଣା କରିଛି । ମୁଁ କହୁନାହିଁ ଯେ ସିନେମା, ଟି.ଭି. କମିକ ବହିଗୁଡ଼ିକୁ ପୂରାପୂରି ନିଷିଦ୍ଧ କରି ଦିଆଯାଉ । ସେଗୁଡ଼ିକର ନିୟନ୍ତ୍ରିତ ବ୍ୟବହାର ଜ୍ଞାନାର୍ଜନ ଓ ମନୋରଞ୍ଜନ ପାଇଁ ଅତିମୂଲ୍ୟବାନ । ସେହିପରି କିଛି ନିୟନ୍ତ୍ରଣ ବ୍ୟବସ୍ଥା ରହିବା ଉଚିତ । କିନ୍ତୁ ଗଣମାଧ୍ୟମ ନାଁରେ ଏଗୁଡ଼ିକର ନିରଙ୍କୁଶ ପ୍ରସାର ସୁସ୍ଥ ପରମ୍ପରା ନୁହେଁ । ଏ ଯୁଗର ପିଲା ଖବରକାଗଜ ନ ପଢ଼ି ରହି ପାରିବ ନାହିଁ । ତା’ର ପଢ଼ିବା ମଧ୍ୟ ଉଚିତ; ମାତ୍ର ଭାବନ୍ତୁ ତ ସେ ଯେତେବେଳେ ପ୍ରତିଦିନ ଲାଞ୍ଚ, ମିଛ, ଦୁର୍ନୀତି, ଦିନ ଦି’ପହରେ ଛୁରୀଭୂଷା, ନାରୀଧର୍ଷଣ ଇତ୍ୟାଦିର ସମ୍ବାଦ ପଢ଼ୁଛି, ସେତେବେଳେ ତାର କି ପ୍ରଭାବ ପଡ଼ୁଛି ତା’ ମନ ଉପରେ ? ଏଥିପାଇଁ କୌଣସି ନା କୌଣସି ପ୍ରତିକାର ବ୍ୟବସ୍ଥା ଓ କଟକଣା ପ୍ରୟୋଗ କରାଯିବା ଉଚିତ ନୁହେଁ କି ? ସୋଭିଏତ ସରକାର ସେ ଦେଶର ପିଲାଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଦୈନିକ ସମ୍ବାଦପତ୍ର ପ୍ରକାଶ କରୁଛନ୍ତି । ମୋ’ ଜାଣିବାରେ ଭାରତରେ କେବଳ କେରଳରେ ପିଲାମାନଙ୍କ ପାଇଁ ‘ବାଳକେରଳମ୍‌’ ନାମରେ ଏକ ସ୍ଵତନ୍ତ୍ର ସାପ୍ତାହିକୀ ସରକାରଙ୍କ ତରଫରୁ ପ୍ରକାଶ ପାଏ ।

 

ପ୍ରକାଶନ :

ପରିଶେଷରେ ମୁଁ ଶିଶୁ-ସାହିତ୍ୟ ପ୍ରକାଶନ ସମ୍ପର୍କରେ କିଛି କହି ମୋର ବକ୍ତବ୍ୟ ଶେଷ କରିବି । ସମ୍ପାଦନା, ଚିତ୍ର ସଂଯୋଜନା, ମୁଦ୍ରଣ, ବିକ୍ରୟ ଏବଂ ଲେଖକକୁ ତା’ର ପ୍ରାପ୍ୟ ପ୍ରଦାନ - ଏସବୁ ପ୍ରକାଶନ କାର୍ଯ୍ୟର ଅନ୍ତର୍ଭୁକ୍ତ । ଏଗୁଡ଼ିକ ସୂଚାରୁ ରୂପେ ସମ୍ପାଦିତ ନ ହେଲେ ପିଲାମାନେ ଭଲ ବହି ବା ପତ୍ରିକା ପାଇ ପାରିବେ ନାହିଁ । ଏ ଦିଗରେ କି କି ଅସୁବିଧା ରହିଛି, ତାହା ବିଚାର କରାଯାଉ । ପ୍ରଥମତଃ ପେଶାଦାର ପ୍ରକାଶକମାନେ ଶିଶୁ ପୁସ୍ତକ ଛାପିବାକୁ ଆଗ୍ରହୀ ନୁହନ୍ତି । ସେମାନଙ୍କର ଅଭିଯୋଗ ଯେ ପିଲାଙ୍କ ବହି ଛାପିବାରେ ଖର୍ଚ୍ଚ ହେବ ବେଶି, ଅଥଚ ବହିର ମୂଲ୍ୟ ହେବ କମ୍‌ । ତେଣୁ ବ୍ୟବସାୟ ଦୃଷ୍ଟିରୁ ତାହା ଲାଭଜନକ ନୁହେଁ । ଯେନ ତେନ ପ୍ରକାରେଣ ଛାପିଦେଲେ ଭଲ ବିକ୍ରି ହେବ ନାହିଁ । ସେମାନଙ୍କ ଅଭିଯୋଗ ଅମୂଳକ ନୁହେଁ । ତେଣୁ ଶିଶୁ ସାହିତ୍ୟର ବିକାଶ ପଥରେ ଏହା ଏକ ପଧାନ ସମସ୍ୟା, ଯାହା ବିଚାରସାପେକ୍ଷ ।

 

ପ୍ରକାଶନ ପୂର୍ବରୁ ସମ୍ପାଦନା ବା Editing ପାଇଁ ଆମର କୌଣସି ବ୍ୟବସ୍ଥା ପ୍ରଚଳିତ ନାହିଁ । ପୁସ୍ତକ ପ୍ରକାଶକମାନେ ଖର୍ଚ୍ଚକୁ ଡରି ସମ୍ପାଦକ ନିଯୁକ୍ତି କରନ୍ତି ନାହିଁ । କେତେକ ଶିଶୁ ପତ୍ରିକାର ସମ୍ପାଦକ, ନିଜର ଯୋଗ୍ୟତା ବିଚାର ନ କରି ନିଜେ ସବୁ କରି ପାରିବେ ବୋଲି ଧରି ନିଅନ୍ତି । ସେମାନଙ୍କ ପକ୍ଷେ ପିଲାଙ୍କ ପାଇଁ ପତ୍ରିକାଟାଏ ବାହାର କରିବା ଅତି ସହଜ । ପିଲାଏ ତ ପଢ଼ିବେ, ଦୋଷାଦୋଷ ଧରିବ କିଏ ? ତା’ଛଡ଼ା କିଛି ବ୍ୟବସାୟିକ ଫାଇଦା ଉଠାଇବା ଓ ସହଜରେ ଜଣେ ସାହିତ୍ୟିକ ହୋଇଯିବାର ଏ ଗୋଟାଏ ବାଟ । ମାସକ ତଳେ ଜଣେ ଶିଶୁ ପତ୍ରିକାର ସମ୍ପାଦକ ମୋତେ ଶୁଭେଚ୍ଛା ଜଣାଇ ଏକ ପତ୍ରରେ ଲେଖିଥିଲେ - ‘‘ଆପଣଙ୍କ ଦୀର୍ଘଜୀବନ” କାମନା କରୁଛି ।’’ ମୁଁ ତାକୁ ପଢ଼ି ଭାବିଲି - ଏ ସମ୍ପାଦକ ମୋର ଦୀର୍ଘ ଜୀବନ କାମନା ନ କରି ଯଦିତାଙ୍କ ନିଜ ପାଇଁ ଜଣେ ସମ୍ପାଦକ ରଖନ୍ତେ, ତେବେ ତାଙ୍କ ପତ୍ରିକାଟି ଦୀର୍ଘୀଜୀବୀ ହୋଇ ପାରନ୍ତା ।

 

ପ୍ରକାଶନର ଅନ୍ୟ ଏକ ଦିଗ ହେଲା ଚିତ୍ର ସଂଯୋଜନା । ସହଜେ ତ ଏହା ବ୍ୟୟସାପେକ୍ଷ, ଦ୍ଵିତୀୟତଃ ଶିଶୁପୁସ୍ତକ ପାଇଁ ଦକ୍ଷ ଚିତ୍ରଶିଳ୍ପୀଙ୍କର ଘୋର ଅଭାବ ରହିଛି ।

 

ଓଡ଼ିଆରେ ଶିଶୁପୁସ୍ତକର ସମୀକ୍ଷା କ୍ଵଚିତ୍‌ ପ୍ରକାଶ ପାଏ । ଯାହା ପରିଚୟ ସ୍ତମ୍ଭରେ ବାହାରେ ତାହା ନିତାନ୍ତ ମାମୁଲି । ଫଳରେ ସୁଲେଖକ ତ ଉତ୍ସାହ ପାଏ ନାହିଁ, ଅସାହିତ୍ୟ ବଢ଼ିଚାଲେ ।

 

ପ୍ରତିବର୍ଷ ପ୍ରକାଶ ପାଉଥିବା ଶିଶୁ ପୁସ୍ତକ ଓ ପତ୍ରିକାର ତାଲିକା ମିଳୁ ନ ଥିବାରୁ କ୍ରେତାମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପୁସ୍ତକମେଳାରେ ସବୁ ପୁସ୍ତକ ସ୍ଥାନ ପାଏ ନାହିଁ ।

 

ଆମ ଶିଶୁସାହିତ୍ୟକୁ କଠୋର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି । ସୁଦୃଶ୍ୟ ଇଂରାଜୀ, ରୁଷୀୟ ଓ ଚୀନା ପୁସ୍ତକମାନ ସୁଲଭ ମୂଲ୍ୟରେ ଏଠାରେ ବିକ୍ରି ହେଉଛି । ଓଡ଼ିଶା ବାହାରେ ପ୍ରକାଶିତ ଏକ ଶିଶୁପତ୍ରିକା ବହୁସଂଖ୍ୟାରେ ଅଫ୍‌ସେଟ୍‌ ପଦ୍ଧତିରେ ମୁଦ୍ରିତ ହୋଇ ବଜାରକୁ ଆସିଯାଉଛି । ପିଲାଙ୍କ ପାଇଁ ତା’ର ଉପାଦେୟତା କେତେ କେହି ବୁଝୁନାହାନ୍ତି । ସରକାରଙ୍କ ଶିକ୍ଷାବିଭାଗ କେବଳ ଖଣ୍ଡିଏ ‘ଶିଶୁଲେଖା’ ପ୍ରକାଶ କରିଦେଇ ନିଶ୍ଚିନ୍ତ ରହିଛନ୍ତି । ଦେଶୀୟ ଶିଳ୍ପର ସୁରକ୍ଷାପାଇଁ ଯେପରି ପଦକ୍ଷେପ ନିଆଯାଏ, ସେହିପରି କିଛି ନ ହେଲେ ଆମେ ତିଷ୍ଠି ରହିବା କିପରି ?

 

ଶିଶୁ ସାହିତ୍ୟର ପରିପୂରକ ଭାବେ ଶିଶୁ ଅଭିଧାନ ଏବଂ ଶିଶୁ ଜ୍ଞାନକୋଷର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ଏହାର ପ୍ରକାଶନ ପାଇଁ ଉଦ୍ୟମ ହେବା ବାଞ୍ଛନୀୟ ।

 

ପରିଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ପୁସ୍ତକ ଓ ପତ୍ରିକାର କେବଳ ସଂଖ୍ୟାବୃଦ୍ଧି ଘଟିଲେ ଓଡ଼ିଆ ଶିଶୁସାହିତ୍ୟର ବିକାଶ ଘଟୁଛି ବୋଲି କୁହାଯାଇପାରିବ ନାହିଁ । ତା’ର ଗୁଣାତ୍ମକ ମାନ ବଢ଼ାଇ ତାକୁ ଉନ୍ନତ ଶିଶୁ ସାହିତ୍ୟର ସମକକ୍ଷ କରାଇବାକୁ ହେବ । ଏ ଦିଗରେ ଯାହା ଯାହା ଅସୁବିଧା ରହିଛି ବୋଲି ମୁଁ ସୂଚନା ଦେଲି, ତା’ର ଯଥାଯଥ. ଦୂରୀକରଣ ଦିଗରେ ଆପଣମାନେ ଆଲୋକପାତ କରିବେ । ଏହି ଆଶା ପୋଷଣ କରି ଆନୁଷ୍ଠାନିକ ଭାବରେ ମୁଁ ଏହି ଆଲୋଚନାଚକ୍ର ଉଦ୍‌ଘାଟନ କରୁଛି ।

 

***

 

Unknown

ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ-ଏକ ଆଲୋଚନା

ଶ୍ରୀ ରାଧାମୋହନ ଗଡ଼ନାୟକ

 

ଦେବଗଡ଼ କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ରାମଚନ୍ଦ୍ର ବ୍ରହ୍ମା ଉପରୋକ୍ତ ନାମରେ ଖଣ୍ଡିଏ ସାହିତ୍ୟ ଆଲୋଚନା ପୁସ୍ତକ ଆମ ଓଡ଼ିଆ ସାହିତ୍ୟକୁ ଦାନ କରିଛନ୍ତି-। ତାହା ପାଠ କରି ମୋ ମନରେ ଯେଉଁ ଭାବ ଓ ଧାରଣା ଜାତ ହୋଇଛି, ତାହା ମୋ ଦେଶର ପାଠକ ପାଠିକାମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଏକ ଜାତୀୟ କର୍ତ୍ତବ୍ୟ ବୋଲି ମୁଁ ମନେ କରୁଛି ।

 

ବିଗତ ୧୯୩୬ର ଏପ୍ରିଲ ପହିଲା ଆମର ଖଣ୍ଡ-ଛିନ୍ନ ଓଡ଼ିଶା ପ୍ରଦେଶ ଏକତ୍ରୀକୃତ ହୋଇଥିଲା । ୧୯୪୭ରେ ଗଡ଼ଜାତ ଅଞ୍ଚଳ ସହିତ ସାମିଲ ହେଲା । ତେଣୁ ଓଡ଼ିଆ ସାହିତ୍ୟ କହିଲେ କଟକ, ପୁରୀ, ବାଲେଶ୍ଵର, ଗଞ୍ଜାମ ଓ ସମ୍ବଲପୁରର ଦାନ ଓ ଅବଦାନକୁ ନେଇ ସଂଗଠିତ ହୋଇଥିଲା । ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଗଡ଼ଜାତ ଓ ଗଡ଼ଜାତମାନଙ୍କ ମଧ୍ୟରେ ଅବସ୍ଥିତ ଅନୁଗୁଳର ସାହିତ୍ୟ ସମ୍ପର୍କରେ ଆଶାନୁରୂପ ସଂଗ୍ରହ ବା ଆଲୋଚନା ହୋଇପାରିନାହିଁ । କେବଳ ବାମଣ୍ଡା, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳର ସାହିତ୍ୟ କୃତି ଆମ ଓଡ଼ିଆ ସାହିତ୍ୟରେ ଯତ୍‌ କିଞ୍ଚିତ୍‌ସ୍ଥାନିତ ହୋଇ ପାରିଛି । ଅନ୍ୟାନ୍ୟ ଅଞ୍ଚଳରେ ସାହିତ୍ୟ ସୃଷ୍ଟି ପୁଷ୍କଳ ଭାବରେ ଆଲୋଚିତ ହେଲେ ଓଡ଼ିଆ ସାହିତ୍ୟର ଇତିହାସ ପରିପୁଷ୍ଟ ଓ ପରିପୂର୍ଣ୍ଣ ଭାବରେ ଆତ୍ମପ୍ରକାଶ କରିପାରିବ ।

 

ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ । ସମ୍ବଲପୁର ହିତୈଷିଣୀ, ଉପହାର, ଆଲୋଚନା ଓ ଉତ୍କଳ-ମଧୁପ ସେଠାରୁ ପ୍ରକାଶିତ ହୋଇ ସାରସ୍ଵତ ବାତାବରଣ ସୃଷ୍ଟି କରିବାରେ ଆମକୁ ସାହାଯ୍ୟ କରୁଥିଲା । ପୁନଶ୍ଚ ଯେତେବେଳେ ଉପେନ୍ଦ୍ରଭଞ୍ଜ ଓ ରାଧାନାଥ ରାୟଙ୍କୁ ସମର୍ଥନ କରି ତୁମୂଳ ବାଦବିସମ୍ବାଦର ସୃଷ୍ଟି ହେଲା, ସେତେବେଳେ ରାଧାନାଥଙ୍କ ସପକ୍ଷରେ ‘ବିଜୁଳି’ ଜନ୍ମଲାଭ କରିଥିଲା । ଶେଷରେ ପୁଣି କବି ମାୟାଧର ମାନସିଂହଙ୍କ ଦ୍ଵାରା ପ୍ରତିଷ୍ଠିତ ‘ଶଙ୍ଗ’ ସେଠାରୁ ପ୍ରକାଶିତ ହୋଇଥିଲା ।

 

କବିବର ରାଧାନାଥଙ୍କ ଭାଷାରେ ବାମଣ୍ଡା ହୋଇଥିଲା ‘‘ବୁଧହଂସ କେଳିସର’’ ଓ କଥା କାବ୍ୟକାର ଫକୀର ମୋହନଙ୍କ ଲେଖନୀରେ ‘‘ଉତ୍କଳର ଉଜ୍ଜୟିନୀ’’ । ତେଣୁ ସେଇ ବାମଣ୍ଡାର ସାହିତ୍ୟଚର୍ଚ୍ଚା ଯଥାଯଥ ଭାବରେ ଦେଶ ଆଗରେ ଉପସ୍ଥାପିତ କରିବା ଅତ୍ୟନ୍ତ ଦାୟିତ୍ଵପୂର୍ଣ୍ଣ । ଅଧ୍ୟାପକ ବ୍ରହ୍ମା ବାମଣ୍ଡାର ଅଧିବାସୀ ହୋଇଥିବାରୁ ତାହା ଚର୍ଚ୍ଚା କରିବାକୁ ସାହସ ବାନ୍ଧି ପାରିଛନ୍ତି ।

 

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’

ନା ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ?

 

ପ୍ରଥମେ ନାମକରଣରୁ ‘‘ଅୟମାରମ୍ଭ’’ ହେଉ - ‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ।’’ ସେଥିପାଇଁ ଲେଖକ ପ୍ରଥମକୁ ପ୍ରତିପାଦିତ କରିଛନ୍ତି –

 

ଏହି ସମୟରେ ଉତ୍କଳ ଦୀପିକା, ଉତ୍କଳ ବାହିନୀ, ସଂସ୍କାରକ, ନବ ସମ୍ୱାଦ, ସମ୍ବଲପୁର ହିତୈଷିଣୀ ପତ୍ରପତ୍ରିକାମାନେ ଆତ୍ମପ୍ରକାଶ କରି ଏକ ସାହିତ୍ୟିକ ବାତାବରଣ ସୃଷ୍ଟି କଲେ । ‘ସମ୍ବଲପୁର ହିତୈଷିଣୀ’ରେ ଓଡ଼ିଆ ଭାଷା ତଥା ସାହିତ୍ୟର ଉନ୍ନତି ପ୍ରସଙ୍ଗରେ ଯେଉଁ ଆଲୋଚନାମାନ ପ୍ରକାଶିତ ହେଲା, ‘‘ଓଡ଼ିଆ ଓ ନବ ସମ୍ବାଦ’’ (୧୮୯୩) ମଧ୍ୟ ସେ ସବୁ ଗ୍ରହଣ କରି ପ୍ରକାଶ କଲା ।

 

ଏହି ପରିପ୍ରେକ୍ଷୀରେ ବିଚାର କଲେ ଜଣାଯାଏ ଯେ ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ତଥା ସଂସ୍କୃତିର ସମ୍ମିଶ୍ରଣ ଫଳରେ ଓଡ଼ିଆ ସାହିତ୍ୟ ଏକ ନୂତନ ଦିଗ୍‌ଦର୍ଶନ ନେଇ ଗତି କଲା । ରାଧାନାଥ, ଫକୀରମୋହନ, ବିଶ୍ୱନାଥ, ଗଙ୍ଗାଧର, ମଧୁସୂଦନ, ରାମଶଙ୍କର ପ୍ରଭୃତି ସାହିତ୍ୟିକବୃନ୍ଦ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟ ରଦ୍ଧିମନ୍ତ କଲେ । ରାଧାନାଥ ସ୍ଵକାବ୍ୟକୃତି ବଳରେ ଯୁଗାନ୍ତର ସୃଷ୍ଟିକଲେ, ଯାହାକି ରାଧାନାଥ ଯୁଗ ପକ୍ଷାନ୍ତରେ ଆଧୁନିକ ଯୁଗ ବୋଲି ପରିଚିତ । (୧୮୭୦ ପରବର୍ତ୍ତୀ)

 

‘‘୧୮୭୦ ପରବର୍ତ୍ତୀ’’ କହିଲେ ୧୯୭୫ ଯାଏ କି ? ବୋଧହୁଏ ନୁହେଁ । ରାଧାନାଥଙ୍କ ଦାନ ବା ବାମଣ୍ଡାର ଦାନ ଆଧୁନିକ ହେବ କି ?

 

ରାଧାନାଥଙ୍କ ପରେ ଓଡ଼ିଆ ସାହିତ୍ୟକୁ କେତେ କଣ ପ୍ରବାହ ଆସି ସାରିଲାଣି, ତାପରେ ଆସୁଚି ଲୋହିତ ସାହିତ୍ୟ, ପରେ ପରେ ପୁଣି ସବୁଜ ସାହିତ୍ୟ, ତା’ପରେ ହେଲାଣି ଧୂସର ସାହିତ୍ୟ-। ଉପେନ୍ଦ୍ରଙ୍କ ପରେ ରାଧାନାଥ ଆଧୁନିକ ବୋଲି ଗୃହୀତ ହୋଇଥିଲେ, ଆଜି ହୋଇ ପାରିବେ କି-? ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ ବୋଲି କିଛି ହୋଇ ପାରିବ କି ? ତେଣୁ ‘‘ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକର ନାମକରଣ ବୋଧହୁଏ ସମୀଚୀନ ହୋଇଥାନ୍ତା ।

 

 

ପ୍ରେରଣା ଦେଇଛନ୍ତି କେଉଁମାନେ ?

ଅଧ୍ୟାପକ ବ୍ରହ୍ମା ଯେଉଁମାନଙ୍କଠାରୁ ଉତ୍ସାହ ଓ କର୍ମପ୍ରେରଣା ପାଇ ପୁସ୍ତକ ରଚନାରେ ଉତ୍ସାହିତ ହୋଇଛନ୍ତି, ସେମାନଙ୍କ ପାଇଁ ତାଙ୍କ ‘‘ବକ୍ତବ୍ୟରୁ ଯତ୍‌କିଞ୍ଚିତ୍‌’’ ରେ ଲିପିବଦ୍ଧ କରିଛନ୍ତି –

 

‘‘ଏ ପ୍ରକାର ସାହିତ୍ୟକୃତି ସମ୍ପାଦନାରେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଲବ୍ଧପ୍ରତିଷ୍ଠ ଲେଖକ, ସ୍ଵନାମଧନ୍ୟ ସାହିତ୍ୟିକ ତଥା ମୋର ପୂଜ୍ୟସ୍ପଦ ଗୁରୁଦେବ ମହୋଦୟ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତିଙ୍କ ସଦୁତ୍ସାହ ଓ କର୍ମପ୍ରେରଣା ବିଶେଷ ସହାୟକ ହୋଇ ପାରିଛି । ତେଣୁ ଲେଖକ ଚିରଦିନ ତାଙ୍କଠାରେ ଋଣୀ ।

x                  x                  x                  x

ବାମଣ୍ଡାର ଲବ୍‌ଧପ୍ରତିଷ୍ଠିତ ସାହିତ୍ୟିକ ପୂଜ୍ୟସ୍ପଦ ଗୁରୁଦେବ ଶ୍ରୀଯୁକ୍ତ ବାବା ଶଶିଭୂଷଣ ଦେବଙ୍କ ଆଶୀର୍ବାଣୀ, ସଦୁତ୍ସାହ, କର୍ମପ୍ରେରଣା, ତଥ୍ୟାନୁଶୀଳନ, ଏ କ୍ଷେତ୍ରରେ ବିଶେଷ ସହାୟକ ହେତୁ ସେ ଚିରନମସ୍ୟ ତଥା ଭକ୍ତିଭାଜନ ହୋଇ ରହିବେ ।

x                  x                  x                  x

ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ନାୟକ, ଓଡ଼ିଶାର ଲବ୍‌ଧ ପ୍ରତିଷ୍ଠିତ ଲେଖକ ଶ୍ରୀ ଶ୍ରଦ୍ଧାକର ସୂପକାର ଏମ.ଏ.ଏଲ୍‌.ଏଲ୍‌.ବି, ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଗୌରୀକୁମାର ବ୍ରହ୍ମା ପ୍ରମୁଖ ସମ୍ମାନାସ୍ପଦ ଗୁରୁଜନବୃନ୍ଦ ସେମାନଙ୍କର ମହାର୍ଘ ଅଭିମତମାନ ପ୍ରଦାନ ପୂର୍ବକ ଗ୍ରନ୍ଥଟିର ମୂଲ୍ୟ ପରିବର୍ଦ୍ଧନ କରିଥିବାରୁ ଲେଖକ ସେମାନଙ୍କଠାରେ କୃତଜ୍ଞ ।’’

 

ପ୍ରକୃତରେ ଉପରୋକ୍ତ ସାହିତ୍ୟିକମାନଙ୍କର ଅଭିମତମାନ ଗ୍ରନ୍ଥଟିର ମୁଲ୍ୟ ପରିବର୍ଦ୍ଧନରେ ସାହାଯ୍ୟ କରିଚି, ଏଥରେ ସନ୍ଦେହ ନାହିଁ । ଗ୍ରନ୍ଥଟିର ଆଲୋଚନା ପୂର୍ବରୁ ତାହାର ସ୍ଵରୂପ ଜାଣିବା ପାଠକ ପକ୍ଷରେ କଲ୍ୟାଣକର ବୋଲି ମନେହୁଏ ।

 

ସେମାନଙ୍କ ଅଭିମତ :

‘‘ଶ୍ରୀଯୁକ୍ତ ବ୍ରହ୍ମା ଏହି ଗବେଷଣାମୂଳକ ‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’ ପୁସ୍ତକରେ ପ୍ରଗାଢ଼ ଯତ୍ନ ସହକାରେ ସଂଗ୍ରହ କରି ସମଗ୍ର ବିଷୟ ପରିଷ୍କାର ଭାବେ ଉଲ୍ଲେଖ କରିଛନ୍ତି । ଏଥିରେ ମୋର ବିଶେଷ କିଛି ଲେଖିବାର ଆବଶ୍ୟକତା ନାହିଁ । ବଡ଼ ସୌଭାଗ୍ୟର ବିଷୟ ଏହି ଯେ ବାମଣ୍ଡାର ଶୁଷ୍କ ସାହିତ୍ୟ-ଝରଣା ଶ୍ରୀଯୁକ୍ତ ବ୍ରହ୍ମାଙ୍କ ପ୍ରଗାଢ଼ ଯତ୍ନ ବଳରେ ପୁନର୍ବାର ସତ୍‌‌ସାହିତ୍ୟ ଝରଣା ରୂପେ ପ୍ରବାହିତ ହୋଇ ଲୋକମାନଙ୍କର ହିତ ସାଧନ କରୁ ।’’

 

୨୮.୬.୭୫

ଦେବଦୁର୍ଗ

ଶ୍ରୀ ଶଶିଭୂଷଣ ଦେବ

ଅବସରପ୍ରାପ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ଜଜ୍‌

ପୁରାତନ ବାମଣ୍ଡା ଷ୍ଟେଟ୍‌

 

‘‘ମୋର ପୂର୍ଣ୍ଣ ବିଶ୍ଵାସ, ଏ ପୁସ୍ତକଟି ସାହିତ୍ୟିକ ଗବେଷଣାର ଏକ ଆଦର୍ଶ ରଚନା । ଏହା ଓଡ଼ିଆ ସାହିତ୍ୟିକ ସମାଲୋଚକ, ଅଧ୍ୟାପକ, ଛାତ୍ର ଓ ସାଧାରଣ ସୁଧୀସମାଜରେ ବିଶେଷ ଆଦର ଲାଭ କରିବ ବୋଲି ମୋର ବିଶ୍ଵାସ । ପଣ୍ଡିତ ବ୍ରହ୍ମାଙ୍କଠାରୁ ଆମେ ଏହିପରି ଆହୁରି ଅନେକ ଗବେଷଣାତ୍ମକ ପ୍ରବନ୍ଧ ଓ ପୁସ୍ତକ ଆଶା କରୁଁ ।’’

ଇତି

ଶ୍ରଦ୍ଧାକର ସୂପକାର

୨୩.୪.୧୯୭୬

‘‘ସେଇ ସମ୍ପର୍କୀୟ ପ୍ରବନ୍ଧଗୁଡ଼ିକୁ ଏକ ସୂତ୍ରରେ ଗ୍ରଥିତ କରି ସେ ‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ଶୀର୍ଷକ ଏକ ଉପାଦେୟ, ବହୁ-ତଥ୍ୟ-ସମ୍ବଳିତ ନିବନ୍ଧ ପ୍ରସ୍ତୁତ କରିଅଛନ୍ତି । ଏହା ପାଠକ ଓ ଗବେଷକମାନଙ୍କୁ ଶଂସିତ ବିଷୟରେ ଆଶାନୁରୂପ ଅବହିତ କରିବ, ଏହା ମୋର ଦୃଢ଼ ବିଶ୍ଵାସ ।’’

 

ଜାନକୀ ବଲ୍ଲଭ ମହାନ୍ତି

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ,

ରେଭେନ୍‌ସା କଲେଜ, କଟକ

 

‘‘ଅଧ୍ୟାପକ ଶ୍ରୀ ରାମଚନ୍ଦ୍ର ବ୍ରହ୍ମାଙ୍କ ଲିଖିତ “ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ନାମକ ଗ୍ରନ୍ଥର ପାଣ୍ଡୁଲିପି ପାଠ କରି ପ୍ରୀତ ହେଲି । ଶ୍ରୀଯୁକ୍ତ ବ୍ରହ୍ମା ବହୁ ଶ୍ରମ ସ୍ଵୀକାର ପୂର୍ବକ ବାମଣ୍ଡାର ସୁପରିଚିତ ଓ ଅପରିଚିତ ବହୁ ଲେଖକଙ୍କ ସମ୍ପର୍କରେ ନାନା ଉପାଦେୟ ତଥ୍ୟ ଏ ଗ୍ରନ୍ଥରେ ସମାବେଶିତ କରିଅଛନ୍ତି ।’’

 

ବଡ଼ଦାଣ୍ଡ

ଭୁବନେଶ୍ୱର

ଶ୍ରୀ ଗୌରୀକୁମାର ବ୍ରହ୍ମା

୧୩.୪.୭୬

 

ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା ବହୁ ଗବେଷଣା ଦ୍ଵାରା ବିସ୍ମୃତପ୍ରାୟ ଏହି ଅଧ୍ୟାୟର ପୁନର୍ନିମାଣ କରିବାର ପ୍ରୟାସ କରିଛନ୍ତି । ଉତ୍କଳର ପଶ୍ଚିମ ସୀମାନ୍ତରେ ବାମଣ୍ଡା ଏକ ସାରସ୍ଵତ ସାଧନାର ପୀଠରେ ଯେଉଁ ହୋମାଗ୍ନି ପରିବେଷଣ କରିଥିଲା, ତାହାର ସ୍ମରଣିକା ସ୍ଵରୂପ ଏ ଗ୍ରନ୍ଥ ନିଶ୍ଚିତ ରୂପେ ସ୍ଵୀକୃତି ଲାଭ କରୁ ।’’

 

ବିନୋଦଚନ୍ଦ୍ର ନାୟକ

୨୪.୬.୭୫

 

୧୯୨୯ରେ ଦେବଗଡ଼ ହାଇସ୍କୁଲରେ ମୁଁ କେତେମାସ ଅଧ୍ୟୟନ କରିଥିଲି । ତେଣୁ ବାମଣ୍ଡାର ବଡ଼ ଓ ସାନ ସାହିତ୍ୟିକମାନଙ୍କ ସହିତ ମୋର ହାର୍ଦ୍ଦିକ ପରିଚୟ ଥିଲା । ବାମଣ୍ଡା ପ୍ରତି ମୁଁ ଏକ ପ୍ରକାର ଅନୁରକ୍ତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଶ୍ରୀ ବ୍ରହ୍ମାଙ୍କ ପୁସ୍ତକ ସମ୍ପର୍କରେ ଉପରୋକ୍ତ ସାହତ୍ୟିକ ବନ୍ଧୁମାନଙ୍କ ଉଚ୍ଛ୍ଵସିତ ପ୍ରଶଂସା ମୋତେ ଉତ୍ସାହିତ କରିଥିଲା, ମାତ୍ର ପୁସ୍ତକ ପାଠ ପରେ ମୁଁ ମର୍ମେ ମର୍ମେ ହତାଶ ହେଲି ।

 

ହତାଶାର କାରଣ ଦେବାକୁ ବର୍ତ୍ତମାନ ମୁଁ ପୁସ୍ତକଟିର ପ୍ରସଙ୍ଗକୁ ଆସୁଛି ।

 

ରାଧାନାଥ ‘ରାୟ ବାହାଦୁର’ ଉପାଧି କାହାଠାରୁ ପାଇଥିଲେ ?

ଅଧ୍ୟାପକ ବ୍ରହ୍ମା ତାଙ୍କର ପୁସ୍ତକରେ ଅତ୍ୟନ୍ତ ଅମୂଳକ ଓ ଅସତ୍ୟ ସମ୍ବାଦ ଦେଇଛନ୍ତି, ମୁଁ ତାହା ତାଙ୍କ ପୁସ୍ତକରୁ ଉଦ୍ଧାର କରି ପ୍ରତିପାଦିତ କରୁଛି –

 

‘‘ବାମଣ୍ଡାର ଏହି ଆଲୋଚନାସଭା ରାଧାନାଥ ରାୟଙ୍କୁ ରାୟ ବାହାଦୁର ଉପାଧି ପ୍ରଦାନ ପୂର୍ବକ ଗୌରବମଣ୍ଡିତ କରି ପାରିଥିଲା ।

 

‘‘ବାମଣ୍ଡା ରାଜସଭାରୁ କବିବର ରାଧାନାଥ ରାୟଙ୍କୁ ରାୟ ବାହାଦୁର ଉପାଧି (୧୮୯୭) ପ୍ରଦାନ ତାଙ୍କ ସାହିତ୍ୟ-ପ୍ରୀତିର ଶ୍ରେଷ୍ଠ ନିଦର୍ଶନ ।’’

 

‘‘ବାମଣ୍ଡା ରାଜଦରବାରରୁ ରାୟ ବାହାଦୁର ଉପାଧି ଲାଭ ଏବଂ ସମ୍ବଲପୁର ହିତୈଷିଣୀରେ ଚିଲିକା, ପାର୍ବତୀ, ଯଯାତି କେଶରୀ ପ୍ରଭୃତିର ପ୍ରକାଶନ ତାଙ୍କର ବାମଣ୍ଡା ସହିତ ଘନିଷ୍ଠତାର ଶ୍ରେଷ୍ଠ ନିଦର୍ଶନ ବୋଲି ମନେ ହୁଏ ।’’

 

ମାତ୍ର ବ୍ରିଟିଶ ଶାସନର ଅଧୀନରେ ଥାଇ ସାର୍‌ ସୁଢ଼ଳଦେବ ବାମଣ୍ଡା ଦରବାରରୁ ‘‘ରାୟ ବାହାଦୁର’’ ଦେଇ ପାରିଥାନ୍ତେ କି ? ତାହା ତାଙ୍କର ଅଧିକାର ମଧ୍ୟରେ ସମ୍ଭବ ଥିଲା କି ?

 

ପ୍ରକୃତ ସତ୍ୟ ଓ ତଥ୍ୟର ଉଲ୍ଲେଖ ନ କରି ରହି ହେଉ ନାହିଁ-

 

୧୮୯୭ରେ ବାମଣ୍ଡା ଦରବାରରେ ନୁହେଁ । ଭାରତ ସରକାର ମହାରାଣୀ ଭିକ୍ଟୋରିୟାଙ୍କ ହୀରକ ଜୁବୁଲି ଉପଲକ୍ଷ୍ୟରେ କବିବର ରାଧାନାଥ ରାୟଙ୍କୁ ଯୋଗ୍ୟ ମନେକରି ‘‘ରାୟ ବାହାଦୁର’’ ଉପାଧି ପ୍ରଦାନ କରିଥିଲେ –

 

ସନନ୍ଦର ପ୍ରତିଲିପି

"To Babu Radhanath Rai

Inspector of Schools, ORISSA

I here by, confer upon you the title of Rai Bahadur as a personal distinction.

Sd. Elgin

Viceroy and Governor General of India

 

Simla

The 22nd, June 1897

 

ରାଧାନାଥ ଜୀବନୀ, ପୃ-୨୮୧

 

ଓଡ଼ିଶାରେ ସେ ସମ୍ବାଦ କିପରି ପ୍ରଚାରିତ ହୋଇଥିଲା ଓ ଲୋକପ୍ରାଣରେ କିପରି ଆଗ୍ରହ ଦେଇ ପାରିଥିଲା, ତା’ର କେତୋଟି ଦୃଷ୍ଟାନ୍ତ ଦେଉଛି - ।

 

ସମ୍ବଲପୁର ହିତୈଷିଣୀର ସମ୍ପାଦକଙ୍କ ପାଖକୁ ୨୮ ତାରିଖ ଜୁଲାଇ ୧୮୯୭ରେ ରାଙ୍ଗେୟା ନାଇଡ଼ୁଙ୍କର କାନାଡ଼ାରୁ ପତ୍ର -

 

‘‘ମହାଶୟ

ଉତ୍କଳର ସୁବିଖ୍ୟାତ କବି ସର୍ବଗୁଣାଧାର ଶ୍ରୀମାନ୍‌ବାବୁ ରାଧାନାଥ ରାୟ ମହୋଦୟ ଭାରତେଶ୍ଵରୀ ଭିକ୍ଟୋରିୟାଙ୍କ ହୀରକ ଜୁବୁଲି ଉପଲକ୍ଷ୍ୟରେ ରାୟ ବାହାଦୁର ଉପାଧି ଭୂଷଣରେ ଭାରତ ସରକାରଙ୍କ ଦ୍ଵାରା ଭୂଷିତ ହୋଇଥିବା ଦେଖି ସମଗ୍ର ଉତ୍କଳବାସୀ ଆନନ୍ଦିତ ହୋଇ ଅଛନ୍ତି-।”

 

ରାଧାନାଥ ଜୀବନୀ -

 

ପାଟଣାର ମହାରାଜା ଶ୍ରୀ ଦଳଗଞ୍ଜନ ସିଂହଙ୍କର ପତ୍ରରୁ -

 

‘‘ଡାଇମଣ୍ଡ ଜୁବୁଲି ସମ୍ବନ୍ଧେ ଆପଣ ମହାମାନ୍ୟ ଭାଇସରାୟ ମହୋଦୟଙ୍କ ଛାମୁରୁ ‘‘ରାୟ ବାହାଦୁର’’ ଉପାଧି ପାଇଥିବା ଶୁଭ ସମ୍ବାଦ ପତ୍ରରୁ ଅବଗତ ହୋଇ ଯେତେଦୂର ପର୍ଯ୍ୟନ୍ତ ଆନନ୍ଦ କଲ୍ଲୋଳିନୀ ଉଚ୍ଛ୍ୱସିତ ହେଲା, ତହିଁର ସୀମା ନାହିଁ ।’’ ରାଧାନାଥ ଜୀବନୀ, ପୃ-୨୬୮

 

୨୧ ତାରିଖ ଅଗଷ୍ଟ ସନ ୧୮୯୭ ସମ୍ବଲପୁର ହିତୈଷିଣୀରେ କବି ଚିନ୍ତାମଣି ମହାନ୍ତି କବିତାରେ ‘‘ଆନନ୍ଦ ସମାଚାର’’ ଜଣାଇଛନ୍ତି –

 

x…..xx…….x

ତୁଙ୍ଗ ମାଲ୍ୟଗିରି ଯେ ଗନ୍ଧମାଦନ

ହୋଇଅଛଇ ଯା’ର ହୃଦୟ ମଣ୍ଡନ,

ସେହି ଉତ୍କଳର ପୁତ୍ର କବି ଶୂର

ଲଭିଛନ୍ତି ଯଦି ‘‘ରାୟ ବାହାଦୁର’’

ରାଜଦ୍ଵାରେ ଶୁଣି ସ୍ଵପୁତ୍ର ସୁଖ୍ୟାତି

ହର୍ଷେ ଫୁଲି ଉଠେ ଉତ୍କଳର ଛାତି ।

xx…………xx……..xx

ଯା’ ର ଯୋଗ୍ୟପୁତ୍ର ରାଧାନାୟ ରାୟ

ବୀଣାପାଣିଙ୍କର ବରପୁତ୍ର ପ୍ରାୟ,

ଭାରତ ଈଶ୍ଵରୀ ଯା’ ଗୁଣେ ପ୍ରସନ୍ନ

ହୋଇ ଦାନ କଲେ ଅଯାଚିତ ଧନ ।

 

ରାୟ ବାହାଦୁର ଉପାଧି ରାଧାନାଥଙ୍କୁ ବାମଣ୍ଡା ଦରବାର ନୁହେଁ, ଭାରତେଶ୍ଵରୀ ଭିକ୍ଟୋରିୟାଙ୍କ ଦାନ ।

 

ଶ୍ରୀ ରଘୁନାଥ ଶର୍ମା ୧୧.୮.୧୮୯୭ରେ ଲେଖିଥିଲେ –

 

‘‘ଭାରତ ଈଶ୍ଵରୀ ଭିକ୍ଟୋରିୟା ରାଣୀ

ଯାହାଙ୍କ ସୁଗୁଣ ନୁହଇ ବଖାଣି ।

ସୌଜନ୍ୟ ସୁଗୁଣ ଗ୍ରହଣେ ଅଗ୍ରଣୀ

ସେଇ ଦେଇଛନ୍ତି ସେ ପଦକ ମଣି ।

xx…………xx……..xx

ତଥା ରାଧାନାଥ ରାୟ କବିବର

ରାୟ ବାହାଦୁର ପଦରେ ଭାସ୍ଵର ।’’

ରାଧାନାଥ ଜୀବନୀ, ପୃ-୨୭୯

 

ରାଧାନାଥ ଜୀବନୀରେ ଏ ସମ୍ପର୍କରେ ଯେତେ ଯେତେ ପ୍ରାମାଣିକତା ରହିଛି, ଲେଖକ ଶ୍ରୀ ବ୍ରହ୍ମା ସବୁ ଦେଖି ଦେଖି ଆଖି ବୁଜି ଦେଇଛନ୍ତି ।

 

‘‘କୃଷ୍ଣପ୍ରେମତରଙ୍ଗିଣୀ’’ ର ପ୍ରଣେତା କିଏ ?

ଅଧ୍ୟାପକ ବ୍ରହ୍ମା ତାଙ୍କ ପୁସ୍ତକର ୬୮ ପୃଷ୍ଠାରେ ପ୍ରକାଶ କରିଛନ୍ତି - ଏମାନଙ୍କ ମଧ୍ୟରେ ଥିଲେ ଶ୍ରେଷ୍ଠ ପଣ୍ଡିତ ଭୁବନେଶ୍ଵର ବଡ଼ପଣ୍ଡା । ସେ ଏହି ନବରତ୍ନଙ୍କ ମଧ୍ୟରେ କାଳିଦାସଙ୍କ ସଦୃଶ ଶୋଭା ପାଉଥିଲେ । ତାଙ୍କ ‘‘ଆନନ୍ଦ ଦାମୋଦର ଚମ୍ପୁ’’, ‘‘ବାମଣ୍ଡାରାଜବଂଶାନୁଚରିତ’’ ଚମ୍ପୁ ଓ ‘‘କୃଷ୍ଣପ୍ରେମତରଙ୍ଗିଣୀ’’ ତିନିଖଣ୍ଡ ସଂସ୍କୃତ କାବ୍ୟ ଶ୍ରେଷ୍ଠ ଗ୍ରନ୍ଥ ଯାହାକି ବାମଣ୍ଡାର ସାହିତ୍ୟିକ ବାତାବରଣକୁ ଉଚ୍ଚକୋଟୀର ପରିବେଶରେ ତୋଳିଥିଲା ।

 

ପୁଣି ୨୮ ପୃଷ୍ଠାରେ ଶ୍ରୀ ବ୍ରହ୍ମା ଉଲ୍ଲେଖ କରିବାକୁ ଛାଡ଼ି ନାହାନ୍ତି - ‘‘ଭୁବନେଶ୍ୱର ବଡ଼ପଣ୍ଡାଙ୍କର (ତିଗିରିଆ ନିବାସୀ, ପରେ ବାମଣ୍ଡାବାସୀ) ସଂସ୍କୃତ ଜ୍ଞାନ ଶ୍ରେଷ୍ଠ ନିଦର୍ଶନ ସ୍ଵରୂପ (୧) ଆନନ୍ଦ ଦାମୋଦର ଚମ୍ପୁ (୨) ବାମଣ୍ଡା ରାଜବଂଶାନୁଚରିତମ୍‌ଓ (୩) କୃଷ୍ଣ ପ୍ରେମତରଙ୍କିଣୀ ତିନୋଟି ସଂସ୍କୃତ କାବ୍ୟର ପରିଚୟ ପ୍ରକାଶିତ ହେଲା ।’’

 

ପ୍ରଥମ ଦୁଇଖଣ୍ଡି କାବ୍ୟ ପଣ୍ଡିତ ଭୁବନେଶ୍ଵର ବଡ଼ପଣ୍ଡାଙ୍କର ରଚନା ମାତ୍ର କୃଷ୍ଣପ୍ରେମ ତରଙ୍ଗିଣୀ ତାଙ୍କର ରଚନା ନୁହେଁ । ତା’ର ପ୍ରଣେତା ହେଉଛନ୍ତି ତଦାନୀନ୍ତନ ଭଦ୍ରଖ ହାଇସ୍କୁଲର ହେଡ଼ମାଷ୍ଟର ଶ୍ରୀ ଶରଚ୍ଚନ୍ଦ୍ର ବନ୍ଦୋପାଧ୍ୟାୟ ।

 

ଅଧ୍ୟାପକ ବ୍ରହ୍ମା ନିଜର ବକ୍ତବ୍ୟକୁ ବଳବତ୍ତର କରିବାକୁ ଯାଇ ପୁଣି କହିଛନ୍ତି, ‘‘ତେଣୁ ରାଧାନାଥଙ୍କ ଭାଷାରେ - ‘‘ଆନନ୍ଦ ଦାମୋଦର ଚମ୍ପୂ ଓ କୃଷ୍ଣ ପ୍ରେମତରଙ୍ଗିଣୀ ଉତ୍କୃଷ୍ଟ ସ୍ମରଣୀୟ ସଂସ୍କୃତ ଗ୍ରନ୍ଥ ଉତ୍କଳରେ ରଚିତ ହୋଇଅଛି । ସେମାନଙ୍କ ମୁଦ୍ରଣ ଓ ପ୍ରଚାର ସକାଶେ ଉତ୍କଳୀୟ ଓ ଭାରତୀୟ ସାହିତ୍ୟିକ ଜଗତ କେବଳ ବାମଣ୍ଡାଠାରେ ଋଣୀ ।’’ ରାଧାନାଥ ଜୀବନୀ- ପୃ-୨୭୯

 

ବାମଣ୍ଡା ଆଲୋଚନା ସଭାର ସଭାପତି ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବଙ୍କ ନିକଟକୁ ରାଧାନାଥ ରାୟ ୨୧ ତାରିଖ ଜୁଲାଇ ୧୮୯୭ରେ ପତ୍ର ଲେଖି ତହିଁରେ କଥା ପ୍ରସଙ୍ଗରେ ଉତ୍‌ଥାପିତ କରିଥିଲେ ଯେ ଆନନ୍ଦ ଦାମୋଦର ଚମ୍ପୂ ଓ କୃଷ୍ଣପ୍ରେମତରଙ୍ଗିଣୀ ଉତ୍କଳରେ ରଚିତ ହୋଇଅଛି, ମାତ୍ର ଉଭୟ ପୁସ୍ତକ ବଡ଼ପଣ୍ଡାଙ୍କ ଦ୍ଵାରା ରଚିତ ବୋଲି କହିଛନ୍ତି କି ? ତେବେ ଶ୍ରୀ ବ୍ରହ୍ମା ରାଧାନାଥଙ୍କ କେଉଁ କଥାକୁ ନଜିର ଦେଇ କହୁଛନ୍ତି ପଣ୍ଡିତ ଭୁବନେଶ୍ୱର ‘‘କୃଷ୍ଣପ୍ରେମତରଙ୍ଗିଣୀ’’ର ପ୍ରଣେତା ?

 

ନୀଳମଣି ବିଦ୍ୟାରତ୍ନ ନା ଉତ୍କଳ ନୀଳମଣି ବିଦ୍ୟାରତ୍ନ ?

ଶ୍ରୀ ନୀଳମଣି ବିଦ୍ୟାରତ୍ନ ଓଡ଼ିଶାର ସାରସ୍ଵତ କ୍ଷେତ୍ରରେ ଅତ୍ୟନ୍ତ ସୁପରିଚିତ । ଲେଖକ ତାକୁ ନୂତନ ନାମରେ ନାମିତ କରିଛିନ୍ତି ଶ୍ରୀ ଉଜ୍ଜ୍ୱଳ ନୀଳମଣି । ବୈଷ୍ଣବ କବି ଶ୍ରୀ ରୂପଗୋସ୍ଵାମୀ ତାଙ୍କ କାବ୍ୟତତ୍ତ୍ଵ ଗ୍ରନ୍ଥର ନାମ ଦେଇଛନ୍ତି ‘‘ଉଜ୍ଜ୍ଵଳ ନୀଳମଣି’’ ।

 

ଲେଖକ ନୀଳମଣି ପରିବର୍ତ୍ତେ ‘‘ଉଜ୍ଜ୍ଵଳ ନୀଳମଣି’’ ବାରମ୍ବାର ଉଲ୍ଲେଖ କରିବାକୁ ଛାଡ଼ି ନାହାନ୍ତି ।

 

‘‘ଉତ୍କଳ ମଧୁପ - ବାମଣ୍ଡା ରାଜଧାନୀ ଦେବଗଡ଼ରୁ ଆଲୋଚନା ପ୍ରକାଶର ତିନିମାସ ପରେ ୧୯୦୦ ମସିହାର ଜୁନ ମାସରେ ପଣ୍ଡିତ ଉଜ୍ଜ୍ଵଳ ନୀଳମଣି ବିଦ୍ୟାରତ୍ନଙ୍କ ତତ୍ତ୍ଵାବଧାନରେ ଆଠପୃଷ୍ଠା ବିଶିଷ୍ଠ ଉତ୍କଳ ମଧୁପ ନାମକ ଅନ୍ୟ ଏକ ମାସିକ ପତ୍ରିକା ପ୍ରକାଶ ଲାଭ କଲା ।’’ ପୃ-୩୩

 

‘‘ଏହାର ସମ୍ପାଦକ ଓ ସ୍ୱତ୍ୱାଧିକାରୀ ଥିଲେ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ ।’’ ପୃ- ୩୫ ।

 

‘‘ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନ ୧୮୮୬ ଠାରୁ ୧୯୦୧ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ କାଳ ଶିକ୍ଷକତା ସମ୍ପାଦନ କରି ୧୯୦୨ରେ ଅବ୍ୟାହତି ଲାଭ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ।’’

 

‘‘ସମ୍ବଲପୁର ହିତୈଷିଣୀ ୧୮୮୯ ସାଲରେ ଆତ୍ମପ୍ରକାଶ ଲାଭ କରି ଏକ ଯୁଗାନ୍ତର ଆନୟନ କଲା । X X X ପ୍ରସିଦ୍ଧ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦକତ୍ୱରେ ଏହା ମହିମାନ୍ଵିତ ହେଲା ।’’ ପୃ-୨୦

 

“ବାଙ୍କି ବୈଦ୍ୟେଶ୍ଵର ନିବାସୀ ପଣ୍ଡିତ ଉଜ୍ଜ୍ୱଳ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତ୍ୟାବର୍ତ୍ତନ ପରେ ଦୀନବନ୍ଧୁ ଗଡ଼ନାୟକ ସମ୍ବଲପୁର ହିତୈଷିଣୀ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ୧୯୧୦ ଠାରୁ କାର୍ଯ୍ୟ ନିର୍ବାହ କଲେ ।’’

 

‘‘ପଣ୍ଡିତମାନଙ୍କ ମଧ୍ୟରେ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା, ପଣ୍ଡିତ ସୁଦର୍ଶନ ନ୍ୟାୟରତ୍ନ, ପଣ୍ଡିତ ମଧୁସୂଦନ ତର୍କ ବାଚସ୍ପତି, ପଣ୍ଡିତ କାଳୀଚରଣ ବିଦ୍ୟାଭୂଷଣ, ପଣ୍ତିତ ଭାଗିରଥୀ ରଥ, ପଣ୍ତିତ ନୀଳମଣି ଷଡ଼ଙ୍ଗୀ, ପଣ୍ଡିତ ଭଜ୍ଜ୍ଵଳ ନୀଳମଣି ବିଦ୍ୟାରତ୍ନ, ଚିନ୍ତାମଣି ମିଶ୍ର, ତର୍କବାଚସ୍ପତି, ଦାର୍ଶନିକ ପଣ୍ଡିତ ବାଚା ଓଝା, ଭାରତ ମାର୍କଣ୍ଡ ଶିବ କୁମାର ଶାସ୍ତ୍ରୀ, ଶ୍ରୀକର ଶାସ୍ତ୍ରୀ ବଳରାମ ବିଦ୍ୟାରତ୍ନ, ମାର୍କଣ୍ଡେୟ ଶାସ୍ତ୍ରୀ ଇତ୍ୟାଦି ପଣ୍ଡିତବୃନ୍ଦ ଶୋଭା ପାଉଥିଲେ।’’

 

ଅଧ୍ୟାପକ ମହାଶୟ ନୀଳମଣିଙ୍କୁ ଯେଉଁ ନୂତନ ନାମରେ ଭୂଷିତ କରିଅଛନ୍ତି, ତା’ର ମୋହ ବା ଲୋଭ ସମ୍ବରଣ କରି ନ ପାରି ପୁସ୍ତକଟିର ବହୁ ସ୍ଥାନରେ ଗୁମ୍ଫିତ କରିଛନ୍ତି ।

 

ମାତ୍ର ଅଧ୍ୟାପକଙ୍କର ଉଜ୍ଜ୍ଵଳ ନୀଳମଣି ପ୍ରକୃତରେ ଥିଲେ ନୀଳମଣି, ଫକୀର ମୋହନ ତାଙ୍କର ଗୁଣ ବର୍ଣ୍ଣନା କରି ଉତ୍କଳ ଭ୍ରମଣରେ ପ୍ରକାଶ କରିଥିଲେ –

 

“ମୋହର ବିନତି ଶୁଣ ନୀଳମଣି ନନା,

ହିତୈଷିଣୀ ଲେଖିବାକୁ ନ କରିବ ମନା ।’’

 

‘‘କବି ଗଙ୍ଗାଧର ‘‘ବିଦ୍ୟାରତ୍ନଙ୍କ ହିତୈଷିଣୀ’’ କବିତାରେ ପ୍ରକାଶ କରିଥିଲେ –

 

‘‘ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି

ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି’’ ।

 

ତାଙ୍କର ଗୁଣ ଗାନ କରି ଆମର ଅନ୍ନପୂର୍ଣ୍ଣା ଦେଈ - ‘‘ବାବୁ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି’’ ଲେଖିଛନ୍ତି –

 

‘‘ଉତ୍କଳର ବରପୁତ୍ର ଆହେ ନୀଳମଣି

ବିଦ୍ୟାରତ୍ନ ଉପାଧିରେ ବିଖ୍ୟାତ ଧରଣୀ ।’’

 

ବାମଣ୍ଡାର ଶ୍ରୀ ବୃନ୍ଦାବନ ଶର୍ମା ‘‘ମୋର ଜଣାଲୋକ’’ରେ କହି ଯାଇଛନ୍ତି - ‘‘ବାମଣ୍ଡାକୁ ଆଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟାସକବି ଫକୀର ମୋହନ, ଭକ୍ତକବି ମଧୁସୂଦନ, ବିଶ୍ଵନାଥ କର, ଗୌରୀଶଙ୍କର ରାୟ, ଗଙ୍ଗାଧର ମେହେର, ନୀଳମଣି ବିଦ୍ୟାରତ୍ନ ଓ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରମୁଖଙ୍କ ସାକ୍ଷାତ ଲାଭ ଏବଂ ସୁମିଷ୍ଟ ଭାବର ପ୍ରଦାନ ତାଙ୍କର ସାହିତ୍ୟିକ ଜୀବନକୁ ବିଶେଷ ଭାବରେ ଅନୁପ୍ରାଣିତ କରିଥିଲା ।

 

‘‘ସମ୍ବଲପୁର ହିତୈଷିଣୀର ସୁଯୋଗ୍ୟ ସମ୍ପାଦକ ‘ନୀଳମଣି ବିଦ୍ୟାରତ୍ନ’, ବୃନ୍ଦାବନଙ୍କ ପ୍ରାଥମିକ ପରୀକ୍ଷାରେ ଭୂଗୋଳ ପରୀକ୍ଷକ ଥିଲେ ।’’ (୧୯୯୮)

 

ସାର୍‌ବାସୁଦେବ ସୁଢଳ ଦେବ CIE ଶୀର୍ଷକ ପ୍ରବନ୍ଧରେ କବିବର ରାଧାନାଥ ‘‘ଶ୍ରୀଯୁକ୍ତ ବାବୁ ନୀଳମଣି ବିଦ୍ୟାରତ୍ନ’’ ଓ କବି ମାୟାଧର ମାନିସିଂହ ତାଙ୍କ ‘‘ବୈଜ୍ଞାନିକ ସଚ୍ଚିଦାନନ୍ଦ’’ ପ୍ରବନ୍ଧରେ ନୀଳମଣି ବିଦ୍ୟାରତ୍ନଙ୍କ ହିତୈଷିଣୀ’’ ବୋଲି ଉଲ୍ଲେଖ କରିଛନ୍ତି ।

 

ତେଣୁ ଅଧ୍ୟାପକଙ୍କ ଉଜ୍ଜ୍ୱଳ ନୀଳମଣି ଠାରୁ ଅନୁଜ୍ଜ୍ୱଳ ନୀଳମଣି ବହୁତ ଉଜ୍ଜ୍ଵଳ ।

 

ପ୍ରଧାନ ପାଟ ପ୍ରପାତ ନା ପ୍ରଧାନ ପ୍ରପାତ ?

ଦେବଗଡ଼ରେ ଯେଉଁ ଜଳପ୍ରପାତ କୈଦନ୍ତା ପାହାଡ଼ରୁ ଝରି ପଡ଼ୁଅଛି, ତାହାର ନାମ ‘‘ପ୍ରଧାନ ପାଟ’’ ଜଳପ୍ରପାତ ମାତ୍ର ଲେଖକ ତାକୁ ପ୍ରଧାନ ପ୍ରପାତ ବୋଲି ତାଙ୍କ ପୁସ୍ତକରେ ଉଲ୍ଲେଖ କରନ୍ତି –

 

‘‘ବାମଣ୍ଡାର ରାଜଧାନୀ ଦେବଗଡ଼ ଚତୁର୍ଦ୍ଦିଗରେ ପର୍ବତ ବେଷ୍ଟିତ ଏକ ଉପତ୍ୟକା ସଦୃଶ ସୁଶୋଭିତ । ଏହାର ଉତ୍ତର ଦିଗରେ ‘‘ପ୍ରଧାନ ପ୍ରପାତ’’ ରମ୍ୟ ନିର୍ଝରଣୀ ଜଳ କଳ କଳ ନିନାଦରେ ପ୍ରବାହିତ ।’’

 

ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା ‘‘ପ୍ରଧାନ ପାଟ’’ ବୋଲି ଲେଖିଛନ୍ତି ତାଙ୍କର ବାମଣ୍ଡା ରାଜବଂଶାନୁଚରିତ ଚମ୍ପୂରେ । (୧୮୮୯)

 

‘‘ପ୍ରଧାନପଟ୍ଟତ୍ସୁ’’ ହିମଶୈଳଇବ ଶିବାଭିଭୂଷିତେ ରୁଦ୍ରଜଟାଜୁଟ ଇବ ପୁଣି କହିଛନ୍ତି –

 

‘‘ଅଥ ବାମଣ୍ଡା ରାଜଧାନ୍ୟାଂ ଦେବଦୁର୍ଗ ନାମନି ନଗରେ ‘‘ପ୍ରଧାନପଟ୍ଟାଭିଧାନ’’ ଶୈଳ ନିସରନ୍ନହନିର୍ଝର ତରଙ୍ଗ ସେକଃ ।’’

 

‘‘ଧନ୍ୟ ତୁ ପ୍ରଧାନ ପାଟ ନିର୍ଝରିଣୀ

ପଞ୍ଚଖଣ୍ଡା ଗିରି ସୀମନ୍ତ ରୂପିଣୀ ।’’

(ପ୍ରଧାନପାଟ, ୧୯୮୮ ଦାମୋଦର ମିଶ୍ର ପଦ୍ୟାଳଙ୍କାର)

 

‘‘ବହୁବର୍ଷ ପରେ ଆଜି ଏ ନୟନେ

ଦେଖିଲା ଆବର,

କୈଦନ୍ତା ପର୍ବତ ପ୍ରସ୍ଥେ ତପୋମୂର୍ତ୍ତି

ପ୍ରଧାନ ପାଟର ।’’

ମଧୁସୂଦନ ରାଓ

 

‘‘ପ୍ରଧାନ ପାଟ ଈଶ୍ଵରୀ ଦେବୀ ଚାରୁକଣ୍ଠେ ।

ଲମ୍ବାଇଲେ, କାବ୍ୟ ଦାମ ଗୁନ୍ଥି ସୁଯତନେ

*      *

ନିସର୍ଗ ପ୍ରଧାନ ପାଟ ଦେବୀ ମାହେଶ୍ଵରୀ

ବିରାଜିତ ଯାର ପାଦପୀଠ ।’’

ସଚ୍ଚିଦାନନ୍ଦ ତ୍ରିଭୂବନ ଦେବ

 

‘‘ପୂର୍ବୋକ୍ତ ପ୍ରଧାନ ପାଟ ଜଳପ୍ରପାତ ବାମଣ୍ଡାର ସର୍ବ ପ୍ରଧାନ ଦୃଶ୍ୟ ।’’

ଭ୍ରମଣକାରୀର ପତ୍ର

      ରାଧାନାଥ ରାୟ ।

 

‘‘ଏହି ଉଦ୍ୟାନର ତରୁଲତା ପ୍ରଧାନ ପାଟ ପ୍ରପାତର ଜଳଦ୍ୱାରା ପରିପୋଷିତ ।’’

 

‘‘ଘୋର ଅରଣ୍ୟ ଏ ଗିରିକନ୍ଦର ସୁଲଭ ନିର୍ଜନତାରେ ଏହି ଅପାଶୋରା ଦୃଶ୍ୟ ଦେଖିଲେ ମନ କିପରି ହୁଏ, ତାହାଯେବେ ତୁମର ଅନୁଭବ କରିବାର ଇଚ୍ଛା ଥାଏ, ଶ୍ରମ ସ୍ଵୀକାର ପୂର୍ବକ ଥରେ ପ୍ରଧାନ ପାଟ ଦେଖିଆସ ।’’

 

‘‘ବାମଣ୍ଡା ଅବସ୍ଥାନ ମଧ୍ୟରେ ପ୍ରଧାନ ପାଟ ପ୍ରପାତ ମୁଁ ତିନିଥର ଦେଖିଥିଲି ।’’

 

‘‘ଦିବ୍ୟ ଅବଧାନେ ଆସୁ ଏ ଗୀତ ତୁମ୍ଭର ।

‘‘ହେ ରାଜେନ୍ଦ୍ର, ମନ୍ଦ୍ରନାଦ୍ୟ ପ୍ରପାତର ପତି ।

 

ବାମଣ୍ଡା ରାଜ୍ୟର ଅଧୀଶ୍ଵର ମହାରାଜ ଶ୍ରୀଯୁକ୍ତ ସୁଢଳ ଦେବଙ୍କ ପ୍ରତି ସମ୍ବୋଧନ । ପ୍ରୋକ୍ତ ପ୍ରପାତର ନାମ ପ୍ରଧାନ ପାଟ । ଏହା ବାମଣ୍ଡାର ରାଜଧାନୀ ଦେବଗଡ଼ର ଅତି ନିକଟବର୍ତ୍ତୀ-। ପୃ-୧୯୩

 

‘‘ଆହାରେ ପ୍ରଧାନ ପାଟ ନେତ୍ର ପ୍ରୀତିକର

ଭାବୁକର ଭାବମୟ ହୃଦୟ ରଞ୍ଜନ ।’’

ଗଙ୍ଗାଧର ମେହେର

‘‘ହରଷ ରସେ ମାତି କରଇ ନାଟ

ଧୀର ଗମ୍ଭୀର ନାଦେ ପ୍ରଧାନ ପାଟ ।’’

ଶଶିଭୂଷଣ ରାୟ

 

ଏତେ ଏତେ କବିଙ୍କର ସତ୍ୟ ସମ୍ଭାଷଣ ଶୁଣିଲା ପରେ ପ୍ରଧାନପାଟ ଲେଖକଙ୍କର ‘‘ପ୍ରଧାନ ପ୍ରପାତ’’ ସମ୍ବୋଧନ ଶୁଣିବ ଟିକି ?

 

ବାମଣ୍ଡା ରାଜସଭାର ପଣ୍ଡିତ ଶ୍ରୀ ମଧୁସୂଦନ ତର୍କବାଚସ୍ପତି ସଂସ୍କୃତରେ ଖଣ୍ଡିଏ କାବ୍ୟ ରଚନା କରି ଯାଇଛନ୍ତି - ନାମ-ତାରାଶଶାଙ୍କ କାବ୍ୟ, ମାତ୍ର ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା ତାଙ୍କର ଦାନରେ ଲେଖିଛନ୍ତି କେବଳ ‘‘ତାରା’’ ବୋଲି ।

 

ପଣ୍ଡିତ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ‘‘ମନୋରମା’’ ସଂସ୍କୃତ ମାସିକ ପତ୍ରିକାର ୬ଷ୍ଠ ବର୍ଷର ତିନୋଟି ସଂଖ୍ୟାରେ ପ୍ରକାଶିତ ହୋଇଅଛି ।

 

ଲେଖକ ତାଙ୍କ ଦାନ ଗ୍ରନ୍ଥଟିର ୧୩ ପୃଷ୍ଠାରେ ଚତୁର୍ଭୁଜ ପଟ୍ଟନାୟକ ସ୍ଥଳରେ ଚତୁର୍ଭୁଜ ନାୟକ ଓ ୬୩ ପୃଷ୍ଠାରେ ଦୀନବନ୍ଧୁ ଗଡ଼ନାୟକ ସ୍ଥାନରେ ଦୀନବନ୍ଧୁ ନାୟକ ଲେଖିଛନ୍ତି ।

 

ଅଧ୍ୟାପକଙ୍କ ପକ୍ଷରେ ଟିକିଏ ସାବଧାନ ହେବା କରଣୀୟ ନୁହେଁ କି ?

 

ସାହିତ୍ୟରେ ସୃଷ୍ଟି ଥିଲା, ଅଛି । ସମ୍ବାଦ ପତ୍ର (ସେ ଯୁଗରେ)ମାନଙ୍କରେ ସମାଲୋଚନା ଥିଲା, ତେଣୁ ଲେଖକ ତାଙ୍କର ପୁସ୍ତକଟିରେ ସାହିତ୍ୟ ଆଲୋଚନା କରି ନାହାନ୍ତି - କେବଳ ସମ୍ବାଦ ପରିବେଷଣ କରିଛନ୍ତି ଯଦି କେଉଁଠି ଆଲୋଚନା କରିଛନ୍ତି, ତାହା ଗୁଣାତ୍ମକ ହୋଇନାହିଁ ।

 

ଡକ୍ଟର ମାୟାଧର ମାନସିଂହ Estern State Agency Educational Advisor ଥିଲେ (୧୯୪୫-୪୬) । ସେତେବେଳେ ତାଙ୍କର ସମ୍ପାଦନାରେ ‘ଶଙ୍ଖ’ ପତ୍ରିକା ପ୍ରକାଶିତ ହେଲା । ମାତ୍ର ଡକ୍ଟର ମାନସିଂହ ସେ ଦାୟିତ୍ୱରୁ ଚାଲିଗଲା ପରେ ଶଙ୍ଖର ସମ୍ପାଦକ ହେଲେ ଶ୍ରୀ ଜଳନ୍ଧର ଦେବ ।

 

ସେଇ ‘ଶଙ୍ଖ’ ସମ୍ପର୍କରେ ଲେଖକ ଆମକୁ ଯାହା ଦେଇଛନ୍ତି ତାହା ହିଁ ତାଙ୍କର ସମୀକ୍ଷାର ସ୍ଵରୂପ - ଦୃଷ୍ଟାନ୍ତ ଦେବାର ଲୋଭ ସମ୍ବରଣ କରିପାରୁ ନାହିଁ ।

 

‘ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଏହା (ଶଙ୍ଖ) ଶ୍ରେଷ୍ଠ ଶୁଭସୂଚକ ବସ୍ତୁ ରୂପେ କିଛି କାଳ ଦେଦୀପ୍ୟମାନ ଥିଲା । ଏହା ଏତେ ପ୍ରତିଭାଶାଳୀ ତଥା ପ୍ରଭାବଶାଳୀ ହେଲା ଯେ ପରେ ଶଙ୍ଖ ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କ ତା ୩.୨.୧୯୪୭ର ୫୯୬ ନମ୍ବର ଚିଠି ଅନୁସାରେ ଓଡ଼ିଆ ଶିକ୍ଷା ବିଭାଗୀୟ ପ୍ରତ୍ୟେକ ଅନୁଷ୍ଠାନ ପାଇଁ ଗୃହୀତ ହେଲା । ତେଣୁ ଜଳନ୍ଧର ଦେବଙ୍କ ଉକ୍ତିଟି ଶଙ୍ଖ ଭାରତବାସୀଙ୍କର ଶୁଭସୂଚକ ବସ୍ତୁ । ଏହାର ଶବ୍ଦ ଭାରତବାସୀଙ୍କ ହୃଦୟରେ ଶୁଭସୂଚନା ଦିଏ । ପୂର୍ବେ ଶଙ୍ଖଦ୍ଵାରା ସୈନ୍ୟ ଚାଳନା ହେଉଥିଲା । ସେହି ଶଙ୍ଖ ଶବ୍ଦ ଅଦ୍ୟାପି ଭାରତବାସୀର ଶରୀରକୁ ରୋମାଞ୍ଚତ କରେ । ସେହି ଶଙ୍ଖ ଆଜି ମାସିକ ପତ୍ର ରୂପେ ଉତ୍କଳବାସୀ ସମକ୍ଷରେ ବିଦ୍ୟମାନ । ଦିନେ ଶଙ୍ଖ ଶବ୍ଦ ଆର୍ଯ୍ୟ ଜାତିକୁ ଉଦ୍‌ବୁଦ୍ଧ କରୁଥିଲା । ତେଣୁ ଗ୍ରାହକ ପାଠକ ଓ ଲେଖକ ସଂଖ୍ୟା ବୃଦ୍ଧି ଲାଭ କଲା । ଓଡ଼ିଶାର ବହୁ ଉଚ୍ଚ ଶିକ୍ଷାବିତ୍‌, ଅଧ୍ୟାପକ ଓ ସାହିତ୍ୟିକ ପ୍ରବନ୍ଧାଦି ପ୍ରକାଶ କରି ଉଚ୍ଚକୋଟୀର ସାହିତ୍ୟିକ ବାତାବରଣ ସୃଷ୍ଟି କରିଥିଲେ । ଏହା ୧୯୪୬ ଡିସେମ୍ବର ପର୍ଯ୍ୟନ୍ତ ବାମଣ୍ଡାରୁ ପ୍ରକାଶିତ ଓ ଇଲେକ୍‌ଟ୍ରି ମେସିନ୍‌ପ୍ରେସ୍‌ରେ ମୁଦ୍ରିତ ହୋଇଥିଲା । ଏହାର ବାର୍ଷିକ ମୂଲ୍ୟ ଟ.୫.୦୦ ଓ ଷାଣ୍ମାସିକ ମୂଲ୍ୟ ଥିଲା ଟ ୨ । ପ୍ରତ୍ୟେକ ଖଣ୍ଡର ମୂଲ୍ୟ ସାତଅଣା । ଏହା ଅଗ୍ରିମ ଦେବାକୁ ପଡ଼ୁଥିଲା ଭି.ପି.ରେ ପଠାଇବାକୁ ହେଲେ ଉଭୟ ପକ୍ଷକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଏହା ନିଷିଦ୍ଧ ଥିଲା ।

 

ଏ ସମ୍ପର୍କରେ କୌଣସି କଥା ଜାଣିବା ନିମିତ୍ତ ‘ଶଙ୍ଖ’ ଅଫିସ, ଦେବଗଡ଼କୁ ଗ୍ରାହକ ନମ୍ବର ସହିତ ଲେଖିବାକୁ ପଡ଼ୁଥିଲା । ଠିକଣାର ଅସ୍ଥାୟୀ ପରିବର୍ତ୍ତନ ନିମନ୍ତେ ସ୍ଥାନୀୟ ପୋଷ୍ଟ ଅଫିସ ସହିତ ସୁବିଧା କରିବାକୁ ପଡ଼ୁଥିଲା । ସ୍ଥାୟୀ ପରିବର୍ତ୍ତନ ନିମନ୍ତେ ‘ଶଙ୍ଖ’ ଅଫିସକୁ ଲେଖିବାକୁ ପଡ଼ୁଥିଲା ।

 

ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ଓ ପ୍ରତିନିଧିମାନଙ୍କୁ ଟ୨୫.୦୦ ହାରରେ ଲାଭ ଦିଆଯାଉଥିଲା । କେହି ନୂତନ ଏଜେଣ୍ଟ ହେବାକୁ ଇଚ୍ଛା ପ୍ରକାଶ କଲେ ପ୍ରଥମେ ଅଗ୍ରିମ ଟଙ୍କା ପଠାଇ ଏଜେଣ୍ଟ ହେଉଥିଲା । ବିଜ୍ଞାପନ ପ୍ରକାଶ ନିମନ୍ତେ ତା’ର ଦର, ମାସ ଆକାରରେ ନିର୍ଦ୍ଧାରିତ ଥିଲା ।

 

ଲେଖକମାନେ କବିତା ପ୍ରବନ୍ଧାଦିରେ ନିଜର ନାମ ଓ ପୂରା ଠିକଣା ଲେଖି ଏବଂ ଗୋଟିଏ ନକଲ ନିଜ ପାଖରେ ରଖି ଲେଖା ପଠାଉଥିଲେ । କାରଣ ଅମନୋନୀତ ପ୍ରବନ୍ଧାଦି ଫେରସ୍ତ ସେତେ ସୁବିଧାଜନକ ନ ଥିଲା । ସୁତରାଂ ଏ ପ୍ରକାର ସୁବିଧା ଓ ସୁଯୋଗ ମାଧ୍ୟମରେ ପତ୍ରିକାଟି ଅଢ଼େଇ ବର୍ଷରୁ ଉର୍ଦ୍ଧ୍ୱ କାଳ ଜୀବିତ ରହି ବାମଣ୍ଡାର ସାହିତ୍ୟିକ ଗୌରବ ବୁଦ୍ଧି କରିପାରି ଥିଲା ।’’

 

‘‘ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’’ ପୁସ୍ତକଟିରେ ଏଇପରି ଆଲୋଚନା ଦେଖି ମନେ ହୁଏ –

 

‘‘ଗୋଦର ଗୋଡ଼ରେ      ମାଉଁସ ଲାଗିଲେ

ଦେହର କି ଶୁଭ ଗଣି ?’’

 

ଅଧ୍ୟାପକ ବ୍ରହ୍ମାଙ୍କର ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ’ଟି କଅଣ, ତାହା ସହଜରେ ଅନୁମେୟ ।

 

***

 

Unknown

ଓଡ଼ିଆ ଅନୁବାଦ- ସାହିତ୍ୟ : ଏକ ସମୀକ୍ଷ।

ଶ୍ରୀ ଚିତ୍ତଞ୍ଜନ ଦାସ

 

ସାହିତ୍ୟ ଭାଷାର ଅନେକ ପଛରେ, ମାତ୍ର ସାହିତ୍ୟର ପରିଧି ଭାଷାର ପରିଧିଠାରୁ ଅନେକ ବଡ଼ । ଭାଷା ସ୍ଥାନୀୟ ହୋଇପାରେ, ଜାତୀୟ ହୋଇପାରେ; ମାତ୍ର ସାହିତ୍ୟ ବିଶ୍ଵଜନୀନ । ସ୍ଥାନୀୟ କୌଣସି ସାହିତ୍ୟରେ ମଧ୍ୟ ଏକ ବିଶ୍ଵଜନୀନ ଆବେଦନ ରହି ପାରିଲେ ଯାଇ ତାହା ଯଥାର୍ଥ ସାହିତ୍ୟର ସୋପାନ ଭିତରେ ସୁମାରି ହୋଇପାରେ । ଯେତେବେଳେ ଭାଷାମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଥବା ଜନପଦୀୟ ବାଡ଼ ଭିତରେ ବନ୍ଦ ହୋଇ ରହିଥିଲେ, ସେତେବେଳେ ସେମାନେ ଆପଣାକୁ ହିଁ ଏକମାତ୍ର ଭାଷା ଅଥବା ଅନ୍ୟ ଯାବତୀୟ ଭାଷା ମଧ୍ୟରେ ଶ୍ରେଷ୍ଠ ଭାଷା ଅଥବା ଦେବଭାଷା କହି ମିଛ ଗର୍ବ କରୁଥିଲେ । ଭାରତୀୟ ପ୍ରାଚୀନ ସାହିତ୍ୟରେ ଏକଦା ବେଶ୍‌ କେତେ ଶତାବ୍ଦୀ ଧରି ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ‘‘ଗୀର୍ବାଣ-ଭାଷା’’ ବୋଲି କୁହାଯାଉଥିଲା । ଭାଷା ବା ସାହିତ୍ୟ ଗୀର୍ବାଣ ହେବାକୁ ମନ କଲେ ଜଳାଶୟଟିଏ ହୋଇ ରହିଯାଏ, ତେଣୁ ତାହାର ଅବକ୍ଷୟ ଆରମ୍ଭ ହୁଏ । ମଣିଷ ମଣିଷ ଭିତରେ ବାଡ଼ଗୁଡ଼ିକ କ୍ରମେ ଉଠିଯିବାକୁ ଆରମ୍ଭ କଲେ ଓ ନିଜର ପରିଚିତ ପରିଧିଟିର ସେପାଖକୁ ଅନ୍ୟ ପରିଧିମାନ ଦୃଷ୍ଟିଗୋଚର ହେବାକୁ ଲାଗିଲେ ଭାଷା ଭାଷା ତଥା ସାହିତ୍ୟ ସାହିତ୍ୟ ମଧ୍ୟରେ ଆଦାନ ପ୍ରଦାନର ଏକ ଅନ୍ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଏ-। ସେତେବେଳେ, ନିଜର ଘର ଭିତରେ ସୁନ୍ଦର ବୋଲି ଯେତିକି ଥାଏ ତାହା ଆଦୌ ଯଥେଷ୍ଟ ବୋଲି ଧରି ହୁଏ ନାହିଁ । ପ୍ରେରଣାମାନେ ପରିଧି ଡେଇଁବାକୁ ମନ କରନ୍ତି । ସମ୍ବେଦନାମାନେ ଅଧିକ ଗ୍ରହଣଶୀଳ ହୁଅନ୍ତି । ପ୍ରାୟ ସେହି ପର୍ଯ୍ୟାୟରୁ ହଁ ସାହିତ୍ୟରେ ଅନୁବାଦ ବୋଲି ଏକ ବିଶେଷ ଆଗ୍ରହ ଆପଣାକୁ କ୍ରିୟାଶୀଳ କରିବାକୁ ଆରମ୍ଭ କରେ । ପଣ୍ଡିତମାନେ କେତେ ମନା କରନ୍ତି ଘରଗୁଡ଼ିକ ସଂକ୍ରାମିତ ହୋଇଯିବ ବୋଲି କେତେ ସତର୍କ କରିଦେବାକୁ ମନ କରନ୍ତି । ତଥାପି ନବୀନ ସଂସ୍ରବେଚ୍ଛୁମାନେ ନିଜର ଆଗ୍ରହକୁ ମୋଟେ ଛାଡ଼ନ୍ତି ନାହିଁ ।

 

ପ୍ରାଚୀନ ଯୁଗରେ ଅନୁବାଦ ଅବଶ୍ୟ ଥିଲା, ତତ୍କାଳିକ ନାନା କାରଣରୁ ଅନୁବାଦ ଆବଶ୍ୟକ ପଡ଼ୁଥିଲା ସତ,ମାତ୍ର ସାହିତ୍ୟର ଏକ ବିଶେଷ ବିଭାବ ରୂପେ ତାହା ଆମର ଏହି ଆଧୁନିକ ଯୁଗରେ ହିଁ ଯଥାର୍ଥ ସ୍ୱୀକୃତି ଲାଭ କଲା । ପରସ୍ପରକୁ ଅଧିକ ଅନ୍ତରଙ୍ଗ ଭାବରେ ଚିହ୍ନିବାକୁ ମନ କରି ଓ ପରସ୍ପର ଦ୍ଵାରା ଅଧିକ ଉପକୃତ ହେବା ସକାଶେ ଆଗ୍ରହ ପ୍ରକାଶ କରି ହି ଗୋଷ୍ଠୀମାନେ ପରସ୍ପରର ସାହିତ୍ୟକୁ ବି ମନ କଲେ । ସେମାନେ ଆଉ ସଂକ୍ରମଣକୁ ଡରିଲେ ନାହିଁ-। ସ୍ଥାନୀୟତାର ଯାବତୀୟ ଭୂଗୋଳକୁ ଅତିକ୍ରମ କରି ସେମାନେ ପରସ୍ପରକୁ ଚିହ୍ନିଲେ, ପରସ୍ପରଠାରୁ ଗ୍ରହଣ କଲେ, ଆଧୁନିକ ବିଜ୍ଞାନ ପରି ଆଧୁନିକ ସାହିତ୍ୟ ମଧ୍ୟ ବିଶ୍ଵଜନୀନ ହେବାକୁ ବାଧ୍ୟ ହେଲା । ଇଉରୋପୀୟ ସାମ୍ରାଜ୍ୟ ବିସ୍ତାରର ଯୁଗରେ ପୁରୁଣା ପୃଥିବୀ ଉପରେ ତଥାକଥିତ ନୂତନ ପୃଥୁବୀର ଆଘାତ ଆସି ବାଜିଲା, ପୁରୁଣା ମୂଳଦୁଆ ଗୁଡ଼ିକ ତା’ ପରେ ବଡ଼ ଅଯଥେଷ୍ଟ ବୋଲି ମନେ ହେଲା । ଅଳପର ଯାବତୀୟ ମାୟାକୁ ଛାଡ଼ି ପୁରୁଣାମାନେ ଏକ ଅନ୍ୟ ସଚେତନତାରେ ଚଞ୍ଚଳ ହୋଇ ଉଠିଲେ, ସତେ ଅବା ଏକ ନବଜାଗରଣର ଯୁଗ ଆରମ୍ଭ ହୋଇଗଲା । ସାହିତ୍ୟରେ ମଧ୍ୟ ଏକ ନୂତନ ସ୍ଫୁର୍ତ୍ତି ଆସିଲା, ନୂତନ ଗବାକ୍ଷମାନ ଖୋଲିବା ଲାଗି ସଂପୃକ୍ତ ପୁରୋଗାମୀମାନେ ଉତ୍ସାହ ପ୍ରକାଶ କଲେ । ସେହି ପର୍ଯ୍ୟାୟରେ ଅନୁବାଦ ମଧ୍ୟ ଏକ ଅନ୍ୟତମ ଗବାକ୍ଷରୂପେ କାର୍ଯ୍ୟ କରିଥିଲା । ପ୍ରତୀଚ୍ୟରୁ ପ୍ରାଚ୍ୟକୁ ଅନୁବାଦ ହେଲା, ପ୍ରାଚ୍ୟରୁ ପ୍ରତୀଚ୍ୟକୁ ମଧ୍ୟ ହେଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଯେତେବେଳେ ଉପନିବେଶ ଗୁଡ଼ିକ ସ୍ଵାଧୀନ ହେଲେ ଏବଂ ସାମ୍ରାଜ୍ୟବାଦ ଅନ୍ତ ହେଲା, ସେତେବେଳେ ସେହି ଆଦାନ ପ୍ରଦାନ ବହୁଗୁଣିତ ହୋଇଥିଲା, ଅଧିକ ସମୃଦ୍ଧ ହେଲା । ଯଥାର୍ଥ ବିଶ୍ଵସାହିତ୍ୟ ଅର୍ଥାତ୍‌ ବିଶ୍ଵମାନବୀୟ ସାହିତ୍ୟର ପ୍ରଚୋଦନା ସେତେବେଳେ ଯାଇ ଅନୁଭୂତ ହେଲା । ବିଶ୍ଵର ଯେ କୌଣସି ସାହିତ୍ୟ ଯଥାର୍ଥରେ ଆପଣାକୁ କେତେ ଦୂର ଅଧିକ ପରିମାଣରେ ବିଶ୍ଵତୋମୁଖ କରି ପାରିଛି, ତାହାର ଆକଳନ କରିବା ଲାଗି ଅନୁବାଦ-ସାହିତ୍ୟର ପରିମାଣ ଏବଂ ଗୁଣାତ୍ମକତାକୁ ମଧ୍ୟ ଏକ ମାନଦଣ୍ଡ ରୂପେ ଗ୍ରହଣ କରାଯାଇ ପାରିବ ।

 

ଓଡ଼ିଆ ସାହିତ୍ୟରେ ସର୍ବ ପ୍ରଥମ ଅନୁବାଦ ଗୁଡ଼ିକୁ ଅଧିକତର ସମୀଚିନତା ସହିତ ସମ୍ଭବତଃ ଏକ ପ୍ରତିବାଦ-ସାହିତ୍ୟର ପର୍ଯ୍ୟାୟଭୁକ୍ତ କରି ବିଚାର କରାଯାଇ ପାରିବ । ଆମ ଭାରତୀୟ କଥିତ ଭାଷାମାନେ ସେହି ପ୍ରାଚୀନ ଶିଷ୍ଟ- ପ୍ରପୀଡ଼ିତ ଯୁଗରେ ସାହିତ୍ୟ ଭିତରୁ ବାହାର ହୋଇ ରହିଥିଲେ । ରାଜାମାନେ ଲୋକମାନଙ୍କ ପରି ସେମାନେ ଦୈନନ୍ଦିନ ଜୀବନରେ କହୁଥିବା ଭାଷାକୁ ମଧ୍ୟ ନ୍ୟୁନ ମନେ କରି କେବଳ ଶାସ୍ତ୍ରୀୟ ଭାଷାରେ କାବ୍ୟର ବିନୋଦ କରିବାକୁ ମନ କରୁଥିଲେ ବୋଲି ସେତେବେଳର ରାଜାଶ୍ରୟୀ କାବ୍ୟକାରମାନେ ସଂସ୍କୃତମୟ ଅଳଙ୍କାର ଦ୍ଵାରା କାବ୍ୟ ରଚନା କରିବାକୁ ମନ କରୁଥିଲେ ଅଥବା କାବ୍ୟକାରମାନେ କାବ୍ୟ ପ୍ରାତ୍ୟହିକ ଲୋକଜୀବନର ଭାଷା ଏବଂ ଭାବାନୁବେଦନର ସାଧାରଣ ସ୍ତରକୁ ଖସି ଆସିଲେ ହୁଏତ ଆଉ କାବ୍ୟପଦବାଚ୍ୟ ହୋଇ ରହି ପାରିବ ନାହିଁ ବୋଲି ଆଶଙ୍କା କରୁଥିଲେ ବୋଲି ରାଜାମାନଙ୍କୁ କେବଳ ସଂସ୍କୃତରେ ହିଁ କାବ୍ୟ ଶୁଣିବା ପାଇଁ ବାଧ୍ୟ କରି ରଖିଥିଲେ, ସେ କଥା ଆଦୌ ସୁସ୍ପଷ୍ଟ କରି କହି ହେବ ନାହିଁ ଭାରତ ବର୍ଷରେ, ଅନ୍ତତଃ ଉତ୍ତରଭାରତରେ, ଗୌତମବୁଦ୍ଧ ସେଥିରେ ଏକ ବ୍ୟତିକ୍ରମ ଘଟାଇଥିଲେ । ସଂସ୍କୃତ-ସାହିତ୍ୟର ଏକ ସମାନ୍ତର ଭାବରେ ପାଲି ଓ ପ୍ରକୃତ ସାହିତ୍ୟର ସୃଷ୍ଟି ହୋଇଥିଲା । ମହାଯାନ ଏବଂ ବଜ୍ରଯାନ ପର୍ଯ୍ୟାୟକୁ ଆସି ବୌଦ୍ଧ-ସାହିତ୍ୟ ପୁନର୍ବାର ସଂସ୍କୃତ କବଳରେ ପଡ଼ି ଯାଇଥିଲେ ମଧ୍ୟ ତଥାପି ଗୌତମବୁଦ୍ଧଙ୍କ ଦ୍ଵାରା ପ୍ରବର୍ତ୍ତିତ ବ୍ୟତିକ୍ରମଟି ଆଦୌ ମରିଯାଇ ନ ଥିଲା ହୁଏତ ତାହାହିଁ ସ୍ଥାନୀୟ ଏବଂ କଥିତ ଭାଷାମାନଙ୍କରେ ସାହିତ୍ୟ ଲେଖା ହେବାକୁ ପ୍ରେରଣା ଦେଇଥିଲା । ଗୋରଖନାଥ ଓ ମତ୍ସ୍ୟେନ୍ଦ୍ରନାଥ ଲୋକଭାଷାରେ ପଦ ଲେଖିଲେ-। ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ସେହି କଥିତ ଭାଷାକୁ ହି ବାହନ ରୂପେ ଗ୍ରହଣ କରିଥିଲେ । ଓଡ଼ିଶାର ତଦାନୀନ୍ତନ ଭୂମିରେ ମଧ୍ୟ ତାହାର ପ୍ରତିକ୍ରିୟାମାନ ଅବଶ ଅନୁଭୂତ ହୋଇଥିବ । ଏଠାରେ ମଧ୍ୟ ରାଜଧର୍ମ ଓ ଲୋକଧର୍ମର ସଙ୍ଘାତ- ପ୍ରକୋପରେ ସାହିତ୍ୟ ବି ଦୁଇଭଳି ହୋଇ ରହିଥିବ ଓ ସମାଜସ୍ଥ ପ୍ରାୟ ଦୁଇ ଭିନ୍ନ ବର୍ଗର ସାହିତ୍ୟିକ ପ୍ରୟୋଜନର ପୂରଣ କରିଥିବ । ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କୁ ହିଁ ଆମେ ସେହି ପ୍ରତିବାଦ- ପର୍ଯ୍ୟାୟରେ ଏକ ଗୌରବମୟ ପରାକାଷ୍ଠା ବୋଲି ଗ୍ରହଣ କରିବା । ତାଙ୍କର ରଚିତ ଓଡ଼ିଆ ମହାଭାରତ ଏବଂ ଅନ୍ୟାନ୍ୟ ଗ୍ରନ୍ଥକୁ କ’ଣ କେବଳ ଗୋଟିଏ ଗୋଟିଏ ଅନୁବାଦ ବୋଲି କୁହାଯିବ ?

 

ସଂସ୍କୃତରେ ଯାହା ସମ୍ଭବ, କଥିତ ଓଡ଼ିଆ ଭାଷାରେ ମଧ୍ୟ ତାହା ଅବଶ୍ୟ ସମ୍ଭବ ବୋଲି ପଣ କରି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିବେ । ମହାଭାରତର କାହାଣୀ ସେତେବେଳେ ଭାରତବର୍ଷରେ ସର୍ବତ୍ର ଚାରଣମୁଖରେ ଜୀବନ୍ତ ହୋଇ ରହିଥିଲା । ସମ୍ଭବତଃ ସଂସ୍କୃତର ରଜ୍ଜୁରେ ବନ୍ଧା ହେବାର ବହୁ ପୁର୍ବରୁ ତାହା ଏକ ଭ୍ରାମ୍ୟମାଣ ଚାରଣକାବ୍ୟ ହୋଇ ରହିଥିଲା । ତେଣୁ, ଚାରଣମାନଙ୍କ ମୁଖରୁ ଲୋକମୁଖକୁ ଯାଇ ସେଥିରେ ସ୍ଥାନୀୟ ବହୁବିଧ ପ୍ରକ୍ଷେପ ଆସି ପ୍ରବେଶ କରିଥିଲା ଏବଂ ତଦ୍ଦ୍ୱାରା ତାହାର ସାହିତ୍ୟିକ ଲୋକକାବ୍ୟିକ ସୌନ୍ଦର୍ଯ୍ୟ ମଧ୍ୟ ଆହୁରି ବୁଦ୍ଧି ପାଇଥିଲା । ସାରଳା ଦାସ ସେହି ପ୍ରକ୍ଷେପଗୁଡ଼ିକୁ ମୂଳ ମୋଟାମୋଟି କାହାଣୀଟି ସହିତ ଯୋଡ଼ି ଓଡ଼ିଆ ଭାଷାରେ ମହାଭାରତର ସ୍ଵକୀୟ ସରସ କାବ୍ୟଟିକୁ ଲେଖିଲେ । ତେଣୁ, ପ୍ରାୟ ସକଳ ଦୃଷ୍ଟିରୁ ତାହାକୁ ଏକାଧିକ ସଙ୍ଗତି ସହିତ ଏକ ପ୍ରତିବାଦ ପ୍ରଧାନ ଅନୁବାଦ କାବ୍ୟ ବୋଲି କୁହାଯାଇ ପାରିବ । ଏବଂ, ପ୍ରତିବାଦ ପ୍ରଧାନ ହୋଇଥିବାରୁ ହିଁ ଯେ ତାହା ଏତେ ଅଧିକ ପ୍ରଭାବଶାଳୀ ଭାବରେ ସୃଜନାତ୍ମକ ହୋଇଛି, ହୁଏତ ଏପରି ଦାବୀ ମଧ୍ୟ କରାଯାଇ ପାରିବ । ଆପଣାର ସେହି ପ୍ରତିବାଦ ଏବଂ ଅନୁବାଦଟି ଦ୍ଵାରା ସାରଳା ଦାସ ଓଡ଼ିଆ ଭାଷାକୁ ସତକୁ ସତ ଦୁଇ ଗୋଡ଼ରେ ଛିଡ଼ା କରାଇ ପାରିଲେ, ତାହାକୁ ସାବାଳକ କଲେ । ଏହାଦ୍ଵାରା ସେ ଅନୁବାଦର ଏକ ସ୍ଵତନ୍ତ୍ର ପରମ୍ପରା ମଧ୍ୟ ସୃଷ୍ଟି କରିଦେଇ ଗଲେ, ଯାହାକି ପରବର୍ତ୍ତୀ କେତୋଟି ଶତାବ୍ଦୀ ଲାଗି ଓଡ଼ିଆ ସାହିତ୍ୟକୁ ଆଉ କେତୋଟି ମଣି ଯୋଗାଇ ଦେଇ ଯାଇଥିଲା । ସିଏ ପ୍ରତିବାଦର ଏକ ସୁନିର୍ଦ୍ଦିଷ୍ଟ ପରମ୍ପରା ସୃଷ୍ଟି କରି ଯାଇଥିଲେ ।

 

ସାରଳା ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଓଡ଼ିଆ ଭାଷାରେ ରାମାୟଣ ଲେଖାଗଲା, ଶ୍ରୀମଦ୍‌ଭାଗବତ ଲେଖାଗଲା । ଅଚ୍ୟୁତାନନ୍ଦ ହରିବଂଶ ଲେଖିଲେ, ବଳରାମ ଓ ଜଗନ୍ନାଥ ଶ୍ରୀମଦ୍‌ ଭାଗବଦ୍‌ଗୀତାର ଓଡ଼ିଆ ଅନୁବାଦ କଲେ । କେବଳ ଓଡ଼ିଆ ଭାଷାରେ ନୁହେଁ, ଉତ୍ତର ତଥା ଦକ୍ଷିଣ ଭାରତର ଏକାବେଳକେ ଅନେକ ଭାଷାରେ ସେତିକିବେଳେ ରାମାୟଣ, ମହାଭାରତ, ଗୀତା ପ୍ରଭୃତି ଗ୍ରନ୍ଥର ରଚନା ହୋଇଥିଲା । ଏଗୁଡ଼ିକୁ ସାଧାରଣତଃ ଅନୁବାଦ ବୋଲି କୁହାଗଲେ ମଧ୍ୟ ଏଗୁଡ଼ିକ ଅବିକଳ ଅନୁବାଦ ଆଦୌ ନୁହନ୍ତି, ଏଗୁଡ଼ିକ ମୌଳିକ ରଚନା, ପ୍ରତିବାଦ ଧର୍ମୀ ରଚନା, ଭାରତବର୍ଷୀୟ ସାଂସ୍କୃତିକ ଗାଥାର ବୃହତ୍‌ପରମ୍ପରାକୁ ସ୍ଥାନୀୟ କ୍ଷୁଦ୍ରତର ପରମ୍ପରା ମଧ୍ୟକୁ ଅନୁସଜ୍ଜିତ କରି ଆଣିଥିବା ଗୋଟିଏ ଗୋଟିଏ ମୌଳିକ କୃତି । ସାରଳା ଦାସ ଓ ପଞ୍ଚସଖା ଏହି ଅନୁସୃଜନ ଗୁଡ଼ିକ ଦ୍ଵାରା ଓଡ଼ିଶାର କଥିତ ଗତିଶୀଳ ଭାଷାକୁ ସାହିତ୍ୟ ଭିତରକୁ ସମୃଦ୍ଧ କରି ଆଣିଥିଲେ, ଓଡ଼ିଶାର ଲୋକାନୁସ୍ମୃତି ଗୁଡ଼ିକୁ ସାହିତ୍ୟର ପ୍ରତିଷ୍ଠା ଦେଇଥିଲେ । ସେମାନଙ୍କ ପରେ ଓଡ଼ିଆ ସାହିତ୍ୟରେ ଯେଉଁ ରୀତିଯୁଗ ଆସିଲା, ସେହି ଯୁଗର କାବ୍ୟକାରମାନେ ସଂସ୍କୃତ ରୀତି ଅନୁକୃତି ଦ୍ଵାରା ଓଡ଼ିଆ ଭାଷା ତଥା ସାହିତ୍ୟକୁ ଏକ ସମସ୍ତର ସମାନ୍ତରତା ଆଣି ଦେବା ଲାଗି ଚେଷ୍ଟା କରିଥିଲେ । ଏମାନଙ୍କର ପଦ୍ୟକୃତି ଗୁଡ଼ିକରେ ଓଡ଼ିଆ ଲୋକଜୀବନର ଶବ୍ଦ ଗୁଡ଼ିକ ଏକାବେଳକେ ପାଶୋର ହୋଇ ରହିଗଲେ ଏବଂ ଅଭିଧାନରୁ ଶବ୍ଦ ଆଣି ସଂସ୍କୃତ ସାହିତ୍ୟ ଠାରୁ ଆହୁରି କେତେ ଚାଖଣ୍ଡ ଆଗକୁ ବଳି ପଡ଼ି ନାନା କାବ୍ୟ ରଚନା କରାଗଲା । ଭାଷାକୁ ଅହେତୁକ ଆଳଙ୍କାରିକତା ଦ୍ଵାରା ଅତିମଣ୍ଡିତ କରିବାର ଅତ୍ୟୁତ୍ସାହରେ ରୀତିକବିମାନେ ଓଡ଼ିଆ ଭାଷାର ସାହିତ୍ୟିକ ପିଣ୍ଡଟିକୁ ଭାରି ଦରିଦ୍ର କରି ପକାଇଥିଲେ ।

 

ଓଡ଼ିଆ ସାହିତ୍ୟରେ ଅନୁବାଦ ବିଭାଗଟିର ଚର୍ଚ୍ଚା କରି ଆମେ ଏହାପରେ ସିଧା ଉନବିଂଶ ଶତାବ୍ଦୀର ପ୍ରଥମ ଓ ଶେଷ ଭାଗକୁ ଚାଲି ଆସିବା । ଏହି ପର୍ଯ୍ୟାୟରେ ଆମକୁ ଦୁଇ କିସମର ଅନୁବାଦ ସାହିତ୍ୟ ଦେଖିବାକୁ ମିଳିବ । ପ୍ରଥମ ପର୍ଯ୍ୟାୟଟି ହେଉଛି ସଂସ୍କୃତରୁ ଓଡ଼ିଆରେ ଅନୁବାଦ କରିବାର ପର୍ଯ୍ୟାୟ । ଏହି ଅନୁବାଦ ଗୁଡ଼ିକ ଭିତରେ କାବ୍ୟ ଓ ନାଟକ ହେଉଛି ସର୍ବପ୍ରଧାନ । ଏହି ଅନୁବାଦ କାର୍ଯ୍ୟରେ କେତେକ ରାଜା ଉତ୍ସାହ ପ୍ରଦର୍ଶନ କରିଥିଲେ ଏବଂ ଖୁବ୍‌ ସମ୍ଭବ ସେମାନଙ୍କ ସଭାରେ ବିଭୂଷିତ ହୋଇ ରହିଥିବା ପଣ୍ଡିତମାନେ ନିଜେ ଅନୁବାଦ ଗୁଡ଼ିକୁ ପ୍ରସ୍ତୁତ କରି ଦରବାରମାନଙ୍କର ଚଳଣି ଅନୁସାରେ ସେଗୁଡ଼ିକ ସ୍ଵୟଂ ରାଜାଙ୍କ ନାମରେ ଚଳାଇ ଦେଉଥିଲେ । ସ୍ମରଣ ରଖିବା ଉଚିତ, ସେମାନେ ମୂଳତଃ ପଣ୍ଡିତ ଥିଲେ, କାବ୍ୟ ରଚନାର ଅନ୍ତର୍ଗତ କ୍ଷେତ୍ରଟିରୁ ହୁଏତ ଅନେକ ଦୂରରେ ରହିଥିଲେ । ତେଣୁ, ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଅନୁବାଦଗୁଡ଼ିକ କଠୋର ପାଣ୍ଡିତ୍ୟର ପରିଚୟ ଦେଉଥିଲେ ହେଁ, କାବ୍ୟର ଦୃଷ୍ଟିରୁ ଅନେକ ସମୟରେ ଭାରି କର୍କଶ ହୋଇ ରହି ଯାଉଥିଲା । ଏପରିକି, ବିଂଶ ଶତାବ୍ଦୀର ପ୍ରାରମ୍ଭର ସମୟକୁ ଲିଖିତ ଶ୍ରୀଯୁକ୍ତ ଗୋପୀନାଥ ନନ୍ଦଙ୍କର ଅନୁବାଦ ଗୁଡ଼ିକ ଏହିପରି କର୍କଶ ହୋଇ ରହିଥିଲା । ତତ୍କାଳୀନ ଅନେକ ଗଦ୍ୟାନୁବାଦରେ ସେହି କର୍କଶତା ଓ ତଜ୍ଜନିତ ଦାରିଦ୍ର୍ୟ ଅନେକ ପରିମାଣରେ ପ୍ରକଟ ହୋଇଥିବା ପରି ମନେ ହୁଏ ସିଏ ରାଧାନାଥ ରାୟଙ୍କର ଏକ କ୍ଷୁଦ୍ରାନୁବାଦ ‘ବିବେକୀ’ର ଓଡ଼ିଆ ଗଦ୍ୟକୁ ପାଠ କଲେ ବୋଧହୁଏ, ସିଏ ଯେପରି ଗଦ୍ୟ ଲେଖିବେ ବୋଲି ଶବ୍ଦ ଗୁଡ଼ାକୁ କୋଉ ଦନ୍ଥଡ଼ା ପାହାଡ଼ରୁ ବଡ଼ ଅବିନ୍ୟସ୍ତ ଏବଂ ଅକୁଶଳ ଭାବରେ କାଟି ମୁଣ୍ଡା ମୁଣ୍ଡା କରି ନେଇ ଆସିଛନ୍ତି । ଏ କଥା ଅତ୍ୟନ୍ତ ସ୍ପଷ୍ଟ ଯେ, ରାଧାନାଥ ଓଡ଼ିଆ ଭାଗବତ ପଢ଼ି ନ ଥଲେ, ଏପରିକି ବ୍ରଜନାଥ ବଡ଼ଜେନାଙ୍କର ‘ଚତୁର ବିନୋଦ’ର ଗଦ୍ୟ ସହିତ ମଧ୍ୟ ତାଙ୍କର ହୁଏତ ପ୍ରାଣ ପରିଚୟ ଘଟି ନ ଥିଲା । ଶ୍ରୀ ଅରକ୍ଷିତ ଦାସଙ୍କର ‘ମହୀମଣ୍ଡଳ ଗୀତା’ରେ ଯେଉଁ ଅଧ୍ୟାୟେ ମାତ୍ର ରହିଛି, ତାହାକୁ ସାମନାରେ ରଖି ରାଧାନାଥ ଓ ମଧୁସୂଦନଙ୍କ ଗଦ୍ୟ ପାଠ କଲେ ମନେ ହୁଏ, ସେହି ଆଧୁନିକ ଯୁଗର ପ୍ରାକ୍‌କାଳରେ ମଧ୍ୟ ସେମାନେ ଓଡ଼ିଆ ଗଦ୍ୟକୁ ତାର ଐତିହ୍ୟ ତଥା ଐଶ୍ଵର୍ଯ୍ୟରୁ କାଟି ଆହୁରି ପଛକୁ ନେଇଯିବା ସକାଶେ ପ୍ରୟାସ କରିଛନ୍ତି ।

 

ସେହି ପର୍ଯ୍ୟାୟର ଆଉ ଗୋଟିଏ କିସମ ହେଉଛି ମିଶନାରୀମାନଙ୍କ ଦ୍ଵାରା ଅନୂଦିତ ହୋଇଥିବା ଖ୍ରୀଷ୍ଟଧର୍ମ ସାହିତ୍ୟ । ବାଇବେଲ୍‌ର ପ୍ରଥମ ଓଡ଼ିଆ ଅନୁବାଦ ଓଡ଼ିଶାରେ ନୁହେଁ, ବଙ୍ଗଳାରେ ଶ୍ରୀଯୁକ୍ତ କେରୀ ସାହେବଙ୍କ ତତ୍ତ୍ଵାବଧାନରେ ପଣ୍ଡିତମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା । ଭାରତବର୍ଷର ପାରମ୍ପପରିକ ମାଟିରେ ଖ୍ରୀଷ୍ଟୀୟ ଧର୍ମବାସନାର ବୀଜଟିକୁ ବପନ .କରିବା ସକାଶେ ସେତେବେଳେ ମିଶନାରୀମାନଙ୍କର ଛାପାଖାନାରେ ଭାରତୀୟ ଧର୍ମଗୁଡ଼ିକ ସହିତ ବିବାଦ ଲଗାଇ ଶବ୍ଦଯୁକ୍ତିର ଯେଉଁସବୁ ସାହିତ୍ୟ, ଏଥିରେ କେତୋଟି ପ୍ରଚାରମୂଳକ ଗଳ୍ପ ମଧ୍ୟ ରହିଥିଲା, ଲେଖା ଯାଇଥିଲା, ସେଗୁଡ଼ିକ ସବା ଆଗ ଓଡ଼ିଆ ଭାଷା ଏବଂ ସାହିତ୍ୟର ସମ୍ପଦର ସକାଶେ ଆଦୌ ଉଦ୍ଦିଷ୍ଟ ନ ଥିଲା । ତେଣୁ, କେତେକ ଦୃଷ୍ଟିରୁ ସେଗୁଡ଼ିକୁ ଅନୁବାଦର କିଞ୍ଚିତ୍‌ ନମୁନାରୂପେ ଅବଶ୍ୟ ଗ୍ରହଣ କରାଯାଇପାରେ, ମାତ୍ର ଅନୁବାଦ- ସାହିତ୍ୟର କୌଣସି ପ୍ରତିନିଧି ମୂଳକ ନମୁନାରୂପେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ । ଏହିସବୁ ଅନୁବାଦର ଉଦ୍ଦେଶ୍ୟ ସର୍ବପ୍ରଥମେ ଆଦୌ ସାହିତ୍ୟିକ ନ ଥିଲା, ତାହା ମୂଳତଃ ପ୍ରୟୋଜନିକ ହିଁ ଥିଲା । ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର କରିବାକୁ ହେଲେ, ସେହି ଧର୍ମର ବାର୍ତ୍ତା ଗୁଡ଼ିକୁ ଓଡ଼ିଶାବାସୀଙ୍କ ଭାଷାରେ ହିଁ କରିବାକୁ ହେବ, ଏହି କଥାଟିକୁ ଉପଲବ୍ଧି କରିଥିବାରୁ ଆମେ ସାହିତ୍ୟରେ ମିଶନାରୀମାନଙ୍କୁ ନିଶ୍ଚୟ ମନେ ରଖିବା ସତ, ମାତ୍ର ସାହିତ୍ୟାନୁବାଦର ମାନଦଣ୍ଡରେ ସେମାନଙ୍କୁ କୌଣସି ଉଲ୍ଲେଖନୀୟ ସ୍ଥାନ ଦେବା ସମ୍ଭବତଃ ଆଦୌ ସମୀଚୀନ ହେବ ନାହିଁ ।

 

ଫକୀର ମୋହନ ଅନୁବାଦରୁ ହିଁ ତାଙ୍କର ଗଦ୍ୟ ରଚନା ଆରମ୍ଭ କରିଥିଲେ । ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ଵାରା ଲିଖିତ କେତେକ ଜୀବନୀକୁ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଥିଲେ-। ‘‘ବୌଦ୍ଧାବତାର କାବ୍ୟ’ ସେନାପତିଙ୍କର ଆଉ ଗୋଟିଏ ଅନୁବାଦ । ନିଜର ସହଧର୍ମିଣୀଙ୍କୁ ଶୁଣାଇବା ନିମନ୍ତେ ସେ ରାମାୟଣ ଓ ମହାଭାରତର ଅନୁବାଦ ମଧ୍ୟ ପ୍ରସ୍ତୁତ କରିଥିଲେ ବୋଲି ତାଙ୍କର ‘ଆତ୍ମଜୀବନ-ଚରିତ’ରୁ ଜଣାଯାଏ । ଓଡ଼ିଆ ଭାଷାରେ ଯେ ସାହିତ୍ୟିକ ମୁଖାନୁବାଦ ପ୍ରକୃତରେ ସମ୍ଭବ ଏବଂ ଯଥାର୍ଥ ଶ୍ରଦ୍ଧା ରହିଥିଲେ ତାହା ଯେ ଅବଶ୍ୟ ଏକ ସୃଜନାତ୍ମକ କାର୍ଯ୍ୟରେ ପରିଣତ ହୋଇ ପାରିବ, ଫକୀରମୋହନଙ୍କର ଅନୁବାଦ ଆଧୁନିକ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ସେହି କଥାଟିର ସର୍ବପ୍ରଥମ ଭରସା ଦେଇ ଯାଇଥିଲା । ପରବର୍ତ୍ତୀ ସତ୍ୟବାଦୀ-ଯୁଗରେ ହିଁ ଓଡ଼ିଆ ସାହିତ୍ୟ ଭିତରେ ଅନୁବାଦ ଆପଣାଲାଗି ଏକ ସଚେତନ ସ୍ଵୀକୃତି ଲାଭ କରିଥିଲା । କୌଣସି ଏକ ଅନ୍ୟ ପ୍ରୟୋଜନରେ ପଡ଼ି ନୁହେଁ, ଓଡ଼ିଶାର ଗବାକ୍ଷଗୁଡ଼ିକୁ ଯେ ବୃହତ୍ତର ବିଶ୍ଵ ଆଡ଼କୁ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖିବା ଆବଶ୍ୟକ, ଗୋଦାବରୀଶ ଓ ନୀଳକଣ୍ଠ ଏହିପରି ଏକ ଆବ୍ୟକତା- ବୋଧ ଦ୍ଵାରା ପ୍ରେରିତ ହୋଇ ଆପଣାର ସାହିତ୍ୟାନୁବାଦ କାର୍ଯ୍ୟରେ ହାତ ଦେଇଥିଲେ । ସେହି ପର୍ଯ୍ୟାୟଟିଠାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟାନୁବାଦର ପରିସର ଅଧିକରୁ ଅଧିକ ବିସ୍ତୃତ ହୋଇ ଆସିଛି । ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପରେ ଏବଂ ତାହାର ଏକ ସମଗ୍ର ଆଲୋଡ଼ନ ସ୍ଵରୂପ ଭାରତୀୟ ଭାଷାଗୁଡ଼ିକର କ୍ଷେତ୍ରରେ ଏକ ଯଥାର୍ଥ ସାହିତ୍ୟ-ସଚେତନାର ସୃଷ୍ଟି ହେବା ଫଳରେ ଅନୁବାଦର କ୍ଷେତ୍ରରେ ମଧ୍ୟ ଅଧିକ ବିସ୍ତାରଣା ଓ ସମ୍ପୃଦ୍ଧି ଦେଖା ଦେଇଛି । ଗତ ପ୍ରାୟ ଚାରି ଦଶକ ଭିତରେ ଇଉରୋପୀୟ ସାହିତ୍ୟରୁ ଓଡ଼ିଆ ଭାଷାକୁ ବହୁ ଅନୁବାଦ କରାଯାଇଛି-। ଜାତୀୟ ଏବଂ ରାଜ୍ୟ ସ୍ତରର ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାମାନେ ଅନୁବାଦକୁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଛନ୍ତି । ଅନୁବାଦ ଏବଂ ଅନୁବାଦକମାନଙ୍କର ଏକ ଦୀର୍ଘ ନାମତାଲିକା ଦେବା ବର୍ତ୍ତମାନ ପ୍ରବନ୍ଧଟିର ଉଦ୍ଦେଶ୍ୟ ନୁହେଁ । ତାଲିକାଟିଏ ଖୋଜୁଥିବା ଓ ତାହାରି ମାଧ୍ୟମରେ ଓଡ଼ିଆ ଅନୁବାଦ-ସାହିତ୍ୟର ଆକଳନ କରିବାକୁ ଇଚ୍ଛା କରୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଅତି ସହଜରେ ତାଲିକାଟିଏ ଉପଲବ୍‌ଧ ହୋଇପାରିବ ।

 

ତଥାପି ଜଣେ ବ୍ୟକ୍ତିଙ୍କର ନାମ ଅବଶ୍ୟ ଉଲ୍ଲେଖ କରିବାକୁ ହେବ । ସିଏ ହେଉଛନ୍ତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଦାସ । ଓଡ଼ିଆ ସାହିତ୍ୟର ଉନ୍ନତିବିଧାନ କରିବାର କୌଣସି ସଚେତନ ପ୍ରୟୋଜନ ବୁଦ୍ଧି ସକାଶେ ନୁହେଁ, ଆପଣା ଭିତରୁ ଏକ ସ୍ଵତଃ ପ୍ରେରିତ ଶ୍ରଦ୍ଧା ଦ୍ଵାରା ପରିଚାଳିତ ହୋଇ ହିଁ ସିଏ ବିଶ୍ଵସାହିତ୍ୟର ଏକାଧିକ ସାହିତ୍ୟକୃତିକୁ ଓଡ଼ିଆ ଅନୁବାଦ କରାଇ ପୁସ୍ତକ ପ୍ରକାଶ କରିବା ବିଷୟରେ ପ୍ରାୟ ତାଙ୍କର ସାହିତ୍ୟିକ ହେତୁ ହେବା ସମୟରୁ ଏକ ବିଶେଷ ଶ୍ରଦ୍ଧା ଦେଖାଇ ଆସିଛନ୍ତି ଓ ସେଇଥିରୁ ହିଁ ଅପାର ଆନନ୍ଦ ଲାଭ କରିଛନ୍ତି । ବ୍ୟାବସାୟିକ ଦୃଷ୍ଟିରୁ ଅନେକ ହରାଇଛନ୍ତି, ଅନେକ ଗଞ୍ଜଣା ସହ୍ୟ କରିଛନ୍ତି, ତଥାପି ନିଶା ଛାଡ଼ି ନାହାନ୍ତି । ଯେଉଁମାନେ ବର୍ଷକୁ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଲାଭକରିଛନ୍ତି, ସେହିମାନଙ୍କର ଗ୍ରନ୍ଥକୁ ଓଡ଼ିଆ ରୂପ ଦେବା ଲାଗି ସେ ନିଜର ବ୍ରତ ରୂପେ ଗ୍ରହଣ କରି ଆସିଛନ୍ତି । ଏହା ଫଳରେ ସେ ପଚାଶରୁ ଅଧିକ ଏହିପରି ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଇ ପ୍ରକାଶ କରିଛନ୍ତି । ମୂଳ ଲେଖକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଓଡ଼ିଆ ଅନୁବାଦ ଗୁଡ଼ିକ ନିମନ୍ତେ ସେମାନଙ୍କ ଠାରୁ ବିଶେଷ ସନ୍ଦେଶମାନ ଆଣି ସେ ଯେପରି ନିପୁଣ ଓ ନିଖୁଣ ଭାବରେ ପୃଥିବୀର ଏତେ ଗୁଡ଼ିଏ କୃତି ଗ୍ରନ୍ଥକୁ ଏଠି ପ୍ରକାଶିତ ରୂପ ଦେଇଛନ୍ତି । ସେହି ନିଦର୍ଶନ ଓଡ଼ିଶାରେ ସର୍ବପ୍ରଥମ ହୋଇ ରହିଛି, ହୁଏତ ଏକଥା ମଧ୍ୟ କୁହାଯାଇ ପାରିବ ଯେ, ତାଙ୍କର ସେହି ଶ୍ରଦ୍ଧାରେ ଓଡ଼ିଶାରେ ଏପର୍ଯ୍ୟନ୍ତ ମଧ୍ୟ କେହି ତାଙ୍କୁ ଅତିକ୍ରମ କରିଯାଇ ନାହାନ୍ତି । ଜଣେ ପ୍ରକାଶକ ସାହିତ୍ୟ ଶ୍ରଦ୍ଧାଳୁ ହେଲେ ଓଡ଼ିଶାରେ ମଧ୍ୟ କେତେ କଥା ଯେ ସମ୍ଭବ ହୋଇପାରେ, ଶ୍ରୀଯୁକ୍ତ ଦାସ ଆହୁରି ବହୁଦିନ ଯାଏ ନିଶ୍ଚୟ ତାହାର ଦୃଷ୍ଟାନ୍ତ ହୋଇ ରହିବେ ।

 

ରାଷ୍ଟ୍ରୀୟ ସ୍ତରରେ କେନ୍ଦ୍ର ଓ ରାଜ୍ୟରେ ପ୍ରତିଷ୍ଠିତ ସାହିତ୍ୟ- ସମ୍ବର୍ଦ୍ଧକ ଏକାଡେମୀଗୁଡ଼ିକ ଯୋଜନା କରି କେତେକ ପ୍ରଖ୍ୟାତ ଗ୍ରନ୍ଥର ଓଡ଼ିଆ ଅନୁବାଦ ପ୍ରକାଶ କରିଛନ୍ତି । ଏହାଦ୍ଵାରା ଓଡ଼ିଆ ଅନୁବାଦର ଭଣ୍ଡାର ବଢ଼ିଛି, ଭଣ୍ଡାରରେ ଲକ୍ଷ୍ମୀ ବଢ଼ିଛନ୍ତି ମାତ୍ର ସେଥରୁ ଅନ୍ତତଃ ସାହିତ୍ୟର ଦୃଷ୍ଟିରୁ କେତେକ ବିଡ଼ମ୍ବନା ମଧ୍ୟ ସୃଷ୍ଟି ହୋଇଛି । ଯେଉଁସବୁ ବହିର ଅନୁବାଦ କରାଯିବ, ସେକଥା ସଂସ୍ଥା ଗୁଡ଼ିକର କର୍ତ୍ତାମାନେ ଠିକ୍‌ କରିଛନ୍ତି । କେଉଁମାନେ ଅନୁବାଦକ ହେବେ, ସେମାନେ ସେକଥାଟିର ମଧ୍ୟ ନିର୍ଦ୍ଧାରଣ କରି ଦେଇଛନ୍ତି । କଚେରୀରୁ ସମନ ଆସି ପହଞ୍ଚିଲା ପରି ଅଜଣା କର୍ତ୍ତାମାନଙ୍କ ଠାରୁ ଆଗତୁରା ଅର୍ଥ ପ୍ରତିଶ୍ରୁତି ସହିତ ଔପଚାରିକ ଭାବରେ ଅନୁବାଦ ଲାଗି ନିର୍ଦ୍ଦେଶପତ୍ରମାନ ଆସି ପହଞ୍ଚି ଯାଇଛି । ବେଳେବେଳେ ନିତାନ୍ତ ଅଲୋଡ଼ାମାନେ ଏହିପରି ଆନୁଷ୍ଠାନିକ ଭାବରେ ଆପଣାକୁ ଲୋଡ଼ା ହେଉଥିବାର ଦେଖି ପ୍ରଲୋଭନରେ ପଡ଼ି ନିଜକୁ ପ୍ରସ୍ତାବିତ କାର୍ଯ୍ୟଟି ନିମନ୍ତେ ଏକମାତ୍ର ଓ ଯୋଗ୍ୟତମ ବ୍ୟକ୍ତି ବୋଲି ଅନୁଭବ କରିଛନ୍ତି ଏବଂ ହୁଏତ ଶ୍ରଦ୍ଧା ନ ଥାଇ ମଧ୍ୟ ଶ୍ରଦ୍ଧା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଅନୁବାଦକ ମାତ୍ରକେ କଦାପି ଯେ କୌଣସି ଗ୍ରନ୍ଥର ଅନୁବାଦ କରି ପାରିବେ ନାହିଁ ଏବଂ, ପ୍ରକୃତରେ ଶ୍ରଦ୍ଧା ରହିଥିବା ବ୍ୟକ୍ତି ଫରମାସ୍‌ ପାଇଛନ୍ତି, ବୋଲି ଶ୍ରଦ୍ଧା ଦେଖାଇବାକୁ ନିଶ୍ଚୟ ସଙ୍କୋଚ ବୋଧ କରିବେ । ଅଧିକ ଭଲ ହେଉଥାନ୍ତା ବା ହୁଅନ୍ତା, ଯଦି ଅନୁବାଦକ ସ୍ଵୟଂ ବହିଟିଏ ବାଛନ୍ତା, ତାହାର ଅନୁବାଦ ଲାଗି ସଂପୃକ୍ତ ଏକାଡେମୀର ଅନୁମୋଦନ ଲୋଡ଼ନ୍ତା, ଅନୁମୋଦନ ଲାଭ କରି ଅନୁବାଦ କରନ୍ତା ଏବଂ ପ୍ରକାଶନ ଲାଗି ଏକାଡେମୀ ପାଖକୁ ପଠାଇ ଦିଅନ୍ତା । ସେପରି ହେଲେ ଅନୁବାଦଗୁଡ଼ିକ ଅଧିକ ଶ୍ରଦ୍ଧାଯୁକ୍ତ ହୋଇପାରନ୍ତା, ତେଣୁ ଅଭିପ୍ରେତ ସ୍ଥାନ ଗୁଡ଼ିକରେ ତାହା ଅଧିକ ଯଥାର୍ଥ ଭାବରେ ଆହୁରି ଅଧିକ ଶ୍ରଦ୍ଧାର କାରଣ ହୋଇ ପାରନ୍ତା । ଦିଲ୍ଲୀଠାରୁ ସାରା ଭାରତର ସାହିତ୍ୟିକ ଅନୁବାଦ ଓ ସାହିତ୍ୟିକ ଆଦାନପ୍ରଦାନର ହାଲଚାଲ ବୁଝୁଥିବା ନେଶନାଲ ବୁକ୍‌ଟ୍ରଷ୍ଟ ବିଷୟରେ ମଧ୍ୟ ଊଣା ଅଧିକେ ସେହି କଥା କୁହାଯାଇ ପାରିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଯେ କୌଣସି ସରକାରୀ ଅଥବା ତଥା କଥିତ ଅର୍ଦ୍ଧ-ସରକାରୀ ଅନୁଷ୍ଠାନର ଏକ ସାମର୍ଥ୍ୟସୀମା ସର୍ବଦା ରହିଛି ବିଶେଷତଃ ସାହିତ୍ୟ ଭଳି ଏକ ସୃଜନାତ୍ମକ କ୍ଷେତ୍ରରେ ସେହି ସୀମାଗୁଡ଼ିକ ଆହୁରି ଅଧିକ ସୀମିତ ହୋଇ ରହିବା ଏକାନ୍ତ ସ୍ଵାଭାବିକ ।

 

ଭାରତୀୟ ଭାଷାଗୁଡ଼ିକୁ ଆଧୁନିକ ଶିକ୍ଷା ତଥା ସାହିତ୍ୟର ଏକ ସୁସମର୍ଥ ମାଧ୍ୟମକୁ ଉନ୍ନୀତ କରି ଆଣିବା ଲାଗି ଏକଦା ଭାରତ ସରକାରଙ୍କ ତରଫରୁ ଯେଉଁ ବଦାନ୍ୟ ଉଦ୍ୟମ ହୋଇଥିଲା, ସେଥିରେ ଅନ୍ୟାନ୍ୟ ପ୍ରତ୍ୟେକ ଭାଷା ପରି ଓଡ଼ିଆ ଲାଗି ମଧ୍ୟ କୋଟିଏ ଟଙ୍କା ବ୍ୟବସ୍ଥା କରାଯାଇଥିଲା । ସରକାରୀ ସରଘରର ବିଭାଗୀୟ କାରପଟଦାରମାନେ ସେହି ଅର୍ଥରାଶିର ବିନିଯୋଗ ଲାଗି ଯେଉଁ ନୂଆ ଦପ୍ତରଟିକୁ ଗଢ଼ିଲେ, ତାହାକୁ କୌଣସି ବ୍ୟବସାୟିକ କାରଣ ଦୃଷ୍ଟିରୁ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନର ଏକ ସଂସ୍ଥାରୂପେ ନାମିତ କରାଗଲା । ତାହାରି ଆନୁକୁଲ୍ୟରେ ପାଠ୍ୟପୁସ୍ତକ ଲେଖାଗଲା, ବିଖ୍ୟାତ ପାଠ୍ୟ ପୁସ୍ତକ ଗୁଡ଼ିକର ଅନୁବାଦ କରାଗଲା । ଅର୍ଥଫଳର ଲୋଭନୀୟ ପ୍ରତିଶ୍ରୁତି ରହିଥିବାରୁ, ଯେଉଁ ବ୍ୟକ୍ତିମାନେ ଓଡ଼ିଆରେ କେବେହେଲେ କିଛି ଲେଖି ନଥିଲେ ଓ ଓଡ଼ିଆରେ କୌଣସି ଗାମ୍ଭୀର୍ଯ୍ୟପୂର୍ଣ୍ଣ ବିଷୟରେ ଚିନ୍ତା ବି କରି ନଥିଲେ, ସେମାନେ ଆସି ପ୍ରାୟ ଏକ ସ୍ଵୟଂ-ବରଣ ରୀତିରେ ସେଠାରେ ପହଞ୍ଚିଗଲେ, ଇଂରାଜୀ ଛାଞ୍ଚରେ ଓଡ଼ିଆ ଅନୁବାଦ କଲେ । ଅନୁବାଦ ନାଆଁରେ ଗୁଡ଼ାଏ ଆବୁରୁଜାବୁରୁ ଛାପାହେଲା ଓ ଥାକ ମରାହୋଇ ଗୋଦାମଘରେ ରହିଲା । ଶିକ୍ଷା ବିଭାଗର ଶାସକମାନେ ଅନେକ ସମୟରେ ଆପଣାକୁ ଯେପରି ଶିକ୍ଷା-ବିତରଣ କାର୍ଯ୍ୟରେ ମଧ୍ୟ ଶିକ୍ଷିତ ଓ ସିଦ୍ଧହସ୍ତ ବୋଲି ମନେ କରନ୍ତି, ସେହିପରି ତୁଚ୍ଛା ଶାସକମାନେ ଦୈବାତ୍‌ସାହିତ୍ୟର କାରବାର ଭିତରକୁ ବନ୍ଧାହୋଇ ଆସି ନିଜକୁ ସାହିତ୍ୟ-ଶାସକ ଅର୍ଥାତ୍‌ ସାହିତ୍ୟ ଲାଗି ଉପଯୁକ୍ତ ଭାବରେ ଶିକ୍ଷିତ ବୋଲି ମନେ ନ କରିବେ କାହିଁକି ? ଓଡ଼ିଆ ସାହିତ୍ୟ, ବିଶେଷତଃ ଓଡ଼ିଆ ସାହିତ୍ୟାନୁବାଦର ତରଫରୁ ହୁଏତ କେବଳ ଏତିକି କୁହାଯାଇ ପାରିବ ଯେ, ଆଲୋଚିତ ଯୋଜନାଟି ଦ୍ଵାରା ବିଶ୍ଵ ସାହିତ୍ୟକୁ ଘର ଭିତରକୁ ବରଣ କରି ଆଣିବା ଲାଗି ଓଡ଼ିଆ ସାହିତ୍ୟ ଓ ଅନୁବାଦକୁ ଯେଉଁ ଆହ୍ୱାନ ମିଳିଥିଲା, ଅସିଦ୍ଧ ଓ ଅନ୍ୟାଭିପ୍ରାୟୀ ଅବ୍ୟକ୍ତମାନଙ୍କ ହାତରେ ପଡ଼ି ତାହା ପ୍ରାୟ ଏକ ଅତ୍ୟନ୍ତ ଅକୁଶଳ ଅନ୍ୟାଚାରରେ ପରିଣତ ହୋଇ ରହିଗଲା ।

 

ଅନୁବାଦ-ସାହିତ୍ୟ ଅଥବା ସାହିତ୍ୟାନୁବାଦକୁ ଯଥାର୍ଥରେ ସୃଜନାତ୍ମକ ସାହିତ୍ୟ କୁହାଯାଇ ପାରିବ କି ନାହିଁ, ସେହି ବିଷୟରେ ଦୃଷ୍ଟିବିଶେଷର ବିବାଦାସ୍ପଦ ଏକାଧିକ ମତ ରହିଛି । ଓଡ଼ିଶାରେ ଏପରି ବିଜ୍ଞ ବ୍ୟକ୍ତି ମଧ୍ୟ ଅବଶ୍ୟ ଅଛନ୍ତି, ଯେଉଁମାନେ କି ପ୍ରବନ୍ଧ ସାହିତ୍ୟକୁ ମଧ୍ୟ ସର୍ଜନାତ୍ମକ କୁହାଯିବ କି ନାହିଁ, ସେ ବିଷୟରେ ସନ୍ଦେହ ପ୍ରକାଶ କରିଥାନ୍ତି । କିନ୍ତୁ ଗୋଟିଏ କଥା ଅବଶ୍ୟ ସତ ଯେ, ଜଣେ ଅନୁବାଦକ ତଥା କଥିତ ସୃଜନାତ୍ମକ ସାହିତ୍ୟଲେଖକ ଭଳି ଆଦୌ ଏତେ ବେଶୀ ସ୍ଵାଧୀନ ନୁହେଁ । ତା’ ନିଜର ସୃଜନାତ୍ମକ ଶକ୍ତି ଓ ତଜ୍ଜନିତ ବ୍ୟାକୁଳତାକୁ ସିଏ ଏପରି ଅହଂଶୂନ୍ୟ ଭାବରେ ବ୍ୟବହାର କରି ପାରୁଥିବ, ଯେପରିକି, ସିଏ ଯେଉଁ ଲେଖକଙ୍କର କୌଣସି ଗ୍ରନ୍ଥକୁ ମୂଳରୁ ଭାଷାନ୍ତରିତ କରୁଛି, ତାଙ୍କର ସୃଜନାତ୍ମକତାକୁ ଆଦୌ କୌଣସି ପ୍ରକାରେ କ୍ଷୁନ୍ନ କରି ପକାଇବ ନାହିଁ । ତେଣୁ ଅନୁବାଦ ଲାଗି ହୁଏତ ଅନେକ ଅଧିକ ସଂଯମ ଦରକାର, ମାତ୍ର, ତାହାର ଆହୁରି ଅଳିକ ଗୁଣ ଅଧିକ ଶ୍ରଦ୍ଧା ଦରକାର । ଯେଉଁ ଶ୍ରଦ୍ଧା ଗୋଟା ସୁଦ୍ଧା ଗିଳି ପକାଇବାକୁ ମନ କରୁଥାଏ, ସେହି ଶ୍ରଦ୍ଧା ଆଦୌ ନୁହେଁ, ମାତ୍ର ଯେଉଁ ଶ୍ରଦ୍ଧା ସମ୍ମାନ ଦେଇପାରେ, ଯେତେ ନିକଟବର୍ତ୍ତୀ ହେଲେ ମଧ୍ୟ ତଥାପି ଗିଳି ପକାଇବାକୁ ମନ କରେ ନାହିଁ, ସେହିପରି ଏକ ଶ୍ରଦ୍ଧା ଦରକାର । ଯେ କୌଣସି ଗ୍ରନ୍ଥ‌ ଏବଂ ଗ୍ରନ୍ଥକାରଙ୍କୁ ଅନନ୍ୟ ଏବଂ ସ୍ଵକୀୟ ଭାବରେ ବୁଝିବା ଲାଗି ଯେଉଁ ଶ୍ରଦ୍ଧା ସମର୍ଥ ହୁଏ, ଜଣେ ଅନୁବାଦକ ଠାରେ ସେହି ଶ୍ରଦ୍ଧା ରହିଥିବା ଦରକାର । ହୁଏତ, ସେହି ଶ୍ରଦ୍ଧାର ଅଭାବ ହିଁ ଏକ କାରଣ ହୋଇପାରେ, ଯେଉଁଥିପାଇଁ ଅତ୍ୟୁତ୍ସୁକ ଭକ୍ତମାନେ ଆଦୌ ଭଲ ଅନୁବାଦକ ହୋଇ ପାରନ୍ତି ନାହିଁ, ପ୍ରଚାରର ଆକାଙ୍‌କ୍ଷା ରଖି ପ୍ରାୟ ଏକ ଅସାହିତ୍ୟିକ ଉତ୍ତେଜନାରେ ସାହିତ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଭଲ ଅନୁବାଦ କରନ୍ତି ନାହିଁ । ଏବଂ ସର୍ବୋପରି ଅତି ବିନୟୀ ତଥା ଅହଂକାରୀ ମାନେ ମଧ୍ୟ ଅନୁବାଦର କ୍ଷେତ୍ରରେ ଆଦୌ ବେଶୀ ବାଟ ଉତ୍ତୀର୍ଣ୍ଣ ହୋଇ ପାରନ୍ତି ନାହିଁ। ତେଣୁ ଅନୁବାଦ ଆଦୌ ଏକ ସହଜ କଥା ନୁହେଁ, ଏକ ସ୍ଵେଚ୍ଛାଚାରିତା ଆଦୌ ନୁହେଁ ।

 

ଓଡ଼ିଆରେ ଅନୁବାଦ ବୋଲି ଯାହାକିଛି ସାହିତ୍ୟ ଅଛି, ତାହା ପ୍ରଧାନତଃ ଇଂରାଜୀରୁ ଅନୁବାଦ କରାଯାଇ ଓଡ଼ିଆକୁ ଆସିଛି । ଅନେକ ସାହିତ୍ୟଗ୍ରନ୍ଥ ଇଉରୋପୀୟ ଅନ୍ୟାନ୍ୟ ଭାଷାରୁ ଅନୁଦିତ ହୋଇ ଆଗ ଇଂରାଜୀ ଭାଷାକୁ ଆସିଛି, ତା’ ପରେ ଆମେ ତାହାକୁ ଇଂରାଜୀରୁ ଅନୁବାଦ କରି ଓଡ଼ିଆକୁ ଆଣିଛୁ । କୌଣସି ଗାତ୍ରରୁ ଦୁଇଥର ଛାଲ ଉତୁରିଗଲା ପରେ ଅବସ୍ଥା ଯେପରି ହୁଏ, ଏହିସବୁ କ୍ଷେତ୍ରରେ ପ୍ରାୟ ସେହିକଥା ହୋଇଛି । ଓଡ଼ିଶାରେ ଯେ ଏହିଭଳି ଏକ ସ୍ଥିତି ରହିଛି, ତାହାର ବାସ୍ତବ କାରଣଟି ହେଉଛି ଯେ, ଏହି ରାଜ୍ୟରେ ଇଂରାଜୀ ବ୍ୟତୀତ ଅନ୍ୟ ବିଦେଶୀ ଭାଷା ସହିତ ପରିଚିତ ହେବାର କୌଣସି ସୁଯୋଗ ନାହିଁ । ତେଣୁ, ଇଂରାଜୀ ବାହାରେ ରହିଥିବା ଅନ୍ୟାନ୍ୟ ଭାଷାର ଗ୍ରନ୍ଥ ଗୁଡ଼ିକୁ ଆମେ ଇଂରାଜୀ ଅନୁବାଦରେ ପଢ଼ିବାକୁ ଓ ତାହାକୁ ହିଁ ଯଥେଷ୍ଟ ବୋଲି ଗ୍ରହଣ କରିବାକୁ ବାଧ୍ୟ ହେଉଛୁ । କେତେକ କ୍ଷେତ୍ରରେ କୌଣସି ଜର୍ମାନ୍‌ କିମ୍ବା ଅନ୍ୟ ଅଣଇଂରାଜୀ ସାହିତ୍ୟିକମାନଙ୍କର କୃତିର ଆଲୋଚନା କରି ଗବେଷଣା-ନିବନ୍ଧମାନ ପ୍ରସ୍ତୁତ କରାଯାଇଛି ଓ ଆମ ବିଶ୍ଵବିଦ୍ୟାଳୟରୁ ସେଗୁଡ଼ିକୁ ଆକାଙ୍‌କ୍ଷିତ ସ୍ଵୀକୃତି ମଧ୍ୟ ମିଳିଛି । ମାତ୍ର ଏଣେ ହୁଏତ ସ୍ଵୟଂ ନିବନ୍ଧକାର ଓ ତାଙ୍କର ପଥ ନିର୍ଦ୍ଦେଶକ କେହି ଅସଲ ମୂଳ ଭାଷାରେ ସଂପୃକ୍ତ ଗ୍ରନ୍ଥଗୁଡ଼ିକ ପାଠ କରି ନାହାନ୍ତି । ଅନୁବାଦର କ୍ଷେତ୍ରରେ ମଧ୍ୟ ଏହିପରି ହୋଇଛି ଓ ତଦ୍ଦ୍ୱାରା କେଉଁଠି କିଛି ଅଭାବ ରହି ଯାଉଛି ବୋଲି ସାଧାରଣତଃ ଅନୁଭବ କରା ହୋଇ ନାହିଁ । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦ ସାହିତ୍ୟ ଅତ୍ୟନ୍ତ ଅପୂର୍ଣ୍ଣତା ଯୁକ୍ତ ହୋଇ ରହିଛି । ଅଧିକନ୍ତୁ ଏପରି କେତେକ ଦୃଷ୍ଟାନ୍ତ ରହିଛି ଯେ, ଅପେକ୍ଷାକୃତ ଅଧିକ ସହଜ ହେବ ବୋଲି କେତେକ ଅନୁବାଦକ ସେହି ଇଂରାଜୀ ମୂଳ ପୁସ୍ତକ ବା ଅନୁବାଦର ବଙ୍ଗଳା, ପୁନରୁବାଦରୁ ମଧ୍ୟ ଓଡ଼ିଆକୁ ଅନୁବାଦ କରି ପକାଇଛନ୍ତି ଓ ତାହାକୁ ହିଁ ପୂର୍ଣ୍ଣଫଳ ବୋଲି ଅନୁଭବ କରିଛନ୍ତି । ଏକ ଭାଷାଭାଷୀ ହେବା ଆଧୁନିକତା ଓ ଆଧୁନିକ ଜୀବନ ଦୃଷ୍ଟିରୁ ଏକାନ୍ତ ବିରୋଧୀ । ବହୁ ଭାଷାଭାଷୀ ହେଲେ ନିଜର ଭାଷାଟିକୁ ଯେ ଅଧିକ ସମଗ୍ର ଭାବରେ ଦେଖିହୁଏ ଓ ତାହାକୁ ଅଧିକ ସମଗ୍ରତା ସହିତ ଆପଣାର ବୋଲି ଭଲ ପାଇହୁଏ । ଓଡ଼ିଶାରେ ସେହି ସତ୍ୟଟିର ଉପଲବ୍‌ଧି ଲାଗି ଯେତେ ଶୀଘ୍ର ଏକ ଅନୁକୂଳ ଏବଂ ଆହ୍ଵାନମୟ ପରିବେଶ ସୃଷ୍ଟି ହୋଇ ପାରିବ, ଓଡ଼ିଶାର ସାହିତ୍ୟ ଲାଗି, ଓଡ଼ିଆ ଅନୁବାଦ-ସାହିତ୍ୟ ଲାଗି ମଧ୍ୟ, ତାହା ସେତିକି ଅଧିକ ସ୍ଵାସ୍ଥ୍ୟକର ହୋଇ ପାରିବ ।

 

ଭାରତୀୟ ଭାଷାଗୁଡ଼ିକ ସେମାନଙ୍କର ଉତ୍ସ ତଥା ବିକାଶଗତ କ୍ଷେତ୍ରରେ ପରସ୍ପର ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଯୋଡ଼ିହୋଇ ରହିଥିଲେ ମଧ୍ୟ ଭାରତବର୍ଷର ସାମ୍ପ୍ରତିକ ସାହିତ୍ୟମାନେ ପରସ୍ପର ପାଖରେ ଆଦୌ ଯଥେଷ୍ଟ ଘନିଷ୍ଠ ଭାବରେ ପରିଚିତ ନୁହନ୍ତି । ଏହାର କେତେକ କାରଣ ରହିଛି ସତ, ମାତ୍ର ଏହାକୁ ତଥାପି ଏକ ବ୍ୟାଧି ବୋଲି କହିବାକୁ ହେବ । ଆମ ଦେଶର ଯେଉଁମାନେ ନିଜକୁ ଅପେକ୍ଷାକୃତ ଅଧିକ ସଂସ୍କୃତି-ସଚେତନ ବୋଲି ମନେ କରନ୍ତି । ସେମାନେ ପ୍ରତିବେଶୀ ମାନଙ୍କ ସହିତ ପ୍ରତିବେଶୀ ହୋଇ ରହିପାରିବାର ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ ଆଗ ପ୍ରବାସୀ ହୁଅନ୍ତି । ବିଶ୍ୱ-ଭାଷା ରୂପେ ଇଂରାଜୀକୁ ସ୍ଵୀକୃତି ଦେଇ ସେମାନେ ତାହାରି ସହିତ ଏପରି ଜୁଡ଼ୁବୁଡ଼ୁ ହୋଇ ରହିବାକୁ ମନ କରୁଥାନ୍ତି, ଯେ ନିଜ ଖଞ୍ଜାଟି ସେପାଖକୁ ଯେଉଁ ପ୍ରତିବେଶୀ ସାହିତ୍ୟମାନେ ଦୀର୍ଘ ପ୍ରାୟ ଏକ ହଜାର ବର୍ଷ ହେଲା ନାନା ବୈଚିତ୍ର୍ୟ ସହିତ ସମ୍ପୃଦ୍ଧ ଓ ବର୍ଣ୍ଣାଢ଼୍ୟ ହୋଇ ରହି ଆସିଛନ୍ତି, ସେମାନେ ସିଆଡ଼କୁ ଅନାଇବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଓଡ଼ିଆ ସାହିତ୍ୟରେ ଏହି ପ୍ରତିବେଶୀ ସାହିତ୍ୟ ଗୁଡ଼ିକରୁ ହୁଏତ ସେହି କାରଣରୁ ଆଦୌ ଆଶାନୁରୂପ ଅନୁବାଦ ହୋଇ ପାରିନାହିଁ । ପଡ଼ୋଶୀ ଭାଷା ଏବଂ ପଡ଼ୋଶୀମାନଙ୍କ ସହିତ ଓଡ଼ିଆମାନଙ୍କର ମନୋଗତ ଆତ୍ମୀୟତା ଅପେକ୍ଷା ଏକ ମନୋଗତ ବୈମନସ୍ୟ ହୁଏତ ଅଧିକ ପରିମାଣରେ ରହିଛି, ଏବଂ ସେହି କାରଣରୁ ଏକ ଦୂରତା ମଧ୍ୟ ଭାରି ଦୃଶ୍ୟ ଭାବରେ ଏବେ ମଧ୍ୟ ରହିଛି । ଅନ୍ୟ ଭାରତୀୟ ଭାଷା ଗୁଡ଼ିକୁ ଶିକ୍ଷା କରିବା ଲାଗି ଆମର ଶିକ୍ଷିତ ଅଳିନ୍ଦଗୁଡ଼ିକରେ ଖୁବ୍‌ କମ୍‌ ଆଗ୍ରହ ସୃଷ୍ଟି କରାଯାଇ ପାରିଛି, ତେଣୁ ପଡ଼ୋଶୀମାନଙ୍କ ସହିତ ଆମର ଭାବର ଆଦାନ ପ୍ରଦାନ ମଧ୍ୟ ଖୁବ୍‌ କମ୍‌ ହୋଇଛି । ଅନେକ ଶିକ୍ଷିତ ଓ ଆହୁରି ଶିକ୍ଷିତମାନେ ଆମର ଏଠି ଆଖି ବୁଜିଦେବା ମାତ୍ରକେ ସବା ଆଗ ସତେ ଅବା ଇଂରାଜୀ ଭାଷାକୁ ଦେଖନ୍ତି, ଏବଂ ତେଣୁ ଏହି ନିକଟବର୍ତ୍ତୀ ଚଉହଦୀ ଗୁଡ଼ିକରେ ଅନ୍ୟ ଭାଷା କିମ୍ବା ଅନ୍ୟ ସାହିତ୍ୟ ରହିଛି ବୋଲି ଦେଖବାକୁ ହିଁ ଇଚ୍ଛା କରନ୍ତି ନାହିଁ । ଜାତୀୟ ସାହିତ୍ୟ ଏକାଡେମୀ ଓ ନେଶନାଲ୍‌ ବୁକ୍‌ଟ୍ରଷ୍ଟ ଏବେ କେତୋଟି ଯୋଜନା ଅନୁସାରେ ଭାରତୀୟ ଭାଷାର କେତେ ପୁସ୍ତକର ଓଡ଼ିଆ ଅନୁବାଦ କରାଇଛନ୍ତି ସତ, ମାତ୍ର ଆମ ଘରର ଝରକାଗୁଡ଼ିକୁ ଆମ ପ୍ରତିବେଶୀ ସହୋଦରମାନଙ୍କ ଆଡ଼କୁ ଖୋଲି ଦେଇ ପାରିବାକୁ ଓଡ଼ିଶାରେ ଯେଉଁ ଆଗ୍ରହ ରହିଥାନ୍ତା ସେହି ଆଗ୍ରହ ଏବେ ମଧ୍ୟ ସୃଷ୍ଟି କରାଯାଇ ପାରିନାହିଁ । ପଡ଼ୋଶୀ ତେଲୁଗୁ ଭାଷାରୁ ଓଡ଼ିଆକୁ ସମ୍ଭବତଃ ଆଦୌ କୌଣସି ସିଧା ଅନୁବାଦ ହୋଇନାହିଁ । ଓଡ଼ିଶାର ଭାଷା, ଧର୍ମ, ଶାସନ ଓ ସାହିତ୍ୟ ଆମ ଇତିହାସର ନାନା ପର୍ଯ୍ୟାୟରେ ଅଧିକତର ପରିମାଣରେ ଦକ୍ଷିଣରୁ ହିଁ ସଂକ୍ରାମିତ ହୋଇ ଆସିଥିଲେ ମଧ୍ୟ ଏହି ଆଧୁନିକ ଯୁଗ ପର୍ଯ୍ୟାୟରେ ଆମ ସାହିତ୍ୟ ଦକ୍ଷିଣର ସାହିତ୍ୟ ସହିତ ସୂତ୍ର ସଂଯୋଗ ରଖି ପାରିନାହିଁ । ତାହା ପ୍ରକୃତରେ ଏକ ବିଡ଼ମ୍ବନାର କଥା । ଓଡ଼ିଆ ସାହିତ୍ୟାନୁବାଦରେ ସେହି ବିଡ଼ମ୍ବନା ଅଧିକ ପରିମାଣରେ ପରିଲକ୍ଷିତ ହୋଇଥାଏ-

 

ଓଡ଼ିଆ ସାହିତ୍ୟାନୁବାଦର ସମୀକ୍ଷାତ୍ମକ ମୂଲ୍ୟବିଚାର କରୁଥିବା ସମୟରେ ଆମ ଅନୁବାଦର ଆଉ ଗୋଟିଏ ଧାରା ଆଡ଼କୁ ମଧ୍ୟ ଦୃଷ୍ଟି ଆକର୍ଷିତ ହୋଇଥାଏ । ଆମର ସାହିତ୍ୟିକମାନଙ୍କ ମଧ୍ୟରୁ ଯେଉଁମାନେ ଅନୁକୂଳତର ଉତ୍‌ଥାନ ଏବଂ ମଥାନ ମାନଙ୍କରେ ରହିଛନ୍ତି, ସେମାନେ ପ୍ରବଳ ଆଗ୍ରହରେ ଏବେ ନିଜର ଅଧିକରୁ ଅଧିକ ଲେଖାକୁ ଇଂରାଜୀରେ ଅନୁବାଦ କରାଇବାର ପ୍ରୟାସ କରୁଛନ୍ତି । ଏହି ପ୍ରୟାସ ବେଳେବେଳେ ପ୍ରାୟ ଏକ ଅସାହିତ୍ୟିକ ଜ୍ଵରବତ୍‌ ପ୍ରତୀତ ବି ହେଉଛି । ଅନେକ ଲେଖକ ନିଜେ ନିଜ ଲେଖା ଗୁଡ଼ିକର ଇଂରାଜୀ ଅନୁବାଦ କରାଇ ଦେବାର ବ୍ୟବସ୍ଥା କରୁଛନ୍ତି, ପୁଣି ବେଳେବେଳେ ନିଜେ ନିଜର ଅନୁବାଦ କରିବାର ମନ୍ଦ ବ୍ରତ ଆଚରଣ କରିଛନ୍ତି । ଆହୁରି କେତେଜଣ ହୁଏତ ଅଧିକ ମୌଳିକ ହୋଇ ପାରିବା ସକାଶେ ଆଗ ଇଂରାଜୀରେ ଲେଖୁଛନ୍ତି ଏବଂ ତା’ପରେ ଯାଇ ଏକ ଦ୍ଵିତୀୟ କାର୍ଯ୍ୟ ପରି ତାହାର ଅନୁବାଦ କରି ଓଡ଼ିଆରେ ବାହାର କରୁଛନ୍ତି । ଇଂରାଜୀକୁ ରାଧାମଣି ଓଡ଼ିଆକୁ ଲଳିତା ପ୍ରାୟ ମଣୁଛନ୍ତି । ଏକ ଅନ୍ୟଭଳି ଫଳଶ୍ରୁତିର ଆକାଙ୍‌କ୍ଷା ଦ୍ଵାରା ଉଦ୍‌ବୁଦ୍ଧ ଏବଂ ଉତ୍ପୀଡ଼ିତ ହୋଇ ସେମାନେ ଆମର ଏଠାରେ ଫଳଯିବା ମାତ୍ରକେ ବା ଏପରିକି ଫଳ ଯିବା ପୂର୍ବରୁ ମଧ୍ୟ ଏକାବେଳକେ ସିଆଡ଼ୁ ବିଶ୍ଵବିଜୟୀ ହୋଇ ଘରକୁ ବାହୁଡ଼ିବା ଲାଗି ମନ କରୁଛନ୍ତି । ଯୋଜନା ଅନୁସାରେ କାର୍ଯ୍ୟଟିର କ୍ଷିପ୍ରତର ସିଦ୍ଧି ସକାଶେ ଓଡ଼ିଶାରେ ଇଂରାଜୀ ପତ୍ରିକାମାନ ବାହାରୁଛି, ଅନେକ ସମୟରେ ମଫସଲରୁ ମଧ୍ୟ ବାହାରୁଛି । ଅବର୍ଜିଆ ଇଂରାଜୀ ଭାଷାର ବାହାରିଲେ ମଧ୍ୟ ଇଂରାଜୀ ଛାପରେ ବାହାରୁ ଥିବାରୁ ତାହା ସତେ ଅବା ସଂପୃକ୍ତ ବ୍ରତଚାରିଣୀମାନଙ୍କୁ ପ୍ରକୃତରେ ଫଳପ୍ରସବିନୀ ହୋଇ ପାରିବାର ଅଶେଷ ଆନନ୍ଦ ଦେଇଯାଇ ପାରୁଛି । ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ, ଉପଯୁକ୍ତ ପ୍ରଚାର ହୋଇ ପାରୁନାହିଁ ବୋଲି ଓଡ଼ିଆ ଲେଖକମାନଙ୍କୁ ବାହାରେ କେହି ଚିହ୍ନୁନାହାନ୍ତି ତେଣୁ ଏଥର ଅସଲ ଥଳମାନଙ୍କରେ ଯାଇ ପହଞ୍ଚିବାକୁ ପଡ଼ିବ, ତାଙ୍କର ସେମିଜ୍‌ ଓ ବ୍ଲାଉଜ୍‌ପିନ୍ଧି ସେମାନଙ୍କ ପାଖରେ ଚିହ୍ନା ଦେବାକୁ ପଡ଼ିବ, ଏହିପରି ଗୋଟିଏ ମନ୍ଦୋତ୍ସାହୀ ପ୍ରବୃତ୍ତି ମଧ୍ୟ ସେହି ଅନୁବାଦଗୁଡ଼ିକ ଲାଗି ପ୍ରରୋଚନା ଯୋଗାଇ ଦେଇ ଯାଉଛି । ଫୁଲକୁ ଆଉ ଯୋଉଠି ସେଠି ଫୁଟିଲେ ହେବ ନାହିଁ, ଯୋଉଠି ଭଅଁରମାନେ ଅଛନ୍ତି, ସେହସବୁ ଜାଗାରେ ଯାଇ ଫୁଟିବାକୁ ହେବ, ତେବେ ଯାଇ ଆମକୁ ସମସ୍ତେ ଫୁଲ ବୋଲି ଚିହ୍ନିବେ, ସ୍ଵୀକୃତି ଦେବେ, ଶିରିପା ପିନ୍ଧାଇବେ, ଏହିପରି ଏକ ଯୁକ୍ତି ମଧ୍ୟ ଓଡ଼ିଶାରେ ଏବେ ଶୁଣିବାକୁ ମିଳିଲାଣି । ଯେଉଁମାନେ ଏସବୁ କରୁଛନ୍ତି, ସେମାନଙ୍କର ଉଚ୍ଚାକାଙ୍‌କ୍ଷା ସେମାନଙ୍କୁ ଅବଶ୍ୟ ସଫଳ କରାଉ, ସେମାନେ ଇପ୍ସିତ ମଞ୍ଚାଗୁଡ଼ିକ ଉପରେ ଅବଶ୍ୟ ଯାଇ ବସନ୍ତୁ ଓ ଇପ୍ସିତ ଆଦରଗୁଡ଼ିକୁ ଅବଶ୍ୟ ପାଆନ୍ତୁ ସତ, ମାତ୍ର ଏକଥା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ, ଏହି ବୃତ୍ତିଗୁଡ଼ିକ ଓଡ଼ିଶାରେ ଆମ ସାହିତ୍ୟ ଘରେ ଅଧିକରୁ ଅଧିକ ପରିମାଣରେ ଏକ ବିଟବୃତ୍ତିର ଭିଆଣ କରିବାରେ ଲାଗିଛନ୍ତି । ଏବଂ, ବିଟବୃତ୍ତି ପ୍ରବଳ ହେଲେ ଆମ ଘରଟିର ଆଉ ପ୍ରକୃତରେ କି ମହତ ରହିବ ? ଯେଉଁମାନେ ଏହି ଘରଟିକୁ ଏକାବେଳକେ ଗୋଟିଏ ଅତିସାନ ବୋଲି ମନେ କରୁଛନ୍ତି ଓ ଏଠାରେ ସେମାନଙ୍କୁ ମୋଟେ ଥାନ ଅଣ୍ଟୁନାହିଁ ବୋଲି ଛଟପଟ ହେଉଛନ୍ତି, ଏହିଠାରେ ହିଁ ଆପଣାର ଚେରଗୁଡ଼ିକୁ ଅନୁଭବ କରୁଥିବା ଏବଂ ସେହି ଅନୁଭବ ଦ୍ଵାରା ଆପଣାକୁ ଗୌରବାନ୍ୱିତ ମନେ କରୁଥିବା ଅନେକଙ୍କର ଦୁଃଖକୁ ସେମାନେ କାହୁଁ ବୁଝିବେ ? ସାହିତ୍ୟରେ ଓ ସାହିତ୍ୟାନୁବାଦରେ ପ୍ରୀତିର ସ୍ଵୀକୃତି ଯେ କ୍ଷମତାକାଙ୍‌କ୍ଷା ଠାରୁ ଅନେକ ଅଧିକ, ଇଚ୍ଛାରୋଗୀମାନଙ୍କୁ ସେକଥା କିଏ କିପରି ବୁଝାଇବ ?

 

ଓଡ଼ିଆ ସାହିତ୍ୟରେ ଅନୁବାଦର କ୍ଷେତ୍ର ଏବେ ମଧ୍ୟ ଅତୀବ ପ୍ରଶସ୍ତ ପଡ଼ିଛି, ଶ୍ରଦ୍ଧାଶୀଳ ଅନୁବାଦକମାନଙ୍କ ଲାଗି ସେହି କ୍ଷେତ୍ର ଅପେକ୍ଷା କରି ରହିଛି । ଯଥେଷ୍ଟ ଅନୁବାଦର ଅଭାବରୁ ହିଁ ସମ୍ଭବତଃ ଓଡ଼ିଆ ଭାଷାରେ ପାରିଭାଷିକ ଶବ୍ଦଗୁଡ଼ିକର ଭଣ୍ଡାର ଯଥେଷ୍ଟ ପରିମାଣରେ ଆଦୌ ସମୃଦ୍ଧ ହୋଇ ପାରୁନାହିଁ । ପୃଥିବୀର ଜ୍ଞାନ ଓ ବିଜ୍ଞାନର ବିଚରଣକ୍ଷେତ୍ରମାନ କେତେ କୁଆଡ଼କୁ ପ୍ରଲମ୍ବିତ ହୋଇ ଗଲାଣି, ବିଶ୍ୱସାହିତ୍ୟର ଏକ ବହୁପ୍ରସାରଯୁକ୍ତ ଐତିହ୍ୟ ଆଧୁନିକ ମନୁଷ୍ୟର ସମ୍ମୁଖରେ ପଡ଼ି ରହିଛି । ସେଗୁଡ଼ିକୁ ଆମ ନିଜ ଘରକୁ ଆମନ୍ତ୍ରିତ କରି ଆଣିବା ଲାଗି, ଏପରିକି ସେଗୁଡ଼ିକୁ ଆମ ସାହିତ୍ୟ ଏବଂ ଆମର ଭବିଷ୍ୟ ଲାଗି ଗୋଟିଏ ଗୋଟିଏ ଆହ୍ଵାନରୂପେ ଅନୁଭବ କରିପାରିବା ନିମନ୍ତେ ଓଡ଼ିଆ ଅନୁବାଦ ସାହିତ୍ୟର ଦ୍ଵାର ଓ ଗବାକ୍ଷମାନ ଆହୁରି ଅଧିକ ଉନ୍ମୋଚିତ ହୋଇ ପାରୁଥିବା ଆବଶ୍ୟକ । ସମଗ୍ର ବିଶ୍ଵର ଜ୍ଞାନ, ପ୍ରତିଭା ତଥା ପ୍ରୀତିକୁ ଆମେ ଆମ ଘରେ ପ୍ରେରଣାର ଆଧାରପୁଞ୍ଜି ରୂପେ ଗ୍ରହଣ କରିପାରିଲେ ତଦ୍ଵାରା ଏଠାରେ ଯେଉଁ ସାମର୍ଥ୍ୟ ସଚେତନତା ଏବଂ ସୃଜନାତ୍ମକ ସାହସ ଉନ୍ମେଷ ଲାଭ କରିବ, ଆମର ଦୃଷ୍ଟିକୁ ତାହା ବଳୀୟାନ୍‌ କରିବ, ଆମ ସାହିତ୍ୟକୁ ବଳିଷ୍ଠ କରିବ । ତା’ପରେ ଆମେ ଆଉ ଆମ ନ୍ୟୁନ ମନର ସରଞ୍ଜାମ ଗୁଡ଼ିକୁ ନେଇ ଆଗ ଇଂରାଜୀ ଆଡ଼େ ଦଉଡ଼ିଯାଇ ସେଇଆଡ଼ୁ ଛପା ବହିମାନଙ୍କୁ ଧରି ଉଗ୍ରତାରା ହୋଇ ଆମ ଭୁଇଁଟିରେ ଆସି ଏଡ଼େବଡ଼ ହୋଇ ଦିଶିବାକୁ ମୋଟେ ମନ କରିବା ନାହିଁ । ସେତେବେଳକୁ ଆମକୁ ସ୍ଵୀକାର କରି ଅନ୍ୟ ମାନେ ଆମ ଘରେ ଆସି ପହଞ୍ଚିବେ, ସେମାନେ ଓଡ଼ିଆ ସାହିତ୍ୟକୁ ନିଜ ଭାଷାମାନଙ୍କରେ ଅନୁବାଦ କରିବା ଲାଗି ଆପେ ଆକାଙ୍‌କ୍ଷୀ ହେବେ । ମାତ୍ର, ଆମକୁ ସେଥିଲାଗି ନିଜର ଭାଷାକୁ ଓ ନିଜର ଭୂମିକୁ ସତକୁ ସତ ଭଲ ପାଇବାକୁ ହେବ । ଯେଉଁମାନେ ଭୂଇଁକୁ ଛାଡ଼ି ଅନ୍ୟ ଅରଣ୍ୟମାନଙ୍କଠୁ ରଙ୍ଗପର ଗୋଟାଇ ଆଣି ସେଗୁଡ଼ିକୁ ମୁଣ୍ଡରେ ଖୋସି ଅଧିକ ଭଲ ହୋଇ ଦିଶିବାକୁ ଲୋଭ କରୁଛନ୍ତି, ସେମାନେ ହୁଏତ ଆପଣାକୁ ହିଁ ସବାଆଗ ଓ ସବୁଠାରୁ ଅଧିକ ଭଲ ପାଉଛନ୍ତି । ଆପଣା ସହିତ ରତିଲିପ୍ତ ହୋଇ ରହିବାର ସେମାନେ ଏଠାରେ ଗୋଟିଏ ଭୂମି ରହିଛି ବୋଲି ହୁଏତ ଭୁଲି ବି ଯାଉଛନ୍ତି । ସବାଆଗ ଆପଣାକୁ ଭଲ ପାଉଥିବା ମଣିଷ ସାହିତ୍ୟ ପାଇଁ ଖୁବ୍‌ବେଶୀ ଯୋଗ୍ୟ ହୋଇ ପାରେନାହିଁ, ଯାବତୀୟ ବିତ୍‌ବିସ୍ତାର ଓ ହୃଦ୍‌ବିସ୍ତାର ଲାଗି ସିଏ ମୋଟେ ସମ୍ମତ ହୋଇ ପାରେନାହିଁ ବୋଲି ପୃଥିବୀଯାକ କାବ୍ୟ ସମୀକ୍ଷକ ମାନେ ଯୁଗେ ଯୁଗେ କହି ଯାଇଛନ୍ତି ।

 

ତେଣୁ, ଓଡ଼ିଆ ଅନୁବାଦ-ସାହିତ୍ୟ ଅପେକ୍ଷାକୃତ ଅଳପ ଦିନର ଏକ ସାହିତ୍ୟିକ ବିଭାଗ ହୋଇଥିଲେ ମଧ୍ୟ ସାହିତ୍ୟର ସମଗ୍ର କ୍ଷେତ୍ରଟିରେ ତାହାର ଏକ ବିଶେଷ ଦାୟିତ୍ୱ ରହିଛି । ଓଡ଼ିଶାରେ ସାହିତ୍ୟ-ସୃଜନ ଏବଂ ସାହିତ୍ୟିକ ଚର୍ଚ୍ଚା ଲାଗି ଯୋଗ୍ୟତର ଭୂମିକାଟିଏ ତିଆରି କରିବାର ଉଦ୍ୟମକ୍ଷେତ୍ରରେ ଓଡ଼ିଆ ଅନୁବାଦ-ସାହିତ୍ୟର ସମ୍ମୁଖରେ ଅନେକ ପ୍ରତିଶ୍ରୁତି ଏବଂ ଫଳଶ୍ରୁତି ତା’ ଲାଗି ଅପେକ୍ଷା କରି ରହିଛି ।

 

***

 

ଯନ୍ତ୍ର

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ସେଦିନ ଏକ ଅଦ୍ଭୁତ ଘଟଣା ଘଟିଲା । ଗାଡ଼ିରେ ଥାଉ ଆମେ ପାଞ୍ଚଜଣ । ସେଥି ମଧ୍ୟରୁ ଜଣେ ଯୁବତୀ, ତିନୋଟି କନ୍ୟା ଯଥାକ୍ରମେ ବତିଶ, ବାର, ଦଶ ଓ ଏକ ବର୍ଷର ବୟଃକ୍ରମର ଚାରିଜଣ, ଯେଉଁମାନଙ୍କର ରକ୍ଷକ ହେବାର ଦାୟିତ୍ୱ ମୁଁ ହାତକୁ ନେଇଥିଲି ନିଜେ ନିଜେ । ଆମେ ସେଦିନ ସକାଳେ ବାହାରି ପଡ଼ିଥିଲୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ । ଦିନ ନ’ରେ ବାହାରି ହାରାହାରି ଅପରାହ୍ନ ଚାରିଟା ପାଞ୍ଚଟା ସୁଦ୍ଧା ଆମେ ଘରେ ପହଞ୍ଚିପାରିବୁ-ଏଇ ଲକ୍ଷ୍ୟରେ ଗାଡ଼ି ଚାଳକର ଦାୟିତ୍ୱ ତୁଲାଇ ଚାଲିଥାଏ ମୁଁ । ସେତେବେଳେ ମୁଁ ଥିଲି ଏକ କଞ୍ଚା ଅଭିଜ୍ଞତା ସର୍ବସ୍ଵ ଚାଳକ । ଗାଡ଼ିଟା ଅବଶ୍ୟ ଥିଲା ଅପେକ୍ଷାକୃତ ବେଶ୍‌ ନୂଆ । ଆକ୍‌ସିଲ୍‌ରେଟର୍‌ରେ ପାଦ ପଡ଼ିଲା ମାତ୍ରେ କେଉଁଠି ଥାଏ ଗତି ନାମଧାରୀ ସେ ଜିନିଷଟି କେଜାଣି ! ହଠାତ୍‌ ଆରମ୍ଭ ହୋଇଯାଏ ଗାଡ଼ିର ଗତି, ସେଇଠୁ ସହସା ଦ୍ରୁତରେ ଗତି । ଗାଡ଼ିଟା ପବନ ଭଳି ଉଡ଼ିବାକୁ ଆରମ୍ଭ କରିବା ମାତ୍ରେ ଇଞ୍ଜିନ୍‌ ଭିତରୁ ଶୁଣାଯାଏ ଏକ ମନୋରମ ନିଃସ୍ଵନ । ସତେକି ଇଞ୍ଜିନ୍‌ଟା ଗୀତ ଗାଇବା ଆରମ୍ଭ କରି ଦେଇଚି ।

 

‘‘ବାପା, ଗାଡ଼ିମାନେ କଣ ଗୀତ ଗାଆନ୍ତି ?’’ ଦଶବର୍ଷର କନ୍ୟାର କାନରେ ପ୍ରଥମେ ସେ ଅଦ୍ଭୁତ ସଙ୍ଗୀତଟା ଧରା ଦେଲା । ମୁହୂର୍ତ୍ତକ ପରେ ମୋର ସ୍ତ୍ରୀଙ୍କ ମୁହଁରୁ ଶୁଣାଗଲା, ‘ସ୍ପିଡ଼ୋମିଟରଟା ଠିକ୍‌ଚାଲୁଛି ତ ?’’ ମୁଁ ଚମକି ପଡ଼ିଲି । କାରଣ, ସ୍ପିଡ଼ୋମିଟରରେ ସେତେବେଳେ ଘଣ୍ଟାକୁ ନବେ କିଲୋମିଟରର ବେଗ ସୂଚିତ ହେବାର ଉପକ୍ରମ ପ୍ରକାଶ ପାଇ ସାରିଥାଏ । ମୁଁ ଚମକି ପଡ଼ିଲି ।

 

ଆକ୍‌ସିଲରେଟରରୁ ପାଦ ଉଠାଇ ନେଇ ମୁଁ ଇଞ୍ଜିନ୍‌ସାଉଣ୍ଡକୁ ଟିକେ ଭଲକରି କାନ ଦେଲି । ସେତିକିବେଳେ ମୋ ମନକୁ ଅହେତୁକ ଆଶଙ୍କା ଆଚ୍ଛନ୍ନ କରିପକାଇଲା । ମନକୁ ମନ ମୁଁ ପଚାରିଦେଲି, ‘‘ଇଞ୍ଜିନ୍‌ରେ କିଛି ଅସୁବିଧା ନାହିଁ ତ ?’’ ତତ୍‌କ୍ଷଣାତ୍‌ମନଟା ଶଙ୍କାକୁଳ ହୋଇ ଉଠିଲା । କଣ ଆଖିରେ ମୋ କଡ଼ପଟକୁ ବସିଥିବା ସ୍ତ୍ରୀଲୋକଟି ମୁହଁ ଉପରେ ଥରେ ଦୃଷ୍ଟିପାତ କରି ପଛସିଟ୍‌ରେ ବସି ଗାଡ଼ିର ବେଗକୁ ଉପଭୋଗ କରିବାକୁ ଆରମ୍ଭ କରିଥିବା ପିଲା ତିନୋଟିଙ୍କୁ ସ୍ଥିତିକୁ ମନ ଭିତରେ ତଉଲି ନେବା ଅବସ୍ଥାରେ ହଠାତ୍‌ ମୋ ଭିତରେ କିଏ ଯେମିତି କହି ଉଠିଲା, ‘‘ଦେଖ୍‌, ଏ ଚାରୋଟି ଜୀବନ, ତୋ ନିଜ ଜୀବନକୁ ଛାଡ଼ିବୁ ଯଦି ଛାଡ଼ିଦେ, ଚାରୋଟି ଜୀବନ ବର୍ତ୍ତମାନ ତୋ ହାତରେ, ତୋ ହାତମୁଠାରେ । ଏଇ ଜୀବନ ଚାରୋଟିକୁ ପାଣି ଫୋଟକା ଭଳି ଫୁଟାଇ ଦେବାକୁ ଯଦି ଇଚ୍ଛା କରୁଛୁ, ତେବେ ଏଇ ମାତ୍ର ସୁଯୋଗ-ଦବା ଆକ୍‌ସିଲରେଟର୍‌ ! ଦବେଇ ଚାଲ୍‌!’’

 

ମୁଁ ଚମକି ପଡ଼ିଲି । ମୋ ଦେହରୁ ଝାଳ ବୋହି ପଡ଼ିଲା । ଏ କ’ଣ ? ଏମିତି କ’ଣ ଭାବୁଚି ମୁଁ ! ଏ କ’ଣ ମୋ ନିଜ ଭାବନା ? ନିଜ ଚିନ୍ତା ? ଆଶ୍ଚର୍ଯ୍ୟ ହୋଇଗଲି ମୁଁ । ଏହାରି ପରେ ପରେ ଏକ ଗଭୀର ଅବିଶ୍ୱାସ ମତେ ବହୁ ମାତ୍ରାରେ ଆଚ୍ଛନ୍ନ କରି ପକାଇଲା । ମୁଁ ହୋସ୍‌ରେ ଅଛିତ ? ମତେ ଭୂତଗ୍ରାସ କରିନାହିଁ ତ ? ଆଜି କିଛି ଆକ୍‌ସିଡ଼େଣ୍ଟ ଦୁର୍ଯ୍ୟୋଗ ନାହିଁ ତ ?

 

ସେତେବେଳକୁ କାର୍‌ର ଗତି ଯଥେଷ୍ଟ ଧୀମେଇ ଆସିଥାଏ । ଟେନ୍‌ସା ଘାଟି ଅଞ୍ଚଳ ଭିତରେ ଗାଡ଼ି ପ୍ରବେଶ କରିସାରିଥାଏ । ସାମ୍ନାରେ ଗୋଟିଏ ‘ହେୟାର୍‌ପିଡ଼୍‌ବେଣ୍ଡ’ । ରାସ୍ତାଟା ମୁଣ୍ଡକଣ୍ଟା ଭଳି ବଙ୍କି ଯାଇଛି ଅଦୂରରେ । ଘାଟ୍‌ରୋଡ଼୍‌। ଆମ ଆଖି ପାଇବା ପର୍ଯ୍ୟନ୍ତ ରାସ୍ତାଟା ସମ୍ପୂର୍ଣ୍ଣ ଫାଙ୍କା । ରାସ୍ତା ଦୁଇପଟେ ବୁଦୁବୁଦିକିଆ ବଣ । ବସନ୍ତ ଋତୁର ଆରମ୍ଭ କାଳ । ଆମ୍ବ ଗଛରେ କଅଁଳ ନାଲିନାଲି ପତ୍ର ଭର୍ତ୍ତି ହୋଇ ଯାଇଥାଏ । ପବନରେ ଉଷ୍ମସ୍ପର୍ଶ । ଆଦିଗନ୍ତ ଅରଣ୍ୟ କାନ୍ତାର ଉପରେ ଏକ ପତଳା ନେଳୀରଙ୍ଗର କୁହୁଡ଼ି । ଆକାଶଟା ମଧ୍ୟ ସେଇଭଳି ନେଳୀ-ଇସ୍ପାତୀ ନେଳୀ । ମନେ ହେଉଥାଏ ଆକାଶଟା ବହୁତ ତଳକୁ ଖସିଆସି ପାହାଡ଼ର ପାଦତଳ ଇଲାକାରେ ଲୁଗା ଶୁଖିଲା ଭଳି କୌଣସି ଅଦୃଶ୍ୟ ତାରରୁ ଝୁଲିପଡ଼ିଥାଏ ଶୁଖୁଥାଏ । ଚତୁର୍ଦ୍ଦିଗ ଶାନ୍ତ ।

 

ହଠାତ୍‌ ଶୂନ୍ୟରୁ ବଜ୍ର ପଡ଼ିଲା ପରି ପ୍ରଥମେ ଶୁଣାଗଲା ଶବ୍ଦଟା । ତାରି ପରେ ପରେ ଝଡ଼ ଭଳି ଧୂଳିଧୂଆଁ-। ମୋର ସ୍ତ୍ରୀ ଏକ ଆର୍ତ୍ତ ଚିତ୍କାର କରି ଉଠିଲେ । ତାଙ୍କ ସହିତ ସ୍ଵର ମିଳେଇ ପଛ ସିଟ୍‌ରୁ ପିଲା ତିନୋଟି ମଧ୍ୟ କାନ୍ଦି ଉଠିଲେ । ରିଫ୍ଲେକ୍‌ସ ଆକ୍‌ସନ୍‌ବଶତଃ ବ୍ରେକ୍‌ ପେଡ଼ାଲ୍‌ଟିକୁ ଖୁବ୍‌ ଜୋର୍‌ରେ ଚାପି ଦେଲି ମୁଁ । କିନ୍ତୁ ସେତେବେଳକୁ ମୋ ଆଖି ଆପେ ଆପେ ବନ୍ଦ ହେଇ ସାରିଥାଏ-। ମୁଁ ଜାଣିନେଇଥାଏ ସେତେବେଳକୁ ଯେ ଆମେ ବୋଧହୁଏ ଆଉ ନାହୁଁ । ଆମେ ନିଶ୍ଚୟ ମେଞ୍ଚାଏ କାଦୁଅ ହେଇ ଭୂମିସାତ୍‌ ହୋଇ ଯାଇ ସାରିଚୁ ।

 

ତୋଫାନ୍‌ବେଗରେ ଟ୍ରକ୍‌ଟାଏ ଆମରି କଡ଼ପଟେ ବହି ଚାଲିଗଲା । ତାର ବଜ୍ର ଗର୍ଜନ ତୀକ୍ଷ୍‌ଣରୁ ତୀକ୍ଷ୍‌ଣତର ହେଇ ଆମ ସମସ୍ତଙ୍କ ହୃତ୍‌କମ୍ପନରେ ଲୀନ ହୋଇଗଲା ।

 

ଅର୍ଦ୍ଧଚୈତନ୍ୟର ଅନ୍ତରାଳରୁ ଏକ କ୍ଷୀଣ ଜୀବନ୍ତ ପ୍ରତିବାଦ ମୋ କାନରେ ବାଜିଲା । ତାହା ଥିଲା ଆମମାନଙ୍କ ଭିତରୁ କନିଷ୍ଠତମ ସେଇ ବର୍ଷିକିଆ ଶିଶୁଟିର ଏକ ଅବୋଧ୍ୟ ସ୍ଵର । ଟ୍ରକ୍‌ଟା ସେତେବେଳକୁ ଆମକୁ ପଛକରି ଧୂଳି ଧୂଆଁ ଅନ୍ତରାଳରେ ଅଦୃଶ୍ୟ ହୋଇଯାଇ ସାରିଥିଲା-

 

ଏହାପରେ କାର୍‌ଟିକୁ ଯେ ମୁଁ ଚଳାଉଥିଲି ବା କାର୍‌ ନିଜେ ନିଜେ ଚଳିବାକୁ ଆରମ୍ଭ କରିଦେଇଥିଲା, ସେ କଥା ଜାଣିବାକୁ ଶରୀର ବା ମନରେ ଶକ୍ତି ନ ଥିଲା ମୋର । ଗାଡ଼ି ଭିତରେ ଚୁପ୍‌ଚାପ୍‌। କନିଷ୍ଠତମ ଶିଶୁଟି ପ୍ରଥମେ ବିଚଳିତ ହୋଇ ଉଠିଥିଲେ ମଧ୍ୟ ମୁହୂର୍ତ୍ତକ ଭିତରେ ତା କଣ୍ଠସ୍ଵର ସ୍ତବ୍ଧ ହୋଇଯାଇଥିଲା । କାହାରି ମୁହଁରୁ ପଦଟିଏ ଉଁ କି ଚୁଁ ବାହାରିଲା ନାହିଁ । ବହୁତ ବେଳ ପର୍ଯ୍ୟନ୍ତ । ସେଇ ନିସ୍ତବ୍ଦତା ମୃତ୍ୟୁ ସଦୃଶ । ନିଶ୍ଚଳତାର ହଲପ୍‌ ତଳେ ସ୍ଥାଣୁ ପାଲଟିବା ଅବସ୍ଥାରେ ଗାଡ଼ି ଘାଟି ପାରିହୋଇଗଲା । ପହଞ୍ଚିଲା ସମତଳ ରାସ୍ତାରେ । ଆମ ସାମ୍ନାରେ ଆଉ ଦିଶୁନଥାନ୍ତି ସେଇ ଘୋର ବିପଜ୍ଜନକ, ମାରାତ୍ମକ ‘ହେୟାର୍‌ପିନ୍ ବେଣ୍ଡ’ ଗୁଡ଼ାକ । ପାର୍ବତ୍ୟ ରାସ୍ତାର ବିପଦ ଆଉ ଦିଶୁ ନ ଥିଲା ଆଖି ଆଗରେ । ଏଣିକି ପୁଣିଥରେ ଆଖିରେ ଆପେ ଆପେ ପଡ଼ିବାକୁ ଲାଗିଲା ରାସ୍ତାକଡ଼ର ସେଇ ନିତିଦିନିଆ ଦୃଶ୍ୟ । ଘୁସୁରୀଟିଏ ଧାଇଁଚି, ପଛେ ପଛେ ପଲେ ଛୁଆ । ମଇଁଷିଟିଏ ରାସ୍ତାକଡ଼-ପଙ୍କୁଆ ପାଣି ଭିତରେ ଉବୁଟୁବୁ ହେଇ ମୁଣ୍ଡ ଉପରକୁ କରି ପଡ଼ିରହିଚି । ସ୍ତ୍ରୀଲୋକ ଗୁଡ଼ିଏ ଅର୍ଦ୍ଧନଗ୍ନ ଅବସ୍ଥାରେ ମୁଣ୍ଡରେ କାଠଗୋଚ୍ଛା କାଖରେ ଛୁଆ ଗୋଟିଏ ଗୋଟିଏ ଧରି ରାସ୍ତା କଡ଼େ କଡ଼େ ଚାଲିଚନ୍ତି । ବସନ୍ତ ଋତୁର ଯତ୍‌କିଂଚିତ୍‌ ଯେଉଁସବୁ ଚିହ୍ନ ଆମ ଆଖି ନାକ କାନ ପ୍ରଭୃତି ଇନ୍ଦ୍ରିୟମାନଙ୍କୁ ମନୋରମ ଟେନ୍‌ସାଘାଟ୍‌ ରୋଡ଼୍‌ରେ ସ୍ଵାଗତ କରିବାକୁ ଆରମ୍ଭ କରିଥିଲା ସେସବୁର କୌଣସି ଚିହ୍ନ ବା ଲକ୍ଷଣ ଆଉ ଆମର ଇନ୍ଦ୍ରିୟଗ୍ରାହୀ ହୋଇ ପାରୁ ନଥିଲା । ରାସ୍ତାକଡ଼ରେ ଠାଏ ଠାଏ, ଏବେ ମଧ୍ୟ ପଲାସ ଗଛମାନଙ୍କରେ ଲାଲଲାଲ୍‌ ପଲାଶ ଫୁଲ ଭର୍ତ୍ତି ହେଇ ଯାଇଥିବାର ଦୃଶ୍ୟ ଆଖିକୁ ଆସୁଥାଏ; କିନ୍ତୁ ସେସବୁ ଦୃଶ୍ୟର କୌଣସି ଅର୍ଥ ଆଉ ନ ଥିଲା ଆମ ପାଖରେ । ଗାଡ଼ି ଭିତରେ ନିସ୍ତବ୍ଦରେ ପଡ଼ି ରହିଥିବା ଆମ ପାଞ୍ଚଜଣଙ୍କର ପାଞ୍ଚୋଟିଯାକ ଆତ୍ମା ସତେକି ଜଡ଼ ପାଲଟି ଯାଇ ସାରିଥାନ୍ତି କିମ୍ବା ଶରୀର ତ୍ୟାଗ କରି ଅନ୍ୟ କେଉଁଠିକି ଚାଲିଯାଇ ସାରିଥାନ୍ତି ।

 

ସେଇ ନିସ୍ତବ୍‌ଧତା ଭିତରୁ ଗୋଟିଏ କରୁଣ ସ୍ଵର ପ୍ରଥମ କରି ଆମକୁ ଉପସ୍ଥିତ ଅବସ୍ଥାକୁ ଘେନି ଆସିଲା । ତାହା ଥିଲା ମୋର ଜ୍ୟେଷ୍ଠ କନ୍ୟା ବାରବର୍ଷର ବାଳିକା ଅବତୀର୍ଣ୍ଣାର ସ୍ଵର ।

 

‘‘ବାପା ବାଣୀବିହାର ପାଖରେ, ନ୍ୟାସନାଲ୍‌ ହାଇଓ୍ୱେରେ ସେ ଯୋଉ ଦୁର୍ଘଟଣା-ମନେ ଅଛି ତୁମର ? ପ୍ରଫେସର ମିତ୍ରଙ୍କ ମୁଣ୍ଡ ଉପରେ ଗୋଟାଏ ପଥର ବୋଝେଇ ଟ୍ରକ୍‌ କେମିତି ଚଢ଼ିଗଲା ? ମୁଁ ନିଜେ ଦେଖିଛି ସେ ଘଟଣା । ଇସ୍‌ ! କି ଭୟଙ୍କର । ପ୍ରଫେସରଙ୍କର ମୁଣ୍ଡର ଦହିଗୁଡ଼ାକ ଛିଞ୍ଚାଡ଼ି ହେଇ ପଡ଼ିଥାଏ ରାସ୍ତା ଉପରେ । ବାପା ! ଏଭଳି ଦୁର୍ଘଟଣା କାହିଁକି ଘଟେ ବାପା ?’’ କଇଁ କଇଁ ହେଇ କାନ୍ଦି ଇଠିଲା ଅବତୀର୍ଣ୍ଣା । ମୁହଁକୁ ହାତରେ ଲୁଚେଇ ଦେଇ ସେ ତାପରେ ଥରିବାକୁ ଲାଗିଲା ।

 

ଅବତୀର୍ଣ୍ଣାର କାନ୍ଦ ମୁହୂର୍ତ୍ତକ ଭିତରେ ସଞ୍ଚରିଗଲା ଆଖ ପାଖକୁ । ପ୍ରଫେସର ମିତ୍ର ଆମ ପରିବାରର ଜଣେ ଘନିଷ୍ଠ ବନ୍ଧୁ ଥିଲେ ପିଲାମାନଙ୍କ ସାଙ୍ଗେ ସେ ଗେଲ ଖେଳନ୍ତି ଯେବେ ଆସନ୍ତି ଆମ ଘରକୁ । ମଝିଆଁ ଝିଅ ଆରାଧନା ତାଙ୍କ ସହିତ ବେଶ୍‌ ଗେଲ ଖେଳେ । ପ୍ରଫେସର ମିତ୍ର ୟୁନିଭର୍ସିଟିରେ ପୋଜିସନ୍‌ ରଖି ଗୋଲ୍‌ଡ଼ମେଡ଼ାଲ୍‌ ପାଇଥିଲେ ଗଣିତ ବିଦ୍ୟାରେ । ସେଇ ଗୋଲ୍‌ଡ଼ମେଡ଼ାଲଟିକୁ ପିଲାମାନଙ୍କ ହାତକୁ ଦେଇ ହସି ହସି ପଚାରନ୍ତି ସେ ପିଲାମାନଙ୍କୁ, ‘‘ଏ ସୁନା ମୋହର ସୁନା କୋଉ ସୁନାଖଣିରୁ ବାହାରିଥିବ କହିଲ ପିଲେ ?’’ ପିଲାମାନେ ମୋହରଟିକୁ ଦେଖିବା ପାଇଁ ଧରାପରା ହେଉଥିବା ବେଳେ ପ୍ରଫେସର ମିତ୍ର ମୁହଁ ବିକୃତ କରି ଉଚ୍ଚାରଣ କରନ୍ତି, ‘‘ଏ ସୁନା ବାହାରିଚି କାଲ୍‌ଗୁର୍‌ଲି ବା କୁଲ୍‌ଗାର୍‌ଲି ସୁନା ଖଣିରୁ ! ଜାଣିଚ ?’’

 

କାଲ୍‌ଗୁର୍‌ଲି, କୁଲ୍‌ଗାର୍‌ଲି ଶବ୍ଦ ଦୁଇଟା ଶିଶୁ ମହଲରେ ଏକ କଳରୋଳ ସୃଷ୍ଟିକରେ ହସର । ଆରାଧନା ଏଇ ଶବ୍ଦ ଦୁଇଟାକୁ ଖୁବ୍‌ ‘ଏନ୍‌ଜୟ’ କରେ । ପ୍ରଫେସର ମିତ୍ର ତା ପର ଥର ଆମ ଘରକୁ ଆସିଲା ବେଳେ ଆରାଧନା ତାଙ୍କୁ ପ୍ରଥମେ ସ୍ୱାଗତ କରିଥିଲା, ‘‘ଏଇ ଆସିଲେ ଡଃ କୁଲ୍‌ଗାର୍ଲି ନା ନା ଡଃ କାଲ୍‌ଗୁର୍ଲି !’’ ତାପରେ ଫାଟି ପଡ଼ିଲା ସେ ଆପଣା ହସରେ ଆପେ ।

 

ସେଇ ଦିନଠୁଁ ପ୍ରଫେସର ମିତ୍ର ଆମ ଘରେ ପରିଚିତ ହୋଇଥିଲେ ତାଙ୍କର ଡାକ ନାଁ ଦ୍ଵାରା-‘କୁଲ୍‌ଗାର୍ଲି ମଉସା’ ‘ବା କାଲ୍‌ଗୁର୍ଲି ଅଙ୍କଲ’ । କିନ୍ତୁ ଦିନେ ସେ କାଲ୍‌ଗୁର୍ଲି ଅଙ୍କଲଙ୍କ ମୁଣ୍ଡର ଦହିତକ ନ୍ୟାସନ୍ୟାଲ ହାଇଓ୍ୱେରେ ଛିଞ୍ଚାଡ଼ି ହୋଇ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ପାଇଥିଲେ ଆମ ଘରର ସମସ୍ତେ ।

 

ପ୍ରଫେସର ମିତ୍ରଙ୍କ ନାଁ ଅବତୀର୍ଣ୍ଣା ମୁହଁରୁ ଶୁଣାଯିବା ମାତ୍ରେ ଆରାଧନାର କାନ୍ଦ ଅନିୟନ୍ତ୍ରିତ ହୋଇ ପଡ଼ିଲା । ଗାଡ଼ି ଅଟକେଇବାକୁ ବାଧ୍ୟ ହେଲି ମୁଁ । ଗାଡ଼ିକୁ ରାସ୍ତାକଡ଼କୁ ରଖିଦେଇ ବାହାରି ଆସିଲି । ସ୍ତ୍ରୀ ତାଙ୍କର କୋଳର ପିଲାଟିକୁ ଅବତୀର୍ଣ୍ଣା ହାତକୁ ଦେଇ ଆରାଧନାକୁ ଆଉଁଷିବାକୁ ଲାଗିଲେ ଓ ପ୍ରବୋଧନା ଦେଇ ଚାଲିଲେ ।

 

ଷ୍ଟିଅରିଂ ପଛପଟୁ ବାହାରିଆସି, ମୁକ୍ତ ପବନରେ ଟିକିଏ ଠିଆ ହେଇ, ବାହ୍ୟ ପ୍ରକୃତିକୁ ଅଳ୍ପ ସମୟ ଅନ୍ୱେଷଣ କରିବା ମାତ୍ରେ ହଠାତ୍‌ ମୋ ଅନୁଭବକୁ ଆସିଲା ଏକ ବିଚିତ୍ର ସ୍ପର୍ଶ ! ସତେ କି କିଏ ମୋ ପାଖରେ ଠିଆ ହୋଇପଡ଼ି ମୋ କାନ୍ଧ ଉପରେ ହାତଟିଏ ରଖିଲେ । ଖାଲି ହାତ ନୁହେଁ, ଗୋଟାଏ ଉଷୁମ ନିଃଶ୍ୱାସ ମଧ୍ୟ ! ଚମକି ପଡ଼ିଲି । କଡ଼ପଟକୁ ମୁହଁ ବୁଲେଇ ବାରମ୍ବାର ନିଘାକଲି-କାହିଁ ? କିଏ କାହିଁ ? କିନ୍ତୁ ଏ କ’ଣ ? ମୋ କାନ୍ଧ ଉପରେ ନିଶ୍ଚୟ କେହି ରଖିଛି ତା ହାତ । କାନ ଉପରେ ବାଜୁଛି ନିଃଶ୍ୱାସ ! ଝାଡ଼ି ହୋଇ ପଡ଼ିଲି ଖୁବ୍‌ ଜୋର୍‌ରେ-ଶରୀର ଓ ମନରୁ ସେଇ ଅସ୍ଵାଭାବିକ ଅନୁଭୂତିଗୁଡ଼ିକୁ ଝାଡ଼ି ଫୋପାଡ଼ି ଦେବାକୁ । କିନ୍ତୁ ନା । ସେଇ ଅସ୍ଵାଭାବିକ ଉପସ୍ଥିତିଟା ମୋ ପାଖେପାଖେ କାନ୍ଧକୁ କାନ୍ଧମିଶାଇ ଠିଆ ହୋଇ ରହିଲା । ମୁଁ ଘୁଞ୍ଚିଲାମାତ୍ରେ ସେ ମଧ୍ୟ ଘୁଞ୍ଚିବାକୁ ଲାଗିଲା । ଇତସ୍ତତଃ ହୋଇ ପଡ଼ିଲି ମୁଁ ଅନେକ ବେଳ । ତା’ପରେ କ୍ରମଶଃ ସେ ବିଚିତ୍ର ଅନୁଭୂତିଟା କମିକମି ଆସିଲା । କିନ୍ତୁ ମୁଁ ସେତେବେଳକୁ ‘ମୁଁ’ ହେଇ ଆଉ ନ ଥିଲି ବୋଧହୁଏ ।

 

ଗାଡ଼ି ଭିତରେ ବସି ଷ୍ଟିଅରିଂ ପୁଣିଥରେ ହାତକୁ ନେବା ଭିତରେ ମୁଁ ଆରାଧନାକୁ ଲକ୍ଷ୍ୟ କରି ଦୁଇ ଚାରିଥର ଥଟ୍ଟା କରି କହିସାରିଥାଏ-‘‘କିରେ ? କାଲଗୁର୍ଲି ଅଙ୍କଲ୍‌ କେମିତି ମଲେ ଶୁଣିବୁ-?’’

 

ଗାଡ଼ି ପୁଣି ଥରେ ମଝି ରାସ୍ତାରେ ଗଡ଼ିବାକୁ ଲାଗିଲା । ଆକ୍‌ସିଲରେଟର୍‌ ଉପରେ ପୁଣିଥରେ ପାଦ ଚାପି ହେଇଗଲା । ସ୍ପିଡ଼୍ ସତୁରୀ ଟପିବାକୁ ଯାଉଥାଏ । ହଠାତ୍‌ ପାଖ ସିଟ୍‌ରୁ ନାରୀକଣ୍ଠର ପ୍ରତିବାଦ ଶୁଣିଲି, ‘‘ଏ କ’ଣ ? ଭୂତ ଲାଗିଲାଣି କି ?’’

 

‘‘ୟେସ୍‌!’’, ହସି ଉଠିଲି ମୁଁ ଗୋଟାଏ ପ୍ରକାରେ ଯୋଉଟା ପ୍ରକୃତରେ ମୋ ହସ ନୁହେଁ ବୋଲି ମୁଁ ବୁଝି ପାରୁଥାଏ ବେଶ୍‌, ମନର କେଉଁ ଅଂଶରେ କେଜାଣି !

 

ଅବତୀର୍ଣ୍ଣାର ଆସ୍ତେକିନା ତା ମା’ କାନ ପାଖେ କହିଲା, ‘‘ମା, ଏ ହସ ପ୍ରଫେସର ମିତ୍ରଙ୍କ ହସ ଭଳି ଶୁଭୁଚି-ନା ?’’

 

ଅବତୀର୍ଣ୍ଣାର ସନ୍ଦେହ ଅମୂଳକ ନ ଥିଲା । ମୋର ମଧ୍ୟ ସେଇ ସନ୍ଦେହ ହେଉଥାଏ । ମୁଁ ଆଉ ପ୍ରଫେସର ମିତ୍ରଙ୍କ ଭଳି ସ୍ଵର କରି ହସୁ ନାହିଁ ତ ?

 

ଏହାର ଏକ ପ୍ରମାଣ ନବା ପାଇଁ ମୋ ମନରେ ଉତ୍କଣ୍ଠା ଜାତ ହେବାରୁ ମୁଁ ମୋ ସ୍ତ୍ରୀଙ୍କୁ ଚାହିଁ ପଚାରିଲି,

 

‘‘ତମେ କ’ଣ ଭାବୁଚ ମୁଁ ସତରେ ମରି ଯାଇଚି ?’’

 

ସମସ୍ତେ ଚମକି ପଡ଼ିଲେ ଏକାବେଳକେ । ମୁଁ ବି । ନିଜ କାନକୁ ନିଜର ସ୍ଵର ଓ ଅସମ୍ଭବ ପ୍ରଶ୍ନ ବିଶ୍ଵାସଯୋଗ୍ୟ ହେଲା ନାହିଁ ଆଦୌ । ଆଶ୍ଚର୍ଯ୍ୟ ଲାଗିଲା ମତେ । ଏମିତି କଅଣ କହୁଚି ବା ଭାବୁଚି ମୁଁ ? ନିଜକୁ ଅନ୍ୟମାନଙ୍କ ପାଖେ ସ୍ୱାଭାବିକ ବୋଲି ପ୍ରମାଣ କରିବା ପାଇଁ ମୋର ପୁଣି ଇଚ୍ଛା ହେଲା-କଥାଟାକୁ ସ୍ପଷ୍ଟ କରିଦେବାକୁ । ମୋ ପାଟିରୁ ବାହାରିଗଲା-

 

‘‘ମନେକର ମୋ ମୁଣ୍ଡ ଉପରେ ଟ୍ରକ୍‌ ଚଢ଼ିଗଲା । ତା ମାନେ କ’ଣ ମୁଁ ମରିଗଲି ?’’

 

ଏଥର ଅନ୍ୟମାନଙ୍କ ସାଙ୍ଗେ ମୋର କନିଷ୍ଠା କନ୍ୟା, ବର୍ଷକର ପିଲା ସୁକନ୍ୟା ମଧ୍ୟ ବିସ୍ମିତ, ଆତଙ୍କିତ ହେଲା ଭଳି ଗୋଟାଏ ଚାହାଣୀ ମୋ ଆଡ଼କୁ ଉଞ୍ଚେଇ ଦେଇ ତା ମା ଦେହ ସହିତ ନିଜକୁ ମିଶେଇ ଦେଲା ।

 

ସେମାନଙ୍କ ମାନସିକ ଅବସ୍ଥା ମୋର ସ୍ଥିତିକୁ ଚାଲେଞ୍ଜ କରିବା ମୋ ପକ୍ଷେ ଟିକେ ଅସହ୍ୟ ହୋଇ ଉଠିଲା । ସେମାନଙ୍କୁ କିଭଳି ମୋ ଅନ୍ତରର କଥା ଗୁଡ଼ାକ କହି ବୁଝାଇଦେବି ଯେ ମୁଁ ବି ତାଙ୍କ ଭଳି ମୋ ନିଜକୁ ନିଜେ ସନ୍ଦେହ ଚକ୍ଷୁରେ ଦେଖୁଛି-ଭାବି ପାରିଲି ନାହିଁ ଆଦୌ । ତଥାପି ଚେଷ୍ଟା କଲି –

 

‘‘ଦେଖ ! କୁଲ୍‌ଗାର୍ଲି ଅଙ୍କଲକୁ ତମର ମାରିଲା ବାଲା ଖୁବ୍‌ କମ୍‌ ଅଛନ୍ତି ଏ ସଂସାରରେ । ଟ୍ରକ୍‌ତଳେ ମରିବା ଲୋକ ସେ ନୁହେଁ ଆଦୌ । ଅବଶ୍ୟ ସେ ଦାଢ଼ିଆ ମୋଟା ବୁଦ୍ଧିଆ ଡ୍ରାଇଭର୍‌ ହୋସ୍‌ରେ ନ ଥିଲା । ଏ ପୃଥିବୀର ଅଧିକାଂଶ ଗାଡ଼ି ଡ୍ରାଇଭର ହୋସ୍‌ରେ ନ ଥାନ୍ତି । ଜାଣ ?’’

 

‘‘ହେଇ ! ଏମିତି କଅଣ କଥା କହୁଚ ? ତମେ ହୋସ୍‌ରେ ନିଜେ ଅଛଟି,’’ ସ୍ତ୍ରୀ ଏଥର ନିଜ କର୍ତ୍ତୃତ୍ଵ ବିସ୍ତାର କରି ମତେ ସତର୍କ କରିଦେବାର ଏକ ସକ୍ରିୟ ପ୍ରୟାସ ଆରମ୍ଭ କରିଦେଲେ । କିନ୍ତୁ ସେ ସବୁ ପ୍ରତି ମୁଁ ଆଉ ଭ୍ରୂକ୍ଷେପ କରିବାକୁ ଇଚ୍ଛା କରି ନ ଥିଲି । ମତେ ବରଂ ହସ ଲାଗିଲା ସେଭଳି କଥା ଶୁଣି । ହସି ଦେଇ କହି ଉଠିଲି, ‘‘ମୁଁ ହୋସ୍‌ରେ ନାହିଁ ତ ଆଉ କିଏ ଅଛି ହୋସ୍‌ରେ-? ଦେଖି ପାରୁନ କିଭଳି ଗୋଟାକ ପରେ ଗୋଟାଏ ବୋଝେଇ ଟ୍ରକ୍‌କୁ ବାଟ କାଟି ପାରି କରି ନେଇ ଚାଲିଚି ମତେ ମୁଁ ? ସେ ଦିନ ବି ମୁଁ ହୋସ୍‌ରେ ଥିଲି । ମୋ ସ୍କୁଟର୍‌ ଉପରେ ମୋର ପୂରା କଣ୍ଟ୍ରୋଲ୍‌ ରହିଥାଏ ତଥାପି । କିନ୍ତୁ, ସେ ଦାଢ଼ିଆ ମୋଟା ବୁଦ୍ଧିଆ ଟ୍ରକ୍‌ ଡ୍ରାଇଭର୍‌ ସେ ଇଡିଅଟ୍‌ଟା ତା ଟ୍ରକ୍‌ ଇଞ୍ଜିନ୍‌କୁ ରକ୍ତମୁଖା କରିଦେଇଥିଲା !’’

 

‘‘ବାପା !’’ ଅବତୀର୍ଣ୍ଣା ମୋ ପିଠିକୁ ଆଉଁଷି ଦେଲା ଟିକିଏ ପଛପଟ ସିଟ୍‌ରୁ ।

 

‘‘ହଁ ମା-’’ ମୁଁ ଜବାବ ଦେଲି ହସଟାକୁ ଚାପିଲା ଭଳି ।

 

‘‘ଏମିତି କଅଣ କଥା କହୁଚ ?’’, ସେ ଗେହ୍ଲେଇ ହେଇ ପଚାରିଲା ।

 

‘‘କେମିତି ମା ?’’

 

ଏହାପରେ କେତେ ସମୟ କଟିଗଲା ଚୁପ୍‌ଚାପ୍‌ । ରାସ୍ତାକଡ଼ ରୋଡ଼୍‌ସାଇଡ଼୍‌ରୁ ଦେଖିଲି ସାମ୍ନାରେ ହମ୍ପ୍‌ । ମୁଁ ଗାଡ଼ି ସ୍ଲୋ କରି ଆଣିଲି । ହମ୍ପ୍‌ ପାରି ହେଇଗଲା ପରେ ଗାଡ଼ିର ସ୍ପିଡ଼୍‌ ପୁଣି ସ୍ଵାଭାବିକ ହୋଇ ଆସିଲା । ମୋ ମୁହଁରୁ ପୁଣି ଶୁଣାଗଲା ।

 

‘‘ପୂର୍ବେ ଠାକୁରାଣୀମାନେ, ଚଣ୍ଡୀ ଚାମଣ୍ଡାମାନେ ବଳୀ ଖାଉଥିଲେ । ପଶୁବଳୀ, ନରବଳୀ ବି । ସଭ୍ୟତା ବଢ଼ିଲାରୁ ଏସବୁକୁ କୁହାଗଲା ପାଶବିକ, ଅନାବଶ୍ୟକ, ମଧ୍ୟଯୁଗୀୟ । ନରବଳୀ ପଶୁବଳୀ ଉଠିଲା ତ ନାଇଁ, କମିଗଲା । କିନ୍ତୁ ଚଣ୍ଡୀ ଚାମୁଣ୍ଡାମାନେ ବଳୀ ନଖାଇଲେ କଅଣ ହେଲା-? ଯନ୍ତ୍ର ଯୁଗରେ ଯନ୍ତ୍ରମାନେ ରକ୍ତମୁଖା ହେଲେ । ବଳୀ ଚାହିଁଲେ । ରକ୍ତ ଚାହଁଲେ । ତାଙ୍କୁ ରକ୍ତ ଯୋଗାଇବା ପାଇଁ ପଣ୍ଡାପୂଜକ ମିଳିଗଲେ । ଟ୍ରକ୍‌ ଡ୍ରାଇଭର୍‌, ବସ୍‌ ଡ୍ରାଇଭର୍‌ ଟ୍ୟାକ୍‌ସି, ଟ୍ରାକ୍ଟର ଡ୍ରାଇଭର ହେଲେ ସେଇ ଲୋକ, ପଣ୍ଡା, ପୂଜକ ଯେ ବଳୀ ପକାନ୍ତି ପ୍ରତିଦିନ ଅସଂଖ୍ୟ ମଣିଷ ଅସଂଖ୍ୟ ପଶୁଙ୍କୁ ଯନ୍ତ୍ର ସାମ୍ନାରେ, ଗାଡ଼ି ଚକତଳେ । ସେଦିନ ସେ ଦାଢ଼ିଆ ଡ୍ରାଇଭର ସେଇଆ କଲା । ତା ଲେଲାଣ୍ଡ ଟ୍ରକ୍‌ ଇଞ୍ଜିନ୍‌କୁ ରକ୍ତମୁଖା କରି ବାଟଯାକ କହିକହି ଆସୁଥାଏ, ‘‘ରହ ! ଗୋଟିଏ ବଢ଼ିଆ ବଳୀ ଦେବି ତତେ ଆଜି ! ଏ ମୁଲିଆ ମଜଦୁର୍‌ଗୁଡ଼ାଙ୍କୁ ଖାଇଖାଇ ତୋ ପାଟି ପିତା ହେଇଗଲାଣି ଜାଣେ ମୁଁ । ତତେ ଆଜି ଗୋଟାଏ ଇସ୍କୁଲ ପିଲା ବଳୀ ଦେବି । ନାଇଁ ନାଇଁ କଲେଜ ପିଲା । ଯାହାଙ୍କ ମୁଣ୍ଡରେ ମିଠା ଦହି ଅଛି ସେମିତିକିଆ ବୁଦ୍ଧିଆ ମଣିଷଟାଏ ଦେବି ଆଜି ତତେ । ରହ । ଟିକିଏ ରହ । ଏପଟ ସେପଟ ହଁ ନା କନ କନ ହ’ ନା ଜମାରୁ !!’’

 

‘‘ହେଇ-ତମ ମୁଣ୍ତ ଖରାପ ହେଇଗଲାଣି କି ? ପିଲା ଗୁଡ଼ାକ ଡରୁଛନ୍ତି ପରା । ଜାଣି ପାରୁନ ? ଏମିତି କ’ଣ ବାରଚାଉଳିଆ ଗପୁଚ ?’’ କଡ଼ପଟୁ ପୁଣି ସେଇ ପ୍ରତିବାଦ ନାରୀ କଣ୍ଠର ।

 

ହସ ଲାଗିଲା ମତେ । ନାରୀମାନେ ମୃତ୍ୟୁକୁ ଭୟ କରିନ୍ତି, କିନ୍ତୁ ସେ ଭୟର କାରଣ ବ୍ୟାଖ୍ୟା କଲେ ନିର୍ଭର ନ ହୋଇ ଆହୁରି ଭୟଭୀତା ହୁଅନ୍ତି । କଥାରେ ଅଛି ଭୟ ସେଇ ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ଭୟ ପ୍ରତି ଭୟ ଥାଏ । କିନ୍ତୁ ଏ କ୍ଷେତ୍ରରେ ପରିଣାମଟା ଓଲଟା ହେଉଚି କେମିତି-?’’

 

‘‘ମୁଁ ଜଣେ ଗଣିତଜ୍ଞ-ଜାଣନ୍ତି ଆପଣ ମିସେସ୍ ମିଶ୍ର !’’ ବାହାରି ଗଲା ମୋ ପାଟିରୁ ।

 

ମିସେସ୍‌ ମିଶ୍ର, ମୋ ସହଧର୍ମିଣୀ, ‘ଅଙ୍କ୍‌’କିନା ଗୋଟିଏ ଶବ୍ଦ କଲେ । ସତେକି ମୋ କଥା ଶୁଣି ତାଙ୍କ ଅନ୍ତବୁଜୁଳା ଶୀତେଇ ଉଠିଲା । ତାଙ୍କର ସେଭଳି ଶାରୀରିକ ପ୍ରତିକ୍ରିୟାର କାରଣ ଅବଶ୍ୟ ମୋ ବୋଧଗମ୍ୟ ହେଉଥାଏ । ମୁଁ ଜ୍ୟୋତିଷ ମିଶ୍ର ପ୍ରକୃତରେ ଜଣେ ଗଣିତଜ୍ଞ ନୁହେଁ କି ବୈଜ୍ଞାନିକ ନୁହେଁ । ମୋ ପାଠ ହେଲା ସାହିତ୍ୟ । ଡଃ ମିତ୍ରଙ୍କ ସହିତ ମୋର ବନ୍ଧୁତା ସେଇ ସାହିତ୍ୟକୁ ନେଇ । ପ୍ରତି ଶନିବାର ସନ୍ଧ୍ୟାରେ ସାହିତ୍ୟକୁ ନେଇ ଆମର ଘମାଘୋଟ ଆଲୋଚନା ହୁଏ ଆମ ଘରେ । ପ୍ରଫେସର ମିତ୍ର ସେଇ କାରଣରୁ ଆସୁଥିଲେ ଆମ ଘରକୁ ଏତେ । ବର୍ତ୍ତମାନ ମୋ ମୁହଁରୁ ‘ମୁଁ ଗଣିତଜ୍ଞ’ ଶୁଣି ମିସେସ୍‌ ମିଶ୍ର ମୋ ସହଧର୍ମିଣୀ, ଆତଙ୍କିତ ହୋଇ ପଡ଼ିଛନ୍ତି-ଜାଣି ପାରୁଥାଏ ମୁଁ । କିନ୍ତୁ ମୁଁ ନାଚାର୍‌ । ଅବତୀର୍ଣ୍ଣାର ସେଇ ପ୍ରଶ୍ନଟା ‘‘ଏଭଳି ଦୁର୍ଘଟଣା ଘଟେ କାହିଁକି ବାପା ?’’ର ଉତ୍ତର ମତେ ଦେବାକୁଇ ପଡ଼ିବ, ଜାଣିଥିଲି ମୁଁ । ସେଇ ଉତ୍ତରଟା ନ ଦେବା ପର୍ଯ୍ୟନ୍ତ ମୁଁ ଆଉ ‘ମୁଁ’ ହୋଇ ରହିପାରିବି ନାହିଁ-ବୁଝିପାରୁଥଲି ଖୁବ୍‌।

 

ତେଣୁ ଠିକ୍‌ ଜଣେ ଗଣିତ ପ୍ରଫେସର କ୍ଲାସ୍‌ରୁମ୍‌ରେ ଏକ ଦୁର୍ବୋଧ୍ୟ ପ୍ରଶ୍ନର ଉତ୍ତର ବ୍ଲାକ୍‌ବୋର୍ଡ଼ରେ ଷ୍ଟେପ୍‌ ବାଇ ଷ୍ଟେପ୍‌ ଲେଖି ଗଲାପରି କହିବା ଆରମ୍ଭ କରିଦେଲି ମୁଁ,

 

‘‘ସେଦିନ ଆକ୍ସିଡ଼େଣ୍ଟର କାରଣ ଆପଣମାନେ କଅଣ କିପରି ଜାଣିଚନ୍ତି ଜାଣେନା ମୁଁ । କିନ୍ତୁ ମୋ ମୁଣ୍ଡଟା ଉପରେ ଟ୍ରକ୍‌ଚକ ଚଢ଼ିବାର ଅଭିଜ୍ଞତା ମୋ ଛଡ଼ା ଅନ୍ୟ କାହାରି ନାହିଁ ଏ କଥା ଜୋର୍‌ ଦେଇ କହିପାରିବି ନିଶ୍ଚୟ । ତେଣୁ ଶୁଣନ୍ତୁ ।’’ ଏହାପରେ ମୁଁ ଘଟଣାଟା ଏକ ଚାକ୍ଷୁଷ ବିବରଣୀ ପ୍ରଦାନ କରିବା ଆରମ୍ଭ କରିଦେଲି । ମୋର ଭାଷା, ବର୍ଣ୍ଣନାଶୈଳୀ ଅବିକଳ ତଥ୍ୟ ପ୍ରଦାନ ସମୟରେ ସ୍ଵରର ନାଟକୀୟତା ପ୍ରଥମେ ପ୍ରଥମେ ଅତିଶୟ ଭୟାର୍ତ୍ତ କରି ପକାଇଲା ମତେ ମିଶାଇ ଆମ ସମସ୍ତଙ୍କୁ । କିନ୍ତୁ ମୁଁ କହି ଚାଲିଲି,

 

‘‘ଟ୍ରକ୍‌ ଡ୍ରାଇଭର୍‌ଟା ପ୍ରାୟ ଶହେ ଫିଟ୍‌ ଦୂରରୁ ମତେ ପ୍ରଥମେ ଦେଖିଲା । ମୁଁ ସଚିବାଳୟ ମାର୍ଗରୁ ସ୍କୁଟର ଘୂରେଇଲି ଡାହାଣକୁ । ସେଠି ଗୋଟାଏ ଛକ-ନ୍ୟାସ୍‌ନ୍ୟାଲ୍‌ ହାଥଓ୍ୱେରେ । ମୋର ସ୍ପିଡ଼୍ ବହୁତ କମ୍‌ ଥାଏ । ଟ୍ରକ୍‌ଟା ଥାଏ ମୋର ବହୁତ ପଛରେ । ପ୍ରାୟ ଆଞ୍ଚଳକ ଗବେଷଣାଗାର ମୁଖ୍ୟ ଗେଟ୍‌ ପାଖାପାଖି । ସେତେବେଳେ ଏନ୍‌.ଏଚ୍‌, ଫାଇଭ୍‌ ଉପରେ ହମ୍ପ୍‌ ବା ସ୍ପିଡ଼୍ ବ୍ରେକର ତିଆରି କରାଯାଇ ନଥାଏ । ସେ ସବୁ ହେଲା ସେଇ ଦୁର୍ଘଟଣା ପରେ ପରେ । ଓ୍ୱେଲ୍‌-ସେ ମୋଟାବୁଦ୍ଧିଆ ଡ୍ରାଇଭର୍‌ ଯେ ତା ଜୀବନରେ ଅଙ୍କ ବହି ଖଣ୍ଡିଏ କେବେ ବି ଛୁଇଁ ନଥିଲା ହଠାତ୍‌ ମୋ ମୁଣ୍ଡଟାକୁ ଦୂରରୁ ଦେଖି ତା ପାଖରେ ବସିଥବା ହେଲ୍‌ପରକୁ ହସି ହସି କହିଲା, ‘‘ଓ ଶାଲେ ଲୋଗ୍‌ ଜରୁର୍‌ କୋଇ ମାଷ୍ଟର ହୋଗା-ପଢ଼ାତା ଜରୁର୍‌ ଓହି କଲେଜ୍‌ ମେ । ଶାଲେ ଲୋଗ୍‌ କେତ୍‌ନା ତନ୍‌ଖା ପାତେ ହୈ ମାଲୁମ୍‌ ତୁମ୍‌କୋ ? କାମ୍‌ତୋ କୁଛ୍‌ ନହିଁ-ଶିରଫ୍‌ ତନ୍‌ଖା ! ମୋଟା ତନ୍‌ଖା । ହରାମ୍‌-ଜାଦା ଶାଲା !’’ ହେଲ୍‌ପର ହସି ପକେଇଲା । କହିଲା, ‘‘ମଗଜ୍‌ମେ ବହୁତ ଦହି ଅଛି ଶଳାର’ । ଏହାରି ପରେ ପରେ ଟ୍ରକ୍‌ର ସ୍ପିଡ୍‌ ବଢ଼ିଗଲା । ଚାହୁଁ ଚାହୁଁ ଝଡ଼ ଭଳ ଗୋଟାଏ ଶବ୍ଦ ବାହାରିଲା ଇଂଜିନ୍‌ଭିତରୁ । ମୋ କାନରେ ସେ ଶବ୍ଦ ଜାଣିବା ମାତ୍ରେ ମୁଁ ସ୍ପିଡ଼୍ କମେଇ ଦେଲି ସ୍କୁଟରର । କଡ଼କୁ ମାଡ଼ି ଆସିଲି । କିନ୍ତୁ-

 

ଆରାଧନା, ମୋ ଦଶବର୍ଷର କନ୍ୟା, ଭେଁ କିନା କାନ୍ଦି ଉଠିଲା । ମୋ କାନ୍ଧକୁ ଦୁଇ ହାତରେ ପଛପଟୁ ଜାବୁଡ଼ି ଧରି ବାହୁନି ଉଠିଲା, ‘‘ଅଙ୍କଲ୍‌ . !’’

 

ମୋ ହାତ ଥରିଗଲା । ଷ୍ଟିଅରିଂଟାକୁ ଷ୍ଟେଡ଼ି କରିନେବା ମାତ୍ରେ ମୋ କାନ୍ଧଟା ବି ଉଶ୍ୱାସ ହେଇଗଲା । କିଏ ସତେକି ମୋ ଉପରେ ଏତେବେଳେ ଯାକେ ସବାର୍‌ ହେଇଯାଇଥିଲା । ହଠାତ୍‌ ଓହ୍ଲେଇଗଲା । ଗାଡ଼ି ସେତେବେଳକୁ କେନ୍ଦୁଝର ଧରି ସାରିଥାଏ । ଆମେ କିନ୍ତୁ କେନ୍ଦୁଝର୍‌ରେ ହଲ୍‌ଟ ନ କରି ସିଧା ମୁହେଁଇ ଚାଲିଲୁ ଘଟଗାଁ ପର୍ଯ୍ୟନ୍ତ । ଘଟଗାଁରେ ତାରିଣୀ ଠାକୁରାଣୀଙ୍କ ମନ୍ଦିର-। ଗାଡ଼ିରୁ ଓହ୍ଲେଇ ଆମେ ଠାକୁରାଣୀ ଦର୍ଶନ କଲୁ । ଏ ଠାକୁରାଣୀଙ୍କ ଉପରେ ଡ୍ରାଇଭର୍‌ମାନଙ୍କ ପୂର୍ଣ୍ଣ ବିଶ୍ଵାସ । କୁହାଯାଏ କଳିକତା, ବମ୍ବେ କି ଚଣ୍ଡିଗଡ଼ରେ ବି ଯଦି କେହି ଭକ୍ତ ଏ ଠାକୁରାଣୀଙ୍କ ପାଣି ଛଡ଼ାଯାଇଥବା ନଡ଼ିଆଟିଏ କୋଉ ଡ୍ରାଇଭର୍‌ ହାତରେ ପଠାଇ ଦେବ ସେ ନିଶ୍ଚେ ଆସି ପହଞ୍ଚଯିବ ଏଠି । ଡ୍ରାଇଭର୍‌ମାନଙ୍କର ଦେବୀ ଭକ୍ତିର ପଟାନ୍ତର ନାହିଁ । କିନ୍ତୁ, ରାସ୍ତା ଦୁର୍ଘଟଣାର ମଧ୍ୟ ପଟାନ୍ତର ନାହିଁ ଏ ଦେଶରେ ।

 

ଆମେ ଗାଡ଼ିକି ଫେରିଲୁ । ଆନନ୍ଦପୁର ଟପିଲା ପରେ ଆରମ୍ଭ ହୋଇଗଲା ଆଉ ଏକ କାଣ୍ଡ।

 

‘‘ବାପା ! ଏ ନାଲି ଆଲୁଅଟା ଜଳୁଚି ଯେ ।’’ ସେଇ ଆରାଧନା ଆଖିରେ ପ୍ରଥମେ ପଡ଼ିଲା କଥାଟା ।

 

ଚମକି ପଡ଼ିଲି ମୁଁ । ଦେଖିଲି ଇଗ୍‌ନିସନ୍‌ ଆଲୁଅ ଜଳୁଚି-ତୋଫା ଲାଲ୍‌ ! ତା ଅର୍ଥ ହୁଏତ ଡାଇନାମୋ ଚାର୍ଜ ଦେଉନାହିଁ କିମ୍ବା ଫ୍ୟାନ୍‌ ବେଲ୍‌ଟ କଟିଗଲା ।

 

ମୁଁ ଗାଡ଼ି ଅଟକେଇଲି । ବନେଟ୍‌ଖୋଲିଲି । ଦେଖଲି ଫ୍ୟାନ୍‌ବେଲ୍‌ଟ ଠିକ୍‌ ଅଛି । ତା ମାନେ ? ଡାଇନାମୋ ଗଲା ନିଶ୍ଚୟ । ଚାରିଆଡ଼କୁ ଚାହିଁଲି । ଅଜଣା ଅଞ୍ଚଳ । ଆଖି ପାଖରେ ଗ୍ୟାରେଜ୍‌ ନ ଥିବ ନିଶ୍ଚୟ । ଗାଡ଼ି ଅଟକିବା ଦେଖି ଅନେକ ଅଜଣା ଆଖି ଗାଡ଼ି ଭିତରକୁ ଉଙ୍କି ମାରିବା ଜାଣି ମୋ ଦେହ ଶୀତେଇ ଉଠିଲା । ଏ ଅପନ୍ତରା ଜାଗାରେ ପିଲାମାନଙ୍କୁ ନେଇ କରିବି କଣ ବା ମୁଁ । ବାଘଭାଲୁଙ୍କୁ ବିଶ୍ଵାସ କରିହେବ । ମଣିଷଙ୍କୁ ନୁହେଁ । ମୋ ଅନ୍ତର ଆର୍ତ୍ତାନାଦ କରି ଉଠିଲା ।

 

‘‘କଅଣ ହେଇଚି କି ?’’ ସ୍ତ୍ରୀ ପିଲାଙ୍କ ସମ୍ମିଳିତ ପ୍ରଶ୍ନରେ ମୋ ଚେତା ପଶିଲା ।

 

ହଠାତ୍‌ ମୋ ଭିତରୁ କିଏ ଯେମିତି ସେ ପ୍ରଶ୍ନର ଉତ୍ତର ଦେବାକୁ ଇଚ୍ଛାକଲା ଏଇଭଳି ଭାଷାରେ,

 

‘‘କିଛି ହେଇନି ତ ! ଚାଲ ! ସବୁ ଠିକ୍‌ଅଛି ।’’

 

ମୁଁ ବନେଟ୍‌ ବନ୍ଦ କଲି । ଷ୍ଟିଅରିଂ ପାଖକୁ ଫେରିଲି । ଇଗ୍‌ନିସନ୍‌ ସୁଇଚ୍‌ ଅନ୍‌ କଲି । ଷ୍ଟାଟ୍‌ ଦେଲି । ଇଂଜିନ୍‌ ରେସ୍‌ କରି ଦେଖିଲି । ଇଗ୍‌ନିସନ୍‌ର ଲାଲ୍‌ ଆଲୁଅ ଲିଭିଲା ନାହିଁ । ମୁଁ କ୍ଲଚ୍‌ ଚିପିଲି-। ଗିର୍‌ରେ ଗାଡ଼ିକୁ ଆଣି କ୍ଲଚ୍‌ ଛାଡ଼ିଲି । ଆକ୍‌ସିଲରେଟର୍‌ ଚାପିଲି । ଗାଡ଼ି ଗଡ଼ିଲା । ଗତି ବଢ଼େଇ ଦେଲି ଜାଣି ଜାଣି । କିନ୍ତୁ ଇଗ୍‌ନିସନ୍‌ ଲାଇଟ୍‌ ଲିଭିବାର ଉପକ୍ରମ ନ ଦେଖି ମୋର ଆଶଙ୍କା ବଢ଼ି ଉଠିଲା ଏହା ପରେ ଆରମ୍ଭ ହେବ ବ୍ୟାଟେରି ଡାଉନ୍‌ହେବା, ତାପରେ ?

 

ଗାଡ଼ିର ଗତି ସ୍ଵାଭାବିକ ହୋଇ ଆସିବା ମାତ୍ରେ ମୋ ମନ ଭିତରେ କିଏ ଯେମିତି ମତେ ପ୍ରଭାବିତ କଲାଭଳି କହିଲା, ‘‘ଇଂଜିନ୍‌ ଗୋଟାଏ ନିର୍ଜୀବ ଅଚେତନ ଜଡ଼ ପଦାର୍ଥ ନୁହେଁ-ପ୍ରାର୍ଥନା କରୁନୁ ତାକୁ !’’

 

ପ୍ରଥମେ କଥାଟା ଭାରି ଅପସନ୍ଦ ଲାଗିଲା କାନକୁ । ଏହାରି ପରେ ପରେ ମନକୁ ମନ ମୋ ଅନ୍ତରରେ ଏକ ପ୍ରକାର ପ୍ରାର୍ଥନାର ଭାଷା ରୂପ ପାଇଁ ଉଠିଲା ।

 

ପ୍ରଥମେ ପ୍ରଥମେ ପରୀକ୍ଷା କଲାପରି ପରେ ସ୍ଵତଃ ସେ ଭାଷା ଏହିପରି ରୂପ ଧାରଣ କଲା ।

 

‘‘ହେ ଦେବୀ, ତୁମେ ମୋର ପରିବାରର ଷଷ୍ଠତମ ସଭ୍ୟା । ଏ ଗାଡ଼ିରେ ଆମେ ପାଞ୍ଚଜଣ ନାହୁଁ ଅଛ ଛ’ଜଣ ତୁମକୁ ମିଶେଇ । ତୁମେ ମୁଖ୍ୟା । ତୁମେ ଆମକୁ ଧାରଣ କରିଚ । ମା ଯେଭଳି ସନ୍ତାନକୁ ଗର୍ଭରେ ଧାରଣ କରିଥାଏ, କୋଳରେ ଧାରଣ କରିଥାଏ, ତୁମେ ସେଇଭଳି ଆମକୁ ଧାରଣ କରିଚ । ମା ଯେପରି ସନ୍ତାନକୁ କୋଳରୁ ଫୋପାଡ଼ି ଦିଏ ନାହିଁ, ଯେତେ ବିପଦ ଆସିଲେ ବି ନିଜ ଜୀବନକୁ ବିପଦାପନ୍ନ କରି କୋଳର ସନ୍ତାନକୁ ସେ ରକ୍ଷାକରେ, ତୁମେ ଆମକୁ ସେହିପରି ରକ୍ଷା କରିବ ନିଶ୍ଚେ ଆମେ ଜାଣୁ । ହେ ଜନନୀ, ଆମମାନଙ୍କୁ, ଏଇ ନାରୀ ଓ ଶିଶୁମାନଙ୍କୁ ବର୍ଜନ କରି ଆପଣ ଆମକୁ, ’’ ଇତ୍ୟାଦି ଇତ୍ୟାଦି ।

 

ପ୍ରାୟ ପନ୍ଦର ମିନିଟ ପର୍ଯ୍ୟନ୍ତ ଗାଡ଼ିର ଇଂଜିନ୍‌ ସାଙ୍ଗରେ ମୋର ଏଇଭଳି କଥାବାର୍ତ୍ତା ଚାଲିବାର ଅବକାଶ ଭିତରେ ଇଗ୍‌ନିସ୍‌ନ୍‌ ଲାଇଟ୍‌ ପୂର୍ବପରି ନାଲି ଆଖି ଦେଖାଇ ମୋର ମୁହଁକୁ ଅନାଇ ରହିଥାଏ । ହଠାତ୍‌ କଅଣ ହେଲା କେଜାଣି- ।

 

‘‘ବାପା, ସେ ନାଲି ଆଲୁଅଟା ପୁଣି କ’ଣ ଲିଭିଗଲା !’’ ପୁଣି ଥରେ ଶୁଣାଗଲା ଆରାଧନାର ସ୍ଵର ।

 

ମୁଁ ଅବାକ୍‌ ହେଇ ଅନାଇ ରହିଲି । ଆଲୁଅଟା ସତରେ ତା ମନକୁ ମନ ଲିଭି ଯାଇଥିଲା ।

 

ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ରାତି ପ୍ରାୟ ନଅଟା । ଘର ସାମ୍ନାରେ ଗାଡ଼ି ରହିଲା । ପିଲାମାନେ ଓହ୍ଲେଇଗଲେ । ଗ୍ୟାରେଜ୍‌ କବାଟ ଖୋଲିଦେଲେ ପିଲାମାନେ ।

 

ମୁଁ ଗ୍ୟାରେଜ୍‌ ଭିତରକୁ ଗାଡ଼ି ପୂରେଇଦେଲି । ହେଡ୍‌ଲାଇଟ୍‌ ଜଳୁଥାଏ ତୋଫା ହେଇ । ବ୍ୟାଟେରି ଡାଉନ୍‌ ହେବାର କୌଣସି ଲକ୍ଷଣ ନାହିଁ ।

 

ହଠାତ୍‌ ଇଗ୍‌ନିସନ୍‌ ଲାଇଟ୍‌ ପୁଣି ଜଳି ଉଠିଲା । ଇଞ୍ଜନ୍‌ ବନ୍ଦ ହେଇ ନ ଥାଏ । ରେସ୍‌ କଲି ଇଞ୍ଜନ୍‌କୁ । ନାଲି ଆଲୁଅ ଆଉ ନ ଲିଭେ ।

 

ପରଦିନ ସକାଳକୁ ଇଞ୍ଜନ୍‌ ବନେଟ୍‌ ଖୋଲିଲି । ହଠାତ୍‌ ମୋ ଆଖରେ ପଡ଼ିଲା-ଫ୍ୟାନ୍‌ ବେଲ୍‌ଟ ନାହିଁ । ମାନେ ? କାବା ହେଇଗଲି । ଫ୍ୟାନ୍‌ ବେଲ୍‌ଟ୍‌ନ ଥାଇ ଗାଡ଼ି ଆନନ୍ଦପୁରରୁ କାଲି ରାତିରେ ଭୁବନେଶ୍ୱର ଆସିଗଲା ? ବିଶ୍ଵାସ ହେଲା ନାହିଁ । ତଳକୁ ନଇଁପଡ଼ି ଭଲକରି ତଦାରଖ କଲି । ଫ୍ୟାନ୍‌ବେଲ୍‌ଟଟି ସେଇଠି ତଳେ ଗଳି ପଡ଼ିଥିଲା । ଉଠାଇ ଆଣି ଦେଖିଲି-ସୂତା ଓ ରବର କୁତ୍‌କୁତା । ଆଶ୍ଚର୍ଯ୍ୟ ହେଲି ଏଭଳି ଅବସ୍ଥାରେ ହାରାହାରି ଶହେ କିଲୋମିଟର ଏ ଗାଡ଼ି ଆସିଲା କେମିତି ଏଠିକି । ମନେ ପଡ଼ିଲା-ବାଟଯାକର ପ୍ରାର୍ଥନା । ଇଂଜିନ୍‌କୁ ପ୍ରାର୍ଥନା ! ଯନ୍ତ୍ରକୁ ପ୍ରାର୍ଥନା ! ବସ୍ତୁକୁ ପ୍ରାର୍ଥନା । ଜଡ଼ ବସ୍ତୁକୁ ପ୍ରାର୍ଥନା ।

 

ଇଞ୍ଜିନ୍‌ଟା ତେବେ କଅଣ ଗୋଟାଏ ଜଡ଼ବସ୍ତୁ ନୁହେଁ । ଯନ୍ତ୍ରମାନେ ଜୀବୀତ । ସେମାନେ ପ୍ରାର୍ଥନା ଶୁଣନ୍ତି ? ସେମାନେ କଥା ଶୁଣନ୍ତି ? ସ୍ତମ୍ଭୀଭୂତ ହୋଇ ଠିଆ ହେଇ ରହିଲି ମୁଁ ଖୋଲା ବନେଟ୍‌ ତଳେ ଗାଡ଼ିର ଥଣ୍ଡା ଇଞ୍ଜିନ୍‌ଟାକୁ ଅନେଇ ଅନେଇ ।

 

ହଠାତ୍‌ ମତେ ଲାଗିଲା-ଇଞ୍ଜିନ୍‌ଟା ଇଞ୍ଜିନ୍‌ ନୁହେଁ; ଗୋଟାଏ ସଚେତନ ମନ, ଗୋଟାଏ କାହିଁକି ଅସଂଖ୍ୟ ସଚେତନ ମନର ସମ୍ମିଳିତ ପ୍ରକ୍ରିୟାରୁ ଉଦ୍‌ବର୍ତ୍ତି ଏକ ବିଚିତ୍ର ଅର୍ଗାନିଜିମ୍‌ । ଏଇ ଅର୍ଗାନିଜିମ୍‌ଟିକୁ ସୃଷ୍ଟି କରିବା ପାଇଁ ଶହଶହ ବର୍ଷ ଧରି କି ସାଧନା ସେସବୁ ଯେଉଁଥିରୁ ଜନ୍ମ ଏ । ହଜାର ହଜାର ସାଧକ ବୈଜ୍ଞାନିକର ମାନସସନ୍ତାନ ଏଇ ଇଞ୍ଜିନ୍‌ଟିକୁ ଚଳାଇବା ପାଇଁ ଅଧିକର ସତେ କ’ଣ ଦିଆଯାଇଛି ମତେ ? ମୁଁ ଏହାର ଚାଳକ ? ମୋ ଭଳି ଅଚେତନ ଜଡ଼ କ୍ଷୁଦ୍ରମନା ପଶୁ ଏହାର ଚାଳକ, ଏହାର ମାଲିକ ? ଏ ଯନ୍ତ୍ରର ଚାଳକ ହେବାର ଯୋଗ୍ୟତା ଅଛି ମୋର ?

 

***

 

ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା

ଶ୍ରୀ ଚନ୍ଦ୍ରଶେଖର ରଥ

 

ସାମ୍ପ୍ରତିକ ଶବ୍ଦଟି ଆପେକ୍ଷିକ ଅର୍ଥ ବହନ କରୁଥିବାରୁ ଅନ୍ତତଃ ପାଞ୍ଚବର୍ଷରୁ ଦଶବର୍ଷ ତା’ର ସମୟସୀମା ରୂପେ ଗ୍ରହଣ କଲେ ଆଲୋଚନାର ପରିସର ନିର୍ଦ୍ଦିଷ୍ଟ ହୋଇ ପାରିବ । ସାହିତ୍ୟିକ ବିକାଶଧାରାର କ୍ରମାନ୍ୱୟତା ଏବଂ ସମୟର ପ୍ରବହମାନତା ଦୃଷ୍ଟିରୁ କୌଣସି ଗୋଟିଏ ଯୁଗର ବିଚାର କଲାବେଳେ ତା’ର ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ କାଳ ଅନିବାର୍ଯ୍ୟ ଭାବରେ ତାହା ସହିତ ଗ୍ରଥିତ ହୋଇଯାଏ । ଏଣୁ ସାମ୍ପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା କୌଣସି ବିଚ୍ଛିନ୍ନ ଅସମ୍ପୃକ୍ତ ସମସ୍ୟା ରୂପେ ଗୃହୀତ କିମ୍ବା ଆଲୋଚିତ ହେବା ସମ୍ଭବ ନୁହେଁ । ସେଥିପାଇଁ ପ୍ରସଙ୍ଗକ୍ରମେ ସନ୍ନିହିତ ଅଞ୍ଚଳମାନଙ୍କରେ ପ୍ରୟୋଜନ ଅନୁସାରେ ପ୍ରବେଶ କରିଯିବା ସ୍ଵାଭାବିକ । ଏହି ପରିସର ଭିତରେ ଉପନ୍ୟାସ ବିଭାଗର ସାମ୍ପ୍ରତିକ ସମସ୍ୟା, ତା’ର ଲକ୍ଷଣ ଓ ବିସ୍ତାର ଏବଂ ସମାଧନାର ସମ୍ଭାବନା ଆଦି ବିଚାର କରିବା ଏ ନିବନ୍ଧର ଉଦ୍ଦେଶ୍ୟ ।

 

ସମଗ୍ର ବିଶ୍ୱ-ସାହିତ୍ୟରେ ଉପନ୍ୟାସ ବିଭାଗଟି ଅର୍ବାଚୀନ । ଓଡ଼ିଆ ସାହିତ୍ୟରେ ଏହାର ଇତିହାସ ଫକୀରମୋହନଙ୍କଠାରୁ କାଳିନ୍ଦୀଚରଣ, ଗୋପୀନାଥ, କାହ୍ନୁଚରଣ, ସୁରେନ୍ଦ୍ର ପର୍ଯ୍ୟନ୍ତ ମାତ୍ର ଶହେଟି ବର୍ଷ ଭିତରେ ସୀମିତ । ଏ ସ୍ଵଳ୍ପକାଳ ମଧ୍ୟରେ ଗୁଣାତ୍ମକ ଏବଂ ପରିମାଣାତ୍ମକ ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭାରତର ଅନ୍ୟ ଯେ କୌଣସି ସାହିତ୍ୟ ସହିତ ନିଃସଂକୋଚରେ ତୁଳନୀୟ । ଏହା ସହିତ ସମାନ୍ତର ଏବଂ ସମବ୍ୟାପ୍ତ ଧାରା ହେଉଛି କ୍ଷୁଦ୍ରଗୁଳ୍ପ । ଉପନ୍ୟାସ ତୁଳନାରେ ଗଳ୍ପ ଏବଂ ଗାଳ୍ପିକଙ୍କ ସଂଖ୍ୟା ଅନେକ ବେଶୀ । ଏ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରୟାସ, ସାଧନା ଓ ସିଦ୍ଧି ଏଇ କ୍ଷୁଦ୍ରଗଳ୍ପର ବିକାଶରେ ହିଁ ବିନିଯୁକ୍ତ ହୋଇଛି । ଗୋଟିଏ ମୂଳଶାଖାର ଦୁଇଟି ଉପଶାଖା ରୂପେ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ବଢ଼ି ଆସୁଥିଲା ବେଳେ କେବଳ ଗୋଟିଏ ଉପଶାଖାରେ ସମଗ୍ର ପ୍ରାଣରସ ନିଃଶେଷିତ ହୋଇ ଯାଉଥିବାରୁ ଅନ୍ୟ ଉପଶାଖାଟିଏ କ୍ଷୀଣ, ଅପରିପୁଷ୍ଟ ଏବଂ ମ୍ରିୟମାଣ ଦେଖାଯାଉଛି । ସେଥିପାଇଁ ସାହିତ୍ୟିକ, ପାଠକ, ଗବେଷକ ଏବଂ ସାହିତ୍ୟାନୁରାଗୀମାନଙ୍କ ମନରେ ଉପନ୍ୟାସ ସଂକ୍ରାନ୍ତରେ ଏକ ଆଶଙ୍କା ପ୍ରକାଶ ପାଇବା ସ୍ଵାଭାବିକ । ଏହା ଫଳରେ ଏ ସାମ୍ପ୍ରତିକ ସମସ୍ୟା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକୃଷ୍ଟ ହୋଇଛି ଏବଂ ତା’ର ଆଶୁ ସମାଧାନ ପାଇଁ ଆଗ୍ରହ ତଥା ଉଦ୍‌ବେଗ ଦେଖା ଦେଇଛି ।

 

ସାହିତ୍ୟର ଅନ୍ୟ ବିଭାଗ ତୁଳନାରେ ଉପନ୍ୟାସ ଲେଖିବା ନିଶ୍ଚୟ ଅଧିକ ଶ୍ରମ ଓ ସମୟ ସାପେକ୍ଷ । ଏକାଧିକ ଚରିତ୍ରଙ୍କୁ ନେଇ ବହୁବିଧ ପରିସ୍ଥିତି ଏବଂ ସଂଘର୍ଷ ଭିତରେ ଗୋଟିଏ ନୂତନ ଜଗତକୁ ବର୍ଷ ବର୍ଷ ଧରି ଜଠରରେ ଧାରଣ କରିବାକୁ ପଡ଼ିଥାଏ । ଉପନ୍ୟାସକାର ସେତେବେଳେ ଦୁଇଟି ଜଗତରେ ଅବସ୍ଥାନ କରିଥାଏ । ଗୋଟିକରେ ସେ ସୃଷ୍ଟି କରେ । ଅନ୍ୟଟିରେ ଜୀବନ ନିର୍ବାହ କରେ । ଗୋଟିଏ କ୍ଷୁଧା, ତୃଷ୍ଣା ସୁଖ ଦୁଃଖର ପ୍ରତ୍ୟକ୍ଷ ସ୍ଥୂଳ ଜଗତ, ଯେଉଁଠି ଲେଖକ ଏକ ସାମାଜିକ ପ୍ରାଣୀ; ଯେଉଁଠି ସେ ହୁଏତ ଅନୁଭବ ସଂଗ୍ରହ କରେ, ସୃଷ୍ଟି ପାଇଁ ଉପାଦାନ ସଂଗ୍ରହ କରେ । ଏଇଠି ସେ ଅନ୍ୟର ଇଚ୍ଛାଧୀନ । ପରିସ୍ଥିତିର ଦାସ । ଏଇଟା ତା’ର ଅବବୋଧର ଭୂମି । କିନ୍ତୁ ଅନ୍ୟ ଜଗତରେ ସେ ସ୍ୱୟଂ ସ୍ରଷ୍ଟା । ସେଇଟିରେ ସେ ଏ ଜଗତର ବିକଳ୍ପ ସୃଷ୍ଟି କରେ । ଏ ଜଗତର ଅସଂଖ୍ୟ ବ୍ୟକ୍ତିଛାୟା ସେଇଠି ସଂହତ, ମାର୍ଜିତ, ପୁନର୍ଗଠିତ ହୋଇ ଚରିତ୍ର ରୂପେ ଦେଖା ଦିଅନ୍ତି । ଚରିତ୍ରର ରୂପ ଗୁଣ, ଆଚରଣ, ଚିନ୍ତା, ଆବେଗ ସବୁ ସ୍ରଷ୍ଟାର ଆୟତ୍ତରେ । ଏ ଜଗତର ଅସଂଖ୍ୟ ଘଟଣା ସେଇଠି ବିଚିତ୍ର ସଂଯୋଜନାରେ ପରିସ୍ଥିତିରେ ପରିଣତ ହୁଅନ୍ତି । ସେ ଜଗତ୍‌ ତା’ର ସ୍ଵପ୍ନଭୂମି । ଉଭୟ ସ୍ଵପ୍ନ ଏବଂ ଅବବୋଧକ ସମପରିମାଣରେ ଧାରଣ କରି ସେ କିଛି କାଳ ବଞ୍ଚି ରହେ । ଏ ଯୁକ୍ତି ଅନ୍ୟାନ୍ୟ ସୃଜନଧର୍ମୀ ବିଭାଗ ପାଇଁ ପ୍ରଯୁଜ୍ୟ ହେଲେ ସୁଦ୍ଧା ଉପନ୍ୟାସ କ୍ଷେତ୍ରରେ ତାହା ଦୀର୍ଘତର ଏବଂ କଠିନତର । ପାଞ୍ଚ ଛଅମାସ ଠାରୁ ଆରମ୍ଭ କରି ସ୍ଥଳ ବିଶେଷରେ ଦଶବର୍ଷ ପର୍ଯ୍ୟନ୍ତ ଉପନ୍ୟାସକୁ ଧାରଣ କରିବାର ଦୃଷ୍ଟାନ୍ତ ରହିଛି । ଦୁଇଟି ଜଗତରେ ଦୁଇଟି ସ୍ଵତନ୍ତ୍ର ଭୂମିକା ନିର୍ବାହ କରୁଥିବା ଲେଖକ ଗୋଟିକରୁ ଅନ୍ୟଟିକୁ ସମ୍ପୂର୍ଣ୍ଣ ମୁକ୍ତ ରଖିପାରେ ନାହିଁ । ଫଳରେ ଉଭୟ ଜଗତରେ ପରସ୍ପରର ଛାୟାପାତ ହୁଏ । ଜୀବନର ସେହି ସମୟର ଅନୁଭବ ଉପନ୍ୟାସ ଭୂମିରେ ଅଧ୍ୟାରୋପିତ ହୁଏ ଏବଂ ସେଇ ପରିମାଣରେ ପରିକଳ୍ପିତ ଯୋଜନା ପ୍ରଭାବିତ ହୁଏ । ଉପନ୍ୟାସର ଚରିତ୍ର ଏବଂ ପରିସ୍ଥିତିରେ ଜଡ଼ିତ ରହି ଲେଖକ ନିଜର ପ୍ରତ୍ୟକ୍ଷ ଜୀବନରେ କିଛି ମାତ୍ରାରେ ବଦଳିଯାଏ; ତା’ର ଚିନ୍ତା ଏବଂ ଆଚରଣ ବଦଳି ଯାଏ । ଏହି କାରଣରୁ ହୁଏତ ସଂକଳ୍ପିତ ମୂଳ ଯୋଜନା ବିଚଳିତ ହୋଇଯାଏ ଏବଂ ଯାହା ଜନ୍ମ ନିଏ ତାହା ଏକ ଅପ୍ରତ୍ୟାଶିତ ରୂପାନ୍ତର । ବର୍ଷ ବର୍ଷ ଧରି ଏ ଅହରହ ସଂଘାତ ଏବଂ ପ୍ରଭାବରୁ ଉପନ୍ୟାସର ଭ୍ରୂଣକୁ ରକ୍ଷା କରିବା ଏକ କଠିନ ସାଧନା । ଗୋପୀନାଥ ସାମ୍ପ୍ରତିକ ଯୁଗର ସାଧନାରତ ଲେଖକଙ୍କ ସମ୍ପର୍କରେ ଟିପ୍‌ପଣୀ ଦେଲାବେଳ ଯଥାର୍ଥତଃ କ୍ଷୋଭ ପ୍ରକାଶ କରନ୍ତି ଯେ ସେମାନଙ୍କର ପ୍ରୟାସ ଏବଂ ନିଷ୍ଠାର ଅଭାବ ଥିବାରୁ ଆଜିକାଲି ବିଶେଷ ଉପନ୍ୟାସ ଲେଖାଯାଇ ପାରୁନାହିଁ । ୫୮ଟି ଦୀର୍ଘ ଉପନ୍ୟାସର ପ୍ରଣେତା କାହ୍ନୁଚରଣ ଅର୍ଦ୍ଧ ଶତାବ୍ଦୀବ୍ୟାପୀ ଏହି ପ୍ରଗାଢ଼ ସାଧନା ପାଇଁ ଆମର ନମସ୍ୟ । ଶତାଧିକ ଉପନ୍ୟାସ ରଚନା କରିଥିବା ଆଶାପୂର୍ଣ୍ଣା ଦେବୀ ଏକ ବିସ୍ମୟ । ଅଷ୍ଟାଦଶ ମହାପୁରାଣର ଯଦି ଜଣେ ମାତ୍ର କେହି ରଚୟିତା ଥିଲେ ସେ ଏକ ଅବିଶ୍ଵାସ୍ୟ ଅତିମାନବୀୟ ବ୍ୟତିକ୍ରମ ।

 

ଉପନ୍ୟାସର ପରିବ୍ୟାପ୍ତି ସହିତ ଜୀବନ-ବୋଧର ଗଭୀରତା ଏ ସାଧନାକୁ ଆହୁରି ଆୟାସସାଧ୍ୟ ଏବଂ ଧୈର୍ଯ୍ୟ ସାପେକ୍ଷ କରିଦିଏ । ଉପନ୍ୟାସର ଦୈର୍ଘ୍ୟ ଏବଂ ପ୍ରବହମାନତା ଭିତରେ ଜୀବନର ଏକ ବିସ୍ତୀର୍ଣ୍ଣଧାରା ରୂପାୟିତ ହୁଏ । ସେଥିରେ ଅନେକ ସ୍ଵୟଂସମ୍ପୂର୍ଣ୍ଣ ଉପାଖ୍ୟାନ ଏବଂ କିମ୍ବଦନ୍ତୀ ହୁଏତ ଗଳ୍ପ ଉପାଦାନ ରୂପେ ଜଡ଼ିତ ହୁଏ । ଖୁବ୍‌ଗହୀରରେ, ଅବଚେତନାର ଅନ୍ଧ ଗର୍ଭ ଭିତରେ ଅନୁସନ୍ଧାନ କରିବାର ଅବକାଶ ମିଳେ । ଅନେକ ଉଚ୍ଚରେ ଦର୍ଶନ ଏବଂ ଆଧ୍ୟାତ୍ମିକତାର ବିଚାର ପାଇଁ ସୁଯୋଗ ମିଳେ । ବାବଦୁକତା ପାଇଁ ଯେତେ, ନୀରବତା ପାଇଁ ମଧ୍ୟ ସେତେ ବିସ୍ତୃତ ପରିସର ମିଳେ । ଗୋଟିଏ ଉପନ୍ୟାସର ସମ୍ଭାବନା ଭିତରେ ଲେଖକ ବିଭିନ୍ନ ଚରିତ୍ର ମାଧ୍ୟମରେ ତା’ର ସମଗ୍ର ଜୀବନାନୁଭବର ବିପୁଳତାକୁ ସ୍ଥାନ ଦେଇପାରେ । ଜଳ, ସ୍ଥଳ, ଆକାଶ ଭେଦ କରି ଉଚ୍ଚନୀଚ ଭୂମି ପାରିହୋଇ ଜୀବନକୁ ପରିକ୍ରମଣ କରିପାରେ । ଅନୁଭବ ଏବଂ ବ୍ୟାପ୍ତିର ଏ ବିପୁଳତା ପାଇଁ ଉପନ୍ୟାସ ଏତେ ମହତ୍ଵପୂର୍ଣ୍ଣ । ଉପଯୁକ୍ତ ସ୍ରଷ୍ଟା ହାତରେ ଉପନ୍ୟାସ ହୋଇପାରେ ଜୀବନବେଦ, ଗୋଟାଏ ଯୁଗର ସାରସ୍ୱତ ପ୍ରତିଫଳନ । ଏଥିପାଇଁ ଉପନ୍ୟାସକାର କେବଳ ଧୈର୍ଯ୍ୟଶାଳୀ ଏବଂ ଆୟାସକ୍ଷମ ହେବ ତା’ ନୁହେଁ, ସେ ହେବ ବିପୁଳ, ଗଭୀର ଏବଂ ବିସ୍ତୃତ ଅନୁଭବର ଅଧିକାରୀ ।

 

କେତେକଙ୍କ ମତରେ ଆଧୁନିକ ଜୀବନର ବ୍ୟସ୍ତତା, ବ୍ୟଗ୍ରତା ଏବଂ ଉଦ୍‌ବିଗ୍ନତା ଏପରି ଏକନିଷ୍ଠ ସାଧନାର ଅନୁକୂଳ ନୁହେଁ । ଏଣୁ ଉପନ୍ୟାସ ରଚନା ଅପେକ୍ଷାକୃତ ବ୍ୟାହତ ହୋଇଛି । ଏହା ଯୁକ୍ତି ସଙ୍ଗତ ମନେ ହେଉଥିଲେ ସୁଦ୍ଧା, ପ୍ରମାଣିତ ସତ୍ୟ ନୁହେଁ । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ଏବଂ ପୃଥିବୀର ଅନ୍ୟାନ୍ୟ ଭାଷା ସାହିତ୍ୟରେ ଉପନ୍ୟାସର ସଂଖ୍ୟା ଏତେ ପରିମାଣରେ ହ୍ରାସ ପାଉ ନଥିବାରୁ ମନେ ହୁଏ ଯେ ଏହା ଏକ ପ୍ରାଦେଶିକ ସଙ୍କଟ । ଅବଶ୍ୟ ଶିକ୍ଷାର ଅଭୂତପୂର୍ବ ପ୍ରସାର ହେତୁରୁ ଆନ୍ତର୍ଜାତିକ ଭାଷା ମାନଙ୍କରେ ଅସଂଖ୍ୟ ଲେଖକ, ଅସଂଖ୍ୟ ନୂତନ ସମ୍ଭାବନା ନେଇ ଅହରହ ଏ କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ଯାହା ଓଡ଼ିଆ ଭଳି ଏକ ପ୍ରାନ୍ତୀୟ ଭାଷାରେ ସମ୍ଭବ ହେଉନାହିଁ । ଏଇଠି ଉପନ୍ୟାସକାରଙ୍କ ସଂଖ୍ୟା ମୁଷ୍ଟିମେୟ । ଏଣୁ ଉପନ୍ୟାସ ମଧ୍ୟ ତଦନୁପାତରେ ଅଳ୍ପସଂଖ୍ୟକ ହେବା ସ୍ଵାଭାବିକ । ଅବଶ୍ୟ କେବଳ ସଂଖ୍ୟା ହିଁ ବିକାଶର ମାନଦଣ୍ଡ ନୁହେଁ । ସେ ଦୃଷ୍ଟିରୁ ବରଂ ବିଗତ ତିନିବର୍ଷ ଭିତରେ ଓଡ଼ିଆ ଉପନ୍ୟାସର ସ୍ଥିତି ସେତେ ନିରୁତ୍ସାହଜନକ ନୁହେଁ । ଏକ ନିର୍ଭରଯୋଗ୍ୟ ପରିସଂଖ୍ୟାନ ଅନୁସାରେ ଉପନ୍ୟାସ ତାଲିକାରେ ୧୯୮୧ରେ ୬୪ଖଣ୍ଡ, ୧୯୮୨ରେ ୩୫ଖଣ୍ଡ ଏବଂ ୧୯୮୩ରେ ୬୩ଖଣ୍ଡ ପୁସ୍ତକର ଉଲ୍ଲେଖ ରହିଛି । କିନ୍ତୁ ସେଭଳି ସ୍ମରଣଯୋଗ୍ୟ ମାନନୀୟ ଉପନ୍ୟାସ ଭଳି ଉପନ୍ୟାସ କାହିଁ ? ଯେଉଁ କେତୋଟି ବିଶେଷ ପ୍ରଣିଧାନଯୋଗ୍ୟ ସେ ଗୁଡ଼ିକର ସଂଖ୍ୟା ବା କେତେ ?

 

ଏଭଳି ପ୍ରଶ୍ନର ଉତ୍ତର କୌଣସି ସାମାଜିକ, ବୌଦ୍ଧିକ କିମ୍ବା ନୈତିକ ପରିସ୍ଥିତିରେ ଖୋଜିଲେ ମିଳିବ ନାହିଁ । କାରଣ ଉଚ୍ଚମନାର କଳାକୃତି ପାଇଁ କୌଣସି କାର୍ଯ୍ୟ-କାରଣ ନିଷ୍ପତ୍ତି ନାହିଁ । ତାହା ଏକ ବିସ୍ମୟ । ଏକ ଅପ୍ରତ୍ୟାଶିତ ଆବିର୍ଭାବ । ସେଥିପାଇଁ ଏକ ପ୍ରସ୍ତୃତ ସ୍ରଷ୍ଟାମାନସ ହିଁ ମୂଳତଃ ଦାୟି । ଯୁଗାବତାରୀ ପୁରୁଷର ଆବିର୍ଭାବ ପାଇଁ ବନ୍ଦୀଗୃହ କାରଣ ନୁହେଁ । ଏପରିକି ଅସୀମ ଧୈର୍ଯ୍ୟ ଓ ତପସ୍ୟାରେ ଶାଣିତ ବସୁଦେବର ପିତୃତ୍ୱ ଏକ ଅବଲମ୍ବନ ହୋଇପାରେ; କିନ୍ତୁ କାରଣ ନୁହେଁ । ତାହା ହୋଇଥିଲେ ସେ ଏପରି ପରମ ବିସ୍ମୟରେ କହି ନଥାନ୍ତେ ‘‘ମୋର ଉଦରୁ ତୋର ଜାତ, ଲୋକେ ମଣିବେ କାହୁଁ ସତ’’-ଏଣୁ କୌଣସି ଯୁଗାନ୍ତକାରୀ ସୃଷ୍ଟି ପାଇଁ ଅପେକ୍ଷା କରିବାକୁ ହୁଏ; ଆସ୍ପୃହା କରିବାକୁ ହୁଏ । ଅପୂର୍ବ ସ୍ଵର୍ଣ୍ଣାଭ ପକ୍ଷୀ ପରି ତାହା ମହାଶୂନ୍ୟରୁ ଅବତରଣ କରିଆସେ । ନିଜେ ଅଧିକାରୀ ଓ ପର୍ୟ୍ୟାପ୍ତ ମାଧ୍ୟମକୁ କାମନା କରେ ଏବଂ ତାକୁ ଓ ସମଗ୍ର ଜଗତକୁ ଚମତ୍କୃତ, କୃତାର୍ଥ କରି ଆତ୍ମପ୍ରକାଶ କରେ । ତାହା ସବୁକାଳେ, ସବୁଭାଷାରେ ସାଧାରଣ ନିୟମର ବହିର୍ଭୂତ । ସବୁ ଲେଖକଠାରୁ ସବୁ ଯୁଗରେ ତାହା ଆଶା କରିବା ବୃଥା । ଯଦି ସେଭଳି ଲେଖା ସାମ୍ପ୍ରତିକ କାଳରେ ଆମେ ପାଇଲୁ ନାହିଁ ସେଥିପାଇଁ କ୍ଷୁର୍ଣ୍ଣ ହେବାର ସେପରି କୌଣସି ଯୁକ୍ତିସଂଗତ କାରଣ ନାହିଁ ।

 

କିନ୍ତୁ ପ୍ରତ୍ୟକ୍ଷ ଜୀବନକୁ ବହୁ ବିନ୍ଦୁରେ ସ୍ପର୍ଶ କରୁଥିବା ବହୁ ସ୍ତରରେ ପ୍ରତିଫଳିତ କରୁଥିବା ଉପନ୍ୟାସ ସାହିତ୍ୟରେ ଯଦି ଆମ ଜାତୀୟ ଜୀବନର ବିପୁଳ ଅଂଶ ବାଦ୍ ପଡ଼ିଯାଏ ଏ ଅଞ୍ଚଳର ବିବିଧ ବୈଚିତ୍ର୍ୟ ଏବଂ ବୈଶିଷ୍ଟ୍ୟକୁ ଯଦି ସ୍ୱୀକୃତି ନ ମିଳେ ଏବଂ ଗୋଟିଏ ଗତରେ ଗୋଟିଏ ଏକତାରା ସୁର୍‌ ବାଜୁଥାଏ ସେଥିପାଇଁ ନିଶ୍ଚୟ ଅସନ୍ତୋଷ ଏବଂ କେବଳ ଆଶଙ୍କା ପ୍ରକାଶ କରିବାର ଅବକାଶ ଅଛି । ଉଦାହରଣ ସ୍ୱରୂପ ମୂର୍ତ୍ତିକଳା ଏବଂ ସ୍ଥାପତ୍ୟର ମହିମାମୟ ଐତିହ୍ୟର ଅଧିକାରୀ ହୋଇ ସୁଦ୍ଧା ଏ ଗୌରବକୁ ଜୀବନ ଓ ସାହିତ୍ୟର ଅଂଶ ରୂପେ ଆମେ ଚେତନାରେ ଗ୍ରହଣ କରି ନ ଥିବାରୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତୀୟ ପୂର୍ଣ୍ଣାଙ୍ଗ ଉପନ୍ୟାସ ଲେଖା ଯାଇ ପାରିନାହିଁ । ଯଦି ଇଂଲଣ୍ଡର ଏଗ୍‌ଡନ୍‌ଗ୍ରନ୍ଥର ବିଶ୍ଵ ସାହିତ୍ୟରେ ଏକ ମାନନୀୟ ଚରିତ୍ରରୂପେ ସ୍ଥାନ ପାଇପାରେ, କୋଣାର୍କ ଏବଂ ସନ୍ନିହିତ ବାଲିଚର କ’ଣ ସେ ସମ୍ମାନ ପାଇଁ ଅଯୋଗ୍ୟ ? ମରୁଡ଼ି ଏବଂ ଦୁର୍ଭିକ୍ଷର ଚିତ୍ର ସାହିତ୍ୟକୁ କିଛି ମାତ୍ରାରେ ଆସିଛି ସତ, କିନ୍ତୁ ବନ୍ୟାକୁ କେନ୍ଦ୍ର କରି ସେପରି ଉଲ୍ଲେଖନୀୟ ଉପନ୍ୟାସ କାହଁ ? ଅଥଚ ପ୍ରାୟ ପ୍ରତିବର୍ଷ ବନ୍ୟା ଦୁର୍ବିପାକ ସହି ସହି ଆମେ ବିପର୍ଯ୍ୟସ୍ତ ! ମରୁଭୂମି ଉପରେ ‘ମରୁତୀର୍ଥ ହିଂଲାଜ୍‌' ଲେଖା ଯାଇପାରେ । ଶ୍ମଶାନ ଉପରେ ‘ଉଦ୍ଧାରନ୍‌ ପୁରେର୍‌ ଘାଟ’ ଲେଖାଯାଇପାରେ ଅଥଚ ସହରିଆ ଚାକିରିଆ ବାବୁଙ୍କ ପରି ଆମ ଉପନ୍ୟାସ ମଧ୍ୟ ଏଇ ପିଚୁରାସ୍ତା, ପାନଦୋକାନ, ପାର୍କ ଛାଡ଼ିବାକୁ ସତେ ବା ଅକ୍ଷମ । ସେଥିପାଇଁ ହୁଏତ ବେଳେବେଳେ ସନ୍ଦେହ ହୁଏ ଯେ, ଆମେ ଓଡ଼ିଶାକୁ ଦେଖିନାହୁଁ, ଏଣୁ ବୋଧହୁଏ ଲେଖିନାହୁଁ । ଯଦି ଗୋପୀନାଥ କୋରାପୁଟର ଗିରିଜନଙ୍କୁ ଶ୍ରଦ୍ଧା ଏବଂ ସମ୍ବେଦନାର ସହିତ ଗ୍ରହଣ କରି ନ ଥାନ୍ତେ ତେବେ ଉପନ୍ୟାସ କେବଳ ସହରି ଚକଡ଼ାଟିଏ ମାଡ଼ି ବସିଥାନ୍ତା କିମ୍ବା ଉପକୂଳ ଅଞ୍ଚଳର ଗାଁ ଗଣ୍ଡାକୁ ଆଦରି ନେଇ ସନ୍ତୁଷ୍ଟ ରହିଥାନ୍ତା । ଗୋପୀନାଥ ନୂତନ ଦିଗ୍‌ବଳୟ ଉନ୍ମୋଚନ କରିଛନ୍ତି ସତ, କିନ୍ତୁ ଆହୁରି ଅନେକ ବିସ୍ତୃତ ଭୂମି ଅନାବିଷ୍କୃତ ରହିଛି । ଓଡ଼ିଶାର ସମଗ୍ର ପଶ୍ଚିମାଞ୍ଚଳ ଏ ପର୍ଯ୍ୟନ୍ତ ଉପନ୍ୟାସ ସାହିତ୍ୟରେ ପ୍ରବେଶ କରିନାହିଁ । ସେଥିପାଇଁ ମନେ ହୁଏ ଯେ ଆମ ଉପନ୍ୟାସର ଉପାଦାନ ବିଭବ ସଂକୀର୍ଣ୍ଣ; ସେଥିରେ ପ୍ରତିଫଳିତ ଓଡ଼ିଶାର ଜନଜୀବନ ଆଂଶିକ । ଅବଶ୍ୟ ଏ ସମ୍ପର୍କରେ ଯୁକ୍ତି କରାଯାଇ ପାରେ ଯେ ସାହିତ୍ୟ କୌଣସି ସାମାଜିକ କିମ୍ବା ନୃତତ୍ତ୍ଵ ଭିତ୍ତିକ ଗବେଷଣା ନୁହେଁ । ସାହିତ୍ୟ ସାମ୍ବାଦିକତା ମଧ୍ୟ ନୁହେଁ । ସେଥିପାଇଁ ଉପନ୍ୟାସରେ କାହିଁକି ଓଡ଼ିଶାର ବିପୁଳ ଜନଜୀବନର ପୂର୍ଣ୍ଣାଙ୍ଗ ଚିତ୍ର ଆଶା କରାଯିବ ? କାଳଜୟୀ ସାହିତ୍ୟରେ ଚରିତ୍ରର ଏକଦେଶକାଳିକତା ନ ଥାଏ । ସେଥିରେ ମଣିଷର ମୌଳିକ, ସାର୍ବଜନୀନ ଚିରନ୍ତନ ସତ୍ୟ ଉଦ୍‌ଘାଟିତ ହୋଇଥାଏ । ଏଣୁ ସେ ‘ସରବୁ ସାଉତା’ ହେଉ କିମ୍ବା ‘ବରଜୁ ପ୍ରଧାନ’ ହେଉ ସେଥିରେ କୌଣସି ଆଞ୍ଚଳିକତାର ଗୁରୁତ୍ଵ ନାହିଁ । ସେମାନେ ସବୁ ମଣିଷ ଭିତରର ମଣିଷ । କିନ୍ତୁ ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ଏ ଚରିତ୍ରଗୁଡ଼ିକ ନିଜ ନିଜ ପରିବେଶରେ ଯେତେ ଜୀବନ୍ତ ଏବଂ ଜ୍ଵଳନ୍ତ, ସେଥରୁ ବିଚ୍ୟୁତ ହୋଇଗଲେ ସେତେ ଅବୋଧ୍ୟ ଏବଂ ଅଭାବନୀୟ । ସାମ୍ବାଦିକତା ଭିତ୍ତିରେ ଅନ୍ୟଦେଶମାନଙ୍କରେ ସାମ୍ପ୍ରତିକ ଉପନ୍ୟାସ ବହୁ ତଥ୍ୟ ସମ୍ବଳିତ ହୋଇ ପ୍ରକାଶିତ ହେଉଛି । ତଦ୍ଦ୍ୱାରା ତାର ବିଶ୍ଵସନୀୟତା ଏବଂ ପ୍ରଭାବଶାଳିତା ବୃଦ୍ଧି ପାଇଛି । ସେ ସମସ୍ତ ପାଇଁ ଗଭୀର ଅଧ୍ୟୟନ, ପ୍ରତ୍ୟକ୍ଷ ଅନୁସନ୍ଧାନ ଓ ଗବେଷଣାର ପ୍ରୟୋଜନ ରହିଛି । ସେଥିପାଇଁ ଲେଖକକୁ ମଧ୍ୟ ଅଶେଷ ଶ୍ରମ ସ୍ଵୀକାର କରିବାକୁ ପଡ଼ିଥାଏ । ଧରାଯାଉ ‘‘ଆଇଭାନ ଡେନିସୋଭିଚ୍‌ ଜୀବନରେ ଗୋଟିଏ ଦିନ’’ । ଅଗ୍ନିଶଳାକା ପରି କାହିଁକି ଏ ତୀବ୍ର ତୀକ୍ଷ୍‌ଣ ଉପନ୍ୟାସ ପାଠକ ମନରେ ଚିରଦିନ ପାଇଁ ରେଖାପାତ କରିପାରୁଛି ? ସେଥିରୁ ମହାନ୍‌ସ୍ରଷ୍ଟା ‘ସଲଝେନ୍‌ଷ୍ଟିନ୍‌’ଙ୍କ ସେଇ ବର୍ଣ୍ଣିତ ରାଜ୍ୟରେ ପ୍ରବେଶ ନ ଥିଲେ ତାହା ସେପରି ହୋଇପାରନ୍ତା କି ? ସାଇବେରିଆ ମାନବ ଆବାସ୍ୟ ନୁହେଁ । ଏଣୁ ତାକୁ ଏ ଦୃଷ୍ଟିରୁ ପରିହାର କରିଥିଲେ ମାନବତାର ଏ ଗଭୀର ଯନ୍ତ୍ରଣା କେମିତି ସାହିତ୍ୟକୁ ଆସି ପାରିଥାନ୍ତା ? ସୁଖବାସୀ, ସହରବାସୀ, ଚାକିରିଆ ଶିକ୍ଷିତ ବ୍ୟକିଟି ଲେଖକ ହେଲେ ଏତେ ବିପୁଳତା ସଂଗ୍ରହ କରିବ କେମିତି ? ସେ କେବଳ ମିଳୁଥିବା ସହଜ ଖୋପ ଭିତରେ ଇଟା ଭଳି ଉପନ୍ୟାସ ଗଢ଼ିବା ଛଡ଼ା ଆଉ କ’ଣ କରିପାରେ ? ପ୍ରୟାସ କେବଳ ମାନସିକ, ବୌଦ୍ଧିକ ଏବଂ କାଳ୍ପନିକ ନ ହୋଇ ଅନୁଭବ ଭିତ୍ତିକ ହେଲେ ସେଥିରେ ଅନେକ ନୂତନ ପ୍ରସ୍ତ ଉନ୍ମୋଚିତ ହେବାର ସମ୍ଭାବନା ରହିଛି । ବହୁ ସାହସିକ ପରୀକ୍ଷାର ଅବକାଶ ରହିଛି ଏବଂ ଗତାନୁଗତିକତା, ସ୍ଥବିରତାରୁ ମୁକ୍ତ ହୋଇ ନୂତନ ଦିଗ୍‌ବଳୟ ଉନ୍ମୋଚନ କରିବାର ଆହ୍ଵାନ ରହଛି ।

 

ବିଶ୍ଵ ଇତିହାସରେ ଅନେକ ଉପନ୍ୟାସକାର ଗାଳ୍ପିକର ସିଦ୍ଧି ମଧ୍ୟ ଅର୍ଜନ କରିଥିବାର ଦୃଷ୍ଟାନ୍ତ ଅଛି । ଓଡ଼ିଆ ସାହିତ୍ୟରେ ପ୍ରାୟ ପ୍ରତ୍ୟେକ ଔପନ୍ୟାସିକ ଜଣେ ଜଣେ ପ୍ରତିଷ୍ଠିତ ଗାଳ୍ପିକ । କିନ୍ତୁ ସବୁ ଗାଳ୍ପିକ ଉପନ୍ୟାସକାର ନୁହନ୍ତି । ହେବାର ମଧ୍ୟ ପ୍ରୟୋଜନ ନାହିଁ । ଗଳ୍ପ ଏକ ସ୍ଵତନ୍ତ୍ର କଳା । ସେଥିରେ ଅଶେଷ ସମ୍ଭାବନା ରହିଛି । ଅନେକ ଉଚ୍ଚମାନର ଗଳ୍ପ ମଧ୍ୟ ଲେଖା ଯାଇଛି । ତାର ଉପାଦାନ ଏବଂ ବିସ୍ତାର ସ୍ଵତନ୍ତ୍ର । କୌଣସି ସୁସଂବଦ୍ଧ ଗଳ୍ପକୁ ଆଉ ଗୋଟିଏ ପୃଷ୍ଠା ବଢ଼େଇବା କିମ୍ବା କମେଇଦେବା ସମ୍ଭବ ନୁହେଁ । ଏଣୁ ଗଳ୍ପଟି ସ୍ଫୀତ କରି ପାରିଲେ ତାହା ଉପନ୍ୟାସ ହୋଇଯିବାର ଆଶା ନାହିଁ । ଗଳ୍ପ ତାର ସୀମିତ ପରିସର ଭିତରେ ଯେତିକି ସାନ୍ଦ୍ର ଉପନ୍ୟାସ ତାର ବିପୁଳତାରେ ମଧ୍ୟ ସେତିକି ସାନ୍ଦ୍ର । ଉଭୟରେ ଶ୍ଳଥ-ବନ୍ଧନ ସମପରିମାଣରେ ଦୋଷାବହ । ତେବେ ବେଳେବେଳେ ମନେହୁଏ ଯେ ଗାଳ୍ପିକଟିଏ ଉପନ୍ୟାସର ସମ୍ଭାବନାକୁ ଏଡ଼େଇ ଯାଉଛି । ଯଦି ସେ କ୍ଷୁଦ୍ର ଗଳ୍ପକୁ ନିରୋଧ କରି ପାରନ୍ତା, ତା’ ଭିତରେ ଉପନ୍ୟାସର ରୂପ ହୁଏତ ଘନୀଭୂତ ହୋଇଯାନ୍ତା । ତା’ ଭିତରେ ହୁଏତ ସାମର୍ଥ୍ୟ ଅଛି, ଉପାଦାନ ଅଛି, ଅଥଚ ସେ ତାକୁ ସୁଯୋଗ ଦେଉନାହିଁ ବିନ୍ୟସ୍ତ ହେବାକୁ । ସେଥିପାଇଁ ହୁଏତ ଉପନ୍ୟାସ ଲେଖା ହୋଇ ପାରୁ ନାହିଁ । ଉଭୟ ଗଳ୍ପ ଏବଂ ଉପନ୍ୟାସ କ୍ଷେତ୍ରରେ ଯୁଗଳସିଦ୍ଧିର ଅଧିକାରୀ ଫକୀରମୋହନ, କାଳିନ୍ଦୀଚରଣ, ଗୋପୀନାଥ, ସୁରେନ୍ଦ୍ର, ମହାପାତ୍ର ନୀଳମଣି, ଶାନ୍ତନୁ, କୃଷ୍ଣପ୍ରସାଦ, ପ୍ରତିଭା ରାୟ ଓ ବିଭୂତି ପଟ୍ଟନାୟକ । କିନ୍ତୁ ଶୁଦ୍ଧ ଗାଳ୍ପିକ ଭାବେ ଯେଉଁମାନେ ସାହିତ୍ୟ ସାଧନା କରିଛନ୍ତି ସେମାନଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ, ଯଥା କିଶୋରୀ ଚରଣ, ମନୋଜ, ରାଜକିଶୋର ରାୟ, ବସନ୍ତ କୁମାର, ଅଖିଳ ମୋହନ, ବୀଣାପାଣି, ବାମାଚରଣ, ବିଭୂତି ତ୍ରିପାଠୀ, ରବି ପଟ୍ଟନାୟକ, ରାମଚନ୍ଦ୍ର ବେହେରା, ଜଗଦୀଶ ମହାନ୍ତି, ଅଚ୍ୟୁତାନନ୍ଦ ପତି, ଉମାଶଙ୍କର ମିଶ୍ର, ଦେବ୍ରାଜ ଲେଙ୍କା ଏବଂ ବହୁ ଶକ୍ତି ଓ ସମ୍ଭାବନାର ଅଧିକାରୀ ତରୁଣଙ୍କ ଭିତରେ ତରୁଣକାନ୍ତି ମିଶ୍ର, ଦାଶ ବେନହୁର ଓ ହୃଷୀକେଶ ପଣ୍ଡା । ବେଳେବେଳେ ମନେହୁଏ ବସନ୍ତକୁମାର ଶତପଥୀ, ସ୍ଵର୍ଗତ ବାମାଚରଣ, ରାମଚନ୍ଦ୍ର ବେହେରା, ଉମାଶଙ୍କର ମିଶ୍ର ଆଦି ଉପନ୍ୟାସ ଲେଖି ପାରିଥାନ୍ତେ । ଶୁଣାଯାଏ ଯେ ସତକୁ ସତ ଉମାଶଙ୍କର, ଦାଶ ବେନହୁର ଉପନ୍ୟାସ ଆରମ୍ଭ କଲେଣି । ହୃଷୀକେଶ ପଣ୍ଡା ଲେଖିଲେଣି, ଏବଂ ଦେବ୍ରାଜ ଲେଙ୍କା ଖ୍ୟାତି ଅର୍ଜନ କଲେଣି, ତଥାପି ଏ ବିଭାଗର ଦାରିଦ୍ର୍ୟ ମେଣ୍ଟୁନାହଁ ।

 

ସାହିତ୍ୟର ଏଭଳି ସଂକଟ ଜନକ ପରିସ୍ପିତିରେ ସର୍ବପ୍ରଥମେ ସମସ୍ତେ ସଜାଗ ଏବଂ ସତର୍କ ହେବା ବାଞ୍ଛନୀୟ । ଉପନ୍ୟାସ ପାଇଁ ଏକ ତୀବ୍ର ଅଭାବବୋଧ ଏବଂ ସେ ବିଷୟରେ ସବୁସ୍ତରରେ ସଚେତନତା ନ ଆସିବା ଯାଏ କିଛି ହୋଇ ପାରିବ ନାହିଁ । ଯେଉଁ ପର୍ଯ୍ୟନ୍ତ ଆମ ସାହିତ୍ୟର ଅଂଶ ହାନି ପାଇଁ ଆମେ ଚିନ୍ତାକୁଳ ନ ହୋଇଛୁ, ଉପନ୍ୟାସ ଲେଖିବା ପାଇଁ ଆବେଗ ସୃଷ୍ଟି ହେବ ନାହିଁ । ଲେଖକକୁଳ ସ୍ଵତଃପ୍ରବୃତ ହୋଇ ଉପନ୍ୟାସ ଲେଖିବାକୁ ଇଚ୍ଛା ନ କଲେ କେହି ତାଙ୍କୁ ସେଥିରେ ପ୍ରବର୍ତ୍ତାଇ ପାରିବ ନାହିଁ । ସୃଜନ କରିବାର ସଂକଳ୍ପ ହିଁ ପ୍ରତ୍ୟେକ ସୃଷ୍ଟିର ଆଦିବିନ୍ଦୁ-। ଏଣିକି ପ୍ରଥମେ କେତେଜଣ ସମର୍ଥ ଲେଖକ କଟିବନ୍ଧ ହୋଇ ଓଡ଼ିଆ ଭାଷାର ଏ ଅଭାବ ଦୂର କରିବାକୁ ଇଚ୍ଛା କରନ୍ତୁ, ଏ ନ୍ୟୂନତା ପାଇଁ ଲଜ୍ଜିତ ହୁଅନ୍ତୁ ଏବଂ ତୀବ୍ର ପ୍ରତିକ୍ରିୟାଶୀଳ ହୁଅନ୍ତୁ । ଦିଗନ୍ତ ଆଲୋଡ଼ିତ ହେଉ । ତା’ ହେଲେ ଉପନ୍ୟାସ ରଚିତ ହେବାର ଆବେଗ ସୃଷ୍ଟି ହେବ-

 

ସେଥିପାଇଁ କିଛି ଉଦ୍ଦୀପନ ଉପାଦାନ ମଧ୍ୟ ସାହିତ୍ୟକୁ ଆସିବାର ପ୍ରୟୋଜନ ରହିଛି । ଭାରତ ତଥା ପୃଥବୀର ବିଭିନ୍ନ ଭାଷାରେ ବହୁ କ୍ରାନ୍ତିକାରୀ ଉପନ୍ୟାସ ସୃଷ୍ଟି ହୋଇଯାଇଛି । ଆମ ସମସାମୟିକ ଜଗତରେ ଥାଇ ସେ ଦେଶର ଲୋକେ ପାହା ଦେଖୁଛନ୍ତି ଓ ଲେଖୁଛନ୍ତି ସେ ବିଷୟରେ ଓଡ଼ିଆ ପାଠକମାନେ ବିଶେଷ ଅବହିତ ନୁହନ୍ତି । ଏଣୁ ଭାଷାନ୍ତର ଦ୍ଵାରା କିଛି ପ୍ରସିଦ୍ଧ କୃତି ଓଡ଼ିଆ ଜଗତକୁ ଆଣିବା ବୋଧହୁଏ ଖୁବ୍‌ ସମୟୋପୋଯୋଗୀ ହେବ । ଏକଦା ଷୋଡ଼ଶ ଶତାବ୍ଦୀରେ ଶେଷ ଭାଗକୁ ଇଂରାଜୀ ସାହିତ୍ୟର ଅଭୂତପୂର୍ବ ପ୍ରସ୍ଫୁଟନ ପୂର୍ବରୁ ଏଭଳି ବ୍ୟାପକ ଅନୁବାଦ କାର୍ଯ୍ୟ କରାଯାଇଥିଲା । ଏବେ ମଧ୍ୟ ବଙ୍ଗଳା ଏବଂ ହିନ୍ଦୀରେ ସେ କାର୍ଯ୍ୟ ହେଉଛି । କିନ୍ତୁ ନ୍ୟାସ୍‌ନାଲ ବୁକ୍‌ଟ୍ରଷ୍ଟ କିମ୍ବା ଅକାଦେମୀମାନଙ୍କ ଜରିଆରେ ଯାହା କିଛି ଅନୁବାଦ ହେଉଛି ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ । ଚେତନା କ୍ଷେତ୍ରରେ ଗୋଟାଏ ବିପ୍ଲବ ଆଣିଲା ଭଳି ପ୍ରଭାବ ପଡ଼ୁନାହିଁ । ଚିନ୍ତା ହିଁ ଚିନ୍ତାର ଜନୟିତ୍ରୀ ନ୍ୟାୟରେ ଏ ନୂତନ ଭାବଧାରାର ସଂଘାତରେ ପ୍ରଚ୍ଛନ୍ନ ପ୍ରତିଭା ଜାଗ୍ରତ ହେବାର ସମ୍ଭାବନା ରହିଛି । କିନ୍ତୁ ଭାଷାନ୍ତରିତ ଉପନ୍ୟାସର ସଂଖ୍ୟା ସ୍ଵଳ୍ପ, ପରିସର ଓ ପ୍ରଭାବ ସୀମିତ । ଯଦି ସଂକଳ୍ପବଦ୍ଧ ହୋଇ ଶତାଧିକ ଉପନ୍ୟାସ ଅନ୍ୟଭାଷାରୁ ଅନୁବାଦ କରାଯାଇ ପାରନ୍ତା, ତାହା ମୌଳିକ ସୃଷ୍ଟି ପାଇଁ ଅନୁକୂଳ ସାହିତ୍ୟିକ ବାତାବରଣ ଏବଂ ପ୍ରେରଣା ଯୋଗାଇ ପାରନ୍ତା ବୋଲି ବିଶ୍ଵାସ ହେଉଛି ।

 

ସାହିତ୍ୟର ଅନ୍ୟାନ୍ୟ ବିଭାଗ ତୁଳନାରେ ଉପନ୍ୟାସ ପାଇଁ ପାଠକ ସଂଖ୍ୟା ସର୍ବାଧିକ ବୋଲି ପ୍ରକାଶକମାନଙ୍କର ମତ । ସେଥିପାଇଁ ଅନ୍ତତଃ ବ୍ୟବସାୟ ଦୃଷ୍ଟିରୁ ସେମାନେ ଉପନ୍ୟାସ ଛାପିବାକୁ ଖୁବ୍‌ ଆଗ୍ରହୀ ଥିବା ପରି ମଧ୍ୟ ମନେ ହୁଅନ୍ତି । କିନ୍ତୁ ବ୍ୟବସାୟର ପ୍ରସାର ପାଇଁ ସମୟୋପଯୋଗୀ କୌଣସି ଉନ୍ନତି ପଦ୍ଧତି ଗ୍ରହଣ କରିବାକୁ ସେମାନେ ଇଚ୍ଛୁକ ନୁହନ୍ତି । ଉପନ୍ୟାସଟିଏ ମାତ୍ର ହଜାରେ ଛପାଯିବ ଏବଂ ପାଞ୍ଚବର୍ଷ ପର୍ଯ୍ୟନ୍ତ ପ୍ରକାଶକଙ୍କ ବିପଣିରେ ସଜ୍ଜିତ ରହିଥିବ, ଏହା ଯେ କେଳବ ଏକ ଅଧମ ବ୍ୟବସାୟ ତା’ ନୁହେଁ ଏହା ସାହିତ୍ୟ ଓ ସାହିତ୍ୟକାର ପାଇଁ ଅପମାନଜନକ ଏବଂ ହାନିକାରକ । ପାଠକ ବହି ପାଖରେ ପହଞ୍ଚିବା ଅପେକ୍ଷା ବହି ପାଠକ ପାଖରେ ପହଞ୍ଚିବା ଆଧୁନିକ ପୁସ୍ତକ ବ୍ୟବସାୟର ନୀତି । ସେଥିପାଇଁ ବିଭିନ୍ନ ଉପାୟ ଏବଂ ପ୍ରୟାସ ରହିଛି । କିନ୍ତୁ ଓଡ଼ିଶାର ଦୁର୍ଭାଗ୍ୟ ଯେ ପ୍ରକାଶକମାନେ ମଧ୍ୟ ଭଲ ବିକାଶଶୀଳ ବ୍ୟବସାୟୀ ହେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ସରକାରୀ ଦାନ ଦାକ୍ଷିଣ୍ୟ। କ୍ରେତାଙ୍କ ଦୟା ଉପରେ ନିର୍ଭରଶୀଳ, ବ୍ୟବସାୟଜନିତ ଲାଭାଂଶ ପରିପୁଷ୍ଟ ପ୍ରକାଶକମାନେ ନିଶ୍ଚେଷ୍ଟ, ନିରୁତ୍ସାହୀ, ପଚାଶବର୍ଷ ତଳର ଦୃଷ୍ଟିଭଙ୍ଗୀ ପଦ୍ଧତି ଏବଂ ଉପାୟ ଗୁଡ଼ିକୁ ଜାବୁଡ଼ି ଧରିଛନ୍ତି । ଲେଖକ, ପାଠକ, ସମାଜ, ସରକାର ସମସ୍ତଙ୍କ ଉପରେ ଦୋଷାରୋପ କରି ଚାଲିଛନ୍ତି । ଅଥଚ ନିଜେ ଆଖି ବୁଜି ବସିଛନ୍ତି, ଦେଶ ବିଦେଶର ପ୍ରକାଶନ ଶିଳ୍ପ କାଣିଚାଏ ସୁଦ୍ଧା ଶିଖିବାକୁ ପ୍ରସ୍ତୁତ ନୁହନ୍ତି । ଏଥିପାଇଁ ଯେଉଁ ଜଳଧାର ମହାପ୍ରବାହ ସୃଷ୍ଟି କରିଥାନ୍ତା ତାକୁ ଚାରିଆଡ଼ୁ ଚାପିଧରି ଏକ ମ୍ରିୟମାଣ କ୍ଷୀଣ ସ୍ରୋତରେ ପରିଣତ କରି ଦିଆଯାଉଛି । ସଂକୀର୍ଣ୍ଣତା, କାର୍ପଣ୍ୟ, ଦୈନ୍ୟ, ଘାରି ରଖିଛି, ବ୍ୟବସାୟ ଓ ବ୍ୟବସାୟୀକୁ, ସାହିତ୍ୟ ଏବଂ ସାହିତ୍ୟିକକୁ । ସବୁଠି ଗୋଟାଏ ବେପରୁଆ ଢଙ୍ଗ ଦାୟିତ୍ୱ ବହନ ନ କରିବାକୁ କୁଣ୍ଠା ପରିସ୍ଫୃଟ ।

 

ଏହି ପରିପ୍ରେକ୍ଷୀରେ ଲେଖକ-ପାଠକ-ପ୍ରକାଶକ-ସମ୍ପର୍କଟି ନିଶ୍ଚିତ ରୂପେ ଗଭୀର ମନନଯୋଗ୍ୟ । ପାଠକ ହେଉଛି ଗ୍ରାହକ ଯାହା ପାଇଁ ଏ ସମସ୍ତ ପ୍ରୟାସ କରାଯାଇଥାଏ । ସୁପାଠକଟିଏ ଲେଖକକୁ କୃତାର୍ଥ କରେ ପ୍ରକାଶକକୁ ମଧ୍ୟ ବାଧିତ କରେ । ତାହାରି ଧନରେ ବ୍ୟବସାୟ, ତାହାରି ଗ୍ରହଣଶୀଳତାରେ ସାହିତ୍ୟ । କିନ୍ତୁ ସବୁଠାରୁ ଅଧିକ ବେଖାତିର ତାହାରି ପାଇଁ-। ଲେଖକ, ଭାବେ ସେ ସାରସ୍ଵତସାଧକ, ସେ ସ୍ରଷ୍ଟା । ସୃଷ୍ଟିର ଆନନ୍ଦ ପାଇଁ ସେ ଲେଖେ । ସ୍ଵାନ୍ତସୁଖାୟ । ଆଉ କିଏ ତାକୁ ପଢ଼ୁ ନପଢ଼ୁ ସେଥିପାଇଁ ସେ ଆଦୌ ଚିନ୍ତିତ ନୁହେଁ । ପ୍ରକାଶକ ଭାବେ ଯେ ପାଠକଟି ଗୋଟିଏ ଅଭାବୀ ମଣିଷ । ସେ ତା’ର ଗରଜ ପାଇଁ ଖୋଜି ଖୋଜି ଆସି ବହିଟିଏ କିଣି ନେବ । ନ ନେଲା ଯଦି ତା’ ଭଳି ଆଉ ଜଣେ ଆସି ନେଇଯିବ । ଏହା ଅପରିଣାମ ଦର୍ଶିତା । ଅନ୍ୟ ଭାଷାରେ ଏହାକୁ ଆତ୍ମଘାତୀ ନୀତି ମଧ୍ୟ କୁହାଯାଇପାରେ । ଲେଖକ-ପ୍ରକାଶକ ସମ୍ପର୍କ ମଧ୍ୟ ସେହିପରି ଦୋଷଦୁଷ୍ଟ । ଜଣେ ସ୍ରଷ୍ଟା ଏବଂ ଆଉ ଜଣେ ବ୍ୟବସାୟୀ। ବ୍ୟବସାୟୀ ପାଇଁ ଯଦି ଲେଖକକୁ କେବଳ ଉପଯୋଗୀ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ ଏବଂ ସହଯୋଗୀ ଅଂଶୀଦାର ରୂପେ ଗ୍ରହଣ କରା ନ ଯାଏ, ତେବେ ଗୋଟାଏ ସମୟରେ ଅବିଶ୍ୱାସ ଏବଂ ବିଦ୍ରୋହ ହେବା ଅବଶ୍ୟମ୍ଭାବୀ । ଫଳବନ୍ତ ଗଛ ଉପରକୁ ଫୋପଡ଼ ମାରି ତା’ର ଏଶ୍ଵର୍ଯ୍ୟ ଲୁଣ୍ଠନ କରି ନେଲା ଭଳି ବ୍ୟାପାରରେ । ଗଛ କିଛି କରି ପାରେ ନାହିଁ; କିନ୍ତୁ ମଣିଷଟିଏ ନିଶ୍ଚୟ ପ୍ରତିବାଦ କରିବ । ବସ୍ତୁଭଳି ଯଦି ଆଉ ଜଣେ ତାକୁ ବ୍ୟବହାର କରେ, ତେବେ ସେ ଘୋର ଅପମାନିତ ବୋଧ କରିବ ଏବଂ ବିଦ୍ରୋହ କରିବ । କେବଳ ଓଡ଼ିଶାରେ ନୁହେଁ ପୃଥିବୀରେ ପ୍ରାୟ ସର୍ବତ୍ର ଯେ କୌଣସି ବ୍ୟବସାୟରେ ବ୍ୟବସାୟୀ ହିଁ ଲାଭବାନ ହୁଏ । ଏଣୁ ପୁସ୍ତକ ବ୍ୟବସାୟରେ ପ୍ରକାଶକଟି ବ୍ୟବସାୟୀ ହୋଇଥିବାରୁ ନିଶ୍ଚୟ ଳାଭବାନ ହେବ । ଲେଖକକୁ ଯେତେ ସ୍ଵୀକୃତି ସମ୍ମାନ ମିଳିଲେ ସୁଦ୍ଧା ସେ ତତ୍ତୁଲ୍ୟ ଲାଭବାନ ହୋଇ ପାରିବ ନାହିଁ । ଅନେକ ବେଶରେ ସାହିତ୍ୟରେ ବ୍ୟବସାୟ ଖୁବ୍‌ଭଦ୍ର, ମାନନୀୟ ଏବଂ ଅର୍ଥକାରୀ ହୋଇପାରିଥିବା ସ୍ଥଳେ ଅନ୍ୟତ୍ର ଲେଖକମାନେ ସ୍ୱୟଂ ପ୍ରକାଶକ ହୋଇଛନ୍ତି କିମ୍ବା ସମବାୟ ସଂସ୍ଥା ଗଠନ କରି ଏ ବ୍ୟବସାୟକୁ ନିଜେ ଅଧିକାର କରିଛନ୍ତି । ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ବ୍ୟବସାୟ ସଂସ୍ଥା ରୂପେ କେରଳର ଲେଖକ ସମବାୟର ଦୃଷ୍ଟାନ୍ତ ନିଆଯାଇପାରେ । ଓଡ଼ିଶାରେ ମଧ୍ୟ କେତେକ ପ୍ରବୀଣ ଏବଂ ପାରଦର୍ଶୀ ଲେଖକ, ନିଜେ ନିଜର ପୁସ୍ତକ ପ୍ରକାଶ କରୁଥିବାର ନିଦର୍ଶନ ରହିଛି । କିନ୍ତୁ ଲେଖକଟିଏ ପରିସ୍ଥିତିର ଚାପରେ ଅଗତ୍ୟା ବ୍ୟବସାୟରେ ପ୍ରବେଶ କରିବା ଏକ ବିଡ଼ମ୍ବନା ନୁହେଁ କି ? ଯଦି ସେଭଳି ନିଷ୍ଠାପର, ଉଦ୍ୟମୀ ସଫଳ ଏବଂ ସଚ୍ଚୋଟ ପ୍ରକାଶକଟିଏ ତାକୁ ସହଯୋଗୀ ରୂପେ ଗ୍ରହଣ କରି ନିଅନ୍ତା, ସାହିତ୍ୟ ସାଧନା ତା ପାଇଁ ସମ୍ମାନଜନକ ଉପଜୀବ୍ୟ ହୋଇପାରନ୍ତା, ସେ ତା’ ସାଧନାରେ ଆହୁରି ଏକନିଷ୍ଠ ହେବାର ସମ୍ଭାବନା ଉଜ୍ଜଳ ହୁଅନ୍ତା ନାହିଁ କି ?

 

ଏଣୁ ସାମ୍ପ୍ରତିକ ଉପନ୍ୟାସର ସମସ୍ୟା ଅନ୍ୟାନ୍ୟ ବହୁ ବିଷୟ ସହିତ ଜଟିଳ ଭାବେ ଜଡ଼ିତ-। ସମଗ୍ର ଅଞ୍ଚଳଟିକୁ ସଜାଡ଼ିବାକୁ ହେଲେ, ସେଇଠି ଆମ ଅଯତ୍ନ ପାଇଁ ଯେଉଁ ଅବାଞ୍ଛିତ ଲତାଗୁଳ୍ମ ବଢ଼ିଯାଇ ତାକୁ ଦୁର୍ଗମ କରିଛନ୍ତି, ସେ ସବୁ ଉପାଡ଼ିବାକୁ ପଡ଼ିବ । ଲେଖା, ବ୍ୟବସାୟ ଏବଂ ସମ୍ପର୍କରେ ଅନେକ ମୁକ୍ତତା ଆଣିବାକୁ ହେବ । ଶଠତା, ଛଳନା, ଅବିଶ୍ୱାସ, ଦୂରକରି ଏକ ଭଦ୍ର, ମାନନୀୟ ଏବଂ ଅନୁକୂଳ ପରିବେଶ ସୃଷ୍ଟିକରିବାକୁ ହେବ । ସାମ୍ପ୍ରତିକ ଉପନ୍ୟାସ ରଚନାରେ ମନ୍ଥରତା, ପ୍ରାଣହୀନତା ଏକ ସାମୟିକ ଲକ୍ଷର । ଏ ଶତାବ୍ଦୀର ସମାପ୍ତି ପୂର୍ବରୁ ନିଶ୍ଚୟ ଉପନ୍ୟାସ ବିଭାଗରେ ଅପୂର୍ବ ଆବିର୍ଭାବ ଘଟିବ । ମହିମାନ୍ୱିତ ହେବ ଭାଷା ଓ ସାହିତ୍ୟ । ସେ ଗୌରବ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ଯୋଗ୍ୟତା ପାଇଁ ନିଷ୍ଠାପର ପ୍ରୟାସ କରିବା ଆମ ସମସ୍ତଙ୍କର ଅନିବାର୍ଯ୍ୟ ଦାୟିତ୍ୱ ବୋଲି ମନେ ହୁଏ ।

 

***

 

ନାରୀ ଜାତିର ସମ୍ମାନ ଓ ସ୍ଵାଧିକାର ରକ୍ଷା ଦିଗରେ ଲେଖକର କର୍ତ୍ତବ୍ୟ

ଡକ୍ଟର ରାଧାନାଥ ରଥ

 

ଯେ କୌଣସି ପରିବର୍ତ୍ତନଶୀଳ ସମାଜରେ ପରସ୍ପର ବିରୋଧୀ ଓ ସଂଘର୍ଷାତ୍ମକ ସମସ୍ୟା ବିଷୟରେ ଲେଖକ ଲେଖିବାକୁ ହେଲେ ତାକୁ ସେ ବିଷୟରେ ଗୋଟିଏ ବଳିଷ୍ଠ ଆଦର୍ଶଗତ ନୀତି ଗ୍ରହଣ କରିବାକୁ ହେବ । ସମାଜର ଅର୍ଥନୈତିକ ଓ ସାଂସ୍କୃତିକ ରୀତିନୀତି ଏବଂ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପାରସ୍ପରିକ ସମ୍ପର୍କ ସମ୍ବନ୍ଧୀୟ ସାମଗ୍ରିକ ପୃଷ୍ଠଭୂମି ବିଷୟରେ ତା’ର ଗଭୀର ଅନୁଧ୍ୟାନ ରହିବା ଦରକାର । ତେଣୁ ନାରୀର ସମ୍ମାନ ଓ ସ୍ୱାଧିକାର ନେଇ ଲେଖିବାକୁ ହେଲେ କି ପ୍ରକାର ଆଦର୍ଶଗତ ଦିଗନ୍ତ ତାଠାରେ ରହିଲେ ତାର ଲେଖନୀ ଶକ୍ତିଶାଳୀ ହୋଇ ପାରିବ ସେହି ଉଦ୍ଦେଶ୍ୟ ନେଇ ଏଠାରେ ତାତ୍ତ୍ଵିକ ବିଶ୍ଳେଷଣ କରାହୋଇଛି ।

 

ସମାଜରେ ଯେ କୌଣସି ବ୍ୟକ୍ତି ବା ଗୋଷ୍ଠୀ ଶ୍ରେଣୀ ବା ସମ୍ପ୍ରଦାୟର ଅର୍ଥନୈତିକ ସ୍ଥିତି ଯେତେ ବେଶୀ ଉଚ୍ଚରେ ସେ ସେତେ ବେଶୀ ସାମାଜିକ ସମ୍ମାନ ଓ ମର୍ଯ୍ୟାଦାର ଅଧିକାରୀ ହୋଇଥାଏ । ସମାଜର ନିମ୍ନ ଦେଶରେ ଥିବା ଲୋକଙ୍କର ଅଧିକାର ଆଇନାନୁବଦ୍ଧ ହୋଇଥିଲେ ସୁଦ୍ଧା ବହୁ ସମୟରେ ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରେ ନାହିଁ । ସେମାନଙ୍କ ଉପରେ ବେଆଇନ ଅତ୍ୟାଚାର ଓ ଜୁଲୁମ ହେଲେ ମଧ୍ୟ ସମାଜରେ ତାର ତୀବ୍ର ପ୍ରତିକ୍ରିୟା ଦେଖାଯାଏ ନାହିଁ-। ଏହା ସାଧାରଣତଃ ପୃଥିବୀର ସବୁ ସମାଜରେ ଦେଖାଯାଇଥାଏ । କିନ୍ତୁ ବିଂଶ ଶତାବ୍ଦୀ ଶେଷାର୍ଦ୍ଧରେ ଏ ପ୍ରକାର ସାମାଜିକ ଉଚ୍ଚ ନୀଚ ସମ୍ବନ୍ଧୀୟ ବାଛ ବିଚାର ନେଇ ସମଗ୍ର ପୃଥିବୀରେ ବହୁ ପ୍ରକାରର ଆନ୍ଦୋଳନ ଦେଖାଦେଇଛି । ଅର୍ଥନୈତିକ ଓ ସାମାଜିକ ପାର୍ଥକ୍ୟ ଉପରେ ପର୍ଯ୍ୟବସିତ ଆପେକ୍ଷିକ ବିଚାରଗତ କାର୍ଯ୍ୟକଳାପ ପରିବର୍ତ୍ତେ ଗୋଟିଏ ସାର୍ବଜନୀନ ମାନବୀୟ ଦୃଷ୍ଟିକୋଣର ପ୍ରବର୍ତ୍ତନ ପାଇଁ ନାନା ଭାବରେ ପୃଥିବୀର ସବୁଦେଶ, ସବୁ ସମାଜ ତଥା ସମ୍ପ୍ରଦାୟ ଭିତରେ ଜାଗରଣ ଦେଖାଦେଇଛି । ଅଧିକାଂଶ ସମାଜରେ ନିମ୍ନ ସ୍ତରରେ ଥିବା ନାରୀ ଜାତିର ସମ୍ମାନ ଓ ଅଧିକାରର ସୁରକ୍ଷା ଏହି ବହୁ ସମାଜରେ ଗୃହୀତ ହୋଇଯାଇଛି । ପ୍ରତ୍ୟେକ ମନୁଷ୍ୟର-ସେ ସ୍ତ୍ରୀ ହେଉ ବା ପୁରୁଷ ହେଉ-ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ସର୍ବବିଧ ବିକାଶଗତ କଲ୍ୟାଣ ସମାଜର ସମ୍ପୂର୍ଣ୍ଣ ଦାୟିତ୍ଵ ହିସାବରେ ଯେଉଁ ବଳିଷ୍ଠ ନୀତି ଗଢ଼ି ଉଠିଛି ତାହା ପୁଞ୍ଜପତି, ସାମ୍ୟବାଦୀ, ସାମନ୍ତବାଦୀ ଏବଂ ଧନୀ ତଥା ଉନ୍ନତଶୀଳ ଦେଶମାନଙ୍କରେ ମୋଟା ମୋଟି ଭାବରେ ଗୋଟିଏ ସର୍ବ ସମ୍ମତ ସମାଜ-ଦର୍ଶନ ହିସାବରେ ଗୃହୀତ ହୋଇଛି । ଏହି ପରିପ୍ରେକ୍ଷୀରେ ନାରୀ ସ୍ଵାଧୀନତା ଓ ତାର ସାମାଜିକ ସମ୍ମାନ କଥା ନୂତନ ଭାବରେ ଦେଖା ଦେଇଛି । ନାରୀ ହୋଇ ଜନ୍ମ ହେବା ଫଳରେ ପିଲାଦିନୁ ମୃତ୍ୟୁ ଯାଏ ଯେପରି ଅନାଦୃତ ହୋଇ ରହିଛି-ଅନେକ ସମୟରେ ଝିଅ ଭ୍ରୂଣକୁ ମଧ୍ୟ ନଷ୍ଟ କରି ଦିଆହେଉଛି । ଜନ୍ମପରେ ସେ ପୁଅଠାରୁ କମ୍‌ ଆଦର ଯତ୍ନ ପାଉଛି । ମନୁଷ୍ୟ ହିଁ ତାର ପରମ୍ପରା-ନାରୀ ବିବାହ ପୂର୍ବରୁ ବାପର, ବିବାହ ପରେ ସ୍ୱାମୀର ଏବଂ ସ୍ଵାମୀ ପରେ ପୁଅର ହେପାଜତ ଦ୍ରବ୍ୟ ବୋଲି ବିବେଚିତ ହୋଇ ଆସୁଅଛି । ଝିଅ ବୋଲି ଉପଯୁକ୍ତ ଶିକ୍ଷାଦାନରୁ ତାକୁ ବଞ୍ଚିତ କରାହେଉଛି-ଶେଷରେ ଯୌତୁକ ବୋଝ ଜନିତ ଅତ୍ୟାଚାରର ସେ ଶୀକାର ହେଉଛି-ତାହା ବହୁ ଦେଶରେ ଲୋପ ପାଇ ଆସିଲାଣି ଯଦିଚ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ନିଦାରୁଣ ପକ୍ଷପାତିତା ଚାଲି ଆସିଛି।

 

କିନ୍ତୁ ଗୋଟିଏ ସ୍ଵତଃସିଦ୍ଧ ଆଦର୍ଶ ଯେ ସହଜରେ ସର୍ବସାଧାରଣଙ୍କ ଦ୍ଵାରା ଦୈନନ୍ଦିନ ଆଚରଣ ବିଧିରେ ସହଜରେ ପରିଣତ ହୋଇଯିବ ତାହା ସମ୍ଭବ ନୁହେଁ । ଯୁଗଯୁଗ ଧରି ଯେଉଁ ଆଚାର ବିଚାର ଲୋକଙ୍କର ସାଂସ୍କୃତିକ ଚାଲିଚଳଣରେ ବିଶେଷ ଅଂଶ ରୂପେ ସ୍ଵୀକୃତି ପାଇ ଆସିଛି, ଯାହା ଯୁଗ ଯୁଗ ବ୍ୟାପୀ ସାମାଜିକ ନୀତି ନିୟମ ଓ ବ୍ୟାବହାରିକ ଅଭ୍ୟାସରେ ରୂପାନ୍ତରିତ ହୋଇଯାଇଛି ତାହାର ପରିବର୍ତ୍ତନ ବହୁ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ । ନାରୀ ଜାତିର ନିମ୍ନ ସାମାଜିକ ଓ ଅର୍ଥନୈତିକ ଅଧିକାର ନେଇ ଏହିପରି ଗୋଟିଏ ଅଭ୍ୟାସଗତ ଆଚରଣ ଆମ ଦେଶରେ କାହିଁକି ବହୁ ଦେଶରେ ବର୍ତ୍ତମାନ ସୁଦ୍ଧା ଚାଲି ଆସିଛି । ଏ କ୍ଷେତ୍ରରେ ବହୁ ପ୍ରକାରର କୁସଂସ୍କାର ଅଯୌକ୍ତିକ ବିଚାର, ଧର୍ମ ଓ ସଂସ୍କାରଗତ ନିର୍ଦ୍ଦେଶନା ଓ ପରମ୍ପରାଗତ ଅନୁଶାସନ ଆମର ଦୈନନ୍ଦିନ ଆଚରଣକୁ ନିୟନ୍ତ୍ରଣ କରି ଆସୁଛି, ତେଣୁ ବିଂଶ ଶତାବ୍ଦୀର ପ୍ରଗତିଶୀଳ ଦର୍ଶନ ଏ କ୍ଷେତ୍ରରେ ଆମକୁ ସହଜରେ ଅନୁପ୍ରାଣିତ କରିପାରୁନାହିଁ । ଆଦର୍ଶଗତ ପ୍ରେରଣା ଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ଆମର ବ୍ୟବହାର ବଦଳି ପାରୁନାହିଁ । ସାମାଜିକ ପରିସ୍ଥିତି ଓ ଭାରତୀୟ ଐତିହ୍ୟ ପ୍ରଭୃତିର ଆଳ ଦେଖାଇ ଆମେ ଭବିଷ୍ୟତକୁ ଅପେକ୍ଷା କରୁଛୁ । କାରଣ ବର୍ତ୍ତମାନ ଅବସ୍ଥାରେ ସମ୍ପୂର୍ଣ୍ଣ ନାରୀ ସ୍ଵାଧୀନତା ଫଳରେ ସମାଜରେ ଅରାଜକତା ବ୍ୟାପୀ ଯିବା କଥା ଆମେ କହୁଛୁ । ଅନେକ ନାରୀ ମଧ୍ୟ ଏ ପ୍ରକାର ଚିରାଚରିତ ମନୋବୁତ୍ତିକୁ ଦୃଢ଼ ମାନକ ହୋଇ ଠିଆ ହେଉଛନ୍ତି-ସେମାନେ ନାରୀ ହୋଇ ମଧ୍ୟ ନାରୀ ଜାତିର ଅକଥନୀୟ ଯନ୍ତ୍ରଣା ଲାଗି ଦାୟୀ ହେଉଛନ୍ତି । ଏପରି ପରିସ୍ଥିତିରେ ଆଦର୍ଶବାଦୀ ଲେଖକଙ୍କର ଅଗ୍ରଧର୍ଷୀ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଚିତ ।

 

ଭାରତରେ ବିଭିନ୍ନ ସମୟରେ ଯେ ବହୁ ବିଦୁଷୀ ଶାସ୍ତ୍ର-ନିପୁଣା, ରାଜନୀତିରେ ସିଦ୍ଧହସ୍ତା ନାରୀ ଦେଖା ଦେଇ ନାହାନ୍ତି ତା’ ନୁହେଁ, କିନ୍ତୁ ସେମାନଙ୍କର ସଂଖ୍ୟା ଏତେ ଅଳ୍ପ ଯେ ଆଜି ପର୍ଯ୍ୟନ୍ତ ଭାରତ କେବଳ ପୁରୁଷ ପ୍ରାଧାନ ସାମାଜିକ ଓ ଅର୍ଥନୈତିକ ପରମ୍ପରା ସୃଷ୍ଟି କରି ଆସିଛି ଯେଉଁ ଆଦର୍ଶ ସ୍ଥାନୀୟା ସର୍ବଜନ-ନମସ୍ୟା ନାରୀମାନଙ୍କର ନାମ ଆମ ସମାଜରେ ପ୍ରସିଦ୍ଧ, ସେମାନେ ବହୁତ ଶକ୍ତିଶାଳିନୀ ହୋଇଥିଲେ ସୁଦ୍ଧା କେବଳ ନାରୀ ହୋଇଥବାରୁ ପୁରୁଷମାନଙ୍କଠାରୁ ବହୁ ନିର୍ଯ୍ୟାତନା ଭୋଗ କରିଛନ୍ତି ଏବଂ ସେ ସମୟର ସମାଜ ତାଙ୍କୁ ଧର୍ମଗତ ଅନୁମୋଦନ ଦେଇ ଆସିଛି । ସୀତା ମା’ ବସୁନ୍ଧରାଙ୍କ କନ୍ୟା ହୋଇ ସୁଦ୍ଧା ତାଙ୍କର କଥାରେ ବିଶ୍ଵାସ ନ କରି ରାମରାଜ୍ୟର ପ୍ରତିଷ୍ଠାତା ଶ୍ରୀରାମ ଦୁଇ ଦୁଇ ଥର ତାଙ୍କୁ ତାଙ୍କର ସତୀତ୍ୱ ପ୍ରମାଣ ଲାଗି ଅଗ୍ନିରେ ପରୀକ୍ଷା ନେବାକୁ କହିଥିଲେ । ଅନ୍ୟ କେହି ଜଣେ ବି ତାର ପ୍ରତିରୋଧ କରି ନ ଥିଲେ । କିନ୍ତୁ ରାମ ସୀତାଙ୍କ ଅନୁପସ୍ଥିତିରେ ଅଲଗା ରହିଥଲେ ସୁଦ୍ଧା ତାଙ୍କର ସତୀତ୍ୱ ପରୀକ୍ଷାର ଆବଶ୍ୟକତା ହେଲା ନାହିଁ । କାରଣ ସୀତା ବର୍ତ୍ତମାନର ସ୍ତ୍ରୀଲୋକଙ୍କ ପରି ଗୋଟିଏ ମାଟି ହାଣ୍ଡି ଏବଂ ରାମ ପିତଳ ହାଣ୍ଡି ବୋଲି ଶାସ୍ତ୍ରାନୁମୋଦନ ପାଇଥିଲା ।

 

ଦ୍ରୌପଦୀ ସାମାନ୍ୟ ଗୋଟିଏ ଭୁଲ୍ ବୁଝାମଣା କଥା ଯୋଗୁ ପାଞ୍ଚଜଣ ପାଣ୍ଡବଙ୍କୁ ବର ହିସାବରେ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ପଞ୍ଚ ପତିଙ୍କର ପାଦସେବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ମନୋରଞ୍ଜନ କରି ତାଙ୍କର ଜୀବନକୁ ତଳିତଳାନ୍ତ କରିଦେଲେ । ତଥାପି ଧର୍ମରାଜ ଯୁଧିଷ୍ଠିର ତାକୁ ଜୁଆଖେଳରେ ହାରିଲେ । ସମସ୍ତଙ୍କ ଆଗରେ କୁରୁସଭାରେ ତାକୁ ବିବସ୍ତ୍ର କରାଯିବା ବୃତ୍ତାନ୍ତ ଭାରତରେ ନାରୀ ନିର୍ଯ୍ୟାତନାର ଚରମ ନିଦର୍ଶନ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ପ୍ରଭୃତି ମହାମନୀଷୀ ଧର୍ମରକ୍ଷକମାନେ ଦ୍ରୌପଦୀଙ୍କର ସମ୍ମାନ ରକ୍ଷା କରିବା ପାଇଁ ଆଗେଇ ଆସିଲେ ନାହିଁ । ବରଂ ଧର୍ମ ଓ ପରମ୍ପରାର ଅନୁମୋଦନ ଦେଲେ । ଏହି ଧର୍ମରାଜ ଯୁଧିଷ୍ଠିର ସ୍ଵଶରୀରରେ ସ୍ୱର୍ଗକୁ ଗଲାବେଳେ ଦ୍ରୌପଦୀ ଆଡ଼କୁ ଟିକିଏ ଚାହିଁଲେ ବି ନାହିଁ ବରଂ କୁକୁରଟିକୁ ତାର ପ୍ରଭୁଭକ୍ତି ପାଇଁ ସାଙ୍ଗରେ ସ୍ୱର୍ଗକୁ ନେବାକୁ ଜିଦ ଧରି ବସିଲେ । ଦ୍ରୌପଦୀଙ୍କର ସାରା ଜୀବନର ସେବା ତାଙ୍କୁ କୁକୁରଠାରୁ ଅଧିକ ପ୍ରଭୁଭକ୍ତ କରି ପାରିଲା ନାହିଁ ।

 

ଅନେକ ଭାରତୀୟ ଉପରୋକ୍ତ ବର୍ବରୋଚିତ କାର୍ଯ୍ୟ ପାଇ ଦେବୋପମ ରାମ ଯୁଧିଷ୍ଠିରଙ୍କୁ ସମାଲୋଚନା କରିବାକୁ କୁଣ୍ଡାବୋଧ କରନ୍ତି, ବରଂ କହନ୍ତି ଯେ ଏହାର ନାନା ଦାର୍ଶନିକ ବ୍ୟାଖ୍ୟା ରହିଛି । କିନ୍ତୁ ଯେଉଁ ତଥ୍ୟ ଥାଉ ପଛକେ ସୀତା ଦ୍ରୌପଦୀ କେବଳ ନାରୀ ହୋଇଥବାରୁ ଯେ ଏପରି ଭାବରେ ନିର୍ଯ୍ୟାତିତା ହୋଇଛନ୍ତି ଏ ବିଷୟରେ ସନ୍ଦେହର ଅବକାଶ ନାହିଁ । ସେମାନେ ତାଙ୍କ ଦେବୋପମ ସ୍ୱାମୀଙ୍କୁ ଏଥିପାଇଁ କ୍ଷମା ଦେଇ ନାହାନ୍ତି ? ସୀତା ଆତ୍ନହତ୍ୟା କଲେ-ଦ୍ରୌପଦୀ ତାଙ୍କର କେଶଗୁଚ୍ଛ ଖୋଲି ରଖିଲେ-ପୁରୁଷ ଅତ୍ୟାଚାରୀର ରକ୍ତ ପ୍ରତୀକ୍ଷାରେ । ତେଣୁ ପୁରୁଷ ବ୍ୟାଖ୍ୟାକାର ଏହାକୁ ଯେପରି ଭାବରେ ତାତ୍ତ୍ୱିକ ବ୍ୟାଖ୍ୟା କରନ୍ତୁ ପଛକେ ସେ ଯୁଗର ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ମର୍ଯ୍ୟାଦା ତଥା ସ୍ୱାଭିମାନର ଆଦର ନ ଥିଲା । ସ୍ଵୟଂମ୍ବର ପରେ ସେ ଅନ୍ୟାନ୍ୟ ପତ୍ନୀମାନଙ୍କ ସହିତ ପୁରୁଷର କେବଳ ଉପଭୋଗ୍ୟ ହିସାବରେ ଆଦୃତ ହେଉଥଲା-ତା’ ପାଇଁ କେବଳ କାବ୍ୟ କବିତା ଲେଖା ଯାଉଥିଲା । ସେଥିପାଇଁ ସେ ମଧ୍ୟ ବିଦ୍ରୋହ କରି ଆସିଛି ।

 

ଯେଉଁ ହିନ୍ଦୁମାନେ ସରସ୍ୱତୀ, ଲକ୍ଷ୍ମୀ, ଦୁର୍ଗା ପ୍ରଭୃତି ଅତି ପରାକ୍ରମଶାଳିନୀ ନାରୀ ମୂର୍ତ୍ତିର ଆରାଧନା କରନ୍ତି ସେମାନେ କଅଣ ସାଧାରଣ ନାରୀକୁ ଉପଯୁକ୍ତ ସମ୍ମାନ ଓ ଅଧିକାର ଦେଉଛନ୍ତି-? ତେଣୁ ନାରୀ ପ୍ରତି ଅନାଚାର, ଅତ୍ୟାଚାର ହେଲା ଆମର ବିରାଟ ଐତିହ୍ୟର ଗୋଟିଏ କରୁଣ ଚିତ୍ର । ଅବଶ୍ୟ ଏଥିରେ ବିଚିତ୍ରତା କିଛି ନାହିଁ । କାରଣ ସେ ଯୁଗର ସାମନ୍ତବାଦୀ ସମାଜର ଯେପରି ଚରିତ୍ର-ବାହୁବଳ ଉପରେ ଯେପରି ସାର୍ବଭୌମ କ୍ଷମତା ନ୍ୟସ୍ତ ଥିଲା ରାଜାର ଦରବାରରେ ପଣ୍ଡିତମାନେ ରାଜା ଦେବତା ବୋଲି ଶ୍ଳୋକ ଲେଖିଲେ ସ୍ଵର୍ଣ୍ଣମୁଦ୍ରା ପାଉଥିଲେ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟଙ୍କ ପରି ପଣ୍ଡିତମାନେ ମଧ୍ୟ ରାଜାର ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ କରି ପାରୁ ନଥିଲେ-। ଦ୍ରୌପଦୀଙ୍କର ବସ୍ତ୍ରହରଣ ବେଳେ ରାଜାନୁଗତ୍ୟ ଯୋଗୁ ଏମାନେ ପ୍ରତିବାଦ କରିପାରିନଥିଲେ-ଦ୍ରୌପଦୀଙ୍କୁ ଦ୍ୟୁତକ୍ରୀଡ଼ରେ ହାରିବାର ଅଧିକାର ଯୁଧିଷ୍ଠିରଙ୍କର ଅଛି ବୋଲି ଏମାନେ ମତ ଦେଇଥଲେ, ଏମାନଙ୍କର କାଳ୍ପନିକ ସ୍ଵର୍ଗରାଜ୍ୟରେ ମଧ୍ୟ ରାଜଦରବାର ଥିଲା-ଅପ୍‌ସରାମାନେ ନୃତ୍ୟ କରୁଥିଲେ । ଇନ୍ଦ୍ର ସେମାନଙ୍କୁ ଅନ୍ୟ ତପସ୍ୟାରତ ପୁରୁଷମାନଙ୍କ ପାଖକୁ ପଠାଉଥିଲେ ସେମାନଙ୍କୁ ରତିକ୍ରିୟାରେ ବ୍ରତୀ କରିବା ପାଇଁ । ଏପରି ଗୋଟିଏ ପରସ୍ଥିତିରେ ପଡ଼ି ମେନକା ଋଷି ବିଶ୍ଵାମିତ୍ରଙ୍କୁ ବିବାହ କଲେ ଜନନୀ ହେଲେ ଏବଂ ସ୍ଵାମୀ ଓ କନ୍ୟାକୁ ଛାଡ଼ିବାକୁ ଅନିଚ୍ଛୁକ ହେଲେ । କିନ୍ତୁ ଇନ୍ଦ୍ର ତାଙ୍କ ନିଜ ସ୍ୱାର୍ଥସାଧନ ପାଇଁ ଜବରଦସ୍ତ ତାଙ୍କୁ ସ୍ୱର୍ଗକୁ ଫେରାଇ ଆଣିଲେ । ଏ କଅଣ ନାରୀ ମର୍ଯ୍ୟାଦାର ପ୍ରଶଂସନୀୟ ଉଦାହରଣ ? ଏସବୁ ଥିଲା ସେ ଯୁଗର ସାମନ୍ତବାଦୀ ସମାଜର ନୀତି ନିୟମ । କିନ୍ତୁ ତାହା କଅଣ ବର୍ତ୍ତମାନ ଯୁଗରେ ଅନୁକରଣୀୟ ? ତେଣୁ ଆମ ନାରୀକୁ ଧର୍ମ ନାମରେ, ପରମ୍ପରା ନାମରେ ସେମାନଙ୍କୁ ଅନୁକରଣ କରିବା ପାଇଁ ଉପଦେଶ ପଛରେ ପୁରୁଷ ଜାତିର ସ୍ତ୍ରୀ ଜାତିକୁ ନିଜ ଅଧୀନରେ ରଖିବାର ନୀତିକୁ ପୁଣି ପ୍ରତିପାଦିତ କରାହେଉଛି ବୋଲି ମୋର ଦୃଢ଼ ମତ ।

 

ତେଣୁ ନାରୀର ସମ୍ମାନ ଓ ଅଧିକାର ନେଇ ବିଂଶ ଶତାବ୍ଦୀର ଯେଉଁ ନୂତନ ଜାଗରଣ ତାହା ଆମ ଏହି ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି ଧରିନେବାକୁ ହେବ । ଏପରି ପରିସ୍ଥିତିରେ ପୁରାତନ ତଥା ପ୍ରଚଳିତ ସାମାଜିକ ରୀତିନୀତି ବିରୁଦ୍ଧରେ ସଂଗ୍ରାମ କରି ନାରୀମାନଙ୍କର ନ୍ୟାଯ୍ୟ ସ୍ଵାଧିକାର ସାବ୍ୟସ୍ତ କରିବା ପାଇଁ ନୂତନ ଦିଗନ୍ତ ସୃଷ୍ଟି କରିବା ଦିଗରେ ଲେଖକମାନଙ୍କର ଲେଖନୀ ଯେ ଅତି ଶକ୍ତିଶାଳୀ ହେବା ଆବଶ୍ୟକ ଏ ବିଷୟରେ ମତଦ୍ଵୈଧର ଅବକାଶ ନାହିଁ ।

 

ଅନେକ ସମୟରେ ଗୋଟିଏ ମୌଳିକ ମତଭେଦ ରହୁଛି ଯେ ନାରୀମାନଙ୍କର ଅଧିକାର କେତେ ବେଶୀ ହେବା ଦରକାର ! ନାରୀ କଅଣ ପୁରୁଷମାନଙ୍କ ସହିତ ସବୁ କ୍ଷେତ୍ରରେ ସମାନ ହେବା ଉଚିତ ? ଆଧୁନିକ ସାର୍ବଜନୀନ ମାନବୀୟ ମୂଲ୍ୟବୋଧ ଦୃଷ୍ଟିରୁ ନାରୀ ପୁରୁଷଙ୍କ ଭିତରେ କୌଣସି ପ୍ରକାରର ଅର୍ଥନୈତିକ ଓ ସାମାଜିକ ପାର୍ଥକ୍ୟ ରହିବା ଉଚିତ ନୁହେଁ । ପୁରୁଷଠାରୁ ବୁଦ୍ଧି, ବିବେକ, ମାନସିକ କ୍ଷମତା ତଥା ଆଧ୍ୟାତ୍ମିକ ଯୋଗ୍ୟତା ପ୍ରଭୃତି କ୍ଷେତ୍ରରେ କୌଣସି ଅଂଶରେ ନାରୀ କମ ନୁହେଁ, ବରଂ ସହନଶୀଳତା, ଦୟା, ଆନୁଗତ୍ୟ ପ୍ରଭୃତି ବହୁ ମାନବୀୟ କୋମଳତା କ୍ଷେତ୍ରରେ ପୁରୁଷଠାରୁ ନାରୀ ଉଚ୍ଚରେ । ଆଧୁନିକ ଯୁଗରେ ପ୍ରଗତିଶୀଳ କାର୍ଯ୍ୟପନ୍ଥା ଯେପରି କ୍ଷିପ୍ର ଭାବରେ ଗତିଶୀଳ-ଜ୍ଞାନବିଜ୍ଞାନର ପରିସର ଯେପରି ଭାବରେ ଅଭିବୃଦ୍ଧି ଘଟୁଛି ସେଥିରେ ଅର୍ଦ୍ଧାଂଶ ନାରୀ ସମାଜ ପୁରୁଷଙ୍କ ସହିତ ସମକକ୍ଷ ହୋଇ ଆଗେଇଯିବା ବିଧେୟ - ଏ ବିଷୟରେ ମଧ୍ୟ ପ୍ରାୟ ମତଦ୍ୱୈଧ ନାହିଁ । ତଥାପି ଏତେ ଯୁଗ ଧରି ଯେଉଁ ପାରସ୍ପରିକ ସମ୍ପର୍କ ଗଢ଼ି ଉଠିଛି ତାକୁ ସହଜରେ ଛାଡ଼ିଦେବା ଲୋକଙ୍କ ପକ୍ଷରେ ସହଜ ନୁହେଁ, କିନ୍ତୁ ଏପରି ଅଯୌକ୍ତିକ ସାମାଜିକ ସମ୍ପର୍କ ଯୋଗୁ ନାରୀମାନଙ୍କର କେତେ ବେଶୀ ମାନସିକ ଯନ୍ତ୍ରଣା, କେତେ ବେଶୀ ନିଦାରୁଣ ଦୁଃଖ ଯାତନା ସେମାନଙ୍କୁ ଭୋଗିବାକୁ ପଡ଼ୁଛି ତାର ମାନସିକ ବିଶ୍ଳେଷଣ ଲେଖକମାନଙ୍କର ବଳିଷ୍ଠ ଲେଖନୀରେ ହିଁ ପ୍ରକାଶ ପାଇ ପାରିବ । ଏମାନଙ୍କର ନିର୍ଯ୍ୟାତନା ଏମାନଙ୍କର ସନ୍ତାନସନ୍ତତି ତଥା ପୁରୁଷ ଜାତିକୁ ମଧ୍ୟ ଭାରାକ୍ରାନ୍ତ କରି ପକାଉଛି । ସାହିତ୍ୟ ହି ମନୁଷ୍ୟର ବେଦନାନୁଭୁତିକୁ ପରିସ୍ଫୁଟ କରିବାରେ ସାର୍ବଜନୀନତା ସୃଷ୍ଟି କରିପାରେ । ସର୍ଜନାର ଆଲୋକବର୍ତ୍ତିକା ମନୁଷ୍ୟ ସମାଜ ଏହି ବିଷାଦମୟ କରୁଣ ଗାଥାକୁ ପରିପ୍ରକାଶ କରିବାରେ ବଳିଷ୍ଠ ଆଦର୍ଶ ପ୍ରତିଷ୍ଠା କରିପାରେ । ଏଥିପାଇଁ ଅବଶ୍ୟ ଉତ୍ସାହ ଓ ବିରାଟ ସାହସର ଆବଶ୍ୟକତା ରହିଛି । ସାମାଜିକ ଓ ସାଂସ୍କୃତିକ ଐତିହ୍ୟ ବିରୁଦ୍ଧରେ ଲେଖନୀ ଚାଳନା ସହଜ ନୁହେଁ । ତେଣୁ ଅଗ୍ରଗାମୀ ମନୁଷ୍ୟ ସମାଜର ଦୂରଦର୍ଶୀ ଦାର୍ଶନିକ ହିସାବରେ ସାହିତ୍ୟରେ ଗତିମୟ ଦିଗ ସୃଷ୍ଟି ହେବା ବାଞ୍ଚନୀୟ । କାରଣ କେବଳ ଆଇନ ଦ୍ଵାରା ନାରୀମାନଙ୍କର ସମ୍ମାନର ଉପଯୁକ୍ତ ସୁରକ୍ଷା ସମ୍ଭବ ନୁହେଁ । ଅନେକ ସମୟରେ ଆଇନ ମଧ୍ୟ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ବିରୁଦ୍ଧରେ ଯାଏ । ଉଦାହରଣ ବେଶ୍ୟାବୃତ୍ତି ପାଇଁ କଅଣ କେବଳ ନାରୀମାନେ ଦାୟୀ ? ତଥାପି ସଦୁବେଳ ନାରୀକୁ ହଁ ପୁଲିସ ଧରି ନିଏ - ପୁରୁଷକୁ ନୁହେଁ-। ଯେଉଁ ପୁଲିସ ଧରିନିଏ ସେ ବେଶ୍ୟାବୃତ୍ତିର ପ୍ରଧାନ ପୃଷ୍ଠପୋଷକ । ଏପରିକି ନାରୀ ଦେହ ବିକ୍ରି ଲବ୍‌ଧ ରକ୍ତ ରଞ୍ଜିତ ରୋଜଗାରରେ ମଧ୍ୟ ପୁରୁଷ ଅଂଶୀଦାର ହୁଏ । ତା ନ ହେଲେ ବେଶ୍ୟା ତାର ବୃତ୍ତି ଚଳାଇ ପାରିବ ନାହିଁ । କେତେ ଲେଖକ ପତିତା ନାରୀଙ୍କର ଏହି ଅମାନୁଷିକ ଯନ୍ତ୍ରଣା ପ୍ରସଙ୍ଗରେ ନିର୍ଭୟରେ ଲେଖନୀ ଚାଳନା କରି ପାରନ୍ତି ?

 

ନାରୀ ଜାତିର ସମ୍ମାନ ଓ ଅଧିକାର ତାର ଅର୍ଥନୈତିକ ସ୍ଵାଧୀନତା ଓ ଉତ୍ପାଦନଶୀଳତା ଉପରେ ଅନେକ ସମୟରେ ନିର୍ଭର କରିଥାଏ । କାରଣ ଅର୍ଥନୈତିକ ସ୍ଵାଧୀନତା ନ ଥିଲେ ସେ କ୍ରିତଦାସୀ ପରି ରହିବାକୁ ବାଧ୍ୟ କରାହେଲେ ମଧ୍ୟ ତାର ଅନ୍ୟ ଉପାୟ ନ ଥାଏ । ଏ ସମ୍ପର୍କରେ ଆମ ଦେଶରେ କିଛି କିଛି ଆଇନ ହୋଇଥିଲେ ମଧ୍ୟ ବହୁ ପରିବାର ସେମାନଙ୍କର ଝିଅକୁ ସମ୍ପତ୍ତିର ଯଥାଯଥ ଅଂଶ ଦେବା ପାଇଁ ନାରାଜ । ଫଳରେ ଯୌତୁକ ପ୍ରଥା ଭୟାବହ ଭାବରେ ଦେଖାଦେଇଛି । ବଧୂ-ନିର୍ଯ୍ୟାତନା ମଧ୍ୟ ଏହାର ଗୋଟିଏ ବିଷମୟ ଫଳ । ଏ ବିଷୟରେ ଚେତନା ଜାଗ୍ରତ କରାଇବା ପାଇଁ ଲେଖକ ସମାଜ କଅଣ ନିର୍ଭୀକ ଭାବରେ ଆଗେଇ ଆସୁଛନ୍ତି ? ସେହପରି ନାରୀ ଧର୍ଷଣ ବଢ଼ି ବଢ଼ି ଚାଲିଛି । କାରଣ ଏ କ୍ଷେତ୍ରରେ ନିୟମ ଏପରି କୋହଳ ଯେ ବହୁ ଲୋକ ଧରା ପଡ଼ନ୍ତି ନାହିଁ । ଧରା ପଡ଼ିଲେ ମଧ୍ୟ କୋହଳ ଦଣ୍ଡ ପାଆନ୍ତି । କାରଣ ଧର୍ଷଣକାରୀଙ୍କୁ ଧରିବ ପୁରୁଷ ପୋଲିସ, ବିଚାର କରିବ ପୁରୁଷ ମାଜିଷ୍ଟ୍ରେଟ୍‌ଆଇନ କରିବ ପୁରୁଷ ବିଧାୟକ, ଜନମତ ସୃଷ୍ଟି କରିବ ପୁରୁଷ ସାମ୍ବାଦିକ । ଭାରତରେ ନାରୀ ପ୍ରଧାନମନ୍ତ୍ରୀ ବହୁ ବର୍ଷ ରହିଲା ପରେ ମଧ୍ୟ ଏ କ୍ଷେତ୍ରରେ ସେପରି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ଭବ ହୋଇ ପାରିନାହିଁ । ତେଣୁ ନାରୀର ନ୍ୟାଯ୍ୟ ସାମାଜିକ ଅଧିକାର ସାବ୍ୟସ୍ତ ନ ହେଲା ଯାଏ, ତାର ସୁରକ୍ଷାର ପ୍ରଶ୍ନ ଉଠୁଛି କେଉଠି ?

 

ଲେଖକମାନେ ଏ କ୍ଷେତ୍ରରେ କିପରି ଜାଗରଣ ସୃଷ୍ଟି କରିପାରିବେ ଏହା ଗୋଟିଏ ଦିଗ, କିନ୍ତୁ ଏ କ୍ଷେତ୍ରରେ ଆଉ ଗୋଟିଏ ଦିଗ ହେଉଛି ଯେ ପୁରୁଷ-ପ୍ରାଧାନ୍ୟ ଦେଶରେ ସାହିତ୍ୟରେ ମଧ୍ୟ ସ୍ତ୍ରୀଚରିତ୍ରକୁ ନ୍ୟୂନ ଭାବରେ ଚିତ୍ରଣ କରାହେଉଛି । ସିନେମାରେ ଯେପରି ଭାବରେ ନାରୀମାନଙ୍କର ନଗ୍ନ ଶରୀର ପ୍ରଦର୍ଶନ କରି ତାକୁ ଅତି ନିମ୍ନ ଧରଣ ଚାଲିଚଳନର ମୁଖ୍ୟ ଅଭିନେତ୍ରୀ କରି ନାରୀ ଆଦର୍ଶ ସୃଷ୍ଟି କରାହେଉଛି ତାହା ନାରୀ ସମ୍ମାନର ସମ୍ପୂର୍ଣ୍ଣ ପରିପନ୍ଥୀ । ଏ ବିଷୟରେ କଅଣ ଆଇନ କରି ନାରୀର ସମ୍ମାନ ରକ୍ଷା କରାଯାଇ ପାରିବ ? ଏପରି ଲେଖକ ଓ କଳାକାରଙ୍କ ବିରୁଦ୍ଧରେ ନୀରବଚ୍ଛିନ୍ନ ଲେଖନୀ ଚାଳନାର ଆବଶ୍ୟକତା ରହିଛି । ଯେଉଁ ଦେଶରେ ମାତା ଭଗିନୀକୁ ଉପଯୁକ୍ତ ସମ୍ମାନ ଦେଖାଯାଇ ପାରିବ ନାହିଁ, ଯେଉଁ ଦେଶରେ ଦ୍ରୌପଦୀ ବସ୍ତ୍ରହରଣ ଭାରତୀୟ ଐତିହ୍ୟର ଗୋଟିଏ ଉଲ୍ଲେଖନୀୟ ଘଟଣା, କୃଷ୍ଣଙ୍କ ଦ୍ଵାରା ଗୋପୀମାନଙ୍କର ବସ୍ତ୍ରହରଣର ଛବି ଥରେ ଦୋକାନରେ ପ୍ରଦର୍ଶିତ ହୁଏ ସେ ଦେଶରେ ନାରୀର ସମ୍ମାନ ସୁରକ୍ଷା ପାଇଁ ଲେଖକର ଏ ଦିଗରେ କି ବିରାଟ ବୈପ୍ଲବିକ ପଦକ୍ଷେପ ନେବା ଦରକାର ତାହା ସହଜରେ ଅନୁମେୟ ।

 

ଅଧିକାଂଶ ଲେଖକ ଅନେକ ସମୟରେ ସେମାନଙ୍କର ପାରିପାର୍ଶ୍ଵିକ ପରିବେଶରୁ ମୁକ୍ତ ହୋଇ ଆଗାମୀ ଯୁଗର ଆଲୋକ ଦେଖି ପାରନ୍ତି ନାହିଁ । ସେମାନେ ସେଥିପାଇଁ ଗୋଟିଏ ପ୍ରକାର ଦର୍ଶନ ଉପସ୍ଥାପିତ କରିଥାଆନ୍ତି ଯେ ଲେଖକ ତାର ଚାରିପାଖରେ ଘଟୁଥିବା ଘଟଣାକୁ ସାହିତ୍ୟିକ ଛଟାରେ ସୂକ୍ଷ୍ମ ଭାବରେ ବିଶ୍ଳେଷଣ କରି ପାରିଲେ ଯଥେଷ୍ଟ । କିନ୍ତୁ ପ୍ରତ୍ୟେକ ମନୁଷ୍ୟର ଭବିଷ୍ୟତ ସ୍ୱପ୍ନ ରହିଛି - ତାର ବର୍ତ୍ତମାନର ସୁଖଦୁଃଖର ମାୟାଜାଲ ଭିତରୁ ସେ ଭବିଷ୍ୟତର ସ୍ଵପ୍ନ ନେଇ ବଞ୍ଚେ । ତେଣୁ ଭବିଷ୍ୟତର ଆଦର୍ଶକୁ - ତାର ସ୍ୱପ୍ନକୁ ଫୁଟାଇ ନ ପାରିଲେ ସାହିତ୍ୟର ସାର୍ବଜନିନତା ରହି ପାରିବ ନାହିଁ । ଏ କ୍ଷେତ୍ରରେ ନାରୀ ଲେଖିକାର ଭୂମିକା ବହୁତ ବେଶୀ । ନାରୀ ତାର ଭବିଷ୍ୟତ ସ୍ୱପ୍ନକୁ ବଳିଷ୍ଠ ଭାବରେ ପରିସ୍ଫୁଟ କରିବାରେ ଅଗ୍ରଣୀ ହୋଇପାରେ । ଭାରତ ତଥା ଓଡ଼ିଶାର ନାରୀ ଲେଖକାମାନେ ଏ ବିଷୟରେ କିଛି ଦିଗ୍‌ଦର୍ଶନ ଦେଇ ପାରିଛନ୍ତି ବୋଲି ମୋର ମନେହୁଏ । ଏହାର ଅର୍ଥ ନୁହେଁ ଯେ ପୁରୁଷ ଲେଖକମାନେ ସାହିତ୍ୟରେ ନାରୀ ଚରିତ୍ରର ସମସ୍ୟା ଭପସ୍ଥାପିତ କରିବାରେ ବଳିଷ୍ଠ ପଦକ୍ଷେପ ନେଇ ପାରିବେ ନାହିଁ । ନାରୀର ଅସମ୍ମାନ ଓ ତାର ପରାଧୀନତା ଯୋଗୁ ନାରୀ ଯେପରି ଯାତନା ପାଉଛି ପୁରୁଷକୁ ମଧ୍ୟ ସେଥିପାଇଁ ବହୁ ଯନ୍ତ୍ରଣା ଭୋଗିବାକୁ ପଢ଼ୁଛି । ସେ ସମ୍ପୂର୍ଣ୍ଣ ରୂପେ ତାର ସମକକ୍ଷ ଅର୍ଦ୍ଧାଙ୍ଗିନୀ ପାଇବାରେ ଅସମର୍ଥ ହେଉଛି-। ଦୁଇଟି ଅସାମଞ୍ଜସ୍ୟ ଲୋକ ଭିତରେ ପ୍ରକୃତ ଶ୍ରଦ୍ଧା ଓ ସମ୍ମାନ ଜନିତ ସ୍ନେହ ପ୍ରେମ ଫୁଟି ଉଠି ପାରିବ ନାହିଁ । ଅତ୍ୟାଚାରିତା ଓ ନ୍ୟୂନଭାବାପନ୍ନ ସ୍ତ୍ରୀ କଦାପି ଶକ୍ତିଶାଳିନୀ ଆଦର୍ଶବାଦିନୀ ମାତା ହୋଇ ପାରିବ ନାହିଁ । ଏହି ବିରାଟ ମନସ୍ତାତ୍ତ୍ଵିକ ସତ୍ୟଟିକୁ ଉଭୟେ ପୁରୁଷ ଓ ସ୍ତ୍ରୀ ଲେଖକମାନେ ନିଜ ନିଜ ଦୃଷ୍ଟି କୋଣରୁ ସୃଷ୍ଟି କରିପାରବେ । ତଥାପି ବର୍ତ୍ତମାନର ପରିସ୍ଥିତିରେ ସ୍ଵାଧୀନତା ସ୍ଵପ୍ନାଭିଳାଷୀ ଓ ଯୁଗଯୁଗ ଧରି ଅବହେଳିତା ନାରୀ ଓ ସୁବିଧାଭୋଗୀ ପୁରୁଷଙ୍କ ଭିତରେ ନାନା ଭାବରେ ସଂଘର୍ଷ ଦେଖାଦେବା ସ୍ୱାଭାବିକ । ତେଣୁ ନାରୀ ଲେଖିକାଙ୍କର ଅବଦାନ ଏ ଦିଗରେ ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମନେ ହୁଏ ।

 

ଅର୍ଥନୈତିକ ସ୍ଵାଧୀନତା ହୋଇଗଲା ପରେ ଯେ ନାରୀର ସମ୍ମାନ ଓ ଗୌରବ ଆପେ ବଢ଼ିଯିବ ତା ଭାବିବା ଭୁଲ । ଯଦିଚ ଏହା ସେମାନଙ୍କର ଯଥାଯଥ ସାମାଜିକ ମର୍ଯ୍ୟାଦା ପାଇଁ ଗୋଟିଏ ବିରାଟ ପଦକ୍ଷେପ । ପାଶ୍ଚାତ୍ୟ ଦେଶମାନଙ୍କରେ ବିଶେଷତଃ ପୁଞ୍ଜିପତି ଦେଶରେ ନାରୀର ମର୍ଯ୍ୟାଦା ତଥା ସମ୍ମାନ ସବୁ କ୍ଷେତ୍ରରେ ସେପରି ଉନ୍ନତ ହୋଇପାରି ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଦିଜଣ ସ୍ତ୍ରୀଲୋକଙ୍କୁ ଛାଡ଼ିଦେଲେ ଗତ ଦୁଇଶହ ବର୍ଷ ଧରି ପଚାଶଟି ରାଜ୍ୟର ଗଭର୍ଣ୍ଣର ହେବା ନାରୀମାନଙ୍କ ସୌଭାଗ୍ୟ ହୋଇ ନୀହିଁ । ପ୍ରେସିଡେଣ୍ଟ ଭାଇସ୍‌ ପ୍ରେସିଡେଣ୍ଟ ହେବାତ ଦୂର କଥା, ଏପରିକି ନୀରୀ କଲେଜରେ ମଧ୍ୟ ଅନେକ ସମୟରେ ପୁରୁଷ ପ୍ରେସିଡେଣ୍ଟ ଦେଖିବାକୁ ମିଳନ୍ତି । ପୁଞ୍ଜିପତି ଦେଶରେ ବିଜ୍ଞାପନ ଓ ଅନ୍ୟାନ୍ୟ ଗଣ-ମାଧ୍ୟମରେ ନାରୀଙ୍କ କେବଳ ଯୌନ-ଉପଭୋଗ୍ୟ ସାମଗ୍ରୀ ହିସାବରେ ପ୍ରତିପାଦିତ କରାହେଉଥିବାରୁ ଏବଂ ନାରୀ-ସ୍ଵାଧୀନତା ଲାଗି କୌଣସି ବଳିଷ୍ଠ ସାମାଜିକ ଦର୍ଶନ ସେମାନଙ୍କ ଆଗରେ ନ ଥିବାରୁ ନାରୀମାନେ ବହୁପରିମାଣରେ ସ୍ଵାଧୀନ ହୋଇଥିଲେ ସୁଦ୍ଧା ପୁରୁଷଙ୍କ ସହିତ ସମକକ୍ଷ ହୋଇପାରୁ ନାହାନ୍ତି । ସମାଜବାଦୀ ଦେଶମାନଙ୍କରେ ନାରୀ-ସ୍ଵାଧୀନତା ସପକ୍ଷରେ ଗୋଟିଏ ବଳିଷ୍ଠ ସାମାଜିକ ଦର୍ଶନ ଥିବାରୁ ସେମାନେ ସମାଜରେ ଅନେକ ବେଶୀ ଉଚ୍ଚସ୍ଥାନ ଅଧିକାର କରିଛନ୍ତି ସତ, ତଥାପି ରାଜନୈତିକ କ୍ଷେତ୍ରରେ ଏମାନଙ୍କର ପଦମର୍ଯ୍ୟାଦା ବର୍ତ୍ତମାନ ସୁଦ୍ଧା ଯଥେଷ୍ଟ ବୃଦ୍ଧି ପାଇପାରି ନାହିଁ-। ତଥାପି ଏସବୁ ଉନ୍ନତ ଦେଶରେ ନାରୀ ଜାଗରଣ ଆନ୍ଦୋଳନ ନିରବଚ୍ଛିନ୍ନ ଭାବରେ ଚାଲି ଆସିଛି-। ଏ ସମ୍ପର୍କରେ ବହୁ ବିଶିଷ୍ଟ ଲେଖକ ଲେଖିକା ବହୁ ଉପାଦେୟ ସାହିତ୍ୟ ସୃଷ୍ଟି କରି ପାରିଛନ୍ତି - ଫଳରେ ଏ ଦିଗରେ ଉପଯୁକ୍ତ ସାମାଜିକ ବାତାବରଣ ସୃଷ୍ଟି ହୋଇ ଚାଲିଛି ।

 

ଭାରତରେ ନାରୀ ଜାଗରଣ ଆନ୍ଦୋଳନ ବଡ଼ ସୀମିତ । ଅବଶ୍ୟ ସବୁ ଦେଶରେ ଏକାପରି ଆନ୍ଦୋଳନ ସମ୍ଭବ ନୁହେଁ । ତଥାପି ନାରୀ ଅଧିକାର ସାବ୍ୟସ୍ତ ଓ ସମ୍ମାନର ସୁରକ୍ଷା ଲାଗି ଆହୁରି ବେଶି ବୌଦ୍ଧିକ ଓ ସାମାଜିକ ଆଲୋଡ଼ନର ଆବଶ୍ୟକତା ଆମ ଦେଶରେ ରହିଛି । ଆମ ପରମ୍ପରାଗତ ପ୍ରଥାକୁ ଯୁକ୍ତିଯୁକ୍ତ ଭାବରେ ବିଶ୍ଳେଷଣ କରି ତାର ଦୁଃଖମୟ ଦିନଟିକୁ ବଳିଷ୍ଠ ଭାବରେ ପ୍ରତ୍ୟାଖ୍ୟାନ କରିବା ପାଇଁ ବାତାବରଣ ସୃଷ୍ଟି ହେବା ଦରକାର ।

 

ନାରୀ ଜାତି ସ୍ଵାଧୀନତା ପାଇଲେ ସମାଜରେ ବ୍ୟଭିଚାର ବଢ଼ିଯିବାର ଯେଉଁ ଭୟ ତାହା ପୁରୁଷର ଉଚ୍ଛୃଙ୍ଖଳ ଯୌନାଭିଳାଷ ଯୋଗୁହିଁ ନାରୀମାନଙ୍କ ପ୍ରତି ଏହାର ମନସ୍ତାତ୍ତିକ ପ୍ରତିଫଳନ ହୋଇଥାଏ । ନାରୀର ସହଜାତ କାମ ପ୍ରବୃତ୍ତି ସାଧାରଣତଃ ଗୋଟିଏ ପୁରୁଷ ପ୍ରତି ଆନୁଗତ୍ୟରେ ଆତ୍ମପ୍ରକାଶ କରିଥାଏ । କିନ୍ତୁ ପୁରୁଷର ଯୌନ ଲିପ୍‌ସା ଅଲଗା ଧରଣର । ତାର ଯୌନ ସମ୍ଭୋଗ ବ୍ୟତୀତ ଅନ୍ୟ କୌଣସି ଗୁରୁଦାୟିତ୍ୱ ନଥିବାରୁ ସେ ଅତି ସହଜରେ ଏକାଧକ ସ୍ତ୍ରୀ ପ୍ରତି ଆସକ୍ତ ହୋଇପଡ଼େ । ତଥାପି ସମାଜର ଯାବତୀୟ ଯୌନଗତ ଅନାଚାର ସ୍ତ୍ରୀ ଉପରେ ଚାପି ଦିଆଯାଏ । ଏପରିକି ଶଙ୍କରାଚାର୍ଯ୍ୟଙ୍କ ପରି ଅଦ୍ୱୈତବାଦର ଶ୍ରେଷ୍ଠ ବ୍ୟାଖ୍ୟାକାର ମହାମନୀଷୀ ମଧ୍ୟ ଏପରି ଅଯୌକ୍ତିକ କୁଂସସ୍କାରଗତ ଦୋଷରୁ ମୁକ୍ତ ହୋଇ ନାହାନ୍ତି । ନାରୀକୁ ନରକର ଦ୍ଵାର ସ୍ଵରୂପ ବୋଲି କହିଛନ୍ତି ଯଦିଚ ସେ ଜଣେ ମାତୃଭକ୍ତ ପୁରୁଷ ଥଲେ । ତେଣୁ ତାଙ୍କ ନାମଧାରୀ ବର୍ତ୍ତମାନ ଯୁଗର ତଥାକଥିତ ଭଣ୍ଡ ଧର୍ମାଧିକାରୀମାଙ୍କ କଥା ଛାଡ଼ । ଏ ପ୍ରକାର ପକ୍ଷପାତଗତ କୁସଂସ୍କାର ବିରୁଦ୍ଧରେ ଉନ୍ନତ ଦେଶମାନଙ୍କର ନାରୀ ଆନ୍ଦୋଳନକାରୀମାନେ ସ୍ଵର ଉତ୍ତୋଳନ କରିଛନ୍ତି - ସାହିତ୍ୟିକମାନେ ଏ ପ୍ରକାର ଭିତ୍ତିହୀନ ଅଯୌକ୍ତିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଛନ୍ତି-। କିନ୍ତୁ ଆମ ଦେଶରେ ଏ ପ୍ରକାର ଆନ୍ଦୋଳନର ସୂତ୍ରପାତ ହୋଇନାହିଁ କହିଲେ ଚଳେ ।

 

ନାରୀ ପୁରୁଷ ଭିତରେ ସ୍ୱାଧିକାର ଓ ସମ୍ମାନ କ୍ଷେତ୍ରରେ କୌଣସି ପ୍ରଭେଦ ଦେଖାଦେବା ଉଚିତ ନୁହେଁ । ବରଂ ସେମାନେ ମାତୃଜାତିର ତଥା ପରିବାରର ମହାନ୍‌ ଦାୟିତ୍ୱ ସୂଚାରୁରୂପେ ତୁଲାଉଥିବାରୁ ସେମାନଙ୍କର ସାମାଜିକ ମର୍ଯ୍ୟାଦା ଓ ସ୍ଥିତି ଆଉ ଟିକିଏ ଉଚ୍ଚରେ ହେବା ଉଚିତ । ଏହି ବଳିଷ୍ଠ ଆଦର୍ଶଗତ ମାନବୀୟ ପ୍ରେରଣା ଯୋଗୁ ଲେଖକଠାରେ ଦୁର୍ଦ୍ଦମନୀୟ ନିର୍ଭୀକତା ଗଢ଼ି ଉଠିବ ଓ ସତ୍ୟସନ୍ଧାନ ଲାଗି ଗଭୀର ଜିଜ୍ଞାସା ସୃଷ୍ଟି ହେବ । ତା’ ହେଲେ ଯାଇ ସେମାନେ ଅଗ୍ରଗାମୀ ଯୁଗର ପ୍ରଚଣ୍ଡ ସାହିତ୍ୟ ପ୍ରତିଭାର ଅଗ୍ରଧର୍ଷୀ ସ୍ରଷ୍ଟା ହୋଇ ପାରିବେ ।

 

***

 

Unknown

ଆଧୁନିକ କବିତାର ଆଧୁନିକତା

ଶ୍ରୀ ଦାଶରଥି ଦାସ

 

ଆଧୁନିକତା ଏପରି ଏକ ଜିନିଷ ଯେ ତାହାର ଆୟୁକାଳ ତାହାର ସ୍ଵରୂପକୁ ଚିହ୍ନାଇ ଦିଏ । ଅଧୁନା ଯେ ଆଧୁନିକ କାଲିକୁ ତାହା ପ୍ରାଚୀନ, ଆଜି ଯେ ତରୁଣ ସେ କାଲିକି ବୃଦ୍ଧ । ତେଣୁ ସାହିତ୍ୟ କ୍ଷେତ୍ରରେ ଅଧୁନା ଯେଉଁ କବିତା ଲେଖା ଯାଉଛି, ତାହା ଆଧୁନିକ କବିତା ନାମରେ ଚିହ୍ନିତ ହେବା କଥା । କିନ୍ତୁ ତାହା ପାଇଁ ଆଉ ଗୋଟିଏ ଅଭିଧାନ ଅଛି : ସାମ୍ପ୍ରତିକ ବା ସମକାଳୀନ Contemporary । ତେଣୁ ଆଧୁନିକତା କାଳର ହୋଇ ମଧ୍ୟ କାଳର ନୁହେଁ । ସମୟ ଆଧୁନିକତାର ନିଃସନ୍ଦେହ ଉପାଦାନ ବିଶେଷ । କିନ୍ତୁ କେବଳ ସମୟ ଘେନି ନୁହେଁ, ଆଧୁନିକତା ମର୍ଜି ଘେନି ବିଚାର୍ଯ୍ୟ । ଅର୍ଥାତ୍‌ ସେଥିରେ ସମକାଳୀନ ନବତମ ମାନସିକତା ଓ ଦୃଷ୍ଟିଭଙ୍ଗୀ ଅବଶ୍ୟ ପ୍ରକାଶୟିତବ୍ୟ । ନୂଆ କାଳର ମଣିଷ ଯାହା କିଛି ନୂଆ କରି ଚିନ୍ତା କରୁଛି, ତାହାର ମନ ଓ ମନନ ଯେଉଁ ନୂତନ ପଦ୍ଧତିରେ ଆବର୍ତ୍ତିତ ହେଉଛି, ସେସବୁର ସ୍ୱାକ୍ଷର ଥାଏ ଆଧୁନିକତାରେ । ଏକ ସୀମିତ କାଳଧର୍ମ ଆଧୁନିକତାର ଭିତ୍ତି ନିଶ୍ଚୟ । ମାତ୍ର ତାହା ଶେଷ କଥା ନୁହେଁ । ପାଞ୍ଚଶହ ବର୍ଷ ତଳର ଲେଖା ଆଧୁନିକ ହୋଇପାରେ । ଆଜିର ଲେଖା କିନ୍ତୁ ଆଧୁନିକ ନ ହୋଇପାରେ । ଯାହାର ଆଜିପାଇଁ ଅର୍ଥ ଅଛି, ଆଜିର ଦୃଷ୍ଟିଭଙ୍ଗୀ ଓ ମାନସିକତା ସହିତ ଯାହାର ସାମଞ୍ଜସ୍ୟ ଅଛି, ଅଥବା ଯାହାର ଆଜି ଉପାଦାନରେ ରଚିତ, ତାହାହ ଆଧୁନିକ । ବିଷୟବସ୍ତୁ ଚିରନ୍ତନ କି ପ୍ରାଚୀନ ହୋଇପାରେ, ମାତ୍ର ଦୃଷ୍ଟିଭଙ୍ଗୀ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ଆଧୁନିକତା ଦୃଷ୍ଟିଭଙ୍ଗୀର ମାହାତ୍ମ୍ୟ ।

 

ଏଠାରେ ଯେଉଁ ଆଧୁନିକତା କଥା କୁହାଯାଉଛି, ତାହା ଓଡ଼ିଆ କବିତାର ଊନବିଂଶ ଶତକୀୟ ଆଧୁନିକତା ନୁହେଁ । ସେ ଦିନର ରାଧାନାଥ ଠିକ୍‌ ଆଜିର ଆଧୁନିକ କବି ନୁହନ୍ତି । ଅବଶ୍ୟ ସେଦିନର ସେହି ଆଧୁନିକତା ସ୍ୱାଧୀନତା ପ୍ରାପ୍ତିର ପରବର୍ତ୍ତୀ କାଳରେ ଯେଉଁ ବିଶାଳ ଓ ବିପୁଳ ପରିବର୍ତ୍ତନ ମଧ୍ୟରେ ପାଦସଞ୍ଚାର କରିଛି, ସେହି ପରିବର୍ତ୍ତିତ ଆଧୁନିକତା ଆମ ବିଚାର୍ଯ୍ୟ । ‘ନୂତନ କବିତା’ର ପ୍ରକାଶ କାଳ ୧୯୫୫ । ପରବର୍ତ୍ତୀ କାଳରେ ପ୍ରକାଶିତ ଆମ ବିଚାରର ସୀମାଭୁକ୍ତ । ଆଜି ପର୍ଯ୍ୟନ୍ତ ସେହି ଧାରା ପ୍ରବାହିତ । ଏହାକୁ ନୂତନ ଆଧୁନିକତା କୁହାଯାଇ ପାରିବ-। ଏହା ଊନବିଂଶ ଶତକୀୟ ଆଧୁନିକତାଠାରୁ ଭିନ୍ନ ଜିନିଷ । ଏହା ମଧ୍ୟ ସେହି ପାଶ୍ଚାତ୍ୟ ଭାବଭୂମିରୁ ଉତ୍ସାରିତ । କିନ୍ତୁ ସ୍ଵାଦ ଭିନ୍ନ, ଚରିତ୍ର ଅଲଗା ।

 

ଯେଉଁଠି ଯେତେବେଳେ ଆଧୁନିକତା ଆତ୍ମପ୍ରକାଶ କରିଛି ସେଠାରେ ସେତେବେଳେ ତାହା କ୍ରୋଧ ଓ ଅସହିଷ୍ଣୁତାର ଶିକାର ହୋଇଛି ବୋଦେଲେୟାରଙ୍କ କ୍ଲେଳଜକୁରୁମ (୧୮୫୭)ରେ ଯେତେବେଳେ ସର୍ବାଙ୍ଗୀନ ଆଧୁନିକତାର ପ୍ରବର୍ତ୍ତନ ଘଟିଥିଲା ସେତେବେଳେ ତାଙ୍କୁ ଅକଥ୍ୟ ଅବସ୍ଥାର କବି ବୋଲି ଅଭିହିତ କରାଯାଇଥିଲା । ଆଧୁନିକତା ସମ୍ପର୍କରେ ଅଶ୍ଵସ୍ତି ଓ ଆତଙ୍କରେ ହଁ ତାର ପ୍ରଥମ ପରିଚୟ । ସ୍ଵୀକୃତ କାବ୍ୟ ଅଭ୍ୟାସକୁ ତାହା ଭାଙ୍ଗିଦିଏ, ପ୍ରଚଳିତ ଅଭିବ୍ୟକ୍ତିକୁ ବିପର୍ଯ୍ୟସ୍ତ କରେ । ମସୃଣ କାବ୍ୟପଥକୁ ଅମସୃଣ କରିଦିଏ । ଆଧୁନିକ ଓଡ଼ିଆ କବିତା କ୍ରୋଧ ଓ ଅସହିଷ୍ଣୁତା ହାତରୁ ରକ୍ଷା ପାଇ ନାହିଁ । ଡଃ ମାୟାଧର ମାନସିଂହ ସଚ୍ଚି ରାଉତରାୟ, ଗୁରୁପ୍ରସାଦ ଓ ରମାକାନ୍ତଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି । ସେମାନଙ୍କୁ ବୌଦ୍ଧିକ ବାମନ ବୋଲି ଉପହାସ କରିଛନ୍ତି - ଏପରି ଅଶ୍ଵସ୍ତି ଓ ଆତଙ୍କ ଭାଷା ଘେନି, ଭାବନା ଘେନି ଓ ବିଷୟବସ୍ତୁ ଘେନି । ଆଧୁନିକ କବିତାର ବିଷୟବସ୍ତୁ ନୂଆ, ଭାବନା ନୂଆ, ଭାଷା ବି ନୂଆ । କିନ୍ତୁ ମନେ ରଖିବାକୁ ହୁଏ ଯେ ଅତୀତକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ ବର୍ତ୍ତମାନର ଅଗଭୀର, ଅକସ୍ମାତ ଉତ୍ତେଜିତ ଆବେଗକୁ ସମ୍ବଳ କରି ଅତୀତର ସାହାଯ୍ୟ ବଞ୍ଚିତ ନୂଆ ଭାଷାରେ କୌଣସି ମହତ ସାହିତ୍ୟ ରଚିତ ହୋଇପାରେ ନାହିଁ । ଓଡ଼ିଆ ଭାଷା ବହୁଯୁଗବ୍ୟାପୀ ଅତୀତ ସାଧନାର କ୍ରମ ପରିଣତି, ତାହାର ଚାରିଦିଗରେ ବହୁ ଆବେଗ ସଞ୍ଚିତ ହୋଇଛି, ବହୁସ୍ମୃତି ଗୁଞ୍ଜରଣ କରୁଛି । ଆଧୁନିକ ଓଡ଼ିଆ କବିମାନେ ତାହାକୁ ପିତୃପୁରୁଷଙ୍କ ସୁକୃତି ପରି ସ୍ଵୀକାର କରି ନେଇଛନ୍ତି । ଐତିହ୍ୟ ଓ ନବପରୀକ୍ଷଣ Tradition & Experiment ଏହି ଉଭୟ ଉପାଦାନ ଆଧୁନିକତା ପାଇଁ ତୁଲ୍ୟ ଭାବରେ ପ୍ରୟୋଜନୀୟ । ଆଧୁନିକତା ଭୂଇଁଫୋଡ଼ ଜିନିଷ ନୁହେଁ । ବରଂ ଯାହାକୁ ପ୍ରଥା କୁହାଯାଏ, ଯାହା ଜାତିର ଦୀର୍ଘ ଅନୁଶୀଳନ ଫଳରେ ଅର୍ଜିତ ମାନସପ୍ରବଣତାର ସ୍ଥିର ଅନପନେୟ ରେଖାଙ୍କନ ତାହାକୁ ଆଧୁନିକତା ଅସ୍ୱୀକାର କରେ ନାହିଁ । ସ୍ମୃତିରେ ଆଧୁନିକତା, ପ୍ରୟୋଗଶୀଳତାରେ ଆଧୁନିକତା । ସେଇଥିପାଇଁ ଆଧୁନିକ ଓଡ଼ିଆ କବିତା ମିଥି ଲୋକକଥା ଓ ପୁରାଣ କଥାର ବ୍ୟବହାର କରିଥାଏ । ଅତୀତ ଓ ଅଧୁନା - ଏହି ଦ୍ଵିମାତ୍ରିକ ସନ୍ଧିଚିହ୍ନହୀନ ସମନ୍ଵୟର ଉପଲବ୍‌ଧି ହିଁ ଆଧୁନିକତାର ଅନ୍ୟନାମ ।

 

ଆଧୁନିକ କବିତାରେ ବିଂଶ ଶତାବ୍ଦୀର ଧ୍ୟାନ ଧାରଣା, ଜୀବନଦୃଷ୍ଟି ଓ ମୂଲ୍ୟବୋଧର ଆତ୍ମପ୍ରକାଶ ଘଟିଥିବା ସ୍ଵାଭାବିକ କଥା । ଓଡ଼ିଆଙ୍କ ଜୀବନ ଧର୍ମରେ ଅତର୍କିତ ପରିବର୍ତ୍ତନ ନ ଘଟିଛି ନୁହେଁ, ଘଟିଛି । ଏହି ପରିବର୍ତ୍ତନର କାରଣ ସ୍ଵରୂପ ଯୁଦ୍ଧୋତ୍ତର ନୈରାଶ୍ୟବାଦ ଓ ଜୀବନ ସଂଗ୍ରାମର ଅସହନୀୟ ତୀବ୍ରତା ଉଲିଖିତ ହୁଏ । ଅଧିକନ୍ତୁ ଏହି ଶତାବ୍ଦୀର ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ଵ ଓ ନୃତତ୍ତ୍ୱ ତଥା ରାଷ୍ଟ୍ରଚିନ୍ତା ଆମକୁ ଯେଉଁ ନୂତନ ଜ୍ଞାନ ଓ ଦୂଷ୍ଟିଭଙ୍ଗୀଦ୍ଵାରା ସମୃଦ୍ଧ କରିଛି ସେ କଥା ବି କୁହାଯାଏ । ପୁଣି ତେଣୁ ସେ କଥା କହିଲେ ଯଥେଷ୍ଟ ହେବ ଯେ ନୂତନ ଜ୍ଞାନ ସାହାଯ୍ୟରେ ଜଗତ, ଜୀବନ ଓ ମଣିଷକୁ ସମଗ୍ର ଭାବରେ ଦେଖିବାର ନାମ ଆଧୁନିକତା । ଆଧୁନିକତା ଖଣ୍ଡିତ ଭାବରେ ଜୀବନକୁ ଦେଖେ ନାହିଁ । ଏହି ଦୃଷ୍ଟିଭଙ୍ଗୀ ଅବଶ୍ୟ ନୈରାଶ୍ୟ, ହତାଶା, ଅର୍ଥହୀନତା ଓ ଅଚରିତାର୍ଥତା ଦ୍ଵାରା ଚିହ୍ନିତ । କ୍ଳାନ୍ତି ବେଦନା, ଅସ୍ଥିରତା ଶୂନ୍ୟତା ଯେପରି ଆଧୁନିକତାର ପ୍ରାଥମିକ ଦର୍ଶନ । ପ୍ରଚଳିତ ମୁଲ୍ୟବୋଧଗୁଡ଼ିକ ପ୍ରତି ଅବିଶ୍ଵାସରେ ତାହାର ବିଶ୍ଵାସ-। ଏହି ଆଧୁନିକତା ମୂଳତଃ ସହରାଶ୍ରିତ । କ୍ଷମାହୀନ ଭାବରେ ପୁଣି ପ୍ରକୃତି ବିରୋଧୀ । ପ୍ରକୃତି ସ୍ଵାଭାବିକ, ତେଣୁ କବିତାର ଶତ୍ରୁ । ରୋମାଣ୍ଟିକ୍‌ପ୍ରେମର ଆଦର୍ଶ ନାରୀକୁ ଦେବୀ ବୋଲି ଭାବେ, ଆଧୁନିକ କବି ନାରୀକୁ ରତିପୀଠ କି କାମକୂପ ବୋଲି ଚିହ୍ନିତ କରିଥାନ୍ତି । ଆଧୁନିକ କବିତାରେ ନାରୀପ୍ରତି ମର୍ଯ୍ୟାଦାବୋଧ ଯଥେଷ୍ଟ କମ୍‌ । ବ୍ୟତିକ୍ରମ ଅଛି, ମାତ୍ର ଅମର୍ଯ୍ୟାଦା ବେଶି । ନାରୀ ନୈତିକ ପ୍ରାଣପ୍ରତିମା ନୁହେଁ । ସେ ଅନୈତିକତାର ଅନ୍ୟତମ ଉତ୍ସ ।

 

ବୋଦଲେୟାର ଓ ଏଲିୟଟ ଆଧୁନିକ କବିତାର ଗୁରୁ । ନୂତନ ଆଙ୍ଗିକ ମଧ୍ୟରେ ସେମାନେ ଯୁଗସଞ୍ଚିତ ଗଭୀର ଓ ସର୍ବବ୍ୟାପୀ ନୈରାଶ୍ୟବାଦକୁ ସାର୍ଥକ ବ୍ୟଞ୍ଜନା ସାହାଯ୍ୟରେ ଫୁଟାଇ ପାରିଛନ୍ତି । ସମଗ୍ର ସଭ୍ୟତାସଂସ୍କୃତି, ମଣିଷର ସବୁ କୀର୍ତ୍ତି ସମଗ୍ର ସାମଜର ସବୁ ସଂହତି, ଜୀବନ ଯାତ୍ରାର ସବୁ ସଂହତି, ଆଜି ଯେପରି ତାତ୍ପର୍ଯ୍ୟ ହରାଇ ଏକ ବିରାଟ ଧ୍ୱଂସ ସ୍ତୂପରେ ପରିଣତ ହୋଇଛି । ପ୍ରାଣଶକ୍ତି ନିଃଶେଷ ହୋଇ ଯେପରି ଏକ ଦିଗନ୍ତ ବିସ୍ତାରୀ ମରୁଭୂମିର ଧୂସରତାରେ ନିଶ୍ଚିହ୍ନ ହୋଇଅଛି । ଏହି ବୋଧ ଆଧୁନିକ କବିତାରେ ପ୍ରତି ପଦକ୍ଷେପରେ ବ୍ୟଞ୍ଜିତ-। ଜୀବନ ସ୍ୱୟଂ ଏକ ବିଷୟ ବ୍ୟାଧି । ସବୁଠି ଖରା । ଏପରିକି ସୂର୍ଯ୍ୟାସ୍ତରେ ବି ମଧ୍ୟାହ୍ନର ଖରା ଶେଷ ନୁହେଁ । ଆଧୁନିକ ଓଡ଼ିଆ କବିତାରେ ଏହି ମନୋଭଙ୍ଗୀ କୃତ୍ରିମ Poseଟିଏ ନୁହେଁ, ମୃତ୍ୟୁନାଚ କି ଦୁଃସହ ତୃଷ୍ଣା, ପଶ୍ଚିମର ଧ୍ୱନିଟିଏ ବ୍ୟଙ୍ଗମାତ୍ର ନୁହେଁ । ଆମ ଚାରି ପାଖର ଜୀବନଯାତ୍ରାରେ କ୍ଷୋଭ, ଅତୃପ୍ତି ଓ ବ୍ୟର୍ଥିତାବୋଧର ବୀଜ ବର୍ତ୍ତମାନ । ବରଂ ପ୍ରତ୍ୟେକଙ୍କର ଜୀବନଯାତ୍ରାରେ ବ୍ୟର୍ଥତାବୋଧର ବାଜ ବିଞ୍ଛି ହୋଇ ପଡ଼ିଛି । ତେଣୁ ସାହିତ୍ୟର ପ୍ରତିଭାବାରି ନିଷେଧକରେ ତାହାର ଯେବେ ଅଙ୍କୁରୋଦ୍‌ଗମ୍‌ ଘଟିଥାଏ, ତେବେ ବିସ୍ମିତ ହେବାର କୌଣସି କାରଣ ନାହିଁ । ଯେଉଁ ମୂଲ୍ୟବୋଧ ଓ ଆଦର୍ଶବାଦ ଅନ୍ତରରେ ଅନୁଭବ କରି ହୁଏ ନାହିଁ, ସାହିତ୍ୟରେ ତାହାର ଜୟଗାନ ଗାଇଲେ କେବଳ ଶୂନ୍ୟଗର୍ଭ ଭାବବିଳାସକୁ ପ୍ରଶ୍ରୟ ଦେବାକୁ ହୁଏ-। ବରଂ ଜୀବନର ସତ୍ୟ ପ୍ରତି ଅବିଚଳିତ ଶ୍ରଦ୍ଧା ହିଁ ପ୍ରକୃତ କାବ୍ୟ ପ୍ରେରଣାର ବିଶୁଦ୍ଧ ଉତ୍ସ । ସମସାମୟିକ ଜୀବନ ସହିତ ଅନ୍ତରଙ୍ଗ ସଂଯୋଗ ଓ ଅନ୍ତରର ଅନୁଭୂତି ପ୍ରତି ବିଶ୍ଵସ୍ତତା ଆଧୁନିକ କବିତାର ଧେୟ । ଅବଶ୍ୟ ସୌନ୍ଦର୍ଯ୍ୟସୃଷ୍ଟି କବିତାର ମୂଳକଥା । କବିମାନଙ୍କୁ ସବୁକାଳରେ ସବୁଠି ସୌନ୍ଦର୍ଯ୍ୟସୃଷ୍ଟିର ଅଲିଖିତ ଚୁକ୍ତିପତ୍ରରେ ସ୍ୱାକ୍ଷର କରିବାକୁ ପଡ଼ିଥାଏ । ତେଣୁ ଆଧୁନିକ କବିଙ୍କର ଉପାଦାନ ଯେତେ ବିକୃତ, ଅଙ୍ଗହୀନ ଓ ବିଶୃଙ୍ଖଳ ହେଉ ନା କାହିଁକି, ସେ ତାଙ୍କ କବି ମନର ବିଚ୍ଛୁରିତ ଆଲୋକରେ ତାକୁ ଯଥାସମ୍ଭବ ସୌନ୍ଦର୍ଯ୍ୟର ଅଙ୍ଗୀଭୂତ କରି ଦେଇଛନ୍ତି । ଆଧୁନିକ କବିତା ସୌନ୍ଦର୍ଯ୍ୟର ନିଗୂଢ଼ ନିୟମାନୁବର୍ତ୍ତିତାର ସର୍ତ୍ତ ମାନି ଚଳିଛି । କବିତାର କାମ ହେଲା କବିତା ହୋଇ ଉଠିବା । ଆଧୁନିକ କବିତା ପ୍ରଚଳିତ ଭାଷଣରୀତି ଲଂଘିଛି, ଶବ୍ଦ ବିନ୍ୟାସରେ ଅସାଧାରଣତ୍ଵ ଆଣିଛି, କିନ୍ତୁ ଏସବୁ ସତ୍ତ୍ଵେ ଅଖଣ୍ଡ ସୌନ୍ଦର୍ଯ୍ୟର ମୂର୍ତ୍ତି ଗଢ଼ିବାକୁ ଉନ୍ମୁଖ ରହିଛି । ଯେଉଁମାନେ ଭାବାବେଶର ଓ ଆଦର୍ଶବାଦର କବିତା ପଠନରେ ଅଭ୍ୟସ୍ତ, ତାଙ୍କ କାନରେ ଜୀବନର ଗୂଢ଼ ସଂଘର୍ଷ କର୍କଶ ଓ ବେସୁରା ଶୁଭିବ ନିଶ୍ଚୟ - କିନ୍ତୁ ତଦ୍ଦ୍ୱାରା ଆଧୁନିକ କବିତାର ରୁଚିହୀନତା ପ୍ରମାଣିତ ହେବ ନାହିଁ, ସେମାନଙ୍କର ରୁଚି ସଂକୀର୍ଣ୍ଣତା ପ୍ରମାଣିତ ହେବ ।

 

ଆଧୁନିକତାର ଠିକ୍‌ସଂଜ୍ଞା ଦେଇ ହୁଏ ନାହିଁ । ପ୍ରତ୍ୟେକ ଆଧୁନିକ କବି ସ୍ଵତନ୍ତ୍ର, ବୈଶିଷ୍ଟ୍ୟରେ ସମୁଜ୍ଜ୍ୱଳ । ତଥାପି ମନେ ରଖିବାକୁ ହୁଏ ଯେ ବିଶ୍ଵରେ ଏହି ଶତାବ୍ଦୀର ଆରମ୍ଭରୁ ଏପରି କୌଣସି ଘଟନା ଘଟିଛି, ଓଡ଼ିଶାରେ ସ୍ଵାଧୀନତା ପ୍ରାପ୍ତିପରେ ଏପରି କୌଣସି ଘଟନା ଘଟିଛି, ଯାହା ଫଳରେ ସଚ୍ଚିଦାନନ୍ଦ, ଗୁରୁପ୍ରସାଦ ରମାକାନ୍ତ, ସୀତାକାନ୍ତ, ସୌଭାଗ୍ୟ ମିଶ୍ର ଓ ରାଜେନ୍ଦ୍ର କିଶୋର ପଣ୍ଡା ଆଦିଙ୍କ କବିତାରେ ଏକ ଅସାଧାରଣ ଭଙ୍ଗୀ ଦେଖା ଦେଇଛି, ଯାହାକୁ ଆମେ ଆଧୁନିକତା କହୁଛୁ । ଉତ୍ତରାଧିକାର ସୁତ୍ରରେ ଓଡ଼ିଆ କବିମାନେ ଅବଶ୍ୟ ଏହି ଭଙ୍ଗୀ ଏଲିୟଟ୍‌, ରିଲ୍‌କେ, ପାସ୍ତରମବ, ସାଁ ଜାପାର୍ସ ଆଦିଙ୍କଠାରୁ ଲାଭ କରିଛନ୍ତି । ନୂଆ ଜୀବନାନୁଭୂବ ଓ ନୂଆ ପ୍ରକାଶ ଭଙ୍ଗୀର ପ୍ରବର୍ତ୍ତକ ସେମାନେ । ଏହି ସାଧାରଣ ଭଙ୍ଗୀ ଦୃଷ୍ଟିରୁ ଆଧୁନିକ କବିତାର ଆଧୁନିକତା ପାଇଁ କାମଚଳା ସଂଜ୍ଞାଟିଏ ପ୍ରସ୍ତୁତ କରିହେବ । କଳ୍ପନାର ସତେଜ ପରିପୂର୍ଣ୍ଣ ବୁଦ୍ଧିଦୀପ୍ତ ବ୍ୟବହାର ଆବେଗର ବସ୍ତୁଗ୍ରାହ୍ୟ ତୁଳନାମୂର୍ତ୍ତି ରଚନାପନ୍ଥା, ସୌନ୍ଦର୍ଯ୍ୟ ଓ ଶିଳ୍ପର ଶୁଦ୍ଧତାରେ ଆସ୍ଥା ଆତ୍ମସଚେତନତାର ପ୍ରସାର, ସ୍ଵାଭାବିକତା ପରିବର୍ତ୍ତେ କୃତ୍ରିମତାର ଅନୁଶୀଳନ, ଆତ୍ମବ୍ୟଙ୍ଗ ଓ ଆତ୍ନବୀକ୍ଷଣ ତଥା ଅନ୍ତର୍ଲୀନ ଆତ୍ମସଂଶୟ ଇତ୍ୟାଦିକୁ ଆଧୁନିକତାର ସଂଜ୍ଞାର ଭିଭି ଭାବରେ ସ୍ୱୀକାର କରାଯାଇଥାଏ । Abstraction (ବିମୂର୍ତ୍ତତା) ଓ Absurdity (ଅର୍ଥହୀନତା)କୁ କେହି କେହି ଆଧୁନିକତା କହିଥାନ୍ତି । ଆଧୁନିକ କବିତା କହିଲେ ଅବଶ୍ୟ Lyric କବିତାକୁ ବୁଝାଏ-। କିନ୍ତୁ ଏଇ ଲିରିକର କ୍ଷୁଦ୍ର ପରିସର ମଧ୍ୟରେ ଡ୍ରାମା ଓ ଏପିକ୍‌ର ବିଶାଳତା ଓ ବୈଚିତ୍ର୍ୟ ଆଣିଥାନ୍ତି ଆଧୁନିକ କବି । ଅନ୍ୟ ପକ୍ଷରେ ଆଧୁନିକତା ଜୀବନର ତୁଚ୍ଛାତିତୁଚ୍ଛ ଭାବନା ବେଦନାକୁ ସ୍ଵୀକାର କରେ । ଜୀବନର ଅନେକ କିଛି, ଯାହା ଏତେଦିନ ପର୍ଯ୍ୟନ୍ତ ଅନ୍ତ୍ୟଜ ଅସ୍ପୃଶ୍ୟ ଥିଲା, ତାହାକୁ ଆଧୁନିକତା ଜାତିକୁ ତୋଳି ନେଇଛି । ଲିରିକରେ ଆସିଛି ମହାକାବ୍ୟର ବିଶାଳତା, ଅନ୍ୟ ଦିଗରେ ଦେଖା ଦେଇଛି ଉପନ୍ୟାସର ପ୍ରାତ୍ୟହିକତା । କବିତା ଗତାନୁଗତିକତାର ସବୁ ସୀମା ଛାଡ଼ିଛି, ଉଚ୍ଚକଣ୍ଠ ଉଦ୍‌ବୋଧନର ଦାୟିତ୍ୱ ଛାଡ଼ିଛି । ଉପଦେଶର ଭାର, ଜ୍ଞାନର ଅଭିମାନ ଓ ହିତୈଷଣାର ଜଞ୍ଜାଳରୁ ମୁକ୍ତ ହୋଇଛି । ଦେଶପ୍ରୀତି, ସଂସ୍କାରସ୍ପୃହା ଉନ୍ନତ ଜୀବନାଦର୍ଶ ପ୍ରତିଷ୍ଟା, ମତବାଦ ପ୍ରଚାର ଓ ବୈଷମ୍ୟ ଅବିଚାର ବିରୁଦ୍ଧରେ ପ୍ରତିବାଦ ଇତ୍ୟାଦି ଉଦ୍ଦେଶ୍ୟ ମଧ୍ୟ ଛାଡ଼ିଛି । ଉଦ୍ଦେଶ୍ୟ ମୂଳକ କବିତା ଅବଶ୍ୟ ନିକୃଷ୍ଟ ହେବାକୁ ବାଧ୍ୟ ନୁହେଁ । ଆଧୁନିକ କବିତା ମଧ୍ୟ ଉଦ୍ଦେଶ୍ୟହୀନ ନୁହେଁ-। ସୁନ୍ଦରତମ ଉନ୍ନତତର ଜୀବନାଦର୍ଶ ପ୍ରତିଷ୍ଠାର ମହତ ଉଦ୍ଦେଶ୍ୟଦ୍ଵାରା ତାହା ଅନୁପ୍ରାଣିତ । କିନ୍ତୁ ସେଥିପାଇଁ ଅବିରଳ ଆତ୍ମଦର୍ଶନ ଓ ଆତ୍ମପରୀକ୍ଷା ହଁ ଆଧୁନିକତାର ଏକମାତ୍ର କବିକୃତ୍ୟ । ମୁଖ୍ୟତଃ ପ୍ରେମ, ସମୟ ଓ ଈଶ୍ଵରଙ୍କୁ ଘେନି ଆଧୁନିକତାର କାବ୍ୟ ପରିଧି ରଚିତ । ଉଚ୍ଛ୍ୱାସ କମ୍‌। ଏହି ପ୍ରସଙ୍ଗରେ ଆଧୁନିକତାର ଅନ୍ୟ ଏକ ବୈଶିଷ୍ଟ୍ୟ ସ୍ମର୍ତ୍ତବ୍ୟ । ଆଧୁନିକ କବିତାର ଅବ୍ୟବହିତ ପୂର୍ବରୁ ଥିଲା ରୋମାଣ୍ଟିକ୍‌ କବିତା । ରୋମାଣ୍ଟିକ୍‌ କବିତାର ପ୍ରତିକ୍ରିୟା ଭାବରେ ଆଧୁନିକ କବିତାର ଆତ୍ମପ୍ରକାଶ୍ୟ । ତଦ୍ଦ୍ୱାରା ନୂଆ ଏକ କ୍ଲାସିସିଜମ୍‌ର ଅନୁବର୍ତ୍ତନ ଘଟିଛି । କିନ୍ତୁ ରୋମାଣ୍ଟିକ୍‌ନ ହୋଇ କ’ଣ କବି ହୋଇ ହୁଏ ? ରୋମାଣ୍ଟିସିଜମ୍‌ ଏକ ଚିରନ୍ତନ ପ୍ରବଣତା - ତାହା ବ୍ୟକ୍ତି ମଣିଷକୁ ମୁକ୍ତିଦାନ କରେ । ସ୍ଵୀକାର କରିନିଏ ମଣିଷର ଅବିକଳ ଓ ସମଗ୍ର ବ୍ୟକ୍ତିତ୍ଵକୁ । ମଣିଷ ସେହି ରୋମାଣ୍ଟସିଜମ୍‌ ବଳରେ ନିଜ ଭିତରର ବିଶାଳ ସ୍ଵବିରୋଧମୟ ବିସ୍ମୟର ସମ୍ମୁଖୀନ ହୋଇପାରେ-। ତେଣୁ ଆଧୁନିକ କବି ପ୍ରକରଣରେ କ୍ଲାସିକ୍‌ମନେ ହେଲେ ହେଁ ଭାଷା ବ୍ୟବହାରରେ ଓ ମନୋପ୍ରତିନ୍ୟାସ କ୍ଷେତ୍ରରେ ବେଶ୍‌ ରୋମାଣ୍ଟିକ୍‌ । ତେଣୁ ଆଧୁନିକତା ହେଉଛି କ୍ଲାସିସିଜିମ୍‌ ଓ ରୋମାଣ୍ଟସିଜିମ୍‌ରେ ନିର୍ବିରୋଧ ସାଧନ । ରୋମାଣ୍ଟିକ୍‌ ବ୍ୟକ୍ତିବାଦର ଦୁର୍ବଳ ଆତିଶଯ୍ୟକୁ କ୍ଲାସିସିଜିମ୍‌ର ନୈବକ୍ତିକତା ଦ୍ଵାରା ପରିଶୋଧନ କରିନେବାର ନାମ ଆଧୁନିକତା - ଆଧୁନିକତା ଏକ ଦିଗରେ ଯେପରି ଶୁଦ୍ଧ ଆତ୍ମଗତ, ଅନ୍ୟ ଦିଗରେ ସେପରି ନୈବ୍ୟକ୍ତିକ । କବିତା ଆଉ ଆବେଗର ଉତ୍ସାର ହୋଇ ରହିନାହିଁ, ହୋଇଛି ଆବେଗର ଉତ୍ସାଦନ । ଆବେଗ ବିନା କ’ଣ କବିତା ରଚନା କରି ହୁଏ ? ପ୍ରକୃତରେ ଭଙ୍ଗୁର ଆବେଗକୁ ମନନ ଦ୍ୱାରା ଦୃଢ଼ରୂପେ ପ୍ରଦାନ କରିବାରେ ଆଧୁନିକତାର ସାର୍ଥକତା । ପ୍ରକୃତରେ ଆଧୁନିକତା ସବୁ କ୍ଷେତ୍ରରେ ବୈପରୀତ୍ୟର ଆଶ୍ରୁୟ ଭାଗୀ । ତାହା ଏକ ଦିଗରେ ଯେପରି ସ୍ୱଗତୋକ୍ତି, ଅନ୍ୟ ଦିଗରେ ସେପରି ଏକ ସମ୍ବୋଧନ । ସେଥିରେ ପ୍ରେରଣା ଓ ପରିଶ୍ରମ, ହାତ ଧରାଧରି ହୋଇ ଚାଲନ୍ତି, ଗଦ୍ୟ ଓ ପଦ୍ୟ ସବୁ ବିରୋଧ ଭୁଲି ସହାବସ୍ଥାନ କରନ୍ତି ।

 

ଆଧୁନିକ କବି ମଧ୍ୟ ଏକାଧାରରେ ବକଯନ୍ତ୍ର ଓ ଦ୍ରାକ୍ଷାପୁଞ୍ଜ, ଜନ୍ମାନ୍ଧ ଓ ଶତଚକ୍ଷୁ, ଟେନସର ଜନ୍ମଦାତା ଓ ସନ୍ତାନ ଏକ ଦେଶଦର୍ଶୀ ଓ ସର୍ବଦୃଷ୍ଟିମୟ । ମମତାରେ ମାତା ଓ ନିଷ୍ଣୁରତାରେ ଜହ୍ଲାଦ, ଅସଭ୍ୟ ଓ ସୁସଭ୍ୟ - ହଜାର ରକମର ବୈପରୀତ୍ୟର ଧାରକ ଓ ବାହକ । ଆଧୁନିକତା ବହୁ ବୈପରୀତ୍ୟ ମଧ୍ୟରେ ନିଜର ସମନ୍ଵୟ ଆଣିଦିଏ । ଆଧୁନିକ କବିମାତ୍ରେ । tension କବି । ପରସ୍ପର ବିରୋଧୀ ଦୁଇ ଦୁଇ ଆବେଗ-ମନନ ମଧ୍ୟରେ ଆତ୍ମିକ ଭାରସାମ୍ୟ ଆଣିଥାଏ କବିତା । ତେଣୁ କେହି କେହି ମଧ୍ୟ ଟେନସନ୍‌ର ସୌନ୍ଦଯ୍ୟ ଦର୍ଶନକୁ ଆଧୁନିକ ଅଭିଧାରେ ଚିହ୍ନିତ କରିଥାନ୍ତି।

 

ଶେଷ କଥା, ଆଧୁନିକ କବିତାରେ ଆଧୁନିକତା କଳାକୁ ଆଉ imitation ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ‘All art is imitition’ କଥାଟାକୁ କ୍ଲାସିସିଷ୍ଟମାନଙ୍କ ଅପେକ୍ଷା ରୋମାଣ୍ଟିକ୍‌ମାନେ ଅଧିକ ଶ୍ରଦ୍ଧା ଓ ସମ୍ମାନ ଜଣାଇଛନ୍ତି । ସେଦିନ ବ୍ଲେକ୍‌ କହିଥିଲେ, "the fool sees nor the same tree that the whos man sees”. ନିର୍ବୋଧ ଯେପରି ନିଜର ସ୍ୱାଭାବିକ ଦୃଷ୍ଟିର ଅନନ୍ୟତା ରକ୍ଷା କରି ନପାରେ ସେଥିଲାଗି ଆମର ଉଦ୍ୟମର ସୀମା ନାହିଁ । ଆମର ଶିକ୍ଷା ଉଦ୍‌ଯୋଗର ଉଦ୍ଦେଶ୍ୟ ହେଲା ଯେ, ମୂର୍ଖ ଜ୍ଞାନୀର ଦୃଷ୍ଟିଭଙ୍ଗୀ ଲାଭକରୁ । ଆଧୁନିକ କବିମାନେ ପ୍ରତିବାଦ କରିଛନ୍ତି । ତାଙ୍କର ଆଧୁନିକତା କଳାକୁ communication ବୋଲି ଘୋଷଣା କରିଛି । ତାଙ୍କର ଇସ୍ତାହାର ଏମିତି ଲେଖା ହୋଇ ପାରନ୍ତା :

 

I recreate in my poetry the world I perceive, not the world seen by Shakespeare, or Milton or Keats, or any other. I strive in my poetry to communicate my own perceptions, not to make you see what I see, but to recreate for you the experience I have in my unique perception of the universe, and in the unique universe I create about me from the material of my own sensations.” (The Ninteteen - Twenties by A.C.Ward )

 

ଉପଲବ୍‌ଧିର ଅନନ୍ୟତା ହିଁ ଆଧୁନିକତା । କବି ଗୋଟିଏ ନୂଆ material world ସୃଷ୍ଟି କରନ୍ତି । ତଦ୍ଦ୍ୱାରା ଚେତନାର ନବ ଦିଗନ୍ତ ଉନ୍ମୋଚିତ ହୁଏ । ଏ କ୍ଷେତ୍ରରେ ଭାଷା ନୂଆ ହେବାକୁ ବାଧ୍ୟ ହୁଏ । ଗୃହିତ ଶବ୍ଦ ଓ ଅଭ୍ୟସ୍ତ ଅଭିବ୍ୟକ୍ତ କୌଣସି, କାମରେ ଲାଗେ ନାହିଁ । ପ୍ରକୃତରେ କବିତା ଭାଷାର ଶିଳ୍ପ - ଏ sensibility ବଦଳାନ୍ତି ନାହିଁ । ଭାଷା ବଦଳାନ୍ତି - sensibility alters from generation to generation, but it requires a genius to alter language. ନୂଆ ଭାଷାରେ ନୂଆ ଉପଲବ୍‌ଧିର ଅଳ୍ପ କେତୋଟି ଦୃଷ୍ଟାନ୍ତ ଦିଆଯାଇପାରେ । ସଚ୍ଚିଦାନନ୍ଦ ରାଉତରାୟ : ରୁହିତନ ସୂର୍ଯ୍ୟ, ସ୍ତବ୍‌ଧ ଝଞ୍ଜାମୟ ଗାନ, କ୍ରୂର ପେଚକସ, ଅଗସ୍ତି ଫୁଲିଆ ଜହ୍ନ, ଜନ୍ତୁର ଜ୍ୟାମିତି, ଅବିଧବା ରାତି, ବାଇଗଣି ପ୍ରହର, ରେଶମୀ ହିନ୍ଦୀ, ପୋଷ୍ଟକାର୍ଡପାଲ, ପାଣିଖରା, ମଣ୍ଡଶର ପଣଖରା ଖୋସାପରି ଖରଳ, ସକାଳ ଶୁଆପକ୍ଷୀ ଶର, ଜୀବନର ବିଷୁବ ମୋଡ଼, ଡହ ଡହ ସ୍ଵପ୍ନ, ଜାଲଦିନ, ନିର୍ଧୁମ ସକାଳ, ଖାକି ହସ, ‘ଖଦଡ଼ ହସ, ନୀଳଶୈଶବ ଇତ୍ୟାଦି । ରମାକାନ୍ତ ରଥ : ନିଛାଟିଆ ଧୂଳି ଆତ୍ମା ହଜେ । ପ୍ରତିଦେହ ରଖୁଥିଲି ଚଉତି ଚାଉତି ରେଜେଇ ପରି, ମଲାମୂଷା ପରି ଗନ୍ଧ କରୁଥିଲା ଭବିଷ୍ୟତ ମୋର, ଚେକା ଚେକା କଳାରକ୍ତ ଭଲ ଅରୁଆ ପରି ବାସୁଥିଲା, ଫୁଲଙ୍କ ସୁବାସ ଅବରୁଦ୍ଧ ବକ୍ତବ୍ୟ ରହିଲା ପରି ଭୂମିକା ନ ପାଇ, ବିରକ୍ତି ଆସିଲା । ମଶାଣିର ଦମକାଏ ଥଣ୍ଡାହାଓ୍ୱା ପରି, ଆକାଶ ଦିଶିଲା ମଲାମୂଷା ପେଟପରି, ଧୂଆମୁହଁ ପରି ଗୋଡ଼, ତ୍ୟକ୍ତ କନ୍ଥାପରି ଭାସୁଥିବା ନିଷ୍ପାଣ ହାତ ଇତ୍ୟାଦି । କବି ଜଗତ ଜୀବନକୁ କିପରି ଅନୁଭବ କରୁଛନ୍ତି ତାହା ରୂପ ପାଇଛି ଏ ଭାଷାରେ ବର୍ଣ୍ଣନାର ଅଧ୍ୟାୟ ଶେଷ । Sensation ବଡ଼ କଥା । ଉଇଲସନଙ୍କ ମନ୍ତବ୍ୟ ଏଠାରେ ଉଦ୍ଧାର କରାଯାଇପାରେ । ଆଧୁନିକ କବିଙ୍କ ସମ୍ପର୍କରେ ସେ କହନ୍ତି:

 

Each poet has his unique personality, each of his moments has its special tone, its special combination of elements and it is the poet-taste to find to invent the special language which will alone be capable of expressing his personality and feeling. (Axel’s castle)

 

ଆବେଗ ଓ ମନୋଭଙ୍ଗୀର ଫଳାଫଳ ଦେଖାଇବାକୁ ନୂଆ ଭାଷା ଅବଶ୍ୟ ପ୍ରୟୋଜନୀୟ-। ଏହି ନୂଆ ଭାଷାର ଆବେଗ ସମ୍ମତ ବ୍ୟବହାର ହିଁ ଆଧୁନିକତାର ଶେଷକଥା । ଆଧୁନିକ କବି ଶୁଦ୍ଧ ସୌନ୍ଦର୍ଯ୍ୟକୁ କବିତାର ମୂଳ ବିଷୟ ବୋଲି ମନେ କରନ୍ତି ଓ ଏହି ସୌନ୍ଦର୍ଯ୍ୟର ପ୍ରକାଶ ପାଇଁ ଶୁଦ୍ଧ ଭାଷାର ଅନୁସନ୍ଧାନ କରିଥାନ୍ତି ।

 

ଆଧୁନିକ କବିତାର ଭାବ ଯେପରି କେତେକ ବିଶେଷ ଲକ୍ଷଣ ଦ୍ଵାରା ଚିହ୍ନିତ, ତାହାର ପ୍ରକାଶକଳା ବା ଶିଳ୍ପଗତ ପ୍ରୟୋଗ ସେପରି କେତୋଟି ବିଶେଷ ବୈଶିଷ୍ଟ୍ୟ ଯୋଗୁ ଦୃଷ୍ଟି ଆକର୍ଷଣ କରିଥାଏ । ଭାବ ଓ ଆଙ୍ଗିକର ଅଖଣ୍ଡ ସମୀକରଣ ଆଧୁନିକତାକୁ ଗୁରୁତ୍ୱ ଦେଇଥାଏ । ଏ କ୍ଷେତ୍ରରେ ବାକ୍‌ରୀତି ସହିତ କାବ୍ୟରୀତିର ମିଳନ କଥା ପ୍ରଥମେ କୁହାଯାଇଥାଏ । ଗଦ୍ୟ ଓ ପଦ୍ୟ ନିର୍ବିରୋଧ ମିଳନରେ ଉପନୀତ ହୋଇଥାନ୍ତି । ଲଳିତ କୋମଳ ସମ୍ଭ୍ରାନ୍ତ ଶବ୍ଦ ସହିତ କବି ଦ୍ୱିଧାହୀନ ଭାବରେ ରୁକ୍ଷ କର୍କଶ ଅମସୃଣ ଦୈନନ୍ଦିନ ତୁଚ୍ଛ ଶବ୍ଦର ବ୍ୟବହାରକୁ ଶିଳ୍ପୋତ୍ତୀର୍ଣ୍ଣ କରିପାରନ୍ତି । ଶବ୍ଦକୁ ତାର ପୁରାତନ ଅର୍ଥହାତରୁ ମୁକ୍ତ କରି ନବ ଅର୍ଥଦାନ ଦେବାରେ ଆଧୁନିକତାର କୃତିତ୍ୱ । ଅଭୂତ ଉପମା, ଅନଭ୍ୟସ୍ତ ପ୍ରତୀକ ଚିତ୍ରକଳ୍ପ ଓ ବିଚିତ୍ର ଅନୁଷଙ୍ଗ ବ୍ୟବହାର ଆଧୁନିକ କବିତାକୁ ପୂର୍ବବର୍ତ୍ତୀ କବିତାଠାରୁ ପୃଥକ କରିଥାଏ । ଏଗୁଡ଼ିକ ଅଳଙ୍କରଣ ନୁହନ୍ତି, ଏଗୁଡ଼ିକ ଅନ୍ତର୍ଦୀପ୍ତିର ଧାରକ । ଛନ୍ଦ ଆଙ୍ଗିକର ବଡ଼ ମୂଲ୍ୟବାନ ଉପାଦାନ । ପ୍ରଚଳିତ ମେଳ ମାତ୍ରା, ସ୍ତବକ ନିର୍ମାଣର ପରିପୂର୍ଣ୍ଣ ରୀତିନୀତି ବାହାରକୁ ଚାଲି ଆସିଛି ଆଧୁନିକ କବିତା । Verse Libre ବା free verse ଓ prose poem ଏହି ଦୁଇ ପ୍ରକାର ଛନ୍ଦ ଆଧୁନିକ କବିତା ବ୍ୟବହାର କରେ ।

 

ଯତିପାତର ରୀତି ଲଂଘନ, ସମେଳ ଓ ଅମେଳ ପଙ୍‌କ୍ତି ବା ଚରଣର ଦୈର୍ଘ୍ୟର ବିପୁଳ ଅସମତା ମୁକ୍ତ ଛନ୍ଦର ଲକ୍ଷଣୀୟ ବୈଶିଷ୍ଟ୍ୟ । ଗଦ୍ୟ ଛନ୍ଦରେ ଛନ୍ଦୋମୁକ୍ତିର ଚୂଡ଼ାନ୍ତ । ଭାବବସ୍ତୁ ଅବଶ୍ୟ କବିତା ପ୍ରଯୁକ୍ତ ଶୁଦ୍ଧ ଆବେଗ । କଥ୍ୟଭାଷା ଭଙ୍ଗୀ, କଥ୍ୟଶବ୍ଦ ଓ ଛନ୍ଦର କଥ୍ୟଭଙ୍ଗିମା କବି ଏଲିୟଟଙ୍କ ଦ୍ଵାରା ଅନୁଶୀଳିତ ହୋଇଥିଲା । ଓଡ଼ିଆ କବିମାନେ ସେଠାରୁ ପ୍ରେରଣା ପାଇଛନ୍ତି । କବିତାର ଭାଷାକୁ ପ୍ରତିଦିନର ଭାଷା ନିକଟକୁ ଆଣିବାକୁ କବି ଏ ଅନୁଭବ କରିଛନ୍ତି । କାବ୍ୟିକ ଓ ଅକାବ୍ୟିକ ତଥା ପ୍ରାଚୀନ ଓ ନୂତନ ଶବ୍ଦର ମିଶ୍ରଣ । ଉଦ୍ଧୃତିର ବ୍ୟବହାର ଆଧୁନିକ କବିତାର ଭାଷାଗତ ଅଙ୍ଗୀକାର ପ୍ରଧାନ ବୈଶିଷ୍ଟ୍ୟ ।

 

ଶେଷରେ ଆଧୁନିକ କବିତାର ଅନ୍ୟତମ ପ୍ରଧାନ କାବ୍ୟକଳା Juxtaporsirrion ବା ପ୍ରତିସାମ୍ୟ ରଚନା କୌଶଳ ବିଷୟରେ ନ କହିଲେ କଥାଟା ଅସମ୍ପୂର୍ଣ୍ଣ ରହିବ । ଦୁଇଟି ବିଷମ ବ୍ୟାପାର ପାଖକୁ ପାଖ ଦୁଇ ପଙ୍‌କ୍ତିରେ ସ୍ଥାପନ କରି ଅନନୂଭୂତ ଅନାଚ୍ଛାଦିତପୂର୍ବ ଏକ ସମତା ଦେଖାଇବାକୁ ହେବ । ପ୍ରତିସ୍ଥାପିତ ବସ୍ତୁ ଦୁଇଟି ପରସ୍ପରକୁ ବୈଷମ୍ୟରେ ଆଲୋକିତ କରିବେ ଓ ଜଟିଳ ଆବେଗକୁ ପ୍ରତିତୁଳନାରେ ପ୍ରଖର କରିଦେବେ । ହାତ ପାଆନ୍ତାରୁ ଉଦାହରଣଟିଏ ଦିଆଯାଇପାରେ –

 

ଆଉ କିଛିକାଳ ଏଠି ରହିଥିଲେ

ଭଲ ହୁଅନ୍ତା । ଶିଁଶପା ବୃକ୍ଷର ଡାଳେ,

ହନୁ ମନେ ମନେ ଭାଳେ,

ଯାହାକୁ ମୁଁ ଦେଖୂଲଇଁ ବେନି ଡୋଳେ

ସେ ନିଶ୍ଚେ ସୀତା ।

ଅଥବା ମୃତ୍ୟୁର ଜାହାଜ ।

- ଆଉ କେତେ କାଳ

(ସୌ.କୁ,ମିଶ୍ର)

 

ସୀତା ପାଖରେ ମୁତ୍ୟର ଜାହାଜ ପ୍ରତିସ୍ଥାପନା ହିଁ ଏହି Juxtaporsirrion କାବ୍ୟକଳା । ଆଧୁନିକ କବିମାନେ ଏହି କୌଶଳଟି ପ୍ରାୟ ବ୍ୟବହାର କରିଥାନ୍ତି । ରୋମାଣ୍ଟିକ୍‌ କବିତାରୁ ପାଉଣ୍ଡ ଏହାକୁ ଆବିଷ୍କାର କରନ୍ତି ଓ ଏଲିୟଟ୍‌ ଏହାର ପ୍ରୟୋଗରେ ଯଶସ୍ୱୀ ହୁଅନ୍ତି The Waste Land କାବ୍ୟର ପରବର୍ତ୍ତୀ କାଳରେ ଏହି ପ୍ରତିସାମ୍ୟ ରଚନା କୌଶଳ ଆଧୁନିକତାର ଏକ ବିଶେଷ ଲକ୍ଷଣ ହୋଇ ଉଠିଛି ।

 

ଆଧୁନିକତାର ପାଠକ ଗୋଷ୍ଠୀ ଦିଗଟା ବିବେଚନା କରିବାର ପ୍ରୟୋଜନ ଅଛି । କବିତା ଠିକ୍‌ ଏକ ତରଫା ବ୍ୟାପାର ନୁହେଁ । ପାଠକ ସହିତ କବିଙ୍କର ସ୍ୱତଃସ୍କୁର୍ତ୍ତ ସମପ୍ରାଣତା ଓ ରୁଚିସାମ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେ ଦିଗରୁ ଦେଖିଲେ ଆଧୁନିକ କବିତାର ଆଧୁନିକତା ପାଠକ ବିମୁଖ । Paul de Man କହିଛନ୍ତି, “Modern poetry is no longer concerned with a reader, It does not want to understood. It is a hallucinatory storm, flashes of lightning hoping at most to creat the fear before danger that stems from an attraction towards danger.” (Lyric and Modernity) । ତାର କାରଣ ଅଛି । କବିଙ୍କ ସହଜ ଅନ୍ତର ପ୍ରେରଣା ହିଁ କବିତାର ମୁଖ୍ୟ ଉପାଦାନ । ତେଣୁ ସେ ନିଜସ୍ଵ ଅନୁଭୂତିକୁ ବିସର୍ଜନ ଦେଇ ପ୍ରାକୃତ ଲୋକଙ୍କ ରୁଚିର ଅନୁବର୍ତ୍ତନ କରିବାକୁ ବାଧ୍ୟ ନୁହନ୍ତି । ନୂଆ ବିଷୟବସ୍ତୁ ? ନୂଆ ଭାବ ଓ ଭାଷାକୁ ଅସ୍ଵୀକାର କରୁଥିବା ପର୍ଯ୍ୟନ୍ତ ପାଠକ ଆଧୁନିକ କବିତା ସ୍ଵାଦରୁ ବଞ୍ଚିତ ରହିବ । ଏହା ଆଧୁନିକତାର ଦୁର୍ବଳତା ନୁହେଁ, ପାଠକର ଅକ୍ଷମତା ।

 

***

 

ଆଦିବାସୀ ସଙ୍ଗୀତ

ଡକ୍ଟର ସୀତାକାନ୍ତ ମହାପାତ୍ର

 

ସଙ୍ଗୀତ ମଣିଷ ସଭ୍ୟତା ଓ ସଂସ୍କୃତିର ସର୍ବୋଚ୍ଚ ସୃଷ୍ଟି ବୋଲି ଅନେକଙ୍କର ମତ । ମଣିଷ ତା’ର ଜୈବିକ ସ୍ଥିତିର ଭର୍ଦ୍ଧ୍ୱରେ, ବୁଦ୍ଧି ଓ କଳ୍ପନା ଦ୍ଵାରା, ଇନ୍ଦ୍ରିୟାନୂଭୂତ ଆବେଗକୁ ଏକ ନୂତନ ବିଶ୍ଵକୁ ଉନ୍ନୀତ କରିଥାଏ ଯେଉଁଠି ରଙ୍ଗ, ସ୍ଵର ଓ ଶବ୍ଦ ଦ୍ଵାରା ସେ ମୃତ୍ୟୁକୁ ସାମନା କରେ, ଚିରନ୍ତନ ଆବାହନ କରେ । ବ୍ୟକ୍ତିଗତ ମୃତ୍ୟୁ ପରେ ବି ନିଜ ସୃଷ୍ଟି ଭିତରେ ବଞ୍ଚି ରହିବାର ସ୍ଵପ୍ନରୁ ସବୁ କଳାର ସୃଷ୍ଟି । ନିଜର ନିର୍ଜନତା ଏବଂ ସମଗ୍ର ସମାଜ ସହିତ ଜଡ଼ିତ ସ୍ଥିତି ଏ ଉଭୟବିଧ ଅନୁଭବ ଓ ଆବେଗରୁ କଳା ତା’ର କଥାବସ୍ତୁ ଓ ପ୍ରେରଣା ଆହରଣ କରିଥାଏ । ମଣିଷର ସହଜାତ ମାନବିକ ପ୍ରବୃତ୍ତିଚୟର ସବୁଠୁଁ ନିଷ୍କପଟ, ନିରୋଳ ଓ ଅବିମିଶ୍ରିତ ପରିପ୍ରକାଶ ସଙ୍ଗୀତରେ ହିଁ ସମ୍ଭବ ହୁଏ । ଏଠି ନା ଭାଷା, ନା ରଙ୍ଗ ନା ନିହାଣ କି ମୁଗୁର କିଛି ପ୍ରତିବନ୍ଧକ ହୋଇ ଛିଡ଼ା ହୁଏନି-। ସେଇଥିପାଇଁ ସଙ୍ଗୀତର ଆବେଦନ ସାର୍ବଜନୀନ । ଇତିହାସ କି ସମାଜର ବିଶିଷ୍ଟତା ଏହାର ଆବେଦନକୁ ବାଧିତ କରିନଥାଏ ।

 

ସଙ୍ଗୀତ ପୁଣି ଶାସ୍ତ୍ରୀୟ ଓ ଲୌକିକ ଭେଦରେ ବହୁବିଧ । ମୋଟାମୋଟି ଭାବେ କହିବାକୁ ଗଲେ ଶାସ୍ତ୍ରୀୟ ସଙ୍ଗୀତରେ ମନ ଓ ବୁଝି ଅର୍ଥାତ୍‌ ଚିନ୍ତାଶକ୍ତିର ପ୍ରଭାବ ଅଧିକତର । ଲୋକ ସଙ୍ଗୀତ ବେଶୀ ପରିମାଣରେ ସାମାଜିକ ତଥା ବ୍ୟକ୍ତିଗତ ଆବେଗ-ପ୍ରସୂତ । ଏକପକ୍ଷରେ ଏହା ସମାଜର ଜୀବନ-ଛନ୍ଦ, ପର୍ବପର୍ବାଣି, ଜନ୍ମ ମୃତ୍ୟୁ, ବିବାହ ପ୍ରେମ ଇତ୍ୟାଦି ଘଟଣାମାନଙ୍କ ସହିତ ଗଭୀର ଭାବେ ଜଡ଼ିତ । ଅନ୍ୟ ପକ୍ଷରେ ବ୍ୟକ୍ତିର ଆବେଗ ସହିତ ମଧ୍ୟ ଏହା ପ୍ରତ୍ୟକ୍ଷ ଭାବେ ଜଡ଼ିତ । ତେଣୁ ପରମ୍ପରା, ସାମାଜିକ ଆବେଦନ ଏବଂ ଇନ୍ଦ୍ରିୟାନୁଭୂତ ଆବେଗ ଲୋକ-ସଙ୍ଗୀତରେ ଅଧିକତର ପ୍ରଭାବଶାଳୀ ।

 

ଆଦିବାସୀ ସଙ୍ଗୀତ ଲୋକ-ସଙ୍ଗୀତ କ୍ଷେତ୍ରରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରେ । ଭାରତବର୍ଷରେ ଏତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଥିଲେ ମଧ୍ୟ ସେମାନଙ୍କର ସଙ୍ଗୀତ ଓ ନୃତ୍ୟ ସମ୍ବନ୍ଧରେ ଏଯାବତ୍‌ ବିଶେଷ କିଛି ଉଲ୍ଲେଖନୀୟ କାର୍ଯ୍ୟ ହୋଇନାହିଁ । କେବଳ ଓଡ଼ିଶାରେ ୬୨ଟି ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଏବଂ ଅନେକ ସାମଞ୍ଜସ୍ୟ ସତ୍ତ୍ଵେ ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ଵ ସଙ୍ଗୀତ ଓ ନୃତ୍ୟ ପରମ୍ପରା ଅଛି । ଆଦିବାସୀ ସମ୍ପ୍ରଦାୟର ସଙ୍ଗୀତ ଓ ମୌଖକ କବିତା ଏକ ଓ ଅଭିନ୍ନ । ପରମ୍ପରାକ୍ରମେ ଗୋଟିଏ ପୀଢ଼ିରୁ ପରବର୍ତ୍ତୀ ପୀଢ଼ିକୁ ଏ ସଙ୍ଗୀତ ମୁହଁରୁ ମୁହଁକୁ, କଣ୍ଠରୁ କଣ୍ଠକୁ ଗଡ଼ିଚାଲେ । କେହି କେଉଁଠି ତାକୁ ଲିପିବଦ୍ଧ କରି ରଖି ନଥାଏ । ଯିଏ ସଙ୍ଗୀତ ସେଇ ହିଁ କବିତା । ପୁଣି ସଙ୍ଗୀତ ସହ ନୃତ୍ୟ ସବୁବେଳେ ମିଶି ରହିଥାଏ । ଏକକ ନୃତ୍ୟ ଆଦିବାସୀମାନଙ୍କ ମଧ୍ୟରେ ଖୁବ୍‌ ବିରଳ । ଅଧିକାଂଶ ନୃତ୍ୟ ସାମୂହିକ ବା ଗୋଷ୍ଠୀଗତ ।

 

ତୃତୀୟତଃ ସଙ୍ଗୀତ ବହୁବିଧ ଧର୍ମ-ସମ୍ବଳିତ ପୂଜାପାଠ ଓ ଘଟଣା ସହିତ ସଂପୃକ୍ତ, ଅର୍ଥାତ୍‌ ଏହି ପ୍ରକାର ଆନୁଷ୍ଠାନିକ ସାମାଜିକ କ୍ରିୟା ସହିତ ହିଁ ସଙ୍ଗୀତ ମିଶି ରହିଥାଏ । ଦେବଦେବୀଙ୍କ ପୂଜା, ବିବାହ, ଜନ୍ମ, ମୃତ୍ୟୁ ଇତ୍ୟାଦି ନାନାବିଧ ସାମାଜିକ ଘଟଣା ଉପଲକ୍ଷେ ସଙ୍ଗୀତ ସୃଷ୍ଟି ହୋଇଥାଏ । ବିହନ ବୁଣାଠାରୁ ବିଲବଛା ଓ ଫସଲ ଅମଳ - ଶସ୍ୟଭିତ୍ତିକ, କୃଷିଭିତ୍ତିକ ଆଦିବାସୀ ସମ୍ପ୍ରଦାୟରେ ପ୍ରତି ପର୍ଯ୍ୟାୟ ପାଇଁ ନିର୍ଦ୍ଦିଷ୍ଟ ଦେବଦେବୀଙ୍କ ପୂଜା ଆରାଧନା, ନିର୍ଦ୍ଦିଷ୍ଟ ସଙ୍ଗୀତ ଓ ନିର୍ଦ୍ଧିଷ୍ଟ ନୃତ୍ୟ ସ୍ଥିର ହୋଇ ରହିଥାଏ । ସେଥିରେ ଏତେଟିକେ ଏପଟ ସେପଟ ହୁଏନି । ତା’ ସହିତ ସାଧାରଣ ମନଫୁଲାଣିଆ, ସାମୂହିକ ଆନନ୍ଦଚର୍ଯ୍ୟା ଗୀତ (ଯେମିତି ସାନ୍ତାଳୀ ଲାଗେଶ) ମଧ୍ୟ ଥାଏ । ସଂକ୍ଷେପରେ କହିଲେ ଏଠି ସଙ୍ଗୀତ, ନୃତ୍ୟ, ରିଚୁଆଲ ଓ ଧର୍ମ-ଧାରଣା ଏକତ୍ରିତ ।

 

ଆଦିବାସୀ ସଙ୍ଗୀତର ଅର୍ଥାତ୍‌ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ବିବିଧ କିସମର ସଙ୍ଗୀତର ସ୍ରଷ୍ଟା କିଏ, ଏ ପ୍ରଶ୍ନ ଅବାନ୍ତର । କୋଉ ଅଜଣା ଇତିହାସର ପ୍ରାକ୍‌କାଳରେ କିଏ ଗୀତ ପଦିଏ ବୋଲିଦେଲା - ପିଲାଟିଏ ଜନ୍ମ ହେଲାପରେ, କି ତା’ ନାଁଟିଏ ଗାଁର ବୁଢ଼ୀମାନେ ଦେଲାବେଳେ, ପ୍ରେମ କି ବିବାହ, କି ମୃତ୍ୟୁ ବେଳେ କି କୃଷିକର୍ମର ବିଭିନ୍ନ ପର୍ଯ୍ୟାୟରେ - ଆଉ ସେ ସଙ୍ଗୀତ ସେମିତି ଯୁଗ ପରେ ଯୁଗ ଗଡ଼ି ଆସିଲା । କିଛି ପରିବର୍ତ୍ତନ ଏଠି ସେଠି ହେଲା ସିନା କିନ୍ତୁ ମୂଳତଃ ଗୀତର ଅର୍ଥ, ଧାଡ଼ି ଓ ଛନ୍ଦ ଅପରିବର୍ତ୍ତିତ ରହିଲା । ଗୀତସ୍ରଷ୍ଟା ତେଣୁ ସମାଜ, ସମୂହ ସମ୍ପ୍ରଦାୟ । ନିଜେ କୌଣସି ବିଶିଷ୍ଟ ସଙ୍ଗୀତ ବା ଘରାନା ବା ଗୋଷ୍ଠୀର ସ୍ରଷ୍ଟା ବୋଲି କୌଣସି ଆଦିବାସୀ ସମ୍ପ୍ରଦାୟରେ କେହି କେବେ ନାଁ କମେଇନି, ଯଶ ଖୋଜିନି । ସଙ୍ଗୀତର ଆନନ୍ଦରେ ସେ ନିଜକୁ ମିଶେଇ ଦେଇଛି, ସ୍ଵରରେ ସ୍ଵର ମିଳେଇଛି - ବଣ ଜଙ୍ଗଲର ଚଢ଼େଇମାନେ ଏକାଠି ମିଶି କାକଳି ସ୍ପଷ୍ଟି କଲା ପରି । କୋଣାର୍କ, ଖଜୁରାହୋର ସ୍ଥପତି କୋଉଠି ମନ୍ଦିର ଗାତ୍ରରେ ନିଜ ନାଁ ଲେଖିଦେଇ ଯାଇନାହାନ୍ତି । ଅଜନ୍ତାର ଚିତ୍ରକର ବି କୋଉଠି ନିଜ ନାଁ ଚିତ୍ରପଟର କଣରେ ସ୍ଥାନିତ କରି ନାହାନ୍ତି । ସେମାନଙ୍କ ପରି ଆଦିବାସୀ ସଙ୍ଗୀତଜ୍ଞ ଏକ ମହାନ ସାମୂହିକ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାକୁ ସେ କିଛି ଗୁରୁତ୍ୱ ଦେଇନାହିଁ ।

 

ଛୋଟିଆ ଛୋଟିଆ ପାହାଡ଼, ଅଳ୍ପ ବହୁତ ଜଙ୍ଗଲ, କେଉଁଠି ଭୀମକାନ୍ତଃ ଛାୟାଘନ ତ ଆଉ କେଉଁଠି କ୍ଷୀଣ । ତା’ ଭିତରେ କୁନି କୁନି ଗାଁ ଆଉ ବସ୍ତି । କୋରାପୁଟ, ଫୁଲବାଣୀ, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କଳାହାଣ୍ଡି-ଓଡ଼ିଶାର ଆୟତନର ଶତକଡ଼ା ଚାଳିଶ ଭାଗରୁ ଅଧିକ ଅଂଶରେ ସେମାନଙ୍କର ବସତି ଆଉ ଲୋକସଂଖ୍ୟା ଦୃଷ୍ଟିରୁ ସମୁଦାୟ ପ୍ରଦେଶର ଲୋକସଂଖ୍ୟାର ଏକ-ଚତୁର୍ଥାଂଶ । ବିଭିନ୍ନ ଆଦିବାସୀ ଗାଁ ଭିତରେ ଘର ଗୁଡ଼ିକର ଅବସ୍ଥିତି ଭିନ୍ନ ଭିନ୍ନ କିସମର । କେଉଁଠି ସାନ୍ତାଳୀ ଗାଁ ପରି ଘର ଗୁଡ଼ିକ ରାସ୍ତା ଦି’କଡ଼େ ଧାଡ଼ି ଧାଡ଼ି, ସୁନ୍ଦର ଚିତ୍ରପକା କାନ୍ଥ, ନିଚିପର ରଙ୍ଗମାଟି ଲିପା ହୋଇ କେଉଁଠି ଗୋଟିଏ ଜାଗାରେ ଅରା ଅରା ଘର । ଏମିତି ଧାଡ଼ି ଧାଡ଼ି ନୁହେଁ, ସଓରା ଗାଁ ଯେମିତି । ଆଦିବାସୀ ଗୋଷ୍ଠୀ ଅଣ-ଆଦିବାସୀଙ୍କ ସହିତ ଯୁଗ ଯୁଗ ଧରି ଚଳି ଆସିଛନ୍ତି । ଚଳଣି, ଘର ତିଆରି, ବାସ, ଖାଇବା ପିନ୍ଧିବା, ନାଚଗୀତ, ପର୍ବପର୍ବାଣି, ଧର୍ମବିଶ୍ଵାସ, ସଂସ୍କୃତି - ସବୁଥିରେ ବିଶିଷ୍ଟତା ଅଛି, କିନ୍ତୁ ତା’ ସହିତ ଦବା ନବା ବି ଚାଲିଛି । ଅନ୍ୟ ସମାଜ, ଅନ୍ୟ ଚଳଣି ସହିତ ଭାବର ଆଦାନ-ପ୍ରଦାନ ସତତ ଚାଲିଛି । କଳକାରଖାନା କେତେଠି ଆସିଛି ତାଙ୍କରି ପୂର୍ବତନ ଗାଁକୁ ହଟେଇ ଦେଇ ।

 

ଖଣି କି କାରଖାନାରେ କାମ କରି ଫେରିଲା ବେଳକୁ କିନ୍ତୁ ମୁଣ୍ଡା ଓରାଓ ଝିଅ, କି କନ୍ଧ ପରଜା ଝିଅ ତୁଣ୍ଡରେ ସେଇ ପ୍ରାଚୀନ ଗୀତସବୁ ଅଫୁରନ୍ତ ସ୍ୱତଃସ୍ଫୁର୍ତ୍ତ । ରାସ୍ତାରେ ଚାଲିଥିବେ ଦଳ ଦଳ ଝିଅ, ବୋହୂ । କାମ ଫେରନ୍ତା ମଣିଷ । ନୂଆ ସଭ୍ୟତା, ନୂଆ ଜୀବନର ସ୍ପର୍ଶ ପାଇଥିବା ମଣିଷ । ଆତ୍ମା କିନ୍ତୁ ସେଇ ପ୍ରାଚୀନ ବଣ ପାହାଡ଼ର, ସାମୂହିକ ଗୀତିମୟତାର । ତୁଣ୍ଡରେ ଯେଉଁ ଗୀତ - ସେଥିରେ ଥିବ ଜଙ୍ଗଲ, ଶାଳଗଛ, ଝରଣା, ଦୋବା ଚଢ଼ି, ଲୁଦମ୍‌ କି ଜମ୍ବିରା ଫୁଲ କଥା, ମହୁଲ ଗଛ କଥା, କୋଇଲି ଗୀତ କଥା । ଜଙ୍ଗଲ କ୍ଷୟ ହୋଇଯାଇପାରେ, ଜଙ୍ଗଲ ହଣାହୋଇ ନୂଆ ସହର ବସିପାରେ, ଇଟା କଂକ୍ରିଟ୍‌ର ନୂଆ ଜଙ୍ଗଲରେ, ଧୂଳିଗୋଡ଼ିରେ ନୂଆ ପୃଥିବୀରେ, ରାଉରକେଲା, ସୁନାବେଡ଼ା, ଦାମନ୍‌ଯୋଡ଼ିର ରାସ୍ତାରେ, କିନ୍ତୁ ସାରହୁଲ୍‌ର ସୁନା ଜହ୍ନ ତେବେ ବି ଉଇଁବ, ଚଇତର ରୂପା ଜହ୍ନ ଉଁଇବ, ପୁଷ ପୂନେଇଁ ପାଇଁ କନ୍ଧ-ପରଜାର ଡୁଙ୍ଗୁଙ୍ଗା ଓ ସୁରୁଡ଼ି ତଥାପି ଶୁଭିବ । କର୍‌ମା ଡାଳ ପୋତି ଦେଇ ସାରା ରାତି ନାଟ ହେବ । ଜହ୍ନ ରାତିରେ ସେମାନେ ଉଡ଼ି ଯାଉଥିବେ କପୋତ ପରି, ଜହ୍ନ ରାତିର ସମୁଦ୍ରରେ ପହଁରୁଥିବେ ରଙ୍ଗିଲା ମାଛପରି । ଗୋଡ଼ ଆଙ୍ଗୁଠିର ଝୁଣ୍ଟିଆ ରୁଣୁଝୁଣୁ ହୋଇ ବାଜୁଥିବ । ବଇଁଶୀର ସ୍ଵର ପୂର୍ବପରି ଶୁଭୁଥିବ କାରଖାନା ପୁଙ୍ଗାର ଡାକ ଶେଷ ହୋଇଗଲା ପରେ ।

 

ନୂଆ ପୃଥିବୀ ଓ ନୂଆ ଜୀବନର ଚାଲେଞ୍ଜ କିନ୍ତୁ ଅନେକ । କୋଉଠି ନା କୋଉଠି ମନ ଓ ହୃଦୟରେ ସେ ଖେଞ୍ଚା ମାରେ । କାଳେ କାଳେ ଥିବା ଶୋଷଣ ଚଲାକ ମଣିଷଙ୍କ ପାରିବାର ପଣିଆ ଓ ଅତ୍ୟାଚାର ନୂଆ ରୂପ ନିଏ । ଶୋଷଣର ଇତିହାସ ଯେ ଏଇ ବଣ ଜଙ୍ଗଲରେ ଖୁବ୍‌ ପୁରୁଣା ବଣ ପରି, ତାରା ପରି, ପାହାଡ଼ ପରି, ତାଙ୍କର ସୁପ୍ରାଚୀନ ସଙ୍ଗୀତ ଲହର ପରି । ନେହେରୁ ଚାହିଁଥିଲେ ଆମେ ତାଙ୍କୁ ଆମ ବିକଳ ବ୍ୟକ୍ତିତ୍ଵର କାର୍ବନ କପି ଯେପରି ନକରୁ, ଆମ ସଭ୍ୟତାକୁ ତାଙ୍କ ଉପରେ ନଦି ନଦେଉ । ସେମାନଙ୍କର ନିରକ୍ଷରତା, ଦାରିଦ୍ର୍ୟ ଓ ଅନଗ୍ରସରତା ଜଣାଶୁଣା କଥା । ସଂସ୍କୃତି ଓ ସଭ୍ୟତା ଉଚ୍ଚକୋଟୀର ହୋଇପାରେ, କିନ୍ତୁ ଅର୍ଥନୈତିକ ସ୍ତର ନିର୍ଭରଶୀଳ ବେଶୀଭାଗ ଟେକ୍‌ନୋଲୋଜି ଉପରେ, କାରିଗରୀ କୌଶଳ, କଳକବ୍‌ଜାର ଉପାୟନରେ । ସୁତରାଂ ଉଚ୍ଚକୋଟୀର ସଂସ୍କୃତି, ନୃତ୍ୟ ସଙ୍ଗୀତ ଓ ଚରମ ଦାରିଦ୍ର୍ୟର ସହାବସ୍ଥାନ କିଛି ଅସମ୍ଭବ ନୁହେଁ । ସଂସ୍କୃତି ବଞ୍ଚିବାର ଶୈଳୀ, ଜୀବନଧାରଣର ରୂପକ, ମୃତ୍ୟୁ ଓ ପ୍ରେମ, ଯନ୍ତ୍ରଣା ଓ ଆନନ୍ଦ, ଏସବୁକୁ ତଉଲିବାର ନିର୍ଦ୍ଦିଷ୍ଟ ବାଗ । ସଂସ୍କୃତି ସହନଶୀଳତା, ମାନବପ୍ରେମ ଓ ସ୍ଵାର୍ଥତ୍ୟାଗ ଏ ସବୁର ଭିତ୍ତିଭୂମି । ଅର୍ଥାତ୍‌ ସଂସ୍କୃତି ମଣିଷର ହୃଦୟର କଥା । ସଂସ୍କୃତି ଜୀବନ ପ୍ରତି ଏକ ଆଭିମୁଖ୍ୟ, ସ୍ଵପ୍ନ ଦେଖିବା ଏକ ଶୈଳୀ ।

 

ହେଗେଲଙ୍କ ଭାବବାଦୀ ଆତ୍ମ-ଅନ୍ତରୀଣତା, ମାର୍କସଙ୍କ ବସ୍ତୁବାଦୀ ଆତ୍ମ-ଅନ୍ତରୀଣତା ଦେଇ ଆଜିର କଳା ସାହିତ୍ୟରେ, ସଙ୍ଗୀତ-ନୃତ୍ୟରେ ପରିବ୍ୟାପ୍ତ । ସ୍ଥିତିବାସୀ ଆତ୍ମ-ଅନ୍ତରୀଣତାର ମୂଳ କଥା ଏଇଠି । କେମିତି, ଯାହା ବି ମାର୍କସ୍‌ତାଙ୍କ ଭାଷାରେ କହିଥିଲେ, ସ୍ଵପ୍ନ ଓ କାୟିକ ପରିଶ୍ରମ ଏ ଦୁଇଟି ସାଲିସ୍‌ କରିବାକୁ ହେଲେ, ତାଙ୍କ ଭିତରେ ଥବା ବ୍ୟବଧାନକୁ ହଟେଇବାକୁ ହେଵ । ସମ୍ପର୍କର, ସାମୂହିକ ଜୀବନୋଚ୍ଛଳ ଆନନ୍ଦର ମୂର୍ତ୍ତିରୂପ ହେଉଛି ସ୍ଵପ୍ନ । ଆଜି କିନ୍ତୁ ମଣିଷ ନିର୍ଜନତାରେ ସଢ଼ୁଛି । ଜନ୍ମ ହୁଏ ନିର୍ଜନରେ, ବଞ୍ଚୁଛି ନିର୍ଜନତା ଭିତରେ, ମୃତ୍ୟୁ ବି ନିର୍ଜନତାରେ । ଆଦିବାସୀର ଜନ୍ମ ଜୀବନ ଓ ମୂତ୍ୟୁ କିନ୍ତୁ ସାମୂହିକତାର ଉପଲବ୍‌ଧିରେ ଉଚ୍ଛ୍ୱସିତ । ସାମୂହିକ ନୃତ୍ୟ-ଗୀତରେ ସଦା ପ୍ରାଣବନ୍ତ । ସେଇଥିପାଇଁ ତ ଶିଶୁଟିର ନାଁ ଦବାଠାରୁ ମୃତକର ଅସ୍ଥି ନଦୀରେ ବିସର୍ଜନ କରିବା ଯାଏ, ମଞ୍ଜି ବୁଣିବାଠାରୁ ଫସଲ କାଟିବାଯାଏ, ଘରକୁ ଆଣିବାଯାଏ ସବୁ କାମ ପାଇଁ ଗୀତ ଓ ନାଚ, ଦେବଦେବୀ ପୂଜା ଓ ଆନନ୍ଦ ବନ୍ଧା ହୋଇଛି ।

 

ପ୍ରକୃତିକୁ ପ୍ରାଣଭରି ଭଲପାଏ ଆଦିବାସୀ । ସେ ପ୍ରକୃତରେ ଉପଭୋଗ କରେ ତା’ ପରିବେଶ । ତାକୁ ଫୂଲଟିଏ ସିଟି ମାରି ଡାକେ, କଥା କହେ । ଆଉ ଜୀବନ ପ୍ରତି କି ଅକପଟ ସ୍ନେହ, କି ଅନୁରାଗ :

 

ମଣିଷ ଜନ୍ମ ଦି’ଦିନ ପାଇଁ

ସେଇଥିପାଇଁ ଆମେ ହସିବା, ଖେଳିବା

ହେ ପ୍ରିୟ ଏ ଜୀବନ ତ ଆଉ ମିଳିବନି ।

କୁମ୍ଭାରର ହାଣ୍ଡି ଭାଙ୍ଗିଗଲା ପରେ

ତା’ ପାଖକୁ ଆଉ ଲେଉଟି ଆସେନି

ହେ ପ୍ରିୟ ଏ ଜୀବନ

ଆଉ ତ ଲେଉଟି ଆସିବ ନାହିଁ ।

 

ଜୀବନ କ୍ଷଣସ୍ଥାୟୀ ପାଣିଫୋଟକା ପରି । କିନ୍ତୁ ସେଇଥିପାଇଁ ତ ତା’ର ଆବେଦନ ଏତେ ବେଶୀ । କ୍ଷୀଣସ୍ଥାୟିତ୍ୱର ଅନୁଭବରୁ ଆଜିର ସଭ୍ୟ ସମାଜ ଅନେକତ୍ର ‘ସିନିସିଜମ୍‌’କୁ ଗ୍ରହଣ କରୁଚି, ମାତ୍ର ଆଦିବାସୀ ତା’ପରିବର୍ତ୍ତେ ଅନୁରକ୍ତି ଓ ଗଭୀର ଆସକ୍ତି ହି ବେଶୀ ଅନୁଭବ କରେ ଓ ତା’ର ଗୀତନାଚରେ ପ୍ରକାଶ କରେ । ସ୍ନେହର ଓ ପ୍ରେମର ଉପଲବ୍‌ଧି ତା’ ଜୀବନରେ ଖୁବ୍‌ ବଡ଼ ଗୋଟିଏ ଉପଲବ୍‌ଧି । ସ୍ନେହର ଅଭାବରେ ଜୀବନ ‘ଛାଲି ହୋଇଥିବା ଗଛପରି’ ଶୁଖିଯାଏ, ମଉଳିଯାଏ । ସେଇଥିପାଇଁ ତ ସେ ଜୀବନରେ ସ୍ନେହକୁ ଏତେ ବଡ଼ ଧ୍ୟେୟ ବସ୍ତୁ ବୋଲି ଜ୍ଞାନ କରେ ।

 

ଆଦିବାସୀ ସଙ୍ଗୀତରେ ଏଇ ଜୀବନ- ଉତ୍ସୁକତା ଜୀବନ ପ୍ରତି ସୁଗଭୀର ଅନୁରାଗ ଅତି ସୁସ୍ପଷ୍ଟ । ଗୀତର ଛନ୍ଦେ ଛନ୍ଦେ ତା’ରି ଅନୁରଣନ, ଅଭିବ୍ୟକ୍ତି । ଅନେକ ଉଚ୍ଛ୍ୱସିତ ମୁହୂର୍ତ୍ତର ପରିଚୟ ସେଇ ସାଂଗୀତିକତାରେ, ଯାହା ମୂଳତଃ ସାମୂହିକ ଓ ବ୍ୟାବହାରିକ; କିନ୍ତୁ ମୋଟାମୋଟି ଅନୌପଚାରିକ ଓ ସ୍ଵତଃସ୍ଫୂର୍ତ ଆନନ୍ଦର ପରିପ୍ରକାଶ । ଆଦିବାସୀ ସଙ୍ଗୀତର ଅନ୍ୟତମ ବୈଶିଷ୍ଟ୍ୟ ହେଲା ତା’ର ପାରମ୍ପରିକତା ସହିତ ସ୍ଥିତିସ୍ଥାପକତାର ଅଦ୍‌ଭୁତ ମିଶ୍ରଣ । ମୌଖ୍ରକ ସଙ୍ଗୀତ ହୋଇଥିବାରୁ ଏହା ବର୍ଷ ପରେ ବର୍ଷ ଅପରିବର୍ତ୍ତିତ ଭାବେ ଚାଲିଆସିଥାଏ । ଗୋଟିଏ ବଡ଼ ସମ୍ପ୍ରଦାୟ ବିରାଟ ଭୌଗୋଳିକ ଅଞ୍ଚଳରେ ବସବାସ କରୁଥିଲେ ହେଁ (ଯେମିତି ଭାରତୀୟ ପରିପ୍ରେକ୍ଷୀରେ ସାନ୍ତାଳ, ଭିଲ୍‌ଓ ଗଣ୍ଡ ଯେଉଁମାନଙ୍କ ସଂଖ୍ୟା ପ୍ରତ୍ୟେକଟି ପ୍ରାୟ ୪୫ରୁ ୫୦ ଲକ୍ଷ, କିମ୍ବା ଓଡ଼ିଶା ପରିପ୍ରେକ୍ଷୀରେ କନ୍ଧ ଯାହାଙ୍କ ସଂଖ୍ୟା ପ୍ରାୟ ୮-୯ ଲକ୍ଷ । ସେହି ଅଞ୍ଚଳର ବିଭିନ୍ନ ଅଂଶରେ ଗୋଟିଏ ଗୀତରେ ଖୁବ୍‌ କମ୍‌ ପାର୍ଥକ୍ୟ - ଭାଷା, ଭାବ ଓ ଛନ୍ଦ ସବୁ ଦୃଷ୍ଟିରୁ ପରିଲକ୍ଷିତ ହୋଇଥାଏ । ଉଦାହରଣ ସ୍ଵରୂପ, କନ୍ଧ ମେରିଆ ଗୀତର ଧାଡ଼ି ଫୁଲବାଣୀର ବାଲିଗୁଡ଼ା, କୋରାପୁଟର ନିୟମଗିରି ପାହାଡ଼ କି କଳାହାଣ୍ଡିର ଥୁଆମୂଳ-ରାମପୁର ଏ ଭିତରେ ଖୁବ୍‌ କମ୍‌ ପାର୍ଥକ୍ୟ । ହୁଏତ ଏଠି ସେଠି ଧାଡ଼ିଏ ଦି’ଧାଡ଼ି ପରିବର୍ତ୍ତନ ହୋଇଥାଏ । ସେମିତି ସାନ୍ତାଳୀ ବାଖ୍‌ଣେ ବା ଆରାଧନା ସଙ୍ଗୀତ ଛୋଟନାଗପୁର, ରାଇରଂଗପୁର ଓ ସାନ୍ତାଳ ପ୍ରଗଣା ଅଞ୍ଚଳରେ ମୋଟାମୋଟି ସମାନ । କିନ୍ତୁ ଐତିହାସିକ କାଳରେ, ସମୟକ୍ରମେ ଏଥିରେ ସ୍ଥିତିସ୍ଥାପକତା ମଧ୍ୟ ଦେଖାଯାଏ । ଚାରିପଟେ ସମାଜ ଓ ସାମୂହିକ ତଥା ବ୍ୟକ୍ତିଗତ ଜୀବନ ଓ ଚଳଣି ବଦଳୁଥାଏ; ତେଣୁ ସଙ୍ଗୀତରେ ବେଳ ବେଳେ ନୂଆ ଧାଡ଼ି କିଏ ଯୋଡ଼ିଦିଏ । ସାନ୍ତାଳୀ ବାହାପରବ (ଅର୍ଥାତ୍‌ ବସନ୍ତକାଳୀନ ଫୁଲଫୁଟାପର୍ବ ଗୀତ)ରେ ବିଭିନ୍ନ ଧାଡ଼ିରେ ଥାଏ କୋଇଲି ଆସିଛି, ନୂଆ ପତ୍ର ଆସିଛି, ଗଛରେ ଗଛରେ ନୂଆ ଫୁଲ ଆସିଛି ଇତ୍ୟାଦି । ମୁଁ ଲକ୍ଷ୍ୟ କରିଛି ବେଳେ ବେଳେ ସେଥିରେ ମିଶେଇ ଦିଆଯାଏ ଗୋଟିଏ ନୂଆ ଧାଡ଼ି - ‘ବାବୁମାନେ ଆସିଛନ୍ତି’, ‘ଜିପ୍‌ଗାଡ଼ି ଆସିଛନ୍ତି’, ଛନ୍ଦ ଓ ଘୋଷା କିନ୍ତୁ ଅପରିବର୍ତ୍ତିତ ଥାଏ । ଅର୍ଥାତ୍‌ ଚାରିପଟର ପରିବର୍ତ୍ତନ ସହିତ ମେଳ ରଖି ସଙ୍ଗୀତର ଧାଡ଼ିମାନଙ୍କରେ ସାମାନ୍ୟ ପରିବର୍ତ୍ତନ ଘଟିଥାଏ, କିନ୍ତୁ ସ୍ୱର, ତାଳ, ଲୟରେ ବିଶେଷ ପରିବର୍ତ୍ତନ ଆସେନି । ପରମ୍ପରା ପ୍ରତି ଗଭୀର-ଆସକ୍ତି ଓ ସମ୍ମାନ ଆଦିବାସୀ ସମ୍ପ୍ରଦାୟର ଉଭୟ ଶକ୍ତି ଓ ଦୁର୍ବଳତା ।

 

ସଙ୍ଗୀତ ସହିତ ନାନାବିଧ ବାଦ୍ୟଯନ୍ତ୍ର ବ୍ୟବହୃତ ହୋଇଥାଏ । ବାସ୍ତବତଃ ଏ ବାଦ୍ୟଯନ୍ତ୍ର ଗୁଡ଼ିକର ବିଶଦ ବର୍ଣ୍ଣନା ଓ ଆଲୋଚନା ସାଂଗୀତିକ ଦୃଷ୍ଟିକୋଣରୁ ଏ ପର୍ଯ୍ୟନ୍ତ ଆଦୌ କରାଯାଇନାହିଁ । ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବିଭିନ୍ନ ପ୍ରକାରର ଡ୍ରମ ବା ଢୋଲ ବା ମାଦଳ ବ୍ୟବହାର କରିଥାଆନ୍ତି । ସେଗୁଡ଼ିକ ଆକାର, ଆୟତନ ଓ ନିର୍ମାଣ କୌଶଳ ଦୃଷ୍ଟିରୁ ବହୁବିଧ । ଉଦାହରଣ ସ୍ଵରୂପ ମୃଦଙ୍ଗ ପରି ଦିଶୁଥିବା ସାନ୍ତାଳୀ ମାଦଳ ସହିତ ଆମକୁ ଦେଖିବାକୁ ପଡ଼ିବ ସେମାନଙ୍କର ‘ତୁମ୍‌ଦା’ । ମାଦଳ ବେକରୁ ଝୁଲି ପଡ଼ିଥାଏ ଅଣ୍ଟା ସଳଖରେ ରଖି ଉଭୟ ପାପୁଲିରେ ତାକୁ ବଜାଯାଏ । କିନ୍ତୁ ସବୁଠୁ ବଡ଼ ସାନ୍ତାଳୀ ତୁମ୍‌ଦାକୁ ଚାରିଜଣ ଲୋକ ନ ହେଲେ କାନ୍ଧେଇ ହେବନି ଏବଂ ଦୁଇଜଣ ବଜାଳି ତାକୁ ତଳେ ରଖ ମୋଟାମୋଟି ବାଡ଼ି ଧରି ସେଥିରେ ଆଘାତ କରନ୍ତି ଓ ଧ୍ୱନି ସୃଷ୍ଟି କରନ୍ତି । ବଇଁଶୀ ଓ ବିଭିନ୍ନ କିସମର ବଇଁଶୀ - ଆଦିବାସୀଙ୍କର ଅତି ପ୍ରିୟ । କନ୍ଧଙ୍କ ଆଡ଼ ବଇଁଶୀ ଅତି ବଡ଼, ବେଳେ ବେଳେ ୩ଫୁଟ ଲମ୍ବର । ସାନ୍ତାଳ ବଇଁଶୀ ମଧ୍ୟ ବହୁ କିସମର, କିନ୍ତୁ ଅଧିକାଂଶ ବଇଁଶୀ ଛୋଟ ଏବଂ ଅପେକ୍ଷାକୃତ ତୀକ୍ଷ୍‌ଣ ସ୍ଵର ପାଇଁ ଉଦ୍ଦିଷ୍ଟ । ତା’ ବାହାରେ ଜୁଆଙ୍ଗଙ୍କ ଚାଙ୍ଗୁ, ସାନ୍ତାଳଙ୍କ ଚଡ଼ଚଡ଼ି ପରି ବାଜା ଓ ବୁଆଙ୍ଗ (ଯାହା ତାର ଯନ୍ତ୍ରର ଏକ ବିଶିଷ୍ଟ ବାଦ୍ୟ) । ଗଦବାମାନଙ୍କର ବଡ଼ ବଡ଼ ଢୋଲ୍‌କ, ଡଙ୍ଗରିଆ କନ୍ଧଙ୍କ ଦାନ୍ତରେ ଧରିରଖି ବଜେଇବା ଶବ୍ଦ ଯନ୍ତ୍ର - ଏମିତି ନାନାବିଧ ବାଦ୍ୟଯନ୍ତ୍ର ଆଦିବାସୀମାନଙ୍କର ଅଛି । ଏଗୁଡ଼ିକର ନିମାଣ କୌଶଳ ଅତ୍ୟନ୍ତ ଜଟିଳ ତଥା ସୂକ୍ଷ୍ମ ଏବଂ ସଙ୍ଗୀତ ସୃଷ୍ଟି ପାଇଁ ପ୍ରକାର ଭେଦରେ ଏଗୁଡ଼ିକ ଏକ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତି ।

 

ଆଦିବାସୀ ସଙ୍ଗୀତଗୁଡ଼ିକୁ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମଟି ମଣିଷ ଜୀବନର ବିଭିନ୍ନ ପର୍ଯ୍ୟାୟ ସ୍ତର ଓ ସମୟର । ଶିଶୁଟିଏ ଜନ୍ମ ହେଲେ ଗୀତ ବୋଲାଯାଏ, ତା’ର ନାଁ ଦେଲାବେଳେ ଗୀତ ବୋଲାଯାଏ । ପୁଅ ଝିଅ ବା ଧାଙ୍ଗଡ଼ା, ଧାଙ୍ଗଡ଼ୀମାନେ ପ୍ରେମ କଲାବେଳେ ଗୀତ ବୋଲାଯାଏ । ସେ ଗୀତ ପୁଣି ବହୁବିଧ । କେତେକ ଶୁଭେ ଢୁଙ୍ଗ୍‌ଡୁଙ୍ଗା ବାଦ୍ୟଯନ୍ତ୍ର ସହ ଧାଙ୍ଗଡ଼ାବସା ବା ଧାଙ୍ଗଡ଼ି ବସାରୁ । ଆଉ କେତେକ ବଣଜଙ୍ଗଲର କୋଉ ନିର୍ଜନତା ଭିତରେ କି ପାହାଡ଼ର କୋଉ ଖୋଲରେ । ପୁଣି ସାମୂହିକ ନୃତ୍ୟଗୀତ ମଧ୍ୟ ପ୍ରେମ ସମ୍ପର୍କିତ ହୋଇଥାଏ । ବିବାହ ସମୟର ଗୀତ ଯୋଉଥିରେ ଥଟ୍ଟାତାମସା ଅନେକ ଥାଏ । ତା ସହିତ ଝୁଅ ବିଦାବିଦି ବେଳର କାନ୍ଦଣା ଗୀତ । ତା’ପରେ ପୁଣି ମୃତ୍ୟୁ ସମ୍ବନ୍ଧୀୟ ଗୀତ । ମଣିଷଟିଏ ମରିଗଲାବେଳେ, ତା’ର ଅସ୍ଥି ନଦୀରେ ବିସର୍ଜନ କଲାବେଳେ, ପିତୃପିତାମହ ବା ପୂର୍ବଜ ହିସାବରେ ତାକୁ ସ୍ମରଣ କଲାବେଳେ ।

 

ଦ୍ୱିତୀୟ ପର୍ଯ୍ୟାୟର ଗୀତ ହେଉଛି ବିଭିନ୍ନ ପର୍ବପର୍ବାଣିର, କୃଷିକର୍ମର ବିବିଧ ପର୍ଯ୍ୟାୟର ବା ଋତୁଚକ୍ରର ପରିବର୍ତ୍ତନ ସହିତ ବିଭିନ୍ନ ପର୍ଯ୍ୟାୟର । ମଞ୍ଜି ବୁଣିବା ପୂର୍ବରୁ ଦେବତା ଆରାଧନାର ଗୀତ, ମଞ୍ଜିବୁଣିବା ବେଳର ଗୀତ, ବିଲରେ ଫସଲ ହସିଲା ବେଳର ଗୀତ, ବେଉଷଣ ଓ ବଛାବଛିର ଗୀତ, ଫସଲ ଅମଳର ଗୀତ, ପୁଣି ଶାଳ ମହୁଲ ଗଛରେ ଫୁଲ ଭର୍ତ୍ତି ହୋଇଗଲା ବେଳେ ବସନ୍ତ ୠତୁର ଫୁଲପର୍ବର ଗୀତ, କରମା ଗଛର ଡାଳ ପୋତି କରମା ଗୀତ, ଶରତ ୠତୁର ଗୀତ, ଜଙ୍ଗଲରେ ଶିକାର ପାଇଁ ପଶିଲା ବେଳକୁ ଗୀତ, ଗୋରୁଗାଈଙ୍କ ପୂଜାପାଇଁ ଗୁହାଳ ଗୀତ। ମୋଟାମୋଟି ଦେଖିବାକୁ ଗଲେ ପ୍ରାୟ ସବୁ ସାମାଜିକ ଜୀବନ ପ୍ରକ୍ରିୟାର ବିବିଧ ପର୍ଯ୍ୟାୟ ପାଇଁ ଏବଂ ବ୍ୟକ୍ତି ଜୀବନ-ଚର୍ଯ୍ୟାର ବିବିଧ ପର୍ଯ୍ୟାୟ ପାଇଁ ଗୀତ ଖଞ୍ଜା ହୋଇ ରହିଛି । ଜନ-ଜୀବନ ଯେମିତି ନିଜକୁ ପ୍ରକାଶ କରେ ମୁଖ୍ୟତଃ ଏବଂ ମୂଳତଃ ସଙ୍ଗୀତ ମାଧ୍ୟମରେ ।

 

ଆଦିବାସୀ ସଙ୍ଗୀତର ଅନ୍ୟତମ ବୈଶିଷ୍ଟ୍ୟ ହେଲା ଯେ ଏଥିରେ ଗୀତ ବୋଲାଳି ବା ସଙ୍ଗୀତକାର ଓ ଶ୍ରୋତା ବା ଦର୍ଶକ ଦୁଇଟି ଭିନ୍ନ ଗୋଷ୍ଠୀ ନୁହେଁ । ଗାଁରେ ଗୀତବୋଲା ଆରମ୍ଭ ହେଲା ତ ବୁଢ଼ାବୁଢ଼ୀଙ୍କଠୁଁ ଆରମ୍ଭ କରି ୫/୬ ବର୍ଷର ଛୋଟ ପିଳାଙ୍କ ପର୍ଯ୍ୟନ୍ତ ତିନୋଟି ପୀଢ଼ି ବା ଯୁଗର ମଣିଷ ସେଥିରେ ହାତ ଧରାଧରି ହୋଇ ଯୋଗ ଦିଅନ୍ତି । ସଙ୍ଗୀତକାରଙ୍କ ପରିଧି ବଡ଼ ହୋଇ ଚାଲେ । କିଏ ବୋଲି ଦେଇ ଯାଇ ବାହାରେ ଛିଡ଼ା ହେଉଥାଏ ତ କିଏ ପୁଣି ଆସି ସେଇ କ୍ରମବର୍ଦ୍ଧିଷ୍ଣୁ ବୃତ୍ତରେ ନିଜକୁ ସାମିଲ କରି ଦେଉଥାଏ । ଏବେ ପରିବର୍ତ୍ତିତ ସମୟରେ ହୁଏତ ଅନେକ ଆଦିବାସୀ ପିଲା ନିଜ ଗୀତରେ ନିଜକୁ ସାମିଲ କରି ପାରୁ ନାହାନ୍ତି । ଦର୍ଶକ ବା ଶ୍ରେତା ହୋଇ ବାହାରିଆ ଲୋକ ହିସାବରେ ରହି ଯାଉଛନ୍ତି, କିନ୍ତୁ ଗାଁ-ଗହଳି ଆଦିବାସୀ ସଙ୍ଗୀତ ଓ ନୃତ୍ୟରେ ଏହା ବିରଳ । ସମସ୍ତେ ଗୀତ ବୋଲି ଜାଣନ୍ତି । ସମସ୍ତେ ନାଚି ଜାଣନ୍ତି । ନାଚିବା ଲୋକ ଗାଇବା ଲୋକ ଭିନ୍ନ ଗୋଷ୍ଠୀର ନୁହନ୍ତି ।

 

ଆଦିବାସୀ ଜୀବନର ସୁଖ ଦୁଃଖ, ହସକାନ୍ଦଃ ଆଶା ଆଶଙ୍କା, ଲୁହ ଓ ସ୍ଵପ୍ନ ଏସବୁର ନିଛକ ପ୍ରତିଫଳନ ତାଙ୍କର ଗୀତ । ଓଡ଼ିଆରେ କଥା ଅଛି, “ମନଫୁଲାଣିଆ ଗୀତ ଗାଏ” । ଅନ ପକ୍ଷରେ ବେଦ କହେ, ‘ସୂତେବଦାମି’ ଅର୍ଥାତ୍‌ ବିଦ୍ଧ ହେଲେ ମୁଁ ଗୀତ ଗାଏ । ତେଣୁ ସଙ୍ଗୀତ ଆନନ୍ଦ ଉତ୍ସାହ ତଥା ଦୁଃଖ ଓ ଅଶ୍ରୁର ଏକୀଭୂତ ସ୍ଵରୂପ । ସେଥିରେ ମିଶି ରହେ କାମନା, ଶୋକ, ଆଶା ଓ ଆନନ୍ଦ, କ୍ଷୋଭ ଓ ତୃପ୍ତି । ଯେମିତି ଏଇ କନ୍ଧ ଗୀତ ପୁଷପରବ ଉପଲକ୍ଷେ :

 

‘କଖାରୁ ଗଛ ଦୁଇପତ୍ର ହେଲାଦିନୁ ତାକୁ ଦୁଃଖ ପଡ଼େ

ଲୋକେ ଶାଗ ପାଇଁ ତାକୁ ଛିଣ୍ଡେଇ ନିଅନ୍ତି,

ସେମିତି ପିଲାଟି ଦିନରୁ ମଣିଷର ଦୁଃଖ ।’

ଅଥବା,

‘ଆମର ଜୀବନ ଅଛି, ଆମର ପ୍ରାଣ ଅଛି,

ଆମେ ବଞ୍ଚିଛୁ ବୋଲି ସିନା ଆଜିକାର

ଏଡ଼େବଡ଼ ଆନନ୍ଦରେ ଭାଗୀଦାର ହେଲୁ ।

ବୁଢ଼ାର ନାଟ ଅଳ୍ପ, କୁଟ୍ରାର ମାଂସ ଅଳ୍ପ ।’

କି ଏଇ କନ୍ଧ ପ୍ରେମ ଗୀତ:

‘କାହିଁକି ତେବେ ତୁମେ ଚାହିଁଗଲ

ତୋଟାରେ ନାଟ ସରିନି କୁକୁଡ଼ା ଡାକିନି

କି ସୁନ୍ଦର ନାଚି ନାଚି ବୁଲୁଥିଲା

ତୁମ ହାତର କାଚ ବାଜୁଥିଲା

ଅନ୍ଧାରରେ କୁଆପଥର ଝଡ଼ିବା ପରି

ହଠାତ୍‌ କି କୁହୁଡ଼ି ତୁମକୁ ଘୋଟିଲା

ତୁମେ ଉଠି ଚାଲିଗଲ ?

ତୁମେ ପରା ଏତେ ଭଲପାଅ ।

ତୁମର ଆମର ବନ୍ଧୁପଣ ଗୋଡ଼କୁ ବଳା ପରି

କାନକୁ ନୋଳି ପରି

କାହିଁକି ତେବେ ତୁମେ ଚାଲିଗଲ ?’

 

ଯୋଉ ଶୂନ୍ୟତା ଗ୍ରାସିଯାଏ, ଯେତେବେଳେ ଧାଙ୍ଗିଡ଼ୀଟି ହଠାତ୍‌ କୁଆଡ଼େ ଅନ୍ତର୍ହିତ ହୋଇଯାଏ, ନାଚ ଆଖଡ଼ାରୁ ଅଭିମାନ କରି କି ଆଉ କାହା ପ୍ରେମରେ ପଡ଼ି - ସେ ଶୂନ୍ୟତାର କି ମାର୍ମିକ ପରିପ୍ରକାଶ ଏ ଗୀତର ଧାଡ଼ିଗୁଡ଼ିକ । ଏ ଗୀତ ତେଣୁ ହୃଦୟର ଘେନାଘେନିର ଭାଷା, ଯାହାର ପ୍ରତି ଶବ୍ଦରେ, ଛନ୍ଦର ଲାଳିତ୍ୟରେ ପ୍ରକାଶନର ସୌକୁମାର୍ଯ୍ୟରେ ଓ ମର୍ମସ୍ପର୍ଶୀ ଆବେଗରେ ପାଞ୍ଚଶ’ ବର୍ଷ ପରେ ହଜାର ହଜାର ବର୍ଷ ପରେ ଆଉ କାହାର ହୃଦୟର ତନ୍ତ୍ରୀ ବି ଅନୁରୂପ ଭାବେ ଅନୁରଣିତ ହୋଇପାରେ ।

 

ସାର୍‌ହୁଲ ଉତ୍ସବରେ ମୁଣ୍ଡା ଗୀତ ଗାଏ । ସେ ଜାଣେ ସବୁ ଆନନ୍ଦ, ସବୁ ଉଚ୍ଛ୍ୱାସ ପୁଣି ସରିଯିବ । ହୁଏତ ରଖିଯିବ କିଛି କ୍ଳାନ୍ତି କିଛି ମାଦକତାର ସ୍ମୃତି । ନିଷ୍ଠୁର ବାସ୍ତବତା ପୁଣି ଆଖି ତରାଟ ଅନେଇବ । ଏଇ ସୂକ୍ଷ୍ମ ଅନୁଭବ, ଏଇ ବେଦନାର ମଧୁର ଗୁଞ୍ଜନ ଦେଖାଯାଇ ପାରେ ମୁଣ୍ଡା ଜଦୁର୍‌ଗୀତରେ :

 

‘କୋଇଲି, ଶାଳଫୁଲରେ ତୁ ଓହ୍ଲେଇଥିଲୁ

କୋଇଲି, ନୂଆପତ୍ରରେ ତୁ ଓହ୍ଲେଇଥିଲୁ

କୋଇଲି, ଭାତ ଆଉ ହାଣ୍ଡିଆ ପାଇଁ ତୁ ଆସିଥିଲୁ

କୋଇଲି, କୁକୁଡ଼ାର ଗୋଡ଼ ଖଣ୍ଡେ ପାଇଁ ତୁ ଆସିଥିଲୁ

ହାଣ୍ଡିଆ ଭାତ ସରିଗଲା, ତୁ ଚାଲିଗଲୁ

କୁକୁଡ଼ା ଗୋଡ଼ ସରିଗଲା, ତୁ ଉଡ଼ିଗଲୁ ।’

 

କିମ୍ବା ଏଇ ସବୁ ଧାଡ଼ି :

‘ସାର୍‌ହୁଲ୍‌ର ସୁନା ଜହ୍ନ ଉଇଁଲାଣି

ଧାନ ଓଳିଆରୁ ଧାନ ସରିଗଲା

ସାର୍‌ହୁଲ୍‌ର ରୂପାଜହ୍ନ ଉଇଁଲାଣି

କୁଡ଼୍‌କୁଡ଼୍‌କରୁଥିବା କୁକୁଡ଼ାଟି ସରିଗଲା ।’

 

ମୁଣ୍ଡା ବାହାଘର ଗୀତରୁ ଏଇ କେତୋଟି ଧାଡ଼ି ଯୋଉଥିରେ ମହୁଲ ଗଛଟି ଛଦ୍ମ ନାଁ - ସେଇ ଗାଁର ବାହା ହେଇ ବିଦା ହେବାକୁ ଯାଉଥିବା ଝିଅ ପାଇଁ :

 

‘‘ସେଇ ମହୁଲ ଟଛଟି

ଗାଁ ମୁଣ୍ଡର ଇେ ମହୁଲଗଛଟି

କଡ଼ର ଧାନକିଆରି, ସାରା ଗାଁ

ତା’ରି ଯୋଗୁଁ କି ସୁନ୍ଦର କି ମଧୁର ଦୁଶୁଥିଲା

ସେମାନେ ମହୁଲ ଗଛକୁ କାଟି ନଉଛନ୍ତି

ପାଞ୍ଚ ଭାଇଏ, ଗଛଟିକୁ ବଞ୍ଚାଅ ବଞ୍ଚାଅ ।’’

 

କିମ୍ବା ଏଇ କନ୍ଧ ପ୍ରେମ-ସଙ୍ଗୀତର ମାର୍ମିକ ଆବେଦନ :

 

‘ହେ ପ୍ରିୟା, ତୁମେ ଅସ୍ଥିର

ତୁମେ କେବଳ ମୁହଁର ରଂଗ

ମୁହଁଟି ଦେଖାଇ କ୍ଷଣକେ ଲୁଚିଯାଅ

ତୁମେ ଦୂରର ମିଞ୍ଜି ମିଞ୍ଜି ଜୁଳୁଚୁଳିଆ ପୋକ

ପାଖକୁ ଗଲେ ଆଉ ଦିଶ ନାହିଁ

ତୁମେ ଗହଳିଆ ତୋଟାର ଏସି ଚଢ଼େଇ ପରି

ବଣ କୁକୁଡ଼ା ପରି

ପିଠି ପାଖେ ଥାଇ ଆଖିକୁ ଦେଖା ଦିଅନି

ତୁମେ ପିଲାପରି ଚଞ୍ଚଳ

ପିଲାପରି ଖିଆଲି

 

ବିଚାରିବାର କଥା । ସମାଜ, ସଂସ୍କୃତି ଓ ସଭ୍ୟତା କେଡ଼େ ପୋଖତ ହେଲେ ଏମିତିଆ ପ୍ରାଣଛୁଆଁ ସରଳ ଭାଷାରେ ମଣିଷ କହିପାରେ, ସଙ୍ଗୀତରେ ନିଜକୁ ପ୍ରକାଶ କରିପାରେ । ଆଦିବାସୀ ସଙ୍ଗୀତ, ଆଦିବାସୀ ଜୀବନଶୈଳୀ ଓ ଜୀବନଧାରାର ନିଛକ ପ୍ରତିଫଳନ ଓ ତାଙ୍କ ସଂସ୍କୃତିର ଅନ୍ୟତମ ଶକ୍ତିଶାଳୀ ପରିପ୍ରକାଶ ।

 

***

 

ଓଡ଼ିଆ ଶିଶୁସାହିତ୍ୟ : ଗବେଷଣା ଓ ଅଧ୍ୟୟନ

ଡକ୍ଟର ଜଗନ୍ନାଥ ମହାନ୍ତି

 

ଉପକ୍ରମ : ଗବେଷଣା ଓ ସାହିତ୍ୟ :

ଜ୍ଞାନର ବିକାଶ ଓ ସତ୍ୟର ସନ୍ଧାନ ହିଁ ଗବେଷଣାର ମୁଖ୍ୟ କାର୍ଯ୍ୟ ଓ ଆଭିମୁଖ୍ୟ । ଗବେଷଣା ତେଣୁ ଏକ ଅନନ୍ତ ଓ ଅବିରତ ପ୍ରକ୍ରିୟା (Prosess) । ଜ୍ଞାନର ଯେମିତି ଆଦି ନାହିଁ କିମ୍ବା ଅନ୍ତ ନାହିଁ, ସେହିପରି କୌଣସି ବିଷୟରେ ଚୂଡ଼ାନ୍ତ ସତ୍ୟରେ ଉପନୀତ ହେବା ସହଜସାଧ୍ୟ ନୁହେଁ । ଜ୍ଞାନର ଦିଗ୍‌ବଳୟ ଯେମିତି ସୁଦୂରପ୍ରସାରୀ, ସତ୍ୟର ସନ୍ଧାନ ସେମିତି ମନୁଷ୍ୟ ସମାଜର ଏକ ଚିରନ୍ତନ ପ୍ରଚେଷ୍ଟା । ଗବେଷଣା ମାଧ୍ୟମରେ ନୂତନ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣ କରାଯାଏ ଏବଂ ମୂଲ୍ୟାୟନ ତଥା ସମୀକ୍ଷା କରାଯାଇ ସତ୍ୟାସତ୍ୟ ନିରୂପଣ କରାଯାଏ । ଫଳତଃ ପୁରାତନ ତଥ୍ୟ ଓ ଗତାନୁଗତିକ ଧାରଣାରେ ପରିବର୍ତ୍ତନ ଘଟେ ଏବଂ ନୂତନ ଚିନ୍ତାଧାରା ଓ ଦର୍ଶନ ଜନ୍ମନିଏ-। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ମୁଖ୍ୟତଃ ମୌଳିକ (Fundamental) ଓ ପ୍ରୟୋଗାମ୍ମକ (Applied) ଗବେଷଣା କରାଯାଇଥାଏ । ଏହିପରି ଗବେଷଣା କାର୍ଯ୍ୟ ଯୋଗୁଁ ସାହିତ୍ୟ, ବିଜ୍ଞାନ, କଳା ସାମାଜିକ ଶିକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ନୂତନ ଜ୍ଞାନ, କୌଶଳ, ପଦ୍ଧତି ଓ ପ୍ରକ୍ରିୟାର ସନ୍ଧାନ ମିଳିଥାଏ । ସ୍ଥୂଳତଃ, ପ୍ରାୟ ସମସ୍ତ ଆବିଷ୍କାର ଓ ଉଦ୍ଭାବନ ହିଁ ବିଭିନ୍ନ ପ୍ରକାର ଗବେଷଣାରୁ ଉଦ୍ଭବ ହୋଇଥାଏ ।

 

ଓଡ଼ିଆ ଶିଶୁସାହିତ୍ୟରେ ଗବେଷଣା :

ଶିଶୁସାହିତ୍ୟରେ ସମ୍ୟକ୍‌ ଓ ସୁସଂଗଠିତ ଗବେଷଣାର ଆବଶ୍ୟକତା ଯଥେଷ୍ଟ ରହିଛି । କାରଣ ତାହା ଏକ ଗଠନଶୀଳ ଓ ବର୍ଦ୍ଧିଷ୍ଣୁ ବୟସଗୋଷ୍ଠୀ (age-group)ର ପାଠକମାଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାକୁ ନିର୍ଭୁଲ, ସାର୍ଥକ ଓ ଉପଯୁକ୍ତ ଭାବରେ ରଚନା ଓ ପ୍ରକାଶ କରିବା ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଏବଂ ସେଥିପାଇଁ ଗବେଷଣା ଓ ଅଧ୍ୟୟନ ଏକାନ୍ତ ଆବଶ୍ୟକ । ଶିଶୁସାହିତ୍ୟର ଯଥାର୍ଥ ସଂଜ୍ଞା ଓ ପରିସର ନିରୂପଣ କରିବା, ବିଭିନ୍ନ ବୟସଗୋଷ୍ଠୀ ପାଇଁ କେଉଁ କେଉଁ ରୁଚି ଓ କି କି ଆବଶ୍ୟକତାର ପୁସ୍ତକ ରଚନା କରିବାକୁ ହେବ, ସେମାନଙ୍କର ଶବ୍ଦଭଣ୍ଡାର (Vocabulary) ଓ ଧାରଣା (Concept)ର ସ୍ଵର କେତେ, ସେମାନଙ୍କୁ ବାଞ୍ଚିତ ମୁଲ୍ୟବୋଧଗୁଡ଼ିକର ଶିକ୍ଷା କିପରି ଦେବାକୁ ହେବ ଇତ୍ୟାଦି ଉଭୟ ତାତ୍ତ୍ୱିକ (Theorectical) ଓ ପରୀକ୍ଷା ମୂଳକ (Practical/Experiment) ଗବେଷଣା ମାଧ୍ୟମରେ ସ୍ଥିର କରିବା ଉଚିତ୍‌ । କାଳକ୍ରମେ ଶିଶୁସାହିତ୍ୟର ବିକାଶ କିପରି ଓ କେଉଁ କେଉଁ ଉପାଦାନ ଓ ପରିବେଶକୁ ନେଇ ଘଟିଛି, ତାକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧାନ କରିବାକୁ ଐତିହାସିକ ଗବେଷଣାର ସାହାଯ୍ୟ ନେବାକୁ ହୋଇଥାଏ । ସେମିତି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଶିଶୁସାହିତ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ କରିଥିଲେ, ସେହି କାର୍ଯ୍ୟ କେତେଦୂର ଓ କେଉଁ କେଉଁ ବିଭାବରେ ବିଶେଷ ପ୍ରଭାବ ବିସ୍ତାର କରିଛି, ସେଥିରେ କି କି ମୌଳିକତା ଓ ସ୍ଵାତନ୍ତ୍ର୍ୟ ରହିଛି, ସେଗୁଡ଼ିକ ମଧ୍ୟ ବିଧିବଦ୍ଧ ଭାବରେ ଅଧ୍ୟୟନ କରାଯିବା ଉଚିତ୍‌ । ବିଭିନ୍ନ ସାହିତ୍ୟିକ ଭାବାଧାରା (Thoughts) ଓ ବାଦ (Isms) ଶିଶୁସାହିତ୍ୟର ଆଙ୍କିକ ଓ ଆତ୍ମିକ ବିଭାବରେ କି କି ପ୍ରଭାବ ପକାଇଛି ତାର ସମୀକ୍ଷା ଓ ଅନୁଶୀଳନ ମଧ୍ୟ ଆବଶ୍ୟକ । ଏହିପରି ବୈଜ୍ଞାନିକ ଓ ବିଷୟନିଷ୍ଠ (objective) ତଥ୍ୟ ସଂଗ୍ରହ ଠାରୁ ତାର ବିଶ୍ଳେଷଣ(Analysis) କରିବାଯାଏ ପୁଣି ସେଗୁଡ଼ିକର ଯଥାଯଥ ଭାବରେ ବ୍ୟାଖ୍ୟା (Interpretetion) ଓ ବିବରଣୀ ପ୍ରସ୍ତୁତି (Reporting) ହେଉଛି, ଗବେଷଣାର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଓ କାର୍ଯ୍ୟ । ଗବେଷଣା ଓ ଅଧ୍ୟୟନ ଫଳରେ ହିଁ ଶିଶୁସାହିତ୍ୟର ଗତିଧାରା ସମୁଚିତ ଭାବରେ ତ୍ୱରାନ୍ୱିତ ଓ ବାଞ୍ଚନୀୟ ଦିଗାନୁସାରୀ ହୋଇପାରିବ ।

 

ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ଗବେଷଣାର ବିଶେଷ ଅଭାବ ଅନୁଭୁତ ହେଉଛି । ସାହିତ୍ୟର ଦିଗ୍‌ଗଜମାନେ ଓଡ଼ିଆ ଶିଶୁସାହିତ୍ୟର ଅସ୍ତିତ୍ୱ, ସ୍ଵାତନ୍ତ୍ର୍ୟ ଓ ସ୍ଵକୀୟତା ସମ୍ପର୍କରେ ସନ୍ଦୀହାନ ଥିଲାବେଳେ ଏ ଦିଗରେ ଗବେଷଣା ଓ ଅଧ୍ୟୟନ କରିବା ବା କରାଇବା ଥିଲା ସୁଦୂର ପରାହତ । ଏବେ ଏହି ଚିନ୍ତାଧାରାରେ କିଛି ପରିବର୍ତ୍ତନ ଘଟିଥିଲେ ହେଁ ଆଶାନୁରୂପ ହୋଇନାହିଁ ଏବଂ ଯୁଗ ଯୁଗ ଧରି ରହିଥିବା ସ୍ଥାଣୁତ୍ଵ, ଅଜ୍ଞତା ଓ ଉଦାସୀନତାର ଅବସାନ ଘଟିନାହିଁ । ସରକାରୀ ଓ ଆନୁଷ୍ଠାନିକ ସ୍ତରରେ ତ ଶିଶୁସାହିତ୍ୟ ଗବେଷଣା ଆଦୌ ହୋଇ ନାହିଁ । ବ୍ୟକ୍ତିଗତ ଭାବରେ ଯେଉଁ କେତେଜଣ ଗବେଷକ ଏ ଦିଗରେ ପଦକ୍ଷେପ ନେଇଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ମନୀନ୍ଦ୍ର ମହାନ୍ତି, ଡଃ ସ୍ନେହ ମହାପାତ୍ର, ଡଃ ଦିଗରାଜ ବ୍ରହ୍ମା, ଡଃ ମହେଶ୍ଵର ମହାନ୍ତି, ଡଃ କୃତ୍ତିବାସ ନାୟକ, ଡଃ ବସନ୍ତ କିଶୋର ସାହୁ ଓ ଡଃ ସୁରେଶ ଚନ୍ଦ୍ର କରଙ୍କ ନାମ ଉଲ୍ଲେଖଯୋଗ୍ୟ । ଏମାନେ ବିଶ୍ଵବିଦ୍ୟାଳୟର ଉଚ୍ଚତର ଡିଗ୍ରୀ (PhD.) ଲାଭ ପାଇଁ ନିଜ ନିଜ ଆଗ୍ରହ ଓ ଅଭିଜ୍ଞତା ଦୃଷ୍ଟିରୁ ଗବେଷଣା, ପ୍ରକଳ୍ପମାନ ସମ୍ପାଦନ କରି ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏମାନଙ୍କର ସାଫଲ୍ୟ ଓ କୃତିତ୍ୱ ବ୍ୟକ୍ତିଗତ ହେଲେ ହେଁ ଶିଶୁସାହିତ୍ୟର ବିକାଶପାଇଁ ଏଗୁଡ଼ିକର ଅବଦାନ ବିଶେଷ ସ୍ମରଣୀୟ ।

 

ଓଡ଼ିଆ ଶିଶୁସାହିତ୍ୟରେ ଅଧ୍ୟୟନ-

ଡଃ ମନୀନ୍ଦ୍ର ମହାନ୍ତି ଓଡ଼ିଆ ଶିଶୁସାହିତ୍ୟ ଗବେଷଣା କ୍ଷେତ୍ରରେ ଅଗ୍ରଣୀ ଏବଂ ୧୯୭୭ ମସିହାରେ ଏହି କାର୍ଯ୍ୟଟି ପୂର୍ଣ୍ଣାଙ୍ଗ ହୋଇଥିଲେ ହେଁ ତାର କେତେବର୍ଷ ପୂର୍ବରୁ ତାଙ୍କ ସ୍ଵପ୍ନ ଓ ସାଧନା ଆରମ୍ଭ ହୋଇଥିଲା । ସେ ନିଜେ ଏ ସମ୍ପର୍କରେ କହିଛନ୍ତି, ‘‘୧୯୭୨ ମସିହାରେ ଯେତେବେଳେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ junior Research fellow ପାଇଁ ବିଜ୍ଞାପନ ପ୍ରକାଶ ପାଇଲା, ସେତେବେଳେ ମୁଁ ଆବେଦନ କଲି ଓ ଫେଲୋସିପ ପାଇଲି ମଧ୍ୟ । ମୁଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଦ୍ୱିତୀୟ ଗବେଷକ । ଆବେଦନ କଲାବେଳେ ଓଡ଼ିଆ ଶିଶୁ ସାହିତ୍ୟ ବିଷୟ ରଖିଥିଲି । ସେତେବେଳେ ମୋର ଅନ୍ୟତମ ଗୁରୁଦେବ ଡଃ ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ)ଙ୍କ ରଚିତ ‘‘ଓଡ଼ିଆ ଶିଶୁସାହିତ୍ୟ (ଆଧୁନିକ ଓଡ଼ିଆ ସାହିତ୍ୟ)’’ ଆଲୋଚନା ପ୍ରଥମେ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଅନ୍ଧାରରେ ଲହୁଡ଼ି ପାଇଲା ପାରି ସେହି ଶିଶୁସାହିତ୍ୟ ବିଷୟକୁ ଜାବୁଡ଼ି ଧରିଲି ଆଉ ଛାଡ଼ିଲି ନାହିଁ । (ବାଇଶ ପାହାଚ, ଓଡ଼ିଆ ଶିଶୁସାହିତ୍ୟ, ଉନ୍ମେଷ ଓ ବିକାଶ, ୧୯୯୨) ।

 

ଡକ୍ଟର ମହାନ୍ତି ୧୯୭୭ ମସିହାରେ ‘‘ଓଡ଼ିଆ ଶିଶୁସାହିତ୍ୟ : ଉନ୍ମେଷ ଓ ବିକାଶ’’ ଶୀର୍ଷକ ସନ୍ଦର୍ଭ ରଚନା କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପି.ଏଚ୍‍.ଡି. ଡିଗ୍ରୀ ଲାଭ କରିଥିଲେ । ଏହି ଗବେଷଣାରେ ସେ ୧୯୪୭ ପର୍ଯ୍ୟନ୍ତ ଓଡ଼ିଆ ଶିଶୁସାହିତ୍ୟର ବିକାଶ-ଇତିହାସ ପ୍ରଦାନ କରିଛନ୍ତି । ଏଥିରେ ସେ ବିଷୟବସ୍ତୁ, ଶୈଳୀ, ମନସ୍ତାତ୍ତ୍ୱିକ ଓ ସମାଜତାତ୍ତ୍ୱିକ ପୃଷ୍ଠଭୂମି ଇତ୍ୟାଦିର ପର୍ଯ୍ୟାଲୋଚନା କରିଛନ୍ତି । ସ୍ଵାଧୀନତା ପରବର୍ତ୍ତୀ ଶିଶୁସାହିତ୍ୟ ଉପରେ ସେ ମଧ୍ୟ ଏକଶହ ପୃଷ୍ଠାର ବିବରଣୀ ଦେଇଛନ୍ତି । ଡକ୍ଟର ମହାନ୍ତିଙ୍କ ପରେ ଡକ୍ଟର ସ୍ନେହ ମହାପାତ୍ର ମଧ୍ୟପ୍ରଦେଶର ରାୟପୁର ବିଶ୍ଵବଦ୍ୟାୟଳରୁ ‘‘ହିନ୍ଦୀ ଓ ଓଡ଼ିଆ ଶିଶୁସାହିତ୍ୟର ଏକ ତୁଳନାତ୍ମକ ଅଧ୍ୟୟନ’’ କରି ପି ଏଚ୍‍ ଡି. ଡିଗ୍ରୀ ଲାଭ କରିଥିଲେ ।

 

ଡକ୍ଟର ଦିଗରାଜ ବ୍ରହ୍ମା ‘‘ଶିଶୁସାହିତ୍ୟର ଶୈକ୍ଷିକ ମହତ୍ତ୍ୱ’’ (Educational Implication of Children's Literture) ଶୀର୍ଷକ ପ୍ରକଳ୍ପ ଉପରେ ଗବେଷଣା କରିଛନ୍ତି । ୧୯୮୫ ମସିହାରେ ସେ ତାଙ୍କ ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟଙ୍କଠାରୁ ପି.ଏଚ୍‍ ଡି. ଡିଗ୍ରୀ ଲାଭ କରିଥିଲେ । ତାଙ୍କ ଗବେଷଣାର ବିଶିଷ୍ଟ ଉପଲବ୍‌ଧିମାନ ହେଲା ଯେ ସର୍ବାଧିକ ଛାତ୍ରଛାତ୍ରୀ ବିଜ୍ଞାନ ଭିତ୍ତିକ ବିଷୟବସ୍ତୁରେ ବିଶେଷ ଆଗ୍ରହୀ ଏବଂ ଦୁଃଖ ଦୁର୍ଘଟଣା ଆଦିରେ ବୀତସ୍ପୃହ । ସଂଖ୍ୟାଧିକ ଛାତ୍ରଛାତ୍ରୀ ଗ୍ରନ୍ଥ ପୁସ୍ତକକୁ ପସନ୍ଦ କରିଥଲେ ଏବଂ କ୍ରମାନ୍ଵୟରେ କବିତା, ଏକାଙ୍କିକା, ଚିତ୍ରଗଳ୍ପ, ଉପନ୍ୟାସ ଆଦିକୁ ଆଦର କରିଥିଲେ । ପୁସ୍ତକ ନିର୍ବାଚନ ଓ ପାଠ କରିବାରେ ସଂଖ୍ୟାଗରିଷ୍ଠ ଛାତ୍ରଛାତ୍ରୀ ସେମାନଙ୍କର ଗୁରୁଜନ ଓ ଶିକ୍ଷକଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ଯେଉଁ ଲେଖକ ଓ କବିଙ୍କର ଲେଖା ପାଠ୍ୟପୁସ୍ତକରେ ସ୍ଥାନିତ ସେହିମାନେ ଶିକ୍ଷାର୍ଥୀଗଣଙ୍କ ପାଖରେ ଅଧିକ ପରିଚିତ । ସର୍ବାଧିକ ଦୟନୀୟ ତଥ୍ୟ ତାଙ୍କ ଅଧ୍ୟୟନରୁ ସ୍ପଷ୍ଟ ହେଲା ଯେ ପ୍ରାଥମିକ ବିଦ୍ୟାଳୟରେ ଜଣ ପିଛା ଛାତ୍ରଛାତ୍ରୀ ୦.୬୨ରୁ ଆରମ୍ଭ କରି ୧୬ଖଣ୍ଡ ପର୍ଯ୍ୟନ୍ତ ପୁସ୍ତକ ପାଠ କରିଥିଲେ । ପୁଣି ସେହି ପିଲାମାନଙ୍କର ମୁଣ୍ଡପିଛା ପୁସ୍ତକ କ୍ରୟରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୨୯ ପଇସା ଏବଂ ଶତକଡ଼ା ୫୨ ବିଦ୍ୟାଳୟରେ ଶିଶୁପୁସ୍ତକ କ୍ରୟ କରିବା ପାଇଁ ଆଦୌ ସମ୍ବଳ ନଥିଲା । ଶୈକ୍ଷିକ ସଫଳତା ଉପରେ ଶିଶୁସାହିତ୍ୟର ଯଥେଷ୍ଟ ପ୍ରଭାବ ରହିଥିଲା ବୋଲି ଅଧିକାଂଶ ଶିକ୍ଷକ ମତ ଦେଇଥିଲେ ।

 

ଡକ୍ଟର ମହେଶ୍ଵର ମହାନ୍ତି ‘‘ଓଡ଼ିଆ ଶିଶୁସାହିତ୍ୟର ସାମାଜିକ ପୃଷ୍ଠଭୂମି’’ ସମ୍ପର୍କରେ ଏକ ଗଭୀର ଅଧ୍ୟୟନ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୮୯ ମସିହାରେ ପି.ଏଚ୍‍.ଡି ଉପାଧି ଲାଭ କରିଛନ୍ତି । ଶିଶୁର ଶାରୀରିକ ଓ ମାନସିକ ବିକାଶ ଦିଗରେ ସମାଜର ଭୁମିକା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ପ୍ରତିବେଶୀ ଅସମୀୟା ଓ ବଙ୍ଗଳା ଶିଶୁସାହିତ୍ୟର ବିଶେଷ ଅଗ୍ରଗତି ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି । ଓଡ଼ିଆ ଶିଶୁସାହିତ୍ୟର ଆଦ୍ୟଝଙ୍କାର କିପରି ଲୋକଗୀତ ଓ ଗଳ୍ପରେ ଝଙ୍କୃତ ହୋଇଛି, ଆଲୋଚନା କରି ଡକ୍ତର ମହାନ୍ତି ୧୯ଶ ଶତାବ୍ଦୀର ନବଜାଗରଣ, ପାଠ୍ୟପୁସ୍ତକ ଆନ୍ଦୋଳନ ଓ ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟରେ ପ୍ରାଣ ପ୍ରତିଷ୍ଠା ବିଷୟରେ ଆଲୋଚନା କରିଛନ୍ତି । ଯୁଗସ୍ରଷ୍ଟା ମଧୁସୂଦନଙ୍କ ସାଧନାରେ ନୀତିମୂଳକ ଓ ଧର୍ମଭିତ୍ତିକ ଶିଶୁସାହିତ୍ୟର ବିକାଶ ଘଟିବା ଓ ବିଂଶ ଶତାବ୍ଦୀ ପ୍ରାରମ୍ଭରେ ଓଡ଼ିଆ ଶିଶୁସାହିତ୍ୟରେ ସ୍ଵାତନ୍ତ୍ର୍ୟ କିପରି ବିଭିନ୍ନ ଦିଗରେ ପ୍ରଦର୍ଶିତ ହୋଇଥିଲା, ତା’ର ସମ୍ୟକ୍‌ ଆଲୋଚନା କରାଯାଇଛି । ଉପସଂହାରରେ ଗବେଷକ ଭାରତୀୟ ଶିଶୁସାହିତ୍ୟର ଉତ୍ତରଣ ସହିତ ଓଡ଼ିଆ ଶିଶୁସାହିତ୍ୟର ସ୍ଵାଧୀନତା ପରବର୍ତ୍ତୀ କାଳରେ କିପରି ଅଗ୍ରଗତି ଘଟିଛି ଏବଂ ପ୍ରଦୂଷିତ ସମାଜ ଦ୍ଵାରା ଏହି ସାହିତ୍ୟ କିପରି ପ୍ରଭାବିତ ହୋଇଛି, ତାର ବିଚାର କରିଛନ୍ତି । ପରିଶିଷ୍ଟରେ ଗବେଷକ କେତେକ ଦୁର୍ଲ୍ଲଭ ପାଠ୍ୟପୁସ୍ତକ, ପତ୍ର-ପତ୍ରିକାର ସୂଚନା ଦେଇ ଧନ୍ୟବାଦାର୍ହ ହୋଇଛନ୍ତି ।

 

ଡକ୍ଟର କୃତ୍ତିବାସ ନାୟକଙ୍କ ସନ୍ଦର୍ଭ (୧୯୯୨) ‘‘ଓଡ଼ିଆ ଶିଶୁଗଳ୍ପର ସ୍ଵରୂପ ଓ ବିକାଶ’’ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ପି.ଏଚ୍‌.ଡି ଉପାଧି ନିମନ୍ତେ ପ୍ରସ୍ତୁତ ହୋଇ ଲକ୍ଷ୍ୟସ୍ଥଳରେ ଗବେଷକଙ୍କୁ ପହଞ୍ଚାଇ ପାରିଛି । ଏଥିରେ ଗବେଷକ ଶିଶୁଗଳ୍ପର ସୃଷ୍ଟି, ସଂଜ୍ଞା, ବିଷୟବସ୍ତୁ, ଚରିତ୍ର ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଶିଶୁଗଳ୍ପ ସହିତ ଶିଶୁ ମନସ୍ତତ୍ତ୍ୱର ସମ୍ବନ୍ଧ ଦେଖାଇ ସେ ଓଡ଼ିଆ ଶିଶୁସାହିତ୍ୟର ବିକାଶଧାରା ଦେଖାଇଛନ୍ତି । ଡକ୍ଟର ନାୟକ ଓଡ଼ିଆ ଶିଶୁଗଳ୍ପ ପ୍ରକାରଭେଦ ଓ ଶିଶୁଗଳ୍ପର ବିକାଶ-ପଥରେ ପତ୍ରପତ୍ରିକାର ଅବଦାନ ବର୍ଣ୍ଣନା କରିଛନ୍ତି । ଉପସଂହାରରେ ଶିଶୁଗଳ୍ପର ଚିରନ୍ତନ ମୂଲ୍ୟବୋଧ, ପ୍ରାଚୀନ ଓ ଆଧୁନିକ ଶିଶୁଗଳ୍ପର ଏକ ତୁଳନାତ୍ମକ ମୂଲ୍ୟାୟନ ସ୍ଥାନିତ ହୋଇଛି ।

 

ଡକ୍ଟର ବସନ୍ତ କିଶୋର ସାହୁ (୧୯୯୨) ଓଡ଼ିଆ ମୌଖିକ ଶିଶୁସାହିତ୍ୟ ଉପରେ ଗବେଷଣା କରି ଉତ୍କଳ ବିଶ୍ଵବିଦ୍ୟାଳୟଠାରୁ ପି ଏଚ୍‍. ଡି ଡିଗ୍ରୀ ଲାଭ କରିଛନ୍ତି । ଗବେଷକ ପ୍ରଥମେ ଶିଶୁସାହିତ୍ୟର ପରିଚୟ, ପ୍ରକାରଭେଦ ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରି ଓଡ଼ିଆ ମୌଖିକ ଶିଶୁସାହିତ୍ୟର ଘନିଷ୍ଠ ସମ୍ପର୍କ ଓ ଲିଖିତ ଶିଶୁସାହିତ୍ୟ ଉପରେ ଏହାର ପ୍ରଭାବ ମଧ୍ୟ ବର୍ଣ୍ଣିତ ହୋଇଛି । ମୌଖିକ ଶିଶୁସାହିତ୍ୟରେ ତତ୍କାଳୀନ ସମାଜର ଚିତ୍ର କିପରି ପ୍ରତିଫଳିତ ହୋଇଛି ଡକ୍ଟର ସାହୁ/ ଦୃଷ୍ଟାନ୍ତମାନ ଦେଇ ଆଲୋଚନା କରିଛନ୍ତି ଏବଂ ଉପସଂହାରରେ ସମଗ୍ର ସନ୍ଦର୍ଭର ଏକ ବିହଙ୍ଗାବଲୋକନ କରିଛନ୍ତି ।

 

ଡକ୍ତର ସୁରେଶ ଚନ୍ଦ୍ର କର (୧୯୯୩) ‘‘ଓଡ଼ିଆ ଶିଶୁ ସାହିତ୍ୟକୁ ଉଦୟନାଥ ଷଡ଼ଙ୍ଗୀଙ୍କ ଅବଦାନ’’ ସମ୍ପର୍କରେ ନିବନ୍ଧ ରଚନା କରି ଉତ୍କଳ ବିଶ୍ଵବିଦ୍ୟାଳୟଙ୍କ ଦ୍ଵାରା ପି.ଏଚ୍‍.ଡି ପ୍ରାପ୍ତ ହୋଇଛନ୍ତି । ଶିଶୁ ସହିତ ସମାଜ ଓ ସାହିତ୍ୟର ନିଗୂଢ଼ ସମ୍ପର୍କ, ଶିଶୁସାହିତ୍ୟର ସଂଜ୍ଞା ଓ ସ୍ଵରୂପ ନିରୂପଣ କରିବା ସଙ୍ଗେ ସଙ୍ଗେ ତାର କ୍ରମବିକାଶ ରାଜ୍ୟ ଓ ଜାତୀୟ ସ୍ତରରେ ଆଲୋଚନା କରିଛନ୍ତି । ଶିକ୍ଷାବିସ୍ତାର ସହିତ ଶିଶୁସାହିତ୍ୟର ଘନିଷ୍ଠ ସମ୍ବନ୍ଧ ଦେଖାଇ ସେ ସ୍ରଷ୍ଟା ଉଦୟନାଥ ଷଡ଼ଙ୍ଗୀଙ୍କ ଜୀବନୀ ଓ ଜୀବିକା ସହିତ ତାଙ୍କ ଶିଶୁ ସାହିତ୍ୟ ସାଧନାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି । ଶିଶୁସାହିତ୍ୟର ଉଦୟନାଥଙ୍କ ଦୃଷ୍ଟି ଓ ଦର୍ଶନ ବିଷୟ କିପରି ପ୍ରକାଶିତ ହୋଇଛି, ଗବେଷକ ସ୍ପଷ୍ଟରୂପେ ଦେଖାଇଛନ୍ତି ଏବଂ ତାଙ୍କ ଶିଳ୍ପକଳା ବା ରୀତିର ଏକ ଉଜ୍ଜ୍ୱଳ ଆକଳନ କରିଛନ୍ତି । ଉପସଂହାରରେ ଡକ୍ଟର କର ଉଦୟନାଥଙ୍କ ସମଗ୍ର ଶିଶୁସାହିତ୍ୟର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦାନ କରି ତାଙ୍କର ଅବଦାନ ସମ୍ପର୍କରେ ସମ୍ୟକ ଆଲୋଚନା କରିଛନ୍ତି ।

 

ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ସନ୍ଦର୍ଭ ୧୯୯୨-୯୩ ମସିହାରେ ଆତ୍ମପ୍ରକାଶ କଲା ଏବଂ ଡକ୍ଟର ବ୍ରହ୍ମାଙ୍କ ଇଂରେଜିରେ ଲିଖିତ ସନ୍ଦର୍ତ୍ତ ୧୯୮୯ରେ ପ୍ରକାଶିତ ହୋଇଛି । ଡକ୍ଟର ମହାପାତ୍ରଙ୍କ ସନ୍ଦର୍ଭ ହିନ୍ଦୀରେ ରଚିତ ହୋଇଛି, ମାତ୍ର ପ୍ରକାଶିତ ହେବାର ସୂଚନା ମିଳିନାହିଁ । ଅନ୍ୟମାନଙ୍କର ଗବେଷଣା ସନ୍ଦର୍ଭ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, ମାତ୍ର କେତୋଟି ନିକଟ ଭବିଷ୍ୟତରେ ଆତ୍ମପ୍ରକାଶ କରିବାର ଆଶା ରହିଛି । ଡକ୍ଟର ମନୀନ୍ଦ୍ର ମହାନ୍ତି ଶିଶୁସାହିତ୍ୟ ରଚନାରେ ଶିଶୁ ମନୋବିଜ୍ଞାନର ଓ ଡକ୍ଟର ମହେଶ୍ଵର ମହାନ୍ତି ସାମାଜିକ ଭିତ୍ତିଭୂମିର ଭୂମିକା, ଡକ୍ଟର ବ୍ରହ୍ମା ଶୈକ୍ଷିକ ତାତ୍ପର୍ଯ୍ୟ ଓ ଡକ୍ଟର ସାହୁ ମୌଖିକ ଶିଶୁସାହିତ୍ୟର ଗୁରୁତ୍ୱ ସମ୍ୟକ୍‌ ରୂପେ ଆଲୋଚନା କରିଛନ୍ତି । ଡକ୍ଟର ନାୟକ ଶିଶୁଗଳ୍ପର ବିଶେଷ ଅନୁଧ୍ୟାନ କଲାବେଳେ ଡକ୍ଟର କର ଅନ୍ୟତମ ଶିଶୁସାହିତ୍ୟ ସ୍ରଷ୍ଟା ଉଦୟନାଥଙ୍କ ସାରସ୍ଵତ ସାଧନା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।

 

ପି.ଏଚ୍‍.ଡି ଉପାଧିପ୍ରାପ୍ତ ନିମନ୍ତେ ଯେଉଁମାନେ ଗବେଷଣା ସନ୍ଦର୍ଭମାନ ଲେଖିଛନ୍ତି, ସେମାନଙ୍କ ବ୍ୟତୀତ ଆଉ କେତେଜଣ ଏକାକୀ କିମ୍ବା ସେମାନଙ୍କ ମଧ୍ୟରୁ କାହା ସହିତ ନିଜର ବୌଦ୍ଧିକ ଜିଜ୍ଞାସା ଚରିତାର୍ଥ କରିବାକୁ କେତେକ ଅନୁଧ୍ୟାନ କରିଛନ୍ତି । ଓଡ଼ିଆ ଶିଶୁ ସାହିତ୍ୟର ବିକାଶ ସେମାନଙ୍କର ଦୂରନ୍ତ ଲକ୍ଷ୍ୟ । ସତ୍ୟର ସନ୍ଧାନ ପାଇଁ ସେଗୁଡ଼ିକ କ୍ଷଣିକ ଆଲୋକ ହେଲେ ବି ତାର ଗରୁତ୍ୱକୁ ଅସ୍ଵୀକାର କରିହେବ ନାହିଁ ।

 

୧୯୮୨ ମସିହରେ ଏହି ଲେଖକ ବ୍ରହ୍ମାଙ୍କ ସହିତ ‘ଓଡ଼ିଶାରେ ପିଲାମାନଙ୍କର ପଠନସ୍ପୃହା’ ଉପରେ ଏକ ଅଧ୍ୟୟନ କରିଥିଲେ । ଏଥିରୁ ସ୍ପଷ୍ଟ ହେଲା ଯେ ଓଡ଼ିଆ ଛାତ୍ରଛାତ୍ରୀଗଣ ବିଭିନ୍ନ ଶୈଳୀ ମଧ୍ୟରୁ କବିତାକୁ ସର୍ବାଧିକ ଏବଂ ତା ପଛକୁ କଥାକୁ ବେଶୀ ପାଠକରିବାକୁ ଚାହାନ୍ତି । ସେମାନେ ବିଜ୍ଞାନ, ପୁରାଣ, ଲୋକକଥା ଓ ପରୀକଥାକୁ ସୁଖ ପାନ୍ତି । ମାତ୍ର ସ୍ୱାଧୀନ ଭାବରେ ଗଳ୍ପ ଉପନ୍ୟାସ ପାଠ କରିବାକୁ ଖୁବ୍‌ପସନ୍ଦ କରନ୍ତି । ବଡ଼ ଅକ୍ଷରରେ ସୁମୁଦ୍ରିତ ଓ ମାନ୍ଦ୍ରାଜରୁ ପ୍ରକାଶିତ ‘‘ଜହ୍ନମାମୁଁ’’ ଏବଂ ଓଡ଼ିଶା ସରକାରଙ୍କ ଦ୍ଵାର ପ୍ରକାଶିତ ‘‘ଶିଶୁଲେଖା’’, ତା ପଛକୁ ଛାତ୍ରସାଥୀ ପ୍ରେସରୁ ପ୍ରକାଶିତ ‘‘ମନପବନ’’, ପତ୍ରିକା ଅଧିକ ପାଠ କରିଥାନ୍ତି ।

 

ପୁଣି ଏହି ଲେଖକଦ୍ୱୟ (୧୯୮୬) ‘‘ଓଡ଼ିଶାର ଶିଶୁସାହିତ୍ୟ ପତ୍ରିକାର ସମୀକ୍ଷା’’ ଶୀର୍ଷକ ଏକ ଅଧ୍ୟୟନ କରିଥିଲେ । ପତ୍ରିକାଗୁଡ଼ିକର ସାମ୍ପ୍ରତିକ ଅବସ୍ଥା ସମ୍ପର୍କରେ ଏହି ଅନୁଧ୍ୟାନ ସମ୍ପାଦନ କରି ସେଗୁଡ଼ିକର ମାନ (Standard) ଓ ଲୋକପ୍ରିୟତା ବଢ଼ିବ, ସେଦିଗରେ ପରାମର୍ଶ ଦେଇଥିଲେ । ଏହି ଅଧ୍ୟୟନରେ ପ୍ରଧାନ ଉପଲବ୍‌ଧି ଗୁଡିକ ହେଲା- ଅଧିକାଂଶ ପତ୍ରିକା ମାସିକୀ ଓ ସେମାନଙ୍କର ପ୍ରତିଖଣ୍ଡର ମୂଲ୍ୟ ଟ ୧.୨୫ ପଇସାରୁ ୨ଟଙ୍କା ହୋଇଛି । ୧୫୦୦ରୁ ୨୦୦୦ ସଂଖ୍ୟାରେ ଏଗୁଡ଼ିକ ଛପାଯାଏ ଏବଂ ବଞ୍ଚିଥିବା ପତ୍ରିକାଗୁଡ଼ିକ ମଧ୍ୟରୁ ସବୁଠୁଁ ଅଧ୍ୟୟକ କାଳ ବଞ୍ଚିଥିବା କାଳ ହେଲା ୩୫ ବର୍ଷ । ଏହି ପତ୍ରିକାଗୁଡ଼ିକର ଅଧିକାଂଶ ଲେଖା ବିଜ୍ଞାନ, ମନୋରଞ୍ଜନ, ଶିକ୍ଷା ଓ ତଥ୍ୟମୂଳକ ଏବଂ ଏଗୁଡ଼ିକ ସମ୍ପାଦନାରେ ବା ଲେଖା ନିର୍ବାଚନରେ କୌଣସି ନିର୍ଦ୍ଦିଷ୍ଟ ନୀତି ବା ଆଭିମୁଖ୍ୟ ନଥିଲା । ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପ୍ରକାଶିତ ‘‘ଶିଶୁଲେଖା’’ ବ୍ୟତୀତ ଅନ୍ୟଗୁଡ଼ିକର କେବଳ ଧଳାକଳା ଛବି ସେଥିରେ ପ୍ରକାଶିତ ହେଉଥିଲା । ଏଗୁଡ଼ିକ ମଧ୍ୟରୁ କୌଣସି ପତ୍ରିକା ପ୍ରକାଶିତ ଲେଖାପାଇଁ ପାରିଶ୍ରମିକ ଦେଉନଥିଲା ବେଳେ କେବଳ ‘‘ଶିଶୁଲେଖା’’ ପ୍ରତିଲେଖା ପିଛା ୨୦ ଟଙ୍କାରୁ ୫୦ ଟଙ୍କା ଦେଉଥିଲା । କେତେକ ପତ୍ରିକାର ସମ୍ପାଦନ ତଥା ପରିଚାଳକ ସମୟ ସମୟରେ ଲେଖକମାନଙ୍କୁ ସମ୍ବର୍ଦ୍ଧନା ତଥା । ଉପାୟନ ପ୍ରଦାନ କରୁଥିଲେ ।

 

ଶ୍ରୀ ବଂଶୀଧର ସାହୁ (୧୯୮୮) ‘‘ଶିଶୁସାହିତ୍ୟ ପ୍ରତି ପିତାମାତାଙ୍କର ଦୃଷ୍ଟିଭଙ୍ଗୀ ଓ ପିଲାମାନଙ୍କ ମଧ୍ୟରେ ପଠନାଭ୍ୟାସ’’ ଶୀର୍ଷକ ଏକ ଅଧ୍ୟୟନ ସମ୍ପାଦନ କରିଥିଲେ । ଶିଶୁ ଓ କିଶୋରମାନଙ୍କର ଶିଶୁ ସାହିତ୍ୟ ପଠନ ପ୍ରତି ଅଭିଭାବକମାନଙ୍କର ଦୃଷ୍ଟିଭଙ୍ଗୀ ଏବଂ ଏହି ଅଭ୍ୟାସ ଗଠନରେ ସେମାନଙ୍କର ସହଯୋଗ କେତେ ଜାଣିବା, ଉକ୍ତ ଅନୁଧାନର ଆଭିମୁଖ୍ୟ ଥିଲା । ଭୁବନେଶ୍ଵର ଓ ଦିଲ୍ଲୀରେ ରହୁଥିବା ପିତାମାତା ଓ ଛାତ୍ରଛାତ୍ରୀମାନଙ୍କଠାରୁ ଆବଶ୍ୟକ ପରିସଂଖ୍ୟାନ ସଂଗୃହୀତ ହୋଇଥିଲା ଓ ଉକ୍ତ ସର୍ବେକ୍ଷଣର ମୁଖ୍ୟ ଉପଲବ୍‌ଧିଗୁଡ଼ିକ ହେଲା- ଦିଲ୍ଲୀରେ ଶତକଡ଼ା ୯୪ ଓ ଭୁବନେଶ୍ଵରରେ ଶତକଡ଼ା ୮୮ ଅଭିଭାବକ ଚାହାନ୍ତି ସେ ସେମାନଙ୍କର ପିଲାମାନେ ପାଠ୍ୟପୁସ୍ତକ ବ୍ୟତୀତ ଶିଶୁ ପତ୍ରପତ୍ରିକା ଓ ପୁସ୍ତକ ପାଠ କରନ୍ତୁ । ଦିଲ୍ଲୀରେ ୪୬.୬% ଓ ଭୁବନେଶ୍ୱରରେ ୬୧.୩% ପିତାମାତା ଭାବନ୍ତି ଯେ ଏ ସବୁର ଅଧ୍ୟୟନ ପିଲାମାନଙ୍କର ଜ୍ଞାନ ଓ ବୁଦ୍ଧିରେ ସହାୟକ ହେବ । ଦିଲ୍ଲୀର ୯୫.୭% ଓ ଭୁବନେଶ୍ୱରର ୯ ୦.୯ % ପିତାମାତା ସେମାନଙ୍କର ପିଲାମାନଙ୍କ ପତ୍ରପତ୍ରିକା ଓ ପୁସ୍ତକ ଯୋଗାଉଥିଲେ । ପୁଣି ମଜାର କଥା ଏହି ଯେ ଦିଲ୍ଲୀର ୭୬.୫ ଓ ଭୁବନେଶ୍ୱରର ୨୯.୬% ପିତାମାତାଙ୍କ ମତରେ ସେମାନେ ପିଲାଙ୍କ ଚିତ୍ରକଥା (comic) ପାଠ କରିବାକୁ ଦିଆଯାଏ । ଭୁବନେଶ୍ୱରର ୭୨.୭% ଓ ଦିଲ୍ଲୀର ୪୨.୮% ପିତାମାତା ପାଠ୍ୟପୁସ୍ତକ ଆଦି ପଠନ ସାମଗ୍ରୀ ଯୋଗାଉଥିଲେ । ଦିଲ୍ଲୀର ପିଲାମାନେ ପାଠାଗାରରେ ଶିଶୁସାହିତ୍ୟ ପୁସ୍ତକଗୁଡ଼ିକ ପାଠ କରୁଥିଲେ ।

 

ଏହି ଲେଖକ ପୁଣି ୧୯୮୬ରେ ‘‘ଓଡ଼ିଆ ଶିଶୁସାହିତ୍ୟ ପତ୍ରିକାଗୁଡ଼ିକର ସର୍ବେକ୍ଷଣ, ଶୀଷକ ଏକ ଅଧ୍ୟୟନ ସମ୍ପାଦନ କରିଥିଲେ ଶିଶୁସାହିତ୍ୟ ପତ୍ରିକାଗୁଡ଼ିକର ଉନ୍ମେଷ ଓ ବିକାଶର ଧାରା ଓ ଜିଲ୍ଲାଜିଲ୍ଲା (ଅବିଭକ୍ତ) ମଧ୍ୟରେ କି କି ପାର୍ଥକ୍ୟ ପରିଲକ୍ଷିତ ହୋଇଛି, ସେସବୁର ସୂଚନା ଦେବା ଏହି ଅଧ୍ୟୟନର ଲକ୍ଷ୍ୟଥିଲା । ମୋଟ ୧୮୬ଟି ପତ୍ରିକା ସମ୍ପର୍କରେ ତଥ୍ୟ ସଂଗୃହୀତ ହୋଇଥିଲା ଏବଂ ସେଥିରୁ ମିଳିଥିବା ପ୍ରଧାନ ଉପଲବ୍‌ଧିଗୁଡ଼ିକ ହେଲା ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ ମାତ୍ର ଗୋଟିଏ ଲେଖା ଶିଶୁସାହିତ୍ୟ ପତ୍ରିକା ଆତ୍ମପ୍ରକାଶ କରିଥିଲା । ତୃତୀୟ ଓ ଚତୁର୍ଥ ଦଶନ୍ଧିରେ କୌଣସି ପତ୍ରିକା ପ୍ରକାଶିତ ହୋଇନଥିଲା । ପଞ୍ଚମ, ଷଷ୍ଠ ଓ ସପ୍ତମ ଦଶକରେ ପାଞ୍ଚୋଟି ଲେଖା ପତ୍ରିକା ପ୍ରକାଶିତ ହୋଇଥିଲା । ଅଷ୍ଟମ ଦଶନ୍ଧିରେ ସର୍ବାଧିକ ୮୪ଟି ଶିଶୁପତ୍ରିକା ପ୍ରକାଶ ପାଇଥିଲା । ନବମ ଦଶନ୍ଧିର ମଧ୍ୟଭାଗ ଅର୍ଥାତ୍‌ ୧୯୮୪ ମସିହା ସୁଦ୍ଧା ଏହି ପତ୍ରିକାର ମୋଟ ସଂଖ୍ୟା ପ୍ରାୟ ୧୦୦ରେ ପହଞ୍ଚିବାର ସମ୍ଭାବନା ଥିଲା । କଟକ ଜିଲ୍ଳାରେ ସର୍ବାଧିକ ୮୫ଟି ଓ ତାପରେ ପୁରୀ ଜିଲ୍ଲାରେ ୩୪ଟି, ବାଲେଶ୍ଵର ଜିଲ୍ଲାରେ ୧୦ଟି, ଗଞ୍ଜାମ ତଥା କୋରାପୁଟ ଜିଲ୍ଲାରେ ଗୋଟିଏ ଲେଖା ପତ୍ରିକା ପ୍ରକାଶିତ ହୋଇଥିଲା । କଳାହାଣ୍ଡିରେ ମାତ୍ର ଏକମାତ୍ର ପତ୍ରିକା ପ୍ରକାଶିତ ଓ ବୌଦ ଫୁଲବାଣୀରେ କୌଣସି ପତ୍ରିକା ପ୍ରକାଶିତ ହୋଇନଥିଲା । ଓଡ଼ିଶା ବାହାରେ ଦୁଇଟି ପତ୍ରିକା (ମାନ୍ଦ୍ରାଜରୁ ‘ଜହ୍ନମାମୁଁ ଓ ପଣ୍ଡିଚେରୀରୁ ‘ନବପ୍ରକାଶ’) ପ୍ରକାଶିତ ହେଉଥିଲା । ଶଂସିତ ପତ୍ରିକାଗୁଡ଼ିକ ମଧ୍ୟରୁ ଶତକଡ଼ା ୮୦ ଭାଗର ପ୍ରକାଶନ ବନ୍ଦ ହୋଇଯାଇଥିଲା ବା ସାମୟିକ ଭାବରେ ପ୍ରକାଶିତ ହେଉଥିଲା । ବାକି ୨୦ଭାଗ ପତ୍ରିକା କଟକ ଓ ପୁରୀ ଜିଲ୍ଲାରେ ଆମ୍ମପ୍ରକାଶ କରୁଥିଲା ।

 

ସମ୍ପତି କେତେକ ଗବେଷକ ଶିଶୁସାହିତ୍ୟରେ ଉଚ୍ଚତମ ଡିଗ୍ରୀ (ଡି.ଲିଟ୍‌) ବା ଉପାଧି ପାଇଁ ଅଧ୍ୟୟନ କରୁଛନ୍ତି । ସେମାନଙ୍କ ମଧ୍ୟରେ ଡକ୍ଟର ଭାଗବତ ପ୍ରସାଦ ଲେଙ୍କା, ଡକ୍ଟର ଅଶୋକ କୁମାର ହୋତା, ଡଃ କୃତ୍ତିବାସ ନାୟକ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଆନୁଷ୍ଠାନିକ ଭାବରେ ଓଡ଼ିଶା ଶିଶୁସାହିତ୍ୟ ଗବେଷଣା ପରିଷଦ, ଶିଶୁସାହିତ୍ୟ ଏକାଡେମୀ, ଓଡ଼ିଶା ଗବେଷଣା ପରିଷଦ ଆଦି ଓଡ଼ିଆ ଶିଶୁସାହିତ୍ୟ କ୍ଷେତ୍ରରେ ଗବେଷଣା ଓ ଅଧ୍ୟୟନ କରୁଛନ୍ତି ଏବଂ ଗବେଷଣାରତ ବ୍ୟକ୍ତିଗଣଙ୍କୁ ସହଯୋଗ କରୁଛନ୍ତି । ମାତ୍ର ଏ ସମସ୍ତ ପ୍ରଚେଷ୍ଟା ସତ୍ତ୍ଵେ ଓଡ଼ିଆ ଶିଶୁସାହିତ୍ୟରେ ସେମାନଙ୍କର ଅବଦାନ ଆଶାନୁରୂପ ନୁହେଁ ।

 

ସାମ୍ପ୍ରତିକ ସମସ୍ୟା ଓ ଅଭାବ ଅସୁବିଧା :

ଗବେଷଣା ଓ ଅଧ୍ୟୟନ ପାଇଁ ଯେଉଁପରି ଏକାଗ୍ରତା, ସାଧନା ଓ ନିଷ୍ଠା ଆବଶ୍ୟକ ଆଜିକାଲି ଯୁବ ଗବେଷକମାନଙ୍କ ମଧ୍ୟରେ ତାହା ପରିଦୃଷ୍ଟ ହେଉନାହିଁ । ବିଶ୍ଵବିଦ୍ୟାଳୟରୁ ଉଚ୍ଚତର ଡିଗ୍ରୀ ଲାଭ କରିବାକୁ ଏକମାତ୍ର ଅଧ୍ୟୟନ ମନେକରି ଗବେଷଣା କରିବାରେ ପୁରୁଷାର୍ଥ ମିଳିପାରେ, ମାତ୍ର ବାଞ୍ଚିତ ଲକ୍ଷ୍ୟଗୁଡ଼ିକ ପୂରଣ ହୋଇପାରେ ନାହିଁ କିମ୍ବା ସାହିତ୍ୟର ବହୁମୁଖୀ ବିକାଶ ଘଟିନଥାଏ । ଦ୍ଵିତୀୟତଃ ଶିଶୁସାହିତ୍ୟ ପରି ସମ୍ଭାବନାପୂର୍ଣ୍ଣ ଓ ସମ୍ବେଦନଶୀଳ (Sensitive) କ୍ଷେତ୍ରରେ ଗବେଷକମାନେ ଯେପରି ଯତ୍ନଶୀଳ ଓ କଷ୍ଟସହିଷ୍ଣୁ ହେବା କଥା ତାହା ପରିଲକ୍ଷିତ ହେଉନାହିଁ । ଅନାୟାସରେ ସମ୍ମାନ ଓ ସ୍ଵୀକୃତି ଲାଭ କରିବା ଅନେକଙ୍କର ଆଦର୍ଶ ଓ କାର୍ଯ୍ୟଧାରା ହୋଇଛି । ତୃତୀୟତଃ ରାଜ୍ୟ ଓ କେନ୍ଦ୍ର ସରକାର, ବିଶ୍ୱବିଦ୍ୟାଳୟ ଓ ବୌଦ୍ଧିକ ସଂସ୍ଥାମାନଙ୍କ ତରଫରୁ ଏ ପ୍ରକାର ଗବେଷଣା ପାଇଁ ଯେପରି ସାହାଯ୍ୟ ଓ ପୃଷ୍ଠପୋଷକତା ଦେବା ଦରକାର, ତାର ଅଭାବ ରହିଛି ।

 

ଚତୁର୍ଥ, ଗବେଷଣା ବିଶେଷତଃ ଐତିହାସିକ ଅଧ୍ୟୟନ କ୍ଷେତ୍ରରେ ଗ୍ରନ୍ଥାଗାର, ଅଭିଲେଖାଗାର ଇତ୍ୟାଦିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେସବୁ ସଂସ୍ଥାଗୁଡ଼ିକରେ ସଂଗୃହୀତ ପୁସ୍ତକ, ପତ୍ରପତ୍ରିକା, ନଥିପତ୍ର ଇତ୍ୟାଦିରୁ ବହୁ ଜ୍ଞାତବ୍ୟ ତଥ୍ୟ ମିଳିଥାଏ । ପୂର୍ଣ୍ଣାଙ୍ଗ ଗବେଷଣା ପାଇଁ ଅନ୍ୟତ୍ର ସେସବୁ ତଥ୍ୟ ପାଇବା ସମ୍ଭବ ନୁହେଁ । ମାତ୍ର ଅନେକ ଗ୍ରନ୍ଥାଗାର ଶିଶୁସାହିତ୍ୟ କ୍ଷେତ୍ରରେ ଆନୁଷଙ୍ଗିକ ରେକର୍ଡ ପତ୍ରପତ୍ରିକା ପୁସ୍ତକ ଆଦି ସଂଗ୍ରହ ଓ ସଂରକ୍ଷଣ କରିବା ପରିଦୃଷ୍ଟ ହେଉନାହିଁ । ବହୁ ଗ୍ରନ୍ଥାଗାର ଶିଶୁସାହିତ୍ୟକୁ ଏକ ସ୍ଵତନ୍ତ୍ର ସ୍ଥାନ ଦେଇନାହିଁ କିମ୍ବା ସେହି ପର୍ଯ୍ୟାୟର ବହିପତ୍ର ଆଦୌ କିଣୁ ନାହିଁ, ଏହା ନିତାନ୍ତ ପରିତାପର ବିଷୟ । ପଞ୍ଚମତଃ, ଏହି ସବୁ ଅନୁଷ୍ଠାନ ଗବେଷକମାନଙ୍କୁ ଏଠାରେ ଥିବା ପ୍ରାଚୀନ ନଥିପତ୍ର, ପୁସ୍ତକ ପୁସ୍ତକାଦିର ସଦୁପଯୋଗ କରିବା ପାଇଁ ଆଶାନୁରୂପ ଭାବରେ ସୁଯୋଗ ଓ ସ୍ୱାଧିନତା ଦେଉନାହିଁ । ଡକ୍ଟର କର (୧୯୯୪ ପୃ. ୬-୩) ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘‘ଦୈନିକ ସମାଜ ଏକ ବହୁ ପୁରାତନ ସାରସ୍ଵତ ଅନୁଷ୍ଠାନ । ସେଠାରେ ବହୁ ତଥ୍ୟାବଳୀ ଥିବାର ଅନୁମାନ କରାଯାଏ । ଅଥଟ ଏକ ସାର୍ବଜୀନନ ସଂସ୍ଥା ହୋଇଥିଲେ ମଧ୍ୟ ସମାଜର ପାଠାଗାର ସାଧାରଣ ପାଠକ, ଏପରିକି ଗବେଷକମାନଙ୍କ ନିମନ୍ତେ ମଧ୍ୟ ନିଷେଧ ।’’ ଗବେଷଣା କାର୍ଯ୍ୟ ପାଇଁ ଯେଉଁ ମୁକ୍ତମନ, ଐକାନ୍ତିକ ନିଷ୍ଠା ଓ ଉଦାରତାର ଆବଶ୍ୟକତା ରହିଛି, ଆମ ରାଜ୍ୟରେ ତାର ବିଶେଷ ଅଭାବ ଅନୁଭୁତ ହୋଇଥାଏ ।

 

ଉପସଂହାର :

ଶିଶୁସାହିତ୍ୟ ଏକ ପ୍ରତିଶ୍ରୁତିମୟ (Emerging) ଓ ସମ୍ଭାବନାପୂର୍ଣ୍ଣ (Prospective) ବିଭାଗ । ଏହା ଆମ ଦେଶରେ ବିଶେଷତଃ ଆମ ରାଜ୍ୟରେ ଏକ ବିଧବଦ୍ଧ ଓ ବିଜ୍ଞାନସମ୍ମତ ଆସନ ଲାଭ କରିପାରିନାହିଁ । ଏହା ସାହିତ୍ୟରଥୀମାନଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ୍‌ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାରା ଅବହେଳିତ, ଅବିଚାରିତ ଓ ଅନୁଦାରତାର ଶିକାର ହୋଇଛି । ସାହିତ୍ୟର ସର୍ବାଙ୍ଗୀନ ସମୃଦ୍ଧି ଓ ଆଗାମୀ ଯୁଗର ଭାବୀ ନାଗରିକ ତଥା ଶିଶୁ ସମାଜର ସୁଖଶାନ୍ତି ଓ ସ୍ଵାସ୍ଥ୍ୟ ପାଇଁ ଶିଶୁସାହିତ୍ୟ କ୍ଷେତ୍ରରେ ପ୍ରଭୃତ ଗବେଷଣା ଏକାନ୍ତ ଆବଶ୍ୟକ ।

 

ଆଧୁନିକ ଶିଶୁ ସାହିତ୍ୟ ପୁଣି ଏକ ମାଧ୍ୟମ ଯଥା ମୁଦ୍ରଣ ମଧ୍ୟରେ ସୀମାବଦ୍ଧ ନୁହେଁ ଏହା ବହୁ ମାଧ୍ୟମ- ରେଡ଼ିଓ, ଟେଲିଭିଜନ, କମ୍ପ୍ୟୁଟର ଆଦିରେ ସମ୍ପ୍ରସାରିତ ଓ ସମ୍ପ୍ରକାଶିତ । ସେହିପରି ଶିଶୁସାହିତ୍ୟ କେବଳ ସାହିତ୍ୟ ବା ଇତିହାସ, ମନୋବିଜ୍ଞାନ ବା ସମାଜ ବିଜ୍ଞାନ ମଧ୍ୟରେ ସୀମିତ ନୁହେଁ, ଏହାର ପରିସର ବହୁ ବ୍ୟାପକ (Comprehensive) ଓ ବହୁ ବିଷୟକ (Multidisciplinary) । ସୁତରାଂ ଶିଶୁସାହିତ୍ୟରେ ଗବେଷଣା ଓ ଅଧ୍ୟୟନକୁ ସାର୍ଥକ ଓ ସଫଳ କରିବା ପାଇଁ ଏହାର କର୍ମଧାରା ତଥା ପଦ୍ଧତି ବହୁ ମାଧ୍ୟମୀୟ ଓ ବହୁ ବିଷୟକ ହେବା ନିତାନ୍ତ ଦରକାର ।

 

ଅତୀତର ସଂସ୍କୃତି ଶିଶୁସାହିତ୍ୟର ଭିତ୍ତିଭୂମି ହେଲେ ହେଁ ସାମ୍ପ୍ରତିକ ସମସ୍ୟାଗୁଡ଼ିକର ସୁସମାଧାନରେ ଏହାର ସାହାଯ୍ୟ ଓ ଯୋଗଦାନ ରହିଥାଏ । ଅନାଗତ ଭବିଷ୍ୟତର ସୁନାଗରିକ ଓ ଭାବୀ ବଂଶଧରମାନଙ୍କ ଆଶା, ଆକାଙ୍‌କ୍ଷା ଓ ସ୍ଵପ୍ନକୁ ସାକାର କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିଯୋଗୁଁ ଶିଶୁସାହିତ୍ୟର ଗବେଷଣାରେ ସମ୍ୟକ୍‌ ଦୂରଦୃଷ୍ଟି, ଗଭୀର ଅନ୍ତର୍ଦୃଷ୍ଟି, ଆକଳନ (Forecasting) ଓ ଅବଧାରଣା (conceptionalistion or Visualisation) ଏକାନ୍ତ ଆବଶ୍ୟକ । ଏ ଦିଗରେ ଆମର ସାରସ୍ଵତ ସାଧନା ଚିତ୍ରକର, ଶିକ୍ଷକ ଓ ଗବେଷକମାନେ ସଚେତନ ଓ ସଚେଷ୍ଟ ହୁଅନ୍ତୁ, ଏହା ଆଶା ଓ ବିଶ୍ଵାସ ।

 

ସହାୟକ ପୁସ୍ତକ ଓ ପତ୍ରିକା :

ମହାନ୍ତି, ମନୀନ୍ଦ୍ର

ଓଡ଼ିଆ ଶିଶୁସାହିତ୍ୟ : ଉନ୍ମେଷ ଓ ବିକାଶ ମାଣିକ-ବିଶ୍ଵନାଥ ଦାତବ୍ୟ ସ୍ମୃତି-ନ୍ୟାସ, ଭୁବନେଶ୍ୱର, ୧୯୯୨ ।

ବ୍ରହ୍ମା, ଦିଗରାଜ

Children's Literature and Education in India, Deep & Deep Publication, New Delhi,1989.

ମହାନ୍ତି, ମହେଶ୍ଵର

ଓଡ଼ିଆ ଶିଶୁସାହିତ୍ୟର ସାମାଜିକ ପୃଷ୍ଠଭୂମି ଏକ ଅଧ୍ୟୟନ ପି.ଏଚ୍‍. ଡି. ନିବନ୍ଧ, ଉତ୍କଳ ବିଶ୍ଵବିଦ୍ୟାଳୟ, ୧୯୮୯ ।

ନାୟକ, କୃତ୍ତିବାସ

ଓଡ଼ିଆ ଶିଶୁଗଳ୍ପର ସ୍ୱରୂପ ଓ ବିକାଶ, ପି. ଏଚ୍‍. ଡି ସନ୍ଦର୍ଭ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ୧୯୯୨ ।

ସାହୁ, ବସନ୍ତକିଶୋର

ଓଡ଼ିଆ ମୌଖିକ ଶିଶୁସାହିତ୍ୟ, ପି. ଏଚ୍‍. ଡି ସନ୍ଦର୍ଭ ଉତ୍କଳ ବିଶ୍ଵବିଦ୍ୟାଳୟ, ୧୯୯୨ ।

କର ସୁରେଶ ଚନ୍ଦ୍ର

ତମସା ଶିଶୁସାହିତ୍ୟ କର୍ମଶାଳା ବିଶେଷାଙ୍କ, ବାଦାମବାଡ଼ି, ନୂଆକଲୋନୀ,କଟକ,୧୯୯୨ ।

କର, ସୁରେଶ ଚନ୍ଦ୍ର

ଓଡ଼ିଆ ଶିଶୁସାହିତ୍ୟକୁ ଉଦୟନାଥ ଷଡ଼ଙ୍ଗୀଙ୍କ ଅବଦାନ, ପି. ଏଚ୍‍. ଡି ସନ୍ଦର୍ଭ, ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୯୩ ।

ମହାନ୍ତି, ଜଗନ୍ନାଥ ଓ

‘‘Reading Intercots of children in Orissa’’.

ବ୍ରହ୍ମା ଦିଗରାଜ

Writer and Illustrator, Aw/c, Delhi,

ବ୍ରହ୍ମା ଦିଗରାଜ

“An appraisal of children’s journats in Orissa writter and Illustrator, Aw/c, Dethi, 1984.

ମହାନ୍ତି ଜଗନ୍ନାଥ

“A Survey of children's Journal, in Oriya “Writers & Illustrator Aw/c, Delhi, 1986.

ମହାନ୍ତି ଜଗନ୍ନାଥ

“Research in Oriya children’s Literature’ Sishuvarti, Balasore, July-Sept-1989.

ମହାନ୍ତି ଜଗନ୍ନାଥ

‘‘ଉଦୟନାଥ ଷଡ଼ଙ୍ଗୀ ଓ ରାମକୃଷ୍ଣ ନନ୍ଦଙ୍କର ଓଡ଼ିଆ ଶିଶୁକିଶୋର ସାହିତ୍ୟକୁ ଅବଦାନ’’ କୋଣାର୍କ, ଅକ୍ଟୋବର ୧୯୯୩ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ।

ମହାନ୍ତି ଜଗନ୍ନାଥ

‘‘ଓଡ଼ିଆ ଶିଶୁସାହିତ୍ୟରେ ଗବେଷଣା ଓ ଅନୁଧ୍ୟାନ’’ ଝଙ୍କାର, ଜୁନ୍, ୧୯୯୨, କଟକ ।

ମହାନ୍ତି ଜଗନ୍ନାଥ

Children’s Literature of Orissa, Orissa Sahitya Akademi, 1993.

ସାହୁ ବଂଶୀଧର

“A Study of Parental View towards children’s Literature and Practices of in Forstering Reading Habit in their children” SCERT, 1986.

 

***

 

ସ୍ତୁତିଚିନ୍ତାମଣି’ର କବି ଭୀମଭୋଇ : ବିରୋଧାଭାସର ବୈଚିତ୍ର୍ୟ

ଡକ୍ଟର ମଧୁସୂଦନ ପତି

 

‘ସ୍ତୁତି ଚିନ୍ତାମଣି’ର କବି-ବ୍ୟକ୍ତିତ୍ୱ ବିଚିତ୍ର । ସେ ବ୍ୟକ୍ତିତ୍ୱ‌ରେ ପୁରାଣ, ଦର୍ଶନ, ସାହିତ୍ୟ ପ୍ରଭୃତି ସହିତ ଗଭୀର ଆତ୍ମୀୟତା ଯେପରି ସୁସ୍ପଷ୍ଟ । ସେସବୁ ପ୍ରତି କୌଣସି ଋଢ଼ୀବାଦୀ ଆଜ୍ଞାଧୀନତା ନ ରଖିବାର ବୈପ୍ଳବିକ ମନୋବୃତ୍ତି ସେପରି ସମୁଜ୍ଵଳ । ବ୍ୟକ୍ତିଗତ ଜୀବନର ଘାତ-ପ୍ରତିଘାତରେ ତାହା ଯେତିକି ଉଦ୍‌ବେଳିତ, ଗୋଟିଏ ବିଶ୍ଵାୟତ ସହାନୁଭୂତି ଓ କରୁଣାବୋଧରେ ତାହା ସେତିକି ବ୍ୟାକୁଳ । ଗୁରୁ ଏବଂ ଈଶ୍ଵରଙ୍କ ପ୍ରତି ଆନୁଗତ୍ୟ ତହିଁରେ ଯେଉଁ ପରିମାଣରେ ଗଭୀର, ତାଙ୍କ ବିରୁଦ୍ଧରେ ଅଭିଯୋଗ ବାଢ଼ିବାର ସାହସ ମଧ୍ୟ ସେହି ପରିମାଣରେ ଦୃଢ଼ । କବିତ୍ଵ ପ୍ରତି ଆକର୍ଷଣ ଯେତିକି ତୀବ୍ର, ତାହା ପ୍ରତି ଉଦାସୀନତା ମଧ୍ୟ ସେହି ଗୁଣରେ ସୁନିଶ୍ଚିତ । ସନ୍ଥର ମହିମାବୋଧ ସେଠାରେ ଯେଭଳି ଗମ୍ଭୀର, ଗୋଟିଏ ସାଧାରଣ ମନୁଷ୍ୟର ଅସହିଷ୍ଣୁତା ଓ ଧୈର୍ଯ୍ୟହୀନତା ସେଭଳି ପ୍ରଗାଢ଼ । ବାସ୍ତବତା ପ୍ରତି ସ୍ପର୍ଶକାତର ସଚେତନତା ଏବଂ ଅରୂପ ପ୍ରତି ଏକାନ୍ତିକତା ସେଥିରେ ଏକାଥରେ ଉପଲବ୍ଧ । ଏକ ବିଚିତ୍ର ବ୍ୟକ୍ତିତ୍ୱ, ଏବଂ ସେହି ବ୍ୟକ୍ତିତ୍ଵର କାବ୍ୟିକ ଆତ୍ମପ୍ରକାଶ ବିରୋଧାଭାସର ଏକ ଅନନ୍ୟ ବୈଚିତ୍ର୍ୟ ।

 

‘ସ୍ତୁତିଚିନ୍ତାମଣି’କୁ ଉଚ୍ଚାଙ୍ଗ ସାହିତ୍ୟ କହିବା ଯେପରି କଷ୍ଟକର, ତାକୁ ଲୋକସାହିତ୍ୟ କହିବା ସେପରି ଅସୁବିଧାଜନକ । ସାହିତ୍ୟର ସଜଡ଼ା-ସଜଡ଼ିର ଚିହ୍ନ ସେଠି ଖୁବ୍‌କମ୍‌ ଅଥଚ ପୁରାଣ ଓ ଦର୍ଶନତତ୍ତ୍ୱ‌ ପ୍ରତି ସୂଚନାସବୁର ପରିମାଣ ଏତେ ଅଧିକ ଯେ ଲୋକଗୀତର ଭାବସରଳତା ସେଠି ନିୟାମକ ବୋଲି କହିହେବ ନାହିଁ । ଭୀମଭୋଇଙ୍କ କବିତାର ନିର୍ଦ୍ଦିଷ୍ଟ ଧର୍ମ ଓ ତାହାର ଆବେଦନ ସମ୍ପର୍କରେ ସଠିକ୍‌ ଅବବୋଧ ତେଣୁ ସମାଲୋଚନାର ପ୍ରାଥମିକ ବିଷୟ ଅଟେ-। ସେ ବିଷୟରେ ‘ସ୍ତୁତିଚିନ୍ତାମଣି’ର ଅବଲମ୍ବନରେ ଯତ୍‌ସାମାନ୍ୟ ଆଲୋଚନା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ।

 

‘ସ୍ତୁତିଚିନ୍ତାମଣି’ର ଲେଖକ ଉଭୟ ‘‘ମଧୁଚକ୍ର ଚଉତିଶା’ ଏବଂ ଡାଲଖାଇ, ରସର୍‌କେଲି ପ୍ରଭୃତିର ସରଳ ମାନସିକତା ପରିହାର କରିଛନ୍ତି । ମୁଖ୍ୟତଃ ଏକ ଅସହ୍ୟ ବେଦନାବୋଧର ଦୀର୍ଘ ଓ ସେହି କାରଣରୁ ପୁନଃପୌନିକ ଉଚ୍ଛ୍ୱାସ ଭାବେ ଏହି ଶୋକଗୀତିକା ନିର୍ମିତ ହୋଇଛି । ଏହି ପରିପ୍ରେକ୍ଷୀରେ ମଧ୍ୟ ଭୀମଭୋଇ-କବିତାର ବିରୋଧାଭାସ ସ୍ପଷ୍ଟ କାରଣ ସେହି ଶୋକଗୀତିର ଅନ୍ୟତମ ନିୟନ୍ତ୍ରକ ଭକ୍ତି ଭାବନା ଓ ପରମବିଶ୍ୱାସ ତାକୁ କେବଳ ଶୋକଗୀତିର ନିର୍ଦ୍ଦିଷ୍ଟତାରେ ଆଉ ବାନ୍ଧି ରଖିନାହିଁ । ତଥାପି ଶୋକର ମୁର୍ଚ୍ଛନା ହି ତହିଁର କେନ୍ଦ୍ରସ୍ଵର । ଲକ୍ଷ କରିବାର କଥା, କବିତାର ବିଷାଦଭାବଟି କେବଳ ବ୍ୟକ୍ତିଗତ ଜୀବନର କ୍ଳେଶ ଓ ବିପର୍ଯ୍ୟୟରୁ ଉତ୍ସୃଷ୍ଟ ନୁହେଁ । ଜଣେ ଭକ୍ତର ମୌଳିକ ବିଶ୍ଵାସ ବାରମ୍ବାର ଆଘାତ ପାଉଥିବାର କାରୁଣିକତା ମଧ୍ୟ ତାହାର ଏକ ମୁଖ୍ୟ ଉତ୍ସ । ମାନବଜାତିର ନୈତିକ ଓ ଆଧ୍ୟାତ୍ମିକ ଅବକ୍ଷୟ ଏବଂ ସେହି କାରଣରୁ ମହାପ୍ରଳୟର ଆଶଙ୍କାବୋଧ ତାହାର ଅପର ଏକ ଉତ୍ସ । କିନ୍ତୁ ଏହା ସତ୍ତ୍ୱେ କାବ୍ୟଟି କେବଳ ରୋମାଣ୍ଟିକ୍‌ ବିଷାଦଭାବ, ଭକ୍ତକବିର ଅଭିଯୋଗ, କିମ୍ବା ଏକ ପୌରାଣିକ ଭବିଷ୍ୟ ପ୍ରଳୟର ଆଶଙ୍କା ଜନିତ ବ୍ୟାକୁଳତାରେ ସୀମିତ ନୁହେଁ । ଏଠାରେ ଭୀମଭୋଇଙ୍କ ବେଦନାବୋଧ, ଅଭିଯୋଗ-ପ୍ରବଣତା ଏବଂ ବିପ୍ଳବୀ ମନୋଭାବର ଯେଉଁ ତୀବ୍ରତା ଆମେ ଲକ୍ଷ୍ୟକରୁ ତାହା ତାଙ୍କ ପୂର୍ବର କିମ୍ବା ତାଙ୍କ ସମକାଳୀନ ଅନ୍ୟ କୌଣସି ଓଡ଼ିଆ କବିଙ୍କ ରଚନାରେ ଉପଲବ୍‌ଧ ନୁହେଁ । ଏହାର କାରଣ ହେଉଛି ତାଙ୍କ ଭୂୟୋଦୃଷ୍ଟିର ପରିସର ଓ ସେହି କ୍ରମରେ ତାଙ୍କ ସମ୍ବେଦନଶୀଳତାର ପରିସର ସେମାନଙ୍କଠାରୁ ଅଧିକ ବ୍ୟାପକ ।

 

‘ସ୍ତୁତି ଚିନ୍ତାମଣି’ର ତ୍ରୟୋଦଶ ବୋଲିରେ ଭୀମଭୋଇଙ୍କ ଚେତନାର ଏକ ବିଲକ୍ଷଣ ଅନୁଭବ ଆମେ ପାଉଁ । ଏ ଭକ୍ତକବିଟି ଅନ୍ୟ ସମଜୀତୀୟ ଭକ୍ତକବିଙ୍କଠାରୁ କିପରି ଓ କାହିଁକି ଏତେ ଭିନ୍ନ ତାହାର ଗୋଟିଏ ଚମତ୍କାର ସୂଚନା ସେଥିରେ ମୁଦ୍ରିତ ହୋଇଛି । ‘‘କୃପାସିନ୍ଧୁ ବଦନ କରି ଅବଲୋକନ କେଉଁ କରମହୀନ ଜନ,’ ବା ‘କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ ତୁମ୍ଭେ ତ ଜଗତପତି’ର ସକୁଶଳ ସାହିତ୍ୟିକତା ବଦଳରେ ଭୀମଭୋଇଙ୍କ ‘‘ଭକ୍ତ ପ୍ରାଣଖିଆ ହରି’ଙ୍କ ବିରୁଦ୍ଧରେ ରୋକ୍‌ଠୋକ୍‌ ପ୍ରତିକ୍ରିୟା ମଧ୍ୟରେ କେବଳ ଏକ ତୀବ୍ରତର ଆବେଗ ସୂଚିତ ହୁଏ ନାହିଁ, ସେଇ ପରିପ୍ରେକ୍ଷୀରେ ଗୋଟିଏ ବିଶାଳ ଭାବ-ପରିଧି ମଧ୍ୟ ସଂଯୁକ୍ତ ହୋଇଯାଏ । ଭୀମଭୋଇଙ୍କ ଅଭିଯୋଗ କେବଳ ଜଣେ ଦୁଃଖ ପ୍ରପୀଡ଼ିତ ବ୍ୟକ୍ତି ଜଣେ ବାରମ୍ବାର ପରାହତ ଅନୁଭବ କରୁଥିବା ସାଧକ ବା ଭକ୍ତ ବା ବ୍ୟାଧି ଓ ମାୟା ପ୍ରପଞ୍ଚରେ ହେଉଥିବା ଜଣେ ପ୍ରତିନିଧି-ପୁରୁଷର ବିଷାଦଭାବ ପ୍ରକାଶ କରେନାହିଁ । ତାହା ଅଧିକ ମୌଳିକ ସ୍ତରରେ ବିଶ୍ଵବିଧାନର ଅନ୍ୟାୟ ଓ କ୍ରୂରତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରେ । ଏ ସ୍ତରର ସ୍ଥିତିବାଦୀ ଅନୁଭବ ଖୁବ୍‌ ଅଧ୍ୟାତ୍ମକୈନ୍ଦ୍ରିକ କବିଚେତନାର ସମ୍ପଦ-। ସେଇ ତ୍ରୟୋଦଶ ବୋଲିରେ ତେଣୁ ଆମେ ଭୀମଭୋଇଙ୍କ ଯନ୍ତ୍ରଣାବୋଧର ପରିସରର ବ୍ୟାପକତା ସମ୍ପର୍କରେ ଠିକ୍‌ ସଚେତନ ହେଉ । ନିଜ ବ୍ୟକ୍ତିଗତ ତଥା ସମଷ୍ଟିଗତ ଭାବେ ମାନବଜାତିର ଦୁର୍ଦ୍ଦଶାର ଚିତ୍ର ଆଙ୍କିବା ପରେ ଭୀମଭୋଇଙ୍କ ହୃଦୟରୁ ଯେଉଁ ଆର୍ତ୍ତନାଦ ନିଷ୍ପନ୍ନ ହୁଏ ତାହା ବିଶ୍ୱାୟତ ହୋଇପଡ଼େ । ଭୀମ ଦେଖନ୍ତି ଅନ୍ୟାୟ, ଅଯଥାର୍ଥ କ୍ଳେଶ, ବେଦନାର୍ତ୍ତ ଅବସ୍ଥା ସର୍ବତ୍ର ପରିବ୍ୟାପ୍ତ । ସମସ୍ତ ଜୀବଜନ୍ତୁ ଏପରିକି ଗଛଲତା ମଧ୍ୟ ଅକାରଣରେ ସନ୍ତପ୍ତ ତ୍ରସ୍ତ ହୋଇ ତ୍ରାହି ତ୍ରାହି ଡାକ ପାରୁଥିବା ସେ ଶୁଣନ୍ତି । ସମସ୍ତେ ଭଗବତ୍‌ କରୁଣା ଓ ସୁରକ୍ଷା ପାଇଁ ଆଶାୟୀ, ଏବଂ ସମସ୍ତେ ବ୍ୟାକୁଳ । ସେ ନିଜେ, ସମଗ୍ର ମାନବଜାତି, ବାସୁକୀ, ସାଗର, ଜୀବଜନ୍ତୁ, ପର୍ବତ, ବୁକ୍ଷ, ତୃଣ (ତିରଣ ବୋଲୁଛି ପତର ପାଖୁଡ଼ା ବତ୍ସାଧେନୁ ପଛେ ଖାଉ / ଭୂମିରୁ ନଛାଡ଼ି ଅଗ୍ନିରେ ନ ପୋଡ଼ି ମୂଳ ଉପୁଡ଼ି ନଯାଉ) ସମସ୍ତ ଏକାଭାବରେ ଅସହାୟ । ସମସ୍ତେ ବିସ୍ମିତ-କାତର ଭାବେ ପ୍ରଶ୍ନ କରୁଛନ୍ତି - ‘‘ସମସ୍ତେ ଘଟରେ ତିନି ବ୍ରହ୍ମାଣ୍ଡରେ ପୁରି ଚଉବର୍ଗଦାତା / ଅନନ୍ତ ଠାକୁର ହୋଇ ମହାପ୍ରଭୁ କିମ୍ପା ଦେଉଛ ଅବସ୍ଥା’ । ତୃଣପରି ପ୍ରତ୍ୟେକ ନିଜ ନିଜର ବିଶ୍ଵାସ, ଆତ୍ମସତ୍ତା ଓ ସ୍ପଷ୍ଟିଶୀଳତାର ମୂଳସବୁ ଉପୁଡ଼ିଯିବାର ଆଶଙ୍କାରେ ଅନୁଭୂତ । ବିଶ୍ଵାୟତ ଯନ୍ତ୍ରଣାବୋଧର ଏଭଳି ମାର୍ମିକ, ଘନିଷ୍ଠ ଅନୁଭବ ଆମେ ଅନ୍ୟ କେଉଁଠି ପାଉଁ ?

 

ଭୀମଭୋଇଙ୍କ ଶୋକଗୀତିରେ ବାରମ୍ବାର ଆଧ୍ୟାତ୍ମିକ ସାମାଜିକ ଓ ମନସ୍ତାତ୍ତ୍ୱିକ କ୍ଳେଶସବୁ ଏକାଥରେ ଯୋଡ଼ି ହୋଇ ରହିଥାନ୍ତି । ତେଣୁ ଏକ ପକ୍ଷରେ ବିଶ୍ଵାୟତ ଶୋକ ଏଂବ ଅପର ପକ୍ଷରେ ଜଣେ ବ୍ୟସ୍ତସତ୍ତାର ନିର୍ଦ୍ଦିଷ୍ଟ ଶୋକବୋଧ ସମ୍ମିଳିତ ହୋଇ ସେଥିରେ ଅସାଧାରଣ ଗଭୀରତା ସୃଷ୍ଟି କରେ । ତା ସହିତ ଗୋଟିଏ ମୌଳିକ ସ୍ତରର ଅଭିଯୋଗ ଗୁନ୍ଥାହୋଇ ଯେଉଁ ନାଟକୀୟ ଯୁକ୍ତିବତ୍ତା ତିଆରି କରେ ତାହା ହେଉଛି ଭୀମଭୋଇ କବିତାର ଏକ ବିଶିଷ୍ଟ ଚିହ୍ନ । ସେଭଳି ଯୁକ୍ତିର କାବ୍ୟିକ ବିକାଶ କ୍ରମେ ଜଣେ ଭକ୍ତର କାତର ଧୈର୍ଯ୍ୟହୀନତା ଓ ତାହା ଅନଳଙ୍କୃତ, ସିଧାସାଧା କହିବାର ଭଙ୍ଗୀ ଉଭୟ ମୂଳ ବିଶ୍ଵାସର ପ୍ରଗାଢ଼ତା ତଥା ତାହା ଆଘାତପ୍ରାପ୍ତ ହେବା କାରଣରୁ ଅନ୍ତରରେ ସୃଷ୍ଟ କ୍ଷୋଭ ଓ ବିକ୍ଷୋଭ କେତେ ମାର୍ମିକ ହୋଇଥାଏ ତାହାର ଗୋଟିଏ ନମୁନା ଭାବେ ଅଷ୍ଟତ୍ରିଂଶ ବୋଲିକୁ ନିଆଯାଇପାରେ । କାବ୍ୟ ପୁରୁଷ ‘ଜୀବ’, ‘ଚାତକ’ ଓ ‘ଦରିଦ୍ରପ୍ରାଣୀ’ ଭାବେ ଅନେକ କାଳ କୃପା ପାଇଁ ଅପେକ୍ଷା କରିବା ପରେ ତୀର ନିରାଶ୍ରିତ ଅନୁଭବ ସେଥିରେ ବର୍ଣ୍ଣିତ ହୋଇଛି । ଏକ ପକ୍ଷରେ ‘ପୂର୍ଣ୍ଣମୀ ଶଶୀ’ ପରି ସମୁଦିତ ତାର ‘ଏତେ ବଡ଼ ପ୍ରଭୁ ବୀରବଧୁ ବାନା’ ଉଡ଼ାଇ ରହିଥିବା ପ୍ରତ୍ୟକ୍ଷ; ଏବଂ ଅପର ପକ୍ଷରେ ତାଙ୍କ ‘ଭୂତ୍ୟ’କୁ ଜଣେ ‘ଖଣ୍ତଚୋର’ ପରି ହଟହଟା ଓ ‘ନାରଖାର’ କରାଉଥିବାର ବାସ୍ତବତା ଯାହା ଫଳରେ ସେହି ପ୍ରଭୁଙ୍କ ମର୍ଯ୍ୟାଦା ନାଶ ହୁଏ ତାହା ମଧ୍ୟ ଗଭୀର ଭାବେ ଅନୁଭୂତ । ଏ ଉଭୟ ଅନୁଭୁତିର ଅସାମଞ୍ଜସ୍ୟ ଜନିତ ଅନ୍ୟାୟବୋଧ ଓ ଅଭିଯୋଗ ପ୍ରଥମେ ବର୍ଣ୍ଣିତ ହୁଏ ଏବଂ ତାପରେ ଆସେ ମୂଳ ଯୁକ୍ତିଟିଏ ଯେ ଦୟନୀୟ ଭାବେ ରହିଥିବା ସେଇ ଭକ୍ତଟିର ଶକ୍ତି, ଧୈର୍ଯ୍ୟ ଓ ସମୟ ସବୁକିଛି ସୀମିତ । ଏଣୁ ସଂଶ୍ଳିଷ୍ଟ ସୃଷ୍ଟିବିଧାନ ଅଯୌକ୍ତିକ । ଅତ୍ୟନ୍ତ କାତର ଭାବେ ସେ ପ୍ରଶ୍ନ କରିଚାଲେ ଅନେକ ଦିନ ବୁଭୁକ୍ଷା ମେଣ୍ଟାଇବା ପାଇଁ ସେ ‘ଭାତ’ ‘ପାଣି’, ‘ଧନ’ ପାଇବ ନା ନାହିଁ । ଏଠି ରୂପକ ଛଳରେ ଗୋଟିଏ ଭିନ୍ନ ସ୍ତରର ‘କ୍ଷୁଧାତୃଷ୍ଣା’ ସୂଚିତ ହେଉଥିଲେ ସୁଦ୍ଧା କବିଙ୍କ ବ୍ୟକ୍ତିଗତ ଜୀବନର ବିକଟ ଦାରିଦ୍ର୍ୟର ବାସ୍ତବତାର ଧ୍ୱନି ମଧ୍ୟ ପରିଷ୍କାର ବାରିହୁଏ । ଏଠି ବଞ୍ଚିବାର ଉପାଦାନ ସବୁର ଆପାତତଃ ଅକାବ୍ୟିକ ସୂଚନା କବିତାକୁ କିଭଳି ଶକ୍ତିଶାଳୀ କରିଛି ତାହା ଲକ୍ଷ୍ୟଣୀୟ ।

 

ତାପରେ ଆଉ ଗୋଟିଏ ଅଭିଯୋଗ ଆସେ, ଅନ୍ୟସ୍ତରର ଏକ ବ୍ୟର୍ଥତା ସମ୍ପର୍କରେ । କବି ପ୍ରତିଭାର ସଫଳ ପରିଣତି ନେଇ ମନରେ ଆସୁଥିବା ଶଙ୍କା ଓ ସନ୍ଦେହ ଜନିତ ଆକୁଳତା ଅଭିଯୋଗଟିକୁ ନୂଆ ମୋଡ଼ ଦିଏ ଏବଂ ଫେର ସେଇ ମୂଳଯୁକ୍ତି ପୁରୋବର୍ତ୍ତୀ ହୁଏ । କବି ପ୍ରଶ୍ନ କରନ୍ତି, ‘ପିଣ୍ଡ ବ୍ରହ୍ମାଣ୍ଡ’ ଏକ ହୋଇଥିବା, ‘ଯଶ-ଅପଯଶ’ ମିଶାମିଶି ଅନୁଭବ ଜୀବନର ଏକ ସାଧାରଣ ସତ୍ୟ ହୋଇଥିବା; ମହାକାଳ ପ୍ରସଙ୍ଗରେ ଯେ କୌଣସି ବ୍ୟକ୍ତିଗତ କୀର୍ତ୍ତି ମୂଲ୍ୟହୀନ ମନେ ହେଉଥିବା; ଏବଂ ଅକ୍ଷୟ-ଅବ୍ୟୟ ପୁରୁଷର ପ୍ରସଙ୍ଗରେ ‘କ୍ଷୟବୃଦ୍ଧି’ ସମ୍ପୂର୍ଣ୍ଣ ନିରର୍ଥକ ହେଉଥିବାର ଯେତେସବୁ ସତ୍ୟ ଅସ୍ଵୀକାର ନ କଲେ ସୁଦ୍ଧା, ସୀମିତ ଶକ୍ତିଧାରା ଯେଉଁ ମନୁଷ୍ୟକୁ ଈଶ୍ଵର ସୃଷ୍ଟିକଲେ ତାହାର ଚେତନା ପ୍ରସଙ୍ଗରେ ସେସବୁ ସତ୍ୟ ମଧ୍ୟ ନିରର୍ଥକ ନୁହନ୍ତି କି ? ତେଣୁ ବିଶ୍ଵପ୍ରଣାଳୀର ସେହି ମୌଳିକ ଅସମତା ଓ ଅନ୍ୟାୟ ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିବା ଭୀମଭୋଇ କହନ୍ତି-

 

ତୁମ୍ଭ ଅଙ୍ଗ ସିନା ତୁମ୍ଭେ ବଞ୍ଚାଇଛ ମାୟାରୁ କାୟାକୁ ଏଡ଼ି

ମୋର ପିଣ୍ତପ୍ରାଣ କେତେକାଳ ଥିବ ଯେସନ ସିନ୍ଧୁ ଲହଡ଼ି ।

 

ଏବଂ ଜଣେ ଅତ୍ୟନ୍ତ ସମ୍ବେଦନଶୀଳ ମନୁଷ୍ୟ ମହାକାଳର ବିନାଶ ପ୍ରତି ଋଷିର ଦୃଷ୍ଟି ଆପଣାର ନ କରି ଅନ୍ୟର କଷ୍ଟରେ ସ୍ଵୟଂ ଜର୍ଜରିତ ହେଉଥିବାର ଅନୁଭବଟି କେନ୍ଦ୍ରସ୍ଥ କରନ୍ତି । ବାରମ୍ବାର ଅଭିଯୋଗ କରି କହନ୍ତି ଯେ ମାନବୀୟ ସହନଶୀଳତାର ସୀମାରୁ ଅନକେ ଦୂର ଅଧିକ ଭକ୍ତର ପରୀକ୍ଷା ଆଳରେ ଭଗବାନ ତାକୁ ସନ୍ତପ୍ତ କରୁଛନ୍ତି । ଲକ୍ଷ୍ୟକରିବାର କଥା ଯେ ବ୍ୟକ୍ତିଗତ କ୍ଳେଶ ପ୍ରସଙ୍ଗରେ ଭକ୍ତ ଭୀମଭୋଇଙ୍କ ସହନଶୀଳତୀର ପରିସୀମା ଖୁବ୍‌ ବ୍ୟାପକ । କିନ୍ତୁ ଜଗତର ଦୁଃଖ ପ୍ରସଙ୍ଗରେ ସେହି ସୀମା ଖୁବ୍‌ ସଙ୍କୁଚିତ ।

 

ଅନ୍ୟର ପୀଡ଼ା ଅସହନୀୟ ବୋଧ ହେବା କାରଣରୁ ତାଙ୍କର ଯେଉଁ ବୈପ୍ଳବିକ, ବିଦ୍ରୋହୀ ମନୋଭାବ ସୃଷ୍ଟି ହୁଏ ତହିଁର ଅନ୍ୟ ଏକ ସୁବିଦିତ ଉଦାହରଣ ଏଠି ସ୍ମରଣୀୟ । ଏକ ପ୍ରଚଣ୍ଡ ବିସ୍ଫୋରକ ସ୍ଵରରେ ଷଡ଼୍‌ବିଂଶ ବୋଲିରେ ସେ ତାଗିଦ୍‌କରି କହିଥିଲେ, ସତୈଶ ଅଙ୍କରେ ଅବସ୍ଥାର ପରିବର୍ତ୍ତନ ନ ଘଟିଲେ –

 

ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟକରି,

ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।

ପ୍ରାଣୀଙ୍କ କଷଣ ଭେଦୁଅଛି ମନ ଜୀବନକୁ ମୋର ବାଧେ,

ଭୀମ ଅରକ୍ଷିତ କରି ଦଣ୍ଡବତ କାରଣ ମାଗୁଛି ପାଦେ ।

 

ଏହି ବୋଲିଟି ଉତ୍‌କ୍ଷିପ୍ତ, ଉଦ୍‌ବେଳିତ, ଧୈର୍ଯ୍ୟଶୂନ୍ୟ ଅବସ୍ଥାରେ ସୃଷ୍ଟି କରେ ଏକ ଚମତ୍କାର ନାଟକୀୟ ପଟ୍ଟଭୂମି ଯାହା ପ୍ରସଙ୍ଗରେ ପରବୋଲି (୨୭)ରେ କାତର ଅଭିବ୍ୟକ୍ତ ଲାଭକରେ ଏକ ମହାନ୍‌, କାଳାତୀତ ଗୌରବ । ଏଥିରେ ଅଭିଯୋଗ ବଢ଼ାଯାଇଛି ଯେ ଜଗତର ଦୁଃଖ ଦେଖିବା ପାଇଁ ଗୁରୁ ତାଙ୍କୁ ଶକ୍ତି ଦେଲେ, କିନ୍ତୁ ‘‘ଅର୍ଦ୍ଧବାଟେ ଆଣି’’ ତାଙ୍କୁ ପରିତ୍ୟାଗ କରି ସେହି ଦୁଃଖ ଅପନୋଦନ କରିବା ପାଇଁ ସାମର୍ଥ୍ୟ ଦେଲେ ନାହିଁ । ପିଣ୍ଡ ବ୍ରହ୍ମାଣ୍ଡର ସତ୍ୟ, ଗୁରୁଙ୍କ ଈଶ୍ଵରୋପମ ସର୍ବବ୍ୟାପକତା ଓ ସମଦୃଷ୍ଟି ସବୁକିଛି କବି ସ୍ଵୀକାର କରନ୍ତି । କିନ୍ତୁ ଠିକ୍‌ ସେଇ କାରଣରୁ ଯେତେବେଳେ ଜଗତର କ୍ଳେଶଭାର ବୋହିବା ପାଇଁ ନିଜର ଅପାରଗତା ଅଥଚ ସେହି କ୍ଳେଶପ୍ରତି ଉଦାସୀନ ରହିବା ପାଇଁ ନିଜର ଅକ୍ଷମତା ତୀବ୍ରଭାବେ ଅନୁଭବ କରନ୍ତି ସେତେବେଳେ ତାଙ୍କ ଆତ୍ମା ବିକ୍ଷୁବ୍‌ଧ ହୋଇ ଉଠେ । ଏ ବାସ୍ତବତାଠାରୁ ସେ କିପରି ବା ପଳାଇଯିବେ ତାହା ‘କିମ୍ପା ନ ବୁଝୁଛ’ ବୋଲି ଅଳିକରି ସେସବୁର ଦାୟିତ୍ୱ ନେବାପାଇଁ ଗୁରୁଙ୍କୁ ନିବେଦନ କରନ୍ତି ଏବଂ ସେହି ପରିପ୍ରେକ୍ଷୀରେ ନିଜକଥା କହିବାକୁ ଯାଇ ଅତ୍ୟନ୍ତ ମାର୍ମିକ ଭାବେ ପ୍ରକାଶ କରନ୍ତି ଯେ ସମସ୍ତ ‘ପ୍ରାଣୀଙ୍କ’ ଅପ୍ରମିତ ଦୁଃଖର ବାସ୍ତବତା ଅସହାୟ ଭାବେ ଦେଖିବ ଚାଲିବା ଅବସ୍ଥା ହିଁ ତାଙ୍କ ପାଇଁ ସବୁଠାରୁ ଦୁଃଖାବହ ଅନୁଭୂତି । ତାହାର ପ୍ରତିକାର ପାଇଁ ସେ ଅନୁନୟ କରିବେ, ପ୍ରାର୍ଥନା କରିବେ ଓ ବିଦ୍ରୋହ ମଧ୍ୟ କରିବେ । ନିଜର ଯାହାକିଛି ପତନ ହେଉ ସେ ସହିବେ କେବଳ ଯଦି ‘ଜଗତ’ ଉଦ୍ଧାର ପାଏ । ଓଡ଼ିଆ ସାହିତ୍ୟରେ ଅନନ୍ୟ, ସୁବିଦିତ ବକ୍ତବ୍ୟଟିଏ ସହିତ (୧୬ରୁ ୨୦ ପଦ) ଏ ବୋଲିଟି ସମାପ୍ତ ହୁଏ । ସେଥିରେ ରହିଥିବା ପ୍ରଚଣ୍ଡ ମାନବବାଦିତା ଏବଂ କ୍ରୁର ବାସ୍ତବତାର ପ୍ରତ୍ୟଷ ଅନୁଭୂତିରୁ ନିଷ୍ପନ୍ନ ବେଦନାବୋଧ, କରୁଣାବୋଧ ଓ ବିଦ୍ରୋହୀଭାବ ଏକ ସୁଗଭୀର ଭକ୍ତଭାବନା ଓ ଦାର୍ଶନିକତା ସହିତ ଘନିଷ୍ଠଭାବେ ଜଡ଼ିତ ହୋଇ ଭୀମଭୋଇଙ୍କ କବିତାକୁ ଅସାଧାରଣ ଭାବେ ଶକ୍ତିଶାଳୀ କରିଛି ।

 

ଏ ପ୍ରସଙ୍ଗରେ ପୁଣି ବିଚିତ୍ର ମନେହୁଏ ତାଙ୍କ କାବ୍ୟଶୋକର ଅପର ଏକ ବିଭାବ । ସେ ଶୋକଟି କେବଳ ଜଣେ ସାଧାରଣ ବ୍ୟକ୍ତିବିଶେଷ ବା ଭକ୍ତ ବା ମାନବବାଦୀ ଚେତନାର ଭାବୋଚ୍ଛ୍ୱାସ ନୁହେଁ । ତାହା ମଧ୍ୟ ନିର୍ଦ୍ଦିଷ୍ଟଭାବେ ଜଣେ କବିପୁରୁଷର ନୈରାଶ୍ୟବୋଧ ଜନିତ ଶୋକ - କବିତାରେ ଆକାଙ୍‌କ୍ଷିତ ସଫଳତା ହାସଲ କରୁ ନ ଥିବାର ବେଦନା । ସାହିତ୍ୟିକତା ପରିହାର କରୁଥିବା, ଯଶ-ଅପଯଶ ପ୍ରସଙ୍ଗରେ ଭଦାସୀନ ରହିବାକୁ ଇଚ୍ଛା କରୁଥିବା, ଆଧ୍ୟାତ୍ମିକ ଭାବ ସଞ୍ଚାରକୁ ହିଁ ମୁଖ୍ୟ ଗୁରୁତ୍ୱ ଦେଉଥିବା, ଜଗତର ଦରଦକୁ ନିଜ ଚେତନାରେ କେନ୍ଦ୍ରୀଭୂତ କରୁଥିବା କବିଟି ଯେ ପୁଣି ନିଜ କାବ୍ୟପ୍ରସିଦ୍ଧି ପ୍ରସଙ୍ଗରେ ବ୍ୟାକୁଳତା ଅନୁଭବ କରିବ ଏହା ହୁଏତ ପ୍ରତ୍ୟାଶିତ ନୁହେଁ । ହୁଏତ ଅନ୍ୟ କେହି ଭକ୍ତ କବି ହୃଦୟର ସେଇ କାମନା ଟିକକ ଓ ତଜ୍ଜନିତ ବିଡ଼ମ୍ବନାବୋଧକୁ ଲୁଚେଇ ରଖିଥାନ୍ତେ । କିନ୍ତୁ ଭୀମଭୋଇଙ୍କ କାବ୍ୟର ଏହାହି ମୁଖ୍ୟଗୌରବ ଯେ ତହିଁରେ ତାଙ୍କ ସାମଗ୍ରିକ ବ୍ୟକ୍ତିଚେତନା ସମ୍ପୂର୍ଣ୍ଣ ଭାବେ, ପରିଷ୍କାର ଭାବେ ଉନ୍ମୁକ୍ତ । ତ୍ରିଂଶ ବୋଲରେ ସେଇ ବେଦନାଟି ମୁଖ୍ୟ ସ୍ଥାନ ଅଧିକାର କରିଛି । ସପ୍ତବିଂଶ ବୋଲିରେ ‘ମୁଁ ଯେ ମୂର୍ଖକବି’ କହିବାର ଭକ୍ତସୁଲଭ ବିନମ୍ରତା ବଦଳରେ ଏଠାରେ ରହିଛି ଏକ ସଚେତନ, ପ୍ରଗାଢ଼ କାବ୍ୟ-ଆକାଙ୍‌କ୍ଷା । ପ୍ରଥମରୁ ସେ ବିଶ୍ଵସ୍ରଷ୍ଟାଯୁଗଳଙ୍କ ସନ୍ତାନ ଭାବେ ନିଜର ଜନ୍ମଗତ ସୃଷ୍ଟିପ୍ରତିଭା ଘୋଷଣା କରନ୍ତି - ‘ଜନମ ଲଭିଛି କବି-କୃତ କଳାଧରି’ । ଅଥଚ ଦ୍ୱିତୀୟ ପଦରେ ସେହି ସଚେତନତା ହିଁ ନିର୍ଦ୍ଦିଷ୍ଟଭାବେ ଉପସ୍ଥିତ ସୃଷ୍ଟି ମୁହୂର୍ତ୍ତରେ ଏକ ମନସ୍ତାତ୍ତ୍ୱିକ ଅନ୍ତରାୟ ନେଇ ଆସିଛି - ‘ଏଠାରୁ ଏଣିକି ନ ଦିଶୁଛି ପଦ’ । ଏ ଅବସ୍ଥାରେ ଗୁରୁଙ୍କ ଚରଣରେ ସମସ୍ତ କାମନା କଳ୍ପନା ଅର୍ପଣ କରିଦେଇ (ପଦ ୩) ଚତୁର୍ଥ ପଦରେ ନିଜ ମନୋମତ କାବ୍ୟପ୍ରତିଭାର ପରିସ୍ଫୁରଣ ପାଇଁ ସେ ପ୍ରାର୍ଥନା କରନ୍ତି । ମନେହୁଏ, ‘ସାର-ଅସାର’ (ମାର୍ଜିତ- ଅମାର୍ଜିତ, କଳ୍ପନା- ବାସ୍ତବ, ସାହିତ୍ୟିକଶୈଳୀ, କଥିତଭାଷା ଶୈଳୀ) ଏ ଉଭୟର ସଂଯୋଗ ସହିତ ବାତ୍ସଲ୍ୟ ଅନୁରାଗ ଓ କୋମଳତା ସମ୍ବଳିତ ପଦଯୋଜନ ପାଇଁ ଏବଂ ତାହା ସାଙ୍ଗକୁ ବର୍ଷାରତୁରେ ମହାନଦୀ ଜଳ ପରି ‘ପଦ-ଅର୍ଥ’ ସ୍ଵତଃ ‘ବଢ଼ି’ ଆସିବା ପାଇଁ ଯେଉଁ ପ୍ରାର୍ଥନା ଆମେ ଏଠି ଶୁଣୁ ତାହା ଉଭୟ ଭାବ ଏବଂ ଶୈଳୀ ଦୃଷ୍ଟିରୁ କେବଳ ଭୀମଭୋଇଙ୍କ ପକ୍ଷରେ ହିଁ ସମ୍ଭବ ।

 

ଏହାପରେ ସେଇ ଧରଣର କାବ୍ୟ-ଗୌରବ ତାଙ୍କର ରହିଥିଲେ ସେ ଯେ ଅନ୍ୟ ସମସ୍ତ ଦୁଃଖ ସ୍ଵୀକାର କରିବାକୁ ପ୍ରସ୍ତୁତ (ପଞ୍ଚମ ପଦ) ଏବଂ କେବଳ ସୃଷ୍ଟିଶୀଳ ଚେତନା ଜରିଆରେ ହଁ ସମ୍ଭବପର ହେଉଥିବା ଭକ୍ତିର ‘ସୁଧାମଧୁରସ’ ପାନ କରିବାର ତାଙ୍କର ଯେଉଁ ଉତ୍କଣ୍ଠା (ଷଷ୍ଠପଦ) ତାହା ସେ ବୟାନ କରନ୍ତି । ତାପରେ ରହିଥିବା କେତେକ ପଦରେ ମନେହୁଏ ସତେ ଯେମିତି ସେଇ କାମନା ଓ ପ୍ରାର୍ଥନା ଜଣାଇଦେବା ପରେ କବି ତାଙ୍କ ଆଧ୍ୟାତ୍ମିକତାର ମୁଖ୍ୟ ପ୍ରସଙ୍ଗକୁ ଫେରି ଆସୁଛନ୍ତି (ପଦ ୭-୧୨) । କିନ୍ତୁ ବାସ୍ତବରେ ସେହି ପର୍ଯ୍ୟାୟରେ ମଧ୍ୟ ସେ ‘ଦାରୁରୁ ଦୂବ’ ଅବସ୍ଥାକୁ ଆସିଥିବା ଅବସ୍ଥାରେ ପୁଣି ‘ଦୂବରୁ ଦାରୁ’ ଅବସ୍ଥାକୁ ଫେରିଯିବା ନିମନ୍ତେ ଯେଉଁ ଆଗ୍ରହ ପ୍ରକାଶ କରନ୍ତି ସେହି କ୍ରମରେ ବର୍ଣ୍ଣିତ ଅନନ୍ତ, ଅରୂପ ଶୂନ୍ୟ ପୁରୁଷଙ୍କ ପ୍ରତି ତାଙ୍କ ଆନୁଗତ୍ୟ ବର୍ଣ୍ଣନା ପ୍ରସଙ୍ଗରେ କବି-କଳ୍ପନାର ଦର୍ଶନ-ଓ-ମନନ ଶକ୍ତିହିଁ ପୁରୋବର୍ତ୍ତୀ ହୁଏ ଏବଂ ଏହି ପର୍ଯ୍ୟାୟରେ ମଧ୍ୟ ଯେ କବିତାର ମୂଳ ପ୍ରେରଣା ଓ ଆବେଦନ ସୁରକ୍ଷିତ ରହିଥିଲା ତାହାର ପ୍ରମାଣ ୧୩ଶ ପଦରେ ଚମତ୍କାର ଭାବେ ପ୍ରତ୍ୟକ୍ଷ ହୁଏ –

 

ଏଥକୁ ଚାହିଁଲି ବିଚାରି ଦୟାକର ବାଞ୍ଛାଫଳ ପୂର୍ଣ୍ଣ ହେଉ

କବିକୃତ କଳା ଫୁଟି ଅନର୍ଗଳା ଯୁଗେ ଯୁଗେ କୀର୍ତ୍ତି ରହୁ ।

 

ପୁଣି କବିତାର ଶେଷ ଅଂଶରେ ଏକ ସଚଞ୍ଚଳ ବର୍ଣ୍ଣନା ମାଧ୍ୟମରେ ଭୀମଭୋଇ ପ୍ରକାଶ କରନ୍ତି କିଭଳି ତାଙ୍କର ସମସ୍ତ ଅଶିକ୍ଷା, ବିସ୍ତୃତି, ଜଡ଼ତା ଓ ଅଜ୍ଞାନ ସତ୍ତ୍ଵେ, ଏକ କାବ୍ୟିକ ଅନୁପ୍ରେରଣା ଓ ସ୍ତର୍ଶକାତରତା ତାଙ୍କ ସମଗ୍ର ଚେତନା ଓ ବ୍ୟକ୍ତିତ୍ୱର ପ୍ରସାର ଲାଭ କରିଥିଲା (‘ଶଶୀତେଜ ପ୍ରାୟ ହୋଇଲା ଉଦୟ ହୃଦରୁ ଭବୁକି ଭେଦ/ଅଜ୍ଞାନ ପିଣ୍ଡରେ ଚେତା ପ୍ରକାଶିଲା ଶିରେ ଶିରେ ଲାଗି ପାଦ) । ଏବଂ କିଭଳି ନିଜ କଳ୍ପନା ଓ ‘ଅନୁଭବ’ ‘ବୁଦ୍ଧି’ କରି ସେ ଚକ୍ଷୁସ୍ନାନ ହେଲେ ଓ ତାଙ୍କ କବିପ୍ରତିଭା ଭକ୍ତିକଳା ସହିତ ଆପେ ଆପେ ସଂଯୁକ୍ତ ହୋଇଗଲା, ‘ସ୍ତୁତିଚିନ୍ତାମଣି’ ର ଏହି ବୋଲିଟି ତେଣୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

 

ଭୀମଭୋଇଙ୍କ କବି-ବ୍ୟକ୍ତିତ୍ୱର ଆତ୍ମସଚେତନତା କେତେ ଗଭୀର ଥିଲା ତାହାର ଅନ୍ୟ ଏକ ଚମତ୍କାର ପରିଚୟ ଆମେ ପାଉଁ ତ୍ରୟୋବିଂଶ ବୋଲିରେ । ସକଳ ବିଶ୍ଵ ପ୍ରତି ଆକୁଳ ନିବେଦନ ଜଣାଇବା ପରେ ସେଠାରେ ତାଙ୍କ ପ୍ରତି ନ୍ୟାୟ କରିବାପାଇଁ ସେ ମିନତି କରନ୍ତି ଏବଂ ପ୍ରଖର ଭାବାବେଗରେ କହନ୍ତି –

 

ବୁଝିଦେଲେ ବୁଝ ଏ ମୋର ନିଆୟ ନହେଲେ ଛାଡ଼ିବି ଦେହ,

ତିନିପୁର ସଭାମଣ୍ଡଳରେ ଯେତେ କବିହତ୍ୟା ଦୋଷ ବହ ।(୧୨)

 

ଅର୍ଥାତ୍‌ ପ୍ରାଥମିକ ଭାବେ ଜଣେ କବି ରୂପରେ ସେ ନିଜର ପରିଚୟ ଏଠାରେ ମୁଦ୍ରିତ କଲେ । ଏହା ଅବଶ୍ୟ ମନେ ରଖିବାକୁ ହେବ ଯେ ଏ କବିତ୍ୱର ଗୌରବକୁ ସେ ଆଧ୍ୟାତ୍ମିକତାର ମାଧ୍ୟମ ଭାବେ ମୁଖ୍ୟତଃ ଗ୍ରହଣ କରିଛନ୍ତି । କିନ୍ତୁ କବି-ପ୍ରତିଭା ସମ୍ପର୍କିତ ଯେଉଁ ଧରଣର ଆତ୍ମବିଶ୍ଵାସ ଓ ଭାବାବେଗ ତାଙ୍କ ଚେତନାରେ କେନ୍ଦ୍ରୀଭୂତ ତାହା ତାଙ୍କ ଆଧ୍ୟାତ୍ମିକତା ଓ ଦାର୍ଶନିକତା ପରିପ୍ରେକ୍ଷୀରେ ବିସ୍ମୟକର ମନେହୁଏ । ଠାଏ ଏହି ସଚେତନତା ତାଙ୍କ ମନରେ ଏକ ଦୋଷବୋଧ ମଧ୍ୟ ସୃଷ୍ଟି କରେ ଯେପରି ଚତୁଃତ୍ରିଂଶ ବୋଲିର ପ୍ରଥମ ଧାଡ଼ିରେ - ‘ଜଗତରେ କବିପଣେ ବୋଲାଇଛି ଦୋଷ ନାହିଁ ଦେବ ମୋତେ’ ଏବଂ ସେହି ବୋଲିର ୧୨ଶ ପଦ ଭଳି ଅନ୍ୟ ଅନେକ ସ୍ଥଳରେ ନିଜ କାବ୍ୟ ପ୍ରତିଭା ଜଗତର ମାୟାଗ୍ରସ୍ତ ଲୋକଙ୍କ ପାଇଁ ଯଥେଷ୍ଟ ପ୍ରଭାବଶାଳୀ ହେଉ ନ ଥବାର କ୍ଷୋଭ ଓ ନୈରାଶ୍ୟ ମଧ୍ୟ ପ୍ରକାଶ ଲାଭ କରେ । ଏଣୁ କେବଳ ଆଧ୍ୟାତ୍ମିକତାର ମାଧ୍ୟମ ଭାବେ ନିଜ କବି ପ୍ରତିଭା ପ୍ରତି ଭୀମଭୋଇଙ୍କର ଆକର୍ଷଣ ରହିଥିଲା ବୋଲି କୁହାଯାଇ ପାରିବ ନାହିଁ । ଅଧିକ ସ୍ଵତନ୍ତ୍ର ଓ ମୌଳିକ ଭାବେ ମଧ୍ୟ ନିଜ କବି ପ୍ରତିଭା ପ୍ରତି ସେ ଅନୁରକ୍ତ ରହିଥିବା ସ୍ପଷ୍ଟ ଜଣାପଡ଼େ ଏବଂ ସେହି ସଚେତନତା ମୋଟେ ଆକସ୍କିକ ନୁହେଁ । ଅଥଚ ନିର୍ଦ୍ଦିଷ୍ଟ ଭାବେ ସାହିତ୍ୟ ରଚନା ପାଇଁ ସେ ବିଶେଷ ଆଗ୍ରହୀ ନଥିଲେ । ଏହା ମଧ୍ୟ ତାଙ୍କ କବି ଚେତନାର ଏକ ବୈଚିତ୍ର୍ୟ ।

 

ଭୀମଭୋଇଙ୍କ ଭକ୍ତକବି ବ୍ୟକ୍ତିତ୍ୱ ଏବଂ ତାଙ୍କ କବିତାର କାବ୍ୟପୁରୁଷ ଏକ ଓ ଅଭିନ୍ନ । ତାଙ୍କ କବିତା ସିଧାସଳଖ ଭାବରେ ତାଙ୍କ ନିଜ ଜୀବନର ଗାଥା । ଏହା ଅବଶ୍ୟ ନିଶ୍ଚିତ ଯେ ସେଗୁଡ଼ିକ ଯୋଜନାହୀନ, ସରଳ, ସ୍ୱତଃସ୍ଫୂର୍ତ୍ତ ଅଭିବ୍ୟକ୍ତି ମାତ୍ର ନୁହନ୍ତି । ଆଙ୍ଗିକ ଓ ଶୈଳୀ ସଚେତନତା ଏବଂ କାବ୍ୟ କୁଶଳତା ମଧ୍ୟ ସେଠି ସ୍ପଷ୍ଟ । କିନ୍ତୁ ଆପେକ୍ଷିକ ଭାବେ ସେସବୁର ନିରଳଙ୍କାର ପ୍ରୟାସ, କଥିତ ଭାଷାଶୈଳୀର ବହୁଳ ବ୍ୟବହାର ତଥା ଆଶୁ କବିତାର ଶୈଳୀ ପାଠକ ମନରେ ଗୋଟିଏ ବିଶ୍ଵାସ ସୃଷ୍ଟି କରେ ଯେ ସେ କେବଳ ତାଙ୍କ ଭାବନା ପ୍ରକାଶ କରିଯିବାରେ ଆଗ୍ରହୀ । ଯେଉଁ ଶ୍ରୋତା ବା ପାଠକଗୋଷ୍ଠୀଙ୍କ ପାଇଁ ସେ ରଚନା କରୁଥିଲେ ଏବଂ ଯେଉଁ ଧରଣର ଧର୍ମପ୍ରଚାର ଉଦ୍ଦେଶ୍ୟରେ ତାହା ଅଭିପ୍ରେତ ସେହି ପ୍ରସଙ୍ଗରେ ସର୍ବସାଧାରଣ ବୁଝିବା ଭଳି ଭାଷା ଶୈଳୀକୁ ସେ ପ୍ରାଥମିକତା ଦେଇଥିଲେ । କିନ୍ତୁ କାରଣ ସବୁ ଯାହାହେଉ, ମୁଖ୍ୟକଥା ହେଲା ତହିଁର ଫଳସ୍ୱରୂପ ଗୋଟିଏ ବିଶ୍ଵାସ ସୃଷ୍ଟିହୁଏ ଯେ ତାଙ୍କ କବିତା ସେଇ ବିଶେଷ ବ୍ୟକ୍ତିଟିର ନିହାତି ଅନ୍ତରଙ୍ଗ ଆତ୍ମପ୍ରକାଶ ମାତ୍ର । ଏ ବିଶ୍ଵାସଟି ତାଙ୍କ କବିତାକୁ ପ୍ରଭାବଶାଳୀ କରିବାରେ କମ୍‌ ସହାୟକ ହୋଇନାହିଁ । ତାଙ୍କ ପ୍ରତ୍ୟେକ ଲେଖାରେ ପାଠକ ଦେଖେ ପ୍ରଚଣ୍ଡ ସତ୍ୟଶୀଳତାର ଗୌରବ । ଏଣୁ କବିତାର ମାନ ଖୁବ୍‌ ବଢ଼ିଯାଏ ଏବଂ ଠିକ୍‌ ସେହି ସବୁ କାରଣରୁ ଅନେକ ମନେ କରନ୍ତି ସେ ଜଣେ ଲୋକ-ସାହିତ୍ୟିକ ।

 

ଭୀମଭୋଇ ପ୍ରକୃତି କବିତା ଲେଖି ନଥିଲେ । ଲୋକଗୀତରେ ନିର୍ଦ୍ଦିଷ୍ଟ ଭାବେ ପ୍ରକୃତି କବିତା ନ ଥାଏ । କାରଣ ସହରୀ ସଭ୍ୟତାର ପଟ୍ଟଭୂମିଟିଏ ନ ଥିଲେ ପ୍ରକୃତି କବିତା- ରହିତ ହୁଏ ନାହିଁ । କିନ୍ତୁ ଲୋକଗୀତ ମାନବବାଦୀ ମଧ୍ୟ ନୁହେଁ । କାରଣ ମନୁଷ୍ୟ ଓ ବିଶ୍ଵର ସ୍ଵତନ୍ତ୍ର ପରିଧି ସେଠି ଚିହ୍ନିତ ହୋଇ ନଥାଏ । ଲୋକଗୀତରେ କବି ନଥାଏ । କାରଣ ଲୋକଗୀତିକାର ନିଜକୁ ସବୁବେଳେ ତା’ ଗୋଷ୍ଠୀ, ତାର ସାମଗ୍ରିକ ପରିବେଶ ଓ ତାର ପରମ୍ପରା ମଧ୍ୟରେ ହଜେଇ ରଖେ । ତାର କବିତ୍ୱ ସଚେତନତା ଅନ୍ୟମାନଙ୍କଠାରୁ ତାର ପ୍ରକାଶ କ୍ଷମତାର ଆଧିକ୍ୟ ମଧ୍ୟରେ ସୀମିତ ରହିଥାଏ । ସେ ଯେ ନୂଆ କିଛି ଦେଖୁଛି ବା ଭାବୁଛି ସେଭଳି ବିଶ୍ଵାସ ତାରା ନ ଥାଏ । ସେ ନିଜକୁ ମନେକରେ ଜଣେ ପ୍ରତିନିଧି ବା ପ୍ରବକ୍ତା । ଅନ୍ୟମାନଙ୍କଠାରୁ ନିଜେ ଭିନ୍ନ ହୋଇଥିବାର ଅନୁଭବ ତା’ର ନଥାଏ । ଲୋକଗୀତର ସବୁଠାରୁ ମୁଖ୍ୟ ଗୁଣ ହେଉଛି ତାର ଆପେକ୍ଷିକ ଉଦ୍ଦେଶ୍ୟହୀନତା । ସଂସ୍କୃତି ଗଠନ କରୁଥିବାର ସଚେତନତା ତହିଁରେ ନ ଥାଏ । ସମାଜକୁ ବଦଳେଇବାର ଚେଷ୍ଟା ଜୀବନପ୍ରତି ନୂଆ ଦୃଷ୍ଟିଭଙ୍ଗୀ ତିଆରି କରିବାର ଆଗ୍ରହ ବା ଗୋଟିଏ ନୂଆ ରୁଚିବୋଧ ପ୍ରସ୍ତୁତ କରିବାର କାମନା ସେଥିରେ କ୍ରିୟାଶୀଳ ହୁଏ ନାହିଁ । ଏସବୁ ଦୃଷ୍ଟିରୁ ବିଚାର କଲେ ଭୀମଭୋଇଙ୍କ ରଚନାକୁ ଲୋକସାହିତ୍ୟ ବୋଲି କହିହେବ ନାହିଁ । ଅଥଚ ତାହା ସର୍ବଦା ଗଣ ଉଦ୍ଦେଶ୍ୟରେ ଓ ଗଣଉପଯୁକ୍ତ ଶୈଳୀରେ ହିଁ ରଚିତ ହେଉଥିଲା।

 

ବାସ୍ତବପକ୍ଷେ ଭୀମଭୋଇଙ୍କ କବିତା ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଅଟେ । ଗୋଟିଏ ଦୃଷ୍ଟିରୁ ଅନେକ ଆଗରୁ ରହିଥିବା ମଣି-ପ୍ରବାଳ ଶୈଳୀର ତାହୀ ଏକ ଅଭିନବ ସଂସ୍କରଣ । ସେଥିରେ ପାଣ୍ଡିତ୍ୟ ଅଛି, ଦର୍ଶନ ଅଛି, ଆଳଙ୍କାରିକତା ମଧ୍ୟ ଅଛି; କିନ୍ତୁ ସେଥିରେ ଲୋକସାହିତ୍ୟର କେତେକ ଆଦର୍ଶ ମଧ୍ୟ କେନ୍ଦ୍ରୀଭୂତ । ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ରଚିତ ସାରଳା ସାହିତ୍ୟ ବା ପଞ୍ଚସଖା ସାହିତ୍ୟରେ ‘ସ୍ତୁତିଚିନ୍ତାମଣି’ ଭଳି ରୋମାଣ୍ଟିକ୍‌ ଆତ୍ମକୈନ୍ଦ୍ରିକତାର ତୀବ୍ରତା ନଥିଲା । ଦୁର୍ବିସହ ମାନସିକ କ୍ଳେଶ ଓ ବିକ୍ଷୋଭ ସେସବୁ କବିଙ୍କ ରଚନାର କାବ୍ୟବସ୍ତୁ ହୋଇ ନ ଥିଲା । ଭୀମଭୋଇ ନିଜକୁ କେବେହେଁ ଭୁଲାଇ ପାରିଲେ ନାହିଁ ଯେ ଗୋଟିଏ ଆତ୍ମା ହେବା ସଙ୍ଗେ ସଙ୍ଗେ ସେ ମଧ୍ୟ ଗୋଟିଏ ଶରୀର ଓ ଗୋଟିଏ ମନ ଯାହା ସାମାଜିକ-ଐତିହାସିକ ତାଡ଼ନାର ଶରବ୍ୟ ହୋଇଛି । ଭକ୍ତି ଓ ଦର୍ଶନତତ୍ତ୍ୱର ଆବେଗ ମଧ୍ୟରେ ସେ କେବେହେଁ ‘ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ’କୁ ଭୁଲି ପାରିଲେ ନାହିଁ । ଜୀବନର ଯେତେସବୁ ଯନ୍ତ୍ରଣା, ସମାଜ ଓ ବିଶ୍ଵବିଧାନର ଯେତେସବୁ ଅନ୍ୟାୟ ପ୍ରତି ‘ଶୂନ୍ୟ ଶୂନ୍ୟ ବୋଲି’ ସେ କେବେହେଁ ଉଦାସୀନ ରହି ପାରିଲେ ନାହିଁ । ଅଥଚ ସେହି ପ୍ରସଙ୍ଗରେ ତାଙ୍କର ସବୁ ଯେତେ ସାଲିସ-ବିହୀନ ବିକ୍ଷୋଭ ଓ କ୍ରୋଧ ସତ୍ତ୍ଵେ ଗୁରୁ ଏବଂ ଈଶ୍ଵର, ଅଲେଖ ଏବଂ ଅରୂପ ପ୍ରତି ତାଙ୍କ ନିଷ୍ଠା ଓ ଆନୁଗତ୍ୟକୁ କେବେହେଁ ବିସ୍ମରିଲେ ନାହିଁ-। ମାଟିକୁ ଜାବୋଡ଼ି ଧରିଲେ ଏବଂ ତା ସହିତ ଆତ୍ମାକୁ ମଧ୍ୟ ଜାବୋଡ଼ି ଧରିଲେ । ସମସ୍ତ ପ୍ରାଣୀ ଜଗତକୁ ଆପଣାର ମନେକଲେ ଏବଂ ତା ସହିତ ଶୂନ୍ୟକୁ ମଧ୍ୟ ଏକାନ୍ତ ଭାବେ ନିଜ ସ୍ଵରୂପ ମନେକଲେ । ସାମାଜିକ ଓ ଆଧ୍ୟାତ୍ମିକ ଉଭୟକୁ ସମଭାବରେ ଗୁରୁତ୍ୱପୂର୍ଣ୍ଣ ମନେକଲେ । ଉଚ୍ଚାଙ୍ଗ ସାହିତ୍ୟ ଓ ଦର୍ଶନରୁ ଅନେକ ଉପାଦାନ ତାଙ୍କ କବିତାରେ ସଂଯୋଜିତ କଲେ ଏବଂ ସାଧାରଣ ଜନଜୀବନର ଭାଷା ଓ ଭାବକୁ ତହରେ ସିଧାସଳଖ ଯୋଡ଼ିଦେଲେ । ସାହିତ୍ୟ ପୁରାଣ ଓ ଲୋକସାହିତ୍ୟ ସବୁ କିଛିର ବିଚିତ୍ର ମିଶ୍ରଣରେ ସୃଷ୍ଟିକଲେ ଭୀମଭୋଇ ସାହିତ୍ୟ - ଅନନ୍ୟ ଓ ଅସାଧାରଣ ।

***

 

Unknown

ମୁଁ କାହିଁକି ଲେଖେ

ଡକ୍ଟର ମାୟାଧର ମାନସିଂହ

 

କୌଣସି ଲେଖକକୁ ସେ କାହିଁକି ଲେଖନ୍ତି - ଏହା ପଚାରିବାରେ ପ୍ରଚ୍ଛନ୍ନ ଉପହାସ ଥାଇପାରେ । ଅର୍ଥାତ୍‌, ତାଙ୍କ ଲେଖାର ତ କୌଣସି ମୂଲ୍ୟ ନାହିଁ, ସେ ଲେଖନ୍ତି ମିଛରେ କାହିଁକି ? ଏ କ୍ଷେତ୍ରରେ ଉତ୍ତର ଦେବା ଯେପରି ଅସହଜ, ଯଦି ଲେଖକ ପ୍ରକୃତିରେ ରସସ୍ରଷ୍ଟା ହୋଇଥା’ନ୍ତି, ତାଙ୍କୁ ଏ ପ୍ରଶ୍ନର ଉତ୍ତର ଦେବା ସେହିପରି ଅଡ଼ୁଆ । ‘ଈଶ୍ଵର ଅଛନ୍ତି କି ନାହିଁ’, ସେ ପ୍ରଶ୍ନର ଉତ୍ତର, ‘ଜଣେ କବି କାହିଁକି ଲେଖେ’ ଏ ପ୍ରଶ୍ନର ଉତ୍ତର ବରଂ ସହଜତର । ଚନ୍ଦ୍ରର ଜ୍ୟୋତ୍ସା ପରି, ଜଳର ଗତି ପରି, ପୁଷ୍ପର ସୌରଭ ପରି, ରସସ୍ରଷ୍ଟା ତ ରସସୃଷ୍ଟି ଓ ବିତରଣ କରିଯାଏ, ସେଠି ‘କାହିଁକି’ ର ସ୍ଥାନ କାହିଁ ?

 

କିନ୍ତୁ ମୋ ପରି ମନ୍ଦଃ କବି ଯଶଃପ୍ରାର୍ଥୀଙ୍କ ପ୍ରତି ଏ ପ୍ରକାର ପ୍ରଶ୍ନ ହୁଏତ ଏକାନ୍ତ ବାଞ୍ଚନୀୟ-। ମୁଁ ବା ମୋ’ ପରି ସାରସ୍ଵତ ପୀଠରେ ଅନଧିକାର ପ୍ରବେଶକାରୀମାନେ ଯଦି ନିଜକୁ ନିଜେ ଏହି ପ୍ରଶ୍ନ ପଚାରନ୍ତେ ବା ପଚାରି ଆସୁଥା’ନ୍ତେ। ତେବେ ସାହିତ୍ୟ ବହୁ ଆବର୍ଜନାର ଅନାକାଂକ୍ଷିତ ପୂତିଗନ୍ଧ ଓ ଧୂଳିମଳିରୁ ରକ୍ଷା ପା’ନ୍ତା । ସେକ୍‌ସପିୟର, ରବୀନ୍ଦ୍ରନାଥ ସିନା ଲେଖିବେ, ଆମର ସେହି ନିଷିଦ୍ଧ, ମହାଜନସ୍ଥଳିରେ ନିର୍ଭୀକ ପଦଚାରଣା କରିବାରେ କି ଦରକାର ? କି ବା ଫଳ ? ସେ ଯାଦୁକରୀ ଲେଖନୀ କ’ଣ ଆମର ଅଛି ? ରବୀନ୍ଦ୍ରନାଥ ବା କାଳିଦାସଙ୍କ ସୃଷ୍ଟିର ସୌରଭ ଓ ମାଧୁର୍ଯ୍ୟର କଥା ଭାବିଲେ ମନରେ ଏପରି ନୈରାଶ୍ୟ ଆସେ ଯେ, ସେମାନଙ୍କର ଉପସ୍ଥିତିରେ ନିଜକୁ ଲେଖକ ଶ୍ରେଣୀରେ ଗଣନା କରିବାକୁ ଇଚ୍ଛା ହୁଏ ଏବଂ ଯାହା ଲେଖିଛି, ତାର ଅପଦାର୍ଥତା ପାଇଁ ଚିତ୍ତ ତିକ୍ତ ହୋଇଉଠେ ।

 

ତେବେ ଲେଖେ କାହିଁକି ? ଅଲ୍‌ ଇଣ୍ଡିଆ ରେଡ଼ିଓ ଏ ପ୍ରଶ୍ନ ନ ଉଠେଇଥିଲେ, ମୁଁ ନିଜକୁ ଏ ପ୍ରଶ୍ନ କେବେ ପଚାରି ନ ଥା’ନ୍ତି । ବର୍ତ୍ତମାନ ବିଶ୍ଳେଷଣ ପ୍ରୟାସରେ ମୋର ଲେଖକ ଜୀବନର ସମଗ୍ର ଅତୀତକୁ ଚାହିବାକୁ ପଡ଼ୁଛି । ମୁଁ ସେହି ଦୀର୍ଘପଥର ଆରମ୍ଭ ପର୍ଯ୍ୟନ୍ତ ପଳାଇ ଦେଖୁଛି ଯେ, ଯେଉଁ. ସ୍ଥାନ ବା ଗୋଷ୍ଠୀରେ ମୋର ଜନ୍ମ ଓ ବାଲ୍ୟକାଳ କଟି ଯାଇଛି, ସେଠି ଲେଖକର ସ୍ଥାନ ନଥିଲା କି ଲେଖକ ହେବାକୁ ମୋତେ କେହି ଉତ୍ସାହିତ ବା ପ୍ରଣୋଦିତ କରିବାର ଲୋକ ନ ଥିଲା । ଏ ପର୍ଯ୍ୟନ୍ତ ବି ମୋର ଗାଁ’ର ଦାଦା, ଖୁଡ଼ି ଭାଇ ବନ୍ଧୁମାନେ ଜାଣନ୍ତି ନାହିଁ ଯେ ମୁଁ ଏକ ତଥାକଥିତ ଲେଖକ । ଅସ୍ପଷ୍ଟ ଭାବରେ ଲେଖକ ବୋଲି କିଛି ଗୋଟାଏ ଶୁଣାଶୁଣିରୁ ଧାରଣା ଥିଲେ ମଧ୍ୟ ମୁଁ କ’ଣ ଲେଖେ, ସେ ସମ୍ପର୍କରେ ସେମାନେ ଏକାବେଳେ ଅଜ୍ଞ; କିନ୍ତୁ ଏଥିରେ ସେମାନଙ୍କ ଅପେକ୍ଷା ମୋର ଲଜ୍ଜା ହିଁ ଅନେକ । ମୁଁ କ’ଣ କିପରି କବି ବା ଲେଖକ ହୋଇଛି; ଅଥଚ ମୋର କୁଟୁମ୍ବ ବା ଗ୍ରାମବାସୀ ମୋର ପୁସ୍ତକ ପଢ଼ି ଆନନ୍ଦ ଲାଭ କରି ପାରିଲେ ନାହିଁ, ଏହାଠାରୁ ମୋର ଲେଖକ ଜୀବନର ଅଧିକ ବ୍ୟର୍ଥତା, ଅଧିକ ସରମ ଥାଇପାରେ କି ? ମୁଁ ଅନେକ ବେଳେ ଏହି ଚିନ୍ତାରେ ମଧ୍ୟ ମୁହ୍ୟମାନ ହୁଏ ଏବଂ ନିଜକୁ ଧିକ୍କାର କରେ; ତଥାପି ଲେଖେ କାହିଁକି ?

 

ସୁଦୂର ବାଲ୍ୟକାଳର କଥା ଆଜି ମନେ ପଡ଼ୁଛି । ସନ ତାରିଖ ମନେ ନାହିଁ । କିନ୍ତୁ ଘଟଣାଟା ହୁଏତ ସେ କାଳର ଭାଗରତେଶ୍ୱର ସପ୍ତମ ଏଡ଼୍‌ୱାର୍ଡ଼ଙ୍କର ସିଂହାସନ ଆରୋହଣ ବା ସେହିପରି କିଛି । ସେଇଥିପାଇଁ ଆମେ ପିଲେ ବଡ଼ଙ୍କର ଗ୍ରାହ୍ୟତାକୁ ଆସିଥିଲୁ ଏବଂ ଆମକୁ ମିଷ୍ଟାନ୍ନ ବଣ୍ଟନର ଐତିହାସିକ ଆବଶ୍ୟକତା ସ୍ଵୀକୃତ ହୋଇଥିଲା । ସେ କାଳରେ ପାରିକୁଦ ଗଡ଼ରେ ଯେଉଁ ମାଇନର ସ୍କୁଲ ଥିଲା, ସେଇଠି ପଢ଼ିବା ପାଇଁ ଆମର ଅଭିଭାବକମାନେ ମତେ ଓ ମୋର ଏକ ଦାଦିପୁଅ ଭାଇକୁ ଗ୍ରାମ୍ୟ ଜୀବନରୁ ନିକଟରେ କାଢ଼ି ଆଣିଥିଲେ । ସ୍କୁଲର ଉନ୍ମୁକ୍ତ ପ୍ରାଙ୍ଗଣରେ ଏକ ସଭାର ଯୋଗାଡ଼ ହେଲା । ସେଠାରେ ଶିକ୍ଷକମାନେ ଓ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସେମାନଙ୍କ ଭିତରେ ଥିଲେ ମୋର ସା’ନ୍ତ ବାପା ମୋର ଅଭିଭାବକ, ଇଷ୍ଟେଟର - ସେ କାଳର ବୃହତ୍ତମ କର୍ମଚାରୀ । ପିଲାମାନେ ସମସ୍ତେ କ୍ରୀଡ଼ାରତ । ମୁଁ କିନ୍ତୁ ଖେଳ ଛାଡ଼ି ସଭାରେ କଥା ଶୁଣିବାକୁ ବସିଥାଏ । ବୋଧହୁଏ ଭାରତେଶ୍ଵରଙ୍କ ସମ୍ବନ୍ଧରେ ତାଙ୍କର କୁଶଳ କାମନା କରି ବା ସେହିପରି ପ୍ରାସଙ୍କିକ କଥାସବୁ କୁହାକୁହି ହୋଇଥିବ । ସେ ସବୁ ମୋର କିଛି ମନେ ନାହିଁ । କିନ୍ତୁ ଏଇ କଥାଟି ମୋର ସ୍ପଷ୍ଟ ମନେପଡ଼େ ଯେ ସେହି ଗଣ୍ୟମାନ୍ୟ ବଡ଼ଙ୍କ ସଭାରେ ମୁଁ ଇଂଲଣ୍ଡେଶ୍ଵରଙ୍କର ସମ୍ବନ୍ଧରେ ଏକ ପତ୍ର ଯାହା ଗାରେଇଥିଲି, ତାହା ପଢ଼ିଥିଲି । ଇଂଲଣ୍ଡର ରାଜବଂଶ ସମ୍ବନ୍ଧରେ ମୋର ଜ୍ଞାନ ସ୍କୁଲର ପାଠ୍ୟପୁସ୍ତକର ସୀମାକୁ ଟପିଯିବ, ସେ କାଳରେ ତ ଆଶା ନ ଥିଲା । କିଛି ନୂତନ ଶୁଣାଇବାର ଆଶା ହିଁ ବିଡ଼ମ୍ବନା । ନୂତନତ୍ୱର ଏକମାତ୍ର ଚମକ ହେଉଛି ଗୋଟିଏ ବଡ଼ଙ୍କ ସଭାରେ ଅନାହୂତ ଏକ ବାଳକର ଅଯାଚିତ ଭାବରେ ପ୍ରବନ୍ଧପାଠ । ସେ ପ୍ରବନ୍ଧ ଏପରି ସାରହୀନ ଯେ ତାର ବିନାଶ ଓ ବିଲୟ ପାଇଁ କାଳର ଦନ୍ତ ଦରକାର ନ ଥିଲା । ମୋର ଚାରିପାଖେ ମୁଁ ଯେଉଁ ଆବର୍ଜନା ସ୍ତୂପ ସୃଷ୍ଟି କରେ, ସେଇଥିରେ ହିଁ ଜୀବନର ସାଶ୍ରେଣୀକ ଅନ୍ୟ ପଦାର୍ଥ ପରି ତାହା ନିକ୍ଷିପ୍ତ ଓ ବିଲୀନ ହୋଇ ଯାଇଛି । କିନ୍ତୁ ମୋର ଏତିକି ସ୍ମରଣ ହେଉଛି ଯେ, ଏହି ରାଜ ପ୍ରଶସ୍ତି ପାଇଁ, ମତେ ସେଦିନ କେହି ଅନୁରୋଧ ବା ଉତ୍ସାହିତ କରି ନ ଥିଲେ । ମୁଁ କାହିଁକି ଲେଖିଲି, କିପରି ବା ସାହସ କରି ବଡ଼ ଭାଇଙ୍କର ସଭାରେ ତାକୁ ପଢ଼ିଲି, ତା’ର ଉତ୍ତର କେବଳ ମନସ୍ତାତ୍ତ୍ୱିକ ଦେବେ । ହୁଏତ ଏହାହିଁ ମୋ ଜୀବନର ପ୍ରଥମ ଲେଖା ଗଦ୍ୟରେ ଆରମ୍ଭ । ଏକ ଦୈବୀ ସୂଚନା ଯେ ଜୀବନଟା ନିରାଟ ଗଦ୍ୟମୟ ହେବ – ତାହା ହିଁ ହୋଇଛି ।

 

ଏଇ କାଳରେ ଆଉ ଏକ ଘଟଣା ଘଟିଥିଲା, ଯାହାକୁ ଏହି ମାନସିକ ବିଶ୍ଳେଷଣ ପାଇଁ ମତେ ଆଜି ପଦାରେ ପକାଇବାକୁ ପଡ଼ୁଛି । ଏବେ ମୁଁ ବହୁକାଳ ଧରି ଅପୌତ୍ତଳିକ । ହିନ୍ଦୁ ଦେବଦେବୀଙ୍କର ପ୍ରତିମାକୁ ମୁଁ ନମସ୍କାର କରେନା । ମୋର ବର୍ତ୍ତମାନ ବଦ୍ଧଧାରଣା ଯେ ଏହି ପୌତ୍ତଳିକତା ଓ ବ୍ରାହ୍ମଣ ନିଜର ସାମାଜିକ ଜୀବନ ପରିତ୍ୟାଗ ନ କଲେ ସାମଗ୍ରିକ ଭାବରେ ହିନ୍ଦୁ ସମାଜ କେବେହେଲେ ସଭ୍ୟ ବା ଉନ୍ନତ ହୋଇ ପାରିବ ନାହିଁ । କିନ୍ତୁ ସେହି ସୁଦୂର ବାଲ୍ୟ ଜୀବନରେ ମୁଁ ହିନ୍ଦୁ ଦେବଦେବୀଙ୍କର ଏକାନ୍ତ ଭକ୍ତ ଥିଲି । ଗଣେଶ ଓ ସରସ୍ୱତୀଙ୍କ ସ୍ତୋତ୍ର ମୁଖସ୍ଥ କରି ପ୍ରତ୍ୟହ ପାରାୟଣ କରୁଥିଲି । ଭିନ୍ନ ଭିନ୍ନ ଦେବଦେବୀଙ୍କୁ ତାଙ୍କ ମନ୍ଦିରେ ମନ୍ଦିରେ ଘୂରି ନିଜର ସେ କାଳର ଛୋଟ ଛୋଟ ଦୁଃଖ କହି ଆସୁଥିଲି, ଯଦିବା ମୋର ଦରଖାସ୍ତ ବାରବାର ନାମଞ୍ଜୁର ହେଉଥାଏ ।

 

ସେ ଯାହାହେଉ ମୁଁ ଦିନେ ସ୍ଵୟଂ ସରସ୍ୱତୀଙ୍କ ସ୍ଵପ୍ନରେ ଭେଟିଲି । ଦେଖିଲି କୌଣସି ମନ୍ଦିରକୁ, ଯାଇଛି । ମନ୍ଦିରର କୌଣସି ଦ୍ଵାର ଦେଇ, କୌଣସି କକ୍ଷ ଭିତରେ ପଶିଲାକ୍ଷଣି ଦେବୀ ସରସ୍ଵତୀ ମୋର ଛୋଟ ବାଲ୍ୟଦେହକୁ ନେଇ କୋଳରେ ରଖିଲେ । ତାଙ୍କର ମସ୍ତକରେ ଜାଜ୍ୱଲ୍ୟମାନ ମୁକୁଟ । ମୁଖରେ କଲ୍ୟାଣୀୟ ସ୍ଥିତ । ମତେ ସସ୍ନେହରେ ଆଉଁସିଲେ ଏବଂ କିଛି କହିଲେ, ଯାହାକି ମୋର ଆଜି ମନେ ନାହିଁ । ତାଙ୍କର କୋଳରେ ଥାଇ ହିଁ ମୋର ନିଦ୍ରାଭଙ୍ଗ ହେଲା-

 

ଏଇଟା କେବଳ ସ୍ଵପ୍ନ ହୋଇଥିଲେ ଏଠାରେ ମୁଁ ଉଲ୍ଲେଖ କରି ନ ଥାନ୍ତି । କିନ୍ତୁ ୟା’ ସଙ୍ଗେ ମୋର ଲେଖକ ଜୀବନର ନଗଣ୍ୟ ଇତିହାସ ଜଡ଼ିତ । କାରଣ ବ୍ୟୟାଧଶରାହତ କ୍ରୌଞ୍ଚ କାରୁଣ୍ୟ ଯେପରି ବାଲ୍ମିକୀଙ୍କୁ କବିତାର ପ୍ରଥମ ପ୍ରେରଣା ଯୋଗାଇଥିଲା, ଏଇ ସ୍ଵପ୍ନ ହିଁ ହେଲା ମୋର ପ୍ରଥମ କବିତାର ଉପାଦାନ । ସେଦିନ ସମଗ୍ର ସକାଳ, ମୋର ଚିତ୍ତ ସେହିପରି ସ୍ୱପ୍ନରେ ଦୈବାତ । ମାଧୁର୍ଯ୍ୟରେ ପରିପୁରିତ ହୋଇ ରହିଥିଲା । ମୁଁ ମାନସିକ ବିରାମ ବା ଆମୋଦ ପାଇଁ ଘଟଣାଟିକୁ ଲେଖି ବସିଲି । ମୋର ସା’ନ୍ତ ବାପା ସେ କାଳର ‘ଉତ୍କଳ ସାହିତ୍ୟ’ ଓ ‘ଉତ୍କଳ ଦୀପିକା’ ଆଦି ମଗାଇ ପଢ଼ୁଥିଲେ । ଘରେ ସେଦିନ ସକାଳେ ଖଣ୍ଡେ ‘ଉତ୍କଳ ସାହିତ୍ୟ’ ପାଇଲି । ସେଥିରେ ଆର୍ଟ କାଗଜରେ ଏକ ଛବି ଥିଲା, ଯା’ର ପଛ ପାଖଟା ଥିଲା ଫାଙ୍କା । ମୋର ମନେ ଅଛି ସେହି ଫାଙ୍କା ସ୍ଥାନରେ ଆରମ୍ଭ କରିଦେଲି ଏକ ପେନ୍‌ସିଲ ସାହାଯ୍ୟରେ ମୋର ସରସ୍ୱତୀ ଦର୍ଶନର ବର୍ଣ୍ଣନା । ସେ ପୁଣି ଅମିତ୍ରାକ୍ଷରରେ । ଏ ବି ଏକ ଦୈବୀ ସୂଚନା । କାରଣ ଅକ୍ଷରଚର୍ଚ୍ଚା ଯୋଗୁ ଉତ୍କଳରେ ମିତ୍ର ଅପେକ୍ଷା ଅଧିକ ଅମିତ୍ର ହିଁ ପ୍ରାପ୍ତ ହୋଇଆସିଛି । ଜୀବନ ବି ହୋଇଛି ଯତିହୀନ । ଛାପା ବହିରେ କାହିକି ପେନ୍‌ସିଲ୍‌ ଗାରାଇଛି କହି ଜଣେ ଦାବି ମୋତେ ସେହି ମୁହୂର୍ତ୍ତରେ ହିଁ ଗାଳି ଦେଇଥିଲେ । ଲେଖିସାରିଲା ପରେ କବିତାର ଖବର ଭୁଲିଯିବା ଏବେ ବି ମୋର ସ୍ୱାଭାବିକ ଅଭ୍ୟାସ । ତେଣୁ ମୋର ସେହି ଆଦି କବିତାଟି କୁଆଡ଼େ ଗଲା, ମୁଁ କହି ପାରିବିନି । କିନ୍ତୁ ସଦ୍ୟ ପୁରସ୍କାରଟା ମନେ ଅଛି । ଲେଖକ ପାଇଁ ସେହି ଶ୍ରେଣୀକ ପୁରସ୍କାର ହିଁ ମୁଁ ବିଶେଷ ଭାବରେ ପାଇଆସୁଛି ।

 

ଆଜି ମନସ୍ତତ୍ତ୍ଵ ଦେଇ ବିଚାର କରି ଦେଖୁଛି, ସ୍ୱପ୍ନରେ ସେହି ସରସ୍ଵତୀ ଦର୍ଶନର କୌଣସି ଅର୍ଥ ନାହିଁ । କିନ୍ତୁ ମୁଁ ଆଜି ନିଜକୁ ପଚାରୁଛି, ସେହି ଘଟଣାକୁ ମୁଁ ଲେଖିବାକୁ ଗଲି କାହକି ? ତାକୁ ବା ଛନ୍ଦରେ ଲେଖିବାକୁ ଗଲ କାହିଁକି-ହେଉ ବା ସେ ଅମିତ୍ରାକ୍ଷର । ମୁଁ ନିଜେଇ ସେ ପ୍ରଶ୍ନର ଉତ୍ତର ଜାଣେନା ।

 

ଏଇ ଶତାବ୍ଦୀର ଫ୍ରୟଡ଼୍, ଜଙ୍ଗ୍‌ ପ୍ରଭୃତି ମନସ୍ତାତ୍ତ୍ଵିକ ପଣ୍ଡିତମାନେ ମନୁଷ୍ୟ ମନର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ଦେଖବାକୁ ଚେଷ୍ଟା କରିଛନ୍ତି ଯେ ମନୁଷ୍ୟର ସମଗ୍ର ପାର୍ଥିବ ଜୀବନର ମୂଳ ପ୍ରେରଣା କେଉଁଠୁ ଆସେ । ଫ୍ରୟେଡ୍‌ କହନ୍ତି ଯେ ଜଠର କ୍ଷୁଧା ଓ ଯୌନ କ୍ଷୁଧାରେ ମନୁଷ୍ୟର ପ୍ରବଳତମ ପ୍ରବୃତ୍ତି । ତାଜମହଲଠାରୁ କୁଟୀର ରଚନା ଯାଏ ମନୁଷ୍ୟର ସକଳ ଛୋଟବଡ଼ କର୍ମର ତଳେ ଏଇ ଦୁଇ ପ୍ରବୃତ୍ତି ପ୍ରଚ୍ଛନ୍ନ ରହିଛି । ଜଙ୍ଗ୍‍ ଏକ ତୃତୀୟ ପ୍ରବୃତ୍ତି ଯୋଗ କରିଛନ୍ତି - ଯା’ର ଓଡ଼ିଆରେ ନାମ ହୋଇପାରେ ଆତ୍ମପ୍ରାଧାନ୍ୟ ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତି, ନାରୀ ହେଉ ବା ପୁରୁଷ ହେଉ, ଏକ ପ୍ରଚ୍ଛନ୍ନ କିନ୍ତୁ ଗଭୀର ଅଭିଳାଷ ରହିଛି ସମାଜରେ ଦଶଜଣଠାରୁ ସେ ଧନରେ, ମାନରେ ବା ବୁଦ୍ଧିରେ କୌଣସିଥିରେ ହେଲେ, ବଡ଼ ବୋଲି ଧରାଯା’ନ୍ତୁ ଓ ସେଥିପାଇଁ ଅନ୍ୟଙ୍କଠାରୁ ଆଦର ଓ ସମ୍ମାନ ପାଆନ୍ତୁ । ମୁସୋଲିନ୍‌ର ଦିଗ୍‌ବିଜୟର ସ୍ଵପ୍ନଠାରୁ ଗାଁ ମହାଜନର ନିର୍ମମତା ପର୍ଯ୍ୟନ୍ତ ଯେତେସବୁ ଅମାନୁଷିକ ସ୍ଵାର୍ଥକୈନ୍ଦ୍ରିକ କର୍ମ ଆମେ ଜଗତରେ ଦେଖିବାକୁ ପାଉ, ସେ ସବୁର ମୂଳରେ ଏହି ଆତ୍ମ ପ୍ରାଧାନ୍ୟର ପ୍ରେରଣା ।

 

ଜଣେ ଲେଖକ କାହିଁକି ଲେଖେ, ତା’ର ଉତ୍ତର ହୁଏତ ମନୁଷ୍ୟର ଏଇ ତିନି ପ୍ରଧାନ ପ୍ରବୃତ୍ତିରେ ଓତପ୍ରୋତ ରହିଛି । ହୁଏତ ଲେଖକ କ୍ଷୁଧାର ତାଡ଼ନାରୁ ରକ୍ଷା ପାଇବା ପାଇଁ ଅର୍ଥାତ୍‌ ଜୀବିକାର ଉପାୟ ରୂପେ ଲେଖିଥାଇପାରେ । ପୂର୍ବେ ରାଜାମାନେ, ସ୍ତୁତିକାରକ କବିମାନଙ୍କର ଭରଣପୋଷଣର ଭାର ନେଇଥିଲେ । ଆମର ପରମ ବରେଣ୍ୟ କାଳିଦାସ ହୁଏତ ଏଇ କାରଣରୁ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ଦରବାରର ଆଶ୍ରୟ ନେଇଥିଲେ । ସେହି ମହା କବିଙ୍କୁ ଆତ୍ମ-ପ୍ରାଧାନ୍ୟ ମଧ୍ୟ ପ୍ରଭାବିତ କରିଥିବ, ଏହା ସ୍ୱାଭାବିକ । ନବରତ୍ନଙ୍କ ମଧ୍ୟରେ ଶ୍ରେଷ୍ଠତମ ରତ୍ନ ହେବାର ଆତ୍ମପ୍ରସାଦ ଅନୁଭବ ନ କରିବାରେ ହିଁ କୌଣସି ମନୁଷ୍ୟ ପକ୍ଷରେ ଅସ୍ଵାଭାବିକ । ମହାକବିଙ୍କ ରଚନାରେ ଯୌନକ୍ଷୁଧା ଯେ ମଧୁର ଓ ମହିମାମୟ ଭାବେ ଆତ୍ମପ୍ରକାଶ କରିଛି, ତାହା ଆଉ କାହାକୁ ବୁଝାଇ ଦେବାକୁ ହେବ ନାହିଁ । ମେଘଦୂତରେ ସେହି ପ୍ରଣୟଦଗ୍ଧ କବିଙ୍କର ନିଜର ନିବିଡ଼ ବିରହ-ବେଦନା ହିଁ ଯେ ଜବାପୁଷ୍ପ ପରି ପ୍ରାଣର ରକ୍ତରେ ରକ୍ତାଭ ହୋଇ ଫୁଟି ବାହାରିଛି, ଏଥିରେ ସନ୍ଦେହ ନାହିଁ ।

 

ଉତ୍କଳ ଦେଶରେ ଜୀବିକାର ଉପାୟ ରୂପେ ସାହିତ୍ୟକୁ ଆଶ୍ରୟ କରିବାର ଯୁଗ ଏ ଯାଏଁ ଆସିନାହିଁ । ସାହିତ୍ୟର ବ୍ୟବସାୟୀ ନିଶରେ ହାତ ପକାଇ ବୁଲିବାର ଦେଖୁଁ, କିନ୍ତୁ ଅସଲ ସାହିତ୍ୟିକ ସେହି ପୂର୍ବ ପରି ଦରମଲା, ଗୃହହୀନ, ବୁଭୁକ୍ଷୁ । ମୁଁ ପାନ, ସିଗାରେଟ୍‌ ଆଦି ବ୍ୟବହାର କରେନା, ଯଦି କରୁଥା’ନ୍ତି ତେବେ ଏଯାବତ୍‌ ମୋର କିତାବମାଳାରୁ ମୁଁ ଯାହା ପାଇଛି, ତାହା ସେହି ପାନ ସିଗାରେଟ୍‌ ପାଇଁ ମଧ୍ୟ ଅକୁଳାନ ହୁଅନ୍ତା । ମୋତେ ଯଦି କେବଳ ମୋର ବହି ବିକ୍ରୟଲବ୍‌ଧ ଅର୍ଥ ଭପରେ ନିର୍ଭର କରିବାକୁ ପଡ଼ୁଥା’ନ୍ତା ତେବେ ମୁଁ ଏଯାକେ ବଞ୍ଚି ରହିଥା’ନ୍ତି କି ନା ସନ୍ଦେହ । ଆମ ଅଭିଧାନରେ ଅର୍ଥ ଶବ୍ଦର ଦୁଇଟି ଅର୍ଥ ଅଛି, ଯାହାକି ପରସ୍ପର ବିରୋଧୀ । ଯେଉଁ ଅର୍ଥ ଯୋଗୁଁ ସାହିତ୍ୟ ସମାଜରେ ଆଦରଣୀୟ ବସ୍ତୁ, ସେହି ସୂକ୍ଷ୍ମ ଅବାସ୍ତବ ପଦାର୍ଥଟି କେବଳ ସାହିତ୍ୟିକ ପାଏ । କିନ୍ତୁ ଯେଉଁ ଅର୍ଥରେ ମନୁଷ୍ୟ ସୁଖ ସ୍ଵାଚ୍ଛନ୍ଦ୍ୟରେ କୋଠା ଉପରେ ଚକା ପକେଇ ବସେ, ତାହା ପାଏ ସାହିତ୍ୟ ବ୍ୟବସାୟୀ ।

 

ଏ ତ ଗଲା ଅର୍ଥ ଜୀବିକା ପାଇଁ ମୋର ସାହିତ୍ୟସେବା, ତେବେ ମୁଁ ନିରାସକ୍ତ ସନ୍ନ୍ୟାସୀ ନୁହେଁ । ବହିରୁ ଯଦୃଚ୍ଛା କ୍ରମେ ଯେଉଁ ଦି’ପଇସା ଆସିଥାଏ, ବେଳେବେଳେ ତାକୁ ଯେ ମୁଁ ଅନାଇଁ ରହିଥାଏ, ଏହା କହିବାରେ ଲଜ୍ଜା କିଛି ନାହିଁ । ଅର୍ଥ ପ୍ରତି ସେ ଲୋଲୁପତା ନ ଥିଲେ ଅଲ ଇଣ୍ଡିଆ ରେଡ଼ିଓର ନିମନ୍ତ୍ରଣ ରକ୍ଷା କରି ମୁଁ ମୋର ନିଜର ଆତ୍ମା ଉପରେ ଅସ୍ତ୍ର ପ୍ରୟୋଗ କରୁନଥା’ନ୍ତି, ଯାହାକି ବର୍ତ୍ତମାନ କରୁଛି ।

 

ଯାହା ଯୌନକ୍ଷୁଧା, ମାନବ ସମାଜରେ ତାହା ପ୍ରେମ । ଯାହା ଇତର ପ୍ରାଣୀଙ୍କ ନିକଟରେ କେବଳ ପ୍ରଜନନର ଉପାୟ ମାତ୍ର, ମନୁଷ୍ୟ ନିକଟରେ ତାହାହି ହେଉଛି ସଙ୍ଗୀତ, ସାହିତ୍ୟ, କଳା, ଶିଳ୍ପ ନୃତ୍ୟର ଜନନୀ । ଯୌବନର ପ୍ରାତଃ କାଳରେ ନାରୀ ପୁରୁଷ ଭିତରେ ଯେଉଁ ହୃଦୟମନ୍ଥନ ସୃଷ୍ଟି କରେ, ସେଇଥିରୁ ଆବିର୍ଭୂତ ହୁଏ ପ୍ରାଣସ୍ପର୍ଶୀ କବିତା, ଅନୁପମ ଚିତ୍ର ସମ୍ପଦ, ଅମୂଲ୍ୟ ଶିଳ୍ପ । ଜୀବନର ପ୍ରଥମ ପାଦରେ ମୋ ଭିତରେ ଅନଭିଜ୍ଞ ସରଳ କବି ବିଚାରୀର ହୃଦୟ ଏହିପରି ଭାବରେ ବାରମ୍ୱାର ଅଭିଭୂତ ହୋଇଛି ଏବଂ ସେହି ତୀବ୍ର ଅନୁଭୂତିର ତାଡ଼ନାରେ ତା’ଠାରୁ ଯେ କିଛି କାବ୍ୟ କବିତା ହେଉଛି, ଏହା ଏ ଦେଶରେ ପାଠକମାନଙ୍କ ନିକଟରେ ବୋଧହୁଏ ଜଣାଶୁଣା କଥା । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନାରୀ ବା ପୁରୁଷ ଯେ ମୋର ସାହିତ୍ୟିକ ଜୀବନର ମୂଳ ଉତ୍ସ ଏକଥା ସ୍ଵୀକାର କରିବାର କୌଣସି କାରଣ ମୁଁ ଦେଖୁନାହିଁ । ଜୀବନ-ପଥର ବହୁ ଅଭିଜ୍ଞତା ଭିତରେ ସେମାନଙ୍କ ସହିତ ଦେଖାଦେଖି ଓ ଚିହ୍ନାଚିହ୍ନି । ସେହି ସ୍ଥାନ ଓ ସେହି କାଳର ସେହି ଅବସ୍ଥାରେ ଅନ୍ୟ କେହି ଆସିଥିଲେ ମଧ୍ୟ ହୁଏତ ସେହି ଆତ୍ମିକ ଆଲୋଡ଼ନ ଘଟିଥା’ନ୍ତା । ଗୋଲାପ ଓ ପଦ୍ମ ତୋଳିବାକୁ ଗଲେ ରୂପ ଓ ସୌରଭ ଭୋଟ ସଙ୍ଗେ କିଛି ପଙ୍କ ଲେପନ ଓ କଣ୍ଟକାଘାତ ଯେପରି ସହିବାର ହିଁ କଥା, ମୋ ଭାଗ୍ୟରେ ତାହାହିଁ ଘଟିଥିବାରୁ ଜଗତର ପ୍ରତ୍ୟେକ ଜିନିଷକୁ ଆଲୋକ ଅନ୍ଧକାରର ମିଶ୍ରଣ ବୋଲି ଦେଖିବାକୁ ଶିଖିଛି । କବିର ମଧ୍ୟ ଜ୍ଞାନଦାନ୍ତ ଦିନେ ଉଠେ ।

 

ବାକି ରହିଲା ଆତ୍ମପ୍ରତିଷ୍ଠା । ମୋର ମନେ ହେଉଛି ଏଇ ପ୍ରବୃତ୍ତି ହୁଏତ ମୋର ସାହିତ୍ୟିକ ଜୀବନର ପ୍ରଚ୍ଛନ୍ନ ପ୍ରେରଣା । ମୁଁ ଯେ ସବୁମନ୍ତେ କେଡ଼େ ଅପଦାର୍ଥ/ତାହା ସହଜରେ ଅନ୍ୟ ଜଣକୁ ବୁଝେଇ ହେବନି । ଯେତେବେଳେ ଏକାକୀ ବସି ଆତ୍ମସ୍ଥ ହୁଏ, ମୋ ଚିତ୍ତରେ ପ୍ରଧାନତମ ଆତ୍ମ ପ୍ରଶ୍ନ ହେଉଛି, ‘‘ବିଧାତା, ତୁମେ ମତେ ଜନ୍ମ ଦେଇଥିଲ କାହିଁକି ? ମୁଁ କେଉଁ କାମକୁ ଉପଯୁକ୍ତ ? ଏପରି ଏକ ଅବାନ୍ତର ଅକର୍ମଣ୍ୟ ଜୀବ ସଂସାରକୁ ପଠେଇବାକୁ କି ଦରକାର ଥିଲା ।’’ ଅକର୍ମଣ୍ୟତାର ଅସହ୍ୟ ଅଭିଶାପରୁ ନିଜକୁ ବଞ୍ଚେଇ ରଖିବା ପାଇଁ ନିଜର ଏଇ ପାର୍ଥିବ ଜୀବନଟାର ଯଥାର୍ଥତା ଅନ୍ତତଃ ଦଶ ଜଣଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ମୁଁ ହୁଏତ ସାହିତ୍ୟର ଆଶ୍ରୟ ନେଇଛି ।

 

କିନ୍ତୁ ଜୀବନର ଅନ୍ୟ ସମସ୍ତ ବିଭାଗରେ ସଂଜ୍ଞାଚେଷ୍ଟା, ଶ୍ରୀବୃଦ୍ଧିର ପ୍ରଥମ ଆବଶ୍ୟକତା ଥିଲାବେଳେ କବି ଜୀବନରେ ତାହା ମାରତ୍ମକ ବୋଲି ମୋର ମତ । ଚେଷ୍ଟା କରି ଉତ୍କୃଷ୍ଟ କବିତା ସୃଷ୍ଟି କରିବା, ଘାସରୁ ଅତର ବାହାର କରିବା ପରି ଅସମ୍ଭବ । ତେଣୁ ମୋର ସାହିତ୍ୟସେବା ଯଦୃଚ୍ଛା ଲାଭ ସନ୍ତୁଷ୍ଟ । ଏହାର କୌଣସି ଲକ୍ଷ୍ୟ ନାହିଁ, ଏଇଥିପାଇଁ କୌଣସି ସାଧନା ମୁଁ କରିନାହିଁ । ଏକମାତ୍ର କୃଚ୍ଛ ଭୋଗ ଏହି ଯେ ଯେତେବେଳେ କୌଣସି କବିତା ବା କାବ୍ୟ ବା ରଚନା ଆରମ୍ଭ ହୋଇପଡ଼େ, ତା ସାରିବା ପାଇଁ ମତେ ଅନକେ ବେଳେ ମଧ୍ୟ ରାତ୍ରିର ତୈଳ ଜାଳିବାକୁ ପଡ଼େ, ଯାହାକି ମୁଁ ଛାତ୍ର ଜୀବନରେ କୌଣସି ହେଲେ ପରୀକ୍ଷାରେ କେବେହେଲେ କରିନାହିଁ । ଆରମ୍ଭ କରି ନ ସାରିଲା ଯାଏ ମନରେ ଶାନ୍ତି ନ ଥାଏ ।

 

ଜୀବନର ଯାହା ମହତ୍, ଯାହା ସୁନ୍ଦର, ଯାହା ସତ୍ୟ ମୁଁ କେବଳ ତାହାର ଉପାସକ ଓ ଭକ୍ତ । କୌଣସି ଗୋଷ୍ଠୀ ଦଳ ବା ଭଜନର ପ୍ରଚାରକ ରୂପେ ଠିଆ ହେବା ମୋର ସ୍ଵଭାବବିରୁଦ୍ଧ । ମୁଁ ମୋର ‘କମଳାୟନ’ କାବ୍ୟରେ ଏହାହିଁ ଦେଖାଇବାକୁ ଯାଇଛି ଯେ ଦଳ ଓ ଦେଶ ଅପେକ୍ଷା ବ୍ୟକ୍ତି ଓ ମାନବ ବଡ଼ । ସେଥିପାଇଁ କମଳ ତାର ରାଜନୈତିକ ଦଳ ଛାଡ଼ି ବିରାଟ ମାନବ ଜାତିର ସେବାରେ ବାହାରି ପଡ଼ିଛି । କୌଣସି ସ୍ଳୋଗାନ ମନୁଷ୍ୟର କଲ୍ୟାଣ ଆଣି ପାରିବ ନାହିଁ । ଯେପରି ଆଣିବ ବ୍ୟକ୍ତିର ଚାରିତ୍ରିକ ଶୁଦ୍ଧତା, ନିଃସ୍ୱାର୍ଥପରତା, ସତ୍ୟପ୍ରତି ବିଶୁଦ୍ଧ ଅନୁରାଗ । କବି ଓ ସାହିତ୍ୟିକର ସମାଜ ଓ ବ୍ୟକ୍ତିଗତ ଜୀବନରେ ନିଃସ୍ଵାର୍ଥ ବିଶୁଦ୍ଧତା ପ୍ରଚାର କରିବା ଏକାନ୍ତ କର୍ତ୍ତବ୍ୟ । ଯେ ପର୍ଯ୍ୟନ୍ତ ମୁଁ ସ୍ୱାର୍ଥର ଉପରକୁ ସାମାଜିକ ଓ ବ୍ୟକ୍ତିଗତ ଜୀବନର ନାନା କ୍ଷୁଦ୍ର ଲାଳସୀର ଉପରକୁ ଉଠି ପାରିନାହିଁ, ସେ ପର୍ଯ୍ୟନ୍ତ କୌଣସି ସ୍ଳୋଗାନ ଗାଇ କୌଣସି ‘ଇଜିମ୍‌’ର ପଣ୍ଡା ହୋଇ ଜନସାଧାରଣଙ୍କୁ ମତାଇବା ଏକାନ୍ତ ଗର୍ହିତ ବୋଲି ମୋର ମତ । ବ୍ୟକ୍ତିର ସମାଜକୁ ପ୍ରଧାନତମ ଦାନ ହେଉଛି ତାର ଅକଳୁଷ ଚରିତ୍ର, ଅନିନ୍ଦ୍ୟ ସାଧୁତା ଓ ସ୍ଵାର୍ଥଲେଶହୀନ ଉପଚିକିର୍ଷା । ଯେତେ ଇଜିମ୍‌, ଯେତେ ସ୍ଳୋଗାନ, ତାହାସବୁ ଏ ପ୍ରକାର ଶୁଭ୍ର ନିଷ୍କଳଙ୍କ ବ୍ୟକ୍ତିତ୍ଵର ପଛକୁ । ତେଣୁ ହିଁ ମୁଁ ଗାନ୍ଧି, ଗୋପବନ୍ଧୁଙ୍କର ସ୍ତାବକ । ମୁଁ ସେମାନଙ୍କ ଦଳର ନୁହେଁ ବା ସେମାନଙ୍କର କର୍ମ ବା ଚିନ୍ତାର ଧାରା ସମ୍ବନ୍ଧରେ ମୋର କୌଣସି ମତାନ୍ଧତା ନାହିଁ । ଦରକାର ବେଳେ ସେମାନଙ୍କର କର୍ମ ଚିନ୍ତାଧାରାର ସମାଲୋଚନା କରିଛି ଓ କରିପାରେ, କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ନିକଟରେ ମୁଁ ନତମସ୍ତକ । କାରଣ ସେହି ବ୍ୟକ୍ତିର ଭିତରେ ହିଁ ମୁଁ ସତ୍ୟ ଶିବ ସୁନ୍ଦରର ବିକଚ ବିକାଶ ଦେଖିବାକୁ ପାଏ ।

 

ମୁଁ କାହିଁକି ଲେଖେ, ମୁଁ ତାହାର ସ୍ପଷ୍ଟ ଉତ୍ତର ଦେଇ ପାରିଲି ନାହିଁ । ପାରିବି ମଧ୍ୟ ନାହିଁ । କିନ୍ତୁ ମୁଁ ଅତୀତକୁ ଚାହିଁ ଅନୁଭବ କରୁଛି ଯେ, ଏ ପ୍ରଶ୍ନ ମୋର ମୂଳରୁ ନିଜକୁ ପଚାରିବାର ଥିଲା । ୟୁରୋପରେ ବିବର୍ତ୍ତନବାଦ କେବଳ ବାହ୍ୟ ପ୍ରକୃତିରେ ଘଟେ ବୋଲି ପ୍ରଚାରିତ ହୋଇ ଆସିଛି । ଭାରତ କିନ୍ତୁ ତାର ଧର୍ମ ଦେଇ ବିବର୍ତ୍ତନବାଦକୁ ମନୁଷ୍ୟର ଆତ୍ମିକ ବିକାଶରେ ନିୟୋଜିତ କରିଛି । ବେଦାନ୍ତର କର୍ମ, ଜ୍ଞାନ ଓ ଭକ୍ତିଯୋଗ କେବଳ ସଂଜ୍ଞା ବିବର୍ତ୍ତନବାଦ ଛଡ଼ା ଅନ୍ୟ କିଛି ନୁହେଁ । ଅର୍ଥାତ୍‌ ଏଥିରୁ ଯେ କୌଣସି ଗୋଟିକର ଆଶ୍ରୟ ନେଲେ ମନୁଷ୍ୟ ଅନ୍ଧକାରରୁ ଆଲୋକକୁ, ସ୍ଥୂଳରୁ ସୂକ୍ଷ୍ମକୁ, ମୃତ୍ୟୁରୁ ଅମୃତକୁ ପଶୁରୁ ଦେବତ୍ୱକୁ ଉନ୍ନୀତ ହେବ । ଭାରତୀୟ ଧର୍ମର ନିର୍ଦ୍ଦେଶ ଏହି ଯେ ରାଜାଠାରୁ ପାରିଆ ପର୍ଯ୍ୟନ୍ତ ପ୍ରତ୍ୟେକ ନିଜେ ନିଜର ସାମାଜିକ କର୍ତ୍ତବ୍ୟ ମଧ୍ୟ ଦେଇ ହିଁ ବିବର୍ତ୍ତନର ହେବାର ପୂର୍ଣ୍ଣ ସୁଯୋଗ ଅଛି । ମୁଁ ମନେକରେ କବି ଓ ଲେଖକ ପକ୍ଷରେ ସାହିତ୍ୟ ଓ କବିତା ଏହି ଆତ୍ମ ଉନ୍ନୟନ ଏକ ପରମ ଉପାୟ । କବିତାର ସୃଷ୍ଟିକୁ ନିଜକୁ ଓ ତାର ଜାତିକୁ ବିବର୍ତ୍ତନର ବାହନ ରୂପେ ବ୍ୟବହାର କରିପାରେ ଓ କରିବା ଉଚିତ । ସାହିତ୍ୟ କେବଳ ଜୀବିକାର, ଚାଟୂକ୍ତିର ବା ଶସ୍ତା ନାମର ଉପାୟ ରୂପେ ବ୍ୟବହୃତ ହେବା, ରେଶମର ରଶିକୁ ମଇଁଷି ବେକରେ ପଘା ରୂପେ ବ୍ୟବହାର କରିବାଠାରୁ ମଧ୍ୟ ନୀଚ୍ଚତର କର୍ମ । ମୋ ନିକଟରେ ସାହିତ୍ୟର ଏହି ଆଦର୍ଶ କିନ୍ତୁ ନିକଟ ଅତୀତରେ ହିଁ ଧୀରେ ଧୀରେ ପ୍ରତିଭାତ ହୋଇଛି । ମୁଁ ନିଜେ ଏଯାବତ୍‌ ମଧୁର ବ୍ୟକ୍ତିର ମନୁଷ୍ୟ ହୃଦୟର ଆଲୋଡ଼ନ, ସତ୍ୟର ମହିମା ଏବଂ ପ୍ରକୃତି ଓ ମନୁଷ୍ୟର ରୂପେ ଯେତେବେଳେ ଯେପରି ଭାବରେ ମୋତେ ପ୍ରଭାବିତ କରିଛନ୍ତି, ମୁଁ ସେହିପରି ଲେଖି ଆସିଛି । ସେହି ଆକସ୍ମିକ ପ୍ରେରଣାରେ ହିଁ ‘‘ମୁଁ କାହିଁକି ଲେଖେ’’ ର ଉତ୍ତର । ମୋ ରଚନାରେ ମୋ ଆଦର୍ଶ କେତେଦୂର ପ୍ରତିଫଳିତ, ତାହା ପାଠକମାନଙ୍କର କହିବାର କଥା ।

 

***

 

ଅପରାହ୍ନର ଛାଇ

ବିଜୟ ମିଶ୍ର

 

ସମୟ ଅପରାହ୍ନ । ନିଜର ଛାଇ ବେଶ୍‌ ଲମ୍ବା ହେଇଗଲାଣି । ଏତେବେଳେ ପଛକୁ ଫେରି ଅନେଇବାର ସମୟ ଆସିଲାଣି କି ନାଁ, ସେକଥା କହି ହବନି । ସ୍ଵଗର୍ତଃ ବନ୍ଧୁ ଅକ୍ଷୟ ମହାନ୍ତିଙ୍କ ଭାଷାରେ : ସ୍ମୃତି ତୁମେ ମୋର ଅତି ପ୍ରିୟତମ ‘ଆହା’ ।

 

ସ୍ମୃତି !

 

କେତେ ବା ବୟସ ହୋଇଥିଲା ମୋର ? ଦଶ ପୁରି ଏଗାର ଚାଲୁଥିଲା ଆଉ ହଠାତ୍‌ ଅଗଷ୍ଟ ପନ୍ଦର ୧୯୪୭ ଆସିଗଲା । ସ୍ୱାଧୀନତା ଦିବସ ହଠାତ୍‌ । ସାହିତ୍ୟ, ସଂସ୍କୃତି, ସଙ୍ଗୀତ, କିଛି ବୁଝିବାର ବୟସ ହୋଇ ନଥିଲା । କିନ୍ତୁ ଆମ ଗାଁ ଯାତ୍ରା ଦଳର ଆସର ଆମ ଘରେ ବସୁଥିଲା ସେତେବେଳେ । ସନ୍ଧ୍ୟା ହେଲେ ହାର୍ମୋନିୟମ, ଡୁବି ତବଲା, ଢୋଲକି ମାଡ଼ ଆଉ କିଛି କିଶୋର ବୟସର ପିଲାଙ୍କ ଭଙ୍ଗା ସ୍ଵରରେ ଗୀତ, ଓସ୍ତାଦର ହୁଙ୍କାର ଏ ସବୁ ସନ୍ଧ୍ୟାକୁ ମୁଖରିତ କରୁଥିଲା ରାତି ପର୍ଯ୍ୟନ୍ତ । ସେଇ ମୋର ଭବିଷ୍ୟତ ନାଟ୍ୟକାର ଖସଡ଼ା ପ୍ରସ୍ତୁତ କରୁଥିଲା ହୁଏତ ।

 

ସ୍ମୃତି !

 

ସ୍ଵାଧୀନତା ପରବର୍ତ୍ତୀ ଜୀବନ ତା’ର ପୂର୍ବବର୍ତ୍ତୀ ଜୀବନ ଅପେକ୍ଷା କୋଉ ଭାବରେ ନିଆରା, ସେ କଥା ମୁଁ କହି ପାରିବିନି । କାରଣ ସେ’ ତ ଥିଲା ମୋଟ ଏଗାରବର୍ଷ ସମୟ, ବାଲ୍ୟ ଆଉ କୈଶୋରର ସନ୍ଧିକ୍ଷଣ . ସେତେବେଳେ କ’ଣ ବୁଝାପଡ଼େ ସ୍ଵାଧୀନତାର ମୁଲ୍ୟ କେତେ, ମାନେ କ’ଣ ? କିନ୍ତୁ କିଛି ନାଟକୀୟତା ତ ଥିଲା ସେଥିରେ । କେହି ନ କହିଲେ ବି, କେମିତି ଗୋଟାଏ ଦାୟିତ୍ୱବୋଧ ଆସିଯାଉଥିଲା ଆପଣାଛାଏଁ । ତା’ପର ବର୍ଷମାନଙ୍କରେ କିଛି ବି ଘଟଣା ନାହିଁ । କେବଳ ପାଠ ପଢ଼ିବା, ପାଶ୍‌କରିବା, ସ୍କୁଲ କଲେଜ ଆଉ କଟକର ଇଂଜିନିୟରିଂ ସ୍କୁଲ ।

 

ସ୍ମୃତି !

 

ଇଂଜିନିୟରିଂ ସ୍କୁଲ ।

 

ମାନସିକ ସ୍ତରରେ କିଛି ବିସ୍ଫୋରଣ ।

 

ସାମାଜିକ ପ୍ରତିବଦ୍ଧତା, ନିଜକୁ ପ୍ରକାଶ କରିବା ପାଇଁ ଏକ ପ୍ରକାର ଅଦମ୍ୟ ବ୍ୟାକୁଳତା, କିଛି ଗୋଟାଏ କରିବା ପାଇଁ ବାଧ୍ୟ କରୁଥଲା ସେତେବେଳେ ।

 

କବିତା ?

 

ସମ୍ଭବ ହେଲାନି ।

 

ଉପନ୍ୟାସ, କ୍ଷୁଦ୍ରଗଳ୍ପ ?

 

ସେ’ ବି ସମ୍ଭବ ହେଲାନି ।

 

ଯାହା ବି ଲେଖିଲି, ସେ ଆଉ ଯାହାହଉ, କବିତା, ଉପନ୍ୟାସ କି କ୍ଷୁଦ୍ରଗଳ୍ପ ନୁହେଁ । ଏପାଖେ ସ୍ଵାଧୀନତା ପରେ ପରେ, ସାମାଜିକ ରାଜନୈତିକ ପରିବର୍ତ୍ତନ । ଇତିହାସ କଡ଼ ଲେଉଟଉଚି । ପ୍ରତ୍ୟେକ ମଣିଷ ଭିତରେ ଏକ ନୂଆ ମୂଲ୍ୟବୋଧ । କେମିତି ଦୂରେଇ ପାରନ୍ତା ଜଣେ ସଚେତନ ଯୁବକ, ଯାହା ଭିତରେ ନିଜକୁ ପ୍ରକାଶ କରିବାରେ ବ୍ୟାକୁଳତା ।

 

ହଠାତ୍‌ ଆସିଲା ଉଣେଇଶି ଶହ ଷାଠିଏ । ଯେମିତି ହଠାତ୍‌ ଆସିଥିଲା ସ୍ଵାଧୀନତା । ରାଜନୈତିକ ମୁକ୍ତି ଥିଲା ସ୍ଵାଧୀନତା । କିନ୍ତୁ ଊଣେଇଶି ଶହ ଷାଠିଏ ଯେମିତି ମୁକ୍ତି ଆଣିଦେଲା ଚବିଶ ବର୍ଷ ବୟସର ସେଇ ଯୁବକଟିକୁ ଯାହା ନାଁ ବିଜୟ ମିଶ୍ର, ଯିଏ ହଠାତ୍‌ ବିଜୟ ମିଶ୍ର ହେଇଗଲା ରାତାରାତି । କଟକ ଅନପୂର୍ଣ୍ଣା ‘ବି’ ଗ୍ରୁପ୍‌ର ‘ଜନନୀ’ ନାଟକ ମୁକ୍ତିଲାଭ କଲା । ନିର୍ଦ୍ଦେଶନା, କିମ୍ବଦନ୍ତୀ ନାୟକ ସ୍ୱର୍ଗତଃ ସାମୁଏଲ୍‌ ସାହୁ, (ବାବି) । କିନ୍ତୁ ମନ ଭିତରେ ସେଇ ଅଶାନ୍ତି । ଆଉ କିଛି ଅନ୍ୟ କିଛି କରିବାର ଇଚ୍ଛା । ନାଟକ ଭିତରେ ନିଜର ମୁକ୍ତି ଖୋଜିବାର ଚେଷ୍ଟା-। ଏପାଖରେ, ସ୍ଵାଧୀନତା ପରବର୍ତ୍ତୀ ସମାଜରେ ପରିବର୍ତ୍ତନର ଧାରା । ‘ଜନନୀ’ ତ ଥିଲା ନିହାତି ପାରିବାରିକ ଚିରାଚରିତ ନାଟକର ଛବି । କୌଣସି Commitment ନ ଥିଲା ସେଥିରେ । ଏଇ ଖୋଜିବା ନୂଆ କିଛି କରିବାର ଇଚ୍ଛାରୁ ରୂପ ନେଲା ‘ଅଶାନ୍ତ ଗ୍ରହ’ । ଅଶାନ୍ତ ଗ୍ରହ ଅନେକ ଦିନ ଚାଲିଲା ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ରେ । ପ୍ରଥମଥର ପାଇଁ ପେଷାଦାର ରଙ୍ଗମଞ୍ଚର ପ୍ରତିନାୟକ (Anti hero)ର ଆବିର୍ଭାବ ହେଲା । ନାଚ ଗୀତ ନଥିବା ନାଟକ ପେଶାଦାର ରଙ୍ଗମଞ୍ଚରେ ସଫଳ ହେଲା ଏବଂ ବୋଧହୁଏ ପେଶାଦାର ରଙ୍ଗମଞ୍ଚରେ ଏ ଭିନ୍ନ ନାଟକର ପ୍ରଥମ ପରୀକ୍ଷା । ରାତାରାତି ନାଟ୍ୟକାର ବିଜୟ ମିଶ୍ର ବିଶିଷ୍ଟ ନାଟ୍ୟକାର ବନିଗଲେ । ତା’ପରେ ତିମିର ତୀର୍ଥ, ପ୍ରତୀକ୍ଷା, ଯାଯାବର, ଏଠିସେଠି ସବୁଠି, ସାଗରତୀରେ । ପଛକୁ ଫେରି ଚାହିଁବାର ଅବସର ନ ଥିଲା । କିନ୍ତୁ ଏଇସବୁ ନାଟକରେ ଚରିତ୍ରମାନଙ୍କର ପରୀକ୍ଷା ନିରୀକ୍ଷା ଥିଲା ସିନା କିନ୍ତୁ ସମାଜର ଛବି କାହିଁ ? ମେହନତ ମଣିଷ, ଜୀବନ ଯୁଦ୍ଧରେ ଲାଗି ରହିଥିବା ମଣିଷ, ଫାଇଦା ଉଠଉଥିବା ସ୍ୱାର୍ଥପର ମଣିଷ, ଏମାନଙ୍କର ଛବି ନଥିଲା ସେ ନାଟକମାନଙ୍କରେ । ସ୍ୱାଧୀନତା ପରବର୍ତ୍ତୀ ସମାଜର ରୂପରେଖ ବି କାହିଁ ? ଅନପୂର୍ଣ୍ଣା ‘ଏ’ ଗ୍ରୁପ୍‌ ପୁରୀରେ ଆରମ୍ଭ ହେଲା ‘ଅସତ୍ୟ ସହର’ । ବୋଧହୁଏ ସ୍ଵାଧୀନତା ପରର ନାଟ୍ୟକାର ବିଜୟ ମିଶ୍ର କିଛି ନୂଆ ଧରଣର କରିପାରିବାର ପ୍ରେରଣା ପାଇଲା ।

 

ସ୍ମୃତି !

୧୯୬୮ ।

ଶବବାହକମାନେ ।

 

ସାରା ଭାରତରେ, ବିଭିନ୍ନ ଭାଷାରେ ପରୀକ୍ଷା ନିରୀକ୍ଷାର ସୁଅ ଛୁଟୁଥିଲା । ପ୍ରାୟେ ଷାଠିଏ ଦଶକରୁ ଆରମ୍ଭ ହୋଇଯାଇଥିଲା ଏମିତି ପରୀକ୍ଷା ନିରୀକ୍ଷା ନାଟକରେ, କବିତାରେ, କ୍ଷୁଦ୍ରଗଳ୍ପ ଆଉ ଉପନ୍ୟାସରେ । ବିଜୟ ତେନ୍ଦୁଲ୍‌କର, ଗିରିଶ କର୍ଣ୍ଣଡ୍‌, ବାଦଲ ସରକାର), ଓଡ଼ଶାରେ ମନୋରଞ୍ଜନ ଦାସ, ବିଶ୍ୱଜିତ୍‌ଦାସଙ୍କ ନାଟକମାନଙ୍କରେ ଏଇ ପରୀକ୍ଷା ନିରୀକ୍ଷାର ସ୍ୱର-। ଶବବାହକମାନେ ପ୍ରକାଶ ପାଇଲା । ଆଉ ସାଙ୍ଗେ ସାଙ୍ଗେ ପ୍ରତିବାଦ ଆଉ ପ୍ରଶଂସାର କୋଳାହଳ । ‘ଶିବବାହକମାନେ’ ନାଟକର ଏକ ନୂଆ ଧାରା ଆରମ୍ଭ କଲା ବୋଲି ସମାଲୋଚକମାନଙ୍କ ମତ ।

 

ତା’ପରେ ପରେ ଚନ୍ଦ୍ରଚୋରୀ, ଦୁଇଟି ସୂର୍ଯ୍ୟ ଦଗ୍‌ଧ ଫୁଲକୁ ନେଇ, ଯାଦୁକର, ତଟ ନିରଞ୍ଜନା, ଜଣେ ରାଜା ଥିଲେ ନାଟକ ସବୁରେ ପ୍ରଚଳିତ ଧାରା ଆଉ ନିୟମକୁ ଭାଙ୍ଗି କିଛି କରିବାର ପ୍ରୟାସ । ଅପରାହ୍ନର ଛାଇ । ଆସ୍ତେ ଆସ୍ତେ ଲମ୍ବା ହୋଇଯାଉଚି ଛାଇଟା । ସମୟ ଆସିବ, ଛାଇର ମଣିଷ ଆଉ ମଣିଷର ଛାଇ ଏକାକାର ହେଇଯିବ । ଅନ୍ଧାରରେ ହଜିଯିବ ।

 

ସ୍ମୃତିକୁ ରୋମନ୍ଥନ କରୁଥିବା ମଣିଷ ନିଜେ ସ୍ମୃତି ପାଲଟି ଯିବ ।

 

***

 

ସାମ୍ପ୍ରତିକ ଗୀତିକବିତା : ଏକ ବିହଙ୍ଗମ ଦୃଷ୍ଟି

ଅଧ୍ୟାପକ ପଠାଣି ପଟ୍ଟନାୟକ

 

ସଂସାରରେ ଚଳପ୍ରଚଳ ହେଉଥିବା ସାମାଜିକ ମଣିଷର ମୁଖ୍ୟତଃ ତିନିଗୋଟି ଅଭିଳାଷ ଥାଏ । ତାହା ହେଲା ସନ୍ତାନ, ବିତ୍ତ ଓ ଯଶଃ । ସାଧାରଣ ମଣିଷ ସୁଖରେ ଚଳିବା ପାଇଁ ବିତ୍ତକାମନା କରିବା ସ୍ଵାଭାବିକ । କାରଣ ଧନସମ୍ପତ୍ତି ବ୍ୟତିରେକେ ଜୀବନ ଏଠାରେ ଦୁର୍ବିସହ ହୋଇ ଉଠିବ । ବିତ୍ତ ଆହରଣ ସିନା ସୁଖ ଆନୟନ କରିପାରିବ, କିନ୍ତୁ ଜୀବନରେ ଶାନ୍ତି ପ୍ରଦାନ କରି ପାରିବ ନାହିଁ । ସେ ପୁତ୍ର ସନ୍ତାନ କାମନା କରିଥାଏ ସାମାଜିକ ପରମ୍ପରାର ସ୍ଵୀକୃତି ପାଇଁ । ପୁତ୍ରର ଉପସ୍ଥିତି ମଧ୍ୟରେ ବଞ୍ଚି ରହିବାର ସ୍ମୃତି ଜାଗ୍ରତ ହୋଇଉଠେ । ସମାଜ ଜୀବନରେ ଯେଉଁମାନେ ଅସାଧାରଣ ବ୍ୟକ୍ତି ହେବା ପାଇଁ ସ୍ଵପ୍ନ ଦେଖନ୍ତି, ସେମାନେ ହୋଇଥାଆନ୍ତି ଯଶଃ ଓ କୀର୍ତ୍ତିର ପ୍ରୟାସୀ ।

 

ବିତ୍ତଶାଳୀ ଲୋକର ଚରମ ଅପୂର୍ଣ୍ଣତା, ଯଦି ସେ ଯଶଃ ରୂପକ ଐଶ୍ଵର୍ଯ୍ୟର ଅଧିକାରୀ ହୋଇ ପାରିଲା ନାହିଁ । ସେଥିପାଇଁ ସେମାନେ ଅକୁଣ୍ଠ ଚିତ୍ତରେ ଅର୍ଥ ବ୍ୟୟ କରି କିଛି ଯଶଃ ଅର୍ଜନ କରିବା ପାଇଁ ଚେଷ୍ଟିତ ଥାଆନ୍ତି । କିନ୍ତୁ ଏହି ପ୍ରଚେଷ୍ଟାରେ ଅର୍ଜିତ ଯଶଃ ଚିରସ୍ଥାୟୀ ହୁଏ ନାହିଁ । ଏହାର ପ୍ରଭାବ କେବଳ ସୀମିତକାଳ ପାଇଁ । କିନ୍ତୁ କଳା, ସାହିତ୍ୟ ସଙ୍ଗୀତ ସାଧନା କ୍ଷେତ୍ରରେ ଅର୍ଜିତ ଯଶଃ ବହୁକାଳ ସ୍ଥାୟୀ ହୁଏ । ସମାଜ ସେମାନଙ୍କୁ ବହୁ ଭାବରେ ମାନ୍ୟତା ପ୍ରଦାନ କରିଥାଏ-। ଅଳଙ୍କାରିକ ମର୍ମଟ ଭଟ୍ଟ କହିଅଛନ୍ତି - ‘‘କାବ୍ୟ ସାଧନା କରି ମନୁଷ୍ୟ ବିମଳ ଯଶଃର ଅଧିକାରୀ ହୋଇଥାଏ ।’’

 

କବି ଓ ଲେଖକମାନେ ଅର୍ଥ ପାଇଁ ବିମୁଖ ହେବାର କୌଣସି କାରଣ ନାହିଁ । ମାତ୍ର ପ୍ରକୃତ ଯଶଃ ପ୍ରାପ୍ତି ବ୍ୟତିରେକେ ପ୍ରଚୁର ଅର୍ଥଲାଭ ପାଇଁ ସେମାନଙ୍କୁ ତୃପ୍ତି ପ୍ରଦାନ କରିପାରେ ନାହିଁ-। ଏପରି ଅବତରଣିକାର ଏକମାତ୍ର ଉଦ୍ଦେଶ୍ୟ ହେଲା ସାମ୍ପ୍ରତିକ କାଳର ଗୀତିକବିତା ଓ ଗୀତିକାରମାନଙ୍କର ମନୋଭାବକୁ ଅଧ୍ୟୟନ କରିବା ।
 

ପ୍ରଚୁର କବିତା ଲେଖି ଜଣେ ଲେଖକ ପଦବାଚ୍ୟ ହୋଇପାରେ, ମାତ୍ର କବିର ଗୌରବ ସହଜରେ ପ୍ରାପ୍ୟ ହୁଏ ନାହିଁ । ସେହିପରି ଅନେକ ଗୀତି କବିତା ଲେଖି ଓ ମିଡିଆ ମାଧ୍ୟମରେ ପ୍ରଚାର କରି ଜଣେ ଗୀତିକାର ହୋଇପାରନ୍ତି, ମାତ୍ର ଗୀତିକବିର ସିଦ୍ଧି ଅତ୍ୟନ୍ତ ଆୟାସସାଧ୍ୟ । ମନେହୁଏ, ସାମ୍ପ୍ରତିକ କାଳର ଅନେକ ଗୀତିକାର ଏହି ପ୍ରକାର ବ୍ୟର୍ଥତା ଅଥବା ଅସନ୍ତୋଷର ଶିକାର ହେବା ଅନୁଭୂତ ହୋଇଥାଏ ।

 

ସ୍ଵାଧୀନତା ପରବର୍ତ୍ତୀ କାଳରେ ଆକାଶବାଣୀ, ଦୂରଦର୍ଶନ ଏବଂ ସାଂସ୍କୃତିକ ସମାରୋହ ଯୋଗୁ ଆଧୁନିକ ଗୀତିକବିତାର ପ୍ରଚାର ଓ ପ୍ରସାର ବହୁଳ ଭାବରେ ସମ୍ଭବ ହୋଇଅଛି । ଏ କଥା ସ୍ଵୀକାର କରିବାକୁ ହେବ ଯେ, ଅଧିକାଂଶ ପ୍ରଚାରିତ ଗୀତିକବିତା ଯନ୍ତ୍ରବାଦ୍ୟର ସଂଯୋଗ ହେତୁ ଶ୍ରୋତାମାନଙ୍କ ହୃଦୟରେ ସାମୟିକ ମଧୁର କମ୍ପନ ସୃଷ୍ଟି କରିବାରେ ସୀମିତ ରହି ଯାଇଛି । ଶ୍ରୋତାମାନଙ୍କ ହୃଦୟରେ ଗଭୀର ଭାବରେ ରେଖାପାତ କରିବାର ସୌଭାଗ୍ୟ ଏମାନେ ଅର୍ଜନ କରିପାରି ନାହାନ୍ତି । ଏହାର କାରଣ ବିଷୟରେ ଅଧିକାଂଶ ଗୀତ ଲେଖକ ସଚେତନ ଥିଲା ପରି ମନେହୁଅନ୍ତି ନାହିଁ ।

 

ପ୍ରସଙ୍ଗକ୍ରମେ ସଙ୍ଗୀତ ଓ କବିତାର ସମ୍ପର୍କରେ କିଞ୍ଚିତ୍‌ ସୂଚନା ପ୍ରଦାନ କରାଯାଇପାରେ । ମହାକବି ରବୀନ୍ଦ୍ରନାଥଙ୍କର ଏକ ଆଲୋଚନା ଏଠାରେ ଉଦ୍ଧାର କରିବା ସମୀଚୀନ ହେବ ।

 

‘‘ସଙ୍ଗୀତ ସୁରେର ରାଗରାଗିଣୀ ନହେ । ଆମାଦେରକଥା ଏଇ ଯେ କବିତା ଯେମନ ଭାବେର ଭାଷା, ସଙ୍ଗୀତ ଓ ତେମନି ଭାବେର ଭାଷା । ତେବେ କବିତା ଓ ସଙ୍ଗୀତେ ପ୍ରଭେଦ କି-?”

 

ଆମରା ସଚରାଚର, ଯେ ଭାଷାୟ କଥା କହିୟାଥାକି ତାହା ଯୁକ୍ତିର ଭାଷା । ଅତଏବ ସଚରାଚର ଆମରା ଯେ ସକଲ ବିଷୟେ କଥୋପକଥନ କରି, ତାହା ବିଶ୍ଵାସ କରା ନା କରା ଯୁକ୍ତିର ନ୍ୟୂନାଧିକ୍ୟେର ଉପର ନିର୍ଭର କରେ । ଏଇ ସକଲ କଥୋପକଥନେର ଜନ୍ୟ ଆମାଦେର ପ୍ରଚଳିତ ଭାଷା ଅର୍ଥାତ୍‌ ଗଦ୍ୟ ନିଯୁକ୍ତ ରହିୟାଛେ ।

 

କିନ୍ତୁ ବିଶ୍ଵାସ କରାଇୟା ଦେଓୟା ଏକ, ଆର ଉଦ୍ରେକ କରାଇୟା ଦେଓୟା ସ୍ୱତନ୍ତ୍ର । ବିଶ୍ଵାସେର ଶିକଡ଼ ମାଥାୟା, ଆର ଉଦ୍ରେକର ଶିକଡ଼ ହୃଦୟେ । ଏଇ ଜନ୍ୟ ବିଶ୍ଵାସ କରାଇବାର ଜନ୍ୟ ଯେ ଭାଷା, ଉଦ୍ରେକ କରାଇବାର ଜନ୍ୟ ସେ ଭାଷା ନହେ ।

 

ଯୁକ୍ତିର ଭାଷା ଗଦ୍ୟ ବିଶ୍ଵାସ କରାୟ ଆର କବିତାର ଭାଷା ପଦ୍ୟ ଆମାଦେର ଉଦ୍ରେକ କରାୟ ।

 

‘‘ଯୁକ୍ତିର ଏକଟା ବ୍ୟାକରଣ ଆହେ ଅଭିଧାନ ଆଛେ, କିନ୍ତୁ ଆମାଦେର ରୁଚିର ଅର୍ଥାତ୍‌ ସୌନ୍ଦର୍ଯ୍ୟଜ୍ଞାନେ ଆଜପର୍ଯ୍ୟନ୍ତ ଏକଟା ବ୍ୟାକରଣ ତୈୟାରି ହଇଲ ନା । ତାହା ପ୍ରଧାନ କାରଣ ଯେ ଆମାଦେର ହୃଦୟେର ମଧ୍ୟେ ନିର୍ଭୟେ ବାସ କରିୟାଥାକେ - ଏବଂ ସେ ଦେଶେ ‘କେନ’ - ଅଦାଲତେର ଓାରେଣ୍ଟ ଜାରି ହଇତେ ପାରେ ନା ।

 

‘‘ଅତଏବ ଯୁକ୍ତି ଯେ ସକଲ ସତ୍ୟ ବୁଝାଇତେ ପାରେନା ବଲୟା ହାଲ ଛାଡ଼ିୟା ଦିୟାଛେ, କବିତା ସେଇ ସକଲ ସତ୍ୟ ବୁଝାଇବାର ଭାର ନିଜ ସ୍କନ୍ଧେ ଲଇୟାଛେ ।”

 

‘‘ଆମି ଅନୁଭବ କରାଇତେ ପାରିନା ଯେ ଗୋଲାପ ସୁନ୍ଦର । ତଖନ କବିତାର ସାହାଯ୍ୟ ଅବଲମ୍ବନ କରିତେ ହୟ ।’’

 

କବିଗୁରୁଙ୍କ ଭାଷାରେ ଏହା ହିଁ ହେଲା ଅସଲ କବିତା ।

 

ଗୀତିକାବ୍ୟ ପରମ୍ପରା ଓଡ଼ିଆ ସାହିତ୍ୟରେ ଅତି ପ୍ରାଚୀନ । ଯେଉଁମାନେ ଇଂରାଜୀ ସାହିତ୍ୟର ‘ଲିରିକ୍‌’ ଶବ୍ଦକୁ ଗୀତିକବିତା ଅର୍ଥରେ ଗ୍ରହଣ କରିଯାଇଛନ୍ତି, ସେମାନେ ତାହାର ପରିସରକୁ ସଙ୍କୁଚିତ କରିଦେଉଛନ୍ତି ବୋଲି ମୋର ମନେହୁଏ । ଗୀତର ପ୍ରଧାନ ଧର୍ମ ହେଲା ସୁଗେୟ ହେବା ଅଥବା. ‘ଗାନଯୋଗ୍ୟତା’ ସମୟର ଜଣେ ସାର୍ଥକ ଗୀତିକାର ଓ କବି ଗୁରୁକୃଷ୍ଣ ଗୋସ୍ଵାମୀ ଅତ୍ୟନ୍ତ ସଂକ୍ଷେପରେ ଚମତ୍କାର କଥାଟିଏ କହିଅଛନ୍ତି - ‘‘ଯାହା ଗାଇଲେ ଗୀତ ଓ ପଢ଼ିଲେ କବିତା; ତାହା ଗୀତି-କବିତା” ।

 

ଏଯାବତ୍‌ ଆଧୁନିକ କାଳର ପ୍ରତିନିଧିମୂଳକ ଏକ ସାର୍ଥକ ଗୀତିକବିତାର ବୈଜ୍ଞାନିକ ସଙ୍କଳନ ସମ୍ଭବ ହୋଇପାରିଲା ନାହିଁ । ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ଗୀତିକାରଙ୍କର ସ୍ଵକୀୟ ଗୀତଗୁଡ଼ିକର ସଂଳକନ ପ୍ରକାଶିତ ହୋଇ ନାହିଁ । ଅତଏବ ପାଠକୀୟ ସ୍ଵୀକୃତିର ସୁଯୋଗ ଅଭାବରେ କାବ୍ୟିକ ସିଦ୍ଧିର ବିଶ୍ଳେଷଣ ସମ୍ଭବ ହୋଇ ନାହିଁ । ଗୀତଗୁଡ଼ିକର ସାଙ୍ଗୀତିକତା ଶ୍ରୋତାର କର୍ଣ୍ଣକୁହ୍ଵରରେ ମଧୁମୟ ପ୍ରଲେପ ସ୍ପଷ୍ଟି କରିପାରେ, ମାତ୍ର ପାଠକୀୟ ସ୍ଵୀକୃତି ଓ ଆଲୋଚନା-ବିଶ୍ଳେଷଣ ପାଇଁ ଉଚ୍ଚାଙ୍ଗ ଭାବନାର ବିଳାସ ଏବଂ ରସାନୁଭୁତି ଏକାନ୍ତ ଆବଶ୍ୟକ । ଅତ୍ୟନ୍ତ ସୁଖର କଥା ଯେ ବିଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ ଅନେକ ଗୀତିକାର ବ୍ୟକ୍ତିଗତ ଉଦ୍ୟମରେ ଅନେକଗୁଡ଼ିଏ ଗୀତ ସଙ୍କଳନ ପ୍ରକାଶ କରିଅଛନ୍ତି । ଆଧୁନିକ କାଳରେ ଗୀତିକାରଙ୍କର ସଂଖ୍ୟା ହୁଏତ ପ୍ରଚୁର । ଅନେକ ପ୍ରଚାରିତ ଗୀତ ହୁଏତ ଖୁବ୍‌ ଲୋକପ୍ରିୟ-। ମାତ୍ର କେବଳ ଲୋକପ୍ରିୟତା ସାହିତ୍ୟର ମାପକାଠି ହୋଇ ନ ପାରେ । ଏହାର ସ୍ଥାୟୀତ୍ଵ ଖୁବ୍‌ ଅଳ୍ପଦିନ ପାଇଁ । ଉଚ୍ଚାଙ୍ଗ ଭାବନାର ଉତ୍ତାଳ ପ୍ରବାହ ମଧ୍ୟରେ ରସାନୁଭୂତି ତଥା ସାଙ୍ଗୀତିକ ନୈପୁଣ୍ୟ ହିଁ କବିତାର ସିଦ୍ଧି ଓ ଐଶ୍ଵର୍ଯ୍ୟ ଆନୟନ କରିଥାଏ ।

 

ସାମ୍ପ୍ରତିକ କାଳର ମିଡିଆ ମାଧ୍ୟମରେ ଯେଉଁ ଗୀତିକାରଗଣ ଜନଗଣଙ୍କ ସ୍ମୃତିର ଝଲକରେ ଦୃଶ୍ୟମାନ ହୁଅନ୍ତି ସେମାନଙ୍କ ସଂଖ୍ୟା ଶତାଧିକ ହୋଇପାରେ । ମାତ୍ର ଆଲୋଚନାର ସୀମତ ପରିସର ମଧ୍ୟରେ ସେମାନଙ୍କର ନାମ ଗୁଡ଼ିକର ସୂଚୀପତ୍ର ପ୍ରସ୍ତୁତ କରିବା ସମୀଚୀନ ହେବ ନାହିଁ । ତେବେ ଏଠାରେ କତିପୟ ଲୋକପ୍ରିୟ ଗୀତିକାରଙ୍କ ସାଙ୍ଗୀତିକ ସାର୍ଥକତା ସହିତ ରସାନୁଭୂତିର ଚମକତା କିପରି ପାଠକର ମନକୁ ଆଲୋଡିତ କରିଥାଏ, ଏଠାରେ ପ୍ରସଙ୍ଗକ୍ରମେ ଅଳ୍ପକିଛି ଅବତାରଣା କରାଯାଇପାରେ ।

 

ଆକାଶବାଣୀର ପ୍ରାରମ୍ଭ କାଳରେ ସ୍ଵର୍ଗତ କାଳୀଚରଣ ପଟ୍ଟନାୟକ, ଲୋକନାଥ ପଟ୍ଟନାୟକ, ଆର୍ତ୍ତବନ୍ଧୁ ଦାସ, ବୈକୁଣ୍ଠ ପଟ୍ଟନାୟକ, ପର୍ଶୁରାମ ପଟ୍ଟନାୟକ, ବୀରକିଶୋର ଦାସ, ଶିଶିର କୁମାର ନରେନ୍ଦ୍ରଦେବ, ବାଞ୍ଝାନିଧି ଦାସ, ବାଞ୍ଚାନିଧି ମହାନ୍ତି ପାର୍ଥସାରଥି ମହାପାତ୍ର ଜିତେନ୍ଦ୍ର ପଟ୍ଟନାୟକ ପ୍ରଭୃତିଙ୍କ ଲିଖିଥ ଗୀତ ପ୍ରଚାରି ହୋଇ ଆଧୁନିକ ଗୀତିସାହିତ୍ୟ ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି କରିପାରିଥିଲା । ପରବର୍ତ୍ତୀ କାଳରେ ଯେଉଁ ଗୀତ ଲେଖକଗଣ ବହୁଳ ପ୍ରଚାରିତ ହୋଇଥିଲେ ସେମାନେ ହେଲେ - ଜୀବନାନନ୍ଦ ପାଣି, ନନ୍ଦକିଶୋର ସିଂହ, ନାରାୟଣ ପ୍ରସାଦ ସିଂହ, ଗୁରୁକୃଷ୍ଣ ଗୋସ୍ଵାମୀ, କ୍ଷୀରୋଦ ଚନ୍ଦ୍ର ପୋଥାଳ, ନରସିଂହ ମହାପାତ୍ର, ଗୌର ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ହିଂମାଶୁଭୂଷଣ ସାବତ, ଶଙ୍କର୍ଷଣ ମଙ୍ଗରାଜ, ଶୁଭନାରାୟଣ ସ୍ଵାଇଁ, ରଜନୀକାନ୍ତ ନାୟକ, ସ୍ନେହଲତା ମହାନ୍ତି, ବୀଣାଦେବୀ, ପ୍ରେମଲତା ସାମଲ, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ନଦିଆବିହାରୀ ମହାନ୍ତି, ଶାରଦାପ୍ରସନ୍ନ ନାୟକ, ଦେବଦାସ ଛୋଟରାୟ, ଦେବେନ୍ଦ୍ର ପ୍ରସାଦ ଦାସ, ବ୍ରଜମୋହନ ମହାନ୍ତି, ସଚ୍ଚି ମହାନ୍ତି, ଅଲେଖଚନ୍ଦ୍ର ବିଶ୍ଵାଳ, ଗୋକୁଳାନନ୍ଦ ପରିଡ଼ା, ସୁରେନ୍ଦ୍ରନାଥ ବିଦ୍ୟାଧର, ବିନୋଦିନୀ ଦେବୀ, ତୁଳସୀ ଦାସ, ମହେଶ୍ଵର ପଣ୍ଡା, ଦେବନାରାୟଣ ସିଂହ, ଲାଲ ରତ୍ନାକର ସିଂହ ପ୍ରଭୃତି ।

 

ସାମ୍ପ୍ରତିକ ମିଡିଆର ଆବିର୍ଭାବ ପୂର୍ବରୁ ଆମର ସମାଜରେ କାଳକାଳ ଧରି ପାରମ୍ପରିକ ଭଜନ, ଜଣାଣ, ଛାନ୍ଦ, କୋଇଲି ଚମ୍ପୂ ଚଉତିଶା, ଚଉପଦୀ ପ୍ରଭୃତି ଲୋକମୁଖରେ ବୋଲାଯାଉଥିଲା । ଉଦାହରଣ ସ୍ଵରୂପ ‘କହଇ ମନ ଆରେ ମୋ ବୋଲ କର’, ‘ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ’, ‘ବିତଳକୁ ଆଲିଙ୍ଗନ କରି ଯାହ୍ନବୀ ଶୋଭନ’, ‘କି ହେଲାରେ କହି ତ ନୁହଇ ଭାରତୀରେ’ ପ୍ରଭୃତି ଅସୁମାରୀ କବିତା ଗାନ ହେବା କାଳରେ ଭାବ ରାଜ୍ୟରେ ଉଦ୍‌ବେଳନ ସୃଷ୍ଟି କରିପାରିଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପାରମ୍ପରିକ ରୀତିଯୁଗର ସଙ୍ଗାତ ପ୍ରଚାରିତ ହେଉଥିଲେ ହେଁ ତତ୍‌କାଳୀନ ଆଧୁନିକ ଯୁଗର କବିଗଣ ଅନେକ ଗୀତ ରଚନା କରିଥିଲେ । ‘ନବଗୀତିକା’ ଶୀର୍ଷକ ଏକ ଗୀତ ସଙ୍କଳନ ପ୍ରକାଶିତ ହୋଇଥିଲା ୧୯୨୭ ମସିହାରେ ବ୍ରହ୍ମପୁର ସହରରୁ । ପାଞ୍ଚଗୋଟି ପର୍ଯ୍ୟାୟରେ ଗୀତଗୁଡ଼ିକ ଏହି ସଙ୍କଳନରେ ସ୍ଥାନିତ ହୋଇଥିଲା- ୧) ବିଭୁଗୀତିକା, ୨) ଜାତୀୟ ଗୀତିକା, ୩) କୀର୍ତ୍ତନ ଗୀତିକା, ୪) ବିରହ ଗୀତିକା, ୫) ଅନ୍ୟାନ୍ୟ ଗୀତିକା ।

 

ଏଥିରେ ସ୍ଥାନିତ ଅର୍ଦ୍ଧଶତାଧିକ ଲେଖକମାନଙ୍କ ମଧ୍ୟରେ କେତେକ ସ୍ମରଣୀୟ ନାମ ହେଲା - ଗୋବିନ୍ଦଚନ୍ଦ୍ର ଶୂରଦେଓ, ସାରଥି ସାହୁ ଚନ୍ଦ୍ରଶେଖର ମିଶ୍ର, କୁନ୍ତଳାକୁମାରୀ ସାବତ, ଲକ୍ଷ୍ମୀକାନ୍ତ ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, କୃପାସିନ୍ଧୁ ପଟ୍ଟଦେବ ଦଣ୍ଡପାଣି ସାହୁ ପଦ୍ମଚରଣ ପଟ୍ଟନାୟକ, ଦାମୋଦର ସାହୁ, କାଳିନ୍ଦୀ ଚରଣ ପାଣିଗ୍ରାହୀ, କୃଷ୍ଣ ମୋହନ ପଟ୍ଟନାୟକ, ଈଶ୍ଵର ସାହୁ, ପଣ୍ଡିତ ନୀଳକଣ୍ଠ ଦାସ, ଦୀନବନ୍ଧୁ ମହାନ୍ତି, ଘନଶ୍ୟାମ ମହାନ୍ତି ବୀରକିଶୋର ଦାସ, ଉପେନ୍ଦ୍ର ପ୍ରସାଦ ମହାନ୍ତି, ଭଗବାନ ପତି, ନାରାୟଣ ମୋହନ ଦେ, ଗୋଦାବରୀଶ ମିଶ୍ର, ମଦନମୋହନ ପଟ୍ଟନାୟକ, ବାଞ୍ଛାନିଧି ଦାସ, ଗୋଦାବରୀଶ ମହାପାତ୍ର, ମଧୁସୂଦନ ମହପାତ୍ର, ଭିକାରି ଚରଣ ପଟ୍ଟନାୟକ ପ୍ରଭୃତି ।

 

ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେଉଁ ଗୀତିକାରଗଣ ଲେଖନୀ ଚାଳନା କରିଛନ୍ତି ସେମାନଙ୍କର ସ୍ଵାତନ୍ତ୍ର୍ୟ କେତେକ ପରିମାଣରେ ପରିଲକ୍ଷିତ ହୋଇଥାଏ ପୂର୍ବସୁରୀମାନଙ୍କଠାରୁ । ପ୍ରଥମାର୍ଦ୍ଧରେ ଯେଉଁ ଗୀତ ଲେଖକମାନଙ୍କର ନାମ ସ୍ମରଣ କରାଗଲା ସେମାନେ ମୁଖ୍ୟତଃ ଗୀତ ରଚନାରେ ନିବିଷ୍ଟ ନ ଥିଲେ । କାବ୍ୟ କବିତା, ଗଛ, ଉପନ୍ୟାସ, ନାଟକ ପ୍ରଭୃତିର ସାଧନା ମଝିରେ ବେଳେବେଳେ ସେମାନଙ୍କ ଲେଖନୀରୁ କିଛି ଗୀତ ଉତୁରି ଆସୁଥିଲା । କାରଣ ତତ୍‌କାଳରେ ଗୀତ ପ୍ରଚାର ହେବା ପାଇଁ କୌଣସି ବଳିଷ୍ଠ ମାଧ୍ୟମ ନ ଥିଲା । ସୁଖର କଥା ଯେ ବିଂଶ ଶତକର ଦ୍ଵିତୀୟାର୍ଦ୍ଧରେ ଆକାଶବାଣୀ, ଦୂରଦର୍ଶନ ଭଳି ଅନୁଷ୍ଠାନ ଗୀତକୁ ପ୍ରଚାର କରିବାରେ ଅଧିକ ସୁଯୋଗ ପ୍ରଦାନ କରି ଲୋକସମାଜରେ ପରିବେଷଣ କଲେ । ଏହା ବ୍ୟତୀତ ନାନା ସାଂସ୍କୃତିକ ସମାରୋହ ମଧ୍ୟ ଲୋକପ୍ରିୟ ଗୀତଗାୟକ ଏବଂ ଗୀତିକାରମାନଙ୍କର ଭୂମିକା ହେଲା ଅପରିହାର୍ଯ୍ୟ-। ସେଥିପାଇଁ ଆମ ସମୟର ଗୀତିକାରମାନଙ୍କର ପ୍ରାୟତଃ ସାଧନା ଅବ୍ୟାହତ ରହିଛି ଗୀତ ରଚନା କରିବାରେ । ସେଥିପାଇଁ ସର୍ଜନାସମ୍ଭାର ଦୃଷ୍ଟିରୁ ସାମ୍ପ୍ରତିକ ସମୟରେ ଗୀତ ଯେପରି ପ୍ରଚୁର, ରୂପ ବିଉବ ଦୃଷ୍ଟିରୁ ମଧ୍ୟ ସେହିପରି ବର୍ଣ୍ଣାଢ଼୍ୟ ଓ ବିଚିତ୍ର ।

 

ଅଧିକାଂଶ ଭକ୍ତିଗୀତର ଉପଲକ୍ଷ୍ୟ ହେଉଛି ଓଡ଼ିଆ ଜାତିର ପ୍ରଭୁ ଶ୍ରୀଜଗନ୍ନାଥ । ତଥାପି ଶୂନ୍ୟ ଭଜନଠାରୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କୁ ଉଦ୍ଦିଷ୍ଟ କରି ଭଜନ ଓ ଜଣାଣ ପ୍ରଚାରିତ ହେଉଛି । ମାତ୍ର ଅଧିକାଂଶ ଗୀତର ସାହିତ୍ୟିକ ମୂଲ୍ୟବୋଧ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ ।

 

ଏ ଯୁଗର ଗୀତ ସଂସାରରେ ଏକ ବିଶିଷ୍ଟ ଆକର୍ଷଣ ହେଲା ପଲ୍ଲୀଗୀତିକା, ଆଧୁନିକ ଗୀତ ଓ ଶିଶୁଗୀତିକା। ପୁନଶ୍ଚ କେତେଜଣ ଗୀତିକାର ହାସ୍ୟ ଓ ବ୍ୟଙ୍ଗଧର୍ମୀ ଗୀତ ରଚନା କରି ଗୀତିସାହିତ୍ୟକୁ ସମୃଦ୍ଧ କରିଅଛନ୍ତି । ଅତୀତର ଗୀତିସାହିତ୍ୟରେ ଏହା ଦୁର୍ଲଭ ଥଲା ବୋଲି ସ୍ଵୀକାର କରିବାକୁ ହେବ । ପୁନଶ୍ଚ ରୀତିଯୁଗୀୟ ଗୀତଗୁଡ଼ିକ ଥିଲା ସମ୍ପୂର୍ଣ୍ଣ ବସ୍ତୁନିଷ୍ଠ ଭାବନା ସମ୍ବଳିତ । କ୍ୱଚିତ୍‌ ପ୍ରଚ୍ଛନ୍ନ ଭାବରେ ବ୍ୟକ୍ତିଜୀବନର ଅନୁଭୂତି ରୂପାୟିତ ହେଉଥିଲା । ମାତ୍ର ବର୍ତ୍ତମାନ ସମୟର ଗୀତଲେଖକମାନେ ସମାଜ ଜୀବନର ନାନା ସୁଖଦୁଃଖ, ସ୍ନେହ ଓ ପ୍ରେମର କାହାଣୀକୁ ଉପଜୀବ୍ୟ କରି ଗୀତ ରଚନା କରିଥାଆନ୍ତି । କବି ଜୀବନର ନିବିଡ଼ ଅନୁଭୂତି ରସ୍ଲାପିତ ଭାବରେ ରୂପାୟିତ ହୋଇଯାଏ ଗୀତ ମାଧ୍ୟମରେ । ଆଧୁନିକ ଯୁଗର ଜଣେ ସ୍ଵନାମଧନ୍ୟ ଗୀତିକାର ଶ୍ରୀ ଗୁରୁକୃଷ୍ଣ ଗୋସ୍ଵାମୀ ଯଥାର୍ଥରେ ଲେଖୁଛନ୍ତି –

 

“ଯେଉଁ ଗୀତଟି କାଳିରେ ନୁହେଁ ଲୁହରେ ଲେଖା ହୁଏ

 

ସେଇ ଗୀତଟି ସବୁଠୁ ବେଶୀ ମନକୁ ଛୁଇଁ ଯାଏ ।”

 

ସେଥିପାଇଁ ପାଶ୍ଚାତ୍ୟ କବି କହିଛନ୍ତି - Our sweattest songs are those that tell of saddest thought.

 

ଏଠାରେ ଏହିପରି କେତେଗୋଟି ମନଛୁଆଁ ଗୀତର କିଛି ଉଲ୍ଲେଖ କରିବା ସଙ୍ଗତ ହେବ-

 

“ସାଗର ଲହରୀ ଭିଜାଇଲା ପରେ

ଶୁଖେ ସିନା ଚରାବାଲି

ହୃଦୟ ରାଇଜ ଥରେ ଭିଜିଗଲେ

ଅତୀତକୁ ଝୁରେ ଖାଲି ।

(ଧନେଶ୍ୱର ରାଉତ)

 

“ଜଳିବାରେ ପୁଣି ଏତେ ଆନନ୍ଦ ଏତେ ପୁଣି ଅଧୀରତା

ଏତେ ଶିହରଣ ଏତେ ରୋମାଞ୍ଚ ଏତେ ପୁଣି ନୂତନତା

ଜଳିବାର ଆଗେ ଜାଣି ତ ନଥିଲି ପୁଣି ଛାଏଁ ଯିବି ଜଳି ।”

(ଜୀବନାନନ୍ଦ ପାଣି)

 

‘‘କଳଳରେ ଲେଖି ଅନୁରାଗ ଯେବେ

ଲୁହରେ ମୁଁ ଦେଲି ଧୋଇ

ଆପଣାର କଲି ପ୍ରୀତିର ସପନ

ତୁମେ ଗଲ ପର ହୋଇ ।”

(ଡାଃ ଶିବକୁମାର ରଥ)

 

‘‘ତୁମେ ଗୋ ମୋର ରାତିର ଗୀତି ଦିନର ଉଭା ଗଳ୍ପ

ଅସୁମାରୀ ସେ ଆଖିର କଥା କହିଲେ ଯାହା ଅଳ୍ପ ।”

(ନାରାୟଣ ପ୍ରସାଦ ସିଂହ)

 

‘‘ଜହ୍ନ ଯେବେ ଲୁଚିଯାଏ ଭସାଣିଆ ବାଦଲ ଭିତରେ

ଧରା ପଡ଼ିଯାଏ ସେ ତ ମୋ ପ୍ରିୟାର କାନି ପଣତରେ ।”

(କ୍ଷୀରୋଦ ଚନ୍ଦ୍ର ପୋଥାଳ)

 

‘‘ହେ ଫଗୁଣ ତୁମେ ଗଲାପରେ ପରେ ଅନେକ ଯାତନା ଏଠି

ଲୁହରେ ଲେଖୁଛି କବିତା ଆଜି ମୁଁ ଲହୁରେ ଲେଖୁଛି ଚିଠି ।”

(ଅକ୍ଷୟ ମହାନ୍ତି)

 

ଆଧୁନିକ ଗୀତି ସାହିତ୍ୟର ପଲ୍ଲୀଗୀତିକା ବିଭାଗଟି ଅତ୍ୟନ୍ତ ସମୃଦ୍ଧ ଓ ଆକର୍ଷଣୀୟ । ଏହି କ୍ଷେତ୍ରରେ ସାମ୍ପ୍ରତିକ କାଳର ଗୀତିକାରମାନଙ୍କର ସମାଜଧର୍ମୀ ସଚେତନତା ସହିତ କାବ୍ୟିକ ଚାତୁରୀର ନୈପୁଣ୍ୟ ଲକ୍ଷ୍ୟ କରାଯାଏ । ପଲ୍ଲୀଗୀତିକା ଗୁଡ଼ିକର ଭାଷା ଓ ଭାବ ବ୍ୟଞ୍ଜନାଧର୍ମୀ ସହିତ ଅତ୍ୟନ୍ତ ମାର୍ମିକ ଓ ସାବଲୀଳ । ଉଦାହରଣ ଛଳରେ କେତେ ପଦ ଏହିପରି –

 

‘‘ଘର ପରି ଘରଟିଏ ଆମର

ହେଉ ପଛେ ଛୋଟ, ହେଉ ନଡ଼ା ଛପର

ଆମ ଘର ସତେ ଆହାରେ କେଡ଼େ ସୁନ୍ଦର ।

ଏଠି ନିତି ଫୁଲ ଫୁଟେ ବାସ ଖେଳିଯାଏ

ଏଠି ନିତି ହସ ଛୁଟେ ଦୁଃଖ ଚାଲିଯାଏ ।

ସଞ୍ଜ ହେଲେ ଭାଗବତ ଶୁଭେ ମୋର ବୋଉର

ଏଇଘରେ ସୁଖ ଆଉ ଶାନ୍ତିର ଜୁଆର

(ଗୌର ପଟ୍ଟନାୟକ)

 

‘‘ଦାଆ ସିନା କାଟେ ଘାସ ପତରଲୋ ଆହୁଲା କାଟଇ ପାଣି

ଟାଉଁ ଟାଉଁ କଥା କଲିଜା କାଟେଲୋ ହୃଦୟ ହୁଅଇ ହାଣି ।

(କ୍ଷୀରୋଦଚନ୍ଦ୍ର ପୋଥାଳ)

 

‘‘ଦେଖଲୋ ଆଜିକାଲିକାର ବୋହୂ

ଖରାବେଳେ ଗାଆଁଗୋଟା ବୁଲୁଥାଏ ନ ମାନେ କାହାକୁ ଆଉ ।

ଚୁଲି ଫୁଙ୍କୁଥାଏ ଶାଶୁବୁଢ଼ୀ ତେଣେ ଶଶୁର ମସଲୀ ବାଟେ

ବୋହୂରାଣୀ ଗୀତ ଗାଇ ବୁଲୁଥାନ୍ତି ଗାଡ଼ିଆ ପୋଖରୀ ତୁଠ ।’’

(ପ୍ରେମଲତା ସାମଲ)

 

‘‘ପାଦରେ ଅଳତା ଲିଭିନାହିଁ ମୋର

ଆଖିରୁ ଝରିଲା ଲୁହ,

କେମିତି ବୋଉଲୋ ରାଜଯୋଟକରେ

ବାହା ଦେଇଥିଲୁ କହ ।

(ବିଷ୍ଣୁଚରଣ ସାହୁ)

 

ଆଧୁନିକ ଗୀତିକବିତାର ଏକ ଶକ୍ତିଶାଳୀ ବିଭାଗ ହେଲା ଭଜନ ଓ ଜଣାଣ । ପ୍ରାଚୀନ ସାହିତ୍ୟରେ ଭଜନ ଓ ଜଣାଣଗୁଡ଼ିକରେ ବିଷୟ ବିନ୍ୟାସ ଦୃଷ୍ଟିରୁ ବିଶେଷ ବୈଚିତ୍ର୍ୟର ଅଭାବ ରହିଥାଏ । କେବଳ କବିତ୍ୱ ଓ ପାଣ୍ଡିତ୍ୟ ବିଚାରରେ କବିଙ୍କର ସ୍ଵକୀୟ ମହିମା ପ୍ରକଟିତ ହୋଇଥାଏ-। ଅବଶ୍ୟ ଆଧୁନିକ କାଳର ଗୀତିକବିତାରେ ଏହି ବିଭାଗରେ ବହୁ ଅଂଶରେ ଗତାନୁଗତିକତାର ପୀଡ଼ିତ ସ୍ଵର ଶୁଣିବାକୁ ମିଳୁଥିଲେ ହେଁ କେତେକ ସ୍ଥଳରେ ଅନନ୍ୟ ସାଧାରଣ କଳ୍ପନାବିଳାସ ଅତ୍ୟନ୍ତ ଉପଭୋଗ୍ୟ ।

 

ଏଠାରେ ଜଣେ ଆଧୁନିକ କବି ଭକ୍ତିନିବେଦନ କରିଛନ୍ତି ପଲ୍ଲୀ ସଂସାରର ଅବସ୍ଥାନ କରି-। ସେ ନୀଳକନ୍ଦର ବଡ଼ଦେଉଳକୁ ଅପେକ୍ଷା କରି ନାହାନ୍ତି । ଯେପରି –

 

‘‘ଚାଳଘର ଜଗା ମୋ ବଡ଼ଦେଉଳ

ଅଗଣା ଗୋଟିକ ମୋର ଶିରୀକ୍ଷେତର ।

ବାଡ଼ି ପୋଖରୀ ମୋର ନରେନ୍ଦ୍ର ସର

ଗାଁ ମଶାଣି ମୋର ସ୍ୱର୍ଗଦୁଆର ।

ସେଇ ଘରେ ଗୁନ୍ଥି ଧଣ୍ଡା ସାଜିଛି ମୁଁ ବଡ଼ପଣ୍ଡା

କେବେ ପଡ଼ିବ କହ ପାଦ ତୋହର ।’’

(ରଘୁନାଥ ରାଉତ)

 

କେତେ ଆତ୍ମୀୟତା ଏବଂ ମାର୍ମିକ ସ୍ଵର ଆଉ ଏକ ସ୍ଥଳରେ -

‘‘ପଦେ କଥା ତୋତେ ପଚାରଇ ମୁହିଁ

କହରେ କାଳିଆ କହ

ତୋ ଆଖି ସହିତ ମୋ ଆଖି ମିଶିଲେ

ବହିଯାଏ କିଆଁ ଲୁହ ।”

(ରଜନୀକାନ୍ତ ନାୟକ)

 

“ତୁମେ ଅରୂପର ନାମ ଧରି ମୋତେ ରୂପର ପାଗଳ କଲ

ବର୍ଣ୍ଣବିହୀନ ହୋଇ କିମ୍ପା ମୋତେ ରଙ୍ଗେ ବୁଡ଼ାଇ ଦେଲ ।”

(ଶୁଭନାରାୟଣ ସ୍ୱାଇଁ)

 

‘‘ଅଜପା ଜପକୁ କେମିତି ଜପିବି କୁହ

ଅରୂପ ରୂପକୁ କେମିତି ଦେଖିବି କୁହ ।

ଶୂନ୍ୟ ମନ୍ଦିରକୁ ଧାଇଁ ଧାଇଁ ନିତି

ଥକିଲାଣି ମୋର ପାଦ

ଦୁଃଖ କେତେ ଦେଇ ପରଖିଲେ ମୋତେ

ହେବ ତୁମ ମନ ବୋଧ

ଅଲେଖ ଲେଖକୁ କେମିତି ବୁଝିବି କୁହ ।”

(ଗୌର ପଟ୍ଟନାୟକ)

 

‘‘ତୁମେ ମୋର ମୁଁ ତୁମର - ଆହେ ମୋର ସ୍ୱାମୀ

ତୁମେ କି ନ ଜାଣ, ଆହେ ଗୁରୁ ଅନ୍ତର୍ଯ୍ୟାମୀ ।

ନ ଜାଣେ ଧର୍ମ ଅଧର୍ମ ଆହେ ସ୍ଵାମୀ ଅଭିରାମ

ତୁମେ ପ୍ରେମ ଦେଲେ ମୁହିଁ ହୋଇବି ପ୍ରେମୀ ।”

(ଠାକୁର ଅଭିରାମ ପରମହଂସ)

 

‘‘ଭକତି ଯେ ଜାଣେ ନାହିଁ ଯେବେ ତାର ନୋହିବ

ଜଗତ ଜନକ ତାତ କେ କାହିଁକି କହିବ ।”

(ବୈକୁଣ୍ଠ ବ୍ରହ୍ମଚାରୀ)

 

‘‘ଆସିଥିଲି କାଳିଆ ତୋ ଦରଶନ ପାଇଁରେ

ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ ।”

(ଅଲେଖଚନ୍ଦ୍ର ବିଶ୍ୱାଳ)

 

ଆଧୁନିକ ଗୀତିକବିତା ପର୍ଯ୍ୟାୟରେ ରାଶି ରାଶି ଗୀତ ଶୁଣିବାକୁ ମିଳିଥାଏ । ଶସ୍ତା ଲୋକପ୍ରିୟ ଅର୍ଜନ ଉଦ୍ଦେଶ୍ୟରେ ଅଶ୍ଳୀଳ ଯୌନ ଉଦ୍ଦୀପକ ଗ୍ରାମ୍ୟ ଭାବନାକୁ ଉଚ୍ଚାରିତ କରି ଅନେକ ଗୀତ ହାଟବଜାର ଓ ଛକମାନଙ୍କରେ କ୍ୟାସେଟ୍‌ ଜରିଆରେ ଶୁଣିବାକୁ ହେଉଛି । ଏପରି ଗୀତ ସାମୟିକ ଉଚ୍ଛୃଙ୍ଖଳ ଜନତାଠାରୁ ବାହାବା ଆଦାୟ କରୁଥାଇପାରେ, ମାତ୍ର ଏହା ଯେ ଆମର ଲୋକରୁଚିକୁ ପ୍ରଦୂଷଣ କରିଥାଏ ଏବଂ ଅନୀତିକର ହୋଇଥିବାରୁ ଅଳ୍ପକାଳ ପରେ ଉପେକ୍ଷିତ ହୋଇଯାଏ, ସେହି ବିଷୟରେ ଏହି ଲେଖକମାନେ ସଚେତନ ହୋଇ ନଥାନ୍ତି । ଏହି ପ୍ରକାର ଅବକ୍ଷୟୀ ଚିନ୍ତାଧାରା ମଧ୍ୟରେ ଆଧୁନିକ ଶୀର୍ଷକରେ ଉଚ୍ଚ ମୂଲ୍ୟବୋଧର ଅନେକ ଗୀତ ଶୁଣିବାର ମିଳିଥାଏ। ଉଦାହରଣ ସ୍ୱରୂପ-

 

‘‘ଏ ଜୀବନ ନୁହେଁ ଫୁଲର ଫସଲ ସପନର ନୀଳ ଢେଉ

କଣ୍ଟକଭରା ଏଇ ଚଲାପଥେ ଝରିଯାଏ ଲୁହ ଲହୁ

ସୁଖର ସମୟ ଦେଇଯାଏ ପ୍ରୀତି

ଦୁଃଖ ଦିଅଇ ଦହନର ସ୍ମୃତି

ଏ ଜୀବନ ନଈ ଥରେ ଗଲେ ବହି ଫେରେ ନାହିଁ କେବେ ଆଉ ।’’

(ବିଷ୍ଣୁଚରଣ ସାହୁ) ।

 

***

 

ପ୍ରାଚୀନ ଭାରତର ସାହିତ୍ୟ ସମ୍ପତ୍ତି

ଜଗବନ୍ଧୁ ସିଂହ

 

।। ୧ ।।

ଦିନେ ଭାରତ ଯେ ସଭ୍ୟତାର ଅତ୍ୟୁଚ୍ଚ ସୋପାନରେ ଆସୀନ ଥିଲା, ଏହା କେହି ଅସ୍ୱୀକାର କରିପାରିବେ ନାହିଁ । କି ପ୍ରାଚ୍ୟ, କି ପାଶ୍ଚାତ୍ୟ ଉଭୟ ଶ୍ରେଣୀର ପଣ୍ଡିତଗଣ ଏ କଥା ମୁକ୍ତ କଣ୍ଠରେ ବାରମ୍ବାର କହିଅଛନ୍ତି । ଭାରତର ଅନ୍ୟାନ୍ୟ ପ୍ରାଚୀନ ବିଭବ ମଧ୍ୟରେ ସାହିତ୍ୟ ଗୋଟିଏ ଉତ୍କୃଷ୍ଟ ବିଭବ । ଏହି ସାହିତ୍ୟ ସମ୍ପତ୍ତି ପ୍ରାଚୀନ ଭାରତର ପ୍ରତିଷ୍ଠା ବିଷୟରେ ପ୍ରଧାନ ନିଦର୍ଶନ । ଭାରତ ଦିନେ ପୃଥିବୀର ଅତ୍ୟୁଚ୍ଚ ସ୍ଥାନ ଅଧିକାର କରିଥଲା । ମାତ୍ର ତାହାର ପ୍ରମାଣ କେଉଁଠାରେ ? ତହିଁର ପ୍ରଚୁର ପ୍ରମାଣ ସେହି ସାହିତ୍ୟ ଗର୍ଭରେ ନିହିତ ଅଛି । ସେଦିନ ଗଲାଣି କେତେ କେତେ କାଳବାତ୍ୟା ଭାରତ ବକ୍ଷ ପରେ ପ୍ରବାହିତ ହୋଇଗଲାଣି । ଭଙ୍ଗାଗଢ଼ା ପ୍ରକୃତିର ନିୟମ । ଭାରତ ଏହି ନିୟମର ବହିର୍ଭୂତ ନୁହେଁ । ଭାରତର ସମସ୍ତ ସମ୍ପଦ ଲୁପ୍ତ ହୋଇଅଛି । ସେଥିସଙ୍ଗେ ସାହିତ୍ୟ ସମ୍ପତ୍ତିରୁ ଅଧିକାଂଶ ମଧ୍ୟ ଲୁପ୍ତ ହୋଇଅଛି । ତଥାପି ଯାହା କିଛି ଅବଶିଷ୍ଟ ଅଛି, ତାହା ମଧ୍ୟ ଅତୀତ ଗୌରବର ସାକ୍ଷୀ । ଭାରତୀୟ ସାହିତ୍ୟ ନିକଟରେ ପୃଥିବୀର ଅନ୍ୟାନ୍ୟ ସମସ୍ତ ସଭ୍ୟ ଜଗତ ନତମସ୍ତକ । ଭାରତୀୟ ସାହିତ୍ୟ ସମ୍ପତ୍ତି ବିଷୟ କହିବାକୁ ହେଲେ ପ୍ରଥମେ ସଂସ୍କୃତ ସାହିତ୍ୟ ବିଷୟ ଆଲୋଚନା କରିବା ଆବଶ୍ୟକ । ପ୍ରାଦେଶିକ ସାହିତ୍ୟ ମଧ୍ୟରେ ଅସଂଖ୍ୟ ଉଜ୍ଜ୍ଵଳ ରତ୍ନ ଅଛି, ମାତ୍ର ତାହାର ବିଚାର ପୃଥକ ଭାବରେ କରାଯିବ ।

 

କବିତ୍ୱ-ବିଭବ ବିଷୟରେ ସଂସ୍କୃତ ସାହିତ୍ୟ ପୃଥିବୀ ମଧ୍ୟରେ ଶ୍ରେଷ୍ଠ ସାହିତ୍ୟ । କବିକୁଞ୍ଜ ଭାରତଭୂମି ବୀଣାପାଣିଙ୍କ ବରପୁତ୍ରମାନଙ୍କର କ୍ରୀଡ଼ାକ୍ଷେତ୍ର ଥିଲା । ସେମାନଙ୍କ ବୀଣାଝଙ୍କାର ଦ୍ଵାରା ପୃଥିବୀ ବିମୋହିତ ହୋଇଥଲା । ଭାରତ କବିତ୍ଵ ଶୁଣି କେଉଁ ଦେଶ ବା ମୁଗ୍‌ଧ ହୋଇନାହିଁ ? ପ୍ରାଚ୍ୟ ପଣ୍ଡିତ ହେଉନ୍ତୁ ବା ପାଶ୍ଚାତ୍ୟ ପଣ୍ଡିତ ହେଉନ୍ତୁ, ଯେ କେହି ସେ କବିତାର ରସସ୍ୱାଦନ କରିବାକୁ ଅବସର ପାଇଅଛନ୍ତି, ସେ ମୁଗ୍ଧ ନ ହୋଇ ରହିପାରି ନାହାନ୍ତି ଏବଂ କବିମାନଙ୍କ ଶ୍ରେଷ୍ଠତ୍ଵ ମୁକ୍ତ କଣ୍ଠରେ ସ୍ଵୀକାର କରି ଅଛନ୍ତି । ଭାରତର କବିତ୍ୱ ଭଣ୍ଡାର ଅକ୍ଷୟ ଏବଂ ଭାରତବାସୀଙ୍କ ହୃଦୟ କବିତାମୟ । କବିତ୍ୱର ସର୍ବବିଧ ଉତ୍ସ ଭାରତରେ ଯେପରି ଅମୃତଧାରା ପ୍ରବାହିତ କରିଥିଲା, ପୃଥିବୀର ଅନ୍ୟତ୍ର ତାହା ଦୁର୍ଲଭ । ପାଶ୍ଚାତ୍ୟ ପଣ୍ଡିତମାନେ ଏ କଥା ବାରମ୍ବାର ସ୍ୱୀକାର କରି ଅଛନ୍ତି । ସଂସ୍କୃତ ସାହିତ୍ୟରେ ମହାକାବ୍ୟ ଅସଂଖ୍ୟ । ରାମାୟଣ, ମହାଭାରତ ପୃଥିବୀର ଶ୍ରେଷ୍ଠ କାବ୍ୟ ବୋଲି ବିଖ୍ୟାତ ଓ ପ୍ରତିଷ୍ଠିତ । ଅଧ୍ୟାପକ ମନିୟର ଉଇଲିୟମ୍‌ ପ୍ରାଚ୍ୟ ଓ ପାଶ୍ଚାତ୍ୟକୁ ତୁଳନା କରି କହିଅଛନ୍ତି, ‘‘ମୂର୍ତ୍ତିମତୀ ପବିତ୍ରତା, ସରଳ ପ୍ରସ୍ଫୁଟ ବର୍ଣ୍ଣନା ଉତ୍କୃଷ୍ଟ ମନୋହର କବିତ୍ଵ ରାମାୟଣ ମହାକାବ୍ୟକୁ ଅଳଙ୍କୃତ କରିଅଛି । ବୀରତ୍ୱର ବିଶଦ ବର୍ଣ୍ଣନା, ପ୍ରାକୃତିକ ଦୃଶ୍ୟାବଳୀର ମନମୋହନ ଚିତ୍ର, ଅନ୍ତଃକରଣରେ ସଦ୍‌ସତ୍‌ ବୃତ୍ତିର ଘାତ ପ୍ରତିଘାତ ସମ୍ବନ୍ଧରେ ଏ ମହାକାବ୍ୟ ଅତୁଳନୀୟ । ଏପରି ଅତ୍ୟୁତ୍କୃଷ୍ଟ ରଚନା ପୃଥିବୀର କୌଣସି ଦେଶରେ କୌଣସି କାଳେ ପ୍ରକାଶିତ ହୋଇନାହିଁ । ରାମାୟଣ ଅତୁଳନୀୟ ମହାକାବ୍ୟ ।’’

 

ଅଧ୍ୟାପକ ଗ୍ରିଫିଥ କହିଅଛନ୍ତି, “Well may the Ramayan challange the literature of every age and country to produce a poem that can be of such perfect character as a Rama and a Sita. No-where else are poetry and morality so charmingly united each elevating the other as in this really holly poem.’’ ଅର୍ଥାତ୍‌ କବିତ୍ୱ ଓ ସନ୍ତ୍ରୀତିର ମୋହନ ସମନ୍ଵୟ ରାମାୟଣ ବ୍ୟତୀତ ଅନ୍ୟ କୁତ୍ରାପି ପରିଲକ୍ଷିତ ହୁଏନାହିଁ । ମହାଭାରତ ପ୍ରତି ପାଶ୍ଚାତ୍ୟ ପଣ୍ଡିତମାନେ ବିସ୍ମୟ ବିମୁଗ୍ଧ । ମହାଭାରତ ସମ୍ବନ୍ଧରେ ଅଧ୍ୟାପକ ହିରେନ୍‌ କହିଅଛନ୍ତି, ‘‘ମହାକାବ୍ୟ ମଧ୍ୟରେ ଏ ଗୋଟିଏ ଶ୍ରେଷ୍ଠ, ଅମୂଲ୍ୟ, ଅତୁଳନୀୟ ରତ୍ନ ।’’ ଫରାସୀ ଦେଶୀୟ ପଣ୍ଡିତ ସିଲ୍‌ଭିୟାନ୍‌ ଲେଭି କହିଅଛନ୍ତି “ମହାଭାରତ ଯେପରି ବୃହତ୍‌ ସେହିପରି ଅତ୍ୟୁତ୍କୃଷ୍ଟ ।’’ ଅଧିକ ମତ ସଂଗ୍ରହ କରିବା ଅନାବଶ୍ୟକ । ମହାଭାରତ ଓ ରାମାୟଣ ଯେ ପାଠ କରିଅଛି ବା କରିବ, ସେ ଏହାର ଶ୍ରେଷ୍ଠତ୍ଵ ସ୍ୱୀକାର କରିଅଛି ବା କରିବ ।

 

ଶାସ୍ତ୍ରଗ୍ରନ୍ଥ ବ୍ୟତୀତ ସଂସ୍କୃତସାହିତ୍ୟର ଅସଂଖ୍ୟ କାବ୍ୟ ମହାକାବ୍ୟ ମଧ୍ୟରେ ଛ’ଗୋଟି ପ୍ରକୃଷ୍ଟ ମହାକାବ୍ୟର ସ୍ଥାନ ନିର୍ଦ୍ଦେଶ କରାଯାଇପାରେ । ଯଥା; ୧) ରଘୁବଂଶ, ୨) କୁମାରସମ୍ଭବ, ୩) ଭଟ୍ଟିକାବ୍ୟ, ୪) କୀରାତାର୍ଜୁନୀୟ, ୫) ଶିଶୁପାଳବଧ ଓ ୬) ନୈଷଧ ଏ ଛ’ଗୋଟି ମହାକାବ୍ୟ ମଧ୍ୟରୁ ରଘୁବଂଶ ଓ କୁମାରସମ୍ଭବ ମହାକବି କାଳିଦାସଙ୍କ ବିରଚିତ । ଭର୍ତ୍ତୃହରି ଭଟ୍ଟିକାବ୍ୟ ରଚନା କରିଥିଲେ । ଭାରବୀ କୀରାତାର୍ଜୁନୀୟ ରଚୟିତା । ମାଘ ଶିଶୁପାଳ ବଧ ଏବଂ ଶ୍ରୀହର୍ଷ ନୈଷଧ ରଚନା କରିଥିଲେ । ଏ ଛ’ ମହାକାବ୍ୟ ରଚନାର ସମୟ ସମ୍ବନ୍ଧରେ ନାନା ମତାନ୍ତର ଅଛି । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀଠାରୁ ଦଶମ ଶତାବ୍ଦୀ ମଧ୍ୟରେ ଏ ଛ’ କାବ୍ୟ ରଚିତ ହୋଇଥିଲା ବୋଲି ସାଧାରଣରେ ପ୍ରଚାର । କିନ୍ତୁ କିଏ କେଉଁ ଶତାବ୍ଦୀରେ ରଚିତ ହୋଇଥିଲା, ସେ ସମ୍ବନ୍ଧରେ ବହୁ ତର୍କବିତର୍କ ବହୁ କାଳରୁ ଚଳି ଆସୁଅଛି । କେହି କହନ୍ତି, ଏମାନଙ୍କ ମଧ୍ୟରୁ କୌଣସି କାବ୍ୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରଚିତ ହୋଇଥିଲା, ଏବଂ କେହି କହନ୍ତି ସେହି ମହାକାବ୍ୟ ଷଷ୍ଠ ଶତାବ୍ଦୀରେ ରଚିତ ହୋଇଥିଲା । ମହାକବି କାଳିଦାସଙ୍କ ସମ୍ବନ୍ଧରେ ନାନା ମତ ପ୍ରଚଳିତ ଅଛି । ଅପର ଚାରି କାବ୍ୟ ତାଙ୍କ ପରବର୍ତ୍ତୀ ସମୟରେ ରଚିତ ବୋଲି କଥିତ ହୁଏ । ଯାହା ହେଉ, ସମସ୍ତ ପୂର୍ବାପର ଆଲୋଚନା କଲେ ଜଣାଯାଏ ଯେ, ଉପରୋକ୍ତ ଷଟ୍‌କାବ୍ୟ ମଧ୍ୟରୁ କୌଣସି କାବ୍ୟ ଦଶମ ଶତାବ୍ଦୀ ପରେ ରଚିତ ହୋଇଥିବାର କେହି କେହି ନାହାନ୍ତି । ସମୁନ୍ନତ ସଭ୍ୟ ସମାଜ ଭିନ୍ନ ରଘୁବଂଶ, କୁମାରସମ୍ଭବ ପରି କାବ୍ୟ ଅନ୍ୟଟି କେବେ ରଚିତ ହୋଇନାହିଁ । ପ୍ରସିଦ୍ଧ ଟୀକାକାର ମଲ୍ଲିନାଥ ପ୍ରୋକ୍ତ ଷଟ୍‌କାବ୍ୟର ଯେଉଁ ଟୀକା କରି ଯାଇଅଛନ୍ତି, ସେ ଟୀକା ମଧ୍ୟ ଅଳ୍ପ ଦିନର ନୁହେଁ-

 

ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି, ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ପୂର୍ବେ ଭାରତୀୟ କାବ୍ୟଶିଳ୍ପର ଧାରାବାହିକ ଇତିହାସ ମିଳେନାହିଁ । ସେମାନଙ୍କ ମତରେ ବାଣଭଟ୍ଟ ବିରଚିତ ‘‘ହର୍ଷଚରିତ’’ ଠାରୁ କାବ୍ୟ ଇତିହାସ ଆରମ୍ଭ କରାଯାଇପାରେ । ବାଣଭଟ୍ଟ ରାଜା ହର୍ଷବର୍ଦ୍ଧନଙ୍କ ରାଜତ୍ୱ ସମୟରେ ‘‘ହର୍ଷ ଚରିତ’’ ରଚନା କରିଥିଲେ । ଥାନେଶ୍ୱର ଓ କନୌଜ ତାଙ୍କର ରାଜଧାନୀ ଥିଲା । ରାଜା ହର୍ଷିବର୍ଦ୍ଧନଙ୍କ ଚରିତ ଅବଲମ୍ବନରେ ହର୍ଷଚରିତ ଲେଖା ହୋଇଅଛି ଏବଂ ସେ ଏହାର ପ୍ରଧାନ ପୃଷ୍ଠପୋଷକ ଥିଲେ । ସୁତରାଂ ‘‘ହର୍ଷ ଚରିତ’’ ରଚନାର କାଳ ନିର୍ଣ୍ଣୟ ଯେପରି ନିଃସଂଶୟରେ ସ୍ଥିର କରାଯାଇପାରିବ, ଅନ୍ୟ କୌଣସି କାବ୍ୟର କାଳ ନିର୍ଣ୍ଣୟ ସେପରି ସହଜ ସାଧ ନୁହେଁ । ହର୍ଷ ଚରିତ ଭିନ୍ନ ଆଉ ଗୋଟିଏ କାଳ ନିର୍ଣ୍ଣାୟକ ସମ୍ବନ୍ଧରେ ପାଶ୍ଚାତ୍ୟ ପଣ୍ତିତମାନେ ଏକମତ ଅଟନ୍ତି । ସେ ଗ୍ରନ୍ଥ ବରାହମିହିର ବିରଚିତ “ବୃହତ୍ ସଂହିତା” । ବୃହତ୍ ସଂହିତା ଶ୍ରେଷ୍ଠ ଗ୍ରନ୍ଥ, ମାତ୍ର କବିତା ଛନ୍ଦରେ ଲିଖିତ ଏବଂ କବିତାମୂଳକ ବୋଲି ଗ୍ରନ୍ଥର ଅନ୍ତର୍ନିବିଷ୍ଟ ହୋଇପାରେ । ପଣ୍ଡିତମାନେ ଗବେଷଣାପୂର୍ବକ ନିର୍ଦ୍ଦେଶ କରନ୍ତି ଯେ, ବୃହତ୍ ସଂହିତା ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ବିରଚିତ ହୋଇଥିଲା । କୌଣସି କୌଣସି ପାଶ୍ଚାତ୍ୟ ପଣ୍ଡିତଙ୍କ ମତରେ ବରାହମିହିର ଆର୍ଯ୍ୟଭଟ୍ଟଙ୍କ ପରେ ଆବିର୍ଭୂତ ହୋଇଥିଲେ ଏବଂ ୫୮୭ ଖ୍ରୀଷ୍ଟାବ୍ଦରେ ଲୋକାନ୍ତର ହୋଇଥିଲେ । ଅବନ୍ତୀ ତାଙ୍କର ଜନ୍ମସ୍ଥାନ ଥିଲା । ଏ ହିସାବରେ ବରାହମିହିର କାଳିଦାସଙ୍କ ସମସାମୟିକ ନୁହନ୍ତି । ଯାହାହେଉ, ହର୍ଷଚରିତ ଓ ବୃହତ୍ ସଂହିତାର ରଚନାକାଳ ଏହିପରି ନିର୍ଦ୍ଦିଷ୍ଟ ହେଲେ ମଧ୍ୟ କାଳିଦାସ, ସୁବନ୍ଧୁ, ଭାରବୀ, ଗୁଣାଢ଼୍ୟ ପ୍ରଭୃତି କବିମାନଙ୍କର କାଳ ନିର୍ଦ୍ଦେଶର କୌଣସି ଐତିହାସିକ ଭିତ୍ତି ମିଳୁନାହିଁ । ତଥାଚ ସମସ୍ତେ ସ୍ଵୀକାର କରନ୍ତି ଯେ, ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରେ ଉପରୋକ୍ତ କବିମାନଙ୍କ ଯଶପ୍ରଭା ଦ୍ଵାରା ଭାରତ ପରିବ୍ୟାପ୍ତ ହୋଇଥିଲା । ବାଣଭଟ୍ଟ ଅତି ସମ୍ମାନ ସହିତ ଏହି କବିମାନଙ୍କ ନାମ ଉଲ୍ଲେଖ କରି ଅଛନ୍ତି । ୬୩୪ ଖ୍ରୀଷ୍ଟାବ୍ଦରେ ଖଣ୍ଡିଏ ଖୋଦିତ ଲିପିରେ ଏହି କବିମାନଙ୍କ ଯଶକଥା ଲେଖାଅଛି । ଏହାଦ୍ଵାରା ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ପୂର୍ବେ ମହାକବି କାଳିଦାସ ପ୍ରଭୃତି ବିଦ୍ୟମାନ ଥିବାର ନିଃସଂଶୟରେ ପ୍ରତିପନ୍ନ ହୁଏ । ଗୁଣାଢ଼୍ୟ ସୁବନ୍ଧୁଙ୍କ ପୂର୍ବବର୍ତ୍ତୀ ବୋଲି ଜଣାଯାଏ । ଏହାର କାରଣ ଏହି ଯେ, ସୁବନ୍ଧୁ ଆପଣା ଗ୍ରନ୍ଥରେ ଗୁଣାଢ଼୍ୟଙ୍କ ନାମ ପୁନଃ ପୁନଃ ଉଲ୍ଲେଖ କରି ଯାଇଅଛନ୍ତି । ସୁବନ୍ଧୁ ରଚିତ ପ୍ରଧାନ ଗ୍ରନ୍ଥ ‘ବାସବଦତ୍ତା’ ଦ୍ୱିତୀୟ ଶିଳାଦିତ୍ୟଙ୍କ ରାଜତ୍ୱ ସମୟରେ ସୁବନ୍ଧୁ ବିଦ୍ୟମାନ ଥିବାର ଜଣାଯାଏ ।

 

ଭାରତୀୟ କବିମାନଙ୍କ କାଳ ନିର୍ଦ୍ଦେଶର ନାନା ପ୍ରକାର ଅନ୍ତରାୟ ଅଛି । ରାଜାନୁଗୃହୀତ କବିମାନଙ୍କ ପରିଚୟ ଯତ୍‌କିଞ୍ଚିତ୍ ମିଳେ ମାତ୍ର ଅନ୍ୟମାନଙ୍କ ପରିଚୟ ମିଳିବା ବଡ଼ କଠିନ । ପ୍ରାଚୀନ କାଳରେ ଯେ ପ୍ରତିଭାଶାଳୀ କବିମାନେ ବିଦ୍ୟମାନ ଥିଲେ, ଏହାର ଗୋଟିଏ ବିଶେଷ ପ୍ରମାଣ ପତଞ୍ଜଳିଙ୍କ “ମହାଭାଷ୍ୟ” । ସେଥିରେ ଅନେକ କବିଙ୍କ କାବ୍ୟଗ୍ରନ୍ଥର ଅଂଶ ବିଶେଷ ଉଦ୍ଧୃତ ଅଛି । ମହାଭାଷ୍ୟ ପାଣିନି ବ୍ୟାକରଣ ସୂତ୍ରର ବିଶଦ ଭାଷ୍ୟ । ଯେତେବେଳେ ଭାରତରେ ବୌଦ୍ଧଧର୍ମର ବିଶେଷ ପ୍ରଭାବ ହୋଇଥିଲା, ସେତେବେଳେ ମହାଭାଷ୍ୟ ଲେଖା ହୋଇଥିଲା । ବୌଦ୍ଧଧର୍ମର ପ୍ରଭାବ ସମୟ ୩୨୦ ଖ୍ରୀଷ୍ଟାବ୍ଦ ଠାରୁ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । କେହି କେହି କହନ୍ତି, ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ମହାଭାଷ୍ୟର ରଚନା ସମୟ । କେହି କହନ୍ତି ଖ୍ରୀଷ୍ଟଜନ୍ମର ବହୁ ପୂର୍ବେ ପତଞ୍ଜଳି ଜନ୍ମ ଗ୍ରହଣ କରିଥିଲେ । ଅଧ୍ୟାପକ ମାକ୍ସମୁଲାର କହି ଅଛନ୍ତି, ମହାଭାଷ୍ୟର କାଳ ନିର୍ଣ୍ଣୟ କରିବା ଅସମ୍ଭବ । କିନ୍ତୁ ଗୋଲ୍‌ଡ଼ଷ୍ଟୁକରଙ୍କ ମତରେ ପତଞ୍ଜଳିଙ୍କ ଗ୍ରନ୍ଥରୁ ତାଙ୍କ ବିଦ୍ୟମାନ ସମୟ ନିର୍ଦ୍ଦେଶ କରାଯାଇପାରେ । ତାଙ୍କ ନିଜ ଉକ୍ତିରୁ ଜଣାଯାଏ ଯେ, ସେ ମୌର୍ଯ୍ୟବଂଶର ପ୍ରଥମ ରାଜା ଅର୍ଥାତ୍ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ବିଦ୍ୟମାନ ନ ଥିଲେ । ପରନ୍ତୁ ସେ ଏହି ବଂଶର ଶେଷ ରାଜାଙ୍କ ରାଜତ୍ୱ କାଳରେ ବିଦ୍ୟମାନ ଥିଲେ । ଗୋଲ୍‌ଡ଼ଷ୍ଟୁକରଙ୍କ ଏହି ଗଣନା ଯେ ପ୍ରମାଦଶୂନ୍ୟ ଏ କଥା ବୋଲାଯାଇ ନ ପାରେ । କାରଣ ପତଞ୍ଜଳି ଯେ ମୌର୍ଯ୍ୟବଂଶର ପ୍ରଥମ ଓ ଶେଷ ରାଜାଙ୍କ କଥା କହି ଅଛନ୍ତି, ସେମାନେ ଯେ କେଉଁ ସମୟରେ ବିଦ୍ୟମାନ ଥିଲେ, ସେ କଥା ଗୋଲ୍‌ଡ଼ଷ୍ଟୁକର ଅନୁମାନ ଦ୍ଵାରା ସିଦ୍ଧାନ୍ତ କରି ଅଛନ୍ତି । ପୂର୍ବାପର ପ୍ରାଚୀନ ଇତିହାସର ସାମଞ୍ଜସ୍ୟ ରକ୍ଷା କରିବାକୁ ହେଲେ, ବିଷ୍ଣୁ ପୁରାଣାଦି କଥିତ ମୌର୍ଯ୍ୟ ବଂଶର ଆଦିଭୁତ ଚନ୍ଦ୍ରଗୁପ୍ତ ଆହୁରି ପୂର୍ବବର୍ତ୍ତୀ କାଳର ନରପତି ବୋଲି ପ୍ରତିପନ୍ନ ହୁଏ । ଯାହା ହେଉ ଅନୁଷ୍ଟୁପ୍ ଆଦି ଛନ୍ଦରେ ଲିଖିତ ଯେଉଁସବୁ କବିତା ମହାଭାଷ୍ୟରେ ଉଦ୍ଧୃତ ହୋଇଅଛି, ସେଥିରୁ ଜଣାଯାଏ ଯେ, ଏ ଦେଶରେ ତତ୍‌ପୂର୍ବେ ସଂସ୍କୃତ କବିତା ପ୍ରଚୁର ପରିମାଣରେ ଥିଲା । ପତଞ୍ଜଳିଙ୍କ ମହାଭାଷ୍ୟୋଦ୍ଧୃତ କବିତାବଳୀ ପରେ ଅଶ୍ଵଘୋଷ ବିରଚିତ “ବୁଦ୍ଧଚରିତ’’ ବିଶେଷ ଭାବରେ ଉଲ୍ଲେଖିତ ହୋଇଥାଏ । ସୁତରାଂ ଅଶ୍ଵଘୋଷ ଯେ ପଞ୍ଚମ ଶତାବ୍ଦୀର ପୁବବର୍ତ୍ତୀ, ଏଥିରେ ସଂଶୟ ନାହିଁ । ବୌଦ୍ଧମାନଙ୍କ ମଧ୍ୟରେ ପ୍ରବାଦ ଅଛି ଯେ, ଅଶ୍ଵଘୋଷ ରାଜା କନିଷ୍କଙ୍କ ସମସାମୟିକ । ସୁତରାଂ ସେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ପୂର୍ବେ ବିଦ୍ୟମାନ ଥିଲେ । ସେ ହିନ୍ଦୁ କବିମାନଙ୍କ କାବ୍ୟଗ୍ରନ୍ଥସମୂହକୁ ଅନୁସରଣ କରି ବୁଦ୍ଧଚରିତ ରଚନା କରିଥିବାର ଜଣାଯାଏ । ମହାକବି କାଳିଦାସଙ୍କ ରଚନା ସହିତ ତାଙ୍କ ରଚନାକୁ ତୁଳନା କଲେ ଅନେକ ତଥ୍ୟ ନିରୂପିତ ହୁଏ । ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଗବେଷଣା ପ୍ରଭାବରୁ ଯେଉଁସବୁ ଖୋଦିତ ଲିପି ଆବିଷ୍କୃତ ହୋଇଅଛି, ସେ ସବୁ ଆଲୋଚନା କଲେ ଦେଖାଯାଏ ଯେ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀଠାରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଅନେକ କବିଙ୍କର କବିତ୍ୱ ପ୍ରଭାବ ବିକାଶ ପାଇଅଛି । “କରପସ୍ ଇନ୍‌ସ୍କ୍ରିପ୍‌ସନ ଇଣ୍ଡିକାରମ୍” ଗ୍ରନ୍ଥରେ ମି. ଫ୍ଲିଟ୍‌ ଏତତ୍ ପ୍ରସଙ୍ଗାନୁକୁଳ ଅଷ୍ଟଦଶାଧିକ ଲିପି ଫଳକର ଉଦ୍ଧାର ସାଧନ କରି ଅଛନ୍ତି । ଏହାର ଅଧିକାଂଶ କବିତା ଛନ୍ଦରେ ସଂଗ୍ରଥିତ । ଯେଉଁ ଅଂଶ ଗଦ୍ୟରେ ଲେଖା ହୋଇଅଛି, ତାହା ମଧ୍ୟ ଆଦର୍ଶ ମୂଳକ-। ପାଠୋଦ୍ଧାର ଦ୍ଵାରା ଏହିସବୁ ଲିପି ଫଳକର କାଳ ନିର୍ଣ୍ଣୟ ହୋଇଅଛି । ସେଥିରୁ ଜଣାଯାଏ ଯେ, ଲିପି ଫଳକ ଗୁଡ଼ିକ ୩୫୦ ଖ୍ରୀଷ୍ଟାବ୍ଦଠାରୁ ୫୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଖୋଦିତ ହୋଇଥିଲା । ଏହି ସମସ୍ତ ଲିପିଫଳକରେ ପ୍ରଧାନତଃ ଗୁପ୍ତ ରାଜଗଣ ପ୍ରବର୍ତ୍ତିତ ଶକର ଉଲ୍ଲେଖ ଅଛି । ୩୧୯ ଖ୍ରୀଷ୍ଟାବ୍ଦରେ ଗୁପ୍ତ ଶକର ପ୍ରବର୍ତ୍ତନା । ବିକ୍ରମାଦିତ୍ୟ ଅଭିଧେୟ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ପ୍ରଥମେ ଗୁପ୍ତ ଶକର ବ୍ୟବହାର କରିଥିଲେ । ତତ୍‌ପ୍ରବର୍ତ୍ତିତ ଖୋଦିତ ଲିପିରେ ଏବଂ ମୁଦ୍ରା ଦେହରେ ୪୦୦ ଠାରୁ ୪୧୩ ଖ୍ରୀଷ୍ଟାଦ୍ଦର ନିର୍ଦ୍ଦେଶ ମିଳେ । କୌଣସି କୌଣସି ଲିପିଫଳକରେ ମାଳବ ଶକ ଦେଖାଯାଏ । ଏହି ଶକ ଖ୍ରୀଷ୍ଟପୂର୍ବ ୫୭ ଅବ୍ଦରେ ପ୍ରବର୍ତ୍ତିତ ହୋଇଥିଲା । ପ୍ରୋକ୍ତ ଖୋଦିତ ଲପିର ଅଧିକାଂଶ ରାଜାଙ୍କ ଯଶୋଘୋଷଣା ଓ ମଙ୍ଗଳକାମନା । ଏହିସବୁ ଲିପିଫଳକର କବିତାମାନ ଆଲୋଚନା କଲେ ଜଣାଯାଏ ଯେ, ଚତୁର୍ଥ, ପଞ୍ଚମ, ଷଷ୍ଠ ଖ୍ରୀଷ୍ଟୀୟ ଶତାବ୍ଦୀର ରଚନାପ୍ରଣାଳୀ ପ୍ରାଚୀନ କାଳର କାବ୍ୟଗ୍ରନ୍ଥ ସହିତ ସମ୍ପୂର୍ଣ୍ଣ ସାଦୃଶ୍ୟମୂଳକ, ସୁତରାଂ ଅଭିନ୍ନ । ଗୁପ୍ତବଂଶୀୟ ଦ୍ୱିତୀୟ ନୃପତି ସମୁଦ୍ରଗୁପ୍ତ ଚତୁର୍ଥ ଶତାବ୍ଦୀର ଶେଷାର୍ଦ୍ଧେ ବିଦ୍ୟମାନ ଥିଲେ । ସମୁଦ୍ରଗୁପ୍ତ ନିଜେ କବିପ୍ରତିଭା ସମ୍ପନ୍ନ ଏବଂ କବିମାନଙ୍କ ଆଶ୍ରୟଦାତା ବୋଲି ପରିଚିତ । ତାହାଙ୍କ ଅନୁଗ୍ରହପ୍ରାପ୍ତ କବିମାନଙ୍କ ମଧ୍ୟରେ ହରି ସେନା ପ୍ରଧାନ । ସେ ଆପଣା ଆଶ୍ରୟଦାତା ରାଜାଙ୍କ ଯଶୋଗୀତିମୂଳକ କେତେଗୋଟି ପଦ୍ୟ ଓ ଗଦ୍ୟ ଲେଖିଥିଲେ । ଏଥିରୁ ମହାକବି କାଳିଦାସ ଓ ଦଣ୍ଡୀଙ୍କର ସମକକ୍ଷତାର ପରିଚୟ ମିଳେ । ସଂସ୍କୃତ କବିତାର ରୀତି ଓ ପଦ୍ଧତି ଯଥାଯଥ ଅନୁସରଣ କରିଥିବାର ମଧ୍ୟ ଜଣାଯାଏ । ଗଦ୍ୟାଂଶ ସବୁ ଯୌଗିକ ପଦବିଶିଷ୍ଟ । ଗୋଟିଏ ଗୋଟିଏ ଶବ୍ଦରେ ବିଂଶତ୍ୟଧିକ ଶବ୍ଦାଂଶ ପର୍ଯ୍ୟନ୍ତ ଦେଖାଯାଏ । କିନ୍ତୁ ତାଙ୍କ କବିତା ସ୍ଵତଃ ଭାବାପନ୍ନ । ତାଙ୍କ ଭାଷା ସରଳ ଓ ସମସ୍ତପଦ ବିହୀନ । ହରି ସେନ ଯେଉଁ ପଦ୍ଧତି ଅନୁସୃତ କରିଥିଲେ, ତୃତୀୟ ଶତାବ୍ଦୀରେ ବୀରସେନ ତାଙ୍କର ସେହି ପଦ୍ଧତି ଅନୁସରଣ କରିଥିବାର ଦେଖାଯାଏ ।

 

ବୀରସେନ ସମୁଦ୍ରଗୁପ୍ତଙ୍କ ଉତ୍ତରାଧକାରୀ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କର ସଚିବ ଥିଲେ । ୫୨ ମାଳବ ଶକାବ୍ଦର ଆଉ ଗୋଟିଏ ଲିପି ଆବିଷ୍କୃତ ହୋଇଅଛି । ଏଥରେ ଚତୁଶ୍ଚତ୍ଵାରିଂଶ ଶ୍ଳୋକ ନିବନ୍ଧ ପଞ୍ଚାଦଶଧିକ ଶତତମ ଚରଣ ଗୋଟିଏ କବିତା ଅଛି । ଦାସପୁରର ସୂର୍ଯ୍ୟବେଢ଼ା ମନ୍ଦିର ଉତ୍ସର୍ଗ ଦଦ୍ଦେଶ୍ୟରେ କବି ବତ୍ସଭଟ୍ଟ କର୍ତ୍ତୃକ ଏହି କବିତା ରଚିତ ହୋଇଥିଲା । ଏହି କବିତାକୁ ଆଲୋଚନା କଲେ ଜଣାଯାଏ ଯେ, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଭାରତରେ କାବ୍ୟ ସାହିତ୍ୟ ବିଶେଷ ସମୃଦ୍ଧିସମ୍ପନ୍ନ ଥିଲା । ମହାକବି କାଳିଦାସଙ୍କ ରଚନା ସହିତ ଏ କବିତାର ବିଶେଷ ସାଦୃଶ୍ୟ ଅଛି । ଏପ୍ରକାର ସାଦୃଶ୍ୟ ଦେଖିଲେ ମନେହୁଏ ଯେ, ବତ୍ସଭଟ୍ଟି ମହାକବି କାଳିଦାସଙ୍କ ପରବର୍ତ୍ତୀ ଲେଖକ ଥିଲେ । ଏହି ସାଦୃଶ୍ୟ ଦେଖ ପାଶ୍ଚାତ୍ୟ ପଣ୍ତିତମାନେ ଅନୁମାନ କରନ୍ତି ଯେ, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ପ୍ରାରମ୍ଭରେ ମହାକବି କାଳିଦାସ ଦ୍ଵିତୀୟ ବିକ୍ରମାଦିତ୍ୟ ଅଭିଧେୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱ ସମୟରେ ବିଦ୍ୟମାନ ଥଲେ । ଗୁପ୍ତ ରାଜଗଣଙ୍କ ରାଜତ୍ଵ କାଳରେ ପ୍ରଚାରିତ ପ୍ରୋକ୍ତ ଲିପି ସମୂହ ଭିନ୍ନ ଗୀର୍ଣ୍ଣାର ଏବଂ ନାସିକାରେ ଆଉ ଦୁଇ ଗୋଟି ଖୋଦିତ ଲିପି ମିଳିଅଛି । ଏହି ଦୁଇ ଲିପି ଦ୍ୱିତୀୟ ଶତାବ୍ଦୀର ପଦ୍ୟ କାବ୍ୟର ନିଦର୍ଶନ । ପୌରାଣିକ କଥା-ସାହିତ୍ୟ ଓ ରସନ୍ୟାସ ହସିତ ଏହି ରଚନାର ସାଦୃଶ୍ୟ ଦେଖାଯାଏ ।

 

ଏହି ପଦ୍ୟରଚନା ମଧ୍ୟରେ ଯେପରି ବଡ଼ ବଡ଼ ଯୌଗିକ ଶବ୍ଦମାନଙ୍କର ସମାବେଶ ଅଛି, ସେହିପରି ଅନୁପ୍ରାସ, ଉପମା, ଛନ୍ଦ ପ୍ରଭୃତିରେ ଏହା ସୁଶୋଭିତ । ଏ ରଚନା ହରିସେନଙ୍କ ରଚନା ପରି ଯୌଗିକ ଶବ୍ଦାଡମ୍ବରପୂର୍ଣ୍ଣ ନୁହେଁ, କିନ୍ତୁ ଦଣ୍ଡୀ, ସୁବନ୍ଧୁ ବାଣ ପ୍ରଭୃତିଙ୍କ ରଚନା ଅପେକ୍ଷା ଶବ୍ଦ-ସମ୍ପଦ-ବିଶିଷ୍ଟ । ଗିର୍ଣ୍ଣାରର ଖୋଦିତ ଲିପିରୁ ଜଣାଯାଏ ଯେ, ରଚୟିତାଙ୍କୁ କବିତା ରଚନାପଦ୍ଧତି ସମ୍ପୂର୍ଣ୍ଣ ବିଦିତ ଥିଲା । ଏହି ସମସ୍ତ ଆଲୋଚନା କରି ପାଶ୍ଚାତ୍ୟ ପଣ୍ଡିତମାନେ ଅନୁମାନ କରନ୍ତି ଯେ, ଖ୍ରୀଷ୍ଟୀୟ ପ୍ରଥମ ବା ଦ୍ୱିତୀୟ ଶତାବ୍ଦୀରେ ଭାରତରେ କାବ୍ୟ ସାହିତ୍ୟର ଅଙ୍କୁରୋଦ୍‌ଗମ ହୋଇଥିଲା ଏବଂ ଷଷ୍ଠ ଶତାବ୍ଦୀରେ କାଳିଦାସ ପ୍ରଭୃତି ଆବିର୍ଭୂତ ହୋଇ କବିତ୍ୱସ୍ଫୂର୍ତ୍ତି ଦେଖାଇଥିଲେ-। ଅଧ୍ୟାପକ ମାକ୍ଵମୁଲାର ମଧ୍ୟ ଏହି ମତ ଅନୁସରଣ କରିଅଛନ୍ତି । ସେ କହନ୍ତି, ଷଷ୍ଠ ଶତାବ୍ଦୀରେ ସଂସ୍କୃତ ସାହିତ୍ୟ ପୁନଃର୍ଜୀବନ ଲାଭ କରିଥିଲା । ଶକ ଓ ଅନ୍ୟାନ୍ୟ ବୈଦେଶିକ ଜାତିମାନଙ୍କ ପୁନଃ ପୁନଃ ଭାରତ ଆକ୍ରମଣଦ୍ଵାରା ଖ୍ରୀଷ୍ଟୀୟ ପ୍ରଥମ ଦୁଇ ଶତାବ୍ଦୀରେ ସଂସ୍କୃତ ସାହିତ୍ୟଚର୍ଚ୍ଚା ଭାରତରୁ ଲୋପ ପାଇଥିଲା । ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଉଜ୍ଜୟିନୀ ଅଧିପତି ବିକ୍ରମାଦିତ୍ୟଙ୍କ ପୃଷ୍ଠପୋଷକତା ଦ୍ଵାରା କାଳିଦାସ ପ୍ରମୁଖ କବିମାନଙ୍କ ଅଭ୍ୟୁଦୟ ହୋଇଥିଲା । ତାଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୭ ଅବ୍ଦଠାରୁ ବିକ୍ରମ ଶକ ଗଣନା ହେଇଥିଲା ସତ୍ୟ, କିନ୍ତୁ ୫୪୪ ଖ୍ରୀଷ୍ଟାବ୍ଦଠାରୁ ବିକ୍ରମ ଶକ ପ୍ରଚଳିତ ହୋଇଥିଲା । ମିଷ୍ଟର ଫାର୍ଗୁସନ ପ୍ରଥମେ ଏହି ମତ ପ୍ରଚାର କରିଥିଲେ । ତାଙ୍କ ମତରେ ଉଜ୍ଜୟିନୀରାଜା ବିକ୍ରମାଦିତ୍ୟ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଶକମାନଙ୍କୁ ଭାରତବର୍ଷରୁ ବିତାଡ଼ିତ କରିଥିଲେ । ଏହି ଘଟନାକୁ ସ୍ମରଣ କରିବା ଲାଗି ଛ ଶତ ବର୍ଷ ପୂର୍ବରୁ ଗଣନା କରି ବିକ୍ରମାଦିତ୍ୟ ଶକାବ୍ଦର ପ୍ରବର୍ତ୍ତନ କରିଥିଲେ । ଉଜ୍ଜୟିନୀ ରାଜବଂଶର ଗୋଟିଏ ବଂଶାବଳୀ ସଂଗ୍ରହ କରି ପ୍ରଧାନତଃ ସେଥିରୁ ଫାର୍ଗୁସନ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ । ତେବେ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମଧ୍ୟରେ ଏ ବିଷୟରେ ନାନା ପ୍ରକାର ବିତର୍କ ବିତଣ୍ଡା ଚାଲିଅଛି । ମାତ୍ର ସେମାନଙ୍କ ସିଦ୍ଧାନ୍ତ ଅଭ୍ରାନ୍ତ ନୁହେଁ । ଲିପିଫଳକ ବା ଶିଳାଫଳକ ଅବସ୍ଥାର ପରିଚାୟକ ନୁହେଁ-। ଜାତି ସଭ୍ୟ ସମୁନ୍ନତ ଓ ପ୍ରତିଷ୍ଠାନ୍ଵିତ ନ ହେଲେ ତାହାର ବିଜୟବାର୍ତ୍ତା ଲିପିଫଳକଦ୍ୱାରା ବିଘୋଷିତ ହୁଏ ନାହିଁ । ବର୍ତ୍ତମାନ ବ୍ରିଟିଶ ରାଜତ୍ୱରେ ପ୍ରତି ସଦନୁଷ୍ଠାନର ପରିଚୟ ପ୍ରସଙ୍ଗ ପ୍ରସ୍ତରଲିପିରେ ରଖାଯାଉଅଛି । ଯେଉଁଠାରେ ବିଦ୍ୟାମନ୍ଦିର ପ୍ରତିଷ୍ଠିତ ହେଉଅଛି, ସେଠାରେ ପ୍ରସ୍ତରଫଳକ ଖୋଦିତ ଲିପିଦ୍ୱାରା ତାହା ପରିଚତ ହେଉଅଛି । ଏହିପରି ବିଂଶ ଶତାବ୍ଦୀର ଅଧିକାଂଶ ଅନୁଷ୍ଠାନ ମଧ୍ୟରେ ଲିପିଫଳକର ପ୍ରଭାବ ଦେଖାଯାଏ । ଇଂରେଜ ରାଜତ୍ଵକାଳରେ ଇଂରାଜୀ ସାହିତ୍ୟ ଅର୍ଥାତ୍‍ ଫଳକଖୋଦିତ ଲିପିଦ୍ୱାରା ତାହା ପରିଚିତ ହେଉଅଛି । ଏହିପରି ବିଂଶ ଶତାବ୍ଦୀର ଅଧିକାଂଶ ଅନୁଷ୍ଠାନ ମଧ୍ୟରେ ଲିପିଫଳକର ପ୍ରଭାବ ଦେଖାଯାଏ । ଇଂରେଜ ରାଜତ୍ୱକାଳରେ ଇଂରେଜୀ ଭାଷାରେ ଏହି ଫଳକ ଖୋଦିତ ହେଉଅଛି । ସୁତରାଂ କଣ କହିବାକୁ ହେବ ଯେ, ଇଂରାଜୀ ସାହିତ୍ୟ ଅର୍ଥାତ୍‌ ଫଳକଖୋଦିତ ଭାଷାର ଏହାହି ଆଦି ସ୍ତର ? ଅଧୁନା ସଂସ୍କୃତ କବିତାରେ ଅନେକ ଲିପିଫଳକ ଲେଖା ହେଉଅଛି । କିଛିକାଳ ପରେ କେହି କେହି ପାରେ ଯେ, “ସଂସ୍କୃତ କବିତାର ବିକାଶ ପ୍ରାପ୍ତିର ଏହାହଁ ଆଦିସ୍ତର ।’’ ଏହା କେବେ ହୋଇ ନ ପାରେ । ଏକା ଏହି ଦୃଷ୍ଟାନ୍ତରୁ ବରଂ କୁହାଯାଇ ପାରେ ଯେ, ଗିର୍ଣ୍ଣାର ପ୍ରଭୃତି ସ୍ଥାନରେ ଯେଉଁ ସବୁ ଶିଳାଲିପି ଆବିଷ୍କୃତ ହୋଇଅଛି, ତାହା ସଂସ୍କୃତ ସାହିତ୍ୟର ଆଦିପୂର୍ବ ନୁହେଁ । ସୁତରାଂ ଏହି ସମସ୍ତ ଲିପିଫଳକୁ କ୍ରମବିକାଶଦ୍ଵାରା ଖ୍ରୀଷ୍ଟୀୟ ପଞ୍ଚମ ଷଷ୍ଠ ଶତାବ୍ଦୀରେ ଯେ କାଳିଦାସ ପ୍ରମୁଖ କବି ମାନଙ୍କର ଅଭ୍ୟୁଦୟ ଘଟିଥିଲା ବୋଲି କୁହାଯାଇଅଛି, ତାହା ଭ୍ରମମୂଳକ । ମହାକବି କାଳିଦାସ ପ୍ରମୁଖ କବିମାନଙ୍କ ଗ୍ରନ୍ଥ ଆଲୋଚନା କଲେ ଭ୍ରମ ବିଶଦୀକୃତ ହୁଏ ।

 

 

॥୨॥

ବିକ୍ରମାଦିତ୍ୟ ଓ କାଳିଦାସ

ପ୍ରାଚୀନ ଭାରତବର୍ଷରେ ଅନେକ କାଳିଦାସ ଓ ଅନେକ ବିକ୍ରମାଦିତ୍ୟ ଥିଲେ । ଟିକିଏ ଅନୁସନ୍ଧାନ କଲେ ଜଣାଯାଏ ଯେ, ବିକ୍ରମାଦିତ୍ୟର ଅର୍ଥ ‘କ୍ଷମତାଶାଳୀ ରାଜଚକ୍ରବର୍ତ୍ତୀ’ ଏବଂ ‘କାଳିଦାସ’ ଅର୍ଥ କବି । ରାଜାମାନଙ୍କ ମଧ୍ୟରେ ଯେ ଗୋଟିଏ କ୍ଷମତାଶାଳୀ ହେଲା, ସେ ଆପଣାକୁ ବିକ୍ରମାଦିତ୍ୟ ବୋଲି ପରିଚୟ ଦେଉଥିଲା ଏବଂ ଯେ ଟିକିଏ କବିତ୍ଵର ବଡ଼ାଇ କରୁଥିଲା, ସେ ଆପଣାକୁ କାଳିଦାସ ବୋଲି ପରିଚୟ ଦେଉଥିଲା । ଆଜିକାଲି ମଧ୍ୟ ସ୍ତାବକମାନେ ରାଜା ମହାରାଜାଙ୍କ ଗୁଣ ବର୍ଣ୍ଣନା କରିବାକୁ ଯାଇ ସେମାନଙ୍କୁ ବିକ୍ରମାଦିତ୍ୟ ବୋଲି ସମ୍ବୋଧନ କରନ୍ତି ଏବଂ କଥା କଥାକେ ଲୋକମାନେ କବିମାନଙ୍କୁ ‘କବି କାଳିଦାସ’ ଆଖ୍ୟା ଦେଇଥାନ୍ତି । ସୁତରାଂ ଏହିପରି ଅନେକ ବିକ୍ରମାଦିତ୍ୟ ଓ ଅନେକ କାଳିଦାସ ଥାଇ ପାରନ୍ତି । ଯାହାହେଉ ଇତିହାସରେ କେତେଜଣ ପ୍ରସିଦ୍ଧ ବିକ୍ରମାଦିତ୍ୟ ଓ କେତେଜଣ ପ୍ରସିଦ୍ଧ କାଳିଦାସ ଥିଲେ, ତାହା ଦେଖାଯାଏ । ପ୍ରଥମ ବିକ୍ରମାଦିତ୍ୟ- ସଂବତ୍‌କର୍ତ୍ତା, ନବରତ୍ନଙ୍କ ଆଶ୍ରୟଦାତା । ସେ ଖ୍ରୀଷ୍ଟଜନ୍ମ ପୂର୍ବବର୍ତ୍ତୀ କାଳରେ ବିଦ୍ୟମାନ ଥିଲେ । ମହାକବି କାଳିଦାସ - ରଘୁବଂଶ, କୁମାରସମ୍ଭବ ପ୍ରଭୃତି କାବ୍ୟପ୍ରଣେତା କାଳିଦାସ । ଏହି ବିକ୍ରମାଦିତ୍ୟଙ୍କ ଆଶ୍ରୟରେ ପରିପୁଷ୍ଟ ହୋଇଥିଲା । ଆମ୍ଭେମାନେ ଏହି ମତ ସମର୍ଥନ କରିବା ଉଚିତ । ଦ୍ୱିତୀୟ ବିକ୍ରମାଦିତ୍ୟ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ବିଦ୍ୟମାନ ଥିଲେ । ସେ ପ୍ରଥମ ଚନ୍ଦ୍ରଗୁପ୍ତ ନାମରେ ପରିଚିତ । ତାଙ୍କର ୩୧୯ ଖ୍ରୀଷ୍ଟୀବ୍ଦରେ ପ୍ରଚାରିତ ଏକ ଖୋଦିତ ଲିପି ମିଳିଅଛି । ତୃତୀୟ ବିକ୍ରମାଦିତ୍ୟ-ସମୁଦ୍ରଗୁପ୍ତ ଅଭିଧେୟ ବିକ୍ରମାଦିତ୍ୟ । କେହି କେହି ଏହାଙ୍କୁ । ଦ୍ୱିତୀୟ ସମୁଦ୍ରଗୁପ୍ତ ବୋଲି କହନ୍ତି । ୩୧୯ ଖ୍ରୀଷ୍ଟାବ୍ଦରେ ପ୍ରଚାରିତ ଏହାଙ୍କ ଲିପି ମିଳିଅଛି ଆଲାହାବାଦ ଦୁର୍ଗରେ ଅଶୋକ-ଲାଟ-ସ୍ତମ୍ଭରେ । ଏହି ସମୁଦ୍ରଗୁପ୍ତଙ୍କ ଲିପି ଆବିଷ୍କୃତ ହୋଇଅଛି । ପୂର୍ବରେ ଡବାକ (ଢାକା) ଏବଂ ପଶ୍ଚିମରେ ସିନ୍ଧୁ ପ୍ରଦେଶ ପର୍ଯ୍ୟନ୍ତ ତାହାଙ୍କ ପ୍ରତାପ ବିସ୍ତୃତ ହୋଇଥିଲା । ଅଧୁନା କେହି କେହି ପଣ୍ଡିତ ସିଦ୍ଧାନ୍ତ କରନ୍ତି ଯେ, ବଙ୍ଗଦେଶାନ୍ତର୍ଗତ ସମୁଦ୍ରରେ ଏହାଙ୍କର ଗଡ଼ ଥଲା ଏବଂ କାଳିଦାସ ଏହାଙ୍କ ଆଶ୍ରୟଲାଭ ଦ୍ଵାରା ପ୍ରତିଷ୍ଠାପନ୍ନ ହୋଇଥିଲେ । ଚତୁର୍ଥ ବିକ୍ରମାଦିତ୍ୟ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ବିଦ୍ୟମାନ ଥିଲେ ଏବଂ ଏହାଙ୍କ ନାମ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଥିଲା । ୪୦୧ ଠାରୁ ୪୧୮ ମଧ୍ୟରେ ତାହାଙ୍କ ପ୍ରଚଳିତ ମୁଦ୍ରା ଓ ଲିପିଫଳକ ମିଳୁଅଛି । ପଞ୍ଚମ ବିକ୍ରମାଦିତ୍ୟ-ମିଷ୍ଟର ଫ୍ଲୀଟଙ୍କ କଥିତ ବିକ୍ରମାଦିତ୍ୟ । ଫ୍ଲୀଟ କହନ୍ତି, ପ୍ରଥମ ବା ଦ୍ୱିତୀୟ ଚନ୍ଦ୍ରଗ୍ରୁପ୍ତ ନାମରେ ଏହି ବିକ୍ରମାଦିତ୍ୟ ପରିଚିତ ଥିଲେ । ୫୪୪ ଖ୍ରୀଷ୍ଟାବ୍ଦରେ ସେ ବିକ୍ରମ ଅବ୍ଦ ପ୍ରବର୍ତ୍ତନା କରିଥିଲେ । ମହାକବି କାଳିଦାସଙ୍କ ପୃଷ୍ଠପୋଷଣ ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଷଷ୍ଠ ବିକ୍ରମାଦିତ୍ୟ-ଷଷ୍ଠ ଶତାବ୍ଦୀର ବିକ୍ରମାଦିତ୍ୟ । ପାଶ୍ଚାତ୍ୟ ପଣ୍ଡିତ ମାକ୍ସମୁଲାର ଅସ୍ମଦ୍ଦେଶୀୟ ରମେଶଚନ୍ଦ୍ର ପ୍ରଭୃତି ବିକ୍ରମାଦିତ୍ୟଙ୍କୁ କାଳିଦାସଙ୍କ ପୃଷ୍ଠପୋଷକ ଭାବେ କହିଅଛନ୍ତି । ହୁଏନ୍‌ ସାଂଙ୍କ ଭ୍ରମଣ ବୁତ୍ତାନ୍ତ କାଶ୍ମୀର ବିଜୟ ଉପଲକ୍ଷରେ ରାଜ୍ୟ ରାଜତରଙ୍ଗିଣୀରେ ଯେଉଁ, ବିକ୍ରମାଦିତ୍ୟଙ୍କ ନାମ ଲେଖା ଅଛି, ସେ ଏହି ବିକ୍ରମାଦିତ୍ୟ । ହୁଏନ୍‍ ସାଂ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଭାରତକୁ ଆସିଥିଲେ । କଲ୍ୟାଣ ମିଶ୍ର ଖ୍ରୀଷ୍ଟୀୟ ଦ୍ଵାଦଶ ଶତବ୍ଦୀରେ ବିଦ୍ୟମାନ ଥିଲେ । ହୁୟେନ୍‌ସାଂ ଲେଖିଅଛନ୍ତି ଯେ ୫୮୦ ଖ୍ରୀଷ୍ଟାବ୍ଦରେ ଶିଳାଦିତ୍ୟ ରାଜତ୍ୱ କରିଥିଲେ । ବିକ୍ରମାଦିତ୍ୟ ତାହାଙ୍କ ଅବ୍ୟବହିତ ପୂର୍ବ ରାଜା ଥିଲେ । ଐତିହାସିକ କଲ୍‌ହାନ୍‌ କହନ୍ତି ଯେ, କନିଷ୍କଙ୍କ ପରେ ୩୦ ଜଣ ନୃପତି ରାଜତ୍ୱ କରିଥିଲେ, ତତ୍ପରେ ବିକ୍ରମାଦିତ୍ୟ ଆବିର୍ଭୂତ ହୋଇଥଲେ । ସେହି ବିକ୍ରମାଦିତ୍ୟଙ୍କ ପରନାମ ହର୍ଷ ବିକ୍ରମାଦିତ୍ୟ । ସେ ଉଜ୍ଜୟିନୀର ରାଜା ଥିଲେ । ସେ ଶକ କୁଳ ନିର୍ମୂଳ କରିଥଲେ । କବି ମାତୃଗୁପ୍ତ ତାଙ୍କର ଅନୁଗ୍ରହଭାଜନ ହୋଇଥିଲେ । କାଶ୍ମୀର ରାଜ୍ୟ ଜୟକରି ଏହି ବିକ୍ରମାଦିତ୍ୟ କବି ମାତୃଗୁପ୍ତଙ୍କ ହସ୍ତରେ ସେହି ରାଜ୍ୟର ଶାସନଭାର ଅର୍ପଣ କରିଥିଲେ । (ରାଜତରଙ୍ଗିଣୀ ତୃତୀୟ ତରଙ୍ଗ) । ୭୮ ଶକାବ୍ଦରେ କନିଷ୍କ ବିଦ୍ୟମାନ ଥିଲେ ଏବଂ ତାହାର ପରବର୍ତ୍ତୀ ରାଜାମାନଙ୍କ ରାଜତ୍ୱକାଳର ଗୋଟିଏ ମୋଟାମୋଟି ହିସାବ ଧରି ବିକ୍ରମାଦିତ୍ୟ କାଳିଦାସ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଲୋକ ବୋଲି ନିର୍ଣ୍ଣୟ କରାଯାଇ ପାରେ । ଏ ମତ ଅନୁସାରେ ମାତୃଗୁପ୍ତ ହିଁ କାଳିଦାସ ବୋଲି ଧରାଯାଏ । ପୂର୍ବୋକ୍ତ ବିକ୍ରମାଦିତ୍ୟ ଭିନ୍ନ ରାଜତରଙ୍ଗିଣୀରେ ଆଉ ଜଣେ ବିକ୍ରମାଦିତ୍ୟଙ୍କ କଥା ଉଲ୍ଲେଖ ଅଛି । ମାତୃଗୁପ୍ତଙ୍କ ରାଜତ୍ୱର ୩୯୪ ବର୍ଷ ପରେ ସେ, ସିଂହାସନ ଆରୋହଣ କରିଥିଲେ । ଏହାଙ୍କ ପରେ ଭୋଜରାଜ ବିକ୍ରମାଦିତ୍ୟ । ଉଜ୍ଜୟିନୀ ନଗରର ଅଧିପତି ଭୋଜରାଜ ବିକ୍ରମାଦିତ୍ୟ ବୋଲି ପରିଚିତ । ୧୧୦୦ ଖ୍ରୀଷ୍ଟାବ୍ଦରେ ସେହି ଭୋଜରାଜ ବିଦ୍ୟମାନ ଥିବାର ଜଣାଯାଏ । ଏହି ଭୋଜରାଜଙ୍କର ମଧ୍ୟ ନବରତ୍ନ ସଭା ଥିଲା, ଏଥିରେ କାଳିଦାସ ପ୍ରଭୃତିଙ୍କ ସହିତ ଭବଭୂତି, ମଲ୍ଲିନାଥ ପ୍ରଭୃତିଙ୍କ ନାମ ସଂଯୁକ୍ତ ଅଛି । ଏହି ଭୋଜରାଜ ବିକ୍ରମାଦିତ୍ୟଙ୍କୁ କେହି କେହି ଭୋଜରାଜା ବୋଲି କହନ୍ତି । କିନ୍ତୁ ପରବର୍ତ୍ତୀ କାଳରେ ମଧ୍ୟ ବିକ୍ରମାଦିତ୍ୟ ନାମରେ ଅନେକ ନରପତି ଥିଲେ ବୋଲି ଜଣାଯାଏ ।

 

ଯାହାହେଉ, ଏ ପ୍ରସଙ୍ଗରେ ସେମାନଙ୍କ ବିଷୟ ଆଲୋଚନାର ଆବଶ୍ୟକତା ନାହିଁ । ଉପରୋକ୍ତ ଯେ କେତେଜଣ ବିକ୍ରମାଦିତ୍ୟଙ୍କ ନାମ ଉଲ୍ଲେଖ କରାଗଲା, ତାହା ହିଁ ଯଥେଷ୍ଟ । ଏହିପରି ଯେତେ ବିକ୍ରମାଦିତ୍ୟ, ତେତେ କାଳିଦାସ; ବରଂ କାଳିଦାସ ସଂଖ୍ୟା ବେଶୀ । କାଳିଦାସଙ୍କ ନାମରେ କେତେ ପ୍ରକାର କେତେ ଗ୍ରନ୍ଥ ପ୍ରଚାରିତ ହୋଇଅଛି, ତାହା ଅନୁସନ୍ଧାନ କଲେ ଏ ତତ୍ତ୍ୱ କିଛି ଜଣାପଡ଼ିପାରେ । ନିମ୍ନଲିଖିତ ପୁସ୍ତକମାନ କାଳିଦାସଙ୍କ ନାମରେ ପ୍ରଚାରିତ; - ରଘୁବଂଶ, କୁମାରସମ୍ଭବ, ମେଘଦୂତ, ରତୁସଂହାର, ଦ୍ଵାତ୍ରିଂଶ ପୁତ୍ତଳିକା, ଅଭିଜ୍ଞାନ ଶକୁନ୍ତଳା, ବିକ୍ରମୋର୍ବଶୀ ନାଟକ, ମାଳିବିକାଗ୍ନିମିତ୍ର ନାଟକ, ନଳୋଦୟ, ଶୃଙ୍ଗାରତିଳକ, ଶୃତବୋଧ, ସେତୁକାବ୍ୟ, ଅମ୍ୱାସ୍ତବ, କାଳୀସ୍ତୋତ୍ର, କାବ୍ୟନାଟକାଳଂକାର, ଘଟକର୍ପର, ଚସ୍ତିକାଦଣ୍ଡ ସ୍ତୋତ୍ର, ଦୁର୍ଘଟକାବ୍ୟ, ନବରତ୍ନମାଳା, ନାନାର୍ଥକୋଷ, ପୁଷ୍ପବାଣବିଳାପ, ପ୍ରଶ୍ନୋତ୍ତରମାଳା, ରାକ୍ଷସକାବ୍ୟ, ଲଘୁସ୍ତବ, ବିଦ୍ଵଦବିନୋଦକାବ୍ୟ, ବୃତ୍ତରତ୍ନାବଳୀ, ବୁନ୍ଦାବନକାବ୍ୟ, ଶୃଙ୍ଗାରସାର, ଶ୍ୟାମଳଦଣ୍ଡକ, କୁଣ୍ଡପ୍ରବନ୍ଧ, ତ୍ରିପୁରାସୁନ୍ଦରୀ ସ୍ତୁତିଟୀକା, ଜ୍ୟୋତିର୍ବିହାଭରଣ, ରତ୍ନକୋଷ, ଶୁଦ୍ଧିଚନ୍ଦ୍ରିକା, ଗଙ୍ଗାଷ୍ଟକ, ମଙ୍ଗଳାଷ୍ଟକ, ଶତ୍ରୁପରାଭବଶାସ୍ତ୍ରସାର, ଅଭିନବ ଭାରତଚମ୍ପୁ, ଶୃଙ୍ଗାରକୋଷଭାଣ, ସାରସଂଗ୍ରହକାବ୍ୟ ଇତ୍ୟାଦି । ଏଥି ମଧ୍ୟରୁ କେତେକଟି ଗ୍ରନ୍ଥ ଯେ କାଳିଦାସଙ୍କ ରଚିତ ନୁହେଁ, ଏହା ସହଜରେ ଜଣାପଡ଼ିବ । ଦୃଷ୍ଟାନ୍ତ ସ୍ୱରୂପ ଦେଖନ୍ତୁ, କୁଣ୍ଡପ୍ରବନ୍ଧ ଏବଂ ତ୍ରିପୁରାସୁନ୍ଦରୀ ସ୍ତୁତିଟୀକା । ଏ ଦୁଇ ଗ୍ରନ୍ଥର ରଚୟିତା କାଳିଦାସ; କିନ୍ତୁ ପ୍ରଥମୋକ୍ତ ଗ୍ରନ୍ଥର ରଚୟିତା ଆପଣାକୁ ବଳଭଦ୍ର ପୁତ୍ର ଏବଂ ଦ୍ୱିତୀୟୋକ୍ତ ଗ୍ରନ୍ଥ ରଚୟିତା ଆପଣାକୁ ରାମଗୋବିନ୍ଦଙ୍କ ପୁତ୍ର ବୋଲି ପରିଚୟ ଦେଇଯାଇ ଅଛନ୍ତି, ସୁତରାଂ ଏ ଦୁଇ କାଳିଦାସ ଯେ ସ୍ଵତନ୍ତ୍ର କାଳିଦାସ, ଏହା ସହଜରେ ଜଣା ପଡ଼ୁଅଛି । ଏହିପରି ଶତ୍ରୁପରାଜୟ ଶାସ୍ତ୍ରକାରର ଗ୍ରନ୍ଥ ରଚୟିତା ‘କାଳିଦାସ ଗଣକ’ । ଭାରତ ଚମ୍ପୁ ଓ ଭାଗବତ ଚମ୍ପୁ ଗ୍ରନ୍ଥଦ୍ୱୟର ରଚୟିତା ‘ଅଭିନବ କାଳିଦାସ’ । ସୁତରାଂ ଏଠାରେ ମଧ୍ୟ ଆଉ ଦୁଇଜଣ କାଳିଦାସଙ୍କ ନାମ ମିଳୁଅଛି । ସେତୁବନ୍ଧ କାବ୍ୟ କାଳିଦାସଙ୍କ ରଚିତ ନୁହେଁ ବୋଲି କେହି କେହି ପ୍ରତିପନ୍ନ କରନ୍ତି । କାଶ୍ମୀର ରାଜପ୍ରବର ଏହି ଗ୍ରନ୍ଥର ରଚୟିତା ଥଲେ ବୋଲି କେହି କେହି କହନ୍ତି । ରଚନା ପ୍ରଣାଳୀର ତାରତମ୍ୟ ଦୃଷ୍ଟିରେ ବୃତ୍ତ ରତ୍ନାବଳୀ ଓ ପ୍ରଶ୍ନୋତ୍ତରମାଳା ଗ୍ରନ୍ଥଦ୍ଵୟ ରଘୁବଂଶାଦି ରଚୟିତା କାଳିଦାସଙ୍କ ରଚିତ ନୁହେଁ ବୋଲି କେହି କେହି କହନ୍ତି । ଘଟକର୍ପର କାବ୍ୟ କବି ଘଟକର୍ପରଙ୍କ ରଚିତ, ଅଥଚ କାଳିଦାସଙ୍କ ଗ୍ରନ୍ଥ ମଧ୍ୟରେ ଗଣ୍ୟ ହୋଇଥାଏ । ଜ୍ୟୋତିର୍ବିଦାଭରଣ ଗ୍ରନ୍ଥକୁ ଯଦିଟ ଆମ୍ଭେମାନେ କାଳିଦାସଙ୍କ ଗ୍ରନ୍ଥ ବୋଲି କହିଥାଉ, ତଥାଚ ରଘୁବଂଶ ପ୍ରଭୃତି ରଚନା ତୁଳନାରେ ଏ ଗ୍ରନ୍ଥ କାଳିଦାସଙ୍କ ରଚିତ ବୋଲି କେହି କେହି ବିଶ୍ଵାସ କରନ୍ତି ନାହିଁ । ଏସବୁ ବ୍ୟତୀତ ଅନ୍ୟାନ୍ୟ ନରପତିମାନଙ୍କ ରାଜତ୍ୱ କାଳରେ କାଳିଦାସ ନାମଧ୍ୟେୟ ବିଭିନ୍ନ କବିଙ୍କ ବିଦ୍ୟମାନତା ଦେଖାଯାଏ । ମଧ୍ୟଭାରତରେ ଭୋଜରାଜାଙ୍କର ରାଜଧାନୀ ଥଲା । କୌଣସି କୌଣସି ମତ ଅନୁସାରେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଏବଂ କୌଣସି କୌଣସି ମତରେ ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀରେ ସେ ବିଦ୍ୟମାନ ଥିବାର ଜଣାଯାଏ । ସେ ରାଜଚକ୍ରବର୍ତ୍ତୀ ବିକ୍ରମାଦିତ୍ୟ ବୋଲି ପରିଚିତ ଥିଲେ । ନବରତ୍ନ ସଭା ଓ କାଳିଦାସ ତାଙ୍କ ପ୍ରତିଷ୍ଠାର ପରିଚୟ । ତାଙ୍କ ସଭାରେ ଯେଉଁ କାଳିଦାସ ଥିଲେ, ଦ୍ୱାତ୍ରିଂଶ ପୁତ୍ତଳିକ ତାଙ୍କ ରଚିତ ବୋଲି ବୋଧ ହୁଏ । ଏ ଗ୍ରନ୍ଥରେ ଉଜ୍ଜୟିନୀର ରାଜା ବିକ୍ରମାଦିତ୍ୟ ଓ ତାଙ୍କ ପ୍ରତିଯୋଗୀ ଶାଳୀବାହନଙ୍କର ଟିକିଏ ପରିଚୟ ମିଳେ । ତଦନୁସାରେ ଉଜ୍ଜୟିନୀ ରାଜାଙ୍କ ନାମ ଭର୍ତ୍ତୃହରି । ବିକ୍ରମାଦିତ୍ୟ ତାଙ୍କ ଅନୁଜ ଭର୍ତ୍ତୃହରି ସଂସାରତ୍ୟାଗୀ ହୋଇ ବୈରାଗ୍ୟ ଅବଲମ୍ବନ କରିବାରୁ ବିକ୍ରମାଦିତ୍ୟ ରାଜା ହୋଇଥିଲେ । ସେହି ବିକ୍ରମାଦିତ୍ୟଙ୍କ ପ୍ରତିଷ୍ଠା ସମୟରେ ପ୍ରତିଷ୍ଠାନ ନଗରରେ ଶାଳୀବାହନ ଜନ୍ମ ଗ୍ରହଣ କରିଥିଲେ । ଦୈବଜ୍ଞ ପ୍ରଚାର କଲା ଯେ ଶାଳୀବାହନ ବିକ୍ରମାଦିତ୍ୟଙ୍କର ପ୍ରତିଯୋଗୀ ରାଜା ଏବଂ ବିକ୍ରମାଦିତ୍ୟଙ୍କୁ ସେ ମାରିବେ । ସେ ପ୍ରତିଷ୍ଠାନ ନଗରକୁ ଯାଇ ଶାଳୀବାହନକୁ ହତ୍ୟା କରିବାକୁ ଚେଷ୍ଟା କରୁ କରୁ ଆପେ ନିହତ ହୋଇଥିଲେ । ବିକ୍ରମାଦିତ୍ୟଙ୍କ ଲୋକାନ୍ତର ହେବାର ବହୁକାଳ ପରେ ଭୋଜରାଜ ଜନ୍ମଗ୍ରହଣ କରିଥିଲେ ଏବଂ ଉଜ୍ଜୟିନୀ ଆଧିପତ୍ୟ ରାଜା ହୋଇଥିଲେ । ଭୋଜରାଜାଙ୍କ ସମକ୍ଷରେ ଦ୍ଵାତ୍ରିଂଶ ପୁତ୍ତଳିକା ବିକ୍ରମାଦିତ୍ୟଙ୍କ ମହିମା କୀର୍ତ୍ତନ କରିଥିଲେ । ସୁତରାଂ ଏହି ଗ୍ରନ୍ଥ ଭୋଜରାଜାଙ୍କ ସମୟରେ ଲେଖା ହୋଇଥିବାର ଅନୁମାନ ହୁଏ । ଖ୍ରୀଷ୍ଟଜନ୍ନ ପ୍ରାରମ୍ଭରୁ କାଳିଦାସ ଓ ବିକ୍ରମାଦିତ୍ୟ ସମ୍ବନ୍ଧରେ ଏହି ପରି ବିତଣ୍ଡା ଚାଲିଅଛି । ନବରତ୍ନ ବିଦ୍ୟମାନତା ବିଷୟ ପ୍ରଥମେ ଜ୍ୟୋତିର୍ବିହାଭରଣ ଗ୍ରନ୍ଥରେ ଦେଖାଯାଏ । ବୁଦ୍ଧଗୟାର ଗୋଟିଏ ପ୍ରାଚୀନ ଲିପିରେ ବିକ୍ରମାଦିତ୍ୟ ଓ ନବରତ୍ନ ବିଷୟରେ ଲେଖାଅଛି । ଏପରି ସ୍ଥଳରେ କାଳିଦାସ ବିକ୍ରମାଦିତ୍ୟଙ୍କ ତଥ୍ୟ ଅନୁସନ୍ଧାନ କରିବା କଠିନ ବିଷୟ, ତାହା ବୁଝା ଯାଉଅଛି । ଭାରତବର୍ଷରେ ବହୁତ କାଳିଦାସ ଓ ବହୁତ ବିକ୍ରମାଦିତ୍ୟ ଓ ବହୁତ ନବରତ୍ନଙ୍କ ଆବିର୍ଭାବ ହୋଇଥିଲା ।

 

ମହାକବି କାଳିଦାସଙ୍କ କାଳ ନିର୍ଣ୍ଣୟରେ ଯେଉଁମାନେ କାଳିଦାସଙ୍କୁ ଷଷ୍ଠ ଶତାବ୍ଦୀର କବି ବୋଲି କହନ୍ତି, ସେମାନଙ୍କ ଯୁକ୍ତି ଏହି ଯେ, ବିକ୍ରମାଦିତ୍ୟଙ୍କ ସଭାସଦ୍‌ ମାତୃଗୁପ୍ତ ଥିଲେ । ହର୍ଷ ବିକ୍ରମାଦିତ୍ୟ ଉଜ୍ଜୟିନୀର ରାଜା ଥଲେ ଇତ୍ୟାଦି । ସୁତରାଂ ମାତୃଗୁସ୍ତ ଓ କାଳିଦାସ ଏକ ବ୍ୟକ୍ତି ଥିଲେ । ମାତୃଗୁପ୍ତ ସେମାନଙ୍କ ଗଣନା ଅନୁସାରେ ଷଷ୍ଠ ଶତାବ୍ଦୀର ଲୋକ ଥିଲେ, ସୁତରାଂ କାଳିଦାସ ସେହି ସମୟର ଲୋକ ।

 

କାଳିଦାସଙ୍କ କାଳ ନିର୍ଣ୍ଣୟର ଦ୍ୱିତୀୟ ଯୁକ୍ତି-ହର୍ଷଚରିତ କାବ୍ୟର ଗୋଟିଏ ଶ୍ଳୋକ-କୀର୍ତ୍ତିଃ ପ୍ରବର ସେନସ୍ୟ ପ୍ରୟାତା କୁମୁଦୋଜ୍ଜଳା । ସାଗରସ୍ୟ ପରଂ ପାରଂ କପିସେନେବ ସେତୁନା । ନିର୍ଗତାସୁ ନବା କସ୍ୟ କାଳିଦାସସ୍ୟ ସୂକ୍ତିଷୁ । ପ୍ରୀତିର୍ମଧୁରସାନ୍ଦ୍ରାସୁ ମଞ୍ଜରୀଷ୍ୱିବ ଜାୟତେ ।

 

ଏ କବିତାରେ ପ୍ରବରସେନ ଓ କାଳିଦାସଙ୍କ ନାମ ଲେଖା ଅଛି । ଏଥିରୁ ଜଣାଯାଏ, କାଶ୍ନୀର ରାଜା ପ୍ରବରସେନ ଏବଂ କାଳିଦାସ ଏକ ସମୟର ଲୋକ ଥଲେ । ମାତୃଗୁପ୍ତ ପ୍ରବରସେନଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରିଥିଲେ । ପ୍ରବରସେନ ଷଷ୍ଠ ଶତାବ୍ଦୀର ଲୋକ । ସୁତରାଂ କାଳିଦାସ ଷଷ୍ଠ ଶତାବ୍ଦୀର ଲୋକ ।

 

ତୃତୀୟ ଯୁକ୍ତି-‘କୁମାର ସମ୍ଭବ’ ଗ୍ରନ୍ଥରେ ଯାମିତ୍ର (କାମିତ୍ର) ଶବ୍ଦର ଉଲ୍ଲେଖ ।

 

ଅଥୌଷଧୀନାମଧିପସ୍ୟ ବୃଦ୍ଧୌ

 

ତଥୌ ଚ ଯା ମିତ୍ରଗୁଣାନ୍ୱିତାୟାଂ

ସମେତବନ୍ଧୁର୍ହିମବାନ୍‌ ସୂତୟା ।

 

ବିବାହଦୀକ୍ଷାବିଧିମନ୍ୱତିଷ୍ଠତ୍‌ ।

 

ଏହାର ଅର୍ଥ ଏହି ଯେ, ‘‘ଶୁକ୍ଳପକ୍ଷରେ ଯା ମିତ୍ର ସମନ୍ୱିତ ତିଥିରେ ବନ୍ଧୁବର୍ଗଙ୍କ ସହିତ ମିଳିତ ହୋଇ ହିମବାନ ଆପଣା କନ୍ୟାଙ୍କ ବିବାହ ସଂସ୍କାର କର୍ମ ଅନୁଷ୍ଠାନ କଲେ ।” ଜ୍ୟୋତିଷ ମତରେ ଯା ମିତ୍ର ଅର୍ଥ ଲଗ୍ନର ସପ୍ତମ ସ୍ଥାନ, ବିବାହ କାର୍ଯ୍ୟ ବେଳେ ଏ ସ୍ଥାନର ଶୁଦ୍ଧି ଦେଖିବାକୁ ହୁଏ । ଗ୍ରୀକ୍‌ମାନଙ୍କ ଜ୍ୟୋତିଷରେ ‘Deramatron’ (ଡେରାମେଟ୍ରନ୍) ଶବ୍ଦ ଦେଖାଯାଏ । ଯା ମିତ୍ର ଏହି ପ୍ରକାର ଅନୁସୃତି ବୋଲି କେହି କେହି କହନ୍ତି । ଗ୍ରୀକ୍‌ଜ୍ୟୋତିଷ ଶାସ୍ତ୍ରର ସମ୍ୟକ୍‌ ସ୍ଫୂର୍ତ୍ତି ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ସଂସାଧିତ ହୋଇଥିଲା । ଗ୍ରୀକ୍‌ଜ୍ୟୋତିଷ ଅନୁସରଣ କରି ‘ଯା ମିତ୍ର’ ଶବ୍ଦର ସୃଷ୍ଟି ଦ୍ଵାରା କାଳିଦାସ ଷଷ୍ଠ ଶତାବ୍ଦୀର ଲୋକ ବୋଲି ପ୍ରତିପନ୍ନ ହୁଏ ନାହିଁ । ଏ ମତର ପରିପୋଷକ ଚତୁର୍ଥ ଯୁକ୍ତି ଏହି ଯେ, କାଳିଦାସଙ୍କ କାବ୍ୟ ରଘୁବଂଶରେ ହୁନ୍‌ଜାତି କଥା ଉଲ୍ଲେଖ ଅଛି । ରାଜତରଙ୍ଗିଣୀର ପ୍ରଥମ ଅଧ୍ୟାୟରେ କାଶ୍ମୀର ରାଜ୍ୟ ଯବନଦ୍ୱାରା ଆକ୍ରମିତ ହୋଇଥିବା କଥା ଲେଖା ଅଛି । ୫୩୨-୩୩ ଖ୍ରୀଷ୍ଟାବ୍ଦରେ ହୁନାରାଜା ମିହିରକୁଳ କାଶ୍ମୀର ସିଂହାସନରେ ପ୍ରତିଷ୍ଠିତ ହୋଇଥିଲେ । ଦିଗ୍‌ବିଜୟ କରିବାକୁ ବାହାରି ଯଶୋଧର୍ମନ୍ ଏବଂ ବାଳାଦିତ୍ୟଙ୍କ ଦ୍ଵାରା ସେ ପରାଜିତ ହୋଇଥିଲେ । ରଘୁଙ୍କ ଦିଗ୍‌ବିଜୟ ବ୍ୟାପ-ଦେଶରେ ରଘୁବଂଶରେ କାଳିଦାସ ଏହି ଘଟଣା ବର୍ଣ୍ଣନା କରିଅଛନ୍ତି । ଏ ହିସାବ ଧରିଲେ ସେ ଷଷ୍ଠ ଶତାବ୍ଦୀ ପୂର୍ବେ ବିଦ୍ୟମାନ ଥିଲେ ବୋଲି ବୁଝା ଯାଉନାହିଁ । କାଳିଦାସଙ୍କୁ ଷଷ୍ଠ ଶତାବ୍ଦୀର ଲୋକ ବୋଲି ପ୍ରତିପନ୍ନ କରିବାର ଆଉ ଗୋଟିଏ ଯୁକ୍ତି ଅଛି-ରଘୁବଂଶରେ ଚନ୍ଦ୍ରଗ୍ରହଣର ଉଲ୍ଲେଖ । ପୃଥିବୀର ଛାୟାପାତଦ୍ଵାରା ଯେ ଚନ୍ଦ୍ରଗ୍ରହଣ ହୁଏ, ଏହା ଜ୍ୟୋତିର୍ବିଦ ଆର୍ଯ୍ୟଭଟ୍ଟଙ୍କ ପୂର୍ବେ ଭାରତରେ ଜଣା ନ ଥିଲା । ଆର୍ଯ୍ୟଭଟ୍ଟ ୪୭୬ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ । ଆର୍ଯ୍ୟଭଟ୍ଟଙ୍କ ମତ ଅନୁସରଣ କରିଥିବା ହେତୁ କାଳିଦାସ ତାଙ୍କ ପରବର୍ତ୍ତୀ ସମୟର ଲୋକ ବୋଲି ଜଣାଯାଏ । ଏହା ଏ ପକ୍ଷର ପଞ୍ଚମ ଯୁକ୍ତି । ଷଷ୍ଠ ଯୁକ୍ତି ଦିଙ୍‌ନାଗାଚାର୍ଯ୍ୟଙ୍କ ସହିତ କାଳିଦାସଙ୍କ ସମ୍ବନ୍ଧ । ସେ କାଳିଦାସଙ୍କ ସମସାମୟିକ ଓ ପ୍ରତିଯୋଗୀ ଥିଲେ । ସେ ଷଷ୍ଠ ଶତାବ୍ଦୀର ଲୋକ । ସୁତରାଂ କାଳିଦାସ ଷଷ୍ଠ ଶତାବ୍ଦୀର ଲୋକ । ସପ୍ତମ ଯୁକ୍ତି-ଫର୍ଗୁସନ ଆବିଷ୍କୃତ ବଂଶଲତା । ଏ ମତରେ ଦାଳିଦାସ ଷଷ୍ଠ ଶତାବ୍ଦୀର ଲୋକ । ଏହା ବ୍ୟତୀତ କେହି କହେ, ସେ ପଞ୍ଚମ ଶତାବ୍ଦୀର ଲୋକ; କେହି କହେ ସେ ଚତୁର୍ଥ ଶତାବ୍ଦୀର ଲୋକ; କାହା ମତରେ ସେ ତୃତୀୟ ଶତାବ୍ଦୀର ଲୋକ କେହି କହେ ସେ ଦ୍ୱିତୀୟ ଶତାବ୍ଦୀର ଲୋକ; କାହା ମତରେ ସେ ପ୍ରଥମ ଶତାବ୍ଦୀର ଲୋକ ଥିଲେ । ସ୍ଥୁଳତଃ ଆଲୋଚନା କରି ଦେଖିଲେ ଜଣାଯାଏ ଯେ, ମହାକବି କାଳିଦାସ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଲୋକ ଥିଲେ । ଷଷ୍ଠ ଶତାବ୍ଦୀର ଲୋକ ଥିବା ମତଟି ଭ୍ରମ ମୂଳକ । ପ୍ରଥମ କଥା ରାଜତରଙ୍ଗିଣୀ, କିନ୍ତୁ ଏଥିରେ ମାତୃଗୁପ୍ତ ଏବଂ କାଳିଦାସ ଏକ ଅଭିନ୍ନ ଲୋକ ବୋଲି ଉଲ୍ଲେଖ ନାହିଁ । ବରଂ କାଳିଦାସ ଓ ମାତୃଗୁପ୍ତଙ୍କ ନାମରେ ବିଭିନ୍ନ ଶ୍ଳୋକମାନ ଅଛି । ସେଥିରୁ କେତେଗୁଡ଼ିଏ ଶ୍ଳୋକ ସୂକ୍ତିକର୍ଣ୍ଣାମୃତ ଓ ବିତ୍ୟବିଚାରଚର୍ଚ୍ଚା ଏବଂ ସୁଭାଷିତାବଳୀ ପ୍ରଭୃତି ଗ୍ରନ୍ଥରେ କ୍ଷେମେନ୍ଦ୍ର ଉଦ୍ଧୃତ କରିଅଛନ୍ତି । କ୍ଷେମେନ୍ଦ୍ର କାଶ୍ମୀରର ଜଣେ ପ୍ରଧାନ କବି । ତାଙ୍କ ରଚିତ ୩୬ଖଣ୍ଡି ସଂସ୍କୃତ ଗ୍ରନ୍ଥ ଆବିଷ୍କୃତ ହୋଇଅଛି । ରାଜତରଙ୍ଗିଣୀରେ ଏହାଙ୍କ ନାମ ଉଲ୍ଲେଖ ଅଛି । ରାଜତରଙ୍ଗିଣୀ ପ୍ରଣେତା କବି କଲ୍ୟାଣ ମିଶ୍ର ୧୦୭୦ ଶକ ଅର୍ଥାତ୍‌ ୧୧୪୮ ଖ୍ରୀଷ୍ଟାବ୍ଦରେ ବିଦ୍ୟମାନ ଥିଲେ ବୋଲି ପ୍ରମାଣିତ ହୁଏ । ସୁତରାଂ କବି କ୍ଷେମେନ୍ଦ୍ର କଲ୍ୟାଣଙ୍କ ପୂର୍ବବର୍ତ୍ତି । କବି କ୍ଷେମେନ୍ଦ୍ରଙ୍କ ଗ୍ରନ୍ଥରେ ପୂର୍ବୋକ୍ତ ଭାବରେ କାଳିଦାସ ଓ ମାତୃଗୁପ୍ତ ଦୁଇ ସ୍ଵତନ୍ତ୍ର ବ୍ୟକ୍ତି ଭାବରେ ପରିଚିତ । ସୁତରାଂ ମାତୃଗୁପ୍ତ ଓ କାଳିଦାସ ଅଭିନ୍ନ ବ୍ୟକ୍ତି ବୋଳି ପ୍ରତିପନ୍ନ ହେଉ ନାହିଁ । ରାଘବ ଭଟ୍ଟ କୃତ ଶକୁନ୍ତଳା ଟୀକାରେ ମାତୃଗୁପ୍ତାଚାର୍ଯ୍ୟଙ୍କ ଶ୍ଲୋକ ଉଲ୍ଲେଖ ଅଛି । କାଳିଦାସ ଓ ମାତୃଗୁପ୍ତ ଏକ ବ୍ୟକ୍ତି ହୋଇଥିଲେ ତାହା ସେପରି ଉଦ୍ଧୃତ ହୋଇ ନ ଥାନ୍ତା । ପୁନଶ୍ଚ ପୁରୁଷୋତ୍ତମ ପ୍ରଣୀତ ‘‘ତ୍ରିକାଣ୍ଡଶେଷ” ଗ୍ରନ୍ଥରେ କାଳିଦାସଙ୍କର ଚାରିଗୋଟି ନାମର ଉଲ୍ଲେଖ ଅଛି, କିନ୍ତୁ ସେଥିମଧ୍ୟରେ ମାତୃଗୁପ୍ତ ନାମ ନାହିଁ । ମାତୃ ଗୁପ୍ତ ଚରିତ କୌଣସି ଗ୍ରନ୍ଥ ଥିବା କଥା ରାଜତରଙ୍ଗିଣୀ ପ୍ରଣେତା ସ୍ଵୀକାର କରନ୍ତି ନାହିଁ । ମାତୃଗୁପ୍ତଙ୍କ ସମୟ ନିର୍ଦ୍ଧାରଣ କଲେ ଏ ଭ୍ରମ ଦୂରୀଭୂତ ହୋଇପାରେ ଏବଂ ତଦ୍ଵାରା ମାତୃଗୁପ୍ତ ଓ କାଳିଦାସ ଖ୍ରୀଷ୍ଟପୂର୍ବ ଶତାବ୍ଦୀର ଲୋକ ବୋଲି ଜଣା ଯାଇପାରେ । ରାଜତରଙ୍ଗିଣୀ କଥିତ ମାତୃଗୁପ୍ତଙ୍କର ଯେଉଁ ସମୟ ନିର୍ଦ୍ଦେଶ କରାଯାଉଅଛି, ତଦ୍ଵାରା ଏହି ତତ୍ତ୍ଵକୁ ଜଣାଯାଏ । ହର୍ଶିଚରିତ ଦୁଇଗୋଟି ଶ୍ଳୋକରେ ମାତୃଗୁପ୍ତ ଓ କାଳିଦାସ ଦୁଇ ଜଣଙ୍କ ନାମ ଅଛି ସତ୍ୟ, କିନ୍ତୁ ସେ ସମସାମୟିକ କବି ବୋଲି ଲେଖା ନାହିଁ । କାଶ୍ମୀରର ପ୍ରବରସେନ ଓ କାଳିଦାସ ଏ ଦୁଇଜଣ ପ୍ରଧାନକବି ଥିଲେ ବୋଲି ଜଣାଯାଏ ।

 

ଅଧ୍ୟାପକ ମାକ୍ସମୁଲାର ‘‘ଯାମିତ୍ର” ଶବ୍ଦରୁ ତର୍କ ଉତ୍‌ଥାପନ କରି ଅଛନ୍ତି, ସେ ତର୍କ ଭିତ୍ତିହୀନ । ଅତି ପ୍ରାଚୀନ କାଳରୁ ଭାରତବର୍ଷରେ ଜ୍ୟୋତିଷ ଚର୍ଚ୍ଚା ହୋଇ ଆସୁଅଛି । ଭାରତ ବର୍ଷରେ ଜ୍ୟୋତିଷ ଚର୍ଚ୍ଚା ଆରମ୍ଭ ହେବା ପୂର୍ବରୁ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସେ ଚର୍ଚ୍ଚା ଆରମ୍ଭ ହୋଇଥିବାର ପ୍ରମାଣ ମିଳୁ ନାହିଁ । ଏ ବିଷୟରେ ଗ୍ରୀକ୍‌ମାନେ ଭାରତବର୍ଷଠାରେ ଋଣୀ, କିନ୍ତୁ ଭାରତବର୍ଷ ଗ୍ରୀକ୍‌ମାନଙ୍କଠାରେ ନୁହେଁ । ସୁତରାଂ ମାକ୍ସମୁଲାରଙ୍କ ଯୁକ୍ତିର କିଛି ମୂଲ୍ୟ ନାହିଁ । ଚତୁର୍ଥ କଥା ହୁନ ଜାତିଙ୍କ ଉଲ୍ଲେଖ । ହୁନମାନେ ଚତୁର୍ଥ ଶତାବ୍ଦୀରେ ପରାକ୍ରମଶାଳୀ ହୋଇଥିଲେ, ସୁତରାଂ କାଳିଦାସ ସେମାନଙ୍କ ଆଦର୍ଶ ଦେଖି ରଘୁବଂଶ ଲେଖିଥିଲେ, ଏ ମଧ୍ୟ ଗୋଟିଏ ହାସ୍ୟକର ଯୁକ୍ତି ଭାରତ ସଙ୍ଗେ ହୁନମାନଙ୍କ ସମ୍ପର୍କ କେତେ କାଳର, ତାହା ଇୟତ୍ତା କରାଯାଇ ପାରୁ ନଥିଲା । ଯେଉଁ ଆଚାରଭ୍ରଷ୍ଟ କ୍ଷତ୍ରିୟମାନେ ଭାରତବର୍ଷରୁ ବିତାଡ଼ିତ ହୋଇଥିଲେ, ସେମାନଙ୍କ ମଧ୍ୟରେ ହୁନମାନେ ଅନ୍ୟତମ ବୋଲି ମନୁସଂହିତା ଓ ଅନ୍ୟାନ୍ୟ ପୁରାଣ ପ୍ରଭୃତିରେ ଲେଖାଅଛି । ଖ୍ରୀଷ୍ଟୀୟ ପ୍ରଥମ ରାମାୟଣ ପ୍ରାରମ୍ଭରେ ହୁନମାନଙ୍କର ଭାରତରେ ଗତିବିଧି ଥିଲା ବୋଲି ପ୍ରମାଣ ମିଳୁଅଛି । ଯେଉଁ ରାମାୟଣ ଆଦର୍ଶରେ କାଳିଦାସ ରଘୁବଂଶ ରଚନା କରିଥିଲେ, ସେ ରାମାୟଣରେ ମଧ୍ୟ ହୁନମାନଙ୍କ କଥା ଲେଖା ଅଛି । କୁରୁପାଣ୍ଡବ ଯୁଦ୍ଧ ସମୟରେ ହୁନଜାତିଙ୍କ ବିଷୟ ମହାଭାରତରେ ଲେଖା ଅଛି । ସୁତରାଂ ଉପରୋକ୍ତ ଯୁକ୍ତି ଅସଙ୍ଗତ । ପୃଥିବୀର ଛାୟାପାତ ଦ୍ଵାରା ଚନ୍ଦ୍ରକଳଙ୍କ ବିଷୟ ରଘୁବଂଶରେ କଣ ଲେଖା ଅଛି ଦେଖନ୍ତୁ ।

 

ଅବୈମିଚୈନାମନଘେତି ଲୋକା-

ପକାଦୋ ବଳବାନ୍‌ ମତୋ ମେ ।

ଶ୍ରୀୟା ହି ଭୂମେଃ ଶଶିନୋ ମଳନ୍ୱେ

ନରୋପିତୋ ଶୁଦ୍ଧିମତଃ ପ୍ରଜାଭିଃ ।

 

ଏହି ଶ୍ଳୋକର ଦୁଇଗୋଟି ଅର୍ଥ ଅଛି । କେହି କହନ୍ତି, ଚନ୍ଦ୍ର ଉପରିସ୍ଥ କୃଷ୍ଣବର୍ଣ୍ଣ ଚିହ୍ନସବୁକୁ ବୁଝାଏ । ଆମ୍ଭେମାନେ କିନ୍ତୁ ଗ୍ରହଣ କଥା ବୁଝୁ । ଚନ୍ଦ୍ରଦେବୀଙ୍କ ଚରିତ୍ର ନିର୍ମଳ ସତ୍ୟ, କିନ୍ତୁ ପ୍ରବଳ ଲୋକାପବାଦ ତାକୁ ଆଚ୍ଛନ୍ନ କରିଅଛି । ଏହି କଥା କହିବା ଉଦ୍ଦେଶ୍ୟରେ କବି ଉପମା ଦେଇକହନ୍ତି ଯେ, ଚନ୍ଦ୍ର ଶୁଭ୍ର ଓ ନିଷ୍କଳଙ୍କ ସତ୍ୟ, କିନ୍ତୁ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଲେ ଚନ୍ଦ୍ର କଳଙ୍କଯୁକ୍ତ ହୁଏ । ଗ୍ରହଣ କାଳର ଅବସ୍ଥା ଦେଖିଲେ ଏହି ଉପମାଟି ମନେ ପଡ଼େ, ମଲ୍ଲିନାଥଙ୍କ ଟୀକାରେ ଯଦିଚ ଗ୍ରହଣ ଶବ୍ଦଟି ନାହିଁ, ତଥାଚ ଛାୟାପାତଜନିତ କଳଙ୍କ କଥା ଲେଖାଥିବା ହେତୁ ଗ୍ରହଣ ଅବସ୍ଥାକୁ ବୁଝାଏ । ମଲ୍ଲିନାଥ ଲେଖିଅଛନ୍ତି। ‘‘କୁତଃ ହି ଯସ୍ମାତ୍‌ ପ୍ରକାରାଃ ଭୂମେଶ୍ଛାୟା ପ୍ରତିବିମ୍ବ ଶୁଦ୍ଧିମତୋ । ନିର୍ମଳଂ ଶଶିନୋ ମଳତ୍ଵେନ କଳଙ୍କତ୍ଵେନ ଅପରାଜିତା ।’’ ଏଥିରୁ ପୃଥିବୀର ଛାୟା ଜନିତ କଳଙ୍କ ବୁଝା ଯାଉଅଛି, ଚନ୍ଦ୍ର ମଣ୍ଡଳସ୍ଥିତ କଳା ଦାଗ ବୋଲି ଜଣାଯାଉନାହିଁ । ଯାହାହେଉ, ଏହି ପ୍ରମାଣରୁ କାଳିଦାସ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଲୋକ ବୋଲି ଜଣାଯାଉନାହିଁ । ସମସ୍ତ ବିଷୟ ଆଲୋଚନା କଲେ କାଳିଦାସ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଲୋକ ବୋଲି ପ୍ରତିପନ୍ନ ହୁଏ । ଏ ତ ଗଲା କାଳିଦାସଙ୍କ ବିଦ୍ୟମାନ କାଳ ସମ୍ବନ୍ଧରେ, ଜନ୍ମସ୍ଥାନ ଓ ବର୍ଣ୍ଣ ଧର୍ମ ସମ୍ବନ୍ଧରେ ମଧ୍ୟ ସେହିପରି ଯୁକ୍ତି ଦେଖାଯାଏ ।

 

ଭାରତର ବିଭିନ୍ନ ସ୍ଥାନର ଅଧିବାସୀମାନେ ମହାକବିଙ୍କି ଆପଣା ଆପଣା ଦେଶ ସହିତ ଯୁକ୍ତ କରିବାକୁ ଚେଷ୍ଟିତ । ଏହିପରି ଭାରତର ଦଶ ଗୋଟି ଦେଶରେ କାଳିଦାସଙ୍କ ଜନ୍ମସ୍ଥାନ ନିର୍ଦ୍ଦିଷ୍ଟ ହୋଇଅଛି ।

 

ପ୍ରଥମତଃ ମଧ୍ୟ ଭାରତର ପ୍ରାଚୀନ ଉଜ୍ଜୟିନୀ ନଗରୀ କାଳିଦାସଙ୍କ ଜନ୍ମସ୍ଥାନ ବୋଲି କଥିତ ହୁଏ । ଏ ମତ ସର୍ବଜନପରିଜ୍ଞାତ ।

 

ଉଜ୍ଜୟିନୀ ଓ ତନ୍ନିକଟବର୍ତ୍ତୀ ସ୍ଥାନରେ କାଳିଦାସଙ୍କର ଅନେକ ସ୍ମୃତିଚିହ୍ନ ଦେଖାଯାଏ । ଉଜ୍ଜୟିନୀରେ ‘‘ମହାକାଳ” ନାମକ ଗୋଟିଏ ଶିବଲିଙ୍ଗ ଅଛି । ସେଠାରେ ‘‘ଚାମୁଣ୍ଡା ଦେବୀ’’ ବିରାଜମାନା । ଯେଉଁ ବୀଣାପାଣିଙ୍କ ମନ୍ଦିରରେ ବିକ୍ରମାଦିତ୍ୟ ଅର୍ଚ୍ଚନା କରୁଥିଲେ, ସେ ମନ୍ଦିର ବର୍ତ୍ତମାନ ବିରାଜମାନ । ମେଘଦୂତର କୌଣସି କୌଣସି ଅଂଶ ଉଜ୍ଜୟିନୀର ବର୍ଣ୍ଣନା ବୋଲି ଜଣାଯାଏ । ଉଜ୍ଜୟିନୀର ‘‘କାଳୀୟଦା” ନାମକ ଦୀର୍ଘିକାର ମଧ୍ୟସ୍ଥଳରେ ଗୋଟିଏ ପ୍ରାଚୀନ ପ୍ରାସାଦ ଅଛି । ଏ ପ୍ରାସାଦ କେବେ ନିର୍ମିତ ହୋଇଥିଲା, ସେ ସମ୍ବନ୍ଧରେ ମତାନ୍ତର ଅଛି; ମାତ୍ର କାଳିଦାସଙ୍କ ଋତୁସଂହାର କାବ୍ୟର ନିମ୍ନଲିଖିତ ଶ୍ଳୋକାଂଶ ଏହି ପ୍ରାସାଦକୁ ଲକ୍ଷ୍ୟ କରି ରଚିତ ହୋଇଥିବାର ଅନୁମାନ କରାଯାଏ ।

 

‘‘ନିଶାଃ ଶଶାଙ୍କକ୍ଷତନୀଳରାଜୟଃ

କ୍ୱଚିଦବିଚିତ୍ରଂ, ଜଳଯନ୍ତ୍ରମନ୍ଦିରଂ ।’’

 

ହ୍ରଦମଧ୍ୟସ୍ଥ ପ୍ରାସାଦ ବିକ୍ରମାଦିତ୍ୟଙ୍କର ଗ୍ରୀଷ୍ମାବାସ ଥିଲା ଏବଂ କାଳିଦାସ: ଏହାକୁ ‘‘ଜଳଯନ୍ତ୍ର” ମନ୍ଦିର ବୋଲି ବର୍ଣ୍ଣନା କରିଅଛନ୍ତି ବୋଲି ଲୋକେ କହନ୍ତି । ଉଜ୍ଜୟିନୀ ବର୍ତ୍ତମାନ ସିନ୍ଧିଆ ରାଜ୍ୟ ଅନ୍ତର୍ଗତ ।

 

ଦ୍ଵିତୀୟ ମତ - ମହାକବିଙ୍କ ଜନ୍ମସ୍ଥାନ ‘‘ଧାର” ବା ‘‘ଧାରା” ନଗର । ଏ ନଗର ଉଜ୍ଜୟନୀଠାରୁ ୬୫ ମାଇଲ ଦକ୍ଷିଣରେ ଏବଂ ଇନ୍ଦୋରଠାରୁ ୩୬ ମାଇଲ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଏ ନଗର ବର୍ତ୍ତମାନ ବୋମ୍ବାଇ ପ୍ରେସିଡେନ୍‌ସି ଅନ୍ତର୍ଗତ । ଏ ନଗରରେ ଭୋଜରାଜ ଅଭିଧେୟ ବିକ୍ରମାଦିତ୍ୟ ବାସ କରୁଥିଲେ । କାଳିଦାସ ତାଙ୍କର ସଭାସଦ ଥିଲେ । ଏ ସମ୍ବନ୍ଧରେ ଗୋଟିଏ ସୁନ୍ଦର ଗଳ୍ପ ଅଛି । ଭୋଜରାଜା କାଳିଦାସଙ୍କ କବିତାକୁ ବଡ଼ ଭଲ ପାଉଥିଲେ, ଦିନେ ଭୋଜରାଜା ମନେ ମନେ ଭାବିଲେ, ‘‘ମୋ ମୃତ୍ୟୁ ପରେ କାଳିଦାସ ଅବଶ୍ୟ ମୋର ମୃତ୍ୟୁଶ୍ଳୋକ ରଚନା କରିବେ, କିନ୍ତୁ ମୁଁ ତ ସେ କବିତାର ରସାସ୍ଵାଦ କରି ପାରିବି ନାହିଁ ।’’ ଏ କଥା ଭାବି କାଳିଦାସଙ୍କୁ କହିଲେ, ‘‘ତୁମ୍ଭେ ମୋ ମୃତ୍ୟୁଶ୍ଳୋକ ରଚନା କର, ମୁଁ ଶୁଣିବି ।’’ କାଳିଦାସ କହିଲେ, ମୁଁ ଯେବେ ବର୍ତ୍ତମାନ ଶ୍ଳୋକ ରଚନା କରି ଦେବି, ତେବେ ତୁମ୍ଭେ ଶୁଣିବା ମାତ୍ରକେ ତୁମ୍ଭର ମୃତ୍ୟୁ ହେବ-। ମୁଁ ଏପରି ଶ୍ଳୋକ ରଚନା କରିବି ନାହିଁ ।’’ ଭୋଜରାଜା କାଳିଦାସଙ୍କ କଥା ନ ଶୁଣିବାରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଲା । କାଳିଦାସ ଭୋଜରାଜାଙ୍କୁ ତ୍ୟାଗ କରି ଚାଲିଗଲେ । କାଳିଦାସଙ୍କ ଅଭାବରେ ରାଜସଭା ଶ୍ରୀହୀନ ହେବାରୁ ଭୋଜରାଜା ମଧ୍ୟ କାଳିଦାସଙ୍କ ଅନ୍ୱେଷଣରେ ରାଜ୍ୟ ତ୍ୟାଗ କରି ଚାଲିଗଲେ । ଭୋଜରାଜ ଛଦ୍ମ ବେଶରେ ଯାଇ ଗୋଟିଏ ସ୍ଥାନରେ ରହିଅଛନ୍ତି, ଏହି ସମୟରେ କାଳିଦାସ ଦୈବାତ୍‌ ବୈଷ୍ଣବ ବେଶରେ ସେହି ସ୍ଥାନରେ ଉପସ୍ଥିତ ହେଲେ । କଥାବାର୍ତ୍ତା ହେଉ ହେଉ ଛଦ୍ମବେଶୀ ଭୋଜରାଜା ଭୋଜଙ୍କର ମୃତ୍ୟୁ ହୋଇଥିବା ବିଷୟ ପ୍ରକାଶ କଲେ । କାଳିଦାସ ଏହି ମୃତ୍ୟୁ ସମ୍ବାଦ ପାଇବାମାତ୍ରେ ମର୍ମାହତ ହୋଇ ମୃତ୍ୟୁଶ୍ଳୋକ ରଚନା କଲେ । ଶ୍ଳୋକଟି ଏହି ‘‘ଅଦ୍ୟ ଧାରା ନିରାଧରା ନିରାଲମ୍ବା ସରସ୍ଵତୀ ପଣ୍ଡିତାଃ ଖଣ୍ଡିତାଃ ଭୋଜରାଜେ ଦିବ୍ୟ ଗତେ ।’’ ଏ ଶ୍ଳୋକ ଶୁଣିବା ମାତ୍ରକେ ଭୋଜ ରାଜାଙ୍କର ତଦ୍ଦଣ୍ଡରେ ମୂର୍ଚ୍ଛା ହେଲା । କାଳିଦାସ ଏ ଘଟନା ଦେଖି ପରେ ରାଜାଙ୍କୁ ଚିହ୍ନି ପାରିଲେ ଏବଂ ତଦ୍ଦଣ୍ତରେ ଲେଉଟ ଶ୍ଳୋକ ରଚନା କରି ଦେଲେ - ‘‘ଅଦ୍ୟ ଧାରା ସଦାଧାରା ସଭା ରମ୍ବା, ସରସ୍ଵତୀ-। ପଣ୍ଡିତଃ ପଣ୍ଡିତଃ ସର୍ବେ ଭୋଜାରାଜେ ଭୁବଂ ଗତେ ।’’ ଏ ଶ୍ଳୋକ ଶୁଣି ରାଜାଙ୍କର ସଂଜ୍ଞା ହେଲା-। ଦୁହିଙ୍କର ପୁନର୍ମିଳନ ହେଲା । ଏଥିରୁ ଧାରା ନଗର ସହିତ କାଳିଦାସଙ୍କ ସମ୍ବନ୍ଧ ଅନୁମିତ ହୁଏ । ଏହି ଧାରା ନଗରଠାରୁ ଦେଢ଼ ମାଇଲ ଦୂରରେ ଗୋଟିଏ କାଳୀମନ୍ଦିର ଅଛି । ଏଠାରେ କାଳୀ ଆରାଧନା କରି କାଳିଦାସ ମନ୍ତ୍ରସିଦ୍ଧ ହୋଇଥିଲେ । ଧାରାନଗରରେ ଏହି ପ୍ରବାଦ ପ୍ରକଟିତ । ଏହପରି ନାନା କାରଣରୁ ଧାରା ନଗର ବା ତନ୍ମିକଟବର୍ତ୍ତୀ ସ୍ଥାନ କାଳିଦାସଙ୍କ ଜନ୍ମସ୍ଥାନ ବୋଲି ଲୋକେ କହନ୍ତି । ତୃତୀୟ ମତ - କାଳିଦାସ ଦାକ୍ଷିଣାତ୍ୟବାସୀ । ତାଙ୍କ ଗ୍ରନ୍ଥରେ ଆର୍ଯ୍ୟାବର୍ତ୍ତ ଅପେକ୍ଷା ଦାକ୍ଷିଣାତ୍ୟ ବର୍ଣ୍ଣନା ପ୍ରଚୁର ଦୃଷ୍ଟ ହୁଏ । ଚତୁର୍ଥ ମତ - ସେ ସିଂହଳଦ୍ୱୀପର ଅଧିବାସୀ । ପଞ୍ଚିମ ମତ ସେ ବଙ୍ଗଦେଶବାସୀ । ପୃଥିବୀର ଇତିହାସ ଲେଖକ ଅନେକ ଗୁଡ଼ିଏ କାରଣ ଦେଖାଇ ମହାକବିଙ୍କୁ ବଙ୍ଗାଳୀ ବୋଲି ପ୍ରତିପନ୍ନ କରି ଅଛନ୍ତି, ମାତ୍ର ସେ ଯୁକ୍ତିଗୁଡ଼ିକ ଅକାଟ୍ୟ ବୋଲି ଆମ୍ଭର ମନେ ହେଉନାହିଁ । ସେହି ସେହି ଯୁକ୍ତି ବଳରେ ଆମ୍ଭେ କାଳିଦାସଙ୍କୁ ଓଡ଼ିଶାବାସୀ ବୋଲି ଦାବି କରିପାରୁ । ଦାସ ଓ ମିଶ୍ର ସଂଜ୍ଞା ଓଡ଼ିଶାରେ ବହୁଳ ଭାବରେ ଦୃଷ୍ଟ ହୁଏ । କେହି କହେ ମହାକବିଙ୍କ ସଂଜ୍ଞା ମିଶ୍ର, ଦାସ ନୁହେଁ । ନେପାଳରୁ ଖଣ୍ଡିଏ ପୋଥି ମିଳି ଅଛି, ଏହା ଗୋଟିଏ ପ୍ରାଚୀନ ପୋଥି । ପୋଥିଟି କାଳିଦାସଙ୍କ ରଘୁବଂଶ । ପୋଥି ଶେଷରେ ଲେଖା ଅଛି - “ଇତି ମିଶ୍ର ଦାସ କାଳିଦାସ କୃତେ ରଘୁବଂଶେ ମହାକାବ୍ୟେ ଏକୋନବିଂଶ ସର୍ଗଃ ସମାପ୍ତଃ ।’’ ଇତିହାସ ଲେଖକ ଏହି ମିଶ୍ର ଓ ଦାସ ସଂଜ୍ଞା ଥିବା ହେତୁ ମହାକବିଙ୍କି ବଙ୍ଗାଳୀ ବୋଲି ଦାବି କରନ୍ତି । ସୁତରାଂ ଏହି କାରଣରୁ ଓଡ଼ିଶାର ଦାବି ଉପେକ୍ଷା କରାଯାଇ ନପାରେ । ଇତିହାସ ଲେଖକଙ୍କର ଦ୍ୱିତୀୟ ଯୁକ୍ତି - କାଳିଦାସଙ୍କ କବିତାରେ ଯେଉଁସବୁ ଶବ୍ଦ ବ୍ୟବହୃତ ହୋଇଅଛି, ସେ ସବୁ ବଙ୍ଗଳା ଶବ୍ଦ, ସୁତରାଂ କବି ବଙ୍ଗାଳୀ । ଏ ଯୁକ୍ତି ମଧ୍ୟ ଓଡ଼ିଶା ଦାବିପୋଷକ । ଓଡ଼ିଆ ଶବ୍ଦ ଓ ବଙ୍ଗଳା ଶବ୍ଦ ମଧ୍ୟରେ ବିଶେଷ ପାର୍ଥକ୍ୟ କିଛି ନାହିଁ, ବରଂ ସୌସାଦୃଶ୍ୟ ଅଛି । ଅନ୍ୟତମ ଯୁକ୍ତି କାଳିଦାସ ତାନ୍ତ୍ରିକ ଥିଲେ । ଏ ସମ୍ବନ୍ଧରେ ମଧ୍ୟ ଓଡ଼ିଶା ପଶ୍ଚାତ୍‌ପଦ ନଥିଲା । ଉତ୍କଳର ଅନେକ ବ୍ରାହ୍ମଣ ତନ୍ତ୍ରବିଦ୍ୟାରେ ବିଶେଷ ପାରଦର୍ଶିତା ଲାଭ କରି ଦେବୀ ସାହାଯ୍ୟରେ ଅନେକ ଅଦ୍ଭୁତ ଘଟନା ଘଟାଇଥିବାର ପ୍ରବାଦ ମିଳେ-। ଏହିପରି ମନ୍ତ୍ରବଳରେ ନାନାପ୍ରକାର ଅଦ୍ଭୁତ କାର୍ଯ୍ୟ ଦେଖାଇ ରାଜାମାନଙ୍କ ଠାରୁ ଚକଡ଼ା ଦାନମାନ ପାଇଥିବାର ପ୍ରମାଣ ଅଦ୍ୟାବଧି ସ୍ପଷ୍ଟ ଦୃଷ୍ଟ ହୁଏ ନାହିଁ । ସୁତରାଂ କାଳିଦାସଙ୍କୁ ଉତ୍କଳର ବୋଲି କହିଲେ କିଛି କ୍ଷତି ନାହିଁ ବା ଅଯୌକ୍ତିକ ହେବ ନାହିଁ । ପ୍ରକୃତ ପକ୍ଷେ ଯେ ଯାହା କହନ୍ତୁ, କାଳିଦାସଙ୍କ ଜନ୍ମସ୍ଥାନ କେଉଁଠାରେ, ତାହା ନିର୍ଣ୍ଣୟ କରିବା ସହଜ ନୁହେଁ ।

 

***

 

Unknown

ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନ

ଲକ୍ଷ୍ମୀନାରାୟଣ ରାୟସିଂହ

 

ସାହିତ୍ୟ ସମାଜର ପ୍ରତିଚ୍ଛବି ବହନ କରିଥାଏ । ସମାଜ ଗତିଶୀଳ । ଗତିଶୀଳତା କାରଣରୁ ଏହା ପରିବର୍ତ୍ତିତ ହୋଇ ଚାଲିଥାଏ । ସମାଜ ମଧ୍ୟରେ ଯେଉଁ ଦ୍ୱନ୍ଦ୍ୱ ଓ ସଂଘର୍ଷ ଚାଲିଥାଏ, ତାହାର ପ୍ରତିଫଳନ ସାହିତ୍ୟ ହିଁ ଧରି ରଖିଥାଏ । ସାମଜତତ୍ତ୍ୱ ଦୃଷ୍ଟିରୁ ପୃଥିବୀର ମଣିଷ ସମାଜକୁ ଆଦିମ ସାମ୍ୟବାଦୀ ସମାଜ, ଦାସ ସମାଜ, ସାମନ୍ତବାଦୀ ସମାଜ, ପୁଞ୍ଜିବାଦୀ ସମାଜ, ସମାଜବାଦୀ ସମାଜ ଭାବରେ ବିଭକ୍ତ କରାଯାଇଥାଏ । ଗତିଶୀଳ ମଣିଷ ସମାଜର ପ୍ରତିଛବି ‘‘କଳା ସାହିତ୍ୟ ପ୍ରଭୃତି ସମାଜର ସଂସ୍କୃତିର ଆଧାରଗୁଡ଼ିକ କୌଣସି ଗୋଟିଏ ଜାତିର ତୁଳନାତ୍ମକ ପ୍ରାଣ ସ୍ପନ୍ଦନର ନିଦର୍ଶକ । ଏହାରି ଜରିଆରେ ସମାଜର ଅତୀତ ଜୀବନ ବହୁ ପରିମାଣରେ ପ୍ରତିବିମ୍ବିତ ହୁଏ । ବର୍ତ୍ତମାନ ଜୀବନ ପ୍ରତିଭାତ ହୁଏ ଏବଂ ଭବିଷ୍ୟତ ଜୀବନ ସ୍ପନ୍ଦିତ ହୁଏ । କିନ୍ତୁ ଏହି ସଂସ୍କୃତିର ଆଧାରଗୁଡ଼ିକ ସ୍ଵାଧୀନ ଓ ଆତ୍ମପରିଚାଳିତ ନୁହନ୍ତି । ଏଗୁଡ଼ିକ କୌଣସି ନା କୌଣସି ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତିର ଆଦର୍ଶଗତ ପ୍ରତିବିମ୍ବ ଏବଂ ପ୍ରତିଷ୍ଠିତ ଶାସକ ଶ୍ରେଣୀର ପ୍ରଧାନ ବାହକ । ସମାଜର ତତ୍‌କାଳୀନ ଶାସକ ଶ୍ରେଣୀର ଆଦର୍ଶ କାର୍ଯ୍ୟକ୍ରମ ଓ ଲକ୍ଷକୁ କାର୍ଯ୍ୟକାରୀ କରିବା ଦିଗରେ ଏମାନେ ସହାୟକ । (ଆସନ୍ତାକାଲିର ସାହିତ୍ୟ - ପ୍ରାଣନାଥ ପଟ୍ଟନାୟକ - ପୃ- ୪, ନବଯୁଗ ଗ୍ରନ୍ଥାଳୟ)

 

ସମାଜ ଅଗ୍ରଗତିର ପ୍ରାଥମିକ ଅବସ୍ଥାରେ ଶ୍ରେଣୀହୀନ ସମାଜ ହିଁ ହେଲା । ଏହି ଶ୍ରେଣୀହୀନ ସମାଜ ଧୀରେ ବିକଶିତ ହୋଇ ଶ୍ରେଣୀ ବିଭକ୍ତ ସମାଜରେ ପରିଣତ ହେବା ଫଳରେ ସାହିତ୍ୟ ଉତ୍ପାଦନକୁ ନିୟନ୍ତ୍ରଣ କରୁଥିବା କୌଣସି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସମ୍ପତ୍ତି ରୂପେ ବିବେଚ୍ୟ ହେଲା । କ୍ରମେ ଶ୍ରେଣୀ ବିଭକ୍ତ ସମାଜକୁ ସମାଜତତ୍ତ୍ଵବିତ୍‌ମାନେ ତା’ର ଲକ୍ଷଣମାନ ନିର୍ଦ୍ଧାରଣ କରି ପୁଞ୍ଜିବାଦୀ ସମାଜ ପରେ ଯେଉଁ ସମାଜବାଦୀ ସମାଜର ରୂପରେଖ ଦର୍ଶାଇଲେ ତାହା ଶ୍ରମଜୀବୀମାନଙ୍କ ଶାସନ ରୂପେ ପ୍ରତିଷ୍ଠିତ ସମାଜକୁ ବୁଝାଏ । ସମାଜର ପ୍ରତ୍ୟେକ ଯୁଗର ଅବସ୍ଥା ଓ ବ୍ୟବସ୍ଥା ଯେଉଁ ଅର୍ଥନୈତିକ ପଦ୍ଧତି ଓ ପ୍ରକ୍ରିୟା ଦ୍ଵାରା ପ୍ରତିଷ୍ଠିତ ସେହି ଯୁଗର ସାହିତ୍ୟରେ ତାହା ସବୁ ପ୍ରତିଫଳିତ ହୋଇଥାଏ । ମୂଲ୍ୟବୋଧ ଦୃଷ୍ଟିରୁ ସମାଜବାଦୀ ସାହିତ୍ୟ ମୁଖ୍ୟତଃ ମାର୍କସ୍‌ବାଦ ଦର୍ଶନ ଓ ଦୃଷ୍ଟିଦ୍ଵାରା ନିରୂପିତ ହୋଇଅଛି ।

 

ତେଣୁ ‘ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନ’ ସମ୍ପର୍କରେ ଆଲୋଚନା କଲାବେଳେ ଆମେ ସ୍ଵାଭାବିକ ଭାବରେ ସେହି ତତ୍ତ୍ଵର ଭିତ୍ତିଭୂମିରୁ ଆଲୋଚନାର ଗତିଧାରାକୁ ଅନୁଧ୍ୟାନ କରିବାକୁ ହେବ । ଏ ସମ୍ପର୍କରେ ମାର୍କ୍ସବାଦ ତତ୍ତ୍ଵକୁ ବ୍ୟାଖ୍ୟା କରି ରାଲାଫ୍‌ ଫକ୍‌ସ କହିଛନ୍ତି - ଲେଖକଙ୍କ ପାଇଁ ଏହି ତତ୍ତ୍ଵ ଏକ ଜୀବନ ଦର୍ଶନ ଓ ବାସ୍ତବତାକୁ ପରଖିବାପାଇଁ ଏକ କଷଟି ପଥର । ଏହା ଦ୍ଵାରା ଲେଖକ ଦୁନିଆକୁ ନୂଆ ଭାବରେ ଦେଖେ । ‘‘ସମାଜବାଦୀ ବାସ୍ତବତାକୁ ରୂପ ଦେଉଥିବା ଲେଖକ ନିଜକୁ କେବଳ ନିଷ୍କ୍ରିୟ ବାସ୍ତବତା ସହ ସାମିଲ କରେ ନାହିଁ-। ସେ ନିଜକୁ ଜୀବନ ସହିତ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ କରେ । ନୂଆ ସମାଜ ଗଠନ ପରିକଳ୍ପନାରେ ଜନସାଧାରଣଙ୍କୁ ସାହାଯ୍ୟ କରେ । ଏହି ସମାଜବାଦୀ ବାସ୍ତବତା ଆସନ୍ତାକାଲିର ଦୁନିଆକୁ ଉଦ୍‌ଭାସିତ କରିଥାଏ ଜୀବନର ବୈପ୍ଳବିକ ଚିତ୍ରଣ ମାଧ୍ୟମରେ । ଗର୍କୀ କହନ୍ତି ଯେ, ଲେଖକ ତିନିପ୍ରକାର ବାସ୍ତବତା ପ୍ରତି ଦୃଷ୍ଟି ଦେବା ପ୍ରୟୋଜନ । ସେଗୁଡ଼ିକ ହେଲା - ବର୍ତ୍ତମାନ, ଅତୀତ ଓ ଭବିଷ୍ୟତର ବାସ୍ତବତା । ଏହାଦ୍ଵାରା ଲେଖକ ଭବିଷ୍ୟତର ମୂଲ୍ୟବୋଧ ଦୃଷ୍ଟିରୁ ବର୍ତ୍ତମାନ ପ୍ରତି ଦୃଷ୍ଟି ନିକ୍ଷେପ କରେ । ଏଥିପାଇଁ ସମାଜବାଦୀ ବାସ୍ତବତାକୁ ରୂପ ଦେଉଥିବା ସାହିତ୍ୟ ଜୀବନର ବୈପ୍ଳବିକ ଅଗ୍ରଗତି ତଥା ମୂଲ୍ୟବୋଧକୁ ଗ୍ରହଣ କରେ ଏବଂ ଚିତ୍ରଣ କରେ ।

 

ଗର୍କୀ କଳ୍ପନାର ଦୁଇଗୋଟି ସ୍ତର କଥା କହନ୍ତି । ଗୋଟିଏ ହେଲା ସକ୍ରିୟ କଳ୍ପନା ଏବଂ ଅନ୍ୟଟି ହେଲା ନିଷ୍କ୍ରିୟ କଳ୍ପନା । ନିଷ୍କ୍ରିୟ କଳ୍ପନା ବସ୍ତୁର ରଙ୍ଗିନ୍‌ ଚିତ୍ର ଉପସ୍ଥାପନ କରିଥାଏ । ସାମାଜିକ ବାସ୍ତବତା ଉପରେ ଏକ ରଙ୍ଗିନ ପରଦା ଦେଇ ସେ ପାଠକମାନଙ୍କ ପାଇଁ ଏକ କଳ୍ପଲୋକ ସୃଷ୍ଟିକରିଥାଏ । ଏହି ନିଷ୍କ୍ରିୟ କଳ୍ପନା ଜନ୍ମଦିଏ ପଳାୟନ ପ୍ରବୃତ୍ତିକୁ । ମଣିଷ ମନରେ ବିଦ୍ରୋହର ଚିନ୍ତାକୁ ଉଦ୍ଦୀପ୍ତ କରିବା ପରିବର୍ତ୍ତେ ଏହା ପ୍ରଶମିତ କରିଦିଏ । ଏହି ଚିନ୍ତାଧାରା ସହିତ ସମାଜବାଦୀ ବାସ୍ତବତାର କୌଣସି ସମ୍ପର୍କ ନାହିଁ । ସମାଜବାଦୀ ବାସ୍ତବତାକୁ ପ୍ରଶ୍ରୟ ଦେଉଥିବା କଳାକାର ସକ୍ରିୟ କଳ୍ପନାକୁ ପ୍ରାଧାନ୍ୟ ଦିଏ । ଶୋଷଣ ଓ ଅତ୍ୟାଚାରର ନିଷ୍ଠୁର ବାସ୍ତବତା ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରି ସେ ନୂତନ ସୃଷ୍ଟି ପାଇଁ ବିଦ୍ରୋହର ସ୍ଵର ଉତ୍ତୋଳନ କରେ । (ପ୍ରଗତିବାଦୀ କାବ୍ୟ ଚେତନା - ଡଃ ବିଜୟ କୁମାର ଶତପଥୀ - ପୃ. ୨୬) ।

 

ଆମ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଯୁଗର ଆଶା, ଆକାଂକ୍ଷା ସାହିତ୍ୟରେ ରୂପଲାଭ କରି ଆସିଛି । ପ୍ରତ୍ୟେକ ସାହିତ୍ୟିକ ଯୁଗ ତା'ର ପୂର୍ବବର୍ତ୍ତୀ ଯୁଗଠାରୁ ଅଧିକ ପ୍ରଗତିପନ୍ଥୀ ହୋଇଆସିଛି । ତେଣୁ ଚର୍ଯ୍ୟା ସାହିତ୍ୟ ଠାରୁ ସାରଳା ଯୁଗ ସାହିତ୍ୟରେ ସେହି ଗତିଶୀଳତା ଲକ୍ଷ୍ୟ କରିହୁଏ । ପରବର୍ତ୍ତୀ ପଞ୍ଚସଖା ଓ ରୀତିଠାରୁ ରାଧାନାଥ ସାହିତ୍ୟର ଧାରା ସେହି ପ୍ରଗତିର ବାହକ ହୋଇ ଆସିଛି । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଧାରାରେ ଆସି ପହଞ୍ଚିଛି ସମାଜବାଦୀ ଆଭିମୁଖ୍ୟରେ ଉଚ୍ଚକିତ ସାହିତ୍ୟ ।

 

 

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନ

ସାମାଜିକ ପରିବର୍ତ୍ତନ ସହ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ସମ୍ପର୍କରେ ଆଲୋଚନା କଲାବେଳେ ଓଡ଼ିଶାରେ ୧୯୩୦ ମସିହା ପରବର୍ତ୍ତୀ କାଳରେ ସମାଜବାଦୀ ଚେତନାର ପରିପ୍ରକାଶ ଘଟି ସାରିଥିଲା । ଏହାର ପ୍ରତୀକ ହେଲା - ‘ସାରଥି’ ପତ୍ରିକା । ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଚେତନାର ଏକ ସାଙ୍ଗଠନିକ ରୂପ ନେବା ଆଗରୁ ଏବଂ କ୍ରାନ୍ତି ଆଣିବା ପୂର୍ବରୁ ଓଡ଼ିଶାର ରାଜନୈତିକ ଦିଗ୍‌ବଳୟ ଏହାର ଶୁଭ ପଞ୍ଚଜନ୍ୟ ନିନାଦରେ ମୁଖରିତ ହୋଇ ସାରିଥିଲା-। ‘ସାରଥି’ ଓଡ଼ିଶାରେ ତତ୍‌କାଳୀନ ସାମାଜିକ ଏବଂ ରାଜନୈତିକ ପ୍ରାଣସ୍ପନନ୍ଦନକୁ ଯେପରି ଧରି ରଖିଛି ତାହା ଅନୁଶୀଳନ କଲେ ଜଣାପଡ଼େ ।

(ପ୍ରଗତିବାଦୀ କାବ୍ୟ ଚେତନା - ଡଃ. ଶତପଥୀ - ପୃ.୯୧)

 

‘ସାରଥି’ ପୂର୍ବରୁ ସତ୍ୟବାଦୀର ବରେଣ୍ୟ ଅଗ୍ରଣୀ ଚିନ୍ତାନାୟକ ତ୍ୟାଗୀ ଗୋପବନ୍ଧୁ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ, ସୋଭିଏତ୍‌ ରୁଷ୍‌ର ବିପ୍ଲବ, ଲେନିନ୍‌ ଓ କମ୍ୟୁନିଷ୍ଟପାର୍ଟି ସମ୍ପର୍କରେ ଲେଖାମାନ ‘ସମାଜ’ର ସମ୍ପାଦକୀୟ ଓ ସମ୍ୱାଦ ସଙ୍କେତ ଶିରୋନାମାରେ ତା୨.୨.୧୯୨୪, ତା୨୯.୧୧,.୧୯୨୪, ତା୨.୧.୧୯୨୬ ସଂଖ୍ୟାମାନଙ୍କରେ ପ୍ରକାଶ କରି ସମାଜବାଦୀ ବ୍ୟବସ୍ଥା ଓ ଖଟିଖିଆ-ସର୍ବହରା ସ୍ଵାର୍ଥ ଏବଂ ସଙ୍ଗଠନ ପ୍ରତି ପାଠକମାନଙ୍କ ଚେତନା ବୃଦ୍ଧି ପାଇଁ ପରିବେଶ ସୃଷ୍ଟି କରିଥିଲେ ।

 

୧୯୨୯ରେ କଂଗ୍ରେସର ଲାହୋର ଅଧିବେଶନରେ ଭାରତର ପୂର୍ଣ୍ଣ ସ୍ଵାଧୀନତା ଘୋଷଣା, ୧୯୩୦ ଜାନୁୟାରୀ ୨୬ରେ ଭାରତବର୍ଷର ପ୍ରଥମ ସ୍ୱାଧୀନତା ଦିବସ ପାଳନ ଓ କଂଗ୍ରେସ ନେତାମାନଙ୍କର ଜେଲବରଣ, ତାପରେ ଲବଣ ସତ୍ୟାଗ୍ରହ ସେହିବର୍ଷ ଅପ୍ରେଲ ୧୮ ତାରିଖରେ ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ୫୮ ଜଣ ସଶସ୍ତ୍ର ବିପ୍ଳବୀଙ୍କର ଅସ୍ଥାୟୀ ସରକାର ଗଠନ ଘୋଷଣା, ବିପ୍ଳବୀ ଭଗତ୍‌ ସିଂ, ଶୁକଦେବ, ରାଜଗୁରୁ ଦିଲ୍ଲୀ ପାର୍ଲିଆମେଣ୍ଟ ଭବନରେ ବଡ଼ ଲାଟ୍‌ଙ୍କ ଉପରକୁ ବୋମା ଫିଙ୍ଗା ଘଟଣା ଯୋଗୁଁ ଫାଶି, ଜେଲରେ ଯତୀନ ଦାସଙ୍କ ପ୍ରତି ଭଲ ବ୍ୟବହାର ଦାବିରେ ୬୨ ଦିନ ଅନଶନରେ ପ୍ରାଣତ୍ୟାଗ ଘଟଣାମାନ ଯୁବ ବିପ୍ଳବୀମାନଙ୍କ ମନରେ ସ୍ଵାଧୀନତା ସଂଗ୍ରାମର ସଫଳତା ପାଇଁ ଦୃଢ଼ ବିଶ୍ଵାସ ସ୍ଥାପନରେ ସାହାଯ୍ୟ କରୁଥାଏ ।

 

ସେତେବେଳେ କାଶୀ ବିଦ୍ୟାପୀଠ ଏକ ଜାତୀୟ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇଥାଏ । ଏହାର ଅଧ୍ୟକ୍ଷ ଥା’ନ୍ତି ପ୍ରସିଦ୍ଧ ସମାଜବାଦୀ ନେତା ଆଚାର୍ଯ୍ୟ ନରେନ୍ଦ୍ର ଦେବ । ଏହି ପୀଠ ଥାଏ ବୈପ୍ଳବିକ ଆଦର୍ଶ ଓ ଚେତନାର ପୀଠସ୍ଥଳୀ । ସେତେବେଳେ କଂଗ୍ରେସର ଆପୋସ ଓ ନରମପନ୍ଥୀ ନୀତି ପ୍ରତି ବହୁ ଯୁବକର୍ମୀ ଅସନ୍ତୋଷ ପ୍ରକାଶ କରି ଏକ ବିକଳ୍ପପନ୍ଥାର ଅନୁସନ୍ଧାନରେ, ଚାଷୀ ମୂଲିଆର ସଙ୍ଗଠନ କରି ମାର୍କ୍ସବାଦୀ ଦର୍ଶନ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହେବାର ପ୍ରକ୍ରିୟା ୧୯୩୦ ବେଳକୁ ଦେଖା ଦେଇ ୧୯୩୪ରେ ପୂର୍ଣ୍ଣତାପ୍ରାପ୍ତ ହୋଇଥିଲା ।

 

ଏହି ସମୟରେ କଂଗ୍ରେସରେ ଥିବା ବାମପନ୍ଥୀ ଚେତନାର ଅଗ୍ରଦୂତ ଭାବରେ ଜଣାଶୁଣା ଥିବା ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ନେତୃତ୍ୱରେ ଅଗ୍ରଗାମୀ ବନ୍ଧୁମାନେ ୧୯୩୪ ମସିହା ଫେବୃୟାରୀ ମାସରେ ଉତ୍କଳ ସାମ୍ୟବାଦୀ କର୍ମୀ ସଂଘ ଗଠନ କଲେ । ଏ ପ୍ରସଙ୍ଗରେ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ ।

 

‘‘୧୯୩୪ ଫେବୃୟାରୀ ମାସରେ କୌଣସି ନେତାଙ୍କର ଶୁଭାଶୀର୍ବାଦ ବା ସହାୟତାକୁ ଅପେକ୍ଷା ନ କରି କେତେକ କର୍ମୀ ‘ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ ନାମକ ଅନୁଷ୍ଠାନ ଗଢ଼ିଲେ । ସେତେବେଳକୁ ଏହାକୁ ପ୍ରକାଶ କରିବାର ସେମାନେ କୌଣସି ଆବଶ୍ୟକତା ଅନୁଭବ କରିନଥିଲେ । ମଫସଲରେ ରହି ଦରିଦ୍ର କୃଷକ ସହିତ ସମ୍ବନ୍ଧ ସ୍ଥାପନ କରି ଶ୍ରେଣୀ ଚୈତନ୍ୟ ଜାଗ୍ରତ କରାଇବା ଏବଂ ନିଜ ନିଜର ଦୃଷ୍ଟିକୋଣ ପରିସ୍ଫୁଟ କରାଇବା ପାଇଁ ସାମ୍ୟବାଦ ସଂକ୍ରାନ୍ତ ସାହିତ୍ୟ ଅଧ୍ୟୟନ କରିବା କର୍ମୀମାନଙ୍କର ମୁଖ୍ୟ କାର୍ଯ୍ୟ ହେଲା । ସେମାନେ ଗତ ଆନ୍ଦୋଳନର ଅଭିଜ୍ଞତାରୁ ବୁଝିଥିଲେ ଯେ, ଖାଲି ଦୀର୍ଘ ବକ୍ତୃତା ଦ୍ଵାରା ବା ‘ଜାତୀୟତା’, ‘ସ୍ୱଦେଶପ୍ରେମ’, ‘ସ୍ୱାଧୀନତା’ ଆଦି ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣରେ ସ୍ଵାଧୀନତା ସମର ଅଗ୍ରସର ହୋଇପାରିବ ନାହିଁ । ତାହା ଏକମାତ୍ର ସମ୍ଭବ ହୋଇପାରେ ଜନସାଧାରଣଙ୍କ ଆର୍ଥିକ ସମସ୍ୟାକୁ କେନ୍ଦ୍ରକରି ଆନ୍ଦୋଳନ କରିବା ଦ୍ଵାରା (ଓଡ଼ିଶାରେ ସାମ୍ୟବାଦୀ ଦଳ - ସୁରେନ୍ଦ୍ରନାଥ ଦ୍ୱିବେଦୀ - ନବଭାରତ, କକଡ଼ା, ୧୯୪୩ ।)

 

୧୯୩୪ ମଇ ମାସ ବେଳକୁ ପାଟନାଠାରେ କଂଗ୍ରେସ ସାମ୍ୟବାଦୀ ମନୋଭାବାପନ୍ନମାନଙ୍କୁ ନେଇ ସମ୍ମିଳନୀ ହେଲା ଓ ଏଠାରେ ସର୍ବଭାରତୀୟସ୍ତରରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠନର ପ୍ରସ୍ତାବ ଗ୍ରହଣ କରାଗଲା । ଓଡ଼ିଶାରେ ଥିବା ‘ଉତ୍କଳ ସାମ୍ୟବାଦୀ କର୍ମୀ ସଂଘ’ ସେଥିରେ ମିଶିଯାଇ ନିଖିଳ ଭାରତ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ଏକଶାଖା ଭାବେ କାର୍ଯ୍ୟ କଲା । ୧୯୩୪ ପରେ ଏକ ସମାଜବାଦୀ ଚେତନାର ପରିପ୍ରକାଶ ଘଟିଲା - ‘ନବଯୁଗ ସାହିତ୍ୟ ସଂସଦ’ ଗଠନରେ ଏହାର ପ୍ରାଥମିକ ଅଧିବେଶନ ୨୯.୧୧.୩୫ରୁ ୪.୧୨.୩୫ ପର୍ଯ୍ୟନ୍ତ ଛ’ଦିନ କାଳ କଟକ ରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଥିଲା । ସାହିତ୍ୟରେ ନୂତନ ମୂଲ୍ୟବୋଧ ସଞ୍ଚାର ମାଧ୍ୟମରେ ବୈପ୍ଳବିକ ଚେତନାର ସାଙ୍ଗଠନିକ ରୂପରେଖ ନେଇ ଏହା ପ୍ରତିଷ୍ଠିତ ହୋଇଥିଲା ।

 

ଓଡ଼ିଆ କାବ୍ୟ ଚେତନାରେ ଏହି ଅନୁଷ୍ଠାନର ପ୍ରଭାବ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ସମାଜବାଦୀ ଚେତନାକୁ ବିକଶିତ କରାଇବାରେ ‘ସାରଥି’ ପତ୍ରିକା ଥିଲା ପଥୀକୃତ । ୧୯୩୫ରେ ‘ନବଯୁଗ ସାହିତ୍ୟ ସଂସଦ’ ଏହାର ଅଗ୍ରଗାମୀ ବାହକ ଭାବେ ପ୍ରତିଷ୍ଠିତ ହେଲା । ଏହି ପତ୍ରିକା ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ଦୃଷ୍ଟିକୋଣରୁ ଶାଣିତ ହେବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ ଚିନ୍ତା ଓ ଚେତନାରେ ସମୃଦ୍ଧ ହେବାରେ ସମର୍ଥ ହେଲା । ‘ନବଯୁଗ ସାହିତ୍ୟ ସଂସଦ’ ଓଡ଼ିଶାରେ ଗଠିତ ହେବାପରେ ୧୯୩୬ ଅପ୍ରେଲ ୧୦ ତାରିଖରେ ଲକ୍ଷ୍ନୌଠାରେ ଭାରତର ‘ପ୍ରଗତିଶୀଳ ଲେଖକ ସଂଘ’ ଗଠିତ ହେଲା । ଏଥିରେ ସଭାପତି ହେଲେ ମୁନ୍‌ସୀ ପ୍ରେମଚାନ୍ଦ ଓ ସମ୍ପାଦକ ହେଲେ ସଜ୍ଜାଦ ଜାହିର । ଏହି ସଂଘର ପ୍ରତିଷ୍ଠା ପୂର୍ବରୁ ୧୯୩୫ରେ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ମନୋଭାବ ବିରୋଧରେ ପ୍ୟାରିସ୍‌ଠାରେ ଆନ୍ତର୍ଜାତିକ ଲେଖକ ସଂଘ ଓ ଫାସିବାଦ ବିରୋଧୀ ଲେଖକ ସଂଘ ଗଠିତ ହୋଇଥିଲା । ଏଠାରେ ଲକ୍ଷ୍ୟ କରିବାର କଥା ଯେ, ଜାତୀୟ ଓ ଆନ୍ତର୍ଜୀତୀୟ ସ୍ତରରେ ଘଟୁଥିବା ଯୁଗାନ୍ତକାରୀ ଘଟଣାମାନ, ନାନା ପ୍ରକାର ସରକାରୀ କଟକଣା ଥିବାସତ୍ତ୍ଵେ ଭଗବତୀ ପାଣିଗ୍ରାହୀ ଓ ତାଙ୍କର ସାଥୀମାନଙ୍କ ନିକଟରେ ପହଞ୍ଚିପାରିଥିଲା ଏବଂ ଓଡ଼ିଆ ସାହିତ୍ୟରେ ସମାଜବାଦୀ ଭାବଧାରାର ପରିପ୍ରକାଶଲାଗି ପଥ ପରିଷ୍କାର କରିଥିଲା ।

 

‘ନବଯୁଗ ସାହିତ୍ୟ ସଂସଦ’ ଏବଂ ତାହାର ମୁଖପତ୍ର ‘ଆଧୁନିକ’ ଥିଲା ଯଥାର୍ଥରେ ସମାଜବାଦୀ ସାହିତ୍ୟ ଆନ୍ଦୋଳନର ଆୟୁଧ ।

 

‘ଆଧୁନିକ’ ତା’ର ନିଜ କଥା ଅଧ୍ୟାୟରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ - “ଜଗତର ସବୁ ଅଂଶରେ ଏକ ତୁମୂଳ ପରିବର୍ତ୍ତନର ଆଭାସ ମିଳୁଛି, ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନମାତ୍ର । ଏହି ପରିବର୍ତ୍ତନର ଆହ୍ଵାନ ଯେ, ଓଡ଼ିଶାର ଯୁବପ୍ରାଣକୁ ଚଞ୍ଚଳ କରିଛି ‘ଆଧୁନିକ’ ତାହାର ନିଦର୍ଶନ ।

 

ଉଭୟ ଚିନ୍ତା-ରାଜ୍ୟରେ ଓ କର୍ମକ୍ଷେତ୍ରରେ ଏ ଯେଉଁ ବିପ୍ଳବର ସୂତ୍ରପାତ ହେଉଅଛି ତାହା ଅଧିକାଂଶଙ୍କର ଅଗୋଚରରେ ହିଁ ହୋଇଅଛି । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଓ ତାହା ଗ୍ରହଣ କରିବା ଲାଗି ପ୍ରସ୍ତୁତ କରିବାକୁ ସଙ୍କେତ ଦେବା ଏହାର ଅଭିପ୍ରାୟ । ନୂତନର ସ୍ୱର କିପରି ଝଙ୍କୃତ ହେବ ସେ ସମ୍ପର୍କରେ ମଧ୍ୟ ଏଥରେ ସ୍ପଷ୍ଟ କରିଦିଆଯାଇ କୁହାଯାଇଛି - ‘ଆଧୁନିକ’ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରିବାକୁ ଯାଉନାହିଁ । ଓଡ଼ିଆରେ ଏହି ପୃଥିବୀ ବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ । ଓଡ଼ିଆ ସାହିତ୍ୟର ଅଭାବମୋଚନ ପାଇଁ କିମ୍ବା ସାହିତ୍ୟକଳାରେ କିଛି ଗୋଟାଏ ନୂତନତ୍ଵ ସୃଷ୍ଟି କରିବା ଲାଗି ଆଧୁନିକର ଜନ୍ମ ନୁହେଁ । ସେ ଦିଗରେ ଓଡ଼ିଶାରେ ପତ୍ରପତ୍ରିକାର ନିତାନ୍ତ ଅଭାବ ନାହିଁ ।

 

କଳା, ବିଜ୍ଞାନ, ସାହିତ୍ୟ ଦର୍ଶନ ଆଦି ସମସ୍ତ ବିଷୟରେ ଦୁଇଟି ଦିଗ ଅଛି । ଗୋଟିଏ ଦିଗରେ କର୍ମ ସହିତ ସଂଯୋଗ ଅଛି । ତାହା କର୍ମ ତତ୍ପରତାର ପରିପୋଷକ । ଅନ୍ୟଟିର କୌଣସି ବାହ୍ୟ ଉଦ୍ଦେଶ୍ୟ ନଥାଏ । ତାହାରି ଚର୍ଚ୍ଚାରେ ହିଁ ତା’ର ଉଦ୍ଦେଶ୍ୟର ଚରମ ପରିଣତି । ଶେଷୋକ୍ତ ବିଷୟ ଲେଖାଚର୍ଚ୍ଚା କରିବାକୁ ଆଧୁନିକର ସ୍ଥାନାଭାବ । ‘ଆଧୁନିକ’ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମତତ୍ପର ହେବାପାଇଁ ଚଞ୍ଚଳ କରିବ । ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ, ଉପନ୍ୟାସ-ନାଟକ ହେଉ, ଯାହା ମାନବର କର୍ମକ୍ଷେତ୍ରକୁ ପ୍ରଭାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ ଆଧୁନିକରେ ପ୍ରକାଶ ପାଇବ । ଆରାମ ଚୌକିରେ ବସି ପଢ଼ିବାଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଆଧୁନିକର ସ୍ଥାନ ପ୍ରଶସ୍ତ ନୁହେଁ ।

(‘‘ନିଜ କଥା” - ଆଧୁନିକ - ୧ମ ଭାଗ, ୧ମ ସଂଖ୍ୟା, ମେ-୧୯୩୬ ।)

 

ପ୍ରଗତିଶୀଳ ସାହିତ୍ୟିକ ଆନ୍ଦୋଳନ ସମ୍ପର୍କ ଏବଂ ତାହାର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ସ୍ପଷ୍ଟଭାବେ କୁହାଯାଇଥିଲା -’’ ଏ ଯୁଗରେ ଏପରି ସାହିତ୍ୟ ରଚନା ଆବଶ୍ୟକ, ଯାହା ପ୍ରତ୍ୟେକ ଲୋକର ମନକୁ କରିବ ପ୍ରଗତିଶୀଳ । ଦେଶରେ ଖେଳାଇ ଦେବ ନୂତନ ସଂସ୍କୃତିର ସ୍ରୋତ, ନାଜିଜିମ୍‌, ଫାସିଜିମ୍‌, ସାମ୍ରାଜ୍ୟବାଦ ଓ ସଂକୀର୍ଣ୍ଣ ଜାତୀୟତା ମଧ୍ୟରେ ପ୍ରାଚୀନର ଯେଉଁ ଅବଶିଷ୍ଟ ରହୁଛି ଏବଂ ଭାରତୀୟ ଧର୍ମପ୍ରାଣ ମନୋଭାବ ତଳେ ଯେଉଁ ପ୍ରତିକ୍ରିୟାଶୀଳତା ଲୁକ୍‌କାୟିତ, ତା’ର କରିବ ଧ୍ୱଂସ ସାଧନ ।”

(ଆଧୁନିକ - ୫ମ ସଂଖ୍ୟା)

 

ସମାଜବାଦୀ ଦର୍ଶନ ମାର୍କ୍ସବାଦକୁ ରାଜନୈତିକ ଦୃଷ୍ଟିକୋଣରୁ ବୈପ୍ଳବିକ କାର୍ଯ୍ୟପନ୍ଥୀ ଦୃଷ୍ଟିରୁ କେବଳ ଭଗବତୀ ଓ ତାଙ୍କର ସତୀର୍ଥମାନେ ଗ୍ରହଣ କରି ନଥିଲେ, ତାହାରି ଅବଲମ୍ବନରେ ଏକ ସାହିତ୍ୟିକ ଆନ୍ଦୋଳନ ଗଢ଼ି ତୋଳିଥିଲେ । ମଣିଷ ମନରେ ଥିବା ଜମାଟବନ୍ଧା କୁସଂସ୍କାର ଓ ବୌଦ୍ଧିକ ଦାସତ୍ୱର ଅନ୍ଧକାରକୁ ହଟାଇବା ଥିଲା ସେମାନଙ୍କ ଲକ୍ଷ୍ୟ । ସେ ଲକ୍ଷ୍ୟ ପୂରଣ କରିବାପରେ ‘ନବଯୁଗ ସାହିତ୍ୟ ସଂସଦ’ ଓ ତା’ର ମୁଖପତ୍ର ‘ଆଧୁନିକ’ ଯଥାର୍ଥ ଭୂମିକା ଗ୍ରହଣ କରିଥିଲା ।

 

ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମର ଇତିହାସ - ଏହି ତତ୍ତ୍ଵକୁ ଭାବବନ୍ଦୀ ସାହିତ୍ୟିକ ନିଗଡ଼ରୁ ମୁକ୍ତ କରି ବୈଜ୍ଞାନିକ ସତ୍ୟଦ୍ୱାରା ପ୍ରତିଷ୍ଠିତ ଶ୍ରେଣୀ ଚେତନାରେ ଅଭିମନ୍ତ୍ରିତ ହତିଆରକୁ ସାହିତ୍ୟ କ୍ଷେତ୍ରରେ ଶାଣିତ କରିବାର ଆହ୍ଵାନ ଓଡ଼ିଆ ସାହିତ୍ୟରେ ବଜ୍ର ନିର୍ଘୋଷ ସ୍ଵରରେ ଶୁଣାଗଲା । ସବୁଜ ଯୁଗର ସ୍ଵପ୍ନଚାରୀ ରୋମାଣ୍ଟିକ୍‌ ପରିଧି ମଧ୍ୟରୁ ସାହିତ୍ୟକୁ ମୁକ୍ତ କରି ମାର୍କ୍ସସୀୟ ଦୃଷ୍ଟିରେ ଅନୁପ୍ରାଣିତ କରିବାରେ ଗତିଶୀଳ ହୋଇ ଆସିଛି ।

 

ସ୍ୱାଧୀନତା ପୂର୍ବରୁ ଏ ଦିଗରେ କବି ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କାଳିନ୍ଦୀ ପାଣିଗ୍ରାହୀ ମନମୋହନ ମିଶ୍ର, ଲକ୍ଷ୍ମୀଧର ନାୟକ, ରଘୁନାଥ ଦାସ ପ୍ରମୁଖ ଯେପରି ଏ ସାହିତ୍ୟିକ ଭାବସମ୍ପଦକୁ ସମ୍ପୃଦ୍ଧ କରିଛନ୍ତି ପରବର୍ତ୍ତୀ ସମୟରେ ସେହିପରି କବି ରବି ସିଂ, ବ୍ରଜନାଥ ରଥ, ମନୋଜ ଦାସ ପ୍ରମୁଖ ତଥା ପୁଣି ପରେ ପରେ ‘ବେଳା’ ଗୋଷ୍ଠୀ ପର୍ଯ୍ୟନ୍ତ ବ୍ୟାପ୍ତ ଓ ବିକଶିତ ହୋଇ ଆସିଥିବା ସମ୍ଭବ ହୋଇଛି ।

 

ସମାଜବାଦୀ କାବ୍ୟ ଆନ୍ଦୋଳନରେ ଯେଉଁମାନେ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ କବି ସଚ୍ଚି ରାଉଚରାୟ ୧୯୩୪ରେ ଗଠିତ କଂଗ୍ରେସ-ସାମ୍ୟବାଦୀ କର୍ମୀସଂଘ ସମ୍ମିଳନୀ ଓ ୧୯୩୬ରେ ପ୍ରକାଶିତ ‘ଆଧୁନିକ’ ସହ ସମ୍ପର୍କ ରକ୍ଷା କରି ତାଙ୍କର କାବ୍ୟ-ଆଭିମୁଖ୍ୟ ମାର୍କ୍ସବାଦୀ ଚିନ୍ତାଧାରା ଦ୍ଵାରା ଅନୁପ୍ରାଣିତ ହୋଇ ଉଠିଥିଲା । ତାହା ସେତେବେଳର ସାମାଜିକ ଓ ରାଜନୈତିକ ପରିସ୍ଥିତି ଦ୍ଵାରା ସମ୍ଭବ ହୋଇଥିଲା । ତାଙ୍କର ‘ପୂର୍ଣ୍ଣିମା’ ଓ ‘ପାଥେୟ’ରେ ଥିବା ରଚନାମାନଙ୍କରେ ସବୁଜ ପରିଧି ପାରିହୋଇ ‘ଅଭିଯାନ’ ସଙ୍କଳନରେ କବିତାମାନ ତାଙ୍କର ବିପ୍ଲବୀ କବିଜୀବନର ଅନୁଭୂତିର ପରିପ୍ରକାଶ ଧାରଣ କରିଛି ।

 

ସେ କଲିକତାରେ ଆଇ.ଏ ପଢ଼ୁଥିବାବେଳେ ମାର୍କ୍ସବାଦୀ ଚିନ୍ତାଧାରାର ଘନିଷ୍ଠ ସମ୍ପର୍କରେ ଆସିଥିଲେ । ପୁଣି ସେ ରାଜନୀତି ସହ ଜଡ଼ିତ ହୋଇ ୧୯୩୭ରେ ଏକ ରାଜନୈତିକ ଷଡ଼ଯନ୍ତ୍ର ମକଦ୍ଦମାରେ ଅଭିଯୁକ୍ତ ହୋଇ ବନ୍ଦୀଜୀବନ ଅତିବାହିତ କରିଥିଲେ । କଲିକତାରୁ କଟକ ଆସି ରେଭେନ୍ସା କଲେଜରେ ଅଧ୍ୟୟନ କରିବା ସମୟରେ ଗଡ଼ଜାତ ଆନ୍ଦୋଳନ, ଛାତ୍ର ଆନ୍ଦୋଳନ ଏବଂ କୃଷକ ସଙ୍ଗଠନଗୁଡ଼ିକ ସହ ପ୍ରତ୍ୟେକ୍ଷ ସମ୍ପର୍କ ରଖିଥିଲେ । ପୁଣି ସୁକିନ୍ଦାରୁ ସେ ପ୍ରାଦେଶିକ କଂଗ୍ରେସ କମିଟିର ସଭ୍ୟଭାବରେ ନିର୍ବାଚିତ ହୋଇଥିଲେ । ପୁଣି ନିଖିଳ ଭାରତ କୃଷକ ସଂଘ ଓଡ଼ିଶା ଶାଖାର ସମ୍ପାଦକ ମଧ୍ୟ ନିର୍ବାଚିତ ହୋଇଥିଲେ । ତେଣୁ ତାଙ୍କର ଅନ୍ୟାନ୍ୟ ରଚନା ଅପେକ୍ଷା ‘ଅଭିଯାନ’ (୧୯୩୦) ସଙ୍କଳନ ହେଉଛି ତାଙ୍କ ପ୍ରଗତିଶୀଳ କାବ୍ୟ ଚେତନାର ଅଭିଯାନ । ଓଡ଼ିଆ ସାହିତ୍ୟରେ ପ୍ରଚଳିତ ଧାରାକୁ ପ୍ରଚଣ୍ଡ ଧକ୍କା ଦେଇ ପ୍ରତିକ୍ରିୟାଶୀଳ ଭାବ ନିବିଷ୍ଟ ପ୍ରଥାରୁ ମୁକ୍ତକରି ବିପ୍ଳବ ଓ ବିଦ୍ରୋହର ଶାଣିତ ଚେତନାରେ ଉତ୍ତରଣ ହୋଇ ଉଠିଛି । ଶ୍ରୀ ରାଉତରାୟଙ୍କ ଚେତନାଦୀପ୍ତ ପରିପ୍ରକାଶ ଘଟିଛି ଏହିପରି ଭାବରେ - ‘‘ଏ ଯୁଗ ସର୍ବହରାର ଯୁଗ । ସମସ୍ତ ସାମ୍ରାଜ୍ୟବାଦ ବିରୋଧୀ ଓ ପ୍ରତିକ୍ରିୟା ପରିପନ୍ଥୀ ଶକ୍ତିମାନଙ୍କୁ ଏକଜୁଟ କରି ଶ୍ରେଣୀହୀନ ସମାଜ ଗଠନ ଦିଗରେ ନିୟୋଜିତ କରିବା ହିଁ ଏ ଯୁଗର ବିଶେଷ ଐତିହାସିକ ଦାୟିତ୍ୱ । ସାହିତ୍ୟ ଯଦି ଏ ବିଶେଷ ଦାୟିତ୍ୱର ବାର୍ତ୍ତାବହ ହୋଇ ନ ପାରିଲା, ତେବେ ତାହା ଚିରଦିନ ମେରୁଦଣ୍ଡହୀନ ଏବଂ Escapist ହୋଇ ପଡ଼ି ରହିଥିବ ସିନା । ସାହିତ୍ୟକୁ ଏହି ଏସ୍‌କେପିଷ୍ଟ ଟେଣ୍ଡେନ୍ସି (Escapist tendency) ହାତରୁ ଉଦ୍ଧାର କରି ବିପ୍ଲବାତ୍ମକ ବିଚାରଧାରାର ବାହନ କରିବା ଦିଗରେ ‘ଅଭିଯାନ’ ଯଦି କିୟତ ପରିମାଣରେ ଅଗ୍ରସର ହୋଇପାରିଥାଏ, ତେବେ ଲେଖକ ନିଜକୁ କୃତାର୍ଥ ମଣିବ ।’’ (‘ଅଭିଯାନ’ର ଭୂମିକା) । ‘ଜନସାଧାରଣଙ୍କ ସାହିତ୍ୟ’ ପ୍ରବନ୍ଧରେ ଶ୍ରୀ ରାଉତରାୟଙ୍କ ମତରେ ‘‘ବାସ୍ତବିକ ଯେଉଁ ସାହିତ୍ୟରେ ଆମର ବଞ୍ଚିବାର ପ୍ରଶ୍ନ ନାହିଁ, ଯେଉଁଥିରେ ଆମର ଅସ୍ତିତ୍ଵର ସମସ୍ୟା ନାହିଁ, ସେ ସାହିତ୍ୟ ଖାଲି ସୌଖୀନ ସ୍ଵପ୍ନ ସୃଷ୍ଟି ଛଡ଼ା ଆମର କୌଣସି ପ୍ରୟୋଜନରେ ଆସେ ନାହିଁ । ତା’ର ମୂଲ୍ୟ ସ୍ଵୀକାର କରିବାରେ ଉପାୟ ନାହିଁ । ଜନସାଧାରଣଙ୍କ ସାହିତ୍ୟ ସବୁବେଳେ ପ୍ରଗତିଶୀଳ ହେବା ଉଚିତ । ଏହା ଆମର ଶୋଭାଯାତ୍ରାର ତାଳେ ତାଳେ ଛନ୍ଦ ରଖି ନ ପାରିଲେ ଆମର ବହୁ ପଛରେ ପଡ଼ିଯିବ ।

(ଜନସାଧାରଣଙ୍କ ସାହିତ୍ୟ - ସହକାର ୧୮ଶ ବର୍ଷ ୩ୟ ସଂଖ୍ୟା ଆଷାଢ଼, ୧୩୪୪)

 

ତେଣୁ ‘ଅଭିଯାନ’ର କେତୋଟି କବିତାଂଶର ଉଦାହରଣରୁ ତାହା ଜାଣିହୁଏ । ପୁଞ୍ଜିବାଦୀ ବ୍ୟବସ୍ଥାରେ ଶ୍ରମିକ ଚାଷୀ ମୂଲିଆଙ୍କୁ ଅବସ୍ଥାରେ ଆହ୍ଵାନ –

 

“ଆରେରେ ଶ୍ରମିକ, ଚାଷୀ ଓ ମୂଲିଆ, ଆରେ ବୁଭୁକ୍ଷୁ ଦଳ

ତୁମେ ତ ଗଢ଼ିଛ ତୁମରି ପାଇଁକି, ତୋପ ଓ ବାରୁଦ କଳ ।

ତୁମେ ତ ଗଢ଼ିଛ ଜୀବନକୁ ଝାସି, ବନ୍ଧୁକ ଆଉ ନଳୀ

ତୁମରି ହାଡ଼ରେ ପରଖ ତାହାର, ସଙ୍ଗିନ ଯାଏ ଗଳି ।

ତୁମେ ବନାଇଛ ଦେହ ଝାଳ ମାରି, ବିରାଟ କଏଦୀଖାନା

ସେ ଅତିଥିଶାଳୁ ଆସେ ତୁମପାଇଁ, ତେଣୁ ସଦା ପରବାନା ।

(‘ଅଭିଯାନ’ ସଂ ପୃ. ୭୪୮)

 

ଏମାନଙ୍କ ଲାଞ୍ଛନା ଓ ନିର୍ଯ୍ୟାତନାକୁ ସହି ନଯାଇ ନୂତନ ଯୁଗର ସ୍ପନ୍ଦନ ଆଣିବାପାଇଁ କବି ଏହି ଲାଞ୍ଛିତମାନଙ୍କୁ ନୂତନ ଯୁଗର ରିତ୍ତ୍ୱିକ ଭାବେ ଗ୍ରହଣ କରି ଲେଖିଛନ୍ତି –

 

ନବୀନ ଯୁଗର ରିତ୍ତ୍ଵିକ ଆହେ, ଆହେ କଂକାଳ ସେନା

ଦୁଃସହ ଗ୍ଳାନି, ବନ୍ଧନ, ପାଶ, ବରଣ କରି ତୁ ନେ ନା ।

ଭୀମ ହୁଙ୍କାରେ ପଦ ଶୃଙ୍ଖଳେ, ଆଜି ତୁ ମୋଚନ କର

ଫୁତ୍‌କାରେ ତୋର ପରକାଶ ଲଭୁ, ବନ୍ୟାର ଫେନ ଜଳ ।

 

ଗଡ଼ଜାତମାନଙ୍କର ସାମ୍ରାଜ୍ୟବାଦୀ ଇଂରେଜ ସରକାରର ଶୋଷଣ ସହ ସାମନ୍ତବାଦୀ ଶୋଷଣ ଏକାକାର ହୋଇ ଲୋକେ ଅତ୍ୟନ୍ତ ଅତ୍ୟାଚାରିତ ହୋଇ କାଳ କଟାଉଥିଲେ । ସେଠାରେ ବିଦ୍ରୋହର ବହ୍ନି ଜାଳିଦେବା ଲାଗି ତାଙ୍କର ‘କୃଷକ’ ପତ୍ରିକାରେ ପ୍ରକାଶିତ କବିତା “ମାର ତୁ ଯେତେ ଗୁଳି” ଅତ୍ୟନ୍ତ ପ୍ରଚାରିତ ହୋଇ ଲୋକଙ୍କ ମଧ୍ୟରେ ଉଦ୍ଦୀପନା ସୃଷ୍ଟି କରିଥିଲା –

 

ମୂଲିଆ କୁଳ ହୁଅରେ ଠୁଳ, ଆସରେ ଚାଷୀ ଚାଲି

ଅନ୍ଧାରି ଦେଶ ଆଲୁଅ କରି, ଦିହୁଡ଼ି ଦିଅ ଜାଳି ।

ବୁକୁରେ ଲୁହ ଢାଳି ତୁ ଏଥି ବନ୍ୟା ଯାଆ ରଚି

ଭସାଇ ନଉ ମଇଳା ଆଉ ଜୁଲୁମ ଯେତେ ଅଛି

ମାର ତୁ ଯେତେ ଗୁଳି

ହୁଙ୍କାପିଟା ଶାସନ ଆମେ ଗୋଡ଼ରେ ଦେବୁ ଚୂରି ।

 

ଗଡ଼ଜାତ ଆନ୍ଦୋଳନବେଳେ ସଚ୍ଚି ରାଉତରାୟ ଓ ଅନନ୍ତ ପଟ୍ଟନାୟକଙ୍କ ମିଳିତ କବିତା ପୁସ୍ତକ ‘ରକ୍ତଶିଖା’ ବେଆଇନ ହୋଇଥିଲା । ରାଉତରାୟଙ୍କ କବି ମାନସର ଶ୍ରେଷ୍ଠ ସାଫଲ୍ୟ ଦେଖିବାକୁ ମିଳେ ‘ବାଜିରାଉତ’ (୧୯୪୧)ରେ।

 

ଢେଙ୍କାନାଳ ଅତ୍ୟାଚାରର ଶିକାର ହୋଇ ମୃତ୍ୟୁବରଣ କରିଥିବା ଶହିଦମାନଙ୍କୁ କଟକସ୍ଥ ଖାନ୍‌ନଗର ଶ୍ମଶାନରେ ବାଜିରାଉତ ଓ ଅନ୍ୟ ଛ’ଜଣଙ୍କୁ ଚିତାଗ୍ନିରେ ଶୁଆଇ ଦେଇ ଅଗ୍ନିସଂଯୋଗ ପରେ ପରେ ବିପ୍ଲବୀ କବିଙ୍କଠାରୁ ଉଦ୍‌ଗୀରଣ ହୋଇ ଉଠିଲା ବିପ୍ଳବର ଲାର୍ଭା –

 

“ନୁହେଁ ବନ୍ଧୁ ନୁହେଁ ଏହା ଚିତା

ଏ ଦେଶ ତିମିର ତଳେ ଏ ଅଲିଭା ମୁକତି ସଳିତା

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଥି ଜଳି ପୋଡ଼ି ଦେବାକୁ ଧସାଇ ।’’

 

ବିପ୍ଳବର ପଟୁଆର ଚାଲିଥିବାବେଳେ ଯେଉଁ କବିମାନେ ବା ଭୀରୁମାନେ ସ୍ଵପ୍ନ ବିଳାସରେ ମସଗୁଲ ହୋଇ ଦୂରଛଡ଼ା ହୋଇ ରହିଥାନ୍ତି ସେମାନଙ୍କ ପ୍ରତି କଠୋର କଟାକ୍ଷ କରି କବି ଗାଇଛନ୍ତି –

 

ଆରେ ଆରେ ପଳାୟନପନ୍ଥୀ !

ପଳାଇବୁ ଆଜି କାହିଁ ଛିନ୍ନକରି ଧରଣୀର ଗ୍ରନ୍ଥି

ଲୁଚିବୁ ବା କାହିଁ

ମୃତ୍ତିକାରେ ଏତେ ଦାବି

ପାରିବୁକି ଆଜି ତୁ ତୁଟାଇ ?

କାହିଁ ଭୀରୁ ନେବୁରେ ଆଶ୍ରୟ

ତୋର ସେଇ କୁଞ୍ଜବନ ଦେଇ କି ସେ ପାରିବ ଅଭୟ ?

 

ଓଡ଼ିଆ କବିତା ଇତିହାସରେ ଶ୍ରୀ ରାଉତରାୟ ନୂତନ ଚିତ୍ରକଳ୍ପ, ଆଙ୍ଗିକରେ ଗଦ୍ୟଛନ୍ଦର ପ୍ରୟୋଗ, ବାକ୍‌ରୀତି ସହ କଥ୍ୟଭାଷାର ସମନ୍ଵୟ ସାଧନରେ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି, ତାହା ଅଭିନବ ରୂପରେ ପ୍ରକାଶିତ ହୋଇଅଛି । ରାଜାର ଖିଆଲ ଓ ନାମ ଯଶ ରକ୍ଷା ପାଇଁ ଶ୍ରମିକକୁ ଖଟାଇ ଯେଉଁ ଶିଳ୍ପକଳା ଗଢ଼ାଯାଇଛି, ସେହି ରୁଚିକୁ ନିର୍ମମ ଭାବେ ସମାଲୋଚନା କରି କବି ‘କୋଣାର୍କ’ କବିତାରେ କହିଛନ୍ତି –

 

ଧନ୍ୟ ଆମର ଶିଳ୍ପ ଚାତୁରୀ

ଧନ୍ୟ ଲଳିତକଳା ।

ରାଜାର ସୁନାମ ପ୍ରଚାର ଲାଗି

କୋଟି ବୁକେ ବାଜେ ମେଳା ।

ଅମର ହୋଇବ କାଳର କବଳେ

ଯେଶୁ ଜଣକର ନାମ,

ଲକ୍ଷ ବେନାମୀ ଜୀବନରେ ତେଣୁ

ଗଢ଼ା ହେଲା ଶମଶାନ

ଏ ଭାବ ପ୍ରବଣ ଜାତି,

ଏବେ ବି ଗରବେ ଚାହିଁ ତା’ କବରେ

ଫୁଲାଏ ଆପଣା ଛାତି ।

 

ଫାସିଜିମ୍‌ ବିରୋଧରେ ତାଙ୍କର ଶାଣିତ ଉକ୍ତି ‘ହିଟଲର୍‌’ କବିତାରେ ବିଦ୍ୟମାନ –

 

ଝଡ଼ର ବାହିନୀ ପଥେ ପଥେ ଆଜି ରଚଇ ତା’ ପଟୁଆର

ମଣିଷ ରୂପେ ଆସିଛି ଦୈତ୍ୟ ଧରା ତଳେ ହିଟ୍‌ଲର୍‌ ।

ବାମପାଦ ତା’ର ଜର୍ମାନୀବୁକେ ପୁଣି ତା’ ଡାହାଣ ଖୋଜ

ଅଷ୍ଟ୍ରିଆର ଶ୍ୟାମଳ ଛାତିରେ ଉଡ଼େ ଧ୍ଵଂସର ଭୋଜ ! !

ଆର୍ଯ୍ୟ ଜାତିର ସଭ୍ୟତା ନାମ ବାରେ ବାରେ ଦେଇ ଦ୍ୱାହି

ମଣିଷକୁ ଆଜି ମୂର୍ଦ୍ଦାର କରେ ଫାସିଷ୍ଟ ଲହୁ ବାହି ।

 

ଦ୍ୱିତୀୟ ମହାଯୁଦ୍ଧ କାଳରେ ଏବଂ ପରେ ମାନବିକ ମୂଲ୍ୟବୋଧର ଯେଉଁ ଅବକ୍ଷୟ ଘଟିଛି, ତାହାର ରୂପାୟନ ‘ପ୍ରତିମା ନାୟକ’, ‘ଅଳକା ସାନ୍ୟାଲ’, ‘ମାଟିଆ ବୁରୁଜର ଜହ୍ନ’ ପ୍ରଭୃତି କବିତାରେ ପ୍ରତିଫଳିତ । ତାଙ୍କର ରଚନାମାନ ଅନୁଧ୍ୟାନ କଲେ ସମାଜବାଦୀ ସୋଭିଏତ୍‌ ଶାସନର ଅବସାନ ବେଳେ ୧୯୯୧ ଡିସେମ୍ବର ୨୫ ତାରିଖ ବିପର୍ଯ୍ୟୟ ଅବସ୍ଥା ପରେ ପରେ ୧୯୯୨ ମସିହାର ‘ସମାଜ’ରେ ତାଙ୍କ ମନର ପ୍ରତିକ୍ରିୟାରେ ପ୍ରକାଶିତ କବିତାରେ ସମାଜବାଦୀ ମାନବତାବାଦର ପ୍ରତିଫଳନ ଲକ୍ଷ୍ୟ କରିବାର କଥା ତାହାର ଉଦାହରଣ –

 

ପତାକା ଓହ୍ଲାଅ ନାହିଁ,

ଏ ପତାକା ନୁହେଁ ସାଲୁକନା,

କୋଟି କୋଟି ମଣିଷର ରକ୍ତେ ତାହା ଲାଲ୍‌,

ଭୋକୀ, ଦୁଃଖୀ, ଶୋଷିତର ଆଶାର ମଶାଲ

ସେ ମୁକ୍ତିର ବାନା

ପୃଥିବୀର ଭାରସାମ୍ୟ

ସାମ୍ୟର ବୈରଖ

ଶତାବ୍ଦୀର ଶେଷ ସାଲିଆନା ।

ଲେନିନ ଡାକେ ମୋ ଲେଖନୀ

ଯେତେବେଳେ ଯେତେଥର

ତୃପ୍ତି ଆସେନା ପୁଣି ଡାକିବାକୁ

ଇଚ୍ଛାହୁଏ ବାର ବାର ।

ଏ ଯେଉଁ କବିତା ଲେଖିଥିଲି ମୁହିଁ

ଅଣଷଠି ସାଲେ ଦିନେ

(ଲେନିନ ଜନ୍ମ ଦିନେ)

ଆଜି କିଆଁ ତୁହାଇ ତୁହାଇ

କୁହୁଳି ଉଠୁଛି ମନେ ।

(ସମାଜ ୨୬.୧.୯୨)

ଧର୍ମ ଆଜି ପାଲଟିଛି ବଡ଼ ହତିଆର

ଅସ୍ତ୍ରାଗାର ହୋଇଛି ମନ୍ଦିର,

ଭାଷା ବନେମସ୍ତ ଏକ ଆଳ

ମୂର୍ଖଙ୍କ ଡାକରେ

ବିଜ୍ଞାନ ଗୋଲାମ ସାଜେ ନିହିତ ସ୍ୱାର୍ଥର

ଏକାୟତ୍ତ ପୁଞ୍ଜିହାତେ ବିଶ୍ଵର ବଜାର ।

ଅର୍ଥଶାସ୍ତ୍ର ପରି ପକେଟରେ ।

ପୃଥିବୀରେ ସର୍ବହରା କଙ୍କାଳ ବଜାଏ

ସବୁଠି ତ ମୁଁ ହାରିଯାଏ ।

(ସମାଜ, ତା୧୨.୧.୯୨)

 

ଓଡ଼ିଆ ସମାଜବାଦୀ କାବ୍ୟ ଆନ୍ଦୋଳନର ଅନ୍ୟତମ ଅଙ୍ଗୀକାରବଦ୍ଧ ସାର୍ଥକ କବି ଅନନ୍ତ ପଟ୍ଟନାୟକ ପାଠକଙ୍କ ସାମନାକୁ ଆସି ଯାଆନ୍ତି । ‘ନବଯୁଗ ସାହିତ୍ୟ ସଂସଦ’ ଓ ଗଠନ ଓ ‘ଆଧୁନିକ’ ପ୍ରକାଶନର ସେ ଥିଲେ ଭଗବତୀଙ୍କର ସହଯୋଗୀ । ଏହାର ପ୍ରଥମ ଅଧିବେଶନ ବେଳେ ଯେଉଁ ଉଦ୍‌ଘାଟନୀ ସଙ୍ଗୀତଟି ମାଳତୀ ଚୌଧୁରୀଙ୍କ କଣ୍ଠରେ ଧ୍ୱନିତ ହୋଇଥିଲା ସେହି କବିତାରେ ‘ନବୀନ ଯୁଗର ତରୁଣ ଜାଗେରେ’ ଆହ୍ଵାନ ପ୍ରଚଣ୍ଡ ବେଗ ଧାରଣ କରି ଛୁଟି ଚାଲିଥିଲା ଓଡ଼ିଶାରେ ବିଭିନ୍ନ ଜନ ଆନ୍ଦୋଳନକୁ ଗତିଶୀଳ କରିବା ବାଟରେ ସମାଜରେ ବିପ୍ଳବର ଆବାହନପାଇଁ ଯେଉଁ ସବୁ କବିତା ରଚିତ ହୋଇଛି, ତାହା ୧୯୩୬-୩୮ ମଧ୍ୟରେ ‘ଆଧୁନିକ’, ‘ନବଭାରତ’ ‘ରକ୍ତଶିଖା’ ସଙ୍କଳନରେ ଦେଖିବାକୁ ମିଳେ ।

ସେ ଇତିହାସ ଓ ଅର୍ଥନୀତିର ଛାତ୍ର ଥିବାରୁ ସମାଜ ବ୍ୟବସ୍ଥାର ପରିବର୍ତ୍ତନ କ୍ରମରେ ସାହିତ୍ୟର ସ୍ଵରୂପକୁ ଆଲୋଚନା କରିବାରେ ମାର୍କ୍ସବାଦୀ ଶ୍ରେଣୀ ଦର୍ଶନକୁ ଅନୁଶୀଳନ କରି ସେ ଲେଖିଥିଲେ - “ସାହିତ୍ୟ ଆଜିଯାଏ ଏବଂ ଆଜି ମଧ୍ୟ ଶ୍ରେଣୀ ବିଶେଷ ହାତରେ, ସେଇ ଶ୍ରେଣୀର ସ୍ଵାର୍ଥ ପୂର୍ତ୍ତି ଦିଗରେ ସାହାଯ୍ୟ କରିବାଲାଗି ବିବେଚିତ ହେଉଛି । ଶୋଷିତ ସମ୍ପ୍ରଦାୟ, ଶ୍ରମିକ ଓ କୃଷକ କୁଳ ସଚେତ ହୋଇ ସେ ସାହିତ୍ୟକୁ ଧନତାନ୍ତ୍ରିକତାର ଗ୍ରାସରୁ ରକ୍ଷା କରିବା ଲାଗି ତତ୍ପର ହୋଇଛନ୍ତି । ଫଳରେ ସାହିତ୍ୟିକ କ୍ଷେତ୍ରରେ ବି ଶ୍ରେଣୀ ସଂଗ୍ରାମ ଅନିର୍ବାଯ୍ୟ ହୋଇଉଠିଛି । ରୋମାରୋଲାଁ ଟଲର ପ୍ରଭୃତି ଶୋଷିତ ସମ୍ପ୍ରଦାୟର ସାହିତ୍ୟିକ ।

 

ଏ ଶ୍ରେଣୀ ସଂଗ୍ରାମ ଶେଷରେ - ଧନତାନ୍ତ୍ରିକ ସାହିତ୍ୟର ଲୋପରେ ଅବିମିଶ୍ର ସୌନ୍ଦର୍ଯ୍ୟ ସୃଷ୍ଟି କେବଳ ସମ୍ଭବପର । କାରଣ ସେତେବେଳେ ଏହା ଆଉ ଧନତାନ୍ତ୍ରିକତାର ଫାସିଜିମ୍‌ର ଭୃତ୍ୟ ହୋଇ ରହିବ ନାହିଁ - ସେମାନଙ୍କ ହାତରେ ଅସ୍ତହେବ ନାହିଁ । ସମଗ୍ର ମାନବ ଜାତି ସେତେବେଳେ ହେବ ଶ୍ରମିକର ଜାତି - ପ୍ରୋଲେଟାରିଆଟ - ଅଳସ ଅର୍ଥଗୃଧ୍ନର ହେବ ଅବଲୋପ । ସେତେବେଳେ ସାହିତ୍ୟରେ ପ୍ରତିଷ୍ଠିତ ହେବ ପ୍ରକୃତ ଅବିନଶ୍ଵର, ସତ୍ୟ ଶିବ ସୁନ୍ଦରର ମହନୀୟତା-। (ସାହିତ୍ୟରେ ଶ୍ରେଣୀପରତା - ଆଧୁନିକ, ୧ମ ବର୍ଷ ୫ମ ସଂଖ୍ୟା, ୧୯୩୬ ।)

 

ଏହି ଆଭିମୁଖ୍ୟ ନେଇ କବି ଶୋଷଣ ପ୍ରକ୍ରିୟା ବିରୋଧରେ ଖଡ଼୍‌ଗଧାରଣ ପାଇଁ ‘ବାଡ଼ି ପଛେ ଭାଙ୍ଗୁ ସାପ ମରୁ’ ନୀତିକୁ ଧାରଣ କରି ବିଶ୍ଵରେ ଶ୍ରମଜୀବୀ ଶ୍ରେଣୀକୁ ଏକ ହେବା ପାଇଁ ଆହ୍ଵାନ ଦେଇ ଗାଇ ଉଠିଛନ୍ତି –

 

ନିଃସ୍ୱ ଯେତେକ ବିଶ୍ଵର କୋଳେ ସକଳ ଶ୍ରମିକ ଚାଷୀ

ମିଳିତ ହୁଅରେ ଆମରି ସଙ୍ଗେ ଶଙ୍କା ଜଡ଼ତା ନାଶି ।

ଥରୁରେ ଧରଣୀ ଆକାଶ ପବନ ଥରୁରେ ଶୋଷକକୁଳ

ହସିଉଠୁ ଆଜି ସମତା ଜଗତେ ଭାଜୁରେ ସଉଧ ଚୂଳ ।

 

କବି ବାରମ୍ବାର ପୋଲିସ ଦ୍ଵାରା ଗିରଫ ହୋଇ କାରାବରଣ କରିଛନ୍ତି । ଗଡ଼ଜାତ ଆନ୍ଦୋଳନ ବେଳେ, ୧୯୪୦ରେ ସେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ଅଢ଼େଇବର୍ଷ ସଶ୍ରମ କାରାଦଣ୍ଡ ଭୋଗିଛନ୍ତି । ତେଣୁ ସେ ସଚେତନ ଭାବେ ବିଦେଶୀ ପୁଞ୍ଜିପତି ଓ ସାମ୍ରାଜ୍ୟବାଦୀ ଶକ୍ତିର ଉତ୍ପୀଡ଼ନ ସହ ଆମ ଦେଶର ଶୋଷକମାନଙ୍କ କବଳରେ ଚାଷୀ ମୂଲିଆ ଯେପରି ଶୋଷିତ ଓ ଲାଞ୍ଛିତ ହେଉଥିଲେ ତା’ ବିରୋଧରେ ଆଗେଇ ଯିବା ପାଇଁ କବି ଆହ୍ୱାନ ଦେଇ ଲେଖିଥିଲେ –

 

ଦସ୍ୟୁ ଦଳେ ଦେଶଟା ଆଜି ଗଲାରେ ଗଲା ଛାଇ

ସାତ ସାଗର ସେ ପାଖେ ବସି ଦସ୍ୟୁ ମାରେ ହାଇ ।

ଭାଇର ବୁକୁ ରୁଧିର ପିଏ ଏ ଦେଶର ଭାଇ

ଏଇ ଶୋଷକ ଦସ୍ୟୁ କୁଳେ କରରେ ଛାରଖାର

ଦେଶୀ ବିଦେଶୀ ସମାନ ଦୁହେଁ ସମାନ ଅତ୍ୟାଚାର ।

 

ତେଣୁ -

ସଙ୍ଗୀନ ମୁନରେ ଏଇ ସରକାର

ଶୋଷେ ଆମ ରକ୍ତ ପୋଷେ ଜମିଦାର

ଆମରି ଗୁହାରି ଆମ ହାହାକାର

ନଶୁଣାଇ ତାକୁ ନାଶିବୁ ।

 

ଅତ୍ୟାଚାରିତ ମଣିଷଙ୍କୁ ସ୍ନେହ ଓ ଭଲ ପାଇବାରେ ପ୍ରକୃତ ବିପ୍ଳବ ଜନ୍ମନିଏ । କ୍ରୋଧ ଈର୍ଷା ଦ୍ଵେଷରୁ ନୁହେଁ । ତେଣୁ ସେ ମାର୍କ୍ସସୀୟ ଦୃଷ୍ଟିନେଇ ଗଭୀର ଜୀବନବୋଧର ସନ୍ଧାନ କରିଛନ୍ତି-। ତାଙ୍କର ‘କିଞ୍ଚିତ’, ‘ଅଲୋଡ଼ାଲୋଡ଼ା’, ‘ଛାଇର ଛିଟା’ ପ୍ରଭୃତି ସଙ୍କଳନଗୁଡ଼ିକ ତାହାର ଉଦାହରଣ । କବିଙ୍କ ସମ୍ପର୍କରେ ଯଥାର୍ଥରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର ଉଲ୍ଲେଖ କରିଛନ୍ତି - ‘‘ସ୍ନେହୀ ବିପ୍ଳବୀଟିଏ ସବୁକାଳ ପ୍ରକୃତ କବି । ସକଳଙ୍କୁ ଦୃଷ୍ଟିର ସବୁ ସ୍ଥିତିକୁ ସେ ଆପଣାର କରିବାକୁ ଚେଷ୍ଟା କରେ । ଯୋଉଠି ଦୁଃଖ, ଯୋଉଠି ହାହାକାର, କାନ୍ଦଣା ସେଇଠି ଛିଡ଼ାହୁଏ, ସାହାସ ଦିଏ, ଧୈର୍ଯ୍ୟ ଦିଏ ଛାତିକୁ ପଥର କରି । ହାଡ଼କୁ ଟାଣ କରି ଲଢ଼ିବାକୁ ଶିଖାଏ, ବିପ୍ଳବର ସୂକ୍ଷ୍ମ ମନ୍ତ୍ର କାନରେ ଫୁଙ୍କି ଦିଏ ସରଳତମ, ଓଜସ୍ଵିନୀ ଭାଷାରେ । ଭାଷା ହିଁ ହୁଏ ଅଗ୍ନି । ଶବ୍ଦ ହିଁ ହୁଏ ସନ୍ଦୀପନ । ତା'ରି କୋମଳ ଅଗ୍ନି ଜାଳରେ ଜଳିଯାଏ ଅନ୍ୟାୟ ଅତ୍ୟାଚାର କିନ୍ତୁ ଲକ୍ଷ୍ୟଥାଏ ସ୍ୱପ୍ନର ବେଣୁସ୍ଵନ ଶୁଭିଯିବ ତାପରେ ପରେ । ଧ୍ଵଂସର ଭୈରବୀ ତଳ ସୃଜନର ନୂତନ ମନ୍ତ୍ର ଶୁଭିଯିବ ଆଉଥରେ । (ଧୂଳି ଫୁଲର ମହକ - ଡ. ସୀତାକାନ୍ତ ମହାପାତ୍ର - କବି ଅନନ୍ତ ସ୍ମରଣିକା - ଓଡ଼ିଶା ସାହିତ୍ୟ ଏକାଡେମୀ)

 

କବି ନାନା ପ୍ରକାର ଦୁଃଖ କଷ୍ଟ ଯାତନାର ଦାବଦାହ ଭିତରୁ ଆସିବାର ଉଦ୍ଦେଶ୍ୟକୁ ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି –

 

ଆସିଛି ମୁଁ ଆସିଛି,

ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି ।

ମୁଁ ଆସିଛି,

ରକ୍ତର ଦୁସ୍ତର ପାରାବାର ଲଙ୍ଘି

ମୁଁ ଆସିଚି,

କୃମି କୀଟର ଉଲ୍ଲୁଙ୍ଗ ଉଲ୍ଲାସ ଚିରି

ମୁଁ ଆସିଚି

ଲଲାଟରେ ଭବିଷ୍ୟର ଉତ୍କୀର୍ଣ୍ଣ ଲିପି ଘେନି

ସ୍ଫୁଲିଙ୍ଗର ଚଳୋର୍ମି ।

ମୁଁ ଆସିଚି,

ପ୍ରାଣର ଅଧିପ ମୁଁ ସୂର୍ଯ୍ୟ,

ସ୍ନେହର ପ୍ରତିଭୂ ମୁଁ ଚନ୍ଦ୍ର,

ପର୍ବତର ସ୍ରୋତ ଦି’ଭାଗ କରି ଆସିଚି ।

ମୁଁ ଧ୍ୱଂସ କରିବି,

ବତ୍ସହରା ନାରୀର ଦଗ୍‌ଧ ଚକ୍ଷୁର ଜ୍ଵାଳା-

ମୁଁ ବର୍ଷିବି,

ସହସ୍ରଧାରା ଅଶ୍ରୁର ଏକ ବିନ୍ଦୁ !

ଲୌହଗର୍ଭା ଧରିତ୍ରୀର ନାଭିପଦ୍ମ ଓଟାରି

ମୁଁ ଆସଚି,

ତା’ର ଆତ୍ମା ଶୋଷଣ କରି ମୁଁ ଆସିଚି ସ୍ତନ୍ୟ,

ନାରୀ ! ତୁମର ସ୍ତନାଗ୍ରଚୂଡ଼ାରେ ଟଳମଳ କରୁ,

କ୍ଷୀରାବ୍‌ଧିର ବୀଚି । × × ×

 

କବି ଅନନ୍ତ ତାଙ୍କର ଏହି ଘୋଷିତ ଲକ୍ଷ୍ୟପଥରୁ କେବେ ହେଲେ ବିଚ୍ୟୁତ ହୋଇ ନାହାନ୍ତି-। ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନକୁ ଦୃଢ଼ତାର ସହ ଆଗେଇ ନେଇଛନ୍ତି ।

 

କବିଙ୍କ ‘‘ଜୀବନରେ ରାଜନୀତି ଓ ସାହିତ୍ୟ, ସମତାଳରେ ପାଦ ମିଳାଇ, ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଛି । ସମାନ ଭାବେ ଉଭୟର ବିକାଶ ଘଟିଛି । ତାଙ୍କର ସାହିତ୍ୟିକ ଓ ରାଜନୈତିକ ଉପଲବ୍ଧି ଭିତରେ ତଫାତ ନାହିଁ - ପାର୍ଥକ୍ୟ ନାହିଁ । ବିରୋଧିତା ମଧ୍ୟ ନାହିଁ (ଆସିଚି ମୁଁ ଆସିଚି - ଅବନୀ କୁମାର ବରାଳ - ପୃ.୧୪) । କବି ଏକ ମୁକ୍ତ ଏବଂ ସ୍ୱାଧୀନ ଜୀବନର ସ୍ଵପ୍ନ ଦେଖିଛନ୍ତି । କୁଟୀରଠାରୁ ଆରମ୍ଭ ସହରତଳିର ଉଷାପୁଣି କମାରଶାଳର ଅନଳ ଦୋଳିଠାରୁ ଆରମ୍ଭକରି ଗହୀର ବିଲର ପ୍ରାଣ ଉଛୁଳା ସଙ୍ଗୀତ ପର୍ଯ୍ୟନ୍ତ ସବୁ ଯେପରି ଆସିଛନ୍ତି ତାଙ୍କ ସ୍ୱପ୍ନର ପରିସୀମା ମଧ୍ୟକୁ । ସବୁଠି ନୂଆ ଜୀବନର ଛନ୍ଦକୁ ସେ ଖୋଜିଛନ୍ତି । ପ୍ରଥାବଦ୍ଧତା ଓ ଜରାଜୀର୍ଣ୍ଣ ପୁରାତନର ନିର୍ମୋକ ମଧ୍ୟରୁ ନବୀନର ସଞ୍ଚାର ଘଟାଇବାର ଯେଉଁ ଆକୁଳତା - ତାହା ପ୍ରକାଶ ପାଇଛି ବିଭିନ୍ନ ଚିତ୍ରକଳ୍ପ ଓ ରୂପକଳ୍ପ ମାଧ୍ୟମରେ ତାଙ୍କର କବିତାଗୁଡ଼ିକରେ । (ପ୍ରଗତିବାଦୀ କାବ୍ୟ ଚେତନା - ଡଃ. ବିଜୟ କୁମାର ଶତପଥୀ - ପୃ. ୧୪୩) ଯେପରି –

 

ମୁଠିଏ ବୋଲି ହସ ଆଣିଚି ମୁଁ

ମୁଠିଏ !

ପଉଷର ପହଡ଼ ତୁମ ଭାଜୁ ।

ଆରେ ଭାଜୁ !

ପ୍ରେମର ଫିତାଉ ପତ୍ର ତୁମର ଝଡ଼ୁଚିରେ

ଝଡ଼ିବ ।

କବିତାର କବର ଖୋଳି

କୋଇଲିର କୋଇଲାକାଟି

କୁହୁର କୋହରେ

ମୁଠିଏ ବୋଲି ହସ ଆଣିଚି ମୁଁ ।

ମୁଠିଏ ।

ନବ ଜୀବନର ଆହ୍ୱାନରେ କବି ଗାଇଛନ୍ତି -

ବୃଦ୍ଧ ହେ ତୁମ ଦିବସ ଯାଇଚି ଚାଲି ।

ନବଜୀବନର ଆହ୍ୱାନ ଆସେ ଖରେ,

ଛାଡ଼ିଦିଅ ପଥ ନବୀନ ଆଲୋକ ଜାଳି

ତରୁଣ ବାହିନୀ ଛୁଟୁରେ ଦର୍ପ ଭରେ ।

 

ଅନନ୍ତଙ୍କର ଅନ୍ୟ ଏକ ଦିଗ ହେଲା. ଶାନ୍ତିର ମନ୍ତ୍ର । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ ପୃଥିବୀବାସୀ ଯେ ଆଉ ଯୁଦ୍ଧର ବିଭୀଷିକା ଚାହାନ୍ତି ନାହିଁ ଏବଂ ଯେଉଁମାନଙ୍କ ଯୋଗୁଁ ଶାନ୍ତି ବିଘ୍ନିତ ହୁଏ ସେହି ସାମ୍ରାଜ୍ୟବାଦ, ଔପନିବେଶିକ ପୁଞ୍ଜିବାଦୀ ଅର୍ଥନୀତି ଦ୍ଵାରା ଜଳବଳିତ ଶୋଷଣରାଜ, ଏବଂ ସର୍ବୋପରି ଫାସିବାଦ ବିରୋଧରେ ତାଙ୍କର ଲେଖନୀ ସଚେତନ ଭାବେ ବଜ୍ର ନିର୍ଘୋଷରେ ଚାଳିତ ହୋଇଛି ଯୁଦ୍ଧ ଆତଙ୍କିତ ପୃଥିବୀର ଶାନ୍ତ ଆକାଶରେ ଶାନ୍ତିର କପୋତ ଉଡ଼ିଉଡ଼ି ଯାଇଛି ।

 

ଶାନ୍ତିର କପୋତ ଉଡ଼େ ହିମାଦ୍ରି ମହୁଡ଼େ

ଆଉଁସାଏ ଆଖି

ବହିଯାଏ ଧୀରେ କଳ ଭାସେ

ସଥର ଉଲ୍ଲାସେ

ସହଯାତ୍ରୀ ବୁଦ୍ଧ ଡାକେ ଏଇ

ଗାନ୍ଧି ଥରେ ରକ୍ତଧାରା ଫେଇ

ଶୁଣରେ ମୂର୍ଚ୍ଛିତ ନର ଭସ୍ମାସୁର ସମ

ଅସୀମ ସାଧନା ଲବ୍‌ଧ ଶାନ୍ତି ଅନୁପମ

କର ନାହିଁ କ୍ଷୟ ।

(ଏସିଆର ମର୍ମ ପାଖେ -ଶାତିଶିଖା- ପୃ.୧୨)

 

ପୁନଶ୍ଚ ବିଶ୍ଵଶାନ୍ତି ଆନ୍ଦୋଳନର ନାନ୍ଦୀକାର ଭାବରେ କବି ଗାଇଛନ୍ତି –

 

ଶାନ୍ତି ଆମ ତରୁଣ ସାଧନାରେ ସୃଜନର ବିଳାସ

ବୃଦ୍ଧ ମନେ ତାରୁଣ୍ୟର ଦ୍ୟୋତନା

ଶାନ୍ତି ଆମ ଶ୍ଵେତ ମଲ୍ଲୀ ଶୋଣିତାଶା - ପଳାସ

ସୀମାହୀନ ଜୀବନର ନବନବ ଚେତନା

ଗଡ଼ିଯାଏ ଗଡ଼ିଯିବ ଜିତି ମହାମାରି ହେ

ଦରବାରୀ ଅଭିଯାନେ ସାରି ହେ ।

ଆମ ନୂଆ ନିହାଣ, ଏ ନୂଆ ଦାଆ ବଟାଳି ।”

(ଆହେ ମହାଗଣକ - ଶାନ୍ତିଶିଖା- ପୃ. ୪୦)

 

ସମାଜବାଦୀ କାବ୍ୟ ଆନ୍ଦୋଳନ ଧାରାରେ ‘‘ପ୍ରଗତିଶୀଳ ଆଧୁନିକ କବିତାରେ ଅନନ୍ତ ପଟ୍ଟନାୟକଙ୍କ ‘ଶାନ୍ତିଶିଖା’ ଏକ ଯୁଗାନ୍ତର ଆଣି ଦେଇଛି । ଯେଉଁମାନେ ଆଧୁନିକ କବିତାର ଭବିଷ୍ୟତ ସମ୍ବନ୍ଧରେ ସନ୍ଦିହାନ, ଯେଉଁମାନେ ପ୍ରଗତିଶୀଳ କବିତାର ଚିରନ୍ତନ ମୂଲ୍ୟ ସ୍ଵୀକାର କରିବାକୁ କୁଣ୍ଠିତ, ସେମାନଙ୍କ ପାଇଁ ‘ଶାନ୍ତିଶିଖା’ ଏକ ଚାଲେଞ୍ଜ । ‘ଶାନ୍ତିଶିଖା’ର କାବ୍ୟଧାରା ସମାଜ ଚେତନାରେ ସମ୍ପୃଦ୍ଧ । ରାଜନୈତିକ ଚେତନାରେ ଶାଣିତ । ଏହା ଓଡ଼ିଆ କବିତାର ସମ୍ଭାବନାମୟ ଭବିଷ୍ୟତର ଏକ ନିର୍ଭିକ ପ୍ରତିଶ୍ରୁତି । (ନୂଆ ଦୁନିଆ - ୨୩.୧୨.୧୯୫୩) । ସାମ୍ୟବାଦର ଝଙ୍କାର ସହ ଶାନ୍ତି ଏବଂ ସୃଜନର ମିଶ୍ର ଛନ୍ଦକୁ ଲକ୍ଷ୍ୟ କରାଯାଏ ‘ଅବାନ୍ତର’ ସଙ୍କଳନରେ ।

 

“ଯେଉଁ କବି କଣ୍ଠରୁ ନିନାଦିତ ହୋଇଥିଲା, ‘ତୋଳିଧର ତୋର ପତାକା ଲାଲ’ - ‘ଚାଲରେ ଚାଲରେ ଚାଲ’, ଅବା ‘ଆମେ ମୂଲିଆର ଜାତି ଜଗିବୁ’, ‘ମରୁଛୁ ତ ନିତି ଭୋକ ଉପାସରେ - ଥରେ ହେଲେ ଶିର ତୋଳିବୁ’, - ସେହି କଣ୍ଠ ସ୍ପଷ୍ଟ ସ୍ୱରରେ ଗାଇ ଉଠିଛି, ବିଶ୍ଵ ନବ ସାମ୍ରାଜ୍ୟବାଦକୁ ଚେତାବନୀ ଦେଇ -

 

ଆହେ ମହାଗଣକ,

ଗଡ଼ିଯାଏ, ଗଡ଼ିଗଲା ତୁମ ଖଡ଼ି ଗୋଟାଳି !

ହତିଆରୀ ମସୁଧାର ତୁମ ଖଡ଼ି ଗୋଟାଳି !

ଆସେ ହସ ଝମକ,

ଝଡ଼ିଯାଏ, ଝଡ଼ିଯିବେ

ଝଡ଼ିପୋକ ପରି, ତୁମ ଗୁଳିଗୋଳା - ଫୁଟାଳି ।

 

ଏହା ଭାବାନ୍ତର ବା ରୂପାନ୍ତର ନୁହେଁ, ମାର୍କ୍ସବାଦୀ, ମାନବବାଦୀ ଚେତନାରେ କବି ଅନନ୍ତ ହୃଦ୍‌ବୋଧ କରିଛନ୍ତି ଯେ, ଏ ଲଢ଼େଇ ଢେଙ୍କାନାଳ ରାଜା ବିରୋଧରେ କି ବ୍ରିଟିଶ ବିରୋଧରେ ଲଢ଼େଇ ନୁହେଁ, ଏ ଯୁଦ୍ଧ - ବିଶ୍ୱବ୍ୟାପୀ ନିଉକ୍ଲିଅର, ପରମାଣବିକ ଯୁଦ୍ଧର ଆତଙ୍କ ଭିଆଉଥିବା ନବସାମ୍ରାଜ୍ୟବାଦୀ ଡଲାର ବଳରେ ମଦମତ୍ତ ଯୁଦ୍ଧଖୋର ଆମେରିକା ଓ ତାହାର ସଂଗୋଷ୍ଠୀ ବିରୋଧରେ । (ଆସିଛି ମୁଁ ଆସିଛି - ଅବନୀକୁମାର ବରାଳ - ପୃ. ୧୫୨)

 

୧୯୩୫ ମସିହାରେ କବି ପ୍ରକାଶ କରିଥିବା କବିତା ସତେ ଯେପରି ଆଜିର ଘଟଣାକୁ ଉଲ୍ଲେଖ କରିଛନ୍ତି, ତାହା ସ୍ପଷ୍ଟ ହୋଇଉଠେ । ସେଥିପାଇଁ କବି ଯେ ଦୂରଦ୍ରଷ୍ଟା, ଏଥିରୁ ପ୍ରମାଣିତ ହୋଇଥାଏ –

 

ସେତେବେଳେ ସାମ୍ରାଜ୍ୟବାଦକୁ ଚାଲେଞ୍ଜ କରି କୁହାଯାଇଥିବା ଘଟଣାର ଆଜି ମଧ୍ୟ ଅବସାନ ହୋଇନାହିଁ - ‘ଶାନ୍ତିଶିଖା’ ରେ କୁହାଯାଇଥିବା କବିତାଂଶଟିଏ ଦେଖାଯାଉ :

 

କାଶ୍ମୀର କାମିନୀର କୁସୁମର କିଆରି ତ ଜାଳିଲ !

ତେହେରାନୀ ତଇଳ ତ ଗଣ ଦୀପେ ଢାଳିଲ ! !

ମହାଜାତି ସଂଘରେ ଶାନ୍ତିର ପ୍ରସନ ଭିଆଅ !

ପୃଥିବୀରେ ମୁନାଫାର ବଜାର ତ ଜୀଆଅ ।

 

ଦିନେ “ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି’’ ଆସିଥିବା କବି ଜୀବନବ୍ୟାପୀ ସମାଜବାଦୀ ସମାଜ ଗଠନ ପାଇଁ ଜୀବନପଣ କରି କର୍ମ ତତ୍‌ପରତାର ସହ ଗଲାବେଳେ ମଧ୍ୟ ଚେତାଇ ଦେଇ କହିଛନ୍ତି –

 

ଚାଲିଲି ମୁଁ ଚାଲିଲି-

ଶବର ସଂସାର ପରେ ଶସ୍ୟର ସାଗର ସୃଜି

ଚାଲିଲି ମୁଁ ଚାଲିଲି,

ରଶ୍ମିର ତୋଫାନରେ ଭସ୍ମର ଅସ୍ମିତା ଭସାଇ

ନିରନ୍ନ ନିଶିରେ ଅନ୍ନର ଆଶ୍ଲେଷ ମୁଁ,

ଆୟୁ ।

ଥନର ବୃନ୍ତରେ ନିରକ୍ତ ଶିଶୁର ନିଃଶ୍ୱାସ ନଚାଇ

ନିଃସ୍ଵର ପୋଷରେ ଲହୁର କଲ୍ୟାଣ ଆଣି

ଚାଲିଲି ମୁଁ ଚାଲିଲି ।

 

ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନର ଦିଗ୍‌ଦର୍ଶକ ଭାବେ ପରବର୍ତ୍ତୀ ପିଢ଼ିକୁ ଧରାଇ ଦେଇଗଲେ ବିପ୍ଳବୀ କାବ୍ୟ ଦଣ୍ଡ ।

 

ଏହି କାବ୍ୟ-ଆନ୍ଦୋଳନର ଅନ୍ୟତମ ଗଣ-ମୁକ୍ତି ଚାରଣକବି ମନମୋହନ ମିଶ୍ରଙ୍କ ଅବଦାନ ଓଡ଼ିଆ ସାହିତ୍ୟରେ ଅବିସ୍ମରଣୀୟ ୧୯୩୯-୪୦ ମସିହା ରେଭେନ୍ସା କଲେଜରେ ଅଧ୍ୟୟନ ବେଳେ ଛାତ୍ର ଆନ୍ଦୋଳନ ଭିତରୁ ସକ୍ରିୟ ରାଜନୀତିରେ ପ୍ରବେଶ । ବହୁବାର କାରାବରଣ, ଆତ୍ମଗୋପନ ପ୍ରଭୃତି ଘଟଣାରେ ତାଙ୍କର ଜୀବନ ପଥ ଗତିଶୀଳତାରେ କଣ୍ଟକିତ ହେବାସତ୍ତ୍ଵେ ସମାଜର ଶୋଷିତ ଅବହେଳିତ ଜନତା ପ୍ରତି ତାଙ୍କର ଅବଦାନ କମ ନୁହେଁ । ମାର୍କ୍ସବାଦୀ ଦର୍ଶନରେ ଦୀକ୍ଷିତ ହୋଇ ୧୯୪୦ରେ ଭଗବତୀଚରଣଙ୍କ ପ୍ରଭାବରେ ସେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ । ଏହି ସମୟରେ ଚାଷୀ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ସମ୍ପର୍କରେ ଆସି ସେ ରଚନା କରନ୍ତି ବିପ୍ଳବୀ ସଙ୍ଗୀତ । ସେତେବେଳେ ସେହି ସଙ୍ଗୀତଗୁଡ଼ିକ ‘ପ୍ରଭାତ’ ‘ସଙ୍କେତ’ ‘ମୁକ୍ତିଯୁଦ୍ଧ’ ଓ ‘ନୂଆ ଦୁନିଆ’ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା।

 

ଶୋଷକଙ୍କର ପ୍ରତିପକ୍ଷ ଭାବେ ଗଣମାନସକୁ ମଥିତ କରିବା ଲାଗି ସେ ଯେଉଁ ଗୀତମାନ ଲେଖିଛନ୍ତି ତାହା ସମସ୍ୟାଭିତ୍ତିକ ଓ ଉଦ୍‌ବୋଧନ ମୂଳକ । ତାଙ୍କର ୧୯୪୭ରେ ପଟିଆ ଚାଷୀ ଆନ୍ଦୋଳନର ପଟ୍ଟଭୂମିରେ ରଚିତ ‘ଚଳାକୋଦାଳ’ରେ ପଟିଆବନ୍ଧ ପକାଇଲା ବେଳେ ତାଙ୍କର ପୁଲକିତ ଗୁରୁଗମ୍ଭୀର କଣ୍ଠରେ ଗାଇ ଉଠିଥିଲା - ‘‘ଚଳାକୋଦାଳ, ଚଳାକୋଦାଳ, ପଟିଆ ବନ୍ଧେ ଛନ୍ଦେ ଛନ୍ଦେ ଭରିଦେ, ମାଟିଲାଲ ।” ପରେ ପରେ ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ - ‘କୋଟିକଣ୍ଠେ’, ‘ଜନତାର ଡାକ’, ‘ଜୀବନର ଜୟଗାନ’, ‘ଆବାଜ’ ପ୍ରଭୃତିରେ ସର୍ବହରାର ଶ୍ରେଣୀ ଦର୍ଶନଭିତ୍ତିରେ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ମନୋଭାବର କଳାତ୍ମକରୂପ ମନମୁଗ୍ଧକର ଭଙ୍ଗୀରେ ପ୍ରକାଶିତ ହୋଇଛି । ଶ୍ରୋତାଙ୍କ ପ୍ରାଣରେ ଉନ୍ମାଦନା ସୃଷ୍ଟି କରିବାରେ ଏଗୁଡ଼ିକ ସାର୍ଥକ ଭୂମିକା ଗ୍ରହଣ କରୁଥିଲା । ଏଥମଧ୍ୟରୁ ‘କୋଟିକଣ୍ଠେ' ପୁସ୍ତକଟିକୁ ବେଆଇନ କରି ସରକାର ବ୍ୟାଜ୍ୟାପ୍ତ କରିଦେଇଥିଲେ ।

 

ତାଙ୍କ ରଚନାରେ ଆନ୍ତର୍ଜାତିକ ଘଟଣାର ବଳିଷ୍ଠ ଭାବନା ରୂପ ପାଇଛି ଏହିପରି –

 

ଡାକେ ବାଇଶି ଜୁନ୍‌ ଲାଲ ସେନା କଣ୍ଠେ

ଚୀନ ଗରିଲା ଦଳ ମରୁ ଉପକଣ୍ଠେ

ଜାଗ ଭାରତବାସୀ ଅଭୟ ପାଇ (ସମୟ ନାଇଁ)

ଜନ୍ମମାଟି ଡାକେରେ

ଡାକେ ଯାଜପୁର ଆଜି ଅନାହାରେ

ଡାକେ ଗଞ୍ଜାମ ରଇତ ମୃତ୍ୟୁ ପାରେ ।

ବାଲି କ୍ଷୁଧିତ ବାରେ ନବ ଅଭିସାରେ ।

(କୋଟିକଣ୍ଡେ - ୪ ର୍ଥ ସଙ୍ଗୀତ)

 

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକଜୁଟ ନ ହେଲେ ବିନା ରକ୍ତପାତରେ ଯେପରି ଦ୍ରୌପଦୀଙ୍କର ବେଣୀ ବନ୍ଧନ ହୋଇନାହିଁ, ସେହି ରକ୍ତାକ୍ତ ସଂଗ୍ରାମ ଆବଶ୍ୟକ । ସେଥିପାଇଁ କବିଙ୍କ ଡାକରା -

 

ଆସ ଭାଇ ହିନ୍ଦୁ ମୁସଲମାନ

ଆସ ମଜଦୁର ଲିଗ୍‌ ଯବାନ୍‌

ମୁକତି ମିଳିଛି କାହିଁ ବିନା କୁର୍ବାନ୍‌

ବିନା ରକତେ କି ବାନ୍ଧେ ଦ୍ରୌପଦୀ ଜୁଡ଼ା

ଗୋରା ପଲଟଣ ମାରୁଅଛି ମଉଜ

ତା’ ରକତେ ରଙ୍ଗା ତୋର ନିଶାଣ ଉଡ଼ା”

(କୋଟିକଣ୍ଠେ - ୩ୟ ସଙ୍ଗୀତ)

 

ଏହି ମହାନ ସଂଗ୍ରାମରେ ଝାସଦେଇ ମୁକ୍ତିର ମଶାଲ ଜାଳିବା ପାଇଁ କାରାଗାର ଫାଶିଖୁଣ୍ଟକୁ ଖାତିର ନ କରିବାର ଆହ୍ୱାନରେ –

 

ଜାଳରେ, ଜାଳରେ

ଅତ୍ୟାଚାର, ଅବରୋଧେ ମୁକତି ମଶାଲରେ ।

ଜୀବନର ପଥେ ଯେତେ ବାଧା ପରମାଦରେ

କାରାଗାର ଫାଶିଖୁଣ୍ଟେ ମାଡ଼ିଚାଲ ପାଦରେ

ଆଉ କେତେ କାଳରେ

ହୋଇବ ଏ ଧରା ଆମ ଲହୁଧାରେ ଲାଲରେ ।

(ଗୀତ ନଂ ୪, ‘ଜୀବନର ଜୟଗାନ’)

 

ଶ୍ରମଜୀବୀର ମର୍ମବେଦନାକୁ ଏପରି ଭାବରେ ତାଙ୍କ ଲେଖନୀ ମୂଳରେ ପ୍ରକାଶିତ ହୋଇଥିଲା -

 

ଭାତ ଉପୁଜାଇ ହାତ ପତାଇଲୁ ଧନୀ ଡକାୟତ ଦ୍ଵାରେ

ଲୁଗାକଳ ଗଢ଼ି ଲଙ୍ଗଳା ଛାତିରେ ଘେନିଲୁ ଗୁଳି ପ୍ରହାର

ତୋ ପିଠିରେ ବଜାଏ ବାଜା

ବିରଳା ସ୍ଵଦେଶୀ ରାଜା

ସେ ବିଲାତି ବନ୍ଧୁକ ନେଇ

(ଜୀବନର ଜୟଗାନ)

 

ତାଙ୍କର କବିତାଗୁଡ଼ିକ ଲୋକଙ୍କ କଣ୍ଠରେ ଗୀତ ହୋଇଥାଏ । କୃଷକ, ଛାତ୍ର, ଯୁବକ ଓ ଶ୍ରମିକମାନଙ୍କ ଆନ୍ଦୋଳନର ତୂର୍ଯ୍ୟନାଦ କବି ମନମୋହନଙ୍କ ଲେଖନୀ ଓ କଣ୍ଠରେ ଧ୍ଵନିତ ହୋଇ ହଜାର ହଜାର ଶ୍ରୋତାଙ୍କୁ ଉଦ୍‌ବୁଦ୍ଧ କରି ଦେଇଥାଏ । ‘ବାଜିରାଉତ ପୁକାରେ’, ‘ଝଡ଼ର ମଥାରେ ଆସନ ଘେନିଛି ଲେନିନର ଲାଲ ସେତୁ’, ‘ପକାତୁ ପଛେ ଚିରା ସମାଜେ ଯେତେ ତୋ ଇଚ୍ଛା ତାଳିରେ, ପଡ଼ିଛି ଯାର ପାଳି’, ଆମେ କଟକ ବସ୍ତିବାଲା’ ଓ ‘ଏକହୋଇ ସଂଗ୍ରାମର ମଇଦାନରେ ଓହ୍ଲାଇବା ପାଇଁ ତାଙ୍କର ଆହ୍ଵାନ –

 

ଏକ ହୁଅ, ଏକ ହୁଅ

ଏକ ହୁଅ ତୁ ଭାରତ ଜନତା ସଂଗ୍ରାମର ମଇଦାନରେ ।

କାରଖାନା, ଖଳାବାଡ଼ି, ଖାଦାନ ବାଗାନରେ - ଏକ ହୁଅ ।

 

ଓଡ଼ିଶାରୁ ଯାଇ ଆସାମର ଚା’ ବଗିଚାରେ କୁଲିଗିରି କରୁଥିବା ଓଡ଼ିଆର ଦୁଃଖଦୈନ୍ୟର ଚ୍ରିତ ଏହିପରି ଫୁଟି ଉଠିଛି –

 

କେତେ ଦୂରେ ତୋର ଓଡ଼ିଶା ମାଟିରେ, କାହିଁ ମହାନଦୀ ପାଣି

ଗୋରା ସରକାର ଦାଉରୁ ଏ ଦେଶେ, ଆସିଲୁ ଭୋକି ପରାଣି ।

ନ ଥିଲା କି ତୋର ପାଣିରେ ମାଛରେ, ନ ଥିଲା କି ବିଲେ ଧାନ

ନ ଥିଲା କି ତୋର ପାହାଡ଼େ କାଠରେ, ଝାଳବୁହା ଅରଜନ ?

ସବୁ ଅରଜନ କାହାପାଶେ ଦେଲୁ, ଏକଥା ନପାରୁ ଜାଣି ।

 

ଜନମନକୁ ଛୁଇଁବା ପରି ଭାଷା ଓ ଭାବ ସମ୍ପଦ ତାଙ୍କ ଗୀତଗୁଡ଼ିକରେ ଯେପରି ପ୍ରତିଫଳିତ ହୋଇଅଛି, ଜନତାତ ନିକଟର ସ୍ଵର ଯୋଜନା ମଧ୍ୟ ଆମ ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ଧାରାରେ ପ୍ରଚଳିତ ବିଭିନ୍ନ ‘ସ୍ଵର’ରେ, ‘ବୃତ୍ତ’ ରେ ଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ‘‘ପଲ୍ଲୀ ସଙ୍ଗୀତ ସ୍ଵରରେ, ଶରୀର ଭେଦ ଭଜନ ସ୍ଵରରେ” ପ୍ରଭୃତି ନିର୍ଦ୍ଦେଶରେ ଗଣମୁଖୀ କରିଦେବାରେ ତାଙ୍କ ଗୀତ ଗୁଡ଼ିକ ସାର୍ଥକ ହୋଇ ଉଠିଛି ।

 

ଭଗବତୀଙ୍କ ‘ଘିନୁଆ’ ଚରିତ୍ର ଶୋଷଣର ସଙ୍କେତ ବହନ କରିଥିଲା । ତାହାର ଆଲିଗୋରୀ ମାଧ୍ୟମରେ ମନମୋହନଙ୍କ “ନୂଆ ଗପଟିଏ ଲେଖ” (୧୯୫୧) କବିତାରେ ଗାଳ୍ପିକ ଓ ନାୟକ ‘ଘିନୁଆ’ ଏକାକାର ହୋଇ ଆଗାମୀ ସଂଗ୍ରାମ ପାଇଁ ଆହ୍ଵାନ ଦେଇଛନ୍ତି ।

 

ଭଗବତୀ ପ୍ରିୟସାଥୀ

ଗପର ଘିନୁଆ ମଥାଟି ଲୋଟିଲା

ଏ ପ୍ରିୟ ଜନମ ମାଟି

x x x

ଗରଜିଛି ନିଶାରାତି

ବାଘର ପାରିଧି ଆଉ ହୁଏ ନାହିଁ

କାହାର ନ ପାଏ ଛାତି ।’’

 

କିନ୍ତୁ ସେ ଦୁହିଁଙ୍କର ଆତ୍ମା ଯେ ଓଡ଼ଶାର ବିଭିନ୍ନ ସ୍ଥାନରେ ଭିନ୍ନ ନାମରେ ଭିନ୍ନ ଭାବରେ ପ୍ରକାଶିତ ହୋଇ ସମାଜବାଦୀ ଆନ୍ଦୋଳନକୁ ଆଗେଇ ନେଉଛି, ତାହା କବି ଯଥାର୍ଥରେ ବର୍ଣ୍ଣନା କରିଛନ୍ତି –

 

ତୁମ ଅଜାଣତେ, ତୁମେ ଦୁହେଁ ଥରେ ଥରେ

କେବେ ନିମାପଡ଼ା, କେବେ ଅବା ଶେରଗଡ଼େ ।

ପାହାଡ଼ କାନ୍ତାର ମହାଦେବ - ପଲ୍ଲୀ ବାଟେ

କୁଆଖାଇ ଘେରୀ ପଟିଆର ବେଣା ପାଟେ

ଚଷାପୁଅ ତାନେ ମୁଖରିତ ଶୋନୀ-ଘାଟେ

ପରଜଙ୍ଗ ବିଶ ତାଳଚେର ଖଣିଖାତେ ।

 

ଦେଖାଦେଇଅଛି ଅଜଣା ଅଶୁଣା

କେତେ ସେ ମୂଳକ ଆମେ

ବାଉରି ବରାଡ଼ ହେମ ବାଉରାଣୀ

କେତେକେ ଅଜଣା ନାମେ ।

 

ତାଙ୍କର ଗୋଟିଏ କବିତାରେ ‘‘କେନ୍ଦୁଝରର ଗୋନାସିକା ପାହାଡ଼ ଆଉ କୋରାପୁଟର ଦେଓମାଳି ଯୋଡ଼ିକ ଦୂରରୁ ଯୋଡ଼ିଏ ବିରାଟ ଗଣ୍ଡ ଭୈରବ ପରି ଦିଶନ୍ତି । ଏହି ଚଢ଼େଇ ଦୁଇଟି ସେମାନଙ୍କ ଡେଣା ତଳେ ଅଜସ୍ର ଖଣି ସମ୍ପଦକୁ ଲୁଚାଇ ରଖୁଛନ୍ତି । ବୈତରଣୀ ନଦୀ ଗୋନାସିକାରୁ ବାହାରିଛି । ଏଠାରେ ଗୋନାସିକା ପକ୍ଷିଣୀଟି ବୈତରଣୀର କଥା ଛଳରେ ଦେଓମାଳୀ ପକ୍ଷୀ ପାଖକୁ ଆପଣା ପ୍ରେମଦୂତ ପଠାଇଛି ବୋଲି କଳ୍ପନା କରାଯାଇଛି ।

 

ଓଡ଼ିଶା ଶସ୍ୟଶାଳୀ ଓ ଖଣିଖାଦାନର ଲୁକ୍କାୟିତ ସମ୍ପଦର ଉପଯୋଗରେ ଧନଶୀଳୀ ହୋଇ ଉଠନ୍ତା । ରୁଷିଆ ଦେଶର ମଝାଲରେ ୟୁରାଲ ବୁଦାପାହାଡ଼ ଏଭଳି ଦୁଃଖ ଅଙ୍ଗେ ନିଭେଇ ଥିଲା । ସେହି ପାହାଡ଼ ଗୋନାସିକା ଆଉ ଦେଓମାଳିକୁ ପ୍ରବୋଧ କରୁଛି ।’’ (କିଏ ସିଏ - ଭୂମିକା - ୨୦.୧.୫୪ ନୂଆଦୁନିଆ)

 

ସମଗ୍ର ମଣିଷ ସମାଜର ହିତ ପାଇଁ ଏହି ଲୁକ୍କାୟିତ ସମ୍ପଦର ବିନିଯୋଗ ପାଇଁ କବିଙ୍କର ଯେଉଁ ଆକାଙ୍‌କ୍ଷା ତାହା ଏଥିରେ ଚମତ୍‌କାର ଭାବରେ ପ୍ରକାଶିତ ହୋଇଛି । ମନମୋହନ ୧୯୬୮ ବେଳକୁ ନକସାଲ ଆନ୍ଦୋଳନକୁ ମଧ୍ୟ ସ୍ଵାଗତ କରଛନ୍ତି । ୧୯୬୯ ମସିହାରେ ସେ ଜେଲ୍‌ଜୀବନ ବିତାଉଥିବା ବେଳେ ମଧ୍ୟ ତାଙ୍କ ଲେଖନୀ ସ୍ତବ୍ଧ ହୋଇ ନଥିଲା । ନକସଲନେତା ନାଗଭୂଷଣଙ୍କ ଫାଶି ଦଣ୍ଡାଦେଶରେ ପ୍ରତିବାଦରେ ମନମୋହନ ଏକ ଦୀର୍ଘ କବିତା ଲେଖି ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲେ । ସେ ଏଥିରେ ଘୋଷଣା କରିଥିଲେ ଶୋଷଣକଷଣ ଅତ୍ୟାଚାରର ସମାଧାନ ନ କରି ଜଣେ ନାଗଭୂଷଣକୁ ଫାଶି ଦେଇଦେଲେ ସବୁ ସମାଧାନ ହୋଇଯିବ ବୋଲି ଭାବିବା ଭୁଲ୍‌ ପଦକ୍ଷେପ । ଏହା ଫଳରେ ପ୍ରତ୍ୟେକ ଶୋଷିତ ସର୍ବହରା ଜଣେ ଜଣେ ନାଗଭୂଷଣ ହୋଇ ବାହାରିବେ । ସମାଜର ପ୍ରତ୍ୟେକ ଘଡ଼ିସନ୍ଧି ସମୟରେ ବନ୍ୟା-ବାତ୍ୟା- ମରୁଡ଼ି ବେଳେ ମଧ୍ୟ ସେ ସ୍ଥିର ହୋଇ ରହି ପାରିନାହାନ୍ତି । ୧୯୮୨ରେ ମହାନଦୀ ବନ୍ୟାର କରାଳ ପରିସ୍ଥିତିରେ ବିପଦଗ୍ରସ୍ତ ମଣିଷକୁ ଆଶ୍ଵାସନା ଦେଇ କବି ଗାଇ ଉଠିଛନ୍ତି –

 

ଲୁହକୁ ତୋର ସମ୍ଭାଳ, ନୁହେଁ କାନ୍ଦଣା ବେଳ

କନ୍ଦରପୁରରୁ ବନ୍ଦର ସେପାରି,

କାନ୍ଦିଛି ଫେନିଳ ଲହରୀ ମାଳରେ ।

ଲୁହକୁ ତୋର ସମ୍ଭାଳ ।

( ଅଭିଯାତ୍ରୀ ଅକ୍ଟୋବର- ୧୯୮୨)

 

ପରେ ଏହା ଏକ କ୍ଷୁଦ୍ର ପୁସ୍ତିକା ଆକାରରେ ପ୍ରକାଶିତ ହୋଇ ବନ୍ୟା ସାହାଯ୍ୟ ପାଇଁ କଟକ ସହରରେ ବୋଲାଯାଇ ସାହାଯ୍ୟ ଭିକ୍ଷା କରାଯାଇଥିଲା ।

 

କବି ମନମୋହନଙ୍କ କାବ୍ୟ ଚେତନାର ସଂକ୍ରମିତ ଶକ୍ତି ଯୁବପିଢ଼ିର ତରୁଣ କବି ମାନଙ୍କୁ ବହୁ ଭାବରେ ପ୍ରଭାବିତ କରିଛି । ସମାଜବାଦୀ କାବ୍ୟ-ଆନ୍ଦୋଳନକୁ ଆଗେଇ ନେବାରେ ଦୃଢ଼ ପଦକ୍ଷେପ ପ୍ରଦାନ କରିଛି ।

 

ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନର ଆଉ ଜଣେ କାବ୍ୟପୁରୁଷ ହେଉଛନ୍ତି ରଘୁନାଥ ଦାସ । ‘ଜଟାୟୁ’ ଛଦ୍ମନାମରେ ୧୯୩୮ରୁ ୧୯୪୦ ପର୍ଯ୍ୟନ୍ତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶିତ ହୋଇଥିଲେ ମଧ୍ୟ ୧୯୪୦ ରୁ ୧୯୫୩ ମଧ୍ୟରେ ରଚିତ କବିତାଗୁଡ଼ିକ ସଂଗ୍ରାମୀ ଭାବୀଦର୍ଶନାକୁ ସମ୍ବଳିତ ବୈପ୍ଲବିକ ଭାବନାରେ ସମୃଦ୍ଧ । ୧୯୫୩ରୁ ୭୩ ମଧ୍ୟରେ ତାଙ୍କ କଲମ ନିରବ ହୋଇଯାଇଥିଲା । ୧୯୭୩ରେ ପୁଣି ତାଙ୍କ କାବ୍ୟ ଚେତନା ଜାଗରିତ ହୋଇ ଉଠିଥିଲା । କବି ରବି ସିଂଙ୍କ ଦ୍ଵାରା ରଘୁନାଥ ଦାସଙ୍କର କବିତା ସଙ୍କଳନ ‘‘ଅଗଷ୍ଟ ପନ୍ଦର ଓ ଅନ୍ୟାନ୍ୟ କବିତା’’ ପ୍ରକାଶିତ ହେବା ପରେ ଓ ରବି ସିଂ ଦ୍ଵାରା ଭୂମିକାରେ କବି ରଘୁନାଥଙ୍କର ବିପ୍ଳବୀ କାବ୍ୟ ଚେତନାକୁ ପ୍ରତିପାଦନ କରିବା ମାଧ୍ୟମରେ କବି ରଘୁନାଥ ଲୋକଲୋଚନକୁ ଆସି ପ୍ରତିଷ୍ଠିତ ହେଲେ ।

 

କବିଙ୍କ ରଚନାବଳୀ ସମ୍ପର୍କରେ ଡଃ ନିତ୍ୟାନନ୍ଦ ଶତପଥୀ ତାଙ୍କର ‘‘ସବୁଜରୁ ସାମ୍ପ୍ରତିକ’’ରେ ସବିଶେଷ ଚର୍ଚ୍ଚା କରି ପାଠକମାନଙ୍କ ନିକଟରେ କବିଙ୍କର କାବ୍ୟ ଚେତନାକୁ ସ୍ପଷ୍ଟ କରି ଦେଇଛନ୍ତି । କବି ରଘୁନାଥ ଛାତ୍ରବସ୍ଥାରେ ଛାତ୍ରସଂଘର ବିଭିନ୍ନ ଆନ୍ଦୋଳନରେ ଅଂଶ ଗ୍ରହଣ କରି ୧୯୪୫ରେ କମ୍ୟୁନିଷ୍ଟପାର୍ଟିର ସଭ୍ୟପଦ ଗ୍ରହଣ କରିଥିଲେ ।

 

୧୯୪୨ ପରେ ଶ୍ରୀ ଦାସଙ୍କର କାବ୍ୟଧାରା ମାର୍କ୍ସବାଦୀ ଆଭିମୁଖ୍ୟକୁ ଗ୍ରହଣ କରି ପ୍ରକାଶିତ ହୋଇଛି । ଏହା ସେତେବେଳେ ପ୍ରକାଶିତ ‘ମୁକ୍ତିଯୁଦ୍ଧ’, ‘ସନ୍ଧାନ’, ‘ସଙ୍କେତ’, ‘ଶତାବ୍ଦୀ’ ଓ ‘ସହକାର’ରେ ତାଙ୍କର କବିତାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ । ତାଙ୍କର ‘ଅଗଷ୍ଟ ପନ୍ଦର’ କବିତା କ୍ଷୁଦ୍ର ପୁସ୍ତିକା ଆକାରରେ ପ୍ରକାଶ ପାଇଥିଲା । ଏଥିରେ ସ୍ଥାନ ପାଇଥିବା ତିନିଗୋଟି କବିତା (ଅଗଷ୍ଟ ପନ୍ଦର ୧୯୪୭, ୧୯୪୮, ୧୯୪୯) ମଧ୍ୟରୁ ଅଗଷ୍ଟ ପନ୍ଦର ୧୯୪୭ କବିତାଟି ପ୍ରଥମେ ଶଶିଭୂଷଣ ପଟ୍ଟନାୟକ ସମ୍ପାଦିତ ‘ଶତାବ୍ଦୀ’ ପତ୍ରିକାରେ ପ୍ରକାଶ ପାଇଥିଲା । ରଘୁନାଥ ଦାସଙ୍କର କାବ୍ୟ ଚେତନାର ସମୀକ୍ଷକ କବି ରବି ସିଂ ଯଥାର୍ଥରେ ମତ ଦେଇଛନ୍ତି - ‘‘ଏ ଅଗଷ୍ଟ ପନ୍ଦର ୧୯୪୭ ସାଲରେ ଭାରତର କଳା ସାହେବଙ୍କ କରକମଳରେ ଇଂରେଜ କର୍ତ୍ତୃକ ଉପହାର ସୂତ୍ରେ ତଥାକଥିତ ସ୍ଵାଧୀନତାର ପ୍ରଥମ ନାନ୍ଦୀ ପାଠ ନୁହେଁ - ଏ ଅଗଷ୍ଟ ପନ୍ଦର ଜନତାର ସେହି ଅନାଗତ ମୁକ୍ତିର ମନ୍ତ୍ରଧ୍ୱନି ଏବଂ ୧୯୪୭, ୪୮, ୪୯ - ଏହି ତିନୋଟି ବର୍ଷ ଭିତରେ ଦାନସୂତ୍ରରେ ମିଳିଥିବା ‘ଅଗଷ୍ଟ ପନ୍ଦର’ ର ସନ୍ତ୍ରାସ ଓ ତାର କାବ୍ୟିକ ପରିପ୍ରକାଶ । ସଚ୍ଚି ରାଉତରାୟଙ୍କ

 

ନୂତନ ଶପଥ ସହିରେ .

ଅନାଗତ ଦିନ ପାଇଁରେ ।

(ଡଗର, ଅକ୍ଟୋବର ୧୯୫୯)

 

ସମାଜ ବିରୋଧରେ ପ୍ରତିକ୍ରିୟା ସ୍ଵର ତାଙ୍କର ‘ଚରମପତ୍ର’ (୧୯୬୧ ସଙ୍କଳନରେ ତୀବ୍ରଭାବରେ ଫୁଟି ଉଠିଛି । ଯୁଗ ଯୁଗ ‘ଧର୍ମ’ ଓ ଈଶ୍ଵର ବିଶ୍ଵାସ ସମାଜରେ ସାନ ବଡ଼ ଭେଦଭାବକୁ ଦୂର କରିପାରିନାହିଁ । ଅନେକ କବି ଈଶ୍ୱରଙ୍କ ସୃଷ୍ଟିପ୍ରତି ଅଭିମାନ ପ୍ରକାଶ କରିଛନ୍ତି । କିନ୍ତୁ ରବି ସିଂଙ୍କ ପରି ପୂର୍ବରୁ ଆଉ କେହି ବିଦ୍ରୋହର ସ୍ଵର ଶୁଣାଇ ନ ଥିଲେ । ସେ ‘ଚରମପତ୍ର’ରେ –

 

ଚରମପତ୍ର ଦେଲି ଭଗବାନ, ଚରମପତ୍ର ଘେନ !

ଆଗାମୀ ଚବିଶ ଘଣ୍ଟା ଭିତରେ

ଆଗାମୀ କାଲିର ଏଇ ପ୍ରଭାତରେ

ଯେବେ ନ ଛାଡ଼ିବ ଗୋଲକ ସିଂହାସନ

ଶିରୁ ଅବୟବ ଛିନ୍ନ କରିବ, ମୋ ତରବାରୀ

ତମର ଅଙ୍କଶାୟିନୀ ଦଳର କର କଙ୍କଣ

ପଦାଘାତେ ଦେବି ଚୁରି ।’’

 

‘ଚରମପତ୍ର'ରେ ବିଦ୍ରୋହର ହୁଂକାର ଶୁଣାଯାଉଥିବାବେଳେ ‘ଶିଥିଳ ବଲଗା’ରେ ଗଭୀର ଆଶାବାଦର ସ୍ୱର ଝଙ୍କୃତ ହୋଇ ଉଠିଛି ।

 

ରାତ୍ରିର ଗ୍ରନ୍ଥିରେ ହାଣି ଚଞ୍ଚୁର ଛୁରୀକା ମୋର

ମୁଁ ଡାକୁଛି ଅନାଗତ ଉଦୟ ରବିରେ

ମୁଁ ଡାକୁଛି ଉଠ ଉଠ ଶାଣିତ ଜୀବନ

ଉଠ ପଙ୍ଗୁ ଉଠରେ ସ୍ଥବିର

ହେ ଘୁମନ୍ତ !

ମାର ଥରେ ଚେତନାର ହାଇ

ପୂର୍ବଶାରେ ବାଜିଲାଣି ଉଦୟର ରକ୍ତ-ସାହାନାଇ ।

(ଶିଥିଳ ବଲ୍‌ଗା-ପୃ. ୨)

 

‘ଭ୍ରୂକୁଟୀ’ (୧୯୬୩) ସଙ୍କଳନରେ ପୁରୁଣା ସମାଜର ଧ୍ୱଂସ ସାଧନ କରି ଏକ ନୂତନ ସମାଜ ପ୍ରତିଷ୍ଠା ପାଇଁ ବିପ୍ଳବୀ କବିଙ୍କ ହୃଦୟ ଅଗ୍ନିଗର୍ଭ ହୋଇ ଉଠିଛି । ମାର୍କ୍ସ‌ବାଦୀ ତତ୍ତ୍ଵଭିତ୍ତିକ ଭାବଧାରା ସହିତ ସମାଜର ଦୁର୍ବଳ ଦିଗପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।

 

ଆମ ସମାଜରେ ପ୍ରତିଭାର ଯେଉଁ ବିପର୍ଯ୍ୟୟ ଘଟିଥାଏ ତାହାର କାହାଣୀ କୁହାଯାଇଛି ଲାଲ ପାଗୋଡ଼ାର ପ୍ରେତ ଓ ଅନ୍ୟାନ୍ୟ କବିତା (୧୯୬୩)ରେ ।

 

ମୃତ ଧରମାର ମହାଅଭିଶାପ ପରି

କେତେ ଅକଳନ ପ୍ରତିଭାର ପ୍ରେତ

ଚଉଦିଗ ବୁଲେ ଘୂରି ।

 

ତାଙ୍କର ଅନ୍ୟାନ୍ୟ କବିତା ସଙ୍କଳନ - ପାଦଟୀକା (୧୯୬୫), ଅପ୍ରୀତିକର କବିତା (୧୯୬୬), ଜ୍ୱାଳାର ମାଳା (୧୯୬୬), କ୍ଷତ (୧୯୬୮), ବିଷବାଣୀ (୧୯୬୯) ପ୍ରଭୃତିରେ ସମାଜବାଦୀ ଚେତନା ଅତ୍ୟନ୍ତ ଶାଣିତ ଓ ପ୍ରଖର ହୋଇଉଠିଛି । କବି ରବି ସିଂଙ୍କ କାବ୍ୟାଦର୍ଶ ଓ ଶିଳ୍ପଚାତୁରୀ ବିଷୟରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ପାଦଟୀକାରେ ମନ୍ତବ୍ୟ ଦେଇ କହିଛନ୍ତି -

 

‘‘ରବୀନ୍ଦ୍ରନାଥ ସିଂହ ସ୍ଵୟଂସିଦ୍ଧ ଏକଲବ୍ୟ ପରି, ନୋହିଲେ ଗଣକବି ବୈଷ୍ଣବ ପାଣିଙ୍କ ପରି ସେ ବିନା ଗୁରୁରେ କାବ୍ୟ ସାଧନା କରିଛନ୍ତି । ତାଙ୍କ ଗୁରୁ ଏଲିଏଟ୍‌, ଡାୟଲିନ୍‌ ଥୋମାସ୍‌, ସ୍ପେଣ୍ଡର ପାଉଣ୍ଡ ନୁହନ୍ତି କି କାଳିଦାସ, ଭବଭୂତି, ରବୀନ୍ଦ୍ରନାଥ ନୁହନ୍ତି । ସେଥିପାଇଁ ତାଙ୍କ କବିତାରେ ରୂପକ ବା ରୂପକଳ୍ପର ବିନ୍ୟାସ ନାହିଁ । ଧ୍ୱନିରେ ଆଡ଼ମ୍ବର ନାହିଁ । ଦୁର୍ବୋଧ୍ୟତାର ଆରମ୍‌ର ଢଙ୍କା ‘ଇଣ୍ଟେଲେକ୍‌ଚୁଆଲିଜିମ୍‌’ ନାହିଁ । ମାତ୍ର ଅଛି ଅନୁଭୂତି ଲବ୍‌ଧ କଠୋର ଅଭିଜ୍ଞତାର ତୀବ୍ର ଅଭିଜ୍ଞାନ ।’’

 

ଦୀର୍ଘ ଦିନଧରି ମାର୍କ୍ସବାଦୀ ଦର୍ଶନର ବିଭିନ୍ନ ଦିଗ ଉପରେ, କୃଷକ ଶ୍ରମିକମାନଙ୍କର ସମସ୍ୟା, ଦେଶବାସୀଙ୍କ ଦୁର୍ଗତି ସହ ଆନ୍ତର୍ଜାତିକ ରାଜନୀତିର ଦୁର୍ବାର ଗତି ପ୍ରକୃତି ସମ୍ପର୍କରେ କବି ରବି ସିଂ ତାଙ୍କ ରଚନା ମାଧ୍ୟମରେ ଭିଏତ୍‌ନାମ, କୋରିଆ ଚୀନ ପ୍ରଭୃତି ଦେଶର କଥା କହି ଆମ ଦେଶର ଜନତାକୁ ଉଦ୍‌ବୁଦ୍ଧ କରାଇଛନ୍ତି । ଯେଉଁ କବିମାନେ ଏସବୁର ଧାର ନ ଧରି ସାହିତ୍ୟ ରାଜ୍ୟରେ ପରୀକ୍ଷାନିରୀକ୍ଷା ଓ ନିରପେକ୍ଷତାର ପେଖନା କରନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ କବିଙ୍କର ଉକ୍ତି ଏହିପରି - ‘‘ସମାଜ ନିରପେକ୍ଷ କଳାପାଇଁ କଳାତ୍ର କୁହୁଡ଼ିଆ ଚାଲ୍‌ଟାର ଅନ୍ୟନାମ ହେଲା ପରୀକ୍ଷା ନିରୀକ୍ଷା । ଆଜି ଯେତେବେଳେ ଶୋଷକ ଶ୍ରେଣୀର କୁରୁସଭାତଳେ ଅଗଣିତ ମେହନତି ଖଟିଖିଆ ସର୍ବହରା ଶ୍ରେଣୀର ଗୃହବଧୂ କେବଳ ବିବସନା ନୁହେଁ, ଧର୍ଷିତା ଓ ଲାଞ୍ଛିତା । ତା’ର ବକ୍ଷବାସ ପ୍ରତିନିୟତ ଯେତେବେଳେ ଅତ୍ୟାଚାରୀ ଜହ୍ଲାଦ ଦୁଃଶାସନ କର୍ତ୍ତୃକ ଲୁଣ୍ଠିତ ସେଠି ପରୀକ୍ଷା, ନିରୀକ୍ଷା ନାମରେ ଧର୍ମରାଜ ଯୁଧିଷ୍ଠିର ପରି ନୀରବ ଦର୍ଶକ ହୋଇ ବସିବାର ସାଧନା ମୋର କେବେ ନ ଥିଲା ।

 

କବି ରବି ସିଂ ସମାଜବାଦୀ କାବ୍ୟ-ଆନ୍ଦୋଳନର ଜଣେ ଆଗଛାମୁଆ ସେନାପତି ପରି ଦୃଢ଼ତାର ସହ ଦାନବୀୟ ସମାଜ ବ୍ୟବସ୍ଥାକୁ ବଦଳାଇ ଦେବାପାଇଁ ଆଗେଇ ଚାଲିଛନ୍ତି ଏ ପର୍ଯ୍ୟନ୍ତ ନିରଳସ ଭାବରେ । ସତୁରୀ ପରବର୍ତ୍ତୀ ଦୁର୍ଗମଗିରି (୧୯୭୧), ଝଡ଼ (୧୯୭୩), ସର୍ବହରା (୧୯୭୪) ପ୍ରଭୃତିରେ କବି ସାମାଜିକ ବିପ୍ଲବ ପ୍ରତି ଦୃଢ଼ ଦାୟବଦ୍ଧତା ପ୍ରଦର୍ଶନ କରିଛନ୍ତି ।

 

ସର୍ବହରା ଓ ଦଳିତ, ଅତ୍ୟାଚାରିତ ଜନତା ପାଇଁ କବିତା ଲେଖିବାକୁ ହେଲେ ସେମାନଙ୍କ ସହିତ ମିଶିବାକୁ ହେବ, ସେମାନଙ୍କ ଆବେଗ ଓ ଅନୁଭୂତିକୁ ଉପଲବ୍ଧ କରିବାକୁ ହେବ । ତେଣୁ ସମାଜର ଅକଲ୍ୟାଣକର ଅବସ୍ଥାର ପରିବର୍ତ୍ତନ ପାଇଁ କବି ନିଜେ ଅନୁଭବକୁ ସାର୍ବଜନୀନ ଅନୁଭବରେ ପରିଣତ କରାଇବାରେ ସିଦ୍ଧିଲାଭ କରିଛନ୍ତି । ସେ ତାଙ୍କର ଦୃଷ୍ଟିକୋଣକୁ ଏହିପରି ପ୍ରକାଶ କରିଛନ୍ତି –

 

ରୁଦ୍ର ତାପସ କବି

ମରାଳ ହ୍ରଦର ତୀର ତରୁତଳେ ଦେଖୁଛି ଧ୍ୱଂସର ଛବି

ଆଘାତ ଉପରେ ଆଘାତ ହାଣିଛି ଅକଲ୍ୟାଣର ଶିରେ

ସଉନ୍ଦର୍ଯ୍ୟ ମୋ କାନ୍ଦିଛି ସଦା ବେଦନା ସିନ୍ଧୁ ତୀରେ

ସାଗର ପରି ମୁଁ ଗର୍ଜି ମରିଛି ବେଳା ଭୂମେ ପିଟି ମଥା,

ସାରା ଜୀବନ ମୋ ଜାଳିଛି ପୋଡ଼ିଛି ଯେଉଁ ଅଭାବର ବ୍ୟଥା ।

ସେହି ଅଭାବର ବିନାଶ ପାଇଁ ମୋ ମସୀ ପାଲଟିଛି ବିଷ

ଶୋଷଣବାଦ ମୋ ବିଦ୍ରୋହ ଆଉ ବିପ୍ଲବ ଇତିହାସ ।

(ଅଗ୍ନବୀଣା - ଜୁନ୍‌- ୧୯୭୩)

 

ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳଭାବ ସମ୍ପଦର ବିକାଶରେ କବି ରବି ସିଂଙ୍କ ଅନ୍ୟାନ୍ୟ କୃତିର ବିସ୍ତୃତ ଆଲୋଚନା ଆବଶ୍ୟକ । କିନ୍ତୁ ସେ ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନର ପଥୀକୃତ ସେନାପତିର ଆସନ ଗ୍ରହଣ କରି ଆସିଛନ୍ତି ।

 

ମାର୍କ୍ସବାଦୀ ଚିନ୍ତାଧାରା ଭିତ୍ତିକ କାବ୍ୟ ଚେତନାରେ ଏକଦା କଲମ ଚାଳନା କରିଥିବା ଛାତ୍ରାବସ୍ଥାରେ ଛାତ୍ର ସଂଘର ଜଣେ ସକ୍ରିୟ କର୍ମୀ ଓ ନେତା ଥିବାରୁ ସେ ସମୟରେ ରଚିତ ତାଙ୍କର କବିତା ଗୁଡ଼ିକର ବାମପନ୍ଥୀ ଆଭିମୁଖ୍ୟ ପ୍ରତିଫଳିତ ହୋଇ ଉଠିଛି । ତାଙ୍କ ଲିଖିତ କବିତାମାନ ‘ଡଗର’, ‘ନୂଆଦୁନିଆ’, ‘ଆସନ୍ତାକାଲି’, ‘ସଙ୍କେତ’ ପ୍ରଭୃତିରେ ପ୍ରକାଶିତ ହୋଇଥିଲା । ତାଙ୍କର ‘ପଦଧିନି’ ସଙ୍କଳନରେ ସଙ୍କଳିତ କବିତାଗୁଡ଼ିକରେ ସାମ୍ୟବାଦୀ ସମାଜ ବ୍ୟବସ୍ଥାର ପ୍ରତୀକ ଭାବରେ ‘ରକ୍ତକମଳ’, ‘ରକ୍ତ କରବୀ’, ‘ରକ୍ତ ପ୍ରଭାତ’ କୁ କବି ଗ୍ରହଣ କରିଛନ୍ତି ।

 

‘ପଦଧ୍ୱନି’ ସଙ୍କଳନରେ ପ୍ରଥମ କବିତା ‘ପ୍ରଦାତିକ’ରେ ଯୁଗଯୁଗରୁ ମେହେନତ କରି ଆସିଥିବା ପଦାତିକବାହିନୀର ଚିତ୍ର ଉପସ୍ଥାପିତ –

 

ଆମର ତପ୍ତ ନିଃଶ୍ଵାସରେ ଜଳିଯାଏ

ପୁଞ୍ଜିବାଦର ଜୀର୍ଣ୍ଣ ଦଲିଲ ।

ଆମେ ଅଗ୍ରସର ହେଉଛୁ

ଅନବରତ ଆମର ଝଲସିତ

ଗଭୀର ଅନ୍ଧାର ତଳେ ବି ଝଲସିତ

ବହୁ ଯୁଗର ଝନ୍‌ଜା ଘାତରେ ଅକ୍ଷତ

ବହୁ ବିଦୀର୍ଣ୍ଣ ବକ୍ଷର ସ୍ରାବରେ ରଞ୍ଜିତ ।

(ପଦାତିକ - ପଦଧ୍ୱନି ପୃ.-୪)

 

ପଦାତିକ ବାହିନୀ ଅବସାଦର ଅବସାନ ଘଟାଇ ଆଗେଇ ଯିବ । ‘କଥାକହ’ କବିତାରେ ଔଷଧ ଓ ପଥ୍ୟ ଅଭାବରେ ମୃତ୍ୟୁର ନିଃଶବ୍ଦ ପଦାଘାତ ଶୁଣୁଥବା ଏକ ରୁଗ୍‌ଣ ସନ୍ତାନ ବଞ୍ଚିବା ପାଇଁ ବୃଦ୍ଧା ମାତାକୁ ଯେଉଁ ଆକୁଳ ଅନୁରୋଧ ଜଣାଇଛି ତା’ର ଆବେଦନ ବଡ଼ ମର୍ମସ୍ପର୍ଶୀ ଓ କରୁଣ । ‘ଧ୍ୱଂସାବଶେଷ’ କବିତାରେ ଶ୍ରେଣୀ ପାର୍ଥକ୍ୟର ଚିତ୍ର ଫୁଟି ଉଠିଛି ।

 

ସ୍ଵାଧୀନତା ପରେ ଚାଷୀର ସ୍ୱାର୍ଥରକ୍ଷା ପାଇଁ ଗଞ୍ଜାମର ଚାଷୀ ଯେଉଁ ଆନ୍ଦୋଳନ କରୁଥିଲେ ତାକୁ ପୋଲିସ ଦ୍ଵାରା ଦମନ କରାଗଲା । ପୋଲିସର ଗୁଳି ମାଡ଼ରେ ଦରିଦ୍ର ଚାଷୀ ରୟତଙ୍କ ପ୍ରାଣ ଗଲା । ସେହି ତାକରଡ଼ା ଗ୍ରାମଠାରେ ହୋଇଥିବା ଗୁଳିକାଣ୍ଡର ସ୍ମୃତିରେ ‘ହେମ’ କବିତାଟି ରଚିତ । କୃଷକ କନ୍ୟା ହେମର ଆତ୍ମା ମଧ୍ୟରେ କବି ବିପ୍ଲବର ପଦଧ୍ୱନି ଶୁଣିଛନ୍ତି । ସମାଜର କଳଙ୍କିତ ବ୍ୟବସ୍ଥାର ଧ୍ୱଂସ ପାଇଁ ଯୌବନର ବନ୍ଦନା କରି ଲେଖୁଛନ୍ତି –

 

ଧସିପଡ଼େ କାରାଗାର, ପ୍ରାଚୀନର ଶକ୍ତ ବୁନିଆଦି

ଛାଡ଼ିଯାଏ ସ୍ଵପ୍ନାଳସ ଦୂର ହୁଏ ଜଡ଼ତାର ବ୍ୟାଧି ।

ଯଉବନ ବ୍ୟକ୍ତ କରେ ଦିଗେ ଆଜି ତା’ ଘୋଷଣା

ସେକ୍ରେଟାରୀଏଟ କୋଠା ସୌଦାଗରୀ ଅଫିସ୍‌ ଅଗଣା

ଜାଗିଉଠେ ବିପୁଳ ଯୌବନ

ବ୍ୟର୍ଥକରି ପ୍ରବଞ୍ଚନା, ବ୍ୟର୍ଥ କରି ରକ୍ତାକ୍ତ ଦମନ ।

(ଯୌବନ - ପଦଧ୍ୱନି - ପୃ.୪୧)

 

ଶୋଷଣହୀନ ସମାଜବାଦୀ ସମାଜ ଗଠନ ପାଇଁ ଯେଉଁ ସଂଗ୍ରାମ ଭାରତରେ ଆରମ୍ଭ ହୋଇଥିଲା, ତାହାର ଅଗ୍ରଗତି ପାଇଁ ଯେଉଁ କବିମାନେ ସେମାନଙ୍କର ଲେଖନୀଚାଳନା କରିଥିଲେ, ସେମାନଙ୍କ ମଧ୍ୟରେ ମନୋଜ ଦାସଙ୍କ ଅବଦାନ ସ୍ମରଣୀୟ । ସେ କୃଷକ ସମାବେଶ ଠାରୁ ଆରମ୍ଭ କରି ଭିଏତ୍‌ନାମ୍‌, ମାଳୟର ମୁକ୍ତି ସଂଗ୍ରାମ ପ୍ରତି ଅକୁଣ୍ଠ ସମର୍ଥନ ଜଣାଇ ଆନ୍ତର୍ଜାତିକ ଭାବକୁ ତାଙ୍କ କବିତା ମାଧ୍ୟମରେ ଫୁଟାଇଛନ୍ତି ।

 

ଶୋଷିତ ଜନତାର ବୁକୁରେ କୁହୁଳି ଉଠୁଥିବା ଦିନେ ନା ଦିନେ ହୁତାଶନ ହୋଇ ଜଳି ଉଠିବ ଏବଂ ସେହି ଅଗ୍ନି ଧ୍ୱଂସ କରିଦେବ ଅତ୍ୟାଚାରୀ ଶାସକ କୁଳକୁ । ‘ପୂର୍ବାଭାଷ’ କବିତାରେ ତାହା ପ୍ରକାଶିତ ହୋଇଛି ଏହିପରି –

 

ଏହିପରି ଭାଇ, ଏହିପରି ଠିକ୍‌ ଏହିପରି

ଗାଆଁଗଣ୍ଡାଠୁ ସହର ନଗର ସବୁଧରି

କୁହୁଳି କୁହୁଳି ଯେଉଁ ଦିନ

ଚମକି ଜଳିବ ହୁତାଶନ

ଆଜିର ଦିନ ସେ ଶୁଭଦିନର ପୂର୍ବାଭାଷ ।

ଆଜିର ଏ ଦିନ ପୂର୍ବ ଯୁଗର

ପୂର୍ବ ଦିନର ସର୍ବଶେଷ ।

 

ଶ୍ରୀଯୁକ୍ତ ମନୋଜ ଦାସଙ୍କ ‘ଉପନିବେଶ’ (୧୯୬୬) କବିତା ସଙ୍କଳନ ଓ ଅନ୍ୟାନ୍ୟ ପତ୍ରପତ୍ରିକାରେ ପ୍ରକାଶିତ କବିତା ମାନବତାବୋଧର ସଙ୍କେତ ବହନ କରିଛି । କବି ନିଜେ ଛାତ୍ର ସଂଘର ନେତୃତ୍ୱରେ ଥିଲେ ଓ ସେହି ସୂତ୍ରରେ ମାର୍କ୍ସବାଦ ଓ ସାମ୍ୟବାଦର ପ୍ରଭାବରେ କମ୍ୟୁନିଷ୍ଟ ଭାବଧାରାରେ ସମାଜବାଦ ପ୍ରତିଷ୍ଠା ପ୍ରତି ଅଙ୍ଗୀକାରବଦ୍ଧ ଥିଲେ । ପରବର୍ତ୍ତୀ ସମୟରେ ସେ କବିତାରୁ ‘କଥା ସାହିତ୍ୟକୁ’ ତାଙ୍କ ସାହିତ୍ୟ ସାଧନାର ମାର୍ଗ ଭାବେ ବାଛି ନେଇଛନ୍ତି ।

 

ଏହି ସମୟକାଳରେ ସମାଜବାଦୀ ଚେତନାରେ ଅଭିମନ୍ତ୍ରିତ ବୈଜ୍ଞାନିକ ସମାଜବାଦର ଆଦର୍ଶକୁ ଭିତ୍ତିକରି ଲେଖନୀ ଚାଳନା କରି କବି ବ୍ରଜନାଥ ରଥ ତରୁଣ କବିମାନଙ୍କ ମଧ୍ୟରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛନ୍ତି । ୧୯୫୨ ମସିହାଠାରୁ ସେ ଧାରାବାହିକ ଲେଖାଲେଖି କରି ଆସିଛନ୍ତି । ୧୯୬୦ରେ ପ୍ରକାଶିତ ‘ମରୁଗୋଲାପ’ କବିତା ସଙ୍କଳନରେ ସଂଗ୍ରାମ ଓ ଶାନ୍ତିର ମିଶ୍ରିତ ପ୍ରତିଧ୍ୱନି ଶୁଣିବାକୁ ମିଳିଥାଏ । ଏଥିରେ ଆଗାମୀ କାଲିର ସମ୍ଭାବନାର ପ୍ରତିଶ୍ରୁତିରେ ପ୍ରଗତିର ବାର୍ତ୍ତା ରହିଛି –

 

ପ୍ରଗତି ଶସ୍ୟେ ସବୁଜିତ ହେଲା ବନ୍ଧୁ ଏ ମୋର ଜୀବନ

ମରୁର ଗୋଲାପ ଦେଲା ଆଗାମୀର ନୂତନ ଆହ୍ଵାନ ।

(ମରୁ ଗୋଲାପ - ‘ଡଗର’ ୨୧/୧, ସଂଖ୍ୟା ୧୯୫୭)

 

କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ‘ନୂଆ ଦୁନିଆ’ରେ ତାଙ୍କର ପ୍ରକାଶ ପାଇଥିବା ‘ସ୍ଵାଗତ ହେ ନଭେମ୍ବର ସାତ’ କବିତାରେ କବି ଏହି ଦିନର ମହତ୍ତ୍ୱକୁ ସଂଗ୍ରାମୀ ଅଭିନନ୍ଦନ ଜଣାଇଛନ୍ତି । ପୃଥିବୀରେ ‘ନଭେମ୍ବର ସାତ’ ବିପ୍ଳବ ସାମ୍ୟବାଦର ଆଗମନକୁ ବାଟ କଢ଼ାଇଥିଲା ।

 

କୁଟୀର ଦୁଆରେ ଆମ ପ୍ରଳୟର ଶଙ୍କା ଯେବେ ଜାଗେ

ଆମରି ମାଟିରେ ଯେବେ ମରଣର ବିଭୀଷିକା ଲାଗେ ।

ସେତେବେଳେ ମୁକ୍ତ କଣ୍ଠେ ଆମେ ବନ୍ଧୁ କରୁଛୁ ସ୍ଵାଗତ

ସଂଗ୍ରାମର ଇସ୍ତାହାର ଘେନି ଆସ ଆସ ନଭେମ୍ବର ସାତ ।

(ନୂଆ ଦୁନିଆ, ୩ୟ ବର୍ଷ, ୫.୧୧.୧୯୫୪)

 

ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ବିରୋଧରେ କବି ଲେଖନୀ ମୁଖର ହୋଇ ଉଠିଛି । ଯୁଦ୍ଧଖୋର ଓ ଫାସିବାଦ ବିରୁଦ୍ଧରେ ସେ ଲେଖିଛନ୍ତି –

 

ଶାନ୍ତି ଗୀତିରେ, ନୂତନ ରୀତିରେ ଜୀବନ ପ୍ରୀତିରେ

ହସି ଉଠିବ ଏ ଧୂସର ମାଟି

ଚିରଦିନ ପାଇଁ ଭାଜିବ ତୁମରି

ସମର ଘାଟିରେ ସମର ଘାଟି ।

 

କବିଙ୍କ ଆନ୍ତର୍ଜାତୀୟତାର ବଳିଷ୍ଠ ରୂପ ‘ମିଳାଅ ହାତ’ କବିତାରେ ଫୁଟି ଉଠିଛି ।

 

ପ୍ରତିଟି ବଜ୍ରବାହୁ ଆମର

ମିଳାଇ ହାତ

ଦୁନିଆରେ ଯେତେ ଅଗ୍ରଦୂତ

କୋଟି ଜନତାର ସାଗର ସଲିଳେ

ଭସାଇ ଦେବା ଏ ଜୀବନ ପୋତ ।

 

ଧର୍ମ ନାମରେ ଚାଲିଥିବା ଜାଲିଆତି ଓ ଶଠତାକୁ ତୀବ୍ରଭାବେ ଆକ୍ରମଣ କରି କହିଛନ୍ତି –

 

‘ବଗଠାରୁ ଏ ଶତାବ୍ଦୀ ଶିଖିଅଛି ବହୁଦିନ ପରେ

ବଞ୍ଚିବାକୁ ଚାହ ଯଦି ଖାଣ୍ଟି ଏକ ମଣିଷ ଭାବରେ

ଧର୍ମ ନାମେ ନରହତ୍ୟା ଯେତେ ତୁମେ କରିବାର କର

ତେବେ ତ ପାଇବ ଯାଇ ବଂଚିବାର ନ୍ୟାଯ୍ୟ ଅଧିକାର ।’

(ବଗ-ନିଜସ୍ୱ ସଂଳାପ - ପୃ. ୪)

 

ଯୀଶୁଙ୍କ ସତ୍ତା ଓ ତାଙ୍କର ବାଣୀ ମଣିଷର ଶଠତା ଓ ପ୍ରବଞ୍ଚନାରେ ପରିଣତ ହୋଇଯାଇଛି ।

 

ଗୀର୍ଜାର ପ୍ରାର୍ଥନା ମିଛ, ମିଥ୍ୟା ପୁଣି ଏହି ଉପାସନା

ଲୁଣ୍ଠିତ ଆତ୍ମାର ପାଇଁ ଏଇ ଏକ ଜଘନ୍ୟ ବଞ୍ଚନା ।

ଏ ଦୀର୍ଘାୟୁ ଦିବସରେ ସତ୍ୟ ଖାଲି ନରହତ୍ୟା ସଖି

ଆଲୋକର ସତ୍ତା ନାହିଁ ତୁମକୁ ମୁଁ ପାରୁନି ବି ଦେଖି ।

 

କବିଙ୍କର ‘ନିଃଶବ୍ଦ ପ୍ରତିବାଦ’ (୧୯୭୭), ‘ସଭ୍ୟତାର ମୁହଁ’ (୧୯୭୯), ‘ମନର ମାନଚିତ୍ର’ (୧୯୮୩), ‘ହେ ମହାଜୀବନ’ (୧୯୯୦) କବିତା ସଙ୍କଳନମାନଙ୍କରେ ସାମାଜ୍ୟବାଦ ବିରୋଧୀ, ଏଷ୍ଟାବିଲ୍‌ମେଣ୍ଟ ବିରୋଧୀ, ସ୍ଵେଚ୍ଛାଚାରୀ ଶାସନତନ୍ତ୍ର ବିରୁଦ୍ଧରେ ମାର୍କ୍ସବାଦୀ ଦୃଷ୍ଟିକୋଣରୁ ବିଚାର ବିବେଚନା କରାଯାଇଛି ଓ ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ-ସମ୍ଭାରର ଦିଗ୍‌ଦର୍ଶନ ଦେଇ ପାରିଛି ।

 

୧୯୫୦ ପରବର୍ତ୍ତୀ ସମୟ କାଳରେ କବି ରବି ସିଂ, ବ୍ରଜନାଥ ରଥ, ମନୋଜ ଦାସଙ୍କ ବ୍ୟତୀତ ଡ. କୃଷ୍ଣଚରଣ ବେହେରା ତାଙ୍କର ‘‘ଚା’’ କପ୍‌ରେ ଝଡ଼’’ (୧୯୫୩) ଓ ‘‘୫୪ - ଭାନୁବାଇ ଲେନ୍‌’’ (୧୯୫୪) କବିତା ଗ୍ରନ୍ଥରେ ନୂତନ ସମାଜର ବାର୍ତ୍ତା ରହିଛି । ମଣିଷର ଛଳନା ଓ ପ୍ରତାରଣାର ଚିତ୍ର ଏଥିରେ ଚିତ୍ରିତ ହେବା ସହ ମାରଣାସ୍ତ୍ର ଧରି ଶାନ୍ତି ମୈତ୍ରୀର ବାଣୀ ପ୍ରଚାର କରିବା, ଧର୍ମ ନାମରେ ରାଜନୀତି କରିବା - ପ୍ରତାରଣା ଠାରୁ ଦୂରରେ ରହି ନୂଆ ସମାଜ ଗଠନ ପାଇଁ କବି ଆହ୍ଵାନ ଦେଇଛନ୍ତି ।

 

କ୍ଷଣକରେ ପୁଣି ନବୀନ ସୂର୍ଯ୍ୟ ଧରାରେ ଉଦିବ ହସି

ମଣିଷ ଭିତର ଅନ୍ଧାର ଘରେ ଆଲୁଅ ଯିବରେ ପଶି ।

ଉଦୟ ପାଇଁ ତୁ କଣ୍ଠ ଫଟାଇ ଆହ୍ଵାନ ଦିଅ ଆଜି

ଦଳିତ ପୀଡ଼ିତ ଅବହେଳିତ ନିଦ୍ରା ଯାଉରେ ଭାଜି ।

(ଚା’ କପ୍‌ରେ ଝଡ଼ - ପୃ.୬)

 

କବିଙ୍କର ‘୫୪ ଭାନୁବାଇ ଲେନ୍‌’ କବିତାରେ ପୁଞ୍ଜବାଦୀ ସମାଜର ଦୁର୍ଗତିର ସଫଳ ରୂପାୟନ ଭାନୁମତୀ ଜୀବନର କରୁଣ କାହାଣୀ ମାଧ୍ୟମରେ ପ୍ରକାଶିତ ହୋଇପାରିଛି । ଅନ୍ୟ ନାରୀଙ୍କ ପରି ଯିଏ ସମାଜରେ ପ୍ରତିଷ୍ଠିତ ହୋଇପାରିଥାନ୍ତା, ଏ ପୁଞ୍ଜବାଦ ସମାଜ ତାକୁ ସେ ସୁଯୋଗ ଦେଇ ନ ଥିବାରୁ କବି ନାରୀର ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଘୋଷଣା କରିଛନ୍ତି –

 

ବିଦ୍ରୋହ କରିବାକୁ ହେବ

ଏ ନୀତିହୀନ ସଂସ୍ଥା ବିରୁଦ୍ଧରେ

ନାରୀର ମୌଳିକ ଅଧିକାର

ହାସଲ କରିବାକୁ ହେବ

ବଳାତ୍କାରରେ ।

(୫୪ ଭାନୁବାଇ ଲେନ୍‌)

 

ଡ. ବେହେରାଙ୍କର ପ୍ରଗତିବାଦୀ କାବ୍ୟଚେତନା ସମାଜବାଦୀ କାବ୍ୟ ଆନ୍ଦୋଳନରେ ସହାୟକ ହୋଇ ପାରିଛି ।

 

ସମାଜବାଦୀ କାବ୍ୟ ଆନ୍ଦୋଳନର ସଂଗଠିତ ଧାରାରେ ନିଜକୁ ସଂପୃକ୍ତ ନ କରିଥିଲେ ମଧ୍ୟ ଶ୍ରୀ ଯଦୁନାଥ ଦାସ ମହାପାତ୍ର ତାଙ୍କର ରଚିତ କବିତାମାନଙ୍କ ମଧ୍ୟରେ ୧୯୫୦ ମସିହା ବେଳକୁ ପ୍ରଗତିବାଦୀ ଚେତନା ରୂପଲାଭ କରିଛି । ୧୯୪୮ରେ ‘ଡଗର’ ପତ୍ରିକାରେ ପ୍ରକାଶିତ ‘ପାଟମନ୍ତ୍ରୀ’ କବିତା ଓ ୧୯୫୦ରେ ପ୍ରକାଶିତ ‘ରକ୍ତମୁଖୀ’କୁ ଦୃଷ୍ଟାନ୍ତଭାବେ ନିଆଯାଇପାରେ । ‘ରକ୍ତମୁଖୀ’ରେ ୧୯୪୨ ମସିହାରେ ଇଂରେଜ ଶାସନ ବିରୁଦ୍ଧରେ ପ୍ରତିବାଦ କରି ରଘୁ ବେହେରା ଓ ତା’ର ବୃଦ୍ଧାମାତା ପୋଲିସ ଗୁଳିରେ ଟଳି ପଡ଼ିଥିବା ବର୍ଣ୍ଣିତ ହୋଇଛି । ‘ବାଜିରାଉତ’ ପରି ଏହା ବୈପ୍ଳବିକ କାବ୍ୟ ଭାବନାରେ ରଚିତ । ପୁଞ୍ଜିବାଦ ବିରୋଧୀ ମନୋଭାବ ସହ ଶାନ୍ତି ଓ ମୈତ୍ରୀ ଭାବନାର ଅଙ୍ଗୀକାରବଦ୍ଧତା ତାଙ୍କର ଅନେକ କବିତାରେ ଲକ୍ଷ୍ୟ କରାଯାଏ । ଷାଠିଏ ପରବର୍ତ୍ତୀ କାଳରେ ତାଙ୍କର ବିପ୍ଳବୀ କାବ୍ୟଧାରା ଶିଥିଳ ହୋଇ ଯାଇଛି ।

 

ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ ଆନ୍ଦୋଳନର ପଥପ୍ରାନ୍ତରେ ବଳିଷ୍ଠ ଆତ୍ମପ୍ରତ୍ୟୟ ନେଇ ଆଗେଇ ଆସିଛନ୍ତି - ଦୁଗାଚରଣ ସାମନ୍ତ, ବନମାଳୀ ସେନାପତି, ଶଶି ଭୂଷଣ ପଟ୍ଟନାୟକ, ଯଦୁନନ୍ଦନ ବିଶ୍ଵାଳ, ଯଦୁନାଥ ଷଡ଼ଙ୍ଗୀ ପ୍ରମୁଖ ।

 

ଦୁର୍ଗାଚରଣଙ୍କର ‘ଡଗର’ ଓ ‘ଝଙ୍କାର’ରେ ପ୍ରକାଶିତ କବିତାମାନଙ୍କରେ ମାର୍କ୍ସବାଦୀ କାବ୍ୟଚେତନାରେ ପରିପ୍ରକାଶ ଘଟିଥିଲା । ‘ଡଗର’ରେ ପ୍ରକାଶିତ ‘ଦୁଇଶିବିର’ ଓ ‘ଦୁଇଟି ସପନ’ରେ ଏହି ପ୍ରଗତିଶୀଳ ଭାବେ ସ୍ପଷ୍ଟ ହୋଇ ଉଠିଛି । ଶୋଷଣ କଷଣରୁ ମୁକ୍ତ ସଂଗ୍ରାମ ଯେ ଏକମାତ୍ର ପନ୍ଥା ତାହା ଏଥିରେ ଦର୍ଶାଯାଇଛି । ‘ଝଙ୍କାର’ରେ ପ୍ରକାଶିତ ‘ଯତନନଗରର ପ୍ରଭୁ’ କବିତାରେ ସାମନ୍ତବାଦୀ ରାଜା ରାଜୁଡ଼ାଙ୍କୁ ବିଦ୍ରୂପ କରି କୁହାଯାଇଛି –

 

ତୁମକୁ ବିଦ୍ରୂପ କରି ଯତନନଗର ହସେ ଆଜି ହସେ

ପର୍ବତର ଶୀର୍ଷରେ ଯତନନଗର ହସେ

ଗୌରବୀୟ ତାଚ୍ଛଲ୍ୟରେ ହସ ତା’ର ବିଭତ୍ସ ।’’

(ଝଙ୍କାର - ୯ମ ବର୍ଷ, ୧ମ ସଂଖ୍ୟା - ୧୯୫୬)

 

ଦୁର୍ଗାଚରଣଙ୍କ ଠାରୁ ଆହୁରି ବହୁ କବିତା ଆଶା କରାଯାଉଥିବା ବେଳେ ତାଙ୍କର ଅକାଳ ବିୟୋଗ ସେଥିପ୍ରତି ପ୍ରତିବନ୍ଧକ ସୃଷ୍ଟି କଲା ।

 

‘ଶତାବ୍ଦୀ’ ପତ୍ରିକାରେ ସମ୍ପାଦକ ଶଶିଭୂଷଣ ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ସମାଜବାଦୀ ଧାରାର ଅନ୍ୟତମ କବି ଭାବରେ ପ୍ରତିଷ୍ଠିତ । ୧୯୪୮ ମସିହା ଫେବୃୟାରୀ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ କଲିକତାଠାରେ ଅନୁଷ୍ଠିତ ଦକ୍ଷିଣ-ପୂର୍ବ ଏସିଆ ଯୁବ ସମ୍ମିଳନୀରେ ଭିଏତ୍‌ନାମ, କୋରିଆ, ମଙ୍ଗୋଲିଆ, ଇଣ୍ଡୋନେସିଆ, ଚାଇନା, ବର୍ମା, ମାଳୟ ପ୍ରଭୃତି ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସାଧାରଣ ସଭାରେ ଯେଉଁ ଉଦ୍‌ବୋଧନୀ ସଙ୍ଗୀତ ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ଗାନ କରାଯାଇଥିଲା, ତାହାର ରଚୟିତା ଥିଲେ ଶଶିଭୂଷଣ । ସେହି କବିତାଟି ‘ଶତାବ୍ଦୀ’ରେ ପ୍ରକାଶିତ ହୋଇଥିଲା । (ଶତାବ୍ଦୀ - ୨ୟଭାଗ ୧ମ ଖଣ୍ଡ, ମାର୍ଚ୍ଚ ୧୯୪୮)-। ସେହି କବିତାର ଅଂଶ ବିଶେଷ ହେଉଛି-

 

ଏଇ ଅନ୍ଧାରେ- ଏଇ ଅନ୍ଧାରେ-

ଆଗାମୀ କାଲିର ନୂତନ ସକାଳ

ଶିଥିଳ ଫାଶରେ ବନ୍ଧାରେ

ପଥେ ପଥେ ନାଚେ ମୃତ୍ୟୁ - ଡମ୍ବରୁ ବାଏ କାଳ

ସମ୍ମୁଖେ ଡାକେ ଶିଙ୍ଗା - ପଜା ତୋର କରବାଳ ।

 

‘ନୂଆ ଦୁନିଆ’ରେ ପ୍ରକାଶିତ ‘ରାକ୍ଷସ ସାବଧାନ’ କବିତା ଯୁଦ୍ଧ ବିରୁଦ୍ଧରେ ଶାନ୍ତିର ଡାକରାରେ ସମୃଦ୍ଧ । ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ଦଲାଲମାନଙ୍କୁ ରାକ୍ଷସ ଭାବେ ସମ୍ୱୋଧିତ କରି କବି ଲେଖିଛନ୍ତି –

 

ଶାନ୍ତିକପୋତ ଡେଣା ହାଣେ ଯେଉଁ ଦାନବ

ଧ୍ୱଂସ କପାଳେ ତାରେ ଲେଖେ ମୂକ ମାନବ

ଜନତାର ଦରବାରେ ଏ ବିଧାନ-

ସ୍ପର୍ଦ୍ଧା ତୋ ରହିବନି-

ରାକ୍ଷସ ! ସାବଧାନ !

ସାବଧାନ - ସାବଧାନ - ସାବଧାନ !

(ନୂଆଦୁନିଆ - ୧ମ ବର୍ଷ, ୧୯.୪.୫୧)

 

ଗଞ୍ଜାମର ତାକରଡ଼ାଠାରେ ଘଟିଥିବା ନାରକୀୟ ଗୁଳିକାଣ୍ଡର ସ୍ମୃତିଚାରଣା କରି ସେ ‘ଊଣିଶି ଜୁଲାଇ’ କବିତାରେ ସହିଦ ହୋଇଥିବା କିଶୋରୀ ହେମ ଓ ବୃଦ୍ଧା ପାଟ ପ୍ରଭୃତିଙ୍କର ସ୍ମୃତିରେ କବି ଗାଇଛନ୍ତି –

 

ସୁକୁମାରୀ ହେମ ମଲା-

ଅଶୀ ବରଷର ବୁଢୀ ପାଟ ଗଲା ଟଳି

ବୀର ତାକରଡ଼ା

ସହିଦର ହାଡ଼, ମାଂସ ରକ୍ତେ ଯା’ର ଗଢ଼ା

ଉନ୍ମତ୍ତ କଂଗ୍ରେସୀ ମୁଖେ, ମାରିଚି କୋରଡ଼ା

ବୀର ତାକରଡ଼ା ।

(ନୂଆ ଦୁନିଆ - ୨ୟ ବର୍ଷ, ୧୭.୭.୫୩)

 

ଶଶିଭୂଷଣଙ୍କ ଏହିପରି ଅଳ୍ପ କେତୋଟି କବିତା ଓଡ଼ିଆ ସାହିତ୍ୟରେ ସମାଜବାଦୀ ପ୍ରଗତିବାଦୀ ଆଭିମୁଖ୍ୟକୁ ବେଗବାନ କରିଛି ।

 

ମାର୍କ୍ସବାଦୀ କାବ୍ୟ ଧାରାର ଅନ୍ୟତମ କବି ହେଉଛନ୍ତି ବନମାଳୀ ସେନାପତି । ତାଙ୍କର ପ୍ରଥମ କବିତା ସଙ୍କଳନ ୧୯୫୦ ‘ପ୍ରଭାତ ନଳିନୀ’ ପ୍ରକାଶିତ । ଏଥରେ ବ୍ୟକ୍ତି ଜୀବନର ଦୁଃଖଦୈନ୍ୟ ସହ ବୈପ୍ଳବିକ ସ୍ଵର ଲକ୍ଷ୍ୟ କରାଯାଏ । ଏଥିରେ ସନ୍ନିବେଶିତ ‘ଆଗାମୀ ଯୁଗର କବି’ରେ କୁହାଯାଇଛି –

 

ତୋହରି ଦେଶର କୋଟି ମଜଦୁର ଅନ୍ଧାରେ ଯାଏ ସଢ଼ି

କଲିକତା ଆଉ ରେଙ୍ଗାମ ମୂଲକେ ଖାଆନ୍ତି କୋରଡ଼ା ବେଡ଼ି ।

ଶିକ୍ଷା ନାହିଁକି ଦୀକ୍ଷା ବି ନାହିଁ ପଶୁପରି ଦିନ କାଟେ

ପାଏନି ସୁବିଧା ସ୍ଵାଧୀନ ଯୁଗରେ ବସି ଖାଲି ମଥା ପିଟେ ।’’

 

୧୯୫୩ ମସିହାରେ କମ୍ୟୁନିଷ୍ଟ ପାର୍ଟି ମୁଖପତ୍ର ‘ନୂଆ ଦୁନିଆ’ରେ ତାଙ୍କର ‘ଜନତାରାଜ’ କବିତା ମାର୍କ୍ସବାଦୀ ଚିନ୍ତାଧାରାର ପ୍ରଭାବରେ ରଚିତ । ଏଥିରେ କୃଷକ ଶ୍ରମିକମାନଙ୍କ ଦାବି ସମ୍ପର୍କରେ ସଚେତନ କରାଯାଇଛି । ଅର୍ଥନୈତିକ ବୈଷମ୍ୟ ଦୂରୀଭୂତ ହେବା ଆଶା ରଖି ଲେଖିଛନ୍ତି –

 

ଦିନେ ନା ଦିନେ ଏ ରଣ ହୋଇବ ଶେଷ

ସେଦିନ ନ ଥିବ ଉଚ୍ଚ ଅବା ନୀଚ ଲେଶ

ଆଗାମୀ ଦିନର ମୁଁ ଯେଉଁ ଦେଖୁଛି ଛବି

ରକ୍ତ କାଳିରେ ଲେଖୁଛି ଭୋକିଲା କବି ।

(ନୂଆ ଦୁନିଆ - ୪ର୍ଥ ସଂଖ୍ୟା ତା ୨୩.୧୦.୫୩)

 

୧୯୭୩ରେ ତାଙ୍କର କବିତା ସଙ୍କଳନ ‘ଯନ୍ତ୍ରଣାର କାବ୍ୟ’ ପ୍ରକାଶିତ । ଏଥିରେ ‘ମହାନ ଲେନିନ’ କବିତାରେ ଲେନିନ ପ୍ରେରଣାର ଭତ୍ସ ଥିବା ପ୍ରକାଶ କରିଛନ୍ତି ସେ ମୃତ୍ୟୁହୀନ - ଅମର, ମେହେନତି ମଣିଷଙ୍କ ପାଇଁ ।

 

ତେଣୁ ମୃତ୍ୟୁଞ୍ଜୟ ବିପ୍ଳବୀ ଲେନିନ୍‌

ଲେନିନ ମରିନି

ସୂର୍ଯ୍ୟ କେବେ ପାଲଟଇ ସଫେଦ ତୁଷାର ?

ଅସମ୍ଭବ ! ଲେନିନ୍‌ ବଞ୍ଚିଛି ଏଇ ମେହନତି ମଣିଷ ମଝିରେ ।

(ଯନ୍ତ୍ରଣାର କାବ୍ୟ - ପୃ. ୫)

 

ଭୂମିହୀନ ସର୍ବହରାଙ୍କ ସଂଗ୍ରାମୀ ଶୋଭାଯାତ୍ରାକୁ କାବ୍ୟସ୍ଵର ତାଙ୍କର ସ୍ଵାଗତ ଜଣାଇଛି । ଦାବି ହାସଲର ସଂଗ୍ରାମୀ କଣ୍ଠରେ ‘ସାଲକୀ’ ଆଦିବାସୀ ଝିଅ କହିଛି -

 

ଭୂଇଁ ଦିଅ ହଳ ଦିଅ ଆମେ ସବୁ ବଞ୍ଚିବାକୁ ଚାହୁଁ

ହଳ ଯା’ର ଜମି ତା’ର

ବର୍ଗାଦାର-ଜମିଦାର ଚକ୍‌ଦାର ଜମିସବୁ ଛାଡ଼ ।

(ଯନ୍ତ୍ରଣାର କାବ୍ୟ-ପୃ.୮)

 

‘ମେ’ ପହିଲା’ କବିତାରେ ସେହିପରି ସଂଗ୍ରାମୀ ଆଭିମୁଖ୍ୟ ପ୍ରକାଶ ପାଇଛି –

 

‘‘ମୋର ଏଇ ନିହାଣ ମୁଗୁର ଓ ମାଂସପେଶୀର ଦମ୍ଭରେ

ଭୋର ହୋଇ ଆସୁଅଛି ।

ତୁମେ କିନ୍ତୁ ମହାନ୍‌ ମେ’ର ପ୍ରଥମ ଦିବସ

ମୁଁ ତୁମକୁ ପ୍ରଣାମ କରୁଛି ।’’

(ଯନ୍ତ୍ରଣାର କାବ୍ୟ - ପୃ- ୨୫)

 

ସେନାପତିଙ୍କର ମାର୍କ୍ସବାଦୀ କାବ୍ୟ ଆଭିମୁଖ୍ୟ ସମାଜବାଦୀ କାବ୍ୟ-ଚେତନାକୁ ବଳିଷ୍ଠ କରିବାରେ ସାହାଯ୍ୟ କରିଅଛି । ତାଙ୍କର ଅନ୍ୟତମ କବିତା ସଙ୍କଳନ ‘ସୂର୍ଯ୍ୟଶିଖା’ (୧୯୮୭)ରେ ପ୍ରଗତିଶୀଳ ଚିନ୍ତାଧାରା ଲକ୍ଷ୍ୟ କରାଯାଏ ।

 

କମ୍ୟୁନିଷ୍ଟ ପାର୍ଟି ସହ ସଂପୃକ୍ତ ଯଦୁନାଥ ଷଡ଼ଙ୍ଗୀ ‘ନୂଆ ଦୁନିଆ’ରେ ପ୍ରକାଶିତ ତାଙ୍କର କବିତା ଗୁଡ଼ିକରେ ସମାଜବାଦୀ ମାର୍କ୍ସସୀୟ ଚିନ୍ତା ଓ ଚେତନାକୁ ପ୍ରକାଶ କରିଛନ୍ତି । ସମାଜାବାଦୀ ବିପ୍ଳବର ନେତା ଲେନିନ୍‌ଙ୍କ ସମ୍ପର୍କରେ ତାଙ୍କର ଦୁଇଟି କବିତା - ‘‘ହେ ଲେନିନ୍‌’’ ଓ ନିଖିଳ ଅବନୀବୁକେ ଜାଗିଛି ଲେନିନ’’ରେ କୋଟି କଣ୍ଠରେ –

 

ତେଣୁ ଏକା ନୁହେଁ ମୁହିଁ ଆଜି ହେ ଯୁଗ ମାନବ

କୋଟି ହାତ ଦିଏ ଆଜି ରକତ ସଲାମ

କୋଟି ନର ନିଏ ଆଜି ବିପ୍ଳବୀ ଶପଥ ।

କୋଟିକଣ୍ଠ କରେ ଆଜି ଲେନିନର ଜୟ ।

(ନୂଆ ଦୁନିଆ, ୪/୯ ସଂଖ୍ୟା-୨୧.୧.୫୫)

 

ବିଶ୍ଵରେ ଯେଉଁଠି ନିଷ୍ପେଷିତ କୃଷକ ଶ୍ରମିକର ଅଭ୍ୟୁଥାନ ଘଟୁଛି, ପୁଞ୍ଜିବାଦର ହୃଦୟ ଥରୁଛି, ସେସବୁ କ୍ଷେତ୍ରରେ ଲେନିନ୍‌ଙ୍କର ଆର୍ବିଭାବ ଘଟୁଛି । ତେଣୁ ଲେନିନ୍‌ଙ୍କୁ ସେ ଜଣେ ବ୍ୟକ୍ତି ହିସାବରେ ନୁହେଁ ଜଣେ କ୍ରିୟାଶୀଳ ଅନୁଷ୍ଠାନ ରୂପ ଦେଖି ଲେଖିଛନ୍ତି –

 

ଏ ଲେନିନ୍‌ ନୁହଁଇ ଯେ ବ୍ୟକ୍ତି

ରୁଦ୍ଧାବେଗ ଭାବଧାରାର ନିବିଡ଼ ସମଷ୍ଟି

ଜନତାର ଆକାଙ୍‌କ୍ଷାର କ୍ରିୟାଶୀଳ ମୂର୍ତ୍ତି

ଲେନିନ୍‌ତ ବ୍ୟକ୍ତି ନୁହେଁ-

ମୁକ୍ତିକାମୀ ଜନତାର ପ୍ରିୟ ଅନୁଷ୍ଠାନ

ଶାନ୍ତିର ଆକାଙ୍‌କ୍ଷା ପରି ବ୍ୟାପକ ମହାନ ।

(ନୂଆ ଦୁନିଆ, ୩/୧୩ ସଂଖ୍ୟା, ୨୨. ୧.୧୯୫୪)

 

ରୁଷିଆ ଦେଶରେ ଶୋଷଣର ତାଜ୍‌ ଭୁଶୁଡ଼ି ପଡ଼ିଥିଲା ନଭେମ୍ବର ବିପ୍ଳବର ଧକ୍କାରେ । ନୂତନ ସମାଜବାଦୀ ସମାଜ ପ୍ରତିଷ୍ଠିତ ହୋଇଥିଲା ସୋଭିଏତ୍‌ରୁଷ୍‌ରେ । ସେହି ବିପ୍ଳବର ଭୌଗୋଳିକ ସୀମା ସରହଦ ଡେଇଁ ବିଶ୍ଵକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା ତେଣୁ –

 

ତେଣୁ ସବୁ ଦେଶେ ସବୁକାଳେ ମହନୀୟ ଏହା

ଖୋଲିବ ଖୋଲିବ ନିଶ୍ଚେ ସାମ୍ୟବାଦୀ ରାହା

ଯିଏ ଯେତେ କରୁ ୟା’କୁ ଚିତ୍ର

ଶୋଷଣ ବଞ୍ଚାଇବାର ଜଘନ୍ୟ ଚକ୍ରାନ୍ତ

ସବୁ ହେବ ବ୍ୟର୍ଥ

ଜୟୀ ହେବ ନଭେମ୍ବର ସାତ ।’’

(ନୂଆ ଦୁନିଆ - ୩/୫ ସଂଖ୍ୟା, ତା ୬.୧୧.୧ ୯୫୩)

 

ଶ୍ରୀ ଯଦୁନାଥ ଷଡ଼ଙ୍ଗୀ ସମାଜବାଦୀ ଆନ୍ଦୋଳନ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବାରୁ ତାଙ୍କର କବିତାର ଆଭିମୁଖ୍ୟ ଓଡ଼ିଶା ସମାଜବାଦୀ କାବ୍ୟ - ଆନ୍ଦୋଳନକୁ ଆଗେଇ ନେବାରେ ସାହାଯ୍ୟକାରୀ ହୋଇଛି ।

 

ସମାଜବାଦୀ ତତ୍ତ୍ୱକୁ ସହଜ ଓ ସରଳ ଭାବରେ ଜନସାଧାରଣଙ୍କ ନିକଟତର କରିବା ପାଇଁ ସେହି ସମୟର ଅନ୍ୟତମ କବି ଯଦୁନନ୍ଦନ ବିଶ୍ଵାଳ ସଙ୍ଗୀତମାନ ରଚନା କରି କ୍ଷୁଦ୍ର ପୁସ୍ତିକା ଆକାରରେ ପ୍ରକାଶ କରିଥିଲେ । ଓଡ଼ିଶାର ଗାଁ ଗହଳରେ ପ୍ରଚଳିତ ଲୋକବାଣୀ ଓ ପ୍ରାଚୀନ ବୃତ୍ତରେ ଲିଖିତ ସ୍ଵର ଦେଇ ଏଗୁଡ଼ିକ ରଚିତ । ୧୯୪୭ ଲିଖିତ ‘ଜନସଙ୍ଗୀତ’, ‘ଗାଁ ଚାଷୀ’, ‘ହିନ୍ଦୁ ମୁସଲ୍‌ମାନ୍‌’ ପ୍ରଭୃତି ସଙ୍ଗୀତଗୁଡ଼ିକ କ୍ଷୁଦ୍ର ପୁସ୍ତିକାରେ ପ୍ରକାଶିତ ହୋଇ ଜନ ମନ ହରଣ କରୁଥିଲା । ତାଙ୍କର ‘ମନବୋଧ ଚଉତିଶା’ (୧୯୭୩)ରେ ମାର୍କ୍ସସୀୟତତ୍ତ୍ଵକୁ ବଡ଼ ସହଜ ଓ ସରଳ ଭାବେ ବୁଝାଇ ଦିଆଯାଇଛି ।

 

ଗଳେ ଗଳାଇ ତୋର ଶୋଷଣ ଗଣ୍ଠି

ଗୁପତେ ନିଏ ଲୁଟି ଶୋଷକ ଗୋଷ୍ଠୀ ଯେ,

ଗଣ୍ଠିଲି ଯୋଗାଡ଼େ ଚକ ଗାଡ଼ିକି ଗାଡ଼ି

ଗରିବ ପଣେ ସିନା ମରୁ ତୁ ଗଡ଼ିରେ ।

(ମନବୋଧ ଚଉତିଶା- ପୂର୍ଣ୍ଣିମା ପ୍ରକାଶନୀ - ୧୯୭୩)

 

ଭାଗବତ ବୃତ୍ତରେ ରଚିତ ତାଙ୍କର ‘ଲେନିନ୍‌ ବାଣୀ’ ସଙ୍ଗୀତ ପୁସ୍ତିକାଟିରେ ଲେନିନ୍‌ବାଦର ବୈଶିଷ୍ଟ୍ୟକୁ ସଂକ୍ଷିପ୍ତ ଆକାରରେ କବି ବିଶ୍ଵାଳ ରୂପ ଦେଇଛନ୍ତି –

 

ଶୁଣ ସୁଜନେ ଦେଇ ଚିତ୍ତ

କମ୍ରେଡ ଲେନିନ୍‌ ବୃତ୍ତାନ୍ତ ।

ଶୁଣିଲେ ମନୁ ହେବ ଦୂର

ପୁଞ୍ଜିବାଦର ବୋଝ ଭାର ।

ତା’ର ଚକ୍ରାନ୍ତ ଗୋଟି ଗୋଟି

ଆଖି ଆଗରୁ ଯିବ ହଟି ।

 

ସମାଜବାଦୀ ଦର୍ଶନର ପରିପ୍ରକାଶ ପାଇଁ ଏଗୁଡ଼ିକର ମହତ୍ତ୍ଵ ଉଚ୍ଚକୋଟୀର ।

 

ଏହି ସମାଜବାଦୀ କାବ୍ୟ - ଆନ୍ଦୋଳନର ଧାରାରେ ଆଉ ଅନେକ କବି ପଚାଶ ମସିହା ପରବର୍ତ୍ତୀ ସମୟରେ ମାର୍କ୍ସବାଦୀ ସମାଜ ସଚେତନ କବିତାମାନ ରଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ‘‘ନୂଆ ଦୁନିଆ’ରେ ପ୍ରକାଶିତ କବିମାନଙ୍କ ମଧ୍ୟରେ ଅଛନ୍ତି - ଶ୍ରୀବସ୍ତ ନାୟକ, ଜ୍ଞାନଦା ଚରଣ ମହାନ୍ତି, ଦିଗମ୍ବର ଦାସ, ଅନାମ ଚରଣ ଦାସ ପ୍ରମୁଖ । ଶ୍ରୀବତ୍ସ ନାୟକଙ୍କର ‘ଅଭିଯାନ’ (ନୂ.ଦୁ- ୧.୧୦.୫୪), ଜ୍ଞାନଦା ମହାନ୍ତିଙ୍କର ‘ଗଣତନ୍ତ୍ର’ (ନୂ.ଦୁ, ୨୭.୧.୬୧), ଦିଗମ୍ବର ଦାସଙ୍କର ‘ହେ ମୋର ଧରାର ଅଧରା ଆତ୍ମା’ (ନୂ.ଦୁ, ଜାନୁୟାରୀ ୧୯୬୧), ଅନାମ ଦାସଙ୍କର ‘ହଟା ଆଜି ଯେତେ ଦୁଃଖର ଘନଘଟାରେ’ (ନୂ.ଦୁ. ଜାନୁୟାରୀ ୧୯୬୨) ପ୍ରଭୃତି କବିତା ସେହି ସମାଜବାଦୀ କାବ୍ୟ ଆନ୍ଦୋଳନ ଧାରାରେ ସ୍ମରଣୀୟ ।

 

ଓଡ଼ିଆ ସମାଜବାଦୀ-କାବ୍ୟ ଆନ୍ଦୋଳନ କ୍ଷେତ୍ରରେ ୧୯୬୯-୭୦ ବେଳକୁ ଦେଖା ଦେଲେ ମାର୍କ୍ସବାଦୀ କାବ୍ୟ ଚେତନାରେ ଆଉ ଏକ ଗୋଷ୍ଠୀ । ‘ନକ୍ସଲବାଦୀ ଆନ୍ଦୋଳନ’ ନାମରେ ନାମିତ ବିହାର, ଓଡ଼ିଶା, ଆନ୍ଧ୍ରର ବିସ୍ତୃତ ଅଞ୍ଚଳ ବ୍ୟାପୀ ହିମାଳୟର ତରାଇ ବନଭୂମି ଓ ଚା ବାଗାନ ଅଞ୍ଚଳ ସମେତ ଅଞ୍ଚଳକୁ ସଶସ୍ତ୍ର ସଂଗ୍ରାମର ପଦଧ୍ୱନି ପ୍ରକମ୍ପିତ କରି ଦେଇଥିଲା । ଏହାଥିଲା ଚାଷୀମାନଙ୍କର ଏକ ସଶସ୍ତ୍ର ଆନ୍ଦୋଳନ । ଏହା ପ୍ରଖର ବେଗରେ ଭାରତର ଜନମାନସକୁ ଚହଲାଇ ଦେଇଥିଲା । ବିଭିନ୍ନ ରାଜ୍ୟର ତତ୍ତ୍ଵଦର୍ଶୀମାନେ ଏଥିରେ ସାମିଲ ହୋଇଥିଲେ ।

 

ଏହି ନୂତନ ଆନ୍ଦୋନଳର ଐତିହାସିକ ପ୍ରେକ୍ଷାପଟ୍ଟକୁ ଅତି ସୁନ୍ଦର ଓ ତଥ୍ୟପୂର୍ଣ୍ଣଭାବେ ଡକ୍ଟର ବିଜୟ କୁମାର ଶତପଥୀ ତାଙ୍କର ଗବେଷଣା ଗ୍ରନ୍ଥ ‘ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଧାରାରେ ଲିପିବଦ୍ଧ କରିଛନ୍ତି ।

 

ଏହି ଆନ୍ଦୋଳନ ସୃଷ୍ଟିରେ ‘‘ଆନ୍ଧ୍ର ବିଧାନସଭାର ବିରୋଧୀଦଳ ନେତା ସି.ପି.ଏମ୍‌.ର ନାଗି ରେଡି, ବଙ୍ଗଳାର ଚାରୁ ମଜୁମ୍‌ଦାର, କାନୁ ସ୍ୟାନାଲ, ସୁଶୀତଳ ରାୟଚୌଧୁରୀ ଇତ୍ୟାଦି । ଏହି ଘୂର୍ଣ୍ଣିଝଡ଼ରେ ଆନ୍ଧ୍ରପ୍ରଦେଶ, ପଞ୍ଜାବ, କାଶ୍ମୀର, ଆସାମ ଓ ଉତ୍ତରପ୍ରଦେଶର ମାର୍କ୍ସବାଦୀ କମ୍ୟୁନିଷ୍ଟି ପାର୍ଟିର ଅନେକ ତୁଙ୍ଗନେତା ସାମିଲ ହୋଇଥିଲେ । ସି.ପି.ଏମ୍‌ର ଏକ ବାର୍ଷିକ ଅଧିବେଶନରେ ସମ୍ପାଦକ ସୁନ୍ଦରାୟଙ୍କର ରିପୋର୍ଟ ଅନୁସାରେ ଆନ୍ଧ୍ର, କାଶ୍ମୀରର ସମସ୍ତ ପ୍ରାଦେଶିକ ପାର୍ଟି କମିଟି ଏହି ଆନ୍ଦୋଳନରେ ସାମିଲ ହୋଇଯାଇଥିଲେ । ତେଣୁ ମାର୍କ୍ସବାଦୀ ପାର୍ଟି ସଙ୍ଗଠନ ଭୁଷୁଡ଼ି ପଡ଼ିଥିଲା । ତାହାଛଡ଼ା କେରଳ, ତାମିଲନାଡ଼ୁ, ପଶ୍ଚିବଙ୍ଗ ଭତ୍ତରପ୍ରଦେଶ ଓ ଏପରିକି ଓଡ଼ିଶାରେ ସିପିଏମ୍‌ର ଉଲ୍ଲେଖଯୋଗ୍ୟ ବିପର୍ଯ୍ୟୟ ଘଟିଥିଲା । ମୋଟ୍‌ ଉପରେ ଏହାଥିଲା ଚାଷୀମାନଙ୍କର ଏକ ସଶସ୍ତ୍ର ଆନ୍ଦୋଳନ । ଅନୁରୂପ ଆନ୍ଦୋଳନ ପୂର୍ବେ ଚୀନ୍‌ରେ ଜନତାର ଶାସନ ପ୍ରତିଷ୍ଠା କରିଥିଲା ମାଓଙ୍କ ନେତୃତ୍ୱରେ । ଏହି ଆନ୍ଦୋଳନ ମଧ୍ୟ ବିଶ୍ଵର ବହୁରାଷ୍ଟ୍ରକୁ ବିଶେଷ କରି ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକାର ଅର୍ଥାତ୍‌ ତୃତୀୟ ବିଶ୍ଵର ଦେଶମାନଙ୍କରେ ଥିବା କମ୍ୟୁନିଷ୍ଟ ବିପ୍ଳବୀମାନଙ୍କୁ ପ୍ରଭାବିତ କରିଥିଲା । ଭାରତବର୍ଷରେ ମଧ୍ୟ ୧୯୪୬-୪୮ରେ ତେଲେଙ୍ଗାନା କୃଷକ ବିଦ୍ରୋହ ସେତେବେଳେ ହାଇଦ୍ରାବାଦର ନିଜାମଙ୍କ ବିରୁଦ୍ଧରେ ଅଭିପ୍ରେତ ଥିଲା । ୧୯୬୮ ମେ’ ମାସ ପହିଲାରେ କଲିକତାରେ ସହିଦ ମିନାର ଠାରେ ଏକ ବିଶାଳ ସମାବେଶରେ ଲେନିନଙ୍କ ଜନ୍ମତିଥିରେ (ଏପ୍ରିଲ ୨୩ ତାରିଖ) ଏକ ନୂତନ ପାର୍ଟିର ଘୋଷଣା ନକ୍‌ସଲମାନଙ୍କ ଦ୍ଵାରା କରାଯାଇଥିଲା । ଏହାର ନାମ କରଣ ହୋଇଥିଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ - ଲେନିନ୍‌ବାଦୀ) । ଏହି ନକ୍‌ସଲ ବାଡ଼ି ଆନ୍ଦୋଳନର ପୃଷ୍ଠଭୂମିରେ ଥିଲେ ସଂଖ୍ୟାଧିକ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ସହରର ଶିକ୍ଷିତ ଯୁବ ସମ୍ପ୍ରଦାୟ । ଏହି ଆନ୍ଦୋଳନ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଓ ଦର୍ଶନ ଉପରେ ପର୍ଯ୍ୟବସିତ ଥିଲା ଓ ସାମାଜିକ ପରିବର୍ତ୍ତନରେ ବିଶ୍ଵାସୀ ଏକ ଯୁବଗୋଷ୍ଠୀ ଏହାର ନେତୃତ୍ୱ ନେଇଥିଲା ବୋଲି ଏ ସମ୍ପର୍କରେ ନକସଲ ବାଡ଼ି କବିତାର ସମ୍ପାଦନା କରିଥିବା ଲେଖକ ସୁମନ୍ତ ବାନାର୍ଜୀ କହିଛନି । (Thema Book of Naxaliite Poetry, P.11 Sumant Banejree- Thema Publication, Calcutta-1987 ) ରିଟାୟାର୍ଡ ଜଷ୍ଟିସ୍‌ବାର୍ଗଙ୍କ ଅଧ୍ୟକ୍ଷତାରେ ଏକ ଅନୁସନ୍ଧାନ କମିଟିର ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ୧୨୦୦୦ ବିପ୍ଳବୀ ପ୍ରାଣବଳି ଦେଇଥିଲେ । ଏହି ବିପ୍ଳବୀମାନେ ପ୍ରାୟ ଥିଲେ ଶିକ୍ଷିତ ବୁଦ୍ଧିଜୀବୀ । ନକ୍‌ସଲ ଆନ୍ଦୋଳନର ପ୍ରବକ୍ତା ଓ ଦିଗ୍‌ଦର୍ଶକ ଚାରୁ ମଜୁମ୍‌ଦାର ଏହାର ରଣକୌଶଳ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ‘‘ଅର୍ଥନୈତିକ କ୍ଷମତା ହାସଲ ପାଇଁ ଆବଶ୍ୟକ ଖଟିଖିଆ ଗୋଷ୍ଠୀ କୃଷକ ବିପ୍ଳବର ଉପଯୋଗିତାକୁ ସହଜରେ ହୃଦୟଙ୍ଗମ କରିପାରିବେ ନାହିଁ । ତେଣୁ ସେମାନଙ୍କୁ ଟ୍ରେଡ଼୍‌ ୟୁନିୟନ ସାହାଯ୍ୟରେ ଏହି ଚିନ୍ତାଧାରାକୁ ହିଁ ଶିକ୍ଷା ଦେବାକୁ ହେବ ଏବଂ ସେଥିପାଇଁ ରାଜନୈତିକ ଚିନ୍ତାଧାରାରେ ତାଲିମପ୍ରାପ୍ତ ଏକ ବିପ୍ଳବୀ ସଙ୍ଗଠନର ଆବଶ୍ୟକତା ରହିଛି । ( Naxalbari and Indian Revoiution, P.46 Oromod Das Gupta-Research India Publication, Calcutta-1983)

 

ଓଡ଼ିଶାର ଗୁଣୁପୁର ଥିଲା ଏହି ନକସଲବାଡ଼ି ଆନ୍ଦୋଳନକାରୀମାନଙ୍କର ଏକ ଆଡ୍‌ଡାସ୍ଥଳ । ନକସଲନେତା ନାଗଭୂଷଣ ପଟ୍ଟନାୟକଙ୍କ ସହିତ ବହୁ ତରୁଣ କବି ସେତେବେଳେ ଏଥିରେ ଯୋଗ ଦେଇଥଲେ । ମାର୍କ୍ସବାଦୀ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ କବିତା ଲେଖୁଥିବା କବି ମନମୋହନ ମିଶ୍ର ଓ ୧୯୫୦ ପରର ଶକ୍ତଶାଳୀ ବିପ୍ଳବୀ କବି ରବି ସିଂ ଏତିକିବେଳେ ଏହାଦ୍ଵାରା ବିପୁଳ ଭାବରେ ପ୍ରଭାବିତ ହୋଇଥିଲେ । ‘ବେଳା ଗୋଷ୍ଠୀ’ର କବିଗଣ ଏହି ବୈପ୍ଳବିକ ଚେତନା ଓ ଆଦର୍ଶ ଦ୍ଵାରା ପ୍ରଭାବିତ ହୋଇ ପ୍ରାୟ ସପ୍ତମ ଦଶକର ଶେଷଯାଏ ଉଗ୍ର ବୈପ୍ଳବିକ ଚେତନାର କବିତାମାନ ରଚନା କରିବାରେ ଲାଗିଲେ ।’’

 

ଓଡ଼ିଆ ସମାଜବାଦୀ କାବ୍ୟ-ଆନ୍ଦୋଳନର ପରିପ୍ରେକ୍ଷୀରେ ‘ବେଳା’ ଗୋଷ୍ଠୀର କବିଗଣ ୧୯୬୯-୭୦ ବେଳକୁ ମାର୍କ୍ସବାଦୀ କାବ୍ୟ ଚେତନାଧାରାର ଆଉ ଏକ ଗୋଷ୍ଠୀର ଅଭ୍ୟୁଦୟ ଘଟେ, ଯେଉଁମାନେ ୧୯୫୦ ପରେ ମନ୍ଥର ହୋଇ ଆସିଥିବା ଏଇ କାବ୍ୟ ଚେତନାକୁ ଏକ ପ୍ରଖର ଗତିବେଗ ଆଣି ଦିଅନ୍ତି । ଏହି ଗୋଷ୍ଠୀର ମୁଖପତ୍ର ରୂପେ ‘ବେଳା’, ‘ଆଭା’ ଓ ‘ସ୍ଫୁଲିଙ୍ଗ’ ପତ୍ରିକା ପ୍ରକାଶିତ ହୁଏ । କେବଳ ଏତିକି ନୁହେଁ, ଏଇ ଗୋଷ୍ଠୀର କବିଗଣ ‘‘The Long March’’ ନାମକ ଏକ ଇଂରାଜୀ ସାମୟିକ କାବ୍ୟ ପତ୍ରିକା ପ୍ରକାଶ କରି ଓଡ଼ିଆ ସାହିତ୍ୟରେ ମାର୍କସବାଦୀ କବିତାକୁ ବିଭିନ୍ନ ପ୍ରାନ୍ତୀୟ ଓ ଆନ୍ତର୍ଜାତୀୟ ସାହିତ୍ୟ ଦରବାରରେ ଉପସ୍ଥାପନ କରନ୍ତି-। ସମସାମୟିକ କାଳରେ ବଙ୍ଗଳାରେ ଆତ୍ମପ୍ରକାଶ କରି, ବିହାର ପ୍ରଭୃତିରେ ମୁଣ୍ଡ ଟେକିଥିବା ନକସଲବାଡ଼ି ଆନ୍ଦୋଳନ ଏମାନଙ୍କ କାବ୍ୟ-ଚେତନାକୁ ଅଧିକ ସ୍ଫୂର୍ତ୍ତି ଯୋଗାଏ । ବଙ୍ଗଳାର ମାର୍କ୍ସବାଦୀ ବିପ୍ଳବୀ ଯୁବ ସମ୍ପ୍ରଦାୟ, ଆନ୍ଧ୍ରର ‘ଦିଗମ୍ବର’ ସମ୍ପ୍ରଦାୟ ଏମାନଙ୍କ ଆଦର୍ଶ ହୋଇ ଠିଆ ହୁଅନ୍ତି । ଏହି ବେଳା ଗୋଷ୍ଠୀର କେନ୍ଦ୍ରବିନ୍ଦୁ ଥିଲେ କବି ଡ. ପ୍ରସନ୍ନ କୁମାର ପାଟଶାଣୀ-। ତାଙ୍କରି ଦିଗ୍‌ଦର୍ଶନ ଓ ଉଦ୍ୟମ ଯୋଗୁଁ ଏହା ଏକ ଶକ୍ତିଶାଳୀ ବାମପନ୍ଥୀ ଗୋଷ୍ଠୀରେ ପରିଣତ ହୋଇଥିଲା । କବି ପ୍ରସନ୍ନଙ୍କ ବ୍ୟତୀତ ହୁସେନ ରବିଗାନ୍ଧି ସଦାଶିବ ଦାସ, ସମରେନ୍ଦ୍ର ନାୟକ, ମେହେମୁଦ ହୁସେନ ଦେବଦାସ ଓ ଅନ୍ୟାନ୍ୟ ବହୁ ଯୁବ କବି ଏହି ଗୋଷ୍ଠୀର ଅନ୍ତର୍ଗତ ଥିଲେ । ‘ବେଳା’ର ଯୁବକମାନଙ୍କ ଭିତରେ ‘ଅବଧୂତ’ ଗୋଷ୍ଠୀର ନାମ ଉଲ୍ଲେଖଯୋଗ୍ୟ । ଏହି ଗୋଷ୍ଠୀର ପାଞ୍ଚଜଣ କବି ଅଗ୍ନି ଶର୍ମା, ଅଖିଳ ପତି, ଅଗ୍ରଗାମୀ, ପ୍ରଜାପତି, ଅଗ୍ରଦୂତ ଛଦ୍ମନାମରେ ଅନେକ ବିପ୍ଳବୀ କବିତା ରଚନା କରିଛନ୍ତି । (ଓ.ସା.ପ୍ର.ଧାରା - ଡଃ. ବିଜୟ କୁମାର ଶତପଥୀ - ପୃ.୩୯୯)

 

ଡ. ପାଟଶାଣୀଙ୍କ କାବ୍ୟ-ସ୍ଵର ୧୯୭୦ ପରର କାବ୍ୟ କବିତାରେ ଉଦାର ହୋଇ ଉଠିଛି-। ପରମ୍ପରା ବିରୋଧୀ ଓ ସମାଜର ଶୋଷକ ଗୋଷ୍ଠୀ ବିରୁଦ୍ଧରେ ‘ବେଳା’ ପ୍ରକାଶନୀର ‘ବେଳା’, ‘ଆଭା’, ମୁକ୍ତି,The long March, ‘ଶିଖା’ ପ୍ରଭୃତି ପତ୍ରିକା ଓ ‘ଅବଧୂତ ଯୁଗ’ ସଙ୍କଳନରେ ପ୍ରକାଶିତ କବିତାଗୁଡ଼ିକ ବାମପନ୍ଥ ଚେତନାର ବାହକ ହୋଇ ଅଛନ୍ତି । ଏକ ନୂତନ ସମାଜ ଗଠନ ପ୍ରୟାସୀ କବି ‘ରକ୍ତପଦ୍ମ’ କବିତାରେ ଜ୍ଵାଳାମୁଖୀ ଭାବ ଓ ଭାଷା ମାଧ୍ୟମରେ ପ୍ରକାଶ କରିଛନ୍ତି-

 

ପଡ଼ିଛି ମୁଁ ଅହଲ୍ୟାର ଛବି

ଗରିଲା ବାହିନୀ ମୁଖ୍ୟ ରାମ ସ୍ପର୍ଶ ପାଇଁ

ତୁମେ ଜାଳ ମୋ ରକ୍ତରେ ମୁକ୍ତି ଗୀତି

ପୂର୍ବ ବିଶ୍ଵ ଜଣାଏଁ ବଧାଇ

ଆସିଛି ମୁଁ ହାରେ ଧରି ଏକ ରକ୍ତ ଦାଆ

ହାତୁଡ଼ି ମୋ ହାଡ଼େ ଗଢ଼ା ସମୟର ଇସ୍ପାତି ପାନିଆ ।

(ବେଳା- ୨ୟବର୍ଷ, ୩ୟ ସଂଖ୍ୟା)

 

ଏହି ଗୋଷ୍ଠୀର ତାତ୍ତ୍ୱିକ ଆଭିମୁଖ୍ୟ ସମ୍ପର୍କରେ କବି ପାଟଶାଣୀ ପ୍ରକାଶ କରି କହିଛନ୍ତି - ‘‘ବିପ୍ଲବର ପ୍ରଥମ ସଙ୍କେତ ଯୁଗର ଦ୍ଵାରବନ୍ଧ ଡେଇଁ ମଣିଷର ଛାତି ଭିତରେ ଜନ୍ମ ନେଇଛି । ସେଇ ସନ୍ତାନ ଦିନେ ଦୂରନ୍ତ ଅଭିଯାନର ରକ୍ତ ପତାକା ଯେ ନ ତୋଳିବ, କିଏ କହିବ ? ଆଜି ଆନ୍ଧ୍ରରେ ସେଇ ଜାଗରଣ । ଦିଗମ୍ବର ଗୋଷ୍ଠୀର ତ୍ୟାଗପୂତ ପ୍ରଗତିଶୀଳ ମନୋଭାବ ପରମ୍ପରାର ସଂକୀର୍ଣ୍ଣ ଗଳି ଭାଙ୍ଗି ମୁକ୍ତ ବାଟରେ ଚାଲିଯିବାର ଦୂରନ୍ତ ପ୍ରୟାସ ସମ୍ପ୍ରତ୍ତି ଦୁର୍ବହ ହେଲେ ବି ଆଗାମୀ ବଂଶଧର ପାଇଁ ସ୍ଵାସ୍ଥ୍ୟର ଲକ୍ଷଣ । ବଙ୍ଗଳାର ‘କ୍ଷୁଧିତ ବଂଶଧର’ର ପରମ୍ପରା ଏ ଯୁଗ ପାଇଁ ଆଖି ଖୋଲି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । (ସମ୍ପାଦକୀୟ - ‘ବେଳା’, ୨ୟ ବର୍ଷ, ୨ୟ ସଂଖ୍ୟା, ମେ-ଜୁନ୍‌, ଜୁଲାଇ)

 

ନକ୍ସଲବାଡ଼ି ଆନ୍ଦୋନଳର ପ୍ରଖର ପ୍ରଭାବରୁ ସୃଷ୍ଟ ‘ରକ୍ତପଥ’ ଦୀର୍ଘ କବିତାରେ ଦମନଲୀଳାର ଚିତ୍ର କଳାତ୍ମକ ରୂପରେ ପ୍ରକାଶ ପାଇଛି - କଲିକତାରା ଲାଲବଜାରରେ ଜଣେ ବିପ୍ଳବିନୀ ପ୍ରତି ନିର୍ଯାତନାର ବିଭତ୍ସ ଚିତ୍ର-

 

ଠିକ ଦିନ ଘଟିଥିଲା ଭାତରର ବନ୍ଦୀଶାଳେ

କଲିକତା ଲାଲ ବଜାରରେ

ବନ୍ଦିନୀ ନାରୀର ହାତ ଲୁହାଛଡ଼ର ଆଘାତ

କାରାଗାର ଖାଡ଼ି ସବୁ ଯୋନିର ଗର୍ଭ ଚିରି

ଶୁଣିଥିଲା କରୁଣ ବିକଳ ସଙ୍ଗୀତ

ତୋ ସନ୍ତନକୁ ମୁକୁଳାଇ ଜଂଘିସାହି ନୃଶଂସ ଦାରୋଗା ।

ଚେଂକିଥିଲା ସିଗାରେଟ୍‌ ନିଆଁ

କ୍ୟାନସର ଜୀବାଣୁଠାରୁ ଭୟଙ୍କର ମଣିଷ ପ୍ରକୃତି

ନାରକୀୟ ବିଭତ୍ସ ପିପାସାର ରାତ୍ରୀ

କେତେ ନିର୍ଯାତନା ବେଦନାରେ ଯାଇଅଛି ବିତି ।

(ରକ୍ତପଥ, ପୃ-୧୦, ୧୯୮୨)

 

ସ୍ଵାଧୀନତା ପରବର୍ତ୍ତୀ ସମୟରେ ଭାରତବର୍ଷର ଦୁର୍ଗତିକୁ ଅନୁଭବ କରି କବି ଭାରତମାତାଙ୍କୁ ସଭ୍ୟତାର ପଚମାନ ବୈଦେହୀ ସୀତାଭାବେ ବର୍ଣ୍ଣନା କରିଛନ୍ତି –

 

ଲୋ ଭାରତମାତା !

ପଚମାନ ସଭ୍ୟତାର ଲୋ ବୈଦେହୀ ସୀତା !

ତୋ ସତୀତ୍ଵ ଲୁଣ୍ଠିତ ଆଜି ବିଶ୍ଵ ଦରବାରେ

ତୋ ଯୌବନ ଧର୍ଷିତା ଆଜି କ୍ଷମତା ଯୁଦ୍ଧରେ ।

(ରକ୍ତପଥ, ପୃ-୫୫)

 

ତାଙ୍କର ଅନ୍ୟ ଏକ ଦୀର୍ଘ କବିତା - ‘ଲେନିନ୍‌’ରେ ବିପ୍ଳବୀ ଲେନିନ୍‌ଙ୍କୁ ବିଶ୍ୱର ସର୍ବହରା ଶ୍ରେଣୀର ପ୍ରେରଣା ଭାବେ ଚିତ୍ରଣ କରିଛନ୍ତି । ବଳିଷ୍ଠ ଭାଷା ଓ ଭାବପୂର୍ଣ୍ଣ ବର୍ଣ୍ଣନାରେ ତାଙ୍କର ବିପ୍ଳବୀ ଭାବନା ଗଭୀର ଆଶାକୁ ମୁକ୍ତି କରିଛି ଏହିପରି କବିତା ମାଧ୍ୟମରେ –

 

ମୁଁ ଏକ ଚଳନ୍ତା ଗିରି ଝରଣାର ସ୍ରୋତ

ଫୁଟାଇ ବାଟରେ ପାହାଡ଼ ପଥର ପେଟ

ଘନ ବନାନୀର ଗୁରୁ ଗରଜନ, ସବୁଜ ମାଟିରେ

କମ୍ପିତ ଭୂମିତଟ ରାସ୍ତାରେ ଭେଟେ

ଗୁହାରେ ତରାଟେ ଆଖିରେ ଆଖିରେ ନାଟ

ମଣିଷ ବାଘକୁ ମୁକାବିଲା କରେ

ମୁଁ ଏକ ରକ୍ତ ବାଟ ।

(ଗିରିଶିଖ-ଆସନ୍ତାକାଲି - ୨୪.୭.୧୯୭୩)

 

ସେ ଅଜସ୍ର କବିତା ଲେଖି ଓଡ଼ିଆ ସମାଜବାଦୀ କାବ୍ୟ-ଆନ୍ଦୋଳନକୁ ଆଗେଇ ନେବାରେ ସମସାମୟିକ ଯୁବଗୋଷ୍ଠୀକୁ ପ୍ରେରଣା ଯୋଗାଇଛନ୍ତି ।

 

‘ବେଳା’ ଗୋଷ୍ଠୀର ଅନ୍ୟତମ କବି ସଦାଶିବ ଦାଶ । ତାଙ୍କର ‘ଅରୁଚନ୍ଦ୍ରବିନ୍ଦୁ’ କବିତା ସଙ୍କଳନରେ ପ୍ରେମ, ପ୍ରଣୟ, ତିକ୍ତ ମଧୁର ସ୍ମୃତି ସାଇତା ହୋଇ ରହିଛି । ସେ ସବୁ କବିତା ୧୯୬୭-୬୮ ମଧ୍ୟରେ ରଚିତ । ୧୯୬୯ ବେଳକୁ ବିଭିନ୍ନ ବିପ୍ଳବୀ ସଙ୍ଗଠନ ସହ ସମ୍ପୃକ୍ତ ହେବାରେ ତାଙ୍କର କାବ୍ୟପୁରୁଷ ବିପ୍ଳବୀ ରୂପ ଧାରଣ କରିଛି । କବି ସଦାଶିବ ତାଙ୍କର ପରିବର୍ତ୍ତିତ କାବ୍ୟ ଚେତନା ସମ୍ପର୍କରେ କହିଛନ୍ତି - ମୋ କବି ଜୀବନର ପ୍ରଥମ କେତେବର୍ଷର କବିତା ସାମ୍ୟବାଦୀ ଚିନ୍ତାର ପୃଷ୍ଠପପୋଷକତା କରେ ନାହିଁ । କିନ୍ତୁ ଲୁହା ମାଟିରେ ଥିଲାବେଳେ ସେଥରୁ ଯେ ଇସ୍ପାତ ହୋଇପାରିବ ନାହିଁ କହିବା ଯାହା, ଦିନେ ଲେଖୁନଥିଲି ବୋଲି ଆଜି ଲେଖବାଟା ଅକ୍ଷମଣୀୟ ଅପରାଧ ବୋଲି ବିଚାରିବା ତଥାକଥିତ ଅସହିଷ୍ଣୁମାନଙ୍କ ପକ୍ଷରେ ହିଁ ତାହା । ଏଇ ଦୃଷ୍ଟିରୁ ସାମନ୍ତବାଦୀ ଚକ୍ରାନ୍ତ ଓ କେତେକ ଶଠ ବିପ୍ଳବୀମାନଙ୍କର କଟାକ୍ଷ, ଶ୍ଳେଷ ଓ ଖେଦୋକ୍ତି ଅଧିକ ମର୍ମନ୍ତୁଦ - ଯେପରି ସୂର୍ଯ୍ୟକୁ ଅଟକାଇବା ପାଇଁ ଅଦିନ ମେଘମାନଙ୍କର କ୍ରମାଗତ ବ୍ୟର୍ଥ ପ୍ରୟାସ ।

(ମଳୟ ସନ୍ତ୍ରାସ - ବେଳା ପ୍ରକାଶନୀ - ୧୯୭୨)

 

ତାଙ୍କର ସଙ୍କଳିତ ପୁସ୍ତକ ‘ମଳୟ ସନ୍ତ୍ର୍ରାସ’ (୧୯୭୨), ଷଷ୍ଠ ଚେତନା (୧୯୭୮)ରେ ସଙ୍କଳିତ କବିତା ବ୍ୟତୀତ ‘ବେଳା’ ‘ଆଭା’ "The long March" ପ୍ରଭୃତିରେ ପ୍ରକାଶିତ କବିତାମାନଙ୍କରେ ସମାଜବାଦୀ ଚେତନାର ସ୍ଵର ଧ୍ୱନିତ ହୋଇ ଉଠିଛି । ତାଙ୍କର ବଙ୍ଗଳାଭାଷାରେ ଅନୁଦିତ ପୁସ୍ତକ ‘ଏସ୍‌ପ୍ଲାନେଡ’ରେ ମଧ୍ୟ ସେହି ଧାରା ଅବ୍ୟାହତ ।

 

ତାଙ୍କର କାବ୍ୟକଳାର ଏକ ଚମତ୍କାର ଉପସ୍ଥାପନ ଦେଖିବାକୁ ମିଳେ । ମେଘକୁ ବୈପ୍ଲବିକ ଭାବଧାରା ସହ ଏକୀଭୂତ କରି ତା’ ମଧ୍ୟରେ ନୂତନ ସମାଜ ବ୍ୟବସ୍ଥାର ରୂପକୁ ସର୍ବହରାର ନେତୃତ୍ୱରେ ପ୍ରତିଷ୍ଠିତ କରାଇବା ଚିନ୍ତା ଅଭିନବ –

 

ଏଇ ମେଘ ଆଶା ଓ ନିରାଶା ମଧ୍ୟେ ବିଶ୍ଵାସର ରକ୍ତାଭଗାଲିଚା

ହଳଦୀ ଧାନର କ୍ଷେତ-ଯୁବକର ନବ ଉନ୍‌ମାଦନା

ସୋରିଷ ଫୁଲର ହସ-ସ୍ୱାଧୀନତାର ପ୍ରଥମ କାମନା

ମେଘ ନୁହେଁ ଅସ୍ତ୍ର ସିଏ ବାରି ନୁହେଁ ରକ୍ତ ସିଏ

ତା’ ତାଳର ବକମାଳା ଲାଲ୍‌ସେନା ଦଳ

ସେ ଘେରିବ ଦିନେ ପଲ୍ଲୀ, କ୍ରେମଲିନ୍‌, ହ୍ଵାଇଟ୍‌ ହାଉସ୍‌

ସେ ଛୁଇଁବ ବର୍ଲିନ୍‌ ପ୍ୟାରିସ୍‌କୁ ଶୋଷଣର ଅସ୍ଥି ମାଂସ ।

(‘ରକ୍ତମେଘ’ - ମଳୟ ସନ୍ୟାସ -ପୃ.୩୨)

 

ବୈପ୍ଳବିକ ଚେତନାର ବାର୍ତ୍ତା ବହନ କରି ସତୁରୀ ପରବର୍ତ୍ତୀ କାଳରେ ବେଳାରେ ପ୍ରକାଶିତ ‘ଭଦୟଗାନ’ ଦୃଷ୍ଟିକୁ ଆସେ ।

 

ଉତ୍ତରୁ ବର୍ଷିଲା ମେଘ . ସ୍ୱାଧୀନତା ଲିପିବଦ୍ଧ ବାୟୋନେଟ୍‌ ମୁନେ

ଉତ୍ତର ବିପ୍ଳବୀ ହେଲା ଗଣରାଜ୍ୟ ଗଢ଼ିବାକୁ ସଶସ୍ତ୍ର ସଂଗ୍ରାମେ ।

(ବେଳା, ୪ର୍ଥ ବାର୍ଷିକ ସଂଖ୍ୟା୧୯୭୨)

 

ଜଣେ ବିପ୍ଳବୀ କବିର ଦୃଷ୍ଟିରେ ‘ଚୌରଙ୍ଗୀର ଲେନିନ୍‌ ଷ୍ଟାଚ୍ୟୁ ଦେଖିବା ପରେ’ କବିତାରେ ଫୁଟି ଉଠିଛି ସେହି ପ୍ରଗତିଧାରାର ବିଦ୍ରୋହୀଭାବ –

 

ମାଲିସରେ ଉଠି ତ ପାରେନା ଜାତି, ବଞ୍ଚେନା ଜନତା

ବଞ୍ଚନାରେ ମିଳେ ନା ଗହମ, ଭାତ, କୋଇଲା ବା ନୂତନ ଜୀବନ

ମାଗିବାରେ ମୁକ୍ତି କାହିଁ ? ସ୍ୱାଧୀକାର ହୋଇଯାଏ ସ୍ୱପ୍ନର ମହମ ।

(ଅଗ୍ନିବିଣା, ଅଗଷ୍ଟ ୧୯୭୩)

 

ମାର୍କ୍ସବାଦୀ ଆଭିମୁଖ୍ୟ ନେଇ କବିତା ରଚନାର ବଳିଷ୍ଠ ଲକ୍ଷଣ ଦେଖାଯାଏ ‘ଷଷ୍ଠ ଚେତନା’ (୧୯୭୮)ରେ । ଏହି ସଙ୍କଳନର ପ୍ରତ୍ୟେକ କବିତାରେ କବିଙ୍କର ମନ ପକ୍ଷୀ ଉଡ଼ାଇଛନ୍ତି, ଶୁଣାଇଛନ୍ତି ବିପ୍ଳବର ସନ୍ତ୍ରାସର ସଙ୍ଗୀତ । ତାଙ୍କର ‘ଅକ୍ଷାଂଶ’ ଓ ‘ଦ୍ରାଘିମା’ ସଙ୍କଳନ (୧୯୯୨)ରେ ବିପ୍ଳବର ଉଦାତ୍ତବାର୍ତ୍ତା ପ୍ରକାଶିତ ହୋଇଛି । ମୁକ୍ତିପାଗଳ ଜନତାର କବିଭାବେ ନିଜକୁ ପ୍ରତିପାଦିତ କରିବାରେ ତାଙ୍କର କବିତା ଗୁଡ଼ିକ ସାର୍ଥକ ହୋଇଛି ।

 

୧୯୬୯ରେ ପ୍ରକାଶ ପାଉଥିବା ମାର୍କ୍ସବାଦୀ ସାହିତ୍ୟ ପତ୍ରିକା ‘ସ୍ଫୁଲିଙ୍ଗ’ର ସମ୍ପାଦକ ତଥା ସମ୍ବଲପୁରର ସାହିତ୍ୟ ଗୋଷ୍ଠୀର ଉଦ୍ୟୋକ୍ତା ହୁସେନ ରବିଗାନ୍ଧୀ ୧୯୭୦ ମସିହା ପରଠାରୁ ‘ବେଳା’, ‘ଶିଖା’ ପ୍ରଭୃତି ବାମପନ୍ଥୀ ପ୍ରଗତିଶୀଳ ପତ୍ରିକାମାନଙ୍କରେ କବିତା ପ୍ରକାଶ କରି ଆସିଛନ୍ତି ।

 

ସ୍ୱାଧୀନତା ପରବର୍ତ୍ତୀ ଶୋଷଣବାଦୀ ସମାଜ ବ୍ୟବସ୍ଥା ଓ ଛଳନାପୂର୍ଣ୍ଣ ଶାସନ ବ୍ୟବସ୍ଥା ବିରୁଦ୍ଧରେ ତାଙ୍କ କବିତା ଗୁଡ଼ିକ ସଂଗ୍ରାମର ଆହ୍ଵାନ ନେଇ ଆସିଛି । ଖଟିଖିଆ ଯେତେବେଳେ ହାତଯୋଡ଼ି ତା’ର ଦାବି ହାସଲ ପାଇଁ ଗୁହାରି କରି ବିଫଳ ହୁଏ, ସେତେବେଳେ କବି ସେମାନଙ୍କୁ ସଶସ୍ତ୍ର ସଂଗ୍ରାମର ଆହ୍ଵାନ ଦେଇଛନ୍ତି । ଯେଉଁମାନେ ସଶସ୍ତ୍ର ସଂଗ୍ରାମକୁ ବିପ୍ଳବ ବୋଲି ଗ୍ରହଣ କରନ୍ତି ନାହିଁ, ସେମାନଙ୍କ ପ୍ରତି କବି ଅତ୍ୟନ୍ତ କଠୋର ଭାବେ ଶତ୍ରୁପକ୍ଷର ଶିକାର ବୋଲି ଅବିହିତ କରିଛନ୍ତି ।

 

ତେଣୁ ତୁମେ ଯିଏ କୁହ କ୍ରାନ୍ତି ନୁହେଁ ।

ଧନୀକର ବିରୁଦ୍ଧରେ ଖଟିଖିଆ ମଣିଷର

ସଶସ୍ତ୍ର ଲଢ଼ାଇ

ବିପ୍ଲବର ଅର୍ଥ ତେବେ ଜମା ବୁଝନାହିଁ

ଶତ୍ରୁର ଶିକାର ତୁମେ

ଜ୍ଞାତେ ବା ଅଜ୍ଞାତେ ହୋଇଅଛ ଭାଇ ।

(ବିପ୍ଲବ - ବେଳା; ୪ର୍ଥ ବର୍ଷ ୧ମ ସଂଖ୍ୟା ଜୁନ୍‌ ୧୯୭୨)

 

କବିଙ୍କର ‘ମୁକ୍ତି ପୂର୍ବାଶା’ (୧୯୮୨)ରେ ରକ୍ତାକ୍ତ ଅଭିଯାନ ଚିତ୍ର ଫୁଟି ଉଠିବା ସହ ସାମାଜିକ ବ୍ୟବସ୍ଥାକୁ ଅନ୍ଧର ହାତୀଦେଖା କାହାଣୀର ପ୍ରମାଦ ପରି ସାଧାରଣ ମଣିଷ ଦେଖିଥିବା ଘଟଣାକୁ ରୂପକ ଭାବେ ପ୍ରକାଶ କରିଛନ୍ତି –

 

ହାତୀ ରୂପୀ ଏ ସମାଜେ ଅନ୍ଧ ସମ

ଆମେ କହୁ ଏହା ସ୍ଵର୍ଣ୍ଣ ଖମ୍ବର ସଦୃଶ

କିଏ କହେ ନାହିଁ ନାହିଁ କୁଲାପରି, କାନ୍ଥ ପରି

କିଏ କହେ ସମାଜଟା ଅଟଇ ସର୍କସ

ଆମେ ସବୁ ଆମରି ଜାଲରେ ଛନ୍ଦା

କରୁଛୁ ବିଳାପ ଏକକୁ ଆରେକ ଏ’ଠି

ଦିଏ ଖାଲି ଫମ୍ପା ଅଭିଶାପ ।

(ଆଗାମୀର ଅଭ୍ୟର୍ଥନା - ମୁକ୍ତ ପୂର୍ବାଶା, ପୃ- ୧୮)

 

ସମାଜଜୀବନରୁ ଏହି ଅନ୍ଧପୁଟୁଳି ଉନ୍ମୋଚନ କରିବା ପାଇଁ ଆବଶ୍ୟକ ପଡ଼ିଲେ ଅସ୍ତ୍ର ଧରିବାକୁ ପଡ଼ିବାରେ ସଙ୍କୋଚ ପ୍ରକାଶ କରିବା ଅନାବଶ୍ୟକ । ଧ୍ୱଂସ ଯେ ନିର୍ମାଣର ପାହାଚ । ତେଣୁ ସେ ‘ତାଣ୍ଡବ ଆବାହନ’ କବିତାରେ କହିଛନ୍ତି –

 

ଏ ସମାଜ ଭଗ୍ନଗୃହ, ଭାଙ୍ଗିଦିଅ ତାରେ ଆଜି

କିମ୍ପା ଆଉ ମିଥ୍ୟା ଆଡ଼ମ୍ବର ?

ଧ୍ୱଂସ ହିଁ ଅଟଇ ନିର୍ମାଣର ପିତା

ତେଣୁ ମୁହିଁ ସବୁ କରି ଧ୍ୱଂସ

ପ୍ରତିଷ୍ଠା କରିବି ଏଠି ଶୋଷିତର

ବୈକୁଣ୍ଠପୁରୀକୁ । ( ମୁକ୍ତ ପୂର୍ବାଶା, ପୃ- ୨୩)

 

‘ମୁକ୍ତ ପୂର୍ବାଶା’ ସଙ୍କଳନର ‘ମୁଖଶାଳା’ରେ କବି ମନମୋହନ ମିଶ୍ର ଏହି ଧ୍ୱଂସ ସମ୍ପର୍କରେ କହିଛନ୍ତି - ‘‘ତେବେ ଏହି ଧ୍ୱଂସ ଏକ ସୌଖୀନ ଧ୍ୱଂସ ନୁହେଁ’’ । ଯେଉଁମାନେ ନୂଆ ନର୍ମାଣ ଅର୍ଥାତ ନବ ସର୍ଜନ ପାଇଁ ବ୍ୟାକୁଳ ଯାହା ନହେଲେ ସେମାନଙ୍କର ତ୍ରାହି ନାଇଁ, ସେହି ଚରମଶୋଷିତ, ନିପୀଡ଼ିତ ଓ ନିର୍ଯାତିତାର ଜନଗଣ ହିଁ ଧ୍ୱଂସର ଏକମାତ୍ର ଶକ୍ତି । ସେଇମାନଙ୍କୁ ତଳକୁ ଓହ୍ଲାଇ ଯିବାକୁ ହେଲେ ଏକ ବିରାଟ ନିରନ୍ଧ୍ର ଅନ୍ଧକାର ଭିତର ଦେଇ ଯିବାକୁ ହେବ । ସେମାନଙ୍କର ଆଶା, ନିରାଶା, ଚେତନା ଓ ଅବଚେତନାର ଉତ୍ସ ମୂଳ ପର୍ଯ୍ୟନ୍ତ । ସେଇଟା ଏକ ବିରାଟ ସମୁଦ୍ରର ଅତଳ । ସେ ପର୍ଯ୍ୟନ୍ତ ଯିବାପାଇଁ ଯେ କବି ପାଥେୟ ସଂଗ୍ରହ କରୁଛନ୍ତି ଏହାର ପ୍ରମାଣ କବିତାଗୁଡ଼ିକରେ ରହିଛି ।’’

 

ସମାଜବାଦୀ ସମାଜ ପ୍ରତିଷ୍ଠା ପାଇଁ ଯେଉଁ ବିପୁଳ ସଂଗ୍ରାମର ଆବଶ୍ୟକତା ରହିଛି, ତାହାର ଉପଲବ୍ଧିରେ ବିପ୍ଳବର ଆବାହନ ପାଇଁ କବି ହୁସେନ ରବିଗାନ୍ଧୀ ତାଙ୍କର କଲମ ଚାଳନା କରି ଆସିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ-ଆନ୍ଦୋଳନକୁ ଅଗ୍ରଗାମୀ କରିବାରେ ସାହାଯ୍ୟ କରି ଆସିଛି ।

 

ଏହି ସମୟର କବି ପ୍ରସନ୍ନ, ସଦାଶିବ, ହୁସେନ ରବିଗାନ୍ଧୀଙ୍କର ଆଉ ଜଣେ ମାର୍କ୍ସବାଦୀ ଆଭିମୁଖ୍ୟ ନେଇ ରଚନା କରିଥିବା କବିତାମାନ ବେଳା ଓ ଅନ୍ୟାନ୍ୟ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ସେ ହେଉଛନ୍ତି ସମରେନ୍ଦ୍ର ନାୟକ । ନକ୍‌ସଲବାଡ଼ି ଆନ୍ଦୋଳନର ଦର୍ଶନ ତାଙ୍କ ରଚିତ ‘ଘାଟି’ କବିତାରେ ପ୍ରତିଫଳିତ ହୋଇଛି । ‘ଘାଟି’ କବିତାରେ ସେ ନକ୍‌ସଲ ଆନ୍ଦୋଳନକୁ ହିମାଳୟର ତରାଇ ଅଞ୍ଚଳଠାରୁ ରାଜମହେନ୍ଦ୍ରୀ, ଶ୍ରୀକାକୁଲାମ, ଗଞ୍ଜାମ, କୋରାପୁଟ ଯାଏ ଲମ୍ବି ଆସିଥିବା ଦର୍ଶାଇଛନ୍ତି –

 

ଯେଉଁ ଦୁର୍ବାର ଲେଲିହାନ ଶିଖା ଘନ ଅନ୍ଧାର ଚିରି

ଟାଣି ଆଣୁଅଛି ରକ୍ତ ସୂରୁଯ ବୁଲେଟର ଛାତି ଭରି ।

ଭେଦକରି ଧୂଳି ରୁକ୍ଷ ପଥରେ ଝରାଏ ମୁକ୍ତ ଗୀତି

ବସ୍ତୁବାଦର ଲାଭା ସୁଅ ତଳେ ଗ୍ରାମାଞ୍ଚଳର ଘାଟି ।

ଗଢ଼ି ତୋଳିବାକୁ ଟେକିଦିଏ ତୋର ଭରା ମୁକ୍ତିର ଗାନ

ସେ ସମ୍ମାନର ହକ୍‌ଦାର ଶୀକାକୁଲମ୍‌ ଓ ଗଞ୍ଜାମ ।

(“ବେଳା” - ୩/୩ ସଂଖ୍ୟା)

 

ନକ୍‌ସଲବାଡ଼ି ଆନ୍ଦୋଳନର ନେତା ସୁବାରାଓ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଲିଖିତ ତାଙ୍କର କବିତା ‘ଶିଳ୍ପୀରାଜ’ । ସେହିପରି ‘ଖୁକା ଦାସ’ ନାମକ କବିତାରେ ଜଣେ ନକସଲପନ୍ଥୀ ନେତାର ତ୍ୟାଗପୁତ ଜୀବନଗାଥାର ବର୍ଣ୍ଣନା ସହ ସେ ବଙ୍ଗଳାରୁ ଓଡ଼ିଶା ଆସି ଲେନିନ ଓ ମାଓସେ ତୁଙ୍ଗ୍‌ଙ୍କ ତତ୍ତ୍ଵ ପ୍ରଚାର କରି ପୋଲିସ ହାତରେ ଧରା ପଡ଼ିଥିଲେ ।

 

ବନ୍ଧୁକ ନଳୀ ହିଁ ସାଥୀ ରାଜନୀତି ଉତ୍ସ

ଖୁକା ଦାସ ଆସିଥିଲା ମାର୍କ୍ସ ଓ ଲେନିନର ତତ୍ତ୍ଵ ନେଇ

ମାଓ ଚିନ୍ତା ବହି

ଶ୍ରେଣୀ ସଂଗ୍ରାମର ତତ୍ତ୍ଵ ବୁଝିଥିଲା ସିଏ

ଉଗ୍ରବଳ ପ୍ରୟୋଗରେ ଏକଶ୍ରେଣୀ

ଅନ୍ୟ ଏକ ଶ୍ରେଣୀକୁ ଯେ ଉତ୍‌ଖାତ କରି ।

(ଖୁକାଦାସ - ଅଗ୍ନିବୀଣା, ଅକ୍ଟୋବର, ୧୯୭୩)

 

ଶ୍ରୀ ନାୟକଙ୍କ କବିତା ସଙ୍କଳନ ‘ବାରୁଦ ସ୍ତୁପର କବିତା’ରେ ମାର୍କ୍ସବାଦର ଝଙ୍କାର ତୀବ୍ର ଭାବରେ ପ୍ରକାଶିତ ହୋଇଛି । ବାମପନ୍ଥୀ ପତ୍ରିକା ‘ଅଭିଯାତ୍ରୀ’ର ସମ୍ପାଦନାମଣ୍ଡଳୀରେ ଥାଇ ସେ ତାଙ୍କର ପ୍ରଗତିବାଦୀ ଆନୁଗତ୍ୟକୁ ରକ୍ଷା କରି ଚାଲିଥିବା ଜଣାଯାଏ ।

 

‘ନୂଆ ଦୁନିଆ’ ପ୍ରକାଶ ପାଇଥିବା କବିତାମାନଙ୍କୁ ଏକତ୍ର କରି ‘ଚିରନ୍ତନ’ ନାମରେ ପ୍ରକାଶିତ ହେବାପରେ କବି ବ୍ରଜବାସୀ ସାମନ୍ତରାୟ ଲୋକଲୋଚନକୁ ଆସିଲେ । ସର୍ବହରାର ମୁକ୍ତି ପାଇଁ ସଂଗ୍ରାମ ଅନିର୍ବାଯ୍ୟ ବୋଲି କବି ’ସଂଗ୍ରାମର ମୁକ୍ତି’ ନାମକ କବିତାରେ ଉଲ୍ଲେଖ କରିଛନ୍ତି –

 

ପଥ କାହିଁ ? ଐକ୍ୟବଦ୍ଧ ସଂଗ୍ରାମ ଯେ ଏକମାତ୍ର ପଥ

ଥୋକେ ଏ’ଠି ଆରାମରେ ବସି ହାତେ ଧରି ଗୋଲାପର ତୋଡ଼ା

ଗୋଡ଼ ପରେ ଗୋଡ଼ ରଖି ଜହ୍ନର ଝଡ଼ ତଳେ ମାରୁଥିବେ ଆଡ୍‌ଡା ।

ଅହସ୍ୟ ତା, ଅସହ୍ୟ ତା -

ଶୋଷଣ କଷଣର ଚାବିକାଠି ନିଅଇ ଛଡ଼ାଇ

ମୁକ୍ତି ପାଇଁ, ମୁକ୍ତି ପାଇଁ କୋଟି କୋଟି ଜନତାର ଅଧିକାର ପାଇଁ ।

(ସଂଗ୍ରାମର ମୁକ୍ତି - ନୂଆ ଦୁନିଆ, ୨୦/୪ ସଂଖ୍ୟା ୧୯୭୩)

 

‘ଚିରନ୍ତନ’ ସଙ୍କଳନରେ ମାର୍କ୍ସବାଦୀ ଦର୍ଶକକୁ ଭିତ୍ତି ସ୍ୱରୂପ ଗ୍ରହଣ କରି କବି-ଶ୍ରେଣୀ ବୈଷମ୍ୟ ଓ ସଂଗ୍ରାମ ଆଭିମୁଖ୍ୟର ଚିତ୍ର ପ୍ରଦାନ କରିଛନ୍ତି । ଡ. କୃଷ୍ଣଚରଣ ବେହେରା ଏହି ‘ଚିରନ୍ତନ’ର ଅଭିମତରେ କହିଛନ୍ତି –

 

ବ୍ରଜବାସୀଙ୍କ ଏହି କାବ୍ୟ ସଞ୍ଚୟନର ସ୍ଵତନ୍ତ୍ର ଆବେଦନ ରହିଛି । ଝଡ଼କୁ ଯେଉଁମାନେ ଭୟ କରନ୍ତି, ଲାଲରଙ୍ଗ ପ୍ରତି ଯେଉଁମାନଙ୍କର ସ୍ପର୍କକାତର ଭାବ ରହିଛି, ସେମାନଙ୍କୁ ହୁଏତ ଏହା ଭଲ ଲାଗି ନପାରେ । ତଥାପି ଚିରନ୍ତନ ଭାବ ସମ୍ପଦ ଏବଂ କଳାତ୍ମକ ରଚନାଶୈଳୀ ଦୃଷ୍ଟିରୁ ଏହି କବିତାଗୁଚ୍ଛର ମୂଲ୍ୟ ଊଣା ହେବ ନାହିଁ ବୋଲି ମୋର ବିଶ୍ଵାସ । ଭଲ କବିତା ବାଦ ବା ଗୋଷ୍ଠୀ ନିର୍ବିଶେଷରେ ସମସ୍ତଙ୍କ ନିକଟରେ ସମାଦୃତ ହେବ ହିଁ ହେବ ।’’ (ଚିରନ୍ତନ - ପୃ.୩, ଅଭିମତ, ଡ. କୃଷ୍ଣଚରଣ ବେହେରା)

 

ସମାଜବାଦୀ କାବ୍ୟ ଆନ୍ଦୋଳନର ନୂଆ ପିଢ଼ିରେ ଅନେକ ଯୁବ କବିଙ୍କର ଆବିର୍ଭାବ ହୋଇଛି । ସେମାନଙ୍କ କୃତିର ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ତଥାପି କବି ଆଶୁତୋଷ ପରିଡ଼ାଙ୍କ କବିତାଗୁଡ଼ିକରେ ଭାରତବର୍ଷର ଦୁଃଖଦୁର୍ଦ୍ଦଶାର ଚିତ୍ରକୁ ରୂପାୟିତ କରି ଶୋଷଣମୁକ୍ତ ଆଗାମୀକୁ ‘ଅପେକ୍ଷାରେ ମା’ ରେ -

 

କେଉଁ ସନ୍ତାନର ଫେରି ଆସିବାକୁ ତୁ ଅପେକ୍ଷା କରିଛୁ ?

ଯେ ଆସୁ ଆସୁ ଅଟକି ଯାଇଛି ବାଟରେ

କେଉଁ ଶବ୍ଦକୁ ତୁ କାନ ଡେରିଛୁ ?

ଯାହା ଭିତରେ ଖସି ପଡ଼ିବ ବଜ୍ର

କେଉଁ ଦୃଶ୍ୟ ପାଇଁ ତୁ ଚାହିଁରହିଛୁ ?

ଯା’ ଭିତରେ ଜଳି ଜଳି ଯାଉଥିବା କଣ୍ଟାର ଜଙ୍ଗଲ

ଜଳି ଯାଉଥିବ ଅନ୍ଧାର ?

(‘ଅପେକ୍ଷାରେ ମା’ - ଅଗ୍ନିବାଣୀ, ଜାନୁଆରୀ-ମାର୍ଚ୍ଚ ୧୯୮୪)

 

ସାମାଜିକ ଅଙ୍ଗୀକାରକୁ ବହନ କରି ଚାଲୁଥିବା କବି ପକ୍ଷରେ ଶୋଷଣର ଅତ୍ୟାଚାର ପ୍ରତି କ୍ରୋଧ ପ୍ରକାଶ କରିବା ସ୍ୱାଭାବିକ । ତାଙ୍କର ‘ଇପ୍‌ସିତ କ୍ରୋଧ’ କବିତାରେ ବକ୍ତବ୍ୟ ବେଶ୍‌ ଶାଣିତ –

 

ଦୂରନ୍ତ ଇତିହାସର ଚୁଲାରେ ତରଳି

ରୂପାନ୍ତରିତ ହୁଅ ହେ କ୍ରୋଧ

ଏବଂ ମୁର୍ତ୍ତିମନ୍ତ ହୁଅ ଆୟୁଧରେ

କ୍ରୋଧ ତୁମେ ମହୀୟାନ ହୁଅ ମଣିଷର ମୁକ୍ତିରେ

(‘ଇପ୍‌ସିତ କ୍ରୋଧ’ - ଅଭିଯାତ୍ରୀ- ୨/୨ ସଂଖ୍ୟା, ୧୯୮୦)

 

କବି ପରିଡ଼ାଙ୍କର ‘ଈପ୍‌ସିତ କ୍ରୋଧ’ ସଙ୍କଳନରେ ଥିବା ଅନେକ କବିତାରେ ମାର୍କ୍ସବାଦୀ ଦୃଷ୍ଟିଭଙ୍ଗୀର ପରିପ୍ରକାଶ ଘଟିଛି ।

 

ବିଭିନ୍ନ ବାମପନ୍ଥୀ ସଙ୍ଗଠନ ଓ ସାହିତ୍ୟ-ଅନୁଷ୍ଠାନ ସହ ସମ୍ପୃକ୍ତ ଥିବା କବି କୁଳମଣି ଜେନା ତାଙ୍କର ‘ଦୁର୍ବାର ଶପଥ’ ଓ ‘ମୃତ ଈଶ୍ଵର’ରେ ସାମାଜିକ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିବା କବିତାମାନ ସାର୍ଥକତା ଲାଭ କରିଛି । କେତେକ କବିତା ସମ୍ବାଦାତ୍ମକ ହୋଇଥିଲେ ମଧ୍ୟ ‘ମୂତ ଈଶ୍ଵର’ ସମାଜବାଦୀ ଦର୍ଶନର ସ୍ଵାକ୍ଷର ବହନ କରିଛି । ତାଙ୍କର କାବ୍ୟିକ ଆବେଗ ମାର୍କ୍ସସୀୟ ଦର୍ଶନ ସମନ୍ଵିତ ହୋଇଛି ।

 

ଏହିସବୁ କବିମାନଙ୍କ ବ୍ୟତୀତ ଆଉ ଯେଉଁମାନଙ୍କର କବିତା ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା, ସେମାନଙ୍କ ମଧ୍ୟରେ ପ୍ରାୟତଃ ରାମକୃଷ୍ଣ ପତି, ବସନ୍ତ କୁମାର ମୁଦୁଲି, ସୁରେଶ ପରିଡ଼ା, ସର୍ଦ୍ଦାର ହସନ, ଅଧିକାରୀ ମଦନ ମୋହନ ଦାଶ, ବାଞ୍ଛାନିଧି ଦାସ ଓ ଆହୁରି ଅନେକ କବି ବୈପ୍ଳବିକ ଭାବନା ଓ ସମାଜବାଦୀ ଚେତନା ସମନ୍ଵିତ କବିତା ରଚନା କରି ଓଡ଼ିଆ ସାହିତ୍ୟରେ ସମାଜବାଦୀ କାବ୍ୟ-ଆନ୍ଦୋଳନକୁ ଆଗେଇ ନେବାରେ ସାହାଯ୍ୟ କରି ଆସିଛନ୍ତି ।

 

ଆଜିର ବିଶ୍ଵରେ ସମାଜବାଦୀ ସମାଜଭାବେ ପ୍ରତିଷ୍ଠିତ ହୋଇଥିବା ସୋଭିଏତ୍‌ ରୁଷ୍‌ ଓ ଅନ୍ୟାନ୍ୟ ପୂର୍ବ ଇଉରୋପୀୟ ଦେଶରେ ସମାଜବାଦର ପତନ ପରେ ସାମ୍ରାଜ୍ୟବାଦର ଏକକ ଆକ୍ରମଣାତ୍ମକ ରୂପ ପ୍ରକଟିତ ହୋଇ ବିଭିନ୍ନ ଅନୁନ୍ନତ ଦେଶକୁ ପଦାନତ କରି ରଖିବାର ପ୍ରୟାସ ଚାଲୁ ରହିଛି । ଏକବିଂଶ ଶତାବ୍ଦୀର ପ୍ରାରମ୍ଭ ଦଶକରେ ମଧ୍ୟ ଆମ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ପ୍ରଚଳିତ ହେଉଛି । କିନ୍ତୁ ଭାରତବର୍ଷ ଯେଉଁ ସମ୍ବିଧାନ ଉପରେ ଭିତ୍ତିକରି ଅଗ୍ରଗତି କରୁଛି, ତାହାର ଆଭିମୁଖ୍ୟରେ ସ୍ପଷ୍ଟ କରି ଦିଆଯାଇଛି ଯେ, ଭାରତବର୍ଷ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ସମାଜବାଦୀ ଦେଶ । ଭାରତବର୍ଷ ପୁଞ୍ଜିବାଦୀ ଦେଶ ହୋଇ ରହି ପାରିବ ନାହିଁ । ସମାଜବାଦ ହିଁ ଭାରତର ଅଗ୍ରଗତି ପାଇଁ ଏକମାତ୍ର ପନ୍ଥା । ତେଣୁ ଆଜି ଏକବିଂଶ ଶତାବ୍ଦୀରେ ଜଗତୀକରଣ ପ୍ରକିୟାରେ, ଉଦାରୀକଣ ଅର୍ଥନୈତିକ ବ୍ୟବସ୍ଥାରେ, ଘରୋଇକରଣର ବାଟରେ ଦେଶର ସମସ୍ୟାମାନ ସମାଧାନ ହେବା ଅସମ୍ଭବ । ତେଣୁ ସମ୍ବିଧାନ ସ୍ଵୀକୃତ ସମାଜବାଦ ହିଁ ଭାରତର ଲକ୍ଷ୍ୟ । ସେ ଦିଗରେ କବି ମାନଙ୍କର ଅବଦାନର ଆବଶ୍ୟକତା ଗଭୀର ଭାବେ ଅନୁଭୂତ ହେଉଛି ।

 

***

 

ଆଧୁନିକ ଓଡ଼ିଆ କବିତାର ପ୍ରଥମ କାବ୍ୟପୁରୁଷ :

Unknown

ବିଦ୍ରୋହୀ ମହାକବି ଭୀମଭୋଇ

ହାଡ଼ିବନ୍ଧୁ ମିର୍ଦ୍ଧା

 

ଆଧୁନିକ ଚିନ୍ତା - ଚେତନାର ପ୍ରଥମ ପ୍ରବର୍ତ୍ତକ ଓ ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ନିଚ୍ଛକ ଉପାସକ ହେଉଛନ୍ତି କବି ଭୀମ ଭୋଇ । ତାଙ୍କର କୃତିରେ ଜଟିଳତା ନାହିଁ, ରହିଛି ସରଳତା ସାବଲୀଳ ସଙ୍ଗୀତଧର୍ମୀ ଭାବ, ଭାଷା । ଉପମା, ଚିତ୍ରକଳ୍ପ, ଅନୁପ୍ରାସ ଯମକ ସହିତ ଆଞ୍ଚଳିକ ‘ଥତୋ’, ‘‘ପୁତା, ଉବୁଡ଼ା ଉବୁଡ଼ି ଗୁଡ଼େଦିନୁ ଆଜି ଶହ ଶହ ସୁନ୍ଦର ଶବ୍ଦଚୟନର ପ୍ରୟୋଗ ଫଳରେ ଓଡ଼ିଆ ଭାଷା ସମୃଦ୍ଧ ହୋଇଛି । ଲୋକ ପ୍ରଚଳିତ ଗାଁଉଲି ଶବ୍ଦ ସହିତ ସ୍ଵଚ୍ଛ ଶୁଦ୍ଧତା ଭାଷା । ଓ ଗାମ୍ଭୀର୍ଯ୍ୟ ଭାବ ପ୍ରକାଶ ହେତୁ ସାଧାରଣ ଭକ୍ତ ପାଠକ ପକ୍ଷରେ ହୃଦୟସ୍ପର୍ଶୀ ହୋଇଛି ଏବଂ ଧାର୍ମିକ ଭାବାବେଶରେ ପଦ-ପଦ୍ୟ ଲାଳିତ୍ୟ ରସରେ ରସାଣିତ ଓ ମନମୁଗ୍‌ଧକର ମଧ୍ୟ ହୋଇଛି । ତାଙ୍କର ଲିଖିତ ଭଜନ, ଜଣାଣ, ଚଉତିଶା, ଆଧ୍ୟାତ୍ମିକ ପୌରାଣିକ ତଥା ଆଧୁନିକତାର ମାନବିକ ସମସ୍ୟାର ବିଚାର ଓ ସଙ୍କେତ ରହିଛି । କହିବାକୁ ଗଲେ କବି ସଂକ୍ଷିପ୍ତ କବିତା ଛନ୍ଦରେ ବିନ୍ଦୁ ମଧ୍ୟରେ ସିନ୍ଧୁ ସୃଷ୍ଟି କରି ଲୀଳାୟିତ, ସ୍ଵତଃସ୍ଫୁର୍ତ୍ତ ସଙ୍ଗୀତର ଯତିପାତରେ ରସାଣିତ କରିଛନ୍ତି । ଏଣୁ ଭୀମଭୋଇଙ୍କ ସାରସ୍ଵତ ସୃଷ୍ଟି ଆଧ୍ୟାତ୍ମିକ ଓ ମାନବିକ ଚେତନାର ଅପୁର୍ବ ସମନ୍ଵୟ । ରାଗ-ରାଗିଣୀ ଅଳଙ୍କାର ବିହୀନ ପଦାବଳୀ ଗ୍ରାମ୍ୟ ଲଳନା ପରି ଲୀଳାୟିତ । କାହାର ପ୍ରଭାବ ତାଙ୍କ ଉପରେ ପଡ଼ି ନାହିଁ କି, କାହାକୁ ଅନୁସରଣ, ଅନୁକରଣ କରି ନାହାନ୍ତି, ହୃଦୟରୁ ସ୍ଵତଃ ଝଙ୍କୃତ ଗଙ୍ଗା ସମ ଝରି ଆସିଛି ବାଣୀ । ସଂଳାପ ଭଳି ଶୈଳୀ ଛନ୍ଦରେ ଲିଖିତ ପଦ୍ୟ ଯାହା ମଣିଷ ପାଇଁ, ଭୂମି- ଭୂମା ପାଇଁ ସମର୍ପିତ । ତାଙ୍କ ଅନବଦ୍ୟ କୃତି ‘ସ୍ତୁତି ଚିନ୍ତାମଣି’ ଭଗବତ ତଥା ସମାଜ-ଜୀବନ-ଧର୍ମ-ଦର୍ଶନର ଅମୁଲ୍ୟ ଚର୍ଯ୍ୟା । ଏହାର ଗଭୀର ପଠନ ଓ ମନନ କଲେ ଭୀମଭୋଇ କିପରି ପ୍ରଚଣ୍ଡ ପ୍ରତିଭାଧର, ଜ୍ଞାନାନୁଭୂତିର ଜୀବନ୍ତ ପ୍ରତିମୂର୍ତ୍ତି ତଥା ପ୍ରଜ୍ଞାପୁରୁଷ ଥିଲେ ତାହା ଅନୁଭବ କରିହୁଏ । ଏଣୁ କୁହାଯାଏ, ‘‘ଭୀମ ଭୋଇଙ୍କ ଭଜନ କିଏ କରିବ ଓଜନ’’ । ସେ ହେଲେ ଦିବ୍ୟଦ୍ରଷ୍ଟା-ଦିବ୍ୟାତ୍ମା ମହାପୁରୁଷ । ଏଣୁ ସେ ଚାହିଁଲେ ସ୍ପୃଷ୍ଟି କରିବାକୁ ଏକ ଦିବ୍ୟ ଜୀବନର ପରିମଳ ଜଗତ । ଏଣୁ ତାଙ୍କର ମହାମାନବୀୟ ଚେତନା, ଧର୍ମର ଆଟାର ବିଚାର ଆଜି ସାର୍ବଜନୀନ- ସାର୍ବକାଳୀନ । ବିଶ୍ଵର ସଭ୍ୟ ଜଗତରେ ତାଙ୍କର ମାନବୀୟ ସାରସ୍ୱତ ବାଣୀ ଆଜି ପ୍ରତିଧ୍ୱନିତ ।

 

ସ୍ଵୀୟ-ପ୍ରତ୍ୟକ୍ଷ ଅନୁଭୂତି ଓ ଚିନ୍ତନ ତାଙ୍କର ସାରସ୍ଵତ ସମ୍ଭାରରେ ଗୁମ୍ଫିତ । ସେ ବିଭୁ ଦର୍ଶନ କରି ଏକ ସୁନ୍ଦର ନୈତିକ ତଥା ଆଧ୍ୟାତ୍ମିକ ସଂସାର କଳ୍ପନା କରିଛନ୍ତି । ଜାତିହୀନ, ଶୋଷଣ- ହୀନ, ସାମ୍ୟବାଦୀ ସମାଜ ବ୍ୟବସ୍ଥା ଗଠନ ପାଇଁ ସେ ଲେଖନୀ ଚାଳନା କରିଥିଲେ । ତାଙ୍କର ସାମାଜିକ, ସାଂସ୍କୃତିକ, ଧାର୍ମିକ ସଂସାରଯୁକ୍ତ ଆଧୁନିକ ଚିନ୍ତା ଚିର ଶାଶ୍ୱତ ସାରସ୍ଵତ ଏବଂ ଏହି ଚିନ୍ତାଧାରା ତାଙ୍କର ଧର୍ମଧାରାରେ ନିଖୁଣ ରୂପେ ପ୍ରକାଶ ପାଇଛି । ସେ ଜଗତର କୁତ୍ସିତ ସାମାଜିକ ପରମ୍ଫରାକୁ ବରଦାସ୍ତ କରି ନାହାନ୍ତି । ଏଣୁ ଜଗତକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ ଲେଖନ୍ତି-:

 

ରହରେ ଜଗତ, ହେଉଛ ଉତ୍ପାତ ତୋ ଗୁଣ କହିବା କେତେ

ମୋ ପ୍ରଭୁ କରତା ରଞ୍ଚିବାରୁ ତୁହିଁ ପ୍ରତ୍ୟକ୍ଷ ଉଣ୍ଡୁଛୁ ମୋତେ ।୬/୧୧

ଆରେ କଳିଯୁଗ ଭବଭୟ ରୋଗ, ଖଟ ସତ୍ୟ ପାଦ ତଳେ

ଶ୍ରୀଗୁରୁ ଆଜ୍ଞାରେ ଆଦି ଅଗ୍ନିଶରେ ଜଳିଯିବୁ ତପ ବଳେ । (୭/୧୧ ବୋଲି)

 

ବାସ୍ତବରେ ସେ ଥିଲେ ଅନ୍ୟାୟ, ଅଧର୍ମ, ଅସମାନତାର ପ୍ରଚଣ୍ଡ ବିରୋଧୀ । ତେଣୁ ସେ ବିପ୍ଳବି ଓ ବିଦ୍ରୋହୀ । ତାଙ୍କର ତପବଳ ଏତେ ଶକ୍ତିଶାଳୀ ଥିଲା ଯେ ଜଗତକୁ ରୋଷରେ ସତର୍କ କରାଇଥିଲେ । ଯଦି ଗୁରୁ ଆଜ୍ଞା ପାଇଥାନ୍ତେ, ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତେ । ସେ ଚାହିଁ ନାହାନ୍ତି ଏପରି ପାପ ପଙ୍କିଳ ଜଗତରେ ବଞ୍ଚି ରହିବାକୁ ବା ସାଧୁ ସନ୍ଥ ଭକ୍ତ ନିର୍ଯାତିତ ହୋଇ ରହିବାକୁ ।

 

ସେ ‘‘ସର୍ବେ ସୁଖୀନ ଭବନ୍ତୁ ସର୍ବେସନ୍ତୁ ନିରାମୟ’’ - ପରୋକ୍ଷରେ ଏ ବୈଦିକ ଭାବଧାରା ତାଙ୍କର ଜୀବନ ଓ କାବ୍ୟିକ ଧର୍ମ ପଥକୁ ପ୍ରତିଧ୍ୱନିତ କରିଛି । ପ୍ରାଣୀଙ୍କ ଆର୍ତ୍ତନାଦ ତାଙ୍କୁ ଗଭୀର ଭାବେ ବ୍ୟଥତ କରିଛି । ସମସ୍ତଙ୍କର ମୁକ୍ତି ଶାନ୍ତି, ସମୃଦ୍ଧି ଚାହିଁଛନ୍ତି । ଏଣୁ ତାଙ୍କର ବିଶ୍ଵ ପାଇଁ ଶ୍ରେଷ୍ଠ ବାଣୀ ହେଲା –

 

‘‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’

 

ଫିରିଙ୍ଗି ତଥା ସେମାନଙ୍କର ପଦଲେହନକଳାରୀ ଗଡ଼ଜାତ ରାଜାମାନଙ୍କର ଶୋଷଣ ତଥା ଅତ୍ୟାଚାରରେ ମହାନ ବିପ୍ଲବୀ କବି ଭୀମ ଭୋଇ ମ୍ରିୟମାଣ ହୋଇପଡ଼ିଥିଲେ ଏବଂ ଭବିଷ୍ୟତ ବାଣୀ କରିଥିଲେ –

 

ଯୁଝିବ ଫିରିଙ୍ଗି ନ ପାରିବ ଭାଙ୍ଗି ରହିବ ତା’ ନିଜସ୍ଥାନେ

ସାକ୍ଷୀ ରୂପେ ଦେବତାଏ ଦେଖୁଥିବେ ରହି ଅଧା ସ୍ଵର୍ଗ ଶୂନ୍ୟେ ।

(୭/୧୫ ବୋଲି)

 

ତାଙ୍କ ଭବିଷ୍ୟତ ବାଣୀ ସତ୍ୟ ହେଲା । ବିଦେଶୀ ଶାସକର ଅନ୍ୟାୟ, ଅତ୍ୟାଚାରଗ୍ରସ୍ତ କୁଶାସନର ଅବସାନ ହେଲା । ଠାକୁର ଅଭିରାମ ପରମହଂସ (କରମଳାମଠ, ପୁରୀ)ଙ୍କ ଭଳି ଭୀମ ଭୋଇ ଥଲେ ସ୍ଵଦେଶପ୍ରେମୀ ସ୍ଵାଧୀନଚେତା ସନ୍ଥ । ସେ ମଧ୍ୟ ଗୁରୁଙ୍କ ବ୍ୟତୀତ କୌଣସି ରାଜାର ପ୍ରଜା ନଥିଲେ ବା ସାହୁକାରର ଖାତକ ନ ଥିଲେ । ଥଲେ ସଚ୍ଚା ଆଦିବାସୀ କନ୍ଧ ବିପ୍ଲବୀ, ମହାପୁରୁଷ । ସେ ଲେଖିଛନ୍ତି- ‘‘ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ, ଯହୁଁ ଗୁରୁ ନେବେ ତହି ଯାଉଁ ଆମ୍ଭେ ଏକ ଅବା କରୁ ଅଟକ ।‘‘ (୧୫/୬୪ ବୋଲି) ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଭଳି ସେ ମଧ୍ୟ ରାଜାଧିନ ହୋଇ ନାହାନ୍ତି । ସେ ଥିଲେ ମହିମା ଗୋସାଇଙ୍କ ଭକ୍ତ । ତାଙ୍କର ନିର୍ଦ୍ଦେଶ ଥିଲା ଶିରୋଧାର୍ଯ୍ୟ ।

 

ଆଧୁନିକ ସଭ୍ୟତାର ବିକୃତ ଆଚାର - ସାଧାରଣ ମଣିଷ ସାର୍ବଭୌମତା, ପୁରୋହିତ ସମ୍ପ୍ରଦାୟର ହୀନମନ୍ୟତା, ଜାତିଭେଦର କଳୁଷତା ଧୌତ କରିବା ପାଇଁ ସେ ପ୍ରବଳ ପ୍ରୟାସ କରିଥିଲେ । ଏଣୁ କବି ଗାଇ ଚାଲିଲେ ମାନବୀୟ ମୁକ୍ତ ଓ ବେଦନାର ସଙ୍ଗୀତ- ଯାହା ଜନ ଜୀବନକୁ ଭେଦ କରିଛି । ସେ ମହିମାମୟ ଧର୍ମ - ଯାହା ସତ୍ୟ - ସନାତନ ଆଦର୍ଶ ତାକୁ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଧରାପୃଷ୍ଠରେ ଅବତରଣ କରାଇବା ପାଇଁ ନିଷ୍କାମ ଭାଗବତ ଧର୍ମରେ ପରିଣତ କଲେ । ଅନାଦି ଠାକୁରଙ୍କ ଭକ୍ତିରେ ‘‘ବହୁତ ଅନ୍ୟାୟ ଦେଖିଲୁ ତେଣୁ ଆମ୍ଭେ ଉଦେ ହେଲୁ ।’’ ସ୍ଵୟଂ ମହିମା ଗୋସାଇଁ, ଗୋବିନ୍ଦ ବାବା (ସ୍ଵୟଂ ଜଗନ୍ନାଥ) ଗୁରୁ ଶିଷ୍ୟ ରୂପରେ ଅବତୀର୍ଣ୍ଣ ହୋଇ ନର ତନୁରେ ମହିମା ଧର୍ମଧାରାରେ ଭକ୍ତ ଜନଙ୍କୁ ଅନୁପ୍ରାଣିତ କରି ଦୀକ୍ଷା ଦେଲେ । ଯେପରି, ‘‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମନ ସୃଜାମ୍ୟହମ୍‌।’’ (ଗୀତା) । ଯୁଗେ ଯୁଗେ ଜଗତ ସ୍ରଷ୍ଟା ଜଗତର ମଙ୍ଗଳ ପାଇଁ ଧରାରେ ଅବତରଣ କରିଥାନ୍ତି ଏବଂ ଜଗତର ମଙ୍ଗଳ ପାଇଁ ନୂତନ ବାଣୀ, ନୂତନ ଆଦର୍ଶ ମାଧ୍ୟମରେ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇଥାନ୍ତି । ଏଣୁ କବି ଲେଖିଲେ –

 

ଅହିଂସା ହୁଅ ସର୍ବଜନ

ହିଂସାରେ ନାହିଁ ବ୍ରହ୍ମଞ୍ଜାନ ।

 

ବାସ୍ତବରେ ତାଙ୍କର ସଙ୍ଗୀତମୟୀ - ମନ୍ତ୍ରମୟୀ କବିତା ଓ ଦର୍ଶନ ବିଶ୍ଵକୁ ନୂତନ ଦିଗ୍‌ଦର୍ଶନ ଦେଇଛି । ସେ ଥିଲେ ଶ୍ରେଷ୍ଠ ବିଦ୍ରୋହୀ କବି, ଯିଏ ଜାତି ଓ ସାମାଜିକ ବୈଷମ୍ୟକୁ ବିରୋଧ କରିଛନ୍ତି ଏବଂ ପଣ୍ଡିତମାନଙ୍କୁ ନ୍ୟାୟ ବିଚାର ପାଇଁ ପରାମର୍ଶ ଦେଇଛନ୍ତି ।

 

ଛତିଶ କୁଳ ଯେ ବାଉନ ପାଟକ ଜାତି ବୋଲା ନାହଁ ଯାଏ,

ପାଣି ଅନ୍ତର ପାଟକ ସିନା ଏଣୁ ସୁପଣ୍ଡିତ କର ନ୍ୟାୟେ ।

(୧୨ ପଦ/୭୦ ବୋଲି, ସ୍ତୁତି ଚିନ୍ତାମଣି)

 

ମଣିଷ ମଣିଷ ଭଳି ବଞ୍ଚିରହୁ । ସାଧାଗଣ ମଣିଷ ଶାସକ ଓ ରାଜାର ଶୋଷଣ ତଥା ଅତ୍ୟାଚାରର ଶିକାର ନ ହେଉ । ସମସ୍ତେ ଏକ ମଣିଷ ଜାତି । ଏହାଥିଲା ତାଙ୍କର ଦୃଢ଼ ମତ । ସାମ୍ୟ-ମୈତ୍ରୀ ସଂହତିର ଜୀବନ ଯଜ୍ଞରେ ଝାସ ଦେଇ ଈଶ୍ଵରଙ୍କ ଆରାଧନା ହେଉ ମଣିଷର କାମ୍ୟ-। ଯଦିଓ ଏ ଯାଏଁ ଭଗବାନଙ୍କୁ ମନ୍ଦିରମାନେ ମାଡ଼ିବସିଛନ୍ତି, ପଣ୍ଡାମାନେ ମାଡ଼ିବସିଛନ୍ତି, ଶାସ୍ତ୍ରମାନେ ମାଡ଼ିବସିଛନ୍ତି । ଗୋଟାଏ ଗୋଟାଏ ମୁଖା ପିନ୍ଧି କେତେ କୁଶଳତା ସହିତ ଅଭିନୟ କରିବାରେ ଲାଗିଛନ୍ତି । (ଚିତ୍ତରଞ୍ଜନ ଦାସ ଠାକୁରମାନେ ନାବାଳକ) ଯାହାର ଯେମନ୍ତ ସ୍ଵଭାବ, ଗୁରୁ କହିଲେ କିସ ହେବ । ସ୍ଵାର୍ଥାନ୍ଧ ଧର୍ମାନ୍ଦ ମଣିଷର ସ୍ଵଭାବ ପରିବର୍ତ୍ତନ ହୋଇନାହିଁ । ମଣିଷ ଧର୍ମରଥ ଚଳାଇ ନିଜ ସ୍ୱାର୍ଥ ସାଧନ କରୁଛି । ଏ ଅବସ୍ଥା ଭୀମ ଭୋଇଙ୍କ ବେଳେ ମଧ୍ୟ ଥଲା । ଫଳରେ ଏବେ ‘‘ଅନର୍ଥ ବଢ଼ୁଛି, ଅନ୍ଧାର ଘୋଟି ଚାଲିଛି’’ । ଏହାର ପ୍ରତିକାର ଓ ମୁଳୋତ୍ପାଟନ ପାଇଁ ପ୍ରତିଜ୍ଞା କରିଥିଲେ ସନ୍ଥ କବି । ହେଲେ ଅନ୍ଧ ସମାଜ କନ୍ଧ ବାଣୀର ବହୁ ଦୂରେ । ଆଜିର ମାନବୀୟ ରୁପ ଭୟଙ୍କର । ପ୍ରଶାସକ, ନେତା, ପୁଞ୍ଜପତି, ଶିଳ୍ପପତି, ଭଲା ସାରସ୍ୱତ ସେବକଙ୍କର କି ଗୁଣ ଗାଇବେ-? ‘‘ଖଜୁରୀ ଗଛ ତ ମୂଳରୁ ପାହାଚ ପାହାଚ’’ ଏବଂ ବାହାରେ ସାଧୁ ବେଶ । ଭିତରେ ଭିନ୍ନ ।’’ କାମିନୀ-କାଞ୍ଚନ, ପଦ-ପଦବୀ, ଲୋଭରେ ଲୋକେ ଆତ୍ମ ସମର୍ପଣ କରୁଛନ୍ତି । ବୁଦ୍ଧି, ଜ୍ଞାନ, ଡିଗ୍ରୀ ବିକ୍ରି ହେଉଛି । ସେମାନେ କେବଳ ବର୍ତ୍ତମାନ ସର୍ବସ୍ଵ । କବିଙ୍କ ଭାଷାରେ –

 

ବାହ୍ୟକୁ ଲଗାଇ ଲଢ଼ାକୁ ଜଗାଇ

ମିଛ ପସରାକୁ ସାର ।

ମହାକାଳ ଫଳ ବାହାରେ ସୁନ୍ଦର

ଭିତରେ ପୋଡ଼ା ଅଙ୍ଗାର ।

୬୮/୧୯ ବୋଲି

 

ଏହାହିଁ ଆଜି ସମାଜର ସ୍ଵରୂପ । ସନ୍ଥ ଭୀମଭୋଇଙ୍କ ତିରୋଧାନର ଏକଶତବର୍ଷ ପରେ ବି ତାଙ୍କ ସମୟର ସାମାଜିକ ଅବସ୍ଥା ଆଜି ବି ଉଣା ଅଧିକେ ସେହିପରି ରହିଅଛି ।

 

ଏହି ପଶୁତ୍ଵରୁ ମଣିଷକୁ ଉଦ୍ଧାର କରିବା ଏତେ ସହଜ ନୁହଁ । ଯେହେତୁ ମଣିଷର ନୀତି-ନିୟମ-ଆଚରଣ ବିଚାର ପରିବର୍ତ୍ତନ ହେଉନାହଁ ବା ହେବାର ଲକ୍ଷଣ ଦେଖାଯାଉନାହିଁ ।

 

ଏବେବି ପ୍ରାଣୀଙ୍କ ଆର୍ତ୍ତନାଦ ସମଗ୍ର ବିଶ୍ଵର କୋଣ ଅନୁକୋଣରେ ଶୁଭୁଛି । ‘କଳିଙ୍ଗ ନଗର’ରୁ ଇରାକ, ଆଫ୍ରିକା, ଆଫଗାନିସ୍ଥାନ ପର୍ଯ୍ୟନ୍ତ ଏହା ପ୍ରତିଧ୍ୱନିତ । ଏପରି କଷ୍ଟ ଦେଖି କବିଙ୍କ ହୃଦୟ କାନ୍ଦି ଉଠି ଥିଲା । ତାଙ୍କର ଏହି କାରୁଣ୍ୟ ଭାବ ଓ ସମଗ୍ର ଜଗତର କଲ୍ୟାଣ ଚିନ୍ତା ସ୍ତୁତି ଚିନ୍ତାମଣି’ରେ ଉଦ୍‌ଘୋଷିତ । କବି କରୁଣାକ୍ତ ହୋଇ ଲେଖିଛନ୍ତି-

 

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ,

ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରଇ ମୁହିଁ ।

(୨୭ ବୋଲି)

 

କବି ବ୍ୟଥିତ ହୋଇ ଭଗବାନଙ୍କର ସାହାଯ୍ୟ କାମନା କରିଛନ୍ତି । କାରଣ ଆଜି ଏକବିଂଶ ଶତାବ୍ଦୀରେ ଏବଂ ସ୍ଵାଧୀନ ଦେଶରେ ନ୍ୟାୟ ପାଇଁ ସ୍ଵର ଉତ୍ତୋଳନ କଲେ ନିର୍ମମ ଭାବେ ଦମନ କରାଯାଉଛି, ଗୁଳି ଚଳାଇ ହତ୍ୟା କରାଯାଉଛି । ନ୍ୟାୟ ଉପରେ ପରଦା ପକାଇ ଅନ୍ଧ ଆଇନ ମଣିଷ ଶିକାର କରୁଛି । ନିରୀହ ମଣିଷକୁ ଚୁଗୁଲିଆଙ୍କ ଦ୍ଵାରା ବଶବର୍ତ୍ତୀ ହୋଇ ଉଚ୍ଚ ଶିକ୍ଷିତ କ୍ଷମତାଶୀଳ ବ୍ୟକ୍ତି, ଶାସକ-ପ୍ରଶାସକ ତଥା ଶକ୍ତିଧର ନେତା ଦଣ୍ଡ ଦେଉଛନ୍ତି । (କବି ଗଙ୍ଗାଧର)

 

ଏପରି ପରିସ୍ଥିତିରେ ସର୍ବଶକ୍ତିମାନ ମହିମା ଗୋସାଇଁ ନୀରବ ରହିବା କେତେଦୂର ବାଞ୍ଚନୀୟ ! ଫଳରେ କବି ଭୀମ ଭୋଇ ବିଦ୍ରୋହ କରି ଉଠିଥ୍ରଲେ । ସେ ଗାଇଥିଲେ :

 

ମହାପ୍ରଭୁ ହୋଇ କର୍ତ୍ତାପଦ ବହି

ସକଳ ହେଉଛି ବୃଥା

ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଛ

ଏ ପୁଣି କେବଣ କଥା ?

 

ପୁନରାୟ ନିଜର ଇଷ୍ଟ ମହିମା ଗୁରୁଙ୍କୁ କଠୋର ହୋଇ କହିଲେ - ‘‘ନିଷ୍ଠୁର ହିଆ ନବସେ ତୋ ଦୟା, ଭଲ୍ତ ପ୍ରାଣଖିଆ ହରି ।’’

 

ମାନବର ଦୁରବସ୍ଥାରେ କବିଙ୍କର ହୃଦୟ ଆଲୋଡ଼ିତ ହୋଇଛି । ପୁଣି ପ୍ରଭୁଙ୍କୁ କ୍ରୋଧ ବଶ ହୋଇ ଧିକ୍କାର କରି କହିଲେ :

 

ଭକ୍ତଙ୍କୁ ଭଗାରି, ଦୁଃଖ ଦେଉଛ ଗଞ୍ଜଣା

ଲଜ୍ଜା କି ନାହଁ ତୁମକୁ ପାତାଳରେ ପଶନା ।(୫)

X      X            X

ଏଡ଼େ ପ୍ରଭୁ ଥାଇଁ ଥାଉଁ ଦୁଃଖ ନ ଗଲା ଜଣା ।

(୬,୨୬୫ ପଦ ୨ୟ ଭାଗ ଭଜନମାଳା)

 

ତୁମେ ଏଡ଼େ ବଡ଼ ପ୍ରଭୁ ଥାଇ ଭକ୍ତଙ୍କର ଏ କି କ୍ଳେଶ, ଗଞ୍ଜଣା ଏବଂ ଅକଥନୀୟ ଦୁଃଖ ! ତୁମେ କ’ଣ ଭକ୍ତ ପ୍ରତି ଭଗାରି ସାଜି, ଗଞ୍ଜଣା ଦେବାକୁ ଆସିଛ । ଏପରି ନୀରବତା, ନିଶ୍ଚଳତା ଅଖିଳ ବ୍ରହ୍ମାଣ୍ଡପତିଙ୍କ ପକ୍ଷରେ ଶୋଭା ପାଏ କି ?

 

କେ ତୁମକୁ ଆଜ୍ଞା ଦେଲା ଆସ ବୋଲି ମର୍ତ୍ତ୍ୟକୁ

ସଂସାର ଭୟରେ କିମ୍ପା ଲୁଚୁ ଅଛ ପଛକୁ । (୩)

ଜାଣି କି ନଥିଲ ପ୍ରଭୁ ଜଗତ ପ୍ରପଞ୍ଚକୁ

କଉତୁକ ମଣିଛ କି ପୃଥୀ ଜମ୍ବୁ ଦ୍ଵୀପକୁ ।

(୪) (୨୬୬ ପ. ୨ୟ ଭାଗ ଭ.ମା)

 

ଏହି ସକଳ ଯାତନାମାନଙ୍କୁ ଦେଖ ତାହା ହରଣ କରୁଥିବାରୁ ସେ ସ୍ଵୟଂ ଜଗତର ସ୍ରଷ୍ଟାଙ୍କୁ ଆହ୍ଵାନ କରି କହୁଛନ୍ତି ଯେ ତୁମେ ସିନା ପ୍ରଭୁ ନିର୍ଗୁଣ । ବାକି ସବୁ ମଣିଷ ସଗୁଣ ଧର୍ମୀ । ପ୍ରଭୁ କିଏ ତୁମକୁ ଆଜ୍ଞା ଦେଲା, ଏପରି ବିକଟ - ବିକଳାଙ୍ଗ ଅବତାର ଗ୍ରହଣ କରିବା ପାଇଁ ? ଏ ସଂସାର ଦୁଃଖ ତ ଦୂର କରିପାରୁ ନାହଁ, କ’ଣ ଖେଳ କୌତୁକ କରିବା ପାଇଁ ଏଠାକୁ ଚାଲି ଆସୁଛ ?

 

ଏଣୁ ସମସ୍ତ ରାଗ-ରୋଷ-ଅଭିମାନ ପ୍ରଭୁଙ୍କ ପ୍ରତି ଅଜାଡ଼ି ଦେଇ ଜଗତ ପ୍ରାଣୀଙ୍କ ପାଇଁ ଅଶ୍ରୁଳ ବେଦନାରେ ଫାଟି ପଡ଼ିଥିଲେ କବି । କବିସୂର୍ଯ୍ୟ ବଳଦେବ ରଥ ଜଗନ୍ନାଥଙ୍କୁ ‘‘ସର୍ପ ଜଣାଣ’ରେ ନିଜ ପାଇଁ ଅଭିଯୋଗ କରିଥିଲେ । ମାତ୍ର ମହାମାନବ କବି ଭୀମ ଭୋଇ ବିଶ୍ଵ ଜୀବନ ପାଇଁ ବ୍ୟାକୁଳ । ଏଣୁ ଲେଖିଥିଲେ ‘‘ପରର ଆନନ୍ଦେ ମଙ୍ଗଳ ଅନ୍ୟରେ କି ଅଛି କାର୍ଯ୍ୟ !’’ ପରର ମଙ୍ଗଳରେ ସେ ଆନନ୍ଦିତ ଥିଲେ । ତାଙ୍କ ମନରେ ଈର୍ଷା, ଗର୍ବ, ପରଶ୍ରୀକାତରତା ବସା ବାନ୍ଧି ନ ଥିଲା । ସେ ଥିଲେ ଉଦାରତା, ସରଳ, ମାନବିକତାର ଜୀବନ୍ତ ପ୍ରତିମୂର୍ତ୍ତି । ତେଣୁ ଯେତେବେଳେ ସେହି ନିଷ୍ପେସିତ ମାନବଜାତି ଉପରେ ପ୍ରବଳ ଅତ୍ୟାଚାର ସେ ଦେଖୁଥିଲେ, ବିଦ୍ରୋହୀ ହୋଇ ଯାଇଥିଲେ । ତେଣୁ ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଏହି ଆଦି ବିଦ୍ରୋହୀ ମହାକବି ଭୀମ ଭୋଇ ଗାଇ ଉଠିଥିଲେ –

 

ନବଖଣ୍ଡ ମହୀ, ଥାଳି ପ୍ରାୟ ହୋଇ ହେଜିଲେ ମନକୁ ଆସେ ।

ଏ ମୋର ନେତ୍ରକୁ ଛପ୍ନାକୋଟି ଜୀବ ତିରଣ ପରାଏ ଦିଶେ ।

(୧୬) ୨୬ ବୋଲି )

ଏକା ଦିବସରେ କ୍ଷଣିକ ଭିତରେ ଦ୍ୟନ୍ତି ପୃଥ୍ୱୀ ଲେଉଟାଇ ।

ଦାନ୍ତ କାମୁଡ଼ି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ ।

୧୭/୨୭

 

ଭକ୍ତ କବି ଭୀମଭୋଇ ନ ଥିଲେ ସାଧାରଣ ସାଧୁ । ସେ ଥିଲେ ବ୍ରହ୍ମଜ୍ଞାନୀ । ଏକ ଜ୍ଵଳନ୍ତ ଅମ୍ଳାନ ବ୍ରହ୍ମଦୀପ । ଗୁରୁ ଆଦେଶ ପାଇଥିଲେ ସେ କଳି ଯୁଗର ଆକାଂକ୍ଷା ପୂରଣ କରି ଦେଇଥାନ୍ତେ । ତାଙ୍କ ଆଖିରେ ଜଗତ ଥାଳି ପ୍ରାୟେ ଦିଶୁଥିଲା । ଜଗତ ତାଙ୍କ ପକ୍ଷେ ତିରଣ ତୁଲ୍ୟ ନ ଥିଲା । .ସେ କଳୁଷିତ - ପୃଥିବୀକୁ ଓଲଟାଇ ଧ୍ଵଂସ କରି ଦେଇଥାନ୍ତେ । ମାତ୍ର ଗୁରୁଙ୍କ ଆଦେଶ ନ ଥରିଲା ଏହା କରିବା ପାଇଁ । ତେଣୁ ପ୍ରତିଜ୍ଞା କଲେ –

 

ବସିଥାଇ କୂଳ, ମହାନଦୀ ଜଳ ଛୁଉଁଅଛି ସତ୍ୟ କରି ।

ଧର୍ମକୁ ଲଙ୍ଘି ସୁରାପାନ କରବି, ହରିବି ବ୍ରାହ୍ମଣ ସ୍ତିରୀ ।

(୨/୨୬)

 

କି ଭୀଷ୍ମ ପ୍ରତିଜ୍ଞା ! ତାଙ୍କର ଚରମ ବିଦ୍ରୋହର ବାଣୀ ଏଥିରୁ ଅନୁମେୟ ଯେ ସେ କିପରି ଦୁର୍ଦ୍ଦାନ୍ତ ସିଦ୍ଧ ପୁରୁଷ ଥିଲେ । ଜଗତ ଜନ ସୁଖରେ ନ ଥ୍ଵବାରୁ ସେ କ୍ଷୁବ୍‌ଧ ହୋଇ ଉଠିଥିଲେ । ଧର୍ମ ତ୍ୟାଗ କରିବେ । ମଦ୍ୟପାନ କରି ଉନ୍ମାଦ ହେବେ । ସମାଜର ତଥାକଥିତ ଉଚ୍ଚଶ୍ରେଣୀର ସ୍ତିରୀକୁ ହରଣ କରିବେ । ଯେହେତୁ ‘‘ପ୍ରାଣୀଙ୍କ କଷଣ, ଭେଦୁଅଛି ମନ, ଜୀବନକୁ ମୋର ବାଧେ ।’’ (୨୦/୨୭) ସେ ଦେଖିଛନ୍ତି ୧୮୬୬ରେ ନଅଙ୍କ ଦୁର୍ତ୍ତିକ୍ଷର କରୁଣ ଚିତ୍ର । ଅନ୍ନ ପାଇଁ ଚାରିଆଡ଼େ ହାହାକାର । କୃପଣ ଧନୀ - ଜମିଦାରଙ୍କ ଦ୍ଵାରା ଲୋକେ ଅବହେଳିତ । ଫଳରେ ଜନ ଜୀବନ ହୋଇଛି ତଳି ତଳାନ୍ତ, ପଦ ଦଳିତ, ନିର୍ଯ୍ୟାତିତ । କିପରି ରକ୍ତମାଂସ ଶରୀରଧାରୀ କବି ଧୈର୍ଯ୍ୟ ଧରି ରହିପାରନ୍ତେ ? ଆଜିର ମଣିଷ ଖାଲି ଲୋକଦେଖାଣିଆ ସେବାରେ ବ୍ୟସ୍ତ । ବନ୍ୟା- ମରୁଡ଼ି ପାଇଁ ଆର୍ଥିକ ସାହାଯ୍ୟ ଆସିଲେ ବାଟମାରଣା ହେଉଛି, ନେତା-ପ୍ରଶାସକ ହାତ ଚିକ୍‌କଣ କରୁଛନ୍ତି । କାହାରି ହୃଦୟରେ ଅବହେଳିତ ସାଧାରଣ ମଣିଷ ପାଇଁ ଦରଦ ନାହିଁ । ବିକାଶ ନାଁରେ ବିନାଶ ଚାଲିଛି । ସାଧାରଣ ଲୋକେ ଜଳକା ପରି ଚାହିଁଛନ୍ତି । ଅଥଚ ମୁଷ୍ଟିମେୟ କିଛି ଅନ୍ୟର ଶ୍ରମକୁ ଶୋଷଣ କରି ନିଜର ଶ୍ରୀ ସମ୍ପଦ ବୃଦ୍ଧିରେ ମଗ୍ନ । ବିଦ୍ରୋହୀ ଭୀମ ଭୋଇଙ୍କ ଭାଷାରେ –

 

କରି ଠିକ ପଣ ନେଇଛନ୍ତି ଦିନ ଘୋର ଯୁଗ କଳିକାଳେ ।’’ (୧୬/୨୦ ବୋଲି)

 

ମଣିଷ ମଣିଷକୁ ମାରୁଛି, ଲୁଟୁଛି । ଏଣୁ ସେମାନଙ୍କୁ ଦୟାର୍ଦ, ନୀତିବାନ୍‌, ବିଦ୍ରୋହୀ କବି ତୀବ୍ର ସମାଲୋଚନା କରିଛନ୍ତି । କବି ସତ୍ୟ ସନାତନ ମହିମା ଧର୍ମର ଉପାସନା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ, କିନ୍ତୁ ସେମାନେ ମହାତ୍ମା ଭୀମ ଭୋଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ - ପିଟିଲେ ଆଉ ଗାଁ ଦାଣ୍ଡରୁ ବି ତଡ଼ିଥିଲେ । ଏକଥାର ଅଶ୍ରୁଳ ବର୍ଣ୍ଣନା ସ୍ତୁତି ଚିନ୍ତାମଣି ଓ ଚଉତିଶାରେ ରହିଛି । ଏକ ସାମ୍ୟମୟ ସମାଜ ଗଠନ ପାଇଁ ମହିମାଧର୍ମ ଶିକ୍ଷାଦିଏ ଏବଂ ଏହି ଦର୍ଶନ ପ୍ରଚାର ପାଇଁ ସେ କେତେ କଷ୍ଟ ସହ୍ୟ କରିଛନ୍ତି ତାହା ଅବର୍ଣ୍ଣନୀୟ । ତେଣୁ ସେ ଲେଖିଲେ –

 

କିରସ୍ତାନ ବୋଲି ଦେଇଛନ୍ତି ଗାଳି ନିନ୍ଦା କରୁଛନ୍ତ ଲୋକ ।

 

ଏପରିକି ଲୋକେ ଅଧମ, କର୍ଣ୍ଣପିଶାଚୀ, ପଠାଣ, ଖପରାଖିଆ, କୁକୁର, ଅଛବଜାତି ଆଦି କହି ଭୀମ ଭୋଇ ଓ ମହିମା ସାଧୁ ଏବଂ ଭକ୍ତଙ୍କୁ ରାସ୍ତା ଘାଟରେ ଟେକାପଥର ପକାଇ ଭର୍ସନା କରିଛନ୍ତି । ପୁରୋହିତବାଦ, ଅପସଂସ୍କୃତି, ଅନ୍ଧବିଶ୍ଵାସ କୁସଂସ୍କାର ଓ ପ୍ରତିମାପୂଜାକୁ ମହାନ ବିପ୍ଲବୀ ଭୀମଭୋଇ ଅସ୍ଵୀକାର କରି ଘୋଷଣା କଲେ ବିଷ୍ଣୁ-ନାରାୟଣ, ରାମ, କୃଷ୍ଣ ଆଉ ନାହାନ୍ତି । ତାଙ୍କର ପ୍ରତିମା ପୂଜା କରିବା ନିରର୍ଥକ । ତେଣୁ, ସେ କାବ୍ୟବାଣୀ ଉଚ୍ଚାରଣ କଲେ :

 

ଚିତ୍ର ପଟକୁ ନେତ୍ରେ ଦେଖି,

ମନ ଆନନ୍ଦେ ହୋଇ ସୁଖୀ ।

ଏ ଘଟେ ଜଗନ୍ନାଥ ଅଛି

ପ୍ରତିମା ମିଛରେ ପୂଜୁଛି ।

 

ମୁର୍ତ୍ତି ପ୍ରତିମା ଶୁଷ୍କ କାଠ

ସେ ପୁଣି ନେବକି ବୈକୁଣ୍ଠ ।

ମିଥ୍ୟାରେ ଭୁଲି ମରେ ପ୍ରାଣୀ

ଘଟ ପ୍ରତିମାକୁ ନ ଚିହ୍ନି ।

ପୁଣି କହିଛନ୍ତି

ଏ ଦେହରେ ସବୁଅଛି

ବେଦ ଭୁଲାଇ ମାରୁଛି,

ବିଅର୍ଥେ ନ ଯାଅ କ୍ଷେତ୍ର ଓଡ଼ିଶା ଗୋ ।

(୨/୨୦୫, ୨ୟ ଭଜନମାଳା)

 

ପ୍ରଚଳିତ ଧର୍ମ ଧାରଣା ପ୍ରତି ଏହା କବିଙ୍କର ପ୍ରଚଣ୍ତ ବିରୋଧ ଏବଂ ସମାଜ ସଂସ୍କାର ପାଇଁ ଦୃଢ଼ ଆହ୍ଵାନ । ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଯିବାର ଆବଶ୍ୟକତା ନାହିଁ । ଏହି ପିଣ୍ଡରେ ବ୍ରହ୍ମ ବା ଜଗନ୍ନାଥ ଅଛନ୍ତି । ଏଣୁ ବିଦ୍ରୋହୀ କବି କାଷ୍ଠ ପ୍ରତିମା ପୂଜା ଲୋକେ ଭ୍ରମବଶତଃ ବା ଅଜ୍ଞାନତା ହେତୁ କରୁଛନ୍ତି ବୋଲି ଘୋଷଣା କରିଛନ୍ତି । ‘‘ଭାଗ୍ୟ ଥିଲେ ଧର ଧର ପାଦ ପଦ୍ମ ହେ । ଖଣ୍ଡିବ କାଳ ବିପଦ ପରମାଦ ହେ ।’’ ଲୋକେ ଅଯଥା ଧନ ଓ ସମୟର ଅପବ୍ୟୟ ନ କରି ବାସ୍ତବବାଦୀ ହୋଇ ଅବତାରୀ ମହିମା ଗୋସାଇଁଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ପ୍ରେରଣା ଦେଇଥିଲେ ନିଜ କାବ୍ୟ-କବିତାରେ । ବୈଦିକ ହିନ୍ଦୁ ପରମ୍ପରାକୁ ପ୍ରବଳ ବିରୋଧ କରି ସେ ସ୍ଵର ଉତ୍ତୋଳନ କରିଥିଲେ।

 

ଜପ ତପ ନ କରିବେ ତୀର୍ଥ ବ୍ରତ ନ ଫେରିବେ ଛାଡ଼ି ଶାସ୍ତ୍ର ବେଦ ହେ,

ନ କରି କ୍ରିୟା କରମ ସନ୍ଧ୍ୟା ତର୍ପଣ ଧରମ ଅଗ୍ନି କୁଣ୍ଡେ ଘୃତ ହେ ।

(୩/୨୩୦, ୨ୟ ଭଜନମାଳା)

 

ଏସବୁକୁ ବାଦ୍‌ଦେଇ କେବଳ ପରମବ୍ରହ୍ମ ମହିମା ଗୋସାଇଁଙ୍କୁ ଭଜନ କରିବା ମାନବ ଧର୍ମ ବୋଲି ପ୍ରକାଶ କରିଛନ୍ତି । ସେ ଲେଖଲେ –

 

ଦିନୁ ଦିନ ହୋଇଲାଣି ଘୋର କଳି କାଳ _ .

କାହିଁରେ ନାହିଁନା କିଛି, ବୁଦ୍ଧି ଏକ ଦିଶୁଅଛି ସାଧୁସଙ୍ଗ ମୂଳ ।’’

(୨୩୦ ପଦ)

 

ଅର୍ଥାତ୍‌ ସତ୍‌ସଙ୍ଗ, ମାନବିକ ମୈତ୍ରୀଭାବ ଓ ଅହିଂସା ଗୁଣ ହି ମାନବ ଜୀବନ ଓ ଜଗତକୁ ସତ୍‌ ପଥରେ ନେଇ ପାରିବ । ତେଣୁ ଲୌକିକ ପୁରୋହିତ ପ୍ରାଧାନ୍ୟ ଥବା ପ୍ରତିମାପୂଜା ତ୍ୟାଗ କରି, ଜାତି-ବର୍ଣ୍ଣ ପ୍ରଥାକୁ ଲୋପ କରିବା ପାଇଁ ସେ ସମାଜକୁ ଉଦ୍‌ବୁଦ୍ଧ କରିଥିଲେ ।

 

ପୁଣି ସ୍ତ୍ରୀ ଜାତି ପ୍ରତି ତାଙ୍କର ମହାନ୍‌ ସନ୍ଦେଶ ପ୍ରଦାନ କରି ସେ କହିଥିଲେ –

 

ନିନ୍ଦା ଗର୍ବମାନ ନ ରହିବ ଟାଣ, କରୁଥିବେ ଏକଭାବ,

ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇବ, ସତ୍ୟଯୁଗ ଲେଉଟିବ ।

(୧୮/୭୪ ବୋଲି)

 

କବି ନାରୀ ଜାତି ପୁରୁଷ ସମାଜକୁ ପ୍ରକୃତ ଧର୍ମ ଶିକ୍ଷା ଦେଇ ଅନୁପ୍ରାଣିତ କରିବା ପାଇଁ । ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ନାରୀମାନେ ସତ୍ୟ ମହିମା ପ୍ରତି ଆକୃଷ୍ଟ ହେଲେ ଜଗତରେ ସତ୍ୟଯୁଗ ପ୍ରତିଷ୍ଠା ସମ୍ଭବପର ହେବ ବୋଲି ସେ ଘୋଷଣା କରିଥିଲେ ।

 

କାରଣ ସେ ଜାଣିଥିଲେ ପୁରୁଷ ଅପେକ୍ଷା ନାରୀମାନେ ଅଧିକ ଧର୍ମପରାୟଣା । ଯେଉଁଦିନ ନାରୀମାନେ ମହିମାଧର୍ମ ନେଇ ସଂଯତ ଓ ଶୃଙ୍ଖଳିତ ହେବେ - ସଂସାର ପବିତ୍ର ହେବ । ଏଣୁ ସାଧୁ‘‘ ସତ୍‌-ସଙ୍ଗ କରିବାକୁ ସେ ନାରୀମାନଙ୍କୁ ଅନୁରୋଧ କରିଥିଲେ । ଯା’’ ଫଳରେ ତାଙ୍କଠି, ନିଶ୍ଚେ ପରାପତ ହେବ ବ୍ରହ୍ମ ଅଙ୍ଗ । (୧୮୯/୨ୟ ଭାଗ ଜଜନମାଳା) ବୋଲିରେ ଦୃଢ଼ତାର ସହିତ ପ୍ରକାଶ କରିଥିଲେ ।

 

ଋଷିକବି ଭୀମ ଭୋଇ ଥିଲେ ଜନତାର ଧାର୍ମିକ ନେତା - ପରାମର୍ଶଦାତା । ସରଳ, ନବାକ୍ଷରୀ ଛନ୍ଦରେ ଲିଖିତ ବ୍ରହ୍ମ ନିରୂପଣ ଗୀତାରେ ଶ୍ରୀଗୁରୁ ଓ ନିରାକାର କଥୋପକଥନ ମାଧ୍ୟମରେ ପିଣ୍ଡ ବ୍ରହ୍ମାଣ୍ତ ରହସ୍ୟକୁ ସେ ସରଳ ଭାବରେ ଆଲୋଚନା କରିଛନ୍ତି । ‘‘ମୀନ ଗର୍ଭେ ଯେଉଁ ରୂପେ ଜୀବ ଆତ୍ମା ଅଛି । ସେହି ରୂପେ ଏ ଘଟରେ ବ୍ରହ୍ମଟି ଖେଳୁଛି ।’’ (୭୩/୧୪ ଅଧ୍ୟାୟ)-। ସେପରି ‘‘ଆଦିଅନ୍ତ ଗୀତା’’ରେ ଶୁଦ୍ଧ କାଳ ଦେଖ ଯୌନ-ଜୀବନ-ସଂଯୋଗ କଥା ଉଲ୍ଲେଖ କରି ପତି ପତ୍ନୀର ଆଦର୍ଶ ଜୀବନଗାଥା ଉଲ୍ଲେଖ କରିଛନ୍ତି । ସେ ନୀତିହୀନ ଦୈହିକ ପ୍ରେମ ପ୍ରଣୟକୁ ଘୋର ବିରୋଧ କରିଛନ୍ତି, ‘‘ଋତୁମତ’’ ନୀତିକୁ ମାନ୍ୟତା ଦେଇଛନ୍ତି । ‘‘ଜାତି ଗୋତ୍ର ନ ମାନିଲେ ଗୋ ନୀଚ ଉଚ୍ଚ, ସତ୍ୟ ଧର୍ମ ଧାରଣାକୁ ଗୋ କଲେ ପଛ ।’’ ‘‘ବଡ଼ଲୋକ ବୋଲାଇଲେ ଗୋ ଖଚ କହି ।’’ ଏଥିରେ ତଥାକଥିତ ସଂଭ୍ରାନ୍ତ ଲୋକଙ୍କ ପ୍ରତି କ୍ଷୁବ୍ଧ । ଅଷ୍ଟ ବିହାରୀ ଗୀତାରେ ମଣିଷ ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲିଲେ କଳିର କରାଳ ବିପଦରୁ ରକ୍ଷା ପାଇବେ । ଏଣୁ ‘‘ଜ୍ଞାନରେ ହୁଅ ପରିଚାର, ବିହିତ କର୍ମମାନ କର ।’’ ମାନବୋଚିତ ତଥା ନୈତିକ ଜୀବନଯାପନ ପାଇଁ ଅହରହ ଆସୁରିକ ଭାବନାରେ ଆକ୍ରାନ୍ତ ମନୁଷ୍ୟଜାତିକୁ ପରାମର୍ଶ ଦେଇଛନ୍ତି-। ଏହାହିଁ ପ୍ରକୃତ ଜ୍ଞାନ ବୋଲି ମହାକବି ଭୀମ ଭୋଇ ଘୋଷଣା କରିଛନ୍ତି । ମାନବତାରୂପୀ ଜ୍ଞାନ ଆହରଣ କରି ମଣିଷ ଜାତି ଆନନ୍ଦ ଲାଭ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

 

‘‘କୁମ୍ଭୀପଟ’ ପିନ୍ଧି ଗୃହତ୍ୟାଗୀ ବା ସଂସାରତ୍ୟାଗୀ ସନ୍ନ୍ୟାସ ଦର୍ଶନକୁ ମଧ୍ୟ ସେ ବିରୋଧ କରିଛନ୍ତି । ଏପରିକି ଅନାଦି ଠାକୁରଙ୍କ ମୁହଁରେ କବି କହୁଛନ୍ତି - ‘‘ଆମ୍ଭର ଦୀକ୍ଷା ଯେ ଧରଇ, ସେହୁ ଆମ୍ଭକୁ ଭେଟ ପାଇ ।’’ ‘‘ସେ ପଛେ ଦିଗମ୍ବର ନୋହୁ, ଗୃହରେ ରହି ଜପୁଥାଉ ।’’ ତା'ର ପୂଜାକୁ ଆମ୍ଭେ ପାଉଁ, କ୍ଷଣେ ବୋଇଲେ ଦଣ୍ଡେ ରହୁ ।’’ (ଷୋଡ଼ଶ ଅଧ୍ୟାୟ ନିର୍ବେଦ ସାଧନ) ସଂସାରରେ ସଂସାରୀ ହୋଇ ସାଧୁ ଜୀବନ ଯାପନକୁ କବି ସ୍ୱାଗତ କରିଛନ୍ତି । ତେଣୁ ଲେଖୁଛନ୍ତି ‘‘ତିମିର ଅନ୍ଧାର, କରି ମହାଘୋର ଘୋଟିଲାଣି ତିନିପୁର, ଧନ ଦେଖୁ ମନକୁ ବଢ଼ାଇ ଦେଲେ ସାଧୁ ତ ହେଲେଣି ଚୋର ।’’ ତେଣୁ ସାଧୁ ସନ୍ଥ ହୋଇ ମିଥ୍ୟା ଲୋଭ, ବଶବର୍ତ୍ତୀ ହେଲେ ଜୀବନର କି ମୂଲ୍ୟ ? ଏଣୁ କବି ବିଦ୍ରୋହୀ ହୋଇ ଉଠିଥିଲେ ଏ ମଣିଷ ସୃଷ୍ଟ ଅସାମ୍ୟ, ଅନୀତି ରୂପୀ ଅନ୍ଧକାରକୁ ଅବଲୋକନ କରି ସେ ମଣିଷ ଜାତିକୁ ଚକ୍ଷୁଷ୍ମାନ କରାଇ ଜ୍ଞାନଜ୍ୟୋତିକୁ ହୃଦୟରେ ଧାରଣ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ତାଙ୍କର ଏହି କଳ୍ପିତ ସମାଜ ହିଁ ଧରଣୀରେ ସତ୍ୟଯୁଗ ସୃଷ୍ଟି କରିପାରିବ ବୋଲି ସେ ବିଶ୍ୱାସ କରିଛନ୍ତି ।

 

କିନ୍ତୁ ତାଙ୍କର ଏହି ବାହ୍ୟ ଧର୍ମ ଧାରଣୀ ପ୍ରକୃତି ପକ୍ଷେ ପ୍ରଚଳିତ ଅସାମ୍ୟ, କର୍ମ-କାଣ୍ଡମୟ ପୁରୋହିତ ପ୍ରଥା, କାଷ୍ଠ-ପ୍ରସ୍ତର- ପ୍ରତିମା ପୂଜା, ଶୋଷକ-ଶାସକ-ପୁରୋହିତଙ୍କ ମଧୁର ମିଶ୍ରଣରେ ଗଠିତ ଜାତିଭେଦ ପୂର୍ଣ୍ଣ ସମାଜ ବିରୁଦ୍ଧରେ ପ୍ରାକ୍‌-ବିଂଶ ଶତାବ୍ଦୀର ଓଡ଼ିଶା, ଯେଉଁଠାରେ ଶିକ୍ଷା ଦୀକ୍ଷାର ଘୋର ଅଭାବ, ସାଧାରଣ ମେହନତୀ ମଣିଷ ଉପରେ ସାମ୍ରାଜ୍ୟବାଦୀ ଇଂରେଜ ଶାସନ ଏବଂ ତାହାର ଛତ୍ରଛାୟାତଳେ ଆଶ୍ରିତ ରାଜା-ଜମିଦାର-ସାମନ୍ତମାନଙ୍କର ପ୍ରଜା ଶୋଷଣ ମହାତ୍ମା ଭୀମ ଭୋଇଙ୍କୁ ବିଦ୍ରୋହୀ କରି ଗଢ଼ି ତୋଳିଥିଲା । ତେଣୁ ସେ ସାମାଜିକ ପରିବର୍ତ୍ତନ ପାଇଁ କ୍ରାନ୍ତିକାରୀର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସପ୍ତଦଶ ଶତାବ୍ଦୀର ଭକ୍ତକବି ଦୀନକୃଷ୍ଣ ଦାସ ଯେପରି ସାମନ୍ତବାଦୀ ସାମାଜିକ ବ୍ୟବସ୍ଥାକୁ ଅସ୍ୱୀକାର କରି ବିଦ୍ରୋହ କରିଥିଲେ, ଉନବିଂଶ ଶତାବ୍ଦୀର ଶେଷ ପାଦରେ ଗଡ଼ଜାତର ଘନଘୋର ଅନ୍ଧାରୀ ବନ ମୁଲକରେ ମହାକବି ଭୀମ ଭୋଇ ସାରସ୍ଵତ ଓ ବୌଦ୍ଧିକ ବିଦ୍ରୋହର ସୁତ୍ରପାତ କରିଥିଲେ । ବରଂ ଦୀନକୃଷ୍ଣଙ୍କଠାରୁ ନିଜର ବୈପ୍ଳବିକ ଆଭିମୁଖ୍ୟରେ ଭୀମ ଭୋଇ ଅଧିକ ସ୍ପଷ୍ଟ, ଅଧିକ ନିର୍ଭୀକ ଓ ଅଧିକ ଜନବାଦୀ ଥିଲେ । ସେ ଲୋକଶକ୍ତିକୁ ସଚେତନ କରି ରାଜଶକ୍ତି ଉପରେ ନୈତିକ ବିଜୟ ପ୍ରାପ୍ତି ପାଇଁ ବିଶ୍ଵାସ ସ୍ଥାପନ କରି କାର୍ଯ୍ୟ କରୁଥିଲେ । ଭୀମ ଭୋଇ କ୍ରାନ୍ତି ଦ୍ରଷ୍ଟା କବି, ବିଦ୍ରୋହୀ କର୍ମଯୋଗୀ ଓ ସିଦ୍ଧ ମହାତ୍ମା ବା ଯୋଗଜନ୍ମା ଋଷି ଥିଲେ ।

 

ଆଧୁନିକ ଓଡ଼ିଆ କାବ୍ୟ ଆନ୍ଦୋଳନରେ ସେ ହିଁ ଥିଲେ ଯଥାର୍ଥରେ ପ୍ରଥମ ବିଦ୍ରୋହୀ ପ୍ରଜ୍ଞା ପୁରୁଷ ଓ ବିପ୍ଲବୀ ସାରସ୍ଵତ ସାଧକ ଏବଂ ପ୍ରଗତିବାଦୀ ସାମାଜିକ ଅଙ୍ଗୀକାରଯୁକ୍ତ ସିଦ୍ଧ ମହାପୁରୁଷ ।

 

ଏହି ମହାକବିଙ୍କ ନିକଟରେ ଆମ ଜାତିର ଜାତୀୟତା, ସାରସ୍ଵତ ସୃଷ୍ଟି ଓ ସାମାଜିକ ଆନ୍ଦୋଳନ ସବୁଦିନ ପାଇଁ ଋଣୀ ।

 

***